ମଧୁବାବୁଙ୍କ ଜନ୍ମପୀଠରୁ ରାଜଧାନୀ ଯାଏଁ ମାଡ଼ିଆସିଲା କଳାପତାକା : ଫସରଫାଟିଗଲା ମୁଖ୍ୟମନ୍ତ୍ରୀଙ୍କ ଫନ୍ଦି

ଭୁବନେଶ୍ୱର, ୧୭-୮-୨୦୧୮
(ବିଶେଷ ସଂବାଦଦାତା)

Posted by Ranjan Kumar Das on Thursday, August 16, 2018

“ମା” ପାଇଁ ଲଢ଼େଇରେ ସନ୍ତାନ କେବେ ହାରିବ ନାହିଁ ! ଏହା ଆଜି ଜଣାଇ ଦେଇଛନ୍ତି କେନ୍ଦ୍ରାପଡ଼ାର ସୂଚନା ଅଧିକାର କର୍ମୀ ଭାଷାପ୍ରାଣ ରଂଜନ କୁମାର ଦାସ ଓ ତାଙ୍କ ସାଥୀ ସର୍ବଶ୍ରୀ ଆଳୟ ସାମନ୍ତରାୟ, ଜିତେନ୍ଦ୍ର କୁମାର ସାହୁ , ନରେଶ ବେଉରା, ନବକିଶୋର ଦାସ, ଆଶିଷ ଖଟୁଆ, ସୂର୍ଯ୍ୟପ୍ରକାଶ ପାଣି ଓ ପ୍ରତାପ ମହାନ୍ତି । ଭାଷା ଆନ୍ଦୋଳନକୁ ଭାଙ୍ଗି ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ  ଷଡ଼ଯନ୍ତ୍ର ଫସରଫାଟିଯାଇଛି ।

ଏହି ଷଡ଼ଯନ୍ତ୍ର କବଳରୁ ଭାଷା ଜନନୀଙ୍କୁ ରକ୍ଷା କରିବା ପାଇଁ ଭୂବନେଶ୍ୱରରେ ଚାଲିଥିବା ଭାଷା ଆନ୍ଦୋଳନର “କଳା ପତକା ଅଭିଯାନ” ରେ ଯୋଗ ଦେବାପାଇଁ, କାଲିଠୁ (୧୬. ୮. ୨୦୧୮) ରଂଜନଙ୍କ ନେତୃତ୍ୱରେ ଭାଷାମଗ୍ନ ଏକ ୬ ଜଣିଆ (ପରେ କଟକରୁ ୨ଜଣ ସାମିଲ ହୋଇଛନ୍ତି, ମୋଟ ୮ ଜଣ) ଭାଷାପ୍ରାଣ ଦଳ କୁଳଗୌରବ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରୁ ଓଡ଼ିଆ ଭାଷାଜନନୀଙ୍କ ବିଜୟ ପତାକା “କଳାପତାକା” ଓ ଦାବୀ ଫଳକ ହାତରେ ଧରି ଚାଲି ଚାଲି ଆସି ଆଜି (ତା.୧୭/୮/୨୦୧୮) ଅପରାହ୍ନ ୫ଟାରେ ଭୂବନେଶ୍ୱରରେ ବିଧାନସଭା ସମ୍ମୁଖସ୍ଥ ପୁଣ୍ୟଶ୍ଳୋକ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ସାମ୍ମୁକରେ ପହଁଚିଥିଲେ ।

ସେଠାରେ ଭାଷା ଆନ୍ଦୋଳନ ପକ୍ଷରୁ ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପଟ୍ଟନାୟକ, ତାଙ୍କର ଘନିଷ୍ଠ ସହଯୋଗୀ ପ୍ରଫେସର ଡ଼. କୁଳମଣି ନାୟକ, ବୈଞ୍ଜାନିକ ଡ଼ ଅଶୋକ ମିଶ୍ର, ସଂଜୀବ ପତ୍ରୀ, ପ୍ରମୋଦ ଦେବ, କମଳ ଲୋଚନ ନାୟକ, ଆନନ୍ଦ ମହାପାତ୍ର, ବିପ୍ଲବୀ ତପନ ପାଢ଼ୀ, ଆଡ଼ଭୋକେଟ ଧ୍ରୁବ ଚରଣ ମହାନ୍ତି, ନନ୍ଦିନୀ ଶତପଥୀ ,ପ୍ରଦ୍ୟୋତ କୁମାର ବିଶୋୟୀ ଓ ବୀରକିଶୋର ବେହେରା ପ୍ରମୁଖ ପଦଯାତ୍ରୀ ଭାଷାଯୋଦ୍ଧାମାନଙ୍କୁ ଫୁଲମାଳ ପିନ୍ଧାଇ ସ୍ୱାଗତ କରିଥିଲେ ।

ଅଭିଯାତ୍ରୀମାନେ ବରିଷ୍ଠ ସଂଚାଳକମାନଙ୍କଠାରୁ କଳାପତାକା ଓ ଦାବିଫଳକ ପୁନଃ ଧାରଣ କରି ଆଗେଇଥିଲେ ରାଜଭବନ ସମ୍ମୁଖସ୍ଥ ମଧୁବାବୁଙ୍କ ବିଜେସ୍ଥଳୀ ପର୍ଯ୍ୟନ୍ତ ପ୍ରଚଳିତ ଧାରାରେ । ଏହାର ଅଗ୍ରଭାଗରେ ଥିଲେ ସଂଘମିତ୍ରା ଜେନା ।

ମଧୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଅଭିଯାତ୍ରୀ ମାନକୁ ସ୍ୱାଗତ ଓ ସହଯୋଗ କରିଥିଲେ-ସୂଚନା ଅଧିକାର ଅଭିଯାନର ମୁଖ୍ୟ  ପ୍ରଦୀପ ପ୍ରଧାନ, ସମାଜସେବୀ ଅଶୋକ କୁମାର ଦାସ, ଛତ୍ରପୁର ଭାଷା ଆନ୍ଦୋଳନର କର୍ଣ୍ଣଧାର ସୌମ୍ୟ ରଞ୍ଜନ ନାୟକ, ମାନସ ପଟ୍ଟନାୟକ, ସରୋଜ କୁମାର ମହାପାତ୍ର, ଆଶିଷ କୁମାର ଦାଶ, ରିଂକନ୍ ନାରାୟଣନ୍, ଅମିତ ଅଭିଜିତ ସାମଲ, ଅଭିଷେକ ଦାଶ, ଦିବ୍ୟଜ୍ୟୋତି ଜେନା, ବିଶ୍ୱରଂଜନ ସାହୁ, ହୃଷିକେଶ ଷଡ଼ଙ୍ଗୀ, ପ୍ରସନ୍ନ କୁମାର ପ୍ରଧାନ ଓ ଶିଶିର କୁମାର ସାହୁ ପ୍ରମୁଖ ।


ଯେଉଁଯାଏଁ ଓଡ଼ିଆ ଭାଷାରେ ସେବା ନ ଦେବା କର୍ମଚାରୀଙ୍କୁ ଦଣ୍ଡବିଧାନ ପାଇଁ ଓଡିଶା ସରକାରୀ ଭାଷା ଆଇନର ନିର୍ଭୁଲ ସଂଶୋଧନ ନ ହୋଇଛି ସେ ଯାଏଁ ଏ ଅଭିଯାନ ଚାଲିବ ବୋଲି ସେମାନେ ଶପଥ ନବୀକୃତ କରିଥିଲେ ।

ଭାଷା ଆନ୍ଦୋଳନର ଛତ୍ରପୁର ଶାଖାର ଆବାହକ ଓ ଯୁବବାଗ୍ମୀ ସୌମ୍ୟରଂଜନ ନାୟକ ସାମାଜିକ ଗଣମାଧ୍ୟମରେ ସମଗ୍ର ପଦଯାତ୍ରାର ଜୀବନ୍ତ ପରିବେଷଣ କରିଥିଲେ ।

Posted by Soumya Ranjan Nayak Iimc on Friday, August 17, 2018

ଭାଷା ଆନ୍ଦୋଳନର ଭିତ୍ତି କ’ଣ ?

ଭାଷା ଆନ୍ଦୋଳନର ଭିତ୍ତି କ’ଣ ? କେଉଁ ପ୍ରସ୍ତାବ ସପକ୍ଷରେ ଭାଷା ଆନ୍ଦୋଳନ ଆରମ୍ଭ ହୋଇଥିଲା ?
ଆମେ ସମସ୍ତେ ଜାଣିବା ଉଚିତ ।

>Orissa Official Language Act has no Drive // Amendment along with Rules Suggested

Posted on September 4, 2015 by Subhas Chandra Pattanayak

As per decision in the Joint Action Committee, i.e. the Ministerial Committee on the implementation of Orissa Official language Act, 1954, linguist Dr.Debi Prasanna Pattanayak is to draft a Language Policy to be placed before it in its next meeting.

But I feel, unless there is a specific set of Rules to drive the Official Language Act ahead,with provisions of punishment against whosoever disobeys the Act, it may stay defunct as it has, since 1954. Because of this lacuna, former Chief Minister Mr. J. B. Patnaik, despite all his sincere attempts, could not implement it.

There are intermittent circulars from various departments for use of Oriya in official works and correspondences, but they have not been honored, simply because, in absence of the Rules, the Act has failed to propel itself.

Therefore, I have advanced a draft of the Rules for consideration in the Committee. Problem is: the Act has no provision for the creation of the Rules. Hence, necessary amendment to the Act is also suggested.

On the other hand, we need Oriya to be used in private, State-based foreign industries, trade and commerce outfits, corporate houses, public sector undertakings, cooperatives, and all autonomous organizations in Orissa. But, these bodies are not “official” in status.

Therefore, the word “Official” in the original Act needs to be replaced with a word that would encompass all such non-official organizations, in order to ensure that the purpose of the Act is not defeated. Hence, I have suggested that the name of the Act be changed into Odisha Public Language Act,1954.

Here are the suggested amendments to the Act and the Draft of the Rules, which, if accepted, will drive the Act effectively ahead.

