ହନୁ ମଲାବେଳକୁ ସତ କହେ, ବିଜେଡ଼ି କେତେବେଳକୁ କହିବ?

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଓଡ଼ିଆ ଭାଷାକୁ ମରଣଆଘାତ ଦେଇଥିବା ଦୋଷରେ ନବୀନ ପଟ୍ଟନାୟକ ଗତ ନିର୍ବାଚନରେ ପ୍ରତ୍ୟାଖ୍ୟାତ ହେବା ପରେ ତାଙ୍କର ଉଚିତ ଥିଲା ବିଜେଡ଼ିର ସର୍ବନିୟନ୍ତା ପଦରୁ ଇସ୍ତଫା ଦେଇ ଦଳଟି ପ୍ରକୃତରେ ଯେଉଁମାନଙ୍କର ସେମାନଙ୍କ ହାତରେ ତା’ର ଭବିଷ୍ୟତ ଛାଡ଼ିଦେବା । ସେ ତାହା କଲେନି ।

ଏକ ରାଜନୈତିକ ଦଳର ସର୍ବନିୟନ୍ତା ହୋଇ ରହିବାର ମୋହ ତାଙ୍କର ଏତେ ପ୍ରଚଣ୍ଡ ଯେ, ଓଡ଼ିଆଭାଷାବିଦ୍ଵେଷ ପାଇଁ ନିର୍ବାଚନରେ ପ୍ରତ୍ୟାଖ୍ୟାତ ହୋଇଥିବା ସ୍ଵୀକାର କରିବା ପରିବର୍ତ୍ତେ, ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନକୁ ଅକର୍ମଣ୍ୟ କରିବାରେ ତାଙ୍କୁ ସହଯୋଗ କରିଥିବା କୁଖ୍ୟାତ କାର୍ତ୍ତିକେୟନ୍ ପାଣ୍ଡିଆନଙ୍କୁ ପୂର୍ଣ୍ଣ ସମର୍ଥନ କରି ଘର ପୋଡ଼ିଗଲା ପରେ ନିଦ ଭାଙ୍ଗିଥିବା ବିଜୁଆମାନଙ୍କୁ  ଚୁପ୍ କରାଇଦେଲେ ଓ ସେମାନଙ୍କୁ ଭୁଆଁ ବୁଲାଇବା ପାଇଁ ନିର୍ବାଚିତ ହୋଇପାରିଥିବା  ଅନୁଗତମାନଙ୍କ ଭିତରେ ଓଡ଼ିଶା ପ୍ରଶାସନର ବିଭିନ୍ନ ବିଭାଗ ବାଣ୍ଟି ପୋଷାମନା ମେଡ଼ିଆ ମାଧ୍ୟମରେ ଏପରି ପ୍ରଚାର କଲେ , ସତେ ଯେମିତି ସେ ନିଜେ ଭାରତର ସମ୍ବିଧାନଠୁ ଊର୍ଦ୍ଧ୍ଵତର ଓ ଭାରତରେ “ଛାୟା ମନ୍ତ୍ରୀମଣ୍ଡଳ” ପରି ଏକ ନୂଆ ବ୍ୟବସ୍ଥାର ପ୍ରବର୍ତ୍ତକ !

ଯେଉଁମାନେ ମନ୍ତ୍ରୀ ଥିବା ବେଳେ କର୍ମଚାରୀଙ୍କ ବୋଲକରା ସାଜିଥିଲେ, ଏବଂ ଏହା ଏପରି ଯେ, ଭାଷା ଆଇନରେ ଜାଲିଆତି ହୋଇଥିବା ସତ୍ତ୍ୱେ ପାଟି ଫିଟେଇବାକୁ ସାହସ କରିପାରୁନଥିଲେ, ସେମାନେ ପୁଣି କ୍ଷମତା ବାହାରେ ଛାୟା ମନ୍ତ୍ରୀ ସାଜି ନୂଆ ମନ୍ତ୍ରୀଙ୍କ ସାହାଯ୍ୟରେ ନୂଆ ପଦକ୍ଷେପ ନେବା ବେଳେ କେଉଁ କର୍ମନିର୍ବାହୀ କର୍ମଚାରୀ କେଉଁ ବିଭାଗର କେଉଁଠି ଝୁଣ୍ଟିଲେ, ତାହା ତଦ୍ବିର କରି ନୂଆ ମୁଖ୍ୟମନ୍ତ୍ରୀଙ୍କ ମଙ୍ଗ ସଳଖିବେ !

ଏପରି ଏକ ଆଦେଶ ଦେଇ ନବୀନବାବୁ  ତାଙ୍କ ଅନୁଗତମାନଙ୍କ ପାଖରେ ନିଜକୁ ବିଜେଡ଼ିର ସର୍ବନିୟନ୍ତା ବୋଲି ଜାରିକରିଥିଲେ ମଧ୍ୟ,  ବିଧାନସଭା ପାଇଁ ନିର୍ବାଚନ ଜିତିଥିବା ସବୁ ସଦସ୍ଯଙ୍କୁ ସେମାନଙ୍କ ଭିତରୁ କେଇଜଣ ଛାୟାମନ୍ତ୍ରୀ ହେବା ସହ୍ୟ ବି ହେଲାନି । ପାଣ୍ଡିଆନକୁ ଗମ୍ଭୀରାରେ ରଖି ନବୀନ ଚଳାଇଥିବା ନିର୍ବାଚନୋତ୍ତର ନାଟକରେ ଅତିଷ୍ଠ ହୋଇ ତାଙ୍କ ଦଳର ମମତା ମହାନ୍ତ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଲା ପରେ ସେ  ଏକ ନୂଆ ଭେଳିକି ସୃଷ୍ଟି କରିଛନ୍ତି । ତାହା ହେଲା – ତାଙ୍କ ଦଳରେ “ସମନ୍ଵୟ ଓ କାର୍ଯ୍ୟାନ୍ବୟନ” ପାଇଁ ଏକ ୧୫ ଜଣିଆ କମିଟି । ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଜ ନିର୍ବାଚନମଣ୍ଡଳୀ ନରସିଂହପୁରର ଏକ ଜନସଭାରେ ସର୍ବପ୍ରଥମେ ଘୋଷଣା କରିଥିବା  ଦେବୀ ପ୍ରସାଦ ମିଶ୍ର ଏହି କମିଟିର ଅଧ୍ୟକ୍ଷ ନିଯୁକ୍ତ ହୋଇଥିବା ଉଲ୍ଲେଖନୀୟ । 

