ଭାଷା ବିରୋଧୀ ନିୟମାବଳୀ ଲୋପ ହେଉ, ଓଡ଼ିଆରେ କାମ ନକରିବା ବ୍ୟକ୍ତି ବିରୁଦ୍ଧରେ ମାମଲା କରିବାର ଅଧିକାର ପ୍ରତି ଓଡ଼ିଆକୁ ପ୍ରାପ୍ତ ହେଉ

ନିଉଜ ସିଣ୍ଡିକେଟ
ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଓଡ଼ିଶା ସରକାରୀ ଭାଷା ନିୟମାବଳୀ ଓଡ଼ିଆ ଭାଷା ପ୍ରତି ବିପଜ୍ଜନକ ହୋଇଥିବା ହେତୁ ତାହାକୁ ତୁରନ୍ତ ଲୋପ କରିବା ପାଇଁ ଓ ଓଡ଼ିଆରେ କମ କରୁନଥିବା ବ୍ୟକ୍ତି ବିରୁଦ୍ଧରେ ଦଣ୍ଡ ବିଧାନ ମାମଲା କରିବାକୁ ପ୍ରତ୍ଯେକ ଓଡ଼ିଆଙ୍କୁ ଅଧିକାର ଦିଆଯାଇ ସାନି ବିଧାନ ପ୍ରଣାୟକ କରିବାକୁ ଆଜି ଭୁବନେଶ୍ବର ନେହେରୁ ଯୁବ ପ୍ରତିଷ୍ଠାନରେ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଆହ୍ଵାନ ଦେଇଛନ୍ତି ।

