ଟଙ୍କା ପାଇଁ ଭାଷା ଆନ୍ଦୋଳନକୁ ଛୁରୀ ମାରିଛନ୍ତି ପ୍ରଦ୍ୟୁମ୍ନ ଶତପଥୀ : ମୁଖ୍ୟମନ୍ତ୍ରୀ ସଫେଇ ରଖନ୍ତୁ – ତ୍ରୟୋଦଶ ଭାଗ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଭାଷା ଆଇନ ସଂଶୋଧନରେ ମୁଖ୍ୟମନ୍ତ୍ରୀଙ୍କ ଦୃଶ୍ୟମାନ ଜାଲିଆତି ବିରୁଦ୍ଧରେ ବିଧାନସଭା ତଥା ଜନସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟିକରିବାକୁ ୧.୭.୨୦୧୮ରୁ କଳାପତାକା ଅଭିଯାନ ପୁନଃ ଆରମ୍ଭ ହେବ ବୋଲି ଆମେ ଘୋଷଣା କରିଥିଲୁ । କିନ୍ତୁ ଆମ ଆନ୍ଦୋଳନକୁ ଭାଙ୍ଗି ପତ୍ନୀଙ୍କ ଚାକିରି ପକ୍କା କରିବାକୁ ଭିତରେ ଭିତରେ ସରକାରଙ୍କ ସହ ହାତ ମିଳାଇଥିବା ପ୍ରଦ୍ୟୁମ୍ନ ଶତପଥୀ ଦେଖିଲେ, ତାଙ୍କ ପତ୍ନୀଙ୍କ ସପକ୍ଷରେ ଆରମ୍ଭ ହୋଇଥିବା ନଥି କାମ ୨୫.୬.୨୦୧୮ ତାରିଖରୁ ଚାପ ପ୍ରୟୋଗ ସତ୍ତ୍ୱେ ଆଉ ଆଗେଇ ନାହିଁ । ତେଣୁ ତାଙ୍କ ଗୁପ୍ତ ଅଭିସନ୍ଧି କାର୍ଯ୍ୟକାରୀ ହେବା ପାଇଁ ସରକାରଙ୍କୁ ଆଉ ଦି ସପ୍ତାହ ସମୟ ଦେବା ମତଲବରେ ୧.୭.୨୦୧୮ ତାରିଖରେ ଆରମ୍ଭ ନ କରି ୧୬.୭.୨୦୧୮ ପର୍ଯ୍ୟନ୍ତ କଳାପତାକା ଅଭିଯାନକୁ ସ୍ଥଗିତ ରଖିବାକୁ ସେ କିପରି ଆମକୁ ପ୍ରଭାବିତ କରିଥିଲେ , ତାହା ଏଥିପୂର୍ବରୁ ମୁଁ କହିସାରିଛି । କିନ୍ତୁ ଆମେ ଯେ ଏହି ତାରିଖରୁ କଳା ପତାକା ଅଭିଯାନ ପୁନଃ ଚାଲିବ ବୋଲି ମୁଖ୍ୟ ଶାସନ ସଚିବଙ୍କୁ କୌଣସି ଆବଶ୍ୟକତା ନ ଥାଇ ୨.୭.୨୦୧୮ ତାରିଖରେ ଏକ ଚରମ ପତ୍ର ଦେଲୁ , ତାହା ଦେଇଥିଲୁ କାହିଁକି? କାହିଁକି ପ୍ରଦ୍ୟୁମ୍ନ ଶତପଥୀ ଯିଦ କରିଥିଲେ ଏପରି ଏକ ଚରମ ପତ୍ର ଦେବାକୁ, ଯଦିଓ ଆମ ମୂଳ ଚରମ ପତ୍ର କାଏମ ଥିଲା ଓ କଳାପତାକା ଅଭିଯାନ ପ୍ରତ୍ୟାହୃତ ହୋଇନଥିଲା?

