ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଓଡିଶା ସରକାର ଏପର୍ଯ୍ୟନ୍ତ ଗୋଟିଏ କଥା ବଡ଼ ଜୋରରେ କହି ଆସୁଥିଲେ । ତାହା ହେଲା କରୋନା ସଙ୍କଟ ରାଜ୍ୟ ସରକାରଙ୍କ କାବୁରେ । ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଆକ୍ରାନ୍ତଙ୍କ ସଂଖ୍ୟା ଓଡ଼ିଶାରେ ବହୁତ କମ୍ । ଓଡ଼ିଶାରେ କମ୍ ହେବାର କାରଣ ହେଲା, ମୁଖ୍ୟମନ୍ତ୍ରୀଙ୍କ ଦକ୍ଷ ନେତୃତ୍ଵ । କିନ୍ତୁ ହଠାତ୍ , ସରକାରଙ୍କ ମୁଖ୍ୟ ମୁଖପାତ୍ର ବାଗ୍ଚି ମହାଶୟ ସ୍ଵର ବଦଳାଇ କହିଲେଣି , “ସ୍ଥିତି ଠିକ୍ ବାତ୍ୟା ପୂର୍ବର ବତାସ ପରି ।“ ଅବସ୍ଥା ଅଣାୟତ ହେବ, କାରଣ ପଶିମ ବଙ୍ଗରୁ କରୋନାର ବାତ୍ୟା ମାଡ଼ି ଆସୁଛି ଓଡ଼ିଶାକୁ । ସେଥିପାଇଁ ଓଡ଼ିଶାରେ କରୋନା ସଙ୍କ୍ରାନ୍ତୀୟ ସବୁ ଆଇନକୁ ସମସ୍ତେ ନିଷ୍ଠାର ସହ ପାଳନ କରିବା ଆବଶ୍ୟକ । ମୁଖ୍ୟମନ୍ତ୍ରୀ ବି ଗତକାଲି ଆହୁରି ଜୋର୍ ଦେଇ କହିଲେ , ସରକାରୀ ନିୟମ ମାନନ୍ତୁ, କରୋନାଯୁଦ୍ଧରେ ଜିତନ୍ତୁ ।
ଆମ୍ଭର ବାରମ୍ବାର ଦାବି ସତ୍ତ୍ୱେ କରୋନା ସମ୍ପର୍କୀୟ କୌଣସି ଜ୍ଞାତବ୍ୟ ତଥ୍ୟ ଓଡ଼ିଶାବାସୀଙ୍କୁ ଓଡ଼ିଆରେ ଦିଆଯାଉନି । କେଉଁ ନିୟମଟି ସେମାନେ ଜାଣିଛନ୍ତି ଯେ, ମାନିବେ? ଲୋକଙ୍କୁ ମୋବାଇଲ ଫୋନ ମାଧ୍ୟମରେ ଉପଲବ୍ଧ ହେବା ପରି ଓଡ଼ିଆରେ ସମସ୍ତ ତଥ୍ୟ ଦିଆଯିବା ପାଇଁ ଆମ୍ଭେ ରଖିଥିବା ଦାବି ସଫଳ ହେଲା ପରି ଲାଗିଥିଲା, ଯେତେବେଳେ ମୋବାଇଲ ଫୋନ ଦ୍ଵାରା ଉପଲଭ୍ୟ Odisha Govt COVID Desk ନାମକ ଏକ ହ୍ଵାଟ୍ସଆପ୍ ପୃଷ୍ଠା ସରକାର ଖୋଲିଲେ ଆମ୍ଭେ ଦାବି ରଖିବାର ୧୪ ଦିନଠି, ଏପ୍ରିଲ ୨୨ ତାରିଖରେ । କିନ୍ତୁ ତାହା କିପରି ଏକ ପ୍ରଚଣ୍ଡ ପ୍ରତାରଣା, ତାହା ଆମ୍ଭେ ଦର୍ଶାଇଛୁ ।
କେବଳ ପୃଷ୍ଠା ପରିଚୟ ଭିନ୍ନ ତହିଁରେ ସମସ୍ତ ତଥ୍ୟ ଇଂରାଜୀରେ । ଆମ ଲୋକଙ୍କୁ ଅନ୍ଧକାରରେ ରଖି ପୋଲିସ ନିର୍ଯ୍ୟାତନା ଭୋଗିବାକୁ ବାଧ୍ୟ କରାଯାଉଛି । ପୋଲିସ ଅତ୍ୟାଚାରର ମର୍ମନ୍ତୁଦ ପ୍ରମାଣ ପ୍ରଦାନ କରି ଆମ୍ଭେ ସର୍ବ ସମ୍ମୁଖରେ ଆଲୋଚନା ରଖିବା ପରେ ଖୋର୍ଦ୍ଧା ପୋଲିସ ଲୋକଙ୍କୁ ସାହାଯ୍ୟ କରୁଥିବାର ବରାଦି ଚିତ୍ର ଟିଭି ପରଦାରେ ଦିଆଇଛି । କିନ୍ତୁ ମନେହୁଏ ପୋଲିସ ଦ୍ଵାରା ଆତଙ୍କ ସୃଷ୍ଟି କରି ସବୁ ଏକଛତ୍ରବାଦ ଯେପରି ଲକ୍ଷ୍ୟପଥରେ ଆଗେଇଯାଏ , ଓଡ଼ିଶାରେ ତାହା ହିଁ ହେଉଛି ।
