ସରିଯାଇଥିବା ବିଧାନସଭା ଓ ଆମ ଭାଷା (୧)

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଶାର ପଞ୍ଚଦଶ ବିଧାନସଭାର ଆୟୁଷ ସରିଯାଇଛି । ଆମ ଭାଷା ଇତିହାସରେ ଏହା ଏକ ସ୍ମରଣୀୟ ତଥା ଭର୍ତ୍ସନୀୟ ବିଧାନସଭା ହୋଇ ରହିବ । ଏହା ମୋ ପାଇଁ ସ୍ମରଣୀୟ ହୋଇ ରହିବ ଏଇଥିପାଇଁ ଯେ, ୧୯୫୪ରେ ପ୍ରଣୀତ ଓ ପ୍ରବର୍ତ୍ତିତ ହୋଇ ମଧ୍ୟ ଅକାମି ହୋଇ ପଡ଼ିରହିଥିବା ଓଡ଼ିଶା ସରକାରୀ ଭାଷା ଆଇନଟିକୁ କାର୍ଯ୍ୟକ୍ଷମ କରିବାକୁ ୩ .୯.୨୦୧୫ରେ ମୁଁ ଯେଉଁ ପ୍ରସ୍ତାବ ଦେଇଥିଲି ତାହା ହିଁ ଏହି ବିଧାନସଭା ଦ୍ଵାରା ୨୮ .୯.୨୦୧୬ ତାରିଖରେ ଆଇନରେ ପରିଣତ ହୋଇଥିଲା ଏବଂ ଭାଷା ଆଇନରେ ଥିବା ଯେଉଁ ଆଜନ୍ମ ତ୍ରୁଟିକୁ କେହି ଜାଣି ପାରିନଥିଲେ ସେ ପର୍ଯ୍ୟନ୍ତ, ତାହା ସୁଧୁରିଯାଇ ତହିଁର ନିଯମାବଳୀ ପ୍ରଣୟନ ପାଇଁ ସରକାର ସକ୍ଷମ ହୋଇଥିଲେ । ଓଡ଼ିଶା ସରକାରୀ ଭାଷା ଆଇନରେ ଯୋଡ଼ି ହୋଇଯାଇଥିଲା ଏକ ନୂଆ ଧାରା – ଧାରା ୫; ଯାହାର ସ୍ୱରୂପ ଥିଲା : “ଏହି ଅଧିନିୟମର ଉଦ୍ଦେଶ୍ୟଗୁଡ଼ିକୁ କାର୍ଯ୍ୟକାରୀ କରିବା ସକାଶେ ରାଜ୍ୟ ସରକାର ନିଯମାବଳୀ ପ୍ରଣୟନ କରିପାରିବେ ।“

“ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ବିଧେୟକ ୨୦୧୬” ନାମରେ ନାମିତ ଏହି ବିଧେୟକ ଥିଲା ୨୧ .୫. ୨୦୧୬ ତାରିଖରେ ରାଜ୍ୟ ସରକାର ଜାରିକରିଥିବା ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ଅଧ୍ୟାଦେଶ ,୨୦୧୬ର ବିଧିରୂପ । ସୁତରାଂ ଏହା ମୋର ବ୍ୟକ୍ତିଗତ ଓ ଭାଷା ଆଂଦୋଳନର ସାମୁହିକ ବିଜୟ ଥିଲା ।

ଏହି ଅନନ୍ୟ ଉପଲବ୍ଧିର ଉତ୍ସବ ପାଳନ ବେଳେ, ସେତେବେଳେ ଆମର ମୁଖ୍ୟ ଗଣମାଧ୍ୟମୀୟ ସହଯୋଗୀ ଥିବା ସମ୍ବାଦ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାଷା ଆନ୍ଦୋଳନକାରୀମାନଙ୍କୁ କହିଥିଲେ,

“ସର୍ବ ପ୍ରଥମେ ସମସ୍ତେ ଜାଣିବା ଦରକାର ଯେ, ଏହି ଆନ୍ଦୋଳନ ଯଦି ମୁଣ୍ଡ ଟେକି ଉଠି ପାରିଲା ଓ ଏତେ ବାଟ ଆଗେଇ ପାରିଛି, ତାର ଶ୍ରେୟ ଆପଣମାନଙ୍କ ପାଖକୁ ତ ଯିବ ହିଁ ଯିବ , କିନ୍ତୁ ସର୍ବାଗ୍ରେ ଯିବ ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କୁ । ତାର କାରଣ ହେଲା, ତାଙ୍କରି ହେତୁ ହିଁ ଉତ୍ସବ ମନାଇବାର ସୁଯୋଗ ଆମକୁ ମିଳିଛି । ୧୯୫୪ର ଗୋଟିଏ ଆଇନକୁ କାହିଁକି ୨୦୧୬ ମେ ୨୧ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେଲା ସାମାନ୍ୟ ଗୋଟିଏ ସଂଶୋଧନ ପାଇଁ? ଆମେ ଯେଉଁମାନେ ଓଡ଼ିଶା ସମ୍ପର୍କରେ ଆଲୋଚନା କରୁ, ମୋ ମନକୁ ଏ ପର୍ଯ୍ୟନ୍ତ ଏହି ପ୍ରଶ୍ନ ଆନ୍ଦୋଳିତ କରୁଛି – ୧୯୫୪ ମସିହାରେ ତ ଆଇନଟି ହୋଇଥିଲା , ଓଡିଶାରେ ଏତେ ବୁଦ୍ଧିଜୀବୀ ଥିଲେ, ଏତେ ବିଜ୍ଞଲୋକ ଥିଲେ, ଏତେ ମୁଖ୍ୟମନ୍ତ୍ରୀ ଗଲେଣି, କେହି କଣ ଜାଣିପାରିଲେ ନାହିଁ ଯେ, ଏହି ଆଇନଟି ସଂଶୋଧନ ନ କଲା ପର୍ଯ୍ୟନ୍ତ ଏହା ଦ୍ଵାରା ସରକାରୀ ଭାଷା ବ୍ୟବହାର ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ? ଏ ପ୍ରଶ୍ନର ଉତ୍ତର ପାଇଁ ଆଜି ମୁଁ ଯଦି ଟିକେ ଚିନ୍ତା କରୁଛି, ତାର କାରଣ ହେଲେ ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକ । ସେ ସମସ୍ତ ବିଷୟକୁ ଗବେଷଣା କରି ଆମ ଆଖି ଖୋଲିଦେଇଛନ୍ତି । ସେ ଦେଖେଇ ଦେଇଛନ୍ତି – କେଉଁଠାରେ, କେଉଁ ନିର୍ଦ୍ଦିଷ୍ଟ ବିନ୍ଦୁରେ ଆଘାତ ଦେଲେ କଥାଟି ପରିସ୍କାର ହେବ ଏବଂ ତାର ସଂସ୍କାର ପାଇଁ ବାଟ ଫିଟିବ ।“

‘ଭାଷା ପାଇଁ ଗଣ ଓ ଗଣମାଧ୍ୟମ’ ଶୀର୍ଷକ ଭାଷା ଆଂଦୋଳନର ସ୍ମରଣିକା, ଯାହାକୁ ସୌମ୍ୟବାବୁ ୩୦.୧୧.୨୦୧୬ ତାରିଖରେ ଲୋକାର୍ପିତ କରିଥିଲେ, ତହିଁରେ ଏହି ଭାଷଣଟି ସମଗ୍ରତଃ ପ୍ରକାଶିତ ହୋଇଛି । ଏହା ମଧ୍ୟ ସାଉଣ୍ଡକ୍ଲାଉଡ୍ ଡଟ୍ କମ୍ ମାଧ୍ୟମରେ https://soundcloud.com/orissamatters/sambad-editor-soumya-ranjan-patnaik-on-bhasa-andolan ସରଣିରେ ଉପଲଭ୍ୟ ।

ମୋ ପ୍ରସ୍ତାବଟି ଏହିପରିଭାବେ ଯେତେବେଳେ ଏହି ବିଧାନସଭାରେ ଆଇନରେ ରୂପାନ୍ତରିତ ହୋଇଛି ଏହା ମୋ ପାଇଁ ବ୍ୟକ୍ତିଗତ ସ୍ତରରେ ସ୍ମରଣୀୟ ହୋଇ ରହିବା ସ୍ଵାଭାବିକ । ମାତ୍ର ଏହାକୁ ଏକ ଭର୍ତ୍ସନୀୟ ବିଧାନସଭା ବୋଲି ମଧ୍ୟ ମୁଁ କହିବି । କାରଣ ଏହି ଯେଉଁ ବିଧାନସଭାର ଆୟୁଷ ସରିଗଲା, ତାହା ଆମ ରାଜ୍ୟ ପ୍ରତିଷ୍ଠାର ଉଦ୍ଦେଶ୍ୟ ସଫଳ କରିବାକୁ ସବୁ ସୁଯୋଗ ଥିଲେ ମଧ୍ୟ, ସେଥିପାଇଁ ଉଦ୍ୟମ ନ କରି ଓଡ଼ିଶା ସରକାରୀ ଭାଷା ଆଇନରେ ୪ ଓ ୪କ ନାମକ ଏପରି ଦୁଇଟି ଧାରା ଯୋଡ଼ିଦେଲା ଯେ, ସେଗୁଡ଼ିକୁ ବିଲୋପ କରା ନ ଗଲେ ଓଡ଼ିଶା ପ୍ରଦେଶ ସୃଷ୍ଟିର ଉଦ୍ଦେଶ୍ୟ ପଣ୍ଡ ହୋଇଯିବ ।

ଆମ ରାଜ୍ୟର ସୃଷ୍ଟି ମୂଳରେ ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ତା୨୯.୮.୨୦୦୯ରିଖରେ ସ୍କ୍ରାଇବ୍ଦ॰କମରେ ଥିବା ମୋ ଲିଖିତ ‘ଓଡ଼ିଶା ପ୍ରଦେଶ ସୃଷ୍ଟିରେ ଗଣମାଧ୍ୟମ’ ପୁସ୍ତକରେ ଏହା ପ୍ରତିପାଦିତ । ପରେ ୨୯.୧୨.୨୦୧୫ରେ ଏହାର ମୁଦ୍ରିତ ସଂସ୍କରଣ ଯେତେବେଳେ ପ୍ରକାଶ ପାଇଲା, ଏହା ଉପରେ ଏକ ପ୍ରାକ୍ ସମୀକ୍ଷା ରଖିବାକୁ ପ୍ରକାଶକଙ୍କ ଦ୍ଵାରା ନିବେଦିତ ହୋଇ ଓଡ଼ିଆ ଜାତିର ଅନ୍ୟତମ ଶ୍ରେଷ୍ଠ ଜାତୀୟତାବାଦୀ କବି ଉମାକାନ୍ତ ରାଉତ (କବି ଅରୂପ) ସାମ୍ବାଦିକତାକୁ ଉଚ୍ଚାଙ୍ଗ ସାହିତ୍ୟର ସ୍ଵୀକୃତି ପ୍ରଦାନ କରାଇଥିବା ସେ ବର୍ଷର ନୋବେଲ ବିଜୟିନୀ ଶ୍ଵେତଲାନା ଆଲେକଜାନ୍ଦ୍ରୋଭାନା ଅଲେକ୍ସିଏଭିଚଙ୍କଏଙ୍କ ଉକ୍ତି ଉଦ୍ଧୃତ୍ତ କରିଥିଲେ, ଯାହା ତାଙ୍କ ଅନୁବାଦ ଅନୁସାରେ “ମୁଁ ଏକ ସୁଧାର ପଞ୍ଜିକାର ନୁହେଁ ; ମୋ ହୃଦୟ ସବୁବେଳେ ଥାଏ ସେହିମାନଙ୍କ ପାଖରେ (ଯାହାଙ୍କ ପାଇଁ ମୁଁ ଲେଖେ )। ମୁଁ କେବଳ ଇତିହାସର ଶୁଷ୍କ ତଥ୍ୟ ସଂଗ୍ରହ କରେନାହିଁ ; ସଂଗ୍ରହ କରେ ମଣିଷର ଅନୁଭବ ଓ ଆବେଗ ଏବଂ ତାକୁ ନେଇ ଲେଖେ ସତ୍ୟସିଦ୍ଧ ଅବେଗିକ ଇତିହାସ ।”

