ସାଂସ୍କୃତିକ ରାହାଜାନୀର ବିଷ-ବଳୟରେ ଭାଷା ଜନନୀ ଓଡ଼ିଆ !

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଅଧ୍ୟକ୍ଷ, ଭାଷା ଆନ୍ଦୋଳନ, ଓଡିଶା

 

ବୁଝିବାକୁ  କଠିନ ହୋଇଥିବା ସତ୍ତ୍ବେ, ପୁରାତନ କବିତା ବା ଗୀତ ଏବେ ବି ସାଧାରଣ ଓଡ଼ିଆଟିଏ ଉଲ୍ଲସିତ ଚିତ୍ତରେ ଗାଇପାରେ | “ଚାରୁ ଚନ୍ଦ୍ରାନନା ଚମ୍ପକବରଣା କାଲି ଏହି ବାଟେ ଗଲା ରେ / ଚଂଦ୍ର ଅବତଂଶ ନନ୍ଦନ ଜନମତିଥି ଚନ୍ଦ୍ର ମୋତେ କଲା ରେ //” ଏହା ବୁଝିବାକୁ କଷ୍ଟ ; କିନ୍ତୁ ଏବେ ବି ଗାଉଁଲି ଓଡ଼ିଆଟିଏ ସ୍ବର ଲମ୍ବେଇ ଏହାକୁ ଗାଉଛି | ଏହାର ଲେଖକ କେଉଁ ପୁରସ୍କାର ପାଇଥିଲେ ଜଣା ନାହିଁ | କିଂତୁ ଏ ଲେଖାକୁ ଲୋକ ଖୋଜି ଆଣି ପଢୁଛି | ଅଥଚ ବହୁବଡ଼ ପୁରସ୍କାର ପାଇଥିବା କବିଙ୍କ ଲେଖା – ରାତି ଦୀର୍ଘ / ଚୁପ୍ ଚାପ୍ ସ୍ତବ୍ଧ / ଦୀପ ପରି ଡେଣା କଂପନୁଁ ବଂଚିତ / ତାରା ସବୁ ଝଡ଼ିଗଲେ ଅଂଧାରରେ ହୋଇ କକ୍ଷଚ୍ୟୁତ //” ବୁଝିବାକୁ ସହଜ ହେଲେ ବି ଲୋକେ ଏକୁ ମନେରଖନ୍ତିନି ବା ଖୋଜି ଆଣି ପଢ଼ନ୍ତିନି | ଅତଏବ , ସାହିତ୍ୟ ପ୍ରତି ଆସକ୍ତି ଓ ବିରକ୍ତି ଉଭୟ ବି ରହିପାରେ |

ସାହିତ୍ୟ ଆସେ ଭାଷାରୁ | ଭାଷା ଦେଇଥିବା ଶବ୍ଦରୁ | ସାହିତ୍ୟ ସାହିତ୍ୟିକଙ୍କର ; କିନ୍ତୁ ଭାଷା ସାଧାରଣ ମଣିଷର | ଶବ୍ଦ ସାହିତ୍ୟ ପାଇଁ ଆସକ୍ତି ବା ବିରକ୍ତି ଉପୁଜାଏ | ଅଥଚ ଭାଷା ପାଇଁ ବିରକ୍ତି ନ ଥାଏ ; ଥାଏ କେବଳ ଆସକ୍ତି | ସାହିତ୍ୟ ଆମ ମା ନୁହେଁ ; ଭାଷା ଆମ ମା ; ଭାଷା ଆମ ମାତୃଭାଷା , ଆମ ଭାଷା ଜନନୀ | ସାହିତ୍ୟ ବିଗିଡି ଗଲେ ତାକୁ ସୁଧାରି ହେବ | ଯେମିତି ଦରବାରୀ ସାହିତ୍ୟ ବଦଳି ଗଲା ପ୍ରଗତିଶୀଳ ସାହିତ୍ୟକୁ | କ୍ଲୀଷ୍ଟ ଶବ୍ଦର ସାହିତ୍ୟ ବଦଳି ଯାଇ ପାରିବ ସରଳ ଶବ୍ଦର ସାହିତ୍ୟକୁ | ସାହିତ୍ୟ ପଣ୍ୟ ହୋଇପାରିବ ; ଭାଷା ନୁହେଁ |

ସାହିତ୍ୟକୁ ନେଇ ବେପାର ବଣିଜ ଚାଲିଥିଲା , ଚାଲିଛି, ଚାଲିବ | ମାତ୍ର ଭାଷା ଆମ ମା – ତାକୁ ନେଇ ବେପାର ବଣିଜ – ବଡ଼ ଦୁଃସହ |

ଏହି ଦୁଃସହ ଦୁଃଖ ଓଡ଼ିଶାରେ ଏବେ ଉଛୁଳି ଉଠୁଛି | କେତେକ ଭାଷା ବେପାରୀ ନିଜକୁ ଭାଷାବିତ୍ ବୋଲି କହି ଏପରି ଅନୈତିକ ଆଚରଣର କଳା ଇଲାକାକୁ ଟାଣି ନେଉଛନ୍ତି ଆମ ଭାଷାକୁ , ଯହିଁ ପ୍ରତି ସାରା ରାଜ୍ୟ ସତର୍କ ନ ହେଲେ ଆମ ଭାଷା ପାଇଁ ବି ବଢ଼ିଯିବ ସାଧାରଣ ମଣିଷ ମନରେ ବିରକ୍ତି | ଏହି ନିବନ୍ଧରେ ମୁଁ କେବଳ ଗୋଟିଏ ଉଦାହରଣ ଦେବି | ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଉପରେ ଏହା ଆଧାରିତ |

ଓଡ଼ିଶା ଓ ଓଡ଼ିଆ ସ୍ବାର୍ଥର ପ୍ରହରୀ ଭାବେ orissamatters.com ହେଉଛି ଓଡ଼ିଶାର ପ୍ରଥମ ନଭଃମଂଚ | ଏହାକୁ 1999ରେ ମୁଁ ଆରମ୍ଭ କରିଥିଲେ ବି ଏହା ବିଧିବଦ୍ଧ ଭାବେ ଆତ୍ମପ୍ରକାଶ କଲା ସନ 2000ରେ | ଏଥିରେ 2006 ଏପ୍ରିଲ 3 ତାରିଖରେ ମୁଁ ଏକ ନିବନ୍ଧ ପ୍ରକାଶ କରିଥିଲି ଯାହାର ଶୀର୍ଷକ ଥିଲା Superior Language Oriya languishes due to inferior leadership, ଯହିଁରେ ଶାସ୍ତ୍ରୀୟ ସଂସ୍କୃତ ଠାରୁ ପ୍ରାଚୀନତର ଓଡ଼ିଆ ଭାଷା କିପରି ଭାଷାବିମୁଖୀ ନେତୃତ୍ବ ହେତୁ ସଂକଟରେ ପଡିଛି ସେ ସଂପର୍କରେ ଆଲୋଚନା ହୋଇଥିଲା | ଏହାର ପ୍ରାୟ 4 ବର୍ଷ ପରେ 2010 ଜୁଲାଇ 17 ତାରିଖରେ ଓଡିଶା ଲେଖକ ସାମୁଖ୍ୟର ସଭାପତି ଶ୍ରୀଯୁକ୍ତ ସାତକଡ଼ି ହୋତା ଓଡ଼ିଆ ଭାଷା ପାଇଁ ଶାସ୍ତ୍ରୀୟ ମାନ୍ୟତା ସକାଶେ ଆଶୁ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କ ପାଖରେ ଦାବି କଲେ ଓ ଅବଶେଷରେ ଏହି ମାନ୍ୟତା 2014 ମାର୍ଚ୍ଚ 11ରେ ବିଘୋଷିତ ହେଲା |