ବୁଢିଆଣୀ ଅବତାର

ନଥି ବିଶ୍ଳେଷଣରୁ ମୁଁ ଏବେ ଅନୁଭବ କରୁଛି କି, ତାଙ୍କ ପତ୍ନୀଙ୍କ ନିଯୁକ୍ତି ନଥିଟି ଚାପ ପ୍ରୟୋଗ ସତ୍ତ୍ୱେ ୨୫.୬.୨୦୧୮ ତାରିଖରୁ ଯେହେତୁ ନାଲିଫିତା କବଳରେ ପଡ଼ି ରହିଥିଲା, ସେହେତୁ ସରକାରଙ୍କ ଉଚ୍ଚସ୍ତରକୁ ପୁନଶ୍ଚ ଚମକାଇ ୧୬.୭.୨୦୧୮ ସୁଦ୍ଧା ନିଯୁକ୍ତି ଆଦେଶ ପକ୍କା କରିବାକୁ ଚରମ ଚାପ ପ୍ରୟୋଗ ସକାଶେ ସେ ଏଇ ଚରମ ପତ୍ରର ପରିକଳ୍ପନା କରିଥିଲେ । ଏହା ଅନୁଧ୍ୟାନ କରି ମୋର ହୃଦ୍ ବୋଧ ହୋଇଛି ଯେ, ଜାଲ ବିଛାଇବାରେ ପ୍ରଦ୍ୟୁମ୍ନ ଶତପଥୀ ବୁଢିଆଣୀ ପରି ପାରଙ୍ଗମ ।

ଯଦି ଆମେ ଏହି ଚରମ ପତ୍ର ନ ଦେଇଥାନ୍ତୁ , ଅନୁଶାସନସଚିବ ସୂର୍ଯ୍ୟ ନାରାୟଣ ମହାପାତ୍ର ‘ସାତ ଖୁନ୍ ମାଫ୍’ ଶକ୍ତି ନେଇ ନଥି ଭିତରକୁ ପଶିପାରି ନଥାନ୍ତେ କି ସରକାରୀ ଆଦେଶକୁ ଖତମ୍ କରିଦେବା ପାଇଁ ଗାଲୁକଳ୍ପ ପ୍ରୟୋଗ କରିପାରିନଥାନ୍ତେ ।

ଗାଲୁକଳ୍ପ

ଏହି ଗାଲୁକଳ୍ପର ୪ ଗୋଟି ଉପାଦାନ ତୁରନ୍ତ ଆଖିରେ ପଡ଼େ । ଯଥା:-
(୧) କମିଟି ନିଷ୍ପତ୍ତି (୨୨.୬.୨୦୧୮) ଉପରେ “ସୁଚିନ୍ତିତ ମତ” ରଖିବାକୁ ନଥିପ୍ରବେଶ କରି ତାହା ପ୍ରତି ଭ୍ରୂକ୍ଷେପ ନ କରି ସରକାରୀ ଆଦେଶ (୨୨.୬.୨୦୧୫) ଉପରେ ଅନଧିକୃତ ଆକ୍ରମଣ ଓ ତହିଁର ନିପାତିକରଣ;
(୨) ଶ୍ରୀମତୀ ଷଡଙ୍ଗୀ ତାଙ୍କ କାମ କରୁନାହାନ୍ତି (she is not performing her duties) ବୋଲି ସରକାରୀ ସିଦ୍ଧାନ୍ତ ସ୍ଥାନରେ , ବିନା ଦୋଷରେ ତାଙ୍କୁ ନିକମା କରି ରଖା ହୋଇଛି (for none of her faults she is kept out of service) ବୋଲି କର୍ତ୍ତୃପକ୍ଷଙ୍କ ଉପରେ ଦୋଷାରୋପଣ ;
(୩) ସତ୍ୟପାଠ ଜଞ୍ଜାଳରୁ ମୁକ୍ତିଦେଇ ଶ୍ରୀମତୀ ଷଡଙ୍ଗୀଙ୍କୁ କାର୍ଯ୍ୟତଃ ରଦ୍ଦ ହୋଇଥିବା ପଦବୀରେ ନିସର୍ତ୍ତ ଯୋଗଦାନର ଭିତ୍ତି ଯୋଗାଣ ; ଓ
(୪) ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ , ତାଙ୍କ ଅନୁପସ୍ଥିତି କାଳ ଚାକିରି କାଳରୁ ଉଚ୍ଛେଦ ନ ହୋଇ ନିୟମିତ ହେବା ସକାଶେ ପନ୍ଥାନୁସନ୍ଧାନ କରିବାକୁ ମତ ପ୍ରଦାନ ।
କଳାପତାକା ଅଭିଯାନର ସ୍ଥଗିତ ସ୍ଥିତି ସରିବା ପାଇଁ ଆଉ ମାତ୍ର ଚାରିଦିନ ବାକିଥାଇ, ୧୧.୭.୨୦୧୮ ତାରିଖରେ କର୍ମ ଦିବସ ସରିବା ପରେ, ଘଣ୍ଟାଏ ଆଠ ମିନିଟରୁ ଅଧିକ କାଳ ଅଫିସରେ ଅଟକି ରହି, ଅନୁଶାସନସଚିବ ଏହି ଯେଉଁ ଗାଲୁକଳ୍ପ ତିଆରି କଲେ, ତାହା ଶାସନ କଳକୁ ଚାତକକୁ ବର୍ଷା ଜଳ ପରି ଲାଗିଲା । ତା ନ ହୋଇଥିଲେ, ସରକାରୀ ଆଦେଶ ଉପରେ ଅନଧିକୃତ ଅନୁପ୍ରବେଶ ପାଇଁ ମହାପାତ୍ରଙ୍କ “ସୁଚିନ୍ତିତ ମତ”କୁ ତତ୍କାଳ ପ୍ରତ୍ୟାଖ୍ୟାନ କରାହୋଇଥାନ୍ତା ଓ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇପାରିଥାନ୍ତା ।