ଏହି ଉଦ୍ଧୃତ୍ତି ଉପସ୍ଥାପିତ କରି ସେ ଲେଖିଛନ୍ତି,

“ମୋ ଦୃଷ୍ଟିରେ ଏ ଉକ୍ତିଟି ମଧ୍ୟ ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ପାଇଁ ପ୍ରଯୁଜ୍ୟ । ଶ୍ଵେତଲାନାଙ୍କ ଭଳି, କେବଳ ତଥ୍ୟ ପରିବେଷଣର ମାମୁଲି ମାଧ୍ୟମ ନୁହେଁ, ତଥ୍ୟ ଓ ତତ୍ ସମ୍ବଳିତ ଆବେଗିକ ଇତିହାସକୁ ନାନ୍ଦନିକତାର ନିଭେଜାଲ ଦସ୍ତାବିଜରେ ପରିଣତ କରି ସେ ଜନଗଣଙ୍କୁ ଆଗକୁ ବଢ଼ିବାର ନିରନ୍ତର ପ୍ରଚେଷ୍ଟାରେ ଥାନ୍ତି ।

ଓଡ଼ିଆମାନଙ୍କର ଭୌଗୋଳିକ ସମ୍ପତ୍ତି ଓ ଐତିହ୍ୟ ଲୁଟ ସମ୍ପର୍କିତ ଅନଲୋଚିତ ତଥ୍ୟଦ୍ୱାରା ଋଦ୍ଧିମନ୍ତ ତାଙ୍କର ଏହି ସଙ୍କଳନ ପ୍ରତିଟି ଓଡ଼ିଆର ଆଖି ଖୋଲିଦେବା ପାଇଁ ସମର୍ଥ ନିଷ୍ଠାପର ପ୍ରଯତ୍ନ । ପ୍ରମାଣସିଦ୍ଧ ତଥ୍ୟ ସମ୍ବଳିତ ଏହି ଗବେଷଣାତ୍ମକ ନିବନ୍ଧର ପ୍ରତିଟି ବାକ୍ୟ, ପ୍ରତିଟି ଶବ୍ଦର ଉଲ୍ଲାସ ଓଡ଼ିଆ ଜାତିର ପ୍ରାଣଶକ୍ତିକୁ ଉଜ୍ଜୀବିତ କରିବାକୁ ସକ୍ଷମ ।”

ସମସ୍ତଙ୍କ ପାଇଁ ସୁଲଭ୍ୟ ସ୍କ୍ରାଇବ୍ଦ॰କମରେ ଥିବା ଏହାର ପ୍ରଥମ କୋମଳ ସଂସ୍କରଣ https://www.scribd.com/doc/19216578/Role-of-Mass-Media-in-Creation-of-Orissa ସରଣୀରେ ମଧ୍ୟ ଉପଲଭ୍ୟ ।

ଏହି ନିବନ୍ଧରେ ବର୍ଣୀତ ପଟ୍ଟଭୂମିରେ ଯେହେତୁ ଓଡ଼ିଶା ପ୍ରଦେଶ ଗଠିତ ହୋଇଛି , ସେହେତୁ ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଶାରେ ପ୍ରଥମ ଉତ୍କଳ ଦିବସ ପାଳନ ଅବସରରେ, ୧.୪.୧୦୪୮ ତାରିଖରେ ଭାଷାଜାତୀୟତାର ପାବନପୀଠ ସମ୍ବଲପୁର ନିବାସୀ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ତଦାନୀନ୍ତନ ଓଡ଼ିଶା ବିଧାନସଭାରେ ଏକ ସଂକଲ୍ପ ଆଗତ କରି ଓଡ଼ିଆ ଭାଷାକୁ ସରକାରୀ ଭାଷା କରିବା ପାଇଁ ଆଇନ ପ୍ରଣୟନ ସକାଶେ ଦାବି ରଖିଥିଲେ । ଏହି ପ୍ରଥମ ଉଦ୍ୟମ ଅତ୍ୟନ୍ତ ଅନ୍ତର୍ଘାତୀ ପରିସ୍ଥିତିରେ ବ୍ୟର୍ଥ ହୋଇଯିବାର ଦୁଖଦ ଦୃଶ୍ୟପଟକୁ ମୁଁ ବିଭିନ୍ନ ସ୍ଥଳରେ ଆଲୋଚନା କରିଛି । ଏଠାରେ ମଧ୍ୟ

ପଣ୍ଡିତ ମିଶ୍ରଙ୍କ ଆବେଗକୁ ଆଖିରେ ରଖି ମନୀଷୀ ନବକୃଷ୍ଣ ଚୌଧୁରୀ ପ୍ରଥମ ସାମ୍ବିଧାନିକ ବିଧାନସଭାରେ ହିଁ ୧୯୫୪ରେ ଉପସ୍ଥାପିତ କରିଥିଲେ ଓଡ଼ିଶା ସରକାରୀ ଭାଷା ବିଧେୟକ, ଯାହା ସର୍ବସମ୍ମତିକ୍ରମେ ଗୃହୀତ ହୋଇ ଆଇନରେ ପରିଣତ ହୋଇଥିଲା ଓ ଆମ ସମଗ୍ର ରାଜ୍ୟ ପାଇଁ ତତ୍କାଳ ଲାଗୁହୋଇଥିଲା । ଏହି ଆଇନ ସାରା ଓଡ଼ିଶାରେ ସମସ୍ତ ଓ ଯେକୌଣସି କାମରେ ଓଡ଼ିଆ ହିଁ ହେବ ସରକାରୀ ଭାଷା ବୋଲି ଜାରି କରିଥିଲା । ଅଥଚ ଏହି ଗତାୟୁ ବିଧାନସଭା ଏହି ଆଇନର ଶିରଛେଦ କରିଛି ଏବଂ ଏପରି ବ୍ୟବସ୍ଥା କରିଛି ଯେ, ଯେଉଁ କର୍ମଚାରୀ/ପଦଧିକାରୀମାନେ ସମ୍ପୂର୍ଣତଃ ଓଡ଼ିଆରେ କାମ ନକରିବେ ସେମାନେ ସରକାରଙ୍କ ଦ୍ଵାରା ପୁରସ୍କୃତ ହେବେ ।

ଅବୈଧ ବିଧାନ

ଏହି ଅବୈଧ ବିଧାନ ପ୍ରଣଯନ କରିବାକୁ ମୁଖ୍ୟମନ୍ତ୍ରୀ ଏକ କ୍ୟାବିନେଟ ସ୍କାମ ଘଟାଇଥିବାର ତଥ୍ୟ ମୁଁ ପ୍ରଘଟ କରିଥିଲେ ମଧ୍ୟ ଏବଂ ବହୁ ବିଧାୟକଙ୍କୁ ବ୍ୟକ୍ତିଗତ ଭାବେ ଭେଟି ତାହା ଅବଗତ କରାଇଥିଲେ ମଧ୍ୟ ଏହି ଗତାୟୁ ବିଧାନସଭାର କେହି ଜଣେ ହେଲେ ସଭ୍ୟ ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ବିଧେୟକ, ୨୦୧୮ ପାରିତ ହେବା ବେଳେ ତହିଁର ବିରୋଧ ନ କରିବାରୁ ଅଣଓଡ଼ିଆ ଅଧ୍ୟୁଷିତ ଅମଲାଗୋଷ୍ଠୀର ଚକ୍ରାନ୍ତ ସଫଳ ହୋଇଛି ଓ ଆମ ଭାଷାଜନନୀ ଘୋର ବିପଦାପନ୍ନ ଅବସ୍ଥାରେ ପଡିଛି ।

ମୁଁ ପ୍ରଥମେ ୪କ ଧାରାର ବିପଜ୍ଜନକତା ଓ କେଉଁ ଅପରାଧିକ ସରକାରୀ ଆଚରଣ ସହ ସହଯୋଗ କରି ଓଡ଼ିଶା ବିଧାନସଭା ଏହି ବିପଜ୍ଜନକ ଧାରାକୁ ବିଧିକୃତ କଲା , ତହିଁର ବିବରଣୀ ରଖିବି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିଧେୟକ ଆଗତ କରିବା ପାଇଁ ବିଧାନସଭାକୁ ଅବଗତ କରାଇଥିଲେ ମଧ୍ୟ ଏହାକୁ ତାଙ୍କ ତରଫରୁ ୧.୫.୨୦୧୮ ତାରିଖରେ ଆଗତ କରିଥିଲେ ସଂସଦୀୟ ବ୍ୟାପାର ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ସେ କହିଥିଲେ:

“ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରୁଥିବା କର୍ମଚାରୀ ଏବଂ ବିଭାଗକୁ ପ୍ରୋତ୍ସାହିତ କରିବା ଏବଂ ଓଡ଼ିଆ ଭାଷା ବ୍ୟବହାରରେ ଖିଲାପକାରୀ କର୍ମଚାରୀ ଏବଂ ବିଭାଗକୁ ଦଣ୍ଡିତ କରିବା ଉଦ୍ଦେଶ୍ୟରେ ଆମ ରାଜ୍ୟ କ୍ୟାବିନେଟ ତାଙ୍କର ୨୬.୧୨.୨୦୧୭ ତାରିଖ ଦିନ ଅନୁଷ୍ଠିତ ୫୧ତମ ବୈଠକରେ ଓଡ଼ିଶା ସରକାରୀ ଭାଷା ଅଧିନିୟମ, ୧୯୫୪ରେ ଆବଶ୍ୟକୀୟ ସଂଶୋଧନ ଆଣିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ । ତଦନୁଯାୟୀ ଏହି ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ବିଧେୟକ , ୨୦୧୮ ଅଣାଯାଇଛି ।“

ସେଦିନ ବିଧାନସଭାରେ ଉପସ୍ଥିତ ସମସ୍ତ ମନ୍ତ୍ରୀ ଓ ବିଧାୟକ ଜାଣିଥିଲେ ଯେ, ଆରୁଖ ମିଛ କହିଛନ୍ତି । କାରଣ ସେମାନେ ସମସ୍ତେ ଜାଣିଥିଲେ ଯେ, ସଂଶୋଧନ ବିଧେୟକଟି ୨୬.୧୨.୨୦୧୭ ତାରିଖର କ୍ୟାବିନେଟ ନିଷ୍ପତ୍ତି ଉପରେ ନ ଆସି ୧୪.୩.୨୦୧୮ ତାରିଖର କ୍ୟାବିନେଟ ବୈଠକର ନିଷ୍ପତ୍ତି ଅନୁଯାୟୀ ଆସିବାର ଥିଲା । ଅଥଚ ଆରୁଖଙ୍କ ମିଛ ବୟାନ ପାଇଁ କୌଣସି ଜଣେ ବି ମନ୍ତ୍ରୀ ଓ/ବା ବିଧାୟକ ତାଙ୍କୁ ବା ସେ ପ୍ରତିନିଧିତ୍ଵ କରୁଥିବା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିନଥିଲେ; କି ବିଧାନସଭାକୁ ମିଛକଥା କହି ଆଇନ ସଂଶୋଧନ ପାଇଁ ଗୋଟି ଚଳାଯାଇଥିବା ହେତୁ ବିଧେୟକଟିକୁ ପ୍ରତ୍ୟାଖ୍ୟାନ କରିନଥିଲେ । ବିଧାନସଭାରେ ଏହି ଅବୈଧ ବିଧେୟକ ବିନା ବାଧାରେ ପାରିତ ହୋଇଯାଇଥିଲା ।

କ୍ୟାବିନେଟ ସ୍କାମ

ଏହି ବିଧେୟକ ପାଇଁ କ୍ୟାବିନେଟ ସ୍କାମ୍ ପରି ଏକ ନାହିଁନଥିବା ଅପରାଧ ଯେ ଘଟାଯାଇପାରେ ତାହା କଳ୍ପନାତୀତ, କିନ୍ତୁ ସତ୍ୟ । ପ୍ରକୃତରେ କଣ ଏହି ସ୍କାମ୍?

