ବିଧାନସଭା ସ୍ବାଧୀକାର ସଚେତନ କି? ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡିଶା ବିଧାନସଭା ଯଦି ସ୍ବାଧୀକାର ସଚେତନ, ତେବେ କାଳବିଳମ୍ବ ନ କରି ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ସ୍ବାଧୀକାର ଭଙ୍ଗ ପାଇଁ କାର୍ଯ୍ୟାନୁଷ୍ଠାନ କରୁ । ଓଡିଶା ସରକାରୀ ଭାଷା ଆଇନ ସଂଶୋଧନ ବ୍ୟାପାରରେ ଜାଣିଶୁଣି ମିଛ କହି ଏ ମହାଶୟ ବିଧାନସଭାକୁ ପ୍ରତାରିତ କରିଛନ୍ତି ଓ ନିଜ ଅଶୁଦ୍ଧ ଅଭିସନ୍ଧିର କ୍ରୀଡ଼ନକ ବନାଇଛନ୍ତି । ଉଦାହରଣ ସ୍ବରୂପ ୧.୫.୨୦୧୮ ତାରିଖରେ ଭାଷା ଆଇନରେ ଯେଉଁ ସଂଶୋଧନ ହେଲା ତାହାର ଉଦ୍ଦେଶ୍ୟ ଓ କାରଣ କଥନରେ ମିଛ କଥା କହି ବିଧାନସଭାକୁ ପ୍ରତାରିତ କରାହୋଇଛି । ତହିଁର ଫଟୋଚିତ୍ର ମୁଁ ଏଠାରେ ରଖିଲି:

ଏହା ମିଛ ଉପରେ ଆଧାରିତ । ମୁଖ୍ୟମନ୍ତ୍ରୀ ଜାଣନ୍ତି ଯେ ଏହା ମିଛ ଉପରେ ଆଧାରିତ । କାରଣ, ୧୪.୩.୨୦୧୮ ତାରିଖରେ ତାଙ୍କରି ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ବସି ୨୬.୧୨.୨୦୧୭ ତାରିଖର କ୍ୟାବିନେଟ ପ୍ରସ୍ତାବର ବିକଳ୍ପ ପ୍ରସ୍ତାବ ଗୃହୀତ ହୋଇଥିଲା । ତାହା ନିମ୍ନରେ ଦେଲି :

ଅଥଚ ୧୪.୩.୨୦୧୮ ତାରିଖର ଏହି ପ୍ରସ୍ତାବକୁ ସମ୍ପୂର୍ଣ୍ଣତଃ ଲୁଚେଇରଖି ୧.୫.୨୦୧୮ ତାରିଖରେ ଯେଉଁ ସଂଶୋଧନ ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ବିଧାନସଭା ସମ୍ମୁଖରେ ରଖିଲେ ୨୬.୧୨.୨୦୧୭ ତାରିଖର କ୍ୟାବିନେଟ ପ୍ରସ୍ତାବ ହିଁ ତାର ଉଦ୍ଦେଶ୍ୟ ଓ କାରଣ ବୋଲି କୁହାହେଲା । କୌତୁହଳର କଥା, ସେହିଦିନ ଆଗତ ଓ ଗୃହୀତ ଅନ୍ୟ କୌଣସି ବିଧେୟକରେ କୌଣସି କ୍ୟାବିନେଟ ପ୍ରସ୍ତାବକୁ ତହିଁର ଆଧାର ଭାବେ ପ୍ରଦର୍ଶିତ କରା ହୋଇନଥିବା ବେଳେ, ଏହି ନିର୍ଦ୍ଦିଷ୍ଟ ବିଧେୟକରେ ଏହି ବ୍ୟତିକ୍ରମ ହୋଇଥିଲା । ଅଥଚ କୌଣସି ଜଣେ ବି ଆଲୋଚନାକାରୀ ବିଧାୟକ ଏ ପ୍ରସଙ୍ଗ ଉଠାଇନଥିଲେ କି ସେହି ପ୍ରସ୍ତାବଟି କଣ ଥିଲା , ତାହା ଜାଣିବାକୁ ଚାହିଁ ନଥିଲେ ! ମୁଁ ଯେତେବେଳେ ଏହାର ବୈଧତାକୁ ପ୍ରଶ୍ନ କଲି ଓ ବିଧାନସଭାରେ ଗୃହୀତ ବିଧେୟକଙ୍କୁ ମଞ୍ଜୁରୀ ନ ଦେବାକୁ ରାଜ୍ୟପାଳଙ୍କୁ କହିଲି ଓ ତହିଁ ପରେ ତାହାକୁ ସାନି ସଂଶୋଧନ ଦ୍ଵାରା ବିଲୋପ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ କହିଲି, ଭାଷା ଆନ୍ଦୋଳନକୁ ଦୁର୍ବଳ କରିଦେବା ପାଇଁ ସରକାରୀ ଷଡ଼ଯନ୍ତ୍ର ଜୋରଦାର ହେଲା ଓ ପ୍ରଦ୍ୟୁମ୍ନ ଶତପଥୀ ତଥା ପବିତ୍ର ମହାରଥା ନାମକ ମୋର ଦୁଇ ସହକର୍ମୀଙ୍କ ଭାଷା ଆନ୍ଦୋଳନ ବିରୁଦ୍ଧରେ ସୁପାରୀ ହତ୍ୟାକାରୀ ଭାବେ ପ୍ରୟୋଗ କରାଗଲା । ଓଡିଶା ଲୋକଙ୍କୁ ପ୍ରତାରିତ କରିବା ପାଇଁ ଗତ ଅଧିବେଶନର ଶେଷ ଦିବସରେ ସରକାରୀ ଭାଷା ଆଇନର ଦ୍ବିତୀୟ ସଂଶୋଧନ କରାଯାଇ ପ୍ରଥମ ସଂଶୋଧନର ଅବୈଧତାକୁ କାଏମ ବି ରଖାଗଲା । ଅତଏବ, ୧.୫.୨୦୧୮ ତାରିଖରେ ବିଧାନସଭା ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ଯେଉଁ ପ୍ରବଞ୍ଚନା ପ୍ରୟୋଗ କରିଥିଲେ ୧୯.୯.୨୦୧୮ ତାରିଖରେ ବି ସେହି ପ୍ରବଞ୍ଚନା ପୁନଃ ଜାହିର କଲେ । ଏହା ଏକ ନିରନ୍ତର ପ୍ରବଞ୍ଚନା ଯାହାର ଶିକାର ଓଡିଶା ବିଧାନସଭା ।

ଏହା ପଛରେ ମୁଖ୍ୟମନ୍ତ୍ରୀଙ୍କ ଅପରାଧିକ ଅଭିସନ୍ଧି କ’ଣ ତାହା ସ୍ପଷ୍ଟ ହେଵା ଉଚିତ । ଏକ ଭିନ୍ନ ନିବନ୍ଧରେ ତାହା ମୁଁ ଚର୍ଚ୍ଚା କରିବି ; କାରଣ ତାହା ଏହି ନିବନ୍ଧର ପରିସର ବହିର୍ଭୁତ ।

