ସରିଯାଇଥିବା ବିଧାନସଭା ଓ ଆମ ଭାଷା – ୩

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଯେଉଁ କ୍ୟାବିନେଟ୍ ପ୍ରସ୍ତାବକୁ ଜାଲିଆତି ବଳରେ ଏହି ସଂଶୋଧନ-ବିଧେୟକ ସହ ଯୋଡ଼ା ଯାଇଛି ସେହି ପ୍ରସ୍ତାବଟି ସହ ପ୍ରଣୀତ ସଂଶୋଧନର ଭାଷା ମିଳାଇ ଦେଖିଲେ ଏହି ଜାଲିଆତିର ଉତ୍କଟତା କେତେ ଉତ୍କଟ ଓ କିପରି ଇଚ୍ଛାକୃତ ତାହା ଜାଣି ହେବ । ଏଥିପାଇଁ, ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ବିଧେୟକଟିକୁ ବିଚାର ପାଇଁ ଉପସ୍ଥାପିତ କରି ସାଂସଦୀୟ ବ୍ୟାପାର ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କଣ କହିଥିଲେ,ତାହା ପ୍ରଥମେ ଦେଖାଯାଉ ।

ନଗ୍ନ ଜାଲିଆତି

ଶ୍ରୀ ଆରୁଖ କହିଥିଲେ,

“ସାର୍ , ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରୁଥିବା କର୍ମଚାରୀ ଏବଂ ବିଭାଗକୁ ପ୍ରୋତ୍ସାହିତ କରିବା ଏବଂ ଓଡ଼ିଆ ଭାଷା ବ୍ୟବହାରରେ ଖିଲାପକାରୀ କର୍ମଚାରୀ ଏବଂ ବିଭାଗକୁ ଦଣ୍ଡିତ କରିବା ଉଦ୍ଦେଶ୍ୟରେ ଆମ ରାଜ୍ୟ କ୍ୟାବିନେଟ୍ ତାଙ୍କର ତା୨୬.୧୨.୨୦୧୭ରିଖ ଦିନ ଅନୁଷ୍ଠିତ ୫୧ତମ ବୈଠକରେ ଓଡ଼ିଶା ସରକାରୀ ଭାଷା ଅଧିନିୟମ, ୧୯୫୪ରେ ଆବଶ୍ୟକୀୟ ସଂଶୋଧନ ଆଣିବାପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ । ତଦନୁଯାୟୀ ଏହି ଓଡ଼ିଶା ସରକାରୀ ଭାଷା ସଂଶୋଧନ ବିଧେୟକ, ୨୦୧୮ ଅଣାଯାଇଛି । ଏବଂ ଏହି ବିଧେୟକ ଆଇନରେ ପରିଣତ ହେଲେ ଉପରୋକ୍ତ ଉଦ୍ଦେଶ୍ୟ ସାଧିତ ହୋଇପାରିବ ।”

ସେ ଏହି ଯେଉଁ କଥା କହିଲେ, ତାହା ବିଧେୟକଟିରେ ଥିଲା କି ? ବିଧେୟକଟି ଓଡ଼ିଶା ସରକାରୀ ଭାଷା ଆଇନ, ୧୯୫୪ରେ କେବଳ ଗୋଟିଏମାତ୍ର ଧାରା ଯୋଡ଼ିବା ପାଇଁ ଉଦ୍ଦିଷ୍ଟ ଥିଲା । ସେହି ଧାରାଟି ହେଲା ଧାରା -୪କ । ମନ୍ତ୍ରୀଙ୍କ କଥା ସହ ଏହି ଧାରା ‘୪କ’ଟିକୁ ମିଳାଇଲେ ଏହି ଉତ୍କଟ ଜାଲିଆତି ଆଖିଆଗରେ ସ୍ପଷ୍ଟ ହୋଇଯାଏ । ଧାରାଟି ହେଲା:

“୪କ – ସରକାର, ସରକାରୀ ଭାଷାର ବ୍ୟାପକ ବ୍ୟବହାର ନିମନ୍ତେ ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ତଥା ସେଥିରେ ଖିଲାପ କରୁଥିବା ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ଦଣ୍ଡବିଧାନ କରିବା ସକାଶେ ନିୟମାବଳୀରେ ଉପଯୁକ୍ତ ବ୍ୟବସ୍ଥାମାନ ବିହିତ କରିପାରିବେ ।“

ଏହି ବିଧେୟକର ଭିତ୍ତି ଭାବେ ବ୍ୟବହାର କରାଯାଇଥିବା ପ୍ରସ୍ତାବଟିରେ “ବିଭାଗ ତଥା କର୍ମଚାରୀ” ଲେଖା ହୋଇଥିବା ବେଳେ, ମନ୍ତ୍ରୀ ଆରୁଖ ବି ସେହି ଏକା କଥା କହିଥିଲେ, କର୍ମଚାରୀ ଏବଂ ବିଭାଗକୁ ପ୍ରୋତ୍ସାହନ ବା ଦଣ୍ଡବିଧାନ କରାଯିବ ବୋଲି । କାରଣ ‘ତଥା’ ଯାହା ‘ଏବଂ’ ବି ତାହା । କିନ୍ତୁ ଯେଉଁ ୪କ ଧାରା ବିଧେୟକଟିରେ ସ୍ଥାନିତ ହୋଇଥିଲା ତହିଁରେ “କର୍ମଚାରୀ ଏବଂ ବିଭାଗ“ ଲେଖା ନ ହୋଇ ଲେଖା ହୋଇଥିଲା “କର୍ମଚାରୀ ବା ବିଭାଗ”“କର୍ମଚାରୀ ଏବଂ ବିଭାଗ“ କହିଲେ ଯାହା “କର୍ମଚାରୀ ବା ବିଭାଗ” କହିଲେ କଣ ତାହା ? ‘ତଥା’ ଶବ୍ଦଟିର ଅର୍ଥ ଯାହା, ‘ଏବଂ’ ଶବ୍ଦଟିର ଅର୍ଥ ସିନା ସେଇଆ , କିନ୍ତୁ ‘ବା’ ଶବ୍ଦଟିର ଅର୍ଥ କଣ ତାହା? ମନ୍ତ୍ରୀ ଆରୁଖ ତାଙ୍କ ଉପୋଦ୍ଘାତୀ ଭାଷଣ ଦେଲାବେଳେ ସେ ଗୃହୀତ ହେବାକୁ ଚାହୁଁଥିବା ୪କ ଧାରାର ସ୍ୱରୂପ ଦେଖିନଥିଲେ କି ବିଧାନସଭାକୁ ଅନ୍ଧକାରରେ ରଖିବା ମତଲବରେ ଏପରି ସମ୍ପୂର୍ଣ ବିଭ୍ରାନ୍ତିକରକ ମିଥ୍ୟା କଥା କହିଥିଲେ? ମନ୍ତ୍ରୀଙ୍କ ବଚନ ଓ ବିଧେୟକର ବଚନ ଦି ପ୍ରକାର କିପରି ହେଲା ? ଯଦି କୁହାଯାଏ ମୁଖ୍ୟମନ୍ତ୍ରୀ ଏ ବିଧେୟକ ପ୍ରସ୍ତୁତ କରିଥିଲେ, ମନ୍ତ୍ରୀ ଆରୁଖ କେବଳ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ତାକୁ ରୋବଟ ପରି ଥୋଇଥିଲେ ଓ ତେଣୁ ୪କରେ କଣ ଲେଖଥିଲା ଜାଣି ନଥିଲେ, ତେବେ ତାହା ସେ ସ୍ଵୀକାର କରନ୍ତୁ, ଆମେ ମୁଖ୍ୟମନ୍ତ୍ରୀଙ୍କୁ ପଚାରିବୁ, ଏହି ଜାଲିଆତି ସେ କରିଥିଲେ କାହିଁକି ତାହା ବିଳମ୍ବରେ ହେଲେ ମଧ୍ୟ ରାଜ୍ୟବାସୀଙ୍କୁ କହିବାକୁ ।

ମାତ୍ର ଏପରି ଦାୟିତ୍ଵ ଖସାଇବାକୁ ଚେଷ୍ଟା କଲେ ମଧ୍ୟ ଇତିହାସ ପାଖରେ ଆରୁଖ ଉତ୍ତରଦାୟୀ ହୋଇ ରହିବାକୁ ବାଧ୍ୟ । କାରଣ, ବିଧେୟକଟିରେ ୨୬.୧୨.୨୦୧୭ ପ୍ରସ୍ତାବର ବିପରୀତ ଶବ୍ଦ ବ୍ୟବହୃତ ହୋଇଥିଲା ବେଳେ, ସେ ସେହି କ୍ୟାବିନେଟ୍ ବ୍ୟବହାର କରିଥିବା “କର୍ମଚାରୀ ତଥା ବିଭାଗ” ଶବ୍ଦପୁଞ୍ଜକୁ ସମ୍ପୂର୍ଣତଃ ମନେ ପକାଇ “କର୍ମଚାରୀ ଏବଂ ବିଭାଗ” ବୋଲି ତାଙ୍କ ଭାଷଣରେ କହିଛନ୍ତି । ଯଦି ତାଙ୍କ ସ୍ମରଣ ଶକ୍ତି ଏପରିଭାବେ ଠିକ୍ ଥିଲା, ତେବେ ସେହି କ୍ୟାବିନେଟ୍ ପ୍ରସ୍ତାବକୁ ଅତିକ୍ରମ କରି ଭାଷା ଆଇନ ସଂଶୋଧନ ପାଇଁ ୧୪.୩.୨୦୧୮ ତାରିଖରେ ଯେଉଁ ନୂଆ ପ୍ରସ୍ତାବ ହୋଇଥିଲା, ସେହି ପ୍ରସ୍ତାବଟି ତାଙ୍କର ନିଶ୍ଚୟ ସ୍ମରଣ ଥିବା କଥା । ସୁତରାଂ ସେ ସେହି ପ୍ରସ୍ତାବ ଭିତ୍ତିରେ ବିଧେୟକଟି ନ ଆସି ଅତିକ୍ରାନ୍ତ କରାହୋଇସାରିଥିବା ୨୬.୧୨.୨୦୧୭ ତାରିଖର ପ୍ରସ୍ତାବ ଉପରେ କିପରି ଆଗତ ହୋଇଛି ବୋଲି ପ୍ରଥମେ ପ୍ରଶ୍ନ କରିଥାନ୍ତେ ଓ ୪କ ଧାରାର ତତ୍କାଳ ସଂଶୋଧନ କରାଇ, ସଂଶୋଧିତ ବିଧେୟକକୁ ବିଧାନସଭାରେ ପୁନଃ ସ୍ଥାପିତ କରାଇପାରିଥାନ୍ତେ । ସେ ତାହା କରିନଥିଲେ ଓ ଜାଣିଶୁଣି ବିଧାନସଭାକୁ ପ୍ରତାରିତ କରିଥିଲେ ।

ଏତଦ୍ଦୃଷ୍ଟିରୁ ଦେଖିଲେ ୧.୫.୨୦୧୮ ତାରିଖରେ ଭାଷା ଆଇନ ସଂଶୋଧନ ଆଳରେ ଯେଉଁ ନଗ୍ନ ଜାଲିଆତିର ଜାଲରେ ବିଧାନସଭାକୁ ଛନ୍ଦି ଦିଆଯାଇଥିଲା ତାର ଖଳନାୟକ ଯଦି ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାଙ୍କ ତରଫରୁ ବିଧାନସଭାକୁ ଭୁଆଁ ବୁଲାଇବାର ଦାୟିତ୍ଵ ନେଇ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉପଖଳନାୟକର ଭୂମିକା ନିର୍ବାହ କରିଥିଲେ । (କ୍ରମଶଃ)
(୨୮.୫.୨୦୧୮)

ସରିଯାଇଥିବା ବିଧାନସଭା ଓ ଆମ ଭାଷା -୨

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଆ ଜାତି ବିରୁଦ୍ଧର ଯେଉଁ କୁତ୍ସିତ ଅପରାଧ ଓଡ଼ିଶା ବିଧାନସଭାରେ ଘଟିଗଲା ତାହାର ସାମାନ୍ୟ ଆକଳନ କରିବା ପାଇଁ ଭାଷା ବିଧେୟକ ସହ ସେହି ଏକା ଦିନରେ ପାରିତ ହୋଇଥିବା ଅନ୍ୟ ବିଧେୟକଗୁଡ଼ିକୁ ଆମେ ମିଳାଇ ଦେଖିବା ଅକବଶ୍ୟକ ।

ଅନ୍ୟ ବିଧେୟକରେ ନ ଥିଲା, ଏଥିରେ ଥିଲା । କାହିଁକି?

ସେଦିନ ୧.୫.୨୦୧୮ ତାରିଖରେ ବିଧାନସଭା ସମ୍ମୁଖରେ ‘ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ବିଧେୟକ,୨୦୧୮’ ଏକ ମାତ୍ର ବିଧେୟକ ନ ଥିଲା । ଆହୁରି ୪ ଗୋଟି ବିଧେୟକ ସେଦିନ “ବିଚାର ଓ ପାରିତ” ହେବା ପାଇଁ ଥିଲା ଏବଂ ବିଚାର ବିତର୍କ ଶେଷରେ ପାରିତ ବି ହୋଇଥିଲା । ସେଗୁଡ଼ିକ ହେଲା – (୧) ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ (ସଂଶୋଧନ) ବିଧେୟକ, ୨୦୧୮; (୨) ଓଡ଼ିଶା ବିଧାନସଭା ବାଚସ୍ପତିଙ୍କ ଦରମା ଓ ଭତ୍ତା (ସଂଶୋଧନ) ବିଧେୟକ, ୨୦୧୮; (୩) ଓଡ଼ିଶା ବିଧାନସଭା ଉପବାଚସ୍ପତିଙ୍କ ଦରମା ଓ ଭତ୍ତା (ସଂଶୋଧନ) ବିଧେୟକ, ୨୦୧୮ ଓ (୪) ଓଡ଼ିଶା ମନ୍ତ୍ରୀମାନଙ୍କ ଦରମା ଓ ଭତ୍ତା (ସଂଶୋଧନ) ବିଧେୟକ, ୨୦୧୮ ।

କେଉଁ ତାରିଖରେ କେତେବେଳେ ଅନୁଷ୍ଠିତ କେଉଁ ସଂଖ୍ୟକ ମନ୍ତ୍ରୀମଣ୍ଡଳ ବୈଠକରେ ଗୃହୀତ ପ୍ରସ୍ତାବ ଅନୁସାରେ ସେଗୁଡ଼ିକ ଭିତରୁ କେଉଁ ବିଧେୟକ ପ୍ରସ୍ତୁତ ହୋଇଥିଲା ତାହା ଏହି ୪ ଗୋଟିଯାକ ବିଧେୟକରୁ କୌଣସି ଗୋଟିକର “କାରଣ ଓ ଉଦ୍ଦେଶ୍ୟ କଥନ”ରେ ବି ଲେଖା ହୋଇନାହିଁ । କେବଳ ଏହି ଗୋଟିକମାତ୍ର ବିଧେୟକ – ‘ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ବିଧେୟକ, ୨୦୧୮’ର “କାରଣ ଓ ଉଦ୍ଦେଶ୍ୟ କଥନ”ରେ ଲେଖା ହୋଇଛି, “ତା୨୬.୧୨.୨୦୧୭ରିଖରେ ଡିବା ଘ ୧୧.୧୫ ମିନିଟ ସମୟରେ ଅନୁଷ୍ଠିତ ହୋଇଥିବା ମନ୍ତ୍ରୀମଣ୍ଡଳର ୫୧ତମ ବୈଠକର ନିଷ୍ପତ୍ତି ଅନୁସାରେ” ଏହି ବିଧେୟକ ପ୍ରଣୀତ ହୋଇଛି? ଏ ବ୍ୟତିକ୍ରମ କାହିଁକି?

ଯେଉଁମାନେ ପଞ୍ଚଦଶ ବିଧାନସଭାରେ ଏ ଜାତିର ସର୍ବୋଚ୍ଚ ନିୟନ୍ତା ଭାବେ ଝଲସୁଥିଲେ , ସେମାନଙ୍କ ଭିତରୁ କେହି ବି ଏହି ତାରତମ୍ୟ ଉହାଡ଼ରେ ଲୁକ୍କାୟିତ ଥିବା ଅଭିସନ୍ଧି ପ୍ରତି ଦୃଷ୍ଟି ଦେଲେ ନାହିଁ , ଯଦିଓ ଏହି ଲୁକ୍କାୟିତ ଅଭିସନ୍ଧି ସମ୍ପର୍କରେ ସେମାନଙ୍କୁ ମୁଁ ଅବଗତ କରାଇଥିଲି ମୋ ଲେଖା ମାଧ୍ୟମରେ ଓ ଅଧିକାଂଶଙ୍କୁ ବ୍ୟକ୍ତିଗଳ ଭାବେ । ଏହା ଓଡ଼ିଆ ଜାତି ବିରୁଦ୍ଧରେ ଓ ଓଡ଼ିଶା ବିଧାନସଭା ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ କୁତ୍ସିତ ଓ ଭୟଙ୍କର ଅପରାଧ ଥିଲା । ଏହା ଥିଲା ଏକ କ୍ୟାବିନେଟ୍ ସ୍କାମ୍ । ଏହା ଥିଲା ୧୪.୩.୨୦୧୮ ତାରିଖରେ ଅନୁଷ୍ଠିତ କ୍ୟାବିନେଟ୍ ପ୍ରସ୍ତାବକୁ ଅତ୍ୟନ୍ତ ଅନଧିକୃତ ଭାବେ ମୁଖ୍ୟମନ୍ତ୍ରୀ ଲୁଚେଇ ଦେଇଥିବାର ଜଘନ୍ୟ ଅପରାଧ । ଏବଂ ବିଧାନସଭାକୁ ଏହି ସର୍ବାଧିକ ପ୍ରାସଙ୍ଗିକ କ୍ୟାବିନେଟ୍ ପ୍ରସ୍ତାବ ସମ୍ପର୍କରେ ସମ୍ପୂର୍ଣ ଅନ୍ଧକାରରେ ରଖି ଦୁରଭିସନ୍ଧି ସହ ବିଭ୍ରାନ୍ତ କରିଥିବାର ଅପରାଧ । ଏତଦ୍ଦ୍ବାରା ମୁଖ୍ୟମନ୍ତ୍ରୀ ବିଧାନସଭାକୁ ନିଜ ଜାଲିଆତିର ଶିକାର କରିବାକୁ ଯାଉଥିବା ମୁଁ orissamatters॰comରେ ସ୍ପଷ୍ଟ ଅଭିଯୋଗ କରିଥିଲି । ଶୀର୍ଷକ ଥିଲା, ‘A FRAUD PERPETRATED BY THE CM ON THE CABINET’ , ଯାହାର ନକଲ ମୁଁ ବହୁ ବିଧାୟକଙ୍କ ହାତରେ ବି ଦେଇଥିଲି ଓ ଏହି ଜାଲିଆତି କବଳରୁ ଓଡ଼ିଶାକୁ ରକ୍ଷା କରିବାକୁ ସେମାନଙ୍କୁ ନିବେଦନ କରିଥିଲି । ଦଳମତ ନିର୍ବିଶେଷରେ ବିଧାନସଭାର ସଭ୍ୟମାନେ ଏବଂ ମନ୍ତ୍ରୀମାନେ ଓଡ଼ିଶା ପ୍ରତି ପ୍ରତିବଦ୍ଧ ହୋଇ ରହିବା ଅପେକ୍ଷା ,ମୁଖ୍ୟମନ୍ତ୍ରୀଙ୍କ ବଶମ୍ବଦ ହୋଇ ରହିବାକୁ ଏତେ ବ୍ୟଗ୍ର ଥିଲେ ଯେ, ଉପରୋକ୍ତ ଦୃଶ୍ୟମାନ ଜାଲିଆତି ଓ ବ୍ୟତିକ୍ରମ ସତ୍ତ୍ୱେ ଏହି ବିଧେୟକର “କାରଣ” ଭାବେ ତହିଁର ‘ଉଦ୍ଦେଶ୍ୟ ଓ କାରଣ କଥନ’ରେ ଅବିଚ୍ଛେଦ୍ୟ କରାଯାଇଥିବା କ୍ୟାବିନେଟ ପ୍ରସ୍ତାବଟିକୁ ବିଧାନସଭାରେ ଉପସ୍ଥାପିତ କରିବାକୁ ଉପସ୍ଥାପନକାରୀ ମନ୍ତ୍ରୀଙ୍କୁ କହିବାକୁ ଓ ୧୪.୩.୨୯୧୮ର କ୍ୟାବିନେଟ ପ୍ରସ୍ତାବ କୁଆଡ଼େ ଗଳବୋଲି ତାଙ୍କୁ ପଚାରିବାକୁ ସାହସ କରିପାରିଲେନାହିଁ । ସେମାନେ ଯଦି ଏହି ଅପରାଧ ସହ ହାତ ମିଳେନାଥାନ୍ତେ , ତେବେ ଓଡ଼ିଆ ଜାତି ବିରୁଦ୍ଧରେ ଚାଲିଥିବା ଷଡ଼ଯନ୍ତ୍ର ଧରା ପଡ଼ିଯାଇଥାନ୍ତା ଓ ଓଡ଼ିଶା ସରକାରୀ ଭାଷା ଆଇନର ଶିରଛେଦ କରିବାକୁ ଅଣଓଡ଼ିଆ / ଇଂରାଜିମନସ୍କ ଅମଲାତନ୍ତ୍ର ଦ୍ଵାରା ପରିଚାଳିତ ମୁଖ୍ୟମନ୍ତ୍ରୀ ସକ୍ଷମ ହୋଇନଥାନ୍ତେ ।

ଯଦି ଅନ୍ୟ ବିଧେୟକରେ ରହିଲା, ଏଥିରେ କାହିଁକି ନରହିଲା?

