ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ଭାଷା ଆନ୍ଦୋଳନ ବନ୍ଦ କରିବା ପାଇଁ ପ୍ରଦ୍ୟୁମ୍ନ ଶତପଥୀ ଯେ ଏପରି ଫାଇଦାବାନ ସଉଦାରେ ଲିପ୍ତ ଥିବେ ତାହା ମୋ ପାଇଁ ଥିଲା କଳ୍ପନାତୀତ । କାରଣ, କଳାପତାକା ଅଭିଯାନ ପୁନରାରମ୍ଭର ପୂର୍ବସୂଚନା ମୁଖ୍ୟ ଶାସନ ସଚିବଙ୍କୁ ଦେବା ପାଇଁ ୨.୭.୨୦୧୮ରେ ଭାଷା ଆନ୍ଦୋଳନର “ଚରମ ପତ୍ର”ରେ ସେ ସ୍ଵାକ୍ଷର କରିଥିଲେ । ଶଠତା ସତରେ କି ବିଭତ୍ସ !

ଅତର୍ଛରେ ସରକାର

ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ବିଧେୟକକୁ ପ୍ରତ୍ୟାଖ୍ୟାନ କରିବାକୁ ରାଜ୍ୟପାଳଙ୍କୁ ମୁଁ ଯେଉଁ ସ୍ମାରକ ପତ୍ର ଦେଇଥିଲି, ତହିଁରେ ଚିହ୍ନିତ ତ୍ରୁଟି ଉପରେ ସେ ବିଚାର ବିମର୍ଶ କରିଥିଲେ ମଧ୍ୟ ୨୩.୬.୨୦୧୮ତାରିଖରେ ତାକୁ ମଞ୍ଜୁର କରିଥିଲେ । ଏହା ଅବଗତ ହେବା ପରେ ୨୯.୬.୨୦୧୮ ତାରିଖ ସକାଳ ୮ଟା ୧୭ ମିନିଟରେ ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଇ-ମେଲ୍ ଯୋଗେ ଜଣାଇଲି କି, ଓଡ଼ିଆସ୍ଵାର୍ଥବିରୋଧୀ ବିଧେୟକଟି ବିଧାନରେ ରୂପାନ୍ତରୀତ ହୋଇସାରିଥିବା ହେତୁ ସେ ସଂଶୋଧିତ ଭାଷା ଆଇନର ପୁନଃ ସଂଶୋଧନ କରନ୍ତୁ ଏବଂ ୧୪.୩.୨୦୧୮ ତାରିଖର କ୍ୟାବିନେଟ୍ ନିଷ୍ପତ୍ତିକୁ ଲୁଚାଇଦେଇ ୨୬.୧୨.୨୦୧୭ର କାର୍ଯ୍ୟତଃ ବାତିଲ ହୋଇଥିବା କ୍ୟାବିନେଟ୍ ନିଷ୍ପତ୍ତିକୁ ୧.୫.୨୦୧୮ରେ ଘଟିଥିବା ସଂଶୋଧନର “ଉଦ୍ଦେଶ୍ୟ ଓ କାରଣ କଥନ”ରେ ଲିପିବଦ୍ଧ କରି ଓଡ଼ିଶା ସରକାରୀ ଭାଷା ଆଇନର ଉଦ୍ଦେଶ୍ୟ ଧ୍ଵଂସ କରିବାରେ ବିଧାନସଭାକୁ ବ୍ୟବହାର କରାଯାଇଥିବାରୁ ସେ ଓଡ଼ିଆ ଜାତି ବିରୁଦ୍ଧରେ ଏପରି ଷଡ଼ଯନ୍ତ୍ର କରିଥିବା ପଦଧିକାରୀକୁ ଠାବ କରି ତା ବିରୁଦ୍ଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ କରନ୍ତୁ । ଏହା ସରକାରଙ୍କୁ ଅତର୍ଛାଇଲା ।

ଜୁଲାଇ ୧୬ରୁ ପୁଣି କାହିଁକି 

ଜୁଲାଇ ୧୬ ତାରିଖରୁ କାହିଁକି କଳାପତାକା ଅଭିଯାନ ପୁନର୍ବାର ଆରମ୍ଭ ହେବ ତାହା ମୁଁ ୪.୭.୨୦୧୮ରେ ପ୍ରକାଶ କଲି । ତହିଁର କିଛି ଅଂଶ:

ଆରୁଖ ମୁଣ୍ଡରେ ପଣସ ଅଠା
ପଳାତକ ଆସାମୀ ପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହି ଜାଲିଆତି କଳୁଷିତ ବିଧେୟକ ପାରିତୀକରଣ ପାଇଁ ଆଗତ ନ କରି , ତାଙ୍କ ନିଜ ଜିଲ୍ଲାବାସୀ ଓ ଅନୁଗତ ମନ୍ତ୍ରୀ ବିକ୍ରମ ଆରୁଖଙ୍କୁ ଦାୟିତ୍ବ ଦେଇ ପଳାଇଲେ ଓ ଏହି ଜାଲିଆତି ସହ ସମ୍ପୃକ୍ତ ଶାସନ ସଚିବ ଆଗରୁ ଲେଖିରଖିଥିବା ଖଣ୍ଡେ କାଗଜ ପଢ଼ି ଆରୁଖ ବିତର୍କର ଉତ୍ତର ରଖିଲେ । କେହି ଜଣେ ବି ବିଧାୟକ ପ୍ରଶ୍ନ କଲେନାହିଁ , ମୌଖିକ ବିତର୍କର ଲିଖିତ ଉତ୍ତର ବିତର୍କ ପୂର୍ବରୁ ମନ୍ତ୍ରୀ କେଉଁଠୁ ଆଣିଥିଲେ । ଲଜ୍ଜ୍ୟା ଲାଗୁଛି କହିବାକୁ ଯେ, ଏହି ପରି ସଭ୍ୟମାନଙ୍କୁ ନେଇ ଓଡିଶା ବିଧାନସଭା ଚାଲିଛି ।
ବିଧାନସଭାର ସ୍ଵାଧୀକାର ଭଙ୍ଗ
ଏହି ଜାଲିଆତିର ଅଠା , ଯାହା ଅରୁଖଙ୍କ ମୁଣ୍ଡରେ ମୁଖ୍ୟମନ୍ତ୍ରୀ ବୋଳିଛନ୍ତି, ତାହା ସେ କିପରି ଧୋଇବେ ତାଙ୍କୁ ଜଣା । କିନ୍ତୁ ୧୪.୦୩.୨୦୧୮ ତାରିଖ ମନ୍ତ୍ରୀମଣ୍ଡଳର ନିଷ୍ପତ୍ତିକୁ ସମ୍ପୂର୍ଣ ଗୋପନ ରଖି ୨୬. ୧୨ . ୨୦୧୭ ତାରିଖର ମନ୍ତ୍ରୀମଣ୍ଡଳ ନିଷ୍ପତ୍ତି ଉପରେ ସଂଶୋଧନ ବିଧେୟକ ଆଧାରିତ ବୋଲି ସମ୍ପୃକ୍ତ ବିଧେୟକର ‘ଉଦ୍ଦେଶ୍ୟ ଓ କାରଣ କଥନ’ରେ ଯେଉଁ ଉଲ୍ଳେଖନା ଅଛି ତାହା ପବିତ୍ର ସାର୍ବଭୌମ ଗୃହର ଅବଗତିରୁ ‘ବାସ୍ତବ ତଥ୍ୟ ସଂଗୋପନ’ (suppression of material facts) ଦୋଷରେ ଆକ୍ରାନ୍ତ ।
ଏପରି ଦୋଷ ଜାଣିଶୁଣି କରିଥିବା ହେତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହର ସ୍ଵାଧୀକାର ଭଙ୍ଗ କରିଛନ୍ତି କିମ୍ବା ସେ ଯାହା ମୁଣ୍ଡରେ ପଣସ ଅଠା ବୋଲିଛନ୍ତି, ସେ ନିଜେ ସାଂସଦୀୟ ବ୍ୟାପାର ମନ୍ତ୍ରୀ ହୋଇଥିଲେ ମଧ୍ୟ ଏବଂ ୧୪.୦୩.୨୦୧୮ ତାରିଖ ମନ୍ତ୍ରୀମଣ୍ଡଳର ନିଷ୍ପତ୍ତି ୨୬. ୧୨ . ୨୦୧୭ ତାରିଖର ମନ୍ତ୍ରୀମଣ୍ଡଳ ନିଷ୍ପତ୍ତିକୁ ପରିବର୍ତ୍ତିତ କରିଥିବା ଅବଗତ ଥିଲେ ମଧ୍ୟ, ଉପରୋକ୍ତ ‘ବାସ୍ତବ ତଥ୍ୟ ସଂଗୋପନ’ ପ୍ରତି ଆଖି ବୁଜି ଦେଇ , ସେ ସମ୍ପର୍କରେ ବିଧାନସଭାକୁ ଅନ୍ଧକାରରେ ରଖି, ଶାସନ ସଚିବଙ୍କ ଦ୍ଵାରା ପୂର୍ବରୁ ଲିଖିତ ବିତର୍କ-ଉତ୍ତର ପାଠ କରି ଓ ତଦ୍ଦ୍ଵାରା ବିଧାନସଭାକୁ ପ୍ରତାରିତ କରି, ବିଧାନସଭାର ସ୍ବାଧୀକାର ଭଙ୍ଗ କରିଛନ୍ତି ତାହା ବିଧାନସଭାର ଆଗାମୀ ଅଧିବେଶନ ସ୍ଥିର କରିବା ଆବଶ୍ୟକ”।

