କେବଳ ଓଡ଼ିଆ ଭାଷା ହିଁ ନବୀନଙ୍କୁ ଜିତାଇଲା; ଭୁଲିଗଲେ ଭୁଲ ହେବ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନିଶ୍ଚିତ ଥିଲେ ଯେ ତାଙ୍କ କାମରେ ଖୁସି ହୋଇ ଓଡ଼ିଆ ଲୋକେ ତାଙ୍କୁ ନିଶ୍ଚୟ ଭୋଟ ଦେବେ ତା ହେଲେ ସେ କାହିଁକି ତାହା କରୁଥିଲେ ଯାହା ସେ କେବେ କରିନଥିଲେ ?

ଇଂରାଜୀ ଅକ୍ଷରରେ ଲେଖା ହୋଇଥିବା ଓଡ଼ିଆ ଭାଷଣ ଘୋଷି ସାରା ଓଡ଼ିଶା ବୁଲି ବୁଲି ସେ ଓଡ଼ିଆରେ ଭୋଟ ଭିକ୍ଷା କରିଥିଲେ ।

ଆମ ଭାଷାରେ ଆମ ରାଜ୍ୟ ପରିଚାଳନା ପାଇଁ ଚାଲିଥିବା କଳାପତାକା ଅଭିଯାନ ଓଡ଼ିଆବିଦ୍ଵେଷୀ ନବୀନବାବୁଙ୍କୁ ଏତେ ଅଡୁଆରେ ପକାଇଥିଲା ଯେ, ଏହି ଅଭିଯାନକୁ ଭଣ୍ଡୁର କରିବା ପାଇଁ ସେ ମୋର ଦୁଇ ମୁଖ୍ୟ ସହଯୋଗୀ ପବିତ୍ର ମହାରଥା ଓ ପ୍ରଦ୍ଯୁମ୍ନ ଶତପଥୀଙ୍କ ଆର୍ଥିକ ଦୁର୍ବଳତାର ସୁଯୋଗ ନେଇ ସେମାନଙ୍କୁ ନିଜ ବଶକୁ ନେଇଯାଇଥିଲେ । ଫଳରେ ସେମାନେ ଭାଷା ଆନ୍ଦୋଳନକୁ ପଚ୍ଛରୁ ଛୁରା ମାରିଥିଲେ ।

କିନ୍ତୁ ଆନ୍ଦୋଳନ ବନ୍ଦ ନ ହୋଇ ଚାଲିଲା । ଭୁବନେଶ୍ବରରେ ଉପସ୍ଥିତ ରହି କେଉଁ ଓଡ଼ିଆ କଳାପତାକା ଧରିପାରିଲେ, କିଏ ବା ନ ଧରିପାରିଲେ ନିଆରା କଥା , କିନ୍ତୁ ପ୍ରତି ଭାଷାପ୍ରେମୀ ଓଡ଼ିଆ ଏହି ଅଭିଯାନ ସହ ନିଜ ନିଜ ଅନ୍ତରାତ୍ମାରେ ସଂଯୁକ୍ତ ହୋଇଯାଇଥିଲେ । ଭାଷା ଆନ୍ଦୋଳନ ଏତେ ଜନପ୍ରିଯ ହୋଇଉଠିଥିଲା ଯେ, ନିଜକୁ ଏହି ଆନ୍ଦୋଳନ ଚଳାଇଥିବା ଲୋକ ବୋଲି ନିଜ ଗଣମାଧ୍ୟମରେ ପ୍ରଚାର କରି ଏକଦା ଆମର ମୁଖ୍ୟ ଗଣମାଧ୍ୟମୀୟ ସହଯୋଗୀ ଥିବା ସଂବାଦ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ରାଜ୍ୟସଭାକୁ ଯିବା ଲୋଭରେ କଳାପତାକା ଅଭିଯାନ ବନ୍ଦ କରିବାକୁ ମୋ ଉପରେ ଚାପ ପକାଇଥିଲେ ଓ ମୁଁ ତାହା ପ୍ରତ୍ୟାଖ୍ୟାନ କରିଥିବା ହେତୁ, ସମ୍ବାଦରେ ଏହି ଅଭିଯାନର ବିବରଣୀ ପ୍ରକାଶନ ବନ୍ଦ କରିଦେଇଥିଲେ । ଏହି ଅଭିଯାନକୁ ସଫଳ କରାଇନଦେବା ପାଇଁ କ୍ୟାବିନେଟ୍ ସ୍କାମ୍ ପରି ଏକ ନାହିଁ ନ ଥିବା ଅପରାଧ କରି ଏହ ଅବୈଧ ବିଧାନ ପ୍ରଣଯନ ପାଇଁ ସମସ୍ତ କୁତ୍ସିତ ମିଥ୍ୟାର ଆଶ୍ରୟ ମଧ୍ୟ ନେଇଥିଲେ ନବୀନବାବୁ ବିଧାନସଭାରେ ।