ସେ କହିଛନ୍ତି,

ଓଡ଼ିଆ ସରକାରୀ ଭାଷା (ସଂଶୋଧନ) ନିୟମାବଳୀ, ୨୦୧୯ ଓଡ଼ିଆ ଜାତିର ଭାଷା ଅଧିକାରକୁ ବିପଦାପନ୍ନ କରୁଛି । ମୁଁ ତା’ର ତୁରନ୍ତ ବିଲୋପନ ଦାବି କରୁଛି ।
ଓଡ଼ିଆ ଜାତିର ସମସ୍ତ ଦାପ୍ତରିକ କାମ ଓଡ଼ିଆ ଭାଷାରେ ହେବା ସକାଶେ ଓଡ଼ିଆ ଜାତି ୧୮୭୦ରୁ ୧୯୩୬ ପର୍ଯ୍ୟନ୍ତ ସଂଗ୍ରାମ କରି ଓଡ଼ିଶା ପ୍ରଦେଶ ସୃଷ୍ଟ କରିଛି । ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ହେଲା ଓଡ଼ିଆରେ ଶାସନ ।
ସେହେତୁ, ସ୍ଵାଧୀନତା ଲାଭ ପରେ ଏହି ଉଦ୍ଦେଶ୍ୟ କାର୍ଯ୍ୟକାରୀ କରିବାକୁ ଓଡ଼ିଶାର ପ୍ରଥମ ବିଧାନସଭା ୧୯୫୪ରେ ଓଡ଼ିଶା ସରକାରୀ ଭାଷା ଆଇନ ପ୍ରଣୟନ କରିଥିଲା । ଏହି ଆଇନର ଧାରା ୧ର ଉପଧାରା (୨) ଓ ଉପଧାରା (୩) ବଳରେ ଏହା ସମଗ୍ର ଓଡ଼ିଶାରେ ତତ୍କାଳ ବଳବତ୍ତର ହୋଇଥିଲା । ଏହାର ଧାରା ୨ର ଉପଧାରା (୧) ଅନୁସାରେ ଓଡ଼ିଶାରେ ସମ୍ପୂର୍ଣତଃ ସମସ୍ତ ଓ ଯେକୌଣସି ଦାପ୍ତରିକ କାମ ଓଡ଼ିଆରେ ହେବା ଧାର୍ଯ୍ୟ କରା ହୋଇଥିଲା ।
ମାତ୍ର ୨୦୧୯ରେ ରାଜ୍ୟ ସରକାର ଯେଉଁ ନିୟମାବଳୀ ପ୍ରବର୍ତ୍ତନ କରିଛନ୍ତି ତାହା ମୂଳ ଭାଷା ଆଇନ ସୃଷ୍ଟି କରିଥିବା ଏହି ଭାଷା ଅଧିକାରକୁ ପଣ୍ଡ କରୁଛି । ଯଥା, ନିୟମ ୫-କ (୧) ରେ ଅଛି, “ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର କରୁଥିବା କର୍ମଚାରୀଙ୍କୁ ପୁରସ୍କୃତ କରାଯିବ । ଏହାର ଅର୍ଥ ହେଲା , ଯେଉଁ କର୍ମଚାରୀମାନେ ସମ୍ପୂର୍ଣ ଭାବେ ଓଡ଼ିଆରେ କାମ ନ କରିବେ ସେମାନଙ୍କୁ ରାଜ୍ୟ ସରକାର ପୁରସ୍କାର ଦେବେ । ସେହିପରି ନିୟମ ୫-କ(୨) ଓଡ଼ିଆରେ କାମ ନକରିବା କର୍ମଚାରୀଙ୍କ ବିରୁଦ୍ଧରେ ଯେପରି କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇନପାରେ ତାର ବ୍ୟବସ୍ଥା କରିଛି । ଏଥିରେ କୁହା ହୋଇଛି “ଓଡ଼ିଆ ଭାଷାର ପର୍ଯ୍ୟାପ୍ତ ବ୍ୟବହାରରେ ବାରମ୍ବାର ଖିଲାପ କଲେ ,ଖିଲାପକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଓଡ଼ିଶା ବେସାମରିକ ସେବା ଅଧିନିୟମ, ୧୯୬୨ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ହେବ”। ଅଥଚ “ପର୍ଯ୍ୟାପ୍ତ ବ୍ୟବହାର” ସଜ୍ଞାୟିତ ହୋଇନାହିଁ କି “ବାରମ୍ବାର ଖିଲାପ” କାହାକୁ କୁହାଯିବ ତାହା ମଧ୍ୟ ସଜ୍ଞାୟିତ ହୋଇନାହିଁ । ଏପରି ଅବସ୍ଥାରେ , ଏହି ନିୟମାବଳୀରେ ଯେଉଁ କାର୍ଯ୍ୟାନୁଷ୍ଠାନ କଥା କୁହା ହୋଇଛି ତାହା ମଧ୍ୟ ହେବ ନାହିଁ ।
“ଓଡ଼ିଶା ବେସାମରିକ ସେବା ଅଧିନିୟମ, ୧୯୬୨ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ହେବ” ବୋଲି ଯାହା କୁହା ହୋଇଛି, ତାହା ନୂଆ ବୋତଲରେ ପୁରୁଣା ମଦ । ୧୯୬୩ରେ ବିଜୁ ପଟ୍ଟନାୟକ ଓଡ଼ିଆ ଭାଷାକୁ ଛୁରି ମାରି ଭାଷା ଆଇନରେ ସଂଶୋଧନ ଦ୍ଵାରା ଇଂରାଜୀ ଭାଷାକୁ ଓଡ଼ିଶା ଉପରେ ନଦି ଦେବା ପରେ ସରକାରୀ ଭାଷା ଭାବେ ଓଡ଼ିଆ ଭାଷା ଯେଉଁ ସଙ୍କଟର ସମ୍ମୁଖୀନ ହୋଇଥିଲା ତହିଁର ପ୍ରତିକାର ପାଇଁ ରାଜେନ୍ଦ୍ରନାରାୟଣ ସିଂହ ଦେଓଙ୍କ ସରକାର ୬।୪।୧୯୬୮ ତାରିଖରେ ୭୧୧୩ ସଂଖ୍ୟକ ଅଧିସୂଚନା ଜାରିକରିଥିଲେ, ଯେଉଁଥିରେ ଲେଖା ହୋଇଥିଲା, ୧୪।୪।୧୯୬୮ ତାରିଖରୁ ଯେଉଁମାନେ ଓଡ଼ିଆରେ କାମ ନ କରିବେ ସେମାନଙ୍କ ବିରୁଦ୍ଧରେ ଓଡ଼ିଶା ବେସାମରିକ ସେବା ଅଧିନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ । ଏପରି ବହୁ ବାର ଏହି ଏକା ଆଦେଶ ହୋଇଛି । ଆଜିଯାଏଁ କାହାରି ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । କାରଣ ଆଇନ ଅମାନ୍ୟକାରୀ କୌଣସି କର୍ମଚାରୀ ନିଜକୁ ନିଜେ ଦଣ୍ଡିତ କରେନାହିଁ ।
ତେଣୁ ଓଡ଼ିଆରେ କାମ ନକରିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନର ଅଧିକାର ସାଧାରଣ ଲୋକର ରହିବା ଆବଶ୍ୟକ । ଭାଷା ଅଧିକାର ଏକ ସହଜାତ ଅଧିକାର ହୋଇଥିବା ହେତୁ , ଏହା ଏକ ଅଲିଖିତ ମୌଳିକ ଅଧିକାର । ଅନ୍ୟ ମୌଳିକ ଅଧିକାରର ସୁରକ୍ଷା ସକାଶେ ଯେକୌଣସି ବ୍ୟକ୍ତି ବିଧିକ ପଦକ୍ଷେପ ନେବା ପାଇଁ ଯେମିତି ଅଧିକୃତ, ଠିକ ସେମିତି ଭାଷା ଅଧିକାରର ଖଣ୍ଡନ ହେଲେ ତା ବିରୁଦ୍ଧରେ ବିଧିକ ପଦକ୍ଷେପ ନେବା ପାଇଁ ଯେକୌଣସି ଓଡ଼ିଆ ଆଇନତଃ ଅଧିକୃତ ହେବା ଦରକାର ।

ଭାଷା ନିୟମାବଳୀକୁ ଭାଷା ଆନ୍ଦୋଳନ ପ୍ରତ୍ୟାଖ୍ୟାନ କଲା, ଆନ୍ଦୋଳନ ଚାଲିଲା

ନିଉଜ ସିଣ୍ଡିକେଟ

ଦୁଇଜଣ ଦଲାଲଙ୍କୁ ଲଗାଇ ଓଡ଼ିଆ ଜାତିକୁ ପ୍ରତାରିତ କରିବା ପାଇଁ ସରକାର ଯେଉଁ ଉଦ୍ୟମ କରିଥିଲେ ତାହା ଫସରଫାଟି ଯାଇଛି । ଯେଉଁ ନିୟାମବଳୀକୁ ଅଶୁଦ୍ଧ ବୋଲି କହି ଭାଷା ଆନ୍ଦୋଳନ ତାହାକୁ ମଞ୍ଜୁରୀ ନ ଦେବାକୁ ରାଜ୍ୟପାଳଙ୍କୁ କହିଥିଲା, ସେହି ଅଶୁଦ୍ଧ ନିୟମାବଳୀକୁ ରାଜ୍ୟପାଳ ମଞ୍ଜୁରୀ ଦେଇଛନ୍ତି ଓ ତାହା ତତ୍କାଳ ଅଧିସୂଚନା ଦ୍ଵାରା ପ୍ରବର୍ତ୍ତିତ ହୋଇଛି ।

