ଭାଷା ଆଇନ ସଂଶୋଧନ : ଭାଷା ଅଧିକାରର ସଂକୋଚନ ଓ ଉଲ୍ଲଙ୍ଘନକାରୀ ବଦଳରେ ଓଡ଼ିଆଲୋକଙ୍କୁ ଦଣ୍ଡବିଧାନ !

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡିଶା ସରକାରୀ ଭାଷା ଆଇନ ଉଲ୍ଲଙ୍ଘନକାରୀକୁ ଦଣ୍ଡବିଧାନ ପାଇଁ ଆଇନଟିର ସଂଶୋଧନ ଦାବିରେ ଭାଷା ଆନ୍ଦୋଳନର କଳାପତାକା ଅଭିଯାନ ତୃତୀୟ ବର୍ଷରେ ପହଞ୍ଚିଥିବା ବେଳେ, ବାରମ୍ବାର ଟାଳଟୁଳ କରିକରି ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସଂଶୋଧନ ବିଧେୟକ ବିଧାନସଭାରେ ଉପସ୍ଥାପିତ କରିଛନ୍ତି ତାହା ଯଦି ଗୃହୀତ ହୁଏ , ତେବେ ଆଇନ ଉଲ୍ଲଙ୍ଘନକାରୀ ବଦଳରେ ଓଡ଼ିଶାର ଜନସାଧାରଣ ହିଁ ଦଣ୍ଡିତ ହେବେ । ବିଧାନସଭାର ସଭ୍ୟମାନେ ଏହି ପ୍ରପଞ୍ଚବୁଦ୍ଧିପ୍ରସୂତ ବିଧେୟକଟିକୁ ପ୍ରତ୍ୟାଖ୍ୟାନ କରନ୍ତୁ ବା ଆବଶ୍ୟକୀୟ ସଂଶୋଧନ ସହ ପାରିତ କରନ୍ତୁ । ଏହା ନ ହେଲେ ଭାଷା ଆନ୍ଦୋଳନ ଏହି ଖଳ ସଂଶୋଧନକୁ ପ୍ରତ୍ୟାଖ୍ୟାନ କରିବାକୁ ଶ୍ରେୟ ମଣିବ ।

ସଂଶୋଧନ ବିଧେୟକଟି ମୂଳ ଅଧିନିୟମରେ ‘୪କ’ ନାମକ ଏକ ନୂଆ ଧାରା ଯୋଡ଼ିବ, ଯହିଁରେ ଲେଖାଥିବ:

“ସରକାର, ସରକାରୀ ଭାଷାର ବ୍ୟାପକ ବ୍ୟବହାର ନିମନ୍ତେ ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ତଥା ସେଥିରେ ଖିଲାପ କରୁଥିବା ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ଦଣ୍ଡବିଧାନ କରିବା ସକାଶେ ନିୟମାବଳୀରେ ଉପଯୁକ୍ତ ବ୍ୟବସ୍ଥାମାନ ବିହିତ କରିପାରିବେ ।”

ଏହି ପ୍ରସ୍ତାବିତ ଧାରା ଓଡ଼ିଆ ଭାଷାର ଭୟଙ୍କର କ୍ଷତି ଘଟାଇବ; କାରଣ ମୂଳ ଆଇନଟିରେ ଓଡ଼ିଆ ଜାତିକୁ ଦିଆଯାଇଥିବା ଭାଷା ଅଧିକାରକୁ ଏହା ଅକଳ୍ପନୀୟ ଭାବେ ସଂକୁଚିତ କରିବ । ମୂଳ ଆଇନଟିରେ ସମଗ୍ର ଓଡ଼ିଶାରେ ଏବଂ ସମସ୍ତ ଓ ପ୍ରତ୍ୟେକ ଦପ୍ତରରେ ସରକାରୀ ଭାଷା ହେବ ଓଡ଼ିଆ ବୋଲି କୁହାଯାଇଛି । ଏହି ପ୍ରସ୍ତାବିତ ଧାରା ତାକୁ ଖର୍ବ କରି “ବ୍ୟାପକ ବ୍ୟବହାର” ପରି ଏକ ଆତ୍ମଘାତୀ ବ୍ୟବସ୍ଥା ସୃଷ୍ଟି କରିବ । କହିବା ନିଷ୍ପ୍ରୟୋଜନ ଯେ, “ବ୍ୟାପକ ବ୍ୟବହାର” ସମ୍ପୂର୍ଣ ବ୍ୟବହାର ନୁହେଁ । ଏହା ଗୃହୀତ ହେଲେ, ୧୯୬୩ ସଂଶୋଧନ ଦ୍ଵାରା ଇଂରାଜୀ ଭାଷାକୁ ବିଜୁ ପଟ୍ଟନାୟକ ସରକାରୀ ଭାଷାର ଯେଉଁ ମର୍ଯ୍ୟାଦା ଦିଆଇଛନ୍ତି ତାହା ବି କାଏମ ରହିବ ଓ “ସରକାରୀ ଭାଷାର ବ୍ୟାପକ ବ୍ୟବହାର” ଯେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର – ତାହା ସାବ୍ୟସ୍ତ ବି ହେବ ନାହିଁ । ଅଧିକନ୍ତୁ , ଏହା ପାରିତ ହେଲେ, ଭାଷା ଆଇନର ଉଲ୍ଲଙ୍ଘନ ପାଇଁ ସମ୍ପୃକ୍ତ କର୍ମଚାରୀଙ୍କୁ ଦଣ୍ଡବିଧାନ ହୋଇପାରେ ବା ତାଙ୍କ ବଦଳରେ ସମ୍ପୃକ୍ତ ବିଭାଗକୁ ଦଣ୍ଡବିଧାନ ହୋଇପାରେ । ଯେହେତୁ କର୍ମଚାରୀମାନେ ଆଇନ ଖିଲାପ କରିବେ ସେହେତୁ ସ୍ବଭାବିକ ଭାବେ ସେମାନେ ନିଜକୁ ନିଜେ ଦଣ୍ଡିତ ନ କରି ଦଣ୍ଡ ନଦିବେ ବିଭାଗ ମୁଣ୍ଡରେ । କାରଣ, ଏହି ସୁଯୋଗ ଏହି ଆଇନ ସଂଶୋଧନ ହିଁ ସେମାନଙ୍କୁ ଯୋଗାଇଦେବ ।

ବିଭାଗଟିଏ ଦଣ୍ଡିତ ହେବାର ଅର୍ଥ ଓଡ଼ିଶାର ଜନସାଧାରଣ ଦଣ୍ଡିତ ହେବା , କାରଣ ବିଭାଗଗୁଡ଼ିକର ସମସ୍ତ ଖର୍ଚ୍ଚ ଲୋକେ ବହନ କରିଥାନ୍ତି, ମୁଖ୍ୟମନ୍ତ୍ରୀ ବା ତାଙ୍କ ଗୋଲାମମାନେ ନୁହନ୍ତି ।

ଏହି ବିଧେୟକ କେଉଁ ‘ଉଦ୍ଦେଶ୍ୟ ଓ କାରଣ’ ହେତୁ ଉପସ୍ଥାପିତ ହୋଇଛି, ତାହା ଆଇନତଃ ଅଛି ଏହାର ‘ଉଦ୍ଦେଶ୍ୟ ଓ କାରଣ କଥନ’ରେ । ତାହା ଏହିପରି :

“ତା ୨୬. ୧ ୨. ୨୦୧୭ ରିଖ ଦିବା ୧୧.୧୫ ମିନିଟ ସମୟରେ ଅନୁଷ୍ଠିତ ହୋଇଥିବା ମନ୍ତ୍ରିମଣ୍ଡଳର ୫୧ତମ ବୈଠକର ନିଷ୍ପତ୍ତି ଅନୁସାରେ ସରକାରୀ ଭାଷାର ବ୍ୟାପକ ବ୍ୟବହାର କରୁଥିବା ସରକାରୀ କର୍ମଚାରୀ / ବିଭାଗମାନଙ୍କୁ ପ୍ରୋତ୍ସାହନ ଦେବା ତଥା ସେଥିରେ ଖିଲାପ କରୁଥିବା ସରକାରୀ କେମଚାରୀ / ବିଭାଗମାନଙ୍କୁ ଦଣ୍ଡବିଧାନ କରିବା ପାଇଁ ଓଡିଶା ସରକାରୀ ଭାଷା ଅଧିନିୟମରେ ସଂଶୋଧନ କରି ଆବଶ୍ୟକ ବ୍ୟବସ୍ଥାମାନ କରିବା ଦରକାର ଅଟେ ।

