ଅର୍ଥମନ୍ତ୍ରୀ ଅପରାଧୀଙ୍କ ପରି ନିରବ !

ଓଡିଶା ସରକାରୀ ଭାଷା ଆଇନର କାର୍ଯ୍ୟକାରିତା ଉପରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟ ଭାବେ ଆଇନଟିର ଅଚଲତା ଅନୁଧ୍ୟାନ କରି ଗତ ୩. ୯. ୨୦୧୫ ତାରିଖରେ ସରକାରଙ୍କୁ ଦୁଇଟି ପରାମର୍ଶ ଦେଇଥିଲି – (୧) ଆଇନଟି ଉଲ୍ଲଙ୍ଗନ କଲେ କୌଣସି ଦଣ୍ଡବିଧାନ ବ୍ୟବସ୍ଥା ନ ଥିବା ହେତୁ କେହି ତାହାକୁ ମାନୁନାହାନ୍ତି ବୋଲି କହି ସେଥିପାଇଁ ଏକ ଚିଠା ସହ ଆଇନ ସଂଶୋଧନ କରିବାକୁ ପରାମର୍ଶ ଦେଇଥିଲି ଓ (୨) ଦଣ୍ଡବିଧାନ ପାଇଁ ତଥା ଅନ୍ୟାନ୍ୟ ପ୍ରାସଙ୍ଗିକ ସମସ୍ୟାର ସମାଧାନ ପାଇଁ ନିୟମାବଳୀ ପ୍ରଣୟନର ଆବଶ୍ୟକତା ଥିବା ବେଳେ ତାହାର ପ୍ରଣୟନ ପାଇଁ ଆଇନଟି ସରକାରଙ୍କୁ ଅଧିକାର ନ ଦେଇଥିବା ହେତୁ ସେହି ଅଧିକାର ଆହରଣ ପାଇଁ ମୋ ପ୍ରସ୍ତାବିତ ନିୟମାବଳୀ ଓ ଆଇନ ସଂଶୋଧନାର ଚିଠା ସହ ତୁରନ୍ତ ଏହି ସଂଶୋଧନ ପଥରେ ଆଗେଇବାକୁ ପରାମର୍ଶ ଦେଇଥିଲି । ଓଡ଼ିଆରେ ଶାସନ ନାମକ ଏକ ୱେବ ସାଇଟ ଖୋଲି ସରକାର ମୋର ଚିଠାକୁ ତହିଁରେ ସ୍ଥାନିତ କରିଥିଲେ ।

କିନ୍ତୁ ଭାଷା ଦାୟିତ୍ବରେ ଥିବା ଅଣ ଓଡ଼ିଆ ସ୍ବତନ୍ତ୍ର ଶାସନ ସଚିବ ଏହାକୁ ବିରୋଧ କରିବା ସଂଗେ ସଂଗେ କମିଟିରେ ଥିବା ଏକ ଭାଷା ବେପାରୀ ଗୋଷ୍ଠୀ ନିଜ ଫାଇଦା ପାଇଁ ଅଣଓଡ଼ିଆ ଅଫିସରଙ୍କ ସହ ହାତ ମିଳାଇବା ଦେଖି ମୁଁ ଦେଇ ଥିବା ପରାମର୍ଶ ସପକ୍ଷରେ ଭାଷା ଆନ୍ଦୋଳନ ପ୍ରତିଷ୍ଠା ହେଲା । ମୋ ପରାମର୍ଶ ମାନି ନିୟମ ପ୍ରଣୟନର କ୍ଷମତା ଆହରଣ ପାଇଁ ସରକାର ଆଇନ ସଂଶୋଧନ କଲେ ସିନା, ଦଣ୍ଡବିଧାନ ପାଇଁ ବ୍ୟବସ୍ଥା କରିବାକୁ ଏଡ଼େଇ ଚାଲିଲେ । ଏଥିରେ ଅତିଷ୍ଠ ହୋଇ ବିଜେଡି ଦଳର ନେତାମାନେ ବି ଆଇନ ସଂଶୋଧନ ସକାଶେ ଚାପ ପକାଇଲେ । ସେମାନଙ୍କୁ ଧାରଣା ଦେବାକୁ ଯେ ମୁଖ୍ୟମନ୍ତ୍ରୀ ଓଡ଼ିଆ ବିରୋଧୀ ନୁହନ୍ତି, ୨୬.୧୨.୨୦୧୭ ତାରିଖରେ ବିଜେଡିର ପୁରୀ ଅଧିବେଶନ କାଳରେ ମନ୍ତ୍ରିମଣ୍ଡଳର ଏକ ବିଶେଷ ଅଧିବେଶନ କରି ଭାଷା ଆଇନ ନ ମାନିଲେ “ବିହିତ ଦଣ୍ଡବିଧାନ” ପାଇଁ ପ୍ରସ୍ତାବ ହେଲା ଓ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ଭାଷାର ସବୁଠୁ ବଡ଼ ସମର୍ଥକ ଭାବେ ପ୍ରଚାର କରାଗଲା । ଏ ଚାଲ ଉପରେ ଗଭୀର ଆଲୋକପାତ କରି ମୁଁ ଏହା ବିରୁଦ୍ଧରେ ଗଣମାଧ୍ୟମରେ ଲେଖିଲି । ଫଳରେ ୧୪.୩.୨୦୧୮ ତାରିଖରେ ରାଜ୍ୟ ମନ୍ତ୍ରୀମଣ୍ଡଳ ଆଉ ଥରେ ବସି ଏକ ନୂଆ ପ୍ରସ୍ତାବ କଲେ, ଯହିଁରେ ୨୬.୧୨.୨୦୧୭ ତାରିଖ ପ୍ରସ୍ତାବଟିକୁ ଲୋପ କରି ନୂଆ ପ୍ରସ୍ତାବର ଵିଜ୍ଞପ୍ତି ପ୍ରକାଶ ପାଇଲା । ଅଥଚ ଅତି ଅବୈଧ ଭାବେ , ମନ୍ତ୍ରୀମଣ୍ଡଳ ଅଜଣାରେ ୧୪.୩.୨୦୧୮ ତାରିଖ ପ୍ରସ୍ତାବଟିକୁ ମୁଖ୍ୟମନ୍ତ୍ରୀ କବର ଦେଇଦେଲେ ଏବଂ ୨୬.୧୨.୨୦୧୭ ତାରିଖର ଓଡ଼ିଆ ଦ୍ରୋହୀ ପ୍ରସ୍ତାବ ଉପରେ ଆଇନଟିକୁ ସଂଶୋଧିତ କରି ୪-କ ନାମକ ଏପରି ଏକ ଧାରା ଖଞ୍ଜିଲେ, ଯାହା ମୂଳ ଭାଷା ଆଇନଟିକୁ ନଷ୍ଟ କରି ଓଡ଼ିଆ ଜାତିର ଭାଷା ଅଧିକାରକୁ ଉଜାଡ଼ି ଦେଇଛି ।