ମାତ୍ର ଭୁବନେଶ୍ବରରେ ଭାଷା ବେପାର କରୁଥିବା ଏକ ଘରୋଇ ସଂସ୍ଥା ଏହି ମାନ୍ୟତାର ଶ୍ରେୟ ହଡ଼ଫ କରି ତହିଁର ପ୍ରୟୋଗ ଦ୍ବାରା ନିଜ ଆୟର ପଥ ସୁଗମ କରିବାକୁ ଏପରି ଧୂର୍ତ୍ତତା ଅବଲମ୍ବନ କରିଛି ଯେ ଓଡ଼ିଆ ଭାଷା ଜନନୀର ଜୀବନରେ ଏହି ଗୁରୁତ୍ବପୂର୍ଣ ଘଟଣାର ଇତିହାସ ଅପବିତ୍ର ହୋଇପଡ଼ିଛି |

ଶ୍ରୀଯୁକ୍ତ ହୋତାଙ୍କ ହେତୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଓଡିଶା ରାଜ୍ୟ ସରକାର ଓଡ଼ିଆ ଭାଷା ପ୍ରତିଷ୍ଠାନ ଦ୍ବାରା ଏକ ପ୍ରାମାଣିକ ଦଲିଲ ତିଆରି କରିଥିଲେ ବିଭିନ୍ନ ବିଦ୍ବାନଙ୍କୁ ବ୍ୟବହାର କରି | ଏଥିରେ ଭାଷାବିତ୍ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ତାଙ୍କ ସହଯୋଗୀ ସୁବ୍ରତକୁମାର ପୃଷ୍ଟି ଅନ୍ତର୍ଭୁକ୍ତ ଥିଲେ| ଏ ଦିହେଁ ମିଶି ‘ଓଡ଼ିଆ ଭାଷା ଅଧ୍ୟୟନ ଓ ଗବେଷଣା ପ୍ରତିଷ୍ଠାନ’ (ଓ.ଭା.ଅ.ଗ.) ନାମକ ଏକ ଘରୋଇ ସଂସ୍ଥା ଗଢ଼ିଛନ୍ତି ଯାହା ଏକ ‘ଓଡ଼ିଆ ବିଶ୍ବବିଦ୍ୟାଳୟ’ ବସାଇବାକୁ ସରକାରଙ୍କ ସାହାଯ୍ୟ ଚାହୁଁଥିଲା | ଏଥିପାଇଁ ଏହା ନିଜେ ଗବେଷଣା କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ଏକ ପ୍ରତିଷ୍ଠାନ ଭାବେ ପ୍ରମାଣପତ୍ର ଦେବାର ଆବଶ୍ୟକତା ଥିଲା | ଏହି ପ୍ରମାଣପତ୍ର ହାସଲ କରିବାକୁ କୌଶଳକ୍ରମେ ଏମାନେ ଭାଷା ପ୍ରତିଷ୍ଠାନ ପ୍ରସ୍ତୁତ କରିଥିବା ପ୍ରମାଣ ପରିପୁରିତ ଦଲିଲଟିକୁ ହାତେଇ ଓ.ଭା.ଅ.ଗ. ତାହାକୁ ପ୍ରସ୍ତୁତ କରିଥିବା କହି ନିଜକୁ ଏକ ଭାଷା-ଗବେଷଣା ସଂସ୍ଥା ଭାବେ ଦେଖାଇବାକୁ ଚେଷ୍ଟା କରିଛନ୍ତି | ଏହି କାମରେ ଏମାନଙ୍କୁ ସାହାଯ୍ୟ କରିଛନ୍ତି କେତେକ ସ୍ଖଳିତ ରାଜନେତା ଓ ଆଇ.ଏ.ଏସ. ଅଫିସର | ଫଳରେ ଏକ କିମ୍ଭୁତକିମାକାର ପରିସ୍ଥିତି ଉପୁଜିଛି | ଓଡିଶା ସରକାର ଶାସ୍ତ୍ରୀୟ ମାନ୍ୟତା ପାଇଁ ଯେଉଁ ଯୁକ୍ତିପତ୍ର ତିଆରି କରିଥିଲେ ତାହାକୁ ଓ.ଭା.ଅ.ଗ.ତିଆରି କରିଥିବା ଦର୍ଶାଇ କେଆଇଏସ ଫାଉଂଡେସନ (KIS Foundation) ନାମକ ସଂସ୍ଥା Classical Odia ଶୀର୍ଷକରେ ପ୍ରକାଶ କରିଛଂତି ଓ ଏହା ଖଣ୍ଡ ପ୍ରତି ଦେଢ଼ ହଜାର ଟଂକା ଦାମରେ ବିକ୍ରି ହେଉଛି | ଏଥିରେ ଭାଷାବିତ୍  ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ‘ଲେଖକ’ ବୋଲି ଦର୍ଶାଯାଇଛି | ତାଙ୍କୁ  ଓ ତାଙ୍କ ସହଯୋଗୀ ସୁବ୍ରତ କୁମାର  ପୃଷ୍ଟିଙ୍କୁ ଏଥିପାଇଁ ଯୁଗ୍ମ ମାନ୍ୟତା ଦିଆଯାଇଥିଲା ବେଳେ, ଖୁଣ୍ଟିଆ ଓ ତାଙ୍କ ରାଜନୀତିକ ସହଯୋଗୀମାନେ ମିଳିତ ଭାବେ ଏହାକୁ ତିଆରି କରିଥିବା କୁହା ହୋଇଛି |

 ଏହା ଦ୍ବାରା ଆମ ମାତୃଭାଷା ଜୀବନରେ ଦୁଇଟି ଅଭୂତପୂର୍ବ ବିପତ୍ତି ଦେଖା ଦେଇଛି | ପ୍ରଥମଟି ହେଲା, ଭାଷା ଇତିହାସର ବିକୃତିକରଣ ଓ ଦ୍ବିତୀୟଟି ହେଲା , ଭାଷା ମାଫିଆର ଅଭ୍ୟୁତ୍ଥାନ   |