କୌଣସି ତଞ୍ଚକତା ଓ ସୁପାରୀ ପ୍ରଦାନ, କୌଣସି ରାଜନୈତିକ ବଶୀକରଣ ଯେତେବେଳେ ଆମ ଆନ୍ଦୋଳନର କାଳିଆ ପତାକା ଅଭିଯାନକୁ ଅଟକାଇ ପାରିଲା ନାହିଁ , ସେତେବେଳେ Krushak Assistance for Livelihood and Income Augmentation ପରି ଭୋଟରମାନଙ୍କୁ ପ୍ରଭାବିତ କଲା ପରିକା ଏକ ପେଞ୍ଚ ତିଆରିକରି ତାକୁ ‘କାଳିଆ’ ନାମରେ ପ୍ରସାରିତ କରାଗଲା । ଏହା ସତ୍ତ୍ୱେ, ଭୁବନେଶ୍ବରରେ ଉଡ଼ି ଉଡ଼ି ଆମ ଆନ୍ଦୋଳନର କଳାପତାକା ଯେଉଁ ବାର୍ତ୍ତା ଦେଇ ଚାଲିଥିଲା କି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ଭାଷା ପାଇଁ ବିତସ୍ପୃହ ହୋଇଥିବା ହେତୁ ଆମ ଭାଷା ଆଇନର ଉଦ୍ଦେଶ୍ୟ ପଣ୍ଡ ହୋଇଛି ଓ ଆମ ମାତୃଭାଷା ସଙ୍କଟଗ୍ରସ୍ତ ହୋଇପଡ଼ିଛି, ତହିଁର ନିରାକରଣ ପାଇଁ ସେ ଓଡ଼ିଆ ଭାଷାର ଆଶ୍ରା ନେବାକୁ ବାଧ୍ୟ ହୋଇଥିଲେ ।

ତାଙ୍କ ପାଖଲୋକେ କିପରି ଇଂରାଜୀ ଅକ୍ଷରରେ ଓଡ଼ିଆ ବାକ୍ୟ ଲେଖୁଥିଲେ ଓ ସେ ତାହା ପଠନ କରି ଓଡ଼ିଆ ଜାତିକୁ ଭୁଆଁ ବୁଲାଉଥିଲେ ତାହା ଇଣ୍ଟେର୍ନେଟରେ ଭାଇରାଲ ହୋଇଥିଲା । ଏହି ଦୁଇଟି ଫଟୋଚିତ୍ର ତହିଁର ନମୂନା ।

ଏହି ଶୈଳୀ ଅବଲମ୍ବନ କରି ଇଂରାଜୀ ଅକ୍ଷରରେ ଲେଖା ଓଡ଼ିଆ ଭାଷଣ ଘୋଷି ଘୋଷି ସେ ଏକାଏକ ରାଜ୍ୟସରା ବୁଲି ଲୋକଙ୍କୁ ଓଡ଼ିଆରେ ସମ୍ବୋଧନ କରିଚାଲିଲେ । ଜୀବନରେ ଏପରି ପରିଶ୍ରମ ସେ କେବେ ବି କରିନଥିଲେ । ଆମ ଆନ୍ଦୋଳନ ଏପରି ପରିଶ୍ରମ କରିବାକୁ ବାଧ୍ୟ କରିଥିଲା । ସେତେବେଳେ ବିଭିନ୍ନ ଟିଭି ଚ୍ୟାନେଲରେ ଜୀବନ୍ତ ପରିବେଷିତ ତାଙ୍କ ଏହି ଛଳପୂର୍ଣ ଓଡ଼ିଆ ଭାଷଣରୁ କିଛି ଦେଖାଯାଉ ।

ଏହା ଥିଲା ତାଙ୍କର ଦାରିଙ୍ଗିବାଡ଼ି ଭାଷଣ –

ନୂଆପଡ଼ାର କୋମନା ସଭାରେ ସେ କହିଥିଲେ –

କଳାହାଣ୍ଡିର ନର୍ଲାରେ ସେ କହିଥିଲେ –

ଏହିପରି ଭାବେ ସାରା ଓଡ଼ିଶାରେ ବୁଲି ବୁଲି ସେ ଇଂରାଜୀ ଅକ୍ଷରରେ ଲେଖି ମୁଖସ୍ଥ କରିଥିବା ଓଡ଼ିଆ ଭାଷଣ ପରିବେଷଣ କରିଥିବା ହେତୁ, ନିର୍ବାଚନରେ ଜିତିଗଲେ । ତା ନ ହୋଇଥିଲେ ତାଙ୍କ ଦଳର ପରାଜୟ ସୁନିଶ୍ଚିତ ଥିଲା ।