ମୁଁ ଯେତେବେଳେ ଏହାକୁ ଘୋର ବିରୋଧ କଲି ଓ ଏହାର ବିଲୋପନ ଦାବି କଲି ଓ ବିଧାନସଭାକୁ ଭୁଲ ତଥ୍ୟ ଦେଇ ଓଡିଶା ସରକାରୀ ଭାଷା ଆଇନକୁ ଅକାମି କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ବାଚସ୍ପତି ନିଜ ଆଡୁ ସ୍ବାଧୀକାର ଭଙ୍ଗ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କଲି, ସେତେବେଳେ ଭାଷା ଆନ୍ଦୋଳନକୁ ଭାଙ୍ଗିଦେବା ପାଇଁ ସରକାର ଷଡ଼ଯନ୍ତ୍ର ଚଳାଇଲେ । ମୋତେ ସହଯୋଗ କରିଆସିଥିବା ଦୁଇଜଣ ମୁଖ୍ୟ ସାଥୀ ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥାଙ୍କୁ କୌଣସି ଅଜଣା ଥୋପ ଗିଳାଇ ଭାଷା ଆନ୍ଦୋଳନକୁ ମାରିଦେବା ପାଇଁ ପୋଷା ମନାଇ ନେଲେ ଅର୍ଥମନ୍ତ୍ରୀ ଓ ସେମାନେ ତାଙ୍କ ନାମ ବ୍ୟବହାର କରି କଳାପତାକା ଅଭିଯାନ ସ୍ଥଗିତ ରହିଲା ବୋଲି ଘୋଷଣା କଲେ ଓ ମୋର ନୈତିକବଳ ଭାଙ୍ଗି ଦେବା ପାଇଁ ସାମାଜିକ ଗଣମାଧ୍ୟମରେ ମୋ ଉପରେ ସେହି ମୁହୂର୍ତ୍ତରୁ ଯାବତୀୟ ଅଶ୍ଳୀଳ ଶବ୍ଦ ବାଣ ବର୍ଷିଲେ ।

ଯେହେତୁ ସେମାନେ ଅର୍ଥମନ୍ତ୍ରୀଙ୍କ ନାମ ବ୍ୟବହାର କରି ଗଣମାଧ୍ୟମରେ ବିବୃତ୍ତି ଦେଇଥିଲେ , ଅଥଚ ଅର୍ଥମନ୍ତ୍ରୀଙ୍କ ଦପ୍ତରରୁ କୌଣସି ବିବୃତ୍ତି ଆସିନଥିଲା, ସେହେତୁ ସତ୍ୟ ଜାଣିବା ପାଇଁ ଅଗଷ୍ଟ ୨୬,୨୦୧୮ ତାରିଖ ସକାଳ ୮ଟା ୭ ମିନିଟରେ ଅର୍ଥମନ୍ତ୍ରୀଙ୍କୁ ତାଙ୍କ ସରକାରୀ ଇ-ମେଲ ଠିକଣାରେ ଏହି ଉଭୟଙ୍କ ପ୍ରେସ ଵିଜ୍ଞପ୍ତିର ନକଲ ସହ ନିମ୍ନ ଲିଖିତ ପତ୍ର ପଠାଇ ତାଙ୍କଠାରୁ ସ୍ପଷ୍ଟୀକରଣ ଚାହିଁଥିଲି, ଯେହେତୁ ତାଙ୍କପରି ଜଣେ ମନ୍ତ୍ରୀ ଦଲାଲ ଲଗାଇ ଭାଷା ଆନ୍ଦୋଳନକୁ ଭାଙ୍ଗିବା ପରି ଅପରାଧରେ ଜଡ଼ିତ ହେବା ମୁଁ ବିଶ୍ଵାସ କରିପାରୁନଥିଲି । ଏହି ପତ୍ରରେ ମୁଁ ତାଙ୍କୁ କହିଥିଲି, ସେ ଯାହା ଉତ୍ତର ଦେବେ ତାହା ମୁଁ ଓଡ଼ିଶାବାସୀଙ୍କ ସମ୍ମୁଖରେ ରଖିବି ଓ ଯଦି କୌଣସି ଉତ୍ତର ନ ଦିଅନ୍ତି ତାହା ବି ମୁଁ ଓଡ଼ିଶାବାସୀଙ୍କ ସମ୍ମୁଖରେ ରଖିବି । ସେ କୌଣସି ଉତ୍ତର ଦେଇନାହାନ୍ତି । ତେଣୁ ମୁଁ ଆଜି ଏହି ପ୍ରତିବେଦନ ରଖୁଛି ଯହିଁରେ ସଂଯୁକ୍ତ ରହିଛି ମୁଁ ତାଙ୍କୁ ଦେଇଥିବା ପତ୍ରଟି । ଓଡ଼ିଶାବାସୀଏହା ଜାଣିବା ଓ ଅନୁଧ୍ୟାନ କରିବା ଆବଶ୍ୟକ ।