ତଦନୁସାରେ ଓଡିଶା ସରକାରୀ ଭାଷା ଅଧିନିୟମ, ୧୯୫୪ରେ ସଂଶୋଧନ କରିବା ନିମନ୍ତେ ଆବଶ୍ୟକୀୟ ଚିଠା ସଂଶୋଧନ ବିଧେୟକ, ୨୦୧୮ ପ୍ରସ୍ତୁତ କରାଯାଇଛି , ଯଦ୍ଦ୍ଵାରା ସରକାରୀ ଭାଷାର ବ୍ୟାପକ ବ୍ୟବହାର ନିମନ୍ତେ ସରକାରୀ କର୍ମଚାରୀ / ବିଭାଗମାନଙ୍କୁ ପ୍ରୋତ୍ସାହନ ଦେବା ତଥା ସେଥିରେ ଖିଲାପ କରୁଥିବା ସରକାରୀ କର୍ମଚାରୀ / ବିଭାଗମାନଙ୍କୁ ଦଣ୍ଡବିଧାନ କରିବା ସକାଶେ ନିୟମାବଳୀରେ ବିହିତ କରିବା ପାଇଁ ରାଜ୍ୟ ସରକାରଙ୍କର କ୍ଷମତା ରହିବ ।”

ଏଥିରେ ଥିବା ‘କର୍ମଚାରୀ / ଭିଭାଗ’ ଶବ୍ଦପୁଞ୍ଜକୁ ପ୍ରସ୍ତାବିତ ‘୪କ’ ଧାରାରେ ଥିବା ‘କର୍ମଚାରୀ ବା ବିଭାଗ’ ଶବ୍ଦପୁଞ୍ଜର ମଧ୍ୟବର୍ତ୍ତୀ ‘ବା’ ଶବ୍ଦ ସହାୟତାରେ ଅନୁଧ୍ୟାନ କଲେ ସ୍ପଷ୍ଟ ହୋଇଯାଏ ଯେ, ଭାଷା ଆଇନ ଉଲ୍ଲଙ୍ଘନ କରି, ବିଭାଗ ମୁଣ୍ଡରେ ଅଠା ବୋଳି , ନିରାପଦରେ ଖସିଯିବା ପାଇଁ ହିଁ ଓଡ଼ିଆବିରୋଧୀ ପଦାଧିକାରୀମାନେ ଏହି ପ୍ରପଞ୍ଚକୌଶଳ ପ୍ରୟୋଗ କରିଛନ୍ତି । ଏହି ଚିଠା ବିଧେୟକ ଯଦି ଏହି ରୂପରେ ପାରିତ ଓ ପ୍ରବର୍ତ୍ତିତ ହୁଏ , ତେବେ, ଖିଲାପକାରୀ କର୍ମଚାରୀ ବଦଳରେ ବିଭାଗମାନେ ଦଣ୍ଡିତ ହେବେ । ବିଭାଗମାନେ ଦଣ୍ଡିତ ହେବା ଅର୍ଥ ରାଜ୍ୟବାସୀ ଦଣ୍ଡିତ ହେବା ସୁନିଶ୍ଚିତ ।

ସବୁଠୁ ଚମକପ୍ରଦ ହେଲା, ଓଡ଼ିଆ ଜାତିକୁ ଦଣ୍ଡିତ କରିବାକୁ ଉଦ୍ଦିଷ୍ଟ ଏହି ସଂଶୋଧନ ବିଧେୟକର ଚିଠା ପ୍ରସ୍ତୁତି ବେଳେ ଓ ସେହି ଚିଠାକୁ ବିଧାନସଭାରେ ଉପସ୍ଥାପନ କଲାବେଳେ ଓଡ଼ିଆ ଜାତିର ଜାତୀୟ ସ୍ଵାର୍ଥ ଅପେକ୍ଷା ଓଡ଼ିଆ ଵିଦ୍ଵେଷୀଙ୍କ ସ୍ଵାର୍ଥ ରକ୍ଷା ପ୍ରତି ଗୁରୁତ୍ବ ଦିଆଯାଇଛି ।

ଭାଷା ଆନ୍ଦୋଳନର କଳାପତାକା ସାରା ଓଡ଼ିଶାରେ ଲହର ସୃଷ୍ଟି କରୁଥିବା ଦେଖି , ତହିଁରେ ଅତର୍ଛି , ନବୀନଙ୍କ ଓଡ଼ିଆ ଭାଷାପ୍ରେମର ନମୁନା ଦେଖାଇବାକୁ ବିଜେଡିର ପୁରୀ ସମାବେଶ ସମୟରେ ୨୬. ୧ ୨. ୨୦୧୭ ଦିନ ସେଠାରେ ମନ୍ତ୍ରୀମଣ୍ଡଳ ବୈଠକ କରାଇ ଭାଷା ସମ୍ପର୍କିତ ୨୦ଟି ପ୍ରସ୍ତାବ ପାରିତ କରାଯାଇଥିଲା । ତହିଁରୁ ୩ୟଟି ଏହିପରି :

“ସରକାରୀ ଭାଷା ଆଇନ, ୧୯୫୪ରେ ସଂଶୋଧନ ଅଣାଯାଇ ବିହିତ ଦଣ୍ଡବିଧାନ ବ୍ୟବସ୍ଥା ସହିତ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରୁଥିବା ବିଭାଗ ତଥା କର୍ମଚାରୀଙ୍କୁ ପ୍ରୋତ୍ସାହିତ କରାଯିବ । ଏଥିପାଇଁ ବିଭାଗଗୁଡ଼ିକ ନିର୍ଦ୍ଦିଷ୍ଟ ମାନଦଣ୍ଡ ଏବଂ କ୍ଷେତ୍ର ନିର୍ଦ୍ଧାରଣ କରିବେ । ଜିଲ୍ଲା, ରାଜସ୍ଵ ଡିଭିଜନ ଏବଂ ରାଜ୍ୟସ୍ତରରେ ଏଥିନିମନ୍ତେ ପ୍ରଶାସନିକ ବ୍ୟବସ୍ଥା ତା ୦୧ . ୦୪. ୨୦୧୮ରିଖ ଠାରୁ କାର୍ଯ୍ୟକାରୀ କରାଯିବ ।”

ଏହି “ଦେଖାସୁନ୍ଦରୀ ବଉଳୀଗାଈ” ପ୍ରସ୍ତାବରେ ଉଚ୍ଚାରିତ “ଦଣ୍ଡବିଧାନ ବ୍ୟବସ୍ଥା”ର ସମଭିବ୍ୟାହାରରେ ପ୍ରୋତ୍ସାହନ ବ୍ୟବସ୍ଥା ଥିବା ହେତୁ ଏହା ସ୍ପଷ୍ଟ ବାରିହୋଇପଡୁଥିଲା କି, ଖିଲାପକାରୀକୁ ଦଣ୍ଡବିଧାନ ପାଇଁ ଭାଷା ଆନ୍ଦୋଳନର ଦାବି ଯେହେତୁ ଓଡିଶା ଜନସାଧାରଣଙ୍କ ଅକୁଣ୍ଠ ସମର୍ଥନ ପାଉଛି ସେହେତୁ ତହିଁ ସପକ୍ଷରେ ପ୍ରସ୍ତାବ କରି ତହିଁର ଉହାଡ଼ରେ ବିଭାଗଗୁଡ଼ିକୁ ଦଣ୍ଡିତ କରାଇ ଅପରାଧୀ କର୍ମଚାରୀମାନେ ନିରାପଦରେ ଖସିଯିବାକୁ ଯେଉଁ କଳକୌଶଳ ଭିଆଇଛନ୍ତି ତାହାକୁ ହିଁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳ ଉପରେ ନଦିଛନ୍ତି ।

