ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆମେ ଓଡ଼ିଆ ବୋଲି ଆମ ଭାଷା ଓଡ଼ିଆ – ଏକଥା ନୁହେଁ ; ଆମ ଭାଷା ଓଡ଼ିଆ ବୋଲି ଆମେ ଓଡ଼ିଆ । ଆମ ଭାଷା ହିଁ ଆମ ପରିଚୟ ।
ଅନୁପ୍ରବେଶକାରୀ ଇଂରେଜଙ୍କ ଆଧିପତ୍ୟ ବିରୁଦ୍ଧରେ ଆମ ପୂର୍ବ ପୁରୁଷେ ସାରା ଭାରତରେ ପ୍ରଥମେ ତଲୱାର ତୋଳିଥିବା ହେତୁ ଆମକୁ ଦୁର୍ବଳ କରି ରଖିବା ପାଇଁ ସେମାନେ ଆମ ମାଟିର ଯେଉଁ ଯେଉଁ ଅଞ୍ଚଳ ଯେତେବେଳେ ଦଖଲ କରୁଥିଲେ ତାକୁ ଆମ ପାରମ୍ପରିକ ପ୍ରତିଦ୍ଵନ୍ଦୀ ପଡ଼ୋଶୀ ପ୍ରଦେଶମାନଙ୍କ ସହ ଏପରି ସାନ୍ଧି ଦେଉଥଲେ, ଯେପରି ସେଠାରେ ଆମେ ସଂଖ୍ୟାଲଘୁ ହୋଇଯିବା ଓ ଓଡ଼ିଆ ଭାବେ ଆମ ପରିଚୟ ବୁଡ଼ିଯିବ । ଏହା ଆମ ଜାତୀୟ ଜୀବନରେ ଘୋର ବିପର୍ଯ୍ୟୟ ସୃଷ୍ଟି କରିଥିଲା ।
ଅବସ୍ଥା ଏପରି ଶୋଚନୀୟ ହୋଇଉଠିଥିଲା ଯେ, ତେଲୁଗୁ ଭାଷାରେ ସରକାରୀ କାମ ହେଉଥିବା ହେତୁ ସେଠାରେ ଓଡ଼ିଆ ଭାଷାଭାଷୀ ଭାଇଭଉଣୀମାନଙ୍କୁ ସାହାଯ୍ୟ କରିବା ପାଇଁ ଆଜନ୍ମ ଓଡ଼ିଆ ଶିଷ୍ଟକରଣମାନେ ତେଲୁଗୁଭାଷା ଶିଖୁଥିଲେ (ଇଂରେଜ ସରକାରଙ୍କ ପ୍ରକାଶିତ କୋରାପୁଟ ଗେଜେଟିୟର , ପୃଷ୍ଠା ୮୫)
ଏହି ବିପର୍ଯ୍ୟୟ କବଳରୁ ଓଡ଼ିଆ ଜାତିକୁ ରକ୍ଷା କରିବା ପାଇଁ ଗଞ୍ଜାମର ଘୁମୁସର ନିବାସୀ ଦୀନବନ୍ଧୁ ପଟ୍ଟନାୟକ ୧୮୭୦ ସେପ୍ଟେମ୍ବର ୧୧ ତାରିଖରେ ପ୍ରଥମ କରିଥିଲେ । ତାଙ୍କ ଉଦ୍ୟମରେ ସେଦିନ ଘୁମୁସରର ରସୁଲକୋଣ୍ଡା ମୁକାମରେ ଋଷିକୁଲ୍ୟା ନଦୀର ଉଭୟ ପାର୍ଶ୍ଵବାସୀ ବାସିନ୍ଦାମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଓଡ଼ିଆ ଭାଷାରେ ସମସ୍ତ ସରକାରୀ କାମ କରାଯିବା ପାଇଁ ସରକାରଙ୍କୁ ଆହ୍ଵାନ ଦିଆ ଯାଇଥିଲା (କ୍ରମଶଃ )