ମାନ୍ୟବର ଅବକାରୀ ଓ ଅର୍ଥ ମନ୍ତ୍ରୀ ଶ୍ରୀ ଶଶୀ ଭୂଷଣ ବେହେରା ,
ଓଡ଼ିଆ ଭାଷାରେ ଓଡ଼ିଶାର ଶାସନ ପାଇଁ ମୁଁ ପ୍ରତିଷ୍ଠା କରିଥିବା ଭାଷା ଆନ୍ଦୋଳନ ଓ କଳାପତାକା ଅଭିଯାନ ସମ୍ପର୍କରେ ଆପଣ ବ୍ୟକ୍ତିଗତ ଭାବେ ଅବଗତ ଓ ଟେଲିଭିଜନ ଚାନେଲମାନଙ୍କରେ ଏକାଧିକବାର ଆଲୋଚନା କରି ଏହାକୁ ଆପଣଙ୍କ ନୈତିକ ସମର୍ଥନ ବି ଦେଇଛନ୍ତି । ଏହି ଅଭିଯାନକୁ ପ୍ରତିଦିନ ଚାରିଜଣ ସାଥୀଙ୍କୁ କଳାପତାକା ଧରିବା ପାଇଁ ଡାକିବା ଦାୟିତ୍ବରେ ଥିବା ଦୁଇଜଣ ବ୍ୟକ୍ତି – ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥା – ଯେଉଁମାନେ ଭାଷା ଆନ୍ଦୋଳନର ଯଥାକ୍ରମେ ସଭାପତି ଓ ଆବାହକ ଭାବେ ପରିଚିତ , ଗତ ୧୬. ୭. ୨୦୧୮ ତାରିଖ ସନ୍ଧ୍ୟାରେ ଏକ ପ୍ରେସ ବିବୃତ୍ତି ଜାରି କରି ଭାଷା ଆଂଦୋଳନର ନିଷ୍ପତ୍ତି କ୍ରମେ କଳାପତାକା ଅଭିଯାନ ସେହିଦିନଠାରୁ ସ୍ଥଗିତ ରହିଲା ବୋଲି ଘୋଷଣା କଲେ । ସେମାନଙ୍କ ସେହି ଆଚରଣ ଅନଧିକୃତ ଥିବା ହେତୁ ଓଡ଼ିଆ ଜାତି ତାହାକୁ ପ୍ରତ୍ୟାଖ୍ୟାନ କଲା ଓ କଳାପତାକା ଅଭିଯାନ ଘୋଷିତ କାର୍ଯ୍ୟସୂଚୀ ଅନୁସାରେ ଯଥାରୀତି ଚାଲିଛି । ଯେଉଁ ପର୍ଯ୍ୟନ୍ତ ସରକାରୀ ଭାଷା ଆଇନକୁ ଆଇନତଃ ନ ହେଲେ ବି କାର୍ଯ୍ୟତଃ ନିର୍ଜୀଵ କରିଦେବାକୁ ହୋଇଥିବା ସରକାରୀ ଷଡଯନ୍ତ୍ର ପ୍ରତ୍ୟାହୃତ ନ ହୋଇଛି ଓ ଏକ ନିର୍ଭୁଲ ସଂଶୋଧନ ଦ୍ଵାରା ତାକୁ ସଶକ୍ତିକୃତ କରା ନ ଯାଇଛି ସେ ପର୍ଯ୍ୟନ୍ତ ଏହା ଚାଲିବ । ମାତ୍ର ଉପରୋକ୍ତ ଦୁଇଜଣ ବ୍ୟକ୍ତି ଏହାକୁ ସ୍ଥଗିତ ରଖିବା ପାଇଁ ଯେହେତୁ ଆପଣଙ୍କ ନାମ ବ୍ୟବହାର କରିଥିଲେ , ଅଥଚ ଗତ କ୍ୟାବିନେଟ ବୈଠକରେ ଆପଣ ସେମାନଙ୍କୁ ଦେଇଥିବା ପ୍ରତିଶ୍ରୁତିର କୌଣସି ଝଲକ ବି ତହିଁରେ ଦେଖିହେଲାନାହିଁ, ସେ ହେତୁ ଆପଣଙ୍କ ନାମ ସେମାନେ ଅଧିକୃତ ଭାବେ ବ୍ୟବହାର କରିଥିଲେ କି ଅନଧିକୃତ ଭାବେ ତାହା ଜାଣିବା ପାଇଁ ସେମାନେ ଜାରିକରିଥିବା ପ୍ରେସ ବିବୃତ୍ତିର ନକଲ ମୁଁ ଏଥି ସହ ସଂଯୁକ୍ତ କଲି । ମୁଁ ଆଶା କରୁଛି ଆପଣ ଏହା ଅନୁଧ୍ୟାନ କରିବେ ଓ ନିଜ ଭୂମିକା ସ୍ପଷ୍ଟ କରି ମୋତେ ଆପଣଙ୍କ ଉତ୍ତର ଦେବେ । ଆପଣ ଯେଉଁ ଉତ୍ତର ଦେବେ ତାହା ମୁଁ ଓଡ଼ିଶାର ଜନସାଧାରଣଙ୍କ ସମ୍ମୁଖରେ ରଖିବି ଓ ଯଦି କୌଣସି ଉତ୍ତର ନ ଦିଅନ୍ତି ତାହା ବି ମୁଁ ଜନସାଧାରଣଙ୍କୁ ଜଣାଇବି । କାରଣ ପରୋକ୍ଷରେ ପବିତ୍ର ମହାରଥା ଏପରି ଏକ ଧାରଣା ସୃଷ୍ଟି କରିଛନ୍ତି ଯହିଁରୁ ଜଣା ପଡୁଛି ସତେ ଯେମିତି କଳାପତାକା ଅଭିଯାନ ବନ୍ଦ କରିବା ପାଇଁ ମୋଟା ଧରଣର ଆର୍ଥିକ ପ୍ରଲୋଭନ ଦ୍ଵାରା ତାଙ୍କୁ ପ୍ରଲୋଭିତ କରାଯାଇଥିଲା । ଏହା ଏକ ଅତ୍ୟନ୍ତ ଦୁଃଖଦାୟକ ବିଭାବନା । ଆମ ରାଜ୍ୟର କୌଣସି ମାନ୍ୟବର ମନ୍ତ୍ରୀ ଏପରି ଏକ ବିଭାବନାର ନାଭିକେନ୍ଦ୍ରରେ ସଂସ୍ଥିତ ହେବା – ତାଙ୍କ ଜ୍ଞାତସାରରେ ହେଉ ବା ଅଜ୍ଞାତରେ – ଆଦୌ କାମ୍ୟ ନୁହେଁ । ତେଣୁ, ମୋର ଅନୁରୋଧ, ଏଥି ସହ ସଂଯୁକ୍ତ ପ୍ରେସ ବିବୃତ୍ତିଟି ଅନୁଧ୍ୟାନ କରିବେ ଓ ଦୟାକରି ସ୍ପଷ୍ଟ କରିବେ କି,
(୧ ) ଏଥିରେ କୁହାହୋଇଥିବା ପରି ପ୍ରତିଶ୍ରୁତି ଆପଣ ଦେଇଥିଲେ କି ?
(୨) ଏପରି ପ୍ରତିଶ୍ରୁତି ଦେବାକୁ ଆପଣଙ୍କୁ ସମ୍ପୃକ୍ତ ଆଇନର ଦାୟିତ୍ବରେ ଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ କି ?
(୩) ଯଦି ଦେଇଥିଲେ, ଗତ କ୍ୟାବିନେଟ୍ ବୈଠକରେ ତାହା ପ୍ରସ୍ତାବିତ ନ ହେବାର କାରଣ କଣ ?
ଇତି ,
ଆପଣଙ୍କର
ସୁଭାଷ ଚନ୍ଦ୍ର ପଟ୍ଟନାୟକ ,
ଅଧ୍ୟକ୍ଷ , ଭାଷା ଆନ୍ଦୋଳନ , ଓଡ଼ିଶା