ଏହି ନିବନ୍ଧ ଏକ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ଖୋଜୁଛି । ତାହା ହେଲା, ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ସୃଷ୍ଟିକରିଥିବା ଓଡିଶା ସରକାରୀ ଭାଷା ଆଇନ, ୧୯୫୪ର ସଂଶୋଧନ ପାଇଁ ୧୪.୩.୨୦୧୮ ତାରିଖର କ୍ୟାବିନେଟ ବୈଠକରେ ଯେଉଁ ନିଷ୍ପତ୍ତି ହୋଇଥିଲା ସେ ସମ୍ପର୍କରେ ବିଧାନସଭାକୁ ସମ୍ପୂର୍ଣ୍ଣ ଅନ୍ଧକାରରେ ରଖି, ସେହି କ୍ୟାବିନେଟ ଅଗ୍ରାହ୍ୟ କରିଥିବା ୨୬.୧୨.୨୦୧୭ ତାରିଖର କ୍ୟାବିନେଟ ପ୍ରସ୍ତାବ ଉପରେ ସଂଶୋଧନ ଘଟାଇବାକୁ ମୁଖ୍ୟମନ୍ତ୍ରୀ ଯେପରି ବିଧାନସଭାକୁ ଗଉଡ଼ ଗାଈ ଅଡ଼େଇଲା ପରି ଯଦ୍ଦୃଚ୍ଛା ଅଡ଼େଇ ନେଲେ ତାହା ବିଧାନସଭାର ଗାରିମା ହାନୀ କରିଛି କି ନାହିଁ? ଏହି ଦୃଶ୍ୟମାନ କ୍ୟାବିନେଟ୍ ସ୍କାମ୍ ପ୍ରେକ୍ଷାପଟରେ ତହିଁର ଶିକାର ହୋଇଥିବା ବିଧାନସଭା ନିଜର ସ୍ଵାଧିକାର ଖୋଜବା ଆବଶ୍ୟକ କି ଅନାବଶ୍ୟକ?

ବିଧାନସଭା ଏହା ଉପରେ ଧ୍ୟାନ ଦେଉ ଓ ନିଜ ମହତ ନିଜେ ରକ୍ଷାକରୁ ।

ମୂଳ ଭାଷା ଆଇନ ଅକ୍ଷୁର୍ଣ୍ଣ ରଖି ସାନି ସଂଶୋଧନ କର : ମୁଖ୍ୟମନ୍ତ୍ରୀଙ୍କୁ ଭାଷା ଆନ୍ଦୋଳନର ପତ୍ର

ବିଶେଷ ପ୍ରତିନିଧିଙ୍କ ଠାରୁ

ଓଡ଼ିଶା ସରକାରୀ ଭାଷା ଆଇନ,୧୯୫୪କୁ ଅକ୍ଷୁର୍ଣ୍ଣ ରଖି ତହିଁର ଉଲ୍ଲଙ୍ଘନ ବିରୁଦ୍ଧରେ କଠିନ ଦଣ୍ଡବିଧାନ ପାଇଁ ବିଧିବଦ୍ଧ ବ୍ୟବସ୍ଥା କରିବାକୁ ଭାଷା ଆନ୍ଦୋଳନର ଦାବି ପୂର୍ଣ୍ଣତଃ ପୂରଣ କରିବା ସକାଶେ ଭାଷା ଆନ୍ଦୋଳନର ନବ ନିର୍ବାଚିତ ସଭାପତିମଣ୍ଡଳୀ ନଭେମ୍ବର ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଦେଇଅଛି । ତାହା ନିମ୍ନରେ ପ୍ରଦତ୍ତ ହେଲା –

