ଭାଷା ଆନ୍ଦୋଳନ ସଫଳ ହେବ – ଏ ବିଶ୍ଵାସ ବିଫଳ ନହେବା ପରି ଲାଗୁଛି

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ସାନି ସଂଶୋଧନ ଦ୍ଵାରା ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନକୁ ନିର୍ଭୁଲ କରିବା ପାଇଁ ଭାଷା ଆନ୍ଦୋଳନର ଦାବି ସଫଳ ହେବାର ସମ୍ଭାବନା ଦେଖାଦେଇଛି । ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଲୋକ ସେବା ଭବନରେ ଆଜି ଔପଚାରିକ ଭାବେ ତାଙ୍କ ଆସନ ଗ୍ରହଣ କଲା ପରେ ଘୋଷଣା କରିଛନ୍ତି କି, ଓଡ଼ିଆ ଭାଷାରେ ଓଡ଼ିଶା ଏଥିପାଇଁ ଆବଶ୍ୟକୀୟ ଆଇନ ସଂଶୋଧନ ହେବ ।    

ପୂର୍ବବର୍ତ୍ତୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଷା ଆଇନକୁ ଅକର୍ମଣ୍ୟ କରିଦେବା ପାଇଁ ବିଧାନ ପ୍ରଣୟନ ପ୍ରକ୍ରିୟାରେ  ଜାଲିଆତି ପ୍ରୟୋଗ କରିଥିଲେ ଓ ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ମୋର ଦୁଇଜଣ ସହକର୍ମୀଙ୍କୁ ସୁପାରି ଦେଇ କିଣିଥିଲେ । କିନ୍ତୁ ଭାଷାପ୍ରାଣ ଓଡିଆ ଜାତି ନବୀନ ପଟ୍ଟନାୟକଙ୍କ ପୋଷାମନା  ଛଦ୍ମଘାତକମାନଙ୍କ ପ୍ରବଞ୍ଚନାକୁ ପ୍ରତ୍ୟାଖ୍ୟାନ କଲା ଓ କଳାପତାକା ଅଭିଯାନ ଆଗେଇ ଚାଲି ଭାଷା ଅସ୍ମିତାର ଫଲ୍ଗୁ ପ୍ରବାହିତ କଲା ସାରା ଓଡ଼ିଶାରେ, ଯାହା ଇତିହାସର ଅଳିଆ ଭିତରକୁ ନିକ୍ଷେପ କରିଛି  ନବୀନ ରାଜୁତିକୁ । ଆଜି ଏହି ମହାନ ଅଭିଯାନ ପହଞ୍ଚିଛି ନବମ ବର୍ଷର ତିନି ମାସ  ଚାରି ଦିନରେ ।  ଆଜି ହିଁ ଶ୍ରୀଯୁକ୍ତ ମାଝୀ ଭାଷା ଆଇନ ସଂଶୋଧନ ପାଇଁ ଏକ ସମ୍ଭାବନାମୟ ଘୋଷଣା କରିଛନ୍ତି । 

ଗତ ପହିଲାରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ଦେଇ ନବୀନବାବୁ ଭାଷା ଆଇନରେ ଜାଲିଆତି ଦ୍ଵାରା ଖଞ୍ଜିଥିବା ଧାରା ୪ , ଧାରା ୪କ ଓ ଧାରା ୫ ବିଲୁପ୍ତ କରିବାକୁ ଭାଷା ଆନ୍ଦୋଳନ ପକ୍ଷରୁ ମୁଁ ଦାବି କରିଥିଲି ଏବଂ ସାନି ସଂଶୋଧନ ଦ୍ଵାରା ତାକୁ ନିର୍ଭୁଲ କରିବାକୁ ଅନୁରୋଧ ଜଣାଇଥିଲି । ଆଶା କରୁଛି ଯେ, ନୂଆ ବିଧାନସଭାର ଆଗାମୀ ଅଧିବେଶନରେ ଭାଷା ଆଇନ ସଂଶୋଧନ ହେବ ଏବଂ ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ପଥରୁ ସମସ୍ତ ଅନ୍ତରାୟ ଅପସାରିତ ହେବ । 

ଭାଷା ଆନ୍ଦୋଳନର ଲକ୍ଷ୍ୟ ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ କଳାପତାକା ଅଭିଯାନ ଯଥାରୀତି ଚାଲିବ । 

