ସୁଭାଷ ଚନ୍ଦ୍ର ପଟ୍ଟନାୟକ
ସଂଶୋଧନ ଆଳରେ ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ, ୧୯୫୪କୁ ସବୁଦିନପାଇଁ ଅକର୍ମଣ୍ୟ କରିଦେବାକୁ ତହିଁରେ ଧାରା ୩କକୁ କାଏମ ରଖି ଧାରା ୪ ଓ ଧାରା ୪କ ପରି ଯେଉଁ କ୍ଷତିକାରକ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ ଖଞ୍ଜିଛନ୍ତି ତାହା ଓଡ଼ିଆ ଜାତିର ଆଜନ୍ମ ବଇରୀ ହିଁ କେବଳ କରିପାରେ । ସେ ତାହା କରିଛନ୍ତି । କାରଣ ବାବୁ ନବୀନ ପଟ୍ଟନାୟକ ଜଣେ ଆଜନ୍ମ ଓଡ଼ିଆ ବିରୋଧୀ ବ୍ୟକ୍ତି । ତାଙ୍କ ବାପା ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ଓଡିଶା ସରକାରୀ ଭାଷା ଆଇନକୁ ଅତି ଅନଧିକୃତ ଭାବେ ୧୯୬୩ରେ ସଂଶୋଧିତ କରି ଇଂରାଜୀ ଭାଷାକୁ ବିଧାନସଭାରେ ସରକାରୀ ଭାଷା କରାଇଦେଇଥିଲେ, ଯାହା ଓଡ଼ିଆ ଭାଷାକୁ ପ୍ରଶାସନିକ କ୍ଷେତ୍ରରେ ବସ୍ତୁତଃ ଅଚଳ କରିଦେଇଛି । ପିତାଙ୍କ ପଥ ଅନୁସରଣ କରି ନବୀନ ବାବୁ ବି ଓଡ଼ିଆ ଭାଷାକୁ ମୁମୂର୍ଷୁତର କରାଇଛନ୍ତି । ଏପରିକି, ଗତ ବିଧାନସଭାରେ ପୁନଶ୍ଚ ଏକ ସଂଶୋଧନ ଆଣି ମୂଳ ଭାଷା ଆଇନକୁ ମଧ୍ୟ ଅକାମି କରିଦେଇଛନ୍ତି । ଏହା ବିରୁଦ୍ଧରେ ମୁଁ ତାଙ୍କୁ ପତ୍ର ଲେଖି ପ୍ରତିକାର ଦାବି କଲାପରେ, ଭାଷା ଆନ୍ଦୋଳନକୁ ଗଳା ମୋଡ଼ି ମାରିଦେବା ପାଇଁ , ଆନ୍ଦୋଳନର କଳାପତାକା ଧରିବାକୁ ଯେଉଁ ଦୁଇଜଣ ବ୍ୟକ୍ତି ସହଯୋଗୀ ଯୋଗାଡ଼ କରୁଥିଲେ ସେହି ଦୁଇଜଣଙ୍କୁ କାବୁ କରି ନେଇଛନ୍ତି । ସାରା ଓଡିଶା ଏହି ହୀନ ଚକ୍ରାନ୍ତ ବିରୁଦ୍ଧରେ ଜାଗି ଉଠିଛି ।
ଏହି ଚକ୍ରାନ୍ତକୁ ଅତ୍ୟନ୍ତ ଦୃପ୍ତତାର ସହ ବ୍ୟର୍ଥ କରିଦେଇଛନ୍ତି କେନ୍ଦ୍ରାପଡ଼ାର ଶ୍ରୀ ରଞ୍ଜନ କୁମାର ଦାସ ଓ ତାଙ୍କ ସହଯୋଗୀ ସର୍ବଶ୍ରୀ ଆଳୟ ସାମନ୍ତରାୟ, ଜିତେନ୍ଦ୍ର କୁମାର ସାହୁ , ନରେଶ ବେଉରା, ନବକିଶୋର ଦାସ, ଆଶିଷ ଖଟୁଆ, ସୂର୍ଯ୍ୟପ୍ରକାଶ ପାଣି ଓ ପ୍ରତାପ ମହାନ୍ତି । ସେମାନେ କୁଳଗୌରବ ମଧୁସୂଦନଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରୁ ଆନ୍ଦୋଳନର କଳାପତାକା ସହ ପାଦରେ ଚାଲି ଚାଲି ଭୁବନେଶ୍ଵରରେ ପହଞ୍ଚି ଓଡ଼ିଶାର ଏହି ନବଜାଗୃତିର ସ୍ଵାକ୍ଷର ରଖିଛନ୍ତି ଏବଂ ଛନକା ସୃଷ୍ଟିକରିଛନ୍ତି ଭାଷା ବିଦ୍ଵେଷୀ ନବୀନ ସରକାରଙ୍କ ଛାତିରେ । ସରକାରୀ ଚାପରେ ଓଡ଼ିଶାର ସମସ୍ତ ଗଣମାଧ୍ୟମ ଓଡ଼ିଆ ଜାତିର ଏହି ଶ୍ରେଷ୍ଠ ଲଢ଼େଇର ଦୃଶ୍ୟପଟକୁ ଲୋକଲୋଚନରୁ ଦୂରେଇ ରଖିଥିବା ବେଳେ ଭାଷା ଆନ୍ଦୋଳନର ଛତ୍ରପୁର ଶାଖା ସଂଚାଳକ ତଥା ଯୁବସାମ୍ବାଦିକ ସୌମ୍ୟରଂଜନ ନାୟକ ସାମାଜିକ ଗଣମାଧ୍ୟମ ଫେସ ବୁକରେ ଏହାର ସିଧା ପ୍ରସାରଣ କରିଥିଲେ । ଅତ୍ୟନ୍ତ ସୁଖର କଥା, ସାଧାରଣ ଲୋକର ନିଶଙ୍କ ସ୍ଵର ଭାବେ ସୁଖ୍ୟାତି ଅର୍ଜନ କରିଥିବା ପ୍ରତିଜ୍ଞା ଟିଭି ସୌମ୍ୟଙ୍କ ବିବରଣୀକୁ ଓଡ଼ିଆ ଜାତି ସ୍ଵାର୍ଥରେ ବିଶ୍ଵାର୍ପିତ କରିଛି । ଆମେ ଆଶା କରୁଛୁ, ଓଡ଼ିଆ ଜାତିର ବଇରୀଙ୍କ ବଡ଼େଇ ଭାଙ୍ଗିବାରେ ଏହା ସହାୟକ ହେବ ।