ଯଦି ଜୁଲାଇ ୧୭ରେ ଭାଷା ଆଂଦୋଳନର ସଭାପତିମଣ୍ଡଳୀ ଆହ୍ଵାନରେ ଅନୁଷ୍ଠିତ ମାତୃଭାଷାପ୍ରେମୀ ସମ୍ମିଳନୀରେ ଆମ ଭାଷାକୁ ମାରିଦେବାପାଇଁ ଚାଲିଥିବା ସରକାରୀ ଚକ୍ରାନ୍ତକୁ ଭର୍ତ୍ସନା କରାଯାଇନଥାନ୍ତା ଏବଂ “ଆମ ଭାଷା ଆମ ଅଧିକାର” ଗୋଷ୍ଠୀ ଭାଷା ଆଂଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଏକ ସମୀକ୍ଷାତ୍ମକ ଭିଡ଼ିଓ ପ୍ରକାଶ କରିନଥାନ୍ତେ ତେବେ ହୁଏତ ଏ ନିୟମାବଳୀ ଏଯାଏଁ ରାଜ୍ୟପାଳଙ୍କ ମେଜ ଉପରକୁ ଆସିନଥାନ୍ତା । ଜୁଲାଇ ୧୭ ତାରିଖର ସମ୍ମିଳନୀ ତଥା ସୁଭାଷ ବାବୁଙ୍କ ସାକ୍ଷାତ୍କାର ସରକାରଙ୍କୁ ଏତେ ଅତର୍ଚ୍ଛାଇ ଦେଇଛି ଯେ, ନିସ୍ତାର ପାଇବା ପାଇଁ ପୋଷାମନା ଦଲାଲମାନଙ୍କୁ ଡାକି ସେହିମାନଙ୍କ ଦ୍ଵାରା ଭାଷା ନିୟମାବଳୀ ସଂଶୋଧନ ହୋଇଥିବା କଥା ସରକାର ପ୍ରଚାର କରାଇଛନ୍ତି । ଜନଚେତନରୁ ଜୁଲାଇ ୧୭ ମାତୃଭାଷାପ୍ରେମୀ ସମ୍ମିଳନୀ ଓ “ଆମ ଭାଷା ଆମ ଅଧିକାର” ପ୍ରସାର କରିଥିବା ଭିଡ଼ିଓର ପ୍ରଭାବ ହ୍ରାସ କରିବା ପାଇଁ ଏହା ଯୋଜନା ଅନୁସାରେ କରାଯାଇଥିବା ଏବେ ସମସ୍ତଙ୍କର ହୃଦ୍ବୋଧ ହେଲାଣି । ଏହି ପ୍ରେକ୍ଷାପଟରେ ନିୟମାବଳୀ ସଂଶୋଧନର ସରକାରୀ ନାଟକକୁ ଭାଷା ଆନ୍ଦୋଳନ ପ୍ରତ୍ୟାକ୍ୟାନ କରିଛି ଓ ଯଥାପୂର୍ବ କଳା ପତାକା ଅଭିଯାନ ଚାଲୁରହିଛି ।

ଆଜି ଥିଲା ତ୍ରିରଙ୍ଗା ପତାକାର ଦିବସ । ତେଣୁ, ଭାଷା ଆନ୍ଦୋଳନର କଳାପତାକା ରାଜଧାନୀରେ ବନ୍ଦ ଥିଲା ସବୁଥର ପରି । ଓଡ଼ିଆ ଭାଷାଜନନୀର ଶ୍ରେଷ୍ଠ ସନ୍ତାନମାନଙ୍କ ହାତରେ ଥିଲା ଦୁଇଟି ଫଳକ । ଗୋଟିକରେ ଲେଖା ଥିଲା –

“ସରକାରୀ ଷଡ଼ଯନ୍ତ୍ର ବନ୍ଦ ହେଉ
ଭାଷା ଆଇନ ନିର୍ଭୁଲ ହେଉ ”

ଓ ଅନ୍ୟଟିରେ ଲେଖା ହୋଇଥିଲା –

“ଓଡ଼ିଶା ଗଠିତ ଓଡ଼ିଆ ପାଇଁ
ଇଂରେଜୀ ରାଜୁତି ଚଳିବ ନାଇଁ ”

ଏକୁ ସଗର୍ବେ ଧାରଣ କରିଥିଲେ ଭାଇ ସୁଭାଷ ଚନ୍ଦ୍ର ପ୍ରଧାନ ଓ ଭାଇ ଶିଶିର କୁମାର ସାହୁ

ଭାଇ କମଳଲୋଚନ ନାୟକ ଆଜି ନେତୃତ୍ବ ଦେଇଥିଲେ । ସାଙ୍ଗରେ ଥିଲେ ବିଶିଷ୍ଟ ବୈଜ୍ଞାନିକ ଡଃ ଅଶୋକ ମିଶ୍ର ଓ କୃଷ୍ଣାନନ୍ଦ ସାହୁ ।

