ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଏ ଭିତରେ ମୁଖ୍ୟମନ୍ତ୍ରୀଙ୍କ ଦଳୀୟ ଅନୁଗତ ବାବୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମ୍ବାଦ କାଗଜରେ ଓଡ଼ିଆ ଭାଷାକୁ ନେଇ ଏପରି ଏକ ଲେଖା ପ୍ରକାଶ ପାଇଛି ଯାହା ବାହାରକୁ ନିରିହ ଜଣା ପଡୁଥିଲେ ମଧ୍ୟ ଭାଷା ଆନ୍ଦୋଳନ ବିରୁଦ୍ଧରେ ସରକାରଙ୍କ ଶେଷ ଚାତୁରୀର ଝଲକ ଦେଖିହେଉଛି ତାର ଶବ୍ଦଜାଲରେ । ଲେଖକ ଅତ୍ୟନ୍ତ ଦକ୍ଷ ଓ ଓଡ଼ିଆ ଭାଷା ପାଇଁ ତାଙ୍କ ମମତା ଲକ୍ଷ୍ୟଣୀୟ । ବ୍ୟକ୍ତିଗତ ସ୍ତରରେ ସେ ମୋର ଏକାନ୍ତ ପ୍ରିୟ ଓ ଆଦରଣୀୟ । ସୁତରାଂ ମୁଁ ଦେଖି ଆଶ୍ଚର୍ଯ୍ୟ ହେଉଛି ଯେ, ଭାଷା ଆନ୍ଦୋଳନ ପ୍ରେକ୍ଷାପଟରେ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ସରକାର ପ୍ରୟୋଗ କରୁଥିବା ଶେଷ କୌଶଳ ମୋ ଭ୍ରାତୃତୁଲ୍ୟ ବନ୍ଧୁଙ୍କ ଲେଖାରେ ପ୍ରତିବିମ୍ବିତ ହୋଇଛି ।

ଲେଖାଟିର ଶୀର୍ଷକ: ଭାଷା ନେଇ ଉଦାର ହେବା

କିନ୍ତୁ ଭାଷା ନେଇ ଉଦାର ନ ହେବା ହିଁ ଭାଷା ଆନ୍ଦୋଳନର ଉଦ୍ଦେଶ୍ୟ । ଏହାର କାରଣ, ଭାଷା ନେଇ ଆମେ ଯଦି ଅଧିକ କାଳ ଉଦାର ରହୁଁ, ଆମ ଭାଷା ମରିଯିବ ।

ଆମ ଭାଷାକୁ ମାରିଦେବା ମତଲବରେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ଭାଷାକୁ ମାରିଦେବା ପାଇଁ , ଅଣଓଡ଼ିଆମାନଙ୍କ ଦ୍ଵାରା ପ୍ରଭାବିତ ହୋଇକରି ହେଉ ବା ନିଜ ଅଭିସନ୍ଧି ହେତୁ ହେଉ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାନା ଅପକୌଶଳ ପ୍ରୟୋଗ କରିଚାଲିଛନ୍ତି । କେତୋଟି ଉଦାହରଣ:

ଅପକୌଶଳ ୧: ମନ୍ତ୍ରୀସ୍ତରୀୟ କମିଟି

ଭାଷା ସଂଗ୍ରାମ ସମିତି ସହ ସରକାରଙ୍କ ଚୁକ୍ତି ଅନୁସାରେ ସମିତିର ୭ ଜଣ ପ୍ରତିନିଧି ଓ ୫ ଜଣ ମନ୍ତ୍ରୀଙ୍କୁ ନେଇ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରି ଭାଷା ଆଇନର କାର୍ଯ୍ୟକାରୀତା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।  ମାତ୍ର ଯେତେବେଳେ କମିଟି ଗଠନ ହେଲା, ତହିଁରେ ସଂଗ୍ରାମ ସମିତିର ପ୍ରତିନିଧିତ୍ଵ ଲୋପ କରାଯାଇ ଆମ୍ଭମାନଙ୍କୁ ଆମ୍ଭ ନିଜ ନିଜ ବ୍ୟକ୍ତିଗତ ବୈଶିଷ୍ଟ୍ୟ ଭିତ୍ତିରେ ରଖାଗଲା । ଏହା ଥିଲା ଓଡ଼ିଆ ଭାଷା ପାଇଁ ଓଡ଼ିଆ ଜାତିର ଯୌଥ ଉଦ୍ୟମ ପ୍ରତି ନବୀନ ବାବୁଙ୍କ ଅସହିଷ୍ଣୁତାର ପ୍ରଥମ ଉଦ୍ଘୋଷଣ ।

ଅପକୌଶଳ ୨: ମନ୍ତ୍ରୀସ୍ତରୀୟ କମିଟିର ବିଲୋପନ

ଏହି କମିଟିର ଜଣେ ସଦସ୍ୟ ଭାବେ ମୁଁ ୩.୯.୨୦୧୫ ତାରିଖରେ ଦୁଇଟି ପରାମର୍ଶ ଦେଲି ; ଯଥା:- (କ) ଆଇନଟିର ଉଲ୍ଲଂଘନ ପାଇଁ ଦଣ୍ଡବିଧାନ ହେଉ ଓ ସେଥିପାଇଁ ଆବଶ୍ୟକୀୟ ନିୟମାବଳୀ ପ୍ରଣୟନ କରାଯାଉ ; (ଖ) ନିୟମାବଳୀ ପ୍ରଣୟନ ପାଇଁ ଯେହେତୁ ଆଇନଟିରେ ସରକାରଙ୍କ କ୍ଷମତା ନଥିଲା, ସେହେତୁ ସେହି କ୍ଷମତା ପ୍ରାପ୍ତି ସକାଶେ ସରକାର ପ୍ରଥମେ ଆଇନ ସଂଶୋଧନ କରନ୍ତୁ । ଏହି ପରାମର୍ଶ ଦେଇ ମୁଁ ମୋ ପ୍ରସ୍ତାବିତ ଦୁଇଟିଯାକ ବିଧାନ ପାଇଁ ଚିଠା ଦେଇଥିଲି ।  ମୋ ପ୍ରଦତ୍ତ ପ୍ରସ୍ତାବ ପାଇଲା ପରେ ମୁଖ୍ୟମନ୍ତ୍ରୀ ସେହି ମନ୍ତ୍ରୀସ୍ତରୀୟ କମିଟିଟିକୁ ଲକ୍ଷଭ୍ରଷ୍ଟ କରାଇବାକୁ ଚେଷ୍ଟା କଲେ ଓ ଏକ ବିଧିକ ସଂକଲ୍ପ ଭିତ୍ତିରେ ତିଆରି ହୋଇଥିବା ସେହି ମନ୍ତ୍ରୀସ୍ତରୀୟ କମିଟି ସେହି ସଂକଲ୍ପ ପ୍ରତ୍ୟାହୃତ ନହୋଇ ମଧ୍ୟ ନିଶ୍ଚିହ୍ନ ହୋଇଗଲା ।