ନବୀନ ସରକାରଙ୍କ ଓଡ଼ିଆ ଭାଷାଭେଳିକି

ଅଧ୍ୟାପକ ମନୋରଞ୍ଜନ ଦାସ 

ନବୀନ ସରକାରଙ୍କ ଓଡ଼ିଆ ଭାଷାପ୍ରେମ ଭେଳିକି ଦେଖି ଦେଖି ତାଟକା ଲାଗିଲାଣି । ଯେତେବେଳେ ଶ୍ରୀ ସମୀର ଦେ ତାଙ୍କ ସରକାରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଥିଲେ ସେତେବେଳେ ଏକ ସରକାରୀ ହୁକମନାମା ବାହାରିଲା ଯେ ଛାତ୍ରଛାତ୍ରୀ ଅଭାବ ଯୋଗୁଁ ରାଜ୍ୟର ୧୪୦ଟି ମହାବିଦ୍ୟାଳୟରୁ ଓଡ଼ିଆ ଭାଷାସାହିତ୍ୟ ବିଭାଗ ଉଠାଇଦିଆଗଲା । ମୁଁ ସେତେବେଳେ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟାପକ ଥାଏ ।ଏହି କଲେଜରୁ ମଧ୍ୟ ଓଡ଼ିଆ ଭାଷାସାହିତ୍ୟ ବିଭାଗରୁ ଓଡ଼ିଆ ପାସ୍ ପାଠ୍ୟକ୍ରମ ଉଠିଗଲା । ନବୀନ ସରକାରଙ୍କ ଏହି ପଦକ୍ଷେପ ବିରୋଧରେ ସାରା ରାଜ୍ୟରେ ଜନମତ ଗର୍ଜିଉଠିଲା । ଅଗତ୍ୟା ସରକାର ରାଜଧାନୀସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ମହାବିଦ୍ୟାଳୟଗୁଡିକର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଓ ରାଜ୍ୟର ବୁଦ୍ଧିଜୀବୀଙ୍କ ଏକ ମିଳିତ ଅଧିବେଶନ ଡକାଇଲେ । ଶେଷରେ ଏ ହୁକମନାମା ପ୍ରତ୍ୟାହୃତ ହେଲା । ମାତ୍ର ଢେଙ୍କାନାଳ କଲେଜରେ ଅନ୍ତର୍ଦ୍ଧାନ ହୋଇଥିବା ଓଡ଼ିଆ ପାସ୍ ପାଠ୍ୟକ୍ରମ ଆଉ ଫେରି ନଥିଲା । ଅନ୍ୟ କଲେଜ ସମ୍ପର୍କରେ ମୁଁ ଜାଣିନାହିଁ ।

ଆଜି ଶୁଣିବାକୁ ପାଇଲି ଯେ ଏବେ ଢେଙ୍କାନାଳ କଲେଜରେ ଓଡ଼ିଆ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲିଛି । ଷୋଳଜଣ ଛାତ୍ରଛାତ୍ରୀ ନାମ ଲେଖାଇ ସାରିଛନ୍ତି । ଆବଶ୍ୟକ ଅଧ୍ୟାପକ ନାହାଁନ୍ତି ।

ଗତ ଶିକ୍ଷକ ଦିବସର ଶୁଭଲଗ୍ନରେ ନବୀନ ସରକାର ତରବରିଆ ଭାବେ ଓଡ଼ିଆ ବିଶ୍ଵବିଦ୍ୟାଳୟର ଲୋକାର୍ପଣ କରିଛନ୍ତି ।ବିଶ୍ଵବିଦ୍ୟାଳୟ ପାଇଁ ଉଦ୍ଦିଷ୍ଟ ଅଟ୍ଟାଳିକା ପୂର୍ଣ୍ଣାଙ୍ଗ ହୋଇନାହିଁ ।ସତ୍ୟବାଦୀ ହାଇସ୍କୁଲ ଓ ମନ୍ଦିର ପାନ୍ଥଶାଳାରେ ବିଶ୍ଵବିଦ୍ୟାଳୟ ଚାଲିଛି ବୋଲି ଜଣାପଡିଛି ।କୁଳପତି ,କୁଳସଚିବ ଓ କିଛି ସହଯୋଗୀ ନିଯୁକ୍ତି ପାଇଥିବା ବେଳେ କେତେକ ଅଧ୍ୟାପକ ବିଭିନ୍ନ କଲେଜରୁ ଡିପ୍ଲୟମେଣ୍ଟ ହୋଇ ଅବସ୍ଥାପିତ ହୋଇଛନ୍ତି ।ଫଳରେ ସେଠାରେ ଅଧ୍ୟାପକ ଅଭାବ ଘଟିଛି ।

ବିଭିନ୍ନ ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଓଡ଼ିଆ ଭାଷାସାହିତ୍ୟ ସ୍ନାତକୋତ୍ତର ଶ୍ରେଣୀର ପାଠ୍ୟକ୍ରମ ଓ ଓଡ଼ିଆ ବିଶ୍ଵବିଦ୍ୟାଳୟର ପାଠ୍ୟକ୍ରମ ଭିତରେ ସଂଘାତ ନା ସଂହତି ରହିବ ତା’ର କଳନା ହୋଇଥିବ ନିଶ୍ଚୟ । ନହେଲେ ଓଡ଼ିଆ ବିଶ୍ଵବିଦ୍ୟାଳୟ ମାଧ୍ୟମରେ ବିପୁଳ ଅର୍ଥବରାଦ କକ୍ଷ୍ୟଚୂତ ହୋଇଯାଇପାରେ । ହୁଏତ ସଂସ୍କୃତ ବିଶ୍ଵବିଦ୍ୟାଳୟ ପରି କେବଳ ସ୍ଵାତନ୍ତ୍ର୍ୟ ଦାୟରେ ଓଡ଼ିଆ ବିଶ୍ଵବିଦ୍ୟାଳୟ ହୋଇଥାଇପାରେ ।

ଓଡିଶାରେ ମୋ ବସ୍ ସେବା ଚାଲିଛି । ସେଥିରେ ସ୍ଥାନସୂଚନା ପାଇଁ ଭଏସ୍ ଭାସିଆସେ । କଟକରୁ ଭୁବନେଶ୍ୱର ଆସିଲେ ସେହି ବିକୃତସ୍ଵରରେ ଭାସିଆସେ ଡଗରପାଳରୋଡ୍ ଓ ବାମ୍ଫକୁଡା । ଶୁଣାଯାଏ ଏହି ସ୍ଵର ଦକ୍ଷିଣୀ ସଂଯୋଜନାରେ ପ୍ରସ୍ତୁତ ହୋଇଛି ।

