ବୌଦ୍ଧିକ ଯବକାଚରେ ‘ଦାନାର ତୋବଡ଼ା’


ସୂତ୍ର: ମାତୃଭାଷା ବାହିନୀ

ଭାଷା ବିରୁଦ୍ଧରେ ଅନ୍ତର୍ଘାତକ ନିଯୁକ୍ତ କରି କଳାପତାକା ଅଭିଯାନକୁ ଭାଙ୍ଗିବା ପାଇଁ ଚେଷ୍ଟା କରିଥିବା ହେତୁ ସରକାରଙ୍କୁ ଭର୍ତ୍ସନା କରିଛନ୍ତି ଇଂରାଜୀ ଭାଷା ସାହିତ୍ୟର ପ୍ରଫେସର କମଳା ପ୍ରସାଦ ମହାପାତ୍ର (ପ୍ରାକ୍ତନ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ), ଓଡ଼ିଆ ଭାଷା ସାହିତ୍ୟର ପ୍ରଫେସର ବାଉରିବନ୍ଧୁ ସାହୁ (ପ୍ରାକ୍ତନ ଅଧ୍ୟକ୍ଷ , ରେଭେନ୍ସା ମହାବିଦ୍ୟାଳୟ) ତଥା ପ୍ରଫେସର ମନୋରଞ୍ଜନ ଦାସ (ଅବସରପ୍ରାପ୍ତ ଓଡ଼ିଶା ଉଚ୍ଚଶିକ୍ଷା ସେବା, ବରିଷ୍ଠ ବର୍ଗ) ଏବଂ ଓଡ଼ିଆ ଜାତୀୟ ସମ୍ମିଳନୀର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀକାନ୍ତ ଦାଶ ।
ଓଡ଼ିଆ ଭାଷା ଓଡ଼ିଶାର କାର୍ଯ୍ୟଭାଷା ହେବା ପଥରେ ଓଡ଼ିଶା ସରକାର ଅନ୍ତରାୟ ସୃଷ୍ଟି କରିବାକୁ ଯାଇ ପ୍ରଶାସନିକ କଳକୁ କିପରି ପ୍ରଦୂଷିତ କରିଛନ୍ତି ତାହା ଏହି ପୁସ୍ତକରେ ପ୍ରମାଣିତ ହୋଇଛି ।

ଗତ ୧୩ ତାରିଖରେ ଏହି ପୁସ୍ତକକୁ ଲୋକାର୍ପିତ କଲାବେଳେ ଏହାର ଲେଖକ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଜୁନ ୨୪ରେ ଏହି ପୁସ୍ତକ ଉପରେ ଖୋଲା ଆଲୋଚନା ପାଇଁ ଆହ୍ଵାନ ଦେଇଥିଲେ ।

ତଦନୁଯାୟୀ, ଫେସବୁକ ଅନ୍ତର୍ଗତ ‘ଭାଷା ମା ପାଇଁ ପଦେ’ ପୃଷ୍ଠାରେ ଏହି ଆଲୋଚନା ସିଧା ପ୍ରସାରିତ ହୋଇଥିଲା ।
ଓଡ଼ିଆ ଭାଷା ଇତିହାସରେ ଏହା ଏକ ଅନତିକ୍ରମ୍ୟ ପୁସ୍ତକ ଓ ଭାଷା ଗବେଷକମାନଙ୍କ ପାଇଁ ଅପରିହାର୍ଯ୍ୟ ବୋଲି ମତ ପ୍ରକାଶ ପାଇଥିଲା ।

ବିଶିଷ୍ଟ ସାମ୍ବାଦିକ ଦେବୀ ପ୍ରସନ୍ନ ନାୟକ ଏହି ଖୋଲା ଆଲୋଚନାର ସଂଯୋଜନା କରିଥିଲେ ।