ଅତ୍ୟନ୍ତ ଦୁଃଖର କଥା, ମାନ୍ୟବର ଅର୍ଥମନ୍ତ୍ରୀ ଏବେ ବି ଅପରାଧୀ ପରି ନିରବ !

ଭାଷା ଆନ୍ଦୋଳନ: ସୌମ୍ୟ ନାୟକଙ୍କ ସିଧା ପ୍ରସାରଣ ଏବେ ୟୁ ଟ୍ୟୁବରେ

ସାମ୍ବାଦିକତାର ଉଦୀୟମାନ ପ୍ରତିଭା ଶ୍ରୀ ସୌମ୍ୟରଂଜନ ନାୟକ ସୋମବାର ସ୍ଵୟଂ ଶ୍ରୀକ୍ଷେତ୍ର ପୁରୀରେ ଭାଷା ଆନ୍ଦୋଳନର ଯେଉଁ କଳାପତାକା ଅଭିଯାନକୁ ସାମାଜିକ ଗଣମାଧ୍ୟମ ଫେସ ବୁକ ମାଧ୍ୟମରେ ସିଧା ପ୍ରସାରିତ କରିଥିଲେ, ତାହା ଏବେ oissamatters.com ‘ୟୁ ଟ୍ୟୁବ’ରେ ସ୍ଥାପିତ କରିଛି ।

ଆନ୍ଦୋଳନ ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ସମେତ ଏହାର ସଭାପତିମଣ୍ଡଲୀର ତିନିଜଣ ସଦସ୍ୟ , ଯଥା ଶ୍ରୀ କମଳଲୋଚନ ନାୟକ,ଶ୍ରୀ ଗିରିଜାକାନ୍ତ ମିଶ୍ର,ଶ୍ରୀ ସୁଭାଷ ଚନ୍ଦ୍ର ପ୍ରଧାନ ଏବଂ ଅବିଭକ୍ତ ପୁରୀ ଜିଲ୍ଲାର ସଂଯୋଜକ ଶ୍ରୀ ବିବୁଧେନ୍ଦ୍ର ବିଦ୍ୟାଧର ଓ ଅଗ୍ରଣୀ ନେତା ଶ୍ରୀ ମୃତ୍ୟୁଞ୍ଜୟ ତ୍ରିପାଠୀ ଏହି ସିଧା ପ୍ରସାରଣରେ ଶ୍ରୀ ନାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଭାଷା ଆନ୍ଦୋଳନର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।

ସାରା ଭାରତରେ ପ୍ରଥମେ ମାତୃଭାଷାକୁ ସରକାରୀ ଭାଷା ଭାବେ ବ୍ୟବହାର କରିବାକୁ ଆଇନ ପ୍ରଣୟନ ପାଇଁ ଉଦ୍ୟମ ହୋଇ ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ପୁଣ୍ୟଶ୍ଳୋକ ନବକୃଷ୍ଣ ଚୌଧୁରୀ ପ୍ରଥମ ନିର୍ବାଚିତ ବିଧାନସଭାରେ ଓଡିଶା ସରକାରୀ ଭାଷା ଆଇନ ପାରିତ ଓ ପ୍ରବର୍ତ୍ତିତ କରିଥିଲେ । ତାକୁ ଅକ୍ଷୁର୍ଣ୍ଣ ରଖି ତହିଁର ଉଲ୍ଲଙ୍ଘନ ବିରୁଦ୍ଧରେ ଦଣ୍ଡବିଧାନ ବ୍ୟବସ୍ଥା ପାଇଁ ଆଇନ ସଂଶୋଧନ କରିବାକୁ ପ୍ରାୟ ତିନି ବର୍ଷ ଧରି ଭାଷା ଆନ୍ଦୋଳନ ଚାଲିଥିବା ବେଳେ ବର୍ତ୍ତମାନର ଓଡ଼ିଆଵିଦ୍ଵେଷୀ ସରକାର ସଂଶୋଧନ ଅଳରେ ସେହି ଆଇନଟିକୁ ଅତି ବେଆଇନ ଶୈଳୀରେ ଖର୍ବ କରିଛନ୍ତି ଓ ତାର ପ୍ରତିକାର ପାଇଁ ଜଣେ ବିରୋଧୀ ଦଳ ସଭ୍ୟ. ସିପିଆଇ (ଏମ)ର ଶ୍ରୀ ଲକ୍ଷ୍ମଣ ମୁଣ୍ଡା ଏକ ଘରୋଇ ବିଧେୟକ ଆଣିବାକୁ ଚିଠା ସହ ନୋଟିସ ଦେବା ପରେ ମୁଖ୍ୟମନ୍ତ୍ରୀଙ୍କ ଚାପରେ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି । ଏହି ଦୃଶ୍ୟପଟର ଅନ୍ତ ପାଇଁ ଭାଷା ଆନ୍ଦୋଳନର ପୁରୀ (ଅବିଭକ୍ତ ଜିଲ୍ଲା) ଶାଖା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଯେଉଁ ସ୍ମାରକପତ୍ର ଦେଇଛନ୍ତି ତାର ବିବରଣୀ ଏହି ୱେବ ସାଇଟରେ ସେହି ଦିନ ହିଁ ପ୍ରକାଶ ପାଇଛି ।

ଏବେ ଶ୍ରୀ ନାୟକଙ୍କ ସିଧା ପ୍ରସାରଣର ୟୁ ଟ୍ୟୁବ ସଂକଳନ :

ସିଂହଦ୍ଵାରରେ କଳାପତାକା ଅଭିଯାନର ଅୟମାରମ୍ଭ ଦୃଶ୍ୟ –

ବିଶ୍ଵବିଖ୍ୟାତ ବଡ଼ଦାଣ୍ଡରେ କଳାପତାକା ଅଭିଯାନ ଆଗେଇଚାଲିଥିବାର ଦୃଶ୍ୟ –

ସରକାରଙ୍କ ଓଡ଼ିଆ ଭାଷାଵିଦ୍ଵେଷୀ ଆଚରଣ ବନ୍ଦ ନ ହେଲେ ଓଡ଼ିଶାର ପୁରପଲ୍ଲୀରେ କଳାପତାକା ଅଭିଯାନ
ଚାଲିବ ବୋଲି ଭାଷା ଆନ୍ଦୋଳନ ନେତୃତ୍ବ ଘୋଷଣା କରିଛି ।

