ଟଙ୍କା ପାଇଁ ଭାଷା ଆନ୍ଦୋଳନକୁ ଛୁରୀ ମାରିଛନ୍ତି ପ୍ରଦ୍ୟୁମ୍ନ ଶତପଥୀ : ମୁଖ୍ୟମନ୍ତ୍ରୀ ସଫେଇ ରଖନ୍ତୁ -ପଞ୍ଚମ ଭାଗ

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

କଟକ ମଣି ସାହୁ ଛକରେ ଗୋଟିଏ ବୈଷ୍ଣବ ମନ୍ଦିର ଅଛି । ସେଠି ସ୍ଥପତି ଏପରି ଏକ ଦୃଶ୍ୟ ରଖିଛନ୍ତି ତାହା ଯେତିକି କଥାକୁହା , ତା ତଳେ ଲେଖାଥିବା ବାଣୀ ଧାଡ଼ିକ ତତୋଧିକ କୌତୁକିଆ । ତାହା ହେଲା, “ରାଧା କୃଷ୍ଣ ପଲଙ୍କରେ, ଚନ୍ଦ୍ରସେଣ ଖଟ ତଳେ” !

ଜୁଲାଇ ୧୬, ୨୦୧୮ତାରିଖର ଅପରାହ୍ନ ୫ଟା ବେଳେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ନାଲିବତୀଦିଆ ନିବୁଜ କୋଠରୀରେ ଏହିପରି ଘଟଣା ଘଟିଥିଲା । ଭାଷା ଆନ୍ଦୋଳନର ଇଜ୍ଜତ ଲୁଣ୍ଠନ ହେଲା । ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥା – ଯେଉଁମାନେ ସେହି ଘୃଣ୍ୟ ଅପରାହ୍ନରେ ଅର୍ଥମନ୍ତ୍ରୀଙ୍କ ପାଖରେ ଏ ଇଜ୍ଜତ ଉଜାଡ଼ି ଦେଲେ – ଆମ ସମ୍ମୁଖରେ ନିଜର ସତିଆତ୍ଵ ପ୍ରଦର୍ଶନ ପାଇଁ ସାଙ୍ଗରେ ଦିଜଣ “ଦାରୀ ସାକ୍ଷୀ ମାଦଳ” (alibi)ଙ୍କୁ ଉପସ୍ଥାପିତ କଲେ। ସେମାନେ ହେଲେ ନବକୁମାର ପ୍ରଧାନ ଓ ଜାନକୀଶ ବଡପଣ୍ଡା । ମନ୍ତ୍ରୀଙ୍କ ନିବୁଜ କକ୍ଷରୁ ଫେରି ପ୍ରଦ୍ୟୁମ୍ନ ଶତପଥୀ ମୋତେ ଯେଉଁ ସଫେଇ ଦେଲେ ତହିଁରେ କିଛି ମିଛ ନଥିଲା ବୋଲି ଏହି ଦୁଇଜଣଙ୍କୁ ସାକ୍ଷୀ ଦେଇଥିଲେ । ଏମାନଙ୍କ କଥାରୁ ଜଣା ପଡ଼ିଲା, ଅର୍ଥମନ୍ତ୍ରୀ ଓ ପ୍ରଦ୍ୟୁମ୍ନ ଶତପଥୀ ପରସ୍ପର କୋଳାକୋଳି ହୋଇଥିଲେ । କିନ୍ତୁ ସେହି କୋଳାକୋଳି ଉହାଡ଼ରେ ଯାହା ଘଟିଗଲା, ଏ ଦି ଜଣ ତାହାର କୌଣସି ସୁରାକ ପାଇପାରିଥିବା ସେମାନଙ୍କ କଥାରୁ ଜଣା ପଡ଼ି ନ ଥିଲା । ଖଟ ତଳର ଚନ୍ଦ୍ରସେଣ କେମିତି ବା ଜାଣିବ , ପଲଙ୍କ ଉପରେ ରାଧା କୃଷ୍ଣ କଣ କଲେ?