ସେହି ଏକା ଦିନ ଆଲୋଚିତ ଓ ପାରିତ ହୋଇଥିବା ଅନ୍ୟ ଏକ ଭାଷା କୈନ୍ଦ୍ରିକ ବିଧେଯକ ପ୍ରତି ଡୃଷ୍ଟି ଦେଲେ, ସରକାରୀ ଭାଷା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ତଞ୍ଚକତାର ଭିନ୍ନ ଏକ ପାଖୁଡ଼ା ମେଲେଇ ହୋଇଯାଏ । ସେ ବିଧେୟକଟି ହେଲା ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ (ସଂଶୋଧନ) ବିଧେୟକ, ୨୦୧୮’ ।

ଗତ “ତା୨୬.୧୨.୨୦୧୭ରିଖରେ ଦିବା ଘ ୧୧.୧୫ ମିନିଟ ସମୟରେ ଅନୁଷ୍ଠିତ ହୋଇଥିବା ମନ୍ତ୍ରୀମଣ୍ଡଳର ୫୧ତମ ବୈଠକ”ରେ ୨୦ଟି ଭାଷାକୈନ୍ଦ୍ରିକ ନିଷ୍ପତ୍ତି ନିଆଯାଇଥିଲା । ତହିଁର ୪ ନମ୍ବର ପ୍ରସ୍ତାବ ଅନୁସାରେ ଉପରୋକ୍ତ ବିଧେୟକଟି ଆଗତ ହୋଇଥିଲା । ତାହା ନିମ୍ନରେ ଉଦ୍ଧୃତ୍ତ ହେଲା :

“ସମସ୍ତ ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାର ନାମ ଫଳକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କରାଯିବା ବାଧ୍ୟତାମୂଳକ କରିବା ପାଇଁ ‘ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ, ୧୯୫୬’ରେ ଆବଶ୍ୟକୀୟ ସଂଶୋଧନ ଅଣାଯିବ । ଏଥିରେ ଖିଲାପକାରୀକୁ ଦଣ୍ଡର ବ୍ୟବସ୍ଥା ରହିବ । ଖିଲାପକାରୀଙ୍କ ବିରୁଦ୍ଧରେ ତଥ୍ୟ ଦାଖଲ କରିବା ପାଇଁ ଏକ ସ୍ଵତନ୍ତ୍ର ପୋର୍ଟାଲ ପ୍ରଚାଳନ କରାଯିବ , ଯାହା ଫଳରେ ଏହାର ଅନୁପାଳନ ନିଶ୍ଚିତ କରାଯାଇପାରିବ ।“

ଏଥିରେ ଯେମିତି ଖିଲାପକାରୀଙ୍କୁ ଦଣ୍ଡ ପ୍ରଦାନ ପାଇଁ ଆଇନ ସଂଶୋଧନ କଥା କୁହା ହୋଇଥିଲା, ସରକାରୀ ଭାଷା ସମ୍ପର୍କୀୟ ୩ ନମ୍ବର ପ୍ରସ୍ତାବରେ ବି ସେମିତି ଖିଲାପକାରୀଙ୍କୁ ଦଣ୍ଡ ପ୍ରଦାନ ପାଇଁ ଆଇନ ସଂଶୋଧନ କଥା କୁହା ହୋଇଥିଲା । ମାତ୍ର ଏହି ଦୁଇ ପ୍ରସ୍ତାବ ଅନୁସାରେ ଏହି ଦୁଇ ବିଧେୟକ ଯେତେବେଳେ ସମାନ ସମୟରେ ବିଧାନସଭାରେ ରଖାଗଲା, ଦେଖାଗଲା ଯେ, ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ବିଧେୟକରେ ଦଣ୍ଡର ସ୍ୱରୂପ ଓ ସୀମା ନିର୍ଦ୍ଦିଷ୍ଟ କରାଯାଇଥିବା ବେଳେ ସରକାରୀ ଭାଷା ବିଧେୟକରେ ତାହା ଆଦୌ ନଥିଲା ।

‘ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ, ୧୯୫୬’ର ଖିଲାପ କରାଗଲେ ଖିଲାପକାରୀକୁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯିବ ବୋଲି କହି ତାର ପରିମାଣ କେତେଟଙ୍କା ହେବ ତାହା ପ୍ରତିସ୍ଥାପନ ମାଧ୍ୟମରେ ସ୍ପଷ୍ଟ କରି ଦିଆହୋଇଥିଲା । ଯଥା –

“ଧାରା ୩୫॰ ଯଦି କୌଣସି ବ୍ୟକ୍ତି ଏହି ଅଧିନିୟମର କୌଣସି ବ୍ୟବସ୍ଥାର ଉଲ୍ଲଂଘନ କରନ୍ତି ତେବେ ସେ ଦୋଷୀ ସାବ୍ୟସ୍ତ ହେଲେ ପ୍ରଥମ ଥର ଅପରାଧ ନିମନ୍ତେ ଅନ୍ୟୂନ ଏକ ହଜାର ଓ ସର୍ବାଧିକ ଦଶ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନାରେ ଏବଂ ଦ୍ଵିତୀୟ ବ ପରବର୍ତ୍ତୀ ଅପରାଧ ନିମନ୍ତେ ଅନ୍ୟୂନ ଦୁଇ ହଜାର ଓ ସର୍ବାଧିକ କୋଡ଼ିଏ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ ହେବେ ।“

ଯଦି ‘ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ’ ଦେହରେ ଅର୍ଥଦଣ୍ଡର ପରିମାଣ ଏପରି ଭାବେ ବିଧିକୃତ ହୋଇପାରିଲା, ‘ଓଡ଼ିଶା ସରକାରୀ ଭାଷା ଆଇନ’, ଯାହା ଓଡ଼ିଶାର ପିଣ୍ଡ ଆଇନ, ତହିଁରେ ତାହାର ଉଲ୍ଲଂଘନ ବିରୁଦ୍ଧରେ ଅର୍ଥ ଦଣ୍ଡର ପରିମାଣ ବିଧିକୃତ ହେଲା ନାହିଁ କାହିଁକି ? ସେଦିନ “ବିଚାର ଓ ପାରିତ” ହେବାକୁ ଥିବା ସବୁ ବିଧେୟକଗୁଡ଼ିକ ଏକ ସଙ୍ଗେ ସବୁ ବିଧାୟକଙ୍କୁ ଦିଆଯାଇଥିଲା ଓ ବିଧାନସଭାରେ ଥୁଆ ହୋଇଥିଲା । ଆମ ବିଧାୟକମାନେ କାହିଁକି ଏହି ପ୍ରଶ୍ନ ତୋଳିଲେନି?

ବିଧାନସଭା ସମ୍ମୁଖରେ ସମାନ ସମୟରେ ରଖାହୋଇଥିବା ଏହି ଦୁଇଟିଯାକ ଭାଷାକୈନ୍ଦ୍ରିକ ବିଧେୟକରେ ଖାଲି ଆଖିରେ ଧରାପଡୁଥିବା ଏହି ଭିନ୍ନତାରୁ ଆଖି ଏଡ଼େଇ ନେବା ପାଇଁ ଭାଷା ବିଧେୟକଟିରେ ଯେହେତୁ ମନ୍ତ୍ରୀମଣ୍ଡଳର ପ୍ରସ୍ତାବର ଦ୍ଵାହୀ ଦିଆଯାଇଛି, ସେହେତୁ ଆମ ବିଧାୟକବର୍ଗଙ୍କର ସର୍ବନିମ୍ନ କର୍ତ୍ତବ୍ୟ ଥିଲା ସେହି ନିର୍ଦ୍ଦିଷ୍ଟ ପ୍ରସ୍ତାବଟି କଣ ଥିଲା ତାହା ଦେଖିବା । ସେମାନେ ଦେଖିଲେନି ।

କଣ ଥିଲା ସେଇ ପ୍ରସ୍ତାବ?

ପୁନରୁକ୍ତିର ବିଡ଼ମ୍ବନା ପ୍ରତି ସଚେତନ ଥାଇ, କେବଳ ଏହି ସ୍ଥିତିରେ ପ୍ରାସଙ୍ଗିକତା ଦୃଷ୍ଟିରୁ ମୁଁ ସେହି ପ୍ରସ୍ତାବଟିକୁ ଉଦ୍ଧାର କରୁଛି । ତାହା ହେଲା:

“ସରକାରୀ ଭାଷା ଆଇନ ୧୯୫୪ରେ ସଂଶୋଧନ ଅଣାଯାଇ ବିହିତ ଦଣ୍ଡବିଧାନ ବ୍ୟବସ୍ଥା ସହିତ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରୁଥିବା ବିଭାଗ ତଥା କର୍ମଚାରୀଙ୍କୁ ପ୍ରୋତ୍ସାହିତ କରାଯିବ । ଏଥିପାଇଁ ବିଭାଗଗୁଡ଼ିକ ନିର୍ଦ୍ଦିଷ୍ଟ ମାନଦଣ୍ଡ ଓ କ୍ଷେତ୍ର ନିର୍ଦ୍ଧାରଣ କରିବେ ।”

ଅର୍ଥାତ୍ ଯେଉଁ ବିଭାଗ ଏବଂ କର୍ମଚାରୀ ସରକାରୀ କାମରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରିବେ ସେହି ବିଭାଗକୁ ଏବଂ କର୍ମଚାରୀଙ୍କୁ ପ୍ରୋତ୍ସାହିତ କରାଯିବ, ଯେଉଁ ବିଭାଗ ଏବଂ କର୍ମଚାରୀ ବହୁଳ ବ୍ୟବହାର ନ କରିବେ ତାଙ୍କୁ ଦଣ୍ଡିତ କରାଯିବ । ପ୍ରସ୍ତାବଟି “ତଥା” ଶବ୍ଦ ବ୍ୟବହାର କରି ବିଭାଗ ସହ କର୍ମଚାରୀଙ୍କୁ ଯୋଡ଼ିଛି । ବିଭାଗ ଦଣ୍ଡିତ ହେଲେ ସେ ଦଣ୍ଡ କି ଦଣ୍ଡ ହେବ? ମୁଁ ମୋ ପ୍ରସ୍ତାବିତ ନିୟମାବଳୀରେ, ଅର୍ଥଦଣ୍ଡର ଯେଉଁ ବ୍ୟବସ୍ଥା ରଖିଥିଲି , ଯାହା ହିଁ ଏତେ ବର୍ଷ ପରେ ଭାଷା ଆଇନ ସଂଶୋଧନ ପାଇଁ ସରକାରୀ ଉଦ୍ୟମର ଥିଲା ମୂଳଭିତ୍ତି, ତଦନୁଯାୟୀ ବିଚାରିଲେ, ବିଭାଗଗୁଡ଼ିକ ଅର୍ଥଦଣ୍ଡରେ ଦଣ୍ଡିତ ହେବେ ବୋଲି ମନେକରାଯିବା ସ୍ଵାଭାବିକ । ବିଭାଗଗୁଡ଼ିକ ଯେହେତୁ ଜନସାଧାରଣଙ୍କ ଅର୍ଥରେ ପରିଚାଳିତ , ସେହେତୁ ସେଗୁଡ଼ିକୁ ଅର୍ଥଦଣ୍ଡ ଦିଆଯିବା ଜନସାଧାରଣଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କରିବା ସହ ସମାନ । ତେଣୁ ମୁଁ ମୋର ଉପର ସୂଚିତ ଲେଖାରେ ତାହାକୁ ବିରୋଧ କରିଥିଲି ଓ ମୋ ସହ ଏକମତ ହୋଇ ମୋର ସାଥୀମାନେ କଳା ପତାକା ଅଭିଯାନ ଜାରି ରଖିବାରୁ ରାଜ୍ୟ ମନ୍ତ୍ରୀମଣ୍ଡଳ ବାଧ୍ୟ ହୋଇ ୧୪.୩.୨୦୧୮ ତାରିଖରେ ଦଣ୍ଡବିଧାନ ପରିକଳ୍ପନାରୁ ବିଭାଗଗୁଡ଼ିକୁ ବାଦ ଦେଇ କେବଳ ପଦାଧିକାରୀ ଏବଂ କର୍ମଚାରୀଙ୍କୁ ଦଣ୍ଡ ଦେବାର ପ୍ରସ୍ତାବ ଗ୍ରହଣ କରିଥିଲା । ଦୁଃଖର କଥା, ଏହି ପ୍ରସ୍ତାବକୁ କବର ଦିଆଯାଇ ୨୬.୧୨.୨୦୧୭ର ଓଡ଼ିଆଦ୍ରୋହୀ ପ୍ରସ୍ତାବ ଉପରେ ସଂଶୋଧନ ବିଧେୟକଟିକୁ ଠିଆ କରାଇଲେ ସରକାର ଓ ଓ ଆମ ବିଧାୟକମାନେ ଏହି ସ୍କାମ୍ ଜାଣି ମଧ୍ୟ ପଟି ଫିଟାଇଲେନାହିଁ !

ଆହୁରି ଦୁଃଖର କଥା , ବିଧେୟକଟିର ଚିଠା କରାଗଲାବେଳେ ଓଡ଼ିଆଦ୍ରୋହୀଙ୍କୁ ସୁହାଇବା ପାଇଁ ସେହି ପ୍ରସ୍ତାବରେ ଅନଧିକୃତ ଭାବେ ଅଦଳବଦଳ (tampering) ବି କରାଯାଇଥିଲା, ଯାହାକୁ ବିଧାୟକମାନେ ବିଧିସମ୍ମତ କରିଦେଲେ ! ବିଧାନସଭା ହୋଇଗଲା ଜାଲିଆତିର କମାରଶାଳ ! ଲଜ୍ଜା । (କ୍ରମଶଃ)
(୨୭.୫.୨୦୧୯)

ସରିଯାଇଥିବା ବିଧାନସଭା ଓ ଆମ ଭାଷା (୧)

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଶାର ପଞ୍ଚଦଶ ବିଧାନସଭାର ଆୟୁଷ ସରିଯାଇଛି । ଆମ ଭାଷା ଇତିହାସରେ ଏହା ଏକ ସ୍ମରଣୀୟ ତଥା ଭର୍ତ୍ସନୀୟ ବିଧାନସଭା ହୋଇ ରହିବ । ଏହା ମୋ ପାଇଁ ସ୍ମରଣୀୟ ହୋଇ ରହିବ ଏଇଥିପାଇଁ ଯେ, ୧୯୫୪ରେ ପ୍ରଣୀତ ଓ ପ୍ରବର୍ତ୍ତିତ ହୋଇ ମଧ୍ୟ ଅକାମି ହୋଇ ପଡ଼ିରହିଥିବା ଓଡ଼ିଶା ସରକାରୀ ଭାଷା ଆଇନଟିକୁ କାର୍ଯ୍ୟକ୍ଷମ କରିବାକୁ ୩ .୯.୨୦୧୫ରେ ମୁଁ ଯେଉଁ ପ୍ରସ୍ତାବ ଦେଇଥିଲି ତାହା ହିଁ ଏହି ବିଧାନସଭା ଦ୍ଵାରା ୨୮ .୯.୨୦୧୬ ତାରିଖରେ ଆଇନରେ ପରିଣତ ହୋଇଥିଲା ଏବଂ ଭାଷା ଆଇନରେ ଥିବା ଯେଉଁ ଆଜନ୍ମ ତ୍ରୁଟିକୁ କେହି ଜାଣି ପାରିନଥିଲେ ସେ ପର୍ଯ୍ୟନ୍ତ, ତାହା ସୁଧୁରିଯାଇ ତହିଁର ନିଯମାବଳୀ ପ୍ରଣୟନ ପାଇଁ ସରକାର ସକ୍ଷମ ହୋଇଥିଲେ । ଓଡ଼ିଶା ସରକାରୀ ଭାଷା ଆଇନରେ ଯୋଡ଼ି ହୋଇଯାଇଥିଲା ଏକ ନୂଆ ଧାରା – ଧାରା ୫; ଯାହାର ସ୍ୱରୂପ ଥିଲା : “ଏହି ଅଧିନିୟମର ଉଦ୍ଦେଶ୍ୟଗୁଡ଼ିକୁ କାର୍ଯ୍ୟକାରୀ କରିବା ସକାଶେ ରାଜ୍ୟ ସରକାର ନିଯମାବଳୀ ପ୍ରଣୟନ କରିପାରିବେ ।“

“ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ବିଧେୟକ ୨୦୧୬” ନାମରେ ନାମିତ ଏହି ବିଧେୟକ ଥିଲା ୨୧ .୫. ୨୦୧୬ ତାରିଖରେ ରାଜ୍ୟ ସରକାର ଜାରିକରିଥିବା ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ଅଧ୍ୟାଦେଶ ,୨୦୧୬ର ବିଧିରୂପ । ସୁତରାଂ ଏହା ମୋର ବ୍ୟକ୍ତିଗତ ଓ ଭାଷା ଆଂଦୋଳନର ସାମୁହିକ ବିଜୟ ଥିଲା ।

ଏହି ଅନନ୍ୟ ଉପଲବ୍ଧିର ଉତ୍ସବ ପାଳନ ବେଳେ, ସେତେବେଳେ ଆମର ମୁଖ୍ୟ ଗଣମାଧ୍ୟମୀୟ ସହଯୋଗୀ ଥିବା ସମ୍ବାଦ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାଷା ଆନ୍ଦୋଳନକାରୀମାନଙ୍କୁ କହିଥିଲେ,

“ସର୍ବ ପ୍ରଥମେ ସମସ୍ତେ ଜାଣିବା ଦରକାର ଯେ, ଏହି ଆନ୍ଦୋଳନ ଯଦି ମୁଣ୍ଡ ଟେକି ଉଠି ପାରିଲା ଓ ଏତେ ବାଟ ଆଗେଇ ପାରିଛି, ତାର ଶ୍ରେୟ ଆପଣମାନଙ୍କ ପାଖକୁ ତ ଯିବ ହିଁ ଯିବ , କିନ୍ତୁ ସର୍ବାଗ୍ରେ ଯିବ ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କୁ । ତାର କାରଣ ହେଲା, ତାଙ୍କରି ହେତୁ ହିଁ ଉତ୍ସବ ମନାଇବାର ସୁଯୋଗ ଆମକୁ ମିଳିଛି । ୧୯୫୪ର ଗୋଟିଏ ଆଇନକୁ କାହିଁକି ୨୦୧୬ ମେ ୨୧ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେଲା ସାମାନ୍ୟ ଗୋଟିଏ ସଂଶୋଧନ ପାଇଁ? ଆମେ ଯେଉଁମାନେ ଓଡ଼ିଶା ସମ୍ପର୍କରେ ଆଲୋଚନା କରୁ, ମୋ ମନକୁ ଏ ପର୍ଯ୍ୟନ୍ତ ଏହି ପ୍ରଶ୍ନ ଆନ୍ଦୋଳିତ କରୁଛି – ୧୯୫୪ ମସିହାରେ ତ ଆଇନଟି ହୋଇଥିଲା , ଓଡିଶାରେ ଏତେ ବୁଦ୍ଧିଜୀବୀ ଥିଲେ, ଏତେ ବିଜ୍ଞଲୋକ ଥିଲେ, ଏତେ ମୁଖ୍ୟମନ୍ତ୍ରୀ ଗଲେଣି, କେହି କଣ ଜାଣିପାରିଲେ ନାହିଁ ଯେ, ଏହି ଆଇନଟି ସଂଶୋଧନ ନ କଲା ପର୍ଯ୍ୟନ୍ତ ଏହା ଦ୍ଵାରା ସରକାରୀ ଭାଷା ବ୍ୟବହାର ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ? ଏ ପ୍ରଶ୍ନର ଉତ୍ତର ପାଇଁ ଆଜି ମୁଁ ଯଦି ଟିକେ ଚିନ୍ତା କରୁଛି, ତାର କାରଣ ହେଲେ ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକ । ସେ ସମସ୍ତ ବିଷୟକୁ ଗବେଷଣା କରି ଆମ ଆଖି ଖୋଲିଦେଇଛନ୍ତି । ସେ ଦେଖେଇ ଦେଇଛନ୍ତି – କେଉଁଠାରେ, କେଉଁ ନିର୍ଦ୍ଦିଷ୍ଟ ବିନ୍ଦୁରେ ଆଘାତ ଦେଲେ କଥାଟି ପରିସ୍କାର ହେବ ଏବଂ ତାର ସଂସ୍କାର ପାଇଁ ବାଟ ଫିଟିବ ।“

‘ଭାଷା ପାଇଁ ଗଣ ଓ ଗଣମାଧ୍ୟମ’ ଶୀର୍ଷକ ଭାଷା ଆଂଦୋଳନର ସ୍ମରଣିକା, ଯାହାକୁ ସୌମ୍ୟବାବୁ ୩୦.୧୧.୨୦୧୬ ତାରିଖରେ ଲୋକାର୍ପିତ କରିଥିଲେ, ତହିଁରେ ଏହି ଭାଷଣଟି ସମଗ୍ରତଃ ପ୍ରକାଶିତ ହୋଇଛି । ଏହା ମଧ୍ୟ ସାଉଣ୍ଡକ୍ଲାଉଡ୍ ଡଟ୍ କମ୍ ମାଧ୍ୟମରେ https://soundcloud.com/orissamatters/sambad-editor-soumya-ranjan-patnaik-on-bhasa-andolan ସରଣିରେ ଉପଲଭ୍ୟ ।

ମୋ ପ୍ରସ୍ତାବଟି ଏହିପରିଭାବେ ଯେତେବେଳେ ଏହି ବିଧାନସଭାରେ ଆଇନରେ ରୂପାନ୍ତରିତ ହୋଇଛି ଏହା ମୋ ପାଇଁ ବ୍ୟକ୍ତିଗତ ସ୍ତରରେ ସ୍ମରଣୀୟ ହୋଇ ରହିବା ସ୍ଵାଭାବିକ । ମାତ୍ର ଏହାକୁ ଏକ ଭର୍ତ୍ସନୀୟ ବିଧାନସଭା ବୋଲି ମଧ୍ୟ ମୁଁ କହିବି । କାରଣ ଏହି ଯେଉଁ ବିଧାନସଭାର ଆୟୁଷ ସରିଗଲା, ତାହା ଆମ ରାଜ୍ୟ ପ୍ରତିଷ୍ଠାର ଉଦ୍ଦେଶ୍ୟ ସଫଳ କରିବାକୁ ସବୁ ସୁଯୋଗ ଥିଲେ ମଧ୍ୟ, ସେଥିପାଇଁ ଉଦ୍ୟମ ନ କରି ଓଡ଼ିଶା ସରକାରୀ ଭାଷା ଆଇନରେ ୪ ଓ ୪କ ନାମକ ଏପରି ଦୁଇଟି ଧାରା ଯୋଡ଼ିଦେଲା ଯେ, ସେଗୁଡ଼ିକୁ ବିଲୋପ କରା ନ ଗଲେ ଓଡ଼ିଶା ପ୍ରଦେଶ ସୃଷ୍ଟିର ଉଦ୍ଦେଶ୍ୟ ପଣ୍ଡ ହୋଇଯିବ ।

ଆମ ରାଜ୍ୟର ସୃଷ୍ଟି ମୂଳରେ ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ତା୨୯.୮.୨୦୦୯ରିଖରେ ସ୍କ୍ରାଇବ୍ଦ॰କମରେ ଥିବା ମୋ ଲିଖିତ ‘ଓଡ଼ିଶା ପ୍ରଦେଶ ସୃଷ୍ଟିରେ ଗଣମାଧ୍ୟମ’ ପୁସ୍ତକରେ ଏହା ପ୍ରତିପାଦିତ । ପରେ ୨୯.୧୨.୨୦୧୫ରେ ଏହାର ମୁଦ୍ରିତ ସଂସ୍କରଣ ଯେତେବେଳେ ପ୍ରକାଶ ପାଇଲା, ଏହା ଉପରେ ଏକ ପ୍ରାକ୍ ସମୀକ୍ଷା ରଖିବାକୁ ପ୍ରକାଶକଙ୍କ ଦ୍ଵାରା ନିବେଦିତ ହୋଇ ଓଡ଼ିଆ ଜାତିର ଅନ୍ୟତମ ଶ୍ରେଷ୍ଠ ଜାତୀୟତାବାଦୀ କବି ଉମାକାନ୍ତ ରାଉତ (କବି ଅରୂପ) ସାମ୍ବାଦିକତାକୁ ଉଚ୍ଚାଙ୍ଗ ସାହିତ୍ୟର ସ୍ଵୀକୃତି ପ୍ରଦାନ କରାଇଥିବା ସେ ବର୍ଷର ନୋବେଲ ବିଜୟିନୀ ଶ୍ଵେତଲାନା ଆଲେକଜାନ୍ଦ୍ରୋଭାନା ଅଲେକ୍ସିଏଭିଚଙ୍କଏଙ୍କ ଉକ୍ତି ଉଦ୍ଧୃତ୍ତ କରିଥିଲେ, ଯାହା ତାଙ୍କ ଅନୁବାଦ ଅନୁସାରେ “ମୁଁ ଏକ ସୁଧାର ପଞ୍ଜିକାର ନୁହେଁ ; ମୋ ହୃଦୟ ସବୁବେଳେ ଥାଏ ସେହିମାନଙ୍କ ପାଖରେ (ଯାହାଙ୍କ ପାଇଁ ମୁଁ ଲେଖେ )। ମୁଁ କେବଳ ଇତିହାସର ଶୁଷ୍କ ତଥ୍ୟ ସଂଗ୍ରହ କରେନାହିଁ ; ସଂଗ୍ରହ କରେ ମଣିଷର ଅନୁଭବ ଓ ଆବେଗ ଏବଂ ତାକୁ ନେଇ ଲେଖେ ସତ୍ୟସିଦ୍ଧ ଅବେଗିକ ଇତିହାସ ।”