ଓଡ଼ିଆ ଭାଷା ପାଖରେ ଶରଣ ପଶି ସେ ନିର୍ବାଚନରେ ଜୟ ଲାଭ କରିଥିବା ହେତୁ ଆମେ ଭାଷାଆନ୍ଦୋଳନକାରୀମାନେ ତାଙ୍କୁ ବଧେଇ ଜଣାଉଛୁ ଓ ଆଶା କରୁଛୁ କି, ସେ ଏହା ଭୁଲିବେନି ଓ ମନ୍ତ୍ରୀସ୍ତରୀୟ କମିଟିରେ ୩.୯.୨୦୧୫ ତାରିଖରେ ପ୍ରଦତ୍ତ ପରାମର୍ଶ ଅନୁସାରେ ଆମ ସରକାରୀ ଭାଷା ଆଇନର ପୁନଶ୍ଚ ସଂଶୋଧନ କରି ଓଡ଼ିଆ ଭାଷାଜନନୀଙ୍କୁ କୃତଜ୍ଞତା ଜଣାଇବେ ।

ବିଜେଡି ଟିକଟରେ ବିଧାନସଭାକୁ ଆସିଥିବା ବନ୍ଧୁମାନେ ବି ଏହି ସତ୍ୟ ମନେରଖିବା ଉଚିତ । କାରଣ, ଏହା ଭୁଲିଯିବା ସେମାନଙ୍କ ପକ୍ଷରେ ଭୁଲ ହେବ ।

କଳା ପତାକା ଅଭିଯାନ : ମଇ ୪ରୁ ୧୦

ବାତ୍ୟା ବିତ୍ପାତକୁ ଆଖିରେ ରଖି ମଇ ୩ରୁ ତିନିଦିନ ପାଇଁ କଳା ପତାକା ଅଭିଯାନ ସ୍ଥଗିତ ରଖା ହୋଇଥିଲା । ମାତ୍ର ୪ ତାରିଖରେ ବାତ୍ୟା ଓ ବର୍ଷା ଅପସରି ଯାଇ ଓଡ଼ିଆ ଭାଷାଜନନୀଙ୍କ ବିଜୟ ଯାତ୍ରା ପାଇଁ ବାଟ ଛାଡିଦେଲେ । ଫଳରେ ୪ ତାରିଖରୁ ଚାଲିଲା କଳା ପତାକା, ଯାହା ହେଉଛି ଇଂରାଜୀ ଆଧିପତ୍ୟ କବଳରୁ ଓଡ଼ିଆ ଜାତିର ମୁକ୍ତିର ପତାକା ।

ଇଣ୍ଟେର୍ନେଟ ନଥିବାରୁ ସେହିଦିନ ଠାରୁ ମଇ ୧୦ ପର୍ଯ୍ୟନ୍ତ ଏହି ଅନନ୍ୟ ଆଂଦୋଳନର ଫଟୋ ବିବରଣୀ ସାମାଜିକ ଗଣମାଧ୍ୟମରେ ଦେଇ ହୋଇ ନହିଁ । ଆଜି ଇଣ୍ଟେର୍ନେଟ ସଂଯୋଗ ସ୍ଥାପିତ ହେବାରୁ ଏଠାରେ ଏହି ସମୟର ବିବରଣୀ ଏକତ୍ର ବିଶ୍ବାର୍ପିତ ହେଲା ।

ସୁଭାଷ ଚନ୍ଦ୍ର ପଟ୍ଟନାୟକ,କମଳଲୋଚନ ନାୟକ, ସୁଭାଷ ଚନ୍ଦ୍ର ପ୍ରଧାନ, ଧରମୁଧର ପୋଢ, ତପନ କୁମାର ସାହୁ , କୁମାରୀ ମୋନାଲିଶା ପ୍ରଧାନ, ଚିନ୍ମୟୀ ପ୍ରଧାନ, ସାର୍ଥକ ରାଉତରାଯ, ଶିଶିର କୁମାର ସାହୁ, ଆଶିଷ କୁମାର ବେହେରା ପ୍ରମୁଖ ଏହି ବାତ୍ୟା ବିଧ୍ଵସ୍ତ ସମୟରେ ଏହି ଅଭିଯାନରେ ଅଂଶ ଗ୍ରହଣ କରିଥିଲେ ।

ମଇ ୩ରେ ଚତୁର୍ଥ ବର୍ଷର ବିଂଶତିତମ ଦିବସ ବାତ୍ୟା ହେତୁ ସ୍ଥଗିତ ଥିବା ବ୍ବେଳେ ୨୧ତମ ଦିବସରୁ ୨୭ତମ ଦିବସର ଅଭିଯାନ ଏହି ଅନନ୍ୟ ଆନ୍ଦୋଳନକୁ ଔଜଲ୍ୟ ପ୍ରଦାନ କରିଥିଲା ।

ମଧୁଜୟନ୍ତୀରେ ଭାଷା ଆନ୍ଦୋଳନର ବୃତ୍ତଚିତ୍ର ବିଶ୍ଵାର୍ପିତ: ସାହିତ୍ୟିକମାନେ ନିଦରୁ ଉଠିବାକୁ ଆହ୍ଵାନ

