ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଘୁମୁସରରୁ ଆରମ୍ଭ ହୋଇ ଭାଷା ଜାତୀୟତାର ସ୍ରୋତ ସମଗ୍ର ଗଞ୍ଜାମରେ ବ୍ୟାପିଗଲା ଓ ଏହା ଏପରି ରୂପ ଧାରଣ କଲା ଯେ, ମାନ୍ଦ୍ରାଜ ସରକାର ୧ ଅଗଷ୍ଟ ୧୮୯୦ ତାରିଖରେ ବାଧ୍ୟ ହୋଇ ଘୋଷଣା କଲେ କି , ଘୁମୁସରରେ ଥିବା ସମସ୍ତ ସରକାରୀ ଅଫିସ ତଥା ଅଦାଲତମାନଙ୍କରେ କେବଳ ଓଡ଼ିଆ ଭାଷାରେ ହିଁ କାମ ହେବ । କିନ୍ତୁ ଅଣଓଡିଆଙ୍କ ଚକ୍ରାନ୍ତ ହେତୁ ଏହି ଏକା ଆଦେଶରେ ପୁନଶ୍ଚ କୁହାହେଲା , ଘୁମୁସର ଭିନ୍ନ ଗଂଜାମ ଜିଲ୍ଲାର ଅନ୍ୟତ୍ର ଓଡ଼ିଆ ସାଙ୍ଗକୁ ତେଲୁଗୁ ବି ଚାଲିବ । ଫଳରେ ଯାହା ହେଲା ତାର ପ୍ରତିଛବି ଆମେ ‘ଗ’ ଚିହ୍ନିତ ଦସ୍ତାବିଜରେ ଦେଖୁଁ । ନିଜ ଭାଷା ପାଇଁ ଗଂଜାମ ଜିଲ୍ଲା ସଂଘର୍ଷ ରତ ଥିବା ବେଳେ ୩୦ ଜାନୁଆରୀ ୧୮୯୫ ତାରିଖର ମଧ୍ୟପ୍ରଦେଶ ଗେଜେଟରେ ସେଠିକା ସରକାର ସମ୍ବଲପୁର ମୂଲକରେ ୧୮୯୬ ଜାନୁଆରୀ ପହିଲାରୁ ଓଡ଼ିଆ ପରିବର୍ତ୍ତେ ହିନ୍ଦୀରେ ସରକାରୀ କାମ ହେବ ବୋଲି କହିଲେ । ତା ପ୍ରଭାବରେ ମାନ୍ଦ୍ରାଜ ସରକାର ଗଞ୍ଜାମରେ ପ୍ରବର୍ତ୍ତନ କଲେ ସମ୍ପୁର୍ଣ୍ଣ ତେଲୁଗୁ ଯାହାର ପ୍ରତିଛବି ଆମେ ‘କ’ ଚିହ୍ନିତ ଦସ୍ତାବିଜରେ ଦେଖୁଁ । ସମ୍ବଲପୁର ମାତିଉଠିଲା ନିଜ ମାତୃଭାଷା ଓଡ଼ିଆକୁ ରାଜଭାଷା ଭାବେ ପୁନଃ ପ୍ରତିଷ୍ଠା କରିବା ପାଇଁ ।
ପୁଣ୍ୟଶ୍ଳୋକ ଦାମୋଦର ପଟ୍ଟନାୟକ ଥିଲେ ତାଳଚେର ରାଜ୍ୟର ପରିଚାଳକ (Manager) ସେଠିକା ରାଜା ନାବାଳକ ଥିବା ହେତୁ । ସମ୍ବଲପୁରରେ ହିନ୍ଦୀ ପ୍ରଚଳନକୁ ବିରୋଧ କରି ଯେଉଁ ଆନ୍ଦୋଳନ ଚାଲିଥିଲା ସେ ତାକୁ ଆର୍ଥିକ ସାହାଯ୍ୟ କରୁଥିଲେ କେବଳ ନୁହେଁ , ସବୁ ଲୋକ ଗାଇ ପାରିଲା ପରି ଗୀତ ଲେଖି ମାତୃଭାଷା ଓଡ଼ିଆ ପାଇଁ ଜୀବନପଣକରି ଲାଗିବାକୁ ଲୋକଙ୍କୁ ପ୍ରଚୋଦିତ କରୁଥିଲେ । ‘ଉତ୍କଳଦୀପିକା’ରୁ ଉଦ୍ଧାର କରି ‘ସମ୍ବଲପୁର ହିତୈଷୀଣି’ ତାଙ୍କର ଏପରି ଏକ ଗୀତ ୮ ଏପ୍ରିଲ ୧୮୯୬ରେ ପ୍ରକାଶ କରିଥିଲା ଯାହା ସମଗ୍ର ପଶ୍ଚିମ ଓଡ଼ିଶାରେ ଓଡ଼ିଆ ଭାଷା ପୁନଃ ପ୍ରଚଳନ ପାଇଁ ଚାଲିଥିବା ଆନ୍ଦୋଳନକୁ ଲେଲିହାନ କରିଥିଲା । ‘ଭୈରବୀ ରାଗ , ଆଦି ତାଳ’ରେ ଗେୟ ଏହି ମହାନ ବୈପ୍ଲବିକ ଗୀତରୁ ମୁଁ ଶେଷ ପଦ ଦୁଇଟିକୁ ଏଠାରେ ଉଦ୍ଧାର କରୁଛି :
“ଯାଉ ଏ ଜୀବନ ଧନ ହୁଅ ଏକ ପ୍ରାଣ ମନ
ହେଉ ଶରୀର ପତନ ରଖ ଏବେ ପଣ
ସର୍ବେ ରଖ ଏବେ ପଣ ।।
ଜନନୀ ରସନା ହିନ୍ଦୀ କାଟଇ ଜାତିକି ନିନ୍ଦି
ଉଠରେ ଉତ୍କଳ ଭାଇ ଘେନ ନିବେଦନ
ଭାଇ ସହେ କି ଜୀବନ?”
ସମ୍ବଲପୁର ଜିଲ୍ଲାରୁ ଉତ୍କଳ ଭାଷା ଉଠିଯାଇ ହିନ୍ଦୀଭାଷା ପ୍ରଚଳିତ ହେବା ସମ୍ବାଦରେ ଉତ୍କଳ ଭାରତୀଙ୍କ କ୍ଷୋଭ ଶୀର୍ଷକ ଏକ କବିତା ପ୍ରକାଶ ପାଇଥିଲା ସମ୍ବଲପୁର ହିତୈଷୀଣୀର ଭାଗ ୬, ସଂଖ୍ୟା ୩୬ରେ । ତହିଁରୁ ପଦେ –
“ସମ୍ବଲପୁରର ଅଧିବାସୀମାନେ
ଉତ୍କଳ ଚିର ସନ୍ତାନ
ହିନ୍ଦୀ ଆଧିପତ୍ୟ ହୋଇବ ସେଠାରେ
ଶୁଣି ସର୍ବେ ହତ ଜ୍ଞାନ ।”
ଓଡ଼ିଆ ଭାଷା ଜାତୀୟତାର ଶ୍ରେଷ୍ଠ ସାରସ୍ୱତ ସେନାପତି ସ୍ଵଭାଵକବି ଗଙ୍ଗାଧର ମେହେର ‘ଉତ୍କଳ ଭାରତୀଙ୍କ ନିବେଦନ’ ଶିର୍ଷକ କବିତାରେ କାଳେ ବିଲାତ ସରକାର ରାଗିବେ ଏହି ଭୟରେ ଓଡ଼ିଆ ଭାଷା ଆନ୍ଦୋଳନଠୁ ଦୁରେଇ ରହିଥିବା ସମ୍ବଲପୁର ଅଂଚଳର ରାଜାମହାରାଜାମାନଙ୍କୁ ତୀବ୍ର ଆକ୍ରମଣ କରିଥିଲେ । ଏପରିକି ନିଜ ଇଲାକାର ରାଜାଙ୍କୁ ସେ ଆକ୍ଷେପ କରି କହିଥିଲେ :
“ବରପଲ୍ଲୀପତି ଜାଣଇଁ ମୁହିଁ ତୁମ୍ଭର ମନ ।
ମୋହ ଲାଗି କହି ପାରିବ ପଦେ ଅଧେ ବଚନ?
ହରିହର ସିଂହ ତୁମ୍ଭେ ତ କିଛି କହିବ ନାହିଁ
କହିଲେ ଅବା ଉପାଧିଟି ରାଜେ ନେବେ ଛଡ଼ାଇ!” (କ୍ରମଶଃ)