ଓଡ଼ିଆ ଜାତିକୁ ପ୍ରତାରିତ କରିବାକୁ ସରକାର ଯେତେ କଳକୌଶଳ ପ୍ରୟୋଗ କଲେ ସବୁ ବ୍ୟର୍ଥ ହୋଇଛି । ଆର୍ଥିକ ଫାଇଦା ପାଇଁ ସରକାରଙ୍କ ସହ ହାତ ମିଳାଇଥିବା ଦଲାଲ୍ ମାନେ ଭାଷା ଆନ୍ଦୋଳନର ନାମ ବ୍ୟବହାର କରି ଯେତେ ବୟାନ ଦେଲେ ମଧ୍ୟ ଓଡ଼ିଆ ଜାତି ତହିଁରେ ବିଭ୍ରାନ୍ତ ହେବାର ନାହିଁ ।

ସବୁ ଦିନପାଇଁ ଆମ ଭାଷାଜନନୀଙ୍କୁ ବିପଦମୁକ୍ତ କରିବାକୁ ଏ ଆନ୍ଦୋଳନ ଆଜି ଟପିଲା ୧୨୧୮ ଦିନ । ଏବଂ ଏ ଆନ୍ଦୋଳନ ଚାଲିବ ଯେଉଁଯାଏଁ ଆମ ଭାଷା ଆଇନରେ ଖଞା ହୋଇଥିବା ମାରକ ଧାରା ୪କ ବିଲୁପ୍ତ ନ ହୋଇଛି ଏବଂ ଓଡ଼ିଆବିରୋଧୀ ନିୟମାବଳୀ ପ୍ରତ୍ୟାହୃତ ହୋଇ ଆମ ଭାଷା ପାଇଁ ଅନୁକୂଳ ନିୟମାବଳୀ ପ୍ରଣୟନ ଓ ପ୍ରବର୍ତ୍ତନ ନ ହୋଇଛି ।

ଫୁଲବାଣୀରେ ମଧ୍ୟ ଆଜି କଳାପତାକା ଅଭିଯାନ ଯଥାପୂର୍ବ ଅନୁଷ୍ଠିତ ହୋଇଛି । ଭାଷା ଆନ୍ଦୋଳନକୁ ସମର୍ଥନ କରି ସରକାରୀ ତଞ୍ଚକତା ବିରୁଦ୍ଧରେ ପ୍ରତିବାଦ କରିଛନ୍ତି ଓଡ଼ିଆ ମାଟିର ତିନି ଶ୍ରେଷ୍ଠ ସନ୍ତାନ ସର୍ବଶ୍ରୀ ଅଶୋକ ପରିଡ଼ା, କାହ୍ନୁ ଚରଣ ଶତପଥୀ ଓ ସୁରେନ୍ଦ୍ର ମହାନ୍ତି ।

ସରକାର ସୁଧୁରି ଯାଆନ୍ତୁ ।

ଲଜ୍ଜ୍ୟା ! ଭାଷା ନିଯମାବଳୀ ଓଡ଼ିଆ ବିରୋଧୀ ହୋଇଥିଲେ ବି ସରକାରୀ ଦଲାଲମାନଙ୍କ ଦ୍ଵାରା ତାର ପ୍ରଶଂସା

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଲଜ୍ଜା ! ଭାଷା ଆନ୍ଦୋଳନ ବନ୍ଦ ହୋଇ ସାରିଛି ବୋଲି ସରକାରଙ୍କୁ ଅବଗତ କରାଇ ଆର୍ଥିକ ଫାଇଦା ଅର୍ଜନ କରିଥିବା ପ୍ରଦ୍ୟୁମ୍ନ ଶତପଥୀ, ପବିତ୍ର ମହାରଥା ଓ ତାଙ୍କଦ୍ଵାରା ଦିଗଭ୍ରଷ୍ଟ ମୁଷ୍ଟିମେୟ ବ୍ୟକ୍ତି ଓଡ଼ିଆ ଭାଷାର ଏକ ଘୋର କ୍ଷତିକାରକ ସଂଶୋଧନକୁ ପୁନଶ୍ଚ ସ୍ଵାଗତ ଜଣାଇ ଓଡ଼ିଆ ଜାତିକୁ ବିଭ୍ରାନ୍ତ କରିବା ପାଇଁ ଭାଷା ଆଂଦୋଳନର ନାମ ବ୍ୟବହାର କରିଛନ୍ତି ଓ ଗଣମାଧ୍ୟମର ଦୁରୁପଯୋଗ କରିଛନ୍ତି ।

ସରକାରଙ୍କ ଏହି ତୋଷାମଦିଆମାନେ ମଧୁବାବୁଙ୍କ ଉକ୍ତି “ତୋଷାମଦିଆର କୁକୁର ପ୍ରକୃତି ଅଇଁଠାପତରେ ଧ୍ୟାନ” ବୁଝିପାରିବେ କି ନାଁ କିଏ କହିବ? ଏମାନେ ଏତିକି ବୁଝିପାରୁନାହାନ୍ତି ଯେ, ସରକାରଙ୍କ ପୋଷାମାନି ୧୬.୭.୨୦୧୮ସନ୍ଧ୍ୟାରେ ଏମାନେ କଳାପତାକା ଅଭିଯାନ ବନ୍ଦ ରଖିବାକୁ ଭାଷା ଆନ୍ଦୋଳନ ନିଷ୍ପତ୍ତି କରିଛି ବୋଲି ଏହି ପରି ଗଣମାଧ୍ୟମରେ ଯେଉଁ ପ୍ରଚାର କରିଥିଲେ ତାହା ଏମାନଙ୍କ ଅଧିକାର ବହିର୍ଭୂତ ଥିଲା ବୋଲି ଓଡ଼ିଆ ଜାତି ସାବ୍ୟସ୍ତ କରିଛି ଓ ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ଏ ଅନନ୍ୟ ଆନ୍ଦୋଳନ ଚାଲିଛି ।