ଭୁବନେଶ୍ଵର କାର୍ଯ୍ୟାଳୟ

ଆଜି ଓଡ଼ିଆ ଜାତିର କୁଳ ଗୌରବ ମଧୁସୂଦନ ଦାସଙ୍କ ୧୭୧ତମ ଜନ୍ମବାର୍ଷିକୀରେ ତାଙ୍କରି ଅଧୁରା ସ୍ୱପ୍ନକୁ ସମ୍ପୂର୍ଣ୍ଣ କରିବା ପାଇଁ ଚାଲିଥିବା ଭାଷା ଆନ୍ଦୋଳନ ପକ୍ଷରୁ ଏ ଏକ ତପସ୍ୟା ଶୀର୍ଷକ ବୃତ୍ତଚିତ୍ର ବିଶ୍ବାର୍ପିତ ହୋଇଛି । bhashaandolan.com ପକ୍ଷରୁ ପ୍ରସ୍ତୁତ ଏହି ବୃତ୍ତଚିତ୍ରରେ କେଉଁ ପରିସ୍ଥିତିରେ ଓଡ଼ିଶା ପ୍ରଦେଶ ସୃଷ୍ଟି ପାଇଁ ମଧୁବାବୁଙ୍କ ନେତୃତ୍ବରେ ଆନ୍ଦୋଳନ ହୋଇଥିଲା ତାହାର ପ୍ରାମାଣିକ ତଥ୍ୟ ଦିଆଯାଇ ଦର୍ଶଯାଇଛି ଯେ ସେହି ଏକା ପରସ୍ଥିତି ଆଜି ମଧ୍ୟ ବଳବତ୍ତର ଅଛି ଓ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ଗଠିତ ହୋଇଥିଲେ ମଧ୍ୟ ଓଡ଼ିଆ ଭାଷାରେ ତାହା ପରିଚାଳିତ ହେଉନାହିଁ ଏବଂ ଖାସ୍ ଏହି କାରଣରୁ କିପରି ଭାଷା ଆନ୍ଦୋଳନ ଚାଲିଛି ତାହା ଏହି ବୃତ୍ତଚିତ୍ରରେ ସ୍ଥାନିତ ହୋଇଛି ।

ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜ ଧର୍ମୀ ସାମ୍ବାଦିକତାକୁ ନୂଆ ପରିଚୟ ଦେଇଥିବା ବିଶିଷ୍ଟ ଟିଭି ସାମ୍ବାଦିକ ତଥା ସର୍ବଶ୍ରେଷ୍ଠ ସଂଳାପ ଲେଖକ ଭାବେ ରାଜ୍ୟ ସରକାରଙ୍କ ଦ୍ୱାରା ଚଳିତ ବର୍ଷ ପୁରସ୍କୃତ ସତୀଶ ମିଶ୍ର ବୃତ୍ତଚିତ୍ରଟିକୁ ବିଶ୍ଵାର୍ପିତ କରିଥିଲେ ଓ ବଜାରଧର୍ମୀ ପ୍ରଶାସନଶୈଳୀ କିପରି ଆମ ଦେଶର ସ୍ୱାଧୀନତାର ସ୍ୱପ୍ନକୁ ଧୂଳିସାତ୍ କରିବାରେ ଲାଗିଛି ତାହାର ସୁବିସ୍ତିର୍ଣ୍ଣ ତଥ୍ୟ ରଖି ମଣିଷର ମୌଳିକ ବିଭବଗୁଡିକର ସୁରକ୍ଷା ପାଇଁ ସଚେତନ ଓ ପ୍ରତିବଦ୍ଧ ଉଦ୍ୟମ ହିଁ ହାନିକାରକ ବଜାର ଉପଦ୍ରବରୁ ଜନସମାଜକୁ ରକ୍ଷା କରିପାରିବ ବୋଲି କହିଥିଲେ । ମଣିଷର ମାତୃଭାଷା ତାର ମୌଳିକ ବିଭବରୁ ଶ୍ରେଷ୍ଠତମ ହୋଇଥିବା ହେତୁ ସାହିତ୍ୟିକମାନେ ସାଧାରଣମଣିଷ ବ୍ୟବହାର କରୁଥିବା ଭାଷା ପ୍ରତି ଉଦାସିନ ହୋଇ ନରହି ତହିଁର ସୁରକ୍ଷା ଓ ସମୃଦ୍ଧି ପାଇଁ ସରସ୍ଵତ ଜାଗୃତି ସୃଷ୍ଟି କରିବା ଓଡ଼ିଶା ପ୍ରେକ୍ଷାପଟରେ ଅତ୍ୟନ୍ତ ଆବଶ୍ୟକ ବୋଲି ସେ ମତ ଦେଇଥିଲେ ।