କରୋନା ସାମିଆନା ତଳେ ଲୋକଙ୍କୁ ଦୁଇଟି କଥା ମାନିବାକୁ ବାଧ୍ୟ କରାଯାଉଛି : (୧) ପୋଲିସ ରକ୍ଷାକର୍ତ୍ତା ଓ (୨) ନବୀନ ତ୍ରାଣକର୍ତ୍ତା ।
ପୋଲିସ ରକ୍ଷାକର୍ତ୍ତା
ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ରୋଗ ହେଲେ ସିନା ଚିକିତ୍ସା କରିବେ, କିନ୍ତୁ ଆମ ଲୋକଙ୍କୁ ଏହା ହିଁ ଗ୍ରହଣ କରିବାକୁ ବାଧ୍ୟ କରାଯାଉଛି ଯେ, ପୋଲିସ କଥା ମାନିଲେ ରୋଗ ହେବ ନାହିଁ । ଯଦି ଭଲରେ ଭଲରେ ପୋଲିସ କଥା ନ ମାନିବ, ତେବେ ଲାଠିମାଡ଼ ଖାଇବ, ଜୋରିମାନା ଦେବ । କାରଣ, ତମକୁ ରକ୍ଷା କରିବା ପାଇଁ ପୋଲିସ ଏପରି କଠିନ ପଦକ୍ଷେପ ନେବା ପାଇଁ ଅଧିକୃତ ।
ମଣିଷକୁ ରୋଗ ହୁଏ । ପ୍ରତ୍ୟେକ ମଣିଷ ଚିକିତ୍ସା ବିଜ୍ଞାନ ସହାୟତାରେ ରୋଗ ସହ ଲଢେଇ କରି ଜିତେ ଅବା ମରେ । ପୋଲିସର ଲାଠି, ଜେଲ ଓ ଜୋରିମାନା କେବେ ତାକୁ ରୋଗ କବଳରୁ ରକ୍ଷା କରିବ? ଆମ ସରକାର ଆମ ଭାଷାରେ ଯଦି କରୋନାର ମହାମାରୀତ୍ଵ ସମ୍ପର୍କରେ ଆମକୁ ସବୁକଥା କହନ୍ତେ, ଆମେ ନିଜ ଆଡ଼ୁ ନିଜକୁ ରକ୍ଷା କରିବା ପାଇଁ ସବୁ ସତର୍କତା ଅବଲମ୍ବନ କରନ୍ତୁ ; କାରଣ ଅସହ୍ୟ କଷ୍ଟ କବଳରେ ପଡ଼ି ଆତ୍ମହତ୍ୟା କରିବାକୁ ଶ୍ରେୟ ମଣିଥିବା ମଣିଷ ଭିନ୍ନ କୌଣସି ଲୋକ ମରିବାକୁ ଚାହେଁନି , ବଞ୍ଚିବାକୁ ସତତ ଚେଷ୍ଟା କରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତହିଁରେ ବାଧକ ସାଜିଛନ୍ତି । ଆମ ଭାଷାରେ କରୋନା ସମ୍ପର୍କୀୟ କୌଣସି କଥା ଆମକୁ ଜାଣିବାକୁ ନ ଦେଇ, ପୋଲିସ ଆମର ରକ୍ଷାକର୍ତ୍ତା ବୋଲି ଗ୍ରହଣ କରିବାରେ ଆମକୁ ଅଭ୍ୟସ୍ତ କରାହେଉଛି । ଓଡ଼ିଶାର ଗଣମାଧ୍ୟମ ନବୀନଙ୍କ ସହ ଏପରି ହାତ ମିଳାଇଛି ଯେ, ପୋଲିସ ନୁହଁ , ମଣିଷ ହିଁ ନିଜର ପ୍ରକୃତ ରକ୍ଷାକର୍ତ୍ତା ବୋଲି ପଦେ କେବେ କହୁନି ।
ସମ୍ରାଟଙ୍କ ସହ ନ ରହି ଭାଟ୍ଟେ କଣ ସାଧାରଣ ମଣିଷ ସହ ରହନ୍ତେ ?
ନବୀନ ତ୍ରାଣକର୍ତ୍ତା
ନଗଣ୍ୟସଂଖ୍ୟକ କ୍ଷୁଦ୍ରାତିକ୍ଷୃଦ୍ର ଖବରକାଗଜ/ପତ୍ରିକାଙ୍କୁ ଛାଡ଼ି ଓଡ଼ିଶାର ସବୁ ଗଣମାଧ୍ୟମ ନବୀନଙ୍କ ସେବାରେ ବ୍ୟସ୍ତ । ଯିଏ ଯେତେ ବାଗରେ ଚାହିଁଲା ତାଙ୍କ ପ୍ରଚାର କଲା । ଏକଦା କ୍ଷମତାଧିପତିଙ୍କ ବିରୁଦ୍ଧରେ ସାଧାରଣ ମଣିଷର ସ୍ଵର ସାଜିଥିବା ସମ୍ବାଦ କାଗତ ତ ନବୀନଙ୍କ ଚାଟୁକାର ସାଜିଛି, ଅନ୍ୟ କାହା କଥା ପଚାରେ କିଏ !
