ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଉଚ୍ଚ ଶିକ୍ଷା ବିଭାଗ ଜାଣିଥିଲା ଯେ, ସ୍ତ୍ରୀ ମାନସୀଙ୍କ ଚାକିରି ହାସଲ କରିବାକୁ ଭାଷା ଆନ୍ଦୋଳନକୁ ଛୁରୀ ମାରିବା ପାଇଁ ପ୍ରଦ୍ୟୁମ୍ନ ଶତପଥୀ ରାଜିହୋଇଯିବା ପରଠୁ ଏହା ନେଇଥିବା ପ୍ରତିଟି ନିଷ୍ପତ୍ତିରେ ଭରି ହୋଇରହିଥିଲା ପଶାସନିକ ସ୍ଵେଚ୍ଛାଚାର; କାରଣ ତଦ୍ଭିନ୍ନ ତାଙ୍କୁ ସାହାଯ୍ୟ କରିହୋଇନଥାନ୍ତା । ଏହି ଏକା କାରଣରୁ ଏହି ବିଭାଗ ଓଡ଼ିଶା ହାଇ କୋର୍ଟରେ ମାନସୀଙ୍କ ରିଟ୍ ମାମଲାରେ ପ୍ରତିବାଦୀ ଥାଇ ମଧ୍ୟ ଅଂଶ ଗ୍ରହଣ କରିନଥିଲା ଏବଂ ତାଙ୍କୁ ଏକ ନିର୍ବିବାଦ ଆଦେଶ (uncontested order) ହାସଲ କରିବାରେ ସାହାଯ୍ୟ କରିଥିଲା । ହାଇକୋର୍ଟ ଯେଉଁ ରାୟ ଦେଇଥିଲେ ତାହା ମାନସୀଙ୍କ ସପକ୍ଷରେ ଯେପରି ଉପଯୁକ୍ତ ମଣିବେ ସେପରି ନିଷ୍ପତ୍ତି ନେବାକୁ ଉଚ୍ଚ ଶିକ୍ଷା ବିଭାଗକୁ ଦେଇଥିଲା ଅଖଣ୍ଡ ଅଧିକାର (carte blanche) ।

ସାଂଘାତିକ ପେଞ୍ଚ

ମାନସୀଙ୍କ ରିଟ୍ ମାମଲା ଓଡ଼ିଶା ରାଜ୍ୟବାସୀଙ୍କ ବିରୁଦ୍ଧରେ ଏକ ସାଂଘାତିକ ପେଞ୍ଚ ଥିଲା । ଆଦୌ କାମ ନକରି, ୧୦ ବର୍ଷ କାଳ ଅଡ଼ଶପୁର କଲେଜର ଉଦ୍ଭିଦ ବିଜ୍ଞାନ ବିଭାଗର ଛାତ୍ର ଛାତ୍ରୀମାନଙ୍କ ଅଧ୍ୟୟନ ଅଧିକାରକୁ ବିପର୍ଯ୍ୟସ୍ତ କରି, କେବଳ ଭାଷା ଆନ୍ଦୋଳନ ବିରୁଦ୍ଧରେ ସ୍ଵାମୀ ପ୍ରଦ୍ୟୁମ୍ନ ଶତପଥିଙ୍କ ଦଲାଲୀ-ଦକ୍ଷତା ହେତୁ ସେ ପ୍ରାୟ ଦେଢକୋଟି ଟଙ୍କାର ପିଛିଲା ବେତନ ସହ ଚାକିରିରେ ନିୟମିତ ହେବା ପାଇଁ ପେଞ୍ଚ କରିଥିଲେ । ଏପରି ସାଂଘାତିକ ପେଞ୍ଚକୁ ହାଇକୋର୍ଟରେ ଉଚ୍ଚ ଶିକ୍ଷା ବିଭାଗ ବିରୋଧ ନକରିବା ମୂଳରେ ସମ୍ପୃକ୍ତ ସରକାରୀ ଓକିଲଙ୍କ ଭୂମିକା ଯଦି ଦୃଷ୍ଟିକୁ ଆସେ ତେବେ ତ ଏ ଷଡ଼ଯନ୍ତ୍ରର ଗଭୀରତା ମାପିବାକୁ ରାଜ୍ୟ ଅପରାଧ ଅନୁସନ୍ଧାନ ବିଭାଗ (CID)କୁ ବି ନାକେଦମ୍ ହେବାକୁ ହେବ ।