ଉଲ୍ଲେଖନୀୟ ଯେ “ସଙ୍କଟରେ ଭାଷା ସ୍ଵାର୍ଥଲିପ୍ସାରେ ସାହିତ୍ୟିକ” ଶୀର୍ଷକ ଏକ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନାରେ ମୁଖ୍ୟବକ୍ତା ଭାବେ ପ୍ରଫେସର କମଳା ପ୍ରସାଦ ମହାପାତ୍ର ଓଡ଼ିଶା ରାଜ୍ୟଗଠନରୁ ଆରମ୍ଭ କରି ବିଦେଶୀଙ୍କ କବଳରୁ ମୁକ୍ତି ପରି ଦୁରୁହ ପରିସ୍ଥିତିରେ ସାହିତ୍ୟ କିପରି ଜନସାଧାରଣଙ୍କ ପାଇଁ ପଥଦର୍ଶୀ ଭୂମିକା ନିର୍ବାହ କରିଥିଲା ତାହା ସୁଚାଇ ଦେଇଥିଲେ । ସେ କହିଥିଲେ ସାହିତ୍ୟର ମୂଳାଧାର ହେଉଛି ମାତୃଭାଷା । ମାତୃଭାଷା ହେଉଛି ମଣିଷର ପ୍ରାଣ ଏବଂ ତାର ଆତ୍ମା ତୁଲ୍ୟ । ତାହା ସଙ୍କଟରେ ପଡିଥିବା ବେଳେ ତହିଁ ପ୍ରତି ଉଦାସୀନ ରହିବା ସାହିତ୍ୟିକୀୟ ସ୍ଵଭାବ ଅନୁରୂପ ନୁହେଁ ।

ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ କହିଥିଲେ, ଓଡ଼ିଶା ପ୍ରଦେଶ ସୃଷ୍ଟି ହୋଇ ମଧୁବାବୁଙ୍କର ସ୍ଵପ୍ନର ଶୀର୍ଷ ଅଂଶ ସଫଳ ହୋଇଥିଲା ବେଳେ ତହିଁର ମୂଳ ଅଂଶ ଅସଫଳ ହୋଇ ରହିଛି । ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ହେଉଛି ଏହି ମୂଳ ଅଂଶ । ଏହି ମୂଳ ସ୍ଵପ୍ନକୁ ସାର୍ଥକ କରିବା ପାଇଁ ଭାଷା ଆନ୍ଦୋଳନର କଳାପତାକା ଅଭିଯାନ ଚତୁର୍ଥ ବର୍ଷର ଚତୁର୍ଦଶ ଦିବସ ଅତିକ୍ରମ କରିସାରିଲାଣି ଓ ଓଡ଼ିଆ ଭାଷା ବିରୁଦ୍ଧରେ ଇଂରାଜୀ ମନସ୍କ ସରକାରୀ କଳ ଯେତେ ଷଡଯନ୍ତ୍ର କରୁଛି ତାହାକୁ ବାଧା ଦେବାରେ ଲାଗିଛି । ଭାଷା ଆଇନର ସମ୍ପୂର୍ଣ ନିର୍ଭୁଲ ସଂଶୋଧନ ପାଇଁ ଭାଷା ଆନ୍ଦୋଳନ ସରକାରଙ୍କୁ ବାଧ୍ୟ କରିବ ବୋଲି ସେ କହିଥିଲେ ।

ଅଧ୍ୟକ୍ଷତା କରୁଥିବା ସୁଶ୍ରୀ ତନୁଜା ରଥ ଓଡ଼ିଶାରେ ଓଡ଼ିଆ ଭାଷାର ପ୍ରାଥମିକତା ପ୍ରତିଷ୍ଠା ପାଇଁ ସାହିତ୍ୟିକମାନେ ଜଗି ଉଠିବାକୁ ଆହ୍ଵାନ ଦେଇ କଳାପତାକା ଅଭିଯାନକୁ ଶୁଭେଚ୍ଛା ଜ୍ଞାପନ କରିଥିଲେ ।

ବିଶିଷ୍ଟ ସ୍ତମ୍ଭକାର ତୁଷାରକାନ୍ତ ଶତପଥୀ ଧନ୍ୟବାଦ ଅର୍ପଣ ଛଳରେ ଓଡ଼ିଶାରେ ଦେଖାଦେଇଥିବା ଭାଷା ସଙ୍କଟ ଉପରେ ଆଲୋକପାତ କରିଥିଲେ ।

ଓଡ଼ିଶା ପ୍ରଦେଶ ସୃଷ୍ଟିର ଲକ୍ଷ୍ୟ ପୂରଣ ପର୍ଯ୍ୟନ୍ତ କଳା ପତାକା ଅଭିଯାନ ଚାଲିରହିବ ବୋଲି ସିଦ୍ଧ।ନ୍ତ ହୋଇଥିଲା ଓ ଅଭିଯାନର ପ୍ରତୀକ ଚିହ୍ନ ସମସ୍ତଙ୍କ ଅନୁମୋଦନ ପାଇଥିଲା ।

