ଟଙ୍କା ପାଇଁ ଭାଷା ଆନ୍ଦୋଳନକୁ ଛୁରୀ ମାରିଛନ୍ତି ପ୍ରଦ୍ୟୁମ୍ନ ଶତପଥୀ : ମୁଖ୍ୟମନ୍ତ୍ରୀ ସଫେଇ ରଖନ୍ତୁ -ଚତୁର୍ଥ ଭାଗ

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ମନ୍ତ୍ରୀସ୍ତରୀୟ କମିଟି ଲକ୍ଷ୍ୟ ଭ୍ରଷ୍ଟ ହୋଇଯିବାରୁ, ଏବଂ ତହିଁରେ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଥିବା ସ୍ପଷ୍ଟ ଜଣାପଡ଼ିବାରୁ , ତାହାକୁ ବର୍ଜନ କରି ଚାଲି ଆସିବା ପରେ, ମୁଁ ଦେଇଥିବା ଚିଠା ବିଧାନର ବିଧିକରଣ ପାଇଁ ସରକାରଙ୍କ ଉପରେ ଏକ ଭିନ୍ନ ଶୈଳୀରେ ଚାପ ପକାଇବାକୁ ଓ ଆମ ଭାଷା ସପକ୍ଷରେ ଜନଜାଗୃତି ସୃଷ୍ଟିକରିବାକୁ ବହୁ ଭାବି ଚିନ୍ତି ମୁଁ ଭାଷା ଆନ୍ଦୋଳନ ଭିଆଣକଲି ।

ଭାବିଲି , ୧୯୮୦ ଦଶକରେ ଆଠଗଡ଼ରେ ମୁଁ ପ୍ରୟୋଗ କରିଥିବା ପଦ୍ଧତ୍ତି ଏ କ୍ଷେତ୍ରରେ ପ୍ରୟୋଗ କରିବି । ଗୋଟିଏ ହାତରେ କଳା ପତାକା ଓ ଅନ୍ୟ ହାତଟିରେ ଉଦ୍ଦେଶ୍ୟ ପ୍ରଜ୍ଞାପକ ଫଳକ ଧରି ଓଡ଼ିଆ ନୂଆବର୍ଷ (ପଞ୍ଜିକା ଅନୁଯାୟୀ ୧୩.୪.୨୦୧୬ ତାରିଖ) ଠାରୁ ଏକୁଟିଆ ନିଶବ୍ଦରେ ବିଧାନସଭା ପ୍ରବେଶ ଦ୍ଵାରରେ ଥିବା ଭାଷା ଆଇନ ପ୍ରଦାତା ମନୀଷୀ ନବକୃଷ୍ଣ ଚୌଧୁରୀଙ୍କ ସମ୍ମୁଖରୁ ରାଜଭବନ ସମ୍ମୁଖରେ ଥିବା କୁଳଗୌରବ ମଧୁସୂଦନଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଯିବି ଓ ସେଠାରୁ ମୋ ନିକଟସ୍ଥ ବସାକୁ ଫେରିବି । ଭାଷା ସଂଗ୍ରାମ ସମିତିକୁ ମୁଁ ଏଥିରେ ସମ୍ପୃକ୍ତ କରିବାକୁ ଚାହିଁଥିଲି ; କିନ୍ତୁ ତାହା ସମ୍ଭବ ହୋଇନଥିଲା ।