ଚିତ୍ରେ ସମ୍ବାଦ: ଭାଷା ଆନ୍ଦୋଳନ, ପୁରୀ

ଓଡ଼ିଆରେ ଓଡ଼ିଶାର ସରକାରୀ କାମ ପାଇଁ ଓଡ଼ିଶା ସରକାରୀ ଭାଷା ଆଇନ,୧୯୫୪କୁ ଅକ୍ଷୁର୍ଣ୍ଣ ରଖି ତାର ଉଲ୍ଲଙ୍ଘନ ବିରୁଦ୍ଧରେ କଠିନ ଦଣ୍ଡବିଧାନ ସକାଶେ ଆଇନ ପ୍ରଣୟନ ହେବା ଦାବିରେ ଭାଷା ଆନ୍ଦୋଳନ, ଓଡିଶା ଗତ ୧୩. ୪. ୨୦୧୬ ତାରିଖରୁ ଭୁବନେଶ୍ୱରରେ ଶାନ୍ତିପୂର୍ଣ କଳାପତାକା ପଦଯାତ୍ରା ଚଳାଇଛି ଓ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଏକା ଶୃଙ୍ଖଳାରେ ମଧ୍ୟ ଏହିପରି ସାମୟିକ ପଦଯାତ୍ରା ହେଉଛି । ଏହିକ୍ରମରେ ଆଜି ଦିବା ୧୧ଟାରେ ଶ୍ରୀମନ୍ଦିରର ସିଂହଦ୍ଵାର ସମ୍ମୁଖରୁ ଶ୍ରୀଜଗନ୍ନାଥଙ୍କ ଷୋଳକଳାର ପ୍ରତୀକ ଭାବେ ୧୬ଟି କଳାପତାକା ଓ ଦାବିଫଳକ ସହ ଭାଷାପ୍ରେମୀମାନଙ୍କର ଶାନ୍ତିପୂର୍ଣ୍ଣ ନିରବ ପଦଯାତ୍ରା ବାହାରି ପୁରୀ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ତରଫରୁ ପ୍ରଧାନ ଅତିରିକ୍ତ ଜିଲ୍ଲାପାଳ ଏହା ଗ୍ରହଣ କରିଛନ୍ତି । ଭାଷା ଆନ୍ଦୋଳନର ଛତ୍ରପୁର ମୁଖ୍ୟ ସୌମ୍ୟ ନାୟକ ସାମାଜିକ ଗଣମାଧ୍ୟମ ଫେସ ବୁକ ଜରିଆରେ ଏହାର ସିଧା ପ୍ରସାରଣ କରିଥିବା ବେଳେ ଆମ ଫଟୋଗ୍ରାଫର ଆଶିଷ ଆଶିଷ କୁମାର ଉଠାଇଥିବା ଫଟୋଚିତ୍ରରୁ କେତେକ ନିମ୍ନରେ ଦିଆଗଲା :

କଳାପତାକା ଅଭିଯାନ: କାହିଁକି ଏ ଅଭିଯାନ?

କଳାପତାକା ଅଭିଯାନ, ଭାଷା ଆନ୍ଦୋଳନ, ଓଡିଶା

ଆମ ଭୂଖଣ୍ଡକୁ ଭାଙ୍ଗିଭୁଙ୍ଗି ପଡୋଶୀ ରାଜ୍ୟମାନଙ୍କରେ ମିଶାଇ ଆମ ବୀରତ୍ଵକୁ ଭୟ କରୁଥିବା ବ୍ରିଟିଶ ସେହି ସେହି ରାଜ୍ୟମାନଙ୍କରେ ଆମକୁ ସଂଖ୍ୟାନ୍ୟୂନ କରାଇ ଦେଇଥିଲା ଓ ସେହି ପଡୋଶୀ ରାଜ୍ୟମାନଙ୍କ ଭାଷା ଆମ ଉପରେ ସରକାରୀ ଭାଷା ଭାବେ ନଦିଦେଇ ଆମକୁ ବିପର୍ଯ୍ୟସ୍ତ କରିଦେଇଥିଲା । ଏହାର ପ୍ରତିକାର ପାଇଁ, ଓଡ଼ିଆ ଭାଷାଭାଷୀ ସମସ୍ତ ଅଂଚଳକୁ ଏକତ୍ର କରି ଗୋଟିଏ ଶାସନରେ ରଖିବାକୁ ଦୀର୍ଘ ୬୬ ବର୍ଷ ଧରି ବହୁ ସଂଘର୍ଷ ପରେ ଏହି ଉଦ୍ଦେଶ୍ୟରେ ସୃଷ୍ଟି ହୋଇଥିଲା ଓଡିଶା । ତେଣୁ ଓଡ଼ିଆ ଭାଷା ହିଁ ଓଡ଼ିଶାକୁ ଜନ୍ମ ଦେଇଛି ଓ ଆମ ରାଜ୍ୟରେ ଆମ ଭାଷାରେ ସରକାରୀ ସେବା ଲାଭ ପାଇଁ ଆମର ପୂର୍ଣ୍ଣ ଅଧିକାର ଅଛି ।