ଭାଷାତୀର୍ଥରେ କୁଳବୃଦ୍ଧ ମଧୁସୂଦନଙ୍କୁ ଭାଷା ଆନ୍ଦୋଳନର ପ୍ରଣାମ

ତପନ ସାହୁଙ୍କ ଠାରୁ

ଓଡ଼ିଆ ଭାଷାରେ ସର୍ବବିଧ ପ୍ରଶାସନିକ ସେବା ସୁନିଶ୍ଚିତ କରିବା ପାଇଁ କୁଳବୃଦ୍ଧ ମଧୁସୂଦନଙ୍କ ନେତୃତ୍ବରେ ଦୀର୍ଘ ଆନ୍ଦୋଳନ ହୋଇ ଭାରତର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ପ୍ରଦେଶ ସୃଷ୍ଟି ହୋଇଥିଲା । ତାଙ୍କ ତିରୋଧାନ ପରେ ଆଜି ପର୍ଯ୍ୟନ୍ତ ଏହି ଲକ୍ଷ୍ୟ ହାସଲ ହୋଇନାହିଁ । ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଭାଷା ଆନ୍ଦୋଳନର କଳାପତାକା ଅଭିଯାନ ଯେଉଁ ଚେଷ୍ଟା ଚଳାଇଛି ତାହା ଚତୁର୍ଥ ବର୍ଷର ଚତୁର୍ଦଶ ଦିବସ ଅତିକ୍ରମ କରିସରିଛି ।

ଓଡ଼ିଶା ପ୍ରଦେଶ ସୃଷ୍ଟିର ପରମପୂଜ୍ୟ ଭଗୀରଥ, କୁଳଗୌରବ ମଧୁସୂଦନ ଦାସଙ୍କର ଆଜି ଅଟେ ପୂଣ୍ୟ ଜନ୍ମଦିନ । ଏହି ଅବସରରେ ଭାଷା ଆନ୍ଦୋଳନର କଳାପତାକା ଅଭିଯାତ୍ରୀମାନେ ଆଜି ସକାଳେ ଭୁବନେଶ୍ବର ରାଜଭବନ ସମ୍ମୁଖସ୍ଥ ମଧୁବାବୁଙ୍କ ପ୍ରତିମୂର୍ତ୍ତି ପୀଠ(ଭାଷା ତୀର୍ଥ)ରେ ପହଞ୍ଚି ତାଙ୍କୁ କୃତଜ୍ଞ ଓଡ଼ିଆ ଜାତିର ଶ୍ରଦ୍ଧାସୁମନ ଅର୍ଘ୍ୟ ଦେଇଥିଲେ । ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ସମେତ ସଭାପତି ମଣ୍ଡଳୀ ସଦସ୍ୟ ଗିରିଜକାନ୍ତ ମିଶ୍ର, ଧ୍ରୁବଚରଣ ମହାନ୍ତି, ସତୀଶ ମିଶ୍ର, ପ୍ରଫେସର କମଳା ପ୍ରସାଦ ମହାପାତ୍ର, ସୁଶ୍ରୀ ତନୁଜା ରଥ, ଶିଶିର କୁମାର ସାହୁ, ତପନ ସାହୁ, ସାର୍ଥକ କୁମାର ଛୋଟରାୟ, ରଞ୍ଜିତ ସାହୁ, ରଞ୍ଜନ କୁମାର ସାହୁ, ଅଞ୍ଜନ ଭଟ୍ଟ ପ୍ରମୁଖ ସକ୍ରିୟ ଅଭିଯାତ୍ରୀମାନେ ପୁଷ୍ପାର୍ପଣ କରିଥିଲେ ।

କଳାପତାକା ଅଭିଯାନର ତିନି ବର୍ଷ ପୂର୍ତ୍ତୀ: ଓଡିଶା ସରକାରୀ ଭାଷା ଆଇନର ସ୍ଥିତି ଉପରେ ଆଲୋଚନା

ଓଡ଼ିଆରେ ଓଡ଼ିଶାର ପରିଚାଳନା ଅଲଙ୍ଘ୍ୟ କରିବା ପାଇଁ ଚାଲିଥିବା କଳା ପତାକା ଅଭିଯାନ ଏପ୍ରିଲ ୧୩ ତାରିଖରେ ତିନି ବର୍ଷ ଅତିକ୍ରମ କଲା । ଏହି ଉପଲକ୍ଷେ ଭୁବନେଶ୍ବରର ନେହେରୁ ଯୁବ କେନ୍ଦ୍ର ସମ୍ମିଳନୀ କକ୍ଷରେ “ଆମ ଭାଷା ପାଇଁ ଆମ ଲଢ଼େଇ” ଶୀର୍ଷକ ଇ-ପୁସ୍ତକର ବିଶ୍ବାର୍ପଣ ଓ “ସଙ୍କଟାବର୍ତ୍ତରେ ଓଡ଼ିଶା ସରକାରୀ ଭାଷା ଆଇନ” ଶୀର୍ଷକ ଆଲୋଚନା ଚକ୍ର ସଂଘଟିତ ହୋଇଥିଲା ।