ଏପ୍ରିଲ ୨୮ ତାରିଖରେ ଏହି କାଗଜର ଏକ ଶୀର୍ଷକ ଥିଲା “ଜାଣନ୍ତୁ, କାହିଁକି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍ କରି ବିଳମ୍ବିତ ରାତ୍ରିରେ ନାସିକ୍ ବିମାନବନ୍ଦରକୁ ଖୋଲାଇଲେ ମୁଖ୍ୟମନ୍ତ୍ରୀ ନବୀନ…” । ଏକ ଦାୟିତ୍ଵସମ୍ପନ୍ନ ଖବର କାଗଜ ଯେଉଁ ଖବର ପରିବେଷଣ କରେ, ତହିଁର ପ୍ରମାଣ ଦିଏ ଓ ସମସ୍ତ ଦାୟିତ୍ଵବୋଧର ସହ ତହିଁର ଶୀର୍ଷକ ପ୍ରସ୍ତୁତ କରେ । ଆମେ ପାଠକମାନେ ତାକୁ ତ ସ୍ଵାଭାବିକ ଭାବେ ଜାଣିବୁ, କାରଣ ଖବର ଜାଣିବାକୁ ତ ଆମେ ଖବର କାଗଜ କିଣୁଛୁ । କିନ୍ତୁ ଏହି ଖବରରେ “ଜାଣନ୍ତୁ” ବୋଲି ଆମକୁ ଆହ୍ଵାନ ଦେବାର କାରଣ କ’ଣ? କେଉଁ କଥା ଆମକୁ ଜଣାଇବାକୁ ଚାହିଁଛି ସମ୍ବାଦ?
ଅବିକଳ ନକଲ
“ନୋଭେଲ କରୋନା ଭାଇରସ୍ ବା କୋଭିଡ୍-୧୯ ବିରୋଧରେ ଓଡ଼ିଶା ଲଢ଼ୁଥିବା ବେଳେ ହଠାତ୍ ଦେଖାଦେଲା ଏକ ସମସ୍ୟା। କୋଭିଡ୍-୧୯ ବା କରୋନା ନମୁନା ପରୀକ୍ଷା ପାଇଁ ରାଜ୍ୟକୁ ବିଦେଶରୁ ଆମଦାନି କରାଯାଇଥିବା କିଛି ସାମଗ୍ରୀ ଆସି ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ସଡ଼କ ପଥରେ ଆସି ରାଜ୍ୟରେ ପହଞ୍ଚିବାର ଥିଲା। କିନ୍ତୁ ରପ୍ତାନି କରିଥିବା କମ୍ପାନି ସେଗୁଡ଼ିକୁ ପଠାଇ ଦେଲା ପୁଣେ ଓ ନାସିକ୍। ଲକ୍ଡାଉନ ପାଇଁ ପୁଣେ ଓ ନାସିକ୍ ବିମାନ ବନ୍ଦର ବନ୍ଦ। ଏଣେ ରାତି ଭିତରେ ଯଦି ସାମଗ୍ରୀ ଆସି ନ ପହଞ୍ଚୁଛି ତେବେ ସକାଳୁ ବାଧାପ୍ରାପ୍ତ ହୋଇଯିବ କରୋନା ନମୁନା ପରୀକ୍ଷା। ଏ ପରିସ୍ଥିତିରେ କରାଯିବା କ’ଣ? ସମସ୍ତେ ପଡ଼ିଗଲେ ଚିନ୍ତାରେ।
କୋଭିଡ୍ ବିରୋଧୀ ଲଢ଼େଇରେ ମଙ୍ଗ ସମ୍ଭାଳିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେତେବେଳେ ଏ ଘଟଣା ଜାଣିଲେ, କାଳ ବିଳମ୍ବ ନକରି ଫୋନ୍ ଲଗାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ। ସୃଷ୍ଟି ହୋଇଥିବା ସମସ୍ୟା ସଂପର୍କରେ ତାଙ୍କୁ ଅବଗତ କରାଇବା ସହ ଆବଶ୍ୟକ ପଡ଼ୁଥିବା ସହଯୋଗ ସଂପର୍କରେ ଦେଲେ ସୂଚନା। ବାସ୍; ମାତ୍ର କିଛି ଘଣ୍ଟା ମଧ୍ୟରେ ଯୋଗାଡ଼ ହୋଇଗଲା ବାୟୁସେନାର ଏକ ବିମାନ। ବିଳମ୍ବିତ ରାତିରେ ଖୋଲିଲା ବନ୍ଦ ଥିବା ପୁଣେ ଓ ନାସିକ୍ ବିମାନ ବନ୍ଦର। ସେଠାରୁ ପରୀକ୍ଷଣ ସାମଗ୍ରୀ ପରିବହନ କରି ବାୟୁସେନାର ବିମାନ ମଧ୍ୟରାତ୍ରରେ ଆସି ଅବତରଣ କଲା ଭୁବନେଶ୍ୱର ବିମାନ ବନ୍ଦରରେ। ସକାଳୁ ଚାଲୁ ରହିଲା କୋଭିଡ୍ ପରୀକ୍ଷଣ ।”
ସାଂଘାତିକ ସମ୍ବାଦିକତା
ଏହି ଖବରଟି ସାମ୍ବାଦିକୀୟ ଦୃଷ୍ଟିରୁ କିପରି ସାଂଘାତିକ , ତାହା ଦେଖାଯାଇପାରେ ।
ଏହା କହିଛି, “ହଠାତ୍ ଦେଖାଦେଲା ଏକ ସମସ୍ୟା ।“
ଗୋଟେ ଭୁତାଣୁର ପରିବ୍ୟାପ୍ତିରେ ଲଗାମ୍ କଷିବାକୁ ଡାକ୍ତରମାନଙ୍କ ସୁଚିନ୍ତିତ ଯୋଜନା ଅନୁସାରେ ଗୋଟେ କ୍ରମାଗତ ଉଦ୍ୟମ ଚାଲିଛି । କୌଣସି ବୈଜ୍ଞାନିକ ପରୀକ୍ଷଣ ନାହିଁ , ଔଷଧ ପ୍ରୟୋଗ ନାହିଁ, କେବଳ କ୍ରମାଗତ ହେପାଜତ । ସେଥିରେ ପୁଣି “ହଠାତ୍” କଣ ?