ଆମ ପାଇଁ କୌତୁହଳର କଥା ହେଲା, ଏହି କମିଟିରେ କେତେକଙ୍କ ସଦସ୍ଯତା, ଯେଉଁମାନଙ୍କ କାପୁରୁଷତା ହେତୁ ନବୀନ ପଟ୍ଟନାୟକ କ୍ଷମତାରୁ ଅବଶେଷରେ ହଟିଲେ । ସେମାନେ ହେଲେ, ଦେବୀବାବୁଙ୍କ ସାଙ୍ଗକୁ ବାବୁ ଅରୁଣ କୁମାର ସାହୁ ଓ ବାବୁ ବିକ୍ରମ ଆରୁଖ । ଏହି ତିନିଜଣ ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ, ୧୯୫୪ର କାର୍ଯ୍ୟକରିତା ପାଇଁ ୨୦୧୫ରେ ନବୀନ ବାବୁ କବି ଗଜାନନ ମିଶ୍ରଙ୍କ ଆମରଣ ଅନଶନ ଚାପରେ ପଡ଼ି ଯେଉଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଥିଲେ ତହିଁରେ ସଦସ୍ୟ ଥିଲେ  । ସେହି କମିଟିର ଜଣେ ସଦସ୍ୟ ଭାବେ ମୁଁ ଭାଷା ଆଇନ ସଂଶୋଧନ ପାଇଁ ଯେଉଁ ପ୍ରସ୍ତାବ ଓ ଚିଠା ଦେଇଥିଲି ଏବଂ ତଦ୍ଦୃପ ଆଇନସଂଶୋଧନ ପରେ ବିଧିଭୁକ୍ତ ହେବା ପାଇଁ ନିୟମାବଳୀ ପ୍ରଣୟନ ପାଇଁ ପ୍ରସ୍ତାବ ସହ ତହିଁର ଯେଉଁ ଚିଠା ଦେଇଥିଲି ତାହାକୁ ସର୍ବସମ୍ମତିକ୍ରମେ ଗ୍ରହଣ କରିଥିଲା ଓ ତଦନୁଯାୟୀ ପଦକ୍ଷେପ ନେବାକୁ ଆଇନ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲା । ସମତାଳରେ ‘ଓଡ଼ିଆରେ ଶାସନ’ ନାମକ ଏକ ନଭମଞ୍ଚ (website) ଖୋଲାଯାଇ ତହିଁରେ ତାହାକୁ ସ୍ଥାନିତ କରାଯାଇଥିଲା । ବ୍ୟବସ୍ଥା ଥିଲା ଯେ, ଯେ କୌଣସି ଓଡ଼ିଆ ଭାଷା ଆଇନ ପ୍ରତି କୌଣସି କର୍ମଚାରୀ/ପଦାଧିକାରୀଙ୍କ ଅବଜ୍ଞା ଦେଖିଲେ ସେହି ନଭମଞ୍ଚରେ ତାହା ଉଲ୍ଲେଖ କରିପାରିବେ ଓ ତହିଁ ଉପରେ  କାର୍ଯ୍ୟାନୁଷ୍ଠାନ କରି ସରକାର ମଧ୍ୟ ସେହି ନଭମଞ୍ଚରେ ତାହା ସ୍ଥାନିତ କରିବେ । କିନ୍ତୁ ନବୀନବାବୁ ସେହି ମନ୍ତ୍ରୀସ୍ତରୀୟ କମିଟିକୁ ଲୋପ କରିଦେଲେ, ଭାଷା ଆଇନକୁ ସଂଶୋଧନ ବାହାନାରେ ଜାଲିଆତି ପ୍ରୟୋଗ ଦ୍ଵାରା ଅକର୍ମଣ୍ୟ କରିଦେଲେ । ୨୦୧୮ ସଂଶୋଧନ ସବୁ ଜଳିଆତିକୂ ଟପିଯାଇଥିଲା  । ଆଇନ ବିଭାଗର ପେନ୍ସିଲ ଭେଟିଙ୍ଗ ଅନୁସାରେ ଲିଖିତ ଯେଉଁ ବିଧେୟକକୁ ୧୪.୩.୨୦୧୮ ତାରିଖରେ ରାଜ୍ୟ କ୍ଯାବିନେଟ ଗ୍ରହଣ କରିଥିଲା ସେହି ବିଧେୟକକୁ ବିଧାନସଭା ନଥିରୁ ବାହାର କରିନେଇ ନବୀନବାବୁ ତହିଁ ସ୍ଥାନରେ ଏକ ଜାଲ୍ ବିଧେୟକ ରଖି ବିକ୍ରମ ଆରୁଖଙ୍କ ଦ୍ଵାରା ୧.୫.୨୦୧୮ ତାରିଖରେ ତାକୁ ବିଧାନସଭାରେ ପରୀତ କରାଇଲେ । ଏହା ବିକ୍ରମ ଆରୁଖ ଜାଣନ୍ତି । ଜାଲ୍  ବିଧେୟକକୁ ପାରିତ  କରାଇବାକୁ   ନବୀନ ବାବୁ ଏତେ ବ୍ଯଗ୍ର ଥିଲେ ଯେ, ତହିଁର  ଉପସ୍ଥାପନାଠୁ ବିତର୍କ ଶେଷ ପର୍ଯ୍ୟନ୍ତ ପ୍ରତି ପର୍ଯ୍ୟାୟରେ ଆରୁଖ କା’ଣ କହିବେ ତାହା ନବୀନଙ୍କ ଦପ୍ତର ତାଙ୍କୁ ଲେଖିକରି ଦେଇଥିଲା ଓ ସେ ସେହି ଲେଖାକୁ କାମିଜ ପକେଟରୁ ବାହାର କରି ପଢିବାକୁ ବାଧ୍ୟ ହୋଇଥିଲେ । ଆଇନ ବିଭାଗର ମନ୍ତ୍ରୀ ଭାବେ ଅରୁଣ ସାହୁ ନୀରବ ଦ୍ରଷ୍ଟା ସାଜି ବସିଥିଲେ । ଉପରୋକ୍ତ କ୍ଯାବିନେଟ ବୈଠକ ନବୀନ ପଟ୍ଟନାୟକଙ୍କ ସ୍କାମର ଶିକାର ହୋଇଥିଲା । ଏହି ତିନି ବ୍ୟକ୍ତି ଯଦି କାପୁରୁଷତା ପ୍ରଦର୍ଶନ କରିନଥାନ୍ତେ ଏପରି ଏକ କ୍ଯାବିନେଟ୍ ସ୍କାମ୍ ପାଇଁ ନବୀନ ସାହସ କରିପାରିନଥାନ୍ତେ କି ଓଡ଼ିଆ ଜାତିର ଏତେବଡ଼ କ୍ଷତି କେବେ ବି ଘଟିପାରିନଥାନ୍ତା । 