I have submitted the same to Hon’ble Minister Debi Prasad Mishra, Chairman of the Committee yesterday as per Resolution No.3 of its meeting dated August 1, 2015. Here below is the draft:

ନିମ୍ନସ୍ଥ ସଂଯୋଗ ସରଣୀରେ ଚାପ ଦେଇ ଆପଣ ଉପରୋକ୍ତ ଉପସ୍ଥାପନାର ମୂଳ ସ୍ବରୂପ ଅନୁଧ୍ୟାନ କରିପାରିବେ ।

https://orissamatters.wordpress.com/2015/09/04/orissa-official-language-act-has-no-drive-amendment-along-with-rules-suggested

ଭାଷା ଆନ୍ଦୋଳନ , ତାର କଳାପତାକା ଅଭିଯାନ, ଆରମ୍ଭ ଓ ଅଗ୍ରଗତି (୧)

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ସାମାଜିକ ଗଣମାଧ୍ୟମ ‘ଫେସ ବୁକ’ ପୃଷ୍ଠାରେ ଯେଉଁ ଭାଷା ଆନ୍ଦୋଳନର ଚର୍ଚ୍ଚା ଏବେ ଏତେ ବ୍ୟାପକଭାବେ ଚାଲିଛି ସେହି ଭାଷା ଆନ୍ଦୋଳନକୁ ଏହି ଏକ ଗଣମାଧ୍ୟମରେ ମୁଁ ଆରମ୍ଭ କରିଥିଲି ୨୦୧୬ ଏପ୍ରିଲ ପହିଲାରେ ।

ଏ ବିଷୟରେ ସବିଶେଷ ଆଲୋଚନା ସମୟକ୍ରମେ ହେବ । କିନ୍ତୁ ଏଥିପାଇଁ ମୁଁ ବପନ କରିଥିବା ବୀଜ କିପରି ଥିଲା ତାହା ସେଦିନର ମୋ ଉପସ୍ଥାପନାର ଫଟୋଚିତ୍ରରୁ ଦେଖାଯାଉ ।

ସୌଭାଷ୍ୟ.କମ୍ ପୃଷ୍ଠାରୁ “ବନ୍ଦେ ଉତ୍କଳ ଜନନୀ : ଏକ ପ୍ରଶ୍ନ ଓ ପ୍ରାସଙ୍ଗିକତା”

ଓଡ଼ିଶାର ବନ୍ଦନା କି ଉତ୍କଳର ବନ୍ଦନା – ଏକୁ ନେଇ ଏବେ ଯେଉଁ ତର୍କବିତର୍କ ଚାଲିଛି ତାହା ଇତିହାସ ପୃଷ୍ଠାରେ ଆସ୍ଥାନ ଦାବି କଲାଣି । ଓଡ଼ିଆ ଜାତି ପାଇଁ ଓଡ଼ିଆ ହିଁ କାହିଁକି ପ୍ରାଥମିକ ତାହା ମୁଁ ଏହି ମଞ୍ଚରେ ଲେଖିଥିଲି । ବିତର୍କ ଅଧିକ ତୀବ୍ର ହୋଇଛି । ଛଅ ବର୍ଷ ତଳେ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ‘ବନ୍ଦେ ଉତ୍କଳ ଜନନୀ’ ଗୀତରେ ଉଡ୍ର ଓ କଳିଙ୍ଗ ଆଦି ଉଲ୍ଲେଖ ନ ଥିବାରୁ ଯେଉଁ ଆଲୋଚନା ଚାଲିଥିଲା , ତହିଁ ଉପରେ ପ୍ରତିକ୍ରିୟା ରଖି ମୁଁ ସୌଭାଷ୍ୟ.କମ୍ ପୃଷ୍ଠାରେ ଯାହା ଲେଖିଥିଲି, ତାହାକୁ ଏଠାରେ ଉପସ୍ଥାପିତ କରୁଛି ; କାରଣ ଗୀତଟିକୁ ରାଜ୍ୟ ସଂଗୀତ କରିବାକୁ କେଉଁ କାରଣ ହେତୁ ଆମେ ସକ୍ଷମ ହୋଇନାହୁଁ ତାହା ଯେହେତୁ ମୁଁ ଚର୍ଚ୍ଚା କରିବାକୁ ମନସ୍ଥ କରିଛି, ଉତ୍କଳ ସମ୍ପର୍କରେ ମୋର ଆଲୋଚନା ଉପରେ ପୁନରାବଲୋକନ ବାଞ୍ଛନୀୟ । ତାହା ଥିଲା ଏହିପରି:

ବନ୍ଦେ ଉତ୍କଳ ଜନନୀ : ଏକ ପ୍ରଶ୍ନ ଓ ପ୍ରାସଙ୍ଗିକତା
by Subhas Chandra Pattanayak

ବିଦେଶବାସୀ ଓଡ଼ିଆମାନଙ୍କ ମଧ୍ୟରେ ସୁବିଦିତ , ମାତୃଭୂମିବତ୍ସଳ ପ୍ରଫେସର ଦେବସ୍ମିତ ମିଶ୍ର ଏକ ମହାଶୂନ୍ୟୀୟ ସାମାଜିକ ସମ୍ପର୍କ ମଞ୍ଚରେ ସ୍ବଗତୋକ୍ତି ଛଳରେ ଓଡ଼ିଶାର ନିଜସ୍ବ ଜାତୀୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ରେ କୋଶଳ, ଉଡ୍ର ଆଦି ଓଡ଼ିଆ ଜନନୀମାନଙ୍କ ନାମୋଲ୍ଲେଖ ନ ଥିବାରେ ବିସ୍ମୟ ପ୍ରକାଶ କରିଛନ୍ତି ।

ଏହି ସ୍ବଗତୋକ୍ତି ସବୁ ଓଡ଼ିଆଙ୍କ ପାଇଁ ଅତ୍ୟନ୍ତ ପ୍ରାସଙ୍ଗିକ , କାରଣ ଅନେକ ଅବଚେତନ ମନର ପ୍ରଶ୍ନ ଏଥିରେ ନିନାଦିତ । ସେହେତୁ , ତହିଁ ପ୍ରତି ଯଥା ସମ୍ଭବ ଦୃଷ୍ଟିପାତ ଆବଶ୍ୟକ।

ସାଧାରଣତଃ ଏବେ ଧରିନିଆଯାଉଛି ଯେ ଉତ୍କୃଷ୍ଟ କଳାର ଦେଶ ଉତ୍କଳ । ମାତ୍ର ଶବ୍ଦରୂପ ଦୃଷ୍ଟିରୁ , ଯେଉଁ ମାଟିର ଲୋକଙ୍କ କଳନା ଉତ୍କୃଷ୍ଟ , ସାହିତ୍ୟ ଓ ସଙ୍ଗୀତ ଉତ୍କୃଷ୍ଟ , ପ୍ରେରଣା ଉତ୍କୃଷ୍ଟ , ରକ୍ଷଣ ଶୈଳୀ ଉତ୍କୃଷ୍ଟ , ସେ ମାଟି ହେଲା ‘ଉତ୍କଳ’ (ଉତ୍ = ଉତ୍କୃଷ୍ଟ +କଳ = କଳନା କରିବା, ଶବ୍ଦ କରିବା, ପ୍ରେରଣ କରିବା, ରକ୍ଷଣ କରିବା) । ଅତୀତ ଓଡ଼ିଶାର ଇତିହାସ ଏହି ସମସ୍ତ ବିଭବରେ ଭରପୁର । ଅଧିକନ୍ତୁ , ଗମନ କରିବା ଅର୍ଥରେ ମଧ୍ୟ ‘ଉତ୍କଳ’ ଶବ୍ଦ ସ୍ବୀକୃତ (ଗମ୍ + ଅ ବା ଉତ୍ + କଳା + ଅ) ।

‘ଶ୍ରୀ ଜୟ ଦେବଙ୍କ ବାଇଶି ପାହାଚ’ ଗ୍ରନ୍ଥରେ ଇତିହାସର ସ୍ବୀକୃତ ତଥ୍ୟାବଳି ଆଧାରରେ ମୁଁ ଦର୍ଶାଇଛି ଯେ, ପୃଥିବୀର ବିଭିନ୍ନ ସ୍ଥାନରେ ଉପନିବେଶ ସ୍ଥାପନରେ ଭାରତୀୟମାନଙ୍କ ଭିତରେ ଓଡ଼ିଆମାନେ ହିଁ ସର୍ବ ପ୍ରଥମ ଓ ସର୍ବ ପ୍ରଧାନ ଥିଲେ ଓ ବ୍ରିଟିଶ ଶାସନ କାଳରେ ବିଦେଶୀଙ୍କ ପୋଷାମନା ହୋଇପଡ଼ିଥିବା କେତେକ ଧୂର୍ତ୍ତ ପଡ଼ୋଶୀଙ୍କ ଷଡ଼ଯନ୍ତ୍ର ହେତୁ ଧ୍ବଂସ ପାଇଯିବା ପର୍ଯ୍ୟନ୍ତ ଓଡ଼ିଶାର ନୌବହର, ବିଲାତି ଶାସକମାନଙ୍କ ସ୍ବୀକାରୋକ୍ତି ଅନୁସାରେ ବି , ଭାରତରେ ସର୍ବ ଶ୍ର୍ରେଷ୍ଠ ନୌବହର ହୋଇ ରହିଥିଲା । ଓଡ଼ିଶାରୁ ଉଦ୍ଭୂତ ହୋଇ ବୌଦ୍ଧଧର୍ମ ଯେ ପୃଥିବୀର ବିଭିନ୍ନ ପ୍ରାନ୍ତକୁ ପ୍ରସରିଗଲା, ତା ମୂଳରେ ଥିଲା ତାର ଅତୂଳନୀୟ ନୌବହର ଏବଂ ବିଶ୍ବର ବିଭିନ୍ନ ସ୍ଥାନକୁ ଗମନ କରିବା ପାଇଁ ପ୍ରାଚୀନ ଓଡ଼ିଆର ଉତ୍ସୁକତା ଓ ସେହେତୁ ବିଭିନ୍ନ ସ୍ଥାନରେ ଉପନିବେଶ ସ୍ଥାପନ ଏବଂ ତହିଁରୁ ବିସ୍ତିର୍ଣ୍ଣ ଆୟ ଉପାର୍ଜନ , ଇତ୍ୟଦି ଇତ୍ୟାଦି । ଓଡ଼ିଆ ସାଧବମାନେ ଥିଲେ ବୁଦ୍ଧଙ୍କର ପ୍ରଥମ ଶିଷ୍ୟ ଓ ସେହିମାନଙ୍କ ସହାୟତାରେ ବୌଦ୍ଧଧର୍ମ ପରିବ୍ୟାପ୍ତ ହୋଇଥିଲା । ଓଡ଼ିଆ ସାଧବମାନେ ବି ଓଡ଼ିଶା ବାହାରେ ବୁଦ୍ଧଙ୍କ ତିରୋଧାନ ସ୍ଥଳରେ ପହଞ୍ଚି ତାଙ୍କର ଶେଷ ସଂସ୍କାର କରିଥିଲେ ଓ ତାଙ୍କର ଦେହାବଶେଷ , ଦାନ୍ତ ସଂଗ୍ରହ କରି ଓଡ଼ିଶା ଆଣିଥିଲେ , ଯାହା ତାଙ୍କ ଜନ୍ମସ୍ଥାନ କପିଳବାସ୍ତୁ (ବର୍ତ୍ତମାନର ଭୁବନେଶ୍ବର ନିକଟବର୍ତ୍ତୀ କପିଳେଶ୍ବର) ଠାରେ ସଂରକ୍ଷିତ ହୋଇ ପୂଜା ପାଉଥିଲା ବୋଲି ବିଶ୍ଵାସ କରାଯାଏ । ପରେ ସିଦ୍ଧାଚାର୍ଯ୍ୟ ଇନ୍ଦ୍ରଭୂତି , ବୁଦ୍ଧଙ୍କ ମରଣୋତ୍ତର କାଳରେ ପରିସୃଷ୍ଟ ‘ଶୂନ୍ୟବାଦ’ର ନିଷ୍ଫଳତା ଲକ୍ଷ୍ୟ କରି , ଅଦୃଶ୍ୟ ‘ଶୂନ୍ୟରୂପ’ରୁ ତାଙ୍କୁ ଏକ ଦୃଶ୍ୟମାନ ରୂପ ପ୍ରଦାନପାଇଁ ଉଦ୍ୟମ କରି ଯେତେବେଳେ ଗଗନୋପମ ଗୁରୁଦେବଙ୍କୁ ‘ଜଗନ୍ନାଥ’ କଲେ, ସେତେବେଳେ ବୁଦ୍ଧଙ୍କର ସେହି ଦନ୍ତ ‘ଧାତୁ’ (ମୂଳ ଭିତ୍ତି) ଭାବେ ସେହି ଜଗନ୍ନାଥଙ୍କ ଉଦରରେ ସଂସ୍ଥାପିତ ହୋଇଥିଲା । କପିଳବାସ୍ତୁରୁ ଭୁବନେଶ୍ବର ଦେଇ କୋଣାର୍କ ବାଟେ ପୁରୀ ପର୍ଯ୍ୟନ୍ତ ତଦାନୀନ୍ତନ କୂର୍ମପାଟକପୁରର ବୁଦ୍ଧାନୁଗାମୀମାନେ ଜଗନ୍ନାଥ ବୁଦ୍ଧଙ୍କ ମନ୍ଦିର ନିର୍ମାଣ କରିଥିଲେ ଓ ତାହା ହୋଇଉଠିଥିଲା ବୌଦ୍ଧଧର୍ମର ପାବନପୀଠ । ଇନ୍ଦ୍ରଭୂତିଙ୍କୁ କିପରି ଇନ୍ଦ୍ରଦ୍ୟୁମ୍ନ ଓ କୂର୍ମ ପାଟକ ପୁରର ସେହି ମନ୍ଦିରନିର୍ମାଣକାରୀମାନଙ୍କୁ ଇନ୍ଦ୍ରଦ୍ୟୁମ୍ନପୋଖରୀର କଇଁଛ ସଜାଇ ବିଭ୍ରାନ୍ତିକର କିମ୍ବଦନ୍ତୀ କବଳରେ ଓଡ଼ିଶାର ସେହି ଅନନ୍ୟ ଉଜ୍ଭଳ ଅଧ୍ୟାୟକୁ ଚାପି ଦିଆଯାଇଛି ତାହା ମୋର ପୂର୍ବ ସୂଚୀତ ପୁସ୍ତକରେ କିଛି ପରିମାଣରେ ଆଲୋଚିତ ହୋଇଛି ; ମାତ୍ର ଏବପାଇଁ ଯାହା ପ୍ରାସଙ୍ଗିକ , ତାହା ହେଲା , ଯେଉଁ ଓଡ଼ିଆ ସାଧବମାନେ ପ୍ରଥମେ ବୌଦ୍ଧଧର୍ମ ଗ୍ରହଣ କରି ତାକୁ ସଂପ୍ରସାରିତ କରିଥିଲେ ଓ ଯେଉଁ ସାଧବମାନଙ୍କ ହେତୁ ବୁଦ୍ଧଙ୍କ ଦେହାବଶେଷ ଦନ୍ତ ଓଡ଼ିଶା ଆସିପାରିଥିଲା ଓ ଜଗନ୍ନାଥ ପରିସର୍ଜନାର ମୂଳାଧାର ହୋଇଥିଲା, ସେହି ଓଡ଼ିଆ ସାଧବମାନେ ନିଜ ନିଜ କଳନାଶକ୍ତିସମ୍ପନ୍ନତା ଓ ଗମନଶୀଳତା ହେତୁ ସେପରି କରିପାରିଥିଲେ ଓ ‘ଉତ୍କଳ’ ଶବ୍ଦର ମୂଳରୂପ (ଉତ୍ + କଳ) ଓ (ଗମ୍ + ଅ ବା ଉତ୍ + କଳା + ଅ)ର ଯଥାର୍ଥତା ପ୍ରତିପାଦିତ କରିଥିଲେ ।

