‘ଓଡ଼ିଆଭାଷାକୁ ନବୀନଙ୍କ ମରଣଆଘାତ’ ପୁସ୍ତକ ସହ ମୁଖ୍ୟ ଶାସନ ସଚିବଙ୍କୁ ମାତୃଭାଷାପ୍ରେମୀ ସମ୍ମିଳନୀର ପ୍ରସ୍ତାବ ପ୍ରେରଣ

ଓଡ଼ିଆ ଭାଷାକୁ ସଂହାର କରିବାର ମାରାତ୍ମକ ଅଭିସନ୍ଧି ନେଇ ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନରେ ଜାଲିଆତି ଦ୍ଵାରା ଅପସଂଶୋଧନ କରାଯାଇଛି । ଭାଷା ଆନ୍ଦୋଳନର ଷଷ୍ଠ ବର୍ଷ ପୂର୍ତ୍ତି ଅବସରରେ ଉତ୍କଳ ଦିବସ ଦିନ ଅନୁଷ୍ଠିତ ମାତୃଭାଷାପ୍ରେମୀ (୨ୟ) ସମ୍ମିଳନୀରେ ଗୃହିତ ଏ ସମ୍ପର୍କୀୟ  ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟାନୁଷ୍ଠାନ ପାଇଁ ଭାଷା ଆନ୍ଦୋଳନ ପକ୍ଷରୁ ଆଜି ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପ୍ରେରଣ କରାଯାଇଛି ଓ ଭାଷା ଆଇନରେ ହୋଇଥିବା ଜାଲିଆତିର ପ୍ରାମାଣିକ ପୁସ୍ତକ ‘ଓଡ଼ିଆ ଭାଷାକୁ ନବୀନଙ୍କ ମରଣଆଘାତ’ର କୋମଳ କିତା ମଧ୍ୟ ପ୍ରେରିତ ହୋଇଛି।  ନିମ୍ନରେ ସେହି ପତ୍ର: 

ଶ୍ରୀଯୁକ୍ତ ମୁଖ୍ୟ ଶାସନ ସଚିବ, ଓଡ଼ିଶା

 

ବିଷୟ: ଭାଷା ଆନ୍ଦୋଳନ ଆହୁତ ମାତୃଭାଷାପ୍ରେମୀ (୨ୟ) ସମ୍ମିଳନୀ ଦ୍ଵାରା ଗୃହିତ ପ୍ରସ୍ତାବ ସହ ପ୍ରାମାଣିକ ପୁସ୍ତକ ‘’ଓଡ଼ିଆ ଭାଷାକୁ ନବୀନଙ୍କ ମରଣଆଘାତ’ର କିତାଏ ପ୍ରେରଣ କରି ଆଶୁ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ

 

ମହାଶୟ,

ସରକାରୀ ଚକ୍ରାନ୍ତ ହେତୁ ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ଏଯାଏଁ ସମ୍ଭବ ହୋଇନାହିଁ । ଏପ୍ରିଲ ୧୩, ୨୦୧୬ ତାରିଖରେ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କୁ ଦେଇଥିବା ସ୍ମାରକପତ୍ର ଭିତ୍ତିରେ ନିରବ କଳାପତାକା ଅଭିଯାନ ଅତୁଟ ଅଛି । ଦୁଃଖର କଥା, ଜାଲିଆତି ପ୍ରୟୋଗ କରି ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ, ୧୯୫୪କୁ ଅକର୍ମଣ୍ୟ କରାହୋଇଛି । ଓଡ଼ିଆ ଜାତି ତାର ଭାଷା ଅଧିକାରରୁ ବଞ୍ଚିତ ହୋଇରହିଛି ।  ଏହି ପୃଷ୍ଠଭୂମିରେ ଭାଷା ଆନ୍ଦୋଳନ ଦ୍ଵାରା ଆହୁତ ମାତୃଭାଷାପ୍ରେମୀ (୨ୟ) ସମ୍ମିଳନୀ ଉତ୍କଳ ଦିବସ (ଏପ୍ରିଲ ପହିଲା)ରେ ଭୁବନେଶ୍ଵରସ୍ଥ ଲୋହିଆ ଏକାଡ଼େମୀରେ ପ୍ରଫେସର କମଳାପ୍ରସାଦ ମହାପାତ୍ରଙ୍କ ସଭାପତିତ୍ଵରେ ଯେଉଁସବୁ ପ୍ରସ୍ତାବ ଗ୍ରହଣ କରିଛନ୍ତି ମୁଁ ତାହା ଆପଣଙ୍କ ପାଖକୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଉଛି ।   

          ଓଡ଼ିଆ ଜାତିର ଭାଷା ଅଧିକାର ପାଇଁ ସମର୍ପିତ “ଓଡ଼ିଆରେ ଶାସନ’ ଶୀର୍ଷକ ୱେବସାଇଟକୁ ସର୍ବସାଧାରଣଙ୍କ ପାଇଁ ପୁନଶ୍ଚ ଅଲଭ୍ୟ କରାଯାଇଥିବାରୁ ଭାଷା ଆନ୍ଦୋଳନ ଦ୍ଵାରା ଆହୁତ ‘ମାତୃଭାଷାପ୍ରେମୀ (୨ୟ) ସମ୍ମିଳନୀ ରାଜ୍ୟ ସରକାରଙ୍କୁ ତୀବ୍ର ଭର୍ତ୍ସନା କରି, ତୁରନ୍ତ ତାହାକୁ ସଚଳ ଓ ଅଦ୍ଯତନ କରିବାକୁ ଦାବି କରିଛି । ଯଥା : –

 

ମାତୃଭାଷାପ୍ରେମୀ (୨ୟ) ସମ୍ମିଳନୀ

ଭାଷା ଆନ୍ଦୋଳନ, ଓଡ଼ିଶା ,

ସ୍ଥାନ: ଲୋହିଆ ଏକାଡ଼େମୀ, ଭୁବନେଶ୍ଵର

ତାରିଖ: ୧ ଏପ୍ରିଲ ୨୦୨୨ – ଉତ୍କଳ ଦିବସ

 

ପ୍ରସ୍ତାବ -୧

ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ସମ୍ପର୍କୀୟ ସମସ୍ତ ତଥ୍ୟ ଜନସାଧାରଣଙ୍କୁ ପ୍ରଦାନ କରିବା ପାଇଁ ଓ ଜନସାଧାରଣଙ୍କଠାରୁ କାର୍ଯ୍ୟାଳୟରେ ଓଡ଼ିଆ ଭାଷା ପ୍ରୟୋଗ କ୍ଷେତ୍ରରେ ରହୁଥିବା ଅସୁବିଧା ଅବଗତ ହୋଇ ତହିଁର ଦୂରୀକରଣ କରି ତାହା ସେମାନଙ୍କୁ ଅବଗତ କରାଇବା ପାଇଁ ‘ଓଡ଼ିଆରେ ଶାସନ’ ଶୀର୍ଷକ ଯେଉଁ ୱେବସାଇଟ ସୃଷ୍ଟିକରାହୋଇଥିଲା, ତାହାକୁ ରାଜ୍ୟସରକାର ସାଧାରଣଲୋକଙ୍କ ପାଇଁ ଅଲଭ୍ୟ କରିଥିବା ଓ ତଦ୍ଦ୍ଵାରା ଓଡ଼ିଆ ଭାଷାରେ ଓଡ଼ିଶାର କାର୍ଯ୍ୟାଲୟଗୁଡ଼ିକ କାମ କରୁଛନ୍ତି କି ନାହିଁ ତାହା ଜାଣିବା ଅଧିକାରରୁ ଲୋକଙ୍କୁ ବଞ୍ଚିତ କରିଥିବା ରାଜ୍ୟସରକାରଙ୍କର ଓଡ଼ିଆବିଦ୍ଵେଷୀ ମନୋଭାବର ପରିଚାୟକ ।