ତଥାପି ଏହାକୁ ଉପରକୁ ପଠାଇଲା ବେଳେ , ମହାପାତ୍ରଙ୍କ ଗାଲୁକଳ୍ପକୁ ପୂର୍ଣତଃ ସମର୍ଥନ କରିବାକୁ ଅତିରିକ୍ତ ଶାସନ ସଚିବ କୃପାସିନ୍ଧୁ ମିଶ୍ର ସାହସ କଲେ ନାହିଁ । ସେ ଯାହା ଲେଖିଲେ, ତାହାକୁ ମହାପାତ୍ରଙ୍କ ସୁପାରିଶ ସହ ମିଳାଇ ଦେଖିଲେ ଏ ଗାଲୁକଳ୍ପର ସ୍ୱରୂପ ଅଧିକ ସ୍ପଷ୍ଟ ହେବ ।

ମହାପାତ୍ରଙ୍କ ସୁପାରିଶ

1. She may be allowed to report her joining in the Directorate of Higher Education at the immediate effect which would be accepted by the Director, Higher Education. (ସେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟରେ ଅବିଳମ୍ବେ ଯୋଗଦାନ ପତ୍ର ଦାଖଲ କଲେ ତାହା ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଦ୍ଵାରା ଗୃହୀତ ହେବ ।)
2. The Director, Higher Education after looking to vacancy in any other identical College may post her to perform her duties. (ଅନ୍ୟ କୌଣସି ସମତୁଲ କଲେଜରେ ଶୂନ୍ୟ ସ୍ଥାନ ଠାବ କରି ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ସେଠାରେ କାମ କରିବାକୁ ତାଙ୍କୁ ଅବସ୍ଥାପିତ କରିବେ ।)
3. The intervening period from the date she was kept out of service from 02.07.2008 till she joins in the Directorate shall be decided for counting the same towards regular service later on after making due inquiry. (ତାଙ୍କୁ ନିକମା କରି ରଖା ଯାଇଥିବା ୦୨.୦୭.୨୦୦୮ ତାରିଖରୁ ସେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟରେ ଯୋଗ ଦେବା ପର୍ଯ୍ୟନ୍ତ ପରିବ୍ୟାପ୍ତ ସମୟକୁ ତାଙ୍କ ଚାକିରି କାଳରେ  ମିଶାଇ ନିୟମିତ କରିବା ଉଦ୍ଦେଶ୍ୟରେ ପନ୍ଥାନୁସନ୍ଧାନ କରି ନିଷ୍ପତ୍ତି ନିଆ ହେବ )