ଏ ପାପର ଫଳ ନବୀନ ପାଇଛନ୍ତି । ଏ ତଥାକଥିତ ସମନ୍ଵୟ କମିଟି ଯେତେ କାପ ପକା ପରିଶ୍ରମ କଲେ ମଧ୍ୟ ଆମ ଭାଷାଜନନୀର ଅଭିଶାପରେ ବିଜୁ ଜନତା ଦଳ ମୂଳପୋଛ ହେବାକୁ ଯାଉଛି, ଯେମିତି ହୋଇଥିଲା ବିଜୁଙ୍କ ଉତ୍କଳ କଂଗ୍ରେସ । 

ଆମ ଓଡ଼ିଆ ପୂର୍ବଜେ କାହିଁକି ଏହା କହିଥିଲେ ସେମାନେ ଜାଣନ୍ତି, ମାତ୍ର କଥାଟି ହେଲା, “ହନୁ ମଲା ବେଳକୁ ସତ କହେ ।” 

ମରଣମୁଖୀ ବିଜେଡ଼ିର ଜୀବନରକ୍ଷା ପାଇଁ ସମନ୍ଵୟ ଦାୟିତ୍ଵ ଗ୍ରହଣ କରିଥିବା ଉପରୋକ୍ତ ତିନି “ମନ୍ତ୍ରୀସ୍ତରୀୟ କମିଟି” ସଦସ୍ୟ ଏବେ ହେଲେ ସତ୍ୟ ସ୍ଵୀକାର କରନ୍ତେ ଓ ଓଡ଼ିଆ ଭାଷା ବିଦ୍ଵେଷୀ ନବୀନ ପଟ୍ଟନାୟକଙ୍କୁ ନିଜ ଦୋଷ ସ୍ଵୀକାର ପାଇଁ ପ୍ରବର୍ତ୍ତାନ୍ତେ ! କିଛି ତ ପାପ କ୍ଷୟ ହୁଅନ୍ତା ଓ ଓଡ଼ିଆ ଜାତିର ଭାଷା ଅଧିକାର ପଥରୁ ଅନ୍ତରାୟ କିଛି ପରିମାଣରେ ଅପସାରିତ ହୁଅନ୍ତା !

ବିଧାନସଭା// ରାଜ୍ୟପାଳଙ୍କ ହିନ୍ଦୀ ଭାଷଣ ଓଡ଼ିଆ ଅସ୍ମିତା ପ୍ରତି ଉପହାସ: ପ୍ରତିବାଦ ନକରି ନବୀନଙ୍କ ପଳାୟନ

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ନୂଆ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ଦିବସ ଥିଲା ଓଡ଼ିଶା ପାଇଁ ଏକ ଅପମାନଜନକ ଦିବସ । ଏଦିନ ପ୍ରଥମଥର ପାଇଁ ହିନ୍ଦୀଭାଷାରେ ଶୁଣିବାକୁ ପଡ଼ିଥିଲା ରାଜ୍ୟପାଳଙ୍କ ପାରମ୍ପାରିକ ଭାଷଣ ! ଏହା ଓଡ଼ିଆ ଅସ୍ମିତା ପ୍ରତି ଥିଲା ଏକ ଉତ୍କଟ ଉପହାସ । ଏହାର ପ୍ରତିବାଦ ନକରି, ବିରୋଧୀ ଦଳ ନେତା ବନିଥିବା ନବୀନ ପଟ୍ଟନାୟକ ପଳାୟନ କରିବା ଥିଲା ତତୋଧିକ ଅପମାନଜନକ ଓଡ଼ିଆ ଜାତି ପାଇଁ ।    

ଇତିହାସ ଜାଣେ , ବ୍ରିଟିଶ ଶାସନ କାଳରେ ଓଡ଼ିଆ ଭାଷା ବିଲୋପ କରିବା ପାଇଁ ହିନ୍ଦୀ ଭାଷାଭାଷୀମାନେ ଜଘନ୍ୟ ଚକ୍ରାନ୍ତ ଚଳାଇଥିଲେ । ଓଡ଼ିଆ ଜାତି ଯଦି ସେ ଚକ୍ରାନ୍ତକୁ ପଣ୍ଡ କରିନଥାନ୍ତା, ସମଗ୍ର ସମ୍ବଲପୁର ଇଲାକା, ଯାହାକୁ ଏକ ଲାଭଲିପ୍ସୁ ଖବରକାଗଜ ସମ୍ବାଦ “ପଶ୍ଚିମ ଓଡ଼ିଶା” କହି ବିଷ ମଞ୍ଜି ବୁଣିଛି, ରହି ଯାଇଥାନ୍ତା ମଧ୍ୟପ୍ରଦେଶରେ । 

