ଓଡ଼ିଆ ଜାତିର ଭାଷା ଅଧିକାର: ଆଇନ ପ୍ରଣୟନ କାଳରେ ଖଳନାୟକ ଠାବ , ଦଣ୍ଡ ବିନା ବିପତ୍ତି ନ ଟଳେ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଯେଉଁ ସମ୍ବଲପୁରର ଭାଷା ଜାତୀୟତା ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶର ଆବିର୍ଭାବ ଘଟାଇଥିଲା , ସେହି ସମ୍ବଲପୁରରେ ୧୨ ତାରିଖରୁ ଆରମ୍ଭ ହୋଇଯାଇଛି ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ପାଇଁ କଳାପତାକା ଅଭିଯାନ । ତା ପୂର୍ବରୁ ଓଡ଼ିଶା ସୃଷ୍ଟିରେ ସମ୍ବଲପୁରର ଅବଦାନ ସମ୍ପର୍କରେ ମୋର କେତେକ  ନିବନ୍ଧ , ଯଥା – “ଚନ୍ଦ୍ରଶେଖର ବେହେରଙ୍କଠାରୁ ଲକ୍ଷ୍ମୀନାରାୟଣ ମିଶ୍ର” ନୀତିଦିନର ୧୧.୩.୨୦୧୭ତାରିଖର ସଂସ୍କରଣରେ ପ୍ରକାଶ ପାଇ ସମ୍ବଲପୁରରେ ଭାଷା ଅସ୍ମିତାର ପୁନର୍ଜାଗରଣ ଘଟାଇଥାଏ ।  ସେହି ପୁନର୍ଜାଗରଣକୁ ବଳବତ୍ତର କରିଥିଲା  ମୋ ନିବନ୍ଧ  “ଓଡ଼ିଆ ଭାଷା ଓ ସମ୍ବଲପୁର”  ଦୈନିକ ସୂର୍ଯ୍ୟପ୍ରଭାର ୧୨.୩.୨୦୧୭ ତାରିଖର ସଂସ୍କରଣରେ ଏବଂ “ସମ୍ବଲପୁର, ଓଡ଼ିଆ ଭାଷା: ଅତୀତରୁ ବର୍ତ୍ତମାନ” ୧୮.୩.୨୦୧୭ ତାରିଖର ପ୍ରମେୟରେ । ଭାଷା ଆନ୍ଦୋଳନକୁ ମୁଁ ଦେଇଥିବା ଏହି ଶକ୍ତିଶାଳୀ ସାହିତ୍ୟ ସହାୟତାରେ ଓଡ଼ିଶାର ପଶିମ ବାହିରେ କଳାପତାକା ଅଭିଯାନ ଯେତେବେଳେ ତୀବ୍ର ହୋଇଛି, ଏବଂ କ୍ଷମତା ରାଜନୀତି ସହ କୌଣସି ସମ୍ପର୍କ ନଥିବା ବହୁ ବୁଦ୍ଧିଜୀବୀ ଯେତେବେଳେ ଏହି ଆନ୍ଦୋଳନକୁ ସମର୍ଥନ କରି କାଳବିଳମ୍ବ ନକରି ଓଡ଼ିଆରେ ଓଡ଼ିଶା ଶାସନ ସୁନିଶ୍ଚିତ କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଚାଲିଛନ୍ତି, ସେତେବେଳେ ନବୀନ ପଟ୍ଟନାୟକଙ୍କ ସରକାର କାହିଁକି ନିଜର ଭୁଲ ସଂଶୋଧନ କରି ଭାଷା ଆଇନକୁ ନିର୍ଭୁଲ କରୁନାହିଁ ? 