ଭାଷା ଆନ୍ଦୋଳନର ନୂତନ ନେତୃତ୍ଵ

ବିଶେଷ ସମ୍ବାଦଦାତା
ଭାଷା ଆନ୍ଦୋଳନ,ଓଡ଼ିଶା ଏଣିକି ଏକ ସଭାପତିମଣ୍ଡଳୀର ଯୌଥ ନେତୃତ୍ବରେ ପରିଚାଳିତ ହେବ ।
ଆନ୍ଦୋଳନର ପ୍ରତିଷ୍ଠାତା ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଆହ୍ବାନକ୍ରମେ ଅନୁଷ୍ଠିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଗତକାଲି ଏହି ନିଷ୍ପତ୍ତି ନିଆଯାଇଛି ।
ଏତଦନୁଯାୟୀ ଏହି ସଭାପତିମଣ୍ଡଳୀରେ ଅଧିଷ୍ଠିତ ହୋଇଛନ୍ତି ଓଡ଼ିଶାରେ ଭାଷା ଅସ୍ମିତାର ନୂତନ ଯୁଗ ପ୍ରବର୍ତ୍ତକ କବି ଊ ଅଧିବକ୍ତା ଗଜାନନ ମିଶ୍ର,ଅନ୍ୟତମ ଆଦ୍ୟ ଉଦ୍ୟୋକ୍ତା ଅର୍ଜୁନ ଚରଣ ସାମନ୍ତରାୟ (ବରିଷ୍ଠ ଅଧିବକ୍ତା),ବିଶିଷ୍ଟ ବୈଜ୍ଞାନିକ ଡଃ ଅଶୋକ ମିଶ୍ର, ବିଶିଷ୍ଟ ସମାଜସେବୀ କମଳଲୋଚନ ନାୟକ, ଓଡ଼ିଆ ଅସ୍ମିତାର ବିଶିଷ୍ଟ ଉଦ୍ଘୋଷକ ସୁଭାଷ ଚନ୍ଦ୍ର ପ୍ରଧାନ,ଧ୍ରୁବ ଚରଣ ମହାନ୍ତି (ଅଧିବକ୍ତା ଓ ଗିରିଜାକାନ୍ତ ମିଶ୍ର (ଅଧିବକ୍ତା) ।
ଭାଷା ଆନ୍ଦୋଳନର ନୂତନ ରଣକୌଶଳ ଏହି ସଭାପତିମଣ୍ଡଳୀଙ୍କ ନେତୃତ୍ବରେ କାର୍ଯ୍ୟକାରୀ ହେବ ।

ଭାଷା ଆଇନରେ ଖଂଜା ହୋଇଥିବା ନୂଆ ଧାରା ୪-କ କାହିଁକି ଗ୍ରାହ୍ୟ ନୁହେଁ ?

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଆଇନରେ ସଂଶୋଧନ ଆସେ ତାକୁ ଅଧିକ ସମର୍ଥ କରିବାପାଇଁ ; ତାକୁ ଲକ୍ଷ୍ୟଚ୍ୟୁତ କରିବାକୁ ନୁହେଁ । କିନ୍ତୁ ଓଡ଼ିଶା ରାଜ୍ୟ ସରକାର ଓଡ଼ିଶା ସରକାରୀ ଭାଷା ଆଇନ, ୧୯୫୪କୁ ଲକ୍ଷ୍ୟଚ୍ୟୁତ କରାଇବା ପାଇଁ ବିଧାନସଭାକୁ ପୁନଶ୍ଚ ବ୍ୟବହାର କରିଛନ୍ତି ୧୯.୯.୨୦୧୮ ତାରିଖରେ ।

ଏ ଦିନ ଏହି ଆଇନ ଉପରେ ଯେଉଁ ଦ୍ଵିତୀୟ ସଂଶୋଧନ ପାରିତ କରା ହୋଇଛି ତାହା ୧.୫.୨୦୧୮ରେ ହୋଇଥିବା ପ୍ରଥମ ଓ ବେଆଇନ ସଂଶୋଧନକୁ ଆଇନସିଦ୍ଧ କରି ମୂଳ ଆଇନଟିକୁ ଅଧିକ ଜନବିରୋଧୀ ତଥା ନିରୁଦ୍ଧିଷ୍ଟ କରିବା ପାଇଁ ଏକ ଚତୁର ପ୍ରୟାସ । ଓଡ଼ିଆ ଜାତି ଯଦି ଏହାକୁ ମାନିନିଏ ତେବେ ତାର ଭାଷା ଅଧିକାର ସମ୍ପୂର୍ଣ୍ଣତଃ କ୍ଷୁର୍ଣ୍ଣ ହେବ ।