କର୍ମଚାରୀମାନଙ୍କ ଦୋଷ ହେତୁ ବିଭାଗଗୁଡ଼ିକ ଅର୍ଥାତ୍ ଓଡ଼ିଶାର ଜନସାଧାରଣ ଦଣ୍ଡିତ ହେବେ – ଏତିକି କେବଳ ଏହି ଖଳବୁଦ୍ଧିପ୍ରସୂତ ପ୍ରସ୍ତାବରେ ନଥିଲା, ଓଡ଼ିଆ ଭାଷାରେ ସେବାପ୍ରାପ୍ତି ପାଇଁ ଆମ ଲୋକଙ୍କ ମୌଳିକ ଅଧିକାରକୁ ବିଭାଗଗୁଡ଼ିକ ଅର୍ଥାତ୍ କର୍ମଚାରୀମାନେ ନିର୍ଦ୍ଦିଷ୍ଟ କରିବାକୁଥିବା “ମାନଦଣ୍ଡ” ଓ ପରିସର (“କ୍ଷେତ୍ର”)ର ଅନୁବର୍ତ୍ତୀ କରାଇବା ଷଡଯନ୍ତ୍ର ଥିଲା ଏହି ଅତି ଧୂର୍ତ୍ତ ପ୍ରସ୍ତାବରେ ।

ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ନବୀନବାବୁଙ୍କ ତରଫଦାରୀ କରି ଏହି ପ୍ରସ୍ତାବ ଦୃଷ୍ଟେ କଳାପତାକା ଅଭିଯାନ ବନ୍ଦ କରିଦେବାକୁ ଆମ ଉପରେ ଚାପ ପ୍ରୟୋଗ କରିଥିଲେ । ଆମେ ରାଜି ନ ହେବାରୁ ତାଙ୍କ କାଗଜରେ ଆମ ସମ୍ବାଦ ଆଉ ଦେଲେନାହିଁ । କଳାପତାକା ଅଭିଯାନ ବ୍ୟାପକତର ହେଲା । ଓଡ଼ିଆ ଜାତି ତା ଭାଷା ଜନନୀ ପାଇଁ ସଂଗ୍ରାମ ଚଳାଇରଖିବାକୁ ନିଜ ପ୍ରତିଜ୍ଞାରେ ଅଟଳ ରହିଲା ।

ସୁତରାଂ ଏହି ଆନ୍ଦୋଳନ ଭିତ୍ତିରେ ମନ୍ତ୍ରୀମାନେ ପୁନଶ୍ଚ ବୈଠକ କଲେ ୧୪. ୩ . ୨୦୧୮ ତାରିଖରେ ଏବଂ ଏହି ବୈଠକରେ ୨୬. ୧ ୨. ୨୦୧୭ ତାରିଖର “ଦେଖାସୁନ୍ଦରୀ ବଉଳୀଗାଈ” ପ୍ରସ୍ତାବକୁ ସ୍ଵୟଂ ବିଲୁପ୍ତ ବୋଲି ଗ୍ରହଣ କରି ଏକ ସାନି ପ୍ରସ୍ତାବ ଗ୍ରହଣ କଲେ, ଯହିଁରେ ନିର୍ଦ୍ଦିଷ୍ଟ କରାଗଲା କି ଓଡ଼ିଆ ଭାଷାରେ ସେବା ପ୍ରଦାନ କରୁନଥିବା କର୍ମଚାରୀ ହିଁ ଦଣ୍ଡିତ ହେବେ (ବିଭାଗ ନୁହେଁ) ଓ ଏହାକୁ ପକ୍କା କରିବା ପାଇଁ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଏପରି ଦଣ୍ଡବିଧାନପାଇଁ ସରକାରୀ ଭାଷା ଆଇନର “ତୁରନ୍ତ” ସଂଶୋଧନ ସକାଶେ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇ ସଂଶୋଧନର “ଉଦ୍ଦେଶ୍ୟ ଓ କାରଣ” ନିର୍ଦ୍ଦିଷ୍ଟ କରିଦେଲେ ।

ସରକାରଙ୍କଠାରୁ ଗୋପନୀୟ (secret) ବର୍ଗରେ ଇଂରାଜୀ ଭାଷାରେ ନିର୍ଗତ ହୋଇଥିବା ଏହି ପ୍ରସ୍ତାବଟିର ଭାଷା ଥିଲା ଏହିପରି :

“Though the Act is very old Act and is in force since 1954, the provisions of the notification issued under sub section (2) of section 2 of the said Act vide notification No.7152-Gen. dtd 29.03.1985 published in the extra ordinary issue of the Odisha gazette No. 562 dtd 10.04.1985 directing all the employees and Officers of the State Government excepting those specified in the schedule thereto to use Odia language in all official noting, the same is not properly implemented as there is no provision of imposing penalty against the Officers or employees who are violating the provisions of the notifications under the Act.”

ଅତଏବ, ଆଇନଟିରେ ଦଣ୍ଡବିଧାନ ବ୍ୟବସ୍ଥା ନ ଥିବା ହେତୁ ଏହାକୁ କେହି ମାନୁନାହାନ୍ତି ବୋଲି ମୁଁ ଯାହା ଦର୍ଶାଇଥିଲି ୩।୯।୨୦୧୫ ତାରିଖରେ, ତା  ସହ ମନ୍ତ୍ରୀମଣ୍ଡଳ ଏକମତ ହୋଇଥିଲା ଏବଂ ଏହି କାରଣ ହେତୁ ଓଡ଼ିଆ ଭାଷାରେ କାମ ନ କରୁଥିବା କର୍ମଚାରୀ ଓ ପଦାଧିକାରୀଙ୍କ ଦଣ୍ଡବିଧାନ ପାଇଁ ଓଡିଶା ସରକାରୀ ଭାଷା ଆଇନର ତୁରନ୍ତ ସଂଶୋଧନପାଇଁ ନିର୍ଦ୍ଦେଶ ଦେଇଥିଲା । ଏହି ପ୍ରସ୍ତାବ ଭିତ୍ତିରେ ନିର୍ଗତ ପ୍ରେସ ବିଜ୍ଞପ୍ତିରେ ଏହା ହିଁ ଲେଖା ଅଛି :

“Government have decided to bring the amendment immediately providing penalties for such erring officers and employees who don’t obey the directions issued under sub section 2 of section 2 , so that they will implement the provisions of the notification in its letter and spirit.”

ଅତଏବ, ୧୪. ୩ . ୨୦୧୮ ତାରିଖରେ ଅନୁଷ୍ଠିତ ବୈଠକରେ ରାଜ୍ୟ ମନ୍ତ୍ରୀମଣ୍ଡଳ ଗତ ୨୬. ୧ ୨. ୨୦୧୭ ତାରିଖରେ  ଗୃହୀତ “ଦେଖାସୁନ୍ଦରୀ ବଉଳୀଗାଈ” ପ୍ରସ୍ତାବକୁ ସ୍ଵତଃ ବିଲୁପ୍ତ ହୋଇସାରିଥିବା ମାନି ଏକ ସାନି ପ୍ରସ୍ତାବରେ ଭାଷା ଆଇନ ଉଲ୍ଲଙ୍ଘନ ଦୋଷରେ କୌଣସି ବିଭାଗ ନୁହେଁ, ପରନ୍ତୁ କେବଳ କର୍ମଚାରୀ ଓ ପଦାଧିକାରୀମାନେ ଦଣ୍ଡିତ ହେବେ ବୋଲି ସ୍ପଷ୍ଟ କରିଥିଲା ଏବଂ “ଆଇନଟିରେ ଦଣ୍ଡବିଧାନ ବ୍ୟବସ୍ଥା ନ ଥିବା ହେତୁ ତାହା କାର୍ଯ୍ୟକାରୀ ହୋଇପାରୁନି” ବୋଲି ମୁଁ ପରିଶିଷ୍ଟ ‘କ’ର ପ୍ରଚ୍ଛଦପତ୍ରରେ ଯାହା କହିଥିଲି ତାହାର ଯଥାର୍ଥତା ସ୍ଵୀକାର କରି,  ଭାଷା ଆଇନର ଖିଲାପକାରୀ କର୍ମଚାରୀ ଓ ପଦାଧିକାରୀମାନଙ୍କ ବିରୁଦ୍ଧରେ ଦଣ୍ଡବିଧାନ ବ୍ୟବସ୍ଥା ଖଞ୍ଜି ତୁରନ୍ତ ଆଇନ ସଂଶୋଧନ ପାଇଁ ନିର୍ଦ୍ଦେଶ ଦେଇ ସଂଶୋଧନର “ଉଦ୍ଦେଶ୍ୟ ଓ କାରଣ” ମଧ୍ୟ ନିର୍ଦ୍ଦିଷ୍ଟ କରିଥିଲା ।