ସରକାରୀ ଭାଷା ଆଇନର ଆଜନ୍ମ ତ୍ରୁଟିଗୁଡ଼ିକ ପ୍ରଥମେ ଠାବ କରି ସେ ସମ୍ପର୍କରେ ସରକାରଙ୍କୁ ପ୍ରଥମ ଥର ପାଇଁ ଅବଗତ କରାଇଥିବା ଓ ସେହି ତ୍ରୁଟିଗୁଡ଼ିକର ଦୂରୀକରଣ ପାଇଁ ୩.୯.୨୦୧୫ରେ ପ୍ରସ୍ତାବ ଓ ପ୍ରସ୍ତାବିତ ଆଇନର ଚିଠା ଦେଇ ଏ ସମ୍ପର୍କରେ ପ୍ରଥମଥର ପାଇଁ ସରକାରଙ୍କୁ ସଚେତନ କରାଇ ଥିବା ତତ୍କାଳୀନ ମନ୍ତ୍ରୀସ୍ତରୀୟ କମିଟି ସଦସ୍ୟ ତଥା ଭାଷା ଆଂଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଭିତ୍ତି-ବୟାନ ଉପସ୍ଥାପନ କରି କହିଥିଲେ, ଓଡ଼ିଶା ସରକାରଙ୍କ ଷଡ଼ଯନ୍ତ୍ର ହେତୁ ଓଡ଼ିଶା ସରକାରୀ ଭାଷା ଆଇନ ସଙ୍କଟ ଘେରରେ ପଡ଼ିଛି । ସାରା ଓଡ଼ିଶାରେ ସମସ୍ତ ଓ ଯେକୌଣସି ଦାପ୍ତରିକ କାମ ଓଡ଼ିଆ ଭାଷାରେ ହେବ ବୋଲି ସରକାରୀ ଭାଷା ଆଇନରେ ଥିଲା , ଯାହାକୁ ନିଯମାବଳୀ ଓ ଉଲ୍ଲଙ୍ଘନକାରୀ ବିରୁଦ୍ଧରେ ଦଣ୍ଡବିଧାନ ବ୍ୟବସ୍ଥା ଦ୍ଵାରା ସଶକ୍ତୀକୃତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ଓ ସେହି ପରାମର୍ଶ ହେତୁ ଆଇନତିର ସଂଶୋଧନ ପାଇଁ ସରକାର ପ୍ରଥମଥର ପାଇଁ ଆବଶ୍ୟକତା ଅନୁଭବ କରିଥିଲେ । ମାତ୍ର ଦିଅଁ ଗଢୁ ଗଢୁ ବାନ୍ଦର ଗଢିଲା ପରି ସଂଶୋଧନ ଆଳରେ ରାଜ୍ୟ ସରକାର ଖଞ୍ଜିଥିବା ୪-କ ଧାରା ଓଡ଼ିଶା ସରକାରୀ ଭାଷା ଆଇନର ଉଦ୍ଦେଶ୍ୟ ପଣ୍ଡା କରିଛି । ଏଥିରେ କୁହ ହୋଇଛି , ଯେଉଁ କର୍ମଚାରୀମାନେ “ବ୍ୟାପକ ଭାବେ” ଓଡ଼ିଆ ଭାଷା ବ୍ୟବହାର କରିବେ ସେମାନଙ୍କୁ ପୁରସ୍କୃତ କରାଯିବ । ଏହାର ଅର୍ଥ , ଯେଉଁମାନେ ସାମଗ୍ରିକ ଭାବେ ଓଡ଼ିଆ ଭାଷାରେ କାମ ନ କରିବେ ସେମାନଙ୍କୁ ପୁରସ୍କୃତ କରାଯିବ ! ଅଧିକନ୍ତୁ , ସଂଶୋଧନର ଉଦ୍ଦେଶ୍ୟ ଓ କାରଣ କଥନରେ ଏପରି ଉପାଦାନ ରଖାଯାଇଛି ଯେ,ଓଡ଼ିଶାର ସର୍ବତ୍ର ଆଇନଟି ଲାଗୁ ହେବନାହିଁ ଓ ଅମଲାତନ୍ତ୍ରର ମର୍ଜି ଅନୁରୂପେ ଏହା ନିର୍ବାହିତ ହେବ । ତେଣୁ ଓଡିଶା ସରକାରୀ ଭାଷା ଆଇନରେ ଖଞ୍ଜ ହୋଇଥିବା ୪-କ ଧାରା ବିଲୋପନ ପାଇଁ ସେ ଜୋର ଦେଉଥିବା ହେତୁ ଓଡିଆଭାଷାବିଦ୍ଵେଷୀ ସରକାର ଆନ୍ଦୋଳନକାରୀଙ୍କ ଭିତରୁ ଦୁଇଜଣ ମୁଖ୍ୟବ୍ୟକ୍ତିଙ୍କୁ ପୋଷାମନେଇ ଆନ୍ଦୋଳନକୁ ମାରିଦେବାକୁ ଚେଷ୍ଟା କରିଥିଲେ । ମାତ୍ର ଭାଷାପ୍ରାଣ ଓଡ଼ିଆ ଜାତି ସେହି ଘୃଣୀ ଷଡ଼ଯନ୍ତ୍ରକୁ ବ୍ୟର୍ଥ କରିଦେଇଛି ଓ ବିଶ୍ବାସଘାତକମାନେ ଚାଲିଗଲା ପରେ ଆମ ଭାଷା ପାଇଁ ଆମ ଲଢ଼େଇ ଚାଲିଛି ବୋଲି ସେ କହିଥିଲେ ।

