ଭାଷା ଆଇନ ସଂଶୋଧନରେ ତଞ୍ଚକତା ହେତୁ ମୁଖ୍ୟମନ୍ତ୍ରୀ ବିଧାନସଭାର ସ୍ଵାଧୀକାର ଭଙ୍ଗ କରିଛନ୍ତି : ଭାଷା ଆନ୍ଦୋଳନ

ଓଡିଶା ସରକାରୀ ଭାଷା ଆଇନରେ ଗତ ବିଧାନସଭାରେ ଯେଉଁ ସଂଶୋଧନ କରାଯାଇଛି ତହିଁରେ ଚଂଚକତା ଆଚରଣ କରି ବିଧାନସଭାକୁ ପ୍ରତାରିତ ଓ ବିଭ୍ରାନ୍ତ କରିଥିବା ହେତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ସଂସଦୀୟ ବ୍ୟାପାର ବିଭାଗ ମନ୍ତ୍ରୀ ବିକ୍ରମ ଆରୁଖ ବିଧାନସଭାର ସ୍ବାଧୀକାର ଭଙ୍ଗ କରିଛନ୍ତି । ଏହି ଗର୍ହିତ ଆଚରଣ ହେତୁ ବିଧାନସଭା ନିଜ ମର୍ଯ୍ୟାଦା ରକ୍ଷା କରିବା ପାଇଁ ଏ ଉଭୟଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ କରୁ ବୋଲି ଭାଷା ଆନ୍ଦୋଳନର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦାବି ରଖିଛନ୍ତି ।

ଏହି ସମ୍ମିଳନୀରେ ଡଃ କୁଳମଣି ନାୟକ,କମଳଲୋଚନ ନାୟକ,ପ୍ରମୋଦ କୁମାର ଦେବ,ଭବାନୀ ଶଙ୍କର ପରିଜା ଓ ସଂଜୀବ ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

ନିମ୍ନରେ ପ୍ରେସ ବିବୃତ୍ତିର ନକଲ ଉପସ୍ଥାପିତ ହେଲା :

ଭୁବନେଶ୍ୱର , ୪. ୯. ୨୦୧୮

ଚଳିତ ବିଧାନସଭା ଅଧିବେଶନ ପାଇଁ ସରକାର ଯେଉଁ ସମସ୍ତ ଆଇନ ପ୍ରଣୟନ / ସଂଶୋଧନର ପ୍ରସ୍ତାବ ରଖିଛନ୍ତି ତହିଁରେ ଓଡିଶା ସରକାରୀ ଭାଷା ଆଇନ ସଂଶୋଧନପାଇଁ କୌଣସି ପ୍ରସ୍ତାବ ନାହିଁ । ଏହା ସାବ୍ୟସ୍ତ କରୁଛି କି, ସରକାରୀ ଭାଷା ଆଇନର ଉଦ୍ଦେଶ୍ୟ ପଣ୍ଡ କରିବା ପାଇଁ ତହିଁରେ ସଂଶୋଧନ ଘଟାଇବା ଓ ତାହା ବିରୁଦ୍ଧରେ ଭାଷା ଆନ୍ଦୋଳନର କଣ୍ଠରୋଧ କରିବାକୁ ତହିଁର ଦୁଇଜଣ କର୍ମକର୍ତ୍ତାଙ୍କୁ ପୋଷା ମନାଇ କଳାପତାକା ଅଭିଯାନ ସ୍ଥଗିତ ହୋଇଗଲା ବୋଲି ସେମାନଙ୍କ ମୁହଁରେ ମିଥ୍ୟା ପ୍ରଚାର କରି ଓଡ଼ିଶାର ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା ହୋଇଛି । ଏହା ସରକାରଙ୍କ ଘୋର ଓଡ଼ିଆ ବିରୋଧୀ ମାନସିକତାର ପରିଚାୟକ ।

ଏହି ପ୍ରେକ୍ଷାପଟରେ ଚଳିତ ବିଧାନସଭା ଅଧିବେଶନ ନିଜ ଆଡୁ ଓଡିଶା ସରକାରୀ ଭାଷା (ସଂଶୋଧନ) ବିଧେୟକ, ୨୦୧୮ ପ୍ରତି ଦୃଷ୍ଟି ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତଥା ତାଙ୍କ ତରଫରୁ ସେହି ବିଧେୟକକୁ ବିଧାନସଭାରେ ଉପସ୍ଥାପିତ ଓ ପାରିତ କରାଇଥିବା ମନ୍ତ୍ରୀ ବିକ୍ରମ ଆରୁଖଙ୍କ ବିରୁଦ୍ଧରେ ସ୍ବାଧୀକାର ଭଙ୍ଗ ସକାଶେ ବିହିତ କାର୍ଯ୍ୟାନୁଷ୍ଠାନ କରିବା ଆବଶ୍ୟକ । କାରଣ ତଦ୍ଦ୍ଵାରା ହିଁ ଓଡିଶା ବିଧାନସଭା ନିଜ ସମ୍ମାନ ନିଜେ ରକ୍ଷା କରିପାରିବ ।

ଏହି ବିବାଦୀୟ ବିଧେୟକର ‘ଉଦ୍ଦେଶ୍ୟ ଓ କାରଣ କଥନ’ରେ ସରକାର ଏହା ୨୬. ୧୨.୨୦୧୭ର କ୍ୟାବିନେଟ ପ୍ରସ୍ତାବ ଉପରେ ଆଧାରିତ ବୋଲି କହିଛନ୍ତି । ଏତଦ୍ଦ୍ଵାରା ସରକାର ଜାଣିଶୁଣି ବିଧାନସଭାକୁ ୧୪. ୩ . ୨୦୧୮ରେ ଗୃହୀତ ହୋଇଥିବା କ୍ୟାବିନେଟ ପ୍ରସ୍ତାବ ସମ୍ପର୍କରେ ଅନ୍ଧକାରରେ ରଖିଛନ୍ତି । କାର୍ଯ୍ୟ ନିଯମାବଳୀ (Rules of Business)ର ସଂପୂର୍ଣ୍ଣ ଉଲ୍ଲଂଘନ କରି ୨୬. ୧ ୨. ୨୦୧୭ର କ୍ୟାବିନେଟ ପ୍ରସ୍ତାବରେ ଓଡ଼ିଶା ସରକାରୀ ଭାଷା ଆଇନର ପରିସର ସଂକୁଚିତ କରି ଆଇନଟିର ମୂଳ ଉଦ୍ଦେଶ୍ୟକୁ ପଣ୍ଡ କରିବା କୌଶଳ ଖଞ୍ଜା ହୋଇଥିଲା । ବ୍ୟାପକଭାବେ ଓଡ଼ିଆରେ କାମ ନକଲେ କର୍ମଚାରୀ ତଥା ବିଭାଗକୁ ଦଣ୍ଡିତ କରାଯିବ ବୋଲି କୁହା ହୋଇଥିଲା । କର୍ମଚାରୀଙ୍କ ଭୁଲ ହେତୁ ବିଭାଗକୁ ଦଣ୍ଡିତ କରାଗଲେ ତାହା ଟିକସଦାତା ଜନସାଧାରଣଙ୍କୁ ଦଣ୍ଡିତ କରିବା ସହ ସମାନ ବୋଲି ଆମ୍ଭେ ପ୍ରତିବାଦ କରାଗଲା ପରେ ୧୪. ୩ . ୨୦୧୮ରେ ପୁନର୍ବାର କ୍ୟାବିନେଟ ବସି ପ୍ରସ୍ତାବ କରିଥିଲେ କି, ଭାଷା ଆଇନର ଉଲ୍ଲଙ୍ଘନ ପାଇଁ କୌଣସି ବିଭାଗକୁ ଦଣ୍ଡିତ କରାଯିବ ନାହିଁ ; କେବଳ କର୍ମଚାରୀ ଓ ପଦାଧିକାରୀଙ୍କୁ ଦଣ୍ଡିତ କରାଯିବ ଏବଂ ଏଥିପାଇଁ ତୁରନ୍ତ ଭାଷା ଆଇନ ସଂଶୋଧିତ ହେବ ।

ଉଲ୍ଲେଖନୀୟ ଯେ, ଏହି ପ୍ରସ୍ତାବିତ ସଂଶୋଧନର ଉଦ୍ଦେଶ୍ୟ ଓ କାରଣ ମଧ୍ୟ ଏହି ୧୪. ୩ . ୨୦୧୮ କ୍ୟାବିନେଟ ବୈଠକରେ ଧାର୍ଯ୍ୟ କରାହୋଇ ଯେହେତୁ ଆଇନଟିର ଉଲ୍ଲଙ୍ଘନ ପାଇଁ ଦଣ୍ଡବିଧାନର ବ୍ୟବସ୍ଥା ନାହିଁ, ସେହେତୁ ଏହାକୁ କେହି ମାନୁନାହାନ୍ତି ବୋଲି କୁହା ହୋଇଥିଲା । ଅଥଚ ଏହି ନିର୍ଦ୍ଦେଶକୁ ମୁଖ୍ୟମନ୍ତ୍ରୀ ଅବଜ୍ଞା କଲେ କେବଳ ନୁହେଁ, ଏହି ପ୍ରସ୍ତାବ ଅନୁସାରେ ପ୍ରସ୍ତୁତ ବିଧେୟକକୁ ଜାଲିଆତି ବଳରେ ବଦଳାଇ ଏପରି ସଞ୍ଚାଳିତ କଲେ ଯେ, ଏହି ଜାଲିଆତି ହିଁ ବିଧିକୃତ ହୋଇଗଲା । ଓଡ଼ିଶା କାହିଁକି, କୌଣସି ରାଜ୍ୟ ଓ ଦେଶରେ ବିଧାନ ପ୍ରଣାୟକ କ୍ଷେତ୍ରରେ ଏପରି ଜାଲିଆତି ବ୍ୟବହୃତ ହୋଇନାହିଁ  । ଆମ ମୁଖ୍ୟମନ୍ତ୍ରୀଙ୍କର ଓଡ଼ିଆ ଭାଷା ପ୍ରତି ଥିବା ବିଦ୍ଵେଷର ଏହାହିଁ ପରିଣତି ।

ବିଧାନସଭା ଅଧିବେଶନର ଶେଷ ଦିନରେ ଆଗତ ଓ ପାରିତ ହୋଇଥିବା ଭାଷା ଆଇନ ସଂଶୋଧନରେ ୧୪.୩.୨୦୧୮ତାରିଖର ଆଇନ ଅନୁମୋଦିତ  ଗୁରୁତ୍ବପୂର୍ଣ କ୍ୟାବିନେଟ ନିଷ୍ପତ୍ତିକୁ ସମ୍ପୂର୍ଣ ଅନଧିକୃତ ଭାବେ କବର ଦେଇ ୨୬.୧୨. ୨୦୧୭ର କ୍ୟାବିନେଟ ପ୍ରସ୍ତାବକୁ ସଂଶୋଧନର ଭିତ୍ତି ବନାଇଛନ୍ତି ମୁଖ୍ୟମନ୍ତ୍ରୀ  ଓ ତାହାକୁ ମଧ୍ୟ ବିକୃତ କରାଯାଇଛି । ଉଦାହରଣତଃ , ସେହି କ୍ୟାବିନେଟ୍ ପ୍ରସ୍ତାବରେ ଓଡ଼ିଆରେ କାମ ନକରିବା କର୍ମଚାରୀ ଓ ବିଭାଗକୁ ଦଣ୍ଡିତ କରାଯିବ ବୋଲି କୁହା ହୋଇଥିଲା ବେଳେ, ଉପସ୍ଥାପିତ ଓ ପାରିତ ହୋଇଥିବା ବିଧେୟକରେ କର୍ମଚାରୀ କିମ୍ବା ବିଭାଗକୁ ଦଣ୍ଡିତ କରାଯିବ ବୋଲି ଉଲ୍ଲେଖ ଅଛି । କ୍ୟାବିନେଟ ପ୍ରସ୍ତାବର ଏପରି ବିକୃତିକରଣକରିବା ଓ ସବୁଠୁ ଗୁରୁତ୍ବପୂର୍ଣ ତଥ୍ୟ ଗୋପନ ରଖି ବିଧାନସଭାକୁ ବିଧାନ ପ୍ରଣୟନ କ୍ଷେତ୍ରରେ ବିଭ୍ରାନ୍ତ କରିବା ଯଦି ଓଡିଶା ବିଧାନସଭାର ସ୍ଵାଧୀକାର ଭଙ୍ଗ ଭାବେ ବିବେଚିତ ନ ହୁଏ, ବୁଝିବାକୁ ହେବ ଯେ, ପ୍ରଶାସନିକ କଳ ପାଖରେ ଆମ ରାଜନୈତିକ ଵିଜ୍ଞତା ବାମନ ହୋଇଗଲାଣି।

