ପ୍ରତିଜ୍ଞା ଟିଭିରେ ଭାଷା ପାଇଁ ଓଡ଼ିଆର ଲଢ଼େଇ: ଭାଙ୍ଗିଯିବ ବଇରୀଙ୍କ ବଡ଼େଇ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ସଂଶୋଧନ ଆଳରେ ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ, ୧୯୫୪କୁ ସବୁଦିନପାଇଁ ଅକର୍ମଣ୍ୟ କରିଦେବାକୁ ତହିଁରେ ଧାରା ୩କକୁ କାଏମ ରଖି ଧାରା  ୪ ଓ ଧାରା ୪କ ପରି ଯେଉଁ କ୍ଷତିକାରକ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ ଖଞ୍ଜିଛନ୍ତି ତାହା ଓଡ଼ିଆ ଜାତିର ଆଜନ୍ମ ବଇରୀ ହିଁ କେବଳ କରିପାରେ ।  ସେ ତାହା କରିଛନ୍ତି । କାରଣ ବାବୁ ନବୀନ ପଟ୍ଟନାୟକ ଜଣେ ଆଜନ୍ମ ଓଡ଼ିଆ ବିରୋଧୀ ବ୍ୟକ୍ତି । ତାଙ୍କ ବାପା ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ଓଡିଶା ସରକାରୀ ଭାଷା ଆଇନକୁ ଅତି ଅନଧିକୃତ ଭାବେ ୧୯୬୩ରେ ସଂଶୋଧିତ କରି ଇଂରାଜୀ ଭାଷାକୁ ବିଧାନସଭାରେ ସରକାରୀ ଭାଷା କରାଇଦେଇଥିଲେ, ଯାହା ଓଡ଼ିଆ ଭାଷାକୁ ପ୍ରଶାସନିକ କ୍ଷେତ୍ରରେ ବସ୍ତୁତଃ ଅଚଳ କରିଦେଇଛି । ପିତାଙ୍କ ପଥ ଅନୁସରଣ କରି ନବୀନ ବାବୁ ବି ଓଡ଼ିଆ ଭାଷାକୁ ମୁମୂର୍ଷୁତର କରାଇଛନ୍ତି । ଏପରିକି, ଗତ ବିଧାନସଭାରେ ପୁନଶ୍ଚ ଏକ ସଂଶୋଧନ ଆଣି ମୂଳ ଭାଷା ଆଇନକୁ ମଧ୍ୟ ଅକାମି କରିଦେଇଛନ୍ତି । ଏହା ବିରୁଦ୍ଧରେ ମୁଁ ତାଙ୍କୁ ପତ୍ର ଲେଖି ପ୍ରତିକାର ଦାବି କଲାପରେ, ଭାଷା ଆନ୍ଦୋଳନକୁ ଗଳା ମୋଡ଼ି ମାରିଦେବା ପାଇଁ , ଆନ୍ଦୋଳନର କଳାପତାକା ଧରିବାକୁ ଯେଉଁ ଦୁଇଜଣ ବ୍ୟକ୍ତି ସହଯୋଗୀ ଯୋଗାଡ଼ କରୁଥିଲେ ସେହି ଦୁଇଜଣଙ୍କୁ କାବୁ କରି ନେଇଛନ୍ତି । ସାରା ଓଡିଶା ଏହି ହୀନ ଚକ୍ରାନ୍ତ ବିରୁଦ୍ଧରେ ଜାଗି ଉଠିଛି ।