ଏ ଷଡ଼ଯନ୍ତ୍ରର ଯଥାସମ୍ଭବ ଆକଳନ ପାଇଁ ମାନସୀ ଷଡଙ୍ଗୀଙ୍କ ରିଟ୍ ମାମଲା ଉପରେ ଆଉ ଥରେ ନଜର ପକାଇବା । ଏହା ୪.୧୨.୨୦୧୮ ତାରିଖରେ ଦାଖଲ ହୋଇଥିଲା । ସମୁଦାୟ ଦୁଇଟି ତାରିଖରେ ଶେଷ ହୋଇଥିଲା । ଦୁଇଟିଯାକ ତାରିଖରେ ମାନ୍ୟବର ନ୍ୟାୟମୂର୍ତ୍ତି ଡଃ ବି. ଆର. ଷଡଙ୍ଗୀ କେବକ ମାନସୀ ଷଡଙ୍ଗୀଙ୍କ ଓକିଲଙ୍କୁ ଶୁଣିଥିଲେ ; ସରକାରୀ ଓକିଲଙ୍କ ଦେଖାଦର୍ଶନ ନଥିଲା । ତେଣୁ ଏହାକୁ ନିର୍ବିବାଦ ମାମଲା ବୋଲି କହି ୩.୪.୨୦୧୯ରେ ସେ ରାୟ ଦେଇଥିଲେ । ତହିଁରୁ ଜଣାଗଲା ଯେ, ୨୨.୬.୨୦୧୫ ତାରିଖରେ ତାଙ୍କ ଅନୁପସ୍ଥିତି ଉପରେ ଉଚ୍ଚ ଶିକ୍ଷା ବିଭାଗ ଯେଉଁ ନିଷ୍ପତ୍ତି ନେଇଥିଲେ ସେହି ନିଷ୍ପତ୍ତିକୁ ବାତିଲ କରାଯାଇ ଅଡ଼ଶପୁର କଲେଜରେ ସେ ଦେଇଥିବା ଯୋଗଦାନ ପତ୍ର (joining report)କୁ ବୈଧ ଘୋଷଣା କରାଯାଉ ଓ ତଦନୁଯାୟୀ ସେହିଦିନଠାରୁ ତାଙ୍କୁ ସମସ୍ତ ପରିଣତିଗତ ଫାଇଦା (consequential benefit) ସହ ପିଛିଲା ବେତନ ପ୍ରଦାନ କରାଯାଉ ବୋଲି ସେ ଦାବି କରିଥିଲେ । ଏହାକୁ ଉଚ୍ଚ ଶିକ୍ଷା ବିଭାଗ ବିରୋଧ କରିନଥିଲା, ଯଦିଓ ଏହି ୨୨.୬.୨୦୧୫ର ସରକାରୀ ଆଦେଶକୁ ବାତିଲ କରାଯିବା ଭିତ୍ତିରେ (in supersession of) ଏହା ମାନସୀ ଷଡଙ୍ଗୀଙ୍କ ଚାକିରିରେ ଯୋଗଦାନ ପାଇଁ ୧୬.୭.୨୦୧୮ ତାରିଖରେ ନିଷ୍ପତ୍ତି ନେଇ ୧୮.୭.୨୦୧୮ ତାରିଖରେ ୨୦୪୪୫ ପତ୍ରାଙ୍କରେ ଜାରି କରିଥିଲା ।

ମାନ୍ୟବର ହାଇକୋର୍ଟଙ୍କଠାରୁ ଏହି ସତ୍ୟ ଲୁଚାଇରଖିବାକୁ ଉଚ୍ଚ ଶିକ୍ଷା ସଚିବ ରିଟ୍ ମାମଲାଟିକୁ ନିର୍ବିବାଦ କରାଇଥିଲେ । ଫଳରେ ମାମଲାଟିକୁ ନିର୍ବିବାଦ (uncontested ) ଫଇସଲା କରି ସରକାର ନିଜେ ପ୍ରାର୍ଥିତ ବ୍ୟାପାରରେ ଅର୍ଥାତ୍ ୨୨.୬.୨୦୧୫ର ସରକାରୀ ଆଦେଶର ରଦ୍ଦିକରଣ (to quash the order dated 22.6.2015) ଓ ସେ କଲେଜରେ ଯେଉଁଦିନ ଯୋଗଦାନପତ୍ର ଦେଇଥିଲେ ସେହିଦିନ ଠାରୁ ସେ ନିରବଚ୍ଛିନ୍ନ ଭାବେ ଚାକିରିରେ ଥିବା ଗ୍ରହଣ କରି ସର୍ବବିଧ ପରିଣତିଗତ ଓ ଆର୍ଥିକ ଫାଇଦା (to accept her joining report w.e.f. the date she submitted her joining report (in the college) with all consequential service and monetary benefits) ପ୍ରଦାନ ପାଇଁ ଉପଯୁକ୍ତ ଆଦେଶ ଦେବାକୁ ଉଚ୍ଚ ଶିକ୍ଷା ସଚିବଙ୍କୁ ଅଧିକାର ଦେଇଥିଲେ । ଏହି ଆଦେଶର ସୁଯୋଗ ନେଇ ଶ୍ରୀମତୀ ଷଡଙ୍ଗୀଙ୍କୁ ସମସ୍ତ ପିଛିଲା ବେତନ (ପ୍ରାୟ ଦେଢକୋଟି ଟଙ୍କା) ସହ ପଦୋନ୍ନତି ପରି ପରିଣତିଗତ ଫାଇଦା ଦେଇ ତାଙ୍କ ଚାକିରିକୁ ନିରଙ୍କୁଶ ନିୟମିତତା ପ୍ରଦାନ କରିବାକୁ ଅପେକ୍ଷା କରି ରହିଥିଲେ ଉଚ୍ଚ ଶିକ୍ଷା ସଚିବ । ଅପେକ୍ଷା ଥିଲା ସଚିବଙ୍କ ଅଧସ୍ତନ ନିର୍ଦ୍ଦେଶକଙ୍କ ସାନି ତଦନ୍ତ ରିପୋର୍ଟକୁ ।

