ସାହିତ୍ୟିକମାନେ ଭାଷାମନସ୍କ ହୁଅନ୍ତୁ : ଅଧ୍ୟାପକ ଅଶୋକ ମହାରଣା

ଭାଷା ଆନ୍ଦୋଳନର ସୋମବାସରୀୟ ବୌଦ୍ଧିକ ସଂସ୍କରଣରେ କଳାପତାକା ଅଭିଯାନର ଭର୍ଚ୍ୟୁଆଲ ମଞ୍ଚ – ଫେସବୁକ ଅନ୍ତର୍ଗତ ଭାଷା ମା ପାଇଁ ପଦେ – ପୃଷ୍ଠାରୁ ସିଧା ପ୍ରସାରିତ ଅଭିଭାଷଣରେ ଅଧ୍ୟାପକ ଅଶୋକ ମହାରଣା ଓଡ଼ିଆ ସାହିତ୍ୟିକମାନଙ୍କୁ ଭାଷାମନସ୍କ ହେବାକୁ ନଭେମ୍ବର ୨ରେ ଆହ୍ଵାନ ଦେଇଛନ୍ତି । ସେ ପଚାରିଛନ୍ତି – ଭାଷା ବଞ୍ଚିଲେ ସାହିତ୍ୟ ବଞ୍ଚିବ କି ସାହିତ୍ୟ ବଞ୍ଚିଲେ ଭାଷା ବଞ୍ଚିବ?

ସାହିତ୍ୟିକ ଭାବେ ଯଦି କାହାର ପରିଚୟ ସୃଷ୍ଟି ହୋଇଥାଏ ତେବେ ତାହା ଭାଷାକୁ ନେଇ । ଏ କଥା ଭୁଲିଗଲେ ଚଳିବ ନାହିଁ । ତେଣୁ ସାହିତ୍ୟିକମାନେ ଭାଷାମନସ୍କ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।

ସେ ପୁନଶ୍ଚ କହିଛନ୍ତି, ଓଡ଼ିଆ ଭାଷାର ଛାତିରେ ଆଜି ଇଂରାଜୀ ଦଣ୍ଡାୟମାନ । ଓଡ଼ିଆ ବିଦ୍ୟାଳୟ ଉଜୁଡ଼ି ଯାଉଛି, ସରକାର ଗଢୁଛନ୍ତି ଇଂରାଜୀ ବିଦ୍ୟାଳୟ । ଇଂରାଜୀ ଭାଷାର ବିଜ୍ଞ ପ୍ରଫେସର ଡଃ ବି ॰ଏନ॰ ପଟ୍ଟନାୟକଙ୍କ ପରି ବ୍ୟକ୍ତି କହୁଛନ୍ତି ଶିକ୍ଷା ଦିଆଯାଉ ମାତୃଭାଷାରେ, ଅଥଚ ସରକାର ପ୍ରଥମରୁ ଇଂରାଜୀଶିକ୍ଷା ଉପରେ ଗୁରୁତ୍ଵ ଦେଉଛନ୍ତି । ସାହିତ୍ୟିକମାନେ ପୁରସ୍କାର ଗୋଟେଇବାକୁ ସରକାରଙ୍କ ସାଥିରେ । ଓଡ଼ିଆ ଭାଷା ବଞ୍ଚିବ କେମିତି? ସତେଯେମିତି ଆମ ସରକାର ଆମକୁ କହୁଛନ୍ତି – ଓଡ଼ିଆ ଆମ କାମର ଭାଷା ନୁହେଁ । ଇଂରାଜୀ ରାଜୁତିରେ ଆମ ଭାଷାକୁ ମାରିଦେବା ପାଇଁ ବଙ୍ଗାଳୀ କାନ୍ତିଲାଲ ଭଟ୍ଟାଚାର୍ଯ୍ୟ କହିଥିଲେ, ଓଡ଼ିଆ ଗୋଟେ ସ୍ଵତନ୍ତ୍ର ଭାଷା ନୁହେଁ । ଏହିପରି ବହୁ ବହୁ କାନ୍ତିଲାଲ ଭଟ୍ଟାଚାର୍ୟ ଏବେ ଆମ ଓଡ଼ିଶାରେ ଅଛନ୍ତି, ଯେଉଁମାନେ ଆମ ଭାଷାକୁ ମାରିବାକୁ ଚେଷ୍ଟା ଚଳାଇଛନ୍ତି ।