ଏମାନେ ଯେ ପ୍ରକୃତରେ କିଛି ଜାଣିପାରିନଥିଲେ ତାହାର ପ୍ରକୃଷ୍ଟ ପ୍ରମାଣ ହେଉଛି ସେହି ସନ୍ଧ୍ୟାରେ ସାଙ୍ଗରେ ଆଉ ୫ ଜଣଙ୍କୁ ଧରି ପବିତ୍ର-ପ୍ରଦ୍ୟୁମ୍ନ ଯୋଡ଼ିଙ୍କ ସହ ମିଶି ଗଣମାଧ୍ୟମରେ ଦେଇଥିବା ବିବୃତ୍ତି। ତହିଁରେ ଲେଖାଥିଲା , (ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା) “ଭାଷା ଆଂଦୋଳନର ଦାବି ଯଥାର୍ଥ ବୋଲି ସ୍ଵୀକାର କରି ଭାଷା ଆଇନରେ ଆବଶ୍ୟକୀୟ ସଂଶୋଧନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସଙ୍ଗେ ସଙ୍ଗେ ଭାଷା ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ” । ତେଣୁ “ଆଗାମୀ ବର୍ଷା କାଳୀନ ଅଧିବେଶନ ପର୍ଯ୍ୟନ୍ତ ଭାଷା ଆଂଦୋଳନର କଳା ପତାକା ଅଭିଯାନ ସ୍ଥଗିତ ରହିବ” – ଏହାହିଁ ଥିଲା ଏମାନଙ୍କ ଘୋଷଣା ।

ଭାଷା ଆନ୍ଦୋଳନର ଦାବି କଣ ଏମାନେ ଜାଣନ୍ତି ନାହିଁ । ଶଶୀ ବେହେରା ନିଜେ ବି ଜାଣନ୍ତି ନାହିଁ କଣ ଏ ଦାବି । କାରଣ ଯେଉଁ ମନ୍ତ୍ରୀସ୍ତରୀୟ କମିଟିରେ ମୁଁ ଦେଇଥିବା ପ୍ରସ୍ତାବ ସପକ୍ଷରେ ଭାଷା ଆନ୍ଦୋଳନ ସୃଷ୍ଟି ହୋଇଥିଲା, ସେ କମିଟିରେ ଶଶି ବେହେରା ସଭ୍ୟ ନ ଥିଲେ । ଅପରପକ୍ଷେ, ଭାଷା ଆଇନର କି ସଂଶୋଧନ ପାଇଁ ଶଶି ବେହେରା ଏମାନଙ୍କୁ କହିଲେ ତାହା ଏମାନେ କେହି ବି କେଉଁଠି କହିନାହାନ୍ତି । ଶଶୀ ବେହେରା ମଧ୍ୟ କହି ନାହାନ୍ତି , କି କୌଣସି ସରକାରୀ ପ୍ରେସ୍ ନୋଟ୍ ଏ ସମ୍ପର୍କରେ ପ୍ରକାଶ ପାଇନାହିଁ ।

ମୁଁ ଶଶୀ ବେହେରାଙ୍କୁ ଏକ ଚିଠି ଲେଖିଥିଲି । ସେ ଯଦି ପ୍ରକୃତରେ ଏମାନଙ୍କୁ କିଛି କହିଛନ୍ତି ତାହା କହିବାକୁ । ସେ ଉତ୍ତର ଦେବାକୁ ସାହସ କରିପାରିଲେ ନାହିଁ । କାରଣ , ସେ ଭଲଭାବେ ଜାଣନ୍ତି ଯେ, ମୋତେ ମିଛ କହିଲେ ମୁଁ ଧରିଦେବି ଓ ସେ ଅଡୁଆରେ ପଡ଼ିବେ ।