ମାନସୀପାଇଁ ନିର୍ଦ୍ଦେଶକ ବଦଳି; ୪ ମାସରେ ୪

ଏଥିପାଇଁ ମାତ୍ର ୪ ମାସରେ ୩ ଜଣ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କୁ ଅଘୋଷିତ ଶାସ୍ତି ସ୍ୱରୂପ ବଦଳି କରାଯାଇଥିବା ସାଧାରଣତଃ ବିଶ୍ୱାସଯୋଗ୍ୟ ହୋଇନପାରେ । ମାତ୍ର ଏହା ସତ୍ୟ । ଭାଷା ଆନ୍ଦୋଳନର ସଭାପତି ପଦରେ ଭାଷଣଦକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ମୁଁ ନିଯୁକ୍ତ କରିଥିଲି । ସର୍ତ୍ତ ମୁତବକ ସେ ପ୍ରତିଦିନ କଳା ପତାକା ଧରିବାକୁ ୪ ଜଣ ବ୍ୟକ୍ତି ଯୋଗଉଥିଲେ । ଫଳରେ ସରକାରଙ୍କ ଉପରେ ଲୌକିକ ଚାପ ପ୍ରୟୋଗ ସହ ଆନ୍ଦୋଳନର ଲକ୍ଷ୍ୟ ହାସଲ ପାଇଁ ବୌଦ୍ଧିକ ଅଗ୍ରଗତି ମୋ ପକ୍ଷେ ସହଜ ଥିଲା । ସେ ଯଦି ଲୋକ ନଯୋଗାନ୍ତି କଳା ପତାକା ଅଭିଯାନ ବନ୍ଦ ହୋଇଯିବ – ଏହି ବିଶ୍ଵାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସୁପାରି ଦେଇଥିଲେ । ସେ ସୁପାରି ଥିଲା ତାଙ୍କ ଅଧ୍ୟାପିକା ସ୍ତ୍ରୀଙ୍କ ଚାକିରି । ଦୀର୍ଘ ୧୦ ବର୍ଷ କାଳ କଲେଜ ନ ଯାଇଥିବା ମାନସୀ ଷଡଙ୍ଗୀଙ୍କୁ ସେହି ୧୦ ବର୍ଷର ପିଛିଲା ବେତନ (ପ୍ରାୟ ଦେଢକୋଟି ଟଙ୍କା ) ସହ ଚାକିରିରେ ନିୟମିତ କରିବା ଥିଲା ଏହି ସୁପାରିର ସ୍ଥୂଳରୂପ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଯେତେ ସବୁ ପ୍ରଶାସନିକ ସ୍ଵେଚ୍ଛାଚାର ଘଟିଗଲା ମୁଁ ସେସବୁକୁ ପୂର୍ବରୁ ଦର୍ଶାଇଛି । କିନ୍ତୁ ଏହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରିବାରେ ବାଧକ ହେବା ହେତୁ ମାତ୍ର ୪ ମାସରେ ୩ ଜଣ ନିର୍ଦ୍ଦେଶକଙ୍କୁ ବଦଳି କରି ଶେଷରେ ନିଜ ଅତିରିକ୍ତ ସଚିବଙ୍କୁ ଯେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶକ କରାଇଥିଲେ ତାହା ଓଡ଼ିଶାର ପ୍ରଶାସନିକ ଇତିହାସରେ ଥିଲା ଅଭୂତପୂର୍ବ । ବର୍ତ୍ତମାନ ଏହି ବଦଳି ପ୍ରବାହ ଉପରେ ଦ୍ରୁଷ୍ଟି ଦେବା ।

ବି. ପରମେଶ୍ଵରମ୍

ପୂର୍ବରୁ କୁହା ହୋଇଛି ଯେ, ୧୮.୭.୨୦୧୮ ତାରିଖର ସରକାରୀ ଆଦେଶରେ ଥିବା ତଥ୍ୟଗତ ମିଥ୍ୟାକୁ ତାଙ୍କ ୧୪.୨.୨୦୧୯ ତାରିଖର ତଦନ୍ତ ରିପୋର୍ଟରେ ଫୁଙ୍ଗୁଳା କରିଦେଇ, ଅନଧିକୃତ ଭାବେ ୧୦ ବର୍ଷରୁ ଉର୍ଦ୍ଧ୍ଵ କାଳ ଅନୁପସ୍ଥିତ ଥିବା ହେତୁ ମାନସୀଙ୍କ ବିରୁଦ୍ଧରେ ନିୟମାନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଥିଲେ ତତ୍କାଳୀନ ନିର୍ଦ୍ଦେଶକ ବି. ପରମେଶ୍ଵରମ୍ (B Parameswaran) । ଏହା ପ୍ରତ୍ୟାହାର କରି ମାନସୀ ଷଡଙ୍ଗୀଙ୍କ ସପକ୍ଷରେ ସୁପାରିଶ କରିବାକୁ ତାଙ୍କ ଉପରେ ଚାପ ପଡ଼ିଥିଲା । ସେ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଫଳରେ ୭.୯.୨୦୧୮ରେ ନିର୍ଦ୍ଦେଶକ ପଦ ସମ୍ଭାଳିଥିବା ପରମେଶ୍ଵରମ୍ ରହସ୍ୟଜନକ ଭାବେ ବିଦା ହୋଇଯାଇଥିଲେ ମାନସୀଙ୍କ ବିରୁଦ୍ଧରେ ରିପୋର୍ଟ ଦେବାର ୪ର୍ଥ ଦିବସରେ ୧୮.୨.୨୦୧୯ ତାରିଖରେ ।