ଦେବସ୍ମିତଙ୍କ ଉତ୍ଥାପିତ ଅଞ୍ଚଳଗୁଡ଼ିକ ଥିଲା ସେହିମାନଙ୍କ ଆବାସସ୍ଥଳୀ ଓ ସେଥିପାଇଁ ସେମାନଙ୍କ ସାମଗ୍ରିକ ଆବାସସ୍ଥଳୀ ଉତ୍କଳ ନାମରେ ବିଦିତ ଥିଲା ।

ବୁଦ୍ଧଙ୍କର ଜନ୍ମସ୍ଥାନ ଭାବେ ଉତ୍କଳ ଥିଲା ବୈଦିକ ଧର୍ମର ପ୍ରଥମ ଓ ପ୍ରଧାନ ପ୍ରତିରୋଧକାରୀ ଅଞ୍ଚଳ । ଜନ ସମାଜର ପରିଚାଳନାପାଇଁ ଉଭୟ ଧର୍ମ ଥିଲେ ଦୁଇ ଭିନ୍ନ ଭିନ୍ନ ରାଜନୈତିକ ଆଦର୍ଶ ; ଦୁଇ ଭିନ୍ନ ଭିନ୍ନ ରାଜନୈତିକ ମଞ୍ଚ । ବୈଦିକଧର୍ମ ରାଜକୈନ୍ଦ୍ରିକ ସାମ୍ରାଜ୍ୟବାଦର ପ୍ରବର୍ତ୍ତକ ଥିଲା ବେଳେ ବୌଦ୍ଧଧର୍ମ ସଂଘୀୟ ଗଣତନ୍ତ୍ରର ପ୍ରଚୋଦକ ଥିଲା । ପ୍ରଥମଟି କର୍ତ୍ତୃବାଦକୁ ଆଧାର କରି ନିଜର ଦାର୍ଶନିକ ତତ୍ତ୍ବ ପ୍ରବର୍ତ୍ତନ କରିଥିଲା । ବ୍ରହ୍ମା ବା ଦୈବ ହିଁ ସୃଷ୍ଟି କର୍ତ୍ତା ବୋଲି ଦାବି କରି ଏହି ଦର୍ଶନ ତାଙ୍କ ଇଛାନୁସାରେ ସମାଜ ଚାଲିବାକୁ ଯେପରି ବାଧ୍ୟ ହୁଏ ତା ପାଇଁ ବ୍ୟବସ୍ଥା ଖଞ୍ଜିଥିଲା ଏବଂ ସେ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ରାଜତନ୍ତ୍ର ଓ ଜାତିତନ୍ତ୍ର ତିଆରି କରିଥିଲା ଓ ତଦ୍ଦ୍ବାରା ଶ୍ରମଶୋଷଣକାରୀ ଅର୍ଥନୀତି ପ୍ରବର୍ତ୍ତନ କରିଥିଲା । ବୌଦ୍ଧଧର୍ମ କର୍ତ୍ତୃବାଦକୁ ପ୍ରତ୍ୟାଖ୍ୟାନ କରି ଶାଂଖ୍ୟ ସୂଚିତ ‘କାରଣବାଦ’ ଉପରେ ଗୁରୁତ୍ବ ଦେଇଥିଲା । କର୍ମ କଲେ ଜଣେ ସେହି କର୍ମର କର୍ତ୍ତା ହୁଏ ; କିନ୍ତୁ ‘କାରଣ’ ନ ଥାଇ କେହି କୌଣସି କର୍ମ କରେ ନାହିଁ । ସୁତରାଂ ‘କାରଣ’ ମୁଖ୍ୟ , ‘କର୍ତ୍ତା’ ଗୌଣ — ଏହି ଯୁକ୍ତି ଉପରେ ଗଢ଼ିଉଠିଥିଲା ‘କାରଣବାଦ’ । ଏତତ୍ଦୃଷ୍ଟିରୁ , ‘କର୍ତ୍ତୃବାଦ’ ପରିସୃଷ୍ଟ ସାମାଜିକ ବୈଷମ୍ୟର ଘୋର ପ୍ରତିରୋଧକ ଥିଲା ‘କାରଣବାଦ’ ।

କୌଣସି ଅଦୃଶ୍ୟ ବ୍ରହ୍ମଲୋକ ନୁହଁ, ପରନ୍ତୁ ଦୃଶ୍ୟମାନ ପୃଥିବୀର କୋଳ ହିଁ କାରଣଭିତ୍ତିକ ସୃଷ୍ଟିର ଭଦ୍ଭବସ୍ଥଳ ବୋଲି କହି, ପୃଥିବୀର ସବୁ ସନ୍ତାନ ପରସ୍ପର ସହବନ୍ଧିତ ବୋଲି ନିର୍ଣ୍ଣୟ ଦେଇ ବୌଦ୍ଧଧର୍ମ ଆଦିମ ଅଧିବାସୀମାନଙ୍କ ଜନରାଜ୍ୟ ଅନୁକ୍ରମେ ସମାଜର ସଙ୍ଘୀୟ ପରିଚାଳନା ଚାହୁଁଥିଲା ଓ ଆଧୂନିକ ସାମ୍ୟବାଦ ପରି ଗଣତାନ୍ତିକ କୈନ୍ଦ୍ରୀକତା ଢାଞ୍ଚାରେ ବୁଦ୍ଧ ନିଜ ସଙ୍ଘ ଗଠନ କରିଥିଲେ ।

ସୃଷ୍ଟିରହସ୍ୟ ସାବ୍ୟସ୍ତିକରଣ ଉପରେ ଏହି ଦୁଇ ବ୍ୟବସ୍ଥାର ରାଜନୈତିକ ଯଥାର୍ଥତା ନିର୍ଭରଶୀଳ ଥିବା ହେତୁ, ସେଗୁଡ଼ିକ ସପକ୍ଷରେ ୟୁକ୍ତିର ପ୍ରବାହ ଭିତରେ ଦୁଇ ଭିନ୍ନ ଭିନ୍ନ ସମାଜ ଦାନା ବାନ୍ଧିଥିଲା । ସେଗୁଡ଼ିକ ହେଲା ‘ବୀଜପ୍ରଧାନ’ ସମାଜ ଓ ‘କ୍ଷେତ୍ରପ୍ରଧାନ’ ସମାଜ ।

ଭୂମି ଥିଲେ ମଧ୍ୟ ତହିଁରେ ମଞ୍ଜି ନ ପଡ଼ିଲେ ଯେପରି ଗଛ ହୁଏ ନାହିଁ , ପୁରୁଷର ବୀଯର୍୍ୟ ବିନା କୌଣସି ନାରୀ ସେପରି ଗର୍ଭବତୀ ହୁଏ ନାହିଁ ବୋଲି ଦର୍ଶାଇ ବ୍ରହ୍ମା ପୁରୁଷ ହୋଇଥିବା ହେତୁ ହିଁ ସୃଷ୍ଟିକର୍ତ୍ତା ଓ ତାଙ୍କ ପ୍ରଦତ୍ତ ବେଦ ଓ ଅଧିକାର ହିଁ ଜନସମାଜର ନିୟନ୍ତ୍ରକ ବୋଲି ଯେଉଁମାନେ ଏକମତ ଥିଲେ ସେମାନେ ଥିଲେ ‘ବୀଜପ୍ରଧାନ’ ସମାଜର ଅନ୍ତର୍ଗତ ।

ଅପରପକ୍ଷେ ପୁରୁଷର ସବୁ ବୀର୍ଯ୍ୟପାତ ସନ୍ତାନ ସମ୍ଭବାଏ ନାହିଁ କି ସବୁ ମଞ୍ଜିରୁ ଗଛ ହୁଏନାହିଁ ବୋଲି ଦର୍ଶାଇ, ମାଆ ବା ମାଟି ବା କ୍ଷେତ୍ର ନିଜେ ସୃଷ୍ଟି କରିବା ଅଭିପ୍ସାରେ ନିଜ ଇଚ୍ଛାମତେ ଚୟିତ ବୀର୍ଯ୍ୟକଣା ବା ମଞ୍ଜିକୁ ବ୍ୟବହାର କରି ନିଜସ୍ବ କୁହୁକ ବଳରେ ନିଜ ଗର୍ଭରେ ନିଜ ସୃଷ୍ଟିକୁ ରୂପ ଦିଏ ଓ ଜନ୍ମ ଦିଏ ଏବଂ ଜନ୍ମ କଲା ପରେ ଖାଦ୍ୟଦେଇ ତାକୁ ବିକଶିତ ଓ ପୂର୍ଣ୍ଣାଙ୍ଗ କରେ ବୋଲି କହି ଯେଉଁମାନେ ‘କ୍ଷେତ୍ର’କୁ ପ୍ରାଥମିକତା ଦେଉଥିଲେ , ସେମାନେ ଥିଲେ ‘କ୍ଷେତ୍ରପ୍ରଧାନ’ସମାଜର ଅନ୍ତର୍ଗତ ।

