ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ପ୍ରଦ୍ୟୁମ୍ନ ଶତପଥୀଙ୍କ ପତ୍ନୀଙ୍କୁ ୧୬.୭.୨୦୧୮ ସୁଦ୍ଧା ଚାକିରି ଦିଆଇବା ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଯଦି ଚାପ ପ୍ରୟୋଗ କରିନଥାନ୍ତେ, ଉଚ୍ଚ ଶିକ୍ଷା ବିଭାଗରେ ଘଟିଥିବା ପ୍ରଚଣ୍ଡ ପ୍ରଶାସନିକ ଦୁରାଚର ଓ ଅସଙ୍ଗତ କାର୍ଯ୍ୟ କେବେ ବି ହୁଏତ ଘଟିନଥାନ୍ତା ।

ଅନୁବିଭାଗୀୟ ଅଧିକାରୀ ପ୍ରଦୀପ କୁମାର ରାଉତ ତାଙ୍କ ୧୯.୬.୨୦୧୮ ତାରିଖର ଟିପ୍ପଣୀରେ ପୁନର୍ବାର ସରକାରଙ୍କ ୨୨.୬.୨୦୧୫ ତାରିଖର ୧୩୨୯୦ ସଂଖ୍ୟକ ଆଦେଶ କଥା ଉଲ୍ଲେଖ କରିବାରୁ, ଏବଂ ତାହା ସରକାରଙ୍କ ଅଶୁଦ୍ଧ ଅଭିପ୍ରାୟକୁ ସୁହାଉ ନଥିବାରୁ, ସେହି ଆଦେଶକୁ ଅକାମି କରିବା ଉଦ୍ଦେଶ୍ୟରେ ଅତିରିକ୍ତ ଶାସନ ସଚିବ କୃପାସିନ୍ଧୁ ମିଶ୍ର ୨୦.୬.୨୦୧୮ ତାରିଖରେ ରାଉତଙ୍କ ମୂଳ ଟିପ୍ପଣୀ ଉପରେ କିପରି ହସ୍ତକ୍ଷେପ କରି , ଏ “ସମସ୍ୟାର ସମାଧାନ” ପାଇଁ ତାଙ୍କ ନିଜ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହେବ ଓ ସେହି କମିଟି ୨୨.୬.୨୦୧୮ ତାରିଖରେ ବସି ଯେଉଁ “ରିପୋର୍ଟ” ପ୍ରସ୍ତୁତ କରିବେ ତାହା ସେହି ଦିନ ବିଭାଗୀୟ ସଚିବଙ୍କ ସମ୍ମୁଖରେ ପେଶ୍ ହେବ ବୋଲି ଆଦେଶ ଦେଲେ, ଓ ତାହା ସରକାର ଶାସନ ସଚିବଙ୍କ ମାଧ୍ୟମରେ ମଞ୍ଜୁର କରିଥିଲେ, ତାହା ପୂର୍ବରୁ ଦର୍ଶାଯାଇଛି ।

ଏହି କମିଟିର ସିଦ୍ଧାନ୍ତ ବି ଏଥିପୂର୍ବରୁ ଉଦ୍ଧୃତ୍ତ ହୋଇଛି । କମିଟି ସିଦ୍ଧାନ୍ତର ରିପୋର୍ଟ ପ୍ରସ୍ତୁତି ଦାୟିତ୍ଵ ଥିଲା ଅନୁବିଭାଗୀୟ ଅଧିକାରୀଙ୍କର ଏବଂ ସେ ବି ତାହା ପ୍ରସ୍ତୁତ କରି ସେହି ୨୨.୬.୨୦୧୮ ତାରିଖରେ ସରକାରଙ୍କ ଅନୁମୋଦନ ପାଇଁ ଅତିରିକ୍ତ ଶାସନ ସଚିବଙ୍କ ସମ୍ମୁଖରେ ରଖିଛନ୍ତି (ଟିପ୍ପଣୀ ୯, ତା ୨୨.୬.୨୦୧୮, ସମୟ ଅପରାହ୍ନ ୩ଟା ୪୯ ମିନିଟ ୩୩ ସେକେଣ୍ଡ) ।

କିନ୍ତୁ ଟିପ୍ପଣୀ ୧୦ରୁ ଜଣାପଡ଼େ , ପୂର୍ବରୁ ଅନୁମୋଦିତ ହୋଇଥିବା ନିଷ୍ପତ୍ତି ସତ୍ତ୍ୱେ ଏହି କମିଟି ରିପୋର୍ଟକୁ ସେହି ଦିନ ସଙ୍ଗେ ସଙ୍ଗେ ଶାସନ ସଚିବଙ୍କୁ ନ ଦେଇ ନିଜ ପାଖରେ ଚାପି ରଖିଥିଲେ ଅତିରିକ୍ତ ଶାସନ ସଚିବ କୃପାସିନ୍ଧୁ ମିଶ୍ର ଜୁନ ୨୫ ତାରିଖ କାର୍ଯ୍ୟ ଦିବସ ଶେଷହେବା ଯାଏଁ । କାରଣ, ୨୫.୬.୨୦୧୭ ସନ୍ଧ୍ୟା ୭ଟା ୩ ମିନିଟ ୧୫ ସେକେଣ୍ଡରେ ସେ ଲେଖିଛନ୍ତି , “Please give your considered views” (“ଦୟାକରି ଆପଣଙ୍କ ସୁଚିନ୍ତିତ ମତ ଦିଅନ୍ତୁ”) ।