ଜାତି ଉପରେ ବିପତ୍ତି 

ବ୍ରିଟିଶ ବିରୁଦ୍ଧରେ ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମ କେବଳ ଓଡ଼ିଆ ଭାଷାଭାଷୀମାନେ ହିଁ କରିଥିଲେ (ସୁଭାଷ ଚନ୍ଦ୍ର ପଟ୍ଟନାୟକ, ଶ୍ରୀ ଜୟ ଦେବଙ୍କ ବାଇଶି ପାହାଚ, ଭାରତ ଭାରତୀ, କଟକ, ୨୦୦୫ ପୃଷ୍ଠା ୩୯ )।  ସେ ସଂଗ୍ରାମ ପ୍ରତ୍ଯକ୍ଷ କରିଥିବା ଜି. ଟୟନବୀ ଲେଖିଛନ୍ତି : ଆମେ ଏପରି ଏକ ଆକସ୍ମିକ ଝଡ଼ର ସମ୍ମୁଖୀନ ହୋଇଥିଲୁ ଯାହାର ଜଳନ୍ତା ନିଆଁ ପରି ଉତପ୍ତ ପ୍ରାଖର୍ଯ୍ୟ  ଆମକୁ ସମଗ୍ର ଓଡ଼ିଶାରୁ ନହେଲେ ମଧ୍ୟ ଖୁରୁଧା ମୁଲକରୁ ନିକାଲି ଦେଇ ପାରେ ବୋଲି ଆମ ମନରେ ଭୀତି ସଂଚାର ହୋଇଥିଲା  (“we had to encounter a storm which burst with so sudden furry as to threaten our expulsion, if not from the whole of Orissa, at least from the territory of Khurda” (G. Toynbee, A sketch of the history of Orissa). ବ୍ରିଟିଶ ଆଇନ ରକ୍ଷକ ଡବ୍ଲୁ ଫରେଷ୍ଟର କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ, ଓଡ଼ିଆ ଲୋକଙ୍କ ମିଜାଜ ଏମିତି ବୀରତ୍ଵବ୍ୟଞ୍ଜକ ଯେ, ସୈନ୍ୟବଳ ବା ପୋଲିସ ପ୍ରୟୋଗ କରି ସେମାନଙ୍କୁ ବଶୀଭୂତ କରିହେବନି ( କମିଶନର ରବର୍ଟ କେରଙ୍କୁ ଫରେଷ୍ଟରଙ୍କ ରିପୋର୍ଟ, ତ। ୯.୯.୧୮୧୮) । କିପରି ଭାବେ ଏହି ଅସାଧାରଣ ବୀର ଜାତିକୁ ଆୟତ୍ତ କରିହେବ – ଏହି ଚିନ୍ତାରେ ପଡ଼ି ବ୍ରିଟିଶ ନାନା କୂଟକୌଶଳ ପ୍ରୟୋଗ କରିଥିଲା ।  ତନ୍ମଧ୍ୟରୁ ପ୍ରଧାନ ଥିଲା ଓଡ଼ିଆ ଭାଷାଭାଷୀ ଭୂଖଣ୍ଡର ବିଭାଜନ ଓ ବିଭାଜିତ ଓଡ଼ିଆ ଅଞ୍ଚଳର  ନିକଟସ୍ଥ ଅଣଓଡ଼ିଆ ପ୍ରଦେଶରେ ସଞ୍ଜୁକ୍ତିକରଣ । ତଦ୍ଦ୍ଵାରା ଓଡ଼ିଆଭାଷାଭାଷୀମାନେ ଅଣଓଡ଼ିଆ ପ୍ରଦେଶମାନଙ୍କରେ ସଂଖ୍ୟାଲଘୁ ହୋଇଗଲେ ଓ ଅପରାଜେୟ ଓଡ଼ିଆ ଜାତି ଭୟଙ୍କର ବିପତ୍ତିରେ ପଡ଼ିଗଲା । ଏ ବିପତ୍ତି ବଢିଗଲା, ଯେତେବେଳେ ସେହି ସେହି ପ୍ରଦେଶର ଭାଷା ମଧ୍ୟ କାର୍ଯ୍ୟାଳୟ- ଭାଷା ରୂପେ ଓଡ଼ିଆମାନଙ୍କ ଉପରେ ଲଦି ଦିଆଗଲା । 

ନିଜ ଭାଷା ପାଇଁ ନିଜ ରାଜ୍ୟ ଦାବି 

ଓଡ଼ିଆଙ୍କ ପ୍ରତିବାଦ ବିରୁଦ୍ଧରେ ବ୍ରିଟିଶର ଯୁକ୍ତି ଥିଲା,  ଯେଉଁ ପ୍ରଦେଶରେ ସଂଖ୍ୟାଧିକ ଲୋକଙ୍କ ଭାଷା ଯାହା ତାହା ହିଁ  ହେବ ସେହି ପ୍ରଦେଶର କାର୍ଯ୍ୟାଳୟ-ଭାଷା । ଏଥିରେ ହତାଶ ହୋଇ ନିଜ ଭାଷାକୁ କାର୍ଯ୍ୟାଳୟ- ଭାଷା କରିବା ସକାଶେ ଓଡ଼ିଆ ଭାଷାଭାଷୀ ଅଞ୍ଚଳସମୁଦୟକୁ ଏକତ୍ର କରି ଏକ ସ୍ଵତନ୍ତ୍ର ପ୍ରଦେଶ ଗଠନ ପାଇଁ ଓଡ଼ିଆ ଜାତି ଦାବି ତୋଳିଲା । ଏହା କରାଇ ନଦେବା ପାଇଁ ତେଲୁଗୁ, ବଙ୍ଗାଳୀ ହିନ୍ଦୀଭାଷୀମାନେ ପ୍ରବଳ ଷଡ଼ଯନ୍ତ୍ର କରିଥିଲେ । 

ହିନ୍ଦୀ ବିରୁଦ୍ଧରେ ସମ୍ବଲପୁରରେ ଓଡ଼ିଆ ଜାତୀୟତାର ଜାଗରଣ 

ଓଡ଼ିଆ ଜାତି ତେଲୁଗୁ ଓ ବଙ୍ଗାଳୀ ପ୍ରାଦୁର୍ଭାବକୁ ପ୍ରାୟତଃ ଅତିକ୍ରମ କରିଥିବା ବେଳେ, ସମ୍ବଲପୁର ଇଲାକାର କାର୍ଯ୍ୟାଳୟ-ଭାଷାଭାବେ ଓଡ଼ିଆ ସ୍ଥାନରେ ହିନ୍ଦୀ ପ୍ରଚଳନ ପାଇଁ ହିନ୍ଦୀ ଭାଷାଭାଷୀ କର୍ମଚାରୀମାନେ ମଧ୍ୟପ୍ରଦେଶର ବ୍ରିଟିଶ କମିସନରଙ୍କୁ ପ୍ରବର୍ତ୍ତାଇଲେ ।   ଏହାର ବର୍ଣ୍ଣନା କରି ସ୍ଵଭାବକବି ଗଙ୍ଗାଧର ମେହେର ‘ଉତ୍କଳ ଭାରତୀର କ୍ଷୋଭ’ ଶୀର୍ଷକରେ ଲେଖିଥିଲେ – 

“ସମ୍ବଲପୁରର ଅଧିବାସୀମାନେ ଉତ୍କଳ ଚିର ସନ୍ତାନ

ହିନ୍ଦୀ ଆଧିପତ୍ୟ ହୋଇବା ସେଠାରେ ଶୁଣି ସର୍ବେ ହତଜ୍ଞାନ ।”