ଏହି ଉଭୟ ସମାଜ ଭିତରେ ପ୍ରବଳ ପ୍ରତିଦ୍ବନ୍ଦିତା ଚାଲିଥିଲା ଏବଂ ୟୁକ୍ତିଦୁର୍ବଳ ବୀଜପ୍ରାଧାନ୍ୟବାଦୀମାନେ ବାହୁବଳ ଓ ଅସ୍ତ୍ରବଳରେ ନିଜର ସାମ୍ରାଜ୍ୟ ବିସ୍ତାର କରିବାକୁ ବ୍ୟଗ୍ର ଥିବାରୁ ବ୍ୟାପକ ରକ୍ତପାତ ବି ଘଟୁଥିଲା ।

ବୀଜପ୍ରଧାନ ବା ପୁରୁଷପ୍ରଧାନ ସମାଜର ପର୍ଶୁରାମ , ଯେ କି ନିଜର ଜନ୍ମଦାତ୍ରୀଙ୍କୁ ହତ୍ୟାକରିବାକୁ କୁଣ୍ଠିତ ହୋଇ ନ ଥିଲେ , ପୃଥିବୀକୁ ନିକ୍ଷେତ୍ରୀୟ କରିବାକୁ ଅର୍ଥାତ୍ କ୍ଷେତ୍ରପ୍ରଧାନ ସମାଜକୁ ଧ୍ବଂସ କରିବାକୁ ଏକୋଇଶ ବାର ଉଦ୍ୟମ କରିଥିଲେ ବୋଲି ପୁରାଣମାନଙ୍କରେ ବର୍ଣ୍ଣନା ରହିଛି ।

ବୁଦ୍ଧଙ୍କ ଜନ୍ମସ୍ଥାନ ଓଡ଼ିଶାର ବାସିନ୍ଦାମାନେ ବେଦବାଦୀମାନଙ୍କଠାରୁ ଦୂରେଇରହିଥିଲେ ଓ ଯଯାତି କେଶରୀ ସାତପାଟ (ପ୍ରାଚୀ କୂଳର କୂର୍ମ ପାଟକ ପୁର) ଅନ୍ତର୍ଗତ ଚୌରାଶୀ ବୌଦ୍ଧାଶ୍ରମର ୭୫୨ ସିଦ୍ଧାଚାର୍ଯ୍ୟଙ୍କ ମଧ୍ୟରୁ ୬୬୭ ଜଣଙ୍କୁ ହତ୍ୟା କରି ଓ କନୌଜରୁ ଦଶ ସହସ୍ର ବେଦବିଶାରଦଙ୍କୁ ଆଣି ଓଡ଼ିଶାରେ କର୍ତ୍ତୃବାଦର ପ୍ରଭାବ ବିସ୍ତାର କରିବା ପର୍ଯ୍ୟନ୍ତ ଏଠାରେ ‘କାରଣବାଦୀ’ମାନେ ହିଁ ଅଗ୍ରଣୀ ଥିଲେ ।

ଯେଉଁମାନେ କାରଣବାଦର ଅନୁବର୍ତ୍ତୀ ଓ ପୃଷ୍ଠପୋଷକ ଥିଲେ , ସେମାନେ ‘କରଣ’ ଭାବେ ବିଦିତ ଥିଲେ । ପରବର୍ତ୍ତୀ ଅବସ୍ଥାରେ କରଣ ଏକ ଜାତି ବିଶେଷ ହୋଇଗଲା ; ମାତ୍ର ସେତେବେଳେ ଏହା ଏକ ଦର୍ଶନବାଚକ ଶବ୍ଦ ଥିଲା , ଯାହାର ଆଧାର ଥିଲା ‘କାରଣବାଦ’ ।

ସୁତରାଂ ‘କରଣ’ ଶବ୍ଦ ମନୁ ସଂହିତାରେ ଦେଖିବାକୁ ମିଳେ । ତହିଁରେ ‘ଉତ୍କଳୀୟ କରଣ’ ବୋଲି ଉଲ୍ଲେଖ ଥିବାବେଳେ ଅନ୍ୟ କୌଣସି ଜାତିର ଉଲ୍ଲେଖ ନ ଥିବା ତାତ୍ପର୍ଯ୍ୟପୂର୍ଣ୍ଣ । ଏହା ସାବ୍ୟସ୍ତ କରେ ଯେ ‘କରଣ’ ନାମକ କୌଣସି ଜାତି ନ ଥିଲା , ପରନ୍ତୁ ଯେଉଁମାନେ ‘କାରଣବାଦ’ ଆଦର୍ଶ ଅବଲମ୍ବନ କରୁଥିଲେ, ସେହିମାନେ ହିଁ କରଣ ଭାବେ ବିଦିତ ଥିଲେ । ତେଣୁ ‘କର୍ତ୍ତୃବାଦ’ ପରିବର୍ତ୍ତେ ‘କାରଣବାଦ’ ଅନୁବର୍ତ୍ତୀ ଭୂଖଣ୍ଡ ଥିଲା ଉତ୍କଳ ଯାହା ବୌଦ୍ଧ ପ୍ରଭାବ ହେତୁ ବର୍ତ୍ତମାନର ଓଡ଼ିଶାର ଭୌଗୋଳିକ ସୀମାଠାରୁ ବହୁ ଅଧିକ ପରିବ୍ୟାପ୍ତ ଥିଲା ।

କାଳକ୍ରମେ ବୌଦ୍ଧ ଧର୍ମ ବିଲୁପ୍ତ ହୋଇଯିବା ପରେ, ଏବଂ ‘କାରଣବାଦ’ ତାର ଦାର୍ଶନିକ ଗୁରୁତ୍ବ ହରାଇଲା ପରେ , ଏହାର ସୀମା ସଙ୍କୁଚିତ ହୋଇ ହୋଇ ପୂର୍ବରେ ମହୋଦଧି (ବିଲାତି ଶାସନ କାଳରେ ବିଭ୍ରାନ୍ତ ବିଦେଶୀଙ୍କ ଦ୍ବାରା ବଙ୍ଗୋପସାଗର)ରୁ ଉତ୍ତରପୂର୍ବ ମେଦିନୀପୁରର କାନ୍ଥୀ ଉପଖଣ୍ଡର ଉତ୍ତରସୀମା ସମୀପ ହଳଦୀନଦୀ ଓ କାଳିଗାଈ ନଈ ଦେଇ ବାଙ୍କୁଡ଼ା ପଯର୍୍ୟନ୍ତ ଯାଇ ସିଂହଭୂମ ଜିଲ୍ଲାର ଷଢ଼େଇକଳା ଧରି ରାଞ୍ଚି ଅଧିତ୍ୟକା ପଯର୍୍ୟନ୍ତ ଯିବା ସଙ୍ଗେ ସଙ୍ଗେ ଯଶପୁର ଦେଇ ରାଏଗଡ଼. ସାରଣଗଡ଼, ସମ୍ବଲପୁର, ରାୟପୁର, ବସ୍ତର ଦେଇ ବିଶାଖା ପାଟଣା, ଗଞ୍ଜାମ ଦେଇ ଗଞ୍ଜାମର ବଡ଼ ବନ୍ଦର ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା ।

‘ବନ୍ଦେ ଉତ୍କଳ ଜନନୀ’ ଶବ୍ଦଚୟ ମଧ୍ୟରେ ସେହି ଅଖଣ୍ଡ ଓଡ଼ିଶାର, ଯାହା ଭିତରେ ପ୍ରଫେସର ମିଶ୍ର ସ୍ମରଣ କରିଥିବା ଅଞ୍ଚଳଗୁଡ଼ିକ ଅନ୍ତର୍ଗତ , ସେହି ଓଡ଼ିଶାର ବନ୍ଦନାର ରୋମାଞ୍ଚ ଅନୁଭବ କରିହୁଏ , ନ ହେଉ ପଛେ ବିଛିନ୍ନ ଅଂଶଗୁଡ଼ିକ ପୁନର୍ବାର ଉପଲଭ୍ୟ ।

ସୁତରାଂ ‘ବନ୍ଦେ ଉତ୍କଳ ଜନନୀ’ ହିଁ ଏକମାତ୍ର କାମ୍ୟ ଅଭିବ୍ୟକ୍ତି ମାତୃଭୂମି ପାଇଁ ଅନୁରକ୍ତିସମ୍ପନ୍ନ ପ୍ରତି ଓଡ଼ିଆ ପାଇଁ । ଏବଂ ଏହି ବନ୍ଦନାରେ ଦେବସ୍ମିତ ଉଲ୍ଲେଖ କରିଥିବା ସମସ୍ତ ଜନନୀଙ୍କ ବନ୍ଦନା ହିଁ ନିହିତ ।

କିନ୍ତୁ ଦୁର୍ଭାଗ୍ୟ, କାନ୍ତକବିଙ୍କ ଉତ୍ତରାଧିକାରୀମାନଙ୍କ ଅର୍ଥଲୋଭ ହେତୁ ଏହାକୁ ଅନଧିକୃତ ଭାବେ କାଣ୍ଟଛାଣ୍ଟ କରି ତିନିଚାରିବର୍ଷ ତଳେ ଓଡ଼ିଶାର ଜାତୀୟ ସଂଗୀତ କରିବା ପାଇଁ ଓଡ଼ିଶା ବିଧାନସଭାକୁ ବ୍ୟବହାର କରିବାକୁ ଚେଷ୍ଟା ଚାଲିଥିଲା । ସେହି ଦୁରଭିସନ୍ଧି ବର୍ତ୍ତମାନପାଇଁ ବିଫଳ ହୋଇଯାଇଛି । ଭବିଷ୍ୟତରେ ଯେ ଅର୍ଥଲାଳସାରେ କାନ୍ତକବିଙ୍କ ଉତ୍ତରାଧିକାରୀମାନେ ଏହି ଷଡ଼ଯନ୍ତ୍ର ପୁନଶ୍ଚ ନ ଭିଆଇବେ କିଏ କହିବ ?