ଏହା ହିଁ ସତ୍ୟ ଯେ, ୧୯୫୪ରେ ପ୍ରଣୀତ ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ ଏଯାଏଁ କାର୍ଯ୍ୟକାରୀ ହୋଇନାହିଁ ।  କାହିଁକି ହୋଇନାହିଁ ? ଓଡ଼ିଶା ରାଜନୀତିରେ ବିଜୁ ପଟ୍ଟନାୟକଙ୍କ କାଳରୁ ରାଜନୈତିକ ସ୍ତରକୁ ବ୍ୟାଧି ପରି ଗ୍ରାସିଯାଇଥିବା ଇଂରାଜୀ ଭାଷାମନସ୍କତା ତ ଏକ ମୁଖ୍ୟକାରଣ । ମାତ୍ର ଭାଷା ଆଇନ ପ୍ରଣେତା ନବବାବୁଙ୍କ ସମୟରେ ମଧ୍ୟ ଓଡ଼ିଆରେ ଆଶାଜନକ ଭାବେ ଚାଲି ନଥିଲା  ଓଡ଼ିଶାର ଶାସନ ।  କାରଣ, ଓଡ଼ିଆ ଭାଷା ପ୍ରତି ବିମୁଖତା ତଳିଆ ଅମଲାତନ୍ତ୍ରରେ ଭରିହୋଇରହିଥିଲା । ମୁଖ୍ୟମନ୍ତ୍ରୀ ଚୌଧୁରୀ ସେହି ଖଳନାୟକମାନଙ୍କୁ ଠାବ କରିଥିଲେ । ଏହି ନିବନ୍ଧରେ ମୁଁ ଆପଣଙ୍କୁ ସେଇଠିକି ନେଇଯିବି  ।  

ଭାଷା ଆଇନ କରାଇ ନଦେବା ପାଇଁ ଅଣଓଡ଼ିଆ ଶାସନ ସଚିବମାନେ ଚକ୍ରାନ୍ତ ଚଳାଇଥିବା ଆପାତତଃ ସମସ୍ତକୁ ଜଣାଥିଲା । ତେଣୁ, ଜୁନାଗଡ଼ର ପ୍ରତିନିଧି, କଳାହାଣ୍ଡିର ପୂର୍ବତନ ମହାରାଜା ପ୍ରତାପ କେଶରୀ ଦେଓ କହିଥିଲେ, “ଏଇଟା ମନେ ରଖିବାକୁ ହେବ ଯେ, ଅଚିରେ ଓଡ଼ିଆ State Language ହୋଇଯିବ ଏବଂ ବିଭାଗୀୟ ସମସ୍ତ କାଗଜପତ୍ର ଓଡ଼ିଆ ଭାଷାରେ ହେବ । ସେହି ହେତୁରୁ, ଯେଉଁମାନେ ଓଡ଼ିଶାରେ ବାସ କରିବାକୁ ଚାହାନ୍ତି, ସେମାନଙ୍କୁ ଓଡ଼ିଆ ନିଶ୍ଚୟ ଶିଖିବାକୁ ପଡ଼ିବ । ସେ ଆମର ଜଣେ ଆନ୍ଧ୍ର ଭାଇ ହୁଅନ୍ତୁ କିମ୍ବା ସେ ଆମର ଚିଫ୍ ସେକ୍ରେଟାରୀ ହୁଅନ୍ତୁ ଅଥବା ଯେ କେହି ହୁଅନ୍ତୁ , ସମସ୍ତଙ୍କୁ ଓଡ଼ିଆ ଶିଖିବାକୁ ହେବ ; they must learn Oriya or else they will have to clear out” (ବିଧାନସଭା ବିବରଣୀ, Vol. VI–No. 4, p. 32) ।