ଅପକୌଶଳ ୩ : ଭାଷା ଆନ୍ଦୋଳନ ବିରୁଦ୍ଧରେ ଦୁର୍ଭାଷା ପ୍ରୟୋଗ

ମୁଁ ଯେଉଁ ଚିଠା ବିଧାନ ଦେଇଥିଲି ତାହାକୁ ବିଧିକୃତ କରିବା ପାଇଁ ଜନମତ ସୃଷ୍ଟି ସକାଶେ ୧.୪.୨୦୧୬ରେ ମୁଁ ମୋ ନିଜସ୍ଵ ନିଶବ୍ଦ କଳାପତାକା ଅଭିଯାନ ପଦ୍ଧତ୍ତିରେ ଭାଷା ଆନ୍ଦୋଳନ ପ୍ରତିଷ୍ଠା କଲି ଓ ତାହାପାଇଁ ଜନସମର୍ଥନ ଲୋଡ଼ିଲି ସେହିଦିନ ମୋ ଫେସ୍ ବୁକ୍ ପୃଷ୍ଠାରେ ।  କବି ଗଜାନନ ମିଶ୍ର ଓ ପ୍ରଖ୍ୟାତ ପରିବେଶବିତ୍ ତଥା ସି. ଏ. ବିଶ୍ଵଜିତ ମହାନ୍ତି ସର୍ବପ୍ରଥମେ ସମର୍ଥନ ଜଣାଇଲେ ଏବଂ ଦୁହିଙ୍କ ମତ ସମସମୟରେ ମୋତେ ପ୍ରାପ୍ତ ହେଲା । ପରେ ପରେ ଅବସରପ୍ରାପ୍ତ ଆଇ. ଏ. ଏସ୍. ଅଫିସର୍ ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ ଏବଂ ଅବସରପ୍ରାପ୍ତ ପ୍ରଫେସର ଡଃ କମଳା ପ୍ରସାଦ ମହାପାତ୍ର ଏବଂ ଅନେକଙ୍କ ସମର୍ଥନ ମିଳିଲା । ୬.୪.୨୦୧୫ ଥିଲା ଏକ ଉଲ୍ଲେଖନୀୟ ଦିବସ , ଯେଉଁ ଦିନ କବି ଗଜାନନ ମିଶ୍ର ସାଙ୍ଗରେ ଓଡ଼ିଆ ଅସ୍ମିତାର ଅନ୍ୟତମ ଗନ୍ତାଘର କବି ଉମାକାନ୍ତ ରାଉତ (ଅରୂପ)ଙ୍କୁ ସାଙ୍ଗରେ ଧରି ମୋ ପଢାଘରକୁ ଆସି ରଣକୌଶଳ ଚୂଡ଼ାନ୍ତ କରିବାରେ ମୋତେ ସାହାଯ୍ୟ କଲେ । ଏହି ରଣକୌଶଳ ଅନୁସାରେ ଆରମ୍ଭ ହେଲା ଆମ ଭାଷା ଅଧିକାର ପାଇଁ କଳାପତାକା ଅଭିଯାନ

ଏହି ଅଭିଯାନ ପାଇଁ ମୋତେ ମୋ ସତୀର୍ଥ ଓ ସୁହୃଦ ପ୍ରଶାନ୍ତ ପଟ୍ଟନାୟକଙ୍କ ମାଧ୍ୟମରେ ଅପମାନିତ କରାଯାଇଥିଲା । ସେ ଚାକିରି କରୁଥିବା ସଂଚାର କାଗଜର ମାଲିକ ଦାମୋଦର ରାଉତ ମୁଖ୍ୟମନ୍ତ୍ରୀଙ୍କ ପ୍ରୀତିଭାଜନ ହୋଇ ରହିବାକୁ ଭାଷା ଆନ୍ଦୋଳନକୁ ବିରୋଧ କରୁଥିବା ହେତୁ ତହିଁରେ ସମ୍ପାଦକ ଚାକିରି କରୁଥିବା ପ୍ରଶାନ୍ତ ପଟ୍ଟନାୟକ ଏପରି ଏକ ଦାୟିତ୍ଵହୀନ ସଂପାଦକୀୟ ନିଜେ ଲେଖିଥିଲେ କି ରାଉତ ଲେଖି ତାଙ୍କ ନାମରେ ପ୍ରକାଶ କରିଥିଲେ, ତାହା ଏଯାଏଁ ଜାଣିନାହିଁ । ଦିନକ ପରେ ରାଉତେ କଟକର ଏକ ସଭାରେ ଅନାବଶ୍ୟକ ଭାବେ ଭାଷା ଆନ୍ଦୋଳନ ବିରୁଦ୍ଧରେ ଭାଷଣ ଦେଇଥିଲେ ।  ମୋ ପ୍ରତି ହୋଇଥିବା ଆକ୍ଷେପର ମୁଁ ଯେଉଁ ଜବାବ ପଠାଇଥିଲି, ସମ୍ପାଦକ ତାହା ପ୍ରକାଶ କରିନଥିଲେ ।

ସମ୍ପର୍କରେ ମୋର ନମସ୍ୟ ବଢ଼ଭାଇ, ବିଶିଷ୍ଟ ଭାଷାତତ୍ତ୍ଵବିତ୍ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ ତାଙ୍କ ଚେଲାଚାମୁଣ୍ଡାଙ୍କୁ ଧରି ମୋ ପ୍ରତି କୁତ୍ସିତ ଶବ୍ଦ ପ୍ରୟୋଗ କରୁଥିଲେ ସାମାଜିକ ଗଣମାଧ୍ୟମରେ , କାରଣ ମୁଖ୍ୟମନ୍ତ୍ରୀଙ୍କ ସୁନଜରରେ ରହିବା ତାଙ୍କ ପାଇଁ ଆବଶ୍ୟକ ଥିଲା ।