ଏହି ଚକ୍ରାନ୍ତକୁ ଅତ୍ୟନ୍ତ ଦୃପ୍ତତାର ସହ ବ୍ୟର୍ଥ କରିଦେଇଛନ୍ତି କେନ୍ଦ୍ରାପଡ଼ାର ଶ୍ରୀ ରଞ୍ଜନ କୁମାର ଦାସ ଓ ତାଙ୍କ ସହଯୋଗୀ ସର୍ବଶ୍ରୀ ଆଳୟ ସାମନ୍ତରାୟ, ଜିତେନ୍ଦ୍ର କୁମାର ସାହୁ , ନରେଶ ବେଉରା, ନବକିଶୋର ଦାସ, ଆଶିଷ ଖଟୁଆ, ସୂର୍ଯ୍ୟପ୍ରକାଶ ପାଣି ଓ ପ୍ରତାପ ମହାନ୍ତି । ସେମାନେ କୁଳଗୌରବ ମଧୁସୂଦନଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରୁ ଆନ୍ଦୋଳନର କଳାପତାକା ସହ ପାଦରେ ଚାଲି ଚାଲି ଭୁବନେଶ୍ଵରରେ ପହଞ୍ଚି ଓଡ଼ିଶାର ଏହି ନବଜାଗୃତିର ସ୍ଵାକ୍ଷର ରଖିଛନ୍ତି ଏବଂ ଛନକା ସୃଷ୍ଟିକରିଛନ୍ତି ଭାଷା ବିଦ୍ଵେଷୀ ନବୀନ ସରକାରଙ୍କ ଛାତିରେ ।  ସରକାରୀ ଚାପରେ ଓଡ଼ିଶାର ସମସ୍ତ ଗଣମାଧ୍ୟମ ଓଡ଼ିଆ ଜାତିର ଏହି ଶ୍ରେଷ୍ଠ ଲଢ଼େଇର ଦୃଶ୍ୟପଟକୁ ଲୋକଲୋଚନରୁ ଦୂରେଇ ରଖିଥିବା ବେଳେ ଭାଷା ଆନ୍ଦୋଳନର ଛତ୍ରପୁର ଶାଖା ସଂଚାଳକ ତଥା ଯୁବସାମ୍ବାଦିକ ସୌମ୍ୟରଂଜନ ନାୟକ ସାମାଜିକ ଗଣମାଧ୍ୟମ ଫେସ ବୁକରେ ଏହାର ସିଧା ପ୍ରସାରଣ କରିଥିଲେ । ଅତ୍ୟନ୍ତ ସୁଖର କଥା, ସାଧାରଣ ଲୋକର ନିଶଙ୍କ ସ୍ଵର ଭାବେ ସୁଖ୍ୟାତି ଅର୍ଜନ କରିଥିବା ପ୍ରତିଜ୍ଞା ଟିଭି ସୌମ୍ୟଙ୍କ ବିବରଣୀକୁ ଓଡ଼ିଆ ଜାତି ସ୍ଵାର୍ଥରେ ବିଶ୍ଵାର୍ପିତ କରିଛି । ଆମେ ଆଶା କରୁଛୁ, ଓଡ଼ିଆ ଜାତିର ବଇରୀଙ୍କ ବଡ଼େଇ ଭାଙ୍ଗିବାରେ ଏହା ସହାୟକ ହେବ ।

ଓଡ଼ିଶା ସୃଷ୍ଟିର ଏକଇ ଉଦ୍ଦେଶ୍ୟ

ଲୋକପ୍ରିୟ ଦୈନିକ ସର୍ବସାଧାରଣରେ ଉତ୍କଳ ଦିବସ ଉପଲକ୍ଷେ ଦୁଇ କିସ୍ତିରେ ପ୍ରକାଶିତ ଏହି ନିବନ୍ଧ ‘ଉତ୍କଳ ଦିବସ : କାହିଁକି ଏ ପ୍ରଦେଶ ?’ ଶୀର୍ଷକରେ ଏହି ନଭମଞ୍ଚରେ ପୂର୍ଣ୍ଣତଃ ପ୍ରକାଶିତ (ପ୍ରତିବେଦକ)

ସରକାର ଭେଳିକି ଦେଖାଇବା ବନ୍ଦ କରନ୍ତୁ : ଭାଷା ଆନ୍ଦୋଳନ , ଓଡ଼ିଶା

ଆଇନ ଅମାନ୍ୟ ଏକ ଦଣ୍ଡନୀୟ ଅପରାଧ – ଏତିକି ବୁଝିବାକୁ ମୁଖ୍ୟମନ୍ତ୍ରୀଙ୍କର ଯଦି ଦକ୍ଷତା ଥାନ୍ତା ତେବେ ଓଡିଶା ସରକାରୀ ଭାଷା ଆଇନର ଉଲ୍ଲଙ୍ଘନ ବିରୁଦ୍ଧରେ ଦଣ୍ଡବିଧାନ ପାଇଁ ଭାଷା ଆନ୍ଦୋଳନର କଳାପତାକା ଅଭିଯାନ ସାତଶହ ଦିନ ଅତିକ୍ରମ କଲା ପରେ ରାଜ୍ୟ କ୍ୟାବିନେଟ ବୁଧବାର ପୁନଶ୍ଚ ଓଡ଼ିଆ ଜାତିକୁ ଭେଳିକି ଦେଖାଇବାକୁ ସାହସ କରିନଥାନ୍ତା ବୋଲି ଭାଷା ଆନ୍ଦୋଳନ , ଓଡ଼ିଶାର ନେତୃତ୍ବ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ଆନ୍ଦୋଳନର ପ୍ରେସ ଵିଜ୍ଞପ୍ତି ପୂର୍ଣ୍ଣତଃ ସ୍ଥାନିତ ହେଲା ।