କ୍ଷୋଭର କଥା,  ଓଡିଶା ସରକାରୀ ଭାଷା ଆଇନ ବ୍ୟାପାରରେ ସବୁଠୁ ବଡ଼ ନିର୍ଣ୍ଣାୟକ ନିଷ୍ପତ୍ତି ନେଇଥିବା ୧୪. ୩ . ୨୦୧୮ତାରିଖ  ମନ୍ତ୍ରୀମଣ୍ଡଳ ବୈଠକର ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ଆଗତ କରିଥିବା ସଂଶୋଧନ ବିଧେୟକରେ ଉଦ୍ଦେଶ୍ୟମୂଳକ ଭାବେ ନିଶ୍ଚିହ୍ନ କରି ବିଲୁପ୍ତ ହୋଇସାରିଥିବା ୨୬. ୧ ୨. ୨୦୧୭ ତାରିଖର ସେହି ତିନି ନମ୍ବର ପ୍ରସ୍ତାବକୁ ଭାଷା ଆଇନ ଖିଲାପକାରୀଙ୍କୁ ସୁହାଇଲା ପରି ଅଦଳବଦଳ (tampering) କରି ସଂଶୋଧନର ଭିତ୍ତି ଭାବେ ପ୍ରଦର୍ଶିତ କରାଯାଇଛି । କାରଣ ଏତଦ୍ଦ୍ଵାରା ହିଁ କେବଳ ଭାଷା ଆଇନର ତୁରନ୍ତ କାର୍ଯ୍ୟକାରିତା ବନ୍ଦ କରାଯାଇ ପାରିବ ଓ କର୍ମଚାରୀମାନେ “ନିର୍ଦ୍ଦିଷ୍ଟ” କରିବାକୁଥିବା “ମାନଦଣ୍ଡ” ଓ “କ୍ଷେତ୍ର” ଭିତରେ ଓଡ଼ିଆ ଜାତିର ଭାଷା ଜନନୀକୁ କଏଦୀ କରି ରଖାଯାଇପାରିବ ଏବଂ କର୍ମଚାରୀମାନଙ୍କ ଦୋଷ ପାଇଁ ବିଭାଗଗୁଡ଼ିକୁ ଅର୍ଥାତ୍ ଓଡ଼ିଶାର ଜନସାଧାରଣଙ୍କୁ ଦଣ୍ଡିତ କରାଯାଇ ପାରିବ ।

ଆପେ ଆପେ ମରିଯାଇଥିବା (expired) ଗୋଟେ ବିଧି ବହିର୍ଭୂତ ପ୍ରସ୍ତାବକୁ ସମ୍ପୂର୍ଣ ଅନଧିକୃତ ଭାବେ ବ୍ୟବହାର କରି କିପରି ଏହି ବିଧେୟକର ଭିତ୍ତି କରାଯାଇପାରେ ଓ ଯେଉଁ ବିଧିସମ୍ମତ ପ୍ରସ୍ତାବ ଏହି ବିଧେୟକ ପ୍ରଣୟନ ପାଇଁ ଉଦ୍ଦିଷ୍ଟ ଥିଲା ତାକୁ ମାରିଦିଆଯାଇପାରେ,  ତାହା ଏହି ବିଧେୟକ ଉପରେ ନିଷ୍ପତ୍ତି ନେଲାବେଳେ ଆମ ବିଧାନସଭା ଓ ବିଧାୟକମାନେ ବିଚାରକୁ ନେବା ଓ ମୋର ଅଭିଯୋଗ ଯଦି ଅସତ୍ୟ ନୁହେଁ, ତେବେ ମୁଖ୍ୟମନ୍ତ୍ରୀ ଉପସ୍ଥାପିତ କରିଥିବା ଓଡ଼ିଶା ସରକାରୀ ଭାଷା  (ସଂଶୋଧନ) ବିଧେୟକ, ୨୦୧୮କୁ ପ୍ରତ୍ୟାଖ୍ୟାନ କରି ଆଇନ ପ୍ରଣୟନକାରୀ ଗୃହର ମର୍ଯ୍ୟାଦା ରକ୍ଷାକରିବା ଆବଶ୍ୟକ । ବସ୍ତୁତଃ ଓଡ଼ିଆ ଜାତିର ଭାଷା ଅଧିକାର ଧ୍ଵଂସ କରିବା ପାଇଁ ବିଜୁ ପଟ୍ଟନାୟକଙ୍କ ପୁଅ ନବୀନ ପଟ୍ଟନାୟକ ଏହି ସାଂଘାତିକ ଷଡ଼ଯନ୍ତ୍ର କରିଛନ୍ତି , କାରଣ ଏହା ହିଁ ଥିଲା ବିଜୁଙ୍କ ସଫଳ ହୋଇପାରିନଥିବା ଅଭିସନ୍ଧି (ବିଜୁଙ୍କ ଛୁରା, ସୁଭାଷ ଚନ୍ଦ୍ର ପଟ୍ଟନାୟକ,ଦୈନିକ ସୂର୍ଯ୍ୟପ୍ରଭା ଓ ଭାଷାଆନ୍ଦୋଳନ.କମ୍ , ୨୦୧୧୭)। ବିଧାନସଭା ଯଦିଏହି ଷଡଯନ୍ତ୍ରକୁ ବ୍ୟର୍ଥ ନକରାଏ, ଓଡ଼ିଆ ଜାତି ପ୍ରତି ତାହା ହେବ ଚରମ ବିଧାୟକୀୟ ପ୍ରତାରଣା ।

ଏହି ବିଧେୟକ ପ୍ରତ୍ୟାଖ୍ୟାତ ବା ପ୍ରତ୍ୟାହୃତ ହେବା ଆବଶ୍ୟକ ; କାରଣ ଯେଉଁ ରୂପରେ ଏହି ଚିଠା ବିଧାନସଭା ସମ୍ମୁଖରେ ରଖାଯାଇଛି ସେହି ରୂପରେ ଏହା ଗୃହୀତ ହୋଇଗଲେ ଓଡ଼ିଆ ଜାତି ତା ମାତୃଭାଷା କ୍ଷେତ୍ରରେ ପ୍ରବଞ୍ଚିତ ହୋଇ ରହିବ  ଓ ନିଜର ବସ ଅଧିକାର ହରାଇବ ।

ଭଲଭାବେ ଜାଣନ୍ତୁ ଓଡିଶା କାହିଁକି ସୃଷ୍ଟି ହେଲା

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଶା କିପରି ସୃଷ୍ଟିହେଲା ? କାହିଁକି  ସୃଷ୍ଟି ହେଲା ? କେଉଁମାନେ ଥିଲେ ତାର ପ୍ରକୃତ ନିର୍ମାତା ? କି ତପସ୍ୟା ଥିଲା ତାର ମୂଳାଧାର ? ଏହା ଯତ୍ପରୋନାସ୍ତି ସଂକ୍ଷେପରେ ଓ ସଠିକ ଭାବେ ଜାଣିବା ପାଇଁ ଏହି କ୍ଷୁଦ୍ର ବହିଟିକୁ ପଢ଼ନ୍ତୁ ।