          ଭାଷା ଆନ୍ଦୋଳନର ୬ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ଏହି ମାତୃଭାଷାପ୍ରେମୀ (୨ୟ) ସମ୍ମିଳନୀ ଏଥିରେ ଘୋର ଉଦ୍ବେଗ ପ୍ରକାଶ କରୁଛି ଓ ରାଜ୍ୟ ସରକାରଙ୍କୁ ଆହ୍ଵାନ ଦେଉଛି କି, ଅବିଳମ୍ବେ ଏହି ୱେବସାଇଟକୁ ସଚଳ କରାଯାଇ, ଓଡ଼ିଆ ଭାଷାରେ ଓଡ଼ିଶା ରାଜ୍ୟ ପରିଚାଳନାର ସମସ୍ତ ଅଗ୍ରଗତି, ଭାଷା ଆଇନ ପ୍ରୟୋଗର ସମସ୍ତ ତଥ୍ୟ ତହିଁରେ ସ୍ଥାନିତ କରି ତାହାକୁ ଅଦ୍ଯତନ କରାଯାଉ ।

ସ୍ଵା: ନିର୍ମଳ କୁମାର ବେହେରା ୧.୪.୨୦୨୨

ପ୍ରସ୍ତାବକ

ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହିତ ହେଲା

ସ୍ଵା: କମଳାପ୍ରସାଦ ମହାପାତ୍ର

ସଭାପତି

୧.୪.୨୦୨୨

ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟ ଭାବେ ଭାଷା ଆଇନ ସଂଶୋଧନ ଓ ନିୟମାବଳୀ ପ୍ରବର୍ତ୍ତନ ପାଇଁ ପ୍ରସ୍ତାବ ଓ ପ୍ରସ୍ତାବିତ ବିଧାନର ଚିଠା ପ୍ରଦାନ କରି ଭାଷା ଆଇନର ଆଜନ୍ମ ତ୍ରୁଟି ଅପସାରଣ ପାଇଁ ସରକାରଙ୍କୁ ଉପଯୁକ୍ତ ଦିଗ୍ଦର୍ଶନ ଦେଇଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଉପରୋକ୍ତ ଜାଲିଆତିର ସମସ୍ତ ପ୍ରମାଣ ପ୍ରଦାନ କରିଛନ୍ତି ‘ଓଡ଼ିଆ ଭାଷାକୁ ନବୀନଙ୍କ ମରଣ ଆଘାତ’ ଶୀର୍ଷକ ମୁଦ୍ରିତ ପୁସ୍ତକରେ ।

ଏହି ସମ୍ମିଳନୀରେ ଏହି ପୁସ୍ତକ ଉପରେ ଗଭୀର ଆଲୋଚନା ହୋଇ ଏତତ୍କୈନ୍ଦ୍ରିକ ପ୍ରସ୍ତାବରେ ଏପରି ମାରାତ୍ମକ ଅପରାଧର ଉତ୍ତରଦାୟୀତ୍ଵ ନିର୍ଦ୍ଧାରଣ ଓ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ତୁରନ୍ତ ଏକ ବିଚାରବିଭାଗୀୟ ତଦନ୍ତ କମିଶନ ନିଯୁକ୍ତି ପାଇଁ ସରକାରଙ୍କୁ ଆହ୍ଵାନ ଦିଆହୋଇଛି । ଏହି ପ୍ରସ୍ତାବରେ ଅଧିକନ୍ତୁ କୁହାହୋଇଛି କି, ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନରେ ଜାଲିଆତି ଦ୍ଵାରା ଖଞ୍ଜା ହୋଇଥିବା ଧାରା ୪ ଓ ୫ ଏବଂ ୪-କ ଓଡ଼ିଆ ଜାତିର ଭାଷା ସ୍ଵାର୍ଥ ପ୍ରତି ବିପଜ୍ଜନକ ହୋଇଥିବା ହେତୁ ତହିଁର ନିପାତ କରାଯାଇ ସାନି ସଂଶୋଧନ ଦ୍ଵାରା ଭାଷା ଆଇନକୁ ନିର୍ଭୁଲ ଓ ଅଲଙ୍ଘ୍ଯ କରାଯାଉ । ଯଥା :-

ମାତୃଭାଷାପ୍ରେମୀ (୨ୟ) ସମ୍ମିଳନୀ

ଭାଷା ଆନ୍ଦୋଳନ, ଓଡ଼ିଶା ,

ସ୍ଥାନ: ଲୋହିଆ ଏକାଡ଼େମୀ, ଭୁବନେଶ୍ଵର

ତାରିଖ: ୧ ଏପ୍ରିଲ ୨୦୨୨ – ଉତ୍କଳ ଦିବସ

 

ପ୍ରସ୍ତାବ-୨

 

ଭାଷା ଆନ୍ଦୋଳନର ୬ ବର୍ଷ ପୂର୍ତ୍ତି ଅବସରରେ ଲୋକାର୍ପିତ ହୋଇଥିବା ପ୍ରାମାଣିକ ପୁସ୍ତକ ‘ଓଡ଼ିଆ ଭାଷାକୁ ନବୀନଙ୍କ ମରଣଆଘାତ’ ଅନୁଧ୍ୟାନ କରି ଏହି ସମ୍ମିଳନୀ ଅନୁଭବ କରୁଛି କି, ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ, ୧୯୫୪କୁ ଅକର୍ମଣ୍ୟ କରିଦେବା ପାଇଁ ଜାଲିଆତି ପ୍ରୟୋଗ ଦ୍ଵାରା ତହିଁର ଅପସଂଶୋଧନ ହୋଇଛି । ଫଳରେ ଅଦ୍ୟାବଧି ଓଡ଼ିଆ ଭାଷାରେ କାର୍ଯ୍ୟାଳୟମାନେ କାମ କରୁନାହାନ୍ତି ବୋଲି ଲେଖକ ସୁଭାଷ ଚନ୍ଦ୍ର ପଟ୍ଟନାୟକ କରିଥିବା ଅଭିଯୋଗ ଯଥାର୍ଥ ।