ସେଦିନ କଳା ପତାକା ଅଭିଯାନକୁ ନ ଆସି, ପ୍ରଦ୍ୟୁମ୍ନ ଶତପଥୀ ଏ ଦୁଇ ଜଣଙ୍କୁ ଶଶୀ ବେହେରାଙ୍କ କୋଠରୀକୁ ନେଇଥିଲେ ‘ଦାରୀ ସାକ୍ଷୀ ମାଦଳ’ ବନାଇବାକୁ । ଦଶ ବର୍ଷର ପିଛିଲା ତାରିଖରୁ ସ୍ତ୍ରୀଙ୍କ ଚାକିରି ଓ ସେହି ସୂତ୍ରରେ ପ୍ରାୟ ଦେଢକୋଟି ଟଙ୍କା ଆୟର ସୁନିଶ୍ଚିତତା ବଦଳରେ ଭାଷା ଆନ୍ଦୋଳନକୁ ଛୁରୀ ମାରିବାକୁ ସେ ଉଚ୍ଚ ଶିକ୍ଷା ସଚିବଙ୍କ ମାଧ୍ୟମରେ ସରକାରଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଓ ତାହା ପାଳନ କରିବାକୁ ଚେଷ୍ଟାରତ ବୋଲି ସରକାର ଯେପରି ବିଶ୍ଵାସ କରିବେ ତା ପାଇଁ ବିଭିନ୍ନ କଳକୌଶଳ ବି ପ୍ରୟୋଗ କରିଥିଲେ ଏବଂ ସମତାଳରେ ଏପରି ନାଟକ କରୁଥିଲେ, ଯେମିତି ସେ ଆନ୍ଦୋଳନକୁ ଛୁରା ମାରିବାକୁ ଯାଉଛନ୍ତି – ଏହାର କେହି କିଛି ସୁରାକ ପାଇନପାରେ ।

ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ଗୋପନ ଚୁକ୍ତି ଥିଲା: ତାଙ୍କ ସ୍ତ୍ରୀଙ୍କ ଚାକିରି ଆଦେଶରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅନନ୍ତ ଦାସ ସଚିବାଳୟରେ ସ୍ଵାକ୍ଷର କରିବେ ଏବଂ ଏହା ଅବଗତ ହେଲା ପରେ, କଳା ପତାକା ଅଭିଯାନ ବନ୍ଦ ହେଲା ବୋଲି ସଚିବାଳୟ ବାହାରେ ପ୍ରଦ୍ୟୁମ୍ନ ଶତପଥୀ ଘୋଷଣା କରିବେ ।

ମୋ ବୁଦ୍ଧି ସିନା ସରକାରଙ୍କୁ ଅଡୁଆରେ ପକାଉଥିଲା, କିନ୍ତୁ ସରକାର ଜାଣିଥିଲେ ଯେ, କଳା ପତାକା ଧରିବାକୁ ପ୍ରଦ୍ୟୁମ୍ନ ଶତପଥୀ ଯଦି ଲୋକ ନ ଯୋଗାଇବେ, ତେବେ ଆନ୍ଦୋଳନ ଆଉ ଆନ୍ଦୋଳନ ହୋଇ ରହିବ ନାହିଁ ।

ତେଣୁ ସରକାର ତାଙ୍କ ଉପରେ ଗୁରୁତ୍ଵ ଦେଇଥିଲେ ଓ ତାଙ୍କ ଦାବି ମୁତାବକ ତାଙ୍କ ସ୍ତ୍ରୀଙ୍କୁ ଅନ୍ତତଃ ଦେଢ଼କୋଟି ଟଙ୍କା ହାସଲ କଲା ପରି ଚାକିରିରେ ପୁନଃ ସଂସ୍ଥିତ କରିବାକୁ ରାଜି ହୋଇଥିଲେ, ଯଦିଓ କାର୍ଯ୍ୟତଃ ତାଙ୍କର ସେହି ଚାକିରି ୨.୭.୨୦୦୮ ତାରିଖରୁ ରଦ୍ଦ ହୋଇସାରିଥିଲା ।

