ଓଡ଼ିଆ ବିଶ୍ଵବିଦ୍ୟାଳୟର ଶୈକ୍ଷିକ ଦିଗ: ସରକାରୀ ଆଲୋଚନା ଓ ମୋର ଅଭିମତ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

[ଓଡ଼ିଆ ଭାଷା ଯେତେବେଳେ ଭୟଙ୍କର ସଙ୍କଟ ଦେଇ ଗତିକରୁଛି, ସେତେବେଳେ ମୁଁ ଦେଇଥିବା ପ୍ରସ୍ତାବରୁ ଜନ୍ମ ନେଇଥିବା ଓଡ଼ିଆ ବିଶ୍ଵବିଦ୍ୟାଳୟର ଶୈକ୍ଷିକ ଦିଗ ଉପରେ  ଏପ୍ରିଲ  ୧୬ରେ ଏକ ନଭମଞ୍ଚୀୟ ଆଲୋଚନା (webinar) ଆୟୋଜନ କରି ଉଚ୍ଚ ଶିକ୍ଷା ବିଭାଗ ତହିଁରେ ଅଂଶଗ୍ରହଣ ପାଇଁ ମୋତେ ଅନୁରୋଧ କରିଥିଲେ ।  ମୋ ଶକ୍ତିବହିର୍ଭୂତ ବୈଷୟିକ ତ୍ରୁଟି ହେତୁ ମୁଁ ତହିଁରେ ଅଂଶଗ୍ରହଣ କରିପାରିଲି ନାହିଁ । ସେହି ହେତୁ, ସରକାରଙ୍କ ଦ୍ଵାରା ପୁନଃ ଆହୂତ ହୋଇ ମୁଁ ଏକ ତତ୍କାଳ ଅଭିମତ ପଠାଇଛି । ତାହା ଆମ ଭାଷା ସ୍ଵାର୍ଥରେ ସମସ୍ତଙ୍କ ସମ୍ମୁଖରେ ରଖୁଛି ।]

ଶୈକ୍ଷିକ ବିଚାରରେ ଯେକୌଣସି ବିଶ୍ଵବିଦ୍ୟାଳୟର ସର୍ବୋଚ୍ଚ ଈପ୍ସିତ ଦାୟିତ୍ଵ ହେଲା ଜ୍ଞାନତତ୍ତ୍ଵ ଦ୍ଵାରା ଜନସମାଜର ମଙ୍ଗଳ ବିଧାନ କରିବା । ତେଣୁ ଜନସ୍ଵାର୍ଥ ସମ୍ବଳିତ ବିଭିନ୍ନ ବିଷୟରେ ଜ୍ଞାନାର୍ଥୀମାନଙ୍କ ସଫଳ ଗବେଷଣା ଶେଷରେ ସେମାନଙ୍କୁ ତହିଁର ସ୍ଵୀକୃତି ସ୍ୱରୂପ Doctorate in Philosophy (ଡକ୍ଟରେଟ୍) ପ୍ରଦାନ ସବୁ ବିଶ୍ଵବିଦ୍ୟାଳୟର ଶିକ୍ଷାଦାନର ଶେଷ କଥା । ଆଶା କରାଯିବା ସ୍ଵାଭାବିକ ଯେ, ଓଡ଼ିଆ ବିଶ୍ୱବିଦ୍ୟାଳୟ ଓଡ଼ିଆରେ ଏପରି ଜ୍ଞାନ ବିତରଣ କରିବ, ଯେଉଁମାନେ ଏଠାରେ ଅଧ୍ୟୟନ କରିବେ, ସେମାନେ ଡକ୍ଟରେଟ୍ ପାଇବାକୁ ସମର୍ଥ ହେବେ ଓ ତାହା ଓଡ଼ିଶାର ଉପକାର କରିବ ।