ଆମେ ଦାବି କରୁଛୁ କି,
(କ) ରାଜ୍ୟ କ୍ୟାବିନେଟ୍ ଗ୍ରହଣ କରିଥିବା ପ୍ରସ୍ତାବକୁ ଆଇନ ସଂଶୋଧନର ଚିଠା ପ୍ରସ୍ତୁତିରେ ଏପରି ସ୍ଵେଚ୍ଛାଚାରର ଶରବ୍ୟ କରିଥିବା ସମ୍ପୃକ୍ତ ପଦାଧିକାରୀଙ୍କୁ କଠିନ ଦଣ୍ଡ ଦିଆଯାଉ;

(ଖ) ନିଜେ କ୍ୟାବିନେଟ ବୈଠକରେ ଉପସ୍ଥିତ ଥାଇ ଗୃହୀତ କ୍ୟାବିନେଟ ପ୍ରସ୍ତାବକୁ କବର ଦିଆଯାଇଥିବା ଓ ବିକୃତ କରାଯାଇଥିବା ଜାଣି ମଧ୍ୟ ତାହାକୁ ସରକାରୀ ଭାଷା ଆଇନର ସଂଶୋଧନର ଭିତ୍ତି କରାଇ ବିଧାନସଭାକୁ ପ୍ରତାରିତ ଓ ବିଭ୍ରାନ୍ତ କରିଥିବା ମୁଖ୍ୟମନ୍ତ୍ରୀ ଓ ସାଂସଦୀୟ ବିଭାଗ ମନ୍ତ୍ରୀଙ୍କୁ ସ୍ଵାଧୀକାର ଭଙ୍ଗ ଅଭିଯୋଗର ସମ୍ମୁଖୀନ କରାଯାଉ;

(ଗ)୧୪.୩.୨୦୧୮ ତାରିଖର ପ୍ରସ୍ତାବ ଅନୁସାରେ ପ୍ରଣୀତ ଚିଠା ବିଧେୟକକୁ ୩୧.୩.୨୦୧୮ରେ ମୁଖ୍ୟମନ୍ତ୍ରୀ ଦେଇଥିବା “ନୋଟିସ”ରୁ ନିକାଲି ୨୬.୧୨୨୦୧୭ ତାରିଖର ପ୍ରସ୍ତାବ ଆଧାରିତ ଭିନ୍ନ ଏକ ଚିଠା ବିଧେୟକ ତହିଁରେ ସଂଯୁକ୍ତ କରି ବିଧାନସଭାକୁ ଭୁଲ ସଂଶୋଧନ କରିବାକୁ ବାଧ୍ୟ କରାଯାଇଛି କି ନାହିଁ ତାହାର ଯାଞ୍ଚ କରିବା ପାଇଁ ବିଧାନସଭା ନିଷ୍ପତ୍ତି ନେଉ ଓ ସେଥିପାଇଁ ଏକ ତଦନ୍ତ କମିଟି ଗଠନ କରୁ ; ଏବଂ

(ଘ) ଓଡିଶା ସରକାରୀ ଭାଷା (ସଂଶୋଧନ)ଆଇନ, ୨୦୧୮କୁ ବିଲୋପ କରି, ଭାଷା ଆନ୍ଦୋଳନର ଅଧ୍ୟକ୍ଷ ଦେଇଥିବା ପ୍ରସ୍ତାବ ଅନୁସାରେ ସାନି ସଂଶୋଧନ କରାଯାଉ ।

(ସୁଭାଷ ଚନ୍ଦ୍ର ପଟ୍ଟନାୟକ)
ଅଧ୍ୟକ୍ଷ, ଭାଷା ଆନ୍ଦୋଳନ, ଓଡ଼ିଶା

ଏ ମାସ ୧୬ରୁ ପୁନଶ୍ଚ କଳାପତାକା ଅଭିଯାନ : କାହିଁକି ?

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଅଧ୍ୟକ୍ଷ , ଭାଷା ଆନ୍ଦୋଳନ, ଓଡିଶା

ଗତ ବିଧାନସଭା ଅଧିବେଶନ ଠାରୁ ସ୍ଥଗିତ ଥିବା କଳାପତାକା ଅଭିଯାନ ଏ ମାସ ୧୬ ତାରିଖରୁ ପୁନଶ୍ଚ ଚାଲିବ ; କାରଣ, ଓଡ଼ିଆ ଜାତି ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତାରଣା ଏ ଯାଏଁ ସରିନାହିଁ ।

ଭାଷା ଆନ୍ଦୋଳନର କଳାପତାକା ଅଭିଯାନ ଓଡିଶା ସରକାରଙ୍କୁ ତିନି ତିନି ଥର ବାଧ୍ୟ କଲାଣି ଓଡିଶା ସରକାରୀ ଭାଷା ଆଇନ, 1954ର ସଂଶୋଧନ ପାଇଁ । ମାତ୍ର ଓଡ଼ିଶାର ରାଜନୈତିକ ନେତୃତ୍ଵ ଦୁର୍ବଳ ହୋଇଥିବା କାରଣରୁ ଏବଂ ଅମଲାତନ୍ତ୍ର ଉପରେ ସର୍ବଥା ନିର୍ଭରଶୀଳ ଥିବା ହେତୁ , ଧୂର୍ତ୍ତ ଅମଲାମାନେ ସଂଶୋଧନ-ବିଧେୟକଗୁଡ଼ିକରେ ଏପରି ଶବ୍ଦ ଖଞ୍ଜୁଛନ୍ତି ଯେ, ଆଇନଟି ନିର୍ଭୁଲ ହୋଇପାରୁନି ।

ଆଇନଟିରେ ପ୍ରଥମରୁ ଦୁଇଟି ପ୍ରମାଦ ଥିଲା ; ଯଥା – (୧) ନିୟମାବଳୀ ପ୍ରଣୟନ କରି ଆଇନଟିକୁ କାର୍ଯ୍ୟକାରୀ କରିବାକୁ ଆଇନଟି ସରକାରଙ୍କୁ କ୍ଷମତା ଦେଇନଥିଲା ; ଓ (୨) ଆଇନଟିର ଉଲ୍ଲଙ୍ଘନ ବିରୁଦ୍ଧରେ ଦଣ୍ଡବିଧାନର ବ୍ୟବସ୍ଥା ନଥିବା ହେତୁ କେହି ଏହାକୁ ମାନୁନଥିଲେ । କବି ଓ ଅଧିବକ୍ତା ଗଜାନନ ମିଶ୍ରଙ୍କ ଅନଶନ ଫଳରେ ଆଇନଟିର କାର୍ଯ୍ୟକାରିତା ପାଇଁ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସାମ୍ବାଦିକ ସୁଭାଷ ଚନ୍ଦ୍ର ପଟ୍ଟନାୟକ ସଭ୍ୟଭାବେ ସଂସ୍ଥିତ ହୋଇ ଏହି ଦୁଇଟି ପ୍ରମାଦ ଚିହ୍ନଟ କଲେ ଓ ତହିଁର ଦୂରୀକରଣ ପାଇଁ ଦୁଇଟି ବିଧିକ ଚିଠା ସରକାରଙ୍କୁ ଦେଲେ : ପ୍ରଥମଟି ତାଙ୍କ ପ୍ରସ୍ତାବିତ ଆଇନ ସଂଶୋଧନର ଚିଠା ଓ ଦ୍ବିତୀୟଟି ତାଙ୍କ ପ୍ରସ୍ତାବିତ ନିୟମାବଳୀର ଚିଠା ।

ପ୍ରଥମଥର ପାଇଁ ସରକାର ଓ ଓଡ଼ିଶାବାସୀ ଜାଣିଲେ ଯେ, ଏତଦ୍ଦୃଶ ଆଇନ ସଂଶୋଧନ ନ ହେଲେ, ଓଡ଼ିଆରେ ଓଡ଼ିଶାର ଶାସନ ସମ୍ଭବ ହେବନାହିଁ । ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବକୁ ଆଧାର କରି ୧୪. ୧୨ . ୨୦୧୫ ତାରିଖରେ ବିଧାନସଭାରେ କହିଲେ କି, ଭାଷା ଆଇନ ସଂଶୋଧନ ପାଇଁ ପଦକ୍ଷେପ ନିଆ ହେଉଛି । କିନ୍ତୁ ଦିନ ଦୁଇଟା ପରେ ସେ ବଦଳିଗଲେ ଓ ମନ୍ତ୍ରୀସ୍ତରୀୟ କମିଟିଟିକୁ ଆପାତତଃ ଅକାମି କରିଦେଲେ । ପରେ ନଥି ଅନୁଧ୍ୟାନ କରି ଜଣାପଡ଼ିଲା ଯେ, ଜି.ଭି.ଭି.ଶର୍ମା ନାମକ ଜଣେ ଅଣଓଡ଼ିଆ ଆଇ .ଏ .ଏସ . ଅଫିସରଙ୍କ ଚକ୍ରାନ୍ତ ହେତୁ ଏହା ସମ୍ଭବ ହୋଇଥିଲା ।

ତେଣୁ ଆଇନ ସଂଶୋଧନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ମାଧ୍ୟମରେ ସରକାରଙ୍କୁ ଅବଗତ କରାଇ ୧୩. ୪. ୨୦୧୬ ତାରିଖରୁ କଳାପତାକା ଅଭିଯାନ ଆରମ୍ଭ ହେଲା ।

କଳାପତାକା ଅଭିଯାନର ଶକ୍ତି

ଚାରିଜଣ ଭାଷାପ୍ରେମୀ ଓଡ଼ିଆ ହାତରେ ଦାବିଫଳକ ଓ କଳାପତାକା ଧରି ଓଡ଼ିଶାର ଆଇନ ପ୍ରଣୟନ କେନ୍ଦ୍ରଠାରୁ ରାଜ୍ୟପାଳଙ୍କ ଦାପ୍ତରିକ ନିବାସ ଯାଏଁ ପ୍ରତ୍ୟହ କାର୍ଯ୍ୟାଳୟ ସମୟ ଶେଷରେ ନୀରବରେ ଯାତ୍ରା କରିବା ଓ ଏହି ଅନନ୍ୟ ଆନ୍ଦୋଳନର ଶ୍ରେୟ କୁଳଗୌରବ ମଧୁବାବୁଙ୍କ ଚରଣତଳେ ଅର୍ପଣ କରିବା ହିଁ ଭାଷା ଆନ୍ଦୋଳନର କଳାପତାକା ଅଭିଯାନ । ଏହି ନୀରବତା ହିଁ ଏହି ଆନ୍ଦୋଳନର ଶକ୍ତି ।

ପ୍ରଥମ ତ୍ରୁଟି

ଦୀର୍ଘ ଅଣଚାଳିଶ ଦିନ ଏହି କଳାପତାକା ଅଭିଯାନ ଚାଲିଲା ପରେ ମୁଖ୍ୟମନ୍ତ୍ରୀ ଚେତିଥିଲେ । ଅଧ୍ୟାଦେଶ ବଳରେ ଆଇନ ସଂଶୋଧନ କଲେ । ମାତ୍ର ଅମଲାତନ୍ତ୍ର ଯେଉଁ ଚିଠା କଲା ତହିଁରେ ନିୟମାବଳୀ ପ୍ରଣୟନର କ୍ଷମତା ସରକାରଙ୍କୁ ପ୍ରଦତ୍ତ ହୋଇଥିଲେ ମଧ୍ୟ ଓଡ଼ିଆରେ କାମନକରିବା କର୍ମଚାରୀଙ୍କୁ ଦଣ୍ଡବିଧାନ ବ୍ୟବସ୍ତା ରହିଲାନାହିଁ । ଫଳରେ ଓଡିଶା ସରକାରୀ ଭାଷା ଆଇନକୁ ତ୍ରୁଟିଶୂନ୍ୟ କରିବାକୁ ଆମ ଉଦ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ହେତୁ ଅମଲାତନ୍ତ୍ର ଭଣ୍ଡୁର କରିଦେଲା ।