ପୂର୍ବରୁ ଯେପରି କହିଛି, ୧.୫.୨୦୧୮ ତାରିଖରେ ଓଡ଼ିଶା ସରକାରୀ ଭାଷା ଆଇନରେ ଖଞ୍ଜା ଯାଇଥିବା ଭୁଲ ସଂଶୋଧନକୁ ତହିଁ ପୂର୍ବରୁ ମୁଁ ବିରୋଧ କରିଥିଲେ ମଧ୍ୟ ନିୟମାବଳୀ ମାଧ୍ୟମରେ ତାହା ସଜାଡ଼ିବାକୁ ସରକାରକୁ ଦୁଇମାସ ସମୟ ଦେବାକୁ ପ୍ରଦ୍ୟୁମ୍ନ ବାବୁଙ୍କ ଜିଦ୍ ସହ ପବିତ୍ର ରାଜି ହୋଇଯିବା ଫଳରେ, କଳାପତାକା ଅଭିଯାନକୁ ତହିଁ ପର ଦିନ ଠାରୁ ଦୁଇ ମାସ ଯାଏଁ , ଅର୍ଥତ୍ ୨.୭.୨୦୧୮ ଯାଏଁ ସ୍ଥଗିତ ରଖିବାକୁ ମୁଁ ରାଜି ହୋଇଥିଲି । ଜୁଲାଇ ପହିଲାରେ ପ୍ରଦ୍ୟୁମ୍ନବାବୁ ଆଉ ୧୫ ଦିନ ଘୁଞ୍ଚାଇ ଦେବାପାଇଁ ଅନୁରୋଧ କଲେ, କାରଣ ତାଙ୍କ ଝିଅ କୌଣସି ଏକ ଜରୁରୀ ଇଣ୍ଟରଭିୟୁ ଦେବାକୁ  ଜୁଲାଇ ୨ ତାରିଖ ଦିପ୍ରହରେ ବାଙ୍ଗାଲୁରୁ ଉଦ୍ଦେଶ୍ୟରେ ଭୂବନେଶ୍ଵର ଛାଡ଼ିବାକୁ ଥିଲା ଓ ସେଠି ଜୁଲାଇ ୧୪ ଯାଏଁ ରହିବାକୁ ଥିଲା । ସେ ଯେହେତୁ ଝିଅ ସାଙ୍ଗରେ ଯିବାକୁ ବାଧ୍ୟ, ସେହେତୁ ଆମେ ଯଦି ଜୁଲାଇ ୨ରୁ କଳା ପତାକା ପୁନରାରମ୍ଭ କରୁ, ତାଙ୍କର ଗୋଟେ ଅବଶୋଶ ରହିଯିବ ଯେ, ଏହି ପୁନରାରମ୍ଭରେ ସେ ରହି ପାରିଲେ ନାହିଁ   । ଏପରି ଏକ ବିଶେଷ ଅବସ୍ଥା ଚକ୍ରରେ ମୁଁ  ଜୁଲାଇ ୧୫ ତାରିଖ ଯାଏଁ ଅଭିଯାନ ସ୍ଥଗିତ ରହିବା ପ୍ରସ୍ତାବରେ ରାଜି ହୋଇଗଲି ଓ ସେହି ନିଷ୍ପତ୍ତିକୁ ଜୁଲାଇ ୨(୩)ରେ ମୁଖ୍ୟ ଶାସନ ସଚିବଙ୍କୁ ଜଣାଇ ଦିଆ ଗଲା ।

ଚିଠିଟିକୁ ଅନୁଧ୍ୟାନ କରାଯାଉ । ମୋ ସହ ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥା ଏଥିରେ ସ୍ଵାକ୍ଷର କରିଛନ୍ତି । ଲେଖା ହୋଇଛି , “ମହାଶୟ, ଦୁଃଖର ସହ କହିବାକୁ ହେଉଛି କି, ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ଆଇନ, ୨୦୧୮ରେ ମୂଳ ଆଇନର ଉଦ୍ଦେଶ୍ୟ ପଣ୍ଡ ପାଇଁ ଯେଉଁ ଚକ୍ରାନ୍ତ ହୋଇଛି, ତାହାର ତୁରନ୍ତ ସଂଶୋଧନ କରିବାକୁ ସରକାରଙ୍କୁ ଦୁଇ ମାସ ସମୟ ଦେଇ ଭାଷା ଆନ୍ଦୋଳନ ତାର କଳା ପତାକା ଅଭିଯାନ ସ୍ଥଗିତ ରଖିଥିବା ସତ୍ତ୍ୱେ, ସରକାରଙ୍କ ପକ୍ଷରୁ ଉପରୋକ୍ତ ଚକ୍ରାନ୍ତର ଅପସାରଣ ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ । ସୁତରାଂ ଭାଷା ଆନ୍ଦୋଳନର ପୂର୍ବ ନିର୍ଦ୍ଧାରଣ ମତେ ସ୍ଥଗିତ ଥିବା କଳା ପତାକା ଅଭିଯାନ ଏ ମାସ ୧୬ରୁ ଯଥାପୂର୍ବ ଚାଲିବ ବୋଲି ଆମେ ଏହି ଅଗ୍ରୀମ ସୂଚନା ଦେଉଅଛୁ  । ଉପରୋକ୍ତ ସଂଶୋଧନ କାହିଁକି ସରକାରୀ ଭାଷା ଆଇନ ତଥା ଓଡ଼ିଶାବାସୀଙ୍କ ପାଇଁ କ୍ଷତିକାରକ ତାହା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦତ୍ତ ପତ୍ରରେ ସ୍ପଷ୍ଟ କରାହୋଇଛି । ସେହି ପତ୍ରର ନକଲ ମଧ୍ୟ ଆପଣଙ୍କୁ ଆପଣଙ୍କ ସରକାରୀ ଇ-ମେଲ ଠିକଣାରେ  ପ୍ରଦାନ କରାଯାଇଛି । ଆମର ଅନୁରୋଧ, ତହିଁର ଅନୁଧ୍ୟାନ କରି ଆଇନଟିକୁ ତ୍ରୁଟିଶୂନ୍ୟ ହେବାରେ ଆପଣ ସହାୟକ ହେବେ ଓ ଓଡ଼ିଆ ଭାଷାରେ ଓଡ଼ିଶା ଶାସନ ସୁନିଶ୍ଚିତ କରାଇବେ” ।

ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ଚିଠି ଦିଆ ହୋଇଥିଲା ଓ  ଯାହାର ନକଲ ମୁଖ୍ୟ ଶାସନ ସଚିବଙ୍କୁ ଦିଆଯାଇଥିଲା, ତାହା ଭାଷା ଆଇନର ଭୁଲ ସଂଶୋଧନ ସାନି ସଂଶୋଧନ ଦ୍ଵାରା ସଜଡ଼ା ହେଉ: ମୁଖ୍ୟମନ୍ତ୍ରୀଙ୍କୁ ସୁଭାଷ ପଟ୍ଟନାୟକଙ୍କ ଚିଠି ଶୀର୍ଷକରେ ପ୍ରକାଶିତ । ଆପଣ ଏହି ଶୀର୍ଷକରେ ଅଙ୍ଗୁଳି ଚାପ ଦେଇ ସମଗ୍ର ଚିଠିଟିକୁ ପଢ଼ି ପାରିବେ ।

ଏହି ନୋଟିସ୍ ଓ ଚିଠି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହୋଇଥିବା ହେତୁ ଜୁଲାଇ ୧୬ ତାରିଖରେ କଳା ପତାକା ଅଭିଯାନ ପୂର୍ବଘୋଷିତ ରୀତିରେ ଯଥା ସମୟରେ ଆରମ୍ଭ ହେଲା ଓ ମଧୁବାବୁଙ୍କ ପାଖରେ ସମର୍ପିତ ବି ହେଲା । ଏ ଦିନ ଏ ଅଭିଯାନରେ ଯୋଗ ନ ଦେଇ ପ୍ରଦ୍ୟୁମ୍ନ ଶତପଥୀ ଦୁଇଟି କାମ କଲେ। ଶଶି ବେହେରାଙ୍କ ସଙ୍ଗେ କୋଳାକୋଳି ହୋଇ ସେଦିନ ତାଙ୍କ ସ୍ତ୍ରୀଙ୍କ ଅବୈଧ ଚାକିରି ପ୍ରାପ୍ତି ନଥିରେ ଶିକ୍ଷାମନ୍ତ୍ରୀ ଅନନ୍ତ ଦାସ ସ୍ଵାକ୍ଷର କରିଛନ୍ତି କି ନାହିଁ ତାହା ତାଙ୍କ ଚାତୁରୀ ବଳରେ ତଦବିର କରି ସେ ସ୍ଵାକ୍ଷର କରିଥିବା ନିଶ୍ଚିତ ହେଲେ ଓ କଳା ପତାକା ଅଭିଯାନ ବନ୍ଦ ରହିବା ଘୋଷଣା କରି ପବିତ୍ର ମହାରଥା  ଭାଷା ଆଂଦୋଳନର ଆଯ ବ୍ୟୟ ହିସାବ ଦେବା ପରିବେଶକୁ ଉଜାଡ଼ି ଦେଲେ । ସେହି ଦିନ ଯଦି ସେ ଏକଥା ନ କରିଥାନ୍ତେ, ଆରମ୍ଭ ହୋଇଥିବା କଳା ପତାକା ଅଭିଯାନ ଆଉ ବନ୍ଦ ହୋଇନଥାନ୍ତା ଓ ଶିକ୍ଷାମନ୍ତ୍ରୀ ତାଙ୍କ ସ୍ତ୍ରୀଙ୍କ ଚାକିରି ପ୍ରାପ୍ତି ନଥିରେ ସ୍ଵାକ୍ଷର କରିସାରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟବହାର କରି ଆଦେଶ ବଦଳାଇଦେଇପାରିଥାନ୍ତେ । ତେଣୁ, “କୁଳ ଗଉରବ ବାରି ନ ପାରନ୍ତି ଆରତେ ସଫରୀ ନୟନା” ରୀତିରେ ସେ ତୁରନ୍ତ ଘୋଷଣା କରିଦେଲେ ଯେ, ଅର୍ଥମନ୍ତ୍ରୀ ଭାଷା ଆନ୍ଦୋଳନର ଦାବି ଯଥାର୍ଥ ହୋଇଥିବା ହେତୁ ତଦନୁଯାୟୀ  ଆଇନ ସଂଶୋଧନ  ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଓ ସେହେତୁ କଳା ପତାକା ଅଭିଯାନ ସ୍ଥଗିତ ରହିଲା ।