ଏହି ଆନ୍ଦୋଳନରେ ଓଡ଼ିଶାର ଶ୍ରେଷ୍ଠ ସନ୍ତାନମାନେ ପ୍ରତିଦିନ କଳା ପତାକା ଅଭିଯାନ ଚଳାଇ ଭାଷା ମାଆର ସ୍ଵାର୍ଥ ପାଇଁ ଚାପ ପ୍ରୟୋଗ କରିଚାଲିଛନ୍ତି ଓ ଏହି ଚାପରେ ସରକାର ୨୦୧୮ସେପ୍ଟେମ୍ବରରେ ପୁଣି ଥରେ ଭାଷା ଆଇନ ସଂଶୋଧନ କରିଛନ୍ତି ଓ ୨୦୧୯ରେ ନିଯମାବଳୀ ସଂଶୋଧନ କରିଛନ୍ତି । ଏହା ହୋଇଛି ଲାଗିରହିଥିବା ଆନ୍ଦୋଳନର ପ୍ରଭାବରେ ।

କିନ୍ତୁ ଏକୁ ବି ଆମେ ଗ୍ରହଣ କରୁନାହୁଁ । ୨୦୧୮ରେ ହୋଇଥିବା ଭାଷା ଆଇନ ସଂଶୋଧନ ପ୍ରତ୍ୟାହୃତ ହୋଇ ସେହି ପ୍ରମାଦପୂର୍ଣ ସଂଶୋଧନ ମାଧ୍ୟମରେ ଖଞ୍ଜା ହୋଇଥିବା ୪କ ଧାରାର ବିଲୋପନ ନ ହେଲେ ଏବଂ ୨୦୧୬ ନିଯମାବଳୀ ସମ୍ପୂର୍ଣ ବିଲୁପ୍ତ ହୋଇ ୨୦୧୫ରେ ମୁଁ ଦେଇଥିବା ବିଧାନ ଅନୁରୂପେ ନିୟମାବଳୀ ପ୍ରଣୀତ ଓ ପ୍ରବର୍ତ୍ତିତ ନ ହେଲେ ଆମ ଭାଷା କେବେ ବି ବିପଦମୁକ୍ତ ହେବ ନାହିଁ ।

ଏମାନଙ୍କୁ ପୋଷା ମନାଇଲା ପରେ ମୁଁ ଦେଇଥିବା ବିଧାନକୁ ଲୋକ ଚକ୍ଷୁରୁ ଲୁଚାଇ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୋପନ ଆଦେଶରେ ସମ୍ପୃକ୍ତ ୱେବ ସାଇଟକୁ ସରକାର ଅଚଳ କରି ଦେଇଥିଲେ । ଗତମାସ ୧୭ ତାରିଖରେ ଭାଷା ଆନ୍ଦୋଳନ ଦ୍ଵାରା ଆହୂତ ମାତୃଭାଷାପ୍ରେମୀ ସମ୍ମିଳନୀରେ ଏ ସମ୍ପର୍କରେ ବ୍ୟାପକ ଚର୍ଚ୍ଚା ହୋଇ ତୁରନ୍ତ ତାହାକୁ ସର୍ବସାଧାରଣଙ୍କ ପାଇଁ ଉପଲଭ୍ୟ କରିବାକୁ ପ୍ରସ୍ତାବ ଗୃହୀତ ହେବା ପରେ ସରକାର ବାଧ୍ୟ ହୋଇଛନ୍ତି ତାହା ଉପରୁ ନିଷେଧାଦେଶ ପ୍ରତ୍ୟାହାର କରିବାକୁ । ଆପଣମାନେ ସମସ୍ତେ ଏବେ odia.odisha.gov.in ଖୋଲି ତା ଭିତରେ ମୁଁ ଦେଇଥିବା ପ୍ରସ୍ତାବିତ ନିଯମାବଳୀ ଦେଖିପାରିବେ, ଯାହାକୁ ଭଣ୍ଡୁର କରିବା ପାଇଁ ନବୀନ ପଟ୍ଟନାୟକ ଏହି ବିଶ୍ବାସଘାତକମାନଙ୍କୁ ଥୋପ ଗିଳାଇଥିଲେ ।

ମୁଁ ଲଜ୍ଜିତ ଯେ, ଏମାନେ ଏକଦା ମୋର ସହକର୍ମୀ ଥିଲେ । ଏମାନଙ୍କ ବିଷାକ୍ତ ଚରିତ୍ର ସମ୍ପର୍କରେ ମୋତେ ବହୁ ବନ୍ଧୁ ସତର୍କ କରାଇଦେଇଥିଲେ । କିନ୍ତୁ ଏମାନେ ମୋର ଏତେ ଅନୁଗତ ଥିଲେ ଯେ, ମୁଁ ବିଶ୍ଵାସ କରିପାରୁନଥିଲି ଯେ, ଭିତରେ ଭିତରେ ଏମାନେ ନିଜ ଅର୍ଥୀକ ଫାଇଦା ପାଇଁ ସରକାରଙ୍କ ଶ ହାତ ମିଳାଇ ଥିଲେ । ଏମାନଙ୍କ ମୋତେ ସତର୍କ କରାଇ ଦେଇଥିବା ବନ୍ଧୁମାନଙ୍କ କଥା ମୁଁ ଯଦି ମାନିଥାନ୍ତି, ତେବେ ମୁଁ ପ୍ରତିଷ୍ଠା କରିଥିବା ଭାଷା ଆନ୍ଦୋଳନକୁ ନିଜ ଆନ୍ଦୋଳନ କହି ଏବେ ବି ଏମାନେ ଏତେ ନିର୍ଲ୍ଲଜ ଭାବେ ଓଡ଼ିଆ ବିରୋଧୀ ଏକ ସରକାରୀ ଷଡ଼ଯନ୍ତ୍ରକୁ ଏପରି ସ୍ଵାଗତ ଜଣାଇ ନଥାନ୍ତେ ।