ରମେଶ ରାଉତ

ରମେଶ ରାଉତ ହେଲେ ନିର୍ଦ୍ଦେଶକ । ଉଚ୍ଚ ଶିକ୍ଷା ବିଭାଗ ତାଙ୍କ ଉପରେ ଚାପ ପକାଇଲା ପରମେଶ୍ଵରମ୍ ଦେଇଥିବା ରିପୋର୍ଟ ବଦଳାଇବାକୁ । ମହାପାତ୍ର-ମିଶ୍ର-ବାଳକୃଷ୍ଣନ ଗ୍ୟାଙ୍ଗର କୃପାସିନ୍ଧୁ ମିଶ୍ର (ଅତିରିକ୍ତ ସଚିବ)ଙ୍କ ସ୍ଵାକ୍ଷରରେ ୧.୩.୨୦୧୯ ତାରିଖର ପତ୍ରାଙ୍କ ୫୪୭୦ରେ ତାଙ୍କୁ ନିର୍ଦ୍ଦେଶ ଦିଆଗଲା କି, ୨.୭.୨୦୦୮ ତାରିଖରୁ ୨୨.୭.୨୦୧୮ ପର୍ଯ୍ୟନ୍ତ ମାନସୀ ଷଡଙ୍ଗୀଙ୍କ ଅନୁପସ୍ଥିତି ଉପରେ ସେ ସାନି ତଦନ୍ତ କରି ରିପୋର୍ଟ ଦିଅନ୍ତୁ । କିନ୍ତୁ ପରମେଶ୍ଵରମ୍ ଦେଇଥିବା ରିପୋର୍ଟ ଏତେ ନିର୍ଭୁଲ ଥିଲା ଯେ, ସେ ତହିଁର ପୁନର୍ବିଚାର କରୁବାକୁ ଉଚିତ ମଣିଲେନି ।

ଉପନିର୍ଦ୍ଦେଶକ ୧୪.୩.୨୦୧୯ ତାରିଖରେ ତାଙ୍କ ପାଖରେ ନଥି ରଖି ଜଣାଇଥିଲେ ,”The DHE (O) may kindly re-examine the period of absence of Smt. Manasi Sarangi, Ex-Lecturer in Botany of U.N.(Auto) College of Science and Technology,Adashpur, Cuttack from her duties from 02.07.2008 to 22.07.2018 as per relevant rules.” (ଅଡ଼ଶପୁର କଲେଜର ପୂର୍ବତନ ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ଶ୍ରୀମତୀ ମାନସୀ ଷଡଙ୍ଗୀଙ୍କ ୨.୭.୨୦୦୮ ତାରିଖରୁ ୨୨.୭.୨୦୧୮ ତାରିଖ ପର୍ଯ୍ୟନ୍ତ ଅନୁପସ୍ଥିତି ଉପରେ ସାନି ତଦନ୍ତ କରିବାକୁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ସଦୟ ପଦକ୍ଷେପ ନେଇପାରନ୍ତି) । ଏ ସାନି ତଦନ୍ତ ସରକାରଙ୍କ ୧୮.୭.୨୦୧୮ ତାରିଖର ୨୦୪୪୫ ସଂଖ୍ୟକ ଆଦେଶ ଅନୁରୂପ ହୋଇଥାନ୍ତା । କାରଣ , ଏହି ଆଦେଶରେ କୁହା ହୋଇଥିଲା , “Th intervening from the date she was kept out of service from 02.07.2008 till she joins in the directorate shall be decided after due enquiry made at the level of Directorate”. ଅତଏବ ସରକାର ସିଦ୍ଧାନ୍ତ କରିସାରିଥିଲେ ଯେ, ଶ୍ରୀମତୀ ଷଡଙ୍ଗୀ ଏହି ସମୟରେ କାମ କରିନଥିଲେ, ଯେହେତୁ ତାଙ୍କୁ କାମ କରିବାକୁ ଦିଆ ହୋଇନଥିଲା । ନିୟମ ହେଲା, ଯାହାକୁ କାମ କରିବାକୁ ଦିଆହୋଇନଥିବ, ସେହି ନିକମା ସମୟ (period of enforced idleness ) ତାର ନିୟମିତ ନିଯୁକ୍ତି ସମୟ ଭାବେ ବିବେଚିତ ହେବ ଓ ସେହି ସମୟର ସମ୍ପୂର୍ଣ ବେତନ ତଥା ପଦୋନ୍ନତି ଆଦି ଫାଇଦା ତାକୁ ପ୍ରାପ୍ତ ହେବ ।