ଦୀର୍ଘ ଦୁଇଦଶନ୍ଧିରୁ ଊର୍ଦ୍ଧ୍ଵକାଳ ନବୀନସରକାର ଶାସନରେ ଥାଇ ମଧ୍ୟ ୧୯୫୪ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନବକୃଷ୍ଣ ଚୌଧୁରୀଙ୍କ ସମୟରେ ପ୍ରଣୀତ ଓଡ଼ିଆ କାର୍ଯ୍ୟାଳୟ ଭାଷାଆଇନ ଅଲଂଘନୀୟଭାବରେ ପ୍ରଚଳନ କରାଇ ପାରିଲେ ନାହିଁ ।ଟିଟିଲାଗଡ଼ର ଅଧିବକ୍ତା ଶ୍ରୀ ଗଜାନନ ମିଶ୍ର ଏଥିପାଇଁ ଆମରଣ ଅନଶନରେ ବସିବା ପରେ ସରକାର ଏକ ମନ୍ତ୍ରିସ୍ତରୀୟ କମିଟି ଗଠନ କରି ବିହିତ ପଦକ୍ଷେପ ନେବାକୁ ଉଦ୍ୟମ କଲେ । ଏଥିରେ ସଦସ୍ୟ ଥିବା ସାମ୍ବାଦିକ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନତିର ଆଜନ୍ମ ତ୍ରୁଟି ଠାବ କରି ତହିଁର ଅପସାରଣ ପାଇଁ ଆଇନ ସଂଶୋଧନ ଓ ନିୟମାବଳୀ ପ୍ରଣୟନର ଯେଉଁ ପ୍ରସ୍ତାବ ଓ ଚିଠା ଦେଇଥିଲେ,  ତାହା  ପ୍ରଥମଥର ପାଇଁ  ଓଡ଼ିଶା ସରକାରଙ୍କୁ ଆଇନଟିର କାର୍ଯ୍ୟକାରିତା ପଥରେ ଥିବା ଆଇନଗତ ଅନ୍ତରାୟ ସମ୍ପର୍କରେ ଅବଗତ କରାଇଥିଲା ଓ ମନ୍ତ୍ରୀସ୍ତରୀୟ କମିଟି ତାହାକୁ ସମ୍ପୂର୍ଣ୍ଣତଃ ଅନୁମୋଦନ କରିଥିଲା । ମାତ୍ର କୌଣସି ଅଜଣା ଚାପର ବଶବର୍ତ୍ତୀ ହୋଇ ନବୀନ ସରକାର ମନ୍ତ୍ରିସ୍ତରୀୟ କମିଟିର ଏହି ଅନୁମୋଦିତ ପ୍ରସ୍ତାବକୁ ଏଡେଇ ଦେଇ ଏକ ଅବୈଧ  ବିଧେୟକ ପାରିତ କରାଇ ଓଡ଼ିଶା କାର୍ଯ୍ୟାଳୟ ଭାଷାଆଇନକୁ ପଙ୍ଗୁ କରିଦେଲେ ।ଏହାକୁ ବିରୋଧ କରି ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଅଭିନବ ଭାଷା ଆନ୍ଦୋଳନ ନୀରବ କଳାପତାକା ଅଭିଯାନ ପ୍ରକ୍ରିୟାରେ ଚାଲିଥିଲେ ମଧ୍ୟ ନବୀନ ସରକାରଙ୍କ ସେଥିପ୍ରତି ଭ୍ରୂକ୍ଷେପ ନାହିଁ ।ଏହି ପ୍ରସଙ୍ଗରେ ଶ୍ରୀ ପଟ୍ଟନାୟକ ଦୁଇଖଣ୍ଡ ତଥ୍ୟଭିତ୍ତିକ ପୁସ୍ତକ ପ୍ରଣୟନ କରିଛନ୍ତି । ତାହା- ଓଡ଼ିଆ ଭାଷାକୁ ନବୀନଙ୍କ ମରଣଆଘାତଭର୍ତ୍ସନୀୟ ବିଧାନସଭା । ତଥାପି ନବୀନ ସରକାରଙ୍କ ତିଳେମାତ୍ର ଲଜ୍ଜାବୋଧ ନାହିଁ ।

ସାମ୍ବିଧାନିକ ପ୍ରାବଧାନ ଅନୁସାରେ ପ୍ରବର୍ତ୍ତିତ ରୁଲ୍ ଅଫ୍ ବିଜିନେସକୁ ବିଦଳନ କରି ମନମୁଖି ଭାବରେ ନବୀନ ସରକାର ୫-ଟି ସଚିବ ରୂପେ ଗାଲୁପେଲି ବ୍ୟକ୍ତିଗତ ସଚିବ ଶ୍ରୀ ଭି କେ ପାଣ୍ଡିଆନଙ୍କୁ ଛାୟା ମୁଖ୍ୟମନ୍ତ୍ରୀ ଭାବରେ ଉପସ୍ଥାପନ କରାଇ କ୍ଷମତା ଅଳିନ୍ଦରେ ମନ୍ତ୍ରୀ, ମୁଖ୍ୟସଚିବ ଓ ଲୋକପ୍ରତିନିଧି ମାନଙ୍କୁ ନ୍ୟୂନ କରାଇ ଦେଇଛନ୍ତି ।ଓଡ଼ିଆ ଅସ୍ମିତାର ଧର୍ଷଣ ଅଭିଯୋଗ ସତ୍ତ୍ୱେ ନବୀନ ସରକାର ନୀରବ ଓ କାର୍ଯ୍ୟାନୁଷ୍ଠାନ ବିହୀନ ହେବା ଲକ୍ଷ୍ୟ କରାଯାଉଛି ।