ଭାଷା ଆନ୍ଦୋଳନ ପ୍ରତି ‘ସମ୍ପର୍କ ମିଡ଼ିଆ’ର ସୁଦୃଢ଼ ସମର୍ଥନ : ଅଧ୍ୟକ୍ଷଙ୍କୁ “କୁଳ ତିଳକ” ଉପାଧି

 

 

 

‘ସମ୍ପର୍କ ମିଡ଼ିଆ’ ପକ୍ଷରୁ ଜୟ ଦେବ ଭବନ (ସୂଚନା ଭବନ) ସମ୍ମିଳନୀ କକ୍ଷରେ ଗତ ରବିବାର ଭାଷା ଆନ୍ଦୋଳନ, ଓଡ଼ିଶାର ଅଧ୍ୟକ୍ଷ ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କୁ “କୁଳ ତିଳକ” ଉପାଧିରେ ଭୂଷିତ କରାଯାଇଛି ∣

ଏହି ଉପାଧିର ମାନପତ୍ରରେ ଲେଖା ଅଛି :

ମହାଶୟ, ଆପଣ ସାମ୍ବାଦିକତାକୁ ଜୀବନର ବ୍ରତ କରି, କଲମ ମୁନରେ ବିଂଦୁଏ ସତ୍ୟର ଠିକଣା ଅଙ୍କିବାରେ ବାରମ୍ବାର ଯେଉଁ ଦୁଃସାହାସୀକତାର ପରିଚୟ ଦେଇଛନ୍ତି, ତା’ର ପଟାନ୍ତର ନାହିଁ ∣ ସତ୍ୟ, ନ୍ୟାୟ , ସାହସ , ପରୋପକାର, ସମାଜ ସେବା ଓ ଓଡ଼ିଆ ଭାଷାର ସୁରକ୍ଷା ଦିଗରେ ଆପଣ ନିଷ୍ଠାପରତାର ସହ ଉଦ୍ୟମ କରି ଆମ ମାତୃଭାଷାକୁ ସୁରକ୍ଷା କରିବାରେ ଆମ ପାଇଁ ଯେଉଁ ସଫଳତା ଆଣି ଦେଇଛନ୍ତି , ତାହା ନିଶ୍ଚିତ ଏ ଜାତିର କପାଳରେ ଭାଗ୍ୟରେଖାଟିଏ ହୋଇରହିବ ∣ ସର୍ବ ଗୁଣର ସମାହାର , ସର୍ବ ଜ୍ଞାନର ସଂଯୋଗ , ସବୁ ପ୍ରତିଭା ସମଷ୍ଟିର ଅନନ୍ୟ ଉଦାହରଣ ଆପଣ ∣ ଆପଣ ତ୍ୟାଗପୂତ ଜୀବନ ଯାପନ ପୂର୍ବକ ମାନବ ଜାତିର ମଙ୍ଗଳ କାମନା କରିବାରେ ସାମାନ୍ୟତମ ଅବହେଳା ମଧ୍ୟ କରିନାହାନ୍ତି ∣ ଜଣେ ସୁସଂଗଠକ, ପରୋପକାରୀ, ସଂସ୍କୃତିପ୍ରେମୀ, ସମାଜସେବୀ ଓ ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର ବିନ୍ଧାଣୀ ଭାବେ ଦୀର୍ଘଦିନ ଧରି ଅନେକ ଘାତ-ପ୍ରତିଘାତକୁ ସାମ୍ନା କରି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ସୁରକ୍ଷା କବଚଟିଏ ହୋଇ ରହିଛନ୍ତି ସୌର୍ଯ୍ୟ ,ତିତିକ୍ଷା ଓ ଆର୍ଯ୍ୟବକୁ ବ୍ରତ କରି ∣
ସାମ୍ପ୍ରତିକ ସମାଜରେ କାଳଜୟୀ ବୈପ୍ଲବିକ ପରିବର୍ତ୍ତନ ଆଣିବାର ଯେଉଁ ନିଷ୍ଠା ଏବଂ ପ୍ରତିବଦ୍ଧତା ସହିତ ଆପଣଙ୍କର ସେହି ପ୍ରଭାବମୟ ପ୍ରତିଭାର ପ୍ରତିଶ୍ରୁତି ଓ ସ୍ମରଣୀୟ ସେବା ଓ ସାଧନାକୁ ସମ୍ମାନ ଜଣାଇ ‘କୁଳ ତିଳକ’ ଉପାଧିରେ ଭୂଷିତ କରି ‘ସମ୍ପର୍କ ମିଡ଼ିଆ’ ପରିବାର ନିଜକୁ ଗୌରବାନ୍ବିତ ମନେକରୁଛି ∣”