ପ୍ରିୟ ଭାଇ ଓ ଭଉଣୀମାନେ, ଆମ ଲୋକମାନଙ୍କୁ ପ୍ରତାରିତ କରିବା ପାଇଁ ଏମାନେ ସରକାରଙ୍କ ଠିକା ନେଇଛନ୍ତି । କଣ ସଂଶୋଧନ ହେଲା ଏମାନେ ଜାଣନ୍ତି ନାହିଁ । ଏମାନଙ୍କୁ ମୁଁ ବାରମ୍ବାର ଖୋଲା ବିତର୍କକୁ ଆହ୍ଵାନ କରିଛି । ଏମାନେ କେବେ ବିତର୍କକୁ ଆସିନାହାନ୍ତି । ମୁଁ ଯେଉଁ ବିଧାନ ପ୍ରସ୍ତାବ କରିଥିଲି ତଦନୁଯାୟୀ ୨୦୧୬ ମଇ ମାସରେ ସରକାର ଆଇନ ସଂଶୋଧନ କଲେ । ମାତ୍ର ମୁଁ ଦେଇଥିବା ନିୟମାବଳୀକୁ ବିଧିଭୁକ୍ତ ନ କରିବା ପାଇଁ ସେ ବର୍ଷ ଅଗଷ୍ଟ ୧୨ ତାରିଖରେ ଯେଉଁ ନିୟମାବଳୀ କଲେ ତହିଁରେ ଆମ ଭାଷାକୁ ମାରିଦେବାର ବୀଜ ରୋପିତ ହୋଇଥିଲା । ତାକୁ ମୁଁ ସମ୍ପୂର୍ଣ ବିରୋଧ କରିବା ଫଳରେ ୨୦୧୮ରେ ମୂଳ ଆଇନଟିକୁ ଖର୍ବ କରିବା ପାଇଁ ଭାଷା ଆଇନର ସଂଶୋଧନ କରାଗଲା ଓ ତହିଁରେ ଥିବା ତ୍ରୁଟିକୁ ମୁଁ ଧରା ପକାଇ ଦେବା ଫଳରେ ସରକାର ଆର୍ଥିକ ମାୟାଜାଲରେ ପବିତ୍ର-ପ୍ରଦ୍ୟୁମ୍ନ ଯୋଡ଼ିଙ୍କୁ କଏଦ କରି ଆମ ଜାତି ବିରୁଦ୍ଧରେ ପ୍ରୟୋଗ କରୁଛନ୍ତି । ଏହି ଭୟଙ୍କର ଦୁର୍ନୀତି ଉପରେ ମୁଁ ତ bhashaandolan.com ଓ orissamatters.com ତଥା ଏହି ସାମାଜିକ ଗଣମାଧ୍ୟମରେ ସମସ୍ତ ତଥ୍ୟପ୍ରମାଣଭିତ୍ତିକ ଆଲୋଚନା ରଖୁଛି । ଆହୁରି ବି ରଖିବି , କାରଣ ଆମ ଭାଷା ଆମ ମା ଓ ତାକୁ ବିପଦମୁକ୍ତ କରିବା ଆମ କର୍ତ୍ତବ୍ୟ ।

ଡ॰ ଅଶୋକ ମିଶ୍ର , ସୁଭାଷ ଚନ୍ଦ୍ର ପ୍ରଧାନ, କମଳ ଲୋଚନ ନାୟକ, ଗିରିଜାକାନ୍ତ ମିଶ୍ର, ଅର୍ଜୁନ ଚରଣ ସାମନ୍ତରାୟ, ଧ୍ରୁବ ଚରଣ ମହାନ୍ତି ପ୍ରମୁଖଙ୍କୁ ନେଇ ଗଠିତ ଭାଷା ଆଂଦୋଳନର କର୍ମରତ ସଭାପତିମଣ୍ଡଳୀ ଖୁବ ଶୀଘ୍ର ଏହି ତଞ୍ଚକତା ଉପରେ ଗଣମାଧ୍ୟମକୁ ଅବଗତ କରାଇବ ।

ସେ ପର୍ଯ୍ୟନ୍ତ, ଦିଦିନ ତଳେ ଜାରି ହୋଇଥିବା ମୋର ଏହି ଭିଡିଓଟି ଦେଖନ୍ତୁ ଓ ଏହି ଚାଣୁର ମୁଷ୍ଟିକ ଯୋଡ଼ିଙ୍କ କବଳରୁ ନିଜ ଭାଷା ଜନନୀଙ୍କୁ ରକ୍ଷା କରିବା ପାଇଁ କ୍ରମାଗତ କଳା ପତାକା ଅଭିଯାନକୁ କିପରି ସମ୍ପ୍ରସାରିତ କରାଯିବ ସେଥିପାଇଁ ମନ ସ୍ଥିର କରନ୍ତୁ ।