ଅଣଓଡ଼ିଆ ଅଧିକାରୀମାନଙ୍କ ମାନସିକତା ଶ୍ରୀ ଦେଓଙ୍କ କଥାରେ ପରିସ୍ଫୁଟିତ ହୋଇଥିବା ବେଳେ, ଓଡ଼ିଆ ଭାଷା ବିରୁଦ୍ଧରେ କିରାଣୀମାନଙ୍କ ମାନସିକତାର ଏକ ଆଲୋକବର୍ଷୀ ଉପସ୍ଥାପନା କରିଥିଲେ ନିଜେ ମୁଖ୍ୟମନ୍ତ୍ରୀ ଶ୍ରୀ ଚୌଧୁରୀ ।  “୩ ବର୍ଷ ପରେ ଓଡ଼ିଆ ନଜାଣିଥିବା ଲୋକଙ୍କୁ ଦଣ୍ଡ ଦିଆଯିବା ବ୍ୟବସ୍ଥା ହେଉଛି” ବୋଲି ଜାଣି “ଅଣଓଡ଼ିଆ ଅଫିସରମାନେ ଓଡ଼ିଆ କହିବାକୁ ଓ ଲେଖିଶିଖିବାକୁ ଉତ୍ସାହର ସହିତ ଲାଗିପଡ଼ିଛନ୍ତି” ବୋଲି ସୂଚାଇ ସେ କହିଥିଲେ, “ସେମାନଙ୍କ ସହ ଆମର ଯେଉଁ ଆଲୋଚନା ହୁଏ, ସେଥିରେ ସେମାନେ ଓଡ଼ିଆରେ ଆଲୋଚନା କରନ୍ତି । କିନ୍ତୁ ଆମ ଓଡ଼ିଆ ମରହଟିଆ କିରାଣୀମାନେ କହନ୍ତି  ଯେ, ଆମେ ବରାବର ଇଂରାଜୀରେ ଲେଖିଆସିଲୁ , ଆଜି କ’ଣ ଓଡ଼ିଆରେ ଲେଖିବୁ ?” (ଏଯନ ପୃ ୫୫ )। 

ବ୍ୟାଧିଟି ଏଇଠି ।

ନୀଳବର୍ଣ୍ଣ ଶୃଗାଳ ପରି ଏହି କିରାଣୀମାନେ ଓଡ଼ିଆ କୁଳରେ ଜନ୍ମ ହୋଇ ମଧ୍ୟ ନିଜକୁ ସାଧାରଣ ଓଡ଼ିଆଠାରୁ ଅଧିକ ଉନ୍ନତ ବୋଲି ଦେଖେଇହେବାକୁ ନଥିରେ ଇଂରାଜୀ ଚାଷ କରନ୍ତି । ଏମାନେ ଫକୀରମୋହନଙ୍କ ‘ଡାକ ମୁନ୍ସି’ ଗପର ଗୋପାଳ ଠାରୁ କେଉଁ ଗୁଣରେ ଊଣା ନୁହନ୍ତି । ଏମାନେ ସମସ୍ତେ ଓଡ଼ିଆ । ଏମାନେ ଚାହିଁଥିଲେ, ଓଡ଼ିଶାରେ ଓଡ଼ିଆରେ କାମ ହେଉବୋଲି ଆମକୁ ଆଜି ଆନ୍ଦୋଳନ କରିବାକୁ ପଡୁ ନଥାନ୍ତା । ନବବାବୁ ଠାବ କରିଥିବା ଏହି ପ୍ରଜାତିର କର୍ମଚାରୀମାନଙ୍କ ଇଂରାଜୀମନସ୍କତା ନବୀନ ପଟ୍ଟନାୟକଙ୍କ ଓଡ଼ିଆ ବିଦ୍ଵେଷ ସହ ମିଶି  ଆଜି ଓଡ଼ିଶା ପ୍ରଦେଶ ସୃଷ୍ଟିର ଉଦ୍ଦେଶ୍ୟ ପଣ୍ଡ କରିବାକୁ ବସିଛି । 

ସମୟ ଆସିଛି, ଓଡ଼ିଆ ଜାତି ତା’ର ଏହି କୁଳନନ୍ଦନମାନଙ୍କୁ କାନରଗଡ଼ି  ଶୃଙ୍ଖଳିତ କରିବା ପାଇଁ । କଠୋର ଦଣ୍ଡବିଧାନ ବ୍ୟତୀତ  ଏହି ଦେଶୀ ଇଂରାଜିଆମାନଙ୍କୁ ଶୃଙ୍ଖଳା ଶିଖାଇବା ଅସମ୍ଭବ । 