ଏହି ଉଦ୍ଧୃତ୍ତି ଉପସ୍ଥାପିତ କରି ସେ ଲେଖିଛନ୍ତି,

“ମୋ ଦୃଷ୍ଟିରେ ଏ ଉକ୍ତିଟି ମଧ୍ୟ ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ପାଇଁ ପ୍ରଯୁଜ୍ୟ । ଶ୍ଵେତଲାନାଙ୍କ ଭଳି, କେବଳ ତଥ୍ୟ ପରିବେଷଣର ମାମୁଲି ମାଧ୍ୟମ ନୁହେଁ, ତଥ୍ୟ ଓ ତତ୍ ସମ୍ବଳିତ ଆବେଗିକ ଇତିହାସକୁ ନାନ୍ଦନିକତାର ନିଭେଜାଲ ଦସ୍ତାବିଜରେ ପରିଣତ କରି ସେ ଜନଗଣଙ୍କୁ ଆଗକୁ ବଢ଼ିବାର ନିରନ୍ତର ପ୍ରଚେଷ୍ଟାରେ ଥାନ୍ତି ।

ଓଡ଼ିଆମାନଙ୍କର ଭୌଗୋଳିକ ସମ୍ପତ୍ତି ଓ ଐତିହ୍ୟ ଲୁଟ ସମ୍ପର୍କିତ ଅନଲୋଚିତ ତଥ୍ୟଦ୍ୱାରା ଋଦ୍ଧିମନ୍ତ ତାଙ୍କର ଏହି ସଙ୍କଳନ ପ୍ରତିଟି ଓଡ଼ିଆର ଆଖି ଖୋଲିଦେବା ପାଇଁ ସମର୍ଥ ନିଷ୍ଠାପର ପ୍ରଯତ୍ନ । ପ୍ରମାଣସିଦ୍ଧ ତଥ୍ୟ ସମ୍ବଳିତ ଏହି ଗବେଷଣାତ୍ମକ ନିବନ୍ଧର ପ୍ରତିଟି ବାକ୍ୟ, ପ୍ରତିଟି ଶବ୍ଦର ଉଲ୍ଲାସ ଓଡ଼ିଆ ଜାତିର ପ୍ରାଣଶକ୍ତିକୁ ଉଜ୍ଜୀବିତ କରିବାକୁ ସକ୍ଷମ ।”

ସମସ୍ତଙ୍କ ପାଇଁ ସୁଲଭ୍ୟ ସ୍କ୍ରାଇବ୍ଦ॰କମରେ ଥିବା ଏହାର ପ୍ରଥମ କୋମଳ ସଂସ୍କରଣ https://www.scribd.com/doc/19216578/Role-of-Mass-Media-in-Creation-of-Orissa ସରଣୀରେ ମଧ୍ୟ ଉପଲଭ୍ୟ ।

ଏହି ନିବନ୍ଧରେ ବର୍ଣୀତ ପଟ୍ଟଭୂମିରେ ଯେହେତୁ ଓଡ଼ିଶା ପ୍ରଦେଶ ଗଠିତ ହୋଇଛି , ସେହେତୁ ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଶାରେ ପ୍ରଥମ ଉତ୍କଳ ଦିବସ ପାଳନ ଅବସରରେ, ୧.୪.୧୦୪୮ ତାରିଖରେ ଭାଷାଜାତୀୟତାର ପାବନପୀଠ ସମ୍ବଲପୁର ନିବାସୀ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ତଦାନୀନ୍ତନ ଓଡ଼ିଶା ବିଧାନସଭାରେ ଏକ ସଂକଲ୍ପ ଆଗତ କରି ଓଡ଼ିଆ ଭାଷାକୁ ସରକାରୀ ଭାଷା କରିବା ପାଇଁ ଆଇନ ପ୍ରଣୟନ ସକାଶେ ଦାବି ରଖିଥିଲେ । ଏହି ପ୍ରଥମ ଉଦ୍ୟମ ଅତ୍ୟନ୍ତ ଅନ୍ତର୍ଘାତୀ ପରିସ୍ଥିତିରେ ବ୍ୟର୍ଥ ହୋଇଯିବାର ଦୁଖଦ ଦୃଶ୍ୟପଟକୁ ମୁଁ ବିଭିନ୍ନ ସ୍ଥଳରେ ଆଲୋଚନା କରିଛି । ଏଠାରେ ମଧ୍ୟ

ପଣ୍ଡିତ ମିଶ୍ରଙ୍କ ଆବେଗକୁ ଆଖିରେ ରଖି ମନୀଷୀ ନବକୃଷ୍ଣ ଚୌଧୁରୀ ପ୍ରଥମ ସାମ୍ବିଧାନିକ ବିଧାନସଭାରେ ହିଁ ୧୯୫୪ରେ ଉପସ୍ଥାପିତ କରିଥିଲେ ଓଡ଼ିଶା ସରକାରୀ ଭାଷା ବିଧେୟକ, ଯାହା ସର୍ବସମ୍ମତିକ୍ରମେ ଗୃହୀତ ହୋଇ ଆଇନରେ ପରିଣତ ହୋଇଥିଲା ଓ ଆମ ସମଗ୍ର ରାଜ୍ୟ ପାଇଁ ତତ୍କାଳ ଲାଗୁହୋଇଥିଲା । ଏହି ଆଇନ ସାରା ଓଡ଼ିଶାରେ ସମସ୍ତ ଓ ଯେକୌଣସି କାମରେ ଓଡ଼ିଆ ହିଁ ହେବ ସରକାରୀ ଭାଷା ବୋଲି ଜାରି କରିଥିଲା । ଅଥଚ ଏହି ଗତାୟୁ ବିଧାନସଭା ଏହି ଆଇନର ଶିରଛେଦ କରିଛି ଏବଂ ଏପରି ବ୍ୟବସ୍ଥା କରିଛି ଯେ, ଯେଉଁ କର୍ମଚାରୀ/ପଦଧିକାରୀମାନେ ସମ୍ପୂର୍ଣତଃ ଓଡ଼ିଆରେ କାମ ନକରିବେ ସେମାନେ ସରକାରଙ୍କ ଦ୍ଵାରା ପୁରସ୍କୃତ ହେବେ ।

ଅବୈଧ ବିଧାନ

ଏହି ଅବୈଧ ବିଧାନ ପ୍ରଣଯନ କରିବାକୁ ମୁଖ୍ୟମନ୍ତ୍ରୀ ଏକ କ୍ୟାବିନେଟ ସ୍କାମ ଘଟାଇଥିବାର ତଥ୍ୟ ମୁଁ ପ୍ରଘଟ କରିଥିଲେ ମଧ୍ୟ ଏବଂ ବହୁ ବିଧାୟକଙ୍କୁ ବ୍ୟକ୍ତିଗତ ଭାବେ ଭେଟି ତାହା ଅବଗତ କରାଇଥିଲେ ମଧ୍ୟ ଏହି ଗତାୟୁ ବିଧାନସଭାର କେହି ଜଣେ ହେଲେ ସଭ୍ୟ ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ବିଧେୟକ, ୨୦୧୮ ପାରିତ ହେବା ବେଳେ ତହିଁର ବିରୋଧ ନ କରିବାରୁ ଅଣଓଡ଼ିଆ ଅଧ୍ୟୁଷିତ ଅମଲାଗୋଷ୍ଠୀର ଚକ୍ରାନ୍ତ ସଫଳ ହୋଇଛି ଓ ଆମ ଭାଷାଜନନୀ ଘୋର ବିପଦାପନ୍ନ ଅବସ୍ଥାରେ ପଡିଛି ।

ମୁଁ ପ୍ରଥମେ ୪କ ଧାରାର ବିପଜ୍ଜନକତା ଓ କେଉଁ ଅପରାଧିକ ସରକାରୀ ଆଚରଣ ସହ ସହଯୋଗ କରି ଓଡ଼ିଶା ବିଧାନସଭା ଏହି ବିପଜ୍ଜନକ ଧାରାକୁ ବିଧିକୃତ କଲା , ତହିଁର ବିବରଣୀ ରଖିବି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିଧେୟକ ଆଗତ କରିବା ପାଇଁ ବିଧାନସଭାକୁ ଅବଗତ କରାଇଥିଲେ ମଧ୍ୟ ଏହାକୁ ତାଙ୍କ ତରଫରୁ ୧.୫.୨୦୧୮ ତାରିଖରେ ଆଗତ କରିଥିଲେ ସଂସଦୀୟ ବ୍ୟାପାର ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ସେ କହିଥିଲେ:

“ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରୁଥିବା କର୍ମଚାରୀ ଏବଂ ବିଭାଗକୁ ପ୍ରୋତ୍ସାହିତ କରିବା ଏବଂ ଓଡ଼ିଆ ଭାଷା ବ୍ୟବହାରରେ ଖିଲାପକାରୀ କର୍ମଚାରୀ ଏବଂ ବିଭାଗକୁ ଦଣ୍ଡିତ କରିବା ଉଦ୍ଦେଶ୍ୟରେ ଆମ ରାଜ୍ୟ କ୍ୟାବିନେଟ ତାଙ୍କର ୨୬.୧୨.୨୦୧୭ ତାରିଖ ଦିନ ଅନୁଷ୍ଠିତ ୫୧ତମ ବୈଠକରେ ଓଡ଼ିଶା ସରକାରୀ ଭାଷା ଅଧିନିୟମ, ୧୯୫୪ରେ ଆବଶ୍ୟକୀୟ ସଂଶୋଧନ ଆଣିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ । ତଦନୁଯାୟୀ ଏହି ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ବିଧେୟକ , ୨୦୧୮ ଅଣାଯାଇଛି ।“

ସେଦିନ ବିଧାନସଭାରେ ଉପସ୍ଥିତ ସମସ୍ତ ମନ୍ତ୍ରୀ ଓ ବିଧାୟକ ଜାଣିଥିଲେ ଯେ, ଆରୁଖ ମିଛ କହିଛନ୍ତି । କାରଣ ସେମାନେ ସମସ୍ତେ ଜାଣିଥିଲେ ଯେ, ସଂଶୋଧନ ବିଧେୟକଟି ୨୬.୧୨.୨୦୧୭ ତାରିଖର କ୍ୟାବିନେଟ ନିଷ୍ପତ୍ତି ଉପରେ ନ ଆସି ୧୪.୩.୨୦୧୮ ତାରିଖର କ୍ୟାବିନେଟ ବୈଠକର ନିଷ୍ପତ୍ତି ଅନୁଯାୟୀ ଆସିବାର ଥିଲା । ଅଥଚ ଆରୁଖଙ୍କ ମିଛ ବୟାନ ପାଇଁ କୌଣସି ଜଣେ ବି ମନ୍ତ୍ରୀ ଓ/ବା ବିଧାୟକ ତାଙ୍କୁ ବା ସେ ପ୍ରତିନିଧିତ୍ଵ କରୁଥିବା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିନଥିଲେ; କି ବିଧାନସଭାକୁ ମିଛକଥା କହି ଆଇନ ସଂଶୋଧନ ପାଇଁ ଗୋଟି ଚଳାଯାଇଥିବା ହେତୁ ବିଧେୟକଟିକୁ ପ୍ରତ୍ୟାଖ୍ୟାନ କରିନଥିଲେ । ବିଧାନସଭାରେ ଏହି ଅବୈଧ ବିଧେୟକ ବିନା ବାଧାରେ ପାରିତ ହୋଇଯାଇଥିଲା ।

କ୍ୟାବିନେଟ ସ୍କାମ

ଏହି ବିଧେୟକ ପାଇଁ କ୍ୟାବିନେଟ ସ୍କାମ୍ ପରି ଏକ ନାହିଁନଥିବା ଅପରାଧ ଯେ ଘଟାଯାଇପାରେ ତାହା କଳ୍ପନାତୀତ, କିନ୍ତୁ ସତ୍ୟ । ପ୍ରକୃତରେ କଣ ଏହି ସ୍କାମ୍?

ମୋ ପ୍ରଦତ୍ତ ପ୍ରସ୍ତାବ ଅନୁସାରେ ଭାଷା ଆଇନକୁ ଆଗକୁ ନେବା ସକାଶେ ନିୟମାବଳୀ ପ୍ରଣୟନ ପାଇଁ କ୍ଷମତା ହାସଲ କରିବାକୁ ୨୧.୫.୨୦୧୬ ତାରିଖରେ ଅଧ୍ୟାଦେଶ ବଳରେ ଓଡ଼ିଶା ସରକାରୀ ଭାଷା ଆଇନରେ ସରକାର ଧାରା ୫ ଯୋଗ କରିଥିଲେ ମଧ୍ୟ, ୧୨.୮.୨୦୧୬ ତାରିଖରେ ଯେଉଁ ନିଯମାବଳୀ ପ୍ରଣୟନ କଲେ ତାହା ଥିଲା ଓଡ଼ିଆ ଭାଷା ଅସ୍ମିତା ଉପରେ ଏକ ପ୍ରଚଣ୍ଡ ପଦାଘାତ । ୩.୯.୨୦୧୫ରେ ମୁଁ ଦେଇଥିବା ନିଯମାବଳୀର ନାମଗନ୍ଧ ବି ଏଥିରେ ନଥିଲା, ଯଦିଓ ସେହି ନିଯମାବଳୀ ସପକ୍ଷରେ ଭାଷା ଆନ୍ଦୋଳନ ଚାଲିଥିଲା । ଫଳରେ ଉପରୋକ୍ତ ଅଧ୍ୟାଦେଶ ପରେ ସ୍ଥଗିତ ଥିବା କଳା ପତାକା ଅଭିଯାନର ପୁନରାରମ୍ଭ ହୋଇଥିଲା ୧୬.୮.୨୦୧୬ ତାରିଖରୁ ।

ଏହି ପ୍ରେକ୍ଷପଟରେ , ମୁଖ୍ୟମନ୍ତ୍ରୀ ଆମ ଭାଷାର ବିରୋଧୀ ବୋଲି ଅନୁଭବ କରି ତାଙ୍କ ଦଳରେ ମଧ୍ୟ ଅସନ୍ତୋଷ ପ୍ରଖର ହୋଇ ଉଠିଥିଲା । ତେଣୁ,, ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏକ ନୂଆ ଚାଲ୍ ଖେଳିଥିଲେ । ତାଙ୍କ ଦଳର କର୍ମୀମାନଙ୍କୁ ଏବଂ ସେମାନଙ୍କ ମାଧ୍ୟମରେ ସାରା ଓଡ଼ିଶାକୁ ଏହି ବାର୍ତ୍ତା ଦେବାକୁ ଯେ, ସେ ଓଡ଼ିଆ ବିରୋଧୀ ନୁହନ୍ତି, ନବୀନବାବୁ ତାଙ୍କ ଦଳର ବିଂଶତିତମ ଜନ୍ମବାର୍ଷିକୀ ପାଇଁ ପୁରୀରେ ଏକ ବିଶାଳ ସମାବେଶ କରାଇ, ସେହିଠାରେ ମନ୍ତ୍ରୀମଣ୍ଡଳର ବୈଠକ ବସାଇ ଓଡ଼ିଆ ଭାଷାକୈନ୍ଦ୍ରିକ ୨୦ଟି ପ୍ରସ୍ତାବ ଗ୍ରହଣ କରିଥିଲେ । ମନ୍ତ୍ରୀସ୍ତରୀୟ କମିଟିରେ ମୁଁ ଦେଇଥିବା ପ୍ରସ୍ତାବ ଛାୟାରେ ଭାଷା ଆଇନ ଖିଲାପକାରୀକୁ ଦଣ୍ଡବିଧାନ ପାଇଁ ଭାଷା ଆଇନ ସଂଶୋଧନ ହେବ ବୋଲି ଏକ ପ୍ରସ୍ତାବ (ପ୍ରସ୍ତାବ ନମ୍ବର ୩) ତହିଁର ଅନ୍ତର୍ଗତ ଥିଲା । ମୁଁ ତହିଁର ଦୁରଭିସନ୍ଧି ଉପରେ ତତ୍କାଳ ଆଲୋକପାତ କରିଥିଲି bhashandolan॰comରେ ଏବଂ ତହିଁ ଉପରେ ସବିଶେଷ ବ୍ୟାଖ୍ୟା ରଖିଥିଲି ବିଶ୍ଵବ୍ୟାପୀ ଓଡ଼ିଆମାନଙ୍କ ସମ୍ମୁଖରେ orissamatters॰comରେ, ଯଥାକ୍ରମେ http://bhashaandolan.com/cabinet-resolution-too-tricky-to-be-noted-as-honest/https://orissamatters.com/2017/12/27/bhasha-andolan-refuses-to-be-hoodwinked-by-the-state-cabinet/ ସରଣୀରେ । ଭାଷା ଆଂଦୋଳନର ସବୁ ସାଥୀ ମୋ ସହ ଦୃଢ଼ ଭାବେ ଠିଆ ହୋଇ ସରକାରଙ୍କ ଧୂର୍ତ୍ତତାକୁ ପଦାରେ ପକାଇ ଦେବା ପରେ ଓ କଳା ପତାକା ଅଭିଯାନ ଚାଲିରହିବା ଫଳରେ ମନ୍ତ୍ରୀମଣ୍ଡଳର ବହୁ ସଭ୍ୟ ୨୬ .୧୨॰ ୨୦୧୭ ତାରିଖର କ୍ୟାବିନେଟ ପ୍ରସ୍ତାବକୁ ବିଲୋପ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉପରେ ଚାପ ପକାଇଲେ । ଫଳରେ ୧୪ .୩. ୨୦୧୮ ତାରିଖରେ ମନ୍ତ୍ରୀମଣ୍ଡଳ ପୁନଶ୍ଚ ବସି ନୂଆ ପ୍ରସ୍ତାବ ଗ୍ରହଣ କରିଥିଲା । ଯଥା –

“୧. ଓଡ଼ିଆ ଭାଷା କମିଟି ଦ୍ଵାରା ସମୀକ୍ଷା ସମୟରେ ଅନେକ ସରକାରୀ କର୍ମଚାରୀ /ଅଧିକାରୀ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ପ୍ରୟୋଗ କରୁନଥିବା କିମ୍ବା ଠିକ ଭାବରେ କରୁନଥିବା ସରକାରଙ୍କ ଦୃଷ୍ଟିଗୋଚର ହୋଇଅଛି ।
୨॰ ଓଡ଼ିଶା ସରକାରୀ ଭାଷା ଆଇନ, ୧୯୫୪ ଯଦିଓ ୧୯୫୪ ମସିହା ଠାରୁ ଲାଗୁ ହୋଇଅଛି ଏବଂ ଏହାର ଧାରା ୨ ଉପଧାରା (୨) ଅନୁସାରେ ୧୯୮୫ ମସିହାରେ ବିଜ୍ଞାପନ ଦ୍ଵାରା ସରକାରୀ କାର୍ଯ୍ୟ ଓଡ଼ିଆରେ କରିବା ପାଇଁ ନିୟମ କରାଯାଇଅଛି, ଯେହେତୁ ଏଥିରେ ଦଣ୍ଡବିଧାନର କୌଣସି ବ୍ୟବସ୍ଥା ନାହିଁ , ଅନେକ ଅଧିକାରୀ ଏହାକୁ ସୂଚାରୁ ରୂପେ ପାଳନ କରୁନଥିବା ସରକାରଙ୍କ ଦୃଷ୍ଟିଗୋଚର ହୋଇଅଛି ।
“୩॰ ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରୀ ଭାଷା ଆଇନ,୧୯୫୪ର ଧାରା ୨ ଉପଧାରା (୨) ଅନୁଯାୟୀ ବିଜ୍ଞପ୍ତି କରାଯାଇଥିବା ନିୟମ ଯେଉଁ ଅଧିକାରୀ / କର୍ମଚାରୀମାନେ ପାଳନ କରିବେ ନାହିଁ, ସେମାନଙ୍କ ପାଇଁ ଦଣ୍ଡବିଧାନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।
୪॰ ସେହିପରି ଯେଉଁ ଅଧିକାରୀ / କର୍ମଚାରୀମାନେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ସଠିକ ପ୍ରୟୋଗ କରିବେ ସେମାନଙ୍କୁ ପୁରସ୍କୃତ କରିବା ପାଇଁ ସରକାର ସ୍ଥିର କରିଛନ୍ତି ।“

ଏହି ହେତୁ ଆମ ବିଚାରରେ ୧୪.୩.୨୦୧୮ ତାରିଖର କ୍ୟାବିନେଟ ଆମ ଭାଷା ଆଇନ ବିରୁଦ୍ଧରେ ୨୬.୧୨.୨୦୧୭ ତାରିଖର କ୍ୟାବିନେଟ କରିଥିବା ଭୁଲ ସୁଧାରି ଦେଇଥିଲା ଓ ଆମ ପାଇଁ ଗ୍ରହଣଯୋଗ୍ୟ ହୋଇଥିଲା । ଏହା ବୁଝିବାକୁ ହେଲେ, ୨୬.୧୨.୨୦୧୭ ତାରିଖର କ୍ୟାବିନେଟ ପ୍ରସ୍ତାବଟି କଣ ଥିଲା ତାହା ଦେଖାଯାଉ । ତାହା ଥିଲା ଏହିପରି :

“୩॰ ସରକାରୀ ଭାଷା ଆଇନ ୧୯୫୪ରେ ସଂଶୋଧନ ଅଣାଯାଇ ବିହିତ ଦଣ୍ଡବିଧାନ ବ୍ୟବସ୍ଥା ସହିତ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରୁଥିବା ବିଭାଗ ତଥା କର୍ମଚାରୀଙ୍କୁ ପ୍ରୋତ୍ସାହିତ କରାଯିବ । ଏଥିପାଇଁ ବିଭାଗଗୁଡ଼ିକ ନିର୍ଦ୍ଦିଷ୍ଟ ମାନଦଣ୍ଡ ଓ କ୍ଷେତ୍ର ନିର୍ଦ୍ଧାରଣ କରିବେ ।”

ଅତଏବ, ସାରା ଓଡ଼ିଶା ପରିବର୍ତ୍ତେ, ବିଭାଗମାନେ ନିର୍ଦ୍ଦାରଣ କରିବାକୁ ଥିବା କ୍ଷେତ୍ରରେ ଭାଷା ଆଇନର କାର୍ଯ୍ୟକାରୀତା ସୀମିତ ରହିବ ଓ ଆମ ଭାଷାର ମାନଦଣ୍ଡ କଣ ହେବ / ରହିବ ତାହା ଆମ ଜାତି ବା ଆମ ଜାତିର ଆଇନ ପ୍ରଣେତାମାନଙ୍କ ପରିବର୍ତ୍ତେ କର୍ମଚାରୀ କାମ କରୁଥିବା ବିଭାଗ ଧାର୍ଯ୍ୟ କରିବେ ଏବଂ ଯେଉଁ କର୍ମଚାରୀ ଓ ବିଭାଗମାନେ ଆମ ଭାଷାର ବହୁଳ ବ୍ୟବହାର କରିବେ ସେମାନଙ୍କୁ ପ୍ରୋତ୍ସାହିତ କରାଯିବ , ଅର୍ଥାତ୍ ଯେଉଁମାନେ ସରକାରୀ କାମରେ ଆମ ଭାଷାର ସମ୍ପୂର୍ଣ ବ୍ୟବହାର ନ କରିବେ, ସେମାନଙ୍କୁ ପ୍ରୋତ୍ସାହିତ କରାଯିବ ବୋଲି ୨୬.୧୨.୨୦୧୭ ତାରିଖର କ୍ୟାବିନେଟ ପ୍ରସ୍ତାବ କରିଥିଲା । ଏହାଠୁ ବଳି ଅବିମୃଷ୍ୟକାରୀତା କଣ ଆଉ ଥାଇପାରେ? ସ୍ଵାଭାବିକ ଭାବେ ଆମେ ତାକୁ ବିରୋଧ କରିଥିଲୁ ।