ମୋ ପ୍ରଦତ୍ତ ପ୍ରସ୍ତାବ ଅନୁସାରେ ଭାଷା ଆଇନକୁ ଆଗକୁ ନେବା ସକାଶେ ନିୟମାବଳୀ ପ୍ରଣୟନ ପାଇଁ କ୍ଷମତା ହାସଲ କରିବାକୁ ୨୧.୫.୨୦୧୬ ତାରିଖରେ ଅଧ୍ୟାଦେଶ ବଳରେ ଓଡ଼ିଶା ସରକାରୀ ଭାଷା ଆଇନରେ ସରକାର ଧାରା ୫ ଯୋଗ କରିଥିଲେ ମଧ୍ୟ, ୧୨.୮.୨୦୧୬ ତାରିଖରେ ଯେଉଁ ନିଯମାବଳୀ ପ୍ରଣୟନ କଲେ ତାହା ଥିଲା ଓଡ଼ିଆ ଭାଷା ଅସ୍ମିତା ଉପରେ ଏକ ପ୍ରଚଣ୍ଡ ପଦାଘାତ । ୩.୯.୨୦୧୫ରେ ମୁଁ ଦେଇଥିବା ନିଯମାବଳୀର ନାମଗନ୍ଧ ବି ଏଥିରେ ନଥିଲା, ଯଦିଓ ସେହି ନିଯମାବଳୀ ସପକ୍ଷରେ ଭାଷା ଆନ୍ଦୋଳନ ଚାଲିଥିଲା । ଫଳରେ ଉପରୋକ୍ତ ଅଧ୍ୟାଦେଶ ପରେ ସ୍ଥଗିତ ଥିବା କଳା ପତାକା ଅଭିଯାନର ପୁନରାରମ୍ଭ ହୋଇଥିଲା ୧୬.୮.୨୦୧୬ ତାରିଖରୁ ।

ଏହି ପ୍ରେକ୍ଷପଟରେ , ମୁଖ୍ୟମନ୍ତ୍ରୀ ଆମ ଭାଷାର ବିରୋଧୀ ବୋଲି ଅନୁଭବ କରି ତାଙ୍କ ଦଳରେ ମଧ୍ୟ ଅସନ୍ତୋଷ ପ୍ରଖର ହୋଇ ଉଠିଥିଲା । ତେଣୁ,, ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏକ ନୂଆ ଚାଲ୍ ଖେଳିଥିଲେ । ତାଙ୍କ ଦଳର କର୍ମୀମାନଙ୍କୁ ଏବଂ ସେମାନଙ୍କ ମାଧ୍ୟମରେ ସାରା ଓଡ଼ିଶାକୁ ଏହି ବାର୍ତ୍ତା ଦେବାକୁ ଯେ, ସେ ଓଡ଼ିଆ ବିରୋଧୀ ନୁହନ୍ତି, ନବୀନବାବୁ ତାଙ୍କ ଦଳର ବିଂଶତିତମ ଜନ୍ମବାର୍ଷିକୀ ପାଇଁ ପୁରୀରେ ଏକ ବିଶାଳ ସମାବେଶ କରାଇ, ସେହିଠାରେ ମନ୍ତ୍ରୀମଣ୍ଡଳର ବୈଠକ ବସାଇ ଓଡ଼ିଆ ଭାଷାକୈନ୍ଦ୍ରିକ ୨୦ଟି ପ୍ରସ୍ତାବ ଗ୍ରହଣ କରିଥିଲେ । ମନ୍ତ୍ରୀସ୍ତରୀୟ କମିଟିରେ ମୁଁ ଦେଇଥିବା ପ୍ରସ୍ତାବ ଛାୟାରେ ଭାଷା ଆଇନ ଖିଲାପକାରୀକୁ ଦଣ୍ଡବିଧାନ ପାଇଁ ଭାଷା ଆଇନ ସଂଶୋଧନ ହେବ ବୋଲି ଏକ ପ୍ରସ୍ତାବ (ପ୍ରସ୍ତାବ ନମ୍ବର ୩) ତହିଁର ଅନ୍ତର୍ଗତ ଥିଲା । ମୁଁ ତହିଁର ଦୁରଭିସନ୍ଧି ଉପରେ ତତ୍କାଳ ଆଲୋକପାତ କରିଥିଲି bhashandolan॰comରେ ଏବଂ ତହିଁ ଉପରେ ସବିଶେଷ ବ୍ୟାଖ୍ୟା ରଖିଥିଲି ବିଶ୍ଵବ୍ୟାପୀ ଓଡ଼ିଆମାନଙ୍କ ସମ୍ମୁଖରେ orissamatters॰comରେ, ଯଥାକ୍ରମେ http://bhashaandolan.com/cabinet-resolution-too-tricky-to-be-noted-as-honest/https://orissamatters.com/2017/12/27/bhasha-andolan-refuses-to-be-hoodwinked-by-the-state-cabinet/ ସରଣୀରେ । ଭାଷା ଆଂଦୋଳନର ସବୁ ସାଥୀ ମୋ ସହ ଦୃଢ଼ ଭାବେ ଠିଆ ହୋଇ ସରକାରଙ୍କ ଧୂର୍ତ୍ତତାକୁ ପଦାରେ ପକାଇ ଦେବା ପରେ ଓ କଳା ପତାକା ଅଭିଯାନ ଚାଲିରହିବା ଫଳରେ ମନ୍ତ୍ରୀମଣ୍ଡଳର ବହୁ ସଭ୍ୟ ୨୬ .୧୨॰ ୨୦୧୭ ତାରିଖର କ୍ୟାବିନେଟ ପ୍ରସ୍ତାବକୁ ବିଲୋପ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉପରେ ଚାପ ପକାଇଲେ । ଫଳରେ ୧୪ .୩. ୨୦୧୮ ତାରିଖରେ ମନ୍ତ୍ରୀମଣ୍ଡଳ ପୁନଶ୍ଚ ବସି ନୂଆ ପ୍ରସ୍ତାବ ଗ୍ରହଣ କରିଥିଲା । ଯଥା –

“୧. ଓଡ଼ିଆ ଭାଷା କମିଟି ଦ୍ଵାରା ସମୀକ୍ଷା ସମୟରେ ଅନେକ ସରକାରୀ କର୍ମଚାରୀ /ଅଧିକାରୀ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ପ୍ରୟୋଗ କରୁନଥିବା କିମ୍ବା ଠିକ ଭାବରେ କରୁନଥିବା ସରକାରଙ୍କ ଦୃଷ୍ଟିଗୋଚର ହୋଇଅଛି ।
୨॰ ଓଡ଼ିଶା ସରକାରୀ ଭାଷା ଆଇନ, ୧୯୫୪ ଯଦିଓ ୧୯୫୪ ମସିହା ଠାରୁ ଲାଗୁ ହୋଇଅଛି ଏବଂ ଏହାର ଧାରା ୨ ଉପଧାରା (୨) ଅନୁସାରେ ୧୯୮୫ ମସିହାରେ ବିଜ୍ଞାପନ ଦ୍ଵାରା ସରକାରୀ କାର୍ଯ୍ୟ ଓଡ଼ିଆରେ କରିବା ପାଇଁ ନିୟମ କରାଯାଇଅଛି, ଯେହେତୁ ଏଥିରେ ଦଣ୍ଡବିଧାନର କୌଣସି ବ୍ୟବସ୍ଥା ନାହିଁ , ଅନେକ ଅଧିକାରୀ ଏହାକୁ ସୂଚାରୁ ରୂପେ ପାଳନ କରୁନଥିବା ସରକାରଙ୍କ ଦୃଷ୍ଟିଗୋଚର ହୋଇଅଛି ।
“୩॰ ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରୀ ଭାଷା ଆଇନ,୧୯୫୪ର ଧାରା ୨ ଉପଧାରା (୨) ଅନୁଯାୟୀ ବିଜ୍ଞପ୍ତି କରାଯାଇଥିବା ନିୟମ ଯେଉଁ ଅଧିକାରୀ / କର୍ମଚାରୀମାନେ ପାଳନ କରିବେ ନାହିଁ, ସେମାନଙ୍କ ପାଇଁ ଦଣ୍ଡବିଧାନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।
୪॰ ସେହିପରି ଯେଉଁ ଅଧିକାରୀ / କର୍ମଚାରୀମାନେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ସଠିକ ପ୍ରୟୋଗ କରିବେ ସେମାନଙ୍କୁ ପୁରସ୍କୃତ କରିବା ପାଇଁ ସରକାର ସ୍ଥିର କରିଛନ୍ତି ।“

ଏହି ହେତୁ ଆମ ବିଚାରରେ ୧୪.୩.୨୦୧୮ ତାରିଖର କ୍ୟାବିନେଟ ଆମ ଭାଷା ଆଇନ ବିରୁଦ୍ଧରେ ୨୬.୧୨.୨୦୧୭ ତାରିଖର କ୍ୟାବିନେଟ କରିଥିବା ଭୁଲ ସୁଧାରି ଦେଇଥିଲା ଓ ଆମ ପାଇଁ ଗ୍ରହଣଯୋଗ୍ୟ ହୋଇଥିଲା । ଏହା ବୁଝିବାକୁ ହେଲେ, ୨୬.୧୨.୨୦୧୭ ତାରିଖର କ୍ୟାବିନେଟ ପ୍ରସ୍ତାବଟି କଣ ଥିଲା ତାହା ଦେଖାଯାଉ । ତାହା ଥିଲା ଏହିପରି :

“୩॰ ସରକାରୀ ଭାଷା ଆଇନ ୧୯୫୪ରେ ସଂଶୋଧନ ଅଣାଯାଇ ବିହିତ ଦଣ୍ଡବିଧାନ ବ୍ୟବସ୍ଥା ସହିତ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରୁଥିବା ବିଭାଗ ତଥା କର୍ମଚାରୀଙ୍କୁ ପ୍ରୋତ୍ସାହିତ କରାଯିବ । ଏଥିପାଇଁ ବିଭାଗଗୁଡ଼ିକ ନିର୍ଦ୍ଦିଷ୍ଟ ମାନଦଣ୍ଡ ଓ କ୍ଷେତ୍ର ନିର୍ଦ୍ଧାରଣ କରିବେ ।”

ଅତଏବ, ସାରା ଓଡ଼ିଶା ପରିବର୍ତ୍ତେ, ବିଭାଗମାନେ ନିର୍ଦ୍ଦାରଣ କରିବାକୁ ଥିବା କ୍ଷେତ୍ରରେ ଭାଷା ଆଇନର କାର୍ଯ୍ୟକାରୀତା ସୀମିତ ରହିବ ଓ ଆମ ଭାଷାର ମାନଦଣ୍ଡ କଣ ହେବ / ରହିବ ତାହା ଆମ ଜାତି ବା ଆମ ଜାତିର ଆଇନ ପ୍ରଣେତାମାନଙ୍କ ପରିବର୍ତ୍ତେ କର୍ମଚାରୀ କାମ କରୁଥିବା ବିଭାଗ ଧାର୍ଯ୍ୟ କରିବେ ଏବଂ ଯେଉଁ କର୍ମଚାରୀ ଓ ବିଭାଗମାନେ ଆମ ଭାଷାର ବହୁଳ ବ୍ୟବହାର କରିବେ ସେମାନଙ୍କୁ ପ୍ରୋତ୍ସାହିତ କରାଯିବ , ଅର୍ଥାତ୍ ଯେଉଁମାନେ ସରକାରୀ କାମରେ ଆମ ଭାଷାର ସମ୍ପୂର୍ଣ ବ୍ୟବହାର ନ କରିବେ, ସେମାନଙ୍କୁ ପ୍ରୋତ୍ସାହିତ କରାଯିବ ବୋଲି ୨୬.୧୨.୨୦୧୭ ତାରିଖର କ୍ୟାବିନେଟ ପ୍ରସ୍ତାବ କରିଥିଲା । ଏହାଠୁ ବଳି ଅବିମୃଷ୍ୟକାରୀତା କଣ ଆଉ ଥାଇପାରେ? ସ୍ଵାଭାବିକ ଭାବେ ଆମେ ତାକୁ ବିରୋଧ କରିଥିଲୁ ।

ଏହା ମୁଁ ମୋ ନିଜ ନଭନିବାସ ସମେତ ଓଡ଼ିଶାର ଏକାଧିକ ସମ୍ବାଦପତ୍ରରେ ଅଲୋଚନା କଲା ପରେ ଏହି ଅବିମୃଷ୍ୟକାରୀତାର ପରିସମାପ୍ତି ଘଟାଇ ଥିଲା ୧୪.୩.୨୦୧୮ ତାରିଖର କ୍ୟାବିନେଟ ।