ନଥିପତ୍ର ଅନୁଧ୍ୟାନରୁ  ଜଣା ଯାଏ, ସରକାରୀ ଦଲିଲଟି ଚୋରାରେ ରାମ ଚନ୍ଦ୍ର ଖୁଣ୍ଟିଆଙ୍କ ପାଖରେ ପହଂଚିଛି ଓ ସେ ତାର ରାଜନୈତିକ ଓ ବ୍ୟବସାୟିକ ଉପଯୋଗ କରିଛନ୍ତି ଓ ଏହି ଅପରାଧରେ ଦେବୀ ବାବୁ ଏବଂ ତାଙ୍କ ସହଯୋଗୀ ସୁବ୍ରତ କୁମାର ପୃଷ୍ଟି ଜଡିତ ଓ ଏହାର ଉପଭୋକ୍ତା | ଏହି ସମଗ୍ର ଘଟଣା ଏପରି ରହସ୍ୟାବୃତ୍ତ ଯେ , ଏବଂ ଏହି ଅପରାଧ ସହ ସେତେବେଳେ ମନ୍ତ୍ରୀ ଥିବା ଦୁଇଜଣ ବ୍ୟକ୍ତି ଯାହାଙ୍କ ମଧ୍ୟରୁ ଏବେ ବି ଜଣେ ମନ୍ତ୍ରୀ ଅଛନ୍ତି  ଏବଂ ସେମାନଙ୍କ ସାଙ୍ଗକୁ ଶାସନ ସଚିବ ସ୍ତରୀୟ ଏପରି କିଛି ବ୍ୟକ୍ତି ଏତେ ପରିମାଣରେ ଜଡିତ ଯେ,ରାଜ୍ୟ ସରକାରଙ୍କ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ତଦନ୍ତ କରାଗଲେ ସତ ହୁଏତ ପଦାକୁ ଆସି ନ ପାରେ | ସୁତରାଂ କୌଣସି ବାହାର ସଂସ୍ଥା ବା କେନ୍ଦ୍ର ତଦନ୍ତ ବ୍ୟୁରୋ ଦ୍ବାରା ତଦନ୍ତ କରାଯାଇ ଓଡ଼ିଆ ଭାଷା ଉପରେ ଦେଖାଦେଇଥିବା ଉପରୋକ୍ତ ଦୁଇ ବିପତ୍ତିର ମୁଳୋତ୍ପାଟନ କରା ଯାଉ ବୋଲି ଭାଷା ଆଂଦୋଳନ ଦାବି କରୁଛି |

ଘଟଣାଟି ହେଲା , ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦାବି କରିବାକୁ ମନ ସ୍ଥିର କରି ସେହି ଦାବି ସପକ୍ଷରେ ସପ୍ରମାଣ ଯୁକ୍ତିପତ୍ର ତିଆରି କରିବାକୁ ଓଡିଶା ସରକାର ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ଆଦେଶ ଦେଲେ | ତହିଁର ନିର୍ଦ୍ଦେଶକ ସେତେବେଳେ ଥିଲେ ଅଧ୍ୟାପକ ହରିହର କାନୁନ୍ଗୋ | ସେ ଡଃ ଗଗନେନ୍ଦ୍ରନାଥ ଦାସ,  ଡଃ  ଖଗେଶ୍ବର ମହାପାତ୍ର , ଡଃ କୈଳାଶ ଚନ୍ଦ୍ର ଟୀକୟାତରାୟ, ଡଃ ସ୍ନିଗ୍ଧା ତ୍ରିପାଠୀ , ଡଃ  ବସନ୍ତ କୁମାର ପଂଡା ଓ ଡଃ ଅମୀୟ କୁମାର ପଟ୍ଟନାୟକଙ୍କୁ ନେଇ ଏକ କମିଟି ଗଠନ କରିଥିଲେ, ଯାହା ପରେ ପରିବର୍ଦ୍ଧିତ ହୋଇଥିଲା |

ପ୍ରତିଷ୍ଠାନ ପ୍ରସ୍ତୁତ ଏକ ତାଲିକା ଅନୁଯାୟୀ ବିଭିନ୍ନ ବ୍ୟକ୍ତିଙ୍କଠାରୁ ତଥ୍ୟନିବନ୍ଧ ମଗାଯାଇ ସେଗୁଡିକୁ ଏକତ୍ର ସାନ୍ଧି , ତହିଁର ଇଂରାଜୀ ଭାଷା-ରୂପ ତିଆରି କରାଯାଇ ଦଲିଲଟିର ଚୁଡ଼ାନ୍ତିକରଣ କରାଗଲା 31.5.2013 ତାରିଖରେ, ଓ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ସମେତ ସଭ୍ୟମାନେ ତଥା ଉପସ୍ଥିତ ମନ୍ତ୍ରୀ ଓ ସଚିବ ତହିଁରେ ସ୍ବାକ୍ଷର କରି ଥିଲେ | ଅଥଚ ଏହି ଏକା ଦଲିଲକୁ 10.6.2013 ତାରିଖରେ ରାମଚନ୍ଦ୍ର ଖୁଂଟିଆ  କେନ୍ଦ୍ର ସରକାରଙ୍କୁ ଦେଇଛନ୍ତି ନିଜର ଦଲିଲ ଭାବେ, ଯାହା ସେ ଦେବୀ ପ୍ରସନ୍ନ ପଟ୍ଟନାୟକ ଲେଖିଥିବା ଓ ସେ ଏବଂ ତାଙ୍କ ସହଯୋଗୀ ସୁବ୍ରତ କୁମାର ପୃଷ୍ଟିଙ୍କ  ଓ.ଭା.ଅ.ଗ. ଦ୍ବାରା କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଛି ବୋଲି କହିଛନ୍ତି | ସବୁଠୁ ମାରାତ୍ମକ କଥା ହେଲା , 31.5.2013ରେ ସ୍ବାକ୍ଷରିତ ଯେଉଁ ସରକାରୀ ଦଲିଲକୁ ରାମଚନ୍ଦ୍ର ଖୁଂଟିଆ ଦେବୀ ବାବୁଙ୍କ ଓ.ଭା.ଅ.ଗ. ଦ୍ବାରା ପ୍ରସ୍ତୁତ ଦଲିଲ ଭାବେ ଦାଖଲ କରିଛନ୍ତି ତହିଁରେ ସରକାରୀ କମିଟିର ସଦସ୍ୟମାନଙ୍କ ନାମ ତଥା ତଥ୍ୟପତ୍ର ଦେଇ ଏହି ଦଲିଲକୁ ଜନ୍ମ ଦେଇଥିବା ବିଦ୍ବାନମାନଙ୍କ ନାମ ଉତ୍ଖାତ ହୋଇ ଅନ୍ୟ ଲୋକଙ୍କ ନାମ ଖୋଦିତ ହୋଇଛି |