ଅପକୌଶଳ ୪: ଭାଷା ଆଇନର ବିକୃତ ସଂଶୋଧନ ୨୦୧୬

ଏପରି ଯେତେ ଅପକୌଶଳ ପ୍ରୟୋଗ କରି ମଧ୍ୟ ମୁଖ୍ୟମନ୍ତ୍ରୀ ଆମ ଆନ୍ଦୋଳନକୁ ଦବାଇ ପାରିଲେ ନାହିଁ । ମୁଁ ଦେଇଥିବା ଚିଠା ବିଧାନକୁ କବର ଦେବା ପାଇଁ ତାଙ୍କର ସବୁ ଚକ୍ରାନ୍ତ ବ୍ୟର୍ଥ ହେବା ପରେ, ବାଧ୍ୟ ହୋଇ ତାହାକୁ ଆଇନ ବିଭାଗକୁ ପଠାଇଥିଲେ । ଆଇନ ସଂଶୋଧନ ପାଇଁ ମୁଁ ଦେଇଥିବା ପ୍ତାସ୍ତାବର ୪ ଧାରାକୁ ଆଇନ ବିଭାଗ ଅନୁମୋଦିତ କରି ତଦନୁଯାୟୀ ବିଧେୟକ ପ୍ରସ୍ତୁତି ପାଇଁ ପଠାଇଲା ସାଧାରଣ ପ୍ରଶାସନ ବିଭାଗକୁ, ଯାହାର ମନ୍ତ୍ରୀ ଥିଲେ ନିଜେ ମୁଖ୍ୟମନ୍ତ୍ରୀ । ଅଥଚ ଆଇନ ବିଭାଗ ଅନୁମୋଦିତ ଧାରା -୪ କୁ ଧାରା-୫ କରି ସେହି ୪ଧାରାରେ ଆମ ଭାଷାର ପ୍ରଶାସନିକ ବ୍ୟବହାର୍ଯ୍ୟତା ନଷ୍ଟ କରିବା ଉଦ୍ଦେଶ୍ୟରେ ବିଷମଞ୍ଜି ପୋତାହେଲା ୨୧.୫.୨୦୧୬ରେ, ଅଧ୍ୟାଦେଶ ବଳରେ । ଏପରି ତଞ୍ଚକତା ପାଇଁ ଓଡ଼ିଶା କାର୍ଯ୍ୟ ନିୟମାବଳୀର ସମ୍ପୂର୍ଣ ଉଲ୍ଲଂଘନ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ତାହାକୁ ଅନୁମୋଦନ କଲେ ଓ ବିଧାନସଭାକୁ ମିଛ କହି ସଂଖ୍ୟାଗରିଷ୍ଠତା ବଳରେ ତାହାକୁ ହିଁ ଆମ ବିରୋଧ ସତ୍ତ୍ୱେ ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ଆଇନ,୨୦୧୬ର ରୂପଦେଲେ ।

ଅପକୌଶଳ ୫: ଭାଷା ନିୟମାବଳୀ ୨୦୧୬

ଅତ୍ୟନ୍ତ ବେଆଇନ ଭାବେ ତିଆରି ଏହି ୪ ଧାରା ପ୍ରୟୋଗ କରି ଭାଷା ଆଂଦୋଳନର ଉଦ୍ଦେଶ୍ୟ ପଣ୍ଡ ପାଇଁ ୧୨.୮.୨୦୧୬ରେ ବିଧାନସଭା ଉହାଡ଼ରେ ପ୍ରସ୍ତୁତ ଓ ପ୍ରବର୍ତ୍ତିତ ହେଲା ଓଡ଼ିଶା ସରକାରୀ ଭାଷା ନିୟମାବଳୀ, ୨୦୧୬, ଯାହା ମୁଁ ଦେଇଥିବା ଚିଠା ନିୟମାବଳିକୁ ପ୍ରଶାସନର ନଥି ଗଦାରେ କବର ଦେଇ ଓଡ଼ିଆ ଜାତିର ଭାଷା ଅଧିକାରକୁ ଭୟଙ୍କର ଭାବେ କ୍ଷତାକ୍ତ କରିଥିଲା । ଗୋଟେ ଭୀଷଣ ଓଡ଼ିଆ ବିଦ୍ଵେଷୀ ଲୋକ ମୁଖ୍ୟମନ୍ତ୍ରୀ ହୋଇନଥିଲେ ଆମ ଜାତି ବିରୋଧୀ ଏହି କୁତ୍ସିତ ଷଡ଼ଯନ୍ତ୍ର କେବେ ବି ଏପରି ବିଧିକରୂପ ପାଇପାରିନଥାନ୍ତା । ଏହାକୁ ସେ ଜାଣିଶୁଣି କରିଥିଲେ ମୁଁ ଦେଇଥିବା ଚିଠା ନିୟମାବଳୀକୁ କାର୍ଯ୍ୟକାରୀ କରାଇନଦେବା ପାଇଁ ।

ଅପକୌଶଳ ୬: ସ୍ମାରକପତ୍ର ସଂଗୋପନ

ମୋର ସନ୍ଦେହ ହେଲା ଯେ, ତାଙ୍କ ବାପା ଓଡ଼ିଆ ଭାଷାକୁ ସରକାରୀ ଭାଷା କରାଇନଦେବା ପାଇଁ ଯେଉଁ ଷଡ଼ଯନ୍ତ୍ର କରିଥିଲେ ତାହାକୁ ସଫଳ କରିବାକୁ ନବୀନବାବୁ ଆମ ଭାଷାକୁ ମାରିଦେବା ପାଇଁ ଚକ୍ରାନ୍ତ ଚଳାଇଛନ୍ତି । ତେଣୁ, ବିଜୁଙ୍କ ସେହି ଷଡ଼ଯନ୍ତ୍ର ସମ୍ପର୍କରେ ଆମ ଭାଇଭଉଣୀମାନଙ୍କୁ ମନେ ପକାଇଦେବା ପାଇଁ ‘ବିଜୁଙ୍କ ଛୁରା’ ଶୀର୍ଷକରେ ମୁଁ କ୍ରମନିବନ୍ଧ ପରିବେଷଣ କଲି ଦୈନିକ ସୂର୍ଯ୍ୟପ୍ରଭାରେ ଓ bhashaandolan.comରେ, ଯାହା ଏହି ୱେବସାଇଟ୍ ପକ୍ଷରୁ ପ୍ରକାଶିତ ହୋଇଛି ।