ଏହି ନିଶବ୍ଦ ଅଭିଯାନର ଯେଉଁ ପରୀକ୍ଷଣ ଆଠଗଡ଼ରେ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପ୍ରତାରଣା ପ୍ରତି ଜନଚେତନା ଜାଗୃତି ପାଇଁ ମୁଁ କରିଥିଲି, ତାର ସଫଳତା ଏଠି ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ପୁନରାଙ୍କିତ ହେବ ବୋଲି ମୁଁ ସୁନିଶ୍ଚିତ ଥିଲି । ତେଣୁ ମା ଓଡ଼ିଶାର ଜନ୍ମଦିନ ଏପ୍ରିଲ ପହିଲା ସକାଳେ ମୁଁ ମୋ ପଢାଘରେ ପୂଜାପାଉଥିବା ମଧୁବାବୁଙ୍କ ତୈଳଚିତ୍ର ସମ୍ମୁଖରେ ‘ଓଡ଼ିଶା ଭାଷା ଆନ୍ଦୋଳନ’ ନାମରେ ମୁଁ ଏହି ଅଭିଯାନର ଭାବଜଗତୀୟ ଶୁଭ ଦେଲି ଓ ଏହାର ବାସ୍ତବ କାର୍ଯ୍ୟକାରୀତାରେ କିଏ କିଏ ମୋତେ ସମର୍ଥନ କରିପାରନ୍ତି ତାହା ଜାଣିବାକୁ, ମୋ ସଦ୍ୟ ପ୍ରତିଷ୍ଠିତ ଆନ୍ଦୋଳନର ଏକ ଇ-ମେଲ ଠିକଣା ବି ତୁରନ୍ତ ତିଆରିକଲି ଓ ତହିଁ ପରେ ପରେ ସାମାଜିକ ଗଣମାଧ୍ୟମ ‘ଫେସ୍ ବୁକ୍’ ମାଧ୍ୟମରେ ଓଡ଼ିଶାର ସକ୍ରିୟ ଜନମତ ସୃଷ୍ଟିକାରୀମାନଙ୍କୁ ମୋ ଉଦ୍ଦେଶ୍ୟ ଅବଗତ କରାଇଲି ।

ପ୍ରଥମେ ଗଜାନନ ମିଶ୍ର 

କବି ଗଜାନନ ମିଶ୍ର ତୁରନ୍ତ ମୋତେ ଇ-ମେଲ୍ ଯୋଗେ ସମର୍ଥନ ଜଣାଇଲେ । ପରେ ପରେ ପ୍ରସିଦ୍ଧ ପରିବେଶବିତ୍ ଚଟର୍ଡ ଆକାଉଣ୍ଟଣ୍ଟ ବିଶ୍ଵଜିତ ମହାନ୍ତି, ଅବସରପ୍ରାପ୍ତ ଆଇ॰ଏ॰ଏସ୍॰ ପ୍ରମୋଦ ପଟ୍ଟନାୟକ, ଅଧ୍ୟାପକ କମଳା ପ୍ରସାଦ ମହାପାତ୍ର ପ୍ରମୁଖ । ମୋର ବିଶ୍ଵାସ ହେଲା ଯେ, ଆନ୍ଦୋଳନଟି ଆଗେଇବ ।

