ଭାଷା ଯୋଦ୍ଧା
ଗଜାନନ ମିଶ୍ର
ଭାଷା ଯୋଦ୍ଧାର
ମୂଲ୍ଯ କେତେ?
ଗୋଟିଏ ଫୁଲକଢି!
ଗୋଟିଏ କପଡା!
ଗୋଟିଏ କାଗଜ!
ଭାଷା ଯୋଦ୍ଧା କିଏ?
ଭାଷା ଯୋଦ୍ଧା କଣ କରେ?
ମନ୍ତ୍ରୀ ଅମଲାର ଗୋଡ ଚାଟେ?
ସ୍ତ୍ରୀ ପିଲା ବିକେ?
ଗାଡି, ଘର, ଚାକିରୀ ମାଗେ?
ଭାଷା ଯୋଦ୍ଧା କୋଉଠି?
ରାଜଧାନୀରେ!
ଖଟିର ଚା କପ୍ ରେ!
ଟିଭିର ରଡାରଡିରେ!
ଖବରକାଗଜ ପୃଷ୍ଠାରେ!
ଭାଷା ଯୋଦ୍ଧା , ଭାଷା ଯୋଦ୍ଧା!
କିଏ ଖୋଜେ? କଣ ପାଇଁ ଖୋଜେ?
ଭାଷା ଯୋଦ୍ଧା କଣ ଗୋଟେ ଶିଢି?
ଭାଷା ଯୋଦ୍ଧା କଣ ଗୋଟେ ଯାଦୁଛଡି?
ଭାଷା ଯୋଦ୍ଧା କଣ ବେତବାଡି?
ଭାଷା!
ପୁଣି ଯୋଦ୍ଧା!
ଭାଷା ତ ମୂଳରୁ ନାଇଁ ,
ଯୋଦ୍ଧା ଆସିବ କେଉଁଆଡୁ!
ଭାଷା ନାଇଁ,
ରାଜ୍ୟ ନାଇଁ।
ରାଜ୍ୟ ନାଇଁ,
ମନ୍ତ୍ରୀ ଅମଲା କାହାପାଇଁ?
ଭାଷା ଆସେ ମାଆଠୁ ,
ମାଆ ଥାଏ ରକ୍ତରେ,
ମାଆ ଥାଏ
ନିଶ୍ୱାସପ୍ରଶ୍ୱାସର ପବନରେ,
ମାଆ ଥାଏ ମାଟିରେ,
ମାଆ ଥାଏ ହୃଦୟ ଭିତରେ,
ମାଆ ଥାଏ ଆକାଶରେ।
ମାଆ ମାଆ ମାଆ
ମାଆ ଭାଷାରେ
ଝଟକୁଥାଏ ପରିଚୟ,
ପରିଚୟର ନ ଥାଏ ପରାଜୟ।
ଯୁଦ୍ଧର ନ ଥାଏ ପ୍ରଶ୍ନ ,
ହାରଜିତର ନ ଥାଏ ଚିହ୍ନ।
ଲାଂଚଖୋର, ରକ୍ତଶୋଷା
ମନ୍ତ୍ରୀ ଅମଲା ଜାଣିବେ କଣ
ଗୋଟେ ଜାତିର ଅମୂଲ୍ଯ ରତ୍ନ!
ଅବିକା-ଅକିଣା ଜୀବନ
ଝଟକୁ ଥାଏ ଖୋଲାମେଲା
ଆକାଶ ତଳେ ସବୁଦିନ।
ସରକାର ଆସେ , ସରକାର ଯାଏ
ମୁଣ୍ଡାଇ କେବଳ କଳଙ୍କ ।
ମା ଭାଷା ପାଇଁ
କାନ୍ଦୁଥାଏ କେବଳ କାକୁସ୍ଥ ପ୍ରାଣ।
ନ ଥାଏ କାହାଠି କିଛି ଉପଶମ,
କଉଣସି ପ୍ରକାରର ମଲମ।
ତପୋବନ,ଟିଟିଲାଗଡ, ବଲାଙ୍ଗିର
29/1/2019