ଏପରି ସାଂସ୍କୃତିକ ରାହାଜାନି ଏଥି ପୂର୍ବରୁ କେବେ ଘଟି ନଥିଲା ଓଡ଼ିଶାରେ | ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗର ସମସ୍ତ କର୍ମକର୍ତ୍ତା ଏହା ଜାଣନ୍ତି | ଏହା ଜାଣିଥିବା ହେତୁ , ଯେତେବେଳେ ଶାସ୍ତ୍ରୀୟ ମାନ୍ୟତା ଉତ୍ସବ ପାଳିତ ହେଲା ସରକାରୀ ସ୍ତରରେ ଦେବୀ ବାବୁଙ୍କୁ ଡକା ହୋଇ ନ ଥିଲା | ଦେବୀ ବାବୁ ଏହା ସ୍ବୀକାର କରି ଲେଖିଛନ୍ତି , “ସାହିତ୍ୟ ଏକାଡେମୀ ଏଥିପାଇଁ ଯେଉଁ ସଭା ଡାକିଥିଲେ ସେଠିକି ମତେ ନିମନ୍ତ୍ରଣ ମଧ୍ୟ କଲେ ନାହିଁ | ମୁଁ ସେ ସଭାକୁ ଯାଇଥିଲି | ଏଥିରେ ପାଞ୍ଚଟି ବହି ଲୋକାର୍ପଣ କରାଗଲା | ଚାରୋଟିର ଲେଖକ/ ସମ୍ପାଦକଙ୍କୁ ମଂଚ ଉପରକୁ ଡକାଗଲା | ପଞ୍ଚମ , ଶାସ୍ତ୍ରୀୟ ମାନ୍ୟତା ପାଇଁ, ଯାହା ମୋ ତତ୍ବାବଧାନରେ ପ୍ରସ୍ତୁତ କରିଯାଇଛି ବୋଲି ସରକାର ନିଜେ ଛାପିଛନ୍ତି, ତାର ଲୋକାର୍ପଣ ବେଳେ ମତେ ଡାକାଗଲାନାହିଁ ” (ସମାଜ ତା 17 ଜୁଲାଇ 2016)  | ମୁଁ ସଂସ୍କୃତି ବିଭାଗର ଜଣେ ବରିଷ୍ଠ କର୍ମକର୍ତ୍ତାଙ୍କୁ ପଚାରିଥିଲି କି , ଏହି ଦଲିଲଟି ଲୋକାର୍ପିତ ହେଲାବେଳେ ସଭା କକ୍ଷରେ ଉପସ୍ଥିତ ଥିବା ଦେବୀ ବାବୁଙ୍କୁ ମଞ୍ଚକୁ ନ ଡାକିବା କଣ ଉଚିତ ଥିଲା ? ସେ ତତ୍କାଳ ଉତ୍ତର ଦେଇଥିଲେ , “ତାଂକୁ ? ଯିଏ ଆମ ଦଲିଲ ଚୋରିକରି ରାମ ଖୁଣ୍ଟିଆଙ୍କୁ ଦେଇଦେଲେ ତାଙ୍କୁ ଡାକିଥାନ୍ତୁ ମଂଚ ଉପରକୁ ?”  ମୁଁ ହତବାକ ହୋଇ ଯାଇଥିଲି |

ଏ ଭିତରେ ଡଃ ପଟ୍ଟନାୟକ ଦୁଇଟି ଦୈନିକ ଖବର କାଗଜରେ ଏକ ନିବନ୍ଧ ଲେଖି କହିଛନ୍ତି ଯେ , ଉଭୟ ସରକାରୀ ଓ ବେସରକାରୀ ଦଲିଲରେ ତହିଁର ପ୍ରସ୍ତୁତିର ଶ୍ରେୟ ତାଙ୍କୁ ହିଁ ଦିଆ  ଯାଇଛି ; ସୁତରାଂ ଉଭୟ ଦଲିଲ ସମାନ ହେବା ସ୍ବଭାବିକ  |

ଏହା ଓଡ଼ିଆ ଭାଷାର ଇତିହାସକୁ ବିକୃତ ଓ ବିଭ୍ରାନ୍ତ କରିଛି | ଆମ ଚଳନ୍ତି ଇତିହାସ ଏପରି ବିକୃତ ହେବା ଦୁର୍ଭାଗ୍ୟଜନକ | ଏହାର ପ୍ରତିକାର ପାଇଁ ଶାସ୍ତ୍ରୀୟ ମାନ୍ୟତାର ପ୍ରକୃତ ଇତିହାସ ପ୍ରତିଷ୍ଠିତ ହେବା ଦରକାର | ସେଥିପାଇଁ ସିବିଆଇ ତଦନ୍ତ ଉପରେ ଆମେ ଗୁରୁତ୍ବ ଦେଉଛୁ |

ଓଡ଼ିଆ ଭାଷା ଜନନୀର ଜୟ ହେଉ  |

Google Input Tools online ସହାୟତାରେ ଏହା ଲିପିବଦ୍ଧ

ଓଡିଶା ସରକାରଙ୍କ ଅନୁଗୃହୀତ ଭାଷାବିଶାରଦଙ୍କ ଭାଷା

ସୁଭାଷ ଚନ୍ଦ୍ର ପଟ୍ଟନାୟକ

“ହଇରେ ଶଳା ଓଡିଆ ଓଡିଆ ହେଉଛୁ କୋଉ ସ୍କୁଲରେ ତୋ ପୁଅଝିଅ ନାତି ନାତୁଣିକୁ ପଢାଉଛୁ ? ଶଳା ଓଡିଆଙ୍କ ଖାଇବୁ ଇଂରେଜଣ୍ଗ୍କ ପାଦ ଚାଟିବୁ…. ଏତେ ଯଦି ଓଡିଆ ପ୍ରେମ ଓଡିଶାବାସୀଙ୍କ ଟିକସରେ ନିଜ ପିଲାଛୁଆଙ୍କୁ ପାଟଠ (ପାଠ) ପଢେଇ ଓଡିଆଙ୍କ ସେବାରେ ଲଗାଇଲୁନି କାହିଁକି ? କଣ ବିଦେଶୀଙ୍କୁ ଗାଣ୍ଡି ଦେଖାଇଲେ ଅଧିକା ଟଙ୍କା ମିଳିବ। ଟଙ୍କା ରୋଜଗାର ଯଦି ଏତେ ଆବଶ୍ୟକ ସେମାନଙ୍କୁ ମାଳିସାହି ପଠେଇ ଦେଲୁନି। ଅନ୍ତତଃ ଓଡିଆଙ୍କ ସେବା କରିପାରିଥାନ୍ତେ। ଶଳା ଜୀବନ୍ ସାରା ଓଡିଆ ଭାଷାକୁ ହତ୍ୟା କଲୁ। ଏପରିକି ସରକାରଙ୍କ ନିର୍ଦ୍ଦେଶ ଓ ସମ୍ବିଧାନର ନିୟମକୁ ଆଡେଇ ଓଡିଶା ଓ ଓଡିଆକୁ ଦେଶ ବିଦେଶରେ ଓରିଶା ଓରିଆ କହି ଆହୁରି ଥଟ୍ଟା କରୁଛୁ। ହଇରେ ଓଡିଆ ଦ୍ରୋହୀ ତ୍ୋତେ (ତୋତେ) କିପ୍ରକାର ଦଣ୍ଡ ଦିଆଯିବ। ଶଳା ଖବରକାଗଜରେ ନା (ନାମ) ବାହାରିବାପାଇଁ ଯଦି ଏତେ ପାଗଳ, ତେବେ ଭଲ କାମ କରୁନୁ। ଆମ ଗାଣ୍ଡିରେ କାହିଁକି ହାତ ମାରୁଛୁ?”