ସମ୍ବାଦ କହିଛି, “ହଠାତ୍ ଦେଖାଗଲା” କି, “କୋଭିଡ୍-୧୯ ବା କରୋନା ନମୁନା ପରୀକ୍ଷା ପାଇଁ“ ଅତ୍ୟାବଶ୍ୟକୀୟ “କିଛି ସାମଗ୍ରୀ” ନାହିଁ । ବିଦେଶରୁ ତାହା ରପ୍ତାନୀ କରିଥିବା କମ୍ପାନୀ ଦିଲ୍ଲୀ ବିମାନବନ୍ଦରରୁ ତାକୁ ସଡ଼କପଥରେ ଓଡ଼ିଶା ନ ପଠାଇ “ସେଗୁଡ଼ିକୁ ପଠାଇ ଦେଲା ପୁଣେ ଓ ନାସିକ୍” । ଏକଥା ଜାଣିପାରି କୁଆଡ଼େ ସରକାରୀ ମହଲରେ ଆତଙ୍କ ଖେଳିଗଲା ; କାରଣ “ରାତି ଭିତରେ ଯଦି ସାମଗ୍ରୀ ଆସି ନ ପହଞ୍ଚୁଛି ତେବେ ସକାଳୁ ବାଧାପ୍ରାପ୍ତ ହୋଇଯିବ କରୋନା ନମୁନା ପରୀକ୍ଷା ।“ ଏହା ଦୁଇଟି ପ୍ରଶ୍ନମାଳା ତୋଳୁଛି :
(କ) ରାତି ଭିତରେ ସାମଗ୍ରୀ ନ ପହଞ୍ଚିଲେ ସକାଳୁ କାରୋନା ପରୀକ୍ଷା ହୋଇ ପାରିବ ନାହିଁ ବୋଲି କର୍ତ୍ତୃପକ୍ଷ କେବେ ଜାଣିଲେ? ସେତେବେଳଯାଏଁ କରୁଥିଲେ କ’ଣ ? ଏହି ସମସ୍ୟା “ହଠାତ୍ ଦେଖାଗଲା” ବୋଲି କୁହା ହୋଇଥିବା ହେତୁ, ଏହା ହିଁ ବୁଝାପଡ଼େ ଯେ, ସେହି ରାତି ପର୍ଯ୍ୟନ୍ତ ଜଣା ନଥିଲା ସେହି ଅତ୍ୟାବଶ୍ୟକ ସାମଗ୍ରୀ ସରିଗଲାଣି ବୋଲି । କିଏ ସେହି ସାମଗ୍ରୀ ଦାୟିତ୍ଵରେ ଥିଲେ ଓ ପୂର୍ବରୁ ତାହା କାହିଁକି ଅବଗତ କରାଇ ନଥିଲେ? ଏହି ଚରମ ଦାୟିତ୍ଵହୀନତା ପାଇଁ ତାଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ହୋଇଛି?
(ଖ) କିଏ ସେହି ରପ୍ତାନୀକର୍ତ୍ତା ଯାହାଙ୍କ ପ୍ରେରିତ ସାମଗ୍ରୀ ଭୁବନେଶର ଠିକଣାରେ ଆସି ପୁଣେ ଓ ନାସିକ୍ ପଳାଇଲା ? କେଉଁଠୁ ତାହା ଦିଲ୍ଲୀ ବିମାନବନ୍ଦରକୁ ଆସିଥିଲା ? ଦିଲ୍ଲୀରୁ ଯେତେବେଳେ ତାହା ସଡ଼କପଥରେ ଭୁବନେଶ୍ବର ଆସିବା କଥା ଥିଲା, କେହି ତ ସେହି ଅତ୍ୟାବଶ୍ୟକ ସମଗ୍ରୀକୁ ସେଠାରେ ହାତେଇଥାନ୍ତା ଓ ତାକୁ ବିମାନବନ୍ଦର ବାହାରକୁ ଆଣି ସଡ଼କପଥରେ ପଠାଇଥାନ୍ତା । କିଏ ସେହି ବ୍ୟକ୍ତି? କେଉଁ ବିମାନରେ ତାହା ଆସିଥିଲା ଓ କେତେବେଳେ ଦିଲ୍ଲୀରେ ପହଞ୍ଚିଥିଲା? ଦିଲ୍ଲୀରୁ ସଡ଼କପଥରେ ଭୁବନେଶ୍ଵରକୁ ଦି ଦିନ । କେଉଁ ଦିନ ତାହା ଭୁବନେଶ୍ଵରରେ ପହଞ୍ଚିବାର ଥିଲା ? ସଡ଼କ ପାସ୍ ବିନା ତାହା ତ ଆସିପାରିନାଥନ୍ତା । କେଉଁ ବ୍ୟକ୍ତି ସଡ଼କ ପାସ୍ ପାଇଁ ଦରଖାସ୍ତ କରିଥିଲେ ଏବଂ କେଉଁ ଦିନ ? ସଡ଼କ ପାସ୍ ମିଳିଥିଲା କି ନାହିଁ ? ଓଡ଼ିଶା ସରକାରଙ୍କ କେଉଁ କର୍ମଚାରୀ ତାହା ହାସଲ କରିଥିଲେ? କେତେ ନମ୍ବର ଗାଡ଼ି ପାଇଁ ସଡ଼କ ପାସ୍ ମିଳିଥିଲା ? ସେ ଗାଡ଼ି କୁଆଡ଼େ ଗଲା?