କିରାଣୀ ହୁଅନ୍ତୁ କି ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ ହୁଅନ୍ତୁ କି ଅନ୍ୟ ଯେ କେହି ହୁଅନ୍ତୁ, ଓଡ଼ିଶାର ପାଣିପବନରେ ରହୁଥିବା, ଓଡ଼ିଆ ଲୋକଙ୍କଠାରୁ ଦାନାପାଣି ସଂଗ୍ରହ କରୁଥିବା, ଓଡ଼ିଶା ରାଜକୋଷରୁ ବେତନ ଭତ୍ତା ପାଉଥିବା ଅଥଚ ଓଡ଼ିଶା କାର୍ଯ୍ୟାଳୟ  ଭାଷା ଆଇନର ଅମର୍ଯ୍ୟାଦା କରୁଥିବା ଲୋକକୁ  କଠିନ ଦଣ୍ଡ ବିଧାନ କରିବାକୁ ହେବ । ମାନ୍ୟବର ପ୍ରତାପ କେଶରୀ ଦେଓଙ୍କ ଉପରୋଦ୍ଧୃତ୍ତ ଭାଷାରେ କହିବାକୁ ହେବ, “ସେ ଆମର ଚିଫ୍ ସେକ୍ରେଟାରୀ ହୁଅନ୍ତୁ ଅଥବା ଯେ କେହି ହୁଅନ୍ତୁ , ସମସ୍ତଙ୍କୁ ଓଡ଼ିଆ ଶିଖିବାକୁ ହେବ ; they must learn Oriya or else they will have to clear out. ”

ମୁଁ ନିଶ୍ଚିତ ଯେ, ଓଡ଼ିଆ ଜାତି ପ୍ରତି ନବୀନ ପଟ୍ଟନାୟକଙ୍କ ବିଶ୍ୱାସଘାତକତା ଆମ ଭାଷାକୁ ଓ ଆମ ଜାତୀୟ ପରିଚୟକୁ  ଯେଉଁ ବିପଦ ଭିତରକୁ ଠେଲି ଦେଲାଣି, ଏହି ଓଡ଼ିଆଦ୍ରୋହୀ କର୍ମଚାରୀ ଓ ପଦାଧିକାରୀମାନଙ୍କୁ କଠିନ ଦଣ୍ଡବିଧାନ ବିନା  ବିପତ୍ତି ନ ଟଳେ । 

ଏଥିପାଇଁ କଳାପତାକା ଅଭିଯାନକୁ  ବ୍ୟାପକ କରିବାକୁ ହେବ । 

ମାଙ୍କଡ଼ ହାତେ ଶାଳଗ୍ରାମ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ବିଧେୟକ, ୨୦୧୬ ଆଜି ବିଧାନସଭାରେ ପାରିତ ହୋଇଗଲା । ରାଜ୍ୟପାଳ ସମ୍ମତି ପ୍ରଦାନ କଲା ପରେ ଏହା ବିଧିବଦ୍ଧ ଆଇନ ରୂପ ପାଇବ ।

ନିଯମାବଳୀ ପ୍ରଣୟନ ପାଇଁ ସାମର୍ଥ୍ୟ ଲାଭ ସକାଶେ ଆଇନ ସଂଶୋଧନ କରିବାକୁ ମନ୍ତ୍ରୀସ୍ତରୀୟ କମଟିରେ ମୁଁ ସରକାରଙ୍କୁ ଯେଉଁ ପରାମର୍ଶ ଦେଇଥିଲି ସେହି ପରାମର୍ଶ ଏହି ଆଇନକୁ ଜନ୍ମ ଦେଇଛି ବୋଲି ଏକପ୍ରକାର ଆତ୍ମସନ୍ତୋଷ ମିଳୁଥିଲେ ମଧ୍ୟ ମୋତେ ଦୁଃଖ ଓ ଲଜ୍ଜାର ସହ କହିବାଲୁ ପଡୁଛି ଯେ, ସେଦିନ ମୁଁ ଅନ୍ଦାଜ କରିପାରିନଥିଲି ଯେ, ମୁଁ ଯାହା କଲି ତାହା ମାଙ୍କଡ଼ ହାତରେ ଶାଳଗ୍ରାମ ସଦୃଶ ହୋଇଯିବ ଓ ସେ ଏପରି ନଚାଇ ନଚାଇ ତାହାର ପ୍ରାଣ ନେଇଯିବ ।