ଏହି କ୍ରମନିବନ୍ଧର ୩ଟି କିସ୍ତି ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ମୋତେ ୧୯.୫.୨୦୧୭ ତାରିଖରେ ଅଲୋଚନାକୁ ଡାକିଲେ ଓ ତାଙ୍କୁ ମୁଁ ତତ୍କାଳୀନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ ତତ୍କାଳୀନ ସାଂସଦ ପି. କେ. ଦେବଙ୍କ ଉପସ୍ଥିତିରେ ପୁନଶ୍ଚ ଏକ ସ୍ମାରକପତ୍ର ଦେଇ ସେ ବିଧିବିଭାଗର ଅନୁମୋଦନ ନଥାଇ ଭାଷା ଆଇନରେ ଖଞ୍ଜିଥିବା ଅବୈଧ ଧାରା ୪କୁ ବିଲୋପ କରିବାକୁ ବା ମୁଁ ସେହି ସ୍ମାରକପତ୍ରରେ ଖୋଦିତ କରିଥିବା ଶବ୍ଦ ଦ୍ଵାରା ତାହାର ସଂଶୋଧନ କରିବାକୁ ଏବଂ ୩.୯.୨୦୧୫ରେ ମୋ ପ୍ରଦତ୍ତ ନିୟମାବଳୀକୁ ବିଧିକୃତ କରିବାକୁ କହିଲି । ତହିଁ ପରଦିନ ଦେବୀ ପ୍ରସାଦ ମିଶ୍ର ମୋ ବସାଘରକୁ ଆସି ମୋତେ କହିଥିଲେ କି, ମୁଁ ଦେଇଥିବା ପ୍ରସ୍ତାବକୁ ଆଇନରେ ରୂପାନ୍ତରିତ କରିବା ପାଇଁ ଆଇନ ବିଭାଗକୁ ପଠାଇବାକୁ ମୁଖ୍ୟମନ୍ତ୍ରୀ ପାଣ୍ଡିଆନଙ୍କୁ ଦେଇଛନ୍ତି । ସେ ଦୃଷ୍ଟିରୁ କଳାପତାକା ଅଭିଯାନକୁ ବନ୍ଦ କରାଯାଉ । ମୁଁ ବାସ୍ତବ ସଂଶୋଧନ ପର୍ଯ୍ୟନ୍ତ ତାହା ସମ୍ଭବ ନୁହେଁ ବୋଲି କହିଥିଲି । ଏହି ସ୍ମାରକପତ୍ରର ଭାଗ୍ୟ କ’ଣ ହେଲା ବୋଲି ଜାଣିବାକୁ ମୋ ସହ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇଥିବା ପବିତ୍ର ମହାରଥା ସୂଚନା ଅଧିକାର ପ୍ରୟୋଗ କରିଥିଲେ । ତାହା ମିଳୁନଥିଲା ବୋଲି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ତାଙ୍କୁ ଉତ୍ତର ଦେଇଥିଲା ।

ଅପକୌଶଳ ୭: ଭାଷା ଆଇନର ପକ୍ଷଚ୍ଛେଦ ଉଦ୍ୟମ

ଆମ ଭାଷା ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଏହି ଆଚରଣ ସମ୍ପର୍କରେ ଆମେ ମନ୍ତ୍ରୀ ଓ ବିଧାୟକମାନଙ୍କୁ ଅବଗତ କରାଇବା ପରେ ୨୬.୧୨.୨୦୧୭ ତାରିଖରେ ପୁରୀଠାରେ ହଠାତ୍ ଏକ କ୍ୟାବିନେଟ୍ ବୈଠକ କରାଯାଇ ଦଣ୍ଡବିଧାନ ବ୍ୟବସ୍ଥା ସହ ଭାଷା ଆଇନ ସଂଶୋଧନ ପାଇଁ ଗୋଟିଏ ପ୍ରସ୍ତାବ ବିଭିନ୍ନ ବିଭାଗ ସମ୍ବନ୍ଧିତ ୨୦ଟି ପ୍ରସ୍ତାବ ଭିତରେ ରଖାଯାଇ ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆ ଭାଷାପ୍ରେମର ପ୍ରଚାର ହେଲା । ମାତ୍ର ଅସଲରେ ଏହା ଆମ ଭାଷା ଆଇନର ପକ୍ଷଚ୍ଛେଦ କରି ଓଡ଼ିଆ ଜାତିର ଭାଷା ଅଧିକାରକୁ ପଣ୍ଡ କରିବାକୁ ଉଦ୍ଦିଷ୍ଟ ଥିଲା ଓ କର୍ମଚାରୀମାନେ ଓଡ଼ିଆରେ କାମ ନକଲେ ଜନସାଧାରଣଙ୍କୁ ଦଣ୍ଡିତ କରିବା ପରି ଏକ ଧୂର୍ତ୍ତ ବ୍ୟବସ୍ଥା ବହନ କରିଥିଲା । ଅଧିକନ୍ତୁ, ଭାଷା ଆଇନର କାର୍ଯ୍ୟକାରୀତାକୁ ଅମଲାତନ୍ତ୍ରର ଦୟା ଉପରେ ଛାଡ଼ିଦିଆଯାଇଥିଲ୍ଲୀ । ମୁଁ ଏହାକୁ ଭୟଙ୍କର ବିରୋଧ କଲି । ଏହି ପ୍ରସ୍ତାବର କୌଣସି ଆଇନ ସମ୍ମତ ଭିତ୍ତି ନଥିଲା ଓ ମୋତେ କେତେଜଣ ମନ୍ତ୍ରୀଙ୍କୁ ଏହା କାହିଁକି ଆଇନତଃ ଗ୍ରହଣଯୋଗ୍ୟ ନୁହଁ ତାହା ପାଠ ପଢେଇବାକୁ ପଡ଼ିଥିଲା ।

