ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ପ୍ରଦ୍ୟୁମ୍ନ ଶତପଥିଙ୍କ ଘନିଷ୍ଠ ବନ୍ଧୁ ବାବୁ ନିରଞ୍ଜନ ସାହୁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଭାବେ ଯୋଗ ଦେବା ପୂର୍ବରୁ ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଥିଲେ, ସେହେତୁ ଶ୍ରୀମତୀ ମାନସୀ ଷଡଙ୍ଗୀଙ୍କ ଚାକିରି ନିୟମିତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁକୂଳ ମନୋଭାବ ସମ୍ପର୍କରେ ସେ ସମ୍ପୂର୍ଣ ଅବଗତ ଥିଲେ । ମାତ୍ର ନଥିରେ ଯେଉଁ ସମସ୍ତ ଦସ୍ତାବିଜ ଥିଲା, ଯେଉଁ ସମସ୍ତ ଟିପ୍ପଣୀ ଲିପିବଦ୍ଧ ହୋଇଥିଲା, ସେ ସବୁଗୁଡ଼ିକ ଶ୍ରୀମତୀ ଷଡଙ୍ଗୀଙ୍କ ଦାୟିତ୍ଵହୀନ ଅନୁପସ୍ଥିତି ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲା । ଏପରିକି, ୨୧.୧୨.୨୦୧୮ ତଥା ୨୪.୧୨.୨୦୧୮ ତାରିଖମାନଙ୍କରେ ଦୀର୍ଘ ୧୦ ବର୍ଷ ବ୍ୟାପୀ ତାଙ୍କ ଅନୁପସ୍ଥିତି ସମ୍ପର୍କରେ ଅନୁଷ୍ଠିତ ହୋଇଥିବା ତଦନ୍ତରେ ଅଂଶଗ୍ରହଣ କରି ସେ ନିଜେ ଦର୍ଶାଇଥିଲେ ଯେ, ସ୍ୱାସ୍ଥ୍ୟଗତ କାରଣରୁ ଅନୁପସ୍ଥିତ ଥିଲେ ଓ ନିଜ ଅସୁସ୍ଥତାର ପ୍ରମାଣ ସ୍ୱରୂପ କେତେକ ଔଷଧ-ବରାଦପତ୍ର (prescription) ଦେଖାଇଥିଲେ ଯାହାର କୌଣସି ପ୍ରତ୍ୟୟମାନ୍ୟତା ନଥିଲା । ଶ୍ରୀମତୀ ଷଡଙ୍ଗୀଙ୍କ ଏହି ବୟାନ ସ୍ପଷ୍ଟ କରିଦେଇଥିଲା କି, ସେ ଅନୁପସ୍ଥିତ ନଥିଲେ, ବରଂ ତାଙ୍କୁ ଅନୁପସ୍ଥିତ ରଖାଯାଇଥିଲା ବୋଲି ସରକାରୀ ନିର୍ଦ୍ଧାରଣ ଥିଲା ଭିତ୍ତିହୀନ ଓ ପ୍ରମାଦପୂର୍ଣ । ଏପରି ସ୍ଥଳେ ତାଙ୍କ ପୂର୍ବବର୍ତ୍ତୀ ନିର୍ଦ୍ଦେଶକଙ୍କ ୧୪.୨.୨୦୧୯ ତାରିଖର ତଦନ୍ତ ରିପୋର୍ଟକୁ ବଦଳାଇବା ପ୍ରଦ୍ୟୁମ୍ନ ଶତପଥିଙ୍କ ବନ୍ଧୁ ହୋଇଥିଲେ ବି ନିରଞ୍ଜନ ସାହୁଙ୍କ ପରି ଜଣେ ଅଭିଜ୍ଞ ପ୍ରଶାସକଙ୍କ ପାଇଁ ଥିଲା ଏକ ବିଷମ ସମସ୍ୟା । ସେ କିଂକର୍ତ୍ତବ୍ୟବିମୂଢ ହୋଇ ପଡ଼ିଥିଲେ ।