ସଂକ୍ଷେପରେ ପବିତ୍ର ମହାରଥା

ମୁଁ ଯେତେବେଳେ ସମାଜ କାଗଜର ନିଷ୍ପେସିତ କର୍ମଚାରୀମାନଙ୍କ ଶ୍ରମ ବିବାଦ ସମ୍ପର୍କରେ ସେମାନଙ୍କ ଯୁନିଅନ ସଭାପତି ଦେବୀ ପ୍ତସନ୍ନ ନାୟକଙ୍କୁ ଆବଶ୍ୟକୀୟ ପରାମର୍ଶ ଦେଉଥିଲି, ସେତେବେଳେ ତାଙ୍କ ବାର୍ତ୍ତାବାହକ ଭାବେ ମୋ ପାଖକୁ ଆସୁଥିବା ସମାଜର ବିତାଡିତ ବିଜ୍ଞାପନ ସଂଗ୍ରାହକ ପବିତ୍ର ମହାରଥା କାଳକ୍ରମେ ମୋର ଘନିଷ୍ଠ ହୋଇଉଠିଥିଲେ । ଏପ୍ରିଲ ୨ ତାରିଖ ପୂର୍ବାହ୍ନରେ ସେ ମୋତେ ଦେଖା କରିବାକୁ ଆସିଥିଲେ । ତାଙ୍କୁ ମୋ ଯୋଜନାଟି କହି ମୁଁ ତାଙ୍କ ସାହାଯ୍ୟ ମାଗିଲି , କାରଣ ମୋ ସହ ଆଉ ଜଣେ ମିଶିଲେ ତାଙ୍କ ହାତରେ ଦାବି ଫଳକ ଧରାଇ ହେବ ଓ ଲକ୍ଷ୍ୟ ପଥରେ ଆଗେଇବାରେ ତାହା ମୋ ପାଇଁ ସୁବିଧାଜନକ ହେବ ବୋଲି ମୁଁ ଭାବୁଥିଲି । ତା ଛଡ଼ା ମୋର କଳା ପତାକା ପରିକଳ୍ପନାରେ ତାଙ୍କର ପୂର୍ବ ଅଭିଜ୍ଞତା ଥିଲା । ସମାଜ କର୍ମଚାରୀଙ୍କ ଉପରେ ଚାଲିଥିବା ଜୁଲୁମ ପ୍ରତି ଶାସନ କଳର ଦୃଷ୍ଟି ଆକର୍ଷଣ ପାଇଁ ମୁଁ ମୋ ନିଶବ୍ଦ କଳାପତାକା ଅଭିଯାନ ପଦ୍ଧତ୍ତି କଟକ ଓ ଭୁବନେଶ୍ଵରରେ ପ୍ରୟୋଗ କରିଥିଲି ଯେଉଁଥିରେ ପବିତ୍ର ଅଂଶଗ୍ରହଣ କରିଥିଲେ । ଅଧିକନ୍ତୁ ମନ୍ତ୍ରୀସ୍ତରୀୟ କମିଟି ଅସଲ ପ୍ରସଙ୍ଗରୁ ଦୂରେଇ ଯାଉଥିବା କାରଣରୁ ତହିଁରେ ସମୟ ନଷ୍ଟ ନ କରି ନିଶବ୍ଦ କଳାପତାକା ଅଭିଯାନ ଚଳାଇବାକୁ ଭାଷା ସଂଗ୍ରାମ ସମିତିକୁ ପରାମର୍ଶ ଦେଇ, ସେଥିପାଇଁ ସରକାରଙ୍କ ଉଦ୍ଦେଶ୍ୟରେ ମୁଁ ଯେତେବେଳେ ସୁବ୍ରତ ପୃଷ୍ଟିଙ୍କୁ ଏକ ଚିଠି ଡାକିଦେଉଥିଲି, ମୋତେ ସଂଗ୍ରାମ ସମିତି ଅଫିସକୁ ଗାଡ଼ିରେ ନେଇଥିବା କାରଣରୁ ପବିତ୍ର ବି ସେଠାରେ ଉପସ୍ଥିତ ଥିଲେ । ତେଣୁ ଏ ବ୍ୟାପାରରେ ମୋ ଭାବନା ସହ ସେ ପରିଚିତ ଥିଲେ । ଫଳରେ ସାମାନ୍ୟ ପ୍ରାରମ୍ଭିକ ଆଲୋଚନା ପରେ ସେ ରାଜି ହୋଇଗଲେ ।

ଭାଷା ଆନ୍ଦୋଳନର ସ୍ମରଣିକାରେ ଏହାର ଏକ ବର୍ଣନା ରଖି ସେ ଲେଖିଛନ୍ତି , “ସାମ୍ବାଦିକ ସୁଭାଷ ଚନ୍ଦ୍ର ପଟ୍ଟନାୟକ ସେଦିନ ନଣ୍ଡା ପାହାଡ଼ ପରି ଚୁପ ଚାପ ବସିଥିବା ଦେଖି ମୁଁ ଚମକି ପଡ଼ିଥିଲି । ପଚାରିଲି “କଥାକଣ ସାର୍? ଆପଣ ଏତେ ଗମ୍ଭୀର କାହିଁକି ? କିଛି ସମୟ ମୋତେ ଅନ୍ତର୍ଭେଦୀ ଆଖିରେ ଚାହିଁ ସେ ଓଲଟି ପଚାରିଲେ , “ତମେ ମୋ ସହ ରହିପାରିବ?” କିଛି ନ ବିଚାରି ସଙ୍ଗେ ସଙ୍ଗେ ଉତ୍ତର ଦେଲି ,”ଅଛି ଓ ରହିବି”। କାରଣ ଏ ଲୋକଟିକୁ ମୁଁ ଯାହା ଜାଣେ, ମୁଁ ନିଶ୍ଚିତ ଯେ ଏମିତି କୌଣସି ଭୁଲ କାମ ସେ କରୁ ନଥିବ ବା କରିବାକୁ ଚାହୁଁ ନଥିବ, ଯହିଁରେ ସହଯୋଗ କରିବାକୁ ମୋର କିଛି କୁଣ୍ଠା ରହିପାରେ ।”