କାନ୍ତକବିଙ୍କର ଏହି ଅନବଦ୍ୟ ସୃଷ୍ଟିକୁ ଯଦି ତାଙ୍କ ଉତ୍ତରାଧିକାରୀମାନଙ୍କ ଅର୍ଥଲାଳସା ଓ କିଛି ମତଲବଖୋର୍ ରାଜନେତାଙ୍କ ହେତୁ କାଣ୍ଟଛାଣ୍ଟ କରି ବିକୃତ କରାଯାଏ ଓଡ଼ିଆ ଜାତି ତାକୁ ବିରୋଧ କରିବା ଉଚିତ ହେବ, କାରଣ ଏହି ହୃଦୟସ୍ପର୍ଶୀ ମାଟିବନ୍ଦନାର ପ୍ରତ୍ନତାତ୍ତ୍ଵିକ ମୂଲ୍ୟ ଆମ ପାଇଁ ଅସୀମ ଓ ଆମ ପ୍ରଦେଶ ସୃଷ୍ଟିରେ ଏହି ଅଖଣ୍ଡ ସଙ୍ଗୀତର ଭୂମିକା ଚିର ଅମୃତମୟ ।

ସହାୟତା: ଗୋପାଳଚନ୍ଦ୍ର ପ୍ରହରାଜଙ୍କ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ , ଜଗବନ୍ଧୁଙ୍କ ପ୍ରାଚୀନ ଉତ୍କଳ , ବିନାୟକ ମିଶ୍ରଙ୍କ ପ୍ରାଚୀନ ଓଡ଼ଶାର ଇତିହାସ , ଚକ୍ରଧର ମହାପାତ୍ରଙ୍କ The Real Birthplace of Buddha, ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ Chourashi Siddhacharyas of Orissa: new Light on the Authors of Bauddha Gana O Doha ।

ଏ ମାସ ୧୬ରୁ ପୁନଶ୍ଚ କଳାପତାକା ଅଭିଯାନ : କାହିଁକି ?

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଅଧ୍ୟକ୍ଷ , ଭାଷା ଆନ୍ଦୋଳନ, ଓଡିଶା

ଗତ ବିଧାନସଭା ଅଧିବେଶନ ଠାରୁ ସ୍ଥଗିତ ଥିବା କଳାପତାକା ଅଭିଯାନ ଏ ମାସ ୧୬ ତାରିଖରୁ ପୁନଶ୍ଚ ଚାଲିବ ; କାରଣ, ଓଡ଼ିଆ ଜାତି ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତାରଣା ଏ ଯାଏଁ ସରିନାହିଁ ।

ଭାଷା ଆନ୍ଦୋଳନର କଳାପତାକା ଅଭିଯାନ ଓଡିଶା ସରକାରଙ୍କୁ ତିନି ତିନି ଥର ବାଧ୍ୟ କଲାଣି ଓଡିଶା ସରକାରୀ ଭାଷା ଆଇନ, 1954ର ସଂଶୋଧନ ପାଇଁ । ମାତ୍ର ଓଡ଼ିଶାର ରାଜନୈତିକ ନେତୃତ୍ଵ ଦୁର୍ବଳ ହୋଇଥିବା କାରଣରୁ ଏବଂ ଅମଲାତନ୍ତ୍ର ଉପରେ ସର୍ବଥା ନିର୍ଭରଶୀଳ ଥିବା ହେତୁ , ଧୂର୍ତ୍ତ ଅମଲାମାନେ ସଂଶୋଧନ-ବିଧେୟକଗୁଡ଼ିକରେ ଏପରି ଶବ୍ଦ ଖଞ୍ଜୁଛନ୍ତି ଯେ, ଆଇନଟି ନିର୍ଭୁଲ ହୋଇପାରୁନି ।

ଆଇନଟିରେ ପ୍ରଥମରୁ ଦୁଇଟି ପ୍ରମାଦ ଥିଲା ; ଯଥା – (୧) ନିୟମାବଳୀ ପ୍ରଣୟନ କରି ଆଇନଟିକୁ କାର୍ଯ୍ୟକାରୀ କରିବାକୁ ଆଇନଟି ସରକାରଙ୍କୁ କ୍ଷମତା ଦେଇନଥିଲା ; ଓ (୨) ଆଇନଟିର ଉଲ୍ଲଙ୍ଘନ ବିରୁଦ୍ଧରେ ଦଣ୍ଡବିଧାନର ବ୍ୟବସ୍ଥା ନଥିବା ହେତୁ କେହି ଏହାକୁ ମାନୁନଥିଲେ । କବି ଓ ଅଧିବକ୍ତା ଗଜାନନ ମିଶ୍ରଙ୍କ ଅନଶନ ଫଳରେ ଆଇନଟିର କାର୍ଯ୍ୟକାରିତା ପାଇଁ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସାମ୍ବାଦିକ ସୁଭାଷ ଚନ୍ଦ୍ର ପଟ୍ଟନାୟକ ସଭ୍ୟଭାବେ ସଂସ୍ଥିତ ହୋଇ ଏହି ଦୁଇଟି ପ୍ରମାଦ ଚିହ୍ନଟ କଲେ ଓ ତହିଁର ଦୂରୀକରଣ ପାଇଁ ଦୁଇଟି ବିଧିକ ଚିଠା ସରକାରଙ୍କୁ ଦେଲେ : ପ୍ରଥମଟି ତାଙ୍କ ପ୍ରସ୍ତାବିତ ଆଇନ ସଂଶୋଧନର ଚିଠା ଓ ଦ୍ବିତୀୟଟି ତାଙ୍କ ପ୍ରସ୍ତାବିତ ନିୟମାବଳୀର ଚିଠା ।

ପ୍ରଥମଥର ପାଇଁ ସରକାର ଓ ଓଡ଼ିଶାବାସୀ ଜାଣିଲେ ଯେ, ଏତଦ୍ଦୃଶ ଆଇନ ସଂଶୋଧନ ନ ହେଲେ, ଓଡ଼ିଆରେ ଓଡ଼ିଶାର ଶାସନ ସମ୍ଭବ ହେବନାହିଁ । ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବକୁ ଆଧାର କରି ୧୪. ୧୨ . ୨୦୧୫ ତାରିଖରେ ବିଧାନସଭାରେ କହିଲେ କି, ଭାଷା ଆଇନ ସଂଶୋଧନ ପାଇଁ ପଦକ୍ଷେପ ନିଆ ହେଉଛି । କିନ୍ତୁ ଦିନ ଦୁଇଟା ପରେ ସେ ବଦଳିଗଲେ ଓ ମନ୍ତ୍ରୀସ୍ତରୀୟ କମିଟିଟିକୁ ଆପାତତଃ ଅକାମି କରିଦେଲେ । ପରେ ନଥି ଅନୁଧ୍ୟାନ କରି ଜଣାପଡ଼ିଲା ଯେ, ଜି.ଭି.ଭି.ଶର୍ମା ନାମକ ଜଣେ ଅଣଓଡ଼ିଆ ଆଇ .ଏ .ଏସ . ଅଫିସରଙ୍କ ଚକ୍ରାନ୍ତ ହେତୁ ଏହା ସମ୍ଭବ ହୋଇଥିଲା ।

ତେଣୁ ଆଇନ ସଂଶୋଧନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ମାଧ୍ୟମରେ ସରକାରଙ୍କୁ ଅବଗତ କରାଇ ୧୩. ୪. ୨୦୧୬ ତାରିଖରୁ କଳାପତାକା ଅଭିଯାନ ଆରମ୍ଭ ହେଲା ।

କଳାପତାକା ଅଭିଯାନର ଶକ୍ତି

ଚାରିଜଣ ଭାଷାପ୍ରେମୀ ଓଡ଼ିଆ ହାତରେ ଦାବିଫଳକ ଓ କଳାପତାକା ଧରି ଓଡ଼ିଶାର ଆଇନ ପ୍ରଣୟନ କେନ୍ଦ୍ରଠାରୁ ରାଜ୍ୟପାଳଙ୍କ ଦାପ୍ତରିକ ନିବାସ ଯାଏଁ ପ୍ରତ୍ୟହ କାର୍ଯ୍ୟାଳୟ ସମୟ ଶେଷରେ ନୀରବରେ ଯାତ୍ରା କରିବା ଓ ଏହି ଅନନ୍ୟ ଆନ୍ଦୋଳନର ଶ୍ରେୟ କୁଳଗୌରବ ମଧୁବାବୁଙ୍କ ଚରଣତଳେ ଅର୍ପଣ କରିବା ହିଁ ଭାଷା ଆନ୍ଦୋଳନର କଳାପତାକା ଅଭିଯାନ । ଏହି ନୀରବତା ହିଁ ଏହି ଆନ୍ଦୋଳନର ଶକ୍ତି ।

ପ୍ରଥମ ତ୍ରୁଟି

ଦୀର୍ଘ ଅଣଚାଳିଶ ଦିନ ଏହି କଳାପତାକା ଅଭିଯାନ ଚାଲିଲା ପରେ ମୁଖ୍ୟମନ୍ତ୍ରୀ ଚେତିଥିଲେ । ଅଧ୍ୟାଦେଶ ବଳରେ ଆଇନ ସଂଶୋଧନ କଲେ । ମାତ୍ର ଅମଲାତନ୍ତ୍ର ଯେଉଁ ଚିଠା କଲା ତହିଁରେ ନିୟମାବଳୀ ପ୍ରଣୟନର କ୍ଷମତା ସରକାରଙ୍କୁ ପ୍ରଦତ୍ତ ହୋଇଥିଲେ ମଧ୍ୟ ଓଡ଼ିଆରେ କାମନକରିବା କର୍ମଚାରୀଙ୍କୁ ଦଣ୍ଡବିଧାନ ବ୍ୟବସ୍ତା ରହିଲାନାହିଁ । ଫଳରେ ଓଡିଶା ସରକାରୀ ଭାଷା ଆଇନକୁ ତ୍ରୁଟିଶୂନ୍ୟ କରିବାକୁ ଆମ ଉଦ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ହେତୁ ଅମଲାତନ୍ତ୍ର ଭଣ୍ଡୁର କରିଦେଲା ।

ଦ୍ବିତୀୟ ତ୍ରୁଟି

ଏହି ତ୍ରୁଟିପୂର୍ଣ୍ଣ ଅଧ୍ୟାଦେଶ ଜାରି ହେଲା ୨୧. ୫. ୨୦୧୬ ତାରିଖରେ । ମୁଖ୍ୟମନ୍ତ୍ରୀ କହିଲେ, “ଓଡିଶା ସରକାରୀ ଭାଷା ଅଧିନିୟମ, ୧୯୫୪ରେ ଆବଶ୍ୟକୀୟ ସଂଶୋଧନ ଅଣାଯାଇ ୧୫. ୮. ୨୦୧୬ ସୁଦ୍ଧା ଆଇନ ପ୍ରଣୟନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ।”

ସୁତରାଂ ବିଧାନସଭାରେ ଅଧ୍ୟାଦେଶଟି ଆଇନରେ ରୂପାନ୍ତରିତ ହେବାବେଳେ ତହିଁର ତ୍ରୁଟି ସୁଧୁରିଯିବ ବୋଲି ବିଶ୍ଵାସ କରି ୧୬. ୮. ୨୦୧୬ ପର୍ଯ୍ୟନ୍ତ କଳାପତାକା ଅଭିଯାନ ସ୍ଥଗିତ ରଖାଯାଇଥିଲା ।

ଆଇନ ସଂଶୋଧନ ହେବା ପରିବର୍ତ୍ତେ, ୧୨. ୮. ୨୦୧୬ ତାରିଖରେ ସରକାର ଏକ ନିୟମାବଳୀ ପ୍ରବର୍ତ୍ତନ କଲେ ଯାହା ଓଡ଼ିଆ ଜାତି ପ୍ରତି ଥିଲା ଏକ ପ୍ରଚଣ୍ଡ ପ୍ରତାରଣା । ଯେଉଁ ଅମଲାମାନେ ଭାଷା ଆଇନ ଓ ତାର ଅଧିସୂଚନାକୁ ସମ୍ପୂର୍ଣ ଉଲ୍ଲଙ୍ଘନ କରିଆସିଛନ୍ତି ସେହିମାନଙ୍କ ହାତରେ ଉଲ୍ଲଙ୍ଘନର ସମୀକ୍ଷା ଅଧିକାର ଅର୍ପଣ କରିବା ଭିନ୍ନ ଏହି ନିୟମାବଳୀରେ ଆଉ କିଛି ନଥିଲା । ଏହାକୁ ପ୍ରତ୍ୟାଖ୍ୟାନ କରି ଭାଷା ଆନ୍ଦୋଳନର ସ୍ଥଗିତ ଥିବା କଳାପତାକା ଅଭିଯାନ ପୁନଃ ଆରମ୍ଭ ହେଲା ପୂର୍ବ ଘୋଷଣା ଅନୁସାରେ ୧୬. ୮. ୨୦୧୬ ଅପରାହ୍ନରେ ।