ଏହା ମୁଁ ମୋ ନିଜ ନଭନିବାସ ସମେତ ଓଡ଼ିଶାର ଏକାଧିକ ସମ୍ବାଦପତ୍ରରେ ଅଲୋଚନା କଲା ପରେ ଏହି ଅବିମୃଷ୍ୟକାରୀତାର ପରିସମାପ୍ତି ଘଟାଇ ଥିଲା ୧୪.୩.୨୦୧୮ ତାରିଖର କ୍ୟାବିନେଟ ।

ପ୍ରଥମତଃ ଏହା ମୋ ପ୍ରଦତ୍ତ ଉଦ୍ଦେଶ୍ୟିକାକୁ ସମ୍ପୂର୍ଣତଃ ଗ୍ରହଣ କରି “ଯେହେତୁ ଏଥିରେ ଦଣ୍ଡବିଧାନର କୌଣସି ବ୍ୟବସ୍ଥା ନାହିଁ , ଅନେକ ଅଧିକାରୀ ଏହାକୁ ସୂଚାରୁ ରୂପେ ପାଳନ କରୁନଥିବା” ସ୍ଵୀକାର କରିଥିଲା ଓ ସେହେତୁ ସଂଶୋଧନ-ବିଧେୟକର ‘ଉଦ୍ଦେଶ୍ୟ ଓ କାରଣ କଥନ’ କଣ ହେବ ତାହା ଏକପ୍ରକାର ନିର୍ଦ୍ଧାରିତ କରିଦେଇଥିଲା । ଦ୍ଵିତୀୟତଃ ୧୮୮୫ର “ବିଜ୍ଞାପନ” (Notification ବା ଅଧିସୂଚନା)ର ସମ୍ପୁର୍ଣ କାର୍ଯ୍ୟକାରୀତାକୁ କେନ୍ଦ୍ରୀୟ କାରଣ କରି ବିଭାଗଗୁଡ଼ିକର ନିର୍ଦ୍ଧାରଣୀୟ “କ୍ଷେତ୍ର” ପରିବର୍ତ୍ତେ ସମଗ୍ର ଓଡ଼ିଶାରେ ଭାଷା ଆଇନ ଲାଗୁ ହେବା ନିଶ୍ଚିତ କରିଥିଲା । ତୃତୀୟତଃ , ଭାଷା ଆଇନର ଉଲ୍ଲଂଘନ ପାଇଁ ବିଭାଗ ତଥା କର୍ମଚାରୀଙ୍କୁ ଦଣ୍ଡିତ କରାଯିବ ବୋଲି କହି ୨୬.୧୨.୨୦୧୭ ତାରିଖର କ୍ୟାବିନେଟ ଯେଉଁ ଭୟଙ୍କର ଭୁଲ ପ୍ରସ୍ତାବ କରିଥିଲା ତାହାକୁ ବଦଳାଇ ଏହା ଦଣ୍ଡବିଧାନ ବିଭାବନାରୁ ବିଭାଗଗୁଡ଼ିକୁ ମୁକ୍ତ କରିଦେଇଥିଲା । ବିଭାଗଗୁଡ଼ିକୁ ଦଣ୍ଡ ଦେବା ଅର୍ଥ ଓଡ଼ିଶାର ଜନସାଧାରଣଙ୍କୁ ଦଣ୍ଡ ଦେବା ବୋଲି ମୁଁ ଯେଉଁ ଯୁକ୍ତି ବାଢ଼ିଥିଲି ତାହାକୁ ଯଥାର୍ଥ ବୋଲି ବିବେଚନା କରି ଏହା ସ୍ପଷ୍ଟ କରିଦେଇଥିଲା ଯେ, ଭାଷା ଆଇନର ଉଲ୍ଲଂଘନ ହେଲେ କୌଣସି ବିଭାଗ ନୁହେଁ, କେବଳ ଖିଲାପକାରୀ ପଦଧିକାରୀ ଓ କର୍ମଚାରୀ ଦଣ୍ଡିତ ହେବେ ।

ଅଥଚ ମୁଖ୍ୟମନ୍ତ୍ରୀ ଯେତେବେଳେ ବିଧେୟକଟିକୁ ପ୍ରଣୟନ କଲେ, ସେତେବେଳେ ସେ ଏହି ୧୪.୩.୨୦୧୮ ତାରିଖର କ୍ୟାବିନେଟ ପ୍ରସ୍ତାବକୁ ଲୁଚାଇ ଦେଇ ୨୬.୧୨.୨୦୧୭ ତାରିଖର କ୍ୟାବିନେଟ ଗ୍ରହଣ କରିଥିବା ଓଡ଼ିଆବିରୋଧୀ ପ୍ରସ୍ତାବ ଉପରେ ହିଁ ତାହାକୁ ଆଧାରିତ କଲେ । ଦୁଃଖ ଓ ଲଜ୍ଜାର କଥା , ଗତାୟୁ ବିଧାନସଭା ମୁଖ୍ୟମନ୍ତ୍ରୀଙ୍କ ଏହି ଦୁରଭିସନ୍ଧିପ୍ରସୂତ ଅବୈଧ କାମକୁ ବୈଧ କରିଦେଲା ଏହି ଦୂଷିତ ସଂଶୋଧନକୁ ସମର୍ଥନ କରି ୨୦୧୮ ମେ ପହିଲାରେ । ଏପରି ଏକ କ୍ୟାବିନେଟ ସ୍କାମ୍ ପୂର୍ବରୁ କେବେ କେଉଁଠି ଘଟିନଥିଲା ।

ବିଧାନସଭାରେ ଅପରାଧ

ରହସ୍ୟମୟ କଥା ହେଲା, ୧୪.୩.୨୦୧୮ ତାରିଖର କ୍ୟାବିନେଟରେ ଉପସ୍ଥିତ ରହି ଆମ ଭାଷା ଆଇନର କାର୍ଯ୍ୟକାରିତା ସମ୍ପର୍କରେ ଯେଉଁ ମନ୍ତ୍ରୀମାନେ ୨୬.୧୨.୨୦୧୭ ତାରିଖର ପ୍ରସ୍ତାବ ଭୁଲ ଥିଲା ବୋଲି ମାନି ତାକୁ ବସ୍ତୁତଃ ବିଲୋପ କରି ନୂଆ ପ୍ରସ୍ତାବ ଗ୍ରହଣ କରିଥିଲେ, ସେହି ମନ୍ତ୍ରୀମାନେ ୧୪.୩.୨୦୧୮ ତାରିଖର କ୍ୟାବିନେଟ ପ୍ରସ୍ତାବ କୁଆଡ଼େ ଗଲା ବୋଲି ପ୍ରଶ୍ନ କଲେ ନାହିଁ! ମୁଖ୍ୟମନ୍ତ୍ରୀ ବିଧାନସଭାକୁ ବିଧେୟକଟିର ନକଲ ଦେଲା ପରେ ମୁଁ ତ ଏହି ଭୁଲ ଧରି ସର୍ବ ସମକ୍ଷରେ ରଖିଥିଲି ଓ ଘରକୁ ଘର ବୁଲି ବହୁ ଆଗଧାଡ଼ିଆ ବିଧାୟକଙ୍କୁ ଏହି ବ୍ୟାଖ୍ୟା ସମ୍ବଳିତ ଲେଖା ଦେଇ ବ୍ୟକ୍ତିଗତ ସ୍ତରରେ ବୁଝାଇଥିଲି ଯେ, ଏହି ଭୁଲ ଯଦି ଘଟିବାକୁ ଦିଆଯାଏ ତେବେ ଓଡ଼ିଶା ପ୍ରଦେଶ ସୃଷ୍ଟିର ଉଦ୍ଦେଶ୍ୟ ପଣ୍ଡ ହୋଇଯିବ ଓ ସାରା ଭାରତରେ କ୍ୟାବିନେଟ ସ୍କାମ୍ ପରି ଏକ ଅଭୂତପୂର୍ବ ଅପରାଧ ଘଟିବ, ଯାହା ସହ ଜଡିତ ହୋଇଯିବ ବିଧାନସଭା ।

ସମସ୍ତେ ଧୈର୍ଯ୍ୟର ସହ ସବୁ ଶୁଣିଥିଲେ ଓ ମୋ ଯୁକ୍ତିକୁ ମୁହଁରେ ସମର୍ଥନ କରିଥିଲେ । ତେଣୁ ଆଶା କରାଯାଉଥିଲା ଯେ, ବିଧେୟକଟି ଉପରେ ଆଲୋଚନା କାଳରେ ଏହି ସ୍କାମ୍ ଉପରେ ବିତର୍କ ହେବ ଓ ତହିଁର ‘ଉଦ୍ଦେଶ୍ୟ ଓ କାରଣ କଥନ’ରେ ୨୬.୧୨.୨୦୧୭ ତାରିଖର କ୍ୟାବିନେଟ ପ୍ରସ୍ତାବ ସ୍ଥାନରେ ୧୪.୩.୨୦୧୮ ତାରିଖର କ୍ୟାବିନେଟରେ ନିଆହୋଇଥିବା ପ୍ରସ୍ତାବ ସ୍ଥାନିତ ହୋଇ ବିଧେୟକଟିର ଭୁଲ ସୁଧୁରି ଯିବ । କିନ୍ତୁ ତାହା ହେଲା ନାହିଁ ।

ନିଜ ନିଜ ସ୍ଵତନ୍ତ୍ର ଅଧିକାର (privilege) ତେଜରେ ଝଲସୁଥିବା ଆମ ବିଧାୟକମାନେ ଯଦି ବିଧେୟକଟିର ‘ଉଦ୍ଦେଶ୍ୟ ଓ କାରଣ କଥନ’ (Statement of Objects and Reasons) ଉପରେ ଦୃଷ୍ଟି ପକାଇଥାନ୍ତେ, ସେମାନେ ଏହା ପଛରେ ଲୁକ୍କାୟିତ ଥିବା ଷଡ଼ଯନ୍ତ୍ରର ସ୍ୱରୂପ ଦେଖିପାରିଥାନ୍ତେ । ଏଥିରେ ଲେଖଥିଲା ,

“ଓଡ଼ିଶା ରାଜ୍ୟରେ ସମସ୍ତ ବା ଯେକୌଣସି ସରକାରୀ କାର୍ଯ୍ୟ ଉଦ୍ଦେଶ୍ୟରେ ଓଡ଼ିଆ ଭାଷା ବ୍ୟବହାର କରିବା ପାଇଁ ଓଡ଼ିଶା ସରକାରୀ ଭାଷା ଅଧିନିୟମ, ୧୯୫୪ ପ୍ରଣୟନ କରାଯାଇଥିଲା ।

ତା୨୬.୧୨.୨୦୧୭ରିଖରେ ଡିବା ଘ ୧୧.୧୫ ମିନିଟ ସମୟରେ ଅନୁଷ୍ଠିତ ହୋଇଥିବା ମନ୍ତ୍ରୀମଣ୍ଡଳର ୫୧ତମ ବୈଠକର ନିଷ୍ପତ୍ତି ଅନୁସାରେ ସରକାରୀ ଭାଷାର ବ୍ୟାପକ ବ୍ୟବହାର କରୁଥିବା ସରକାରୀ କର୍ମଚାରୀ /ବିଭାଗମାନଙ୍କୁ ପ୍ରୋତ୍ସାହନ ଦେବା ତଥା ସେଥିରେ ଖିଲାପ କରୁଥିବା ସରକାରୀ କର୍ମଚାରୀ/ବିଭାଗମାନଙ୍କୁ ଦଣ୍ଡବିଧାନ କରିବା ପାଇଁ ଓଡ଼ିଶା ସରକାରୀ ଭାଷା ଅଧିନିୟମର ସଂଶୋଧନ କରି ଆବଶ୍ୟକ ବ୍ୟବସ୍ଥାମାନ କରିବା ଦରକାର ଅଟେ ।

ତଦନୁସାରେ ଓଡ଼ିଶା ସରକାରୀ ଭାଷା ଅଧିନିୟମ ୧୯୫୪ରେ ସଂଶୋଧନ କରିବା ନିମନ୍ତେ ଆବଶ୍ୟକୀୟ ଚିଠା ସଂଶୋଧନ ବିଧେୟକ ୨୦୧୮ ପ୍ରସ୍ତୁତ କରାଯାଇଛି ଯଦ୍ଦ୍ଵାରା ସରକାରୀ ଭାଷାର ବ୍ୟାପକ ବ୍ୟବହାର ନିମନ୍ତେ ସରକାରୀ କର୍ମଚାରୀ/ବିଭାଗମାନଙ୍କୁ ପ୍ରୋତ୍ସାହନ ଦେବା ତଥା ସେଥିରେ ଖିଲାପ କରୁଥିବା ସରକାରୀ କର୍ମଚାରୀ/ବିଭାଗମାନଙ୍କୁ ଦଣ୍ଡବିଧାନ କରିବା ସକାଶେ ନିୟମାବଳୀରେ ବିହିତ କରିବା ପାଇଁ ରାଜ୍ୟ ସରକାରଙ୍କର କ୍ଷମତା ରହିବ ।

ଉପରୋକ୍ତ ଉଦ୍ଦେଶ୍ୟ ସାଧନ ଲାଗି ବିଧେୟକତି ଉଦ୍ଦିଷ୍ଟ ।
ନବୀନ ପଟ୍ଟନାୟକ
ଭରପ୍ରାପ୍ତ ସଦସ୍ୟ“

ମୋ ଯୁକ୍ତି ଦ୍ଵାରା ପ୍ରଭାବିତ ନ ହେଲେ ନାହିଁ, ବିଧାନ ପ୍ରଣୟନ ପାଇଁ ଲୋକଙ୍କ ପ୍ରତିନିଧି ଭାବେ ବିଧାୟକ ସାଜିଥିବା ମାନ୍ୟବରମାନେ ଯଦି ଏହି ‘ଉଦ୍ଦେଶ୍ୟ ଓ କାରଣ କଥନ’କୁ ଥରେ ଥରେ ମନଦେଇ ପଢ଼ିଥାନ୍ତେ , ଯାହା ସେମାନେ କରିବା ଉଚିତ ଥିଲା, ସେମାନେ ‘କଥନ’ (୧) ସଙ୍ଗେ ‘କଥନ’ (୨)ର ବିରୋଧାଭାସ ଦେଖିଥାନ୍ତେ । କାରଣ , ‘କଥନ’ (୧)ରେ “ଓଡ଼ିଶା ରାଜ୍ୟରେ ସମସ୍ତ ବା ଯେକୌଣସି ସରକାରୀ କାର୍ଯ୍ୟ ଉଦ୍ଦେଶ୍ୟରେ ଓଡ଼ିଆ ଭାଷା ବ୍ୟବହାର କରିବା ପାଇଁ ଓଡ଼ିଶା ସରକାରୀ ଭାଷା ଅଧିନିୟମ, ୧୯୫୪ ପ୍ରଣୟନ କରାଯାଇଥିଲା” ବୋଲି ସ୍ଵୀକାର କରାଯାଇଥିବା ବେଳେ, ‘କଥନ’ (୨)ରେ ସରକାରୀ ଭାଷାକୁ “ବ୍ୟାପକ ବ୍ୟବହାର” କରୁଥିବା କର୍ମଚାରୀ କିମ୍ବା ବିଭାଗକୁ ପ୍ରୋତ୍ସାହନ ଦେବା ପାଇଁ କୁହାଯାଇଥିଲା । ଯଦି ସେମାନେ ଏହି ବିଧେୟକଟିର ‘ଉଦ୍ଦେଶ୍ୟ ଓ କାରଣ କଥନ’ ପଢ଼ିଥିଲେ, ତେବେ “ସମସ୍ତ ବା ଯେକୌଣସି କାମରେ ବ୍ୟବହାର” ଯାହା “ବ୍ୟାପକ ବ୍ୟବହାର” ଯେ ସେଇଆ ନୁହେଁ – ଏତିକି କଣ ସେମାନେ ବୁଝି ପାରିଲେନି ? ସେମାନେ ଏହା ବୁଝିଥିଲେ ଓ ଜାଣିଶୁଣି ଆମ ଭାଷା ଆଇନକୁ ମାରିଦେବାରେ ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରି ଓଡ଼ିଆ ଜାତି ବିରୁଦ୍ଧରେ ଅପରାଧ କରିଥିଲେ ବୋଲି ଯଦି କୁହାଯାଏ , କ’ଣ ଭୁଲ ହେବ?

ଯଦି ଏହି ଅପରାଧ ସେମାନେ ନ କରିଥାନ୍ତେ, ତେବେ କଥନ (୩)ର ଅପରାଧିକ ଅଭିସନ୍ଧି ସେମାନଙ୍କୁ ସ୍ପଷ୍ଟ ଦିଶିଥାନ୍ତା । ଓଡ଼ିଆ ଜାତି ବିରୁଦ୍ଧରେ ଏପରି ଜଘନ୍ୟ ଅପରାଧ କରିବାକୁ ବିଧାନସଭାରେ ସେମାନେ ସରକାରଙ୍କୁ କେବେ ବି କ୍ଷମତା ଦେଇନଥାନ୍ତେ । ଏହାକୁ ଅସ୍ଵୀକାର କରାଯାଇପାରିବ ନାହିଁ ଯେ, ଓଡ଼ିଆ ଜାତି ବିରୁଦ୍ଧର ଏହି କୁତ୍ସିତ ଅପରାଧ ଓଡ଼ିଶା ବିଧାନସଭାରେ ହିଁ ଘଟିଗଲା । (କ୍ରମଶଃ )

(ଭୁବନେଶ୍ବର,୨୫.୫.୨୦୨୯)

କେବଳ ଓଡ଼ିଆ ଭାଷା ହିଁ ନବୀନଙ୍କୁ ଜିତାଇଲା; ଭୁଲିଗଲେ ଭୁଲ ହେବ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନିଶ୍ଚିତ ଥିଲେ ଯେ ତାଙ୍କ କାମରେ ଖୁସି ହୋଇ ଓଡ଼ିଆ ଲୋକେ ତାଙ୍କୁ ନିଶ୍ଚୟ ଭୋଟ ଦେବେ ତା ହେଲେ ସେ କାହିଁକି ତାହା କରୁଥିଲେ ଯାହା ସେ କେବେ କରିନଥିଲେ ?

ଇଂରାଜୀ ଅକ୍ଷରରେ ଲେଖା ହୋଇଥିବା ଓଡ଼ିଆ ଭାଷଣ ଘୋଷି ସାରା ଓଡ଼ିଶା ବୁଲି ବୁଲି ସେ ଓଡ଼ିଆରେ ଭୋଟ ଭିକ୍ଷା କରିଥିଲେ ।

ଆମ ଭାଷାରେ ଆମ ରାଜ୍ୟ ପରିଚାଳନା ପାଇଁ ଚାଲିଥିବା କଳାପତାକା ଅଭିଯାନ ଓଡ଼ିଆବିଦ୍ଵେଷୀ ନବୀନବାବୁଙ୍କୁ ଏତେ ଅଡୁଆରେ ପକାଇଥିଲା ଯେ, ଏହି ଅଭିଯାନକୁ ଭଣ୍ଡୁର କରିବା ପାଇଁ ସେ ମୋର ଦୁଇ ମୁଖ୍ୟ ସହଯୋଗୀ ପବିତ୍ର ମହାରଥା ଓ ପ୍ରଦ୍ଯୁମ୍ନ ଶତପଥୀଙ୍କ ଆର୍ଥିକ ଦୁର୍ବଳତାର ସୁଯୋଗ ନେଇ ସେମାନଙ୍କୁ ନିଜ ବଶକୁ ନେଇଯାଇଥିଲେ । ଫଳରେ ସେମାନେ ଭାଷା ଆନ୍ଦୋଳନକୁ ପଚ୍ଛରୁ ଛୁରା ମାରିଥିଲେ ।

କିନ୍ତୁ ଆନ୍ଦୋଳନ ବନ୍ଦ ନ ହୋଇ ଚାଲିଲା । ଭୁବନେଶ୍ବରରେ ଉପସ୍ଥିତ ରହି କେଉଁ ଓଡ଼ିଆ କଳାପତାକା ଧରିପାରିଲେ, କିଏ ବା ନ ଧରିପାରିଲେ ନିଆରା କଥା , କିନ୍ତୁ ପ୍ରତି ଭାଷାପ୍ରେମୀ ଓଡ଼ିଆ ଏହି ଅଭିଯାନ ସହ ନିଜ ନିଜ ଅନ୍ତରାତ୍ମାରେ ସଂଯୁକ୍ତ ହୋଇଯାଇଥିଲେ । ଭାଷା ଆନ୍ଦୋଳନ ଏତେ ଜନପ୍ରିଯ ହୋଇଉଠିଥିଲା ଯେ, ନିଜକୁ ଏହି ଆନ୍ଦୋଳନ ଚଳାଇଥିବା ଲୋକ ବୋଲି ନିଜ ଗଣମାଧ୍ୟମରେ ପ୍ରଚାର କରି ଏକଦା ଆମର ମୁଖ୍ୟ ଗଣମାଧ୍ୟମୀୟ ସହଯୋଗୀ ଥିବା ସଂବାଦ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ରାଜ୍ୟସଭାକୁ ଯିବା ଲୋଭରେ କଳାପତାକା ଅଭିଯାନ ବନ୍ଦ କରିବାକୁ ମୋ ଉପରେ ଚାପ ପକାଇଥିଲେ ଓ ମୁଁ ତାହା ପ୍ରତ୍ୟାଖ୍ୟାନ କରିଥିବା ହେତୁ, ସମ୍ବାଦରେ ଏହି ଅଭିଯାନର ବିବରଣୀ ପ୍ରକାଶନ ବନ୍ଦ କରିଦେଇଥିଲେ । ଏହି ଅଭିଯାନକୁ ସଫଳ କରାଇନଦେବା ପାଇଁ କ୍ୟାବିନେଟ୍ ସ୍କାମ୍ ପରି ଏକ ନାହିଁ ନ ଥିବା ଅପରାଧ କରି ଏହ ଅବୈଧ ବିଧାନ ପ୍ରଣଯନ ପାଇଁ ସମସ୍ତ କୁତ୍ସିତ ମିଥ୍ୟାର ଆଶ୍ରୟ ମଧ୍ୟ ନେଇଥିଲେ ନବୀନବାବୁ ବିଧାନସଭାରେ ।