ଏହାପରେ ପ୍ରଦ୍ୟୁମ୍ନ ଶତପଥୀ

ଅତଏବ, ଗଜାନନବାବୁଙ୍କ ଠାରୁ ପ୍ରଥମ ପତ୍ର-ସମର୍ଥନ ପାଇଲା ପରେ ମୋ ଆନ୍ଦୋଳନ ପାଇଁ ପବିତ୍ର ମହାରଥାଙ୍କ ଠାରୁ ପ୍ରଥମ ପ୍ରତ୍ୟକ୍ଷ ସମର୍ଥନ ପାଇଥିଲି । ସେ ଅବିଳମ୍ବେ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ମୋ ବସାକୁ ଆସିବାକୁ ଡାକିଥିଲେ । ବିଧାନସଭା ସାମ୍ନାରୁ କଳାପତାକା ଧରି ରାଜଭବନ ଯାଏଁ ଚାଲିବାକୁ ହେବ ଶୁଣି ସେ ଭୟରେ ଜଡ଼ସଡ଼ ହୋଇଗଲେ । ତାଙ୍କ ଭୟ ଦୂର କରିବାକୁ ମୋତେ ଦି ଦିନ କାଳ ଲାଗିଲା । ୩.୪.୨୦୧୬ରେ ସେ ରାଜିହୋଇଗଲେ ଓ ତାଙ୍କ ଠିକଣାରେ ଭାଷା ଆଂଦୋଳନର ଅଫିସ ରଖିବାକୁ ବି ରାଜି ହେଲେ , ଯେହେତୁ ମୁଁ ରହୁଥିବା ଘରଟି ସରକାରୀ ଘର ହୋଇଥିବା ହେତୁ ଏଠାରେ ଆଂଦୋଳନର ଅଫିସ ଚଳାଇବା ସମ୍ଭବ ନ ଥିଲା । ଏହା ପୂର୍ବରୁ ୨୦୦୯ରେ ନଭମଞ୍ଚରେ ଓ ୨୦୧୫ରେ ମୁଦ୍ରିତ ରୂପରେ ମୋର ପୁସ୍ତକ “ଓଡ଼ିଶା ପ୍ରଦେଶ ସୃଷ୍ଟିରେ ଗଣମାଧ୍ୟମ” ପ୍ରକାଶ ପାଇ ଓଡ଼ିଶାରେ ଭାଷା-ଅସ୍ମିତାର ଏକ ନୂତନ ଯୁଗର ସୂତ୍ରପାତ କରିଥାଏ । ଏହି ମୁଦ୍ରିତ ସଂସ୍କରଣକୁ ପବିତ୍ର ମହାରଥା ହିଁ ପ୍ରକାଶ କରିଥାନ୍ତି ଓ ମୁଦ୍ରିତ ସଂସ୍କରଣର ଲୋକାର୍ପଣ ଉତ୍ସବରେ ତାର ସମୀକ୍ଷା କରି ପ୍ରଦ୍ୟୁମ୍ନ ଶତପଥୀ ମୋର ପ୍ରୀତି ଭାଜନ ହୋଇଥାନ୍ତି । ତେଣୁ ତାଙ୍କୁ ଡାକିଲାମାତ୍ରେ ସେ ଆସି ପହଞ୍ଚିଲେ ।