          ଏହି ସମ୍ମିଳନୀ ଏପରି ଅସଙ୍ଗତ ବିଧିକ ଆଚରଣ ପାଇଁ ରାଜ୍ୟସରକାରଙ୍କୁ ଭର୍ତ୍ସନା କରୁଛି ଓ ଆହ୍ଵାନ ଦେଉଛି କି, ଉପରୋକ୍ତ ପୁସ୍ତକରେ ଖୋଦିତ ଓ ସ୍ଥାନିତ ପ୍ରମାଣ ସମୂହ ଦୃଷ୍ଟିରୁ ଓଡ଼ିଆ ଜାତି ବିରୁଦ୍ଧରେ ଏପରି ଅପରାଧର ଉତ୍ତରଦାୟୀତ୍ଵ ନିର୍ଦ୍ଧାରଣ ଓ କାର୍ଯ୍ୟାନୁଷ୍ଠାନ ପାଇଁ ତୁରନ୍ତ ଏକ ବିଚାର ବିଭାଗୀୟ ତଦନ୍ତ କମିଶନ ନିଯୁକ୍ତ କରାଯାଉ । ଏଥିପାଇଁ ବହିର କିତାଏ ସରକାରଙ୍କୁ ଦିଆଯାଉ ।

          ଜାଲିଆତି ଦ୍ଵାରା ଗୃହିତ ସଂଶୋଧନ ଆଇନ, ୨୦୧୬, ୨୦୧୮ ଓ ତଦ୍ଦ୍ଵାରା ପରିସୃଷ୍ଟ ଧାରା-୪ ଓ ୫  ଏବଂ ଧାରା -୪କ ଓ ତଦୁଦ୍ଭୂତ ନିୟମାବଳି ୨୦୧୬, ୨୦୧୯କୁ ଏହି ସମ୍ମିଳନୀ ପ୍ରତ୍ୟାଖ୍ୟାନ କରୁଛି ଓ ସାନି ସଂଶୋଧନ ଦ୍ଵାରା ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ, ୧୯୫୪କୁ ନିର୍ଭୁଲ ଓ ଅଲଙ୍ଘ୍ଯ କରିବାକୁ ରାଜ୍ୟ ସରକାରଙ୍କୁ ଆହ୍ଵାନ ଦେଉଛି ।

ସ୍ଵା: ସୁବାସ ମହାପାତ୍ର , ୧.୪.୨୦୨୨

ପ୍ରସ୍ତାବକ

ସର୍ବସମ୍ମତିକ୍ରମେ ଗୃହିତ ହେଲା

ସ୍ଵା: କମଳାପ୍ରସାଦ ମହାପାତ୍ର

ସଭାପତି,

୧.୪.୨୦୨୨

 

ଯେଉଁ କର୍ମଚାରୀ ଓ ପଦାଧିକାରୀ ଓଡ଼ିଆରେ କାର୍ଯ୍ୟାଳୟ କାମ ନକରୁଛନ୍ତି / ନକରିବେ ତାଙ୍କୁ ରାଜ୍ୟଦ୍ରୋହୀ ଘୋଷିତ କରି ତଦନୁରୂପ ଦଣ୍ଡବିଧାନ ବିଧିକୃତ କରିବାକୁ ଦାବି ହୋଇଛି । ଯଥା :-

 

ମାତୃଭାଷାପ୍ରେମୀ (୨ୟ) ସମ୍ମିଳନୀ

ଭାଷା ଆନ୍ଦୋଳନ, ଓଡ଼ିଶା ,

ସ୍ଥାନ: ଲୋହିଆ ଏକାଡ଼େମୀ, ଭୁବନେଶ୍ଵର

ତାରିଖ: ୧ ଏପ୍ରିଲ ୨୦୨୨ – ଉତ୍କଳ ଦିବସ

 

ପ୍ରସ୍ତାବ-୩

 

ଓଡ଼ିଆ ଭାଷାରେ ସମସ୍ତ କାର୍ଯ୍ୟ ସମ୍ପାଦନ ପାଇଁ ଦୀର୍ଘ ଆନ୍ଦୋଳନ ମାଧ୍ୟମରେ ଓଡ଼ିଶା ପ୍ରଦେଶ ସୃଷ୍ଟି ହୋଇଥିଲା । ସେଥିପାଇଁ ୧୯୫୪ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ‘ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା । ଆଇନ ସତ୍ତ୍ୱେ ଓଡ଼ିଆରେ କାମ ନକରି କର୍ମଚାରୀ ଓ ପଦାଧିକାରୀମାନେ ଓଡ଼ିଶା ପ୍ରଦେଶ ସୃଷ୍ଟିର ଉଦ୍ଦେଶ୍ୟକୁ ପଣ୍ଡ କରୁଛନ୍ତି ।

          ତେଣୁ, ଯେଉଁ କର୍ମଚାରୀ / ପଦାଧିକାରୀ ଓଡ଼ିଆ ଭାଷାରେ କାର୍ଯ୍ୟ କରୁନାହାନ୍ତି, ନକରିବେ, ସେମାନଙ୍କୁ ‘ରାଜ୍ୟଦ୍ରୋହୀ’  ଘୋଷିତ କରିବାକୁ ଓ ତଦନୁରୂପ ଦଣ୍ଡବିଧାନ କରିବାକୁ ଉପଯୁକ୍ତ ବିଧାନ ପ୍ରଣୟନ ସକାଶେ ରାଜ୍ୟ ସରକାରଙ୍କୁ ଆହ୍ଵାନ ଦେଉଛି ।

ସ୍ଵା: ତପନ ପାଢ଼ୀ , ୧.୪.୨୦୨୨

ପ୍ରସ୍ତାବକ 

ସର୍ବସମ୍ମତିକ୍ରମେ ଗୃହିତ ହେଲା

ସ୍ଵା: କମଳାପ୍ରସାଦ ମହାପାତ୍ର

ସଭାପତି,

୧.୪.୨୦୨୨ 

ଓଡ଼ିଆ ଜାତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏହି ତିନୋଟି ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ଅନୁରୋଧ ସହ ଆଶୁ ଅନୁଧ୍ୟାନ ପାଇଁ ‘ଓଡ଼ିଆ ଭାଷାକୁ ନବୀନଙ୍କ ମରଣ ଆଘାତ’ ପୁସ୍ତକର ଏକ କୋମଳ କିତା ସଂଲଗ୍ନ କରାଗଲା ।

 

(ସୁଭାଷ ଚନ୍ଦ୍ର ପଟ୍ଟନାୟକ)

ପ୍ରତିଷ୍ଠାତା, ଭାଷା ଆନ୍ଦୋଳନ, ଓଡ଼ିଶା

 

 

ଭାଷା ଆଇନରେ ଜାଲିଆତି ଅଭିଯୋଗ: ତଦନ୍ତ ପାଇଁ ମାତୃଭାଷାପ୍ରେମୀ ସମ୍ମିଳନୀରେ ଆହ୍ଵାନ


ଭୁବନେଶ୍ବର,
୧.୪.୨୦୨୨
ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ତଥା ସାମ୍ବାଦିକ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ପ୍ରାମାଣିକ ପୁସ୍ତକ ‘ଓଡ଼ିଆ ଭାଷାକୁ ନବୀନଙ୍କ ମରଣଆଘାତ’ରେ ଜାଲିଆତି ଦ୍ଵାରା ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନକୁ ଅକର୍ମଣ୍ୟ କରିଦିଆଯାଇଛି ବୋଲି ଯେଉଁ ପ୍ରମାଣଭିତ୍ତିକ ଅଭିଯୋଗ ହୋଇଛି, ତହିଁ ଉପରେ ବିଚାରବିଭାଗୀୟ ତଦନ୍ତ ଦାବି କରିଛି ଆଜି ସ୍ଥାନୀୟ ଲୋହିଆ ଆକାଡ଼େମୀ ସଭାକକ୍ଷରେ ଅନୁଷ୍ଠିତ ମାତୃଭାଷାପ୍ରେମୀ ସମ୍ମିଳନୀ ।