ମିଶ୍ରଙ୍କ ଅଭିମତ

1. Smt. Sadangi may be allowed to report her joining in the Directorate of Higher Education with immediate effect producing medical certificate of fitness obtained from competent authority which would be accepted by the Director, Higher Education. (ଶ୍ରୀମତୀ ଷଡଙ୍ଗୀ କ୍ଷମତାପନ୍ନ ଅଧିକାରୀଙ୍କ ଠାରୁ ସୁସ୍ଥତା ପ୍ରମାଣପତ୍ର ସହ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟରେ ଅବିଳମ୍ବେ ଯୋଗଦାନ ପତ୍ର ଦାଖଲ କଲେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ତାହା ଗ୍ରହଣ କରିବେ ।)
2. The Director, Higher Education after looking to vacancy in any other identical college may post her to perform her duties. (ଅନ୍ୟ କୌଣସି ସମତୁଲ କଲେଜରେ ଶୂନ୍ୟ ସ୍ଥାନ ଠାବ କରି ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ସେଠାରେ କାମ କରିବାକୁ ତାଙ୍କୁ ଅବସ୍ଥାପିତ କରିବେ ।)
3. The intervening period from the date she was kept out of service from 02.07.2008 till she joins in the Directorate shall be decided after due enquiry made at the level of Directorate. (ତାଙ୍କୁ ନିକମା କରି ରଖା ଯାଇଥିବା ୦୨.୦୭.୨୦୦୮ ତାରିଖରୁ ସେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟରେ ଯୋଗ ଦେବା ପର୍ଯ୍ୟନ୍ତ ପରିବ୍ୟାପ୍ତ ସମୟକୁ କିପରି ଗ୍ରହଣ କରାଯିବ ତାହା ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ତଦନ୍ତ ରିପୋର୍ଟ ପାଇଲା ପରେ ଧାର୍ଯ୍ୟ ହେବ ।)

ଦଫାୱାରୀ ତୁଳନା

ଏବେ ଆମେ ଏହି ଉଭୟର ଏକ ତୁଳନାତ୍ମକ ଅଧ୍ୟୟନ କରିବା ।

୧. ମହାପାତ୍ର:  “ସେ (ଶ୍ରୀମତୀ ଷଡଙ୍ଗୀ) ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟରେ ଅବିଳମ୍ବେ ଯୋଗଦାନ ପତ୍ର ଦାଖଲ କଲେ ତାହା ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଦ୍ଵାରା ଗୃହୀତ ହେବ” ।
ମିଶ୍ର:  “ଶ୍ରୀମତୀ ଷଡଙ୍ଗୀ କ୍ଷମତାପନ୍ନ ଅଧିକାରୀଙ୍କ ଠାରୁ ସୁସ୍ଥତା ପ୍ରମାଣପତ୍ର ସହ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟରେ ଅବିଳମ୍ବେ ଯୋଗଦାନ ପତ୍ର ଦାଖଲ କଲେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ତାହା ଗ୍ରହଣ କରିବେ” ।
ନିଷ୍କର୍ଷ:  ଶ୍ରୀମତୀ ଷଡଙ୍ଗୀଙ୍କ ନିସର୍ତ୍ତ ଯୋଗଦାନ ପାଇଁ ମହାପାତ୍ରଙ୍କ ସୁପାରିଶ ଦୋଷାକ୍ରାନ୍ତ ଥିବାରୁ ମିଶ୍ର ତହିଁରେ କ୍ଷମତାପନ୍ନ ଅଧିକାରୀଙ୍କ ପ୍ରଦତ୍ତ ସୁସ୍ଥତା ପ୍ରମାଣପତ୍ର ସଂଲଗ୍ନ କରାଯିବାର ସର୍ତ୍ତ ସନ୍ନିହିତ କରିଛନ୍ତି ।