ଇଏ ହେଲା ଓଡ଼ିଶା ସରକାରଙ୍କ ଅନୁଗୃହୀତ ଭାଷାବିଶାରଦ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ମୁଖ୍ୟ ସହଯୋଗୀ ଓ ଜୋଡିଦାର ଡଃ ସୁବ୍ରତ କୁମାର ପୃଷ୍ଟିଙ୍କ ଭାଷା | ରାମଚଣ୍ଡୀ ପ୍ରସାଦ ରଣସିଂହ ନାମକ ଜଣେ ସାମ୍ବାଦିକଙ୍କ ଫେସବୁକ ପ୍ରତିବେଦନ କ୍ରମରେ ସେ ଏହା ଲେଖିଛନ୍ତି ଚଳିତ ମେ ମାସ ୧୫ ତାରିଖ ପୂର୍ବାହ୍ନ ୧୦.୩୨ରେ | କାରଣ , ତାଙ୍କ ମତରେ, ମୁଁ ଡ଼ଃ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ସମାଲୋଚନା କରିଛି | ଏହି ଅଶ୍ଳୀଳ ଶବ୍ଦ ବିଶାରଦଙ୍କ ଅନ୍ୟତମ ସହଯୋଗୀ ତଥା ଶ୍ରେଷ୍ଠ ଓଡ଼ିଆଣୀ ମଂଚରେ ପରିଚିତ ଦେବ ପ୍ରସାଦ ପରିଜା ନାମକ ଜଣେ ବ୍ୟକ୍ତି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ , ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ପରି ବ୍ୟକ୍ତିଙ୍କୁ ଯିଏ ସମାଲୋଚନା କରିବ, ସେ ଏହି ପରି ଗାଳି ଖାଇବ | ଅତଏବ ଏହି ଅଶ୍ଳୀଳ ଭାଷା-ବୃତ୍ତର କେନ୍ଦ୍ରରେ ଅଛନ୍ତି ଓଡିଶା ସରକାରଙ୍କ ଭାଷାନୀତି ପ୍ରଣେତା ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ |

ଦେବୀ ପ୍ରସନ୍ନ ଓ ସୁବ୍ରତ ଉଭୟେ ମିଶି ଭୁବନେଶ୍ବରରେ ‘ଓଡ଼ିଆ ଅଧ୍ୟୟନ ଓ ଗବେଷଣା ପ୍ରତିଷ୍ଠାନ’ ନାମକ ଏକ ଭାଷା ବେପାରୀ ସଂସ୍ଥା ଚଳାଇଛନ୍ତି ଓ ଓଡ଼ିଆ ଭାଷାରେ ରାଜ୍ୟ ସରକାରଙ୍କୁ ଉତ୍କୃଷ୍ଟ ସେବା ଦେବାପାଇଁ ସରକାରୀ କଳକୁ ଧରାଧରି କରି ବିନା ଟେଂଡରରେ ଏମାନେ ଏହି ସଂସ୍ଥା ସହ ସରକାରଙ୍କ ଚୁକ୍ତିନାମା ସଂପାଦିତ କରାଇଛନ୍ତି ଓ ଏକଚାଟିଆ କୋଟେସନ ଦେଇ ଆର୍ଥିକ ଫାଇଦା ହାସଲ କରୁଛନ୍ତି | ଏହି ପଥ ସୁଗମ କରିବା ପାଇଁ ଏମାନେ ଓଡ଼ିଆ ଭାଷା ପ୍ରତିଷ୍ଠାନ ତିଆରି କରିଥିବା ଶାସ୍ତ୍ରୀୟ ମାନ୍ୟତା ଯୁକ୍ତିପତ୍ରକୁ ଚୋରି କରି ତତ୍କାଳୀନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆଙ୍କ ସହାୟତାରେ ତାକୁ ଭାରତ ସରକାରଙ୍କ ପାଖରେ ଦାଖଲ କରି ତହିଁର ଶ୍ରେୟ ହଡପ କରିଛନ୍ତି ଓ ଓଡ଼ିଶାରେ ଏକ ସାଂସ୍କୃତିକ ରାହାଜାନି ପର୍ବ ଆରମ୍ଭ ହୋଇଛି |

ଏମାନଙ୍କ ଏହି କୁକର୍ମ ଉପରେ ମୁଁ ମୋ ନଭମଞ୍ଚ   orissamatters.comରେ ଯେଉଁ ଆଲୋଚନା ରଖିଛି ତହିଁରୁ ଦୁଇଟିର ଲିଂକ ତଳେ ଦେଲି :

(୧) Investigation Against Dr. Debi Prasanna Pattanayak Essential In State Interest
(୨) Padmashree Debi Prasanna Pattanayak Perverts the Truth, Repeats Lie before TV Camera

ଏଗୁଡ଼ିକୁ ଅନୁଧ୍ୟାନ କରାଯାଇପରେ | ସୁସାହିତ୍ୟିକ ଅସିତ ମହାନ୍ତି ‘ସାହିତ୍ୟ ମହାଭାରତ’ରେ ଏଙ୍କ ଗୁମର ବି ଫିଟାଇଛନ୍ତି | ମୋ ଉପରୋକ୍ତ ନଭଃମଂଚରେ ଆହୁରି ଅଧିକ ଆଲୋଚନା ରହିଛି ଓ ରହିବ | ଏଙ୍କ ନେପଥ୍ୟ ଅଭିଷନ୍ଧି ଉପରେ ଆଲୋକପାତ ଆବଶ୍ୟକ; କାରଣ ଏହିମାନଙ୍କ ବିଷୟ ଲାଳସା ଆମ ଭାଷାକୁ ଦୁରାଚାର କବଳକୁ ଠେଲି ନେଉଛି | ଏହି ଦୂରାଚରର ଅୟମାରମ୍ଭର ଏକ ଝଲକ ମିଳେ ଡଃ ପଟ୍ଟନାୟକଂକ ନିଜ ଲେଖାରୁ |

ଗତ ୨୦୧୬ର ଜୁଲାଇ ୧୭ ତାରିଖରେ ଦୈନିକ ‘ସମାଜ’ରେ “ଭୁଲା କଥା ଓ ଅଭୁଲା କଥା” ଶିରୋନାମାରେ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ ଲେଖିଥିଲେ , “ପୈଁଚାଳିଶି ବର୍ଷ ପରେ ଓଡିଶା ଫେରୁଥିବା ଘଟଣା ମୋତେ ଜାଣିଥିବା ସବୁ ଲୋକଙ୍କୁ ଚମକିତ କରିଦେଲା | ସମସ୍ତେ କହିଲେ ଭୁବନେଶ୍ୱରରେ ତମକୁ କିଏ ଜାଣେ | କିଏ ତମକୁ ପଚାରିବ ? ମୋର ଗୋଟିଏ ଉତ୍ତର , ମୁଁ ସେଠିକୁ ନାଁ କମେଇବାକୁ ଯାଉନାହିଁ | ମୋ ମନରେ ଗୋଟିଏ ବଡ ଦୁଃଖ ରହିଗଲା | ମୁଁ ସବୁ ରାଜ୍ୟ ପାଇଁ କିଛି ନା କିଛି କଲି | କିନ୍ତୁ ଓଡିଶା ପାଇଁ କିଛି କରିପାରିଲି ନାହିଁ | ମୁଁ କିଛି କରିବା ପାଇଁ ଚାହେଁ |” ଅଥଚ ଓଡିଶା ଆସି ଦେବୀ ପ୍ରସନ୍ନ ଯେ ସୁବ୍ରତ ପୃଷ୍ଟି ନାମକ ଅଶ୍ଳୀଳଭାଷା ବିଶାରଦଙ୍କ ସହ ମିଶି ଓଡ଼ିଶାର ଭାଷା ବାତାବରଣକୁ ଏପରି କଳୁଷିତ କରିଦେବେ – ଏହା କିଏ ବା ଅନ୍ଦାଜ କରିଥିଲା ?