ଦାୟିତ୍ଵ

ଅବିଳମ୍ବେ ଆମ ସହ ଯୋଡ଼ି ହେଲେ ଓଡ଼ିଆ ବିବେକର ଅତନ୍ଦ୍ର ପ୍ରହରୀ ତୁଷାରକାନ୍ତ ଶତପଥୀ ଓ ୱେବ ସାମ୍ବାଦିକ ସାଗର ଶତପଥୀ । ଆନ୍ଦୋଳନର ପତ୍ରଶୀର୍ଷକ କିପରି ହେବ ତାର ଏକ ପ୍ରାରୂପ ପ୍ରସ୍ତୁତ କରାହେଲା ଓ ପ୍ରତୀକଚିହ୍ନ ସହ ପତ୍ରଶୀର୍ଷକ ମୁଦ୍ରଣ ପାଇଁ ପବିତ୍ରଙ୍କୁ ଦାୟିତ୍ଵ ଦିଆଗଲା । ଆନ୍ଦୋଳନଟିର ପ୍ରତିଷ୍ଠାତା ଭାବେ ମୁଁ ଅଧ୍ୟକ୍ଷ ରହିଲି ଓ ମୋତେ ସାହାଯ୍ୟ କରିବାକୁ ତଥା ଆନ୍ଦୋଳନର ବୈଠକ ଡାକିବା, ସାମ୍ବାଦିକ ସମ୍ମିଳନୀ ଡାକିବା, ଗଣମାଧ୍ୟମକୁ ପ୍ରତିଦିନର ସଂବାଦ ପଠାଇବା, ଆୟବ୍ୟୟ ବିବରଣୀ ଓ ଚିଠିପତ୍ର ଇତ୍ୟାଦି ସାଇତି ରଖିବା ପାଇଁ ମୁଁ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ଦାୟିତ୍ଵ ଦେଉଥିଲି, ମାତ୍ର ପବିତ୍ରଙ୍କୁ ସେ ଦାୟିତ୍ଵ ଦିଆଯାଉ ବୋଲି ସେ କହିଲେ । ପବିତ୍ର ରାଜି ହେବାରୁ ତାଙ୍କୁ ମୁଁ ଆବାହକ ଦାୟିତ୍ଵ ଦେଲି । ତହିଁ ପରଦିନ ସେ ମୋର ଅନୁମୋଦନ ପାଇଁ ପତ୍ର ଶୀର୍ଷକର ଚିଠା ପଠାଇଲେ । ମୁଁ ତାହା ମଞ୍ଜୁର କରିବା ପରେ ତାହା ଆମ ପତ୍ରାଳାପର ଶୀର୍ଷକ ହେଲା ।

ଦୁଇ କବି 

କବି ଗଜାନନ ମିଶ୍ର ବସ୍ତୁତଃ ଥିଲେ ପ୍ରଥମ ବ୍ୟକ୍ତି ଯେ ମୋର ଭାଷା ଆନ୍ଦୋଳନ ପ୍ରତିଷ୍ଠାକୁ ସମର୍ଥନ କରିଥିଲେ ଇ-ମେଲ୍ ଯୋଗେ ପବିତ୍ରଙ୍କ ପୂର୍ବରୁ । କବି ଉମାକାନ୍ତ ରାଉତଙ୍କୁ ସାଙ୍ଗରେ ଧରି ୬.୪.୨୦୧୬ ତାରିଖରେ ସେ ମୋ ନିବାସକୁ ଆସି ମୋତେ ପ୍ରତ୍ୟକ୍ଷ ସମର୍ଥନ ଜଣାଇଲେ ଓ ଏହି ଉଭୟ କବିଙ୍କ ଅକୁଣ୍ଠ ସମର୍ଥନ ସେଦିନ ମୋତେ ଭୁବନେଶ୍ଵରରେ ମୋ ପଦ୍ଧତ୍ତିର ପରୀକ୍ଷଣ ପାଇଁ ପ୍ରକୃତରେ ପ୍ରବଳ ଉତ୍ସାହ ଯୋଗେଇଥିଲା ।

ଚରମ ପତ୍ର 

ପଣା ସଙ୍କ୍ରାନ୍ତି (୧୩.୪.୨୦୧୬) ପୂର୍ବରୁ ସରକାର ଯଦି ମୋ ପ୍ରଦତ୍ତ ଭାଷା ଆଇନ ସଂଶୋଧନ ଓ ନିଯମାବଳୀ ପ୍ରଣୟନ ପ୍ରସ୍ତାବ ଗ୍ରହଣ କରି ମୁଁ ଦେଇଥିବା ଚିଠା ବିଧାନକୁ ବିଧିକୃତ ନ କରନ୍ତି ତେବେ ସେହିଦିନଠାରୁ ଚାଲିବ ନିଶବ୍ଦ କଳା ପତାକା ଅଭିଯାନ ବୋଲି ୮.୪.୨୦୧୬ ତାରିଖରେ ଆମ ସମସ୍ତଙ୍କ ସହମତିରେ ପବିତ୍ରଙ୍କୁ ସାଙ୍ଗରେ ଧରି ମୁଁ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ତାଙ୍କ ସରକାରୀ ପ୍ରକୋଷ୍ଠରେ ଚରମ ପତ୍ର ଦେଲି ।