ଓଡ଼ିଶାର ଭାଷା ଭିତ୍ତିକ ଜାତୀୟତାକୁ ପୁନର୍ଜୀବିତ କରିବାପାଇଁ ଏହି ଅମ୍ଲାନ ପ୍ରୟାଶରୁ ଭାଷା ଆନ୍ଦୋଳନର ସୃଷ୍ଟି । ୨୦୦୯ରେ ବିଶ୍ଵବାସୀ ଓଡ଼ିଆଙ୍କ ସମ୍ମୁଖରେ ଏହାର ପ୍ରଥମ ଉପସ୍ଥାପନା ହୋଇଥିଲା scribd.com ମାଧ୍ୟମରେ । ଏହି ସଂଯୋଗ ସରଣୀରୁ ଆପଣ ସମଗ୍ର ବହିଟି ପାଇବେ > https://www.scribd.com/doc/19216578/Role-of-Mass-Media-in-Creation-of-Orissa

ଭୁବନେଶ୍ଵରର ଶବ୍ଦସ୍ପର୍ଶ ଏହାକୁ ପୁସ୍ତକ ରୂପେ ମୁଦ୍ରିତ କରିଛି ଓ ଏ.କେ.ମିଶ୍ର ଏଜେନ୍ସି ଏହାକୁ ବିକ୍ରୟ କରୁଛି । ଆପଣ ଚାହିଁଲେ ନିଜ ପାଠାଗାର ପାଇଁ ଏହାକୁ ସେଠାରୁ କିଣିପାରିବେ ।

ଏଥିରେ ଆପଣ ପାଇବେ କେବଳ ଆମ ଭାଷା ପାଇଁ ହିଁ କିପରି ଆମ ରାଜ୍ୟ ନେଇଛି ଜନ୍ମ । ଓଡ଼ିଆ ଭାଷା ହିଁ କିପରି ଓଡିଶା ସୃଷ୍ଟି କରିଛି ତାର ସମସ୍ତ ପ୍ରାମାଣିକ ତଥ୍ୟ ଗଭୀର ବିଶ୍ଳେଷଣ ସହ ଏଥିରେ ସନ୍ନିହିତ । ଏହାକୁ ମନଦେଇ ପଢ଼ନ୍ତୁ ।

ଏହା ପଢ଼ିବାକୁ ଦି ଘଣ୍ଟା ଲାଗିପାରେ, ଦି ଦିନ ବି ଲାଗିପାରେ । କିନ୍ତୁ ମୋର ବିଶ୍ଵାସ , ଆପଣ ଚାହିଁଲେ ଉତ୍କଳ ଦିବସ ପୂର୍ବରୁ ଏହାକୁ ପଢ଼ିସାରିଥିବେ ।

ଅନ୍ଧ ପରି ଉତ୍କଳ ଦିବସ ପାଳିବା ପରିବର୍ତ୍ତେ ପ୍ରଥମେ ଜାଣନ୍ତୁ କେତେ କାହାର ତପସ୍ୟା ଫଳରେ ଆମ ପ୍ରଦେଶ ସୃଷ୍ଟି ହେଲା ଓ କାହିଁକି ସୃଷ୍ଟିହେଲା ।

ଆମ ପ୍ରଦେଶର ସୃଷ୍ଟି ତତ୍ତ୍ଵ ଜାଣି , ଏହାର ଉଦ୍ଦେଶ୍ୟ ସଫଳ କରିବାକୁ ଆମକୁ ଭାଷା ଆନ୍ଦୋଳନକୁ ସର୍ବବ୍ୟାପୀ କରିବାକୁ ହିଁ ହେବ ।

ବନ୍ଦେ ଓଡ଼ିଆ ଭାଷା ଜନନୀ ।

ଓଡ଼ିଆ ଭାଷା ବିରୁଦ୍ଧରେ ସୌମ୍ୟ ବାବୁଙ୍କ ନୂଆ ଚାଲ୍ : ଆନ୍ଦୋଳନରତ ଶିକ୍ଷକଙ୍କୁ ବ୍ଲାକମେଲର ଆଖ୍ୟା

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ନୂଆ ଡାହାଣୀ ପୁଅ ଖେଳାଇଲା ପରି ବିଜେଡିରେ ନୂଆ ପଶିଥିବା ସମ୍ବାଦ ସମ୍ପାଦକ ବାବୁ ସୌମ୍ୟରଞ୍ଜନ ପଟ୍ଟନାୟକ ନବୀନବାବୁଙ୍କୁ ଖୁସି କରିବାକୁ ନିଜ ଟିଭି ଚ୍ୟାନେଲ୍ ସମ୍ପାଦକଙ୍କ ମୁହଁରେ ଶିକ୍ଷକମାନଙ୍କୁ ‘ବ୍ଲାକମେଲର’ ବୋଲି କୁହାଇଛନ୍ତି • ଏହାକୁ ସମାଲୋଚନା କରି ସାମାଜିକ ଗଣମାଧ୍ୟମରେ ମୁଁ ଲେଖିଥିଲି କି, ସେ ଏଥିପାଇଁ ଦୁଃଖ ପ୍ରକାଶ କରିବା ଉଚ୍ଚିତ • ଯଦି ନିଜଆଡୁ ସେ ଏପରି ପ୍ରଚାର କରାଇନଥାନ୍ତି ତେବେ ଚ୍ୟାନେଲ୍ ସମ୍ପାଦକଙ୍କୁ ଶିକ୍ଷକକୁଳ ଓ ରାଜ୍ୟବାସୀଙ୍କ ନିକଟରେ ନିସର୍ତ୍ତ କ୍ଷମା ମାଗିବାକୁ କହନ୍ତୁ ବୋଲି ମଧ୍ୟ ମୁଁ କହିଥିଲି • ସେ ବା ତାଙ୍କ ଚ୍ୟାନେଲ୍ ଏଥିପାଇଁ କର୍ଣ୍ଣପାତ କରିନାହାନ୍ତି •

ସେ ତ ଆନ୍ଦୋଳନକାରୀ ଶିକ୍ଷକମାନେ ବ୍ଲାକମେଲ୍ କରୁଛନ୍ତି ବୋଲି କହିଲେ / କୁହାଇଲେ • ଆମେ କାହିଁକି ତାହାକୁ ନିନ୍ଦା କରୁଛୁ ? ଏ ପ୍ରଶ୍ନର ଉତ୍ତର ସ୍ପଷ୍ଟ ହେବା ଉଚ୍ଚିତ •

ଆମ ବିଚାରରେ , ଯେଉଁ ଶିକ୍ଷକମାନେ କୋଡ଼ିଏ ପଚିଶ ବର୍ଷ ଧରି ବିଦ୍ୟାଳୟମାନଙ୍କରେ ପଢ଼ାଇ ଆସିଥିଲେ ମଧ୍ୟ ଚାକିରୀରେ ସ୍ଥାୟୀ ହୋଇ ନ ପାରି , ଅର୍ଥନୀତିକ ଦୁରାବସ୍ଥାରେ ସଢୁଛନ୍ତି, ସେମାନେ ସମସ୍ତେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ହିଁ ପାଠ ପଢ଼ାଉଛନ୍ତି ଓ ସେହିମାନଙ୍କ ହେତୁ ଓଡ଼ିଆ ଭାଷା ସମସ୍ତ ସରକାରୀ ଷଡ଼ଯନ୍ତ୍ର ସତ୍ତ୍ବେ ଏଯାଏଁ ବଞ୍ଚି ରହିଛି •