ପ୍ରଥମତଃ ଏହା ମୋ ପ୍ରଦତ୍ତ ଉଦ୍ଦେଶ୍ୟିକାକୁ ସମ୍ପୂର୍ଣତଃ ଗ୍ରହଣ କରି “ଯେହେତୁ ଏଥିରେ ଦଣ୍ଡବିଧାନର କୌଣସି ବ୍ୟବସ୍ଥା ନାହିଁ , ଅନେକ ଅଧିକାରୀ ଏହାକୁ ସୂଚାରୁ ରୂପେ ପାଳନ କରୁନଥିବା” ସ୍ଵୀକାର କରିଥିଲା ଓ ସେହେତୁ ସଂଶୋଧନ-ବିଧେୟକର ‘ଉଦ୍ଦେଶ୍ୟ ଓ କାରଣ କଥନ’ କଣ ହେବ ତାହା ଏକପ୍ରକାର ନିର୍ଦ୍ଧାରିତ କରିଦେଇଥିଲା । ଦ୍ଵିତୀୟତଃ ୧୮୮୫ର “ବିଜ୍ଞାପନ” (Notification ବା ଅଧିସୂଚନା)ର ସମ୍ପୁର୍ଣ କାର୍ଯ୍ୟକାରୀତାକୁ କେନ୍ଦ୍ରୀୟ କାରଣ କରି ବିଭାଗଗୁଡ଼ିକର ନିର୍ଦ୍ଧାରଣୀୟ “କ୍ଷେତ୍ର” ପରିବର୍ତ୍ତେ ସମଗ୍ର ଓଡ଼ିଶାରେ ଭାଷା ଆଇନ ଲାଗୁ ହେବା ନିଶ୍ଚିତ କରିଥିଲା । ତୃତୀୟତଃ , ଭାଷା ଆଇନର ଉଲ୍ଲଂଘନ ପାଇଁ ବିଭାଗ ତଥା କର୍ମଚାରୀଙ୍କୁ ଦଣ୍ଡିତ କରାଯିବ ବୋଲି କହି ୨୬.୧୨.୨୦୧୭ ତାରିଖର କ୍ୟାବିନେଟ ଯେଉଁ ଭୟଙ୍କର ଭୁଲ ପ୍ରସ୍ତାବ କରିଥିଲା ତାହାକୁ ବଦଳାଇ ଏହା ଦଣ୍ଡବିଧାନ ବିଭାବନାରୁ ବିଭାଗଗୁଡ଼ିକୁ ମୁକ୍ତ କରିଦେଇଥିଲା । ବିଭାଗଗୁଡ଼ିକୁ ଦଣ୍ଡ ଦେବା ଅର୍ଥ ଓଡ଼ିଶାର ଜନସାଧାରଣଙ୍କୁ ଦଣ୍ଡ ଦେବା ବୋଲି ମୁଁ ଯେଉଁ ଯୁକ୍ତି ବାଢ଼ିଥିଲି ତାହାକୁ ଯଥାର୍ଥ ବୋଲି ବିବେଚନା କରି ଏହା ସ୍ପଷ୍ଟ କରିଦେଇଥିଲା ଯେ, ଭାଷା ଆଇନର ଉଲ୍ଲଂଘନ ହେଲେ କୌଣସି ବିଭାଗ ନୁହେଁ, କେବଳ ଖିଲାପକାରୀ ପଦଧିକାରୀ ଓ କର୍ମଚାରୀ ଦଣ୍ଡିତ ହେବେ ।

ଅଥଚ ମୁଖ୍ୟମନ୍ତ୍ରୀ ଯେତେବେଳେ ବିଧେୟକଟିକୁ ପ୍ରଣୟନ କଲେ, ସେତେବେଳେ ସେ ଏହି ୧୪.୩.୨୦୧୮ ତାରିଖର କ୍ୟାବିନେଟ ପ୍ରସ୍ତାବକୁ ଲୁଚାଇ ଦେଇ ୨୬.୧୨.୨୦୧୭ ତାରିଖର କ୍ୟାବିନେଟ ଗ୍ରହଣ କରିଥିବା ଓଡ଼ିଆବିରୋଧୀ ପ୍ରସ୍ତାବ ଉପରେ ହିଁ ତାହାକୁ ଆଧାରିତ କଲେ । ଦୁଃଖ ଓ ଲଜ୍ଜାର କଥା , ଗତାୟୁ ବିଧାନସଭା ମୁଖ୍ୟମନ୍ତ୍ରୀଙ୍କ ଏହି ଦୁରଭିସନ୍ଧିପ୍ରସୂତ ଅବୈଧ କାମକୁ ବୈଧ କରିଦେଲା ଏହି ଦୂଷିତ ସଂଶୋଧନକୁ ସମର୍ଥନ କରି ୨୦୧୮ ମେ ପହିଲାରେ । ଏପରି ଏକ କ୍ୟାବିନେଟ ସ୍କାମ୍ ପୂର୍ବରୁ କେବେ କେଉଁଠି ଘଟିନଥିଲା ।

ବିଧାନସଭାରେ ଅପରାଧ

ରହସ୍ୟମୟ କଥା ହେଲା, ୧୪.୩.୨୦୧୮ ତାରିଖର କ୍ୟାବିନେଟରେ ଉପସ୍ଥିତ ରହି ଆମ ଭାଷା ଆଇନର କାର୍ଯ୍ୟକାରିତା ସମ୍ପର୍କରେ ଯେଉଁ ମନ୍ତ୍ରୀମାନେ ୨୬.୧୨.୨୦୧୭ ତାରିଖର ପ୍ରସ୍ତାବ ଭୁଲ ଥିଲା ବୋଲି ମାନି ତାକୁ ବସ୍ତୁତଃ ବିଲୋପ କରି ନୂଆ ପ୍ରସ୍ତାବ ଗ୍ରହଣ କରିଥିଲେ, ସେହି ମନ୍ତ୍ରୀମାନେ ୧୪.୩.୨୦୧୮ ତାରିଖର କ୍ୟାବିନେଟ ପ୍ରସ୍ତାବ କୁଆଡ଼େ ଗଲା ବୋଲି ପ୍ରଶ୍ନ କଲେ ନାହିଁ! ମୁଖ୍ୟମନ୍ତ୍ରୀ ବିଧାନସଭାକୁ ବିଧେୟକଟିର ନକଲ ଦେଲା ପରେ ମୁଁ ତ ଏହି ଭୁଲ ଧରି ସର୍ବ ସମକ୍ଷରେ ରଖିଥିଲି ଓ ଘରକୁ ଘର ବୁଲି ବହୁ ଆଗଧାଡ଼ିଆ ବିଧାୟକଙ୍କୁ ଏହି ବ୍ୟାଖ୍ୟା ସମ୍ବଳିତ ଲେଖା ଦେଇ ବ୍ୟକ୍ତିଗତ ସ୍ତରରେ ବୁଝାଇଥିଲି ଯେ, ଏହି ଭୁଲ ଯଦି ଘଟିବାକୁ ଦିଆଯାଏ ତେବେ ଓଡ଼ିଶା ପ୍ରଦେଶ ସୃଷ୍ଟିର ଉଦ୍ଦେଶ୍ୟ ପଣ୍ଡ ହୋଇଯିବ ଓ ସାରା ଭାରତରେ କ୍ୟାବିନେଟ ସ୍କାମ୍ ପରି ଏକ ଅଭୂତପୂର୍ବ ଅପରାଧ ଘଟିବ, ଯାହା ସହ ଜଡିତ ହୋଇଯିବ ବିଧାନସଭା ।

ସମସ୍ତେ ଧୈର୍ଯ୍ୟର ସହ ସବୁ ଶୁଣିଥିଲେ ଓ ମୋ ଯୁକ୍ତିକୁ ମୁହଁରେ ସମର୍ଥନ କରିଥିଲେ । ତେଣୁ ଆଶା କରାଯାଉଥିଲା ଯେ, ବିଧେୟକଟି ଉପରେ ଆଲୋଚନା କାଳରେ ଏହି ସ୍କାମ୍ ଉପରେ ବିତର୍କ ହେବ ଓ ତହିଁର ‘ଉଦ୍ଦେଶ୍ୟ ଓ କାରଣ କଥନ’ରେ ୨୬.୧୨.୨୦୧୭ ତାରିଖର କ୍ୟାବିନେଟ ପ୍ରସ୍ତାବ ସ୍ଥାନରେ ୧୪.୩.୨୦୧୮ ତାରିଖର କ୍ୟାବିନେଟରେ ନିଆହୋଇଥିବା ପ୍ରସ୍ତାବ ସ୍ଥାନିତ ହୋଇ ବିଧେୟକଟିର ଭୁଲ ସୁଧୁରି ଯିବ । କିନ୍ତୁ ତାହା ହେଲା ନାହିଁ ।

ନିଜ ନିଜ ସ୍ଵତନ୍ତ୍ର ଅଧିକାର (privilege) ତେଜରେ ଝଲସୁଥିବା ଆମ ବିଧାୟକମାନେ ଯଦି ବିଧେୟକଟିର ‘ଉଦ୍ଦେଶ୍ୟ ଓ କାରଣ କଥନ’ (Statement of Objects and Reasons) ଉପରେ ଦୃଷ୍ଟି ପକାଇଥାନ୍ତେ, ସେମାନେ ଏହା ପଛରେ ଲୁକ୍କାୟିତ ଥିବା ଷଡ଼ଯନ୍ତ୍ରର ସ୍ୱରୂପ ଦେଖିପାରିଥାନ୍ତେ । ଏଥିରେ ଲେଖଥିଲା ,

“ଓଡ଼ିଶା ରାଜ୍ୟରେ ସମସ୍ତ ବା ଯେକୌଣସି ସରକାରୀ କାର୍ଯ୍ୟ ଉଦ୍ଦେଶ୍ୟରେ ଓଡ଼ିଆ ଭାଷା ବ୍ୟବହାର କରିବା ପାଇଁ ଓଡ଼ିଶା ସରକାରୀ ଭାଷା ଅଧିନିୟମ, ୧୯୫୪ ପ୍ରଣୟନ କରାଯାଇଥିଲା ।

ତା୨୬.୧୨.୨୦୧୭ରିଖରେ ଡିବା ଘ ୧୧.୧୫ ମିନିଟ ସମୟରେ ଅନୁଷ୍ଠିତ ହୋଇଥିବା ମନ୍ତ୍ରୀମଣ୍ଡଳର ୫୧ତମ ବୈଠକର ନିଷ୍ପତ୍ତି ଅନୁସାରେ ସରକାରୀ ଭାଷାର ବ୍ୟାପକ ବ୍ୟବହାର କରୁଥିବା ସରକାରୀ କର୍ମଚାରୀ /ବିଭାଗମାନଙ୍କୁ ପ୍ରୋତ୍ସାହନ ଦେବା ତଥା ସେଥିରେ ଖିଲାପ କରୁଥିବା ସରକାରୀ କର୍ମଚାରୀ/ବିଭାଗମାନଙ୍କୁ ଦଣ୍ଡବିଧାନ କରିବା ପାଇଁ ଓଡ଼ିଶା ସରକାରୀ ଭାଷା ଅଧିନିୟମର ସଂଶୋଧନ କରି ଆବଶ୍ୟକ ବ୍ୟବସ୍ଥାମାନ କରିବା ଦରକାର ଅଟେ ।

ତଦନୁସାରେ ଓଡ଼ିଶା ସରକାରୀ ଭାଷା ଅଧିନିୟମ ୧୯୫୪ରେ ସଂଶୋଧନ କରିବା ନିମନ୍ତେ ଆବଶ୍ୟକୀୟ ଚିଠା ସଂଶୋଧନ ବିଧେୟକ ୨୦୧୮ ପ୍ରସ୍ତୁତ କରାଯାଇଛି ଯଦ୍ଦ୍ଵାରା ସରକାରୀ ଭାଷାର ବ୍ୟାପକ ବ୍ୟବହାର ନିମନ୍ତେ ସରକାରୀ କର୍ମଚାରୀ/ବିଭାଗମାନଙ୍କୁ ପ୍ରୋତ୍ସାହନ ଦେବା ତଥା ସେଥିରେ ଖିଲାପ କରୁଥିବା ସରକାରୀ କର୍ମଚାରୀ/ବିଭାଗମାନଙ୍କୁ ଦଣ୍ଡବିଧାନ କରିବା ସକାଶେ ନିୟମାବଳୀରେ ବିହିତ କରିବା ପାଇଁ ରାଜ୍ୟ ସରକାରଙ୍କର କ୍ଷମତା ରହିବ ।

