ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦିଷ୍ଟ ଘଟଣା ଉପରେ କାହିଁକି ସ୍ପଷ୍ଟୀକରଣ ଦେବା ଉଚିତ ତାହା ଆମେ ଧୀରେ ଧୀରେ ଦେଖିବା । ଉପର ଆଲୋଚନାରେ ସ୍ପଷ୍ଟ ହୋଇସାରିଛି କି ମହାପାତ୍ରଙ୍କ ଧୂର୍ତ୍ତ ଅଭିମତକୁ ଅଧିକାଂଶତଃ ଅଗ୍ରାହ୍ୟ କରିଥିଲେ ମଧ୍ୟ ଅତିରିକ୍ତ ଶାସନ ସଚିବ ତାଙ୍କ ପରିସୃଷ୍ଟ ଅସଲ ପେଞ୍ଚକୁ ସମର୍ଥନ କରି , ଶ୍ରୀମତୀ ମାନସୀ ଷଡଙ୍ଗୀ କର୍ମକ୍ଷେତ୍ରରୁ ଅନୁପସ୍ଥିତ ନଥିଲେ, ବରଂ କର୍ମକ୍ଷେତ୍ରରୁ ତାଙ୍କୁ ବାହାର କରି ରଖାହୋଇଥିଲା ବୋଲି କହିଥିଲେ । ଏବଂ “ଓଡ଼ିଶା ଶିକ୍ଷା (ସରକାରୀ ସାହାଯ୍ୟପ୍ରାପ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ଓ ଚାକିରି ସର୍ତ୍ତ) ନିୟମାବଳୀ, ୧୯୭୪ର ନିୟମ ୨୨ ମୁତାବକ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ” ବୋଲି ଥିବା ସରକାରୀ ଆଦେଶକୁ କବର ଦେବା ପାଇଁ ଏହି ଉଭୟଙ୍କ ଚକ୍ରାନ୍ତ ସଂଶୋଧିତ ଟିପ୍ପଣୀରେ (ଟିପ୍ପଣୀ ୧୨, ତା ୧୨.୭.୨୦୧୮, ସମୟ ଦିପହର ୧୨ଟା ୧ ମିନିଟ) କାଏମ ରହି ନଥି ପହଞ୍ଚିଥିଲା ବିଭାଗୀୟ ଶାସନ ସଚିବଙ୍କ ପାଖରେ, ଯେ କି ଆଦୌ ମଥା ନ ଖେଳେଇ ଦିନ ୩ଟା ୧୭ ମିନିଟ ୧୪ ସେକେଣ୍ଡରେ ତହିଁରେ ଉଲ୍ଲେଖ କଲେ, “ସଦୟ ଆଦେଶ ନିମନ୍ତେ ପେଶ କରାଗଲା” (ଟିପ୍ପଣୀ ୧୩) ଓ ନଥିଟି ଅତିରିକ୍ତ ମୁଖ୍ୟ ଶାସନ ସଚିବ ବି. ବାଳକୃଷ୍ଣନଙ୍କ ପାଖକୁ ଚାଲିଲା ।

ଶାସନ ସଚିବଙ୍କ ସାଲିସ

ଶାସନ ସଚିବ ବିଷ୍ଣୁପଦ ସେଠି ଯଦି ନଥିଟିରେ ମଥା ଖେଳେଇଥାନ୍ତେ ତେବେ ଉପରୋକ୍ତ ମହାପାତ୍ର-ମିଶ୍ର ଯୋଡ଼ି ପ୍ରଦ୍ୟୁମ୍ନ ଶତପଥିଙ୍କ ସ୍ତ୍ରୀଙ୍କୁ କାର୍ଯ୍ୟତଃ ଲୋପ ହୋଇସାରିଥିବା ଏକ ପଦବୀରେ ଯୋଗ ଦେବା ପାଇଁ ପଥ ସୁଗମ କରିବା ମତଲବରେ ଏହି ଯେଉଁ ଅଧିକାର ବହିର୍ଭୂତ କୌଶଳ ପ୍ରୟୋଗ କରିଥିଲେ ତାହା ତାଙ୍କ ଦୃଷ୍ଟିରେ ପଡ଼ିଥାନ୍ତା ଓ ତାଙ୍କ ସ୍ତରରେ ତାହା ସଂଶୋଧିତ ହୋଇଯାଇପାରିଥାନ୍ତା । ତାହା ହେଲାନାହିଁ । କାରଣ, ସେ ଜାଣିଥିଲେ ଯେ, ଉପରୁ ଆସୁଥିବା ଆଦେଶ ସହ ତାଙ୍କୁ ସାଲିସ କରିବାକୁ ହେବ, ତଳ ଅମଲାତନ୍ତ୍ର ତିଆରିକରିଥିବା ପ୍ରଶାସନିକ ପେଞ୍ଚକୁ ପ୍ରତ୍ୟାଖ୍ୟାନ ନ କରି ସ୍ଵାଗତ କରିବାକୁ ହେବ । ଭାଷା ଆନ୍ଦୋଳନକୁ ପଛରୁ ଛୁରି ମାରିବାକୁ ପ୍ରଦ୍ୟୁମ୍ନ ଶତପଥିଙ୍କ ସର୍ତ୍ତକୁ ମୁଖ୍ୟମନ୍ତ୍ରୀ ମାନିନେଲା ପରେ ୧୮.୫.୨୦୧୮ରେ ଶ୍ରୀମତୀ ମାନସୀ ଷଡଙ୍ଗୀଙ୍କ ଲୋପ ହୋଇଥିବା ଚାକିରିରେ ଯୋଗଦାନ ପାଇଁ ନଥି ସୃଷ୍ଟି ହେବାର ମୂଳ କାରଣ ତ ଥିଲା ଏହା ହିଁ !