ପ୍ରତିକ୍ରିୟାରେ ଶ୍ରୀ ପଟ୍ଟନାୟକ କହିଛନ୍ତି , “ମୋ ନିଜସ୍ଵ ନୀତି ଦୃଷ୍ଟିରୁ କୌଣସି ସମ୍ବାଦ ସଂସ୍ଥା ପ୍ରଦାନ କରୁଥିବା ସମ୍ମାନ ଓ / ବା କୌଣସି ସାମ୍ବାଦିକଙ୍କ ନାମରେ ନାମିତ ସମ୍ମାନ ଭିନ୍ନ ମୁଁ କୌଣସି ସମ୍ମାନ ଗ୍ରହଣ କରେ ନାହିଁ ∣ ତେଣୁ ଓଡ଼ିଆମାନଙ୍କ ଭିତରେ ପ୍ରଥମ କର୍ମଜୀଵୀ ସମ୍ପାଦକ ନୀଳମଣି ବିଦ୍ୟାରତ୍ନଙ୍କ ନାମରେ ନାମିତ ସମ୍ମାନକୁ ମୁଁ ସମ୍ମାନର ସହ ଗ୍ରହଣକରିଥିଲି ଓ ସାଇତି ରଖିଛି ∣ ସେହିପରି ‘ଗଡ଼ଜାତ ପରିକ୍ରମା’ ଦ୍ଵାରା ପ୍ରବର୍ତ୍ତିତ ‘ଗଡଜାତ ସମ୍ମାନ’ ମୁଁ ଗ୍ରହଣ କରିଛି ଓ ସାଇତି ରଖିଛି ∣ ଏକମାତ୍ର ବ୍ୟତିକ୍ରମ ମୋ ଜନ୍ମମାଟିର ‘ଚମ୍ପକ ଦ୍ଵାଦଶୀ ସମ୍ମାନ’କୁ ଛାଡିଦେଲେ , ଅନ୍ୟ ଯେଉଁ ସମ୍ମାନଗୁଡିକୁ ମୁଁ ଶ୍ରଦ୍ଧା ଓ ସମ୍ମାନ ସହ ଗ୍ରହଣକରି ସାଇତି ରଖିଛି , ସେ ସମସ୍ତ କେବଳ ଗଣମାଧ୍ୟମ ସମ୍ପର୍କିତ, ଯାହା ଭିତରେ ଉଲ୍ଲେଖନୀୟ ହେଲେ : ‘ଜାନକୀବଲ୍ଲଭ ସାମ୍ବାଦିକ ସମ୍ମାନ’ , ‘ସୁବାର୍ତ୍ତା ସମ୍ମାନ’ ଓ ‘ଜନତନ୍ତ୍ର ସମ୍ମାନ’ ଏବଂ ଏହି କ୍ରମରେ ‘ସମ୍ପର୍କ ମିଡିଆ’ ପ୍ରଦତ୍ତ “କୁଳ ତିଳକ” ଉପାଧି ∣”