ପରମେଶ୍ଵରମ୍ ତଦନ୍ତ କରି ଦେଖିଥିଲେ ଯେ, ମାନସୀଙ୍କୁ ନିକମା କରି ରଖା ହୋଇନଥିଲା; ସେ ତାଙ୍କ ନିଜ ସୌଖୀନପାଇଁ ଅସୁସ୍ଥତା ବାହାନାରେ ୧୦ ବର୍ଷ କାଳ ଅନୁପସ୍ଥିତ ଥାଇ ଛାତ୍ରଛାତ୍ରୀମାନଙ୍କ ଶିକ୍ଷାବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଥିଲେ । ତହିଁ ଉପରେ ସାନି ତଦନ୍ତ ପାଇଁ ଆଦେଶ ଦେଇ ସରକାର ଜଣାଇଦେଇଥିଲେ ଯେ, ତାଙ୍କୁ ନିକମା କରି ରଖାହୋଇଥିଲା ବୋଲି ସରକାର କହିଥିବା କଥାକୁ ଠିକ୍ ବୋଲି କହି ନିକମା ରଖା ହୋଇଥିବାରୁ ମାନସୀଙ୍କ ଚାକିରିକ୍ରମ ଓ ବେତନ ନିୟମତଃ ଅକ୍ଷୁର୍ଣ ରଖିବାକୁ ନୂଆ ନିର୍ଦ୍ଦେଶକ ସୁପାରିଶ କରିବେ ।

ମାତ୍ର ଭିତିରି ସତ୍ୟ ଜାଣିସାରିବା ପରେ ନୂଆ ନିର୍ଦ୍ଦେଶକ ଶ୍ରୀ ରାଉତ ମଧ୍ୟ ୧୪.୩.୨୦୧୯ ତାରିଖରେ ଉପନିର୍ଦ୍ଦେଶକଙ୍କ ଉପରୋକ୍ତ ଟିପ୍ପଣୀ ସତ୍ତ୍ୱେ ଶ୍ରୀ ପରମେଶ୍ଵରମ୍ ଦେଇଥିବା ଅଭିମତର ସାନି ପରୀକ୍ଷା କଲେ ନାହିଁ । ଫଳରେ ମାତ୍ର ଦୁଇ ମାସଠି ନିର୍ଦ୍ଦେଶକ ପଦରୁ ତାଙ୍କୁ ବାହାର କରାଯାଇ ୧୭.୪.୨୦୧୯ ତାରିଖରେ ଯାମିନୀ ଷଡଙ୍ଗୀଙ୍କୁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ କରାଗଲା ।

ଯାମିନୀ ଷଡଙ୍ଗୀ

ଦାୟିତ୍ଵ ଗ୍ରହଣ କଲା ପରେ ଯାମିନୀ ଷଡଙ୍ଗୀ ଯେତେବେଳେ ନଥି ଅନୁଧ୍ୟାନ କଲେ, ତଟସ୍ଥ ହୋଇଗଲେ । ସେ ଦେଖିଲେ ବ୍ୟକ୍ତିଗତ ପରିସ୍ଥିତି ଓ ଅସୁସ୍ଥତା ତାଙ୍କ ଅନୁପସ୍ଥିତିର କାରଣ ବୋଲି ଦର୍ଶାଇଥିବା ମାନସୀ ଷଡଙ୍ଗୀଙ୍କୁ ନିକମା କରି ରଖା ହୋଇଥିଲା ବୋଲି ସ୍ଥିରୀକୃତ ସରକାରୀ ସିଦ୍ଧାନ୍ତ ବାସ୍ତବତଃ ସମର୍ଥନଯୋଗ୍ୟ ନୁହେଁ । ତେଣୁ ସେ ସରକାରଙ୍କ ୧.୩.୨୦୧୯ ତାରିଖର ଅଯୌକ୍ତିକ, ଅଭିସନ୍ଧିମୂଳକ ଓ ବେଆଇନ ଆଦେଶକୁ କୌଣସି ଗୁରୁତ୍ଵ ଦେଲେନାହିଁ । ଫଳରେ ତାଙ୍କୁ ବି ଦାୟିତ୍ଵ ନେବାର ଦୁଇ ମାସଠି ବିଦା କରାଗଲା ଓ ମୁଖ୍ୟମନ୍ତ୍ରୀଙ୍କ ବିଶ୍ଵସ୍ତ ତଥା ପ୍ରଦ୍ୟୁମ୍ନ ଶତପଥୀଙ୍କ ଖାସ୍ ବନ୍ଧୁ ନିରଞ୍ଜନ ସାହୁଙ୍କୁ ୨୧.୬.୨୦୧୯ ତାରିଖରେ ନିର୍ଦ୍ଦେଶକ କରାଗଲା ।