ଏ ଆଂଶିକ ବିଜୟ ସମ୍ପୂର୍ଣ ଓଡିଆ ଜାତିର:ଆମ ଭାଷା ଅଧିକାର ପାଇଁ ଜୁଲାଇ ୧୭, ୨୦୧୮ ଠାରୁ ଆରମ୍ଭ ହୋଇଥିବା ଗ୍ରହମୁକ୍ତ ଭାଷା ଆନ୍ଦୋଳନର ଏକ ବିରାଟ ବିଜୟ ଦୃଷ୍ଟିଗୋଚର ହୋଇଛି । ଗତ ମାସ ଜୁଲାଇ ୧୭ ତାରିଖରେ ଲୋହିଆ ଏକାଡେମୀ ଠାରେ ଅନୁଷ୍ଠିତ ଭାଷା ପ୍ରେମୀ ସମ୍ମିଳନୀରେ ଗୃହିତ ହୋଇଥିବା ଚାରୋଟି ପ୍ରସ୍ତାବରୁ ସରକାର ଗୋଟିଏ ପ୍ରସ୍ତାବକୁ ଛାନିଆ ହୋଇ ପୂରଣ କରିଛନ୍ତି । ବର୍ତ୍ତମାନ, ଓଡିଆ ଭାଇ ଭଉଣୀ ମାନଙ୍କ ପାଇଁ ଅନ୍ଧାକାର ଅପସରି ଯାଇଛି, ତାଙ୍କୁ ସରକାର ବା ତାଙ୍କ ଦଲାଲ ମାନେ ଆଉ ଭୁଆଁ ବୁଲାଇ ପରିବେନି । କ'ଣ ଥିଲା ସେ ଅନ୍ଧକାର ? କାହିଁକି ରଚା ଯାଇଥିଲା ସେ ଅନ୍ଧକାର ? କିଏ ରଚିଥିଲା ସେ ଅନ୍ଧକାର ? କେଉଁମାନେ ସେ ଅନ୍ଧକାର ରଚିବାରେ ସାହାଯ୍ୟ କରି ଆସୁଥିଲେ ? ସରକାରୀ ୱେବସାଇଟରେ ଆମ୍ବ ରୂପକ ନିୟମାବଳୀ ଦେଖେଇ, ଦଲାଲ ମାନଙ୍କ ସହଯୋଗରେ ଆମ୍ବେଡ଼ା ରୂପକ ନିୟମାବଳୀ ଦେଇ ଆଉ ଭଣ୍ଡ ମାନେ ଓଡିଆ ଜାତିକୁ ଭଣ୍ଡି ପାରିବେନି । ଶୁଣନ୍ତୁ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କୁ ଓ ନିରୂପଣ କରନ୍ତୁ ଆପଣଙ୍କ କର୍ତ୍ତବ୍ୟ । "ଦୂରୀଭୂତ ହେବ ଭାଷା ମା' ପାଇଁ ଅନ୍ଧକାରର ରାତି, ଉଠରେ ଉଠ ସୂର୍ଯ୍ୟ ପରି ଉଠ ଓଡ଼ିଆ ଜାତି ।"

Posted by ଆମ ଭାଷା ଆମ ଅଧିକାର on Monday, August 12, 2019

ମା ଓଡ଼ିଶାର ଏବଂ ମାତୃଭକ୍ତ ଓଡ଼ିଆ ଜାତିର ଜୟ ହେଉ ।

୧୨୧୭ ଦିନରେ ଭାଷା ଆନ୍ଦୋଳନ : ଭାଷାଜୀବୀମାନେ ଭାଷାନୁରକ୍ତ ହୁଅନ୍ତୁ

ନିଉଜ ସିଣ୍ଡିକେଟ
ଭାଷାଜୀବୀ ଓ ଭାଷାନୁରକ୍ତ ସମାନ ନୁହନ୍ତି । ସାହିତ୍ୟିକମାନେ , ଯେଉଁମାନେ ଆମ ଭାଷାକୁ ଉପଯୋଗ କରି ଅର୍ଥ ଉପାର୍ଜନ କରୁଛନ୍ତି ସେମାନେ ଭାଷାଜୀବୀ । ମାତ୍ର ଆମ ମାତୃଭାଷାକୁ ବିଦେଶୀ ଭାଷାର ଆଧିପତ୍ୟ କବଳରୁ ବଞ୍ଚାଇବା ପାଇଁ ଯେଉଁମାନେ ନିଜର ସମସ୍ତ ସୁଖ ସ୍ବାଚ୍ଛନ୍ଦ୍ୟ ଭୁଲି ପ୍ରତିଦିନ କଳାପତାକା ଅଭିଯାନ ଚଳାଇଛନ୍ତି ସେମାନେ ଭାଷାନୁରକ୍ତ ।

ଆମ ଭାଷାରେ ଆମ ରାଜ୍ୟ ପରିଚାଳନା ପାଇଁ ଚାଲିଥିବା ନିଶବ୍ଦ କଳାପତାକା ଅଭିଯାନର ଏଇ ୧୨୧୭ ଦିନରେ ଆଜି ଯେଉଁ ଦୁଇ ଶ୍ରେଷ୍ଠ ଓଡ଼ିଆ ନିଜର ଭାଷାନୁରକ୍ତି ପ୍ରଦର୍ଶନ କରିଛନ୍ତି ସେମାନେ ହେଲେ ଭାଇ କମଳ ଲୋଚନ ନାୟକ ଓ ଭାଇ ସୁଭାଷ ଚନ୍ଦ୍ର ପ୍ରଧାନ । ସମଗ୍ର ଓଡ଼ିଆ ଜାତି ସାଙ୍କେତିକତଃ ଏହି ଦୁଇ ଭାଇଙ୍କ ଭିତରେ ସଂସ୍ଥିତ । ଡ॰ ଅଶୋକ ମିଶ୍ର ଏହି ଉଭୟ ଭାଷାନୁରକ୍ତଙ୍କ ଫଟୋ ଉଠାଇ ଆପଣମାନଙ୍କ ପାଇଁ ପଠାଇଛନ୍ତି ।