ଦ୍ବିତୀୟ ତ୍ରୁଟି

ଏହି ତ୍ରୁଟିପୂର୍ଣ୍ଣ ଅଧ୍ୟାଦେଶ ଜାରି ହେଲା ୨୧. ୫. ୨୦୧୬ ତାରିଖରେ । ମୁଖ୍ୟମନ୍ତ୍ରୀ କହିଲେ, “ଓଡିଶା ସରକାରୀ ଭାଷା ଅଧିନିୟମ, ୧୯୫୪ରେ ଆବଶ୍ୟକୀୟ ସଂଶୋଧନ ଅଣାଯାଇ ୧୫. ୮. ୨୦୧୬ ସୁଦ୍ଧା ଆଇନ ପ୍ରଣୟନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ।”

ସୁତରାଂ ବିଧାନସଭାରେ ଅଧ୍ୟାଦେଶଟି ଆଇନରେ ରୂପାନ୍ତରିତ ହେବାବେଳେ ତହିଁର ତ୍ରୁଟି ସୁଧୁରିଯିବ ବୋଲି ବିଶ୍ଵାସ କରି ୧୬. ୮. ୨୦୧୬ ପର୍ଯ୍ୟନ୍ତ କଳାପତାକା ଅଭିଯାନ ସ୍ଥଗିତ ରଖାଯାଇଥିଲା ।

ଆଇନ ସଂଶୋଧନ ହେବା ପରିବର୍ତ୍ତେ, ୧୨. ୮. ୨୦୧୬ ତାରିଖରେ ସରକାର ଏକ ନିୟମାବଳୀ ପ୍ରବର୍ତ୍ତନ କଲେ ଯାହା ଓଡ଼ିଆ ଜାତି ପ୍ରତି ଥିଲା ଏକ ପ୍ରଚଣ୍ଡ ପ୍ରତାରଣା । ଯେଉଁ ଅମଲାମାନେ ଭାଷା ଆଇନ ଓ ତାର ଅଧିସୂଚନାକୁ ସମ୍ପୂର୍ଣ ଉଲ୍ଲଙ୍ଘନ କରିଆସିଛନ୍ତି ସେହିମାନଙ୍କ ହାତରେ ଉଲ୍ଲଙ୍ଘନର ସମୀକ୍ଷା ଅଧିକାର ଅର୍ପଣ କରିବା ଭିନ୍ନ ଏହି ନିୟମାବଳୀରେ ଆଉ କିଛି ନଥିଲା । ଏହାକୁ ପ୍ରତ୍ୟାଖ୍ୟାନ କରି ଭାଷା ଆନ୍ଦୋଳନର ସ୍ଥଗିତ ଥିବା କଳାପତାକା ଅଭିଯାନ ପୁନଃ ଆରମ୍ଭ ହେଲା ପୂର୍ବ ଘୋଷଣା ଅନୁସାରେ ୧୬. ୮. ୨୦୧୬ ଅପରାହ୍ନରେ ।

ତୃତୀୟ ତ୍ରୁଟି

ଅଧ୍ୟାଦେଶଟି ବିଧାନସଭାରେ ବିଧେୟକ ରୂପେ ରଖାଗଲା ୨୮. ୯. ୨୦୧୬ ତାରିଖରେ । ଅଧ୍ୟାଦେଶରେ ଥିବା ତ୍ରୁଟିକୁ ଆଇନସିଦ୍ଧ କରିବା ପାଇଁ ଏହା ଥିଲା ଏକ ଧୂର୍ତ୍ତ ପ୍ରୟାସ । ଅଧ୍ୟାଦେଶ ଜାରି ହୋଇଥାଏ ଏକ ନାହିଁନଥିବା ଜରୁରୀ ପରିସ୍ଥିତିରେ । ତେଣୁ, ତାହାକୁ ଆଇନରେ ପରିଣତ କରିବା ପାଇଁ ଯେତେବେଳେ ବିଧେୟକ ଉପସ୍ଥାପିତ ହୁଏ , ସେତେବେଳେ କେଉଁ ଅପରିହାର୍ଯ୍ୟ ଚାପ ହେତୁ ଅଧ୍ୟାଦେଶଟି ଜାରିହୋଇଥିଲା ତାହା ସରକାର ପ୍ରାଞ୍ଜଳ ଭାବେ ବିଧାନସଭାକୁ କହିବାକୁ ବାଧ୍ୟ । କାରଣ ବିଧାନସଭା ପରିସର ବାହାରେ ବିଧାନ ପ୍ରଣୟନ ଓ ପ୍ରବର୍ତ୍ତନ କରି କାର୍ଯ୍ୟନିର୍ବାହୀ ସରକାର ସ୍ଵାଭାବିକ କାର୍ଯ୍ୟଧାରାର ଯେଉଁ ଉଲ୍ଲଙ୍ଘନ କରିଥାନ୍ତି, ତହିଁର ପ୍ରକୃତ କାରଣ ଓ ତାର ଯଥାର୍ଥତା ବିଧାୟକମାନେ ତଦ୍ଦ୍ଵାରା ଅବଗତ ହୁଅନ୍ତି ଓ ବିଧେୟକଟିର ପ୍ରକୃତ “ଉଦ୍ଦେଶ୍ୟ ଓ କାରଣ କଥନ” ନିର୍ଭୁଲ ହୋଇ ଭବିଷ୍ୟତରେ ତାହାର ବିଧିକ ଉପଯୋଗ ସମ୍ଭବ ହୋଇଥାଏ । ମୁଖ୍ୟମନ୍ତ୍ରୀ ଏହି ବିଧେୟକ ଆଗତ କଲାବେଳେ ତାହା ଲୁଚାଇ ରଖିଲେ ଓ ତହିଁରେ ସନ୍ନିହିତ ସ୍ପଷ୍ଟ-କଥନରେ ମିଛ ବି କହିଲେ । ଆମ ବିଧାନସଭାର ସଭ୍ୟମାନେ ଏତେ ଯୋଗ୍ୟ ଯେ, ଏହି ଦୃଶ୍ୟପଟ ସମସ୍ତେ ଜାଣି ମଧ୍ୟ କେହି କିଛି ପ୍ରତିବାଦ କଲେନି ଆମ ଭାଷା ଇତିହାସର ଏକ ଗୁରୁତ୍ଵପୂର୍ଣ୍ଣ ଘଟଣା ଗୁପ୍ତ ହୋଇଗଲା । ଫଳରେ ସଠିକ “ଉଦ୍ଦେଶ୍ୟ ଓ କାରଣ କଥନ” ନଥାଇ ଓଡିଶା ସରକାରୀ ଭାଷା (ସଂଶୋଧନ) ଆଇନ , ୨୦୧୬ ବିଧାନସଭାରେ ପାରିତ ହେଲା ଓ ସଂଶୋଧନଟି ଅଧିକ ତ୍ରୁଟିପୂର୍ଣ୍ଣ ହୋଇ ରହିଲା ।

ପୁରୀ ପ୍ରସ୍ତାବ ଓ ତାର ଭ୍ରମ ସଂଶୋଧନ

ମୁଖ୍ୟମନ୍ତ୍ରୀଙ୍କ ବାପା ବିଜୁ ପଟ୍ଟନାୟକ ଆମ ସରକାରୀ ଭାଷା ଆଇନକୁ କିପରି ଛୁରା ମାରି ଇଂରାଜୀ ଭାଷାକୁ ଆମ ଉପରେ ଲଦିଦେଲେ ତାହା ଉପରେ ତିନି ସପ୍ତାହ ଧରି ଚର୍ଚ୍ଚା (ବିଜୁଙ୍କ ଛୁରା, ସୁଭାଷ ଚନ୍ଦ୍ର ପଟ୍ଟନାୟକ, ସୂର୍ଯ୍ୟପ୍ରଭା) ପରେ ମୁଖ୍ୟମନ୍ତ୍ରୀ ୧୯. ୫. ୨୦୧୭ ତାରିଖରେ ଭାଷା ଆଇନର କାର୍ଯ୍ୟକାରିତା ପାଇଁ ପ୍ରତ୍ୟକ୍ଷ ଆଲୋଚନା କରିବାକୁ ମୋତେ ନିମନ୍ତ୍ରଣ କଲେ । ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥାଙ୍କୁ ସାଙ୍ଗରେ ଧରି ମୁଁ ତାଙ୍କ ସହ ତାଙ୍କ ସଚିବାଳୟ ପ୍ରକୋଷ୍ଠରେ ଆଲୋଚନା କଲି ଓ ଉପରୋକ୍ତ ତ୍ରୁଟି ସମ୍ପର୍କରେ ତାଙ୍କୁ ଅବଗତ କରାଇ, ୨୦୧୬ ସଂଶୋଧନକୁ ସେ ପୁନଃ ସଂଶୋଧିତ କରନ୍ତୁ ବୋଲି କହି, ସେହି ସଂଶୋଧନର ସ୍ଵରୂପ କ’ଣ ହେବା ଉଚିତ ତାହା ବୁଝାଇ ଏକ ସାନି ଚିଠା ମଧ୍ୟ ତାଙ୍କ ହାତରେ ଦେଲି ।

ଛଅ ମାସ ଗଡ଼ିଗଲା । ମୁଖ୍ୟମନ୍ତ୍ରୀଙ୍କ ଏହି ଓଡ଼ିଅଵିରୋଧୀ ମାନସିକତା ବିରୁଦ୍ଧରେ ତାଙ୍କ ନିଜ ଦଳରେ ବି ଅସନ୍ତୋଷ ଦାନା ବାନ୍ଧିଲା । ଫଳରେ, ନିଜ ଦଳୀୟ ଲୋକଙ୍କୁ ବୁଝାଇବା ପାଇଁ ଯେ, ନବୀନ ବାବୁ ଓଡ଼ିଅଵିରୋଧୀ ନୁହନ୍ତି , ୨୬.୧୨. ୨୦୧୭ ତାରିଖରେ ପୁରୀଠାରେ ହେବାକୁଥିବା ତାଙ୍କ ଦଳର ପ୍ରତିଷ୍ଠା ଉତ୍ସବ ଅବସରରେ ସେହିଠାରେ ରାଜ୍ୟ ମନ୍ତ୍ରୀ ପରିଷଦର ବୈଠକ ବସାଇ ଭାଷା ଆଇନ ଉଲ୍ଲଙ୍ଘନ ବିରୁଦ୍ଧରେ ଦଣ୍ଡବିଧାନ ପାଇଁ ସେ ପ୍ରସ୍ତୁତ ବୋଲି ପ୍ରଚାର କରାଇବାକୁ ନିଷ୍ପତ୍ତି ହେଲା । ତେଣୁ , ସେଠାରେ ଗୃହୀତ ଏକ ପ୍ରସ୍ତାବରେ କୁହାଗଲା , “ସରକାରୀ ଭାଷା ଆଇନ, ୧୯୫୪ରେ ସଂଶୋଧନ ଅଣାଯାଇ ବିହିତ ଦଣ୍ଡବିଧାନ ବ୍ୟବସ୍ଥା ସହିତ ଓଡ଼ିଆ ଭାଷା ବହୁଳ ବ୍ୟବହାର କରୁଥିବା ବିଭାଗ ତଥା କର୍ମଚାରୀଙ୍କୁ ପ୍ରୋତ୍ସାହିତ କରାଯିବ । ଏଥିପାଇଁ ବିଭାଗଗୁଡ଼ିକ ନିର୍ଦ୍ଦିଷ୍ଟ ମାନଦଣ୍ଡ ଏବଂ କ୍ଷେତ୍ର ନିର୍ଦ୍ଧାରଣ କରିବେ । ଜିଲ୍ଲା, ରାଜସ୍ଵ ଡିଭିଜନ ଏବଂ ରାଜ୍ୟସ୍ତରରେ ଏଥିନିମନ୍ତେ ପ୍ରଶାସନିକ ବ୍ୟବସ୍ଥା ୧.୪.୨୦୧୮ ଠାରୁ କାର୍ଯ୍ୟକାରୀ କରାଯିବ ।”