ଓଡ଼ିଶାରେ ଥିବା ବିଭିନ୍ନ ବିଶ୍ଵବିଦ୍ୟାଳୟରେ ଓଡ଼ିଆ ଭାଷାପାଇଁ ପ୍ରଦତ୍ତ ଡକ୍ଟରେଟ୍ ଦୃଶ୍ୟପଟ ପ୍ରତି ଦୃଷ୍ଟି ଦେଲେ ସ୍ପଷ୍ଟ ହୁଏ ଏଗୁଡିକ ପ୍ରାୟତଃ ସମ୍ପୃକ୍ତ ବ୍ୟକ୍ତିଙ୍କ ବ୍ୟକ୍ତିଗତ ବହିଥାକର ଶୋଭା ବଢାଇବା ଭିନ୍ନ ଅନ୍ୟଥା ଉପଯୋଗକ୍ଷମ ନୁହନ୍ତି । ଅନୌପଚାରିକ ଭାବେ କହିଲେ, ପ୍ରାୟ ୨୦୦୦ ଓଡ଼ିଆ ବିଦ୍ଵାନ ଓଡ଼ିଆରେ ଡକ୍ଟରେଟ୍ ପାଇଛନ୍ତି । ତନ୍ମଧ୍ୟରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ଡକ୍ଟରେଟ୍ ପାଇଥିବା ବିଦ୍ଵାନ ହେଲେ ପ୍ରାୟ ୬୦୦ ; ଉତ୍କଳ ବିଶ୍ଵବିଦ୍ୟାଳୟରୁ ପ୍ରାୟ ୬୫୦ , ଉତ୍ତର ଓଡ଼ିଶାରୁ ପ୍ରାୟ ୧୫୦, ଫକୀରମୋହନରୁ ପ୍ରାୟ ୧୫୦, ସମ୍ବଲପୁରରୁ ପ୍ରାୟ ୩୮୦ । ମୁଁ ଏହି ‘ପ୍ରାୟ’ ଶବ୍ଦଟି ବ୍ୟବହାର କରୁଛି ଏଇଥିପାଇଁ ଯେ, ଏହିସବୁ ବିଶ୍ଵବିଦ୍ୟାଳୟମାନଙ୍କର ଓଡ଼ିଆ ବିଭାଗମାନେ ଓଡ଼ିଆରେ ଡକ୍ଟରେଟ୍ ବାଣ୍ଟିଥିଲେ ବି ତହିଁର ହିସାବ ଅଦ୍ୟତନ କରୁନାହାନ୍ତି । ପୁରୁଣା ତଥ୍ୟ ଉପରେ ଅଭିବୃଦ୍ଧିର ଅନ୍ଦାଜ ଲଗାଇ ମୋତେ ଏହା କହିବାକୁ ପଡୁଛି । କିଏ, କାହିଁକି, କେଉଁ ନିର୍ଦ୍ଦିଷ୍ଟ ବିଷୟରେ ଗବେଷଣା କରୁଥିଲେ ଯେ ଡକ୍ଟରେଟ୍ ପାଇଲେ ତାହା ଓଡ଼ିଶାର କୌଣସି ବିଶ୍ଵବିଦ୍ୟାଳୟରୁ ପାଇବା ଏକ ପ୍ରକାର ଅସମ୍ଭବ । ସେହି ଗବେଷଣାଗୁଡିକ ଦ୍ଵାରା ଓଡ଼ିଆ ଜାତି କି ଉପକାର ପାଇଲା ତାହା କାହାକୁ ଜଣାନାହିଁ । ଏହି ପ୍ରାୟ ୨୦୦୦ ଡକ୍ଟରେଟ୍ ପ୍ରାପ୍ତ ସନ୍ଦର୍ଭରୁ ଓଡିଆ ଭାଷାର କେଉଁ ବିଭବ ଉପରେ କେତେ ସନ୍ଦର୍ଭ ଡକ୍ଟରେଟ୍ ହାସଲ କରିଛନ୍ତି ତାହା ରାଜ୍ୟ ସରକାରଙ୍କୁ ଜଣା ନାହିଁ । ଧରାଯାଉ ଭଞ୍ଜ ସାହିତ୍ୟ । ହୁଏତ ଡକ୍ଟରେଟ୍ ହାସଲ କରିଥିବା ଶତାଧିକ ସନ୍ଦର୍ଭ ଭଞ୍ଜ ସାହିତ୍ୟ ଉପରେ ଅଛି । ଭଞ୍ଜଙ୍କୁ ଶତାଧିକ ଦିଗରୁ ଅନୁଧ୍ୟାନ କରିବାରେ ସେଗୁଡିକ ସହାୟକ ହୁଅନ୍ତା । କିନ୍ତୁ କାହିଁ? କେଉଁଠୁ ମିଳିବ ସେଗୁଡିକ? ଯେଉଁ ଯେଉଁ ବିଶ୍ଵବିଦ୍ୟାଳୟରେ ଭଞ୍ଜଙ୍କ ଉପରେ ଗବେଷଣା ହୋଇଛି , ସେହି ସେହି ବିଶ୍ଵବିଦ୍ୟାଳୟର ନଥି ଥାକ ହିଁ ସେଗୁଡିକର ଅବାସସ୍ଥଳୀ । ସାଧାରଣ ଓଡ଼ିଆଙ୍କ ପାଇଁ ତାହା ଅପ୍ରାପ୍ୟ । ଓଡ଼ିଶାର ଉପକାରରେ ଲାଗିବା ତ ଦୂରର କଥା ।