ଫୁଲବାଣୀ

କଳାପତାକା ଅଭିଯାନ ଭୁବନେଶ୍ଵର ବାହାରେ ସବୁଠୁ ଅଧିକ ଦିନ ଚାଲିଛି ଫୁଲବାଣୀ ସହରରେ । ଆଜି ଭାଇ ଅଶୋକ ପରିଡ଼ା ଓ ସୁରେନ୍ଦ୍ର ମହାନ୍ତି ଓଡ଼ିଆ ଜାତିର ଭୀଷ୍ମ ପ୍ରତିଜ୍ଞା ଜଣାଇ ଦେଇଛନ୍ତି ସରକାରଙ୍କୁ, ଯାହା ଭାଶାନୁରକ୍ଟିର ଶକ୍ତିରେ ଶକ୍ତିମାନ ।

ଓଡ଼ିଶାର ଭାଷାଜୀବୀମାନେ ଯଦି ଭାଷାନୁରକ୍ତ ହୋଇପାରନ୍ତେ ଓଡ଼ିଆ ଭାଷା ତା ନିଜ ପରିସୃଷ୍ଟ ପ୍ରଦେଶରେ ସରକାରୀ ଷଡ଼ଯନ୍ତ୍ର କବଳରୁ ନିସ୍ତାର ପାଇପାରନ୍ତା ।

ବାରଶ ଷୋହଳ ଦିନରେ ଭାଷା ଆନ୍ଦୋଳନ : ସ୍ଵାକ୍ଷର ଢେଙ୍କାନାଳର

ନିଉଜ ସିଣ୍ଡିକେଟ
୧୩.୮.୨୦୧୯
ଇଂରେଜୀ କବଳରୁ ମୁକ୍ତି ପାଇଁ ଯେଉଁ ଢେଙ୍କନାଳ ଜିଲ୍ଲା ଦେଇଥିଲା ଭାରତକୁ କନିଷ୍ଠତମ ସହିଦ ବାଜି ରାଉତ, ଯେଉଁ ଢେଙ୍କନାଳ ଜିଲ୍ଲାର ବୀର ବୈଷ୍ଣବ ପଟ୍ଟନାୟକ ପ୍ରଜାମଣ୍ଡଳ ପ୍ରତିଷ୍ଠା କରି ରାଜୋଡ଼ା ବିଲୋପନର ପଥ ପରିଷ୍କାର କରିଥିଲେ କେବଳ ନୁହେଁ, ପାର୍ଲ୍ୟାମେଣ୍ଟରେ ଯୁଗାନ୍ତକାରୀ ଭାଷଣ ଦେଇ ରାଜାରାଜୁଡ଼ାଙ୍କ ହାତପାଣ୍ଠି ଓ ସ୍ବତନ୍ତ୍ର ଅଧିକାର ଲୋପ ପାଇଁ ପରିବେଶ ସୃଷ୍ଟି କରିଥିଲେ, ସେହି ବୀରପ୍ରସବିନୀ ଢେଙ୍କାନାଳର ତିନିଜଣ ବୀର ସନ୍ତାନ ଆଜି ଇଂରେଜୀ ଭାଷା କବଳରୁ ଆମର ମୁକ୍ତି ପାଇଁ କଳାପତାକା ଅଭିଯାନକୁ ଆଗେଇନେଇଛନ୍ତି ରାଜଧାନୀ ବକ୍ଷରେ ।

ଭାଇ ସୁଭାଷ ଚନ୍ଦ୍ର ପ୍ରଧାନ ଓ ଭାଇ କମଳ ଲୋଚନ ନାୟକଙ୍କ ହାତକୁ ଓଡ଼ିଆ ଭାଷାଜନନୀର ଏହି ବିଜୟଧ୍ବଜା ବଢେଇ ଦେଇଥିଲେ ବୈଜ୍ଞାନିକ ଡଃ ଅଶୋକ ମିଶ୍ର ।

ଆଜି ଥିଲା ଆମ ଜାତିର ଏହି ସର୍ବଶ୍ରେଷ୍ଠ ଆନ୍ଦୋଳନର ୧୨୧୬ତମ ଦିବସ ।

ଜନ୍ମନି ଜନ୍ମନି ତ୍ବମସି ଜନନୀ ଓଡ଼ିଆ ଜନନୀ, ଓଡ଼ିଆ ଜନନୀ ।।ଭାଷା ଜନନୀଙ୍କ ବିଜୟଯାତ୍ରା ଆଜି ଟପିଲା ୧୨୧୬ ଦିନ । ୧୩।୮।୨୦୧୯

Posted by Subhas Chandra Pattanayak on Tuesday, August 13, 2019

ଓଡ଼ିଆ ଜାତି ତାର ଅସ୍ମିତାପାଇଁ ସଂଗ୍ରାମରେ ଆଜିଯାଏଁ କେବେ ହାରି ନାହିଁ , ହାରିବ ବି ନାହିଁ ।
ଜୟ ମା ଓଡ଼ିଶା ।