ତୃତୀୟ ତ୍ରୁଟି

ଅଧ୍ୟାଦେଶଟି ବିଧାନସଭାରେ ବିଧେୟକ ରୂପେ ରଖାଗଲା ୨୮. ୯. ୨୦୧୬ ତାରିଖରେ । ଅଧ୍ୟାଦେଶରେ ଥିବା ତ୍ରୁଟିକୁ ଆଇନସିଦ୍ଧ କରିବା ପାଇଁ ଏହା ଥିଲା ଏକ ଧୂର୍ତ୍ତ ପ୍ରୟାସ । ଅଧ୍ୟାଦେଶ ଜାରି ହୋଇଥାଏ ଏକ ନାହିଁନଥିବା ଜରୁରୀ ପରିସ୍ଥିତିରେ । ତେଣୁ, ତାହାକୁ ଆଇନରେ ପରିଣତ କରିବା ପାଇଁ ଯେତେବେଳେ ବିଧେୟକ ଉପସ୍ଥାପିତ ହୁଏ , ସେତେବେଳେ କେଉଁ ଅପରିହାର୍ଯ୍ୟ ଚାପ ହେତୁ ଅଧ୍ୟାଦେଶଟି ଜାରିହୋଇଥିଲା ତାହା ସରକାର ପ୍ରାଞ୍ଜଳ ଭାବେ ବିଧାନସଭାକୁ କହିବାକୁ ବାଧ୍ୟ । କାରଣ ବିଧାନସଭା ପରିସର ବାହାରେ ବିଧାନ ପ୍ରଣୟନ ଓ ପ୍ରବର୍ତ୍ତନ କରି କାର୍ଯ୍ୟନିର୍ବାହୀ ସରକାର ସ୍ଵାଭାବିକ କାର୍ଯ୍ୟଧାରାର ଯେଉଁ ଉଲ୍ଲଙ୍ଘନ କରିଥାନ୍ତି, ତହିଁର ପ୍ରକୃତ କାରଣ ଓ ତାର ଯଥାର୍ଥତା ବିଧାୟକମାନେ ତଦ୍ଦ୍ଵାରା ଅବଗତ ହୁଅନ୍ତି ଓ ବିଧେୟକଟିର ପ୍ରକୃତ “ଉଦ୍ଦେଶ୍ୟ ଓ କାରଣ କଥନ” ନିର୍ଭୁଲ ହୋଇ ଭବିଷ୍ୟତରେ ତାହାର ବିଧିକ ଉପଯୋଗ ସମ୍ଭବ ହୋଇଥାଏ । ମୁଖ୍ୟମନ୍ତ୍ରୀ ଏହି ବିଧେୟକ ଆଗତ କଲାବେଳେ ତାହା ଲୁଚାଇ ରଖିଲେ ଓ ତହିଁରେ ସନ୍ନିହିତ ସ୍ପଷ୍ଟ-କଥନରେ ମିଛ ବି କହିଲେ । ଆମ ବିଧାନସଭାର ସଭ୍ୟମାନେ ଏତେ ଯୋଗ୍ୟ ଯେ, ଏହି ଦୃଶ୍ୟପଟ ସମସ୍ତେ ଜାଣି ମଧ୍ୟ କେହି କିଛି ପ୍ରତିବାଦ କଲେନି ଆମ ଭାଷା ଇତିହାସର ଏକ ଗୁରୁତ୍ଵପୂର୍ଣ୍ଣ ଘଟଣା ଗୁପ୍ତ ହୋଇଗଲା । ଫଳରେ ସଠିକ “ଉଦ୍ଦେଶ୍ୟ ଓ କାରଣ କଥନ” ନଥାଇ ଓଡିଶା ସରକାରୀ ଭାଷା (ସଂଶୋଧନ) ଆଇନ , ୨୦୧୬ ବିଧାନସଭାରେ ପାରିତ ହେଲା ଓ ସଂଶୋଧନଟି ଅଧିକ ତ୍ରୁଟିପୂର୍ଣ୍ଣ ହୋଇ ରହିଲା ।

ପୁରୀ ପ୍ରସ୍ତାବ ଓ ତାର ଭ୍ରମ ସଂଶୋଧନ

ମୁଖ୍ୟମନ୍ତ୍ରୀଙ୍କ ବାପା ବିଜୁ ପଟ୍ଟନାୟକ ଆମ ସରକାରୀ ଭାଷା ଆଇନକୁ କିପରି ଛୁରା ମାରି ଇଂରାଜୀ ଭାଷାକୁ ଆମ ଉପରେ ଲଦିଦେଲେ ତାହା ଉପରେ ତିନି ସପ୍ତାହ ଧରି ଚର୍ଚ୍ଚା (ବିଜୁଙ୍କ ଛୁରା, ସୁଭାଷ ଚନ୍ଦ୍ର ପଟ୍ଟନାୟକ, ସୂର୍ଯ୍ୟପ୍ରଭା) ପରେ ମୁଖ୍ୟମନ୍ତ୍ରୀ ୧୯. ୫. ୨୦୧୭ ତାରିଖରେ ଭାଷା ଆଇନର କାର୍ଯ୍ୟକାରିତା ପାଇଁ ପ୍ରତ୍ୟକ୍ଷ ଆଲୋଚନା କରିବାକୁ ମୋତେ ନିମନ୍ତ୍ରଣ କଲେ । ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥାଙ୍କୁ ସାଙ୍ଗରେ ଧରି ମୁଁ ତାଙ୍କ ସହ ତାଙ୍କ ସଚିବାଳୟ ପ୍ରକୋଷ୍ଠରେ ଆଲୋଚନା କଲି ଓ ଉପରୋକ୍ତ ତ୍ରୁଟି ସମ୍ପର୍କରେ ତାଙ୍କୁ ଅବଗତ କରାଇ, ୨୦୧୬ ସଂଶୋଧନକୁ ସେ ପୁନଃ ସଂଶୋଧିତ କରନ୍ତୁ ବୋଲି କହି, ସେହି ସଂଶୋଧନର ସ୍ଵରୂପ କ’ଣ ହେବା ଉଚିତ ତାହା ବୁଝାଇ ଏକ ସାନି ଚିଠା ମଧ୍ୟ ତାଙ୍କ ହାତରେ ଦେଲି ।

ଛଅ ମାସ ଗଡ଼ିଗଲା । ମୁଖ୍ୟମନ୍ତ୍ରୀଙ୍କ ଏହି ଓଡ଼ିଅଵିରୋଧୀ ମାନସିକତା ବିରୁଦ୍ଧରେ ତାଙ୍କ ନିଜ ଦଳରେ ବି ଅସନ୍ତୋଷ ଦାନା ବାନ୍ଧିଲା । ଫଳରେ, ନିଜ ଦଳୀୟ ଲୋକଙ୍କୁ ବୁଝାଇବା ପାଇଁ ଯେ, ନବୀନ ବାବୁ ଓଡ଼ିଅଵିରୋଧୀ ନୁହନ୍ତି , ୨୬.୧୨. ୨୦୧୭ ତାରିଖରେ ପୁରୀଠାରେ ହେବାକୁଥିବା ତାଙ୍କ ଦଳର ପ୍ରତିଷ୍ଠା ଉତ୍ସବ ଅବସରରେ ସେହିଠାରେ ରାଜ୍ୟ ମନ୍ତ୍ରୀ ପରିଷଦର ବୈଠକ ବସାଇ ଭାଷା ଆଇନ ଉଲ୍ଲଙ୍ଘନ ବିରୁଦ୍ଧରେ ଦଣ୍ଡବିଧାନ ପାଇଁ ସେ ପ୍ରସ୍ତୁତ ବୋଲି ପ୍ରଚାର କରାଇବାକୁ ନିଷ୍ପତ୍ତି ହେଲା । ତେଣୁ , ସେଠାରେ ଗୃହୀତ ଏକ ପ୍ରସ୍ତାବରେ କୁହାଗଲା , “ସରକାରୀ ଭାଷା ଆଇନ, ୧୯୫୪ରେ ସଂଶୋଧନ ଅଣାଯାଇ ବିହିତ ଦଣ୍ଡବିଧାନ ବ୍ୟବସ୍ଥା ସହିତ ଓଡ଼ିଆ ଭାଷା ବହୁଳ ବ୍ୟବହାର କରୁଥିବା ବିଭାଗ ତଥା କର୍ମଚାରୀଙ୍କୁ ପ୍ରୋତ୍ସାହିତ କରାଯିବ । ଏଥିପାଇଁ ବିଭାଗଗୁଡ଼ିକ ନିର୍ଦ୍ଦିଷ୍ଟ ମାନଦଣ୍ଡ ଏବଂ କ୍ଷେତ୍ର ନିର୍ଦ୍ଧାରଣ କରିବେ । ଜିଲ୍ଲା, ରାଜସ୍ଵ ଡିଭିଜନ ଏବଂ ରାଜ୍ୟସ୍ତରରେ ଏଥିନିମନ୍ତେ ପ୍ରଶାସନିକ ବ୍ୟବସ୍ଥା ୧.୪.୨୦୧୮ ଠାରୁ କାର୍ଯ୍ୟକାରୀ କରାଯିବ ।”

କାହା ଉର୍ବର ମସ୍ତିଷ୍କରୁ ଏହି ପ୍ରସ୍ତାବର ଭାଷା ବାହାରିଥିଲା କିଏ ଜାଣେ ? ଏହା ଯେ ଆମ ଭାଷା ଅଧିକାରକୁ ଭଣ୍ଡୁର କରିବାକୁ ଉଦ୍ଦିଷ୍ଟ ଥିଲା ତାହା ଆମେ ଜାଣିଗଲୁ ଏବଂ ଏହାକୁ ବିରୋଧ କଲୁ । କାରଣ, (କ) “ବିଭାଗଗୁଡ଼ିକ ନିର୍ଦ୍ଦିଷ୍ଟ ମାନଦଣ୍ଡ ଏବଂ କ୍ଷେତ୍ର ନିର୍ଦ୍ଧାରଣ କରିବେ” ବୋଲି କହି ଏହି ପ୍ରସ୍ତାବ ଦ୍ଵାରା ବିଭାଗଗୁଡିକର ମର୍ଜୀ ଉପରେ ଆମ ଭାଷା ଅଧିକାରକୁ ଛାଡିଦିଆହୋଇଥିଲା ଓ ସାରା ରାଜ୍ୟରେ ଏହାର ପ୍ରବର୍ତ୍ତନକୁ ସଂକୁଚିତ କରି “ବହୁଳ ବ୍ୟବହାର” ପରି ଏକ କିମ୍ଭୁତକିମାକାର ବିଭାବନା କବଳରେ ମାତୃଭାଷା ଓଡ଼ିଆର ଗରିମାକୁ ଉଜାଡ଼ିଦେବାକୁ ତଥା ତଦ୍ଦ୍ଵାରା ଭାଷା ଆଇନର ଅସଲ ଉଦ୍ଦେଶ୍ୟକୁ ପଣ୍ଡ କରିବାକୁ ଷଡ଼ଯନ୍ତ୍ର ହୋଇଥିଲା । ଅପରପକ୍ଷେ କର୍ମଚାରୀଙ୍କ ଦୋଷ ହେତୁ ବିଭାଗକୁ ଦଣ୍ଡବିଧାନପାଇଁ ପ୍ରସ୍ତାବ ରଖି ମନ୍ତ୍ରୀମଣ୍ଡଳ ଚାହୁଁଥିଲା ଓଡ଼ିଶାର ଜନସାଧାରଣଙ୍କୁ ଦଣ୍ଡିତ କରିବାପାଇଁ ।