ଭାଷା ଆନ୍ଦୋଳନର ପୂର୍ବବର୍ତ୍ତୀ ପର୍ଯ୍ୟାୟରେ ସରକାରୀ କାମରେ ଭାଷା ପ୍ରୟୋଗ ପାଇଁ ଚାପ ସୃଷ୍ଟି କରିଥିବା ଓଡିଆ ଭାଷା ପ୍ରୟୋଗ କ୍ରିଯାନୁଷ୍ଠାନ କମିଟିର ଅନ୍ୟତମ ସଂସ୍ଥାପକ ପ୍ରଫେସର କମଳାପ୍ରସାଦ ମହାପାତ୍ର ମଧ୍ୟ ତତ୍ତୁଲ୍ୟ ମତ ଦେଇ କହିଥିଲେ କି, କହିଥିଲେ କି, ଆଇନଟିର ଶୀର୍ଷକ ପରିବର୍ତ୍ତନ ପାଇଁ ସୁଭାଷବାବୁଙ୍କ ମତ ସହ ସେ ଏକମତ ନୁହନ୍ତି; କାରଣ, ତାଙ୍କ ବିଚାରରେ ଅଫିସିଆଲ ଅର୍ଥ ସମସ୍ତ ସରକାରୀ ଓ ବେସରକାରୀ ଅଫିସ । କିନ୍ତୁ ଅଫିସମାନଙ୍କରେ ଓଡ଼ିଆ ଭାଷାର ବ୍ୟାପକ ପ୍ରଚଳନକୁ ପୁରସ୍କୃତ କରାଯିବା ବିଭାବନାକୁ ଅଗ୍ରାହ୍ୟ କରିବାକୁ ସେ ସୁଭାଷ ବାବୁଙ୍କ ସହ ଏକମତ ହୋଇଥିଲେ ।

ଓଡ଼ିଆ ଅସ୍ମିତାର ଅନ୍ଯତମ ଅତନ୍ଦ୍ର ପ୍ରହରୀ, ସାମ୍ବାଦିକ ଡକ୍ଟର ଅସିତ ମହାନ୍ତି କହିଥିଲେ ଓଡ଼ିଶା ସରକାରୀ ଭାଷା ଆଇନ କ୍ଷେତ୍ରରେ ସରକାରୀ ପ୍ରବଞ୍ଚନା ଆଜିକୁ ଶହେ ବର୍ଷ ତଳେ ଏହି ଦିନ (୧୩ ଏପ୍ରିଲ) ବିଦେଶୀ ଇଂରାଜ ବାହିନୀ ଘଟାଇଥିବା ଜାଲିଆନାଵାଲାବାଗ୍ ଗଣହତ୍ୟା ଠାରୁ କମ୍ ନୁହେଁ ।

ଏକାଧିକବାର କଳାପତାକା ଧରି ଭାଷା ଜନନୀ ପାଇଁ ସଂଗ୍ରାମ କରିଥିବା ବିଦୁଷୀ ତନୁଜା ରଥ ତାଙ୍କ ମନକଥା କହିଥିଲେ ।

ବିଶିଷ୍ଟ ସମାଜସେବୀ ରାମଶଙ୍କର ନିଜ ଆଦର୍ଶରେ ଅତଳ ରହି ଏ ଅଭିଯାନ ସାରା ଓଡିଶାରେ ପରିବ୍ୟାପ୍ତ ହେବ ବୋଲି ଆଶାପୋଷଣ କରିଥିଲେ ।

ଭାଷା ଜନନୀଙ୍କ ଶ୍ରେଷ୍ଠ ଚାରଣକବି ଅରୂପ (ଉମାକାନ୍ତ ରାଉତ) ନିଜ କବିତା ଅବୃତ୍ତି କରି କାବ୍ୟିକ ଉଦ୍ବୋଧନ ଦେଇଥିଲେ ।

ସଭାପତିତ୍ଵ କରୁଥିବା ସମାଜ ସଂସ୍କାରକ, ଅଧିବକ୍ତା ଅର୍ଜୁନ ଚରଣ ସାମନ୍ତରାୟ କହିଥିଲେ ନିଜ ଭାଷା ଜନନୀଙ୍କୁ ବିପଦମୁକ୍ତ କରିବା ପାଇଁ ଏହି ଅଭିଯାନ ଚାଲିଛି ଓ ଚାଲିବ ଏବଂ ବ୍ୟାପକ ହେବ ।

ଖୋର୍ଦ୍ଧା ମାଟିର ଏକ ନବମ ଶ୍ରେଣୀ ଛାତ୍ରୀ ଶ୍ରୁତି ମହାନ୍ତି ସୁଲଳିତ କଣ୍ଠରେ ଓଡ଼ିଆ ଅସ୍ମିତାର ବନ୍ଦନା କରି କାଳପଟକ ଅଭିଯାନର ତିନିବର୍ଷ ପୂର୍ତ୍ତି ମୁହୂର୍ତ୍ତକୁ କରିଦେଇଥିଲେ ପ୍ରାଣପୂର୍ତ୍ତ ।