କୌଣସି ତଞ୍ଚକତା ଓ ସୁପାରୀ ପ୍ରଦାନ, କୌଣସି ରାଜନୈତିକ ବଶୀକରଣ ଯେତେବେଳେ ଆମ ଆନ୍ଦୋଳନର କାଳିଆ ପତାକା ଅଭିଯାନକୁ ଅଟକାଇ ପାରିଲା ନାହିଁ , ସେତେବେଳେ Krushak Assistance for Livelihood and Income Augmentation ପରି ଭୋଟରମାନଙ୍କୁ ପ୍ରଭାବିତ କଲା ପରିକା ଏକ ପେଞ୍ଚ ତିଆରିକରି ତାକୁ ‘କାଳିଆ’ ନାମରେ ପ୍ରସାରିତ କରାଗଲା । ଏହା ସତ୍ତ୍ୱେ, ଭୁବନେଶ୍ବରରେ ଉଡ଼ି ଉଡ଼ି ଆମ ଆନ୍ଦୋଳନର କଳାପତାକା ଯେଉଁ ବାର୍ତ୍ତା ଦେଇ ଚାଲିଥିଲା କି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ଭାଷା ପାଇଁ ବିତସ୍ପୃହ ହୋଇଥିବା ହେତୁ ଆମ ଭାଷା ଆଇନର ଉଦ୍ଦେଶ୍ୟ ପଣ୍ଡ ହୋଇଛି ଓ ଆମ ମାତୃଭାଷା ସଙ୍କଟଗ୍ରସ୍ତ ହୋଇପଡ଼ିଛି, ତହିଁର ନିରାକରଣ ପାଇଁ ସେ ଓଡ଼ିଆ ଭାଷାର ଆଶ୍ରା ନେବାକୁ ବାଧ୍ୟ ହୋଇଥିଲେ ।

ତାଙ୍କ ପାଖଲୋକେ କିପରି ଇଂରାଜୀ ଅକ୍ଷରରେ ଓଡ଼ିଆ ବାକ୍ୟ ଲେଖୁଥିଲେ ଓ ସେ ତାହା ପଠନ କରି ଓଡ଼ିଆ ଜାତିକୁ ଭୁଆଁ ବୁଲାଉଥିଲେ ତାହା ଇଣ୍ଟେର୍ନେଟରେ ଭାଇରାଲ ହୋଇଥିଲା । ଏହି ଦୁଇଟି ଫଟୋଚିତ୍ର ତହିଁର ନମୂନା ।

ଏହି ଶୈଳୀ ଅବଲମ୍ବନ କରି ଇଂରାଜୀ ଅକ୍ଷରରେ ଲେଖା ଓଡ଼ିଆ ଭାଷଣ ଘୋଷି ଘୋଷି ସେ ଏକାଏକ ରାଜ୍ୟସରା ବୁଲି ଲୋକଙ୍କୁ ଓଡ଼ିଆରେ ସମ୍ବୋଧନ କରିଚାଲିଲେ । ଜୀବନରେ ଏପରି ପରିଶ୍ରମ ସେ କେବେ ବି କରିନଥିଲେ । ଆମ ଆନ୍ଦୋଳନ ଏପରି ପରିଶ୍ରମ କରିବାକୁ ବାଧ୍ୟ କରିଥିଲା । ସେତେବେଳେ ବିଭିନ୍ନ ଟିଭି ଚ୍ୟାନେଲରେ ଜୀବନ୍ତ ପରିବେଷିତ ତାଙ୍କ ଏହି ଛଳପୂର୍ଣ ଓଡ଼ିଆ ଭାଷଣରୁ କିଛି ଦେଖାଯାଉ ।

ଏହା ଥିଲା ତାଙ୍କର ଦାରିଙ୍ଗିବାଡ଼ି ଭାଷଣ –

ନୂଆପଡ଼ାର କୋମନା ସଭାରେ ସେ କହିଥିଲେ –

କଳାହାଣ୍ଡିର ନର୍ଲାରେ ସେ କହିଥିଲେ –

ଏହିପରି ଭାବେ ସାରା ଓଡ଼ିଶାରେ ବୁଲି ବୁଲି ସେ ଇଂରାଜୀ ଅକ୍ଷରରେ ଲେଖି ମୁଖସ୍ଥ କରିଥିବା ଓଡ଼ିଆ ଭାଷଣ ପରିବେଷଣ କରିଥିବା ହେତୁ, ନିର୍ବାଚନରେ ଜିତିଗଲେ । ତା ନ ହୋଇଥିଲେ ତାଙ୍କ ଦଳର ପରାଜୟ ସୁନିଶ୍ଚିତ ଥିଲା ।

ଓଡ଼ିଆ ଭାଷା ପାଖରେ ଶରଣ ପଶି ସେ ନିର୍ବାଚନରେ ଜୟ ଲାଭ କରିଥିବା ହେତୁ ଆମେ ଭାଷାଆନ୍ଦୋଳନକାରୀମାନେ ତାଙ୍କୁ ବଧେଇ ଜଣାଉଛୁ ଓ ଆଶା କରୁଛୁ କି, ସେ ଏହା ଭୁଲିବେନି ଓ ମନ୍ତ୍ରୀସ୍ତରୀୟ କମିଟିରେ ୩.୯.୨୦୧୫ ତାରିଖରେ ପ୍ରଦତ୍ତ ପରାମର୍ଶ ଅନୁସାରେ ଆମ ସରକାରୀ ଭାଷା ଆଇନର ପୁନଶ୍ଚ ସଂଶୋଧନ କରି ଓଡ଼ିଆ ଭାଷାଜନନୀଙ୍କୁ କୃତଜ୍ଞତା ଜଣାଇବେ ।

ବିଜେଡି ଟିକଟରେ ବିଧାନସଭାକୁ ଆସିଥିବା ବନ୍ଧୁମାନେ ବି ଏହି ସତ୍ୟ ମନେରଖିବା ଉଚିତ । କାରଣ, ଏହା ଭୁଲିଯିବା ସେମାନଙ୍କ ପକ୍ଷରେ ଭୁଲ ହେବ ।

ଭାଷା ଆଇନ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀ ବାଧ୍ୟ, କାରଣ ମନ୍ତ୍ରୀମଣ୍ଡଳ ଭାଷା ଆନ୍ଦୋଳନ ସପକ୍ଷରେ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡିଶା ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆଭାଷାରେ ତାର ସାମଗ୍ରିକ ପରିଚାଳନା । ଏହି ଉଦ୍ଦେଶ୍ୟକୁ ପଣ୍ଡ କରୁଥିବା ବ୍ୟକ୍ତିଙ୍କ ପ୍ରତି ଦଣ୍ଡବିଧାନ – ଏହି ଦାବି ଉପରେ ଗଢ଼ିଉଠିଛି ଭାଷା ଆନ୍ଦୋଳନ । ଏହାକୁ ଭଣ୍ଡୁର କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ସବୁ ଅପକୌଶଳ ଆମେ ଅକାମି କରାଇ ଆସିଛୁ । ଏବେ ସେ ଆମ ଦାବି ମାନି ନେବାକୁ ବାଧ୍ୟ ; କାରଣ, ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ରାଜ୍ୟ ଚାଲେ ମନ୍ତ୍ରୀମଣ୍ଡଳ ଦ୍ଵାରା ମୁଖ୍ୟମନ୍ତ୍ରୀଙ୍କ ମାଧ୍ୟମରେ ଓ ରାଜ୍ୟ ମନ୍ତ୍ରୀମଣ୍ଡଳ ଆମ ଦାବି ସପକ୍ଷରେ ହିଁ ନିଷ୍ପତ୍ତି ନେଇସାରିଛନ୍ତି । ଭାଷା ଆନ୍ଦୋଳନ ଓଡ଼ିଶାର ସର୍ବଶ୍ରେଷ୍ଠ ଜନଆନ୍ଦୋଳନରେ ପରିଣତ ହୋଇଛି ଓ ମାଆ ପାଇଁ ଲେଢ଼େଇରେ ତାର ସନ୍ତାନମାନେ ଯେ କେବେ ବି ହାରିବେ ନାହିଁ ତାହା ସ୍ପଷ୍ଟ ହୋଇଯାଇଛି ।

ଏହି ଯେଉଁ ଐତିହାସିକ ଘଟଣା ଘଟିବାକୁ ଯାଉଛି , ଏବଂ ଘଟିବାକୁ ବାଧ୍ୟ , ତାହା ସହଜରେ ଘଟିବାକୁ ଯାଉନି ।ଦୁଇ ବର୍ଷର ଗଭୀର ତପସ୍ୟା , ବୀର ଓଡ଼ିଆ ଜାତିର ଯୋଗ୍ୟତମ ଦାୟାଦମାନଙ୍କର କଳାପତାକା ଅଭିଯାନ ଏବଂ କୄଛ୍ର ସାଧନା ଦ୍ଵାରା ସରକାରୀ କଳ ଓ ସରକାରୀ ଅନୁଚରମାନଙ୍କ ସମସ୍ତ କୁତ୍ସିତ ଷଡ଼ଯନ୍ତ୍ରର ଅତିକ୍ରମଣ ହେତୁ ହିଁ ଏହା ଘଟିବାକୁ ଯାଉଛି । ଏହି ଅସାମାନ୍ୟ ଘଟଣାର କ୍ରମବିକାଶ ଉପରେ ସାମାନ୍ୟ ଦୃକ୍ ପାତ କରିବା ଆବଶ୍ୟକ, କାରଣ ଏହାକୁ ଘଟାଇ ନଦେବାକୁ ଏବେ ବି ଚକ୍ରାନ୍ତ ଚାଲିଛି  ।

ମନ୍ତ୍ରିମଣ୍ଡଳର ନିଦ୍ରା ଭଙ୍ଗ

ଓଡ଼ିଶା ସରକାରୀ ଭାଷା ଆଇନ ଉଲ୍ଲଙ୍ଘନକାରୀକୁ ଦଣ୍ଡବିଧାନ ସକାଶେ ଆଇନ ସଂଶୋଧନପାଇଁ ସରକାରଙ୍କୁ ମୁଁ ପରାମର୍ଶ ଦେବାର ୮୪୬ ଦିନ ଓ ଏହା ସପକ୍ଷରେ ଭାଷା ଆନ୍ଦୋଳନ ଚାଲିବାର ୬୨୨ ଦିନଠି ଓଡିଶା ମନ୍ତ୍ରିମଣ୍ଡଳର ନିଦ୍ରାଭଙ୍ଗ ହେଲା । ପ୍ରଥମଥର ପାଇଁ ଏହା ଗତ ୨୬. ୧ ୨. ୨୦୧୭ ତାରିଖରେ ଭାଷା ଆନ୍ଦୋଳନର ଦାବି ସପକ୍ଷରେ ଆପାତତଃ ଠିଆହେଲା ଏକ ବିଶେଷ ବୈଠକରେ ପୁରୀଠାରେ ।

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହା ନିର୍ଦ୍ଦେଶ ଦେଲା କି, ଓଡ଼ିଆରେ କାମ ନକରିବା ଲୋକଙ୍କ ବିରୁଦ୍ଧରେ “ବିହିତ ଦଣ୍ଡବିଧାନ” ପାଇଁ ଓଡିଶା ସରକାରୀ ଭାଷା ଆଇନ, ୧୯୫୪କୁ ଆଗାମୀ ଉତ୍କଳ ଦିବସ ପୂର୍ବରୁ ସଂଶୋଧିତ କରାଯାଉ । ମାତ୍ର ଆମେ ତାକୁ ଘୋର ବିରୋଧ କରିଥିଲୁ, ଯେହେତୁ ସରକାରୀ ଭାଷା ସଙ୍କ୍ରାନ୍ତୀୟ ପ୍ରସ୍ତାବରେ ଅତି ଧୂର୍ତ୍ତତାର ସହ ମୂଳ ଭାଷା ଆଇନଟିର ଉଦ୍ଦେଶ୍ୟ ପଣ୍ଡପାଇଁ କୌଶଳ ଖଞ୍ଜା ହୋଇଥିଲା ।

ଭାଷା ଆନ୍ଦୋଳନ ଆଗେଇଚାଲିଲା ଓ ୭୦୦ ଦିନ ଅତିକ୍ରମ କଲା ।

ଡ଼. ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ପରି ଭାଷା ବେପାରୀ , ବୈଷ୍ଣବ ଚରଣ ପରିଡାଙ୍କ ପରି ରାଜନୈତିକ ପଶାଖେଳାଳୀ ଓ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପରି ମେଡିଆ ମୋଗଲଙ୍କୁ ପ୍ରୟୋଗ କରି ଭାଷା ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଯେତେ ଚେଷ୍ଟା କରାହୋଇଥିଲା , ସେ ସବୁ କିଛି ବି କାମ କଲାନି । ଭାଷା ଆନ୍ଦୋଳନ ବ୍ୟାପକତର ହେବାରେ ଲାଗିଲା ।

ଶେଷରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବୋଧପଣିଆରେ ଅତିଷ୍ଠ ହୋଇ ରାଜ୍ୟ ମନ୍ତ୍ରୀମଣ୍ଡଳ ଗତ ୧୪. ୩ . ୨୦୧୮ ବୈଠକରେ ଭାଷା ଆନ୍ଦୋଳନର ଦାବି କାହିଁକି ଗ୍ରହଣଯୋଗ୍ୟ ତାହା ଲିପିବଦ୍ଧ କଲେ ଓ ଘୋଷଣା କଲେ କି, ଉତ୍କଳ ଦିବସ (ଏପ୍ରିଲ ପହିଲା)ସୁଦ୍ଧା ମନ୍ତ୍ରିମଣ୍ଡଳର ନିଷ୍ପତ୍ତି କାର୍ଯ୍ୟକାରୀ ହେବା ଆବଶ୍ୟକ ।

ମନ୍ତ୍ରିମଣ୍ଡଳର ଏହି ଐତିହାସିକ ସ୍ବୀକାରୋକ୍ତି ଥିଲା ଏହିପରି : “୧୯୫୪ରେ ପ୍ରଣୀତ ହୋଇ ତତ୍କାଳ ଲାଗୁହୋଇଥିବା ଓଡିଶା ସରକାରୀ ଭାଷା ଆଇନ ୧୯୮୫ର ନୋଟିଫିକେସନ ସତ୍ତ୍ଵେ ତହିଁରେ ଦଣ୍ଡ ବିଧାନ ଅଭାବରୁ ଏଯାଏଁ କାର୍ଯ୍ୟକାରୀ ହେଉନାହିଁ । ତେଣୁ ଦଣ୍ଡବିଧାନ ବ୍ୟବସ୍ଥା ଖଞ୍ଜିବାକୁ ଆଇନ ସଂଶୋଧନ ଆବଶ୍ୟକ ।”

ଠିକ୍ ଏହି କଥା ଗତ ୩. ୯. ୨୦୧୫ ତାରିଖରେ ଏହି ଆଇନ ସଂଶୋଧନପାଇଁ ଏକ ଚିଠା ଓ ଆଇନ ସଂଶୋଧନ ପରେ ନିୟମାବଳୀ ପ୍ରଣୟନ ପାଇଁ ତହିଁର ଏକ ଚିଠା ପ୍ରଦାନ କରି ମନ୍ତ୍ରୀସ୍ତରୀୟ କମିଟିର ଜଣେ ସଦସ୍ୟ ଭାବେ ମୁଁ କହିଥିଲି । ମୋ ପ୍ରସ୍ତାବର ଯଥାର୍ଥତାକୁ ମନ୍ତ୍ରୀମଣ୍ଡଳ ସ୍ବୀକାର କଲେ ୩୧ ମାସ ପରେ ୧୪. ୩ . ୨୦୧୮ ତାରିଖରେ ; ଏବଂ ତାହା କେବଳ ଭାଷା ଆନ୍ଦୋଳନ ପ୍ରଭାବରେ ।

ମୁଖ୍ୟମନ୍ତ୍ରୀ ବନାମ ମନ୍ତ୍ରୀମଣ୍ଡଳ

ଆମର ବିଶ୍ଵାସ ଯେ , ମୁଖ୍ୟମନ୍ତ୍ରୀଙ୍କୁ ଛାଡି ମନ୍ତ୍ରିମଣ୍ଡଳର ଅନ୍ୟ ସମସ୍ତ ସଦସ୍ୟ ଭାଷା ଆନ୍ଦୋଳନକୁ ଏବେ ସମର୍ଥନ କରୁଛନ୍ତି । କାରଣ, ଆମେ ଦେଖୁଁ , ପୁରୀରେ ଅନୁଷ୍ଠିତ ବିଶେଷ କ୍ୟାବିନେଟରେ ଭାଷା ମାଫିଆଙ୍କୁ ସୁହାଇବା ପରି ଯେତେଗୁଡ଼ିଏ ପ୍ରସ୍ତାବ ଗୃହୀତ ହୋଇଥିଲା ଓ ଯାହାକୁ ଆମେ ପ୍ରତ୍ୟାଖ୍ୟାନ କରିଥିଲୁ , ସେ ସବୁଗୁଡ଼ିକୁ ବର୍ଜନ କରି ୧୪. ୩ . ୨୦୧୮ର ମନ୍ତ୍ରୀମଣ୍ଡଳ ପୂର୍ବ ବୈଠକର କେବଳ ଦୁଇଟି ପ୍ରସ୍ତାବକୁ ବଳବତ୍ତର କରିଛନ୍ତି ; ଯଥା – (୧) ଓଡ଼ିଆ ଅସ୍ମିତାର ସୁରକ୍ଷା ଓ ସୁଦୃଢ଼ୀକରଣ ପାଇଁ ରାଜ୍ୟରେ ସମସ୍ତ ପ୍ରଜ୍ଞାପକ ଓ ଫଳକ ଓଡ଼ିଆରେ ଲେଖାହେବା ବାଧ୍ୟତାମୂଳକ ହେବ ଓ ତହିଁର ଖିଲାପକାରୀକୁ ପ୍ରଥମ ଭୁଲ ପାଇଁ ଏକହଜାରରୁ ପାଞ୍ଚହଜାର ଏବଂ ପରବର୍ତ୍ତୀ ଭୁଲ ପାଇଁ ପାଞ୍ଚହଜାରରୁ ପଚିଶହଜାର ଟଙ୍କା ପରିମାଣର ଅର୍ଥଦଣ୍ଡରେ ଦଣ୍ଡିତ କରାଯିବ ଓ (୨) ଓଡ଼ିଆ ଭାଷାରେ ନଥିକାମ ନ କଲେ ସୁନିଶ୍ଚିତ ଦଣ୍ଡବିଧାନ ଓ ଏଥିପାଇଁ ଓଡିଶା ସରକାରୀ ଭାଷା ଆଇନରେ ଆବଶ୍ୟକୀୟ ସଂଶୋଧନ ।

ଏତଦ୍ଦ୍ରୁଷ୍ଟିରୁ , ୨୦. ୩. ୨୦୧୮ରୁ ଆରମ୍ଭ ହୋଇଥିବା ବିଧାନସଭା ଅଧିବେଶନରେ ଏହି ସଂଶୋଧନ ବିଧେୟକ ନିଶ୍ଚୟ ଆସିବା କଥା ଓ ପ୍ରଥମ ସରକାରୀ କାର୍ଯ୍ୟ ଦିବସରେ ଆଗତ ଓ ପାରିତ ହେବା କଥା । ଏହା ହୋଇ ନାହିଁ । ଏହା ହିଁ ସ୍ପଷ୍ଟ କରୁଛି ଯେ, ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ବିଷୟକୁ ଅଗ୍ରାଧିକାର ଦେଇନାହାନ୍ତି । ଅତଏବ ଆମ ଭାଷାକୁ କେନ୍ଦ୍ରକରି ଗୋଟେ ପଟେ ମୁଖ୍ୟମନ୍ତ୍ରୀ ଓ ଗୋଟେ ପଟେ ଏବେ ଓଡ଼ିଶାର ମନ୍ତ୍ରୀମଣ୍ଡଳ ।

ଚାଟୁକାରଙ୍କ ଗୋତ୍ରମାରୁ କାମ

ନବୀନ ବାବୁଙ୍କ ମନ୍ତ୍ରିମଣ୍ଡଳରେ କେବଳ ଜଣେ ମନ୍ତ୍ରୀ ଥିଲେ ଯେ କି ଭାଷା ଆନ୍ଦୋଳନକୁ ବିରୋଧ କରୁଥିଲେ । ସେ ହେଲେ ଦାମୋଦର ରାଉତ । ସେ ପ୍ରଥମେ ତାଙ୍କ ପାଖେ ଚାକିରୀ କରୁଥିବା ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକଙ୍କୁ ଲଗାଇ ସଂଚାର କାଗଜରେ ଭାଷା ଆନ୍ଦୋଳନକୁ ବିରୋଧ କଲେ ଓ ତହିଁର ଦିନକଠି ସେ ନିଜେ ବିରୋଧ କଲେ, କୌଣସି ପ୍ରସଙ୍ଗ ନ ଥାଇ, କଟକର ଏକ ସଭାରେ । ଏହି ଉଭୟେ ବିଜୁ ପଟ୍ଟନାୟକଙ୍କର ଚାଟୁକାର । ପେଟପାଟଣା ଦାଉରେ ଏମାନେ ଗୋତ୍ରମାରୁ କାମ କରିବାକୁ ପଛେଇ ନଥିଲେ – ଓଡ଼ିଆ ଭାଷାର ଇତିହାସ ଏହା ସ୍ମରଣ ରଖିବ ।

ଓଡ଼ିଆ ଭାଷା ପିଠିରେ ବିଜୁଙ୍କ ଛୁରା

ବିଜୁ ପଟ୍ଟନାୟକ ସୁବିଧାରେ ପଇସା ରୋଜଗାର ପାଇଁ ବେପାର ଛାଡ଼ି ରାଜନୀତିକ କ୍ଷମତା ଅକ୍ତିଆର କରିଥିଲେ ଓ ମୁଖ୍ୟମନ୍ତ୍ରୀ ହେଉ ହେଉ ଓଡିଶା ରାଜକୋଷର ଏପରି ଲୂଟପାଟରେ ଲାଗିଗଲେ ଯେ, ତାଙ୍କ ବିରୁଦ୍ଧରେ ଆମେ ସେତେବେଳର ଯୁବକ ଓ ଛାତ୍ରମାନେ ଏକ ନାହିଁନଥିବା ଆନ୍ଦୋଳନ ଚଳାଇ ମୁଖ୍ୟମନ୍ତ୍ରୀ ପଦ ଛାଡି ପଳାଇବାକୁ ତାଙ୍କୁ ବାଧ୍ୟ କରିଥିଲୁ ।

ଭାରତରେ ରାଜନୈତିକ ଦୁର୍ନୀତିର ଜନ୍ମଦାତା ଜବାହାରଲାଲ ନେହରୁଙ୍କ ଛତ୍ରଛାୟାରେ ଥିବାରୁ ତାଙ୍କ ମୁଖଲଜ୍ଜ୍ୟା ନିବାରଣ ପାଇଁ କାମରାଜ ଯୋଜନାର ଘୋଡ଼ଣୀ ତାଙ୍କୁ ଅବଶ୍ୟ ଯୋଗେଇ ଦିଆଯାଇଥିଲା । ସେ ନିଜ ଦୁର୍ନୀତିର ଭାଗିଦାର ବୀରେନ ମିତ୍ରଙ୍କୁ ଯେପରି ମୁଖ୍ୟମନ୍ତ୍ରୀ କରାଯାଏ ସେଥିପାଇଁ କଂଗ୍ରେସର କୋଷାଧ୍ୟକ୍ଷ ଥିବା ଅତୁଲ୍ୟ ଘୋଷଙ୍କୁ ଧରି ଚେଷ୍ଟା ଚଳାଇଥିଲେ; କାରଣ କେବଳ ତଦ୍ଦ୍ଵାରା ହିଁ ତାଙ୍କ ଦୁର୍ନୀତିକୁ ଘଣ୍ଟ ଘୋଡେଇ ରଖାଯାଇପାରେ ବୋଲି ତାଙ୍କର ବିଶ୍ଵାସ ଥିଲା ।