ନବୀନ ସରକାରଙ୍କ ମୁଖ୍ୟ ହେଉଛନ୍ତି ଶ୍ରୀ ନବୀନ ପଟ୍ଟନାୟକ । ଅବଶ୍ୟ ତାଙ୍କର ମାତୃଭାଷା ଓଡ଼ିଆ ନୁହେଁ, ପଞ୍ଜାବୀ ବା ଅନ୍ୟକୌଣସି ଭାଷା । ତଥାପି ଦୀର୍ଘ ଅବଧିପରେ ସେ ତାଙ୍କ ବ୍ୟକ୍ତିଗତ ସ୍ତରରେ ଓଡ଼ିଆ ଭାଷା ଉଚ୍ଚାରଣ କରି ପାରିଲେ ନାହିଁ । “ଆପନମାନେ କୁସିତୋ” ଭିତରେ ସୀମିତ ରହି, ଓଡ଼ିଆ ଜାତିକି ବାରିପଦା ବଦଳରେ “ବାଡିପଡା” ଓ  ଚଣ୍ଡୀଖୋଲ ବଦଳରେ  “ଚଡିଖୋଲ” କହି  ଓଡ଼ିଆ ଭାଷାକୁ ଉପହାସିତ  କରାଉଛନ୍ତି ଓ ତାମିଲ ଭାଷାଭାଷୀ ବ୍ୟକ୍ତିଗତ ସଚିବଙ୍କ  ପଦଲେହନ ପାଇଁ ପରିବେଶ ସୃଷ୍ଟି କରାଇଛନ୍ତି  ।

ସମସ୍ତ ବିରୋଧ ଭାବନାକୁ ପ୍ରଶମନ କରାଇବା ପାଇଁ ସରକାର ବିଭିନ୍ନ କୌଶଳ ଆପଣାଇଛନ୍ତି ବୋଲି କହିବା ଅତ୍ଯୁକ୍ତି ହେବନାହିଁ  ।  ବିଭିନ୍ନ ଯୋଜନା ଆରମ୍ଭ କରି ସରକାରୀ ଅର୍ଥବାଣ୍ଟି ଲୋକଙ୍କୁ ଆସକ୍ତ କରର୍ଚ୍ଛନତି; ବିଜ୍ଞାପନର ଜୁଆର ଉଠେଇ ଗଣମାଧ୍ୟମକୁ ଆୟତ୍ତ ବି କରିଛନ୍ତି  । ଯିଏ ଅଣାୟତ୍ତ କଲା ତାକୁ ବିଜ୍ଞାପନ ବନ୍ଦ କରାଇ ଅନ୍ୟ ଗଣମାଧ୍ୟମକୁ କାକୁସ୍ଥ ବନାଇଛନ୍ତି  ।

ଭାଷାବିଦ୍ଵେଷୀ ନବୀନ ସରକାର କଳାପତାକାର ଛାଇକୁ ଦେଖି ଏମିତି ଭାଷାଭେଳିକି ଦେଖାଇ ଚାଲିଛନ୍ତି । କାରଣ ଆଗରେ ନିର୍ବାଚନ ।  ସରକାରୀ ମନମୁଖି ସିଦ୍ଧାନ୍ତଜନିତ ଭ୍ରଷ୍ଟାଚାରକୁ ବୋଧହୁଏ ଆଖିରେ ରଖି ବିରୋଧୀ ନେତା ଶ୍ରୀ ଜୟନାରାୟଣ ମିଶ୍ର ମିଡିଆକୁ ସୂଚନା ଦେଲେଣି ତାଙ୍କ ଦଳ କ୍ଷମତାକୁ ଆସିଲେ ଶ୍ରୀ ପଟ୍ଟନାୟକ ଓ ଶ୍ରୀ ପାଣ୍ଡିଆନ ବନ୍ଧାହେବେ । ଏହା ସମ୍ଭବ ହେବ କି ନାହିଁ  ସମୟ କହିବ । ମାତ୍ର ନବୀନ ସରକାରଙ୍କ ଓଡ଼ିଆ ଭାଷାଭେଳିକିରେ ପଥଚ୍ୟୁତ ନା ହୋଇ ଆମେ ଓଡ଼ିଆମାନେ ନିଶ୍ଚୟ ନିଜ ମାତୃଭାଷାର ବିପତ୍ତି କାଳରେ ମୁଖ୍ୟମନ୍ତ୍ରୀଙ୍କ ଭେଳିକି ଉପରେ ସତର୍କ ଦୃଷ୍ଟି ରଖିବା ଉଚିତ ହେବ ।

ଉଠୁ ଏ ଜାତି ନାଶି ଅରାତି ପାହିବ ରାତି ଦିନେ

କୈଲାଶ ଚନ୍ଦ୍ର ସାହାଣୀ

[ଓଡ଼ିଶା ପରିଚାଳନାରେ ଓଡ଼ିଆଭାଷାଜନନୀର ଅପରିହାର୍ଯ୍ୟତା  ପାଇଁ ଆମ କବି ଓ ସାହିତ୍ୟିକମାନେ କଲମ ଚାଳନା କରିବାକୁ ଆମେ ଦେଇଥିବା ଡକରା ଯେଉଁ କତିପୟଙ୍କ ଚେତନାରେ ପ୍ରତିଧ୍ଵନିତ ହୋଇଥିଲା, ତନ୍ମଧ୍ୟରେ ଅଧ୍ୟାପକ କବି କୈଲାଶ ଚନ୍ଦ୍ର ସାହାଣୀ ଅନ୍ୟତମ । ଗତବର୍ଷ ଏଇଦିନେ ଏହା ସାମାଜିକ ଗଣମାଧ୍ୟମ ଫେସବୁକର ପୃଷ୍ଠାମଣ୍ଡନ କରିଥିଲା । ]

ଉଠୁ ଏ ଜାତି ନାଶି ଅରାତି
ପାହିବ ରାତି ଦିନେ,
ଓଡ଼ିଆ ଭାଷା ବଢିଆ ଆମ
ପଡୁ ନାହିଁକି ମନେ ।
କେତେ ମହାନ ମାଟି ସନ୍ତାନ
କହିଲେ କାନେ କାନେ ,
ମାଆର ଭାଷା ମମତା ଭରା
ଶୁଭଇ କୁହୁ ତାନେ !