ଯେଉଁ ସନ୍ଦର୍ଭ ଉପରେ ବିଶ୍ୱବିଦ୍ୟାଳୟ ଡକ୍ଟରେଟ୍ ଦେଉଛି, ସେହି ସନ୍ଦର୍ଭକୁ ବିଶ୍ୱବିଦ୍ୟାଳୟ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇଲେ ତାହା ହୁଏତ ଓଡ଼ିଶାର ଉପକାରରେ ଲାଗନ୍ତା । ତାହା ହେଉନାହିଁ । କୌଣସି ବିଶ୍ୱବିଦ୍ୟାଳୟ ଡକ୍ଟରେଟ୍ ପାଇଁ ଯୋଗ୍ୟ ବିଚାରିଥିବା କୌଣସି ସନ୍ଦର୍ଭକୁ ପ୍ରକାଶ କରୁନି କି ସେହି ଉପାଧି ପରିଶୋଭିତ ବିଦ୍ଵାନ ମଧ୍ୟ ତାହା ପ୍ରକାଶ କରୁନାହାନ୍ତି । କାରଣ, ବିଶ୍ୱବିଦ୍ୟାଳୟ ଜାଣେ, ଗବେଷଣାର ପଥପ୍ରଦର୍ଶକ (guide) ଜାଣନ୍ତି ଓ ସମ୍ପୃକ୍ତ ଗବେଷକ ଜାଣନ୍ତି ଯେ, ତହିଁରେ Epistemology ବା ଜ୍ଞାନତତ୍ତ୍ଵର କୌଣସି ଉପଯୋଗ ହୋଇନାହିଁ । ନକଲ କର, ଲଗେଇ ଦିଅ – ହୋଇଗଲା ସନ୍ଦର୍ଭ , ହାସଲ କର ଡକ୍ଟରେଟ୍ ! ଅତଏବ, ଆମ ବିଶ୍ୱବିଦ୍ୟାଳୟମାନେ ବାଣ୍ଟୁଥିବା ଡକ୍ଟରେଟ୍ ଆପାତତଃ ଚୋରୀ ପାଇଁ ଦିଆଯାଇଥିବା ଉପାଧି । ସେଥିପାଇଁ ଆମେ ଦେଖୁ, ଏହି ଯେଉଁ ୨୦୦୦ ପାଖାପାଖି ଡକ୍ଟରେଟ୍ ଉପାଧିପ୍ରାପ୍ତ ବିଦ୍ଵାନ ଆମ ଓଡ଼ିଆ ଭାଷାରେ ଝଲସୁଛନ୍ତି, ଗୁଣୋଲ୍ଲେଖ (citation) କ୍ଷେତ୍ରରେ ସେମାନେ ପ୍ରାୟତଃ ଅଦୃଶ୍ୟ । ଅର୍ଥାତ୍, ସେମାନଙ୍କ ଗବେଷଣା ସନ୍ଦର୍ଭ ଜ୍ଞାନୋପଯୋଗୀ ବୋଲି କୌଣସି ଜ୍ଞାନାର୍ଥୀ ବା ବିଦ୍ଵାନ ମନେକରନ୍ତି ନାହିଁ। 

ତେଣୁ, ଆମକୁ ଆମ ଭାଷାରେ ଏପରି ଏକ ଗବେଷଣାକାରୀ ବିଶ୍ୱବିଦ୍ୟାଳୟ ଦରକାର, ଯାହା ଓଡ଼ିଆ ଜାତି ପାଇଁ ଆବଶ୍ୟକ ବିଷୟରେ ମୌଳିକ ଗବେଷଣା କରିବ । କେବଳ ଏହି ଉଦ୍ଦେଶ୍ୟରେ ଓଡ଼ିଶା ସରକାର “ଓଡିଆ ବିଶ୍ୱବିଦ୍ୟାଳୟ” ପ୍ରତିଷ୍ଠା କରନ୍ତୁ ବୋଲି ମୁଁ ପ୍ରସ୍ତାବ ଦେଇଥିଲି ।  ଓଡ଼ିଆରେ ଶାସନ ଶୀର୍ଷକ ସରକାରୀ ନଭମଞ୍ଚରେ ଥିବା ମୋ ପ୍ରସ୍ତାବିତ ନିୟମାବଳୀର ନିୟମ -୮ରେ ଏହା ସ୍ଥାନିତ ।