ଅବସ୍ଥା ଏପରି ହୋଇଛି ଯେ ପଦାଧିକାରୀମାନଙ୍କ ସହ ସଲାସୁତରା କରି , ପ୍ରଶାସନକୁ ଦୁର୍ନୀତିଗ୍ରସ୍ତ କରାଇ ଡ଼ଃ ଦେବୀ ପ୍ରସନ୍ନ ପଟ୍ଟନାୟକ ବିନା ଟେଂଡରରେ ସରକାରୀ କାମ କରିବାକୁ ନିଜର ଦରସୂଚୀ ଦାଖଲ କରୁଛନ୍ତି ଓ ମୂଲ୍ୟପତ୍ର ଦେଇ ପଇସା ବି ପାଉଛନ୍ତି | ପାଖ ଫଟଚିତ୍ରଟି ଏହାର ପ୍ରମାଣ |

ସନ ୨୦୧୫ରେ ଯେତେବେଳେ କବି ଓ ଅଧିବକ୍ତା ଗଜାନନ ମିଶ୍ରଙ୍କ ଆମରଣ ଅନଶନ ଓଡ଼ିଶାରେ ଏକ ନୂତନ ଭାଷା ଜାଗରଣ ତିଆରି କଲା ଓ ଓଡିଶା ସରକାରୀ ଭାଷା ଆଇନ, ୧୯୫୪ କିପରି କାର୍ଯ୍ୟକାରୀ ହେବ ସେଥିପାଇଁ ସରକାର ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କଲେ, ଏହି ଉଭୟ ଭାଷା ବେପାରୀ ତହିଁରେ ସାମିଲ ହୋଇ ତାଙ୍କ ଆର୍ଥିକ ଫାଇଦା ପାଇଁ କିପରି ସେହି ମନ୍ତ୍ରୀସ୍ତରୀୟ କମିଟିକୁ ବ୍ୟବହାର କରାଯାଇପାରେ ସେହି ଚକ୍ରାନ୍ତ ଚଳାଇଲେ | କମିଟିର ବିଚାର୍ଯ୍ୟ ବିଷୟ (term of reference)କୁ ଆଖି ଆଗରେ ରଖି, ଯେଉଁ କାରଣ ହେତୁ ଆଇନଟିକୁ କେହି ମାନୁ ନାହାନ୍ତି ତହିଁର ନିରାକରଣ ପାଇଁ ମୁଁ ପ୍ରସ୍ତାବ ଦେଲି | ତହିଁରେ ରହିଲା – ଆଇନଟିର ଖିଲାପକାରୀକୁ ଦଂଡବିଧାନ ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଥିବା ନିୟମାବଳୀ ଓ ସେହି ନିୟମାବଳୀ ତିଆରି କରିବାକୁ ସରକାରଙ୍କୁ ଅଧିକାର ଦେବା ସକାଶେ ଆଇନ୍ର ଆବଶ୍ୟକୀୟ ସଂଶୋଧନ ପାଇଁ ପରାମର୍ଶ | ଏହା କରିବାକୁ ସରକାରଙ୍କ ପଥ ସୁଗମ କରିବା ପାଇଁ ମୁଁ ପ୍ରସ୍ତାବିତ ଆଇନ ସଂଶୋଧନର ଚିଠା ଓ ପ୍ରସ୍ତାବିତ ନିୟମାବଳୀର ଚିଠା ପ୍ରସ୍ତୁତ କରି ମଧ୍ୟ ଦେଲି ୨୦୧୫ର ସେପ୍ଟେମ୍ବର ୩ ତାରିଖରେ ଓ ତାହା ସରକାରୀ ନଭଃମଂଚରେ ରହିଲା ଓ ରହିଛି | ଏହା ସଂପୂର୍ଣତଃ term of reference ଅନୁସାରେ ହୋଇଥିଲେ ବି ଦେଖାଗଲା , ତହିଁରେ ମନୋନିବେଶ ନ କରି ସୁବ୍ରତ ଓ ତାଙ୍କ ଭାଷା ବେପାରୀ ସଂସ୍ଥାକୁ ସୁହାଇବା ପରି ଏକ “ଭାଷାନୀତି” ପ୍ରବର୍ତ୍ତନ ପ୍ରସ୍ତାବ ରଖିଲେ ଡ଼ଃ. ପଟ୍ଟନାୟକ ଓ ସରକାର ତାଙ୍କୁ ସେହି “ଭାଷାନୀତି” ପ୍ରଣେତା ବୋଲି ଘୋଷଣା କଲେ ଓ ସେ ଦେଇଥିବା କାମଚଳା ଭାଷାନୀତିକୁ ମଧ୍ୟ ସରକାରୀ ନଭଃମଂଚରେ ଥାପିଲେ | କମିଟିର ବୈଠକ ଯେତେଥର ବସିଲା term of reference ବହିର୍ଭୂତ ବିଷୟରେ ଆଲୋଚନା ହେଲା ଓ କମିଟି ସମ୍ମୁଖରେ ଥୁଆହେଉଥିବା କାର୍ଯ୍ୟସୂଚୀ (agenda)ରେ ଆଇନ ସଂଶୋଧନ ପ୍ରସ୍ତାବ ସ୍ଥାନିତ ହେଲାନାହିଁ | ସ୍ପଷ୍ଟ ହୋଇଗଲା ଯେ ଓଡ଼ିଆରେ ଓଡ଼ିଶାର ଶାସନ କରାଇ ନ ଦେବାକୁ ଓଡ଼ିଆବିମୁଖ ସରକାର ଏହି ତଥାକଥିତ ଭାଷା ବିଶାରଦ ଗୋଷ୍ଠୀକୁ ପ୍ରୟୋଗ କରୁଛନ୍ତି |