କାହା ଉର୍ବର ମସ୍ତିଷ୍କରୁ ଏହି ପ୍ରସ୍ତାବର ଭାଷା ବାହାରିଥିଲା କିଏ ଜାଣେ ? ଏହା ଯେ ଆମ ଭାଷା ଅଧିକାରକୁ ଭଣ୍ଡୁର କରିବାକୁ ଉଦ୍ଦିଷ୍ଟ ଥିଲା ତାହା ଆମେ ଜାଣିଗଲୁ ଏବଂ ଏହାକୁ ବିରୋଧ କଲୁ । କାରଣ, (କ) “ବିଭାଗଗୁଡ଼ିକ ନିର୍ଦ୍ଦିଷ୍ଟ ମାନଦଣ୍ଡ ଏବଂ କ୍ଷେତ୍ର ନିର୍ଦ୍ଧାରଣ କରିବେ” ବୋଲି କହି ଏହି ପ୍ରସ୍ତାବ ଦ୍ଵାରା ବିଭାଗଗୁଡିକର ମର୍ଜୀ ଉପରେ ଆମ ଭାଷା ଅଧିକାରକୁ ଛାଡିଦିଆହୋଇଥିଲା ଓ ସାରା ରାଜ୍ୟରେ ଏହାର ପ୍ରବର୍ତ୍ତନକୁ ସଂକୁଚିତ କରି “ବହୁଳ ବ୍ୟବହାର” ପରି ଏକ କିମ୍ଭୁତକିମାକାର ବିଭାବନା କବଳରେ ମାତୃଭାଷା ଓଡ଼ିଆର ଗରିମାକୁ ଉଜାଡ଼ିଦେବାକୁ ତଥା ତଦ୍ଦ୍ଵାରା ଭାଷା ଆଇନର ଅସଲ ଉଦ୍ଦେଶ୍ୟକୁ ପଣ୍ଡ କରିବାକୁ ଷଡ଼ଯନ୍ତ୍ର ହୋଇଥିଲା । ଅପରପକ୍ଷେ କର୍ମଚାରୀଙ୍କ ଦୋଷ ହେତୁ ବିଭାଗକୁ ଦଣ୍ଡବିଧାନପାଇଁ ପ୍ରସ୍ତାବ ରଖି ମନ୍ତ୍ରୀମଣ୍ଡଳ ଚାହୁଁଥିଲା ଓଡ଼ିଶାର ଜନସାଧାରଣଙ୍କୁ ଦଣ୍ଡିତ କରିବାପାଇଁ ।

ଏହାର ପ୍ରତିବାଦରେ ତଥା ପ୍ରତିକାର ଦାବିରେ କଳାପତାକା ଅଭିଯାନ ଚାଲିରହିଲା । ଫଳରେ ବାଧ୍ୟ ହୋଇ ରାଜ୍ୟ ମନ୍ତ୍ରୀମଣ୍ଡଳ ସେହି ଏକା ବିଷୟରେ ବୈଠକ କଲା ୧୪.୦୩.୨୦୧୮ ତାରିଖରେ, ଯହିଁରେ ମୁଖ୍ୟମନ୍ତ୍ରୀ ବି ଅଧ୍ୟକ୍ଷତା କଲେ । ୨୬. ୧୨. ୨୦୧୭ ତାରିଖର ପ୍ରସ୍ତାବକୁ ଏହା ବଦଳେଇଦେଇ, ତହିଁରେ କର୍ମଚାରୀଙ୍କ ଭୁଲ ପାଇଁ ବିଭାଗକୁ ଦଣ୍ଡିତ କରିବା ସକାଶେ ଯେଉଁ ଅନର୍ଥ ଖଞ୍ଜା ହୋଇଥିଲା ତାହାକୁ ନିପାତ କଲା ଓ ପରିସ୍କାର କରିଦେଲା କି, ଯେଉଁମାନେ ଓଡ଼ିଆ ଭାଷାରେ କାମ ନ କରିବେ, ସେହି କର୍ମଚାରୀ ଓ ପଦାଧିକାରୀମାନଙ୍କ ବିରୁଦ୍ଧରେ ଦଣ୍ଡବିଧାନ ହେବ । ଏବଂ ଆମ ଯୁକ୍ତିକୁ ବି ଏହି ପ୍ରସ୍ତାବରେ ସ୍ଥାନିତ କରି ଏହା ଉଲ୍ଲେଖ କଲା କି, “ଓଡିଶା ସରକାରୀ ଭାଷା ଆଇନ ଏକ ଦୀର୍ଘ ଦିନର ପୁରୁଣା ଆଇନ ହୋଇଥିଲେ ମଧ୍ୟ, ଯେହେତୁ ଏହାର ଉଲ୍ଲଙ୍ଘନ ବିରୁଦ୍ଧରେ ଏଥିରେ କୌଣସି ଦଣ୍ଡବିଧାନର ବ୍ୟବସ୍ଥା ନାହିଁ ସେହେତୁ ଏହାକୁ କେହି ମାନୁନାହାନ୍ତି” ବୋଲି ହୃଦ୍ବୋଧ ହୋଇଥିବାରୁ, ଖିଲାପକାରୀ ପଦାଧିକାରୀ ଏବଂ କର୍ମଚାରୀଙ୍କ ବିରୁଦ୍ଧରେ ଦଣ୍ଡବିଧାନ ସକାଶେ ଅତିଶୀଘ୍ର ଓଡିଶା ସରକାରୀ ଭାଷା ଆଇନ ସଂଶୋଧନ ହେବ ।” ଅତଏବ ସଂଶୋଧନର “ଉଦ୍ଦେଶ୍ୟ ଓ କାରଣ କଥନ” କଣ ହେବ ତାହା ବି ଏହି ମନ୍ତ୍ରୀମଣ୍ଡଳ ବୈଠକରେ ନିଶ୍ଚିତ କରିଦିଆଗଲା ।

ଚତୁର୍ଥ ତ୍ରୁଟି

ଅଥଚ , ସଂଶୋଧନ-ବିଧେୟକର ଚିଠା କଲାବେଳେ, ସମ୍ପୃକ୍ତ ଶାସନ ସଚିବ ଏକାକୀ ବା ମୁଖ୍ୟମନ୍ତ୍ରୀଙ୍କ ସହ ମିଶି ଏହି ୧୪.୦୩.୨୦୧୮ ତାରିଖର ପ୍ରସ୍ତାବକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଏବଂ ଏହି ଦିନର ମନ୍ତ୍ରୀମଣ୍ଡଳ ୨୬. ୧୨ . ୨୦୧୭ ତାରିଖର ଯେଉଁ ପ୍ରସ୍ତାବକୁ ବିଲୁପ୍ତ କରି ଥିଲା, ସେହି ଅପରିଣାମଦର୍ଶୀ ପ୍ରସ୍ତାବ ଉପରେ ନୂଆ ସଂଶୋଧନ ଠିଆ କରାଇଛନ୍ତି ମନ୍ତ୍ରିମଣ୍ଡଳର ସମ୍ପୂର୍ଣ ଅବଜ୍ଞା କରି । ଏହି ଦୁରାଚାର ଏତିକିରେ ଅଟକି ନାହିଁ । ଓଡ଼ିଆ ବିରୋଧୀ ଅମଲା ଓ ମୁଖ୍ୟମନ୍ତ୍ରୀଙ୍କୁ ରକ୍ଷାକବଚ ଯୋଗାଇବା ପାଇଁ ଏହି ଦୁଇ ମନ୍ତ୍ରିମଣ୍ଡଳର ପ୍ରସ୍ତାବକୁ ବି ହେରଫେର୍ (Tampering) କରାଯାଇଛି ।

ଉଦାହରଣ ସ୍ଵରୂପ, ୨୬. ୧୨ . ୨୦୧୭ ତାରିଖର ଯେଉଁ ପ୍ରସ୍ତାବକୁ ବିଲୋପ କରାଯାଇଥିଲା, ତହିଁରେ ଥିଲା “ବିଭାଗ ତଥା କର୍ମଚାରୀଙ୍କୁ” ଦଣ୍ଡିତ କରାଯିବ । ଅର୍ଥାତ୍ ବିଭାଗ ଏବଂ କର୍ମଚାରୀ- ଉଭୟେ ଦଣ୍ଡିତ ହେବେ । ସଂଶୋଧନ ବିଧେୟକଙ୍କୁ ଏହି ପ୍ରସ୍ତାବ ଉପରେ ଅନଧିକୃତ ଭାବେ ଠିଆ କରାଇ କୁହାଗଲା, “କର୍ମଚାରୀ କିମ୍ବା ବିଭାଗ”କୁ ଦଣ୍ଡିତ କରାଯିବ । ଏହି “କିମ୍ବା” ଶବ୍ଦଟିକୁ ଶାସନ ସଚିବ / ମୁଖ୍ୟମନ୍ତ୍ରୀ କେଉଁଠୁ ଆଣିଲେ? ମନ୍ତ୍ରୀମଣ୍ଡଳ ବୈଠକରେ ବିଲୁପ୍ତ କରାଯାଇଥିବା ଏକ ବିଭାବନକୁ ମନ୍ତ୍ରିମଣ୍ଡଳର କୌଣସି ଅନୁମୋଦନ ନଥାଇ ପୁନର୍ଜୀବିତ କରିବା ଓ ତହିଁର ଶବ୍ଦ ହେରଫେର୍ କରି “ଏବଂ” ସ୍ଥାନରେ “କିମ୍ବା” ଲେଖିବା ଏକ ଜଘନ୍ୟ ପ୍ରଶାସନିକ ଅପରାଧ । ମୁଖ୍ୟମନ୍ତ୍ରୀ ଯଦି ନିଜେ ଏହି ଅପରାଧ କରିନାହାନ୍ତି ତେବେ ଯେଉଁ ଶାସନ ସଚିବ ଏହା କରିଛନ୍ତି ତାଙ୍କ ବିରୁଦ୍ଧରେ କଡ଼ା ଓ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ପାଇଁ ଭାଷା ଆନ୍ଦୋଳନ ପକ୍ଷରୁ ମୋ ଚିଠିରେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ କହିଛି । ସେ ନିରବ ରହିଛନ୍ତି ।

ଅପରପକ୍ଷେ , ଯେପରି ଉପରେ କୁହାହୋଇଛି, ମନ୍ତ୍ରିମଣ୍ଡଳର ଯେଉଁ ପ୍ରସ୍ତାବ ଭାଷା ଆଇନର ଏହି ଶେଷ ସଂଶୋଧନରେ ପ୍ରତିଫଳିତ ହେବା କଥା ବା ଯେଉଁ ପ୍ରସ୍ତାବ ଉପରେ ଏହି ସଂଶୋଧନ ଆଧାରିତ ହେବା କଥା, ମନ୍ତ୍ରିମଣ୍ଡଳର ଅଜାଣତରେ ସେହି ପ୍ରସ୍ତାବକୁ ହତ୍ୟା କରାଯାଇଛି । ୧୪.୦୩.୨୦୧୮ ତାରିଖର ଏହି ପ୍ରସ୍ତାବରେ ସ୍ପଷ୍ଟତଃ କୁହାହୋଇଥିଲା, “The same (Orissa Official Language Act, 1954) is not properly implemented, as there is no provision for imposing penalty against the Officers and employees who are violating the provisions of the notifications under the Act.” ଅତଏବ, ଏହି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଆମ ଯୁକ୍ତିକୁ ସମ୍ପୂର୍ଣ୍ଣତଃ ଗ୍ରହଣ କରି ମନ୍ତ୍ରୀମଣ୍ଡଳ ସ୍ବୀକାର କରିଥିଲା ଯେ, ଦଣ୍ଡବିଧାନ ବ୍ୟବସ୍ଥା ନଥିବା ହେତୁ ଭାଷା ଆଇନର ଅବାଧ ଅବମାନନା ହୋଇଚାଲିଛି । ସେଥିପାଇଁ, “Government have decided to bring the amendment immediately providing penalties for such erring officers and employees who don’t obey the directions issued under sub- section (2) of section 2 , so that they will implement the provisions of the notification in its letter and spirit” ଖୋଦିତ ହୋଇଥିଲା ଏହି ପ୍ରସ୍ତାବ ଦେହରେ । ଏହାର ଅର୍ଥ, “ଓଡ଼ିଆ ଭାଷାରେ କାମ ନ କଲେ ପଦାଧିକାରୀ ଓ କର୍ମଚାରୀଙ୍କୁ ଏପରି ଦଣ୍ଡବିଧାନ ପାଇଁ ଆଇନ ସଂଶୋଧନ ଅବିଳମ୍ବେ କରାଯିବ ବୋଲି ସରକାର ନିଷ୍ପତ୍ତି କରିଛନ୍ତି, ଯଦ୍ଦ୍ଵାରା ସେମାନେ ଧାରା-୨ର ଉପଧାରା-(୨) ଅନ୍ତର୍ଗତ ଅଧିସୂଚନାକୁ ଅକ୍ଷରେ ଅକ୍ଷରେ ଓ ମର୍ମେ ମର୍ମେ କାର୍ଯ୍ୟକାରୀ କରିବାକୁ ବାଧ୍ୟ ହେବେ । “ଉଦ୍ଦେଶ୍ୟ ଓ କାରଣ କଥନ”ର ସ୍ବରୂପ ନିର୍ଦ୍ଧାରଣ ସହ ସଂଶୋଧନ କଣ ହେବ ତାହା ଏହି ମନ୍ତ୍ରୀମଣ୍ଡଳ ସ୍ପଷ୍ଟ କରିଦେଇଥିଲା । ଓଡ଼ିଆଦ୍ରୋହୀ ପଦାଧିକାରୀ ଓ କର୍ମଚାରୀଙ୍କୁ ଦଣ୍ଡବିଧାନପାଇଁ ଯେହେତୁ ଏଥିରେ ସ୍ପଷ୍ଟ କରାହୋଇଥିଲା, ଓ ଯେହେତୁ ଓଡ଼ିଆଦ୍ରୋହୀ ନବୀନ ପଟ୍ଟନାୟକ ମଧ୍ୟ ଜଣେ ପଦାଧିକାରୀ , ସେହେତୁ ଓଡ଼ିଆଦ୍ରୋହୀ ଅମଲା ତଥା ମୁଖ୍ୟମନ୍ତ୍ରୀ ମିଳିମିଶି ଏହି ପ୍ରସ୍ତାବକୁ ହତ୍ୟା କରିଦେଲେ ଓ “ଅବିଳମ୍ବେ” ଅର୍ଥାତ୍ ବିଧାନସଭା ଅଧିବେଶନ ଆରମ୍ଭ ହେବା ସଂଗେ ସଂଗେ ଚିହ୍ନିତ ସରକାରୀ ଦିବସରେ ସଂଶୋଧନ ବିଧେୟକଙ୍କୁ ଆଗତ କରିଥିଲେ କାଳେ ଏହି ଜଘନ୍ୟ ଅପରାଧ ଧରା ପଡିଯିବ, ସେହି ଭୟରେ ଏହାକୁ ଅଧିବେଶନର ଶେଷ ଦିନରେ ଆଗତ ଓ ପାରିତ କରାଇ ନେଲେ ଏବଂ ଯେଉଁ “ଉଦ୍ଦେଶ୍ୟ ଓ କାରଣ କଥନ” ରଖିଲେ ତାହା ବି ୧୪.୦୩.୨୦୧୮ ତାରିଖ ମନ୍ତ୍ରୀମଣ୍ଡଳର ଅବମାନନା କଲା ।