ଏହାର ପ୍ରତିବାଦରେ ତଥା ପ୍ରତିକାର ଦାବିରେ କଳାପତାକା ଅଭିଯାନ ଚାଲିରହିଲା । ଫଳରେ ବାଧ୍ୟ ହୋଇ ରାଜ୍ୟ ମନ୍ତ୍ରୀମଣ୍ଡଳ ସେହି ଏକା ବିଷୟରେ ବୈଠକ କଲା ୧୪.୦୩.୨୦୧୮ ତାରିଖରେ, ଯହିଁରେ ମୁଖ୍ୟମନ୍ତ୍ରୀ ବି ଅଧ୍ୟକ୍ଷତା କଲେ । ୨୬. ୧୨. ୨୦୧୭ ତାରିଖର ପ୍ରସ୍ତାବକୁ ଏହା ବଦଳେଇଦେଇ, ତହିଁରେ କର୍ମଚାରୀଙ୍କ ଭୁଲ ପାଇଁ ବିଭାଗକୁ ଦଣ୍ଡିତ କରିବା ସକାଶେ ଯେଉଁ ଅନର୍ଥ ଖଞ୍ଜା ହୋଇଥିଲା ତାହାକୁ ନିପାତ କଲା ଓ ପରିସ୍କାର କରିଦେଲା କି, ଯେଉଁମାନେ ଓଡ଼ିଆ ଭାଷାରେ କାମ ନ କରିବେ, ସେହି କର୍ମଚାରୀ ଓ ପଦାଧିକାରୀମାନଙ୍କ ବିରୁଦ୍ଧରେ ଦଣ୍ଡବିଧାନ ହେବ । ଏବଂ ଆମ ଯୁକ୍ତିକୁ ବି ଏହି ପ୍ରସ୍ତାବରେ ସ୍ଥାନିତ କରି ଏହା ଉଲ୍ଲେଖ କଲା କି, “ଓଡିଶା ସରକାରୀ ଭାଷା ଆଇନ ଏକ ଦୀର୍ଘ ଦିନର ପୁରୁଣା ଆଇନ ହୋଇଥିଲେ ମଧ୍ୟ, ଯେହେତୁ ଏହାର ଉଲ୍ଲଙ୍ଘନ ବିରୁଦ୍ଧରେ ଏଥିରେ କୌଣସି ଦଣ୍ଡବିଧାନର ବ୍ୟବସ୍ଥା ନାହିଁ ସେହେତୁ ଏହାକୁ କେହି ମାନୁନାହାନ୍ତି” ବୋଲି ହୃଦ୍ବୋଧ ହୋଇଥିବାରୁ, ଖିଲାପକାରୀ ପଦାଧିକାରୀ ଏବଂ କର୍ମଚାରୀଙ୍କ ବିରୁଦ୍ଧରେ ଦଣ୍ଡବିଧାନ ସକାଶେ ଅତିଶୀଘ୍ର ଓଡିଶା ସରକାରୀ ଭାଷା ଆଇନ ସଂଶୋଧନ ହେବ ।” ଅତଏବ ସଂଶୋଧନର “ଉଦ୍ଦେଶ୍ୟ ଓ କାରଣ କଥନ” କଣ ହେବ ତାହା ବି ଏହି ମନ୍ତ୍ରୀମଣ୍ଡଳ ବୈଠକରେ ନିଶ୍ଚିତ କରିଦିଆଗଲା ।

ଚତୁର୍ଥ ତ୍ରୁଟି

ଅଥଚ , ସଂଶୋଧନ-ବିଧେୟକର ଚିଠା କଲାବେଳେ, ସମ୍ପୃକ୍ତ ଶାସନ ସଚିବ ଏକାକୀ ବା ମୁଖ୍ୟମନ୍ତ୍ରୀଙ୍କ ସହ ମିଶି ଏହି ୧୪.୦୩.୨୦୧୮ ତାରିଖର ପ୍ରସ୍ତାବକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଏବଂ ଏହି ଦିନର ମନ୍ତ୍ରୀମଣ୍ଡଳ ୨୬. ୧୨ . ୨୦୧୭ ତାରିଖର ଯେଉଁ ପ୍ରସ୍ତାବକୁ ବିଲୁପ୍ତ କରି ଥିଲା, ସେହି ଅପରିଣାମଦର୍ଶୀ ପ୍ରସ୍ତାବ ଉପରେ ନୂଆ ସଂଶୋଧନ ଠିଆ କରାଇଛନ୍ତି ମନ୍ତ୍ରିମଣ୍ଡଳର ସମ୍ପୂର୍ଣ ଅବଜ୍ଞା କରି । ଏହି ଦୁରାଚାର ଏତିକିରେ ଅଟକି ନାହିଁ । ଓଡ଼ିଆ ବିରୋଧୀ ଅମଲା ଓ ମୁଖ୍ୟମନ୍ତ୍ରୀଙ୍କୁ ରକ୍ଷାକବଚ ଯୋଗାଇବା ପାଇଁ ଏହି ଦୁଇ ମନ୍ତ୍ରିମଣ୍ଡଳର ପ୍ରସ୍ତାବକୁ ବି ହେରଫେର୍ (Tampering) କରାଯାଇଛି ।

ଉଦାହରଣ ସ୍ଵରୂପ, ୨୬. ୧୨ . ୨୦୧୭ ତାରିଖର ଯେଉଁ ପ୍ରସ୍ତାବକୁ ବିଲୋପ କରାଯାଇଥିଲା, ତହିଁରେ ଥିଲା “ବିଭାଗ ତଥା କର୍ମଚାରୀଙ୍କୁ” ଦଣ୍ଡିତ କରାଯିବ । ଅର୍ଥାତ୍ ବିଭାଗ ଏବଂ କର୍ମଚାରୀ- ଉଭୟେ ଦଣ୍ଡିତ ହେବେ । ସଂଶୋଧନ ବିଧେୟକଙ୍କୁ ଏହି ପ୍ରସ୍ତାବ ଉପରେ ଅନଧିକୃତ ଭାବେ ଠିଆ କରାଇ କୁହାଗଲା, “କର୍ମଚାରୀ କିମ୍ବା ବିଭାଗ”କୁ ଦଣ୍ଡିତ କରାଯିବ । ଏହି “କିମ୍ବା” ଶବ୍ଦଟିକୁ ଶାସନ ସଚିବ / ମୁଖ୍ୟମନ୍ତ୍ରୀ କେଉଁଠୁ ଆଣିଲେ? ମନ୍ତ୍ରୀମଣ୍ଡଳ ବୈଠକରେ ବିଲୁପ୍ତ କରାଯାଇଥିବା ଏକ ବିଭାବନକୁ ମନ୍ତ୍ରିମଣ୍ଡଳର କୌଣସି ଅନୁମୋଦନ ନଥାଇ ପୁନର୍ଜୀବିତ କରିବା ଓ ତହିଁର ଶବ୍ଦ ହେରଫେର୍ କରି “ଏବଂ” ସ୍ଥାନରେ “କିମ୍ବା” ଲେଖିବା ଏକ ଜଘନ୍ୟ ପ୍ରଶାସନିକ ଅପରାଧ । ମୁଖ୍ୟମନ୍ତ୍ରୀ ଯଦି ନିଜେ ଏହି ଅପରାଧ କରିନାହାନ୍ତି ତେବେ ଯେଉଁ ଶାସନ ସଚିବ ଏହା କରିଛନ୍ତି ତାଙ୍କ ବିରୁଦ୍ଧରେ କଡ଼ା ଓ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ପାଇଁ ଭାଷା ଆନ୍ଦୋଳନ ପକ୍ଷରୁ ମୋ ଚିଠିରେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ କହିଛି । ସେ ନିରବ ରହିଛନ୍ତି ।

ଅପରପକ୍ଷେ , ଯେପରି ଉପରେ କୁହାହୋଇଛି, ମନ୍ତ୍ରିମଣ୍ଡଳର ଯେଉଁ ପ୍ରସ୍ତାବ ଭାଷା ଆଇନର ଏହି ଶେଷ ସଂଶୋଧନରେ ପ୍ରତିଫଳିତ ହେବା କଥା ବା ଯେଉଁ ପ୍ରସ୍ତାବ ଉପରେ ଏହି ସଂଶୋଧନ ଆଧାରିତ ହେବା କଥା, ମନ୍ତ୍ରିମଣ୍ଡଳର ଅଜାଣତରେ ସେହି ପ୍ରସ୍ତାବକୁ ହତ୍ୟା କରାଯାଇଛି । ୧୪.୦୩.୨୦୧୮ ତାରିଖର ଏହି ପ୍ରସ୍ତାବରେ ସ୍ପଷ୍ଟତଃ କୁହାହୋଇଥିଲା, “The same (Orissa Official Language Act, 1954) is not properly implemented, as there is no provision for imposing penalty against the Officers and employees who are violating the provisions of the notifications under the Act.” ଅତଏବ, ଏହି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଆମ ଯୁକ୍ତିକୁ ସମ୍ପୂର୍ଣ୍ଣତଃ ଗ୍ରହଣ କରି ମନ୍ତ୍ରୀମଣ୍ଡଳ ସ୍ବୀକାର କରିଥିଲା ଯେ, ଦଣ୍ଡବିଧାନ ବ୍ୟବସ୍ଥା ନଥିବା ହେତୁ ଭାଷା ଆଇନର ଅବାଧ ଅବମାନନା ହୋଇଚାଲିଛି । ସେଥିପାଇଁ, “Government have decided to bring the amendment immediately providing penalties for such erring officers and employees who don’t obey the directions issued under sub- section (2) of section 2 , so that they will implement the provisions of the notification in its letter and spirit” ଖୋଦିତ ହୋଇଥିଲା ଏହି ପ୍ରସ୍ତାବ ଦେହରେ । ଏହାର ଅର୍ଥ, “ଓଡ଼ିଆ ଭାଷାରେ କାମ ନ କଲେ ପଦାଧିକାରୀ ଓ କର୍ମଚାରୀଙ୍କୁ ଏପରି ଦଣ୍ଡବିଧାନ ପାଇଁ ଆଇନ ସଂଶୋଧନ ଅବିଳମ୍ବେ କରାଯିବ ବୋଲି ସରକାର ନିଷ୍ପତ୍ତି କରିଛନ୍ତି, ଯଦ୍ଦ୍ଵାରା ସେମାନେ ଧାରା-୨ର ଉପଧାରା-(୨) ଅନ୍ତର୍ଗତ ଅଧିସୂଚନାକୁ ଅକ୍ଷରେ ଅକ୍ଷରେ ଓ ମର୍ମେ ମର୍ମେ କାର୍ଯ୍ୟକାରୀ କରିବାକୁ ବାଧ୍ୟ ହେବେ । “ଉଦ୍ଦେଶ୍ୟ ଓ କାରଣ କଥନ”ର ସ୍ବରୂପ ନିର୍ଦ୍ଧାରଣ ସହ ସଂଶୋଧନ କଣ ହେବ ତାହା ଏହି ମନ୍ତ୍ରୀମଣ୍ଡଳ ସ୍ପଷ୍ଟ କରିଦେଇଥିଲା । ଓଡ଼ିଆଦ୍ରୋହୀ ପଦାଧିକାରୀ ଓ କର୍ମଚାରୀଙ୍କୁ ଦଣ୍ଡବିଧାନପାଇଁ ଯେହେତୁ ଏଥିରେ ସ୍ପଷ୍ଟ କରାହୋଇଥିଲା, ଓ ଯେହେତୁ ଓଡ଼ିଆଦ୍ରୋହୀ ନବୀନ ପଟ୍ଟନାୟକ ମଧ୍ୟ ଜଣେ ପଦାଧିକାରୀ , ସେହେତୁ ଓଡ଼ିଆଦ୍ରୋହୀ ଅମଲା ତଥା ମୁଖ୍ୟମନ୍ତ୍ରୀ ମିଳିମିଶି ଏହି ପ୍ରସ୍ତାବକୁ ହତ୍ୟା କରିଦେଲେ ଓ “ଅବିଳମ୍ବେ” ଅର୍ଥାତ୍ ବିଧାନସଭା ଅଧିବେଶନ ଆରମ୍ଭ ହେବା ସଂଗେ ସଂଗେ ଚିହ୍ନିତ ସରକାରୀ ଦିବସରେ ସଂଶୋଧନ ବିଧେୟକଙ୍କୁ ଆଗତ କରିଥିଲେ କାଳେ ଏହି ଜଘନ୍ୟ ଅପରାଧ ଧରା ପଡିଯିବ, ସେହି ଭୟରେ ଏହାକୁ ଅଧିବେଶନର ଶେଷ ଦିନରେ ଆଗତ ଓ ପାରିତ କରାଇ ନେଲେ ଏବଂ ଯେଉଁ “ଉଦ୍ଦେଶ୍ୟ ଓ କାରଣ କଥନ” ରଖିଲେ ତାହା ବି ୧୪.୦୩.୨୦୧୮ ତାରିଖ ମନ୍ତ୍ରୀମଣ୍ଡଳର ଅବମାନନା କଲା ।