ହାଇକୋର୍ଟ ଆଦେଶ ଓ ମାନସୀ ଷଡଙ୍ଗୀ

ବାବୁ ନିରଞ୍ଜନ ସାହୁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ହେବାର ଦୁଇ ମାସ ପୂର୍ବରୁ ମାନ୍ୟବର ଓଡ଼ିଶା ହାଇକୋର୍ଟ ମାନସୀ ଷଡଙ୍ଗୀଙ୍କ ରିଟ୍ ମାମଲାର ଫଇସଲା କରି ୩.୪.୨୦୧୯ ତାରିଖରେ କହିଥିଲେ ଯେ, ୩ ମାସ ଭିତରେ ଅର୍ଥାତ୍ ୩.୭.୨୦୧୯ ଭିତରେ ରାଜ୍ୟ ସରକାର ତାଙ୍କ ପ୍ରାର୍ଥନା ଉପରେ ବିହିତ ଆଦେଶ ପ୍ରଦାନ କରିବେ । ଏ ସମୟ ସରିଗଲା ପଛେ, ନୂଆ ନିର୍ଦ୍ଦେଶକ ପୁରୁଣା ନିର୍ଦ୍ଦେଶକଙ୍କ ୧୪.୨.୨୦୧୯ ତାରିଖର ନିର୍ଦ୍ଧାରଣକୁ ବଦଳାଇ ପାରିଲେ ନାହିଁ । ଅଥଚ, ଅର୍ଥ ଲୋଭ ହେତୁ ହାଇ କୋର୍ଟକୁ ଯାଇଥିବା ମାନସୀ ଷଡଙ୍ଗୀ କୋର୍ଟଙ୍କୁ କହିଲେ ନାହିଁ କି, ସରକାର ତାଙ୍କ ଆଦେଶର ଅବମାନନା କରିଛନ୍ତି । ସତେ ଯେମିତି ଅଜାଗା ଘା ଦେଖି ହେଉ ନଥିଲା କି ଦେଖାଇ ହେଉନଥିଲା !

ଆଶା ବିରୁଦ୍ଧରେ ଆଶା ନେଇ ମାନସୀ ଷଡଙ୍ଗୀ ଓ ଉଚ୍ଚ ଶିକ୍ଷା ବିଭାଗ ଅପେକ୍ଷା କରିରହିଥିଲେ ନିରଞ୍ଜନ ସାହୁଙ୍କ ରିପୋର୍ଟକୁ ।

ହାଇ କୋର୍ଟ ଆଦେଶ ଦେବାର ୩ ମାସ ୧୮ ଦିନ ଅତିବାହିତ ହେଲା । ତଥାପି ପ୍ରଦ୍ୟୁମ୍ନ ଶତପଥିଙ୍କ ଘନିଷ୍ଠ ବନ୍ଧୁ ନିରଞ୍ଜନ ସାହୁ କହିଲେ ନାହିଁ ଯେ, ମାନସୀ ଷଡଙ୍ଗୀଙ୍କ ଅନୁପସ୍ଥିତି ଇଚ୍ଛାକୃତ ନଥିଲା । ଫଳରେ ହାଇ କୋର୍ଟଙ୍କ ଆଦେଶକୁ ନିର୍ଦ୍ଦିଷ୍ଟ ୩ ମାସ ମଧ୍ୟରେ କାର୍ଯ୍ୟକାରୀ ନ କରି, ହାତ ଛନ୍ଦି ବସିରହିଥିଲା ଉଚ୍ଚ ଶିକ୍ଷା ବିଭାଗ । ସତ କହିଲେ ନିଧଡ଼କ ବସିଥିଲା । କାରଣ, ଏହା ଜାଣିଥିଲା ଯେ, ନିଜର ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ ମାନସୀ ଏହି ବିଳମ୍ବ ବିରୁଦ୍ଧରେ ହାଇ କୋର୍ଟକୁ ଯିବେନାହିଁ । ଏବଂ ମାନସୀ ଷଡଙ୍ଗୀ ହାଇ କୋର୍ଟରେ କୋର୍ଟ ଅବମାନନା ମାମଲା ଦାଏର ନ କଲେ , କୋର୍ଟ ଆଦେଶ ଉପରେ ମହାପାତ୍ର-ମିଶ୍ର-ବାଳକୃଷ୍ଣାନ ଗ୍ୟାଙ୍ଗ ପରିସ୍ରା କଲେ ମଧ୍ୟ କୋର୍ଟ ତାହା ଜାଣିବ ନାହିଁ । ଯାହାଙ୍କ ପାଇଁ କୋର୍ଟଙ୍କ ଆଦେଶ ସେ ଯଦି ସେହି ଆଦେଶର ଅବମାନନା ବିରୁଦ୍ଧରେ କୋର୍ଟକୁ କିଛି ନ କହନ୍ତି , କୋର୍ଟ ବା କା’ଣ କରିବେ?