ଆରୁଖ ମୁଣ୍ଡରେ ପଣସ ଅଠା

ପଳାତକ ଆସାମୀ ପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହି ଜାଲିଆତି କଳୁଷିତ ବିଧେୟକ ପାରିତୀକରଣ ପାଇଁ ଆଗତ ନ କରି , ତାଙ୍କ ନିଜ ଜିଲ୍ଲାବାସୀ ଓ ଅନୁଗତ ମନ୍ତ୍ରୀ ବିକ୍ରମ ଆରୁଖଙ୍କୁ ଦାୟିତ୍ବ ଦେଇ ପଳାଇଲେ ଓ ଏହି ଜାଲିଆତି ସହ ସମ୍ପୃକ୍ତ ଶାସନ ସଚିବ ଆଗରୁ ଲେଖିରଖିଥିବା ଖଣ୍ଡେ କାଗଜ ପଢ଼ି ଆରୁଖ ବିତର୍କର ଉତ୍ତର ରଖିଲେ । କେହି ଜଣେ ବି ବିଧାୟକ ପ୍ରଶ୍ନ କଲେନାହିଁ , ମୌଖିକ ବିତର୍କର ଲିଖିତ ଉତ୍ତର ବିତର୍କ ପୂର୍ବରୁ ମନ୍ତ୍ରୀ କେଉଁଠୁ ଆଣିଥିଲେ । ଲଜ୍ଜ୍ୟା ଲାଗୁଛି କହିବାକୁ ଯେ, ଏହି ପରି ସଭ୍ୟମାନଙ୍କୁ ନେଇ ଓଡିଶା ବିଧାନସଭା ଚାଲିଛି ।

ବିଧାନସଭାର ସ୍ବାଧୀକାର ଭଙ୍ଗ

ଏହି ଜାଲିଆତିର ଅଠା , ଯାହା ଅରୁଖଙ୍କ ମୁଣ୍ଡରେ ମୁଖ୍ୟମନ୍ତ୍ରୀ ବୋଳିଛନ୍ତି, ତାହା ସେ କିପରି ଧୋଇବେ ତାଙ୍କୁ ଜଣା । କିନ୍ତୁ ୧୪.୦୩.୨୦୧୮ ତାରିଖ ମନ୍ତ୍ରୀମଣ୍ଡଳର ନିଷ୍ପତ୍ତିକୁ ସମ୍ପୂର୍ଣ ଗୋପନ ରଖି ୨୬. ୧୨ . ୨୦୧୭ ତାରିଖର ମନ୍ତ୍ରୀମଣ୍ଡଳ ନିଷ୍ପତ୍ତି ଉପରେ ସଂଶୋଧନ ବିଧେୟକ ଆଧାରିତ ବୋଲି ସମ୍ପୃକ୍ତ ବିଧେୟକର ‘ଉଦ୍ଦେଶ୍ୟ ଓ କାରଣ କଥନ’ରେ ଯେଉଁ ଉଲ୍ଳେଖନା ଅଛି ତାହା ପବିତ୍ର ସାର୍ବଭୌମ ଗୃହର ଅବଗତିରୁ ‘ବାସ୍ତବ ତଥ୍ୟ ସଂଗୋପନ’ (suppression of material facts) ଦୋଷରେ ଆକ୍ରାନ୍ତ ।

ଏପରି ଦୋଷ ଜାଣିଶୁଣି କରିଥିବା ହେତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହର ସ୍ବାଧୀକାର ଭଙ୍ଗ କରିଛନ୍ତି କିମ୍ବା ସେ ଯାହା ମୁଣ୍ଡରେ ପଣସ ଅଠା ବୋଲିଛନ୍ତି, ସେ ନିଜେ ସାଂସଦୀୟ ବ୍ୟାପାର ମନ୍ତ୍ରୀ ହୋଇଥିଲେ ମଧ୍ୟ ଏବଂ ୧୪.୦୩.୨୦୧୮ ତାରିଖ ମନ୍ତ୍ରୀମଣ୍ଡଳର ନିଷ୍ପତ୍ତି ୨୬. ୧୨ . ୨୦୧୭ ତାରିଖର ମନ୍ତ୍ରୀମଣ୍ଡଳ ନିଷ୍ପତ୍ତିକୁ ପରିବର୍ତ୍ତିତ କରିଥିବା ଅବଗତ ଥିଲେ ମଧ୍ୟ, ଉପରୋକ୍ତ ‘ବାସ୍ତବ ତଥ୍ୟ ସଂଗୋପନ’ ପ୍ରତି ଆଖି ବୁଜି ଦେଇ , ସେ ସମ୍ପର୍କରେ ବିଧାନସଭାକୁ ଅନ୍ଧକାରରେ ରଖି, ଶାସନ ସଚିବଙ୍କ ଦ୍ଵାରା ପୂର୍ବରୁ ଲିଖିତ ବିତର୍କ-ଉତ୍ତର ପାଠ କରି ଓ ତଦ୍ଦ୍ଵାରା ବିଧାନସଭାକୁ ପ୍ରତାରିତ କରି, ବିଧାନସଭାର ସ୍ବାଧୀକାର ଭଙ୍ଗ କରିଛନ୍ତି ତାହା ବିଧାନସଭାର ଆଗାମୀ ଅଧିବେଶନ ସ୍ଥିର କରିବା ଆବଶ୍ୟକ ।

ବିଧାନସଭାର ଅପରିହାର୍ଯ୍ୟ ଦାୟିତ୍ବ

ଯଦି ଓଡିଶା ବିଧାନସଭା ଏହି ଅପରିହାର୍ଯ୍ୟ ଦାୟିତ୍ବ ନତୁଲାଏ , ତେବେ ଜୀଇଁ ଥାଉଁ ଥାଉଁ ଏହା ଏକ ମଲା ବିଧାନସଭା ବୋଲି ମନେହେବ । ଯଦି ଏ ବିଧାନସଭାଟି ପ୍ରକୃତରେ ମରିନଥାଏ, ତେବେ ଏହାକୁ ଆଉ ଏକ ଅଧିକ ଦାୟିତ୍ବ ନିର୍ବାହ କରିବାକୁ ହେବ । ତାହା ହେଲା, ଏହି ବିବାଦୀୟ ସଂଶୋଧନ ମାଧ୍ୟମରେ ଓଡିଶା ସରକାରୀ ଭାଷା ଆଇନଟିକୁ ମାରିଦେବାପାଇଁ ଯେଉଁ ବ୍ୟବସ୍ଥା ଖଞ୍ଜା ହୋଇଛି ବିଧେୟକଟିରେ ତାହାର ମୁଳୋତ୍ପାଟନ । ଆଇନଟି ସାରା ଓଡ଼ିଶା ପାଇଁ ପ୍ରବର୍ତ୍ତିତ ଏବଂ ଓଡ଼ିଶାର ସମସ୍ତ ଓ ପ୍ରତ୍ୟେକ ଦପ୍ତରରେ ସରକାରୀ ଭାଷା ହିଁ ଓଡ଼ିଆ ଭାଷା ବୋଲି ଯେଉଁ ଅନୁବନ୍ଧ ଅଛି ତାହାକୁ “ବ୍ୟାପକ ବ୍ୟବହାର” (extensive use) ପରି ଧୂର୍ତ୍ତ ଶବ୍ଦ ଦ୍ଵାରା ସଂକୁଚିତ କରିଛି ଏହି ଅଯୌକ୍ତିକ ତଥା ଜାଲିଆତୀପ୍ରସୁତ ସଂଶୋଧନ । ଭାଷା ଆନ୍ଦୋଳନ ପକ୍ଷରୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଏହା ଅବଗତ କରାଯାଇ ଏହି ପ୍ରମାଦପୂର୍ଣ ସଂଶୋଧନକୁ ପୁନଃ ସଂଶୋଧନ ଦ୍ଵାରା ଭାଷା ଆଇନଟିକୁ ନିର୍ଭୁଲ କରାଇବା ପାଇଁ ଅନୁରୋଧ କରାଯାଇଛି ।

ଆମ ବିଧାନ ପ୍ରଣୟନ ସଭା ଏହି ପ୍ରେକ୍ଷାପଟରେ ତାର ଦାୟିତ୍ବ ନିଵାହ କରିବା ଆବଶ୍ୟକ ।

ଓଡ଼ିଆ ଜାତି ବିରୁଦ୍ଧରେ ଉଭୟ ସରକାର ଓ ବିଧାନସଭାର ପ୍ରବଞ୍ଚନା ପ୍ରତି ଜନସଚେତନତା ହିଁ ପୁନଶ୍ଚ କଳାପତାକା ଅଭିଯାନର ମୂଳ ଲକ୍ଷ୍ୟ । ଏହି ଉଭୟ ସାମ୍ବିଧାନିକ ସଂସ୍ଥା ଯେତେଶୀଘ୍ର ସୁଧୁରିଯିବେ, ସେତେ ମଙ୍ଗଳ ।

ସଂଶୋଧନର ପୁନଃ ସଂଶୋଧନ ପାଇଁ ଭାଷା ଆନ୍ଦୋଳନ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ଓଡ଼ିଆରେ ସେବା ପ୍ରଦାନ ନକରିବା ଦଣ୍ଡନୀୟ ହେବା ଦାବିରେ ଦୁଇ ବର୍ଷରୁ ଅଧିକ କାଳ ଧରି କଳାପତାକା ଅଭିଯାନ ଚଳାଇଥିବା ଭାଷା ଆନ୍ଦୋଳନ ମଇ ୨୪ରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ଦେଇ ଦାବି କରିଛି କି, ଦଣ୍ଡବିଧାନ ପାଇଁ ଗୃହୀତ ହୋଇଥିବା ସଂଶୋଧନ ବିଧେୟକ ଓଡିଶା ସରକାରୀ ଭାଷା ଆଇନର ଉଦ୍ଦେଶ୍ୟ ପଣ୍ଡ କରିବାକୁ ଉଦ୍ଦିଷ୍ଟ ହୋଇଥିବା ହେତୁ ସେ ତାହାକୁ ସ୍ବୀକୃତି ନ ଦେଇ ପୁନଃ ସଂଶୋଧନ ପାଇଁ ବିଧାନସଭାକୁ ଫେରାଇ ଦିଅନ୍ତୁ ।