ଜାନୁଆରୀ ୧୦, ୨୦୧୬ ତାରିଖରେ ମନ୍ତ୍ରୀସ୍ତରୀୟ କମିଟିରେ ଏହା ସର୍ବସମ୍ମତିକ୍ରମେ ଗୃହୀତ ହେବା ପରେ ଓ ଉଚ୍ଚ ଶିକ୍ଷା ବିଭାଗର ଏ ସମ୍ପର୍କୀୟ କର୍ମଶାଳାରେ ୨୯.୧.୨୦୧୬ରେ ଏହାକୁ ସଂପୂର୍ଣ୍ଣ ସରକାରୀ ବିଶ୍ୱବିଦ୍ୟାଳୟ ଭାବେ ପ୍ରତିଷ୍ଠା କରିବାକୁ ସିଦ୍ଧାନ୍ତ ହେବା ପରେ, ଏଥିପାଇଁ ଉଚ୍ଚ ଶିକ୍ଷା ବିଭାଗରେ ଯେଉଁ ନଥି ଆରମ୍ଭ ହୋଇଥିଲା ସେହି ନଥିର ଟିପ୍ପଣୀ -୩, ୪ ଓ ୫ (ତା୨୦.୫.୨୦୧୬ରିଖ) ମୁଁ ସେଦିନ କହିଥିବା କଥା ଉପରେ ଆଧାରିତ । ଟିପ୍ପଣୀ ତିନୋଟି ଉଦ୍ଧୃତ ହେଲା :

3. The University shall function as a premier Institute of Research work in Odia literature and Odia Lexicon.
4. To make comparative studies in Odia script and literature with that of other ancient scripts like Prakrit, Sanskrit and other ancient scripts to revive and protect ancient Scriptures and literature.
5. To make comparative historical studies of Odisha to that of the other countries of Asia , South East Asia and Arabian Countries.

ଦୁର୍ଭାଗ୍ୟ, ଓଡ଼ିଆ ବିଶ୍ୱବିଦ୍ୟାଳୟ ଆଇନର ଯେଉଁ ମୂଳ ଉଦ୍ଦେଶ୍ୟ ବିଧିକୃତ ହୋଇଛି ତାହା ଏହାର ପରିପନ୍ଥୀ । ଯଥା –

Section 4  The objects of the University shall be (a) to facilitate widespread use of Odia Language in all walks of society such as administration, communication, education, health and general services for improving quality of life.” ଯାହା ସରକାରଙ୍କ ଭାଷାରେ “ପ୍ରଶାସନ, ଯୋଗାଯୋଗ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବନଧାରଣର ମାନ ବୃଦ୍ଧି କରିବା ନିମନ୍ତେ ବିଭିନ୍ନ ସାଧାରଣ ସେବା ପରି ସମାଜର ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଆ ଭାଷାର ବହୁଳ ବ୍ୟବହାରକୁ ସୁଗମିତ କରିବା ।”

ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନକୁ ଅଲଙ୍ଘ୍ୟ କରାଗଲେ ଏହି ଉଦ୍ଦେଶ୍ୟଗୁଡ଼ିକ ଚରିତାର୍ଥ ହେବ । ସରକାର ତାହା କରୁନାହାନ୍ତି । ଅଥଚ ଓଡ଼ିଆ ବିଶ୍ଵବିଦ୍ୟାଳୟର ଏହା ହିଁ ମୂଳ ଉଦ୍ଦେଶ୍ୟ ବୋଲି ଆଇନରେ ଲେଖିଛନ୍ତି ! କେବଳ ଏତିକି ନୁହେଁ, ସଂଶୋଧନ ସହ ଏହାର ଧାରା ୫ର ଉପଧାରା ୧୩, ଉପଧାରା ୧୪, ଉପଧାରା ୧୫ ଓ ଉପଧାରା ୧୮ରେ ଅତି ଚତୁରତାର ସହ ରହିଛି ଯେକୌଣସି ସଂଗଠନ (Organization) ସହ ଏହି ବିଶ୍ୱବିଦ୍ୟାଳୟ ବ୍ୟାବସାୟିକ ଓ ବୈଷୟିକ କାରବାର କରିବ । ଏହା ଏହି ବିଶ୍ଵବିଦ୍ୟାଳୟର ଉଦ୍ଦେଶ୍ୟକୁ ଯେ ପଣ୍ଡ କରିବ, ଏହା ସହଜେ ଅନୁମେୟ ।ଏ ବିଶ୍ଵବିଦ୍ୟାଳୟର bill ବା ବିଧେୟକ ଯେତେବେଳେ ବିଧାନସଭାରେ ଆସିଲା, ବିରୋଧୀ ଦଳର ପ୍ରଦୀପ ପୁରୋହିତ ତାହାକୁ ଗ୍ରହଣ ନ କରି ସିଲେକ୍ଟ କମିଟିକୁ ପଠାଯାଉବୋଲି କହିଥିଲେ । ତାହା ହୋଇଥିଲେ, ଏ ବିଡମ୍ବନା ସୁଧୁରିଯାଇଥାନ୍ତା । ହେଲାନାହିଁ । ତେଣୁ ଏହାର ଆଇନ ଏହାର ଉଦ୍ଦେଶ୍ୟକୁ ପଣ୍ଡ କରୁଛି ।