ପ୍ରଫେସର କମଳା ପ୍ରସାଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ପୁସ୍ତକର ମୁଦ୍ରିତ ସଂସ୍କରଣକୁ ଲୋକାର୍ପିତ କରିଥିଲେ ବିଶ୍ଵ ବିଖ୍ୟାତ ପରିବେଶବିତ ତଥା ଲୋକ ଶକ୍ତି ଅଭିଯାନର ଅଧ୍ୟକ୍ଷ ପ୍ରଫୁଲ୍ଲ ସମନ୍ତରା ।

ଏହାକୁ ଏକ ବେସରକାରୀ ତଦନ୍ତ କମିଶନ ରିପୋର୍ଟ ବୋଲି ଆଖ୍ୟାୟିତ କରିଥିଲେ ପ୍ରଫେସର ମନୋରଞ୍ଜନ ଦାସ।

ଭାଷା ଆଂଦୋଳନର ବିଶିଷ୍ଟ ନେତା ଅଶୋକ ପରିଡା (ଫୁଲବାଣୀ ଜିଲ୍ଲା) ଦଣ୍ଡପାଣି ମହାପାତ୍ର (ଗଞ୍ଜାମ ଜିଲ୍ଲା) , କମଳ ଲୋଚନ ରାଉତ (ବାଲେଶ୍ଵର ଜିଲ୍ଲା), ଦେବୀ ପ୍ରସନ୍ନ ନାୟକ (ଯାଜପୁର ଜିଲ୍ଲା), ପ୍ରକାଶ ଚନ୍ଦ୍ର ରାଉତ (ଢେଙ୍କାନାଳ ଜିଲ୍ଲା) , ବିଚିତ୍ରନାଦ ବରାଳ ( ପୁରୀ ଜିଲ୍ଲା) ପ୍ରଦୀପ ସ୍ଵାଇଁ (କଟକ ଜିଲ୍ଲା) ପ୍ରମୁଖ ଭାଷା ଆଂଦୋଳନର ବୈଶିଷ୍ଟ୍ୟ ଓ ଉପଲବ୍ଧି ଉପରେ ଆଲୋକପାତ କରିଥିଲେ ।

ଏହି  ଆନ୍ଦୋଳନ ପ୍ରତି ସଂହତି ଜ୍ଞାପନ କରିଥିଲେ ବିଶ୍ଵ ଶିକ୍ଷକ ସଂଗଠନ ମହାସଂଘର ସଭାପତି ପ୍ରଫେସର ଅମିୟ କୁମାର ମହାନ୍ତି, ଅଖିଳ ଭାରତ ଟ୍ରେଡ ଯୁନିଅନ କଂଗ୍ରେସର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ସିପିଏମ ନେତା ସୁରେଶ ପାଣିଗ୍ରାହୀ, ମାନବ ଅଧିକାର ସଂଗଠକ ପ୍ରଦୀପ୍ତ ନାୟକ,ଫରୱାର୍ଡ ବ୍ଲକ ଓଡିଶା ସଭାପତି ପୂର୍ଣ୍ଣ ଚନ୍ଦ୍ର ପାଢୀ, ଓଡ଼ିଶା ଜାତୀୟ ସମ୍ମିଳନୀ ପକ୍ଷରୁ ଶ୍ରୀକାନ୍ତ ଦାଶ, ସମୃଦ୍ଧ ଓଡ଼ିଶା ପକ୍ଷରୁ ନିରାକାର ବେହୁରା ପ୍ରମୁଖ । ସଭାକକ୍ଷରେ ଉପସ୍ଥିତ ଥିଲେ ଆଲୋକବର୍ଷୀ ସାମ୍ବାଦିକ ସତ୍ୟପ୍ରକାଶ ନାୟକ, ଓଡ଼ିଶା ସୂଚନା ଅଧିକାର ଅଭିଯାନ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ସିପିଏମ ତତ୍ତ୍ବବେତ୍ତା ଓ ସୁଲେଖକ ଜନାର୍ଦ୍ଦନ ପତି, କବି ଉମାକାନ୍ତ ରାଉତ, ଅଧିବକ୍ତା ଇଳା ମହାରଣା ଓ ପ୍ରଫେସର ପ୍ରଦୀପ୍ତ ବାରିକ ପ୍ରମୁଖ ।

ଭାଷା ଆଂଦୋଳନର ଷଷ୍ଠ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶତାଧିକ କଳାପତାକା ଅଭିଯାତ୍ରୀ ଯୋଗ ଦେଇ ୩ ଗୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗ୍ରହଣ କରିଥିଲେ । “ଓଡ଼ିଆରେ ଶାସନ” ଶୀର୍ଷକ ୱେବ୍ସାଇଟକୁ ସରକାର ତୁରନ୍ତ ଉପଲଭ୍ୟ କରିବାକୁ ପ୍ରଥମ ପ୍ରସ୍ତାବ ପେଶ୍ କରିଥିଲେ ନିର୍ମଳ କୁମାର ବେହେରା।

ଭାଷା ଆଇନରେ ସଂଶୋଧନ ପାଇଁ ବିଧି ବିଭାଗ ଦ୍ଵାରା ପ୍ରସ୍ତୁତ ଓ ମନ୍ତ୍ରୀମଣ୍ଡଳ ଦ୍ଵାରା ଅନୁମୋଦିତ ଚିଠା ବିଧେୟକକୁ ଗାୟେବ୍ କରାଯାଇ ଜାଲ୍ ଦିଧେୟକ ଦ୍ଵାରା ଭାଷା ଆଇନକୁ ପଙ୍ଗୁ କରାଯାଇଥିବା ଅଭିଯୋଗ ଉପରେ ବିଚାର ବିଭାଗୀୟ ତଦନ୍ତ ପାଇଁ ଦ୍ଵିତୀୟ ପ୍ରସ୍ତାବ ପେଶ୍ କରିଥିଲେ ଅଧିବକ୍ତା ସୁବାସ ମହାପାତ୍ର ଏବଂ ଓଡ଼ିଶାର କାର୍ଯ୍ୟାଳୟମାନଙ୍କରେ ଓଡ଼ିଆ ଭାଷାରେ କାମ ନକରୁଥିବା କର୍ମଚାରୀ ଓ ପଦାଧିକାରୀମାନଙ୍କୁ ଜାତିଦ୍ରୋହୀ ଭାବେ ଚିହ୍ନିତ କରି ଉପଯୁକ୍ତ ଦଣ୍ଡବିଧାନ ପାଇଁ ଭାଷା ଆଇନରେ ବ୍ୟବସ୍ଥା କରିବାକୁ ତୃତୀୟ ପ୍ରସ୍ତାବ ଉପସ୍ଥାପନ କରିଥିଲେ ତପନ ପାଢୀ । ତିନୋଟିଯାକ ପ୍ରସ୍ତାବ ସର୍ବସମ୍ମତିରେ ଗୃହିତ ହୋଇଥିଲା ।