ସନ୍ଧ୍ୟାରେ ପ୍ରଦ୍ୟୁମ୍ନ ଶତପଥୀଙ୍କ ଅଫିସରେ ବୈଠକ ହେଲା ଯେଉଁଠି ଆମ ୫ ଜଣଙ୍କ ସାଙ୍ଗକୁ ଯୋଗ ଦେଇଥିଲେ ଗଜାନନବାବୁଙ୍କ ସହ ଆମରଣ ଅନଶନ କରିଥିବା ମଧୁମିତା ସାମଲ, କାହ୍ନୁ ବେହେରା, ଅଧ୍ୟାପକ କୁଳମଣି ନାୟକ, କାଳୀଚରଣ ସାମନ୍ତରାୟ ଓ ଡଃ ନିତ୍ୟାନନ୍ଦ ପଟ୍ଟନାୟକ । ଆମ ଚରମ ପତ୍ରକୁ ସମସ୍ତେ ପୂର୍ଣପ୍ରାଣରେ ସମର୍ଥନ କରିଥିଲେ ।

ପ୍ରଥମ ସାମ୍ବାଦିକ ସମ୍ମିଳନୀ 

ଆମ ଅଭିଯାନ ଆରମ୍ଭ ହେବା ପୂର୍ବଦିନ ୧୨.୪.୨୦୧୬ ତାରିଖରେ ଭାଷା ଆଂଦୋଳନର ପ୍ରଥମ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ କୁହା ହୋଇଥିଲା, “୨୦୧୫ରେ ଭାଷାସଂଗ୍ରାମୀମାନଙ୍କ ଅନଶନ ଧର୍ମଘଟ ଓ ରାସ୍ତାରୋକ ପରି ଆନ୍ଦୋଳନ ତୀବ୍ର ହେବା ପରେ ରାଜ୍ୟ ସରକାର ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି । ଏହି କମିଟିର ସଭ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଭାଷା ଆଇନର ଉଲ୍ଲଂଘନ ପାଇଁ ଉତ୍ତରଦାୟିତ୍ଵ ନିର୍ଦ୍ଧାରଣ କରିବା ବ୍ୟବସ୍ଥା ରଖି ଏକ ଚିଠା ସଂଶୋଧନ ପ୍ରସ୍ତାବ ମଧ୍ୟ ଦେଇଛନ୍ତି , ଯାହାକୁ ଓଡ଼ିଆରେ ଶାସନ ଶୀର୍ଷକ ସରକାରୀ ୱେବ ସାଇଟରେ ସ୍ଥାନିତ କରାଯାଇଛି । ଗତ ୧୪.୧୨.୨୦୧୫ରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ମଧ୍ୟ ଏହି ଆଇନ ସଂଶୋଧନ ପାଇଁ ପଦକ୍ଷେପ ନିଆଯାଉଥିବା କହିଛନ୍ତି । ଏହା ସତ୍ତ୍ୱେ ଏହି ଆଇନ ସଂଶୋଧନ ପାଇଁ କୌଣସି ପଦକ୍ଷେପ ଏ ପର୍ଯ୍ୟନ୍ତ ନିଆଯାଇ ନାହିଁ ଓ ଓଡ଼ିଆରେ ଓଡ଼ିଶା ଶାସନ ଦାବିକୁ ଦିଗଭ୍ରଷ୍ଟ କରିବାକୁ ଅପୋଦ୍ୟମ ଚାଲିଛି ।“

ଏହି ପ୍ରେକ୍ଷାପଟରେ, ଭାଷା ଆଇନର ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଦଣ୍ଡବିଧାନ ପାଇଁ ମୋ “ପ୍ରସ୍ତାବିତ ଆଇନ ଯଦି ତୁରନ୍ତ ବିଧାନସଭାରେ ଆଗତ ହୋଇ ଗୃହିତ ନ ହୁଏ, ତେବେ ଆସନ୍ତା ୧୩.୪.୨୦୧୬ (ଓଡ଼ିଆ ନବବର୍ଷ) ଠାରୁ ବିଧାନ ସଭା ସମ୍ମୁଖରୁ ମଧୁବାବୁଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ପ୍ରତ୍ୟହ ସନ୍ଧ୍ୟା ୫ଟାରେ ନୀରବ କଳା ପତାକା ବିକ୍ଷୋଭ ପ୍ରଦର୍ଶନ କରାଯିବ” ବୋଲି ପ୍ରେସ ବିଜ୍ଞପ୍ତିରେ ଘୋଷଣା କରାଯାଇଥିଲା । ଏହି ବିଜ୍ଞପ୍ତିରେ ମୋ ପଛକୁ ସ୍ଵାକ୍ଷର କରିଥିଲେ, ପ୍ରଦ୍ୟୁମ୍ନ ଶତପଥୀ , ସାଗର ଶତପଥୀ, ପବିତ୍ର ମୋହନ ମହାରଥା, ତୁଷାରକାନ୍ତ ଶତପଥୀ ,କାହ୍ନୁଚରଣ ବେହୁରା, ମଧୁମିତା ସାମଲ ଓ ନିତ୍ୟାନନ୍ଦ ପଟ୍ଟନାୟକ ।