ଏ ସବୁ ନ କହି ସମ୍ବାଦ କାଗଜ କହିଛି , “କୋଭିଡ୍ ବିରୋଧୀ ଲଢ଼େଇରେ ମଙ୍ଗ ସମ୍ଭାଳିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେତେବେଳେ ଏ ଘଟଣା ଜାଣିଲେ, କାଳ ବିଳମ୍ବ ନକରି ଫୋନ୍ ଲଗାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ।“ ତା ପରେ “ପରୀକ୍ଷଣ ସାମଗ୍ରୀ ପରିବହନ କରି ବାୟୁସେନାର ବିମାନ ମଧ୍ୟରାତ୍ରରେ ଆସି ଅବତରଣ କଲା ଭୁବନେଶ୍ୱର ବିମାନ ବନ୍ଦରରେ। ସକାଳୁ ଚାଲୁ ରହିଲା କୋଭିଡ୍ ପରୀକ୍ଷଣ ।“ ଏହାର ଅର୍ଥ, ଯଦି ପୁଣେ ଓ ନାସିକରୁ ପରୀକ୍ଷଣ ସାମଗ୍ରୀ ଧରି ବାୟୁସେନା ବିମାନ ମଧ୍ୟରାତ୍ରିରେ ପହଞ୍ଚି ନଥାନ୍ତା , ସକାଳେ କୋଭିଡ୍ (କାରୋନା) ପରୀକ୍ଷଣ ବନ୍ଦ ହୋଇଯାଇଥାନ୍ତା । ଅତଏବ , କାରୋନା ସହ ଚାଲିଥିବା “ଯୁଦ୍ଧ” ଏକ ଅନ୍ତର୍ଘାତୀ ଆକ୍ରମଣର ସମ୍ମୁଖୀନ ହୋଇଥିଲା, ଯାହା ଅବଗତ ହେଲା ପରେ “କୋଭିଡ୍ ବିରୋଧୀ ଲଢ଼େଇରେ ମଙ୍ଗ ସମ୍ଭାଳିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ” ଅବସ୍ଥା ସୁଧାରିଦେଲେ । ଏହା ଯଦି ସତ୍ୟ , ତେବେ ତ ଏହି ଅନ୍ତର୍ଘାତୀ ଷଡ଼ଯନ୍ତ୍ର କିଏ ଚଳାଇଥିଲା, ତାହା ମୁଖ୍ୟମନ୍ତ୍ରୀ ନିଶ୍ଚୟ ଜାଣିଥିବେ । ତା ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ କରିଛନ୍ତି ମୁଖ୍ୟମନ୍ତ୍ରୀ ? ଏ ସମସ୍ତ କଥା ଜାଣିବାର ଅଧିକାର ଓଡ଼ିଶାର ଜନସାଧାରଣଙ୍କର ଅଛି ; କାରଣ ଏଥିସହ ଜଡ଼ିତ ଜୀବନ ମରଣର କଥା । ସମ୍ବାଦ କାଗଜ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାର ତ୍ରାଣକର୍ତ୍ତା ସଜାଇବାକୁ ଏତେ କସରତ କରିଛି, କିନ୍ତୁ ଏହି ଯେଉଁ ସବୁ ପ୍ରଶ୍ନର ଉତ୍ତର ଆବଶ୍ୟକ ତା ପାଇଁ ନୀରବ ଅଛି ।
ସଚିବଙ୍କ ବୟାନ ମିଛ
ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କ ବୟାନ ଉଦ୍ଧାର କରି ସମ୍ବାଦ ଲେଖିଛି : “ସେହିପରି ଆଉ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା, ରାଜ୍ୟରେ କୋଭାଡ୍ ମେସିନ୍ ପ୍ରତିଷ୍ଠା କାଳରେ । କୋଭିଡ୍-୧୯ ନମୁନା ପରୀକ୍ଷଣର ସଂଖ୍ୟା ବଢ଼ାଇବା ସହ ଏହାକୁ ତ୍ୱରାନ୍ଵିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟକ୍ତିଗତ ଉଦ୍ୟମରେ ରାଜ୍ୟକୁ ମଗାଇ ଆଣିଲେ କୋଭାସ୍ ମେସିନ୍ । ଯେଉଁଥିରେ ଥରକରେ ହୋଇ ପାରିବ ୮୦୦ ନମୁନାର ପରୀକ୍ଷା । ମେସିନ୍ ତ ଆସି ପହଞ୍ଚିଗଲା । ହେଲେ, ସମସ୍ୟା