ଏହି ଶୁଭ ଅବସରରେ ଲୋକାର୍ପିତ ହୋଇଥିଲା ଶ୍ରୀ  ମଦନ ମୋହନ ମହାପାତ୍ର, ତେନ୍ତୁଳିଡ଼ିହ, ବାଲୁଗାଁ ଲେଖିଥିବା  ଅନନ୍ୟ କୃତି ‘ଭାଷାତତ୍ତ୍ଵ ଓ ଶ୍ରୀ ଜଗନ୍ନାଥ ଦର୍ଶନ’ । 

ମଞ୍ଚ ଉପରେ ଭାଷା ସହିଦ ରଞ୍ଜନ କୁମାର ଦାସଙ୍କୁ   ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । କବି ଅରୂପଙ୍କ “ଉଠରେ ସୁପ୍ତ ଜାତି” କବିତା ଆବୃତ୍ତିରୁ ଆରମ୍ଭ ହୋଇଥିଲା ସମ୍ମିଳନୀର କାର୍ଯ୍ୟକ୍ରମ ।

ନବୀନ ଏଥର ଋଣ ପରିଶୋଧ କରନ୍ତୁ


ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଓଡ଼ିଆ ଲୋକେ ପଞ୍ଚାଯତ ନିର୍ବାଚନରେ ବିଜେଡ଼ି ମୁଖ୍ୟ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯେଉଁ ଦୟା ପ୍ରଦର୍ଶନ କରିଛନ୍ତି, ତାହା ଅଭୂତପୂର୍ବ । ଅପଶାସନରେ ଭରପୁର ହୋଇଥିବା ସତ୍ତ୍ୱେ ନବୀନଙ୍କ ସପକ୍ଷରେ ଭୋଟ ଦେଇଛନ୍ତି ଗାଁ ଗହଳର ୫୩ ଶତାଂଶ ସରଳବିଶ୍ଵାସୀ ଅଶିକ୍ଷିତ ଓଡ଼ିଆ, ଯେଉଁମାନେ ନବୀନଙ୍କ ଠାରୁ ଋଣ ପରିଶୋଧ ହାସଲ କରିବାକୁ ଏତେ ବ୍ୟଗ୍ର ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ତାଙ୍କ ଯୋତା ପିନ୍ଧି ଚାଲିଥିବା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇ ଜାତୀୟ ଦଳକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

ଯେଉଁ ପ୍ରଦେଶର ସେ ମୁଖ୍ୟମନ୍ତ୍ରୀ, ସେ ପ୍ରଦେଶ ଦୟାର୍ଦ୍ର ଲୋକମାନଙ୍କ ପ୍ରଦେଶ । ଓଡ଼ିଆ ଭାଷାରେ ନିଜ କାର୍ଯ୍ୟ ପରିଚାଳନା ପାଇଁ ସେମାନେ ବିଦେଶୀ ଶାସନ କାଳରେ ମଧ୍ୟ ଏହି ପ୍ରଦେଶର ଆବିର୍ଭାବ ଘଟାଇଥିଲେ । କୁଳଗୌରବ ମଧୁସୂଦନ ଦାସ ଏ ଜାତିକୁ ଏଥିପାଇଁ ନେତୃତ୍ଵ ଦେଇଥିଲେ । ଓଡ଼ିଆ ଭାଷାରେ ସମସ୍ତ କାର୍ଯ୍ୟାଳୟ ପରିଚାଳନା ହେଲେ ଆମ ଜାତିର ଦୁର୍ଭାଗ୍ୟ ହଟିବ ବୋଲି ବିଶ୍ଵାସ ଥିଲା । ତେଣୁ ସ୍ୱଭାବକବି ଗଙ୍ଗାଧର ଲେଖିଥିଲେ, “ଶ୍ରୀ ମଧୁସୂଦନ ସର୍ବ ଗୁଣ ଯୁତ/ ଫିଟାଇବେ ପରା ସୌଭାଗ୍ୟର ପଥ ।”

ଏହି “ସୌଭାଗ୍ୟର ପଥ” ମଧୁବାବୁ ଫିଟାଇଥିଲେ ମଧ୍ୟ ବିଜୁ ପଟ୍ଟନାୟକ ବନ୍ଦ କରିଦେଇଥିଲେ ୧୯୬୩ରେ ଆମ ଭାଷା ଆଇନକୁ ଅବୈଧ ଭାବେ ସଂଶୋଧିତ କରି । ‘ବିଜୁଙ୍କ ଛୁରା’ ବହିରେ ମୁଁ ତାହା ସପ୍ରମାଣ ଦର୍ଶାଇଛି । ଓଡ଼ିଆ ଲୋକେ ତାଙ୍କୁ ଥରେ ଭୋଟ ଦେଲେ ପରବର୍ତ୍ତୀ ଦୁଇଥର ପ୍ରତ୍ୟାଖ୍ୟାନ କରୁଥିଲେ । କିନ୍ତୁ ନବୀନଙ୍କ ଭାଗ୍ୟ ନିଆରା । ଲୋକେ ତାଙ୍କୁ ଏ ଯାଏଁ ସେପରି ଅଭିଜ୍ଞତା ନଦେଇ ଋଣଗ୍ରସ୍ତ କରି ରଖିଛନ୍ତି ।

ନବୀନବାବୁ ଋଣଗ୍ରସ୍ତ ଅବସ୍ଥାରେ ବିଦାହେବା ଉଚିତ ନୁହେଁ । ଏହା ମନସ୍ଥ କରି ଲୋକେ ତାଙ୍କୁ ପଞ୍ଚାଯତ ନିର୍ବାଚନରେ ବିଜୟୀ କରାଇଛନ୍ତି । କ୍ଷମତାରେ ରହିଲେ ସିନା ସେ ଋଣ ଶୁଝିବେ ! ସୁତରାଂ ଉଦାରଚେତା ଓଡ଼ିଆ ଜାତି ଋଣ ପରିଶୋଧ ପାଇଁ ନବୀନଙ୍କୁ ଏହି ଶେଷ ସୁଯୋଗ ଦେଇଛି ।

କେବଳ ଗୋଟିଏ କାମ କରି ସେ ଏହି ଋଣ ଶୁଝିଦେଇପାରିବେ । ତାହା ହେଲା, ଜାଲିଆତି ଦ୍ଵାରା ସେ ଭାଷା ଆଇନର ଯେଉଁ ଅପସାଂଶୋଧନ କରିଛନ୍ତି, ତାହା ପ୍ରତ୍ୟାହାର କରିବାକୁ ଓ ଯେଉଁ ବ୍ୟକ୍ତି ଓଡ଼ିଆ ଭାଷାରେ କାର୍ଯ୍ୟାଳୟ କାମ ନକରିବ, ତାକୁ ରାଜ୍ୟଦ୍ରୋହୀ ଅର୍ଥାତ୍ ଦେଶଦ୍ରୋହୀ ଘୋଷଣକରି ତଦନୁଯାୟୀ ନିର୍ଦ୍ଧାରିତ ଦଣ୍ଡ ବିଧାନ ପାଇଁ ଆଇନ ପ୍ରଣୟନ କରିବାକୁ ସେ ବିଧାନସଭାର ଆଗାମୀ ଅଧିବେଶନରେ ପ୍ରସ୍ତାବ ଦେଇ ତଦ୍ଦୃପ ଆଇନ ପ୍ରବର୍ତ୍ତନ କରିପାରିବେ ।