କାନ୍ତିଲାଳଙ୍କ ଭ୍ରାନ୍ତ ଦାବିକୁ ବ୍ୟର୍ଥ କରିଥିଲେ ସେତେବେଳର ସାହିତ୍ୟିକମାନେ ମାତୃଭାଷାମନସ୍କ ସାହିତ୍ୟର ପ୍ଲାବନ ଖେଳାଇ । ଏବେ ଆମ ସାହିତ୍ୟିକମାନେ ଭାଷାମନସ୍କ ହୁଅନ୍ତୁ ଓ ଆମ ରାଜ୍ୟରେ ଅପାଂକ୍ତେୟ ହୋଇପଡ଼ିଥିବା ଆମ ମାତୃଭାଷାକୁ ସରକାରୀ ଅବହେଳା କବଳରେ ମରିଯିବାରୁ ବଞ୍ଚାନ୍ତୁ ବୋଲି ସେ ନିବେଦନ କରିଛନ୍ତି ।

ଆଇନ ଅଛି । ଆଇନକୁ କାର୍ଯ୍ୟକାରୀ କରିବାରରେ କୁଣ୍ଠା କାହିଁକି? ବୋଲି ପଚାରିଛନ୍ତି ଓଡ଼ିଆ ଭାଷା ସାହିତ୍ୟର ଏହି ଛାତ୍ରାବତ୍ସଳ ଅଧ୍ୟାପକ ।

ଫେସବୁକରେ ସିଧା ପ୍ରସାରିତ ତାଙ୍କ ଅଭିଭାଷଣ ୟୁଟ୍ୟୁବ୍ ମାଧ୍ୟମରେ ଏଠାରେ – 

ଓଡ଼ିଶାରେ ଓଡ଼ିଆ ଭାଷାକୁ ଧ୍ଵଂସ କରିବାକୁ ଷଡ଼ଯନ୍ତ୍ର ଚାଲିଛି : ଭାଷା ଆନ୍ଦୋଳନ ପାଠଚକ୍ରରେ ଅଶୋକ ମହାରଣା

ସୂତ୍ର : ଆମ ଭାଷା ଆମ ଅଧିକାର

ଭାଷା ଆନ୍ଦୋଳନର ରବିବାସରୀୟ ଭର୍ଚ୍ୟୁଆଲ ସମ୍ମିଳନୀରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଅଧ୍ୟାପକ ଅଶୋକ ମହାରଣା ଗତ ୪ ତାରିଖ ସନ୍ଧ୍ୟାରେ ଏକ ସର୍ବଜନବିଦିତ ସତ୍ୟକୁ ନିଜ ଶୈଳୀରେ ଉପସ୍ଥାପିତ କରି କହିଛନ୍ତି, ଓଡ଼ିଶାରେ ଓଡ଼ିଆ ଭାଷାକୁ ମାରିଦେବା ପାଇଁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଷଡ଼ଯନ୍ତ୍ର ଚଳାଇଛି । ନିଜ ଭାଷା ଜନନୀକୁ ରକ୍ଷା କରିବା ପାଇଁ ଅଣ୍ଟା ଭିଡ଼ିବା ପ୍ରତ୍ୟେକ ଓଡ଼ିଆଙ୍କ କର୍ତ୍ତବ୍ୟ । ବିଷୟ ଥିଲା – ଭାଷା ସୁରକ୍ଷାରେ ଆମର କର୍ତ୍ତବ୍ୟ । 

ଅଧ୍ୟାପକ ମହାରଣାଙ୍କ ଭାଷଣ –ODIA BHASA