ନିଜର ସର୍ବନିମ୍ନ ଆବଶ୍ୟକତା ପୁରଣପାଇଁ ସେମାନଙ୍କ ସବୁ ପ୍ରାର୍ଥନା ବ୍ୟର୍ଥ ହେଲାପରେ ସେମାନେ ନିରୁପାୟ ଅବସ୍ଥାରେ ଆନ୍ଦୋଳନ କରୁଛନ୍ତି • ସେମାନଙ୍କ ଆନ୍ଦୋଳନକୁ ସମର୍ଥନ କରିବା ପରିବର୍ତ୍ତେ ସେମାନେ ବ୍ଲାକମେଲ୍ କରୁଛନ୍ତି ବୋଲି ସୌମ୍ୟ ବାବୁ ତାଙ୍କ ଟିଭି ଚ୍ୟାନେଲରେ କୁହାଇବା କେବଳ ଯେ ଆମ ଜାତି ପାଇଁ ଲଜ୍ଜାଜନକ, ସେତିକି ନୁହେଁ, ଓଡ଼ିଆ ଭାଷାପାଇଁ ବି ଘୋର କ୍ଷତିକାରକ • ଏତଦ୍ଦ୍ଵାରା ସେମାନଙ୍କ ମଥାରେ ବ୍ଲାକମେଲିଂ କରୁଥିବାର ଯେଉଁ କଳଙ୍କ ବୋଳି ଛାତ୍ର ଛାତ୍ରୀ ଓ ସାଧାରଣ ଲୋକଙ୍କ ଆଖିରେ ସେମାନଙ୍କ ପବିତ୍ର ଭାବମୂର୍ତ୍ତିକୁ ନଷ୍ଟ କରିବାକୁ ଅପୋଦ୍ୟମ ହୋଇଛି ତାହା ସର୍ବଥା ନିନ୍ଦନୀୟ • ଏଣୁ ଆମେ ତାଙ୍କୁ ନିନ୍ଦା କରୁଛୁ •

ଓଡ଼ିଆ ଭାଷା ବିରୁଦ୍ଧରେ ଏହା ସୌମ୍ୟ ବାବୁଙ୍କର ଏକ ନୂଆ ଚାଲ୍ • ତାଙ୍କ ପୁରୁଣା ଚାଲ୍ ସମ୍ପର୍କରେ ବାରାନ୍ତରେ ଆଲୋଚନା କରିବା •

ଏହି ପ୍ରତିବେଦନ ଏଇଠି ସାରିବା ପୂର୍ବରୁ ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ ଯେ , ଓଡ଼ିଆମାଧ୍ୟମ ଶିକ୍ଷାୟତନମାନଙ୍କରେ ନିଯୁକ୍ତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଭାଷା ଆନ୍ଦୋଳନ ପୂର୍ଣ୍ଣପ୍ରାଣରେ ସମର୍ଥନ କରେ ଓ ସେମାନଙ୍କୁ ଚାକିରୀଗତ ଅସ୍ଥିରତା କବଳରୁ ଉଦ୍ଧାର କରି ଉପଯୁକ୍ତ ବେତନ ପ୍ରଦାନ କରାଯିବା ଉପରେ ଗୁରୁତ୍ବ ଦିଏ ; କାରଣ, ଏତଦ୍ଦ୍ଵାରା ହିଁ ଓଡ଼ିଆ ଜାତିର ଭବିଷ୍ୟ ପିଢ଼ି ହୃଦୟରେ ଓ ତାର କଣ୍ଠରେ ଓ କଲମରେ ଆମ ମାତୃଭାଷା ବଞ୍ଚିରହିବ ଓ ବିକଶିତ ହୋଇଚାଲିବ ; ଜବାହାରଲାଲ ନେହରୁ ବିଶ୍ଵବିଦ୍ୟାଳୟ ପରି ବାହାର ବିଶ୍ଵବିଦ୍ୟାଳୟମାନଙ୍କରେ ଓଡ଼ିଆ ଚଉକି ସଜାଇ କୋଟି କୋଟି ଟଙ୍କା ବ୍ୟୟରେ ତହିଁ ଉପରେ ଭାଷା ମାଫିଆଙ୍କ ଅଭିଷେକ ଦ୍ଵାରା ନୁହେଁ •

ଜୟ ଓଡ଼ିଆ ଭାଷା ଜନନୀ •

ମାତୃଭାଷାର ଆତାପୀ ବାତାପୀ: ଦେବୀ ପ୍ରସନ୍ନ ଓ ସୁବ୍ରତ – ଏକ ଗୋପନ ତଥ୍ୟ

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଅଧ୍ୟକ୍ଷ , ଭାଷା ଆନ୍ଦୋଳନ, ଓଡିଶା

ସୈତାନ ହରିନାମ ଜପିଲାପରି ମାତୃଭାଷାର ନାମ ଜପୁଥିବା କେତେକ ବ୍ୟକ୍ତି ଆମ ଭାଷା ଜନନୀକୁ ଛୁରିମାରିଚାଲିଛନ୍ତି । ସେମାନଙ୍କ ଭିତରୁ ଭାଷାବିତ୍ ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ତାଙ୍କ ସହ ମିଶି ଶାସ୍ତ୍ରୀୟ ମାନ୍ୟତା ସଂକ୍ରାନ୍ତୀୟ ସରକାରୀ ସନ୍ଦର୍ଭ ଚୋରିକରିଥିବା ସୁବ୍ରତ କୁମାର ପୃଷ୍ଟି ଆତାପୀ ବାତାପୀ ଯୋଡି ପରି ଓଡ଼ିଆ ଭାଷା ଜନନୀକୁ ଭିତରୁ ମାରିବାକୁ ଥରେ ଉଦ୍ୟମ କରିଥିଲେ ଉତ୍କଳ ବିଶ୍ଵବିଦ୍ୟାଳୟ ପରିସରରେ । ଯଦିଓ ସଫଳ ହେଲେ ନାହିଁ , ଆଜି ମାତୃଭାଷା ଦିବସରେ ଏହି ଯୋଡିର ସେହି କୁତ୍ସିତ ପ୍ରୟାସ ସମସ୍ତଙ୍କ ଅବଗଟିକୁ ଆସିବା ଆବଶ୍ୟକ ।

ଓଡ଼ିଆ ଭାଷାର ବୈଶିଷ୍ଟ୍ୟ ରକ୍ଷା ଓ ବିକାଶରେ ଉତ୍କଳ ବିଶ୍ଵବିଦ୍ୟାଳୟର ବିଶେଷ ଭୂମିକା ରହିଛି । ଓଡ଼ିଆ ଭାଷାରେ ଉଚ୍ଚତମ ଅଧ୍ୟୟନ ଓ ଗୁରୁତ୍ବପୂର୍ଣ ଗବେଷଣା ଏହିଠାରେ ହୁଏ । ଓଡ଼ିଆ ଭାଷାର ଯୋଗ୍ୟତମ ବିଦ୍ଵାନମାନେ ଏହି ବିଭାଗରେ ଅଧ୍ୟାପକ ଥିଲେ, ଓ ହେବା କଥା । ମାତ୍ର ସୁବ୍ରତ ପୃଷ୍ଟିଙ୍କ ପରି ଜଣେ ଅଯୋଗ୍ୟ ବ୍ୟକ୍ତିଙ୍କୁ ଏଠାରେ ଅଧ୍ୟାପକ ବନାଇବା ପାଇଁ ଦେବୀ ପ୍ରସନ୍ନ ଯେଉଁ ହୀନ ଉଦ୍ୟମ କରିଥିଲେ ତାହା ସଫଳ ହୋଇଥିଲେ ଓଡ଼ିଆ ଭାଷାରେ ଉଚ୍ଚତମ ଶିକ୍ଷା ବିପନ୍ନ ହୋଇଥାନ୍ତା ଓ ଗବେଷଣା ଲକ୍ଷ୍ୟଭ୍ରଷ୍ଟ ହୋଇଥାନ୍ତା ।

