ଟଙ୍କା ପାଇଁ ଭାଷା ଆନ୍ଦୋଳନକୁ ଛୁରୀ ମାରିଛନ୍ତି ପ୍ରଦ୍ୟୁମ୍ନ ଶତପଥୀ : ମୁଖ୍ୟମନ୍ତ୍ରୀ ସଫେଇ ରଖନ୍ତୁ – ନବମ ଭାଗ

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ଅଡ଼ଶପୁର କଲେଜର ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ଶ୍ରୀମତୀ ମାନସୀ ଷଡ଼ଙ୍ଗୀଙ୍କ ଚାକିରି ଉପରେ ବିଚାର ପାଇଁ ଅତିରିକ୍ତ ଶାସନ ସଚିବ କୃପାସିନ୍ଧୁ ମିଶ୍ର ଏକ ବିଚାର କମିଟି ଗଠନ ପାଇଁ ନିଜେ ପ୍ରସ୍ତାବ ଦେଇ (ଟିପ୍ପଣୀ ୪, ତା.୨୦.୬.୨୦୧୮, ସମୟ ସକାଳ ୧୦ଟା ୧୫ ମିନିଟ ୧୬ ସେକେଣ୍ଡ), ମାତ୍ର ଅଧଘଣ୍ଟାରେ ଅଭୂତପୂର୍ବ ବେଗରେ ଶାସନ ସଚିବଙ୍କ ଅନୁମୋଦନ ହାସଲ କରି (ଟିପ୍ପଣୀ ୫, ତା.୨୦.୬.୨୦୧୮, ସମୟ ସକାଳ ୧୦ଟା ୪୬ ମିନିଟ ୧୦ ସେକେଣ୍ଡ), ତତ୍କାଳ କମିଟି ଗଠନ କରି, ୨୨.୬.୨୦୧୮ ଅପରାହ୍ନ୧୨ଟା୩୦ରେ ତହିଁର ବୈଠକ ନିଜ ଅଧ୍ୟକ୍ଷତାରେ ଅନୁଷ୍ଠିତ କରି ଯେଉଁ ନିଷ୍ପତ୍ତି ନିର୍ମାଣ କଲେ, ତାହା ତ ପୂର୍ବ ନିଷ୍ପତ୍ତି ଅନୁସାରେ ସେହି ଦିନ ହିଁ ଶାସନ ସଚିବଙ୍କ ପାଖରେ ପେଶ୍ କରାଯାଇ ଆବଶ୍ୟକୀୟ ଆଦେଶ ନିଆଯିବା କଥା (“The report will be placed for kind perusal and necessary orders of Commissioner-cum-Secretary on the same day.”) ଏବଂ ସେହି କାରଣରୁ ତ ଅନୁବିଭାଗ ଅଧିକାରୀ କମିଟିର ନିଷ୍ପତ୍ତି ଓ ତହିଁର ଟିକିନିଖି ବିବରଣୀ ସେହି ଦିନ ଅପରାହ୍ନ ୩ଟା ୪୯ ମିନିଟ ୩୩ ସେକେଣ୍ଡରେ ଅତିରିକ୍ତ ଶାସନ ସଚିବଙ୍କ ପାଖରେ ପେଶ୍ କରିଥିଲେ (ଟିପ୍ପଣୀ ୯) ; କିନ୍ତୁ କ’ଣ ହେଲା ଯେ , ଯୁଦ୍ଧକାଳୀନ ତତ୍ପରତା ସହ ପ୍ରସ୍ତୁତ ଏହି ନିଷ୍ପତ୍ତି ଉପରେ ଶାସନ ସଚିବ କୌଣସି ଅଭିମତ ରଖିଲେ ନାହିଁ ଓ ଅତିରିକ୍ତ ଶାସନ ସଚିବ ଦୀର୍ଘ ସାଢେ ତିନି ଦିନ ପରେ ୨୫.୬.୨୦୧୮ ତାରିଖ, ସମୟ ସନ୍ଧ୍ୟା ୭ଟା ୩ ମିନିଟ ୧୫ ସେକେଣ୍ଡରେ “ଦୟାକରି ଆପଣଙ୍କ ସୁଚିନ୍ତିତ ମତ ଦିଅନ୍ତୁ” ବୋଲି ଏକ ରହସ୍ୟଜନକ ଆଦେଶ ଉଲ୍ଲେଖ କରି ତାଙ୍କ ଅଧ୍ୟକ୍ଷତାରେ ନିର୍ମିତ ନିଷ୍ପତ୍ତିର ପୁନର୍ବିଚାରର ପରିସର ସୃଷ୍ଟିକଲେ?