ଆମେ ପୂର୍ବରୁ ଦେଖିଛେ ଯେ, ଅତିରିକ୍ତ ଶାସନ ସଚିବ କୃପାସିନ୍ଧୁ ମିଶ୍ରଙ୍କୁ ପ୍ରୟୋଗ କରାଯାଇ ତାଙ୍କ ଅଧ୍ୟକ୍ଷତାରେ ଯେଉଁ କମିଟି ଗଠନ ଓ ନିଷ୍ପତ୍ତି ନିର୍ମାଣ ହୋଇଥିଲା ତାହା ପ୍ରଦ୍ୟୁମ୍ନ ଶତପଥିଙ୍କ ଅଭିସନ୍ଧିକୁ ପୂର୍ଣତଃ ସୁହାଇ ନ ଥିବା ହେତୁ ତାଙ୍କ ନିଜ ନିଷ୍ପତ୍ତି ଉପରେ ତଳିଆ ଅମଲାତନ୍ତ୍ରର “ସୁଚିନ୍ତିତ ମତ” ଲୋଡ଼ିବାକୁ ତାଙ୍କୁ ବାଧ୍ୟ କରାହୋଇଥିଲା ଓ ସେହି ଅପମାନ ସହିଯିବାକୁ ସେ ବାଧ୍ୟ ବି ହୋଇଥିଲେ । ଏପରି ପରିସ୍ଥିତିରେ ସାଲିସ ନକରି ଶାସନ ସଚିବ ବିଷ୍ଣୁପଦ ସେଠି କଣ ବା କରିଥାନ୍ତେ? ତେଣୁ ସେ ଲେଖିଲେ, “ସଦୟ ଆଦେଶ ନିମନ୍ତେ ପେଶ କରାଗଲା” (ପୂର୍ବୋଦ୍ଧୃତ୍ତ ଟିପ୍ପଣୀ ୧୩)।