ଆରୁଖ ମୁଣ୍ଡରେ ପଣସ ଅଠା

ପଳାତକ ଆସାମୀ ପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହି ଜାଲିଆତି କଳୁଷିତ ବିଧେୟକ ପାରିତୀକରଣ ପାଇଁ ଆଗତ ନ କରି , ତାଙ୍କ ନିଜ ଜିଲ୍ଲାବାସୀ ଓ ଅନୁଗତ ମନ୍ତ୍ରୀ ବିକ୍ରମ ଆରୁଖଙ୍କୁ ଦାୟିତ୍ବ ଦେଇ ପଳାଇଲେ ଓ ଏହି ଜାଲିଆତି ସହ ସମ୍ପୃକ୍ତ ଶାସନ ସଚିବ ଆଗରୁ ଲେଖିରଖିଥିବା ଖଣ୍ଡେ କାଗଜ ପଢ଼ି ଆରୁଖ ବିତର୍କର ଉତ୍ତର ରଖିଲେ । କେହି ଜଣେ ବି ବିଧାୟକ ପ୍ରଶ୍ନ କଲେନାହିଁ , ମୌଖିକ ବିତର୍କର ଲିଖିତ ଉତ୍ତର ବିତର୍କ ପୂର୍ବରୁ ମନ୍ତ୍ରୀ କେଉଁଠୁ ଆଣିଥିଲେ । ଲଜ୍ଜ୍ୟା ଲାଗୁଛି କହିବାକୁ ଯେ, ଏହି ପରି ସଭ୍ୟମାନଙ୍କୁ ନେଇ ଓଡିଶା ବିଧାନସଭା ଚାଲିଛି ।

ବିଧାନସଭାର ସ୍ବାଧୀକାର ଭଙ୍ଗ

ଏହି ଜାଲିଆତିର ଅଠା , ଯାହା ଅରୁଖଙ୍କ ମୁଣ୍ଡରେ ମୁଖ୍ୟମନ୍ତ୍ରୀ ବୋଳିଛନ୍ତି, ତାହା ସେ କିପରି ଧୋଇବେ ତାଙ୍କୁ ଜଣା । କିନ୍ତୁ ୧୪.୦୩.୨୦୧୮ ତାରିଖ ମନ୍ତ୍ରୀମଣ୍ଡଳର ନିଷ୍ପତ୍ତିକୁ ସମ୍ପୂର୍ଣ ଗୋପନ ରଖି ୨୬. ୧୨ . ୨୦୧୭ ତାରିଖର ମନ୍ତ୍ରୀମଣ୍ଡଳ ନିଷ୍ପତ୍ତି ଉପରେ ସଂଶୋଧନ ବିଧେୟକ ଆଧାରିତ ବୋଲି ସମ୍ପୃକ୍ତ ବିଧେୟକର ‘ଉଦ୍ଦେଶ୍ୟ ଓ କାରଣ କଥନ’ରେ ଯେଉଁ ଉଲ୍ଳେଖନା ଅଛି ତାହା ପବିତ୍ର ସାର୍ବଭୌମ ଗୃହର ଅବଗତିରୁ ‘ବାସ୍ତବ ତଥ୍ୟ ସଂଗୋପନ’ (suppression of material facts) ଦୋଷରେ ଆକ୍ରାନ୍ତ ।

ଏପରି ଦୋଷ ଜାଣିଶୁଣି କରିଥିବା ହେତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହର ସ୍ବାଧୀକାର ଭଙ୍ଗ କରିଛନ୍ତି କିମ୍ବା ସେ ଯାହା ମୁଣ୍ଡରେ ପଣସ ଅଠା ବୋଲିଛନ୍ତି, ସେ ନିଜେ ସାଂସଦୀୟ ବ୍ୟାପାର ମନ୍ତ୍ରୀ ହୋଇଥିଲେ ମଧ୍ୟ ଏବଂ ୧୪.୦୩.୨୦୧୮ ତାରିଖ ମନ୍ତ୍ରୀମଣ୍ଡଳର ନିଷ୍ପତ୍ତି ୨୬. ୧୨ . ୨୦୧୭ ତାରିଖର ମନ୍ତ୍ରୀମଣ୍ଡଳ ନିଷ୍ପତ୍ତିକୁ ପରିବର୍ତ୍ତିତ କରିଥିବା ଅବଗତ ଥିଲେ ମଧ୍ୟ, ଉପରୋକ୍ତ ‘ବାସ୍ତବ ତଥ୍ୟ ସଂଗୋପନ’ ପ୍ରତି ଆଖି ବୁଜି ଦେଇ , ସେ ସମ୍ପର୍କରେ ବିଧାନସଭାକୁ ଅନ୍ଧକାରରେ ରଖି, ଶାସନ ସଚିବଙ୍କ ଦ୍ଵାରା ପୂର୍ବରୁ ଲିଖିତ ବିତର୍କ-ଉତ୍ତର ପାଠ କରି ଓ ତଦ୍ଦ୍ଵାରା ବିଧାନସଭାକୁ ପ୍ରତାରିତ କରି, ବିଧାନସଭାର ସ୍ବାଧୀକାର ଭଙ୍ଗ କରିଛନ୍ତି ତାହା ବିଧାନସଭାର ଆଗାମୀ ଅଧିବେଶନ ସ୍ଥିର କରିବା ଆବଶ୍ୟକ ।

ବିଧାନସଭାର ଅପରିହାର୍ଯ୍ୟ ଦାୟିତ୍ବ

ଯଦି ଓଡିଶା ବିଧାନସଭା ଏହି ଅପରିହାର୍ଯ୍ୟ ଦାୟିତ୍ବ ନତୁଲାଏ , ତେବେ ଜୀଇଁ ଥାଉଁ ଥାଉଁ ଏହା ଏକ ମଲା ବିଧାନସଭା ବୋଲି ମନେହେବ । ଯଦି ଏ ବିଧାନସଭାଟି ପ୍ରକୃତରେ ମରିନଥାଏ, ତେବେ ଏହାକୁ ଆଉ ଏକ ଅଧିକ ଦାୟିତ୍ବ ନିର୍ବାହ କରିବାକୁ ହେବ । ତାହା ହେଲା, ଏହି ବିବାଦୀୟ ସଂଶୋଧନ ମାଧ୍ୟମରେ ଓଡିଶା ସରକାରୀ ଭାଷା ଆଇନଟିକୁ ମାରିଦେବାପାଇଁ ଯେଉଁ ବ୍ୟବସ୍ଥା ଖଞ୍ଜା ହୋଇଛି ବିଧେୟକଟିରେ ତାହାର ମୁଳୋତ୍ପାଟନ । ଆଇନଟି ସାରା ଓଡ଼ିଶା ପାଇଁ ପ୍ରବର୍ତ୍ତିତ ଏବଂ ଓଡ଼ିଶାର ସମସ୍ତ ଓ ପ୍ରତ୍ୟେକ ଦପ୍ତରରେ ସରକାରୀ ଭାଷା ହିଁ ଓଡ଼ିଆ ଭାଷା ବୋଲି ଯେଉଁ ଅନୁବନ୍ଧ ଅଛି ତାହାକୁ “ବ୍ୟାପକ ବ୍ୟବହାର” (extensive use) ପରି ଧୂର୍ତ୍ତ ଶବ୍ଦ ଦ୍ଵାରା ସଂକୁଚିତ କରିଛି ଏହି ଅଯୌକ୍ତିକ ତଥା ଜାଲିଆତୀପ୍ରସୁତ ସଂଶୋଧନ । ଭାଷା ଆନ୍ଦୋଳନ ପକ୍ଷରୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଏହା ଅବଗତ କରାଯାଇ ଏହି ପ୍ରମାଦପୂର୍ଣ ସଂଶୋଧନକୁ ପୁନଃ ସଂଶୋଧନ ଦ୍ଵାରା ଭାଷା ଆଇନଟିକୁ ନିର୍ଭୁଲ କରାଇବା ପାଇଁ ଅନୁରୋଧ କରାଯାଇଛି ।

ଆମ ବିଧାନ ପ୍ରଣୟନ ସଭା ଏହି ପ୍ରେକ୍ଷାପଟରେ ତାର ଦାୟିତ୍ବ ନିଵାହ କରିବା ଆବଶ୍ୟକ ।

ଓଡ଼ିଆ ଜାତି ବିରୁଦ୍ଧରେ ଉଭୟ ସରକାର ଓ ବିଧାନସଭାର ପ୍ରବଞ୍ଚନା ପ୍ରତି ଜନସଚେତନତା ହିଁ ପୁନଶ୍ଚ କଳାପତାକା ଅଭିଯାନର ମୂଳ ଲକ୍ଷ୍ୟ । ଏହି ଉଭୟ ସାମ୍ବିଧାନିକ ସଂସ୍ଥା ଯେତେଶୀଘ୍ର ସୁଧୁରିଯିବେ, ସେତେ ମଙ୍ଗଳ ।