ଏତିକିବେଳେ ୧୭.୧୨.୨୦୧୫ ଲରିଖରେ ଆମମାନଙ୍କୁ ଅନ୍ଧକାରରେ ରଖି ଓଡ଼ିଆରେ ଓଡିଶା ଶାସନ ପାଇଁ ମୁଖ୍ୟମନ୍ତ୍ରୀ ଏକ ୯ ଦଫା କାର୍ଯ୍ୟକ୍ରମ ଘୋଷଣା କଲେ | ମୁଁ ଏହାକୁ ବେଆଇନ ବୋଲି କହିଲି ; କାରଣ , ଭାଷା ଆଇନ କାର୍ଯ୍ୟକାରୀତା ଉପରେ ଯେଉଁ ସରକାରୀ ସଂକଳ୍ପ ଜାରି ହୋଇଥିଲା ତାହା ସେହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଏପରି ମନୋମୁଖୀ କାମ କରିବାର ଅଧିକାର ଦେଇ ନ ଥିଲା ଓ ତାହା ଥିଲା ଅନଶନକାରୀ ଗଜାନନ ମିଶ୍ର ତଥା ସରକାରଙ୍କ ଉପରେ ପ୍ରତ୍ୟୟ ସ୍ଥାପନ କରିଥିବା ଆମ ସମସ୍ତଙ୍କ ପାଇଁ ଚରମ ବିଶ୍ଵାସଘାତକତା | ଓଡ଼ିଆ ଭାଷା ଜନନୀ ଯେଉଁ ତିମିରେକୁ ସେଇ ତିମିରେ ପଡ଼ିରହିବା ସୁନିଶ୍ଚିତ ହୋଇଗଲା | ମୁଁ ମୋ ନିଜ ନଭମଞ୍ଚ  orissamatters.com ରେ ତହିଁର ଘୋର ପ୍ରତିବାଦ କଲି | ଦେବୀ ବାବୁ ଓ ସୁବ୍ରତ , ଶଙ୍କର ପରିଡା ଓ ନଟବର ଶତ୍ପଥୀ ନୀରବ ରହିଲେ | ସରକାରଂକ ଟାଳଟୁଳ ଲକ୍ଷ କରି କଳା ପତାକା ଅଭିଯାନ ମାଧ୍ୟମରେ ପୁନର୍ବାର ଆନ୍ଦୋଳନ ଆରମ୍ଭ କରିବାକୁ ମୁଁ ଭାଷା ସଂଗ୍ରାମ ସମିତିର ସଭ୍ୟମାନଙ୍କୁ ବତେଇଲି | କଳା ପତାକା ଥିଲା ମୋ ରାଜ୍ୟ ତିଗିରିଆର ଯୁଦ୍ଧପତାକା ଓ ମୁଁ ତାହାକୁ ଆପଣାଇ ୧୯୮୦ ଦଶକରେ ତଦାନୀନ୍ତନ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ମୋ ନିର୍ବାଚନ ମଣ୍ଡଳୀରେ ଜନ ଜାଗରଣ ଘଟାଇଥିଲି | ପବିତ୍ର ମହାରଥା ଓ ନଟବର ଶତପଥୀ ମୋ ସହ ଏକମତ ହେଲେ ; ମୁଁ ନୋଟିସ ଡାକିଦେଲି , ସୁବ୍ରତ ଟାଇପ କଲେ; ନଟବାବୁ ଓ ମୁଁ ଦସ୍ତକତ କଲୁ ଓ ତହିଁରେ ଶଙ୍କର ପରିଡାଙ୍କ ଦସ୍ତକତ ନେଇ ରେଜିଷ୍ଟର୍ଡ ଡାକରେ ତାହା ପଠାଇ ଦେବାକୁ ସୁବ୍ରତ ଦାୟିତ୍ବ ନେଇଥିଲେ | କଲେ ନାହିଁ | ମୁଁ ଦେଖିଲି କଥାଟିକୁ ଲୋକଙ୍କ ପାଖକୁ ନେବାକୁ ହେବ | ତେଣୁ ଭିଆଇଲି ଭାଷା ଆନ୍ଦୋଳନ ଓ ମୋର ବିଶ୍ଵସ୍ତ ହୋଇପାରିଥିବା ପବିତ୍ର ମୋହନ ମହାରଥାଙ୍କୁ ଏହାର ଆବାହକ ପଦରେ ନିଯୁକ୍ତ କରିଥିଲି ।  ମୁଖ୍ୟ ଶାସନ ସଚିବଙ୍କ ମାଧ୍ୟମରେ ୮.୪.୨୦୧୬ ତାରିଖରେ  ସରକାରଙ୍କୁ ଚରମପତ୍ର ଦେଇ ୧୩.୪.୨୦୧୬ରୁ ଆରମ୍ଭ କଲୁ କଳାପତାକା ଅଭିଯାନ | ସୁବାର୍ତ୍ତାର ସଂପାଦକ ପ୍ରଦ୍ୟୁମ୍ନ ଶତପଥୀଙ୍କ ଅନୁରୋଧକ୍ରମେ କେଇଦିନ ପରେ ତାଙ୍କୁ ସଭାପତି ପଦରେ ନିଯୁକ୍ତ କଲି  ।  ବହୁ ଭାଷା ପ୍ରେମୀଙ୍କ ଆନ୍ତରିକ ସହଯୋଗରେ ଚାଲିଛି ଏହି ଅନନ୍ୟ ଆନ୍ଦୋଳନ | ଏହା ଆରମ୍ଭ ହେବାର ୧୨ ଦିନଠି ମୁଖ୍ୟମନ୍ତ୍ରୀ ଅକାମି କରି ଦେଇଥିବା ମନ୍ତ୍ରୀସ୍ତରୀୟ କମିଟିକୁ ସରକାର ପୁନରାୟ ଡାକିଲେ ଓ ଆଶା ବିରୁଦ୍ଧରେ ଆଶା ସହ ମୁଁ ସେଥିରେ ଯୋଗ ଦେଲି | ମାତ୍ର ଦେଖାଗଲା କାର୍ଯ୍ୟସୂଚୀରେ ଆଇନ ସଂଶୋଧନର ନାମଗଂଧ ନଥିଲା | ମୁଁ ଓ ଗଜାନନ ବାବୁ କମିଟି ବର୍ଜନ କଲୁ ପ୍ରତିବାଦରେ ଓ କିପରି ଆମ ଭାଷା ଜନନୀ ରକ୍ଷାପାଇବ ତା ପାଇଁ ଭାଷା ଆନ୍ଦୋଳନକୁ ଚଳାଇ ଚାଲିବାର ଶପଥ ନେଲୁ |

ଭାଷା ଆନ୍ଦୋଳନ, ଓଡିଶା ଆମ ଭାଷା ଜନନୀ ଉପରେ ଚାଲିଥିବା ସରକାରୀ ଅତ୍ୟାଚାର ବଂଦ କରିବାପାଇଁ ଓଡିଶା ସରକାରୀ ଭାଷା ଆଇନ, ୧୯୫୪ର ଖିଲାପକାରୀ ବିରୁଦ୍ଧରେ ଦଂଡବିଧାନ ବ୍ୟବସ୍ଥା ଦାବି କରି ସାରା ବିଶ୍ବରେ କେବେ ଦେଖାନଥିବା ଏକ ଶାନ୍ତିପୂର୍ଣ ଓ ମର୍ଯ୍ୟାଦାସଂପନ୍ନ ଅଭିଯାନ ଚଳାଇଛି | ଏହାକୁ ଭଣ୍ଡୁର କରିବା ପାଇଁ ଓଡ଼ିଆ ଭାଷାବିମୁଖ ମୁଖ୍ୟମନ୍ତ୍ରୀ ଚେଷ୍ଟା କରୁଛନ୍ତି ଓ ତାଙ୍କଦ୍ଵାରା ଅନୁଗୃହୀତ ହୋଇଥିବା ଭାଷାବିତ୍ ଡ଼ଃ ଦେବୀ ପ୍ରସନ୍ନ ପଟ୍ଟନାୟକ ଭାଷା ଆନ୍ଦୋଳନକୁ “ନାମ କାଙ୍ଗାଳ” ଲୋକଙ୍କ କାମ ବୋଲି କହି ଆମକୁ ଅପଦସ୍ତ କରିବାକୁ ଅପଚେଷ୍ଟା କରିଥିବା ବେଳେ ତାଂକ ଦ୍ଵାରା ଭାଷାବିତ ଭାବେ ପ୍ରଚାରିତ ଡ଼ଃ ସୁବ୍ରତ କୁମାର ପୃଷ୍ଟି ନାମକ ବ୍ୟକ୍ତି ଜଣକ ମୋ ଉପରେ ଅତି ଅମାନୁଷିକ, ଜଘନ୍ୟ, ନିନ୍ଦନୀୟ, ଅପମାନଜନକ ଶବ୍ଦ ବାଣ ପ୍ରୟୋଗ କରିଛନ୍ତି |