ଆନ୍ଦୋଳନର ଅଧ୍ୟକ୍ଷ ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକ ରାଜ୍ୟପାଳଙ୍କୁ ଜଣାଇଛନ୍ତି କି, ଓଡିଶା ପ୍ରଦେଶରେ ସମସ୍ତ ଓ ପ୍ରତ୍ୟେକ ସରକାରୀ କାମର ଭାଷା ଓଡ଼ିଆ ହିଁ ହେବ ବୋଲି ମୂଳ ଆଇନରେ ଧାର୍ଯ୍ୟ କରାଯାଇଛି । ଏହାର ଉଲ୍ଲଙ୍ଘନ ବିରୁଦ୍ଧରେ ଦଣ୍ଡବିଧାନ ପାଇଁ ଭାଷା ଆନ୍ଦୋଳନର ଦାବି ସପକ୍ଷରେ ସାରା ଓଡିଶାରେ ସମର୍ଥନ ପ୍ରକାଶ ପାଇଛି ଓ ଗତ ମାର୍ଚ୍ଚ ୧୪ ତାରିଖରେ ମନ୍ତ୍ରୀମଣ୍ଡଳ ବୈଠକରେ ମଧ୍ୟ ଅନୁରୂପ ପ୍ରସ୍ତାବ ଗୃହୀତ ହୋଇଛି । ଅଥଚ ବିଧାନସଭାରେ ଗୃହୀତ ପ୍ରସ୍ତାବରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର କଥା କୁହା ହୋଇ ମୂଳ ଆଇନର “ସମସ୍ତ ଓ ପ୍ରତ୍ୟେକ” ସରକାରୀ କାମରେ ଓଡ଼ିଆ ଭାଷାର ବ୍ୟବହାର ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରାଯାଇଛି । ସୁତରାଂ ଏହି ସଂଶୋଧନ ଏକ ବେଆଇନ ସଂଶୋଧନ ବୋଲି ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି।

ଅପରପକ୍ଷେ ଓଡ଼ିଆରେ କାମ ନ କରିବା କର୍ମଚାରୀ କିମ୍ବା ବିଭାଗକୁ ଦଣ୍ଡିତ କରାଯିବ ବୋଲି ବିଧେୟକଟିରେ ଅଛି । କୌଣସି ସରକାରୀ ବିଭାଗକୁ ଦଣ୍ଡିତ କରିବା ଅର୍ଥ, ଓଡ଼ିଶାର ଜନସାଧାରଣଙ୍କୁ ଦଣ୍ଡିତ କରିବା; କାରଣ, ସରକାରୀ ବିଭାଗଗୁଡ଼ିକ ଜନସାଧାରଣଙ୍କ ଅର୍ଥବଳରେ ଚାଲେ । କର୍ମଚାରୀଙ୍କ ଦୋଷ ହେତୁ ଜନସାଧାରଣଙ୍କୁ ଦଣ୍ଡିତ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ସେ ଦର୍ଶାଇଛନ୍ତି କି, ୨୬.୧୨.୨୦୧୭ ତାରିଖରେ ମନ୍ତ୍ରିମଣ୍ଡଳର ବୈଠକରେ ଭାଷା ଆଇନ ଉଲ୍ଲଙ୍ଘନକାରୀ କର୍ମଚାରୀ ଓ ବିଭାଗକୁ ବିହିତ ଦଣ୍ଡବିଧାନ ପାଇଁ ପ୍ରସ୍ତାବ ହୋଇଥିଲା । ଭାଷା ଆନ୍ଦୋଳନ ସେହି ପ୍ରସ୍ତାବର ତ୍ରୁଟି ଦର୍ଶାଇବା ପରେ ୧୪.୦୩.୨୦୧୮ ତାରିଖରେ ମନ୍ତ୍ରୀମଣ୍ଡଳ ଦାୟୀତ୍ଵନିର୍ଦ୍ଧାରଣ ସମ୍ପର୍କୀୟ ତ୍ରୁଟି ସଂଶୋଧନ କରି ସ୍ପଷ୍ଟ କରିଥିଲେ କି, ଓଡ଼ିଆରେ କାମ ନକଲେ କେବଳ କର୍ମଚାରୀଙ୍କୁ ହିଁ ଦଣ୍ଡବିଧାନ ହେବ । ଅତ୍ୟନ୍ତ ଅନଧିକୃତ ଭାବେ ଏହି ୧୪.୦୩.୨୦୧୮ ତାରିଖର ପ୍ରସ୍ତାବକୁ କବର ଦିଆଯାଇ ୨୬.୧୨.୨୦୧୭ ତାରିଖର ଅକାମି କରାହୋଇଥିବା ପ୍ରସ୍ତାବ ଉପରେ ବିଧେୟକଟିକୁ ଆଧାରିତ କରାଯାଇଛି । ରାଜ୍ୟପାଳ ଯଦି ଏହି ବିଧେୟକଙ୍କୁ ସ୍ବୀକୃତି ଦିଅନ୍ତି ତେବେ ଏହି ଅନଧିକୃତ ଆଚରଣକୁ ବୈଧ କରିବା ସହ ତାହା ସମାନ ହୋଇଯିବ ।

ଏତଦ୍ଦୃଷ୍ଟିରୁ ଏହି ତ୍ରୁଟିପୂର୍ଣ୍ଣ ବିଧେୟକଙ୍କୁ ସ୍ବୀକୃତି ନ ଦେଇ ପୁନଃ ସଂଶୋଧନ ପାଇଁ ବିଧାନସଭାକୁ ଫେରସ୍ତ କରିଦେବାକୁ ଭାଷା ଆନ୍ଦୋଳନ ରାଜ୍ୟପାଳଙ୍କୁ ଅନୁରୋଧ କରିଛି ।

ଭାଷା ଆଇନ ସଂଶୋଧନ : ଭାଷା ଅଧିକାରର ସଂକୋଚନ ଓ ଉଲ୍ଲଙ୍ଘନକାରୀ ବଦଳରେ ଓଡ଼ିଆଲୋକଙ୍କୁ ଦଣ୍ଡବିଧାନ !

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡିଶା ସରକାରୀ ଭାଷା ଆଇନ ଉଲ୍ଲଙ୍ଘନକାରୀକୁ ଦଣ୍ଡବିଧାନ ପାଇଁ ଆଇନଟିର ସଂଶୋଧନ ଦାବିରେ ଭାଷା ଆନ୍ଦୋଳନର କଳାପତାକା ଅଭିଯାନ ତୃତୀୟ ବର୍ଷରେ ପହଞ୍ଚିଥିବା ବେଳେ, ବାରମ୍ବାର ଟାଳଟୁଳ କରିକରି ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସଂଶୋଧନ ବିଧେୟକ ବିଧାନସଭାରେ ଉପସ୍ଥାପିତ କରିଛନ୍ତି ତାହା ଯଦି ଗୃହୀତ ହୁଏ , ତେବେ ଆଇନ ଉଲ୍ଲଙ୍ଘନକାରୀ ବଦଳରେ ଓଡ଼ିଶାର ଜନସାଧାରଣ ହିଁ ଦଣ୍ଡିତ ହେବେ । ବିଧାନସଭାର ସଭ୍ୟମାନେ ଏହି ପ୍ରପଞ୍ଚବୁଦ୍ଧିପ୍ରସୂତ ବିଧେୟକଟିକୁ ପ୍ରତ୍ୟାଖ୍ୟାନ କରନ୍ତୁ ବା ଆବଶ୍ୟକୀୟ ସଂଶୋଧନ ସହ ପାରିତ କରନ୍ତୁ । ଏହା ନ ହେଲେ ଭାଷା ଆନ୍ଦୋଳନ ଏହି ଖଳ ସଂଶୋଧନକୁ ପ୍ରତ୍ୟାଖ୍ୟାନ କରିବାକୁ ଶ୍ରେୟ ମଣିବ ।

ସଂଶୋଧନ ବିଧେୟକଟି ମୂଳ ଅଧିନିୟମରେ ‘୪କ’ ନାମକ ଏକ ନୂଆ ଧାରା ଯୋଡ଼ିବ, ଯହିଁରେ ଲେଖାଥିବ:

“ସରକାର, ସରକାରୀ ଭାଷାର ବ୍ୟାପକ ବ୍ୟବହାର ନିମନ୍ତେ ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ତଥା ସେଥିରେ ଖିଲାପ କରୁଥିବା ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ଦଣ୍ଡବିଧାନ କରିବା ସକାଶେ ନିୟମାବଳୀରେ ଉପଯୁକ୍ତ ବ୍ୟବସ୍ଥାମାନ ବିହିତ କରିପାରିବେ ।”

ଏହି ପ୍ରସ୍ତାବିତ ଧାରା ଓଡ଼ିଆ ଭାଷାର ଭୟଙ୍କର କ୍ଷତି ଘଟାଇବ; କାରଣ ମୂଳ ଆଇନଟିରେ ଓଡ଼ିଆ ଜାତିକୁ ଦିଆଯାଇଥିବା ଭାଷା ଅଧିକାରକୁ ଏହା ଅକଳ୍ପନୀୟ ଭାବେ ସଂକୁଚିତ କରିବ । ମୂଳ ଆଇନଟିରେ ସମଗ୍ର ଓଡ଼ିଶାରେ ଏବଂ ସମସ୍ତ ଓ ପ୍ରତ୍ୟେକ ଦପ୍ତରରେ ସରକାରୀ ଭାଷା ହେବ ଓଡ଼ିଆ ବୋଲି କୁହାଯାଇଛି । ଏହି ପ୍ରସ୍ତାବିତ ଧାରା ତାକୁ ଖର୍ବ କରି “ବ୍ୟାପକ ବ୍ୟବହାର” ପରି ଏକ ଆତ୍ମଘାତୀ ବ୍ୟବସ୍ଥା ସୃଷ୍ଟି କରିବ । କହିବା ନିଷ୍ପ୍ରୟୋଜନ ଯେ, “ବ୍ୟାପକ ବ୍ୟବହାର” ସମ୍ପୂର୍ଣ ବ୍ୟବହାର ନୁହେଁ । ଏହା ଗୃହୀତ ହେଲେ, ୧୯୬୩ ସଂଶୋଧନ ଦ୍ଵାରା ଇଂରାଜୀ ଭାଷାକୁ ବିଜୁ ପଟ୍ଟନାୟକ ସରକାରୀ ଭାଷାର ଯେଉଁ ମର୍ଯ୍ୟାଦା ଦିଆଇଛନ୍ତି ତାହା ବି କାଏମ ରହିବ ଓ “ସରକାରୀ ଭାଷାର ବ୍ୟାପକ ବ୍ୟବହାର” ଯେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର – ତାହା ସାବ୍ୟସ୍ତ ବି ହେବ ନାହିଁ । ଅଧିକନ୍ତୁ , ଏହା ପାରିତ ହେଲେ, ଭାଷା ଆଇନର ଉଲ୍ଲଙ୍ଘନ ପାଇଁ ସମ୍ପୃକ୍ତ କର୍ମଚାରୀଙ୍କୁ ଦଣ୍ଡବିଧାନ ହୋଇପାରେ ବା ତାଙ୍କ ବଦଳରେ ସମ୍ପୃକ୍ତ ବିଭାଗକୁ ଦଣ୍ଡବିଧାନ ହୋଇପାରେ । ଯେହେତୁ କର୍ମଚାରୀମାନେ ଆଇନ ଖିଲାପ କରିବେ ସେହେତୁ ସ୍ବଭାବିକ ଭାବେ ସେମାନେ ନିଜକୁ ନିଜେ ଦଣ୍ଡିତ ନ କରି ଦଣ୍ଡ ନଦିବେ ବିଭାଗ ମୁଣ୍ଡରେ । କାରଣ, ଏହି ସୁଯୋଗ ଏହି ଆଇନ ସଂଶୋଧନ ହିଁ ସେମାନଙ୍କୁ ଯୋଗାଇଦେବ ।