ଉପୁଜିଲା ଏହାକୁ ପ୍ରତିଷ୍ଠା କରିବା ସମୟରେ । କାରଣ, ଏହାକୁ ଯେଉଁ ଇଞ୍ଜିନିୟରମାନେ ପ୍ରତିଷ୍ଠା କରିବେ ସେମାନଙ୍କ ମଧ୍ୟରୁ କିଏ ଦିଲ୍ଲୀରେ ତ ପୁଣି କିଏ ମୁମ୍ବାଇରେ, ଆଉ ପୁଣି (କିଏ) ଯାଇ ଗୁରୁଗ୍ରାମରେ। ଏ ଘଟଣା ଯେତେବେଳେ ଜାଣିଲେ ମୁଖ୍ୟମନ୍ତ୍ରୀ ନବୀନ, ଡକାଇଲେ ଅଧିକାରୀମାନଙ୍କୁ। ନିର୍ଦ୍ଦେଶ ଦେଇ କହିଲେ ଯାଅ ବିମାନ ଧରି ସବୁ ଇଞ୍ଜିନିୟରମାନଙ୍କୁ ସଙ୍ଗରେ ଧରିକି ଆସ। ଫଳରେ ରାଜ୍ୟ ସରକାରଙ୍କ ବିମାନରେ ଦେଶର ବିଭିନ୍ନ ସ୍ଥାନରୁ ଆସିଲେ ୨୨ ଜଣ ଇଞ୍ଜିନିୟର। ଦୀର୍ଘ ତିନିଦିନ ପରିଶ୍ରମ କରି ସ୍ଥାପନା କଲେ କୋଭାସ୍ ମେସିନ୍। ଯାହା ଫଳରେ ଆଜି ରାଜ୍ୟରେ ୨୫୦୦ରୁ ଅଧିକ ନମୁନାର ପରୀକ୍ଷା କରାଯାଇ ପାରୁଛି ।“
ନବୀନବାବୁଙ୍କୁ ଓଡ଼ିଆ ଲୋକଙ୍କ ତ୍ରାଣକର୍ତ୍ତା ସଜାଇବା ଚକ୍କରରେ ଏ ଅଣଓଡ଼ିଆ ଆଇ ଏ ଏସ୍ ଅଫିସର ଓ ସମ୍ବାଦ ମିଶି ଏ ଭେଳିକି ତିଆରି କରିଛନ୍ତି । ପୁରାଣବର୍ଣ୍ଣିତ ମହାରାଜା କଂସ କୃଷ୍ଣଙ୍କୁ ଧାରିଆଣିବାକୁ ଡଗର ପଠାଇଲା ପରି ମୁଖ୍ୟମନ୍ତ୍ରୀ କୁଆଡ଼େ “ଡକାଇଲେ ଅଧିକାରୀମାନଙ୍କୁ । ନିର୍ଦ୍ଦେଶ ଦେଇ କହିଲେ ଯାଅ ବିମାନ ଧରି ସବୁ ଇଞ୍ଜିନିୟରମାନଙ୍କୁ ସଙ୍ଗରେ ଧରିକି ଆସ।“ ଏବଂ ସେମାନେ ୨୨ ଜଣ ଇଞ୍ଜିନିୟରଙ୍କୁ ଧରିଆଣିଲେ ! ରାଜ୍ୟରେ ଶାସନ ଚାଲିଛି କି ସୁଆଙ୍ଗ?
ଭେଳିକି
ଯାହା ଜଣା ପଡୁଛି, ସଂବାଦ କାଗଜ ଆମ ପାଠକୀୟ ବିଜ୍ଞତା ଆଡ଼େ ବି ଏହି ସୁଆଙ୍ଗ ମଡ଼ାଇଆଣିଛି ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ବଢ଼ାଇବା ବ୍ୟଗ୍ରତାରେ । ତା ନହେଲେ ଏହା ଆମକୁ ସବିଶେଷ ବିବରଣୀ ଦେଇଥାନ୍ତା, ଯହିଁରୁ ଜଣାପଡ଼ିଥାନ୍ତା : ଏହି ମେସିନ୍ ଆଣିବା ପାଇଁ ସରକାରୀ ଉଦ୍ୟମ ନହୋଇ ବ୍ୟକ୍ତିଗତ ଉଦ୍ୟମ କାହିଁକି ହେଲା? ମେସିନ୍ ସହ ତାର ସ୍ଥାପନା ପାଇଁ ଇଞ୍ଜିନିୟରମାନେ କାହିଁକି ଆସିନଥିଲେ? କେଉଁ ଅଧିକାରୀ ଯାଇଥିଲେ ୨୨ ଜଣ ଇଞ୍ଜିନିୟରଙ୍କୁ ଦିଲ୍ଲୀ, ମୁମ୍ବାଇ, ଗୁରୁଗ୍ରାମରୁ ବିମାନରେ ଆଣିବା ପାଇଁ ଓ ସେମାନଙ୍କୁ ଖୋଜି ଏକାଠିକରି ଆଣିବାକୁ କେତେଦିନ ଲାଗିଥିଲା ଇତ୍ୟାଦି । ଅଥଚ, ସ୍ୱାସ୍ଥ୍ୟ ବିଭାଗର ଜଣେ ନିର୍ଭରଯୋଗ୍ୟ ତୁଙ୍ଗ ପଦାଧିକାରୀ ମୋତେ କିଛି ସମୟ ତଳେ କହିଛନ୍ତି ଯେ , ମେସିନ ପାଇଁ ଓଡ଼ିଶା କ୍ୟୁ (ଧାଡ଼ି)ରେ ଅଛି, ତାହା ଆସିନାହିଁ । ତେବେ, ଶିଳ୍ପ ସଚିବ ଯାହା କହିଲେ ଓ ସମ୍ବାଦ ଯାହା ପ୍ରସାରଣ କଲା, ତାହା ଭେଳିକି ଛଡ଼ା ଆଉ କ’ଣ ହୋଇପାରେ?