ନିର୍ବାଚନ ଜିଣାରେ ଉଲ୍ଲସିତ ନହୋଇ ନବୀନ ଏହି ଋଣ ପରିଶୋଧ କାମ ଯେତେଶୀଘ୍ର କରିବେ, ସେତେ ଭଲ ।

ତୋର ପ୍ରାଣବିନ୍ଦୁ ମିଶାଇ ଦେ ଭାଇ ଡେଇଁ ପଡ଼ି ସିନ୍ଧୁ ନୀରେ

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ରାତି ସରନ୍ତି ଭାଗରେ ପ୍ରବେଶ କରିଥିଲା, ବଦଳିଯାଇଥିଲା କ୍ୟାଲେଣ୍ଡରର ତାରିଖ ଫେବ୍ରୁୟାରୀ ୪କୁ । କୁଳବୃଦ୍ଧ ମଧୁସୂଦନ ଆଖି ବୁଜିଥିଲେ । ଓଡ଼ିଆ ଜାତିର ଭାଗ୍ୟାକାଶ ଠେଲି ହୋଇଯାଇଥିଲା ଅସରନ୍ତି ଅନ୍ଧକାର ଭିତରକୁ । ସେହି ଅନ୍ଧକାର ଆଜି ବି ସରିନି, ଅଧିକ ଘଞ୍ଚ ହୋଇଛି । ତା କବଳରୁ ଆମ ଜାତିକୁ ଉଦ୍ଧାର କରି ମଧୁବାବୁଙ୍କ ଅପୂର୍ଣ୍ଣ ସ୍ବପ୍ନକୁ ସମ୍ପୂର୍ଣ୍ଣ କରିବାକୁ ଆମେ ଆମ ଭାଷାରେ ଆମ ରାଜ୍ୟର ପରିଚାଳନା ପାଇଁ ସଂଗ୍ରାମ ରତ; କିନ୍ତୁ ଆମ ରାଜ୍ୟ ଏପରି ଜଣେ ମୁଖ୍ୟମନ୍ତ୍ରୀଙ୍କ କବଳରେ ପଡିଛି, ଯିଏ ତାଙ୍କ ବାପାଙ୍କ ମତଲବକୁ ଚରିତାର୍ଥ କରିବା ପାଇଁ ଆମ ଭାଷା ବିରୁଦ୍ଧରେ ବିଧାନସଭାରେ ଜାଲିଆତି ବି ପ୍ରୟୋଗ କରିଛନ୍ତି । ଓଡ଼ିଆ ଜାତିର ଭାଗ୍ୟାକାଶରେ ଜମିରହିଥିବା ଅନ୍ଧକାରକୁ ଅଧିକ ଭୟଙ୍କର ଭାବେ ଘଞ୍ଚ ହୋଇଉଠିଛି ।

ଏହି ଦାରୁଣ ଦୁର୍ବିପାକ କବଳରେ ଆମେ ଆମ ପରିଚୟ ହରାଇବାକୁ ବସିଥିବା ବେଳେ, ଆମ ଭାଷାର ଲାଭଜନକ ଉପଯୋଗ କରି ନିଜ ନିଜ ପାଇଁ ପୁସ୍ତକୀୟ ଆୟ, ଲେଖକୀୟ ପରିଚୟ, ଅଖିଝଲସା ସମ୍ମାନ ସଂଗ୍ରହ କରୁଥିବା ଭାଷାଜୀବୀମାନେ ମୁହୂର୍ତ୍ତକପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ କେବେ କହିନାହାନ୍ତି ମଧୁବାବୁଙ୍କ ଜୀବନବ୍ୟାପୀ ତପସ୍ୟାକୁ ବ୍ୟର୍ଥ କରିବା ପାଇଁ ସେ ଯେଉଁ ଷଡ଼ଯନ୍ତ୍ର ଚଲାଇଛନ୍ତି, ତହିଁରୁ ନିବୃତ୍ତ ହେବା ପାଇଁ । ଯେଉଁ ଓଡ଼ିଆମାନେ ସରସ୍ଵତୀ ସମ୍ମାନ, ଜ୍ଞାନପୀଠ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡ଼େମୀ ସମ୍ମାନ, ରାଜ୍ୟ ସାହିତ୍ୟ ଏକାଡ଼େମୀ ସମ୍ମାନ, ସାରଳା ସମ୍ମାନ ଆଦି ସମ୍ମାନ ସାଉଁଟିଛନ୍ତି, ସାହିତ୍ୟସେବା ଆଳରେ ବିଭିନ୍ନ ବିଶ୍ଵବିଦ୍ୟାଳୟରୁ ବିନା ଗବେଷଣାରେ ସମ୍ମାନଜନକ ଡକ୍ଟରେଟ ହାସଲ କରିଛନ୍ତି, ବିଭିନ୍ନ କିସମର ପଦ୍ମ ସମ୍ମାନରେ ବିଭୂଷିତ ହୋଇଛନ୍ତି , ସେ ସମସ୍ତେ ଓଡ଼ିଆ ଭାଷା କରୁଣାରୁ ସେ ସବୁ ଅର୍ଜନ କରିଛନ୍ତି । ଅଥଚ, ଓଡ଼ିଆ ଜାତିକୁ ଭାଷା ଅଧିକାର ମିଳୁନି; ସେମାନଙ୍କ ପାଟି ଫିଟୁନି ! ଆମ ଭାଷାଜୀବୀ ସାହିତ୍ୟିକମାନେ ଭାବୁଛନ୍ତି ଯେ, ସେମାନଙ୍କ ପରିସୃଷ୍ଟ ସାହିତ୍ୟ ହେତୁ ଓଡ଼ିଆ ଭାଷା ପରିପୁଷ୍ଟ ହେଉଛି । ମାତ୍ର ସେମାନେ ସ୍ଵୀକାର କରିବା ଆବଶ୍ୟକ ଯେ, ସେମାନଙ୍କୁ ସାହିତ୍ୟିକ ଭାବେ ଝଲସିବାର ଓ ଏତେ ସବୁ ସମ୍ମାନ, ଉପାଧି, ଅର୍ଥ ଅର୍ଜିବାର ପରିସର ଯିଏ ଦେଇଛି, ତାହା କେବଳ ଓଡ଼ିଆ ଭାଷା । ସାହିତ୍ୟ ଆମ ସହଜାତ ନୁହେଁ, ଭାଷା ଆମ ସହଜାତ । ଭାଷାର ସ୍ଵାର୍ଥକୈନ୍ଦ୍ରିକ ଉପଯୋଗ ଦ୍ଵାରା ସାହିତ୍ୟ ସୃଷ୍ତିହୁଏ , କିନ୍ତୁ ଯେଉଁ ଭାଷା କାମର ଭାଷା ନହୁଏ ସେ ଭାଷା ମରିଯାଏ , ଯେମିତି ମରିଯାଇଛି ବିପୁଳ ସାହିତ୍ୟ ସତ୍ତ୍ୱେ ପାଳି, ମରିଯାଇଛି ସଂସ୍କୃତ ।