ଉପରୋକ୍ତ ଉଦ୍ଦେଶ୍ୟ ସାଧନ ଲାଗି ବିଧେୟକତି ଉଦ୍ଦିଷ୍ଟ ।
ନବୀନ ପଟ୍ଟନାୟକ
ଭରପ୍ରାପ୍ତ ସଦସ୍ୟ“

ମୋ ଯୁକ୍ତି ଦ୍ଵାରା ପ୍ରଭାବିତ ନ ହେଲେ ନାହିଁ, ବିଧାନ ପ୍ରଣୟନ ପାଇଁ ଲୋକଙ୍କ ପ୍ରତିନିଧି ଭାବେ ବିଧାୟକ ସାଜିଥିବା ମାନ୍ୟବରମାନେ ଯଦି ଏହି ‘ଉଦ୍ଦେଶ୍ୟ ଓ କାରଣ କଥନ’କୁ ଥରେ ଥରେ ମନଦେଇ ପଢ଼ିଥାନ୍ତେ , ଯାହା ସେମାନେ କରିବା ଉଚିତ ଥିଲା, ସେମାନେ ‘କଥନ’ (୧) ସଙ୍ଗେ ‘କଥନ’ (୨)ର ବିରୋଧାଭାସ ଦେଖିଥାନ୍ତେ । କାରଣ , ‘କଥନ’ (୧)ରେ “ଓଡ଼ିଶା ରାଜ୍ୟରେ ସମସ୍ତ ବା ଯେକୌଣସି ସରକାରୀ କାର୍ଯ୍ୟ ଉଦ୍ଦେଶ୍ୟରେ ଓଡ଼ିଆ ଭାଷା ବ୍ୟବହାର କରିବା ପାଇଁ ଓଡ଼ିଶା ସରକାରୀ ଭାଷା ଅଧିନିୟମ, ୧୯୫୪ ପ୍ରଣୟନ କରାଯାଇଥିଲା” ବୋଲି ସ୍ଵୀକାର କରାଯାଇଥିବା ବେଳେ, ‘କଥନ’ (୨)ରେ ସରକାରୀ ଭାଷାକୁ “ବ୍ୟାପକ ବ୍ୟବହାର” କରୁଥିବା କର୍ମଚାରୀ କିମ୍ବା ବିଭାଗକୁ ପ୍ରୋତ୍ସାହନ ଦେବା ପାଇଁ କୁହାଯାଇଥିଲା । ଯଦି ସେମାନେ ଏହି ବିଧେୟକଟିର ‘ଉଦ୍ଦେଶ୍ୟ ଓ କାରଣ କଥନ’ ପଢ଼ିଥିଲେ, ତେବେ “ସମସ୍ତ ବା ଯେକୌଣସି କାମରେ ବ୍ୟବହାର” ଯାହା “ବ୍ୟାପକ ବ୍ୟବହାର” ଯେ ସେଇଆ ନୁହେଁ – ଏତିକି କଣ ସେମାନେ ବୁଝି ପାରିଲେନି ? ସେମାନେ ଏହା ବୁଝିଥିଲେ ଓ ଜାଣିଶୁଣି ଆମ ଭାଷା ଆଇନକୁ ମାରିଦେବାରେ ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରି ଓଡ଼ିଆ ଜାତି ବିରୁଦ୍ଧରେ ଅପରାଧ କରିଥିଲେ ବୋଲି ଯଦି କୁହାଯାଏ , କ’ଣ ଭୁଲ ହେବ?

ଯଦି ଏହି ଅପରାଧ ସେମାନେ ନ କରିଥାନ୍ତେ, ତେବେ କଥନ (୩)ର ଅପରାଧିକ ଅଭିସନ୍ଧି ସେମାନଙ୍କୁ ସ୍ପଷ୍ଟ ଦିଶିଥାନ୍ତା । ଓଡ଼ିଆ ଜାତି ବିରୁଦ୍ଧରେ ଏପରି ଜଘନ୍ୟ ଅପରାଧ କରିବାକୁ ବିଧାନସଭାରେ ସେମାନେ ସରକାରଙ୍କୁ କେବେ ବି କ୍ଷମତା ଦେଇନଥାନ୍ତେ । ଏହାକୁ ଅସ୍ଵୀକାର କରାଯାଇପାରିବ ନାହିଁ ଯେ, ଓଡ଼ିଆ ଜାତି ବିରୁଦ୍ଧର ଏହି କୁତ୍ସିତ ଅପରାଧ ଓଡ଼ିଶା ବିଧାନସଭାରେ ହିଁ ଘଟିଗଲା । (କ୍ରମଶଃ )

(ଭୁବନେଶ୍ବର,୨୫.୫.୨୦୨୯)

କେବଳ ଓଡ଼ିଆ ଭାଷା ହିଁ ନବୀନଙ୍କୁ ଜିତାଇଲା; ଭୁଲିଗଲେ ଭୁଲ ହେବ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନିଶ୍ଚିତ ଥିଲେ ଯେ ତାଙ୍କ କାମରେ ଖୁସି ହୋଇ ଓଡ଼ିଆ ଲୋକେ ତାଙ୍କୁ ନିଶ୍ଚୟ ଭୋଟ ଦେବେ ତା ହେଲେ ସେ କାହିଁକି ତାହା କରୁଥିଲେ ଯାହା ସେ କେବେ କରିନଥିଲେ ?

ଇଂରାଜୀ ଅକ୍ଷରରେ ଲେଖା ହୋଇଥିବା ଓଡ଼ିଆ ଭାଷଣ ଘୋଷି ସାରା ଓଡ଼ିଶା ବୁଲି ବୁଲି ସେ ଓଡ଼ିଆରେ ଭୋଟ ଭିକ୍ଷା କରିଥିଲେ ।

ଆମ ଭାଷାରେ ଆମ ରାଜ୍ୟ ପରିଚାଳନା ପାଇଁ ଚାଲିଥିବା କଳାପତାକା ଅଭିଯାନ ଓଡ଼ିଆବିଦ୍ଵେଷୀ ନବୀନବାବୁଙ୍କୁ ଏତେ ଅଡୁଆରେ ପକାଇଥିଲା ଯେ, ଏହି ଅଭିଯାନକୁ ଭଣ୍ଡୁର କରିବା ପାଇଁ ସେ ମୋର ଦୁଇ ମୁଖ୍ୟ ସହଯୋଗୀ ପବିତ୍ର ମହାରଥା ଓ ପ୍ରଦ୍ଯୁମ୍ନ ଶତପଥୀଙ୍କ ଆର୍ଥିକ ଦୁର୍ବଳତାର ସୁଯୋଗ ନେଇ ସେମାନଙ୍କୁ ନିଜ ବଶକୁ ନେଇଯାଇଥିଲେ । ଫଳରେ ସେମାନେ ଭାଷା ଆନ୍ଦୋଳନକୁ ପଚ୍ଛରୁ ଛୁରା ମାରିଥିଲେ ।

କିନ୍ତୁ ଆନ୍ଦୋଳନ ବନ୍ଦ ନ ହୋଇ ଚାଲିଲା । ଭୁବନେଶ୍ବରରେ ଉପସ୍ଥିତ ରହି କେଉଁ ଓଡ଼ିଆ କଳାପତାକା ଧରିପାରିଲେ, କିଏ ବା ନ ଧରିପାରିଲେ ନିଆରା କଥା , କିନ୍ତୁ ପ୍ରତି ଭାଷାପ୍ରେମୀ ଓଡ଼ିଆ ଏହି ଅଭିଯାନ ସହ ନିଜ ନିଜ ଅନ୍ତରାତ୍ମାରେ ସଂଯୁକ୍ତ ହୋଇଯାଇଥିଲେ । ଭାଷା ଆନ୍ଦୋଳନ ଏତେ ଜନପ୍ରିଯ ହୋଇଉଠିଥିଲା ଯେ, ନିଜକୁ ଏହି ଆନ୍ଦୋଳନ ଚଳାଇଥିବା ଲୋକ ବୋଲି ନିଜ ଗଣମାଧ୍ୟମରେ ପ୍ରଚାର କରି ଏକଦା ଆମର ମୁଖ୍ୟ ଗଣମାଧ୍ୟମୀୟ ସହଯୋଗୀ ଥିବା ସଂବାଦ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ରାଜ୍ୟସଭାକୁ ଯିବା ଲୋଭରେ କଳାପତାକା ଅଭିଯାନ ବନ୍ଦ କରିବାକୁ ମୋ ଉପରେ ଚାପ ପକାଇଥିଲେ ଓ ମୁଁ ତାହା ପ୍ରତ୍ୟାଖ୍ୟାନ କରିଥିବା ହେତୁ, ସମ୍ବାଦରେ ଏହି ଅଭିଯାନର ବିବରଣୀ ପ୍ରକାଶନ ବନ୍ଦ କରିଦେଇଥିଲେ । ଏହି ଅଭିଯାନକୁ ସଫଳ କରାଇନଦେବା ପାଇଁ କ୍ୟାବିନେଟ୍ ସ୍କାମ୍ ପରି ଏକ ନାହିଁ ନ ଥିବା ଅପରାଧ କରି ଏହ ଅବୈଧ ବିଧାନ ପ୍ରଣଯନ ପାଇଁ ସମସ୍ତ କୁତ୍ସିତ ମିଥ୍ୟାର ଆଶ୍ରୟ ମଧ୍ୟ ନେଇଥିଲେ ନବୀନବାବୁ ବିଧାନସଭାରେ ।

କୌଣସି ତଞ୍ଚକତା ଓ ସୁପାରୀ ପ୍ରଦାନ, କୌଣସି ରାଜନୈତିକ ବଶୀକରଣ ଯେତେବେଳେ ଆମ ଆନ୍ଦୋଳନର କାଳିଆ ପତାକା ଅଭିଯାନକୁ ଅଟକାଇ ପାରିଲା ନାହିଁ , ସେତେବେଳେ Krushak Assistance for Livelihood and Income Augmentation ପରି ଭୋଟରମାନଙ୍କୁ ପ୍ରଭାବିତ କଲା ପରିକା ଏକ ପେଞ୍ଚ ତିଆରିକରି ତାକୁ ‘କାଳିଆ’ ନାମରେ ପ୍ରସାରିତ କରାଗଲା । ଏହା ସତ୍ତ୍ୱେ, ଭୁବନେଶ୍ବରରେ ଉଡ଼ି ଉଡ଼ି ଆମ ଆନ୍ଦୋଳନର କଳାପତାକା ଯେଉଁ ବାର୍ତ୍ତା ଦେଇ ଚାଲିଥିଲା କି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ଭାଷା ପାଇଁ ବିତସ୍ପୃହ ହୋଇଥିବା ହେତୁ ଆମ ଭାଷା ଆଇନର ଉଦ୍ଦେଶ୍ୟ ପଣ୍ଡ ହୋଇଛି ଓ ଆମ ମାତୃଭାଷା ସଙ୍କଟଗ୍ରସ୍ତ ହୋଇପଡ଼ିଛି, ତହିଁର ନିରାକରଣ ପାଇଁ ସେ ଓଡ଼ିଆ ଭାଷାର ଆଶ୍ରା ନେବାକୁ ବାଧ୍ୟ ହୋଇଥିଲେ ।

ତାଙ୍କ ପାଖଲୋକେ କିପରି ଇଂରାଜୀ ଅକ୍ଷରରେ ଓଡ଼ିଆ ବାକ୍ୟ ଲେଖୁଥିଲେ ଓ ସେ ତାହା ପଠନ କରି ଓଡ଼ିଆ ଜାତିକୁ ଭୁଆଁ ବୁଲାଉଥିଲେ ତାହା ଇଣ୍ଟେର୍ନେଟରେ ଭାଇରାଲ ହୋଇଥିଲା । ଏହି ଦୁଇଟି ଫଟୋଚିତ୍ର ତହିଁର ନମୂନା ।

ଏହି ଶୈଳୀ ଅବଲମ୍ବନ କରି ଇଂରାଜୀ ଅକ୍ଷରରେ ଲେଖା ଓଡ଼ିଆ ଭାଷଣ ଘୋଷି ଘୋଷି ସେ ଏକାଏକ ରାଜ୍ୟସରା ବୁଲି ଲୋକଙ୍କୁ ଓଡ଼ିଆରେ ସମ୍ବୋଧନ କରିଚାଲିଲେ । ଜୀବନରେ ଏପରି ପରିଶ୍ରମ ସେ କେବେ ବି କରିନଥିଲେ । ଆମ ଆନ୍ଦୋଳନ ଏପରି ପରିଶ୍ରମ କରିବାକୁ ବାଧ୍ୟ କରିଥିଲା । ସେତେବେଳେ ବିଭିନ୍ନ ଟିଭି ଚ୍ୟାନେଲରେ ଜୀବନ୍ତ ପରିବେଷିତ ତାଙ୍କ ଏହି ଛଳପୂର୍ଣ ଓଡ଼ିଆ ଭାଷଣରୁ କିଛି ଦେଖାଯାଉ ।