୨. ମହାପାତ୍ର:  “ଅନ୍ୟ କୌଣସି ସମତୁଲ କଲେଜରେ ଶୂନ୍ୟ ସ୍ଥାନ ଠାବ କରି ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ସେଠାରେ କାମ କରିବାକୁ ତାଙ୍କୁ ଅବସ୍ଥାପିତ କରିବେ” ।
ମିଶ୍ର:  “ଅନ୍ୟ କୌଣସି ସମତୁଲ କଲେଜରେ ଶୂନ୍ୟ ସ୍ଥାନ ଠାବ କରି ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ସେଠାରେ କାମ କରିବାକୁ ତାଙ୍କୁ ଅବସ୍ଥାପିତ କରିବେ” ।
ନିଷ୍କର୍ଷ:  ଆଇନର ସୀମା ସରହଦ ଭୁଲି ଏ ଉଭୟେ ସମାନ ଅନଧିକୃତ ଓ ଅବୈଧ ମତ ଦେଇ ସରକାରଙ୍କୁ ବିଭ୍ରାନ୍ତ କରିଛନ୍ତି ବା ଶାସନର ସର୍ବୋଚ୍ଚସ୍ତରର ନେପଥ୍ୟ ନିର୍ଦ୍ଦେଶରେ ଏପରି କରିଛନ୍ତି । ଏ ସମ୍ପର୍କରେ ପରେ ଆମେ ଆଲୋଚନା କରିବା ।

୩. ମହାପାତ୍ର:  “ତାଙ୍କୁ ନିକମା କରି ରଖା ଯାଇଥିବା ୦୨.୦୭.୨୦୦୮ ତାରିଖରୁ ସେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟରେ ଯୋଗ ଦେବା ପର୍ଯ୍ୟନ୍ତ ପରିବ୍ୟାପ୍ତ ସମୟକୁ ତାଙ୍କ ଚାକିରି କାଳରେ  ମିଶାଇ ନିୟମିତ କରିବା ଉଦ୍ଦେଶ୍ୟରେ ପନ୍ଥାନୁସନ୍ଧାନ କରି ନିଷ୍ପତ୍ତି ନିଆ ହେବ”  ।
ମିଶ୍ର:  “ତାଙ୍କୁ ନିକମା କରି ରଖା ଯାଇଥିବା ୦୨.୦୭.୨୦୦୮ ତାରିଖରୁ ସେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟରେ ଯୋଗଦେବା ପର୍ଯ୍ୟନ୍ତ ପରିବ୍ୟାପ୍ତ ସମୟକୁ କିପରି ଗ୍ରହଣକରାଯିବ ତାହା ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ତଦନ୍ତ ରିପୋର୍ଟ ପାଇଲାପରେ ଧାର୍ଯ୍ୟ ହେବ”।
ନିଷ୍କର୍ଷ:  ମହାପାତ୍ର ତଦନ୍ତର ସ୍ଵାଧୀନତା ବାରଣ କରି କେବଳ ଶ୍ରୀମତୀ ଷଡଙ୍ଗୀଙ୍କ ଅନୁପସ୍ଥିତି ସମୟ ସହ ତାଙ୍କ ଚାକିରି କାଳ ନିୟମିତ କରିବାକୁ ପନ୍ଥାନୁସନ୍ଧାନ ହେବ ବୋଲି କହିଥିବା ବେଳେ , ମିଶ୍ର ତହିଁରେ ରାଜି ହୋଇ ନାହାନ୍ତି । ସେ କହିଛନ୍ତି ଯେ, ଷଡଙ୍ଗୀଙ୍କ ଅନୁପସ୍ଥିତି କାଳ ତାଙ୍କ ଚାକିରି କାଳ ଭାବେ ଗଣା ହେବ କି ସରକାରୀ ଆଦେଶ ଅନୁରୂପେ ନିଯୁକ୍ତି ରଦ୍ଦିକରଣ (breakage of service) ଭାବେ ଗୃହୀତ ହେବ, ତାହା ନିର୍ଭର କରିବ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ତଦନ୍ତ ରିପୋର୍ଟ ଉପରେ । କିନ୍ତୁ ଏହା କେବଳ ଧର୍ମକୁ ଆଖିଠାର । କାରଣ ମିଶ୍ରେ ମହାପାତ୍ରଙ୍କ ଗାଲୁକଳ୍ପର ୧ମ ଉପାଦାନ ଆପଣାଇ, ଶ୍ରୀମତୀ ଷଡଙ୍ଗୀଙ୍କୁ “କାମ କରୁନଥିବା” ଅଭିଯୋଗରୁ ମୁକ୍ତ କରିବା ପାଇଁ ତାଙ୍କୁ “କାମରୁ ଦୂରେଇ ରଖାଯାଇଥିବା” କଥା ଯେ କହିଛନ୍ତି, ତାର ଉଦ୍ଦେଶ୍ୟ ହେଲା, ତାଙ୍କୁ ନିର୍ଦ୍ଦୋଷ ଦେଖାଇବା ଓ ସେହେତୁ ତାଙ୍କ ଅନୁପସ୍ଥିତି ତାଙ୍କ ଦୋଷ ନୁହେଁ ବୋଲି କହି ସେହି କାଳକୁ ତାଙ୍କ ଚାକିରି କାଳରେ ଗଣା କରାଇବୁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଠାରୁ ଏକ ଅନୁକୂଳ ତଦନ୍ତ ରିପୋର୍ଟ ଉଦ୍ଗତ କରାଇବା । ଏହା ହୋଇପାରିଥିଲେ ପିଛିଲା ଦରମା ବାବଦକୁ ଓଡ଼ିଶା ରାଜକୋଷରୁ ଶ୍ରୀମତୀ ପ୍ରଦ୍ୟୁମ୍ନ ଶତପଥୀ ପାଇଥାନ୍ତେ ପ୍ରାୟ ଦେଢ କୋଟି ଟଙ୍କା ।