ଓଡ଼ିଆ ବିଶ୍ୱବିଦ୍ୟାଳୟ ଜ୍ଞାନତାତ୍ତ୍ଵିକ ଗବେଷଣା (epistemological research) କରିବ କି “ବିଭିନ୍ନ ସାଧାରଣ ସେବା ପରି ସମାଜର ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଆ ଭାଷାର ବହୁଳ ବ୍ୟବହାରକୁ ସୁଗମିତ କରିବ” ଓ ଭାଷା ମାଫିଆଙ୍କ ସହ ବ୍ୟବସାୟ କରିବ , ତାହା ପ୍ରଥମେ ସ୍ଥିରୀକୃତ ହେବା ଦରକାର ।

ଏହାର ଆଇନରେ ଥିବା ଉପରୋକ୍ତ ତ୍ରୁଟି ତୁରନ୍ତ ଦୂରୀଭୂତ ହେବ ବୋଲି ଆଶା ରଖି ଏହାର ଶୈକ୍ଷିକ ଦିଗ ନିରୂପଣ ପାଇଁ ଏହି ବିଶ୍ଵବିଦ୍ୟାଳୟର ପ୍ରଥମ ପ୍ରସ୍ତାବକ ଭାବେ ମୁଁ ନିମ୍ନରେ ମୋର ଯଥାସମ୍ଭବ ସଂକ୍ଷିପ୍ତ ମତ ରଖୁଛି:-


(୧) ଏହି ବିଶ୍ୱବିଦ୍ୟାଳୟ ଗତାନୁଗତିକ ବିଶ୍ଵବିଦ୍ୟାଳୟଠାରୁ ଭିନ୍ନ ହେବ । ଏହାର ଛାତ୍ରଛାତ୍ରୀମାନେ ସମ୍ପୂର୍ଣ୍ଣତଃ ବିଷୟନିଷ୍ଠ ହୋଇରହିବେ ; କାରଣ , ଏହାର ପାଠ୍ୟଯୋଜନା କେବଳ ବିଷୟକୈନ୍ଦ୍ରିକ ଗବେଷଣା ପାଇଁ ପ୍ରସ୍ତୁତ ହେବ ।
(୨) ଏହା ସ୍ନାତକୋତ୍ତର (Masters) ଡ଼ିଗ୍ରୀ ପାଇଁ କୌଣସି ଶିକ୍ଷା ଦେବ ନାହିଁ । ଅନ୍ୟ ବିଶ୍ଵବିଦ୍ୟାଳୟମାନଙ୍କରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିବା ଜ୍ଞାନାର୍ଥୀଙ୍କୁ Masters ପାଠ୍ୟକ୍ରମରେ ଅଧ୍ୟୟନ କରିଥିବା ସ୍ଵତନ୍ତ୍ର ବିଷୟ (Special paper ) ଭିତ୍ତିରେ ଜ୍ଞାନତାତ୍ତ୍ଵିକ ମାର୍ଗଦର୍ଶନ (Epistemological guidance) ଦେବା ଏହାର କାମ ହେବ ।