ନୂଆ ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବାଯାଏଁ ପଦାସୀନ ହୋଇରହିବାକୁ ତାଙ୍କୁ ଯେଉଁ ସୁଯୋଗ ମିଳିଥିଲା ତହିଁର ଦୁରୁପଯୋଗ କରି, ତାଙ୍କୁ କ୍ଷମତାରୁ ନିକାଲି ଦେଉଥିବା ଓଡ଼ିଆଙ୍କ ଉପରେ ପ୍ରତିଶୋଧ ନେବାପାଇଁ ସେ ମାତୃଭାଷାପ୍ରିୟ ଓଡ଼ିଆଙ୍କୁ ମରଣ ଆଘାତ ଦେବା ସକାଶେ ଓଡ଼ିଆ ଭାଷାକୁ ପଛରୁ ଛୁରି ମାରିଦେଲେ ୧୯୬୩ ସେପ୍ଟେମ୍ବର ୨୭ ତାରିଖରେ, ଯାହାଫଳରେ କି ଇଂରେଜୀ ଭାଷା ସରକାରୀ ଭାଷା ରୂପେ ଆମ ରାଜ୍ୟରେ ପୁନର୍ଜନ୍ମ ଲାଭକଲା । “ବିଜୁଙ୍କ ଛୁରା” ଶିରୋନାମାରେ ମୁଁ ଏହାର ଚର୍ଚ୍ଚା ରଖିଚାଲିଥିଲି ଦୈନିକ ସୂର୍ଯ୍ୟପ୍ରଭାରେ ୧୫. ୪. ୨୦୧୭ ତାରିଖରୁ ପ୍ରତି ସପ୍ତାହରେ, ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଚାପରେ ତାହା ବନ୍ଦ ହୋଇଗଲା ୪. ୮. ୨୦୧୭ ତାରିଖରୁ ୧୧ଟି କିସ୍ତି ପରେ । ଫଳରେ bhashaandolan.comରେ ଅବଶିଷ୍ଟ ଆଠୋଟି କିସ୍ତି ମୋତେ ପ୍ରକାଶ କରିବାକୁ ହେଲା । ସୂର୍ଯ୍ୟପ୍ରଭା ଉପରେ ମୋ ଲେଖା ପ୍ରକାଶନ ବିରୁଦ୍ଧରେ ଚାପ ପ୍ରୟୋଗ ସାବ୍ୟସ୍ତ କରିଛି କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଣନ୍ତି ଯେ, ଆମ ମାତୃଭାଷାକୁ ମାରିଦେବାପାଇଁ ତାଙ୍କ ପିତା ଅତି ଅବୈଧ ଶୈଳୀରେ ଯେଉଁ ଚକ୍ରାନ୍ତ କରିଥିଲେ ତାହାରି ହେତୁ ଇଂରେଜୀ ଭାଷା ଏବେ ବି ଆମକୁ ଗ୍ରାସ କରି ରହିଛି ଓ ଭାଷା ଜନନୀ ଓଡ଼ିଆ ମୁମୂର୍ଷୁ ଅବସ୍ଥାରେ ପଡ଼ିଛି ।

ସୁତରାଂ ବିଜୁଙ୍କ ଚାଟୁକାର ଦାମୋଦର ରାଉତ (ଓ ତାଙ୍କ ପାଖେ ଚାକିରୀ କରିଥିବା ସଂଚାର ସମ୍ପାଦକ ପ୍ରଶାନ୍ତ ପଟ୍ଟନାୟକ) ଇଂରେଜୀ ଭାଷାଧିପତ୍ୟରୁ ଓଡିଶାକୁ ଉଦ୍ଧାର କରିବାକୁ ଚାଲିଥିବା ଭାଷା ଆନ୍ଦୋଳନକୁ ବିରୋଧ କରିବା ଥିଲା ସ୍ବଭାବିକ ।

ଚାଟୁକାର ଚାଲିଗଲା ପରେ

ଏହି ଚାଟୁକାର ମନ୍ତ୍ରୀମଣ୍ଡଳରୁ ତଡ଼ା ଖାଇଲା ପରେ ଅବଶିଷ୍ଟ ମନ୍ତ୍ରୀମାନେ ଭାଷା ଆନ୍ଦୋଳନର ଦାବିକୁ ସମର୍ଥନ କରୁଛନ୍ତି । ତେଣୁ ସେମାନେ ୨୬. ୧ ୨. ୨୦୧୭ ତାରିଖରେ ଭାଷା ଆଇନ ଖିଲାପକାରୀକୁ “ବିହିତ ଦଣ୍ଡବିଧାନ” ପାଇଁ ଆଇନ ସଂଶୋଧନ ସକାଶେ ନିଷ୍ପତ୍ତି ନେଇଥିବାବେଳେ ୧୪. ୩ . ୨୦୧୮ ତାରିଖରେ ଏ ଦଣ୍ଡବିଧାନ କାହିଁକି ଆବଶ୍ୟକ ତାହା ସ୍ପଷ୍ଟ କରିଦେଇଛନ୍ତି । ମନ୍ତ୍ରିମଣ୍ଡଳର ଏହି ଯୁଗାନ୍ତକାରୀ ନିର୍ଦ୍ଦେଶକୁ ଅମାନ୍ୟ କରିବା ମୁଖ୍ୟମନ୍ତ୍ରୀଙ୍କ ପକ୍ଷେ ଆଉ ସମ୍ଭବ ନୁହେଁ ।

ପାରିସ୍ଥିତିକ ସନ୍ଦେହ

ତେବେ, ଏହି ନିର୍ଦ୍ଦେଶ ଅନୁସାରେ ଆଇନ ସଂଶୋଧନ କରିବାକୁ ବିଳମ୍ବ କାହିଁକି ?

ବିଜୁ ପଟ୍ଟନାୟକ ଯେହେତୁ ଓଡ଼ିଆ ଭାଷାକୁ ୧୯୬୩ରେ ଛୁରୀ ମାରି ଅକାମି କରିଦେବାକୁ ଚାହିଁଥିଲେ, ତାଙ୍କ ନାମ ଜପ କରିବାରେ ଲାଗିଥିବା ନବୀନ ବାବୁ “ବିଜୁଙ୍କ ସ୍ବପ୍ନ” ସାକାର କରିବା ମତଲବରେ ଓଡ଼ିଆ ଭାଷାକୁ ସମ୍ପୂର୍ଣ୍ଣତଃ ମାରିଦେବାପାଇଁ ଅଣଓଡ଼ିଆ ଅମଲାଙ୍କ ସହ ହାତମିଳାଇଛନ୍ତି କି ?

ଏପରି ଏକ ପାରିସ୍ଥିତିକ ସନ୍ଦେହ ଆମକୁ ଦଂଶନ କରିଚାଲିଥିବା ବେଳେ କି କି ଘଟଣା ଘଟିଛି ଯେ,ଏହି ସନ୍ଦେହ ଉପୁଜୁଛି ତାହା ଆମେ ସ୍ପଷ୍ଟ କରିବାକୁ ଚାହିଁବୁ । ଆମ ସଂଘର୍ଷର ତିନୋଟି ପର୍ଯ୍ୟାୟ ଏଥିପାଇଁ ପରିଦ୍ରଷ୍ଟବ୍ୟ ।

ପ୍ରଥମ ପର୍ଯ୍ୟାୟ

ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିଲା ଭାଷା ଆଇନର କାର୍ଯ୍ୟକାରୀତା ଉପରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିର ଜଣେ ସଦସ୍ୟ ଭାବେ ମୁଁ ଯେଉଁଦିନ ଦଣ୍ଡବିଧାନ ଅଭାବରୁ ଆଇନଟିକୁ କେହି ମାନୁନାହାନ୍ତି ବୋଲି କହି ଏଥି ସକାଶେ ଆଇନ ସଂଶୋଧନର ଚିଠା ଓ ନିୟମାବଳୀର ଏକ ଚିଠା ପ୍ରଦାନ କରିଥିଲି । ସେଦିନ ଥିଲା ୩. ୯. ୨୦୧୫ ତାରିଖ । ସେ ପର୍ଯ୍ୟନ୍ତ ଆମ ରାଜନୈତିକ ନେତୃତ୍ବକୁ ଆଦୌ ଜଣା ନଥିଲା ଯେ, ଆଇନଟିକୁ କାର୍ଯ୍ୟକ୍ଷମ କରିବା ପାଇଁ ଦଣ୍ଡବିଧାନର ଆବଶ୍ୟକତା ଅଛି ଓ ସେଥିପାଇଁ ନିୟମାବଳୀ ପ୍ରଣୟନର ବି ଆବଶ୍ୟକତା ଅଛି ; ଅଥଚ ନିୟମାବଳୀ ପ୍ରଣୟନ ପାଇଁ ଆଇନଟିରେ ସରକାରଙ୍କୁ କୌଣସି ଅଧିକାର ଦିଆଯାଇନଥିଲା ଓ ବିନା ଅଧିକାରରେ ସରକାର ବି ନିୟମାବଳୀ ପ୍ରଣୟନ କରିବା ଥିଲା ଅସମ୍ଭବ ।

ତେଣୁ ମୁଁ ତିନୋଟି ଧାରା ବିଶିଷ୍ଟ ଆଇନଟିରେ ଆଉ ଏକ ଧାରା ଯୋଡ଼ି ଏହି ଅଭାବ ଦୂର କରିବାକୁ କହିଥିଲି । ମୋ ପ୍ରସ୍ତାବ ଥିଲା :

ଓଡିଶା ସରକାରୀ ଭାଷା ଆଇନ କାର୍ଯ୍ୟକାରୀ ହେବାକୁ ହେଲେ ତହିଁରେ ଏକ ନୂଆ ଧାରା (ଧାରା ୪) ଯୋଗ କରାଯାଉ ଓ ଏହି ଧାରାରେ ଦୁଇଟି ଉପଧାରା ରହୁ । ଯଥା:

ଉପଧାରା (୧):
ଆଇନଟିର ନାମ ପରିବର୍ତ୍ତନ କରାଯାଇ ତାହା ‘ଓଡିଶା ସରକାରୀ ଭାଷା ଆଇନ’ (Orissa Official Language Act) ସ୍ଥାନରେ ‘ଓଡିଶା ଜନ ଭାଷା ଆଇନ’ (Orissa Public Language Act) ହେବ ।

ଉପଧାରା (୨):
ଆଇନଟିକୁ ସମଗ୍ରତଃ କାର୍ଯ୍ୟକାରୀ କରିବା ପାଇଁ ବା ତାର ଯେ କୌଣସି ଉଦ୍ଦେଶ୍ୟ ସାଧନ ପାଇଁ ବା ଏହି ଆଇନର ଯେ କୌଣସି ବା ସମସ୍ତ ବ୍ୟବସ୍ଥାର ସଠିକ ପ୍ରବର୍ତ୍ତନ ପାଇଁ ବା ଏହି ଆଇନର ପରିସର ବା ଉଦ୍ଦେଶ୍ୟ ପରିବର୍ଦ୍ଧିତ କରିବା ପାଇଁ ଏବଂ/ ଓ ଏହି ଆଇନର କୌଣସି ଉଲ୍ଲଙ୍ଘନ ହେଲେ ତା ବିରୁଦ୍ଧରେ ଦଣ୍ଡବିଧାନ ପାଇଁ ସରକାର ନିୟମାବଳୀ ପ୍ରଣୟନ କରିବେ ।

ଏହାର ଉଦ୍ଦେଶ୍ୟ

ଉପଧାରା (୧) ମୂଳରେ ମୋର ଉଦ୍ଦେଶ୍ୟ ଥିଲା , ପ୍ରଶାସନ ଶବ୍ଦକୋଷରେ ସ୍ଥାନିତ ହୋଇଥିବା ଏବଂ କଟକ ଓ ଭୁବନେଶ୍ଵରରେ ମୁଖ୍ୟତଃ ବ୍ୟବହୃତ ହେଉଥିବା ଓଡ଼ିଆ ଶବ୍ଦ ପରିବର୍ତ୍ତେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଜନସାଧାରଣ ବ୍ୟବହାର କରୁଥିବା ଶବ୍ଦ ଯଥା ଜଳେଶ୍ଵରୀ , ସମ୍ବଲପୁରୀ , କୋଶଲି, ଦେଶିଆ , ଗଂଜାମିଆ ଆଦି ଶବ୍ଦ ସାଙ୍ଗକୁ ସବୁ ଜିଲ୍ଲାର ଆଞ୍ଚଳିକ ଶବ୍ଦ ତଥା ଆଦିବାସୀ ଓ ଦଳିତମାନଙ୍କର ସମସ୍ତ ମୌଳିକ ଶବ୍ଦ ଓଡ଼ିଶାର ସବୁ ଅଫିସ ଓ ଅଦାଲତରେ ଚାଲୁ; କାରଣ ତଦ୍ଦ୍ଵାରା ହିଁ ପ୍ରତ୍ୟେକ ଓଡ଼ିଆ – ଯିଏ ଯେଉଁ ଶବ୍ଦରେ ତାର ଭାବ ଆଦାନପ୍ରଦାନ କରୁଛନ୍ତି – ସେହି ଶବ୍ଦ ମାଧ୍ୟମରେ ନିଜର ବାଂଛିତ ସେବା ହାସଲ କରି ପାରିବେ ଓ ଓଡିଶା ପ୍ରଦେଶ ଗଠନର ଉଦ୍ଦେଶ୍ୟ ସଫଳ ହେବ ।

ଉପଧାରା (୨)ର ଉଦ୍ଦେଶ୍ୟ ଥିଲା, ଆଇନଟିର ଉଲ୍ଲଙ୍ଘନ ବିରୁଦ୍ଧରେ ଦଣ୍ଡବିଧାନ ବ୍ୟବସ୍ଥା ଆଇନଟି ଦେହରେ ଖଞ୍ଜିବା ଓ ଏହି ବ୍ୟବସ୍ଥାର କାର୍ଯ୍ୟକାରିତା ପାଇଁ ନିୟମାବଳୀ ପ୍ରଣୟନର କ୍ଷମତା ସରକାରଙ୍କୁ ଦିଆଇବା । କାରଣ , ଆଇନଟି ଦେହରେ ନିୟମାବଳୀ ପ୍ରଣୟନର ଅଧିକାର ସରକାରଙ୍କୁ ଦିଆଯାଇନଥିବାରୁ ନିୟମାବଳୀ ପ୍ରଣୟନ ଥିଲା ଅସମ୍ଭବ ଓ ଦଣ୍ଡବିଧାନର ଉପାଦାନ ଖଞ୍ଜା ହୋଇ ନଥିବାରୁ , ନିୟମାବଳୀ ଦ୍ଵାରା ତାହା ସଜ୍ଞାୟିତ ହେବା ବା ନିର୍ବାହିତ ହେବା ବି ଥିଲା ଅସମ୍ଭବ ।

ଏହି ଚିଠାଟିକୁ ମନ୍ତ୍ରୀସ୍ତରୀୟ କମିଟିର ସମସ୍ତଙ୍କ ସମର୍ଥନ କ୍ରମେ ଏକ ସ୍ବତନ୍ତ୍ର ୱେବ୍ସାଇଟ୍ – odia.odisha.gov.in – ରେ ରଖାହେଲା ଓ ଏହାକୁ ଆଇନ ସଚିବ ଅନୁଶୀଳନ କରି ଏକ ବିଧିବଦ୍ଧ ବିଧେୟକ ରୂପେ ବିଧାନସଭା ପାଇଁ ପ୍ରସ୍ତୁତ କରିବାକୁ କୁହାଗଲା । ଏହାକୁ ଆଧାର କରି , ଆଇନ ସଂଶୋଧନର ବ୍ୟବସ୍ଥା ହେଉଛି ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାକୁ ୧୪. ୧୨ . ୨୦୧୫ରେ ଏକ ଉତ୍ତର ଛଳରେ ଅବଗତ କରାଇଲେ ।

ଖଳବୁଦ୍ଧି

କିନ୍ତୁ ଅତି ବିସ୍ମୟଜନକ ଭାବେ ସେ ଓଲଟିଗଲେ ମାତ୍ର ଦୁଇଦିନ ଭିତରେ ।

ମନ୍ତ୍ରୀସ୍ତରୀୟ କମିଟିକୁ ଆଦୌ ନ ଡାକି, କମିଟିର ସିଦ୍ଧାନ୍ତ ବୋଲି କହି, ୧୭. ୧୨ . ୨୦୧୫ ତାରିଖରେ ସେ ଏକ ନଅଟିକିଆ ସୂତ୍ର ଜାରିକଲେ, ଯାହା ଭିତରେ ମୁଁ ଦେଇଥିବା ପ୍ରସ୍ତାବର ନାମଗନ୍ଧ ନ ଥିଲା । ଆଶ୍ଚର୍ଯ୍ୟ କଥା, ତହିଁ ପରଦିନ ସାଧାରଣ ପ୍ରଶାସନର ସ୍ବତନ୍ତ ଶାସନ ସଚିବ ଜି. ଭି. ଭି. ଶର୍ମା ନିଜ ଆଡୁ ଏହି ନଅଟିକିଆ ଖସଡ଼ାକୁ ଚଉଦଟିକିଆ କରିଦେଲେ ଓ ତାହାକୁ ଗ୍ରହଣ କରିବାକୁ ମନ୍ତ୍ରୀସ୍ତରୀୟ କମିଟିକୁ ବାଧ୍ୟ କଲେ । କମିଟିରେ ସ୍ଥାନିତ ହୋଇଥିବା ଭାଷା ମାଫିଆ ଗୋଷ୍ଠୀକୁ ଏହା ସୁହାଉଥିଲା । ତେଣୁ ସେମାନେ ଏହି ହୀନ ଚକ୍ରାନ୍ତଙ୍କୁ ବିରୋଧ କଲେନାହିଁ । ଉପରୋକ୍ତ ଯେଉଁ ନଭମଞ୍ଚରେ ମୋ ପ୍ରଦତ୍ତ ଆଇନ ସଂଶୋଧନ ଓ ନିୟମାବଳୀର ଚିଠା ସ୍ଥାନିତ , ତାହାକୁ ସର୍ବସାଧାରଣଙ୍କ ପାଇଁ ନିଷିଦ୍ଧ କରାଗଲା । ଯେଉଁ ବିଭାଗ ଏହା କରିଛି ତାହା ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ । ମୁଖ୍ୟମନ୍ତ୍ରୀଙ୍କ ଆଦେଶ ବିନା ଏପରି ବଦମାସୀ କରିବାକୁ କୌଣସି କର୍ମଚାରୀ ସାହସ କରିବେନି । ଅତଏବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ଆମ ଭାଷା ବିରୁଦ୍ଧରେ ଖଳନାୟକ ସାଜିଛନ୍ତି ।

ଅଣଓଡ଼ିଆଙ୍କ ଷଡଯନ୍ତ୍ର

ଦଣ୍ଡବିଧାନ ପାଇଁ ମୋ ପ୍ରସ୍ତାବକୁ ଅଣଓଡ଼ିଆ ଆଇ .ଏ .ଏସ . ଅଫିସର ଶର୍ମା ବିରୋଧ କରିଥିବା ଓ ତାହାକୁ ଆଇନ ସଚିବଙ୍କ ପାଖକୁ ଯିବାବେଳେ ବାଟବଣା କରାଇଥିବା ପ୍ରମାଣ ହସ୍ତଗତ ହେଲାପରେ ଆମେ ତାହା ଓଡିଶାବାସୀଙ୍କ ସମ୍ମୁଖରେ ରଖିଛୁ । ଏହା ଅବଗତ ହୋଇ ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ କରିନାହାନ୍ତି । ତେଣୁ ଅଣଓଡ଼ିଆ ଅଫିସରମାନଙ୍କ ସହ ହାତମିଳାଇ ସେ ତାଙ୍କ ବାପାଙ୍କ ଓଡିଆବିରୋଧୀ “ସ୍ବପ୍ନ”କୁ ସାକାର କରିବାକୁ ଚାହାନ୍ତି ବୋଲି ସନ୍ଦେହ ଉପୁଜିବା ସ୍ବଭାବିକ ।

ଭାଷା ଆନ୍ଦୋଳନ ଆରମ୍ଭ

ଉପରୋକ୍ତ ପ୍ରମାଣ ହସ୍ତଗତ ହେବା ପୂର୍ବରୁ , ନିର୍ଭରଯୋଗ୍ୟ ସୂତ୍ରରୁ ଏହା ଯେତେବେଳେ ମୁଁ ଜାଣିପାରିଲି , ଆଇନ ସଂଶୋଧନ ସକାଶେ ଜନମତ ସୃଷ୍ଟିପାଇଁ ଏକ ସ୍ବତନ୍ତ୍ର ଆନ୍ଦୋଳନର ପରିକଳ୍ପନା କଲି ଓ ୧.୪.୨୦୧୬ ତାରିଖରେ ସାମାଜିକ ଗଣମାଧ୍ୟମ ଫେସ୍ ବୁକ୍ ପୃଷ୍ଠାରେ ଜନସାଧାରଣଙ୍କ ମତ ଲୋଡ଼ିଲି । ମୋତେ ଏ-ମେଲ ମାଧ୍ୟମରେ ତତ୍କାଳ ସମର୍ଥନ ଜଣାଇଲେ ଟିଟିଲାଗଡ଼ ନିବାସୀ ଗଜାନନ ମିଶ୍ର , ଯେ କି ୧.୭.୨୦୧୫ରେ ମଧୁମିତା ସାମଲ ଓ ସଂଜୀବ ପରିଡ଼ାଙ୍କ ସହ ମିଶି ଭାଷା ଆଇନର କାର୍ଯ୍ୟକାରୀତା ପାଇଁ ଅନଶନ କରିଥିଲେ । ଚାଟାର୍ଡ଼ ଅକଉଣ୍ଟାଣ୍ଟ ବିଶ୍ଵଜିତ ମହାନ୍ତି, ପ୍ରଫେସର କମଳା ପ୍ରସାଦ ମହାପାତ୍ର ଇତ୍ୟାଦି ବନ୍ଧୁମାନେ ବି ସେମାନଙ୍କ ମୁଲ୍ଯବନ ପରାମର୍ଶ ଦେଲେ । ତହିଁରୁ ମୋର ହୃଦବୋଧ ହେଲା କି ମୁଁ ସରକାରଙ୍କୁ ଦେଇଥିବା ପରାମର୍ଶ ସପକ୍ଷରେ ଏକ ଆନ୍ଦୋଳନ ଠିଆ କରାଯାଇପାରିବ । ୧୯୮୦ ଦଶକରେ ତଦାନୀନ୍ତନ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଜନଚେତନା ଜାଗ୍ରତ କରିବା ପାଇଁ ମୁଁ ସୃଷ୍ଟିକରିଥିବା ନୀରବ କଳାପତାକା ଅଭିଯାନ ପଦ୍ଧତ୍ତିରେ ଏହି ଆନ୍ଦୋଳନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଲି ।