ଏହା ଥିଲା ତାଙ୍କର ଦାରିଙ୍ଗିବାଡ଼ି ଭାଷଣ –

ନୂଆପଡ଼ାର କୋମନା ସଭାରେ ସେ କହିଥିଲେ –

କଳାହାଣ୍ଡିର ନର୍ଲାରେ ସେ କହିଥିଲେ –

ଏହିପରି ଭାବେ ସାରା ଓଡ଼ିଶାରେ ବୁଲି ବୁଲି ସେ ଇଂରାଜୀ ଅକ୍ଷରରେ ଲେଖି ମୁଖସ୍ଥ କରିଥିବା ଓଡ଼ିଆ ଭାଷଣ ପରିବେଷଣ କରିଥିବା ହେତୁ, ନିର୍ବାଚନରେ ଜିତିଗଲେ । ତା ନ ହୋଇଥିଲେ ତାଙ୍କ ଦଳର ପରାଜୟ ସୁନିଶ୍ଚିତ ଥିଲା ।

ଓଡ଼ିଆ ଭାଷା ପାଖରେ ଶରଣ ପଶି ସେ ନିର୍ବାଚନରେ ଜୟ ଲାଭ କରିଥିବା ହେତୁ ଆମେ ଭାଷାଆନ୍ଦୋଳନକାରୀମାନେ ତାଙ୍କୁ ବଧେଇ ଜଣାଉଛୁ ଓ ଆଶା କରୁଛୁ କି, ସେ ଏହା ଭୁଲିବେନି ଓ ମନ୍ତ୍ରୀସ୍ତରୀୟ କମିଟିରେ ୩.୯.୨୦୧୫ ତାରିଖରେ ପ୍ରଦତ୍ତ ପରାମର୍ଶ ଅନୁସାରେ ଆମ ସରକାରୀ ଭାଷା ଆଇନର ପୁନଶ୍ଚ ସଂଶୋଧନ କରି ଓଡ଼ିଆ ଭାଷାଜନନୀଙ୍କୁ କୃତଜ୍ଞତା ଜଣାଇବେ ।

ବିଜେଡି ଟିକଟରେ ବିଧାନସଭାକୁ ଆସିଥିବା ବନ୍ଧୁମାନେ ବି ଏହି ସତ୍ୟ ମନେରଖିବା ଉଚିତ । କାରଣ, ଏହା ଭୁଲିଯିବା ସେମାନଙ୍କ ପକ୍ଷରେ ଭୁଲ ହେବ ।

ଆମ ଭାଷା ପାଇଁ ଆମ ଲଢ଼େଇ : ଭାଷା ଆନ୍ଦୋଳନର ୨ୟ ଇ-ପୁସ୍ତକ ଵିଶ୍ଵାର୍ପିତ

ଭୁବନେଶ୍ୱର, ଏପ୍ରିଲ ୧୩, ୨୦୧୯

ଗତ ସେପ୍ଟେମ୍ବର ୩, ୨୦୧୫ ତାରିଖରେ ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟ ଭାବେ ମୁଁ ରାଜ୍ୟ ସରକାରଙ୍କୁ ସରକାରୀ ଭାଷା ଆଇନର କାର୍ଯ୍ୟକାରୀତା ପାଇଁ ଯେଉଁ ପ୍ରସ୍ତାବ ଦେଇଥିଲି ତାହା ରାଜ୍ୟ ସରକାର ଏହି ସ୍ଵତନ୍ତ୍ର ୱେବ ସାଇଟରେ ସ୍ଥାନିତ କରିଥିଲେ । ମାତ୍ର ଏଥିରେ ଆଇନ ଉଲ୍ଲଙ୍ଗନକାରୀକୁ ଦଣ୍ଡବିଧାନ ବ୍ୟବସ୍ଥାପାଇଁ ଆଇନ ସଂଶୋଧନର ପ୍ରସ୍ତାବ ଥିବାରୁ ମନ୍ତ୍ରୀସ୍ତରୀୟ କମିଟିର ସଂଯୋଜକ ଥିବା ଜଣେ ଅଣଓଡ଼ିଆ ଅଫିସର ଜି ଭି ଭି ଶର୍ମା ଏହାକୁ ଆଗେଇବାକୁ ଦେଲେ ନାହିଁ ।

ପାର୍ଶ୍ଵରେ ଥିବା ଫଟୋଚିତ୍ରଟି ଅନୁଧ୍ୟାନ କଲେ ଦେଖିବେ ଯେ ମୋ ପ୍ରଦତ୍ତ ନିୟମାବଳୀ ଆଇନ ସଚିବଙ୍କ ପାଖକୁ ପ୍ରେରିତ ହେବା ବେଳେ ବେସରକାରୀ ପ୍ରତିଷ୍ଠାନରେ ଓଡ଼ିଆ ପ୍ରଚଳନ ସମ୍ପର୍କିତ ନିୟମ ୪ ଏବଂ ଭାଷା ଆଇନର ଉଲ୍ଲଂଘନକାରୀକୁ ଦଣ୍ଡବିଧାନ ସମ୍ପର୍କିତ ନିୟମ ୧୦ “ଅସାଧ୍ୟ” ବୋଲି ଶର୍ମା ଟିପ୍ପଣୀ ଦେଇଛନ୍ତି ଓ ତହିଁ ଉପରେ ମୁଖ୍ୟ ଶାସନ ସଚିବ ଟିପ୍ପଣୀ ଦେଇ ନିୟମ ୪ ଉପରେ ଶର୍ମାଙ୍କ ଆପତ୍ତିକୁ ଅଗ୍ରାହ୍ୟ କରିଥିବା ବେଳେ ଦଣ୍ଡବିଧାନ ସମ୍ପର୍କୀୟ ନିୟମ ଉପରେ ଆଇନ ବିଭାଗ ମତ ଦିଅନ୍ତୁ ବୋଲି କହିଛନ୍ତି ନଭେମ୍ବର ୧୯, ୨୦୧୫ରେ । ନଥିଟି ଆଇନ ବିଭାଗକୁ ଗଲା,ଆଇନ ବିଭାଗରୁ ଫେରିଲା , କିନ୍ତୁ କୁଆଡେ ଗଲା ତାର ପତ୍ତା ମିଳିଲାନି । ଅଥଚ ମେ ପହିଲା ୨୦୧୮ ତାରିଖରେ ଆମ ସରକାରୀ ଭାଷା ଆଇନକୁ ଅକାମି କରିଦେବା ପାଇଁ ବିଧାନସଭାକୁ ବିଭ୍ରାନ୍ତ କରି ସଂଶୋଧନ ମାଧ୍ୟମରେ ୪-କ ଧାରା ଖଞ୍ଜାଗଲା । ସୁତରାଂ ମୁଁ ଦେଇଥିବା ପ୍ରସ୍ତାବ ଉପରେ ସରକାର କି କି ପଦକ୍ଷେପ ନେଇଥିଲେ ତାହା ଜାଣିବା ମୋ ପାଇଁ ଜରୁରୀ ହୋଇପଡ଼ିଥିଲା । ଯେତେ ଚେଷ୍ଟା କଲି ତାହା ମିଳିଲାନି । ନଥିଟିକୁ ଶର୍ମା ନିରୁଦ୍ଦିଷ୍ଟ କରିଦେଇଥିବାର ସନ୍ଦେହ ଘନୀଭୂତ ହେଲା , କାରଣ ମୋ ପ୍ରସ୍ତାବଟି ଉପରେ ପ୍ରଦତ୍ତ ଯେଉଁ ୱେବ ସାଇଟରେ ଥିଲା ତାହା ଆଉ ଉପଲଭ୍ୟ ବି ହେଲା ନାହିଁ । ଜୁନ 5,୨୦୧୮ ତାରିଖରେ ‘ୟୁ ଟ୍ୟୁବ’ରେ ନିମ୍ନ ଭିଡିଓଟି ଜାରି କରି ଓଡ଼ିଆ ଜାତି ବିରୁଦ୍ଧରେ ଏହି ଅପରାଧ କରିଥିବା ହେତୁ ସେତେବେଳେ ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବ ଥିବା ଏହି ଶର୍ମାଙ୍କୁ ଓଡ଼ିଶାରୁ ବିଦା କରିବାକୁ ମୁଁ ଦାବି କଲି ।

ଏହି ଭିଡିଓ ଶର୍ମାଙ୍କ ପାଇଁ ଅଡୁଆ ସୃଷ୍ଟି କରିବାର ଆଶଙ୍କା ଥିଲା । ସେ ମୋ ଚାପରୁ ଖଲାସ ହେବା ପାଇଁ ଭାଷା ଆଂଦୋଳନର ଅନ୍ୟ କୌଣସି କର୍ମକର୍ତ୍ତା ତାଙ୍କୁ ସାହାଯ୍ୟ କରିପାରିବେ କି ନାହିଁ ତାହା ଆବିଷ୍କାର କରିବାକୁ ଉଦ୍ୟମ କରିଥିବା ଅସ୍ଵାଭାବିକ ନଥିଲା । ସେତେବେଳକୁ ତାଙ୍କ ପାଖରେ ପ୍ରଦ୍ୟୁମ୍ନ ଶତପଥିଙ୍କ ପତ୍ନୀଙ୍କ ଚାକିରି ସମ୍ପର୍କୀୟ ଦରଖାସ୍ତ ପଡ଼ିଥାଏ । ଶ୍ରୀମତୀ ଶତପଥି ପ୍ରାୟ ୧୫ ବର୍ଷ କାଳ ଚାକିରିରେ ଅନୁପସ୍ଥିତ ଥିବା ହେତୁ ବୃତ୍ତି ସଙ୍କଟରେ ପଡିଥାନ୍ତି ଓ ସମ୍ପୃକ୍ତ କଲେଜ ଅଧ୍ୟକ୍ଷ ତାଙ୍କୁ ଚାକିରିରେ ଯୋଗ ଦେବାକୁ ଦେଉନଥାନ୍ତି । ଶର୍ମା ଏହି ସଙ୍କଟରୁ ତାଙ୍କୁ ଉଦ୍ଦାର କରିବେ ବୋଲି କହି ତାଙ୍କୁ ହୁଏତ ଭାଷା ଆନ୍ଦୋଳନକୁ ଭାଙ୍ଗିଦେବା କାମରେ ଲଗାଇଥାଇପାରନ୍ତି । ବର୍ତ୍ତମାନ ତାଙ୍କ ପତ୍ନୀଙ୍କ ଚାକିରିର ସ୍ଥିତି କଣ ତାହା ଜଣାପଡ଼ିଲେ ଏହି ଦିଗଟି ସ୍ପଷ୍ଟ ହେବ । ସେହି ସମୟରେ ଭାଷା ଆଂଦୋଳନର ସ୍ମରଣିକାଜନିତ ସମଗ୍ର ଆୟ ପବିତ୍ର ମହାରଥା ଆତ୍ମସାତ କରିଥିବା ଧରା ପଡ଼ିଥାଏ ଓ ମୁଁ ତାଙ୍କୁ କୈଫିଯତ ମାଗିଥାଏ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସରେ ଏତଲା କରିଥାଏ । ପ୍ରଦ୍ୟୁମ୍ନ ଶତପଥି ଜୁଲାଇ ୧୬, ୨୦୧୮ ଯାଏଁ ପବିତ୍ର ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ କରିବାକୁ ମୋତେ ମୁଣ୍ଡିଆ ମାରି ଅନୁରୋଧ କରିଥାନ୍ତି । ଏ ଖବର ଅବଗତ ହୋଇ ସରକାର ଏ ଦୁହିଙ୍କୁ ନିଜ ପାଲକୁ ଟାଣି ଭାଷା ଆନ୍ଦୋଳନକୁ ଭାଙ୍ଗି ଦେବାକୁ ପ୍ରବର୍ତ୍ତାଇବାରେ ସଫଳ ହେଲେ । ଏହି ଦୁଇଜଣଙ୍କ ଏହି ବ୍ୟକ୍ତିଗତ ସ୍ଵାର୍ଥଲିପ୍ସା ଏବଂ ସରକାରୀ ସୁପାରି ପ୍ରଭାବରେ ଏମାନେ ଜୁଲାଇ ୧୬, ୨୦୧୮ ସନ୍ଧ୍ୟାରେ ଭାଷା ଆନ୍ଦୋଳନ ଛାତିରେ ଛୁରା ମାରି କଳାପତାକା ଅଭିଯାନ ବନ୍ଦ ରହିଲା ବୋଲି ଏକ ଅନଧିକୃତ ପ୍ରେସ ବିବୃତ୍ତି ଜାରିକଲେ । ଏବଂ ଆଉ ପାଦେ ଆଗେଇଯାଇ ଶତପଥୀ ତାଙ୍କ କାଗଜରେ ଲେଖିଲେ “୮୭୮ ଦିନରେ ଐତିହାସିକ ଭାଷା ଆନ୍ଦୋଳନ ହେଲା ପ୍ରତ୍ୟାହୃତ” ।