ଏପରି କହିବାର କାରଣ ଅଛି । ଓଡ଼ିଶା ପ୍ରଦେଶ ସୃଷ୍ଟିରେ ଓଡିଆ ଭାଷା ସାହିତ୍ୟର ଭୂମିକା ଆକଳନ ପାଇଁ ମୁଁ ଗବେଷଣା କରୁଥିବା ବେଳେ ଦେଖିଥିଲି ଯେ, ମାର୍ଗଦର୍ଶକ (guide)ଙ୍କ ରୁଚି ଅନୁସାରେ ଜ୍ଞାନାର୍ଥୀମାନେ ଡକ୍ଟରେଟ୍ ପାଇଁ ବିଷୟ ନିର୍ଦ୍ଧାରଣ କରୁଛନ୍ତି ଓ ନାମ ପଞ୍ଜୀକୃତ କରୁଛନ୍ତି । ସେମାନେ ସ୍ନାତକୋତ୍ତର ଶିକ୍ଷାରେ ବିଶେଷ ଜ୍ଞାନାର୍ଜନ କରୁଥିବା ସ୍ଵତନ୍ତ୍ର ବିଷୟ (Special Paper) ସହ ଡକ୍ଟରେଟ୍ ପଞ୍ଜିକରଣର କୌଣସି ସମ୍ପର୍କ ରହୁନାହିଁ । ଜଣେ ହୁଏତ ସାରଳା ସାହିତ୍ୟକୁ ସ୍ଵତନ୍ତ୍ର ବିଷୟରେ ନେଇଛନ୍ତି, ଅଥଚ ଡକ୍ଟରେଟ୍ କଲେଣି ସତ୍ୟବାଦୀ ସାହିତ୍ୟ ଉପରେ । ଅତଏବ, ଏ କ୍ଷେତ୍ରରେ ସମ୍ପୃକ୍ତ ଜ୍ଞାନାର୍ଥୀଙ୍କ Masters ଅକାରଣ ହେଲା । ତେଣୁ, Masters ସ୍ତରରେ ସ୍ଵତନ୍ତ୍ର ବିଷୟ ପ୍ରବର୍ଗରେ ଯେଉଁ ବିଷୟରେ ବିଶେଷ ଅଧ୍ୟୟନ ହୋଇଛି, କେବଳ ସେହି ବିଷୟରେ ଜ୍ଞାନତାତ୍ତ୍ଵିକ ଗବେଷଣା ହେବା ଆବଶ୍ୟକ । ସେଥିପାଇଁ ପାଶ୍ଚାତ୍ୟ ଯବକାଚ (Eurocentric lens) ପରିହାର କରି ଓଡ଼ିଆକୈନ୍ଦ୍ରିକ ଯବକାଚ (Oriyacentric lens) ବ୍ୟବହୃତ ହେବା ଦରକାର ।

ଆମ ଭାଷାର ବିଭିନ୍ନ ବିଭବ ଉପରେ ବିଭିନ୍ନ ଗବେଷଣା ହୋଇଛି ପାଶ୍ଚାତ୍ୟ ଯବକାଚ ବ୍ୟବହାର କରି । ଏହି ଗବେଷଣାରୁ ହୁଏତ ଆମେ ଚଉରାଶୀ ସିଦ୍ଧାଚାର୍ଯ୍ୟଙ୍କ ରଚନାକୁ ପ୍ରତ୍ନ ଓଡ଼ିଆ ବୋଲି କହିପାରିଛୁ । କିନ୍ତୁ କାହିଁକି ତାହା ସାନ୍ଧ୍ୟଭାଷା ଭାବେ ବିଦିତ ତାହା ତତ୍କଳୀନ ଓଡ଼ିଆ ସମାଜର ରାଜନୈତିକ ସ୍ଥିତି ଉପରେ ଓଡ଼ିଆକୈନ୍ଦ୍ରିକ ଯବକାଚ ପକାଇ ଠାବ କରିବାକୁ ହେବ । ମୁଁ ଏହା କରିଛି Chourashi Siddhacharyas Of Orissa: New Light On The Authors Of Bauddha Gana O Doha ଶୀର୍ଷକ ମୋ ନିବନ୍ଧରେ  । ସେହିପରି, ପାଶ୍ଚାତ୍ୟ ଯବକାଚ ବ୍ୟବହାର କରି ସୁନୀତି କୁମାର ଚାଟାର୍ଜୀ ତାଙ୍କ ‘ଜୟଦେବ’ (ସାହିତ୍ୟ ଏକାଡେମୀ, ନୂଆଦିଲ୍ଲୀ , ୧୯୭୩) ପୁସ୍ତକରେ ଜୟଦେବ ବଙ୍ଗଳାର ବୈଷ୍ଣବ କବି ବୋଲି ଦାବି କରିଥିବା ବେଳେ ଓଡ଼ିଆକୈନ୍ଦ୍ରିକ ଯବକାଚ ବ୍ୟବହାର କରି ମୁଁ ତାଙ୍କୁ ଜଣେ ସହଜଯାନୀ ଓଡ଼ିଆ ବୌଦ୍ଧ ବୋଲି ନିରୂପଣ କରିଛି (ଶ୍ରୀ ଜୟ ଦେବଙ୍କ ବାଇଶି ପାହାଚ, ଭାରତ ଭାରତୀ, କଟକ, ୨୦୦୫) ।