ବିଭାଗଟିଏ ଦଣ୍ଡିତ ହେବାର ଅର୍ଥ ଓଡ଼ିଶାର ଜନସାଧାରଣ ଦଣ୍ଡିତ ହେବା , କାରଣ ବିଭାଗଗୁଡ଼ିକର ସମସ୍ତ ଖର୍ଚ୍ଚ ଲୋକେ ବହନ କରିଥାନ୍ତି, ମୁଖ୍ୟମନ୍ତ୍ରୀ ବା ତାଙ୍କ ଗୋଲାମମାନେ ନୁହନ୍ତି ।

ଏହି ବିଧେୟକ କେଉଁ ‘ଉଦ୍ଦେଶ୍ୟ ଓ କାରଣ’ ହେତୁ ଉପସ୍ଥାପିତ ହୋଇଛି, ତାହା ଆଇନତଃ ଅଛି ଏହାର ‘ଉଦ୍ଦେଶ୍ୟ ଓ କାରଣ କଥନ’ରେ । ତାହା ଏହିପରି :

“ତା ୨୬. ୧ ୨. ୨୦୧୭ ରିଖ ଦିବା ୧୧.୧୫ ମିନିଟ ସମୟରେ ଅନୁଷ୍ଠିତ ହୋଇଥିବା ମନ୍ତ୍ରିମଣ୍ଡଳର ୫୧ତମ ବୈଠକର ନିଷ୍ପତ୍ତି ଅନୁସାରେ ସରକାରୀ ଭାଷାର ବ୍ୟାପକ ବ୍ୟବହାର କରୁଥିବା ସରକାରୀ କର୍ମଚାରୀ / ବିଭାଗମାନଙ୍କୁ ପ୍ରୋତ୍ସାହନ ଦେବା ତଥା ସେଥିରେ ଖିଲାପ କରୁଥିବା ସରକାରୀ କେମଚାରୀ / ବିଭାଗମାନଙ୍କୁ ଦଣ୍ଡବିଧାନ କରିବା ପାଇଁ ଓଡିଶା ସରକାରୀ ଭାଷା ଅଧିନିୟମରେ ସଂଶୋଧନ କରି ଆବଶ୍ୟକ ବ୍ୟବସ୍ଥାମାନ କରିବା ଦରକାର ଅଟେ ।

ତଦନୁସାରେ ଓଡିଶା ସରକାରୀ ଭାଷା ଅଧିନିୟମ, ୧୯୫୪ରେ ସଂଶୋଧନ କରିବା ନିମନ୍ତେ ଆବଶ୍ୟକୀୟ ଚିଠା ସଂଶୋଧନ ବିଧେୟକ, ୨୦୧୮ ପ୍ରସ୍ତୁତ କରାଯାଇଛି , ଯଦ୍ଦ୍ଵାରା ସରକାରୀ ଭାଷାର ବ୍ୟାପକ ବ୍ୟବହାର ନିମନ୍ତେ ସରକାରୀ କର୍ମଚାରୀ / ବିଭାଗମାନଙ୍କୁ ପ୍ରୋତ୍ସାହନ ଦେବା ତଥା ସେଥିରେ ଖିଲାପ କରୁଥିବା ସରକାରୀ କର୍ମଚାରୀ / ବିଭାଗମାନଙ୍କୁ ଦଣ୍ଡବିଧାନ କରିବା ସକାଶେ ନିୟମାବଳୀରେ ବିହିତ କରିବା ପାଇଁ ରାଜ୍ୟ ସରକାରଙ୍କର କ୍ଷମତା ରହିବ ।”

ଏଥିରେ ଥିବା ‘କର୍ମଚାରୀ / ଭିଭାଗ’ ଶବ୍ଦପୁଞ୍ଜକୁ ପ୍ରସ୍ତାବିତ ‘୪କ’ ଧାରାରେ ଥିବା ‘କର୍ମଚାରୀ ବା ବିଭାଗ’ ଶବ୍ଦପୁଞ୍ଜର ମଧ୍ୟବର୍ତ୍ତୀ ‘ବା’ ଶବ୍ଦ ସହାୟତାରେ ଅନୁଧ୍ୟାନ କଲେ ସ୍ପଷ୍ଟ ହୋଇଯାଏ ଯେ, ଭାଷା ଆଇନ ଉଲ୍ଲଙ୍ଘନ କରି, ବିଭାଗ ମୁଣ୍ଡରେ ଅଠା ବୋଳି , ନିରାପଦରେ ଖସିଯିବା ପାଇଁ ହିଁ ଓଡ଼ିଆବିରୋଧୀ ପଦାଧିକାରୀମାନେ ଏହି ପ୍ରପଞ୍ଚକୌଶଳ ପ୍ରୟୋଗ କରିଛନ୍ତି । ଏହି ଚିଠା ବିଧେୟକ ଯଦି ଏହି ରୂପରେ ପାରିତ ଓ ପ୍ରବର୍ତ୍ତିତ ହୁଏ , ତେବେ, ଖିଲାପକାରୀ କର୍ମଚାରୀ ବଦଳରେ ବିଭାଗମାନେ ଦଣ୍ଡିତ ହେବେ । ବିଭାଗମାନେ ଦଣ୍ଡିତ ହେବା ଅର୍ଥ ରାଜ୍ୟବାସୀ ଦଣ୍ଡିତ ହେବା ସୁନିଶ୍ଚିତ ।

ସବୁଠୁ ଚମକପ୍ରଦ ହେଲା, ଓଡ଼ିଆ ଜାତିକୁ ଦଣ୍ଡିତ କରିବାକୁ ଉଦ୍ଦିଷ୍ଟ ଏହି ସଂଶୋଧନ ବିଧେୟକର ଚିଠା ପ୍ରସ୍ତୁତି ବେଳେ ଓ ସେହି ଚିଠାକୁ ବିଧାନସଭାରେ ଉପସ୍ଥାପନ କଲାବେଳେ ଓଡ଼ିଆ ଜାତିର ଜାତୀୟ ସ୍ଵାର୍ଥ ଅପେକ୍ଷା ଓଡ଼ିଆ ଵିଦ୍ଵେଷୀଙ୍କ ସ୍ଵାର୍ଥ ରକ୍ଷା ପ୍ରତି ଗୁରୁତ୍ବ ଦିଆଯାଇଛି ।

ଭାଷା ଆନ୍ଦୋଳନର କଳାପତାକା ସାରା ଓଡ଼ିଶାରେ ଲହର ସୃଷ୍ଟି କରୁଥିବା ଦେଖି , ତହିଁରେ ଅତର୍ଛି , ନବୀନଙ୍କ ଓଡ଼ିଆ ଭାଷାପ୍ରେମର ନମୁନା ଦେଖାଇବାକୁ ବିଜେଡିର ପୁରୀ ସମାବେଶ ସମୟରେ ୨୬. ୧ ୨. ୨୦୧୭ ଦିନ ସେଠାରେ ମନ୍ତ୍ରୀମଣ୍ଡଳ ବୈଠକ କରାଇ ଭାଷା ସମ୍ପର୍କିତ ୨୦ଟି ପ୍ରସ୍ତାବ ପାରିତ କରାଯାଇଥିଲା । ତହିଁରୁ ୩ୟଟି ଏହିପରି :

“ସରକାରୀ ଭାଷା ଆଇନ, ୧୯୫୪ରେ ସଂଶୋଧନ ଅଣାଯାଇ ବିହିତ ଦଣ୍ଡବିଧାନ ବ୍ୟବସ୍ଥା ସହିତ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରୁଥିବା ବିଭାଗ ତଥା କର୍ମଚାରୀଙ୍କୁ ପ୍ରୋତ୍ସାହିତ କରାଯିବ । ଏଥିପାଇଁ ବିଭାଗଗୁଡ଼ିକ ନିର୍ଦ୍ଦିଷ୍ଟ ମାନଦଣ୍ଡ ଏବଂ କ୍ଷେତ୍ର ନିର୍ଦ୍ଧାରଣ କରିବେ । ଜିଲ୍ଲା, ରାଜସ୍ଵ ଡିଭିଜନ ଏବଂ ରାଜ୍ୟସ୍ତରରେ ଏଥିନିମନ୍ତେ ପ୍ରଶାସନିକ ବ୍ୟବସ୍ଥା ତା ୦୧ . ୦୪. ୨୦୧୮ରିଖ ଠାରୁ କାର୍ଯ୍ୟକାରୀ କରାଯିବ ।”

ଏହି “ଦେଖାସୁନ୍ଦରୀ ବଉଳୀଗାଈ” ପ୍ରସ୍ତାବରେ ଉଚ୍ଚାରିତ “ଦଣ୍ଡବିଧାନ ବ୍ୟବସ୍ଥା”ର ସମଭିବ୍ୟାହାରରେ ପ୍ରୋତ୍ସାହନ ବ୍ୟବସ୍ଥା ଥିବା ହେତୁ ଏହା ସ୍ପଷ୍ଟ ବାରିହୋଇପଡୁଥିଲା କି, ଖିଲାପକାରୀକୁ ଦଣ୍ଡବିଧାନ ପାଇଁ ଭାଷା ଆନ୍ଦୋଳନର ଦାବି ଯେହେତୁ ଓଡିଶା ଜନସାଧାରଣଙ୍କ ଅକୁଣ୍ଠ ସମର୍ଥନ ପାଉଛି ସେହେତୁ ତହିଁ ସପକ୍ଷରେ ପ୍ରସ୍ତାବ କରି ତହିଁର ଉହାଡ଼ରେ ବିଭାଗଗୁଡ଼ିକୁ ଦଣ୍ଡିତ କରାଇ ଅପରାଧୀ କର୍ମଚାରୀମାନେ ନିରାପଦରେ ଖସିଯିବାକୁ ଯେଉଁ କଳକୌଶଳ ଭିଆଇଛନ୍ତି ତାହାକୁ ହିଁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳ ଉପରେ ନଦିଛନ୍ତି ।

କର୍ମଚାରୀମାନଙ୍କ ଦୋଷ ହେତୁ ବିଭାଗଗୁଡ଼ିକ ଅର୍ଥାତ୍ ଓଡ଼ିଶାର ଜନସାଧାରଣ ଦଣ୍ଡିତ ହେବେ – ଏତିକି କେବଳ ଏହି ଖଳବୁଦ୍ଧିପ୍ରସୂତ ପ୍ରସ୍ତାବରେ ନଥିଲା, ଓଡ଼ିଆ ଭାଷାରେ ସେବାପ୍ରାପ୍ତି ପାଇଁ ଆମ ଲୋକଙ୍କ ମୌଳିକ ଅଧିକାରକୁ ବିଭାଗଗୁଡ଼ିକ ଅର୍ଥାତ୍ କର୍ମଚାରୀମାନେ ନିର୍ଦ୍ଦିଷ୍ଟ କରିବାକୁଥିବା “ମାନଦଣ୍ଡ” ଓ ପରିସର (“କ୍ଷେତ୍ର”)ର ଅନୁବର୍ତ୍ତୀ କରାଇବା ଷଡଯନ୍ତ୍ର ଥିଲା ଏହି ଅତି ଧୂର୍ତ୍ତ ପ୍ରସ୍ତାବରେ ।

ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ନବୀନବାବୁଙ୍କ ତରଫଦାରୀ କରି ଏହି ପ୍ରସ୍ତାବ ଦୃଷ୍ଟେ କଳାପତାକା ଅଭିଯାନ ବନ୍ଦ କରିଦେବାକୁ ଆମ ଉପରେ ଚାପ ପ୍ରୟୋଗ କରିଥିଲେ । ଆମେ ରାଜି ନ ହେବାରୁ ତାଙ୍କ କାଗଜରେ ଆମ ସମ୍ବାଦ ଆଉ ଦେଲେନାହିଁ । କଳାପତାକା ଅଭିଯାନ ବ୍ୟାପକତର ହେଲା । ଓଡ଼ିଆ ଜାତି ତା ଭାଷା ଜନନୀ ପାଇଁ ସଂଗ୍ରାମ ଚଳାଇରଖିବାକୁ ନିଜ ପ୍ରତିଜ୍ଞାରେ ଅଟଳ ରହିଲା ।