ଓଡ଼ିଶା ସରକାରୀ ଭାଷା ଆଇନ,୧୯୫୪ ଆମକୁ ଏହି ଅଧିକାର ଆଇନତଃ ପ୍ରଦାନ କରିଥିଲା । ଆମ ପ୍ରଥମ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ସୃଷ୍ଟି କରିଥିବା ଏହି ଆଇନଟି ସ୍ପଷ୍ଟ କରିଥିଲା କି, ସମଗ୍ର ଓଡ଼ିଶାରେ ସମସ୍ତ ଓ ପ୍ରତ୍ୟେକ ସରକାରୀ କାର୍ଯ୍ୟ କେବଳ ଓଡ଼ିଆ ଭାଷାରେ ହିଁ ହେବ । ହରେକୃଷ୍ଣ ମହତାବଙ୍କ ଷଡ଼ଯନ୍ତ୍ର କ୍ରମେ ତାଙ୍କୁ କ୍ଷମତାରୁ ତଡ଼ି ମହତାବଙ୍କ ଦୋଦୁଲ୍ୟମାନ ସରକାରର ଅକାଳ ମୃତ୍ୟୁ ଘଟାଇ ନିଜେ ମୁଖ୍ୟମନ୍ତ୍ରୀ ହୋଇଥିବା ବିଜୁ ପଟ୍ଟନାୟକ ଦୁର୍ନୀତି ଅଭିଯୋଗରେ ତଡ଼ା ଖାଇ ଦାୟିତ୍ଵ ହସ୍ତାନ୍ତର କରିବା ପୂର୍ବରୁ ୧୯୬୩ରେ ଅତ୍ୟନ୍ତ ବେଆଇନ ଭାବେ ଭାଷା ଆଇନଟିକୁ ସଂଶୋଧନ କରି ଇଂରାଜୀ ଭାଷା କବଳରେ ଓଡିଶାକୁ ପକାଇଲେ । ତହିଁରୁ ନିସ୍ତାର ପାଇବାପାଇଁ ନବବାବୁଙ୍କ ପ୍ରଣୀତ ଆଇନଟିକୁ ଅକ୍ଷୁର୍ଣ୍ଣ ରଖି ତାର ଖିଲାପକାରୀକୁ ଦଣ୍ଡବିଧାନ ସକାଶେ ସାମ୍ବାଦିକ ସୁଭାଷ ଚନ୍ଦ୍ର ପଟ୍ଟନାୟକ ମନ୍ତ୍ରୀସ୍ତରୀୟ କମିଟିର ସଭ୍ୟ ଭାବେ ଦେଇଥିବା ପ୍ରସ୍ତାବ ଅନୁସାରେ ଆଇନ ପ୍ରଣୟନ ଦାବି କରି ଗତ ୧୩. ୪. ୨୦୧୬ ତାରିଖରୁ ଆମେ ନିରବ କଳାପତାକା ଅଭିଯାନ ଚଳାଇଛୁଁ । ଦୁଃଖର କଥା, ୨୦୧୮ରେ ଏହି ଆଇନରେ ଦୁଇ ଦୁଇ ଥର ସଂଶୋଧନ ଘଟାଇ ବର୍ତ୍ତମାନର ସରକାର ମୂଳ ଆଇନଟିକୁ ଅକାମି କରିଦେଇଛନ୍ତି । ଏହି ସରକାର ଖଞ୍ଜିଥିବା ନୂଆ ଧାରା ୪-କ ହେତୁ, ସମଗ୍ର ଓଡ଼ିଶାରେ ସରକାରୀ ଭାଷା ଆଇନ କାର୍ଯ୍ୟକାରୀ ହେବ ନାହିଁ ଏବଂ ସମସ୍ତ ଓ ପ୍ରତ୍ୟେକ ସରକାରୀ କାର୍ଯ୍ୟ ଓଡ଼ିଆରେ ବି ହେବନାହିଁ ; ପରନ୍ତୁ ଏହାର କାର୍ଯ୍ୟକାରିତା ସମ୍ପୂର୍ଣ୍ଣତଃ ସରକାରୀ କର୍ମଚାରୀଙ୍କ ମର୍ଜୀ ଉପରେ ନିର୍ଭର କରିବ । ଅଥଚ, ଆଇନ ଉଲ୍ଲଙ୍ଘନ ହେଲେ ଉଲ୍ଲଙ୍ଘନକାରୀ କର୍ମଚାରୀକୁ ଦଣ୍ଡିତ କରିବା ପରିବର୍ତ୍ତେ ସମ୍ପୃକ୍ତ ବିଭାଗକୁ, ଅର୍ଥାତ୍ ଓଡ଼ିଶାର ଜନସାଧାରଣଙ୍କୁ ଦଣ୍ଡିତ କରାଯାଇପାରିବ । ଏହି ଚଂଚକତା ବିରୁଦ୍ଧରେ କଳାପତାକା ଅଭିଯାନ ଚାଲିଥିବାବେଳେ ଜଣେ ଭାଷାପ୍ରେମୀ ବିଧାୟକ ଶ୍ରୀ ଲକ୍ଷ୍ମଣ ମୁଣ୍ଡା ଏକ ସଂଶୋଧନ ବିଲ୍ ବିଧାନସଭାରେ ଦାଖଲ କରିବାରୁ ୨୪.୧୧.୨୦୧୮ ଦିନ ଧାର୍ଯ୍ୟ ସମୟର ୨୦ ଦିନ ପୂର୍ବରୁ ବିଧାନସଭାକୁ ବନ୍ଦ କରିଦିଆଯାଇଛି ।