ଓଡ଼ିଆକୈନ୍ଦ୍ରିକ ଯବକାଚ ବିନା କୌଣସି ଗବେଷଣାରେ କିପରି ଲୁପ୍ତ ଓଡିଆ ବିଭବ ଠାବ କରି ହୁଏନି ତାର ଅନ୍ୟ ଏକ ଶକ୍ତିଶାଳୀ ଦୃଷ୍ଟାନ୍ତ ହେଲା ଚକ୍ରଧର ମହାପାତ୍ରଙ୍କ ପୁସ୍ତକ The Real Birthplace of Buddha (ଗ୍ରନ୍ଥ ମନ୍ଦିର , କଟକ, ୧୯୭୨), ଯହିଁରେ ଓଡ଼ିଶା ହିଁ ବୁଦ୍ଧଙ୍କ ଜନ୍ମସ୍ଥାନ ବୋଲି ସେ ଦର୍ଶାଇଛନ୍ତି । “Students of early Indian history should read this book carefully, as far as possible putting all prejudice out of their minds. If they agree with Mr. Mohapatra’s conclusion, they should say so without fearing to support a new and unpopular theory. If they disagree, they should carefully examine the evidences and decide why they disagree. And, they should remember that, the consensus of learned opinion is no proof. There was a time,when the consensus learned opinion strongly maintained that Sun revolved aroud the Earth.” ବହିଟି ଉପରେ ଏହା କହିଛନ୍ତି କାନବେରା ସ୍ଥିତ ଅଷ୍ଟ୍ରେଲିଆ ଜାତୀୟ ବିଶ୍ଵବିଦ୍ୟାଳୟରେ Asian Civilizations ବିଭାଗର ମୁଖ୍ୟ ଭାବେ ପ୍ରଫେସର A L Bassam, ଯାହାଙ୍କ ପୁସ୍ତକ The Wonder That Was India (Sidgwick & Jackson, 1954) ବିଶ୍ଵବିଦିତ ।

କିନ୍ତୁ ପାଶ୍ଚାତ୍ୟ ଯବକାଚ (Eurocentric Lens ) ଆମ ଜ୍ଞାନତାତ୍ତ୍ଵିକ ଏଷଣାକୁ ଏପରି ଝଲସାଇ ରଖିଛି ଯେ, ଏଯାଏଁ ଆମ ଓଡ଼ିଶାର କୌଣସି ବିଶ୍ୱବିଦ୍ୟାଳୟ ମଧ୍ୟ ଚକ୍ରଧରଙ୍କ ଯୁକ୍ତିକୁ ଖଣ୍ଡନ କରିନାହାନ୍ତି ବା ସମର୍ଥନ କରିନାହାନ୍ତି । ଓଡ଼ିଆକୈନ୍ଦ୍ରିକ ଯବକାଚ (Oriyacentric Lens) ବ୍ୟବହାର କରି ଆମେ ଆମ ପ୍ରାଚୀନ ଐତିହ୍ୟ ଓ ତାର ରାଜନୈତିକ ଅର୍ଥନୀତିର କ୍ରମ ବିକାଶ ସହ ଆମ ଉପସ୍ଥିତ ସ୍ଥିତିର ଆକଳନ କରିପାରିବା ଯେଉଁଥିରେ ଓଡ଼ିଆକୈନ୍ଦ୍ରିକ (Oriyacentric) ଓଡ଼ିଆ ବିଶ୍ୱବିଦ୍ୟାଳୟ ହିଁ ସହାୟକ ହେବ । ଗତାନୁଗତିକ ବିଶ୍ଵବିଦ୍ୟାଳୟରେ ଏହା ସମ୍ଭବ ହେବ ନାହିଁ ।

ଇଂରାଜୀପ୍ରଧାନ ଶିକ୍ଷାବ୍ୟବସ୍ଥାରେ ଶିକ୍ଷିତ ହୋଇଥିବା ହେତୁ ୟୁରୋପୀୟ ଗବେଷଣା ଶୈଳୀ ଆମକୁ ଏତେ ପ୍ରଭାବିତ କରିଛି ଯେ, ଓଡ଼ିଆ ଚେତନା ନେଇ ଆମ ଗବେଷକମାନେ କୌଣସି ଓଡ଼ିଆ ଐତିହ୍ୟର ବିଶ୍ଳେଷଣ କରିବା ସହଜ ହେଉନାହିଁ । ସମ୍ଭବ ବି ହେଉନାହିଁ । ଏହି ଓଡ଼ିଆ ଚେତନା ଅଭାବରୁ ଓଡ଼ିଆର ଐତିହାସିକ ଚରିତ୍ର ବୁଦ୍ଧ ଅଣଓଡ଼ିଆଙ୍କ କଳ୍ପିତ ଚରିତ୍ର ଦ୍ଵାରିକାର କୃଷ୍ଣରେ ପରିଣତ ହେଲେଣି ।