ଦାନାର ତୋବଡ଼ା

ଅତିରିକ୍ତ ଶାସନ ସଚିବ କୃପାସିନ୍ଧୁ ମିଶ୍ର ତାଙ୍କ ଉପରୋକ୍ତ ସୁପାରିଶକୁ ସରକାରଙ୍କ ଅନୁମୋଦନ ପାଇଁ ପଠାଇଲେ ୧୨.୭.୨୦୧୮ ଦିପହର ୧୨ଟାରେ । ସେ ଦିନ ଅପରାହ୍ନ ୩ଟା ୧୭ ମିନିଟରେ ଶାସନ ସଚିବ ବିଷ୍ଣୁପଦ ସେଠୀ ଏହା ଉପରେ କୌଣସି ମତ ନ ଦେଇ ଉଚ୍ଚ କର୍ତ୍ତୁପକ୍ଷଙ୍କ ଆଦେଶ ପାଇଁ ନଥିଟି ଦେଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍. ବାଳକୃଷ୍ଣନଙ୍କୁ ଏବଂ “ଯଥା ସଂଶୋଧିତ” ବୋଲି ଲେଖି ସେ ସେଦିନ ସନ୍ଧ୍ୟା ୬ଟା ୨୫ ମିନିଟ୍ ୩୬ ସେକଣ୍ଡରେ ତାହାକୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କ ପାଖକୁ ପଠାଇଲେ । ନଥିଟି ସେଇଠି ପଡ଼ିରହିଲା ୧୬.୭.୨୦୧୮ ଯାଏଁ । କାରଣ ଥିଲା, ପିଛିଲା ଦରମା ବାବଦରେ ଏପରି ବହୁ ପରିମାଣର ଟଙ୍କା ବ୍ୟୟର ଆଶଙ୍କା ଥିବା ଘଟଣାରେ ଅର୍ଥ ବିଭାଗ ବଳବତ୍ତର କରିଥିବା ପ୍ରତିବନ୍ଧକ । ତେଣୁ ନଥିଟିକୁ ଅର୍ଥ ବିଭାଗକୁ ପଠାଇବାକୁ ଅନନ୍ତ ଦାସଙ୍କ ଘରୋଇ ସଚିବ ତାଙ୍କୁ ଅନୌପଚାରିକ ପରାମର୍ଶ ଦେଇଥିଲେ । ଅର୍ଥ ବିଭାଗକୁ ନଥିଟି ଯାଇଥିଲେ ହୁଏତ ଗୋଳମାଳ ହୋଇଯାଇଥାନ୍ତା । ତେଣୁ ତାକୁ ସେଇଠି ଅଟକାଇ ରଖି ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରାଙ୍କ ସହ ଆଲୋଚନା ଚାଲିଲା । ୧୬ ତାରିଖ ହୋଇଗଲା । ସନ୍ଧ୍ୟା ୫ରେ କଳା ପତାକା । ତା ଆଗରୁ ଶ୍ରୀମତୀ ଷଡଙ୍ଗୀଙ୍କ ନଥିରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଦସ୍ତଖତ ନ କଲେ କଳାପତାକା ଅଭିଯାନ ଅଟକାଇ ହେବନି ବୋଲି ପ୍ରଦ୍ୟୁମ୍ନ ଶତପଥୀ ତୃତୀୟ ମହଲାକୁ ଜଣାଇଲେ । ଅର୍ଥମନ୍ତ୍ରୀଙ୍କୁ କୁହାଗଲା ସମସ୍ୟାର ଆଶୁ ସମାଧାନ ପାଇଁ । ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କୁ କହିଲେ : ଆପଣ ଦସ୍ତଖତ କରିଦିଅନ୍ତୁ ; ଅର୍ଥ ବିଭାଗ କଥା ମୁଁ ପରେ ବୁଝିବି । ଦିନ ୨ଟା ୧୧ ମିନିଟ ୬ ସେକେଣ୍ଡରେ ଅନନ୍ତ ବାବୁ ନଥିରେ ଲେଖିଲେ “ଯଥା ପ୍ରସ୍ତାବିତ” ।