ଏମାନଙ୍କ ଏହି ଅନଧିକୃତ ପ୍ରେସ ବିଜ୍ଞପ୍ତିରେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ପତ୍ରର କାର୍ଯ୍ୟକାରୀତା ସମ୍ପର୍କରେ କୌଣସି ଉଲ୍ଲେଖ ନାହିଁ ଓ ଶଶୀ ବେହେରା ମଧ୍ୟ ଏମାନଙ୍କୁ ସେ ବିଷୟରେ କିଛି ବି କହିନଥିଲେ। ଯେହେତୁ ଭାଷା ଆନ୍ଦୋଳନର ହିସାବ ଦେବା ପରିସ୍ଥିତିରୁ ଶତପଥୀ ସେଦିନ ପବିତ୍ର ମହାରଥାଙ୍କୁ ବଞ୍ଚେଇ ଦେଲେ, ସେ ଏଙ୍କ ସହ ହାତ ମିଳାଇଲେ ଓ ଜାନକୀଶ ବଡ଼ପଣ୍ଡା ତଥା ନବକିଶୋର ପ୍ରଧାନ ଅସଲ କଥା ନ ଜାଣିଥିବା ହେତୁ “ରାଧାକୃଷ୍ଣ ପଲଙ୍କରେ, ଚନ୍ଦ୍ରସେଣ ଖଟ ତଳେ” ଦଶା ଭୋଗି ଏମାନଙ୍କ କଥାରେ ମୁଣ୍ଡ ଟୁଙ୍ଗାରି ଓଡ଼ିଶାକୁ ବିଭ୍ରାନ୍ତ କଲେ ।  କାଳେ ଏମାନଙ୍କ ଅସଲ ଚେହେରା ଫିଟି ପଡ଼ିବ, ସେଥିପାଇଁ ଏମାନେ ଏମାନଙ୍କ କଳ୍ପିତ ସଫଳତାର ଉତ୍ସବ ବି ମଣାଇଲେ । ସେଠିକି ଗଣମାଧ୍ୟମକୁ ଡାକି ସେମାନଙ୍କୁ ବିଭ୍ରାନ୍ତ କଲେ। ବିଭିନ୍ନ ଗଣମାଧ୍ୟମ କାର୍ଯ୍ୟାଳୟକୁ ଯାଇ ସମ୍ପାଦକମାନଙ୍କୁ ଉପହାର ଦେଇ ସେହିମାନଙ୍କ ସହାୟତାରେ ଭାଷା ଆନ୍ଦୋଳନ ସଫଳ ହୋଇଗଲା ବୋଲି ସେମାନଙ୍କ ପାଦବନ୍ଦନା କରି ସେମାନଙ୍କୁ ବିମୋହିତ ବି କଲେ ।