ତେଣୁ ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ମୁଁ ଯେତେବେଳେ ପ୍ରସ୍ତାବ ଦେଇଥିଲି, ମୋ ମନରେ ଥିଲା ପାଶ୍ଚାତ୍ୟ ଆଖିରେ ନୁହେଁ, ଓଡ଼ିଆ ଆଖିରେ ଓଡ଼ିଶାର ବିଭବ ଓ ବିଭାବନା ଉପରେ ଏହି ବିଶ୍ୱବିଦ୍ୟାଳୟ ଜ୍ଞାନତାତ୍ତ୍ଵିକ ଗବେଷଣା (Epistemological Research) କରିବ । ତାହା ହୋଇପାରିଲେ, ଓଡ଼ିଶା ଭୂଖଣ୍ଡର ଗୌରବାବହ ଇତିହାସ ବିଶ୍ଵ ସମ୍ମୁଖକୁ ଆସିବ ।

ଏହା ହୋଇପାରୁନି ବୋଲି ଓଡ଼ିଶାର ଗତାନୁଗତିକ ବିଶ୍ୱବିଦ୍ୟାଳୟମାନେ ପାଶ୍ଚାତ୍ୟ ଯବକାଚ (Eurocentric Lens ) ପକାଇ ଉତ୍ପାଦନ କରୁଥିବା ଡକ୍ଟରେଟ୍-ସନ୍ଦର୍ଭଗୁଡ଼ିକ ଓଡ଼ିଶାର କୌଣସି ଉପକାରରେ ଲାଗୁନି । ଏହି ସତ୍ୟକୁ ଆଖିରେ ରଖି ବିଶ୍ୱବିଦ୍ୟାଳୟ ଆଇନର ଆବଶ୍ୟକୀୟ ସଂଶୋଧନ ପ୍ରଥମେ କରାଯାଉ ।

D.P.Pattanayak’s closest associate stripped layer by layer

ଭାଷା ବିଜ୍ଞାନୀ ଡ଼. ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ଘନିଷ୍ଠତମ ସହଯୋଗୀ ସୁବ୍ରତ କୁମାର ପୃଷ୍ଟିଙ୍କୁ ଫୁଙ୍ଗୁଳା କରିଦେଇଛନ୍ତି ଭାଷାତପସ୍ବୀ ଗଜାନନ ମିଶ୍ର ସର୍ବସାଧାରଣ ସମ୍ବାଦପତ୍ରର ଶନିବାର ସଂସ୍କରଣରେ ∣ ପଢ଼ିବା ହେଉ –

MOTHER TONGUE AND MAFIA: A CASE STUDY – 18

Odia University: Ex-Minister has fudged, says Gajanan Mishra

ଓଡ଼ିଆ ବିଶ୍ଵବିଦ୍ୟାଳୟ ସମ୍ପର୍କରେ ‘ସର୍ବସାଧାରଣ’ କାଗଜରେ ଚଳିତ 9 ତାରିଖରୁ 11 ତାରିଖ ଯାଏଁ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ  “ସତ୍ୟ ସନ୍ଧାନରେ” ସ୍ତମ୍ଭ-ଯୁଦ୍ଧର ଦ୍ଵାହି ଦେଇ କିପରି ଅସତ୍ୟ  ପରିବେଷଣ କରିଛନ୍ତି ତାହା ଏହି ବିଶ୍ଵବିଦ୍ୟାଳୟ ପାଇଁ ଆଦ୍ୟ ଉଦ୍ୟମ କରିଥିବା କବି ଗଜାନନ ମିଶ୍ର ସୁଚାଇଛନ୍ତି ସେହି କାଗଜରେ ଆଜି ପ୍ରକାଶ ପାଇଥିବା ନିମ୍ନ ନିବନ୍ଧଟିରେ ∣ ସମସ୍ତେ ଏହାକୁ ଅନୁଶୀଳନ କରନ୍ତୁ ∣ କେଉଁ ମତଲବରେ ପଞ୍ଚାନନ ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ ତାହା ଆମେ ଯଥା ସମୟରେ ପ୍ରକାଶ କରିବୁ ∣

ଏବେ ଗଜାନନବାବୁଙ୍କ ଲେଖାଟି ପ୍ରତି ଦୃଷ୍ଟି ପଡୁ :