ଓଡ଼ିଆ ଭାଷା ହିଁ ଆମ ପରିଚୟ । ଆମ ଭାଷା ଓଡ଼ିଆ ବୋଲି ଆମେ ଓଡ଼ିଆ । ବଙ୍ଗଳା ଯଦି ଆମ ଭାଷା ହୋଇଥାନ୍ତା, ଆମେ ହୋଇଥାନ୍ତେ ବଙ୍ଗାଳୀ ; ତେଲୁଗୁ ଯଦି ଆମ ଭାଷା ହୋଇଥାନ୍ତା, ଆମେ ହୋଇଥାନ୍ତେ ତେଲେଙ୍ଗା । ଆମ ଭାଷାଜୀବୀ ସାହିତ୍ୟିକମାନେ ଏହା ବୁଝିବା ଉଚିତ । ସେଥିପାଇଁ, ସେମାନେ ଓଡ଼ିଆବିଦ୍ଵେଷୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ସ୍ଵର ତୋଳିବା ଉଚିତ । ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ଆମ ଭାଷା ଆଇନର ସଂଶୋଧନ ପାଇଁ ମୁଁ ଦେଇଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ କହିବା ଉଚିତ ଓ କଳାପତାକା ଅଭିଯାନରେ ଝାସ ଦେବା ଉଚିତ ।

ଓଡ଼ିଆ ଭାଷା ଭିତ୍ତିରେ ଓଡ଼ିଶା ପ୍ରଦେଶର ରୂପାଯନ ପାଇଁ ମଧୁବାବୁ ଯେଉଁ ଆନ୍ଦୋଳନ କରିଥିଲେ ତାହା ଯେପରି ବିଷୟନିଷ୍ଠ, ଅଥଚ ଆଇନ ସମ୍ମତ ଥିଲା, ଠିକ ସେହି ଢାଞ୍ଚାରେ ମୁଁ ଏହି ଆନ୍ଦୋଳନ ଗଢିଛି । କୌଣସି ଆଇନ ଉଲ୍ଲଂଘନ ନକରି ଆଇନଅମାନ୍ୟକାରୀ ସରକାରକୁ ଆମ ଭାଷା ଆଇନର ଉଲ୍ଲଙ୍ଘନକାରୀକୁ ଦଣ୍ଡବିଧାନ ପାଇଁ ଓ ଓଡ଼ିଆ ଭାଷାକୁ ସର୍ବତୋଭାବେ ଓଡ଼ିଶାର କାର୍ଯ୍ୟଭାଷା କରିବା ପାଇଁ କିପରି ବାଧ୍ୟ କରାଯାଇପାରେ ଏହା ତାହାର ଉତ୍କୃଷ୍ଟତମ ପରୀକ୍ଷଣ । ଆମ ସାହିତ୍ୟିକମାନେ କେବଳ ଭାଷାଜୀବୀ ନୁହନ୍ତି , ସେମାନେ ଭାଷାପ୍ରେମୀ ମଧ୍ୟ, ଏହା ସରକାରଙ୍କୁ ଓ ସାରା ବିଶ୍ଵକୁ ଜଣାଇଦେବା ପାଇଁ ସେମାନେ ସମସ୍ତ କୁଣ୍ଠା ବିସର୍ଜନ କରି କଳାପତାକା ଅଭିଯାନକୁ ଆସନ୍ତୁ ।

ଓଡ଼ିଆ ଭାଷାକୁ ଓଡ଼ିଆ ଜାତିର କାର୍ଯ୍ୟଭାଷା କରିବା ପାଇଁ ଏକ ଭାଷା ଭିତ୍ତିକ ପ୍ରଦେଶ ଭାବେ ଓଡ଼ିଶାର ପରିକଳ୍ପନା କରି ତାହାର ରୂପାଯନ ପାଇଁ ମଧୁବାବୁ ଯେଉଁ ଉତ୍କଳ ସମ୍ମିଳନୀ ଗଢିଥିଲେ, ତହିଁରେ ଯୋଗଦେବାକୁ ସବୁ ଓଡ଼ିଆଙ୍କୁ ଆହ୍ଵାନ ଦେଇ ସେ କହିଥିଲେ –“ଏହି ସମ୍ମିଳନୀ ଜାତିପ୍ରାଣସିନ୍ଧୁ କୋଟି ପ୍ରାଣବିନ୍ଦୁ ଧରେ, ତୋର ପ୍ରାଣବିନ୍ଦୁ ମିଶାଇ ଦେ ଭାଇ ଡେଇଁ ପଡ଼ି ସିନ୍ଧୁ ନୀରେ ।‘

କଳାପତାକା ଅଭିଯାନ ଏହିପରି ଓଡ଼ିଆ ଜାତିର ଆତ୍ମାର ଅଭିଯାନ । ଏଥିରେ ଝାସ ଦେଇ ଆମ ସାହିତ୍ୟିକମାନେ ନିଜ ଭାଷାଜନନୀଙ୍କୁ ସରକାରୀ ଷଡ଼ଯନ୍ତ୍ର କବଳରୁ ରକ୍ଷା କରିବାକୁ ଉଦ୍ୟମ କରନ୍ତୁ ।

ଏହି କଥା କହି, ଭାଷାପ୍ରେମୀ ଓଡ଼ିଆ ଜାତି ପକ୍ଷରୁ ମୁଁ ମଧୁବାବୁଙ୍କୁ ଆଭୂମ ପ୍ରଣାମ ଜଣାଉଛି ।

ନିଦ ଭାଙ୍ଗ ଓଡ଼ିଆ ଜାତି, ଫକିର ମୋହନଙ୍କୁ ମୁଣ୍ଡିଆ ମାର

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

[ଗତବର୍ଷ ଏଇ ଦିନେ, ୧୪.୧.୨୦୨୧ ତାରିଖରେ ଏହି ଲେଖାଟି ଫେସବୁକରେ ରଖିଥିଲି । ଆଜି ଏଠାରେ ତାହା ପ୍ରକାଶ କରୁଛି । ଇଂରେଜୀପଢୁଆମାନଙ୍କ ଦୌରାତ୍ମରୁ ଆମ ଜାତିକୁ ରକ୍ଷା କରିବା ପାଇଁ ଚାଲିଥିବା କଳାପତାକା ଅଭିଯାନ ଆଜି ୩୦୦୦ ଦିନରେ ପହଞ୍ଚିଲା ।]