ସମାଜ କାଗଜରେ ଚାଲିଥିବା କର୍ମଚାରୀଶୋଷଣ ବିରୁଦ୍ଧରେ ସୃଷ୍ଟିହୋଇଥିବା ‘ସେଭ ଦି ସମାଜ ଫୋରାମ’ (https://savethesamaja.wordpress.com/ ଦ୍ରଷ୍ଟବ୍ୟ) ହେତୁ ମୋର ନିକଟତର ହୋଇଥିବା ବିଜ୍ଞାପନ ସଂଗ୍ରାହକ ପବିତ୍ର ମୋହନ ମହାରଥା ଏ କ୍ଷେତ୍ରରେ ମୋର ପ୍ରଥମ ସହଯୋଗୀ ସାଜିଲେ । ସୁବାର୍ତ୍ତା ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ, ସ୍ତମ୍ଭକାର ତୁଷାରକାନ୍ତ ଶତପଥୀ ଓ ସାମ୍ବାଦିକ ସାଗର ଶତପଥୀ, ଯେଉଁମାନେ କି ମଧୁବାବୁଙ୍କ ବିଜେସ୍ଥଳୀରୁ ମୋଦୀ ଓ ନବୀନଙ୍କ ପ୍ରଚାର-ପ୍ରାଚୀର ହଟାଇବାରେ ମୋତେ ସାହାଯ୍ୟ କରିଥିଲେ, ସେମାନେ ଏଥିପାଇଁ ସହଯୋଗର ହଟା ବଢ଼ାଇଲେ । ଓଡ଼ିଆ ଭାଷାର ମୁମୂର୍ଷୁ ଅବସ୍ଥା ଲକ୍ଷ୍ୟ କରି ଭାଷାଭିତ୍ତିକ ଜାତୀୟତା ଉଦ୍ରେକ କରିବା ସକାଶେ ‘ଓଡିଶା ପ୍ରଦେଶ ସୃଷ୍ଟିରେ ଗଣମାଧ୍ୟମ’ ଶୀର୍ଷକ ଏକ ପ୍ରାମାଣିକ ନିବନ୍ଧରେ ଆମ ଭାଷାକୁ ରକ୍ଷା କରିବା ପାଇଁ କିପରି ଆମ ସାମ୍ବାଦିକୀୟ ପୂର୍ବସୂରୀମାନେ ନେତୃତ୍ବ ଦେଇଥିଲେ ତାହାର ଅବତାରଣା କରି ଏଥିପାଇଁ ଆମ ସାମ୍ବାଦିକମାନଙ୍କୁ ଜାଗ୍ରତ କରାଇବାକୁ ମୁଁ ଚେଷ୍ଟା କରିଥିଲି ୨୦୦୯ରେ ନଭମଞ୍ଚରେ । ସୁତରାଂ ସାମ୍ବାଦିକୀୟ ବୃତ୍ତିରେ ଥିବା ଆମେ ପାଞ୍ଚଜଣ ଏକାଠି ହେବା ଥିଲା ସ୍ବପ୍ନ ସାର୍ଥକ ହେଲାପରି ଏକ ରୋମାଞ୍ଚକର ଉପଲବ୍ଧି ।

ଇ-ମେଲ ଯୋଗେ ସଂସ୍ଥାପିତ ସମ୍ପର୍କ ପ୍ରତ୍ୟକ୍ଷ ସମାବେଶରେ ଓ କାର୍ଯ୍ୟାନ୍ତ ଅନୁମୋଦନରେ ରୁପାୟିତ ହେଲା ୮.୪.୨୦୧୬ ସନ୍ଧ୍ୟାରେ, ଯେତେବେଳେ ଆମ ସହ ଯୋଗ ଦେଲେ ଡ଼. ନିତ୍ୟାନନ୍ଦ ପଟ୍ଟନାୟକ, ଶ୍ରୀମତୀ ମଧୁମିତା ସାମଲ, କାଳିପ୍ରସାଦ ସାମନ୍ତରାୟ,ସୁବ୍ରତ ଛାଟୋଇ, କାହ୍ନୁ ବେହୁରା । ସ୍ଥାନ ଥିଲା : ପ୍ରଦ୍ୟୁମ୍ନବାବୁଙ୍କ ସୁବାର୍ତ୍ତା କାର୍ଯ୍ୟାଳୟ, କାରଣ ମୁଁ ରହୁଥିବା ସରକାରୀ ଘର ସେଥିପାଇଁ ଉପଯୁକ୍ତ ନଥିଲା । ମୌଖିକ ଅନୁମୋଦନ ଅନୁସାରେ ମୁଖ୍ୟ ଶାସନ ସଚିବଙ୍କୁ ଦିଆସରିଥିଲା ସ୍ମାରକପତ୍ର ଦିନବେଳେ ତାଙ୍କ ସଚିବାଳୟ ପ୍ରକୋଷ୍ଠରେ ।

ଆରମ୍ଭ ହେଲା ଭାଷା ଆନ୍ଦୋଳନ ଏବଂ ଚାରି ଦିନ ପରେ ୧୩. ୪. ୨୦୧୬ (ପଣା ସଂକ୍ରାନ୍ତି – ଓଡ଼ିଆ ନୂଆ ବର୍ଷ)ରେ କଳାପତାକା ଅଭିଯାନ ।

ଏପରି ଏକ ଯୁଗାନ୍ତକାରୀ ଅତୁଳନୀୟ ଜନ ଆନ୍ଦୋଳନ ବିଶ୍ଵରେ କେବେ ବି କେଉଁଠି ଘଟିନାହିଁ । ସମଗ୍ର ଓଡ଼ିଆ ଜାତିର ଜାତୀୟ ଭାବାବେଗ ଏହି ଆନ୍ଦୋଳନ ସହ ଜଡିତ ।

ଦ୍ବିତୀୟ ପର୍ଯ୍ୟାୟ

ଏହି ଜାତୀୟ ଭାବାବେଗ ଏତେ ତୀବ୍ର ଯେ, ୩୯ ଦିନ କାଳ କଳାପତାକା ଚାଲିଲା ପରେ ଓ ତହିଁରେ ଓଡ଼ିଶାର ବହୁ ପ୍ରଥିତଯଶା ବ୍ୟକ୍ତି ଯୋଗ ଦେଇ ଓଡ଼ିଆ ଭାଷା ଜନନୀର ସାର୍ବଭୌମତା ତଳେ ଓଡ଼ିଶାର ପ୍ରଶାସନ କାମ କରିବାକୁ ବାଧ୍ୟ ବୋଲି ନିରବରେ ଲେଖିଦେଲାପରେ ସମୟର ଛାତିରେ ଗଭୀର ଭାବେ, ନବୀନ ବାବୁଙ୍କ ପ୍ରବଳ ଅହଙ୍କାରୀ ସରକାର ପ୍ରଥମଥର ପାଇଁ ମୁଣ୍ଡ ନୂଆଇଁଲା ୨୧. ୫. ୨୦୧୬ ତାରିଖ ଦିନବେଳେ ।

ବିଧାନସଭାରେ ଆଇନ ସଂଶୋଧନ କରିବାକୁ ମୁଖ୍ୟମନ୍ତ୍ରୀ ସେଦିନ ତାଙ୍କ ଦଳୀୟ ସମାବେଶରେ କହିଲେ । ଅଧ୍ୟାଦେଶ ବଳରେ ତାହା ତୁରନ୍ତ କରାଯାଉ ବୋଲି ଆମେ ଦାବି କଲୁ । ରାତିରେ ଜାରି ହେଲା ଅଧ୍ୟାଦେଶ । ତାହା ଭାଷା ଆନ୍ଦୋଳନର ଏକ ସୁନିଶ୍ଚିତ ବିଜୟ ଥିଲା ; କିନ୍ତୁ ତାହା ଥିଲା ଆଂଶିକ । ତହିଁରେ ୩.୯.୨୦୧୫ରେ ପ୍ରଦତ୍ତ ସଂଶୋଧନ ଚିଠାରୁ ଫାଳେ ଗ୍ରହଣ କରି ଅବଶିଷ୍ଟକୁ ଏଡେ଼ଇଦିଆଯାଇଥିଲା । ଏଥିରେ ପ୍ରସ୍ତାବିତ ହୋଇଥିବା ଧାରା-୪କୁ ଦୁଇଟି ଧାରା (ଧାରା ୪ ଓ ଧାରା ୫)ରେ ପରିଣତ କରି ସରକାର ତହିଁରୁ ଗୋଟିଏ ପ୍ରସ୍ତାବ କାର୍ଯ୍ୟକାରୀ କଲେ ଓ ଦୁଇଟି ଅସଲ ପ୍ରସ୍ତାବକୁ ଏଡେ଼ଇ ଗଲେ ।

ସରକାରଙ୍କ ଅନ୍ତଃସ୍ଥାପନ ଥିଲା ଏହିପରି :

“୪. ରାଜ୍ୟ ସରକାର, ଏହି ଅଧିନିୟମ ଅନୁଯାୟୀ ପ୍ରଣୀତ ନିୟମାବଳୀରେ ବିହିତ ହେବା ମତେ ସେପରି କାଳାବଧି ମଧ୍ୟରେ , ସେପରି ରୀତିରେ ଓ ସେପରି ପ୍ରାଧିକାରୀଙ୍କ ଦ୍ଵାରା , ଧାରା ୨ର ଉପଧାରା (୨) ଅନୁଯାୟୀ ନିର୍ଗମିତ ଅଧିସୂଚନାରେ ଥିବା ନିର୍ଦ୍ଦେଶ ଫଳପ୍ରଦଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ସେ ବିଷୟରେ ସମୀକ୍ଷା ଓ ଅନୁଧ୍ୟାନ କରିପାରିବେ ।
୫. ଏହି ଅଧିନିୟମର ଉଦ୍ଦେଶ୍ୟଗୁଡ଼ିକୁ କାର୍ଯ୍ୟକାରୀ କରିବା ସକାଶେ ରାଜ୍ୟ ସରକାର ନିୟମାବଳୀ ପ୍ରଣୟନ କରିପାରିବେ ।”

ଏହି ଅଧ୍ୟାଦେଶ ଜାରି କରି ମୁଖ୍ୟମନ୍ତ୍ରୀ ସୁଚାଇଥିଲେ କି ଅଗଷ୍ଟ ୧୫,୨୦୧୬ ସୁଦ୍ଧା ଭାଷା ଆଇନର କାର୍ଯ୍ୟକାରିତା ପଥରୁ ସମସ୍ତ ଅନ୍ତରାୟ ଅପସାରିତ ହେବ ।

ଯେହେତୁ ନିୟମାବଳୀ ପ୍ରଣୟନ ପାଇଁ ବାଟ ସଫା ହୋଇଗଲା, ଅଗଷ୍ଟ ୧୫ ସୁଦ୍ଧା ପ୍ରବର୍ତ୍ତିତ ହେବାକୁ ଥିବା ନିୟମାବଳୀରେ ଆଇନ ଖିଲାପକାରୀକୁ ଦଣ୍ଡବିଧାନ ପାଇଁ କି ବ୍ୟବସ୍ଥା ରହିବ ତାହା ଦେଖିବାକୁ ଅପେକ୍ଷା କରିବା ଉଚ୍ଚିତ ହେବ ବୋଲି ଆମେ ବିଚାରିଲୁ ଓ ସେହି ଦିନ ଯାଏଁ କଳାପତାକା ସ୍ଥଗିତ ରଖିବାକୁ ନିଷ୍ପତ୍ତି କଲୁ ।

ଓଡ଼ିଆ ଜାତିକୁ ମୁଖ୍ୟମନ୍ତ୍ରୀଙ୍କ ଚପୋଟାଘାତ

ଲଜ୍ଜ୍ୟା ଓ ଅନୁଶୋଚନାର କଥା , ମୁଖ୍ୟମନ୍ତ୍ରୀ ଓଡ଼ିଆ ଜାତିକୁ ଚିତା କାଟିଦେଲେ ।

ଯେଉଁ ନିୟମାବଳୀ ପ୍ରଣୀତ ହେଲା ତହିଁରେ ମୁଖ୍ୟ ଶାସନ ସଚିବଙ୍କ ସମେତ ଭାଷା ଆଇନର ଅଭ୍ୟସ୍ତ ଉଲ୍ଲଙ୍ଘନକାରୀ ଛଅ ଜଣ ପଦପ୍ରଯୁକ୍ତ ଶାସନ ସଚିବଙ୍କୁ ନେଇ ଏକ କମିଟି ଗଠନ ପାଇଁ ବ୍ୟବସ୍ଥା ରହିଲା ଯେଉଁ କମିଟି କି ଏକ ବର୍ଷ ମଧ୍ୟରେ ଦିଥର ବୈଠକ କରିବେ ଓ “ଓଡ଼ିଆ ଭାଷାର ସଫଳ କାର୍ଯ୍ୟକାରିତା ପାଇଁ ବୈଠକ ହେବାର ୨ ମାସ ମଧ୍ୟରେ ଏକ ରିପୋର୍ଟ ପ୍ରସ୍ତୁତ କରି ପରବର୍ତ୍ତୀ ଏକମାସ ମଧ୍ୟରେ ସରକାରଙ୍କୁ ପ୍ରଦାନ କରିବେ ।” ତା ପରେ କଣ ହେବ ସେ ସମ୍ପର୍କରେ ନିୟମାବଳୀ ନିରବ । ଏହିପରି ଏକ ବନ୍ଧ୍ୟା ବ୍ୟବସ୍ଥା ଖଞ୍ଜି ସରକାରଙ୍କର ଉର୍ବର ମସ୍ତିଷ୍କ ଏହି ନିୟମାବଳୀରେ ଏକ ଜନ୍ମମୃତ ବ୍ୟବସ୍ଥା ବି ଖଞ୍ଜିଦେଲା । ତାହା ହେଲା ମୁଖ୍ୟ ଶାସନ ସଚିବଙ୍କ ଅଧୀନରେ ଏକ “ସରକାରୀ ଭାଷା ପ୍ରଭାଗ” ସ୍ଥାପନ ଯାହା କି , ତାଙ୍କ ଅଧ୍ୟକ୍ଷତାରେ ଚାଲିଥିବା “କମିଟିର କାର୍ଯ୍ୟଧାରା ଉପରେ ସମୀକ୍ଷା ଓ ପର୍ଯ୍ୟାଲୋଚନା କରିବ ।” ଅର୍ଥାତ୍ , ଯେଉଁ ବନ୍ଧ୍ୟା ସମୀକ୍ଷା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଅଧିକୃତ କରାଯାଇଛି ତାହା ଉପରେ ସମୀକ୍ଷା ଓ ପର୍ଯ୍ୟାଲୋଚନା କରିବେ ତାଙ୍କର ଜଣେ ଅଧସ୍ତନ କର୍ମଚାରୀ !

ଏପରି ପ୍ରବଞ୍ଚନାକୁ ପ୍ରତ୍ୟାଖ୍ୟାନ କରି ଆହୁରି ବ୍ୟାପକ ହେଲା ଭାଷା ଆନ୍ଦୋଳନ ।

ତୃତୀୟ ପର୍ଯ୍ୟାୟ

ଆମ ବିଧାୟକମାନେ ଯଦି ଅମଲାତନ୍ତ୍ରର ଆଜ୍ଞାବକା ପରି କାମ ନ କରି ୨୮. ୯. ୨୦୧୬ରେ ନିଜର ସାମାନ୍ୟ ବିଧାୟକୀୟ ଵିଜ୍ଞତା ପ୍ରୟୋଗ କରିଥାନ୍ତେ ତେବେ ଏହି ପ୍ରବଞ୍ଚନା କବଳରୁ ମୁକ୍ତି ମିଳିପାରିଥାନ୍ତା । ଓଡିଶା ସରକାର ସଠିକ ଆଇନ ଓ ନିୟମାବଳୀ ପ୍ରଣୟନ ପାଇଁ ବାଧ୍ୟ ହୋଇଥାନ୍ତେ । ତା ହେଲା ନାହିଁ । ତେଣୁ କଳାପତାକା ଅଭିଯାନ ଭୁବନେଶ୍ଵରରେ ଚାଲି ରହିବା ସଂଗେ ସଂଗେ ଓଡ଼ିଶାର ଅନ୍ୟତ୍ର ମଧ୍ୟ ଦୃଢ଼ ଭାବେ ଆରମ୍ଭ ହେଲା ।

ବହୁ କଳକୌଶଳ ପ୍ରୟୋଗ ହେଲା ଏହି ଆନ୍ଦୋଳନକୁ ଭାଙ୍ଗିବା ପାଇଁ । ଡ଼. ଦେବୀ ପ୍ରସନ୍ନ ପଟ୍ଟନାୟକ ଆମମାନଙ୍କୁ “ଭାଷା ବିରୋଧୀ” ବୋଲି ଆକ୍ଷେପ କଲେ (ସମାଜ, ୨୫. ୬. ୨୦୧୬), ତାଙ୍କ ସହଯୋଗୀ ସୁବ୍ରତ ପୃଷ୍ଟିଙ୍କ ମାଧ୍ୟମରେ ମୋ ଉପରେ ଅଶ୍ଳୀଳ ଭାଷା ପ୍ରୟୋଗ କରିଚାଲିଲେ ସାମାଜିକ ଗଣମାଧ୍ୟମରେ । ବୈଷ୍ଣବ ପରିଡା ଆମ ଦାବି ସପକ୍ଷରେ ଆଇନ ଅମାନ୍ୟ ପରି ନାଟକବାଜି ଚଳାଇ ଆମ ଆନ୍ଦୋଳନର ଗାରିମା ହ୍ରାସ ପାଇଁ ଚେଷ୍ଟା କଲେ ।

କିନ୍ତୁ ସେ ସବୁ ଯେତେବେଳେ କିଛି କାମ କଲାନାହିଁ , ମୁଖ୍ୟମନ୍ତ୍ରୀ ବାଧ୍ୟ ହୋଇ ମୋତେ ଆଲୋଚନାକୁ ଡାକିଲେ ୧୯. ୫. ୨୦୧୭ରେ ।

ପ୍ରଦ୍ୟୁମ୍ନ ବାବୁ, ପବିତ୍ର ବାବୁ ଓ ମୁଁ ସେଦିନ ମୁଖ୍ୟମନ୍ତ୍ରୀଙ୍କୁ ୨୦୧୬ର ତ୍ରୁଟିପୂର୍ଣ୍ଣ ସଂଶୋଧନକୁ ପୁନର୍ବାର ସଂଶୋଧନ କରି ଭାଷା ଆଇନଟିକୁ କାର୍ଯ୍ୟକ୍ଷମ କରିବାକୁ ପରାମର୍ଶ ଦେଲୁ ଓ ଏହି ପୁନଃ ସଂଶୋଧନର ଏକ ଚିଠା ବି ଦେଲୁ । ଓଡ଼ିଆରେ ଅଜ୍ଞ ଅଥଚ ଇଂରେଜୀରେ ବିଜ୍ଞ ଆମ ମୁଖ୍ୟମନ୍ତ୍ରୀ ବୁଝିପାରିବାପାଇଁ ମୁଁ ଇଂରେଜୀରେ ଲେଖିଥିବା ଚିଠାଟିର ଓଡ଼ିଆ ରୂପ ଏହିପରି :

ଏହି ଆଇନ ସମ୍ଭୁତ ନିୟମାବଳୀରେ ସଂସ୍ଥିତ ପଦ୍ଧତ୍ତି ଓ ଅଧିକାରୀଙ୍କ ମାଧ୍ୟମରେ ସରକାର ଓଡ଼ିଶାର ସାଧାରଣ ଲୋକଙ୍କ ଠାରୁ ଏହି ଆଇନର ଉଲ୍ଲଙ୍ଘନ ସଂକ୍ରାନ୍ତୀୟ ଅଭିଯୋଗ ଗ୍ରହଣ କରିପାରିବେ ଓ ଏପରି ଅଭିଯୋଗ ଅଧିକନ୍ତୁ , ଏହି ଆଇନର ଉଲ୍ଲଙ୍ଘନ ବିରୁଦ୍ଧରେ ଜନସାଧାରଣଙ୍କ ଅଭିଯୋଜନ ଅଧିକାର ପ୍ରତି କୌଣସି ପ୍ରତିକୂଳ ପ୍ରଭାବ ବିନା, ନିଜ ଆଡୁ ସମୀକ୍ଷା ଓ ପର୍ଯ୍ୟାଲୋଚନା କରି ଏହି ଆଇନସ୍ଥ ଧାରା-୨ର ଉପଧାରା-(୨) ବଳରେ ଜାରିହୋଇଥିବା ଅଧିସୂଚନା ଉଲ୍ଲଙ୍ଘନ ହୋଇଛି କି ନାଁ ତାହା ନିରୂପଣ କରିପାରିବେ ଓ ଉଲ୍ଲଙ୍ଘନକାରୀ ବିରୁଦ୍ଧରେ ନିୟମାବଳୀରେ ଅନୁବଦ୍ଧ ଦଣ୍ଡବିଧାନ ସୁନିଶ୍ଚିତ କରାଇବେ ।

ଏହି ତୃତୀୟ ପର୍ଯ୍ୟାୟର ଆବଶ୍ୟକତା ଦେଖାଦେଇନଥାନ୍ତା ଯଦି ମୁଖ୍ୟମନ୍ତ୍ରୀ ଦ୍ବିତୀୟ ପର୍ଯ୍ୟାୟଟିକୁ ଦିଗହରା କରାଇ ନଥାନ୍ତେ ।

ଶେଷରେ ସୌମ୍ୟରଞ୍ଜନ

ଯେଉଁଦିନ ଏହି ଶେଷ ଚିଠା ଆମେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଧରାଇଲୁ , ସେଦିନ ଆମର ଏକ ଚମକପ୍ରଦ ଅନୁଭୂତି ଅର୍ଜନ ହେଲା , ଯାହା ଉଲ୍ଲେଖ ନକଲେ କେଉଁ କିସମର ଷଡଯନ୍ତ୍ର ଟପି ଭାଷା ଆନ୍ଦୋଳନ ଚାଲିଛି ତାହା କେହି ଜାଣିପାରିବେ ନାହିଁ ।

ମୁଖ୍ୟମନ୍ତ୍ରୀ ଆମକୁ ଡାକି ଏହି ତୃତୀୟ ପର୍ଯ୍ୟାୟରେ ଆଲୋଚନା କରିସାରିଥିବା ହେତୁ ଆମେ ଆନ୍ଦୋଳନ ବନ୍ଦ କରିଦେବା ଉଚିତ ବୋଲି ମୋତେ ଟେଲିଫୋନ ଯୋଗେ ପରାମର୍ଶ ଦେଲେ ସମ୍ବାଦ ଓ କନକ ଟିଭିର ସମ୍ପାଦକ/ମାଲିକ ବାବୁ ସୌମ୍ୟରଞ୍ଜନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଠାରୁ ନିମନ୍ତ୍ରଣ ପାଇବା ପାଇଁ ଆମ ଆନ୍ଦୋଳନ ଉଦ୍ଦିଷ୍ଟ କି? ବୋଲି ମୁଁ ତାଙ୍କୁ ପଚାରିଲି । ସେ କହିଲେ , “ଆପଣଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ମୁଁ ହିଁ ଯୋଗାଡ଼ କରିଥିଲି । ଏହା ପରେ ଯଦି ଆପଣ ଆନ୍ଦୋଳନ କରନ୍ତି, ମୋ ଠାରୁ କୌଣସି ସମର୍ଥନ ଆଶା କରିବେ ନାହିଁ ।’ – ଏହା କହି ସେ ତାଙ୍କ ଆଡୁ ସଂଗେ ସଂଗେ ଫୋନ ସଂଯୋଗ କାଟିଦେଲେ । ଏବଂ ସମ୍ବାଦରେ ଆମ ଆନ୍ଦୋଳନ ଖବର ବନ୍ଦ ହୋଇଗଲା ।