ଆସରେ ଭାଇ ଏକାଠି ହୋଇ
ଲଢ଼ିବା ଭାଷା ପାଇଁ,
ଆମ ଭାଷାରେ ଶାସନ ହେବ
ପଢ଼ିବା ମନ ଦେଇ ।

କଚେରୀଠାରୁ ବିଧାନସଭା
ଓଡ଼ିଆ ଲେଖା ହେଉ ,
ସବୁରି ଘରେ ଓଡ଼ିଆ ବହି
ଥାକରେ ଶୋଭା ପାଉ ।

ଆମ ଭାଷାକୁ ମାରିବା ପାଇଁ
କାନ୍ତି ଚନ୍ଦ୍ରର ଟାଣ,
ଭାଙ୍ଗିଲେ ଦିନେ ସେନାପତି ଏ
ଫୁଟାଇ ଶବ୍ଦ ବାଣ !

ଶାସ୍ତ୍ରୀୟ ଆମ ଓଡ଼ିଆ ଭାଷା
ଭାଷାଭିତ୍ତିକ ରାଜ୍ୟ,
କେତେ ପ୍ରାଚୀନ ଭାଷା ଏ ମୋର
କରିବା ନାହିଁ ଭାଜ୍ୟ ।


ସ୍ଵେଦ ଲହୁରେ ଆଣିଛୁ କ୍ରାନ୍ତି
ମନେ ନ ଆଣ ଭ୍ରାନ୍ତି ,
ଆମର ଦାବୀ ପୂରଣ ହେଉ
ରାଇଜେ ଆସୁ ଶାନ୍ତି ।


ଓଡ଼ିଆ ଭାଷା ଲେଖି ନପାରି
ଅମଲା କାମ କଲେ,
ଦଣ୍ଡିତ ହେବା ନିଶ୍ଚିନ୍ତ ହେବ
ଆଇନ ହୋଇ ଗଲେ ।


ଗୋରା ସାହେବ ଶାସନ କାଳେ
ଭାଷା ମୋ ବଞ୍ଚିଥିଲା ,
କଳା ସାହେବ ଶାସନେ ଆଜି
ଭାଷା ମୋ ହଜି ଗଲା ।

ଆସରେ ଆସ ଓଡ଼ିଆ ଜାତି
ମନରୁ ତେଜ ଭୟ,
ସଂଗ୍ରାମ ଆଜି ହୋଇନି ଶେଷ
ଲଭିନେ ପରାଜୟ ।

କଳାପତାକା ଅଭିଯାନର
ହୋଇନି ଅନ୍ତ ଆଜି ,
ସଫଳ ଦିନେ ହେବାରେ ଆମେ
କଷଣ ଯିବ ଭାଜି ।

ମନରୁ ତେଜ ହୀନମନ୍ୟତା
ତୋଷାମଦର କଳା,
ପ୍ରାଚୀ ନଭରେ ନବୀନ ସୂର୍ଯ୍ୟ
ବଉଦ ଭେଳା ମେଳା ।

ଅନ୍ଧାର ନାଶି ଉଇଁବ ଶଶୀ
ଦିଶିବ ଧରା ତୋରା,
ଆମରି ପଣ ଅକାଟ୍ୟ ଜାଣ
ଆସୁ ଛାଇ ବା ଖରା ।

ଓଡ଼ିଆ ଜାତି ମନରେ ଆସୁ
ଶତ ସିଂହର ବଳ ,
ଏକତା ଦିନେ ଭାଙ୍ଗି ପାରିବ
ଅହଂକାରୀର କଳ ।

ଓଡ଼ିଆ ଜାତି ଛାତିରେ କାତି
ସହିବୁ କେତେ କହ ?
ଶାର୍ଦ୍ଧୃଳ ହୋଇ ଶୃଗାଳ ହେବା
ଘାରିଛି କେଉଁ ମୋହ !

ଓଡ଼ିଆ ଭାଷା ମାଟିର ଭାଷା
ସକଳ ଓଠେ ଖେଳୁ ,
ଲେଖା ପଢ଼ାରେ ଗପ ଗୀତରେ
ଓଡ଼ିଆ ଜାତି ମିଳୁ !

ଜୀବନ ଧନ ଅଢେଇ ଦିନ
ବଡେଇ କାହିଁ ପାଇଁ,
ପାଣି ଫୋଟକା ଯିବ ମିଳାଇ
ମିଛରେ ହାଇଁ ପାଇଁ ।


ଆସୁ ସୁଦିନ ଏ ଅଭିମାନ
ଟିକିଏ ବଞ୍ଚିଥାଉ ,
ଓଡ଼ିଆ ବୋଲି ଗର୍ବ ଆମର
ଅଛନ୍ତି ମହାବାହୁ !!