ଓଡ଼ିଆ ଭାଷାରେ ସମସ୍ତ ସରକାରୀ ସେବା ପାଇବାପାଇଁ ଆମ ପୁର୍ବପୁରୁଷେ ସେତେବେଳେ ସମଗ୍ର ଭାରତକୁ ଅପାତତଃ ଦଖଲକରିଥିବା ବ୍ରିଟିଶ ଶକ୍ତିକୁ ଏକ ସ୍ଵତନ୍ତ୍ର ପ୍ରଦେଶ ସୃଷ୍ଟି କରିବାକୁ ବାଧ୍ୟ କରିଥିଲେ , ଯାହାର ନାମ ହେଲା ଓଡ଼ିଶା ।

କିନ୍ତୁ ନିଜ ଭାଷାରେ ନିଜର ଏହି ରାଜ୍ୟର ସମସ୍ତ ସରକାରୀ ସେବା ପାଇବାର ଅଧିକାର ଆମକୁ ୧୯୫୪ରେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରଣୀତ ଓଡିଶା ସରକାରୀ ଭାଷା ଆଇନ ହିଁ ଦେଇଥିଲା । ଏହା ଦୁଇଟି କଥା କହିଥିଲା : (୧) ଓଡ଼ିଶାର ସର୍ବତ୍ର ଏହା ତତ୍କାଳ ଲାଗୁହେଲା ଓ (୨) ଓଡ଼ିଶାର ସମସ୍ତ ଓ ପ୍ରତ୍ୟେକ ଦପ୍ତରରେ ଯେ କୌଣସି ସରକାରୀ କାମ ପାଇଁ ଭାଷା ହେଲା ଓଡ଼ିଆ ।

ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାପା ବିଜୁ ପଟ୍ଟନାୟକ ୧୯୬୩ରେ ଏଥିରେ ପ୍ରଥମ ସଂଶୋଧନ କରି ଏହାର ଗାରିମା ନଷ୍ଟ କରିଥିଲେ ଓ ବିଧାନସଭା କାରବାରରେ ଓଡ଼ିଆ ଅଧିକନ୍ତୁ ଇଂରାଜୀ ସରକାରୀ ଭାଷା ଭାବେ ଚାଲିବ ବୋଲି ସେହି ସଂଶୋଧନରେ ବ୍ୟବସ୍ଥା ଖଞ୍ଜି ଆମକୁ ଇଂରାଜୀ ଭାଷାଧିପତ୍ୟ କବଳକୁ ଠେଲି ଦେଇଥିଲେ , ଯହିଁରୁ ମୁକ୍ତି ପାଇଁ ଆମ ସଂଘର୍ଷ କଳାପତାକା ଅଭିଯାନର ରୂପ ନେଇଛି । ଯେତେବେଳେ ବିଜୁବାବୁଙ୍କ ପରିସୃଷ୍ଟ ଧାରା ୩-କ ବିଲୋପ କରାଯାଇ ଭାଷା ଆଇନ ଉଲଙ୍ଘନକୁ ଦଣ୍ଡନୀୟ ଅପରାଧ ଭାବେ ଗ୍ରହଣ କରି ଆଇନ ସଂଶୋଧନ ପାଇଁ ୧୩. ୪. ୨୦୧୬ ତାରିଖରୁ ବିଶ୍ଵର ଅଦ୍ଵିତୀୟ କଳାପତାକା ଅଭିଯାନ ଚାଲିଛି , ସେତେବେଳେ ନବୀନ ବାବୁ ଏହି ଆଇନକୁ ଏ ବର୍ଷ ଦୁଇଥର ସଂଶୋଧନ କରି ଉପରୋକ୍ତ ଦୁଇଟିଯାକ ବ୍ୟବସ୍ଥାକୁ ଉଜାଡ଼ି ଦେଇଛନ୍ତି ।

ଏହି ଦୁଇଟି ସଂଶୋଧନ ଏହିପରି :