ଜନସାଧାରଣଙ୍କ ପ୍ରତିବାଦ ସତ୍ତ୍ୱେ ହିନ୍ଦୀଭାଷୀମାନେ ସେଠାରେ ହିନ୍ଦୀକୁ ରାଜଭାଷା କରାଇଦେଲେ । ପୂର୍ବରୁ ଧରଣିଧର ମିଶ୍ରଙ୍କ ନେତୃତ୍ବରେ ଏକ ବିଶାଳ ଜନସଭା ହୋଇ ସ୍ପଷ୍ଟ କରାହୋଇଥିଲା ଯେ, ବେପାରବଣିଜ ପାଇଁ ଆସିଥିବା ହିନ୍ଦୀଭାଷୀମାନେ ସମ୍ବଲପୁର ଜିଲ୍ଲାରେ ବସବାସ କରିଥିଲେ ମଧ୍ୟ ସେମାନଙ୍କ ସଂଖ୍ୟା ଶତକଡ଼ା ୫ ରୁ ଅଧିକ ନୁହେଁ । ଅଧିକନ୍ତୁ ଓଡ଼ିଆ ଭାଷା ସେମାନଙ୍କ ହିନ୍ଦୀ ଭାଷାକୁ ଏପରି ଗ୍ରାସ କରିଯାଇଛି ଯେ, ତହିଁରୁ ଯେଉଁ କାମଚଳା କଥିତ ଭାଷା ବାହାରିଛି ତାହା ‘ଲାରିୟା’ ଭାବେ ପରିଚିତ । ଅତଏବ, ସମ୍ବଲପୁର ଇଲାକାରେ ବେପାର କରୁଥିବା ହିନ୍ଦୀଭାଷୀଙ୍କ ମୂଳ ଭାଷା ଓଡ଼ିଆ ଭାଷା ପାଖରେ ନିଜ ଅସ୍ତିତ୍ଵ ସମର୍ପଣ କରି ଲାରିୟାରେ ପରିଣତ ହୋଇଛି ଓ ତାହାର ପରିବ୍ୟାପ୍ତି ଅତିବେଶୀରେ ପାଞ୍ଚ ଶତାଂଶ ଲୋକଙ୍କ ଭିତରେ ସୀମିତ। ଅବଶିଷ୍ଟ ଅନ୍ଯୁନ ୯୫ ଶତାଂଶ ଅଧିବାସୀଙ୍କ ଭାଷା ଓଡ଼ିଆ । ସୁତରାଂ ସେଠାରେ ଓଡ଼ିଆ ସ୍ଥାନରେ ହିନ୍ଦୀ ପ୍ରଚଳନ ଆଦୌ ଗ୍ରହଣୀୟ ନୁହେଁ । ତଥାପି ହିନ୍ଦୀଭାଷୀ କର୍ମଚାରୀମାନଙ୍କ ଷଡ଼ଯନ୍ତ୍ର ହେତୁ ମଧ୍ୟପ୍ରଦେଶ କମିଶନର ହିନ୍ଦୀକୁ ହିଁ ଓଡ଼ିଆ ମୂଳକରେ ବଳବତ୍ତର କରିଦେଲେ ।  ସ୍ଵଭାବକବି ଲେଖିଥିଲେ –

“ସମ୍ବଲପୁରରୁ ଓଡ଼ିଆ ନିର୍ମୂଳ ହେବାର କାରଣ ଏହି 

ରାଜକର୍ମଚାରୀ , ହିନ୍ଦୀ ବାନା ଧରି ମହାରାଷ୍ଟ୍ରୀ ଛନ୍ତି ରହି ।”

ଭାଷା ହିଁ ଅସ୍ତିତ୍ଵ । ନିଜ ଭାଷା ପ୍ରତି ଏହି ଭୟଙ୍କର ବିପଦରେ ନିରବ ନରହି ବ୍ରଜମୋହନ ପଟ୍ଟନାୟକ, ମଦନମୋହନ ମିଶ୍ର, ମହାନ୍ତ ବିହାରୀ ଦାସ ଓ ବଳଭଦ୍ର ସୁଆର  ବଡଲାଟ ଲର୍ଡ କର୍ଜନଙ୍କୁ ଏକ ସ୍ମାରକ ପତ୍ର ଦେଇ ଦାବି କଲେ, “ଯଦି ଏକ ପ୍ରଦେଶରେ ଗୋଟିଏ ଜିଲ୍ଲାର ଭାଷାକୁ ପ୍ରଦେଶର ରାଜଭାଷା କରିବା ସୁବିଧାଜନକ ହେଉନି, ତେବେ ଆମ ଜିଲ୍ଲାକୁ ଓଡ଼ିଶାକୁ ଫେରାଇ ଦିଆଯାଉ (“Once it is considered impossible to introduce Oriya in only one district of Central Provinces, our district should be returned to Orissa.”) ।   

ଲର୍ଡ କର୍ଜନ ମଧ୍ୟପ୍ରଦେଶ କମିଶନର ଆଣ୍ଡୃ ଫ୍ରେଜରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସମ୍ବଲପୁର ଜିଲ୍ଲା ଗସ୍ତ କରି ଓ ସରଜମିନ ତଦନ୍ତ କରି ଜିଲ୍ଲାଟିର  ଭାଷା ପ୍ରକୃତରେ କା’ଣ ତାହା ତାଙ୍କୁ ଜଣାଇବାକୁ । ଏକଥା ୧୨.୯.୧୯୦୧ ତାରିଖରେ ମଧୁବାବୁଙ୍କୁ ଜଣାଇ ସେ କହିଥିଲେ ଯେ, ସମ୍ବଲପୁର ମଧ୍ୟପ୍ରଦେଶରେ ରହିବ କି ଓଡ଼ିଶାକୁ ଫେରିବ ତାହା ନିର୍ଭର କରିବ ଫ୍ରେଜରଙ୍କ ରିପୋର୍ଟ ଉପରେ । ଫ୍ରେଜର ସରଜମିନ ତଦନ୍ତ କରି ଜଣାଇଥିଲେ ଯେ ଜିଲ୍ଲାଟିର ଭାଷା ଓଡ଼ିଆ । ସମ୍ବଲପୁର ଓଡ଼ିଶାକୁ ଫେରିଲା । 

କିନ୍ତୁ ଆମ ଜାତୀୟ ସତ୍ତାକୁ  ସେହି ସର୍ବୋଚ୍ଚ ପାଞ୍ଚ ଶତାଂଶ ହିନ୍ଦୀଭାଷୀ ବେପାରୀ ଯେଉଁ କ୍ଷତି ପହଞ୍ଚାଇଥିଲେ , ତାହା ସେତେବେଳେ ବ୍ୟର୍ଥ ହୋଇଥିଲେ ମଧ୍ୟ ହିନ୍ଦୀଭାଷୀମାନେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଅଣଓଡ଼ିଆପ୍ରୀତିର ସୁଯୋଗ ନେଇ ସେ ମୁଖ୍ୟମନ୍ତ୍ରୀ ଥିବାବେଳେ ପୁଣି ଥରେ ପଶିମ ଓଡ଼ିଶାକୁ ଗ୍ରାସ କରି ସେଠାରେ ଓଡ଼ିଆ ଅସ୍ତିତ୍ଵ ଲୋପ କରିବା ପାଇଁ ମୁଖବ୍ୟାଦାନ କରିଛନ୍ତି । ପ୍ରଶାସନରେ ଇଂରାଜୀ ଆମପାଇଁ ଯେମିତି ବିପଦ, ଆମ ଭୌଗୋଳିକ ଓ ସାମାଜିକ ସତ୍ତାରେ ହିନ୍ଦୀ ସେମିତି ଆମ ପାଇଁ ଏକ ନୂଆ ବିପଦ ଭାବେ ଉଭା ହୋଇଛି । 