“ତୁ ମୋ ପଛ ଆଉଁଶୁ , ମୁଁ ତୋ ପଛ ଆଉଁଶେ (“You scratch my anus, I scratch yours”) ନୀତିରେ ଏମାନେ ନିଜକୁ ଭାଷା ଯୋଦ୍ଧା କହି ଏମାନଙ୍କ ଭାଷା ଯୁଦ୍ଧ ହେତୁ ଭାଷା ଆନ୍ଦୋଳନର ଦାବି ପୂର୍ଣ ହୋଇଯାଇଥିବା କହି ପରସ୍ପର ଭିତରେ ଏହି ମର୍ମରେ ଉତ୍ତରୀୟ ଓ ସାର୍ଟିଫିକେଟ ବଣ୍ଟାବଣ୍ଟି ବି ହେଲେ  ।

ଅଥଚ ଏମାନେ ଭାଷା ଆଇନରେ କି ସଂଶୋଧନ, କି ପ୍ରବର୍ତ୍ତନ ପାଇଁ ଆନ୍ଦୋଳନ ପ୍ରତିଷ୍ଠା ହୋଇଥିଲା ତାହା ଜାଣନ୍ତି ନାହିଁ । ଭାଷା ଆନ୍ଦୋଳନକୁ ମୁଁ ଯେତେ ସହାୟକ ସାହିତ୍ୟ ଦେଲି ତା ଏମାନେ ପଢ଼ିଲେନି । ପଢ଼ିଥିଲେ ଜାଣିଥାନ୍ତେ କେଉଁ ଦାବି ହାସଲ ପାଇଁ ଭାଷା ଆନ୍ଦୋଳନ ସୃଷ୍ଟି ହୋଇଥିଲା । ଆନ୍ଦୋଳନର ପ୍ରତିଷ୍ଠାତା ଭାବେ ମୁଁ ପ୍ରତିଦିନ କଳା ପତାକା ଧରାଉଥିଲି ଓ ଆଂଦୋଳନର ଉଦ୍ଦେଶ୍ୟ ଓ ବୈଶିଷ୍ଟ୍ୟ ଉପରେ ଏକ ସଂକ୍ଷିପ୍ତ ଭାଷଣ ବି ରଖୁଥିଲି । ତାକୁ ବି ଏମାନେ ମନ ଦେଇ ଶୁଣିଲେନି । ଶୁଣିଥିଲେ, କେଉଁ ଉଦ୍ଦେଶ୍ୟରେ ଆନ୍ଦୋଳନ ଚାଲିଥିଲା ତାହା ଜାଣିପାରିଥାନ୍ତେ । ଭାଷା ଆନ୍ଦୋଳନ ପାଇଁ ଯେଉଁ ସ୍ଲୋଗାନ ମୁଁ ତିଆରି କରିଥିଲି ସେତିକିରେ ଏମାନଙ୍କ ଜ୍ଞାନ ସୀମିତ ରହିଗଲା । ସ୍ଲୋଗାନ ଯେ ଦାବିର ପଲ୍ଲବ ମାତ୍ର, ଦାବି ନୁହେଁ – ତାହା ଏମାନେ ବୁଝିବା ପରିବର୍ତ୍ତେ କଳା ପତାକା ଧରି ପ୍ରଦ୍ୟୁମ୍ନ ଶତପଥୀଙ୍କ ଭାଷାରେ ନିଜକୁ ଭାଷା ଯୋଦ୍ଧା ବୋଲାଇ “ମାଇପ ଆଗରେ ପାଇକି ପଣ” ଦେଖାଇବାରେ ମଜ୍ଜି ରହିଲେ । କେଉଁ ଦାବି ହାସଲ ଭାଷା ଆଂଦୋଳନର ଅଭିଳାଷ, ତାହା ନ ଜାଣିଥିବା ହେତୁ , ଏମାନଙ୍କୁ ଭେଳିକି ଦେଖାଇବାକୁ ପବିତ୍ର-ପ୍ରଦ୍ୟୁମ୍ନ ଯୋଡ଼ି ସଫଳ ହୋଇଗଲେ ଓ ସମ୍ପୂର୍ଣ ଅନଧିକୃତ ଭାବେ ଏହି ଦୁଇ ଜାତିଦ୍ରୋହୀଙ୍କ କଥାରେ ପଡ଼ି ପ୍ରେସ୍ ବିବୃତ୍ତିରେ ଏମାନେ ଦସ୍ତଖତ ବି କଲେ ।  ଏମାନଙ୍କ ଏହି ଅବିମୃଷ୍ୟକାରୀତା ହେତୁ ଭାଷା ଆନ୍ଦୋଳନର ଅଗ୍ରଗତି ଆଘାତ ପାଇଛି ଓ ଭାଷା ଆଇନ ପଙ୍ଗୁ ହୋଇ ପଡ଼ିଛି ।