ସମ୍ପୂର୍ଣ ଲେଖାଟି ଏ ମାସ ୧୬ରୁ ପୁନଶ୍ଚ କଳାପତାକା ଅଭିଯାନ : କାହିଁକି ? ଶୀର୍ଷକରେ ଉପଲଭ୍ୟ ।

ସ୍ଵାଧିକାର ପ୍ରଶ୍ନ ଏଡ଼ାଇବାକୁ 

ଭାଷା ଆଇନକୁ ସରକାର ଏକ ଷଡ଼ଯନ୍ତ୍ରମୂଳକ ଭୁଲ ସଂଶୋଧନ ଦ୍ଵାରା ପଙ୍ଗୁ କରିଦେଇଥିବାର ବିଧିକ ସ୍ଥିତି ଏହି ଲେଖାରେ ଖୋଦିତ ହୋଇଥିଲା କେବଳ ନୁହେଁ, ବିଧାନସଭାର ଆଗାମୀ ବର୍ଷାକାଳୀନ ଅଧିବେଶନରେ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ଵାଧିକାର ଭଙ୍ଗ ଅଭିଯୋଗ ଆସିପାରେ ଓ ତଦ୍ଦ୍ଵାରା ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଅପଦସ୍ତ ହୋଇପାରନ୍ତି ବୋଲି ଆଶଙ୍କା ଚହଟି ଥିଲା । ତେଣୁ, ସ୍ଵାଧିକାର ପ୍ରଶ୍ନ ଏଢ଼ାଇବାକୁ ଯେକୌଣସି ପ୍ରକାରେ ହେଉ ପଛେ, ବିଧାନସଭାର ବର୍ଷାକାଳୀନ ଅଧିବେଶନ ପୂର୍ବରୁ ଭାଷା ଆନ୍ଦୋଳନରେ ବିଭ୍ରାଟ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଲାଗିପଡ଼ିଥିଲା ।

ପ୍ରଦ୍ୟୁମ୍ନ ଶତପଥୀ ଥିଲେ ଶେଷ ଭରସା । ସେ ଯଦି ଭାଷା ଆନ୍ଦୋଳନକୁ ଭଣ୍ଡୁର କରିବାକୁ ସାହାଯ୍ୟ କରନ୍ତି , ତେବେ ୨.୭.୨୦୧୮ ତାରିଖର ଚରମ ପତ୍ରରେ ସ୍ଵାକ୍ଷର କରିଥିବା ପବିତ୍ର ମହାରଥା ତାଙ୍କ ସହ ସହଯୋଗ କରିବାକୁ ବାଧ୍ୟ , କାରଣ, ଭାଷା ଆନ୍ଦୋଳନର ପାଣ୍ଠି ତୋଷରପାତ ଅଭିଯୋଗର ଖଣ୍ଡା ତାଙ୍କ ମୁଣ୍ଡ ଉପରେ ଝୁଲିକି ରହିଥିଲା ଓ ପୋଲିସ କବଳରୁ ମୁକ୍ତି ପାଇଁ ସରକାରଙ୍କ ବୋଲ ମାନିବା ଭିନ୍ନ ତାଙ୍କ ପାଇଁ ଅନ୍ୟ ପନ୍ଥା ନଥିଲା । ତେଣୁ, ପ୍ରଦ୍ୟୁମ୍ନଙ୍କ ଆନୁଗତ୍ୟ ହାସଲ କରିବା ଥିଲା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପାଇଁ ଅତ୍ୟନ୍ତ ଜରୁରୀ ।