ହିନ୍ଦୀଭାଷୀ ରାଜ୍ୟପାଳ ଆମ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ଦିନରେ ହିନ୍ଦୀରେ ଭାଷଣ ଦେଇ ଆମ ଜାତିର ଆତ୍ମସମ୍ମାନବୋଧକୁ ଉପହାସ କରିଛନ୍ତି । ଓଡ଼ିଆବିଦ୍ଵେଷୀତା ପାଇଁ କ୍ଷମତାରୁ ତଡ଼ା ଖାଇଥିବା ନବୀନ ପଟ୍ଟନାୟକ ବିରୋଧୀ ଦଳର ମୁଖ୍ୟ ଥାଇ, ରାଜ୍ୟପାଳଙ୍କ ଭାଷଣରେ ହିନ୍ଦୀ ବ୍ୟବହାରକୁ ନିନ୍ଦା କରିବା ପରିବର୍ତ୍ତେ ଅନ୍ୟ ଏକ ଆଳରେ କକ୍ଷ ତ୍ୟାଗ କରି ପଳାଇବା ଓଡ଼ିଆ ଜାତିର ମର୍ଯ୍ୟାଦା ପ୍ରତି ତାଙ୍କ ଅଭ୍ୟସ୍ତ ଅବମାନନା ଅକ୍ଷୁର୍ଣ୍ଣ ଥିବାର ଏକ ନୂଆ ପ୍ରମାଣ  ।       

ଭାଷା ଆନ୍ଦୋଳନ ସଫଳ ହେବ – ଏ ବିଶ୍ଵାସ ବିଫଳ ନହେବା ପରି ଲାଗୁଛି

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ସାନି ସଂଶୋଧନ ଦ୍ଵାରା ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନକୁ ନିର୍ଭୁଲ କରିବା ପାଇଁ ଭାଷା ଆନ୍ଦୋଳନର ଦାବି ସଫଳ ହେବାର ସମ୍ଭାବନା ଦେଖାଦେଇଛି । ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଲୋକ ସେବା ଭବନରେ ଆଜି ଔପଚାରିକ ଭାବେ ତାଙ୍କ ଆସନ ଗ୍ରହଣ କଲା ପରେ ଘୋଷଣା କରିଛନ୍ତି କି, ଓଡ଼ିଆ ଭାଷାରେ ଓଡ଼ିଶା ଏଥିପାଇଁ ଆବଶ୍ୟକୀୟ ଆଇନ ସଂଶୋଧନ ହେବ ।    

ପୂର୍ବବର୍ତ୍ତୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଷା ଆଇନକୁ ଅକର୍ମଣ୍ୟ କରିଦେବା ପାଇଁ ବିଧାନ ପ୍ରଣୟନ ପ୍ରକ୍ରିୟାରେ  ଜାଲିଆତି ପ୍ରୟୋଗ କରିଥିଲେ ଓ ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ମୋର ଦୁଇଜଣ ସହକର୍ମୀଙ୍କୁ ସୁପାରି ଦେଇ କିଣିଥିଲେ । କିନ୍ତୁ ଭାଷାପ୍ରାଣ ଓଡିଆ ଜାତି ନବୀନ ପଟ୍ଟନାୟକଙ୍କ ପୋଷାମନା  ଛଦ୍ମଘାତକମାନଙ୍କ ପ୍ରବଞ୍ଚନାକୁ ପ୍ରତ୍ୟାଖ୍ୟାନ କଲା ଓ କଳାପତାକା ଅଭିଯାନ ଆଗେଇ ଚାଲି ଭାଷା ଅସ୍ମିତାର ଫଲ୍ଗୁ ପ୍ରବାହିତ କଲା ସାରା ଓଡ଼ିଶାରେ, ଯାହା ଇତିହାସର ଅଳିଆ ଭିତରକୁ ନିକ୍ଷେପ କରିଛି  ନବୀନ ରାଜୁତିକୁ । ଆଜି ଏହି ମହାନ ଅଭିଯାନ ପହଞ୍ଚିଛି ନବମ ବର୍ଷର ତିନି ମାସ  ଚାରି ଦିନରେ ।  ଆଜି ହିଁ ଶ୍ରୀଯୁକ୍ତ ମାଝୀ ଭାଷା ଆଇନ ସଂଶୋଧନ ପାଇଁ ଏକ ସମ୍ଭାବନାମୟ ଘୋଷଣା କରିଛନ୍ତି । 

ଗତ ପହିଲାରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ଦେଇ ନବୀନବାବୁ ଭାଷା ଆଇନରେ ଜାଲିଆତି ଦ୍ଵାରା ଖଞ୍ଜିଥିବା ଧାରା ୪ , ଧାରା ୪କ ଓ ଧାରା ୫ ବିଲୁପ୍ତ କରିବାକୁ ଭାଷା ଆନ୍ଦୋଳନ ପକ୍ଷରୁ ମୁଁ ଦାବି କରିଥିଲି ଏବଂ ସାନି ସଂଶୋଧନ ଦ୍ଵାରା ତାକୁ ନିର୍ଭୁଲ କରିବାକୁ ଅନୁରୋଧ ଜଣାଇଥିଲି । ଆଶା କରୁଛି ଯେ, ନୂଆ ବିଧାନସଭାର ଆଗାମୀ ଅଧିବେଶନରେ ଭାଷା ଆଇନ ସଂଶୋଧନ ହେବ ଏବଂ ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ପଥରୁ ସମସ୍ତ ଅନ୍ତରାୟ ଅପସାରିତ ହେବ । 

ଭାଷା ଆନ୍ଦୋଳନର ଲକ୍ଷ୍ୟ ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ କଳାପତାକା ଅଭିଯାନ ଯଥାରୀତି ଚାଲିବ । 

ଭାଷା ଆନ୍ଦୋଳନର ଫଲ୍ଗୁ ନବୀନଙ୍କୁ ନିକାଲିଦେଲା : ପୋଷା ଗଣମାଧ୍ୟମ ଏକଥା ନକହନ୍ତି !