ସୁତରାଂ ଏହି ଆନ୍ଦୋଳନ ଭିତ୍ତିରେ ମନ୍ତ୍ରୀମାନେ ପୁନଶ୍ଚ ବୈଠକ କଲେ ୧୪. ୩ . ୨୦୧୮ ତାରିଖରେ ଏବଂ ଏହି ବୈଠକରେ ୨୬. ୧ ୨. ୨୦୧୭ ତାରିଖର “ଦେଖାସୁନ୍ଦରୀ ବଉଳୀଗାଈ” ପ୍ରସ୍ତାବକୁ ସ୍ଵୟଂ ବିଲୁପ୍ତ ବୋଲି ଗ୍ରହଣ କରି ଏକ ସାନି ପ୍ରସ୍ତାବ ଗ୍ରହଣ କଲେ, ଯହିଁରେ ନିର୍ଦ୍ଦିଷ୍ଟ କରାଗଲା କି ଓଡ଼ିଆ ଭାଷାରେ ସେବା ପ୍ରଦାନ କରୁନଥିବା କର୍ମଚାରୀ ହିଁ ଦଣ୍ଡିତ ହେବେ (ବିଭାଗ ନୁହେଁ) ଓ ଏହାକୁ ପକ୍କା କରିବା ପାଇଁ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଏପରି ଦଣ୍ଡବିଧାନପାଇଁ ସରକାରୀ ଭାଷା ଆଇନର “ତୁରନ୍ତ” ସଂଶୋଧନ ସକାଶେ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇ ସଂଶୋଧନର “ଉଦ୍ଦେଶ୍ୟ ଓ କାରଣ” ନିର୍ଦ୍ଦିଷ୍ଟ କରିଦେଲେ ।

ସରକାରଙ୍କଠାରୁ ଗୋପନୀୟ (secret) ବର୍ଗରେ ଇଂରାଜୀ ଭାଷାରେ ନିର୍ଗତ ହୋଇଥିବା ଏହି ପ୍ରସ୍ତାବଟିର ଭାଷା ଥିଲା ଏହିପରି :

“Though the Act is very old Act and is in force since 1954, the provisions of the notification issued under sub section (2) of section 2 of the said Act vide notification No.7152-Gen. dtd 29.03.1985 published in the extra ordinary issue of the Odisha gazette No. 562 dtd 10.04.1985 directing all the employees and Officers of the State Government excepting those specified in the schedule thereto to use Odia language in all official noting, the same is not properly implemented as there is no provision of imposing penalty against the Officers or employees who are violating the provisions of the notifications under the Act.”

ଅତଏବ, ଆଇନଟିରେ ଦଣ୍ଡବିଧାନ ବ୍ୟବସ୍ଥା ନ ଥିବା ହେତୁ ଏହାକୁ କେହି ମାନୁନାହାନ୍ତି ବୋଲି ମୁଁ ଯାହା ଦର୍ଶାଇଥିଲି ୩।୯।୨୦୧୫ ତାରିଖରେ, ତା  ସହ ମନ୍ତ୍ରୀମଣ୍ଡଳ ଏକମତ ହୋଇଥିଲା ଏବଂ ଏହି କାରଣ ହେତୁ ଓଡ଼ିଆ ଭାଷାରେ କାମ ନ କରୁଥିବା କର୍ମଚାରୀ ଓ ପଦାଧିକାରୀଙ୍କ ଦଣ୍ଡବିଧାନ ପାଇଁ ଓଡିଶା ସରକାରୀ ଭାଷା ଆଇନର ତୁରନ୍ତ ସଂଶୋଧନପାଇଁ ନିର୍ଦ୍ଦେଶ ଦେଇଥିଲା । ଏହି ପ୍ରସ୍ତାବ ଭିତ୍ତିରେ ନିର୍ଗତ ପ୍ରେସ ବିଜ୍ଞପ୍ତିରେ ଏହା ହିଁ ଲେଖା ଅଛି :

“Government have decided to bring the amendment immediately providing penalties for such erring officers and employees who don’t obey the directions issued under sub section 2 of section 2 , so that they will implement the provisions of the notification in its letter and spirit.”

ଅତଏବ, ୧୪. ୩ . ୨୦୧୮ ତାରିଖରେ ଅନୁଷ୍ଠିତ ବୈଠକରେ ରାଜ୍ୟ ମନ୍ତ୍ରୀମଣ୍ଡଳ ଗତ ୨୬. ୧ ୨. ୨୦୧୭ ତାରିଖରେ  ଗୃହୀତ “ଦେଖାସୁନ୍ଦରୀ ବଉଳୀଗାଈ” ପ୍ରସ୍ତାବକୁ ସ୍ଵତଃ ବିଲୁପ୍ତ ହୋଇସାରିଥିବା ମାନି ଏକ ସାନି ପ୍ରସ୍ତାବରେ ଭାଷା ଆଇନ ଉଲ୍ଲଙ୍ଘନ ଦୋଷରେ କୌଣସି ବିଭାଗ ନୁହେଁ, ପରନ୍ତୁ କେବଳ କର୍ମଚାରୀ ଓ ପଦାଧିକାରୀମାନେ ଦଣ୍ଡିତ ହେବେ ବୋଲି ସ୍ପଷ୍ଟ କରିଥିଲା ଏବଂ “ଆଇନଟିରେ ଦଣ୍ଡବିଧାନ ବ୍ୟବସ୍ଥା ନ ଥିବା ହେତୁ ତାହା କାର୍ଯ୍ୟକାରୀ ହୋଇପାରୁନି” ବୋଲି ମୁଁ ପରିଶିଷ୍ଟ ‘କ’ର ପ୍ରଚ୍ଛଦପତ୍ରରେ ଯାହା କହିଥିଲି ତାହାର ଯଥାର୍ଥତା ସ୍ଵୀକାର କରି,  ଭାଷା ଆଇନର ଖିଲାପକାରୀ କର୍ମଚାରୀ ଓ ପଦାଧିକାରୀମାନଙ୍କ ବିରୁଦ୍ଧରେ ଦଣ୍ଡବିଧାନ ବ୍ୟବସ୍ଥା ଖଞ୍ଜି ତୁରନ୍ତ ଆଇନ ସଂଶୋଧନ ପାଇଁ ନିର୍ଦ୍ଦେଶ ଦେଇ ସଂଶୋଧନର “ଉଦ୍ଦେଶ୍ୟ ଓ କାରଣ” ମଧ୍ୟ ନିର୍ଦ୍ଦିଷ୍ଟ କରିଥିଲା ।

କ୍ଷୋଭର କଥା,  ଓଡିଶା ସରକାରୀ ଭାଷା ଆଇନ ବ୍ୟାପାରରେ ସବୁଠୁ ବଡ଼ ନିର୍ଣ୍ଣାୟକ ନିଷ୍ପତ୍ତି ନେଇଥିବା ୧୪. ୩ . ୨୦୧୮ତାରିଖ  ମନ୍ତ୍ରୀମଣ୍ଡଳ ବୈଠକର ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ଆଗତ କରିଥିବା ସଂଶୋଧନ ବିଧେୟକରେ ଉଦ୍ଦେଶ୍ୟମୂଳକ ଭାବେ ନିଶ୍ଚିହ୍ନ କରି ବିଲୁପ୍ତ ହୋଇସାରିଥିବା ୨୬. ୧ ୨. ୨୦୧୭ ତାରିଖର ସେହି ତିନି ନମ୍ବର ପ୍ରସ୍ତାବକୁ ଭାଷା ଆଇନ ଖିଲାପକାରୀଙ୍କୁ ସୁହାଇଲା ପରି ଅଦଳବଦଳ (tampering) କରି ସଂଶୋଧନର ଭିତ୍ତି ଭାବେ ପ୍ରଦର୍ଶିତ କରାଯାଇଛି । କାରଣ ଏତଦ୍ଦ୍ଵାରା ହିଁ କେବଳ ଭାଷା ଆଇନର ତୁରନ୍ତ କାର୍ଯ୍ୟକାରିତା ବନ୍ଦ କରାଯାଇ ପାରିବ ଓ କର୍ମଚାରୀମାନେ “ନିର୍ଦ୍ଦିଷ୍ଟ” କରିବାକୁଥିବା “ମାନଦଣ୍ଡ” ଓ “କ୍ଷେତ୍ର” ଭିତରେ ଓଡ଼ିଆ ଜାତିର ଭାଷା ଜନନୀକୁ କଏଦୀ କରି ରଖାଯାଇପାରିବ ଏବଂ କର୍ମଚାରୀମାନଙ୍କ ଦୋଷ ପାଇଁ ବିଭାଗଗୁଡ଼ିକୁ ଅର୍ଥାତ୍ ଓଡ଼ିଶାର ଜନସାଧାରଣଙ୍କୁ ଦଣ୍ଡିତ କରାଯାଇ ପାରିବ ।

ଆପେ ଆପେ ମରିଯାଇଥିବା (expired) ଗୋଟେ ବିଧି ବହିର୍ଭୂତ ପ୍ରସ୍ତାବକୁ ସମ୍ପୂର୍ଣ ଅନଧିକୃତ ଭାବେ ବ୍ୟବହାର କରି କିପରି ଏହି ବିଧେୟକର ଭିତ୍ତି କରାଯାଇପାରେ ଓ ଯେଉଁ ବିଧିସମ୍ମତ ପ୍ରସ୍ତାବ ଏହି ବିଧେୟକ ପ୍ରଣୟନ ପାଇଁ ଉଦ୍ଦିଷ୍ଟ ଥିଲା ତାକୁ ମାରିଦିଆଯାଇପାରେ,  ତାହା ଏହି ବିଧେୟକ ଉପରେ ନିଷ୍ପତ୍ତି ନେଲାବେଳେ ଆମ ବିଧାନସଭା ଓ ବିଧାୟକମାନେ ବିଚାରକୁ ନେବା ଓ ମୋର ଅଭିଯୋଗ ଯଦି ଅସତ୍ୟ ନୁହେଁ, ତେବେ ମୁଖ୍ୟମନ୍ତ୍ରୀ ଉପସ୍ଥାପିତ କରିଥିବା ଓଡ଼ିଶା ସରକାରୀ ଭାଷା  (ସଂଶୋଧନ) ବିଧେୟକ, ୨୦୧୮କୁ ପ୍ରତ୍ୟାଖ୍ୟାନ କରି ଆଇନ ପ୍ରଣୟନକାରୀ ଗୃହର ମର୍ଯ୍ୟାଦା ରକ୍ଷାକରିବା ଆବଶ୍ୟକ । ବସ୍ତୁତଃ ଓଡ଼ିଆ ଜାତିର ଭାଷା ଅଧିକାର ଧ୍ଵଂସ କରିବା ପାଇଁ ବିଜୁ ପଟ୍ଟନାୟକଙ୍କ ପୁଅ ନବୀନ ପଟ୍ଟନାୟକ ଏହି ସାଂଘାତିକ ଷଡ଼ଯନ୍ତ୍ର କରିଛନ୍ତି , କାରଣ ଏହା ହିଁ ଥିଲା ବିଜୁଙ୍କ ସଫଳ ହୋଇପାରିନଥିବା ଅଭିସନ୍ଧି (ବିଜୁଙ୍କ ଛୁରା, ସୁଭାଷ ଚନ୍ଦ୍ର ପଟ୍ଟନାୟକ,ଦୈନିକ ସୂର୍ଯ୍ୟପ୍ରଭା ଓ ଭାଷାଆନ୍ଦୋଳନ.କମ୍ , ୨୦୧୧୭)। ବିଧାନସଭା ଯଦିଏହି ଷଡଯନ୍ତ୍ରକୁ ବ୍ୟର୍ଥ ନକରାଏ, ଓଡ଼ିଆ ଜାତି ପ୍ରତି ତାହା ହେବ ଚରମ ବିଧାୟକୀୟ ପ୍ରତାରଣା ।

ଏହି ବିଧେୟକ ପ୍ରତ୍ୟାଖ୍ୟାତ ବା ପ୍ରତ୍ୟାହୃତ ହେବା ଆବଶ୍ୟକ ; କାରଣ ଯେଉଁ ରୂପରେ ଏହି ଚିଠା ବିଧାନସଭା ସମ୍ମୁଖରେ ରଖାଯାଇଛି ସେହି ରୂପରେ ଏହା ଗୃହୀତ ହୋଇଗଲେ ଓଡ଼ିଆ ଜାତି ତା ମାତୃଭାଷା କ୍ଷେତ୍ରରେ ପ୍ରବଞ୍ଚିତ ହୋଇ ରହିବ  ଓ ନିଜର ବସ ଅଧିକାର ହରାଇବ ।