ଅନୁବିଭାଗୀୟ ଅଧିକାରୀଙ୍କ ଦାୟିତ୍ଵ ଥିଲା ଉପରୋକ୍ତ କମିଟିର ନିଷ୍ପତ୍ତି ନଥିରେ ଲିପିବଦ୍ଧ କରି ନଥିଟିକୁ ଅତିରିକ୍ତ ଶାସନ ସଚିବଙ୍କ ପାଇଁ ପ୍ରସ୍ତୁତ କରିବା, ଯାହା ସେ କରିଥିଲେ । କମିଟିର ନିଷ୍ପତ୍ତି ଉପରେ “ସୁଚିନ୍ତିତ ମତ” ରଖିବାକୁ ତାଙ୍କର କୌଣସି କ୍ଷମତା ନ ଥିଲା । ଏଣୁ ସେ ସେପରି କୌଣସି ମତ ଦେବା ସମ୍ଭବ ନ ଥିଲା ।

ଶ୍ରୀମତୀ ମାନସୀ ଷଡ଼ଙ୍ଗୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ୨୨.୬.୨୦୧୫ରେ ଯେଉଁ ଆଦେଶ ଦେଇଥିଲେ, ଏହି କମିଟି ସେହି ଆଦେଶକୁ ବାତିଲ କରିଥିଲେ ମଧ୍ୟ ତାହା କେତେଦୂର ଆଇନ ସମ୍ମତ ହେବ – ସେ ନେଇ ସନ୍ଦେହ ଥିଲା । ସେଥିପାଇଁ ଏହି କମିଟି ବି କହିଥିଲା କି, ଏ ସମ୍ପର୍କରେ ସରକାର ଯାହା ଶେଷ ନିଷ୍ପତ୍ତି ନେବେ ତାହାକୁ ମାନିବେ ବୋଲି ଶ୍ରୀମତୀ ଷଡ଼ଙ୍ଗୀ ସତ୍ୟପାଠ ମାଧ୍ୟମରେ ଅଙ୍ଗୀକାରନାମା ଦେବେ ।

ଏପରି ସତ୍ୟପାଠ (Affidavit) ଶ୍ରୀମତୀ ଷଡ଼ଙ୍ଗୀଙ୍କ ସ୍ଵାର୍ଥ ଅନୁକୂଳ ନ ହୋଇଥିବାରୁ ପ୍ରଦ୍ୟୁମ୍ନ ଶତପଥୀ ଏହାର ପରିବର୍ତ୍ତନ ଉପରେ ଏପରି ଚାପ ପ୍ରୟୋଗ କଲେ ଯେ, କମିଟିର ନିଷ୍ପତ୍ତି ଗର୍ଭାଶୟରେ ହିଁ ମରିଯିବା ଅବସ୍ଥା ସୃଷ୍ଟିହେଲା ।

ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ଶତପଥୀ ଯାହା ଚାହୁଁଛନ୍ତି ତାହା କର ବୋଲି ତୃତୀୟ ମହଲାର ଚାପ ପ୍ରବଳରୁ ପ୍ରବଳତର ହେଉଥାଏ । ଉଚ୍ଚ ଶିକ୍ଷା ବିଭାଗ କିଂକର୍ତ୍ତବ୍ୟବିମୂଢ ହୋଇପଡ଼ିଲା । ଶାସନ ସଚିବଙ୍କ ସହ ବାରମ୍ବାର ମୌଖିକ ଆଲୋଚନା ପରେ ୨୫.୬.୨୦୧୮ ସନ୍ଧ୍ୟାରେ “ଗାଁ ଲୋକେ ପଣସ ଖାଇ ଭଣ୍ଡାରି ମୁଣ୍ଡରେ ଅଠା” ବୋଳିଲା ପରି କୁହାଗଲା, ତଳିଆ ଅମଲାତନ୍ତ୍ର (lower bureaucracy) ସମସ୍ୟା ସମାଧାନ ପାଇଁ “ସୁଚିନ୍ତିତ ମତ” ଦେଉ !

ପ୍ରଦ୍ୟୁମ୍ନ ଶତପଥୀଙ୍କୁ ବୁଝାଇ ଦିଆଗଲା ଯେ, ତାଙ୍କ ପତ୍ନୀ ନିସର୍ତ୍ତ ସଂସ୍ଥିତା ହେବେ, କାରଣ କମିଟି ନିଷ୍ପତ୍ତିକୁ ଅକାମି କରିବା ପାଇଁ “ସୁଚିନ୍ତିତ ମତ” ଆସିବ । (କ୍ରମଶଃ)

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.