ଏ ଭେଳିକି ଭିଆଣ କାହିଁକି?
ଓଡ଼ିଶାରେ କାରୋନା ପଜିଟିଭ ସଂଖ୍ୟା ଅପେକ୍ଷାକୃତ କମ୍ । ପ୍ରଚାର ଚାଲିଛି, କାରୋନାକୁ ମୁଖ୍ୟମନ୍ତ୍ରୀ କାବୁରେ ରଖିଛନ୍ତି । ପାର୍ଶ୍ଵରେ ଥିବା ତଥ୍ୟଫର୍ଦ୍ଦ ଦେଖିଲେ ଜଣା ପଡ଼େ, କରୋନା ଭୂତାଣୁ ଠାବ ପାଇଁ ଏପ୍ରିଲ ୨୩ ସୁଦ୍ଧା ଦିଲ୍ଲୀରେ ପ୍ରତି ୧୦ ଲକ୍ଷ ଲୋକରେ ୧,୫୧୩ ଜଣଙ୍କୁ ପରୀକ୍ଷା କରାଯାଇଥିବା ବେଳେ ଓଡ଼ିଶାରେ ପରୀକ୍ଷଣର ସଂଖ୍ୟା ହେଲା ମାତ୍ର ୩୬୪ । ଯେତେ କମ୍ ଲୋକଙ୍କ ଉପରେ ପରୀକ୍ଷା ହେବ ସେତେ କମ ସଂଖ୍ୟକ ଆକ୍ରାନ୍ତ ଠାବ ହେବେ । ଏହି କାଇଦା ପ୍ରୟୋଗ କରି ଓଡ଼ିଶାରେ କାରୋନା କାବୁରେ ଅଛି ଓ ମୁଖ୍ୟମନ୍ତ୍ରୀ ନିଜେ “କୋଭିଡ୍ ବିରୋଧୀ ଲଢ଼େଇରେ ମଙ୍ଗ ସମ୍ଭାଳିଥିବା” ହେତୁ ଏହା ସମ୍ଭବ ହୋଇଛି ବୋଲି ପ୍ରଚାର ଚାଲିଛି ।
ମାତ୍ର ଇଣ୍ଡିଆ ଟୁଡେ ଗୋଷ୍ଠୀ ପ୍ରସ୍ତୁତ କରିଥିବା ଏହି ତଥ୍ୟଫର୍ଦ୍ଦ ଏହି ଚାଲାକିକୁ ପଦାରେ ପକାଇ ଦେଲା । ସ୍ପଷ୍ଟ ହୋଇଗଲା ଯେ ଓଡ଼ିଶାରେ ଆବଶ୍ୟକୀୟ ପରୀକ୍ଷା ନକରି କାରୋନା କବୁରେ ଅଛି ବୋଲି ମିଛ ପ୍ରଚାର ଚାଲିଛି । ଏହି ଗୁମର ଧରା ପଡ଼ିଗଲା ପରେ, ସମ୍ବାଦ କାଗଜକୁ ବ୍ୟବହାର କରି ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ସଜାଡ଼ିବାକୁ ଏହି ଶାବ୍ଦିକ ଭେଳିକି ସୃଷ୍ଟିକରା ହୋଇଛି ।
ଏପରି ଭେଳିକି ସୃଷ୍ଟି କରି ସମ୍ବାଦ କାଗଜ ତ ନବୀନବାବୁଙ୍କୁ ଓଡ଼ିଶାର ତ୍ରାଣକର୍ତ୍ତା ଭାବେ ଚିତ୍ରିତ କରିଛି, କିନ୍ତୁ ଏବେ ଏହା ସମ୍ବାଦିକୀୟ ଦାୟିତ୍ଵବୋଧ ସହ ଆମକୁ କହିବା ଦରକାର, ପ୍ରତି ୧୦ ଲକ୍ଷ ଲୋକରେ ଯଦି ଦିଲ୍ଲୀରେ ୧,୫୧୩ ଲୋକଙ୍କୁ ପରୀକ୍ଷା କରାଯାଇପାରିଲା, କେଉଁ କାରଣରୁ ଓଡ଼ିଶାରେ ତଦ୍ଦୃପ ସଂଖ୍ୟକ ଲୋକଙ୍କୁ ପରୀକ୍ଷା କରା ଗଲା ନାହିଁ ।
ଦୁଃଖର କଥା , ଏପର୍ଯ୍ୟନ୍ତ ପରୀକ୍ଷଣର କୌଣସି ନିୟମ ମଧ୍ୟ ପ୍ରବର୍ତ୍ତିତ ହୋଇନାହିଁ ଓଡ଼ିଶାରେ । ତେଣୁ ପରୀକ୍ଷଣ କିପରି ଚାଲିଛି ତାହା ମଧ୍ୟ କାହାକୁ ଜଣା ନାହିଁ ।
କୁହାଯାଉଛି କିଛି ଆକ୍ରାନ୍ତ ଆରୋଗ୍ୟ ଲାଭ କରି ଘରକୁ ଗଲେଣି । ଯେଉଁ ରୋଗର ଔଷଧ ନାହିଁ କି ଚିକିତ୍ସା ନାହିଁ, ସେଥିରୁ ଆରୋଗ୍ୟଲାଭ ପୁଣି କ’ଣ ?