ଯଥା ସଂଶୋଧିତ

ଅଣଓଡ଼ିଆ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବି. ବାଳକୃଷ୍ଣନ ତାଙ୍କ ଟିପ୍ପଣୀ (ଟିପ୍ପଣୀ ୧୪, ସେହି ଏକାଦିନ ସମୟ ସନ୍ଧ୍ୟା ୬ଟା ୨୫ ମିନିଟ ୩୬ ସେକେଣ୍ଡ)ରେ କେବଳ ୨ଟି ଶବ୍ଦ ଲେଖିଲେ – “ଯଥା ସଂଶୋଧିତ” । ଏହି ଦୁଇଟି ଶବ୍ଦ ସ୍ପଷ୍ଟ କରିଦେଲା ଯେ, ସେ ସମଗ୍ର ନଥିଟି ଗଭୀର ଭାବେ ଅନୁଧ୍ୟାନ କରିଛନ୍ତି ଓ ମାନସୀ ଷଡଙ୍ଗୀଙ୍କ ଉପରେ ଜାରି ହୋଇଥିବା ୨୦୧୫ର ସରକାରୀ ଆଦେଶକୁ କବର ଦେବା ପାଇଁ ଯେତେ ସବୁ ଟିପ୍ପଣୀ-ପ୍ରତିଟିପ୍ପଣୀ , କମିଟି ନିଷ୍ପତ୍ତି-ପୁନର୍ନିଷ୍ପତ୍ତି ହୋଇ ୧୨ ନମ୍ବର ଟିପ୍ପଣୀରେ ଚୁଡାନ୍ତ ସଂଶୋଧନ ହୋଇଛି, ସେ ସବୁ ହିଁ ଏହି ଅଣଓଡ଼ିଆ ଆଇ.ଏ.ଏସ୍. ଅଫିସରଙ୍କ ନିର୍ଦ୍ଦେଶରେ ହୋଇଛି, ଯେହେତୁ ଓଡ଼ିଆ ଭାଷାକୁ ଓଡ଼ିଶାର ସରକାରୀ ଭାଷା ଭାବେ ଅଲଙ୍ଘ୍ୟ କରାଯିବା ଦାବି ଏହି ଅଣଓଡ଼ିଆମାନଙ୍କ ପକ୍ଷେ ଅସହ୍ୟ ଓ ଏହି ଦାବିକୁ ଛୁରା ମାରିବା ପାଇଁ ପ୍ରଦ୍ୟୁମ୍ନ ଶତପଥୀ ପଦକ୍ଷେପ ନେଇଥିବା ସେ ଜାଣନ୍ତି । ଏହା ଯଦି ମିଥ୍ୟା ହୋଇଥାନ୍ତା , ସେ କେବେ ବି ଲେଖିନଥାନ୍ତେ “ଯଥା ସଂଶୋଧିତ” । ଅତଏବ ସେତେବେଳେ ଉଚ୍ଚ ଶିକ୍ଷା ସଚିବ ଥିବା ଅଣଓଡ଼ିଆ ଆଇ.ଏ.ଏସ୍. ଅଫିସର ଜି. ଭି. ଭି. ଶର୍ମା ଭାଷା ଆନ୍ଦୋଳନକୁ ଛୁରି ମାରିବା ସର୍ତ୍ତରେ ପ୍ରଦ୍ୟୁମ୍ନ ଶତପଥିଙ୍କ ପତ୍ନୀଙ୍କ ପରିତ୍ୟକ୍ତ ଓ ସେହେତୁ କାର୍ଯ୍ୟତଃ ରଦ୍ଦ ହୋଇସାରିଥିବା ପଦରେ ତାଙ୍କୁ ପୁନଃ ମୁକରିର କରିବା ପାଇଁ ଯେଉଁ କୂଟକୌଶଳ ଆରମ୍ଭ କରିଥିଲେ , ସେହି ବିଭାଗ ଦାୟିତ୍ଵରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଥିବା ଆଉ ଜଣେ ଅଣଓଡ଼ିଆ ଆଇ.ଏ.ଏସ୍. ଅଫିସର ବି. ବାଳକୃଷ୍ଣନ ତାକୁ ପ୍ରଶାସନିକ ସହଯୋଗୀତାର ଶେଷ ପର୍ଯ୍ୟାୟରେ ପହଞ୍ଚାଇଲେ ୧୨.୭.୨୦୧୮ ତାରିଖର ସନ୍ଧ୍ୟା ୬ଟା ୨୫ ମିନିଟ ୩୬ ସେକେଣ୍ଡରେ ୧୪ ନମ୍ବର ଟିପ୍ପଣୀରେ ।

ଯଥା ପ୍ରସ୍ତାବିତ

ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଜଣେ ପୂର୍ବତନ ସରକାରୀ କର୍ମଚାରୀ । ସେ ୧୨.୭.୨୦୧୮ ସନ୍ଧ୍ୟାରେ ନଥିଟି ପାଇଥିଲେ ମଧ୍ୟ ତାହାକୁ ମଞ୍ଜୁର କରିବା ପୂର୍ବରୁ ଅର୍ଥ ବିଭାଗର ମତ ନିଆଯିବା ଦରକାର କି ନାହିଁ ତହିଁ ଉପରେ ଭାଳିହେଲେ । ୧୬ ତାରିଖ ହୋଇଗଲା । ସେଦିନ ଯଦି ସେ ନଥିଟିରେ ସ୍ଵାକ୍ଷର ନ କରନ୍ତି, ତେବେ କଳାପତାକା ଅଭିଯାନ ଆରମ୍ଭ ହୋଇଯିବ ଓ ଆରମ୍ଭ ହୋଇଗଲା ପରେ ସେ ତାକୁ ଅଟକାଇବା ସମ୍ଭବ ହେବ ନହିଁ ବୋଲି ପ୍ରଦ୍ୟୁମ୍ନ ବାବୁ ୩ୟ ମହଲାକୁ ଅବଗତ କରାଇଲେ । ୩ୟ ମହଲା ଚାପରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଅନନ୍ତବାବୁଙ୍କୁ ତାଙ୍କ ବିଭାଗ ସମ୍ପର୍କରେ ଅଭୟ ବାଣୀ ଶୁଣାଇବାରୁ ସେ ତହିଁରେ ୧୬.୭.୨୦୧୮ ଦିନ ୨ତା ୧୧ ମିନିଟ ୬ ସେକେଣ୍ଡରେ ଲେଖିଲେ, “ଯଥା ପ୍ରସ୍ତାବିତ” ।