ରାଜ୍ୟପାଳଙ୍କ ହସ୍ତକ୍ଷେପ

ଭାଷା ଆନ୍ଦୋଳନକୁ ଭାଙ୍ଗିବା ସର୍ତ୍ତରେ ପ୍ରଦ୍ୟୁମ୍ନ ଶତପଥିଙ୍କ ସ୍ତ୍ରୀଙ୍କୁ ଚାକିରି ଓ ୧୦ ବର୍ଷର ଛୁଟି ମଞ୍ଜୁର କରିବାକୁ ମୁଖ୍ୟମନ୍ତ୍ରୀ ଯଦି ପ୍ରତିଶ୍ରୁତି ନଦେଇଥାନ୍ତେ, ତେବେ ଶାସନକଳ ଯେତେ ସବୁ ବେଆଇନ କାମ କରିଗଲା ତାହା ହୁଏତ କରିନଥାନ୍ତା । ତେଣୁ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ଭାବେ ଏ ସମସ୍ତ କଥା ରାଜ୍ୟପାଳଙ୍କୁ ଅବଗତ କରାଇବା ଥିଲା ମୋର ନୈତିକ କର୍ତ୍ତବ୍ୟ । ମୁଁ ସେ କର୍ତ୍ତବ୍ୟ କଲି । ଏବଂ ଏଥିପାଇଁ ୨୨.୭.୨୦୧୯ରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ଦେଇ ଏହି ବେଆଇନ କର୍ମ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଁ ଅନୁରୋଧ କଲି । ତହିଁର ପ୍ରାଥମିକ ଅନୁଶୀଳନ ପରେ ୨.୮.୨୦୧୯ରେ ମାନ୍ୟବର ରାଜ୍ୟପାଳ ଉଚ୍ଚ ଶିକ୍ଷା ସଚିବଙ୍କୁ ମୋ ସ୍ମାରକପତ୍ର ଉପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ କରି ତହିଁର ରିପୋର୍ଟ (action taken report) ମୋ ପାଖକୁ ପଠାଇବାକୁ ଆଦେଶ ଦେଲେ (ରାଜ୍ୟପାଳଙ୍କ ଆଦେଶ ୯୯୪୬ ତା ୨.୮.୨୦୧୯ ) ।

ମାନସୀଙ୍କ ସାହାଯ୍ୟକାରୀଙ୍କୁ ପଦୋନ୍ନତି

ରାଜ୍ୟପାଳଙ୍କ ଏହି ଆଦେଶ ଉଚ୍ଚ ଶିକ୍ଷା ସଚିବଙ୍କ ଉପରେ କୌଣସି କାର୍ଯ୍ୟକାରୀ ପ୍ରଭାବ ପକାଇଲାନାହିଁ । ପରିସ୍ଥିତି ତାହା ହିଁ ଥିଲା ।