ତା ୨୫,୦୮,୨୦୨୨ @କୈଳାସ ଚନ୍ଦ୍ର ସାହାଣୀ

ରଞ୍ଜନଙ୍କ ହତ୍ୟାକାରୀ ଧରା ପଡ଼ିବାର ଆଶା ଅଙ୍କୁରୁଛି

ବିଶେଷ ସୂତ୍ରରୁ 

ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିପରି ସୁପାରି ଦେଇଥିଲେ ତାହାର ସବିଶେଷ ତଥ୍ୟ ବାରମ୍ବାର ପ୍ରକାଶିତ ହୋଇଛି ନଭମଞ୍ଚରେ ଓ ‘ଦାନାର ତୋବଡ଼ା’ ଶୀର୍ଷକ ପୁସ୍ତକରେ । ମୁଖ୍ୟମନ୍ତ୍ରୀଙ୍କ ଏହି କୁତ୍ସିତ ଷଡ଼ଯନ୍ତ୍ର ବ୍ୟର୍ଥ ହୋଇଯାଇଥିଲା ଓଡ଼ିଶା ସୂଚନା ଅଧିକାର ଅଭିଯାନର ବିଶିଷ୍ଟ ଦିଗ୍ଗଜ ତଥା ଭାଷା ଆନ୍ଦୋଳନର କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ରଞ୍ଜନ କୁମାର ଦାସଙ୍କ ପ୍ରଚଣ୍ଡ ସାଙ୍ଗଠନିକ ବିକ୍ରମରେ । ସାଇକଲରେ ଭାଷାଜନନୀର ‘କଳାପତାକା’ ବାନ୍ଧି ସାରା ଓଡ଼ିଶା ପରିଭ୍ରମଣ କରି ସର୍ବତ୍ର ଭାଷା ଆଂଦୋଳନର ବାର୍ତ୍ତା ପହଞ୍ଚାଇବାକୁ ସେ ଯେଉଁଦିନ ବାହାରିବାର ଥିଲା, ତହିଁର ଚାରିଦିନ ପୂର୍ବରୁ ତାଙ୍କୁ ହତ୍ୟାକରାଯାଇଥିଲା । ସ୍ଥାନୀୟ ଲୋକେ ସନ୍ଦେହ କରୁଥିଲେ ଯେ, ସୂଚନା ଅଧିକାର ପ୍ରୟୋଗ କରି ସେ ବହୁ ଦୁର୍ନୀତି ଉପରୁ ପର୍ଦ୍ଦା ଅପସାରଣ କରିଥିବା ହେତୁ ତଦ୍ଦ୍ଵାରା ଅପଦସ୍ତ ହୋଇଥିବା ସେହି ଅଞ୍ଚଳର ମାଫିଆ ରାଜନେତା ତାଙ୍କୁ ହତ୍ୟା କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ପୋଲିସ ବିସ୍ମୟଜନକ ଭାବେ ଉଦାସୀନ ରହିବା ଏହି ସନ୍ଦେହକୁ ଡୃଢ଼ତର କରିଥିଲା ।

ହତ୍ୟାକାରୀକୁ ଧରିବା ପାଇଁ ଓଡ଼ିଶା ସରକାର କୌଣସି ବିଶ୍ଵାସଯୋଗ୍ୟ ଉଦ୍ୟମ ନକରିବାରୁ ଅଞ୍ଜନଙ୍କ ବାପା ଓଡ଼ିଶା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ଏଥିପ୍ରତି ଗଭୀର ଦୃଷ୍ଟିପାତ କରି ‘କ୍ରାଇମ ବ୍ରାଞ୍ଚ’ ମାଧ୍ୟମରେ ସାନି ତଦନ୍ତ ପାଇଁ ହାଇକୋର୍ଟ ଗତକାଲି ଆଦେଶ ଦେଇଛନ୍ତି । ଫଳରେ ରଞ୍ଜନଙ୍କ ହତ୍ୟାକାରୀ ଧରା ପଡ଼ିବାର ନୂଆ ଆଶା ଅଙ୍କୁରିଛି । ସୂଚନା ଅଧିକାର ଅଭିଯାନ ଓ ଭାଷା ଆନ୍ଦୋଳନ ମାନ୍ୟବର ହାଇକୋର୍ଟଙ୍କ ଏହି ଆଦେଶକୁ ସ୍ଵାଗତ ଜଣାଇଛନ୍ତି ।

ଏ ଭିତରେ ରଞ୍ଜନଙ୍କ ବାପା ଓ ବୋଉ ଅତ୍ୟନ୍ତ ଅସହ୍ୟ ଦୁଃଖ ଭୋଗି ଭୋଗି ଆଖି ବୁଜିସାରିଛନ୍ତି । କହିବାକୁ ହେବ ଯେ, ରଞ୍ଜନଙ୍କ ହତ୍ୟାକାରୀ, କ୍ଷମତାସୀନ ରାଜନେତା ଓ ଓଡ଼ିଶା ପୋଲିସ ମିଳିମିଶି ରଞ୍ଜନଙ୍କ ଜନ୍ମଦାତ୍ରୀ, ଜନ୍ମଦାତାଙ୍କୁ ଦୁଃଖ ଜଳଧିରେ ବୁଡେଇ ବୁଡେଇ ମାରିଦେଇଛନ୍ତି ।

ଆଶା କରାଯାଉଛି, କ୍ରାଇମ ବ୍ରାଞ୍ଚ ନିଜକୁ କ୍ଷମତାସୀନଙ୍କ ଦ୍ଵାରା ପ୍ରଭାବିତ ହେବାକୁ ନଦେଇ ରଞ୍ଜନଙ୍କ ହତ୍ୟାକାରୀକୁ ଧରି ମା ଓଡ଼ିଶାକୁ , ଓଡ଼ିଆଭାଷାଜନନୀକୁ ଶାନ୍ତି ଦେବ ଏବଂ ଦୁଃଖରେ ପ୍ରାଣତ୍ୟାଗ କରିଥିବା ରଞ୍ଜନଙ୍କ ବାପା ଓ ବୋଉଙ୍କୁ ମରଣୋତ୍ତର ସାନ୍ତ୍ଵନା ପ୍ରଦାନ କରିବ ।