ଏହି ତଥା କଥିତ ଭାଷା ଯୋଦ୍ଧାଙ୍କ ଆଚରଣ ସମ୍ପର୍କରେ କବି ଗଜାନନ ମିଶ୍ର ଏକ ରୋଚକ କବିତା ଲେଖିଥିଲେ । ସେ ଏବେ କୋଶଳ ଆନ୍ଦୋଳନରେ ଅଛନ୍ତି ଓ ଓଡ଼ିଆ ଭାଷା ବିରୁଦ୍ଧରେ ଏକ ପ୍ରଚଣ୍ଡ ଷଡ଼ଯନ୍ତ୍ର ଆରମ୍ଭ କରିଛନ୍ତି । ଭବିଷ୍ୟତରେ ତହିଁ ଉପରେ ଆଲୋକପାତ ହେବ । କିନ୍ତୁ ଯେତେବେଳେ ତାଙ୍କର ଏହି ଭିତିରି ଅଭିସନ୍ଧି ଦାନା ବାନ୍ଧିନଥିଲା, ସେତେବେଳେ ସେ ଲେଖିଥିଲେ,

“ଭାଷା ଯୋଦ୍ଧା କିଏ?
ଭାଷା ଯୋଦ୍ଧା କଣ କରେ?
ମନ୍ତ୍ରୀ ଅମଲାର ଗୋଡ ଚାଟେ?
ସ୍ତ୍ରୀ ପିଲା ବିକେ?
ଗାଡି, ଘର, ଚାକିରୀ ମାଗେ?”

ତଥାକଥିତ ଭାଷା ଯୋଦ୍ଧାଙ୍କ ଗୁମର ଏହି କବିତାରେ ଖୋଲିଲା ବେଳକୁ, ଏବଂ ଭାଷା ଯୋଦ୍ଧା କଣ ନିଜ ଫାଇଦା ପାଇଁ  “ସ୍ତ୍ରୀ ପିଲାଙ୍କୁ ବିକେ?” ପରି ବ୍ୟଥାଦାଯକ କଟାକ୍ଷ ବର୍ଷିଲା ବେଳେ ଗଜାନନ ମିଶ୍ର ଅବଶ୍ୟ କୋଶଳ ଭାଷା ସ୍ଵାର୍ଥରେ ଓଡ଼ିଆ ଭାଷା ବିରୁଦ୍ଧରେ ଚକ୍ରାନ୍ତ ଆରମ୍ଭ କରିନଥିଲେ ।

ଯାହା ହେଉ , ଗଜାନନ ବାବୁଙ୍କର ଏହି କବିତା ୧୬.୭.୨୦୧୮ ତାରିଖରେ ଘଟିଥିବା ପ୍ରଦ୍ୟୁମ୍ନ ଶତପଥୀଙ୍କ ଧନ୍ଦା ଉପରେ ଏକ କାବ୍ୟିକ କଟାକ୍ଷ ଭାବେ ବିବେଚିତ ହୋଇଚାଲିବ । ଏହିଥିରୁ ବାସ୍ନା ବାରି ପ୍ରଦ୍ୟୁମ୍ନ ଶତପଥୀଙ୍କ  ବିଶ୍ଵାସଘାତକତା ଉପରେ ମୁଁ ଅନୁସନ୍ଧାନ କଲି ଓ ଜାଣିଲି ଯେ, ସ୍ତ୍ରୀଙ୍କ ମାଧ୍ୟମରେ ଅର୍ଥ ଆୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ସାଲିସ କରି ସେ ଭାଷା ଆନ୍ଦୋଳନକୁ ଛୁରା ମାରିଛନ୍ତି । (କ୍ରମଶଃ)

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.