ଅପକୌଶଳ ୮: କ୍ୟାବିନେଟ୍ ସ୍କାମ୍ ଭିତ୍ତିରେ ସଂଶୋଧନ ୨୦୧୮

ସେମାନେ ମୋ ସହ ଏକମତ ହୋଇ ଏହି ପ୍ରସଙ୍ଗରେ ସାନି ପ୍ରସ୍ତାବ ପାଇଁ ଚାପ ପକାଇବାରୁ , ବିଶେଷତଃ ଅବଲୁପ୍ତ ମନ୍ତ୍ରୀସ୍ତରୀୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ମୋ ଯୁକ୍ତିକୁ ସମ୍ପୂର୍ଣ ସମର୍ଥନ କରି କେଇଜଣଙ୍କ ସହ କଥା ହେବାରୁ ୧୪.୩.୨୦୧୮ରେ ଏହି ପ୍ରସଙ୍ଗରେ ସାନି କ୍ୟାବିନେଟ୍ ବସି ଆଇନ ସଂଶୋଧନ ପାଇଁ ନୂଆ ପ୍ରସ୍ତାବ ହେଲା ଓ ତାହା ଆଇନ ବିଭାଗର ଅନୁମୋଦନ ଅନୁଯାୟୀ ହୋଇଥିବା ହେତୁ ଏବଂ ବିଭାଗ ପରିବର୍ତ୍ତେ ରାଜକୋଷରୁ ବେତନ ପାଉଥିବା ବ୍ୟକ୍ତି ଦଣ୍ଡ ପାଇବା ସମଗ୍ର ରାଜ୍ୟଭିତ୍ତିକ ହୋଇଥିବା ହେତୁ ଓ ଭାଷା ଆଇନଟି କର୍ମଚାରୀଙ୍କ ମର୍ଜି କବଳରୁ ମୁକ୍ତ ରହିବାକୁ ଘୋଷିତ ହୋଇଥିବା ହେତୁ ମୁଁ ତାହାକୁ କେତେକ ଆବଶ୍ୟକୀୟ ଆପତ୍ତି ସହ ସ୍ଵାଗତ କରିଥିଲି । ମାତ୍ର ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ବେଆଇନ ଭାବେ ଏହି ପ୍ରସ୍ତାବକୁ ସମସ୍ତଙ୍କ ଅଲକ୍ଷ୍ୟରେ କବର ଦେଇଦେଲେ ଓ ୨୬.୧୨.୨୦୧୭ ତାରିଖରେ ପୁରୀଠାରେ ଗୃହୀତ ପ୍ରସ୍ତାବ ଉପରେ ଭାଷା ଆଇନର ୨୦୧୮ ସଂଶୋଧନକୁ ଆଧାରିତ କରି ଓଡ଼ିଆ ଜାତିର ଭାଷା ଅଧିକାରକୁ ଭୟଙ୍କର ଭାବେ ବିପର୍ଯ୍ୟସ୍ତ କଲେ । ଭାରତର ବିଧାନ ପ୍ରଣୟନ କ୍ଷେତ୍ରରେ ଏପରି ଏକ କ୍ୟାବିନେଟ୍ ସ୍କାମ୍ ଅଶ୍ରୁତପୂର୍ବ । କିନ୍ତୁ ଆମ ଭାଷା ଅଧିକାର କ୍ଷୁର୍ଣ କରିବା ପାଇଁ ଶାଙ୍ଖ୍ୟଗରିଷ୍ଠତା ବଳରେ ଏପରି ବେଆଇନ ଘଟନା ଘଟିଗଲା ।

ଅପକୌଶଳ ୯: ଅମଲାତନ୍ତ୍ରର ହୁକୁମ ପାଳନ

ମୁଖ୍ୟମନ୍ତ୍ରୀ ନିଜେ ଏହି ବିଧେୟକ ଆଲୋଚନା ଓ ଗ୍ରହଣ ପାଇଁ ୧.୫.୨୦୧୮ ତାରିଖରେ ରଖିବାର ଥିଲେ ମଧ୍ୟ ତାଙ୍କ ପକ୍ଷରୁ ମନ୍ତ୍ରୀ ବିକ୍ରମ ଆରୁଖ ଏହାକୁ ରଖିଥିଲେ । ବିଧେୟକଟିକୁ ଉପସ୍ଥାପନ କଲାବେଳେ ସେ ପକେଟରୁ ଖଣ୍ଡେ କାଗଜ ବାହାର କରି ପଢିଥିଲେ ଓ ବିତର୍କର ଉତ୍ତର ବି ଦେଇଥିଲେ ପକେଟରୁ ବାହାର କରିଥିବା ଆଉ ଦିଖଣ୍ଡ କାଗଜ ପାଠ କରି । ଜାଣିଲେ ଆଶ୍ଚର୍ଯ୍ୟ ହେବାକୁ ହେବ ଯେ, ବିତର୍କର ଉତ୍ତର ଦେଇ ସାରିବା ପରେ ବିଧାନସଭା ତାହାକୁ ଗ୍ରହଣ କରୁ ବୋଲି ସେ ଯେଉଁ ପ୍ରସ୍ତାବ ରଖିବା କଥା ତାହା ମଧ୍ୟ ପକେଟରୁ ଆଉ ଖଣ୍ଡେ କାଗଜ ବାହାର କରି ପଢିଥିଲେ । ଅତଏବ, ଏହି ବିଧେୟକ (Bill) ଅମଲାତନ୍ତ୍ରର ହୁକୁମ ଅନୁସାରେ ବିଧାନସଭାରେ ଉପସ୍ଥାପିତ ହୋଇଥିଲା ଓ ମନ୍ତ୍ରୀଙ୍କ ସମଗ୍ର କ୍ରିୟାକଳାପ ଅମଲାତନ୍ତ୍ର ଦ୍ଵାରା ନିୟନ୍ତ୍ରିତ ହୋଇଥିଲା । ମନ୍ତ୍ରୀ ବନିଯାଇଥିଲେ ଅମଲାତନ୍ତ୍ରର କଥାକୁହା ଶାରୀ ।

ଅପକୌଶଳ ୧୦: ଭାଷା ଆନ୍ଦୋଳନ ବିରୁଦ୍ଧରେ ଦଲାଲ ମୁତୟନ

ଏହାକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ମୁଁ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲି ।

ତାହା ବ୍ୟର୍ଥ ହେବାରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲି ସାନି ସଂଶୋଧନ ଦ୍ଵାରା ୧.୫.୨୦୧୮ ତାରିଖର ଭୁଲ ସୁଧାରିବାକୁ , କିନ୍ତୁ ନିଜର ଭୁଲ ସୁଧାରିବା ପରିବର୍ତ୍ତେ ଭାଷା ଆନ୍ଦୋଳନକୁ ଭାଙ୍ଗିଦେବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋର ଦୁଇ ତୁଙ୍ଗ ସାହକର୍ମୀ ପବିତ୍ର ମହାରଥା ଓ ପ୍ରଦ୍ୟୁମ୍ନ ଶତପଥୀଙ୍କ ଅର୍ଥଲୋଲୁପତାର ଉପଯୋଗ କଲେ ଓ ଏ ଦୁଇ ଖଳ ମୁଁ ସେମାନଙ୍କୁ ଦେଇଥିବା ପଦବୀର ଦୁରୁପଯୋଗ କରି ଭାଷା ଆଇନ ନିର୍ଭୁଲ ଭାବେ ସଂଶୋଧିତ ହୋଇସାରିଥିବାରୁ ଭାଷା ଆନ୍ଦୋଳନ ପ୍ରତ୍ୟାହୃତ ହୋଇସାରିଛି ବୋଲି ମିଛ ପ୍ରଚାର ଚଳାଇ ଓଡ଼ିଆ ଜାତିକୁ ବିଭ୍ରାନ୍ତ କରିବାକୁ ସରକାରଙ୍କ ହତିଆର ପାଲଟିଗଲେ ।