କଳାପତାକା ଅଭିଯାନକୁ ନ ଆସି ପ୍ରଦ୍ୟୁମ୍ନ ଶତପଥୀ ସାଙ୍ଗରେ ଆଉ ତିନିଜଣ ବ୍ୟକ୍ତିଙ୍କୁ ଧରି ଶଶୀ ବେହେରାଙ୍କ ସଚିବାଳୟ ପ୍ରକୋଷ୍ଠକୁ ଗଲେ । ସେଠାରେ ଚତୁରେ ଚତୁର କୋଳାକୋଳି ହୋଇ ଜାଣିଗଲେ ଯେ, ଅନନ୍ତ ଦାସ ଦସ୍ତଖତ କରିସାରିଛନ୍ତି ଓ ନଥି ଫେରୁଛି ଶାସନ ସଚିବଙ୍କ ପାଖକୁ । ଶାସନ ସଚିବ ନଥିଟି ପାଇ ଅତିରିକ୍ତ ଶାସନ ସଚିବ କୃପାସିନ୍ଧୁ ମିଶ୍ରଙ୍କୁ ଶ୍ରୀମତୀ ଷଡଙ୍ଗୀଙ୍କ ଯୋଗଦାନ ପାଇଁ ଆଦେଶ ଚିଠା କରି ପଠାଇବାକୁ ସନ୍ଧ୍ୟା ୫ଟା ୫୪ ମିନିଟ ୩୯ ସେକେଣ୍ଡରେ ନିର୍ଦ୍ଦେଶ ଦେଲେ । ଚିଠା ପ୍ରସ୍ତୁତ କରିବାକୁ ଅନୁବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ଅତିରିକ୍ତ ଶାସନ ସଚିବ ମିଶ୍ର ସନ୍ଧ୍ୟା ୬ଟା ୨୧ ମିନିଟ ୨୦ ସେକେଣ୍ଡରେ ।