ନବୀନ ପଟ୍ଟନାୟକ ଏହା ହିଁ କରିଛନ୍ତି । ଆଜି ଯେଉଁ ସଂଶୋଧନ ବିଧାନସଭା ଗ୍ରହଣକଲା , ତାହା ରାଜ୍ୟ ପରିଚାଳନାରେ ଆମ ଭାଷାର  ଅଲଙ୍ଘ୍ୟତା ସୃଷ୍ଟିକରିବା ପରିବର୍ତ୍ତେ ତାକୁ ଅକାର୍ଯ୍ୟ କରିଦେବ ।

ବିଧାନସଭା ଚାହିଁଥିଲେ ଅଧ୍ୟାଦେଶକୁ ଅନୁମୋଦନ ଦେବାକୁ ମନା କରିଦେଇପାରିଥାନ୍ତା । କାରଣ, କେଉଁ ଜରୁରୀ ପରିସ୍ଥିତିରେ ଅଧ୍ୟାଦେଶ ଜାରି ହୋଇଥିଲା ତାହା ସରକାର ଲୁଚାଇ ରଖିଥିଲେ । ସେହି ଅଧ୍ୟାଦେଶର ପ୍ରବଞ୍ଚନା ସମ୍ପର୍କରେ ମୁଁ ନିଜେ ଓ ମୋର ସାଥୀ କଳାପତାକା ଅଭିଯାତ୍ରୀମାନେ ଆଗଧାଡ଼ିଆ ବିଧାୟକମାନଙ୍କୁ ଭେଟି ଏହି ଅଧ୍ୟାଦେଶକୁ ଅନୁମୋଦନ ନଦେବା ପାଇଁ ଅନୁରୋଧ କରିଥିଲୁ । ଆଜି ପ୍ରାତଃସଂସ୍କରଣରେ ସମ୍ବାଦ ‘ଭାଷା ଆଧ୍ୟଦେଶର ପ୍ରବଞ୍ଚନା ପ୍ରତ୍ୟାଖ୍ୟାତ ହେଉ’ ଶୀର୍ଷକ ମୋ ପ୍ରବନ୍ଧ ପ୍ରକାଶ କରିଥିଲା ଓ ତାହା ସବୁ ବିଧାୟକଙ୍କ ପାଖରେ ପହଞ୍ଚିଥିଲା ।

ଲଜ୍ଜାର ସହ କହିବାକୁ ପଡୁଛି , ଆମ ଭାଷାକୁ ଆମ ରାଜ୍ୟର କାର୍ଯ୍ୟଭାଷା କରିବା ପାଇଁ ଭାଷା ଆନ୍ଦୋଳନର ସମସ୍ତ ଉଦ୍ୟମ ମୁଖ୍ୟମନ୍ତ୍ରୀଙ୍କ ଚକ୍ରାନ୍ତ ପାଖରେ ପରାଭୂତ ହୋଇଛି ଓ ଓଡ଼ିଆ ଭାଷା ଜନନୀ ଭୟଙ୍କର ଭାବେ କ୍ଷତାକ୍ତ ହୋଇଛି ।

ଆମକୁ ଆମ ଆନ୍ଦୋଳନ ଅଧିକ ଶକ୍ତିଶାଳୀ କରିବାକୁ ହେବ ।