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଓଡ଼ିଶାରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି ଓଡ଼ିଆମାନଙ୍କ ଭାଷା ଅଧିକାର ଦାବି କରି ଦୀର୍ଘ ୯ ବର୍ଷରୁ ଉର୍ଦ୍ଧ୍ଵ କାଳ ବ୍ୟାପୀ ଚାଲିଥିବା ଭାଷା ଆନ୍ଦୋଳନ ଓ ତାର ପ୍ରୟୋଗାତ୍ମକ ପଦ୍ଧତ୍ତି ନୀରବ କଳାପତାକା ଅଭିଯାନ । ଗୋଟିଏ ପ୍ରାଚୀନ ଜାତି ତା ଭାଷା ଅଧିକାର ପାଇଁ ରାଜ୍ୟର ସରକାର ସହ ସଂଗ୍ରାମରତ ; ଏହା ହିଁ ତ ରାଜ୍ୟର ଶ୍ରେଷ୍ଠ ଖବର । ଅଥଚ ରାଜ୍ୟର ଗଣମାଧ୍ୟମଗୁଡ଼ିକ ଏହି ଖବରକୁ  ରାଜ୍ୟବାସୀଙ୍କଠାରୁ ଲୁଚେଇ ରଖିଛନ୍ତି ନିଜ ନିଜର ଅର୍ଥଲୋଲୁପତା କାରଣରୁ । ସେମାନେ ଏହି ଖବରକୁ ଯଦି ପ୍ରକାଶ କରିଥାନ୍ତେ, ତାହା ଜାଲିଆତି ଦ୍ଵାରା ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନକୁ ଅକର୍ମଣ୍ୟ କରିଦେଇଥିବା ମୁଖ୍ୟମନ୍ତ୍ରୀ (ତଦାନୀନ୍ତନ) ନବୀନ ପଟ୍ଟନାୟକଙ୍କୁ ଅଡୁଆରେ ପକାଇ ଥାନ୍ତା । ତେଣୁ ନବୀନ ସେମାନଙ୍କ ନୀରବତା କିଣିଥିଲେ । 

ମୋ ୱେବସାଇଟମାନଙ୍କରେ ତଥା ସାମାଜିକ ଗଣମାଧ୍ୟମମାନଙ୍କରେ  ଭାଷା ଆନ୍ଦୋଳନ ଖବର ପ୍ରତ୍ୟହ ପ୍ରକାଶିତ ଓ ପ୍ରସାରିତ ହୋଇ ଓଡ଼ିଶାର ସର୍ବତ୍ର ଭାଷା ପ୍ରେମର ଫଲ୍ଗୁଧାରା ଖେଳାଇଚାଲିଥିଲା । ନବୀନ ପଟ୍ଟନାୟକଙ୍କ ହେତୁ ଓଡ଼ିଆ ଭାଷା ବିପଦରେ ବୋଲି ସମଗ୍ର ଓଡ଼ିଆ ଜାତି ଅନୁଭବ କରିଥିଲା  ଏବଂ ଏହି ଅନୁଭବ ହିଁ ନବୀନଙ୍କୁ ଅବଶେଷରେ କ୍ଷମତାରୁ ବିତାଡ଼ିତ କଲା । ନବୀନଙ୍କ ପୋଷା ଗଣମାଧ୍ୟମଗୁଡ଼ିକ  ଏକଥା ଏବେ ବି ନକହନ୍ତି !

ଲୋକେ କିନ୍ତୁ ନବୀନ ପଟ୍ଟନାୟକଙ୍କୁ ଓଡ଼ିଆବିଦ୍ଵେଷୀତା ହେତୁ ଅତି ପ୍ରଚଣ୍ଡ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି । କଟାବାଞ୍ଜିରେ ତାଙ୍କୁ ପ୍ରତ୍ୟକ୍ଷତଃ ପରାଜୟ ଭୋଗିବାକୁ ପଡ଼ିଥିବା ବେଳେ ହିଞ୍ଜିଳିରୁ ସେ ପରୋକ୍ଷରେ ପରାଜିତ ହୋଇଛନ୍ତି । ସେ ପାଇଛନ୍ତି ୬୬୪୫୯ ଖଣ୍ଡ ଭୋଟ । ଏହା ବିଜେପି ପ୍ରାର୍ଥୀ ଶରତ ମିଶ୍ର ପାଇଥିବା ଭୋଟଠାରୁ ସଂଖ୍ଯାରେ ୪୬୩୬ ଖଣ୍ଡ ଅଧିକ । କଂଗ୍ରେସର ରଜନୀକାନ୍ତ ପାଢୀ ଯେଉଁ ୫୩୮୦ ଖଣ୍ଡ ଭୋଟ ପାଇଛନ୍ତି, ତାକୁ ଶ୍ରୀ ମିଶ୍ର ପାଇଥିବା ସମର୍ଥନ ସହ ମିଶାଇଲେ ନବୀନଙ୍କ ବିରୁଦ୍ଧରେ ହିଞ୍ଜିଳିର ୬୭୨୦୩ ଜଣ ଭୋଟର ମତ ଦେଇଛନ୍ତି ଯାହା ନବୀନ ପାଇଥିବା ସମର୍ଥନଠାରୁ ୭୪୪ ଅଧିକ ।  ଅତଏବ, ହିଞ୍ଜିଳୀରେ ମଧ୍ୟ ନବୀନଙ୍କ ବିରୁଦ୍ଧରେ ଜନମତ ସ୍ପଷ୍ଟତଃ ଯାଇଛି । 

ଭାଷା ଆନ୍ଦୋଳନ ହିଁ ନବୀନଙ୍କୁ କ୍ଷମତାଚ୍ୟତ କରିଛି । ଭାଷା ପ୍ରତି ଓଡ଼ିଆ ଜାତିର ଭାବପ୍ରବଣତା ଅନୁଭବ କରି ନିର୍ବାଚନ ପରିଚାଳନା କାଳରେ ବିଜେପି ଓଡ଼ିଆ ଭାଷା ଉପରେ ଗୁରୁତ୍ଵ ଦେଇ ନବୀନଙ୍କୁ ପରାଭୂତ କରିଛି ।