ଦେବୀ ପ୍ରସନ୍ନଙ୍କ ସମସ୍ତ ଅପଚେଷ୍ଟା ସତ୍ତ୍ବେ ସୁବ୍ରତ ଯୋଗ୍ୟ ବିବେଚିତ ହେଲେ ନାହିଁ । କିନ୍ତୁ ଏହି ପ୍ରସ୍ଫୁଟିତ ତଥ୍ୟକୁ ଅନୁଶୀଳନ କରି ଯେ କୌଣସି ବିଶ୍ଵବିଦ୍ୟାଳୟ ପାଇଁ ଶିକ୍ଷକ ମନୋନୟନ କ୍ଷେତ୍ରରେ ଡ଼. ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ଯଦି କଳାତାଲିକାଭୁକ୍ତ କରାନଯାଏ ତେବେ ଭବିଷ୍ୟତରେ ଏହି ଆତାପୀ ବାତାପୀ ଯୋଡି ଯେ ଓଡ଼ିଆ ଭାଷା ଜନନୀ ପାଇଁ ଅଧିକ ବିପଦ ସୃଷ୍ଟି ନକରିବେ ତାହା କହି ହେବନାହିଁ । ଅନ୍ୟର ଗବେଷଣା ପ୍ରସୂତ ତଥ୍ୟ ପ୍ରମାଣ ଚୋରିକରିବା ଏହି ଯୋଡିର ଅଭ୍ୟାସ । ଏହି ଉଦ୍ଦେଶ୍ୟରେ ହୁଏତ ଉତ୍କଳ ବିଶ୍ଵବିଦ୍ୟାଳୟରେ ସୁବ୍ରତଙ୍କ ଭର୍ତ୍ତି କରିବା ପାଇଁ ଦେବୀ ପ୍ରସନ୍ନ ଉଡୁଅମ କରିଥିଲେ ଓ ଏହି ଉଦ୍ଦେଶ୍ୟରେ ବି ଭବିଷ୍ୟତରେ ଉଦ୍ୟମ କରିପାରନ୍ତି ।

ଉତ୍କଳ ବିଶ୍ଵବିଦ୍ୟାଳୟର ତତ୍କାଳୀନ ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ଡ଼. ସନ୍ତୋଷ ତ୍ରିପାଠୀ ଓ ଓଡ଼ିଶାର ଜଣେ ବିଶିଷ୍ଟ ଶିକ୍ଷାବିତ୍ ନିଜ ଭିତରେ କରିଥିବା ଆଲୋଚନାରୁ ଏହି ତଥ୍ୟ ଆମ ଦୃଷ୍ଟିକୁ ଆସିଛି । ମାତୃଭାଷା ଦିବସରେ ଏହି ତଥ୍ୟ ଆମେ ଓଡ଼ିଶାର ମାତୃଭାଷାପ୍ରେମୀ ଜନସାଧାରଣଙ୍କୁ ଭେଟି ଦେଉଛୁ । ଏହାକୁ ଏହି ସଂଯୋଗ-ସରଣୀରେ ଘେନା କରନ୍ତୁ :

ନୌକର ଭାଷାରେ ମାଲିକ ଚାଲିବ କି ମାଲିକ ଭାଷାରେ ନୌକର ?

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ସରକାରୀ ଆଚରଣରେ ଆଘାତଗ୍ରସ୍ତ ହୋଇ ହୋଇ ଓଡ଼ିଆ ଭାଷା ଜନନୀ ଯେଉଁପରି ମୁମୂର୍ଷୁ ହୋଇପଡିଛି ତାର ଉପଚାର ପାଇଁ ମୁଁ ଏଥର ଜାଣିଶୁଣି ‘ନୌକର’ ବା ‘ଚାକର’ ଶବ୍ଦ ବ୍ୟବହାର କରିବି ଆମ ଜନସାଧାରଣ ଓ କର୍ମଚାରୀମାନଙ୍କ କ୍ଷେତ୍ରରେ ଥିବା ମୌଳିକ ତଫାତ ସ୍ପଷ୍ଟ କରିବାପାଇଁ ।

ଦରମାଖିଆଙ୍କଠାରୁ ଜନସାଧାରଣଙ୍କ ଭିନ୍ନତା ସ୍ପଷ୍ଟ ହେବା ଓ କର୍ମଚାରୀମାନେ ନିଜକୁ ଶାସକ ବୋଲି ଭାବିବା ବନ୍ଦ କରିବା ଆବଶ୍ୟକ ।

ଦରମାଖିଆ ଲୋକେ ଯାହାର ରାଜକୋଷରୁ ଦରମା ନେଉଛନ୍ତି, ତା ଭାଷାରେ ସେବା ଦେବେ କି ଦରମାଖିଆଙ୍କ ଭାଷାରେ ଦରମା ଦେଉଥିବା ଲୋକେ ନିଜକୁ ଚଳାଇବେ – ଏହି ପ୍ରଶ୍ନ ଏଣିକି ତୋଳାଯିବ ସମସ୍ତ ସମ୍ଭବ ଦୃଢତାର ସହ । ମନ୍ତ୍ରୀ ହୁଅନ୍ତୁ ବା ସଚିବ ହୁଅନ୍ତୁ ବା ଯେ କୌଣସି ଅମଲା,ଦରମାଖିଆ ନୌକର ଭାଷାରେ ଦରମାଦାତା ମାଲିକ ଚାଲିବ କି ମାଲିକ ଭାଷାରେ ନୌକର – ଏହି ପ୍ରଶ୍ନ ପଚାରିବ ଭାଷା ଆନ୍ଦୋଳନ ।

ଆମ ଭାଷା ଜନନୀ ଦରମାଖିଆଙ୍କ ଗୋଇଠା ମାଡ଼ ବହୁତ ସହିଲାଣି ; ଆଉ ନୁହେଁ ।

ଚାକର ଭାବେ ବିବେଚିତ ହେବାକୁ ଯେଉଁମାନେ ନ ଚାହିଁବେ , ସେମାନେ ଆମ ଭାଷା କହନ୍ତୁ , ଆମ ଭାଷାରେ କାମ କରନ୍ତୁ , ଆମ ଭାଇ ହୋଇ ରହନ୍ତୁ । ନିଷ୍ପତ୍ତି ସେମାନଙ୍କର ।

ଗତ ପ୍ରାୟ ଦୁଇ ବର୍ଷର କଳାପତାକା ଅଭିଯାନରେ ଆମେ ଗୋଟିଏ ବ୍ୟଥାଦାୟକ ଅଭିଜ୍ଞତା ଅର୍ଜନ କରିଛୁ । ତାହା ହେଲା , ଆମ ଓଡ଼ିଶାର ସାହିତ୍ୟିକମାନେ ଭାଷା ଆନ୍ଦୋଳନ ସହ ଜଡ଼ିତହେବାକୁ ଆଗେଇ ଆସୁନାହାନ୍ତି । ଏକାଡେମୀ ପୁରସ୍କାର ହେଉ ବା ଜ୍ଞାନପୀଠ ପୁରସ୍କାର ହେଉ ବା ସରସ୍ବତୀ ପୁରସ୍କାର ହେଉ ବା ପଦ୍ମ ପୁରସ୍କାର ହେଉ – ଏପରି ପୁରସ୍କାରରେ ଝଲସୁଥିବା ଓଡ଼ିଆ ସାହିତ୍ୟିକମାନେ ଭାଷା ଆନ୍ଦୋଳନ ସହ ନିଜ ନିଜକୁ ଯୋଡୁନାହାନ୍ତି ।

ଏହା ଭାଷା ଆନ୍ଦୋଳନର ଗୁରୁତ୍ବ ଓ ଗାରିମା ପ୍ରତି ଏକ ଆହ୍ବାନ କି ? ନାଁ , ଆଦୌ ନୁହେଁ ।

ପ୍ରଥମ କଥା ହେଉଛି, ସେମାନେ ଯଦି ମଣିଷ ହୋଇଥାନ୍ତେ , ଆମକୁ କିଆଁ କଳାପତାକା ଧରିବାକୁ ପଡ଼ନ୍ତା ?