କାର୍ଯ୍ୟତଃ ରଦ୍ଦ (de facto qushed) ହୋଇସାରିଥିବା ମାନସୀ ଷଡଙ୍ଗୀଙ୍କ ନିଯୁକ୍ତିରେ ସେ ପୁନଶ୍ଚ ଯୋଗଦେବା ପାଇଁ ନଥି ସଜାଡ଼ିଥିବା ଅନୁଶାସନସଚିବ ସୂର୍ଯ୍ୟନାରାୟଣ ମହାପାତ୍ରଙ୍କୁ ଦଣ୍ଡିତ କରିବା ପରିବର୍ତ୍ତେ ସରକାର ଉପଶାସନସଚିବ ପଦକୁ ପଦୋନ୍ନତି ଦେଇ ସେହି ଏକା ଉଚ୍ଚ ଶିକ୍ଷା ବିଭାଗରେ ରଖିଥାନ୍ତି (ବିଜ୍ଞପ୍ତି ସଂଖ୍ୟା ୨୦୦୦୬ ତା ୨୨.୫.୨୦୧୯) । ଏତଦ୍ଦ୍ଵାରା ଶିକ୍ଷା ସଚିବ ଏହି ବାର୍ତ୍ତା ପାଇଥାନ୍ତି ଯେ, ଭାଷା ଆନ୍ଦୋଳନକୁ ଛୁରୀ ମାରିଥିବା ପ୍ରଦ୍ୟୁମ୍ନ ଶତପଥିଙ୍କ ସ୍ତ୍ରୀଙ୍କୁ ସାହାଯ୍ୟ କରିବା ହିଁ ନବୀନବାବୁଙ୍କ ରାଜୁତିରେ ଅଧିକ ଲାଭଦାୟକ । ତା ନହୋଇଥିଲେ, ରାଜ୍ୟପାଳଙ୍କ ଆଦେଶ ସିଧାସଳଖ ତାଙ୍କୁ ସମ୍ବୋଧିତ ହୋଇଥିବା ବେଳେ ତହିଁ ଉପରେ ଶୋଇରହିବାକୁ ସେ ସାହସ କରିନଥାନ୍ତେ ।

ଅତର୍ଛ ଆଦେଶ

ଅନନ୍ୟୋପାୟ ହୋଇ ସୂଚନା ଅଧିକାର ପ୍ରୟୋଗ କରି ମୁଁ ୧୧.୯.୨୦୧୯ ତାରିଖରେ ଦୁଇଟି ନିର୍ଦ୍ଦିଷ୍ଟ ତଥ୍ୟ ଲୋଡ଼ିଲି :- (୧) ରାଜ୍ୟପାଳଙ୍କ ଉପରୋକ୍ତ ଆଦେଶ ଉପରେ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ହୋଇଥାଏ , ତାର ନଥିଟିପ୍ପଣୀ ଓ ବିବରଣୀର ନକଲ ଏବଂ (୨) ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ୧୪.୨.୨୦୧୯ ତାରିଖରେ ମାନସୀ ଷଡଙ୍ଗୀଙ୍କ ଦୀର୍ଘ ଅନୁପସ୍ଥିତି ସମ୍ପର୍କରେ ଦେଇଥିବା ତଦନ୍ତ ରିପୋର୍ଟ ଉପରେ ସରକାର ଯଦି କିଛି ପଦକ୍ଷେପ ନେଇଥାନ୍ତି, ତାହାର ନଥି ଟିପ୍ପଣୀ ଓ ବିବରଣୀର ନକଲ । ଏହା ସଚିବଙ୍କ ଆଖିରୁ ନିଦ ହଜେଇଦେଲା । ସେ ଅତର୍ଛରେ ଆଦେଶ ଦେଲେ,

“The period of absence (of Smt. Manasi Sarangi) from 02.07.2008 to 23.07.2018 will be treated as breakage in service. She will not get any salary or consequential benefit for that period on the principle of no work no pay. This period shall not be counted for career advancement and pension.”

(କ୍ରମଶଃ)

Comments

No comments yet.

Leave a Reply

Basic HTML is allowed. Your email address will not be published.

Subscribe to this comment feed via RSS

This site uses Akismet to reduce spam. Learn how your comment data is processed.