ଅତିବେଶୀରେ କୁହାଯାଇପାରେ – ନେଗେଟିଭ । କେଉଁ କେଉଁ ପରୀକ୍ଷା ବଳରେ କାହାକୁ ନେଗେଟିଭ କୁହାଯିବ ତାହା ଘୋଷିତ ଓ ପ୍ରବର୍ତ୍ତିତ ହୋଇନାହିଁ । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ମାନଦଣ୍ଡ ଅନୁସାରେ ପ୍ରଦତ୍ତ ଏହି ପାର୍ଶ୍ଵବର୍ତ୍ତୀ ନେଗେଟିଭ ରିପୋର୍ଟର ନମୁନା ଅନୁଧ୍ୟେୟ । ଓଡ଼ିଶା ସରକାର ଯେଉଁ ଆରୋଗ୍ୟ ଲାଭ ସାର୍ଟିଫିକେଟ ଓ/ବା ନେଗେଟିଭ ସାର୍ଟିଫିକେଟ ଦେଇଛନ୍ତି ତାହା ପ୍ରକାଶ କରନ୍ତୁ; ଆମେ ଏହି ମାନକ ରିପୋର୍ଟ ସହ ମିଳାଇ ଦେଖିବୁ ସରକାରଙ୍କ କଥା ସତ କି ଉପରଠାଉରିଆ । କାରଣ ଏହା କରୋନା ବେଳ, ଲୋକେ ସବୁକଥା ଠିକ୍ ଭାବେ ଜାଣିବା ଦରକାର ।
ଭେଳିକି ବନ୍ଦ ହେଉ
ଲୋକେ ଯେତେବେଳେ ଭୟଙ୍କର ବିପଦରେ, ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ବଢାଇବା ପାଇଁ କେତେକ ଅମଲା ତଥା ଉତ୍ତରଦାୟିତ୍ଵ ନଥିବା ବାକ୍ଚାତୁରୀପ୍ରବଣ ଗଣମାଧ୍ୟମ ଓ ବାଗ୍ଚିମାନେ ଚାଲିଥିବା ସୁଆଙ୍ଗସବୁକୁ ବନ୍ଦ କରନ୍ତୁ ଓ ଆମ୍ଭେ ଉପରେ ଉତ୍ଥାପିତ କରିଥିବା ପ୍ରଶ୍ନଗୁଡ଼ିକକର ସ୍ପଷ୍ଟ ନିର୍ଭୁଲ ଉତ୍ତର ସହ କାରୋନା ସମ୍ପର୍କୀୟ ସମସ୍ତ ତଥ୍ୟ ଓଡ଼ିଆ ଭାଷାରେ “ଓଡ଼ିଆରେ ଶାସନ” ପାଇଁ ଗଠିତ ୱେବସାଇଟ (odia॰odisha॰gov॰in)ରେ ତୁରନ୍ତ ପ୍ରକାଶ କରି ଏହି ମହାମାରୀକୁ ସାମ୍ନା କରିବା ପାଇଁ ଆମ ସାଧାରଣ ଲୋକଙ୍କୁ ଆବଶ୍ୟକୀୟ ଦକ୍ଷତା ଅର୍ଜନରେ ସହାୟକ ହୁଅନ୍ତୁ ।
ଏହି ଭୟଙ୍କର ବିପତ୍ତିରେ ପୋଲିସ ଆମର ରକ୍ଷାକର୍ତ୍ତା ନୁହେଁ, କି ନବୀନ ଆମର ତ୍ରାଣକର୍ତ୍ତା ନୁହନ୍ତି ।
ଲୋକେ ଜାଣିବା ଦରକାର ଯେ, ସେମାନେ ନିଜେ ହିଁ ନିଜର ରକ୍ଷାକର୍ତ୍ତା ଓ ନିଜର ସଚେତନତା ହିଁ ସେମାନଙ୍କ ତ୍ରାଣକର୍ତ୍ତା ।
ସମ୍ବାଦ ପରି ଖବରକାଗଜମାନେ ଲୋକଙ୍କୁ ଯେଉଁ ତିମିରେ ସେହି ତିମିରେ ନରଖନ୍ତୁ ।