ସେ ପୁନଶ୍ଚ କହିଛନ୍ତି , “ଏଥିର ଅଳଂକାରଗୁଡ଼ିକ ପାଇଁ ମୁଁ ପ୍ରକୃତରେ ଯୋଗ୍ୟ କି ନୁହେଁ ଜାଣେନି ∣ ମାତ୍ର ସାମ୍ବାଦିକତା ଯେ ମୋ ପାଇଁ ଏକ “ବ୍ରତ” ଏହି ମିଡ଼ିଆ ସ୍ବୀକୃତି ଏଥିରେ ପ୍ରତିଫଳିତ ହୋଇଥିବାରୁ ଓ ଆମେ ଚଳାଇଥିବା ଭାଷା ଆନ୍ଦୋଳନ ପ୍ରତି ଦୃଢ଼ ସମର୍ଥନ ଓ ସ୍ବୀକୃତି ବିଘୋଷିତ ହୋଇଥିବାରୁ ମୁଁ ‘ସମ୍ପର୍କ ମିଡ଼ିଆ’ ପରିବାରକୁ କୃତଜ୍ଞତା ଜଣାଉଛି ∣”

ଏହି ଅବସରରେ ଭାଷା ଆନ୍ଦୋଳନର ସଭାପତି , ବରିଷ୍ଠ ସାମ୍ବାଦିକ ଓ ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ଅଧ୍ୟକ୍ଷତା କରିବାକୁ ଓ ଆନ୍ଦୋଳନର ଅନ୍ୟତମ ଶ୍ରେଷ୍ଠ କଳାପତାକା ଅଭିଯାତ୍ରୀ ତଥା ପୂର୍ବତନ ମନ୍ତ୍ରୀ , ସ୍ଵାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନଙ୍କୁ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ  ନିବେଦନ କରି ସଂସ୍ଥାର ଅଧ୍ୟକ୍ଷ କବି ସନ୍ତୋଷ କୁମାର ସାହୁ ଭାଷା ଆନ୍ଦୋଳନ ପ୍ରତି ସୁଦୃଢ ସମର୍ଥନ ଜ୍ଞାପନ କରିଥିଲେ ∣

ଭାଷା ଆନ୍ଦୋଳନର ଆବାହକ ପବିତ୍ର ମୋହନ ମହାରଥାଙ୍କ ସମେତ ଡ଼. ଅସିତ ଦାସ, ଡମ୍ବରୁଧର ହରଣସିଂହ, ନବକିଶୋର ପ୍ରଧାନ, ନାରାୟଣ ଖୁଣ୍ଟିଆ, ଉମାଚରଣ ମହାନ୍ତି , ମଦନମୋହନ ହରିଚନ୍ଦନ ମହାପାତ୍ର, ଦାଶରଥି ଗୁମାନସିଂହ, ଉପେନ୍ଦ୍ରନାଥ ସାମନ୍ତ ସିଂହାର, ଲକ୍ଷ୍ମଣ ଦାଶ, ଇଂ.ସୁବୋଧ ଧଳ ଚିତ୍ତରଞ୍ଜନ ମିଶ୍ର , ଇଂ.ଚକ୍ରଧର ମହାନ୍ତ, ସାରଦା ପ୍ରସାଦ ମହାପାତ୍ର, ଜାନକୀଶ ବଡ଼ପଣ୍ଡା , ପ୍ରଣବ କିଶୋର ନନ୍ଦୀ ପ୍ରମୁଖ ଏକନିଷ୍ଠ ଭାଷା-ମୁକ୍ତି-ଯୋଦ୍ଧାମାନଙ୍କୁ ନିମନ୍ତ୍ରଣ କରି ଉପସ୍ଥିତ ସର୍ଜନଶୀଳ ଓ ଶାଣୀତ କାବ୍ୟରସ ପ୍ରଦାତା ସାହିତ୍ୟସାଧକମାନଙ୍କ ସମ୍ମୁଖରେ ଭାଷା ଆନ୍ଦୋଳନର ଗାରିମା ଓ ଗୁରୁତ୍ବ ପ୍ରତି ଅର୍ପିତ ହୋଇଥିଲା ସଚେତନ ସମ୍ମାନ ∣

ଉପାଧି ଗ୍ରହଣ କରି ଶ୍ରୀ ପଟ୍ଟନାୟକ ଭାଷା ଆନ୍ଦୋଳନ ପ୍ରତି ଏହି ସାଂସ୍କୃତିକ, ସାହିତ୍ୟିକ ଓ ସାମ୍ବାଦିକୀୟ ସମର୍ଥନପାଇଁ ସମ୍ପର୍କ ମିଡ଼ିଆର ସାମାଜିକ ପ୍ରତିବଦ୍ଧତାର ଭୁୟସୀ ପ୍ରସଂଶା କରିଥିଲେ ∣