ଏହି ପ୍ରେକ୍ଷାପଟରେ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଗତକାଲି ଫେସବୁକ୍ ମଞ୍ଚରୁ ସିଧା ପ୍ରସାରଣ କ୍ରମେ ଏକ ବାର୍ତ୍ତା ଦେଇ କଳା ପତାକା ଅଭିଯାନରେ ଝାସ ଦେଇ ଓଡ଼ିଶାରେ ଭାଷା ଅସ୍ମିତାର ଫଲ୍ଗୁ ପ୍ରବାହିତ କରାଇଥିବା ସମସ୍ତ ଅଭିଯାତ୍ରୀଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ନବୀନ ପଟ୍ଟନାୟକ ପ୍ରତ୍ୟାଖ୍ୟାତ ହୋଇଥିବା ହେତୁ ଓଡ଼ିଆ ଜାତିର ଭାଷା ଅଧିକାର ହାସଲ ପଥରୁ ପ୍ରଧାନ ଅନ୍ତରାୟ ଅପସାରିତ ହୋଇଥିବା ସେ ପ୍ରକାଶ କରିଛନ୍ତି ।

କଳା ପତାକା ଅଭିଯାନର ନୀରବ ପଦ୍ଧତ୍ତି ସାଙ୍ଗକୁ ଭାଷା ଆନ୍ଦୋଳନର ସରବ ପଦ୍ଧତ୍ତି ହେବ ମଧୁଜନତା

ଓଡ଼ିଆ ଜାତିର ଭାଷା ଅଧିକାର ହାସଲ କରିବା ପାଇଁ ଚାଲିଥିବା ଭାଷା ଆନ୍ଦୋଳନର ପ୍ରୟୋଗାତ୍ମକ ପଦ୍ଧତ୍ତି ‘ନୀରବ କଳାପତାକା ଅଭିଯାନ’ ସାଙ୍ଗକୁ ଏକ ସରବ ପଦ୍ଧତ୍ତି ଭାବେ ପ୍ରଫେସର ମନୋରଞ୍ଜନ ଦାସଙ୍କ ପରିକଳ୍ପିତ ‘ମଧୁଜନତା’ କାମ କରିବ ବୋଲି ନିଷ୍ପତ୍ତି ହୋଇଛି । ମାର୍ଚ୍ଚ ୨୪ରେ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ଏହାର ଉଦ୍ଘାଟନ କରିଥିଲେ ।

ଏହି ଖବର ନିମ୍ନମତେ ଫେସବୁକରେ ପ୍ରଦାନ କରିଛନ୍ତି ପ୍ରଫେସର ଦାସ :

ଆଜି(୨୪/୩/୨୪)ପୂର୍ବାହ୍ନ ୧୧ଟା ସମୟରେ ବର୍ଷୀୟାନ ସାମ୍ବାଦିକ ଓ ଓଡ଼ିଆ ଅସ୍ମିତାର ଜାଗ୍ରତ ପ୍ରହରୀ ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଦ୍ଵାରା ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ଅର୍ଦ୍ଧ ରାଜନୈତିକ ସଂଗଠନ”ମଧୁଜନତା” ଏବଂ ମନୋରଞ୍ଜନ ଦାସଙ୍କ ରଚିତ କବିତା ସଂକଳନ “ଜାଗରେ ଜାଗରେ ମଧୁଜନତା” ଲୋକାର୍ପିତ ହୋଇଯାଇଛି ।
ପ୍ରାରମ୍ଭରେ ମଧୁଜନତା ସଂଗଠନର ଆବାହକ ମନୋରଞ୍ଜନ ଦାସ ସଂଗଠନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।ମଧୁବାବୁଙ୍କ ରଚିତ “ଉତ୍କଳ ସନ୍ତାନ” ଗାନ କରାଯାଇ ମଧୁବାବୁଙ୍କ ପ୍ରତି ଶ୍ରଦ୍ଧାର୍ଘ୍ୟ ଅର୍ପଣ କରାଯାଇଥିଲା ।
ଉଦ୍ଘାଟକ ଶ୍ରୀଯୁକ୍ତ ପଟ୍ଟନାୟକ ମଧୁବାବୁଙ୍କ ଅବଦାନ ଓ ବୁଦ୍ଧଙ୍କ ଓଡିଆତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ ।ଓଡ଼ିଆ କୈନ୍ଦ୍ରିକ ଯବକାଚରେ ଓଡ଼ିଶାର ଇତିହାସ ଓ ଓଡ଼ିଆ ଜାତିର ଅସ୍ମିତାର ଅନୁଧ୍ୟାନ ଓ ଅଧ୍ୟୟନ କରାଯିବା ଆବଶ୍ୟକ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ ମତ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ସୂଚନା ଅଧିକାର ଆନ୍ଦୋଳନର ସାରଥୀ ଶ୍ରୀ ପ୍ରଦୀପ ପ୍ରଧାନ ଅଧ୍ୟକ୍ଷତା କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ପୁସ୍ତକର ପ୍ରକାଶକ ଜେନାମଣି ଦିଲ୍ଲୀପ କୁମାର ରାୟ,ମିସନ୍ ଜଷ୍ଟିସ୍ ନେତା ଶ୍ରୀ ତପନ ପାଢୀ,ଓଡ଼ିଆ ଜାତୀୟ ସମ୍ମିଳନର ସଂପାଦକ ଶ୍ରୀକାନ୍ତ ଦାଶ,ସମୃଦ୍ଧ ଓଡିଶା ଢେଙ୍କାନାଳ ସଭାପତି ଶ୍ରୀ ବିନାୟକ ଶତପଥୀ,ଶ୍ରୀ ଲଳିତ କୁମାର ବେହେରା ଓ ଶ୍ରୀ କରୁଣାକର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।ପ୍ରଫେସର ଶ୍ରୀମତୀ ସବିତା ରାଣୀ ପଟ୍ଟନାୟକ ସମସ୍ତଙ୍କୁ ଜଳଯୋଗରେ ଆପ୍ୟାୟିତ କରିଥିଲେ ।
ମଧୁଜନତାର ବୈଶିଷ୍ଟ୍ୟ ତଥା ଅଭିଳାଷ ସମ୍ପର୍କରେ ମାର୍ଚ୍ଚ ୨୫ ତାରିଖରେ ଫେସବୁକ ଲାଇଭରେ ପ୍ରସାରିତ ସୁଭାଷବାବୁଙ୍କ ବାର୍ତ୍ତା ୟୁଟ୍ଯୂବରେ ସ୍ଥାନିତ ହୋଇଛି । ଭାଷା ଆନ୍ଦୋଳନ ସହ ସମ୍ପୃକ୍ତ ସମସ୍ତଙ୍କ ଅବଗତି ପାଇଁ ତାହା ଏଠାରେ ଉପସ୍ଥାପିତ ହେଲା । 
https://www.youtube.com/watch?v=EvXDvz6Q4-4&t=77s