ପ୍ରଦ୍ୟୁମ୍ନ ଶତପଥୀଙ୍କ ସାହାଯ୍ୟକାରୀ ନିଜ ଭାରିଜାଙ୍କୁ ବନାଇଲେ ଯୌନଅଭିଯୋଗକାରିଣୀ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଭାଷା ଆନ୍ଦୋଳନକୁ ଛୁରି ମାରିବାକୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପତ୍ନୀଙ୍କ ଚାକିରିରୂପକ ସୁପାରି ନେଇଥିବା ପ୍ରଦ୍ୟୁମ୍ନ ଶତପଥୀ ଏହା କରାଇଛନ୍ତି କି ତାଙ୍କୁ ରାଜକୋଷ ଲୁଟିବା ପାଇଁ ପରିବେଶ ତିଆରିକରିଥିବା ଉଚ୍ଚଶିକ୍ଷା ବିଭାଗର ଅନୁଶାସନ ସଚିବ ସୂର୍ଯ୍ୟ ନାରାୟଣ ମହାପାତ୍ର ଏହା କରିଛନ୍ତି , ତାହା ଜଣାପଡ଼ିବ ଅଭିଯୋଗଟି ଅଦାଲତକୁ ଆସିଲେ ।

କିନ୍ତୁ, ସତ୍ୟନାରାୟଣ ମହାପାତ୍ର ନାମକ ଜଣେ ଓକିଲଙ୍କଠାରୁ ରେଜିଷ୍ଟାର୍ଡ ଡାକରେ ମୁଁ ପାଇଥିବା ଓକିଲ ନୋଟିସରୁ ଜଣା ପଡ଼େ, ଉପରୋକ୍ତ ଅଫିସରଙ୍କ ସ୍ତ୍ରୀ ନିର୍ମଳା ମହାପାତ୍ର ମୋ ବିରୁଦ୍ଧରେ ଅଭିଯୋଗ କରିଛନ୍ତି ଯେ, ମୁଁ ତାଙ୍କ ଘରକୁ ଯାଇ ତାଙ୍କ ଇଜ୍ଜତ ଲୁଣ୍ଠନ କରିଛି । ମୋତେ ଆଦୌ ନ ଜାଣିଥିବା ଏପରି ଜଣେ ମହିଳା ମୋ ବିରୁଦ୍ଧରେ ଏପରି ଏକ କପୋଳକଳ୍ପିତ ମିଥ୍ୟା ଅଭିଯୋଗ କାହିଁକି ଆଣିବେ?

ମୋର ଆଶଙ୍କା, ଉଚ୍ଚଶିକ୍ଷା ବିଭାଗର ଅନୁଶାସନ ସଚିବ ସୂର୍ଯ୍ୟ ନାରାୟଣ ମହାପାତ୍ର ପ୍ରଦ୍ୟୁମ୍ନ ଶତପଥୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଦାନ କରିବାକୁ ଥିବା ଉପର ସୂଚିତ ସୁପାରି-ସରଣି ସୁଗମ୍ୟ କରିବାକୁ ବିଭାଗୀୟ ନଥିରେ ଯେଉଁ ଆପରାଧିକ ଅଭିସନ୍ଧିମୂଳକ ଗାଲୁକଳ୍ପ ପ୍ରୟୋଗ କରିଥିଲେ, ତାହା ମୁଁ ପ୍ରଘଟ କରିଦେଇଥିବା ହେତୁ ଓ ସେହି ଭିତ୍ତିରେ ତାଙ୍କୁ ଚାକିରିରୁ ବରଖାସ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଆହ୍ଵାନ ଦେଇଥିବା ହେତୁ, ଘଡ଼ବଡ଼େଇ ଯାଇ ବିଚରା ମହାପାତ୍ର ନିଜ ସ୍ତ୍ରୀ (ଯଦି ଓକିଲ ଦେଇଥିବା ପରିଚୟ ଠିକ୍ ଥାଏ) ନିର୍ମଳାଙ୍କୁ ଏହି ମିଥ୍ୟା ଅଭିଯୋଗ କରିବା ପାଇଁ ବାଧ୍ୟ କରିଛନ୍ତି ।

କୌତୁହଳର କଥା, ପ୍ରଦ୍ୟୁମ୍ନଙ୍କୁ ସୁହାଇଲା ପରି ନଥି ସଜାଡ଼ିଲା ପରେ , ମହାପାତ୍ରେ ଅନୁଶାସନସଚିବ (Under Secretary) ପଦରୁ ଉପଶାସନସଚିବ (Deputy Secretary)  ପଦକୁ ପଦୋନ୍ନତି ପାଇଛନ୍ତି ।

ନିଜ ସ୍ତ୍ରୀଙ୍କୁ ଏପରି ମିଥ୍ୟା ଅଭିଯୋଗକାରିଣୀ ଭାବେ କାହା ବିରୁଦ୍ଧରେ ପ୍ରୟୋଗ କରିବା ଏକ ବିରଳ ଅପରାଧ ।