ଓଡ଼ିଆ ଭାଷାଜନନୀ ଉପରେ ଏହି ଯେଉଁ ବିପଦ ଦେଖାଦେଇଛି, ଭାଷା ଆଇନର ପୁନଃ ସଂଶୋଧନ ଦ୍ଵାରା ହିଁ ତାକୁ ଦୂର କରାଯାଇପାରେ । ଏଥିପାଇଁ ଆବଶ୍ୟକୀୟ ବାତାବରଣ ତିଆରି କରିବା ହିଁ କଳାପତାକା ଅଭିଯାନର ଏକମାତ୍ର ଉଦ୍ଦେଶ୍ୟ ।

ଭାଷା ଆନ୍ଦୋଳନ ଝଡ଼ରେ ଉଡ଼ିଗଲା ଆଜି ଓଡ଼ିଶା ବିଧାନସଭା

ବିଧାନସଭାକୁ ମିଛ କହି ଧାରା ୪-କ ଯୋଡ଼ି ଓଡ଼ିଶା ସରକାରୀ ଭାଷା ଆଇନକୁ ନଷ୍ଟ କରିଥିବା ହେତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ସ୍ବାଧିକାର ଭଙ୍ଗ ଦୋଷାରୋପ ପାଇଁ ଭାଷା ଆନ୍ଦୋଳନ ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଦାବି କରିଥିଲେ ।

ଓଡ଼ିଶାର ପ୍ରଥମ ସାର୍ବଜନୀନ ମତାଧିକାର ବଳରେ ନିର୍ବାଚିତ ବିଧାନସଭାରେ ପ୍ରଥମ ମୁଖ୍ୟମନ୍ତ୍ରୀ ଋଷିକଳ୍ପ ନବକୃଷ୍ଣ ଚୌଧୁରୀ ପ୍ରସ୍ତୁତ ଓ ପ୍ରବର୍ତ୍ତିତ କରିଥିବା ସରକାରୀ ଭାଷା ଆଇନକୁ ଅକ୍ଷୁର୍ଣ୍ଣ ରଖି ତାର ଅବମାନନା ବିରୁଦ୍ଧରେ କଠିନ ଦଣ୍ଡବିଧାନ ପାଇଁ ୧୬.୧୧ରୁ ୧୫.୧୨.୨୦୧୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବିଧାନସଭା ଅଧିବେଶନରେ ଆଇନ ସଂଶୋଧନ ପାଇଁ ଭାଷା ଆନ୍ଦୋଳନ ସଭାପତି ମଣ୍ଡଳୀ – ଗଜାନନ ମିଶ୍ର, ଡଃ ଅଶୋକ ମିଶ୍ର, କମଳଲୋଚନ ନାୟକ, ସୁଭାଷ ଚନ୍ଦ୍ର ପ୍ରଧାନ,ଧ୍ରୁବ ଚରଣ ମହାନ୍ତି, ଗିରିଜାକାନ୍ତ ମିଶ୍ର ଓ ଅର୍ଜୁନ ସାମନ୍ତରାୟ ଗତ ୯.୧୧.୨୦୧୮ରେ ମୁଖ୍ଯମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଇଥିଲେ ।

ତହିଁର ସପ୍ତାହେ ପରେ ସିପିଆଇ (ଏମ୍) ସଭ୍ୟ ମାନ୍ୟବର ଲକ୍ଷ୍ମଣ ମୁଣ୍ଡା ଭାଷା ଆଇନର ଆବଶ୍ୟକ ସଂଶୋଧନ ପାଇଁ ଏକ ବିଧେୟକର ଚିଠା ସମ୍ବଳିତ ନୋଟିସ ଦେଲେ । ବିଧାନସଭା ଚାଲିଥିଲେ ଆସନ୍ତା ୩୦ ତାରିଖରେ ତାହା ଆଲୋଚିତ ହେବା ସୁନିଶ୍ଚିତ ଥିଲା । ଏହା ହୋଇଥିଲେ, ଓଡ଼ିଆ ଭାଷା ବିରୁଦ୍ଧରେ ନବୀନବାବୁଙ୍କ ଷଡ଼ଯନ୍ତ୍ର ପଦାକୁ ଆସିଥାନ୍ତା ଓ ଆଇନଟି ହୁଏତ ସଂଶୋଧିତ ହୋଇପାରିଥାନ୍ତା ।

ଏହା ନ କରାଇଦେବାପାଇଁ, ବହୁ ସରକାରୀ ଦିବସ ବାକି ଥିବା ବେଳେ , ବିଧାନସଭାକୁ ହଠାତ୍ ବନ୍ଦ କରିଦିଆଯାଇଛି । ୨୦୧୭ରେ ବି ଭାଷା ଆନ୍ଦୋଳନର ଏହିପରି ଏକ ଉଦ୍ୟମର ଝଟକାରେ ଅଧିବେଶନର ମଝିରେ ହିଁ ଅଧିବେଶନ ବନ୍ଦ କରି ଦିଆଯାଇଥିଲା ।