ଭାଷା ଆନ୍ଦୋଳନକୁ ଭାଙ୍ଗି ନ ପାରିବାରୁ ଅର୍ଥମନ୍ତ୍ରୀ ଶଶି ବେହେରା ଟିକଟ ହରାଇଲେ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଭାଷା ଆନ୍ଦୋଳନକୁ ଭାଙ୍ଗି ନ ପାରିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉପରେ ଏତେ ବିରକ୍ତ ଯେ, ବିଜେଡି ଟିକଟରେ ବିଧାନସଭାକୁ ଆସିବା ବାଟ ତାଙ୍କ ପାଇଁ ବନ୍ଦ ହୋଇଯାଇଛି । ଅର୍ଥମନ୍ତ୍ରୀ ବେହେରଙ୍କୁ ନବୀନବାବୁଙ୍କ ମନ୍ତ୍ରୀମଣ୍ଡଳରେ ସବୁଠୁ ଶକ୍ତିଶାଳୀ ମନେକରାହେଉଥିଲା । ତାଙ୍କ ଉପରେ ରୋଷ ହେତୁ ତାଙ୍କ ନିଜ ନିର୍ବାଚନମଣ୍ଡଳୀରେ ଅରବିନ୍ଦ ଢାଲିଙ୍କୁ ପ୍ରାର୍ଥୀ କରାଇଛନ୍ତି ନବୀନ ବାବୁ ଏବଂ ଶଶିବାବୁ ଯେ ତାଙ୍କ ବିଶ୍ଵାସ ହରାଇ ସାରିଛନ୍ତି – ଏହି ଧାରଣା ବଳବତ୍ତର ହୋଇଛି ।

ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ଅଧକୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ବିଶ୍ଵସ୍ତ ପ୍ରକାଶ । ପ୍ରଦ୍ୟୁମ୍ନ ଶତପଥି ଓ ପବିତ୍ର ମହାରଥାଙ୍କ ସହାୟତାରେ ଭାଷା ଆନ୍ଦୋଳନକୁ ଭାଙ୍ଗି ଦେବା ପାଇଁ ଏହି ଅର୍ଥ ବ୍ୟୟ କରାଯାଇଥିଲେ ବି ଆନ୍ଦୋଳନ ଭାଙ୍ଗି ନହିଁ , ଚାଲିଛି । ପ୍ରତିଦିନ ଦୁଇଜଣ ଭାଷାପ୍ରାଣ ଓଡ଼ିଆ କଳା ପତାକା ଧରି ଘୋଷଣାନାମା ସହ ବିଧାନସଭା ସମ୍ମୁଖସ୍ଥ ମନୀଷୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରୁ ରାଜଭବନ ସମ୍ମୁଖସ୍ଥ କୁଳବୃଦ୍ଧ ମଧୁସୂଦନଙ୍କ ବିଜେସ୍ଥଳୀ ପର୍ଯ୍ୟନ୍ତ ଆସୁଛନ୍ତି ।

କୌଣସି ଆଇନ ଉଲ୍ଲଂଘନ ନ କରି ଆଇନ ବଦଳାଇବାକୁ ଏକ ଆଇନସମ୍ମତ ସରକାରକୁ ପ୍ରବର୍ତ୍ତାଇବାପାଇଁ ସ୍ଵଳ୍ପସଙ୍ଖ୍ୟକ ବ୍ୟକ୍ତି ବି କିପରି ସକ୍ଷମ ହୋଇପାରନ୍ତି ଏହି ଆନ୍ଦୋଳନ ତାର ଏକ ସଫଳ ପରୀକ୍ଷଣ ।

ମୋର ମାନସପ୍ରସୂତ ଏହି ପଦ୍ଧତ୍ତି ମୁଁ ପ୍ରଥମେ ପ୍ରୟୋଗ କରିଥିଲି ୧୯୮୦ ଦଶକରେ ତଦାନୀନ୍ତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନିର୍ବାଚନକାଳୀନ ପ୍ରତିଶ୍ରୁତି ଭଙ୍ଗ ବିରୁଦ୍ଧରେ ୧୯୮୦ ଦଶକର ଆଦ୍ୟଭଗରେ ।

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.