ପୁଣି କଣ ହେଲା କିଏ ଜାଣେ, ଚାଲିଲା ! ପୁଣି ଚାଲିଲା ଆମ ଉପରେ ଚାପପ୍ରୟୋଗ ! କିଛି କାମ କଲାନି । ଶେଷରେ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା । ଏପରିକି, ୨୬. ୧ ୨. ୨୦୧୭ ତାରିଖରେ ପୁରୀ ସ୍ବତନ୍ତ୍ର ବୈଠକରେ ଯେତେବେଳେ ଆମ ଦାବି ଅନୁରୂପେ ରାଜ୍ୟ ମନ୍ତ୍ରୀମଣ୍ଡଳ ଭାଷା ଆଇନ ଉଲ୍ଲଙ୍ଘନକାରୀ ପ୍ରତି “ବିହିତ ଦଣ୍ଡବିଧାନ” ପାଇଁ ପ୍ରସ୍ତାବ ଗ୍ରହଣ କଲା, କନକ ଟିଭି ଆଲୋଚନାକୁ ଆମକୁ ନ ଡାକି ତାଙ୍କ ଓଡ଼ିଆ ଦର୍ଶକମାନଙ୍କୁ ଆମ ମତ ସମ୍ପର୍କରେ ଅନ୍ଧକାରରେ ରଖିବା କାମ ବି କଲେ ବାବୁ ସୌମ୍ୟରଞ୍ଜନ । ଭିନ୍ନଭାବେ କହିଲେ, ନବୀନବାବୁଙ୍କ ଦଳରୁ ରାଜ୍ୟସଭା ପାଇଁ ଆଶାୟୀ ଥିବା ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ସ୍ଵୟଂ ନବୀନ ବାବୁ ହିଁ ଭାଷା ଆନ୍ଦୋଳନ ବନ୍ଦ କରାଇବା କାମରେ ଲଗାଇଥିଲେ । ପାରିଲେନି ।

ସୌମ୍ୟରଞ୍ଜନ ଓ ଭାଷା ଆନ୍ଦୋଳନ

ଏ କଥା ସତ୍ୟ ଯେ, ସମ୍ବାଦ କାଗଜରେ ଆମ ଖବର ସବୁଦିନ ବାହାରୁଥିଲା ଓ ଆମ ସଭାସମିତିକୁ ବି ସବୁ ସମ୍ପାଦକଙ୍କୁ ଡାକିଲା ପରି ଆମେ ତାଙ୍କୁ ଡାକୁଥିଲୁ ଓ ମୁଖ୍ୟ ଅତିଥିର ମର୍ଯ୍ୟାଦା ଦେଉଥିଲୁ । ଅନ୍ୟ ସମ୍ପାଦକମାନଙ୍କ ତୁଳନାରେ ତାଙ୍କ ସହ ଆମ ସମ୍ପର୍କ ଅଧିକ ନିବିଡ଼ ଥିଲା , କାରଣ ତାଙ୍କରି କାଗଜ ହିଁ ଥିଲା ମୋର ଅତୀତର ମୁକ୍ତବୃତ୍ତ ସାମ୍ବାଦିକୀୟ ଜୀବନର ରୋମଞ୍ଚର ରୂପାଧାର । ସୁତରାଂ ସେ ଚାହିଁଲେ ଭାଷା ଆନ୍ଦୋଳନକୁ ବନ୍ଦ କରାଇଦେଇପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ହୁଏତ କହିଥିବେ । ସେ ତା ନ ହେଲେ ନିଜ ମାଲିକାନାରେ ଥିବା କନକ ଟିଭି ମାଧମରେ ନିଜେ , ଓ କେତେକ କ୍ରୀତ ସାମ୍ବାଦିକଙ୍କ ଦ୍ଵାରା ଏବଂ ତାଙ୍କ ସଂସ୍ଥାରେ ଚାକିରୀ ଆଶାୟୀ ଆଉ କିଛି ଛୋଟ ଛୋଟ ଚାନେଲ କର୍ମୀଙ୍କ ମୁହଁରେ ଭାଷା ଆନ୍ଦୋଳନ ସେ ହିଁ କରୁଥିବା କଥା କାହିଁକି ଏପରି ପ୍ରଚାର ଚଳାଇଥିଲେ ରାଜ୍ୟସଭା ନିର୍ବାଚନ ପାଖାପାଖି ? କିନ୍ତୁ ରାଜନୀତିକ ସ୍ଵାର୍ଥ ତାଙ୍କୁ ଗ୍ରାସ କରିନଥିଲାବେଳେ ତାଙ୍କ ବିଚାରରେ କଣ ଥିଲା ଭାଷା ଆନ୍ଦୋଳନ ? ତାଙ୍କରି ତୁଣ୍ଡରୁ ଜାଣିବା :

ଯେଉଁଦିନ ନିୟମାବଳୀ ପ୍ରଣୟନ ସକାଶେ ଭାଷା ଆଇନ ସଂଶୋଧନ ପାଇଁ ଆମ ଦାବି ଅନୁସାରେ ମୁଖ୍ୟମନ୍ତ୍ରୀ ଅଧ୍ୟାଦେଶ ଜାରି କଲେ ଓ ତାର ସାଙ୍କେତିକତା ବିଶ୍ଳେଷଣ କରିବାକୁ ଆମେ ସବୁ କଳାପତାକା ଅଭିଯାତ୍ରୀମାନେ ଏକ “ବିଜୟ ଉତ୍ସବ”ରେ ଏକାଠି ହେଲୁ , ସେଦିନ ଆମର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ କହିଥିଲେ, “ସର୍ବପ୍ରଥମେ ସମସ୍ତେ ଜାଣିବା ଦରକାର, ଏହି ଆନ୍ଦୋଳନ ଯଦି ମୁଣ୍ଡ ଟେକି ଉଠିପାରିଲା ଓ ଏତେବାଟ ଆଗେଇ ପାରିଛି , ତାର ଶ୍ରେୟ ଆପଣମାନଙ୍କ ପାଖକୁ ତ ଯିବ ହିଁ ଯିବ , କିନ୍ତୁ ସର୍ବାଗ୍ରେ ଯିବ ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କୁ । ତାର କାରଣ ହେଲା , ତାଙ୍କରି ହେତୁ ହିଁ ଉତ୍ସବ ମନାଇବାର ସୁଯୋଗ ଆମକୁ ମିଳିଛି । ୧୯୫୪ ମସିହାର ଗୋଟିଏ ଆଇନକୁ କାହିଁକି ୨୦୧୬ ମେ ୨୧ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେଲା ସାମାନ୍ୟ ଗୋଟିଏ ସଂଶୋଧନ ପାଇଁ ? ଆମେ ଯେଉଁମାନେ ଓଡିଶା ସମ୍ପର୍କରେ ଆଲୋଚନା କରୁ , ମୋ ମନକୁ ଏପର୍ଯ୍ୟନ୍ତ ଏହି ପ୍ରଶ୍ନ ଆନ୍ଦୋଳିତ କରୁଛି – ୧୯୫୪ ମସିହାରେ ତ ଆଇନଟି ହୋଇଥିଲା – ଓଡ଼ିଶାରେ ଏତେ ବୁଦ୍ଧିଜୀବୀ ଥିଲେ, ଏତେ ବିଜ୍ଞଲୋକ ଥିଲେ, ଏତେ ମୁଖ୍ୟମନ୍ତ୍ରୀ ଗଲେଣି, କେହି କଣ ଜାଣିପାରିଲେନାହିଁ ଯେ, ଏହି ଆଇନଟି ସଂଶୋଧନ ନକଲା ପର୍ଯ୍ୟନ୍ତ, ଏହାଦ୍ବାରା ସରକାରୀ ଭାଷା ବ୍ୟବହାର ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବନାହିଁ? ଏ ପ୍ରଶ୍ନର ଉତ୍ତର ପାଇଁ ଆଜି ମୁଁ ଯଦି ଟିକେ ଚିନ୍ତା କରୁଛି , ତାର କାରଣ ହେଲେ ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକ । ସେ ସମସ୍ତ ବିଷୟକୁ ଗବେଷଣା କରି ଆମ ଆଖି ଖୋଲିଦେଇଛନ୍ତି । ସେ ଦେଖେଇ ଦେଇଛନ୍ତି – କେଉଁଠାରେ , କେଉଁ ନିର୍ଦ୍ଦିଷ୍ଟ ବିନ୍ଦୁରେ ଆଘାତ ଦେଲେ କଥାଟି ପରିଷ୍କାର ହେବ ଏବଂ ତାର ସଂସ୍କାର ଓ ପରିବର୍ତ୍ତନ ପାଇଁ ବାଟ ଫିଟିବ ।”

ତାଙ୍କ ଏହି ସ୍ବୀକାରୋକ୍ତି ସମେତ ସମଗ୍ର ଭାଷଣଟି soundcloud.com ସଂରକ୍ଷିତ କରିଛି । ବିଶ୍ଵର ଯେ କୌଣସି ଓଡ଼ିଆ ଶୁଣିପାରିବେ ।

ଏହି ସତ୍ୟ ନଜାଣିଥିବା ମୁଖ୍ୟମନ୍ତ୍ରୀ ସୌମ୍ୟ ବାବୁଙ୍କୁ ବିଶ୍ଵାସ କରି ତାଙ୍କଦ୍ବାରା ଭାଷା ଆନ୍ଦୋଳନକୁ ବନ୍ଦ କରାଇଦେବାକୁ ଲାଗିଥିଲେ ; ହାରିଗଲେ , କାରଣ , ମାଆ ପାଇଁ ଲଢେଇରେ ଏକ ଜାତି କେବେ ହାରେନାହିଁ । ମାତ୍ର ଏ କଥା ଏଥିରେ ସାବ୍ୟସ୍ତ ହୋଇଗଲା କି ମୁଖ୍ୟମନ୍ତ୍ରୀ ହିଁ ଓଡ଼ିଆ ଭାଷାକୁ ଓଡିଶା ପରିଚାଳନାର ଭାଷା କରାଇନଦେବାକୁ ଚାହୁଁଛନ୍ତି ଓ ସେହେତୁ ଭାଷା ଆନ୍ଦୋଳନକୁ ଭଣ୍ଡୁର କରାଇବାକୁ ବିଭିନ୍ନ ଲୋକଙ୍କୁ ବ୍ୟବହାର କରୁଛନ୍ତି । ତେଣୁ , ମାତୃଭାଷାକୁ କେନ୍ଦ୍ର କରି ଗୋଟିଏ ପଟେ ଏବେ ମୁଖ୍ୟମନ୍ତ୍ରୀ ଓ ଆର ପଟେ ସମଗ୍ର ଓଡିଶା ।

ଯଦି ବିଧେୟକଟି ଆସେ

ଧରିନିଆଯାଉ ମନ୍ତ୍ରିମଣ୍ଡଳର ନିର୍ଦ୍ଦେଶ ଅବମାନନା କରିବାକୁ ସବୁ ଚେଷ୍ଟା ସତ୍ତ୍ବେ ବିଧେୟକଟି ଉପସ୍ଥାପିତ ହେଲା ଓ ପାରିତୀକରଣର ପରିବେଶ ଉପୁଜିଲା । ତେବେ ଆମ ବିଧାୟକମାନେ କଣ କରିବେ ?

ଏହା ପୂର୍ବରୁ ଯେତେବେଳେ ଓଡିଶା ସରକାରୀ ଭାଷା ଆଇନ (ସଂଶୋଧନ) ବିଧେୟକ, ୨୦୧୬ ଆଗତ ହୋଇଥିଲା ସେତେବେଳେ ଯଦି ସେମାନେ ଅମଲାତନ୍ତ୍ରର କାଠପୁତ୍ତଳି ନ ସାଜି ନିଜର ବିଧାୟକୀୟ ଵିଜ୍ଞତା ପ୍ରୟୋଗ କରିଥାନ୍ତେ , ତେବେ ଆଜି ଏ ସଂଶୋଧନ ଆବଶ୍ୟକ ପଡ଼ିନଥାନ୍ତା ।

ଅଧ୍ୟାଦେଶଟିକୁ ମୁଖ୍ୟମନ୍ତ୍ରୀ ୨୬. ୯. ୨୦୧୬ରେ ବିଧାନସଭାରେ ଉପସ୍ଥାପିତ କରିଥିଲେ ଓ ତତ୍ସମ୍ଭୁତ ବିଧେୟକ ୨୮. ୯. ୨୦୧୬ରେ ଆଗତ କରାଯାଇ ପାରିତ ହୋଇଥିଲା ।

ଆଇନତଃ ଏକ ଅଧ୍ୟାଦେଶକୁ ବିଧାନସଭାରେ ବିଧେୟକ ଭାବେ ବିବେଚନା କରି ପାରିତ କରାଇବାକୁ ହେଲେ, କେଉଁ “ଅତ୍ୟନ୍ତ ଜରୁରୀ ପରିସ୍ଥିତି”ରେ ତାହା ଜାରି କରାହୋଇଥିଲା ତହିଁର ନିଖୁଣ ସ୍ପଷ୍ଟୀକରଣ ବିଧେୟକଟିରେ ସ୍ଥାନିତ ହେବା ବାଧ୍ୟତାମୂଳକ । ସରକାର ଏହି ନିଖୁଣ ସ୍ପଷ୍ଟୀକରଣ ନ ଦେଇ ଏକ କାମତୁଲା କାରଣ ଦର୍ଶାଇଥିଲେ ଓ ଆମ ବିଧାୟକମାନେ ତାକୁହିଁ ମାନିନେଇଥିଲେ ।

ଯେଉଁ ସଂଶୋଧନ ପାଇଁ ଭାଷା ଆନ୍ଦୋଳନ ଅଣଚାଳିଶ ଦିନ ଅତିକ୍ରମ କରିଥିଲା ଅଧ୍ୟାଦେଶଟି ଥିଲା ତାହାର ଆଂଶିକ ପରିପୂର୍ତ୍ତି । ଅଧ୍ୟାଦେଶ ମାଧ୍ୟମରେ ଆଇନ ସଂଶୋଧନ ପାଇଁ ସରକାର କାହିଁକି ବାଧ୍ୟ ହୋଇଥିଲେ ତାହା ଯଦି ଆମ ବିଧାୟକମାନେ ଜାଣିବାକୁ ଚାହିଁଥାନ୍ତେ ତେବେ ହୁଏତ ଅଧ୍ୟାଦେଶଟି ଭାଷା ଆନ୍ଦୋଳନର ଦାବି ଅନୁରୂପ ସଂଶୋଧିତ ହୋଇପାରିଥାନ୍ତା ଓ ପୁନର୍ବାର ଏପରି ସଂଶୋଧନ ଆବଶ୍ୟକ ହୋଇନଥାନ୍ତା । ଏ ସମ୍ପର୍କରେ ଆମ ବିଧାୟକମାନଙ୍କୁ ଅବଗତ କରାଇବାପାଇଁ ଓଡ଼ିଶାର ଜନପ୍ରିୟ ଖବରକାଗଜମାନଙ୍କରେ ମୁଁ ବହୁ ଆଲୋଚନା ରଖିଥିଲି ; ଯଥା : “ସଂଶୋଧିତ ଭାଷା ବିଧେୟକର ସଂଶୋଧନ ଆବଶ୍ୟକ” (ନିତିଦିନ ୨୫. ୯. ୨୦୧୬), “ଭାଷା ଅଧ୍ୟାଦେଶର ପ୍ରବଞ୍ଚନା ପ୍ରତ୍ୟାଖ୍ୟାତ ହେଉ” (ସମ୍ବାଦ ୨୮. ୯. ୨୦୧୬) ଇତ୍ୟାଦି ।

ଦୁଃଖର କଥା ଆମ ବିଧାୟକମାନେ ନିଜ ବିଧାୟକୀୟ ଵିଜ୍ଞତା ପ୍ରୟୋଗ ନ କରି ଅମଲାତନ୍ତ୍ର ଯେଉଁ ବ୍ୟବସ୍ଥା ଖଞ୍ଜିଥିଲା ତାକୁହିଁ ମାନିନେଲେ । ଫଳରେ ଓଡ଼ିଆ ଭାଷାକୁ ସରକାରୀ ସ୍ତରରେ ପ୍ରଚଳନ କରିବା ପାଇଁ ପୂର୍ବରୁ ଥିବା ଦୁର୍ବଳତା ଯଥାପୂର୍ବ କାଏମ ରହିଲା ।” (ପ୍ରମେୟ ,୨୩. ୧୧ . ୨୦୧୬) ।

ଏ ଥର ଏ ଭୁଲ ନ ହେଉ

ଏହି ଦୁର୍ବଳତାକୁ ହଟାଇବା ପାଇଁ ଭାଷା ଆନ୍ଦୋଳନ ଚଳାଇଥିବା କଳାପତାକା ଅଭିଯାନ ଦୁଇବର୍ଷ ଅତିକ୍ରମ କରିସାରିଥିବାବେଳେ ଓଡ଼ିଶାର ସବୁ ଗୁରୁତ୍ବପୂର୍ଣ ସ୍ନାଯୁକେନ୍ଦ୍ରମାନଙ୍କରେ ବି ଏହି ଅଭିଯାନ ଚାଲିଛି । ଏହାରି ଚାପରେ ସରକାର ତାଙ୍କ ଭୁଲ ସଂଶୋଧନ ପାଇଁ ରାଜି ହୋଇଛନ୍ତି । ସୁତରାଂ ଏଥର ଯେମିତି ଓଡ଼ିଆ-ଵିଦ୍ଵେଷୀମାନଙ୍କ ଚକ୍ରାନ୍ତ ହେତୁ ଏପରି ଭୁଲ ନ ହୁଏ ତାହା ପ୍ରତି ଓଡ଼ିଆପ୍ରାଣ ବିଧାୟକମାନେ ସତର୍କ ରହିବା ଆବଶ୍ୟକ ।

ଆଇନ ସମତାଳରେ ନିୟମ ସଂଶୋଧନ ଆବଶ୍ୟକ 

ମନ୍ତ୍ରିମଣ୍ଡଳର ୧୪. ୩ . ୨୦୧୮ ତାରିଖ ପ୍ରସ୍ତାବ ଦୃଷ୍ଟେ ଦଣ୍ଡବିଧାନର ଉପାଦାନ ରଖି ଆଇନ ସଂଶୋଧନର ଚିଠା ପ୍ରସ୍ତୁତ ହେବାକୁ ବାଧ୍ୟ । କିନ୍ତୁ ସମତାଳରେ ନିୟମାବଳୀ ସଂଶୋଧନ ନହେଲେ ଆଇନଟିକୁ ଠିକ ଭାବେ କାର୍ଯ୍ୟକାରୀ କରାଯାଇ ପାରିବ ନାହିଁ ।

ଆମେ ଦେଇଥିବା ନିୟମାବଳୀରେ ଆମେ ଗୋଟିଏ କଥା ସ୍ପଷ୍ଟ ଖୋଦିତ କରିଛୁ । ତାହା ହେଲା ଏକ ଭାଷା ଅଦାଲତ ପ୍ରତିଷ୍ଠା, ଯହିଁରେ ବିଚାରପତି ଭାବେ ଅତି କମରେ ସହକାରୀ ଦୌରାଜଜ୍ ସ୍ତରୀୟ ଜଣେ ବିଚାରପତି ଓ ଜଣେ ଓଡ଼ିଆ ପ୍ରଫେସର ବିଚାରକ ଭାବେ କାମ କରିବେ ଓ ଓଡ଼ିଆ ଭାଷାରେ କାମ ନକରିବା ଏକ ଧର୍ତ୍ତବ୍ୟ ଅପରାଧ ଭାବେ ସେହି ଅଦାଲତରେ ବିଚାର ହୋଇ ଦଣ୍ଡ ପ୍ରଦାନ ହେବ ।

ଏହା ନ ହେଲେ ଓଡ଼ିଆ ଭାଷା କେବେ ବି ସେବା ପ୍ରଦାନର ବା ଆପତ୍ତି ଉତ୍ତୋଳନର ବା କାର୍ଯ୍ୟ ସାଧନର ବା ସାଧାରଣ ମଣିଷର ଦାପ୍ତରିକ ବ୍ୟବହାରର ଭାଷା ହୋଇପାରିବ ନାହିଁ । ଭିନ୍ନ ଭାବେ କହିଲେ, ଓଡ଼ିଆ ଭାଷାରେ ସେବା ଲାଭ ଓ କାର୍ଯ୍ୟ ସାଧନ ପାଇଁ ଯେଉଁ ଏକମାତ୍ର ଉଦ୍ଦେଶ୍ୟରେ ଆମ ପୁର୍ବପୁରୁଷେ ଅସୀମ କଷ୍ଟ ବରଣ କରି ଓଡିଶା ପ୍ରଦେଶ ଗଠନ କରିଥିଲେ ତାହା ପଣ୍ଡ ହୋଇଯିବ ।

ତେଣୁ ଆମ ବିଧାୟକମାନେ ବିଧାନସଭାରେ ଉପସ୍ଥାପିତ ହେବାକୁ ଥିବା ‘ଓଡିଶା ସରକାରୀ ଭାଷା (ସଂଶୋଧନ) ବିଧେୟକ, ୨୦୧୮କୁ ମନମୋଟିଆରେ ନ ନେଇ ଗମ୍ଭୀରତା ସହ ନିଅନ୍ତୁ ଓ ଦୁଇଟି କଥା ସୁନିଶ୍ଚିତ କରନ୍ତୁ , ଯେମିତି

(୧) ଓଡ଼ିଆ ଭାଷାରେ କାମ ନକରିଥିବା ବା ନକରୁଥିବା ବ୍ୟକ୍ତି ବିରୁଦ୍ଧରେ ଯେ କୌଣସି ଓଡ଼ିଆ ବ୍ୟକ୍ତି ଦଣ୍ଡବିଧି ଅଭିଯୋଜନ (penal prosecution) ଆଗତ କରିପାରିବେ ଓ (୨) ତାହା ଏଥିପାଇଁ ଉଦ୍ଦିଷ୍ଟ ସ୍ବତନ୍ତ୍ର ଅଦାଲତ (Language Court/ Tribunal)ରେ ବିଚାର୍ଯ୍ୟ ହେବ ।

ସରକାରୀ ପ୍ରସ୍ତାବିତ ସଂଶୋଧନ ବିଧେୟକରେ ଯଦି ଏହି ଦୁଇଟି ବ୍ୟବସ୍ଥା ନଥାଏ , ତେବେ ଏହା ଅବଗତ ହେବା ସଂଗେ ସଂଗେ ଜାତିପ୍ରେମୀ ବିଧାୟକମାନେ ନିଜ ଆଡୁ ସଂଶୋଧନ ପ୍ରସ୍ତାବ ଦେଇ ସରକାରୀ ଭାଷା (ସଂଶୋଧନ) ବିଧେୟକଟିକୁ ନିର୍ଭୁଲ କରାନ୍ତୁ ଓ ଆଇନଟି ଯେପରି ପୁନର୍ବାର ପ୍ରହସନରେ ପରିଣତ ନ ହୁଏ ତାହା ସୁନିଶ୍ଚିତ କରନ୍ତୁ ।

ଆମର ଆଶଙ୍କା ଯେ, ଓଡ଼ିଆବିରୋଧୀ ଅମଲାତନ୍ତ୍ର ଓ ସ୍ବୟଂ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଦଣ୍ଡବିଧାନ ବ୍ୟବସ୍ଥା ଥିବା ବିଧେୟକଟିକୁ ପାରିତ ନ କରାଇବା ପାଇଁ ଚେଷ୍ଟା କରିବେ ।

ଯଦି ସେପରି ହୁଏ, ଆମ ବିଜ୍ଞ ବିଧାୟକମାନଙ୍କର କର୍ତ୍ତବ୍ୟ ହେବ, ସତର୍କତାର ସହ ସରକାରୀ କାର୍ଯ୍ୟ ଦିବସଟିକୁ ଉପଯୋଗ କରି ଉପରୋକ୍ତ ଦୁଇଟି ଉପାଦାନ ସହ ସଂଶୋଧନ ବିଧେୟକଟିକୁ ଓଡ଼ିଆ ଜାତିର ଗ୍ରହଣଯୋଗ୍ୟ ଅଧିନିୟମରେ ପରିଣତ କରାଇବା । ଅନ୍ୟଥା ଭବିଷ୍ୟତ ସେମାନଙ୍କୁ କ୍ଷମା ଦେବ ନାହଁ ।