ଏମାନଙ୍କ ପାଇଁ ସେହି ଦିନ ଭାଷା ପାଇଁ ଲଢ଼େଇ ସରିଗଲା । କିନ୍ତୁ ଆମ ପାଇଁ ସରିଲା ନାହିଁ । ଚାଲିଲା ଓ ଚାଲିଛି । ଯେଉଁ ପର୍ଯ୍ୟନ୍ତ ଆମ ଭାଷା ବିପଦମୁକ୍ତ ନ ହୋଇଛି ସେ ପର୍ଯ୍ୟନ୍ତ ଏହା ଚାଲିବ । ତେଣୁ ଏମାନେ ବିଶ୍ବାସଘାତକତା କରି ପଳାଇଥିବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଆମ ଲଢ଼େଇ କିପରି ଚାଲିଛି ତହିଁର ସମସ୍ତ ପ୍ରାମାଣିକ ତଥ୍ୟ ସହ ଆଜି ଆମେ ପ୍ରକାଶ କରିଛୁ ଏହି ଇ-ପୁସ୍ତକ ‘ଆମ ଭାଷା ପାଇଁ ଆମ ଲଢ଼େଇ’ ଯାହା ଆପଣମାନେ ସମସ୍ତେ ଏଠି ଦେଖିପାରିବେ । ପ୍ରତିବିନର ସଚିତ୍ର ବିବରଣୀ ସହ ଏଥିରେ ଅଛି ବିଶିଷ୍ଟ ସାମ୍ବାଦିକ ଓ ଗବେଷକ ଡକ୍ଟର ଅସିତ ମହାନ୍ତି, ଭାଷା ତପସ୍ଵୀ ଗଜାନନ ମିଶ୍ର,ପ୍ରଫେସର କମଳାପ୍ରସାଦ ମହାପାତ୍ର, ଭାଷା ବିପ୍ଳବୀ ଅର୍ଜୁନ ଚରଣ ସାମନ୍ତରାୟ, ବିଶିଷ୍ଟ ସମାଜସେବୀ ରାମଶଙ୍କର ପ୍ରମୁଖଙ୍କ ଆଲୋକବର୍ଷୀ ନିବନ୍ଧ ଓ ଆମ ଭାଷାର ଶ୍ରେଷ୍ଠ ଚାରଣକବି ଉମାକାନ୍ତ ରାଉତଙ୍କ କଣ୍ଠନିସୃତ ପ୍ରତିବେଦନ ।

Ama Bhasha Pain Ama Ladhei … by on Scribd

ଏହାକୁ ନିଶ୍ଚୟ ପଢନ୍ତୁ ଓ ଖଳନାୟକମାନଙ୍କ କବଳରୁ ନିଜ ଭାଷା ଜନନୀଙ୍କୁ ଉଦ୍ଧାର କରିବା ପାଇଁ ନିଜ ନିଜକୁ ପ୍ରସ୍ତୁତ କରନ୍ତୁ ।

ପରବର୍ତ୍ତୀ ଖବରରେ ଏହି ଇ-ପୁସ୍ତକ ବିଶ୍ବାର୍ପଣର ବିବରଣୀ ପ୍ରକାଶ ପାଇବ ।

ସଙ୍କଟାବର୍ତ୍ତରେ ସରକାରୀ ଭାଷା ଆଇନ

    କଳାପତାକା ଅଭିଯାନର ୩ୟ ବାର୍ଷିକୀ ପୂର୍ତ୍ତୀ ଉପଲକ୍ଷେ

ସୁଭାଷ ଚନ୍ଦ୍ର ପଟ୍ଟନାୟକ,
ପ୍ରତିଷ୍ଠାତା, ଭାଷା ଆନ୍ଦୋଳନ, ଓଡ଼ିଶା

ରାଜ୍ୟପାଳଙ୍କ ଅନୁମୋଦନ ପାଇବା ପରେ ଓଡ଼ିଶା ସରକାରୀ ଭାଷା ନିଯମାବଳୀ, ୨୦୧୬ ସଂଶୋଧିତ ହୋଇ ତହିଁରେ ୫କ ଧାରା ଯୋଡ଼ାଯିବ । ତାହା ଏହିପରି :

“୫କ – ପୁରସ୍କାର ବ ଦଣ୍ଡବିଧାନ – (୧) ସରକାରୀ କାର୍ଯ୍ୟରେ ଓଡ଼ିଆଭାଷାର ବ୍ୟାପକ ବ୍ୟବହାର କରୁଥିବା କର୍ମଚାରୀ ତଥା ବିଭାଗମାନଙ୍କୁ ପୁରସ୍କୃତ କରାଯିବ । (୨) ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ପର୍ଯ୍ୟାପ୍ତ ବ୍ୟବହାରରେ ବାରମ୍ବାର ଖିଲାପ କଲେ, ଖିଲାପକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଓଡ଼ିଶା ବେସାମରିକ ସେବା ଅଧିନିୟମ, ୧୯୬୨ ଅନୁଯାୟୀ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । (୩) ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ସର୍ବଭାରତୀୟ ସେବା ବର୍ଗର ଅଧିକାରୀ ଏବଂ କେନ୍ଦ୍ରୀୟ ବେସାମରିକ ସେବା ବର୍ଗର ଅଧିକାରୀମାନଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ଆନୁଶାସନିକ କାର୍ଯ୍ୟବିଧି ଅଧିନିୟମ ଅନ୍ତର୍ଗତ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।“

ଏହି ନିଯମାବଳୀ ପ୍ରଣଯନର ବ୍ୟାୟମ ଆରମ୍ଭ ହୋଇଥିଲା ଭାଷା ଆଇନ ସମ୍ପର୍କିତ ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟ ଭାବେ ୩।୯।୨୦୧୫ ତାରିଖରେ ମୁଁ ଦେଇଥିବା ପ୍ରସ୍ତାବ ଓ ଚିଠାକୁ ଭିତ୍ତି କରି ।

ଓଡିଶା ସରକାରୀ ଭାଷା ଆଇନର ଉଲ୍ଲଂଘନ ବିରୁଦ୍ଧରେ ଦଣ୍ଡବିଧାନ ବ୍ୟବସ୍ଥା ସହ ସେଥିପାଇଁ ନିଯମାବଳୀ ପ୍ରବର୍ତ୍ତନ କରିବାକୁ ଓ ନିଯମାବଳୀ ପ୍ରଣୟନର କ୍ଷମତା ହାସଲ କରିବାକୁ ସରକାର ଆଇନଟିରେ ଆବଶ୍ୟକୀୟ ସଂଶୋଧନ କରିବାକୁ ମୁଁ ପରାମର୍ଶ ଓ ଚିଠା ପ୍ରଦାନ କରିଥିଲି । ତଦନୁଯାୟୀ ଭାଷା ଆଇନର ଖିଲାପ ବିରୁଦ୍ଧରେ ଯେ କୌଣସି ଓଡ଼ିଆ ମକଦ୍ଦମା ଆଗତ କରିପାରିବେ ଓ ତାହା ଭାଷା ପ୍ରବର୍ତ୍ତନ କମିଟି ନାମକ ଏକ ଅଦାଲତୀୟ କ୍ଷମତା ସମ୍ପନ୍ନ କମିଟି ବିଚାର କରି ଦଣ୍ଡବିଧାନ କରିବେ ବୋଲି ମୋ ପ୍ରଦତ୍ତ ଚିଠାରେ ଥିଲା । ଇଂରାଜୀ ଭାଷାରେ ପ୍ରଦତ୍ତ ଏହି ଚିଠାର ଓଡ଼ିଆ ଅନୁବାଦ କରି ମୁଁ ଦେଇଥିବା ମୂଳ ଚିଠା ସମେତ ଏହି ଚିତ୍ରରେ ପ୍ରଦର୍ଶିତ ସରକାରୀ ୱେବ ସାଇଟରେ ରାଜ୍ୟ ସରକାର ସ୍ଥାନିତ କରିଛନ୍ତି । ତାହା ଏହିପରି :

“ଏହି କମିଟି କୌଣସି ବ୍ୟକ୍ତି ବା ଅନୁଷ୍ଠାନ ତରଫରୁ ଅଭିଯୋଗ ପାଇଲେ କିମ୍ବା ସ୍ଵତଃ ପ୍ରବୃତ୍ତ ଭାବେ ଏହି ଆଇନର କୌଣସି ଧାରା , ଉପଧାରା ଓ ନିୟମର ଉଲ୍ଲଂଘନ ବିଷୟରେ ଜାଣିବାକୁ ପାଇଲେ ତହିଁର ବିଚାର କରିବେ ଓ କମିଟି ସଦସ୍ୟଙ୍କ ସଂଖ୍ୟାଧିକ ମତ ଅନୁସାରେ ଦଣ୍ଡବିଧାନ କରିବେ ।“

କିନ୍ତୁ, ସରକାର ସମ୍ପ୍ରତି ପ୍ରସ୍ତୁତ କରିଥିବା ଉପର ଉଦ୍ଧୃତ୍ତ ନିୟମାବଳୀ –ସଂଶୋଧନ ପ୍ରସ୍ତାବରେ ନିଜ ଭାଷାର ସୁରକ୍ଷା ପାଇଁ ବିଧିକ ଅଧିକାର ଜନସାଧାରଣଙ୍କୁ ନ ଦେଇ , କେବଳ ବେସାମରିକ ସେବା ଅଧିନିୟମ ଅନୁସାରେ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ “ଓଡ଼ିଆ ଭାଷାର ପର୍ଯ୍ୟାପ୍ତ ବ୍ୟବହାରରେ ବାରମ୍ବାର ଖିଲାପ କଲେ” କାର୍ଯ୍ୟାନୁଷ୍ଠାନ ହେବ ବୋଲି ରାଜ୍ୟପାଳଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏଥିର ଅନ୍ତର୍ନିହିତ ଦୁର୍ବଳତା ଅତ୍ୟନ୍ତ ଆତ୍ମଘାତୀ । “ପର୍ଯ୍ୟାପ୍ତ ବ୍ୟବହାରରେ ବାରମ୍ବାର ଖିଲାପ” ଏକ ବନ୍ଧ୍ୟା ବିଭାବନା , କାରଣ “ପର୍ଯ୍ୟାପ୍ତ” ଏକ ନିର୍ଦ୍ଦିଷ୍ଟ ପରିମାଣସୂଚକ ଶବ୍ଦ ନୁହେଁ । “ବାରମ୍ବାର ଖିଲାପ” ମଧ୍ୟ ବିଭ୍ରାନ୍ତିକର,କେତେଥର ଖିଲାପି ବାରମ୍ବାର ଖିଲାପି ବୋଲି ବିବେଚିତ ହେବ ତାହା ନିର୍ଣାୟିତ ନୁହେଁ । ଦଣ୍ଡବିଧାନ ଯେହେତୁ ଏକ ନ୍ୟାୟିକ ବ୍ୟବସ୍ତା, ସେହେତୁ ଏପରି ଅସ୍ପଷ୍ଟ ବିଭାବନା ଉପରେ ଆଧାରିତ ଶାସ୍ତି ବିଧାନ ନିୟମ କସ୍ମିନକାଳେ କାର୍ଯ୍ୟକ୍ଷମ ହେବ ନାହିଁ । ଅପରପକ୍ଷେ ପ୍ରସ୍ତାବିତ ସରକାରୀ ନିୟମାବଳୀର ଉପରୋକ୍ତ ଧାରାର ଉପଧାରା (୧) ଓଡ଼ିଆ ଭାଷା ସ୍ଵାର୍ଥ ଦୃଷ୍ଟିରୁ ଆଦୌ ଗ୍ରହଣୀୟ ନୁହେଁ । ଏହା କହେ,

“ସରକାରୀ କାର୍ଯ୍ୟରେ ଓଡ଼ିଆଭାଷାର ବ୍ୟାପକ ବ୍ୟବହାର କରୁଥିବା କର୍ମଚାରୀ ତଥା ବିଭାଗମାନଙ୍କୁ ପୁରସ୍କୃତ କରାଯିବ ।“

ଏହାର ଅର୍ଥ ହେଲା, ଯେଉଁ ସରକାରୀ କର୍ମଚାରୀ ବିଭାଗୀୟ ସେବା ଦେବା ବେଳେ ସମ୍ପୂର୍ଣତଃ ଓଡ଼ିଆ ଭାଷା ବ୍ୟବହାର କରିବେନାହିଁ , ତାଙ୍କୁ ପୁରସ୍କୃତ କରାଯିବ ।