ଅପକୌଶଳ ୧୧: ପୁନଶ୍ଚ ଭୁଲ ସଂଶୋଧନ

ଏହା ସତ୍ତ୍ୱେ ଭାଷା ଆନ୍ଦୋଳନ ବନ୍ଦ ନ ହୋଇ ଚାଲିରହିବାରୁ, ମୁଁ ଦର୍ଶାଇଥିବା ଭୁଲ ସୁଧାରିବା ଆଳରେ ୧.୫.୨୦୧୮ତାରିଖର ସଂଶୋଧନକୁ ମୁଖ୍ୟମନ୍ତ୍ରୀ ୧୯.୯.୨୦୧୮ରେ ପୁନରାୟ ସଂଶୋଧନ କଲେ । ବିଜୁ ପଟ୍ଟନାୟକ କରିଥିବା ଭୁଲକୁ ସଂଶୋଧନ କରିବା ପାଇଁ ମୁଁ ଯେଉଁ ଦାବି ରଖିଥିଲି , ତାହାକୁ ଦୃଷ୍ଟିରେ ରଖି ‘ସରକାରୀ ଭାଷା’ ସଜ୍ଞାୟିତ କରିବାକୁ ଏଥିରେ ଉଦ୍ୟମ ହୋଇଥିଲେ ମଧ୍ୟ କାର୍ଯ୍ୟ ନିଯମାବଳୀ ଅନୁସାରେ ପ୍ରସ୍ତୁତ ଚିଠା ସ୍ମାରକପତ୍ରରେ ବିଧିବହିର୍ଭୂତ ପରିବର୍ତ୍ତନ କରାଯାଇ ପ୍ରଥମ ସଂଶୋଧନରେ ବେଆଇନ ଭାବେ ଖଞ୍ଜା ହୋଇଥିବା ‘ବିଭାଗ’କୁ ଦଣ୍ଡସୀମାରେ ଅତି ଚତୁରତାର ସହ ସ୍ଥାନିତ ରଖାଗଲା । ତାହାକୁ ପ୍ରତ୍ୟାଖ୍ୟାନ କରିବାକୁ ୨୫.୯.୨୦୧୮ରେ ରାଜ୍ୟପାଳଙ୍କୁ ଅନୁରୋଧ କଲି ।  ବିଧାନସଭାର ଆୟୁଷ ସରିଗଲା ।

ଅପକୌଶଳ ୧୨: ଅବୈଧ ନିୟମାବଳୀର ବୈଧିକରଣ

ସରିଯାଇଥିବା ବିଧାନସଭାରେ ଗୃହୀତ ସଂଶୋଧନର ଭୁଲ ସୁଧାରି ସାନି ସଂଶୋଧନ ଦ୍ଵାରା ଭାଷା ଆଇନକୁ ଅଲଙ୍ଘ୍ୟ କରିବାକୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲି ( ମୁଖ୍ୟମନ୍ତ୍ରୀଙ୍କୁ ମୋ ଇ-ମେଲ୍ -ତା୧୧.୧.୨୦୧୯) । ଏହି ପତ୍ର ପାଇଲା ପରେ ଆଇନ ସଂଶୋଧନ ପାଇଁ ପଦକ୍ଷେପ ନ ନେଇ ମୁଖ୍ୟମନ୍ତ୍ରୀ ଆଉ ଏକ ନୂଆ ଚାଲ୍ ଦ୍ଵାରା ସାଧାରଣଲୋକଙ୍କୁ ତଥା ତାଙ୍କ ନୂଆ ମନ୍ତ୍ରୀମଣ୍ଡଳକୁ ଭୁଆଁ ବୁଲାଇବାକୁ ଚେଷ୍ଟା କଲେ । ତଦନୁଯାୟୀ ଭାଷା ଆଇନ କାର୍ଯ୍ୟକାରୀ କରିବା ପାଇଁ ନିୟମାବଳୀ ସଂଶୋଧନ ପ୍ରସ୍ତାବ ୨୬.୨.୨୦୧୯ରେ କ୍ୟାବିନେଟ୍ ସମ୍ମୁଖରେ ରଖାଗଲା । ମନ୍ତ୍ରୀମାନେ ମଥା ନ ଖେଳେଇ ଅନୁମୋଦନ ଦେଲେ । ଏଣିକି ସବୁକାମ ଓଡ଼ିଆରେ ହେବ ବୋଲି ଧୁମ୍ ପ୍ରଚାର ହେଲା । କିନ୍ତୁ ଅସଲରେ ଏହା ଥିଲା ଓଡ଼ିଆ ଜାତି ପ୍ରତି ଆଉ ଏକ ପ୍ରଚଣ୍ଡ ପ୍ରତାରଣା ଯାହା ୨୦୧୬ର ଅବୈଧ ନିୟମାବଳୀର ସଶକ୍ତିକରଣ ତଥା ଭାଷା ଆଇନର ଉଦ୍ଦେଶ୍ୟ ଖର୍ବୀକରଣ ପାଇଁ ଉଦ୍ଦିଷ୍ଟ ଥିଲା । ‘ସଙ୍କଟାବର୍ତ୍ତରେ ସରକାରୀ ଭାଷା ଆଇନ’ ଶୀର୍ଷକରେ ୧୩.୪.୨୦୧୯ ତାରିଖରେ ମୁଁ ଏହି ଚକ୍ରାନ୍ତ ଉପରୁ ପର୍ଦ୍ଦା ହଟାଇଦେଲି । ସରକାର ଆମ ଭିତରୁ ଯେଉଁ ପେଟପାଟଣାବାଦୀମାନଙ୍କୁ ପୋଷାମନାଇଛନ୍ତି ସେମାନଙ୍କୁ ଲଗାଇ ଏହି ନିୟମାବଳୀ ସଂଶୋଧନ ସପକ୍ଷରେ ପ୍ରଚାର ଚଳାଇଲେ । ଯିଏ ବି ଭାଷା ଆନ୍ଦୋଳନରେ ଯୋଗ ଦେଲା ତାକୁ ନିରୁତ୍ସାହିତ କରିବା ପାଇଁ ସବୁପ୍ରକାର ବେସରକାରୀ କୌଶଳ ପ୍ରୟୋଗ କରିଥିଲେ ସରକାର । ଏବଂ ଯେତେବେଳେ ଏହା ସ୍ପଷ୍ଟ ହୋଇଗଲା ଯେ, ଓଡ଼ିଶାବାସୀଙ୍କୁ ଭୁଆଁବୁଲେଇଦେଇହେବ, କ୍ୟାବିନେଟ୍ ପ୍ରସ୍ତାବ ଗୃହୀତ ହେବାର ୬ ମାସଠି ତାହା ରାଜ୍ୟପାଳଙ୍କ ସ୍ଵୀକୃତି ପାଇଁ ପଠା ହେଲା ୮.୮.୨୦୧୯ରେ । ତହିଁ ପରଦିନ ରାଜ୍ୟପାଳ ତହିଁରେ ସ୍ଵାକ୍ଷର କଲେ । ଆମ ଭାଷା ଅଧିକାର ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅମଲାତନ୍ତ୍ର ଚଳାଇ ଆସିଥିବା ଚକ୍ରାନ୍ତର ଏହା ହିଁ ହେଉଛି ଶେଷ ସ୍ଥିତି । ମୁଁ ଏହି ଭୟଙ୍କର ଷଡ଼ଯନ୍ତ୍ର ଓଡ଼ିଶାର ଜନସାଧାରଣଙ୍କ ସମ୍ମୁଖରେ ରଖିଛି ୨୨.୮.୨୦୧୯ରେ  ଏବଂ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସୁପାରିଖିଆ ଦଲାଲମାନଙ୍କ ସବୁ ଷଡ଼ଯନ୍ତ୍ର ସତ୍ତ୍ୱେ, କଳାପତାକା ଅଭିଯାନ ଚାଲିଛି ଏବଂ ଓଡ଼ିଶାର ବିଭିନ୍ନ ସ୍ଥାନକୁ ପ୍ରସାରିତ ହେବାରେ ଲାଗିଛି ।