କହିବାକୁ କଷ୍ଟ , କିନ୍ତୁ ସତ ତ ହେଲା: ଭାଷା ମୌଳିକ , ସାହିତ୍ୟ ମୌଳିକ ନୁହେଁ । ଭାଷା ଆମ ଜନନୀ , ସାହିତ୍ୟ ନୁହେଁ ।

ଭାଷାରେ ‘ଭାବ’ ମିଶାଇ ସାହିତ୍ୟ କରାଯାଏ । ଭାବ ଶୁଭଙ୍କର ହୋଇପାରେ ,ଭୟଙ୍କର ହୋଇପାରେ ; ସାମାଜିକ ହୋଇପାରେ , ଅସାମାଜିକ ହୋଇପାରେ ; ରକ୍ଷଣଶୀଳ ହୋଇପାରେ , ପ୍ରଗତିଶୀଳ ହୋଇପାରେ । ସୁତରାଂ ସାହିତ୍ୟ ଏହି ସବୁ ରୂପ ନେଇପାରେ ।

ଏହି ରୂପେ ସମୁଦାୟ ଦୁଇ ପ୍ରକାରର ସାହିତ୍ୟିକ ଦୃଷ୍ଟିଗୋଚର ହୁଅନ୍ତି । ପ୍ରକାରଭେଦରେ ସେମାନଙ୍କୁ ଉଚ୍ଚମନା ସାହିତ୍ୟିକ ବା ନୀଚମନା ସାହିତ୍ୟିକ ଭାବେ ଚିହ୍ନଟ କରାଯାଇପାରେ ।

ପୁଞ୍ଜିବାଦ ପ୍ରଭାବରେ ଓଡ଼ିଶାରେ ନୀଚମନା ସାହିତ୍ୟିକ ଏବେ ହାଉଯାଉ । ସେମାନେ ଭାଷା ଆନ୍ଦୋଳନକୁ ଅସହଯୋଗ କରିବା ସ୍ବଭାବିକ ।

ସାହିତ୍ୟ ନଥାଇ ସମାଜ ଚାଲିବ । ଚାଲିଛି ।

ଓଡ଼ିଶାରେ କୌଣସି ସାହିତ୍ୟକୃତି ହଜାରରୁ ଅଧିକ ଛପାଯାଏ ନାହିଁ କି ଦି ବର୍ଷ ପୂର୍ବରୁ ଦ୍ବିତୀୟ ସଂସ୍କରଣ ଆବଶ୍ୟକ ପଡେନାହିଁ । ତେଣୁ ହାରାହାରି ପାଆଂଶ ଲୋକଙ୍କୁ ଛାଡି ଯେ କୌଣସି ବର୍ଷ ଯେକୌଣସି ସାହିତ୍ୟିକ ଅବଶିଷ୍ଟ ପ୍ରାୟ ସାଢେ ଚାରିକୋଟି ଓଡ଼ିଆଙ୍କ ଭିତରୁ କାହାରି ଦୃଷ୍ଟି ବି ଆକର୍ଷଣ କରନ୍ତି ନାହିଁ । ଅବସ୍ଥା ଏପରି ଯେ, ‘ସରସ୍ବତୀ’ସମ୍ମାନ ପ୍ରାପ୍ତ କବି ରମାକାନ୍ତ ରଥଙ୍କ ଏକ କାବ୍ୟକୃତି ଦି ବର୍ଷରେ ସମୁଦାୟ ପଚାଶ ଖଣ୍ଡ ବି ବିକ୍ରୀ ହୋଇପାରିନଥିଲା ବୋଲି ସେ ମହାପାତ୍ର ନୀଳମଣି ସାହୁଙ୍କୁ ଏକ ଚିଠିରେ ଲେଖିଥିଲେ , ଯାହା ଅଧ୍ୟାପକ ବିଶ୍ଵରଞ୍ଜନଙ୍କ ସମ୍ପାଦିତ ‘ଚିଠି’ରେ ପ୍ରକାଶ ପାଇଛି । ଏହା ପ୍ରମାଣ କରୁଛି କି ‘ସରସ୍ବତୀ’ ସମ୍ମାନ ପାଇଥିବା ଆମ ଶ୍ରେଷ୍ଠ ସାହିତ୍ୟିକ ଆମ ଲୋକଙ୍କ ମନରେ ନାହାନ୍ତି ।

ଜ୍ଞାନପୀଠ ସମ୍ମାନ ପାଇଥିବା ସୀତାକାନ୍ତ ମହାପାତ୍ରଙ୍କ କବିତା ବହିରୁ କିଏ କେତେଖଣ୍ଡ ରଖିଛି ବୋଲି ଜାଣିବାକୁ ମୁଁ ମୋ ବନ୍ଧୁମାନଙ୍କ ଭିତରୁ ଦଶଜଣଙ୍କୁ ପଚାରିଥିଲି ବର୍ଷକ ତଳେ ; ଜଣକ ପାଖରେ ଦିଖଣ୍ଡ ଥିଲା , ନଅ ଜଣଙ୍କ ପାଖରେ ଖଣ୍ଡେ ବି ନଥିଲା । ଯେଉଁମାନଙ୍କୁ ପଚାରିଥିଲି ସେମାନେ ସମସ୍ତେ ଥିଲେ ସାହିତ୍ୟିକ । ଅତଏବ ଏହି ବିଶିଷ୍ଟ ସାହିତ୍ୟିକ ଆମ ସାହିତ୍ୟିକମାନଙ୍କ ଭିତରେ ବି ନିଜ ଆସ୍ଥାନ ଜମେଇ ପାରିନାହାନ୍ତି , ସାଧାରଣ ଲୋକଙ୍କ ପାଖରେ ଏଙ୍କ ସ୍ଥାନ ବା ଖୋଜିବା କାହିଁକି ?

ଏହା ସ୍ପଷ୍ଟ କରେ ଯେ, ସାହିତ୍ୟ ବିନା ସମାଜ ଚାଲିପାରେ । କିନ୍ତୁ ଭାଷା ବିନା କେହି ଚାଲିପାରିବେ ନାହିଁ । ଏଣୁ ଭାଷା ଆନ୍ଦୋଳନ କେଉଁ ସାହିତ୍ୟିକଙ୍କୁ ଅପେକ୍ଷା ରଖେନାହିଁ ।

ଓଡ଼ିଶାରେ ସାହିତ୍ୟ ପାଇଁ ପୁରସ୍କାର ପାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ସାମାନ୍ୟ କେତେକଙ୍କୁ ଛାଡ଼ି ବାକି ସମସ୍ତେ ସରକାରୀ କର୍ମଚାରୀ ଥିଲେ ଓ ଅଛନ୍ତି । ସେମାନେ ନିଜ ନିଜ ଅଫିସ କାମ ଯଦି ଓଡ଼ିଆରେ କରିଥାନ୍ତେ ତେବେ ଓଡ଼ିଆ ଭାଷା ଜନନୀ ଆଜି ମୁମୂର୍ଷୁ ଅବସ୍ଥା ଭୋଗୁନଥାନ୍ତା କି ନିଷ୍ଠୁର ନୌକରସାହି କବଳରେ ଓଡ଼ିଆ ଜାତି ତାର ଅସ୍ମିତା ହରାଇ ବସିନଥାନ୍ତା ।

ମାଆକୁ ନିଜ ଆୟର ମାଧ୍ୟମ କରି ଚାଲୁଥିବା ଲୋକେ ମାଆର ମର୍ଯ୍ୟାଦା ପାଇଁ ଲଢେଇ କରିବେ – ଏକଥା କାହିଁକି ଆମେ ଭାବିବା ?

ତେଣୁ କୌଣସି ସାହିତ୍ୟିକଙ୍କୁ ଅପେକ୍ଷା ନ କରି ଭାଷା ଆନ୍ଦୋଳନକୁ ଆଗେଇନେବାକୁ ହେବ ଏବଂ ସାହିତ୍ୟିକ ଅଧ୍ୟୁଷିତ ଦରମାଖିଆମଣ୍ଡଳୀକୁ ଏହା ବୁଝିବାକୁ ବାଧ୍ୟ କରାଯିବ ଯେ, ନୌକର ଭାଷାରେ ମାଲିକ ଚଳିବ ନାହିଁ , ମାଲିକ ଭାଷାରେ ନୌକର ଚଳିବ ।