ନିରଞ୍ଜନ ସାହୁ

ନଥିଟି ଅନୁଧ୍ୟାନ କରି ନିରଞ୍ଜନ ଭୀଷଣ ଧର୍ମ ସଙ୍କଟରେ ପଡ଼ିଥିଲେ, କାରଣ ନିଜର ବନ୍ଧୁପତ୍ନୀଙ୍କୁ ପରମେଶ୍ଵରମ୍ ବାବୁଙ୍କ ତଦନ୍ତ ରିପୋର୍ଟ କବଳରୁ ମୁକ୍ତ କରିବା ପାଇଁ ତାଙ୍କୁ ଘୋର ପ୍ରଶାସନିକ ଅସଙ୍ଗତି ଆଚରଣ କରିବାକୁ ପଡ଼ିଥାନ୍ତା ଓ ଆଇନ ଆଖିରେ ସେ ବି ଉତ୍ତରଦାୟୀ ହୋଇପଡ଼ିଥାନ୍ତେ । ତେଣୁ, ସେ କିଂକର୍ତ୍ତବ୍ୟବିମୁଢ ହୋଇପଡ଼ିଥିଲେ, ଯେତେବେଳେ ୨୨.୭.୨୦୧୯ ତାରିଖରେ ମୁଁ ଏହି ସାଂଘାତିକ ପ୍ରଶାସନିକ ଦୁରାଚାର ଉପରେ ରାଜ୍ୟପାଳଙ୍କୁ ଦେଇଥିବା ଚିଠିର ନକଲ ତାଙ୍କ ପାଖରେ ପହଞ୍ଚିଲା ।

ଏହି ଚିଠିରେ ମୁଁ ସ୍ପଷ୍ଟ ଲେଖିଥିଲି, “(Sri Niranjan Sahu) personal friend of the said Pradyumna Satpathy, placed as Director of Higher Education by way of stage-management to build up the regularization of all the irregularities sic passim her service records, be debarred from conducting the contemplated investigation.” ।

ଏହି ସ୍ପଷ୍ଟ ଅଭିଯୋଗ ତାଙ୍କୁ ସରକାରଙ୍କ କଥାରେ ଭୁଲ ନାଚ ନାଚିବାରୁ ଅବଶ୍ୟ ରକ୍ଷାକରିଦେଇଥିଲା, କାରଣ ଏହା ପାଇ ସାରିବା ପରେ ନୈତିକତଃ ସେ ଆଉ ତଦନ୍ତ କରିପାରି ନଥାନ୍ତେ ।