ପଞ୍ଜୁରୀ ଭିତରର ଶୁଆ

ତଳୁ ଯାହା ପ୍ରସ୍ତାବ ଆସିଲା ତାହା ଯଦି ବାସ୍ତବ କ୍ଷେତ୍ରରେ ଉପରୁ ଆସି ନଥାନ୍ତା, ତେବେ ସରକାରୀ ଚାକିରିରେ ଅଭିଜ୍ଞାତା ଥିବା ମନ୍ତ୍ରୀ ଅନନ୍ତ ଦାସ କେବେ ବି ଲେଖିନଥାନ୍ତେ “ଯଥା ପ୍ରସ୍ତାବିତ”। ସେ ପ୍ରସ୍ତାବଟିକୁ ନିଶ୍ଚୟ ଅନୁଧ୍ୟାନ କରିଥାନ୍ତେ, ୨୦୧୫ର ସରକାରୀ ଆଦେଶ ସହ ମିଳାଇ ତର୍ଜମା କରିଥାନ୍ତେ, ଏପରି ଆଦେଶ ରାଜ୍ୟ ରାଜକୋଷ ଉପରେ ପ୍ରବଳ ଚାପ ପକାଇବା ସୁନିଶ୍ଚିତ ଥିବା ହେତୁ ଅର୍ଥ ବିଭାଗର ମନ୍ତ୍ରୀଙ୍କ ବାଚନିକ ପ୍ରତିଶ୍ରୁତିରେ ନ ଫସି ସେହି ବିଭାଗର ମତ ଲୋଡ଼ିଥାନ୍ତେ ଏବଂ ତାହା ମିଳିଲା ପରେ, ଯେହେତୁ “ଓଡ଼ିଶା ଶିକ୍ଷା (ସରକାରୀ ସାହାଯ୍ୟପ୍ରାପ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ଓ ଚାକିରି ସର୍ତ୍ତ) ନିୟମାବଳୀ, ୧୯୭୪ର ନିୟମ ୨୨” ପ୍ରୟୋଗ ପାଇଁ ରାଜ୍ୟ ସରକାର ୨୨.୬.୨୦୧୫ରେ ଜାରି କରିଥିବା ଆଦେଶ ଏହି ନୂତନ ପ୍ରସ୍ତାବ ଦ୍ଵାରା ଆକ୍ରାନ୍ତ ହେବାର ଥିଲା ସେହେତୁ ତହିଁ ଉପରେ ବିଧି ବିଭାଗର ମତ ମଧ୍ୟ ଲୋଡ଼ିଥାନ୍ତେ । କିନ୍ତୁ ଏପରି କୌଣସି ପଦକ୍ଷେପ ନ ନେଇ ( ଯାହା ନିଆଯିବା ଅପରିହାର୍ଯ୍ୟ ବୋଲି ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଭାବେ ତାଙ୍କୁ ଜଣା ଥିଲା) ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଏହି ବେଆଇନ ପ୍ରସ୍ତାବକୁ ଅନୁମୋଦନ ଦେବାକୁ ବାଧ୍ୟ ହୋଇଥିଲେ । ଏ କ୍ଷେତ୍ରରେ ତାଙ୍କ ଆଚରଣ ପଞ୍ଜୁରୀ ଭିତରର ଶୁଆ ସଦୃଶ ଥିଲା ବୋଲି କୁହାଯାଇ ପାରେ ।