ଅପକୌଶଳ ୧୩: ଶେଷ ଚାଲ୍ – ଉଦାରୀକରଣ ପ୍ରବଚନ

ଆମ ଭାଷା ଆଇନରୁ ଏହି ସବୁ ଭୁଲ ସଂଶୋଧନ ଲୋପ ହୋଇ ଆଇନ ନିର୍ଭୁଲ ହେବା ପର୍ଯ୍ୟନ୍ତ କଳା ପତାକା ଅଭିଯାନ ଚାଲିବ ବୋଲି ମାତୃଭାଷାପ୍ରାଣ ଓଡ଼ିଆମାନେ ନିଷ୍ପତ୍ତି କରିଛନ୍ତି । କାରଣ ଏହି ଆନ୍ଦୋଳନ ଆମ ମୁକ୍ତିର ଆନ୍ଦୋଳନ । ଏହି ଆନ୍ଦୋଳନକୁ ଧ୍ଵଂସ କରିଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସବୁ ଅପକୌଶଳ ବ୍ୟର୍ଥ ହୋଇଗଲା ପରେ ଆଉ ଏକ ନୂଆ କୌଶଳ ପ୍ରୟୋଗ ଆରମ୍ଭ ହୋଇଥିବା ଆମେ ଅନୁଭବ କରୁଛୁ । ତାହା ହେଲା , ଓଡ଼ିଆମାନଙ୍କୁ ଧୀରେ ଧୀରେ କୁହା ହେଉ ଯେ, ଇଂରେଜୀ ଭାଷା ବିରୁଦ୍ଧରେ ରଣହୁଙ୍କାର ଦିଆ ନଯାଇ ଉଦାରତା ପ୍ରଦର୍ଶିତ ହେଉ । ଏହା ଆମ ଭାଷା ବିରୁଦ୍ଧରେ ଇଂରାଜୀମନସ୍କ ମୁଖ୍ୟମନ୍ତ୍ରୀଙ୍କ ଶେଷ ଚାଲ୍ ।

ମୃତ୍ୟୁମୁଖରେ ଆମ ଭାଷା: ଆମେ ଉଦାର ହେବୁ?

ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ ଯେ, ଜନ୍ମତଃ ଉଦାରଚେତା ଓଡ଼ିଆ ଜାତି ପୃଥିବୀର ସବୁ ଭାଷା ପାଇଁ ସବୁବେଳେ ଉଦାର । ତେଣୁ କୌଣସି ଭାଷାର ସାରସ୍ଵତ ଗରିମା ସମ୍ପର୍କରେ ଭାଷା ଆନ୍ଦୋଳନର କୌଣସି ଅନୁଦାରତା ନାହିଁ ।

ମୁଁ ବାରମ୍ବାର କହିଛି ଯେ, ଭାଷା ଆନ୍ଦୋଳନ ଭାଷାଫୁଟାଣିର ଆନ୍ଦୋଳନ ନୁହେଁ । ଆମର ଏକମାତ୍ର ଲକ୍ଷ୍ୟ , ଆମ ଭାଷାରେ ଆମ ରାଜ୍ୟର ପରିଚାଳନା । ପ୍ରତ୍ୟେକ ଓଡ଼ିଆ ତା ନିଜ ଭାଷାରେ ପ୍ରଶାସନିକ, ନ୍ୟାୟିକ ଓ ବ୍ୟବସାୟିକ ସେବା ପାଇବ – କେବଳ ଏହି ଉଦ୍ଦେଶ୍ୟରେ ଆମ ପୂର୍ବପୁରୁଷେ ସୃଷ୍ଟିକରିଛନ୍ତି ଓଡ଼ିଶା । ଓଡ଼ିଆରେ ଓଡ଼ିଶାର ପରିଚାଳନା ନ ହେବା ହିଁ ଆମ ପୂଜ୍ୟ ପୂର୍ବପୁରୁଷଙ୍କ ପାଇଁ ସବୁଠୁ ବଡ଼ ଉତ୍କଟ ଅପମାନ । ଏ ଅପମାନର ପରିସମାପ୍ତି ଆମର ଲକ୍ଷ୍ୟ ।