 

ବିଜୁ ପଟ୍ଟନାୟକଙ୍କ ବିରୁଦ୍ଧରେ ମରଣୋତ୍ତର ଦେଶଦ୍ରୋହ ମକଦ୍ଦମା ଆବଶ୍ୟକ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ ୧୯୫୪ (The Orissa Official Language Act ,1954) ସଂକ୍ଷେପରେ ଭାଷା ଆଇନ କାର୍ଯ୍ୟକାରୀ ହେବାକୁ ଆବଶ୍ୟକୀୟ ଅଧିସୂଚନାର ଅପେକ୍ଷା ରଖିଥିବା ବେଳେ ତାହା ଜାରି ନ କରି ଅସାମ୍ବିଧାନିକ ସଂଶୋଧନ ଦ୍ଵାରା ୧୯୬୩ରେ କବର ତଳୁ ଇଂରାଜୀ ଭାଷାକୁ ଉଠାଇ ଆଣି ଓଡ଼ିଆ ଜାତିର ଭାଷା ଅଧିକାରକୁ ପ୍ରଥମ ମରଣଆଘାତ ଦେଇଥିବା ବିଜୁ ପଟ୍ଟନାୟକଙ୍କ ବିରୁଦ୍ଧରେ ଦେଶଦ୍ରୋହ ଅପରାଧରେ ମରଣୋତ୍ତର ମକଦ୍ଦମା ଆରମ୍ଭ ନ ହେଲେ ବହୁ ଜ୍ଞାତବ୍ୟ ସତ୍ୟ ଲୁକାୟିତ ହୋଇ ରହିଯିବ । 

ବ୍ରିଗେଡ଼ିଅର ଜନ୍ ଡେଲ୍ଭି (John Delvi) ତାଙ୍କ ପ୍ରସିଦ୍ଧ ପୁସ୍ତକ ହିମାଳୟାନ୍ ବ୍ଲଣ୍ଡର (Himalayan Blunder)ରେ ଉଲ୍ଲେଖ କରିଛନ୍ତି ଯେ, ଭରତ ୧୯୬୨ ଚୀନ ଯୁଦ୍ଧରେ ପରାଭୂତ ହୋଇ ଅନ୍ୟୁନ୍ୟ ୧୧୦୦୦ ବର୍ଗ କିଲୋମିଟର ମାଟି ହରାଇଲା, କାରଣ ଯୁଦ୍ଧକ୍ଷେତ୍ରରେ ତଡ଼ିତ୍ ବେଗରେ ପହଞ୍ଚିଥିବା ସୈନିକମାନଙ୍କ ପାଖରେ ସେହି ବରଫାବୃତ୍ତ ପାର୍ବତ୍ୟ ଇଲାକାରେ  ଅତ୍ୟାବଶ୍ୟକ  ଶୀତବସ୍ତ୍ର , ବରଫ-ଯୋତା, ବରଫ-ଚଷମା ପହଞ୍ଚି ପାରିଲା ନାହିଁ । ଏହି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୁଦ୍ଧକ୍ଷେତ୍ରରେ ପହଞ୍ଚାଇବାକୁ ଠିକା ନେଇଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବନି ପ୍ରଧାନମନ୍ତ୍ରୀ ନେହେରୁଙ୍କ ମନ ଜିଣିଥିବା ବିଜୁ ପଟ୍ଟନାୟକ । କିନ୍ତୁ ସେ ସେହି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀକୁ ନେଫା ରଣକ୍ଷେତ୍ରରେ ନ ପହଞ୍ଚାଇ ଚୋରାବଜାରରେ ବିକି ପ୍ରଚୁର ଅର୍ଥ ଉପାର୍ଜନ କରିଥିବା ବେଳେ, ବରଫାବୃତ୍ତ ଅଞ୍ଚଳରେ ଜୀବନ ରକ୍ଷା ପାଇଁ ଅତ୍ୟାବଶ୍ୟକୀୟ ସେହି ସାମଗ୍ରୀଗୁଡ଼ିକ ନପାଇ ଆମ ସୈନ୍ୟମାନେ ଚୀନସେନାର ସାମ୍ନା କରିପାରିଲେନି, ବହୁ ପରିମାଣରେ ହାହାକାର କରିକରି ମଲେ, ଆମେ ହାରିଗଲେ , ଡେଲ୍ଭିଙ୍କ ହିସାବରେ ଆମ ମାତୃଭୂମିର ୧୧୦୦୦ ବର୍ଗ କିଲୋମିଟର ଚୀନ ପାଦତଳେ ଚାପି ହୋଇରହିଗଲା  । (Lok Sabha Debates (V) (1967) 7980-7990) ।  