ସର୍ତ୍ତ ଥିଲା, ପତ୍ନୀଙ୍କ ଚାକିରିରେ ଯୋଗଦାନ ପାଇଁ ଚିଠା ପ୍ରସ୍ତୁତି ସକାଶେ ସଚିବାଳୟରେ ଆଦେଶ ହେବ, ସଚିବାଳୟ ବାହାରେ ପ୍ରଦ୍ୟୁମ୍ନ ଶତପଥୀ ଭାଷା ଆଂଦୋଳନର ସଭାପତି ପଦବୀ ବ୍ୟବହାର କରି କଳାପତାକା ଅଭିଯାନ ବନ୍ଦ ରହିଲା ବୋଲି ଘୋଷଣା କରିବେ । ତେଣୁ ଶଶୀ ବେହେରାଙ୍କ ପାଖରୁ ଫେରି ମୋ ଅନୁପସ୍ଥିତିରେ ସେ ତାହା ଘୋଷଣା କରିଦେଲେ ସନ୍ଧ୍ୟା ୭ଟାରେ ; ଯେପରି “କୁଳ ଗୌରବ ବାରି ନ ପାରନ୍ତି ଆତୁରେ ସଫରିନୟନା”, ଠିକ୍ ସେହିପରି !

ଆନ୍ଦୋଳନ ମୁଁ ସ୍ଥାପନ କରିଥିଲି ଓ ତାହା ମୋ ଦାବି ସପକ୍ଷରେ ଚାଲିଥିଲା । ପ୍ରଦ୍ୟୁମ୍ନ ବାବୁ ମୋତେ ସାହାଯ୍ୟ କରୁଥିଲେ, ପ୍ରତିଦିନ କଳାପତାକା ଧାରଣ କରିବାକୁ ସାଥି ମେଳଉ ଥିଲେ । ସେ ଏପରି ଛୁରା ମାରିଦେବେ ନିଜର ଅର୍ଥଲୋଲୁପତା ପାଇଁ , ତାହା ମୁଁ କେବେ କଲ୍ପନା କରିନଥିଲି ।

କୁଳବୃଦ୍ଧ ମଧୁସୂଦନ କହିଯାଇଛନ୍ତି “ ଜାତି ନନ୍ଦିଘୋଷ ଚାଲିବ କି ଭାଇ ସ୍ଵାର୍ଥକୁ ସାରଥି କଲେ? ଟାଣେ କିରେ ଗାଡି ଦାନାର ତୋବଡା ଘୋଡା ମୁହିଁ ବନ୍ଧା ଥିଲେ ?” ଏହାଙ୍କ ମୁହଁରେ ଦାନାର ତୋବଡ଼ା ବାନ୍ଧିଦେଲେ ଭାଷା ଆନ୍ଦୋଳନ ଦ୍ଵାରା ଅଡୁଆରେ ପଡ଼ିଥିବା ମୁଖ୍ୟମନ୍ତ୍ରୀ । ଜାତି ନନ୍ଦିଘୋଷ ତୁଲ୍ୟ ଭାଷା ଆନ୍ଦୋଳନ ସେହି ୧୬.୭.୨୦୧୮ ସନ୍ଧ୍ୟାରେ ଅଚଳ ହୋଇ ପଡ଼ିଥିଲା। କିନ୍ତୁ ଓଡ଼ିଆ ଜାତି ଏମାନଙ୍କ ଦ୍ଵାରା ପ୍ରତାରିତ ନ ହେବାକୁ ନିଷ୍ପତ୍ତି କଲା । ଫଳରେ ଏ ଅଭିଯାନ ଆଜିଯାଏଁ ଚାଲିଛି । ଆମ ଇଂରାଜିଆ ମୁଖ୍ୟମନ୍ତ୍ରୀ ଏ ସବୁ କଥା ଜାଣିବା ପାଇଁ ମୁଁ orissamatters.comରେ ଇଂରାଜୀରେ ଲେଖିଛି । ତାଙ୍କ ଅନ୍ଧ ଅନୁଗାମୀମାନେ ଜାଣିବା ପାଇଁ ଏଠାରେ ଓଡ଼ିଆ ଭାଷାରେ ରଖିଲି । ମାନ୍ୟବର ଏହା ଉପରେ ଚାହିଁଲେ ସ୍ପଷ୍ଟୀକରଣ ଦେଇପାରନ୍ତି । (କ୍ରମଶଃ)

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.