(୧) “ସରକାର, ସରକାରୀ ଭାଷାର ବ୍ୟାପକ ବ୍ୟବହାର ନିମନ୍ତେ ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ତଥା ସେଥିରେ ଖିଲାପ କରୁଥିବା ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ଦଣ୍ଡବିଧାନ କରିବା ସକାଶେ ନିୟମାବଳୀରେ ଉପଯୁକ୍ତ ବ୍ୟବସ୍ଥାମାନ ବିହିତ କରିପାରିବେ ।” (୧.୫.୨୦୧୮ ତାରିଖର ସଂଶୋଧନ ଦ୍ଵାରା ଖଞ୍ଜା ହୋଇଥିବା ଧାରା ୪-କ )

(୨) “ଧାରା ୪କରେ – (କ) “ଭାଷାର” ଶବ୍ଦ ବଦଳରେ “ଭାଷାରୂପେ ଓଡ଼ିଆର” ଶବ୍ଦଗୁଡ଼ିକ ପ୍ରତିସ୍ଥାପିତ ହେବ । (ଖ) ଦ୍ଵିତୀୟ ଥର ଥିବା “ବିଭାଗମାନଙ୍କୁ” ଶବ୍ଦ ପରେ ଓ “ଦଣ୍ଡବିଧାନ” ଶବ୍ଦ ପୂର୍ବରୁ “ବା ଉଭୟଙ୍କୁ” ଶବ୍ଦଗୁଡ଼ିକ ଅନ୍ତଃସ୍ଥାପିତ ହେବ ।” (୧୯.୯.୨୦୧୮ ତାରିଖରେ ଧାରା ୪-କ ଉପରେ ହୋଇଥିବା ସଂଶୋଧନ) ।

ଏହି ଉଭୟ ସଂଶୋଧନକୁ ମିଶାଇ ଧାରା ୪-କର ନୂଆ ରୂପ ହେଲା – ସରକାର, ସରକାରୀ ଭାଷାରୂପେ ଓଡ଼ିଆର ବ୍ୟାପକ ବ୍ୟବହାର ନିମନ୍ତେ ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ତଥା ସେଥିରେ ଖିଲାପ କରୁଥିବା ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ବା ଉଭୟଙ୍କୁ ଦଣ୍ଡବିଧାନ କରିବା ସକାଶେ ନିୟମାବଳୀରେ ଉପଯୁକ୍ତ ବ୍ୟବସ୍ଥାମାନ ବିହିତ କରିପାରିବେ ।”

ଅତଏବ , ୧.୫.୨୦୧୮ତାରିଖରେ ସୃଷ୍ଟି ହୋଇଥିବା ଅବୈଧ ଧାରା ଉପରେ ୧୯.୯.୨୦୧୮ ତାରିଖରେ ସଂଶୋଧନର ପ୍ରଲେପ ମାରି ଓଡିଶା ସରକାର ଓଡ଼ିଆ ଜାତିକୁ ଆଇନ ସଂଶୋଧନର ଏକ ପ୍ରହେଳିକା ପ୍ରଦର୍ଶନ କରିଛନ୍ତି ଯାହା ଆମ ଭାଷା ଅଧିକାରକୁ ଭୟଙ୍କର ଭାବେ କ୍ଷୁର୍ଣ୍ଣ କରିଛି । ମୂଳ ଆଇନରେ ଆମେ ଯେଉଁ ଅଧିକାର ପାଇଥିଲୁ ତହିଁରୁ ଆମକୁ ବଂଚିତ କରି ରଖି ଶେଷରେ ତହିଁରୁ ଉତ୍ଖାତ କରିବାର ଯେଉଁ କୌଶଳ ପ୍ରୟୋଗ କରିଛନ୍ତି ରାଜ୍ୟ ସରକାର , ତାହା କୌଣସି ଭାଷାପ୍ରେମୀ ଓଡ଼ିଆ ପାଇଁ କେବେ ବି ଗ୍ରହଣଯୋଗ୍ୟ ନୁହେଁ ।

