ସରକାରୀ ଷଡ଼ଯନ୍ତ୍ର କବଳରେ ଓଡ଼ିଶାର ରାଜ୍ୟଭାଷା -୨

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ରସୁଲକୋଣ୍ଡାରେ ଅନୁଷ୍ଠିତ ଏହି ସମ୍ମିଳନୀ ଥିଲା ଭାଷା ଭିତ୍ତିରେ ଓଡ଼ିଶା ପ୍ରଦେଶ ଗଠନ ପାଇଁ ସଂଗଠିତ ଜନମତର ପ୍ରଥମ ପରିପ୍ରକାଶ । ଏଥିରେ ଯେଉଁ ପ୍ରସ୍ତାବ ଗୃହୀତ ହୋଇଥିଲା ତହିଁରେ  ଥିବା ପ୍ରକଟିତ ସତ୍ଯର ଅବତାରଣା ଏକାନ୍ତ ଐତିହାସିକ । ଓଡ଼ିଆମାନଙ୍କ ଇଲାକାରେ ରାଜଭାଷା ଭାବେ ତେଲୁଗୁ ପ୍ରଚଳିତ ହେବାରୁ ଯେଉଁ ତେଲେଙ୍ଗାମାନେ ଓଡ଼ିଆ ଭାଷାଭାଷୀ ଭୂଖଣ୍ଡକୁ ଯମାଳୟ ପରି ଜ୍ଞାନ କରୁଥିଲେ ସେମାନେ ……… ଯମଦୂତ ପରି କର୍ମ କରୁଛନ୍ତି ।” ନିଜ ଭାଷା ରାଜଭାଷା ହୋଇ ନରହିଲେ ଜନସାଧାରଣଙ୍କର କିପରି ସର୍ବନାଶ ଘଟେ ତାହାର ଏହା ଏକ ନିରୋଳା ବିବରଣୀ । 

ପତ୍ର ରୂପେ ଏହା ପ୍ରାପ୍ତ ହୋଇ ‘ଉତ୍କଳଦୀପିକା ‘ର ସମ୍ପାଦକ ଗୌରୀ ଶଙ୍କର ରାୟ ୨୦.୧୨.୧୮୭୦ ତାରିଖରେ ତାଙ୍କ ସଂପାଦକୀୟ ସହ “ଘୁମୁସର ପତ୍ର” ଶୀର୍ଷକରେ ଏହାକୁ ପ୍ରକାଶ କରିଥିଲେ ।  

ଐତିହାସିକ ଗୁରୁତ୍ଵ ଦୃଷ୍ଟିରୁ ନିମ୍ନରେ ତାହା ପ୍ରଦତ୍ତ ହେଲା:

ଅଦ୍ୟ ଦିବସର ଅତିରିକ୍ତ ପତ୍ରିକାରେ ଘୁମୁସରରୁ ଆସିଥିବା ଗୋଟିଏ ପତ୍ର ମୁଦ୍ରିତ କରି ପାଠକମାନଙ୍କୁ ଅନୁରୋଧ କରୁଅଛୁ କି,  ସେମାନେ ମନୋଯୋଗପୂର୍ବକ ତାହା ପାଠ କରିବେ । ଉତ୍କଳ ଦେଶ ହିତ ଚିନ୍ତାରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ଏ ବିଷୟରେ ବିଶେଷ ଉଦଯୋଗୀ ହେବାର ଆବଶ୍ୟକ । ଘୁମୁସରବାସୀମାନେ ଯାହା ପ୍ରାର୍ଥନା କରନ୍ତି ତାହା ଯେ ସର୍ବତୋଭାବେ ଯୁକ୍ତିଯୁକ୍ତ ଓ ବହୁ ଉପକାରମୂଳକ ଅଟଇ ଏ କଥାରେ ଅଣୁମାତ୍ର ସନ୍ଦେହ ନାହିଁ । ଓଡ଼ିଶାର ଦୂରବସ୍ଥା ଯେଉଁମାନେ ଜାଣନ୍ତି ଓ ତହିଁର କାରଣ ଅନୁସନ୍ଧାନ କରନ୍ତି ସେମାନେ ଅବଶ୍ୟ ଅବଗତ ହୋଇଥିବେ ଯେ, ଏ ଦେଶ ତିନି ଖଣ୍ଡ ହୋଇ ତିନି ଶାସନକର୍ତ୍ତାଙ୍କ ଅଧୀନରେ ରହିବାରୁ ଏହାର ଉନ୍ନତି ହେଉନାହିଁ । ଏକ ଖଣ୍ଡ ବଙ୍ଗଳା ଗଭର୍ଣ୍ଣମେଣ୍ଟ , ଏକ ଖଣ୍ଡ ମାନ୍ଦ୍ରାଜ ଗଭର୍ଣ୍ଣମେଣ୍ଟ ଓ ଅପର ଏକ ଖଣ୍ଡ ମଧ୍ୟପ୍ରଦେଶର ଚିଫ୍ କମିଶ୍ନରଙ୍କ ଶାସନରେ ରହିବାରୁ ଏ ଦେଶ ସମୁଦାଯ ଏକ ହୋଇ ଚଳିପାରେନାହିଁ । ମାତ୍ର ଏ ପ୍ରକାର ଅବସ୍ଥାରେ ଥିଲେ ମଧ୍ୟ ଗଭର୍ଣ୍ଣମେଣ୍ଟ ଗୋଟିଏ କଥାରେ ଦ୍ରୁଷ୍ଟି ରଖିଥିବାରୁ ଅନେକ ମଙ୍ଗଲ ହେଉଅଛି । ବଙ୍ଗଳା ଓ ମଧ୍ୟପ୍ରଦେଶର ଅଧୀନରେ ଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷା ପ୍ରଚାର ଅଛି ଓ ସ୍ଵାର୍ଥପର ଲୋକେ କେତେ ଉପାୟ କାଲେ ହେଁ ଗଭର୍ଣ୍ଣମେଣ୍ଟ ଏ ଯୁକ୍ତିଯୁକ୍ତ ନ୍ୟାୟର ବିରୁଦ୍ଧ କାର୍ଯ୍ୟ କରିବାକୁ ସମ୍ମତ ହୋଇନାହାନ୍ତି । ଯେବେ ବଙ୍ଗଳା ଓ ମଧ୍ୟପ୍ରଦେଶରେ ଏପରି ହେଲା ତେବେ ମାନ୍ଦ୍ରାଜ ଗଭର୍ଣ୍ଣମେଣ୍ଟ ଅନ୍ତର୍ଗତ ଓଡ଼ିଶାରେ କାହିଁକି ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟାଳୟମାନଙ୍କରେ କାର୍ଯ୍ୟ ନ ଚଳିବ ? ଓ, ଯେ ସ୍ଥଳେ ପୂର୍ବରେ ସେ ଭାଗର ରାଜକାର୍ଯ୍ୟ ଓଡ଼ିଆ ଭାଷାରେ ହୋଇ ଆସୁଥିଲା ତେବେ ଇଂରେଜ ଗଭର୍ଣ୍ଣମେଣ୍ଟ କାହିଁକି ଭିନ୍ନରୂପ ଆଚରଣ କରିବ? ଆମମାନଙ୍କୁ ନିଶ୍ଚୟ ବୋଧ ହେଉଅଛି ଯେ, ଉତ୍କଳବାସୀମାନେ ଏ ବିଷୟରେ ଏକମତ ହୋଇ ଗଭର୍ଣ୍ଣମେଣ୍ଟଙ୍କୁ ଆବେଦନ କାଲେ ତାହାଙ୍କର ପ୍ରାର୍ଥନା ସଫଳ ହେବ । ବିଦେଶୀୟ ଭାଷାରେ କାର୍ଯ୍ୟାଳୟର ଯାବତୀୟ କାର୍ଯ୍ୟ କରବା କଦାଚ ଗଭର୍ଣ୍ଣମେଣ୍ଟଙ୍କ ଅନୁମୋଦିତ ନୁହଇ । କେବଳ ଘୁମୁସରବାସୀମାନେ ଏତେଦିନ ଯତ୍ନ କରିନାହାନ୍ତି ବୋଲି ତାହାଙ୍କର ଦୁଃଖ ଶୁଣାଯାଇନାହିଁ । ଏବେ ସେମାନେ ସମସ୍ତ ଉତ୍କଳବାସୀଙ୍କଠାରେ ଏକଥା ଜଣାଇଲେ । ଏଥକୁ ଆବଶ୍ୟକ ଯେ, ପୁରୀ, କଟକ ଓ ବାଲେଶ୍ବରରେ ଥିବା ସମସ୍ତ ଉତ୍କଳୀୟ ତାହାଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ହୁଅନ୍ତୁ ଓ ଆମ୍ଭେମାନେ ଭରସା କରୁ ଯେ, ଉତ୍କଳୋଲ୍ଲାସିନୀ ସଭା ବିଶେଷ ଆଗ୍ରହ ପୂର୍ବକ ଏ ବିଷୟରେ ହସ୍ତକ୍ଷେପ କରନ୍ତୁ ।       

(ଦ୍ରଷ୍ଟବ୍ୟ – https://www.scribd.com/doc/19216578/Role-of-Mass-Media-in-Creation-of-Orissa )

କ୍ରମଶଃ 

 

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.