ଯଦି ଏହି ପ୍ରସଙ୍ଗ କେବେ କୌଣସି ଅଦାଲତର ସମ୍ମୁଖକୁ ଆସେ , ତେବେ ଧରାପଡ଼ିଯିବ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସୁପାରିଶ “ଯଥା ସଂଶୋଧିତ” ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଆଦେଶ “ଯଥା ପ୍ରସ୍ତାବିତ” ଭିତରେ ଲୁକ୍କାୟିତ ହୋଇରହିଥିବା ପ୍ରଶାସନିକ ଅସାଧୁତାର ଜଘନ୍ୟ ରୂପ ।

ଓଡ଼ିଶା ପ୍ରଦେଶର ବାସିନ୍ଦାମାନଙ୍କୁ ସେମାନଙ୍କ ଭାଷା ଅଧିକାରରୁ ବଞ୍ଚିତ କରି ରଖିବାକୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ତାଙ୍କ ଉପରେ ପ୍ରଭାବ ବିସ୍ତାର କରିଥିବା ପଲେ ଅଣଓଡ଼ିଆ ଆଇ.ଏ.ଏସ୍. ଅଫିସର ଯେଉଁ ଷଡଯନ୍ତ୍ର କରିଛନ୍ତି , ତାହାର ସ୍ୱରୂପ ଲୁଚି ରହିଛି ଏହି ଦୁଇଟି ଶବ୍ଦପୁଞ୍ଜରେ ।

ଭିତିରି ବ୍ୟାକୁଳତା

ମନ୍ତ୍ରୀଙ୍କ ଆଚରଣ ପ୍ରଶାସନିକ ସାଧୁତାର ପରିପନ୍ଥୀ ହୋଇଥିଲେ ମଧ୍ୟ, ସେ ସ୍ଵାକ୍ଷର କରିସାରିଲା ପରେ ନଥିଟି ନିୟମତଃ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ବାଟ ଦେଇ ଶାସନ ସଚିବଙ୍କ ପାଖକୁ ଆସିବା କଥା । ମାତ୍ର ଭିତିରି ବ୍ୟାକୁଳତା (shenanigans) ଏତେ ପ୍ରଖର ଥିଲା ଯେ, ତାହା ସିଧା ସଳଖ ଆସିଲା ଶାସନ ସଚିବଙ୍କ ପାଖକୁ ଓ ସେ ସନ୍ଧ୍ୟା ୫ଟା ୫୪ ମିନିଟ ୩୯ ସେକେଣ୍ଡରେ ଶ୍ରୀମତୀ ପ୍ରଦ୍ୟୁମ୍ନ ଶତପଥିଙ୍କ ନିଯୁକ୍ତିନାମାର ଚିଠା ପ୍ରସ୍ତୁତ କରିବାକୁ ଅତିରିକ୍ତ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଲେ । ସେଦିନ କଳାପତାକା ଅଭିଯାନରେ ଅଂଶ ଗ୍ରହଣ ନ କରି, ମୁଖ୍ୟମନ୍ତ୍ରୀଙ୍କ ସହ ଭିତିରି ଚୁକ୍ତି ମୁତାବକ ସନ୍ଧ୍ୟା ୭ଟାରେ ଆଉ ୬ ଜଣ ପୋଷାମନା ଲୋକଙ୍କୁ ଧରି ପ୍ରଦ୍ୟୁମ୍ନ ଶତପଥି ଗଣମାଧ୍ୟମରେ ସମ୍ପୂର୍ଣ ଅନଧିକୃତ ଭାବେ ଘୋଷଣା କଲେ, “ଭାଷା ଆଂଦୋଳନର ନିଷ୍ପତ୍ତି କ୍ରମେ କଳାପତାକା ଅଭିଯାନ ସ୍ଥଗିତ ରହିଲା” ଏବଂ ପରେ ପରେ ଉତ୍ତରଦାୟିତ୍ଵ ନଥିବା ସାମାଜିକ ଗଣମାଧ୍ୟମରେ ମୋ ଉପରେ ଅତି ଗର୍ହିତ ଶବ୍ଦ ପ୍ରୟୋଗ ଚାଲିଲା ଓ ଶତପଥୀ ଭାଷା ବ୍ୟାପାରରେ ସରକାରଙ୍କ ମୁଖପାତ୍ର ପରି କାମ କଲେ । ଏ ସବୁ କଥା ସତ କି ମିଛ ମୁଖ୍ୟମନ୍ତ୍ରୀ କହନ୍ତୁ । (କ୍ରମଶଃ)

Comments

No comments yet.

Leave a Reply

Basic HTML is allowed. Your email address will not be published.

Subscribe to this comment feed via RSS

This site uses Akismet to reduce spam. Learn how your comment data is processed.