ଏହି ଧାରା ୪-କ କାହିଁକି ଅବୈଧ ତାହା ମୁଁ ବିଧେୟକଟି ଗୃହରେ ରଖାହେବା ମାତ୍ରେ ଦର୍ଶାଇଥିଲି । ତାକୁ ମୁଦ୍ରିତ କରି ବିଧାୟକମାନଙ୍କୁ ବି ଦେଇଥିଲି ଓ ବ୍ୟକ୍ତିଗତ ଭାବେ ବୁଝାଇଥିଲି । ସେମାନଙ୍କ ଭିତରୁ ଜଣେ ବି କେହି ସେ କଥା ଉଠାଇଲେ ନାହିଁ । ବିଧେୟକଟିର ଉଦ୍ଦେଶ୍ୟ ଓ କାରଣ କଥନରେ ତାହା ରାଜ୍ୟ ମନ୍ତ୍ରିମଣ୍ଡଳର ୨୬.୧୨.୨୦୧୭ ତାରିଖର ପ୍ରସ୍ତାବ ଉପରେ ଆଧାରିତ ବୋଲି ଲେଖା ହୋଇଥିଲେ ବି କେହି ଜଣେ ବି ବିଧାୟକ , ଏପରି କି ବିରୋଧୀ ଦଳର କେହି ମଧ୍ୟ, ସେହି ପ୍ରସ୍ତାବଟି କଣ ତାହା ଜାଣିବାକୁ ଚାହିଁଲେନି । ରାଜ୍ୟପାଳଙ୍କୁ ୨୪.୫.୨୦୧୮ରେ ଦେଇଥିବା ସ୍ମାରକପତ୍ରରେ ସବିଶେଷ ବୁଝାଇ ଏହାକୁ ମଞ୍ଜୁରୀ ନଦେବାପାଇଁ ଅନୁରୋଧ କରିଥିଲି । ୨୩.୬.୨୦୧୮ ତାରିଖରେ ପ୍ରଶାସନ ଦ୍ଵାରା ପ୍ରଭାବିତ ହୋଇ ରାଜ୍ୟପାଳ ସେହି ଅବୈଧ ସଂଶୋଧନକୁ ମଞ୍ଜୁରୀ ଦେଇଦେଲେ । ମୁଁ ୨୯.୬.୨୦୧୮ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲି କି, ତାଙ୍କ ଅଧ୍ୟକ୍ଷତାରେ ୧୪.୦୩.୨୦୧୮ ତାରିଖରେ ଗୃହୀତ କ୍ୟାବିନେଟ ବୈଠକର ପ୍ରସ୍ତାବକୁ ଅନଧିକୃତ ଭାବେ କବର ଦେଇ ୨୬.୧୨.୨୦୧୭ ତାରିଖର ପରିତ୍ୟକ୍ତ ପ୍ରସ୍ତାବ ଉପରେ କେଉଁ ଅଧିକାରୀ ଧାରା ୪-କ ଠିଆ କରାଇଛନ୍ତି ତାହା ଠାବ କରି, ଓଡ଼ିଆ ଜାତି ବିରୁଦ୍ଧରେ କରାଯାଇଥିବା ଷଡ଼ଯନ୍ତ୍ର ହେତୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାଯାଉ ଓ ସେହି ଅବୈଧ ଧାରାକୁ ବିଲୁପ୍ତ କରାଯାଇ ନୂଆ ସଂଶୋଧନ ଦ୍ଵାରା ଭାଷା ଆଇନକୁ ନିର୍ଭୁଲ କରାଯାଉ ।

ତାହା ହେଲାନାହିଁ ; କାରଣ ମୁଁ ଏହି ଦାବି କଲା ବେଳକୁ ଭାଷା ଆନ୍ଦୋଳନର ଛାତିରେ ଛୁରୀ ଭୁଷିବାକୁ ସରକାର ଆମ ଭିତରୁ ତାଙ୍କ ସୁପାରୀ ଆତତାୟୀ ଯୋଗାଡ଼ କରିସାରିଥିଲେ ।