କାଳଜୟୀ ବୌଦ୍ଧ ସାହିତ୍ୟ ଏବେ ବି ବଞ୍ଚିଛି, କିନ୍ତୁ ଆମ ଭାଷା ପାଲି, ଯେଉଁ ଭାଷାରେ ଆମ ମାଟିର ଶ୍ରେଷ୍ଠ ସନ୍ତାନ ବୁଦ୍ଧ ତାଙ୍କ ବାଣୀ ପ୍ରସାର କରିଥିଲ୍ଲେ, ତାହା ମରିଯାଇଛି ।  ବୌଦ୍ଧଧର୍ମ ବିଦ୍ଵେଷୀ ସମ୍ରାଟମାନଙ୍କ ଦରବାରରେ ସଂସ୍କୃତ ରାଜଭାଷା ହୋଇ ରହିବା ଫଳରେ ତାହା ପ୍ରଶାସନ ଓ ବ୍ୟବସାୟର ଭାଷା ହୋଇରହିଲାନାହିଁ । ତେଣୁ ମରିଗଲା ।

ସେଦିନ ଭାଷପ୍ରାଣ ଗବେଷକ ସୌଭାଗ୍ୟ ରାଉତ ଠିକ୍ ଏହିକଥା କହିଥିଲେ । ବିପୁଳ ସାହିତ୍ୟ ଓ ଶାସ୍ତ୍ରସମ୍ଭାର ସତ୍ତ୍ୱେ ସଂସ୍କୃତ ମରିଯାଇଛି , କାରଣ ବିଦେଶୀ ଶାସନ କାଳରେ ତାହା ଆମ ପ୍ରଶାସନ ଓ ବ୍ୟବସାୟର ଭାଷା ହୋଇରହିଲା ନାହିଁ ।

ପ୍ରଶାସନ ଓ ବ୍ୟବସାୟର ଭାଷା ହୋଇ ନରହିଲେ ସାହିତ୍ୟ-ସମ୍ପଦ ସତ୍ତ୍ୱେ ଭାଷା କେମିତି ମରିଯାଏ ଏହି ଦୁଇଟି ଭାଷାର ମୃତ୍ୟୁ ତାର ପ୍ରକୃଷ୍ଟ ଉଦାହରଣ ।

ଆମ ଭାଷା ମାରି ନା ଯାଉ, ଆମ ପ୍ରଶାସନ ଓ ବ୍ୟବସାୟର ଭାଷା ହୋଇରହୁ, ଏଥିପାଇଁ ୧୮୭୦ରୁ ସଂଘର୍ଷ କରି କରି ବିଲାତି ସରକାରକୁ ଆମେ ବାଧ୍ୟ କରିଥିଲୁ ଆମ ଭାଷା ଭିତ୍ତିରେ ଆମ ରାଜ୍ୟ ପ୍ରତିଷ୍ଠା କରିବାକୁ ।

ବିଲାତି ଶାସନରୁ ମୁକ୍ତି ପରେ ସ୍ଵାଧୀନ ଭାରତରେ ପାଳିତ ପ୍ରଥମ ଉତ୍କଳ ଦିବସରେ ଅଧିବେଶନରତ ବିଧାନସଭାରେ ବରଗଡ଼ ପ୍ରତିନିଧି ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ଆମ ଭାଷାକୁ ସରକାରୀ ଭାଷା କରିବା ପାଇଁ ଆଇନ ପ୍ରଣଯନ କରିବାକୁ ପ୍ରଥମ ପ୍ରସ୍ତାବ ଦେଇଥିଲେ । ସାଧାରଣତନ୍ତ୍ର ପ୍ରତିଷ୍ଠା ପରେ ଗଠିତ ଆମ ପ୍ରଥମ ବିଧାନସଭାରେ ୧୯୫୪ରେ ଆମେ ସରକାରୀ ଭାଷା ଆଇନ କରି ଓଡ଼ିଶାର ସମସ୍ତ ଓ ଯେକୌଣସି ଦାପ୍ତରୀକ କାମ ଓଡ଼ିଆରେ ହେବ ବୋଲି ଧାର୍ଯ୍ୟ କରିଛୁ । ଅଥଚ ଅତି ଅବୈଧ ଭାବେ ଇଂରାଜୀରେ ଆମ ରାଜ୍ୟ ପରିଚାଳିତ ହେଉଛି, ଆମ ଭାଷାରେ ହେଉନି । ତେଣୁ ପାଲି ଓ ସଂସ୍କୃତ ପରି ବିପୁଳ ସାହିତ୍ୟ ସତ୍ତ୍ୱେ ଆମ ମାତୃଭାଷା ମରିଯିବା ସୁନିଶ୍ଚିତ, ଯଦି ତୁରନ୍ତ ଏହା ଆମ ପ୍ରଶାସନ ଓ ବ୍ୟବସାୟର ଭାଷା ନ ହୁଏ । ଏହି କାରଣ ହେତୁ , ପ୍ରଶାସନ ଓ ବ୍ୟବସାୟ କ୍ଷେତ୍ରରେ ଆମ ଭାଷା ହିଁ ଆମ ପାଇଁ ଏକମାତ୍ର ଭାଷା ହେବା ଆମ ଅଭିପ୍ରାୟ ।

ମୋ ବନ୍ଧୁଙ୍କ ନିବନ୍ଧର ଶୀର୍ଷକ ହେଲା, “ଭାଷା ନେଇ ଉଦାର ହେବା” । ଉପରୋକ୍ତ କାରଣ ଭିତ୍ତିରେ ଭାଷା ଆନ୍ଦୋଳନର ନିଷ୍ପତ୍ତି ହେଲା “ଭାଷା ପାଇଁ ଉଦାର ନ ହେବା” ।

Comments

2 Comments

Post a comment
  1. CHAKRADHAR MOHANTA #
    January 20, 2020

    ମାତୃଭାଷା ମଧୁ ମଧୁ ସତେ କି ପୂର୍ଣ୍ଣିମା ଇନ୍ଦୁ
    ଭୁଲିଲେ ହଜାଇ ଦେବୁ ନିଜ ପରିଚୟ ବିନ୍ଦୁ !

    ଓଡିଆ ଭାଷା ମୋ’ ଓଡିଶା ଜନନୀର ପଣତକାନୀ !

Trackbacks & Pingbacks

  1. ହରବାବୁ! ଗୋପାଳିଆ ଘୁଷି ନୁହେଁ, ଆମ ମା ଏଇନେ ଲୋଡୁଛି ଫକୀରମୋହନଙ୍କ ‘ଦେଶୀ ହୃଦୟ’ | Bhasha Andolan

Leave a Reply

Basic HTML is allowed. Your email address will not be published.

Subscribe to this comment feed via RSS

This site uses Akismet to reduce spam. Learn how your comment data is processed.