ଏହି ଘଟଣାର ତଦନ୍ତ ପାଇଁ ନିଯୁକ୍ତ କାଟଜୁ କମିଶନ କଳିଙ୍ଗ ଏୟାର ଲାଇନ୍ସ ମାଧ୍ୟମରେ ବିଜୁ କରିଥିବା ଦେଶ ବିରୋଧୀ ଅପରାଧମାନଙ୍କର ଏକ ଲମ୍ବା ତାଲିକା ସବିଶେଷ ବିବରଣୀ ସହ ଦାଖଲ କରିଥିଲେ । ମାତ୍ର ତାହାକୁ ସମ୍ପୂର୍ଣ୍ଣତଃ ସଂସଦରେ ରଖାଯାଇନଥିଲା । ଅଥଚ ଏହି ଦେଶଦ୍ରୋହୀ କାମ ସତ୍ତ୍ୱେ ବିଜୁ କେନ୍ଦ୍ର ସରକାରଙ୍କଠାରୁ ବିପୁଳ ପରିମାଣର ଟଙ୍କା କଳିଙ୍ଗ ଏୟାର ୱେଜ @ କଳିଙ୍ଗ ଏୟାର ଲାଇନ୍ସ ପାଇଁ ନେଇଥିଲେ  (୨୫.୧.୧୯୬୩ରେ ଲୋକସଭାରେ ସୁରେନ୍ଦ୍ରନାଥ ଦ୍ଵିବେଦୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉତ୍ତର)।  ଅଟଳ ବିହାରୀ ବାଜପେଯୀଙ୍କ ୭୮୫ ସଂଖ୍ୟକ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ଦେଇ  ୨୮.୬.୧୯୬୨ ତାରିଖରେ ତଦାନୀନ୍ତନ ଗୃହ ରାଷ୍ଟ୍ରମନ୍ତ୍ରୀ ବିଦ୍ୟାଚରଣ ଶୁକ୍ଲା ସ୍ଵୀକାର କରିଥିଲେ ଯେ କଳିଙ୍ଗ ଏୟାର ୱେଜ ନାନା ଠକାମି ଓ ଜାଲିଆତି କରିଥିବା ସଂସଦର ପବ୍ଲିକ ଆକାଉଣ୍ଟସ କମିଟି ଧରିଛି । ଏପରିକି ଯୁଦ୍ଧ ଚାଲିଥିବା ବେଳେ ସନ୍ଦେହାତ୍ମକ ଭାବେ ଅଜଣା ଲୋକଙ୍କୁ ଧରି ତାଙ୍କ ବିମାନ ୧୬୦୦ ଥର ଉଡ଼ାଣ କରିଥିଲା ବୋଲି ଜଣା ପଡ଼ିଥିଲା । ଏହା ଜଣା ପଡ଼ିଲା ପରେ କେହି ଜଣେ ଅଜ୍ଞାତ ପଦାଧିକାରୀ ୧୬୦୦କୁ ୨୦୦ରେ ବଦଳାଇଥିବା ବି ଜଣା ପଡ଼ିଥିଲା । ଏହି ଜାଲିଆତି କିଏ କରିଛି ବୋଲି ସାଂସଦ ଜି. ଜି. ସ୍ଵେଲ୍ ଯେଉଁ ପ୍ରଶ୍ନ କରିଥିଲେ ଶୁକ୍ଲା ତାହା ବି ତଦନ୍ତରେ ଜଣା ପଡ଼ିବ ବୋଲି କହିଥିଲେ ।  ସବୁ ଚାପିଡିଆଗଲା । 

ବିଜୁଙ୍କ ଏୟାର ୱେଜର ଗୋଟାଏ ପରେ ଗୋଟେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଧ୍ଵଂସ ହୋଇଚାଲିଲା । ସେସବୁରେ ଥିବା ବିଜୁଙ୍କ ଦେଶଦ୍ରୋହର କାର୍ଯ୍ୟନିର୍ବାହୀ ବିମାନଚାଳକ ଓ ସେମାନଙ୍କ ସହାୟକମାନେ ମରଣ କବଳକୁ ଠେଲି ହୋଇଗଲେ । 

ଭାରତର ସଂସଦ ବିଜୁଙ୍କ ଏହି ଅପରାଧ ହେତୁ ପଡ଼ିଥିଲା ଉଠିଥିଲା । ବିତର୍କରେ ଯେଉଁସବୁ  ବିବରଣୀ ଆସିଲା , ବିଜୁଙ୍କ ବିରୁଦ୍ଧରେ ଦେଶଦ୍ରୋହ ଅପରାଧରେ ଆପରାଧିକ ଅଭିଯୋଜନ ( prosecution for sedition) ପାଇଁ  ତାହା ଥିଲା ଯଥେଷ୍ଟ । ମାତ୍ର କାଳେ ବିଜୁଙ୍କୁ ଅହେତୁକ କରୁଣା ପ୍ରଦର୍ଶନ ପାଇଁ ନେହେରୁ ମଧ୍ୟ ବିଚାରଭୁକ୍ତ ହେବେ, ଏହି କାରଣରୁ ବିଜୁଙ୍କୁ ତତ୍କାଳୀନ କଂଗ୍ରେସ ସରକାର ଘଣ୍ଟ ଘୋଡେଇ ରଖିଦେଲା । 

କିନ୍ତୁ ଆମେ ଚାହୁଁ ସତ୍ୟ ପଦାକୁ ଆସୁ । ଆମ ଭାଷାକୁ ପ୍ରଥମ ମରଣଆଘାତ ଦେଇଥିବା ବିଜୁ ପଟ୍ଟନାୟକ ଚୀନ ଆକ୍ରମଣ କାଳରେ କରିଥିବା ଦେଶଦ୍ରୋହ ପାଇଁ ମରଣୋତ୍ତର ଦଣ୍ଡ ପାଇବା ଦରକାର ।  ସତ୍ୟକୁ ଜନସାଧାରଣଙ୍କ ସମ୍ମୁଖରେ ରଖିବା ପାଇଁ କେନ୍ଦ୍ରର ବିଜେପି ସରକାର ୨୮.୬.୧୯୬୨ରେ ଅଟଳ ବିହାରୀ ବାଜପେୟୀ ପାଇନଥିବା ଉତ୍ତର ଖୋଜି ବାହାର କରୁ ।