ଗୋଟିକ ଦାବି 

ଅତଏବ ଭାଷା ଆନ୍ଦୋଳନ କେବଳ ଗୋଟିଏ ଦାବି ଉପରେ ଆଧାରିତ ଥିଲା । ତାହା ହେଲା , ଓଡ଼ିଆରେ ଓଡ଼ିଶା ଶାସନ ଅଲଙ୍ଘ୍ୟ କରିବା ପାଇଁ ୩.୯.୨୦୧୫ରେ ମୁଁ ଯେଉଁ ଚିଠା ଆଇନ ଓ ନିୟମାବଳୀ ପ୍ରଦାନ କରିଥିଲି ତାହାର ବିଧିକ ରୂପାଯନ ପାଇଁ ଓଡ଼ିଶା ସରକାରୀ ଭାଷା ଆଇନର ଆବଶ୍ୟକୀୟ ସଂଶୋଧନ ।

ଅର୍ଥମନ୍ତ୍ରୀଙ୍କ କୋଠରୀରେ କଣ ଏମିତି ଘଟିଲା ଯେ……..

ଯେତେବେଳେ ସମଗ୍ର ଓଡ଼ିଶା ତାହାକୁ ଅପେକ୍ଷା କରି ରହିଥିଲା, ଏବଂ ଭାଷା ଆନ୍ଦୋଳନକୁ ଦେଇଚାଲିଥିଲା ନିବିଡ଼ସମର୍ଥନ, ଯେତେବେଳେ ସରକାରୀ କଳକୁ ମୁଁ ଏମିତି ଅକଳରେ ପକାଇଥିଲି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ଭାଷା ଆଇନକୁ ପଙ୍ଗୁ କରିରଖିବା ପାଇଁ ନେଇଥିବା ଅବୈଧ ପଦକ୍ଷେପ ପ୍ରତ୍ୟାହାର କରିବା ଛଡ଼ା ଅନ୍ୟଗତି ନ ଥିଲା, ସେତେବେଳେ କଣ ଏମିତି ଘଟିଲା ଯେ, ଏହି ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥା ମୋତେ ସମ୍ପୂର୍ଣ ଅନ୍ଧକାରରେ ରଖି ଘୋଷଣା କରିଦେଲେ , ଭାଷା ଆଇନ ନିର୍ଭୁଲ ହୋଇଗଲା ଓ ସେହେତୁ ଭାଷା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଗଲା? ଅର୍ଥମନ୍ତ୍ରୀଙ୍କ ନିବୁଜ କୁଞ୍ଜରେ ଯେଉଁ ଦିନ ଭାଷା ଆନ୍ଦୋଳନର ଇଜ୍ଜତ ଲୁଟ ହେଲା ସେଦିନ ସେହି ନୈତିକ ଅପରାଧରେ ତତ୍କାଳୀନ ଅର୍ଥମନ୍ତ୍ରୀ ଶଶୀ ବେହେରା ଏକୁଟିଆ ଜଡ଼ିତ ଥିଲେ କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି? ଧୀରେ ଧୀରେ ସବୁ କଥା ଜାଣିବା । କାରଣ ଓଡ଼ିଆ ଭାଷା ହେଉଛି ଓଡ଼ିଆ ଜାତିର ମା । ତା ଇଜ୍ଜତ ନେଇ ଖେଳ ଖେଳିବା ଲୋକ ଯେତେ ଧୂର୍ତ୍ତ ହୋଇଥିଲେ ବି ନିସ୍ତାର ପାଇବା ଅସମ୍ଭବ । (କ୍ରମଶଃ)

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.