ମୁଖ୍ୟମନ୍ତ୍ରୀ ନିଜେ ହିଁ ଖଳନାୟକ

କିନ୍ତୁ ଓଡ଼ିଶାର ପ୍ରଶାସନିକ ଇତିହାସରେ ପ୍ରଥମ ଥର ପାଇଁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ପରି ଗୋଟିଏ ପଦବୀରେ ମାତ୍ର ୪ ମାସ ୬ ଦିନରେ ୪ ଜଣ ଆଇ.ଏ .ଏସ୍. ଅଫିସରଙ୍କର ଏହି ଯେଉଁ ବିତାଡ଼ନ ମୁତୟନ ଘଟିଲା, ତାହା ମୂଳରେ ଥିଲେ ନିଜେ ମୁଖ୍ୟମନ୍ତ୍ରୀ, ଯେ କି ଭାଷା ଆନ୍ଦୋଳନକୁ ଭାଙ୍ଗିବା ସର୍ତ୍ତରେ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ସୁପାରି ଆକାରରେ ଦେଇଥିଲେ ତାଙ୍କ ପତ୍ନୀ ମାନସୀ ଷଡଙ୍ଗୀଙ୍କ ଚାକିରି ଏବଂ ଯେତେ ଅବୈଧ ହେଲେ ମଧ୍ୟ ତାଙ୍କ ୧୦ ବର୍ଷର ଅନଧିକୃତ ଅନୁପସ୍ଥିତିକୁ ନିୟମିତ କରି ସେହି ସମୟର ସମସ୍ତ ବେତନ ଓ ପଦୋନ୍ନତିକରଣ ସହ ତାଙ୍କୁ ପଦାସୀନ କରାଇବାକୁ ପ୍ରଶାସନକୁ ବାଧ୍ୟ କରିଥିଲେ । ଉଲ୍ଲେଖ ନିଷ୍ପ୍ରୟୋଜନ ଯେ, ମୁଖ୍ୟମନ୍ତ୍ରୀଙ୍କ ସ୍ଵୀକୃତି ଓ ସ୍ଵାକ୍ଷର ବିନା କୌଣସି ଆଇ.ଏ .ଏସ୍. ଅଫିସରଙ୍କର କୌଣସି ପଦବୀରୁ ବଦଳି ବା କୌଣସି ପଦବୀରେ ସଂସ୍ଥାପନ ହୋଇପାରିବନାହିଁ । ଏଥିରେ ତ ପୁଣି ତାଙ୍କ ନିଜ ଦପ୍ତର (Chief Minister’s Office)ର ଅତିରିକ୍ତ ସଚିବଙ୍କ ବଦଳି ନିହିତ, ଯାହା ମୁଖ୍ୟମନ୍ତ୍ରୀଙ୍କ ଭିନ୍ନ ଆଉ କେହି ପ୍ରସ୍ତାବ କରିବାକୁ ବି ସାହସ କରନ୍ତେ ନାହିଁ । ଅତଏବ , ମାନସୀ ଷଡଙ୍ଗୀଙ୍କ ସପକ୍ଷରେ ନଥିଗତ ସ୍ଥିତି ସୁଧାରିବା ପାଇଁ ମାତ୍ର ୪ ମାସ ୬ ଦିନରେ ଚାରି ଚାରି ଜଣ ଆଇ.ଏ .ଏସ୍. ଅଫିସରଙ୍କ ପଦାସୀନତାରେ ଯେଉଁ ଅବାଞ୍ଛିତ ହସ୍ତକ୍ଷେପ ହେଲା , ତହିଁ ଉହାଡ଼ର ଅସଲ ଖଳନାୟକ ନିଜେ ହିଁ ମୁଖ୍ୟମନ୍ତ୍ରୀ ଏବଂ ଏହି ଖଳନାୟକତ୍ଵ କେବଳ ଗୋଟି ଉଦ୍ଦେଶ୍ୟରେ ନିୟୋଜିତ, ଯାହା ହେଲା – ଓଡ଼ିଆରେ ଓଡ଼ିଶାର ପରିଚାଳନା ନ କରାଇଦେବାପାଇଁ ଭାଷା ଆନ୍ଦୋଳନର ଶକ୍ତି ସଂହାର । ଏହା ହିଁ ଓଡ଼ିଶାର ଚରମ ଦୁର୍ଭାଗ୍ୟ । (କ୍ରମଶଃ)

Comments

2 Comments

Post a comment
  1. Dr. Asoka Misra #
    December 12, 2019

    The last strand of thread hanging from the Healthy Body of the CM has slipped & now on the Ground after the Last Paragraph of the Article.

    What ” …. SAFEI .. ” will the readers Expect After THIS ??? ?? ?

    • admin #
      December 13, 2019

      ସ୍ପଷ୍ଟ ଅଭିମତ ପାଇଁ ଅଶେଷ ଧନ୍ୟବାଦ ।

Leave a Reply

Basic HTML is allowed. Your email address will not be published.

Subscribe to this comment feed via RSS

This site uses Akismet to reduce spam. Learn how your comment data is processed.