ତାଙ୍କ ନିଜ ଅଧ୍ୟକ୍ଷତାରେ ତ ସେ ନିଜେ ଗଢିଥିବା କମିଟି ଟିକିନିଖି ଆଲୋଚନା କରି (“A thorough discussion was made in the meeting” Noting-9) ଯେଉଁ ୩ ଦଫା ସମ୍ବଳିତ ନିଷ୍ପତ୍ତି ନେଇଥିଲେ ତାହାକୁ ଅବିକଳ ଉଲ୍ଲେଖ କରି ଅନୁବିଭାଗୀୟ ଅଧିକାରୀ ନଥିଟି ଥୋଇଥିଲେ । ତହିଁ ଉପରେ ପୁଣି “ସୁଚିନ୍ତିତ ମତ” କାହିଁକି ଲୋଡ଼ା ପଡ଼ିଲା ଓ କିଏ ଏହା ଦେବାର ଥିଲା? ଏବଂ ନଥିଟିକୁ ପୂର୍ବ ଆଦେଶ ଅନୁସାରେ ନିର୍ଦ୍ଧାରିତ ୨୨.୬.୨୦୧୮ରେ ଶାସନ ସଚିବଙ୍କୁ ନ ଦେଇ ୨୫ ତାରିଖ ପର୍ଯ୍ୟନ୍ତ ନିଜ ପାଖରେ ପକାଇ ରଖିବାକୁ ଅତିରିକ୍ତ ଶାସନ ସଚିବଙ୍କୁ ଅଧିକାର ଦେଇଥିଲା କିଏ?

ଯଦି କମିଟିର ଲିପିବଦ୍ଧ ନିଷ୍ପତ୍ତି ସେହିଦିନ ଶାସନ ସଚିବଙ୍କ ପାଖକୁ ଯାଇଥାନ୍ତା ସେ ତାକୁ ଗ୍ରହଣ କରିବାକୁ ବାଧ୍ୟ ହୋଇଥାନ୍ତେ, କାରଣ କମିଟିଟି ଥିଲା ଏକ ସରକାରୀ ଅନୁମୋଦିତ କମିଟି (ନୋଟିଂ -୫, ତା ୨୦.୬.୨୦୧୮) ଓ ତାର ନିଷ୍ପତ୍ତିରେ ହସ୍ତକ୍ଷେପ କରିବାର ଅଧିକାର ଶାସନ ସଚିବଙ୍କର ନ ଥିଲା । ଏବଂ ଯଦି ସେହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାହୋଇଥାନ୍ତା , ତେବେ ପ୍ରଦ୍ୟୁମ୍ନ ଶତପଥୀଙ୍କ ପତ୍ନୀଙ୍କ ପାଇଁ ତାହା ଅଡୁଆଜନକ ହୋଇଥାନ୍ତା ।

ଭାଷା ଆନ୍ଦୋଳନକୁ ଭାଙ୍ଗିବା ସକାଶେ ପ୍ରଦ୍ୟୁମ୍ନ ଶତପଥୀଙ୍କ ପତ୍ନୀଙ୍କୁ ନିରଙ୍କୁଶ ନିଯୁକ୍ତି ଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଉଚ୍ଚଶିକ୍ଷା ବିଭାଗ ଉପରେ ପ୍ରବଳ ଚାପ ପକାଇ ଚାଲିଥିଲା । ତେଣୁ ଆତୁର ହୋଇ ନିଜ ଅଧ୍ୟକ୍ଷତାରେ ଗୃହୀତ ନିଷ୍ପତ୍ତିକୁ ନିଜେ କେମିତି ଅକାମି କରିବେ ତା ପାଇଁ କିଂକର୍ତ୍ତବ୍ୟବିମୂଢ ଅତିରିକ୍ତ ଶାସନ ସଚିବ ଉପାୟ ଖୋଜିବାରେ ଲାଗିଥିଲେ । ଏଥିପାଇଁ ଅନୁବିଭାଗୀୟ ଅଧିକାରୀଙ୍କୁ ସେ ଅନୁରୋଧ କରି କହିଥିଲେ – “ଦୟାକରି ଆପଣଙ୍କ ସୁଚିନ୍ତିତ ମତ ଦିଅନ୍ତୁ” । ଏପରି ଅସଙ୍ଗତ ପ୍ରଶାସନିକ ଆଚରଣ ସର୍ବୋଚ୍ଚ ସ୍ତରରୁ ଅଲଙ୍ଘ୍ୟ ଚାପ ପ୍ରୟୋଗ ଭିନ୍ନ କେବେ ବି ସମ୍ଭବ ହୋଇନଥାନ୍ତା । (କ୍ରମଶଃ)

Comments

No comments yet.

Leave a Reply

Basic HTML is allowed. Your email address will not be published.

Subscribe to this comment feed via RSS

This site uses Akismet to reduce spam. Learn how your comment data is processed.