ଜୁଲାଇ ୧୬ ତାରିଖ ପାଖେଇ ଆସୁଥିଲା । ତା ପୂର୍ବରୁ ପତ୍ନୀଙ୍କ ଚାକିରି ନ ହେଲେ, ସେ ଆଉ କିଛି କରିପାରିବେ ନାହିଁ ବୋଲି ପ୍ରଦ୍ୟୁମ୍ନ ଶତପଥି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଶୁଣାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଚାପ ପଡ଼ିଥିଲା ଶିକ୍ଷାମନ୍ତ୍ରୀଙ୍କ ଉପରେ ଯେପରି ଭାବେ ହେଉ ବି ପ୍ରଦ୍ୟୁମ୍ନ ଶତପଥୀଙ୍କ ପତ୍ନୀଙ୍କୁ ଚାକିରିରେ ସଂସ୍ଥିତ କରିବାକୁ । ଶିକ୍ଷାମନ୍ତ୍ରୀ ଅନନ୍ତ ଦାସ ଶିକ୍ଷା ସଚିବଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ । ଅର୍ଥ ବିଭାଗ ଆପତ୍ତି କରିବ ନାହିଁ ବୋଲି ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା ମୌଖିକ ପ୍ରତିଶ୍ରୁତି ଦେଇଥିଲେ । ଏବଂ ଏହାର ତଦବିର ଦାୟିତ୍ଵ ମଧ୍ୟ ଗ୍ରହଣ କରିଥିଲେ ।

ଯାହା ହେବାକୁ ଥିଲା, ତାହା ଯେ ସମ୍ପୂର୍ଣ ବେଆଇନ , ଏଥିରେ ଶାସନ ସଚିବ ଓ ଅତିରିକ୍ତ ଶାସନ ସଚିବଙ୍କର କୌଣସି ସନ୍ଦେହ ନ ଥିଲା । ଅତିରିକ୍ତ ଶାସନ ସଚିବ ୨୨.୬.୨୦୧୮ ତାରିଖର କମିଟି ବୈଠକରେ ଯେଉଁ ନିଷ୍ପତ୍ତି ନିର୍ମାଣ କରିଥିଲେ ତାହା ଆପତ୍ତିଜନକ ଜାଣି ଶାସନ ସଚିବ ତହିଁରେ କିପରି ସ୍ଵାକ୍ଷର କରିନଥିଲେ ଓ ସେହି ଅବସ୍ଥାରେ ନଥିଟି୨୫.୬.୨୦୧୮ ପର୍ଯ୍ୟନ୍ତ ପଡିରହିଲା ପରେ, ତଳିଆ ଅମଲାତନ୍ତ୍ର ମୁଣ୍ଡରେ ଅଠା ବୋଳି ନିଜେ ନିରାପଦ ରହିବାକୁ କିପରି ଅଧସ୍ଥନଙ୍କଠାରୁ ଉଚ୍ଚତନ କମିଟିର ନିଷ୍ପତ୍ତି ଉପରେ “ସୁଚିନ୍ତିତ ମତ” ତଲବ କରା ହୋଇଥିଲା ତାହା ପୂର୍ବରୁ ଉଲ୍ଲେଖ କରାଯାଇଛି ।

ତ୍ରିଶଙ୍କୁ ସ୍ଥିତି 

ତଳିଆ ଅମଲାତନ୍ତ୍ର ଉପରୋକ୍ତ ଦୁଇ ତୁଙ୍ଗ ପଦଧିକାରୀଙ୍କ କଥାରେ କୌଣସି ବେଆଇନ ମତ ଦେବାକୁ ରାଜି ନଥିବା ହେତୁ ନଥିଟି ତ୍ରିଶଙ୍କୁ ଅବସ୍ଥାରେ ପଡିଥିଲା, ଯେତେବେଳେ ବର୍ଷାକାଳୀନ ଅଧିବେଶନରେ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ଵାଧିକାର ଭଙ୍ଗ ଅଭିଯୋଗକୁ ଏଡ଼ାଇବା ପାଇଁ ଭାଷା ଆନ୍ଦୋଳନକୁ ଭାଙ୍ଗିବା ସକାଶେ ପ୍ରଦ୍ୟୁମ୍ନ ଶତପଥିଙ୍କ ସ୍ତ୍ରୀ ଚାକିରିରେ ସଂସ୍ଥିତା ହେବା ନିହାତି ଜରୁରୀ ହୋଇ ପଡ଼ିଥିଲା ।

ଏହି ତ୍ରିଶଙ୍କୁ ଅବସ୍ଥାର ଅବସାନ ପାଇଁ ଜଣେ ବ୍ୟକ୍ତି ମିଳିଗଲେ । ସେ ହେଲେ ଉଚ୍ଚ ଶିକ୍ଷା ବିଭାଗର ଅନୁଶାସନ ସଚିବ ସୂର୍ଯ୍ୟ ନାରାୟଣ ମହାପାତ୍ର । (କ୍ରମଶଃ)

Comments

No comments yet.

Leave a Reply

Basic HTML is allowed. Your email address will not be published.

Subscribe to this comment feed via RSS

This site uses Akismet to reduce spam. Learn how your comment data is processed.