ଏପରି ଏକ ଆତ୍ମଘାତୀ ବ୍ୟବସ୍ଥା ନିୟମାବଳୀରେ ପ୍ରସ୍ତାବିତ କରିବାକୁ ପ୍ରଶାସନିକ କଳ ସାହସ କରିନଥାନ୍ତା , ଯଦି ସରକାରୀ ଭାଷା ଆଇନରେ ଖଞ୍ଜା ହୋଇଥିବା ଧାରା ୪-କ ଅନୁସାରେ ଏହି ନିଯମାବଳୀ ପ୍ରସ୍ତାବିତ ହୋଇନଥାନ୍ତା । ବସ୍ତୁତଃ ଓଡିଶା ସରକାରୀ ଭାଷା (ସଂଶୋଧନ) ଆଇନ ୨୦୧୮ର ଧାରା ୪-କ ଏହା ହିଁ କହିଛି । ତାର ଭାଷା ହେଲା ଏହିପରି –

“ସରକାର, ସରକାରୀ ଭାଷାର ବ୍ୟାପକ ବ୍ୟବହାର ନିମନ୍ତେ ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ତଥା ସେଥିରେ ଖିଲାପ କରୁଥିବା ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ଦଣ୍ଡବିଧାନ କରିବା ସକାଶେ ନିୟମାବଳୀରେ ଉପଯୁକ୍ତ ବ୍ୟବସ୍ଥାମାନ ବିହିତ କରିପାରିବେ ।”

ମୂଳ ପ୍ରସ୍ତାବଦାତା ଭାବେ ମୁଁ ଏହାର ଘୋର ପ୍ରତିବାଦ କରି ଏହାର ବିଲୋପନ ପାଇଁ ଦାବି କରିଥିଲି , କାରଣ “ବ୍ୟାପକ ବ୍ୟବହାର” ଅର୍ଥ ସମ୍ପୂର୍ଣ ବ୍ୟବହାର ନୁହେଁ । ମୂଳ ଭାଷା ଆଇନ ସମଗ୍ର ଓଡିଶାରେ ସମସ୍ତ ଓ ଯେକୌଣସି ସରକାରୀ କାମ ଓଡ଼ିଆ ଭାଷାରେ ହିଁ ହେବ ବୋଲି ଧାର୍ଯ୍ୟ କରିଛି । ସୁତରାଂ ୪-କ ଧାରା ମୂଳ ଭାଷା ଆଇନର ସମ୍ପୂର୍ଣ ପରିପନ୍ଥୀ ।

ଅଧିକନ୍ତୁ ଏହି ଧାରାକୁ ୨୬।୧୨।୨୦୧୭ ତାରିଖର କ୍ୟାବିନେଟ ବୈଠକର ପ୍ରସ୍ତାବ ସହ ଯୋଡି ଏହାର “ଉଦ୍ଦେଶ୍ୟ ଓ କାରଣ କଥନ” ପକ୍କା କରାଯାଇଥିବା ହେତୁ ଭାଷା ଆଇନ ଉଲ୍ଲଂଘନ ବିରୁଦ୍ଧରେ ଯଦି କେତେବେଳେ ନିୟମାବଳୀର ପ୍ରସ୍ତାବିତ ୫-କ ଅନୁସାରେ କୌଣସି କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯାଏ , ତେବେ ଏହି “ଉଦ୍ଦେଶ୍ୟ ଓ କାରଣ କଥନ” ତାର ଅନ୍ତରାୟ ହେବ , ଯେହେତୁ “ବ୍ୟାପକ ବ୍ୟବହାର” ସମ୍ପୂର୍ଣ ବ୍ୟବହାର ନୁହେଁ ଓ ଯେଉଁ କ୍ୟାବିନେଟ ପ୍ରସ୍ତାବ ଉପରେ ଏହା ଆଧାରିତ ତାହା ସରକାରୀ ସେବା ପ୍ରଦାନ କ୍ଷେତ୍ରରେ ଓଡ଼ିଆ ଭାଷା ବ୍ୟବହାର ପାଇଁ “ବିଭାଗଗୁଡିକ ନିର୍ଦ୍ଦିଷ୍ଟ ମାନଦଣ୍ଡ ଏବଂ କ୍ଷେତ୍ର ନିର୍ଦ୍ଧାରଣ କରିବେ” ବୋଲି କହି ଓଡ଼ିଶା ସରକାର ଆମ ଭାଷା ଆଇନଟିକୁ ଅମଲାତନ୍ତ୍ରର ଇଚ୍ଛାଧୀନ କରାଇଛନ୍ତି ।

ଏହି ଦୃଶ୍ୟପଟକୁ ପ୍ରବେଶ କଲାବେଳେ ଇତିହାସ ଅନ୍ୟ ଏକ ଲଜ୍ଜ୍ୟାଦାୟକ ସତ୍ୟର ସମ୍ମୁଖୀନ ହେବ । ତାହା ହେଲା, ୨୬।୧୨।୨୦୧୭ ତାରିଖର କ୍ୟାବିନେଟ ପ୍ରସ୍ତାବରେ ପରିଲକ୍ଷିତ ପ୍ରମାଦକୁ ରାଜ୍ୟ ମନ୍ତ୍ରୀମଣ୍ଡଳ ୧୪।୩।୨୦୧୮ ତାରିଖରେ ଅପସାରିତ କରି ୩।୯।୨୦୧୫ ତାରିଖରେ ମୁଁ ଦେଇଥିବା ପରାମର୍ଶ ଅନୁରୂପ ଏକ ନୂଆ ପ୍ରସ୍ତାବ ଗ୍ରହଣ କରିଥିଲେ । କିନ୍ତୁ, ଏହି ପ୍ରସ୍ତାବକୁ ମନ୍ତ୍ରୀମଣ୍ଡଳର ସମ୍ପୂର୍ଣ ଅଜ୍ଞାତରେ ଅଳିଆ ଗଦାକୁ ଫିଙ୍ଗିଦିଆଯାଇ ନୂଆ ଧାରା ୪-କ ପ୍ରଣୀତ ହେଲା ସେହି ୨୬।୧୨।୨୦୧୭ର ପ୍ରମାଦପୂର୍ଣ ପ୍ରସ୍ତାବ ଉପରେ । ଏବଂ ଏପରି କଲାବେଳେ, ଚିଠା ପ୍ରସ୍ତୁତକାରୀମାନେ ସେହି ପ୍ରମାଦପୂର୍ଣ ପ୍ରସ୍ତାବକୁ ବି ମନ୍ତ୍ରୀମଣ୍ଡଳରେ ସମ୍ପୂର୍ଣ ଅଜ୍ଞାତରେ ବିକୃତ କରିଥିଲେ ଓ ୧।୫।୨୦୧୮ ତାରିଖରେ ରାଜ୍ୟ ବିଧାନସଭାକୁ ମନ୍ତ୍ରୀମଣ୍ଡଳର ପ୍ରସ୍ତାବ ସମ୍ପର୍କରେ ସମ୍ପୂର୍ଣ ମିଥ୍ୟାକଥା କହି ୨୦୧୮ର ପ୍ରଥମ ସଂଶୋଧନ ପାରିତ କରା ହୋଇ ୪-କ ଖଞ୍ଜା ହୋଇଥିଲା । ସରକାର ବୁଝିଲେ ଯେ, ଭୁଲ ହୋଇଗଲା । ମାତ୍ର ଏହି ଭୁଲକୁ ଏକ ସାନି ଭୁଲ ଦ୍ଵାରା ସଶକ୍ତିକୃତ କରାଗଲା ୧୯।୯।୨୦୧୮ ତାରିଖରେ ୨୦୧୮ର ୨ୟ ସଂଶୋଧନ ଦ୍ଵାରା !

ପ୍ରସ୍ତାବିତ ଭାଷା ନିଯମାବଳୀ ସଂଶୋଧନରେ ଯେଉଁ ନିୟମ ୫-କ ଯୋଡିବାକୁ ରାଜ୍ୟପାଳଙ୍କ ଅନୁମୋଦନ ଲୋଡ଼ାଯାଇଛି ତାହା ଭାଷା ଆଇନର ଏହି ଆଜନ୍ମ ଅଶୁଦ୍ଧ ୪-କ ଧାରା ଉପରେ ହିଁ ଆଧାରିତ । ଏହି ସଙ୍କଟାବର୍ତ୍ତରୁ ଓଡିଶା ସରକାରୀ ଭାଷା ଆଇନ କିପରି ଉଦ୍ଧାର ହେବ ତାହା ହିଁ ଆଜିର ଆହ୍ଵାନ ।

ଭାଷା ଆନ୍ଦୋଳନକୁ ଭାଙ୍ଗି ନ ପାରିବାରୁ ଅର୍ଥମନ୍ତ୍ରୀ ଶଶି ବେହେରା ଟିକଟ ହରାଇଲେ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଭାଷା ଆନ୍ଦୋଳନକୁ ଭାଙ୍ଗି ନ ପାରିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉପରେ ଏତେ ବିରକ୍ତ ଯେ, ବିଜେଡି ଟିକଟରେ ବିଧାନସଭାକୁ ଆସିବା ବାଟ ତାଙ୍କ ପାଇଁ ବନ୍ଦ ହୋଇଯାଇଛି । ଅର୍ଥମନ୍ତ୍ରୀ ବେହେରଙ୍କୁ ନବୀନବାବୁଙ୍କ ମନ୍ତ୍ରୀମଣ୍ଡଳରେ ସବୁଠୁ ଶକ୍ତିଶାଳୀ ମନେକରାହେଉଥିଲା । ତାଙ୍କ ଉପରେ ରୋଷ ହେତୁ ତାଙ୍କ ନିଜ ନିର୍ବାଚନମଣ୍ଡଳୀରେ ଅରବିନ୍ଦ ଢାଲିଙ୍କୁ ପ୍ରାର୍ଥୀ କରାଇଛନ୍ତି ନବୀନ ବାବୁ ଏବଂ ଶଶିବାବୁ ଯେ ତାଙ୍କ ବିଶ୍ଵାସ ହରାଇ ସାରିଛନ୍ତି – ଏହି ଧାରଣା ବଳବତ୍ତର ହୋଇଛି ।

ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ଅଧକୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ବିଶ୍ଵସ୍ତ ପ୍ରକାଶ । ପ୍ରଦ୍ୟୁମ୍ନ ଶତପଥି ଓ ପବିତ୍ର ମହାରଥାଙ୍କ ସହାୟତାରେ ଭାଷା ଆନ୍ଦୋଳନକୁ ଭାଙ୍ଗି ଦେବା ପାଇଁ ଏହି ଅର୍ଥ ବ୍ୟୟ କରାଯାଇଥିଲେ ବି ଆନ୍ଦୋଳନ ଭାଙ୍ଗି ନହିଁ , ଚାଲିଛି । ପ୍ରତିଦିନ ଦୁଇଜଣ ଭାଷାପ୍ରାଣ ଓଡ଼ିଆ କଳା ପତାକା ଧରି ଘୋଷଣାନାମା ସହ ବିଧାନସଭା ସମ୍ମୁଖସ୍ଥ ମନୀଷୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରୁ ରାଜଭବନ ସମ୍ମୁଖସ୍ଥ କୁଳବୃଦ୍ଧ ମଧୁସୂଦନଙ୍କ ବିଜେସ୍ଥଳୀ ପର୍ଯ୍ୟନ୍ତ ଆସୁଛନ୍ତି ।

କୌଣସି ଆଇନ ଉଲ୍ଲଂଘନ ନ କରି ଆଇନ ବଦଳାଇବାକୁ ଏକ ଆଇନସମ୍ମତ ସରକାରକୁ ପ୍ରବର୍ତ୍ତାଇବାପାଇଁ ସ୍ଵଳ୍ପସଙ୍ଖ୍ୟକ ବ୍ୟକ୍ତି ବି କିପରି ସକ୍ଷମ ହୋଇପାରନ୍ତି ଏହି ଆନ୍ଦୋଳନ ତାର ଏକ ସଫଳ ପରୀକ୍ଷଣ ।

ମୋର ମାନସପ୍ରସୂତ ଏହି ପଦ୍ଧତ୍ତି ମୁଁ ପ୍ରଥମେ ପ୍ରୟୋଗ କରିଥିଲି ୧୯୮୦ ଦଶକରେ ତଦାନୀନ୍ତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନିର୍ବାଚନକାଳୀନ ପ୍ରତିଶ୍ରୁତି ଭଙ୍ଗ ବିରୁଦ୍ଧରେ ୧୯୮୦ ଦଶକର ଆଦ୍ୟଭଗରେ ।