ଏହି ବହୁରଙ୍ଗୀ ଅଶ୍ଳୀଳ ଆକ୍ଷେପ ସୁବ୍ରତ ପୃଷ୍ଟିଙ୍କ ସୃଷ୍ଟି | ସେ ଏହାକୁ ପ୍ରଚାର କରିବା ପାଇଁ ରାମଚଣ୍ଡୀ ପ୍ରସାଦ ରଣସିଂହ ନାମକ ବ୍ୟକ୍ତିଙ୍କୁ ଦେଇଥିଲେ ଓ ସେ ଏହାକୁ ସାମାଜିକ ଗଣମାଧ୍ୟମ ଫେସବୁକରେ “ଭାଷା ଆନ୍ଦୋଳନରେ ରାଜନୀତି ଓ ଫାଟ” ଶୀର୍ଷକରେ FACE BOOK NEWS SERVICE ନାମକ ପୃଷ୍ଠାରେ ଏଇ ମେ ୧୦ ତାରିଖ ରାତି ୧୦।୫୫ରେ ସ୍ଥାନୀତ କରି , ଏହା ସହ କିସାନ ବରାଇ ,ଶୁଭ୍ରାଂଶୁ ପଂଡା , ଟିକନ ବିଶ୍ବରଂଜନ ମିଶ୍ର , ଅଶୋକ ନନ୍ଦ , ଆଚାର୍ଯ୍ୟ ହୃଷିକେଶ ମିଶ୍ର , ଲେଖା ନନ୍ଦ , ରବି କାନୁନ୍ଗୋ ଓ ଅନ୍ୟ ଜଣେ ନାଁ ପଢ଼ିହେଉନଥିବା ବ୍ୟକ୍ତିଙ୍କୁ ସଂଲଗ୍ନ କରି , ଏହାର ଉତ୍ତର ଦେବାକୁ ପ୍ରଦ୍ୟୁମ୍ନ ଶତପଥୀ ଓ ମୋତେ ଆହ୍ବାନ ଦେଲେ |

ଏହି ଅଶ୍ଳୀଳ ଆକ୍ଷେପ କାହାପ୍ରତି ଉଦ୍ଦିଷ୍ଟ ତାହା ଊହ୍ୟ ରହିଥିବା ବେଳେ ସେ କାହିଁକି ଭାଷା ଆନ୍ଦୋଳନକୁ ଏଥିରେ ଛଂଦି ମୋ ଠାରୁ ଉତ୍ତର ତଲବ କରିଛନ୍ତି ବୋଲି ମୁଁ ତାଙ୍କୁ ପଚାରିଲି ଓ ସେ ସ୍ପଷ୍ଟ କଥା ନ କହିବାରୁ ଓ ଏହି ଆକ୍ଷେପକୁ ସଂପ୍ରସାରିତ କରି ଦେଇଥିବା ଅଭିମତରେ ଇଂରାଜୀ ଅକ୍ଷରରେ ଧିକ୍କାର ଦେଇଥିବା ହେତୁ , ସେହି ରାତି ୧୧.୫୨ରେ ମୁଁ ତାଙ୍କୁ ଲେଖିଲି , Dear Sri Ranasingh, why have you circulated this obnoxious piece? Do you sponsor this? Before circulating this, have you located to whom this filth is aimed at? Have you inquired why the author of this vulgarism has not uttered the name of the person who has, to him, done the alleged damage to Oriya language and/or race ? If not, collect the same from your source and publish. My next step will follow that.

ରଣସିଂହ ଅବଶେଷରେ ସୁବ୍ରତ ମୋ ପ୍ରତି ହିଁ ଏହି ଅଶ୍ଳୀଳ ଶବ୍ଦ ପ୍ରୟୋଗ କରିଥିବା ତାଙ୍କୁ କହିଥିଲେ ବୋଲି ଜଣାଇଛନ୍ତି | କେବଳ ସେତିକି ନୁହେଁ , ମୁଁ ଯେତେବେଳେ ତାଙ୍କୁ ପଚାରିଲି , ” ରାମଚଣ୍ଡୀ ପ୍ରସାଦ ରଣସିଂହ ! ସୁବ୍ରତ ପୃଷ୍ଟିଙ୍କର ଏହି ଅଶ୍ଳୀଳତା ଆପଣ ସମ୍ପ୍ରସାରିତ କରିବାବେଳେ ଆପଣଙ୍କ ମତଲବ କଣ ଥିଲା ? କେଉଁ ଉଦ୍ଦେଶ୍ୟରେ ଆପଣ ସୁବ୍ରତ ପୃଷ୍ଟିଙ୍କର ଅଶ୍ଲୀଳତାର ପରିବାହକ ସାଜିଲେ ?” , ସେ ଯାହା କହିଛନ୍ତି ତାର ସ୍କ୍ରିନସଟ (Screenshot) ଚିତ୍ର ତଳେ ଦେଲି :
ଏହାର ଅର୍ଥ ହେଲା, ” ମୁଁ ତାଙ୍କ ଅଶ୍ଳୀଳତାକୁ ସମ୍ପ୍ରସାରିତ କରିନି ….ବରଂ ସୁବ୍ରତ ପୃଷ୍ଟି ନିଜେ ଜଣେ ଅଶ୍ଳୀଳ ବ୍ୟକ୍ତି ବୋଲି ପ୍ରତିପାଦିତ କରିଛି |”

ଏପରି ଭାବେ ନିଜ ଅସଲ ଚେହେରାରେ ଧରା ପଡିଗଲା ପରେ ସୁବ୍ରତ ପୃଷ୍ଟି ମୋ ପ୍ରତି ଯେଉଁ ଭାଷା ପ୍ରୟୋଗ କରିଛନ୍ତି ତାହା ଯେତିକି ଲଜ୍ଜାଜନକ ସେତିକି ସାଂକେତିକ | ଏହା ସଂକେତ କରେ ଓଡ଼ିଶାର ଓଡ଼ିଆଦ୍ରୋହୀ ଓ ଦଲାଲ ଅଧ୍ୟୁଷିତ ସରକାର ଅଶ୍ଳୀଳଭାଷା ବିଶାରଦମାନଙ୍କ ହାତରେ କିପରି ଟେକି ଦେଇଛି ପ୍ରଶାସନିକ ଓଡ଼ିଆ ଭାଷାର ଭାଗ୍ୟ | ପୃଷ୍ଟି କଣ କହିଛନ୍ତି ଦେଖାଯାଉ :

ଏହାହିଁ ହେଲା ଓଡିଶା ସରକାରଙ୍କ ଅନୁଗ୍ରହ ଓ ପ୍ରୋତ୍ସାହନ ପାଇଚାଲିଥିବା ଭାଷାବିତମାନଙ୍କ ଭାଷା | ଏହି ଅଶ୍ଳୀଳଶବ୍ଦ ବିଶାରଦମାନଙ୍କ ଆକ୍ରମଣକୁ ସାମ୍ନା କରି ଭାଷା ଆନ୍ଦୋଳନ ସାରା ପୃଥିବୀର ସବୁଠୁଁ ଶାନ୍ତିପୂର୍ଣ ଶୈଳୀରେ ଓଡିଶା ସରକାରଙ୍କ ସହ ଲଢେଇ କରୁଛି ଓଡ଼ିଆ ଭାଷାରେ ଓଡ଼ିଶାର ଶାସନ ପାଇଁ ଓ ତହିଁରେ ଯିଏ ବାଧା ଦେବ ତା ବିରୁଦ୍ଧରେ ଦଂଡବିଧାନ ପାଇଁ | ମା ଓଡ଼ିଶାର ଜୟ ହେଉ |