ଆମ ଭାଷାର ଶାଶ୍ଵତ ପଥଦର୍ଶୀ ଫକୀରମୋହନ ଗପ ଲେଖିବା ପାଇଁ ‘ଡାକ ମୁନ୍ସୀ’ ଗପଟି ଲେଖିନଥିଲେ । ଲେଖିଥିଲେ ଇଂରେଜୀପଢୁଆଙ୍କ ଦୌରାତ୍ମରୁ କିପରି ଆମ ଜାତି ବର୍ତ୍ତିବା ଆବଶ୍ୟକ , ତା ପାଇଁ ଦେବାକୁ ଆମକୁ ଆବଶ୍ୟକୀୟ ଚେତନା ।

ନିଜର ଗୋଟିକମାତ୍ର ପୁଅକୁ ଇଂରାଜୀ ପଢାଇ ହାକିମ କରିବା ସ୍ଵପ୍ନ ଦେଖି ହରି ସିଂହ ନାମକ ଡାକ ପିଅନଟିଏ ଯେଉଁ କଷ୍ଟ ସହିଥିଲା ତାହାର ବର୍ଣ୍ଣନା କରି ଫକିର ମୋହନ ଲେଖିଥିଲେ, ପୁଅ ଗୋପାଳ ହାକିମ ହୋଇଗଲା ପରେ ତା ହାବଭାବ ବଦଳିଗଲା । ତାଙ୍କ ଭାଷାରେ –

“ଏଣିକି ଗୋପାଳବାବୁଙ୍କର ଭାବ କିଛି କିଛି ବଦଳି ଗଲାଣି । ଏବେ ବାପକୁ ଦେଖିଲେ ମିଛଟାରେ ରଗ ରଗ ସିଁ ସିଁ ହୁଅନ୍ତି । ଏଟା ମୁର୍ଖ, ଇଂରେଜୀ ଜାଣେନାହିଁ – ମୂଲିଆ – ମଳିଆ ଲୁଗା ପିନ୍ଧିଥାଏ । ଏଟାକୁ ବାପ ବୋଲି ଡାକିବି, ଲୋକେ କଣ କହିବେ ! ସେଦିନ ଶିକ୍ଷିତା କେତେ ଜଣ ସ୍ତ୍ରୀଲୋକ ସେମିଜ ପିନ୍ଧି , ପୋଷାକ ପିନ୍ଧି ଠିଆ ହୋଇଥିଲେ – ବୁଢାଟା ଦିହରେ କୁରୁତା ନାହିଁ , ସେମାନଙ୍କ ଆଗ ଦେଇ ଚାଲିଗଲା । କି ଲଜ୍ଜା ! କି ଲଜ୍ଜା ! ଏଟାକୁ ବସାରୁ ନ ତଡ଼ିଲେ ଆଉ ଇଜ୍ଜତ ରହିବ ନାହିଁ ।
ଦିନେ ଡାକ ମୁନ୍ସୀ ବାବୁ ବାପକୁ କହିଦେଲେ , “ଦେଖ, ତୁମେ ମୋର କିଛି ଉପକାର କରିନାହଁ , ଇଚ୍ଛା ହେଲେ ବସାରେ ରହ, ନୋହିଲେ ଚାଲିଯାଅ । ଆଉ ଦେଖ, ବାବୁମାନେ ଆମ ଦୁଆରକୁ ଆସିଲେ, ତୁମେ ଘରୁ ବାହାରିବ ନାହିଁ ।” ଗୋପାଳ କଥା ଶୁଣି ବୁଢାର କାନମୁଣ୍ଡା ଭାଁ ଭାଁ କଲା , ଗୁମ୍ ହୋଇ ବସି ପଡ଼ିଲା । କାହାକୁ କହିବ? ପୁଅ କଥା; ଅଜାଗା ଘା ଦେଖି ହୁଏନାହିଁ , ଦେଖେଇ ହୁଏନାହିଁ ।”

କିନ୍ତୁ ଇଂରେଜୀ ପଢୁଆ ପୁଅ କଣ ଏତିକିରେ ଅଟକିଥିଲେ?

ଡାକ ମୁନ୍ସୀ ବାବୁ ବନିଗଲା ଉତ୍ତାରୁ ବାବୁ ଗୋପାଳଙ୍କର ଏକ ମଫସଲ ଡାକଘରର ମୁଖ୍ୟ ପଦକୁ ବଦଳି ହେଲା । ବାବୁ ଚହଟ ଚିକ୍କଣ ହୋଇ ବାହାରିପଡ଼ିଲେ ନୂଆ ଦାୟିତ୍ଵ ନେବାକୁ । ବାପକୁ ହୁକୁମ ଦେଇଗଲେ ପୁରୁଣା ବସାରେ ଥିବା ସମସ୍ତ ଜିନିଷପତ୍ର ନିଜେ ମୁଣ୍ଡାଇ ନୂଆ ଠିକଣାରେ ପହଞ୍ଚାଇବା ପାଇଁ । କହିଦେଲେ ଯଦି ତା ନ ହୁଏ, ଯଦି ମୂଲିଆ କରି ସେ ଜିନିଷ ବୁହାନ୍ତି, ତେବେ ହରି ସିଂହ ସେ ମଜୁରି ପାଇଁ ନିଜେ ଦାୟୀ ହେବେ ।

ପୁଅକୁ ଇଂରେଜୀ ପଢେଇ ହାକିମ କରାଇଥିବା ବୁଢା ବାପ ଦୁର୍ବଳ ଶରୀର ସତ୍ତ୍ୱେ ମୁଣ୍ଡରେ ମୁଣ୍ଡାଇ ସେ ସବୁ ଜିନିଷ ନେଇ ପୁଅଙ୍କ ନୂଆ ବସାରେ ସଜାଡ଼ି ରଖିଲେ । ତା ପରେ କଣ ହେଲା ତାହା ଫକୀରମୋହନଙ୍କ ଭାଷାରେ ଜାଣନ୍ତୁ –

“ବୁଢା ଦେହରେ ମଫସଲ ପାଣି ଚଳିଲା ନାହିଁ । ଜର ହେଲେ ଖୁଁ ଖୁଁ କରି କାଶେ, ସେ କାଶଟା ରାତିକି ବେଶୀ ହୁଏ , ବାବୁ ଶୋଇବାରେ ହରକତ ହେଲେ । ପିଆନକୁ ଡାକି ହୁକୁମ ଦେଲେ, “ବୁଢାଟାକୁ କିଆବୁଦାରେ ଫୋପାଡ଼ିଦେଇ ଆସ ।”  ସେ ପିଅନଟା ମୁର୍ଖ ; ଇଂରେଜୀ ପଢି ନାହିଁ , ତାର ଗୋଟାଏ ଦେଶୀ ହୃଦୟ ଅଛି । ବିଚାର କଲା, “କଣ ଏ? ବୁଢା ରୋଗୀଟିକୁ କିଆବୁଦାରେ ଶୁଆଇଦେବି?” ଦିନେ ବୁଢାର ଭାରି ଜର , ତିନି ଦିନ ଖାଇନାହିଁ, ଅଧ ରାତି , ଅନ୍ଧାର, ଥଣ୍ଡା ପାଇ ବୁଢାର କାଶ ବଳି ପଡ଼ିଲା । ବାବୁ ତ ଭାରି ଖପା , ବୁଢା ଛାତିରେ ଦୁଇଟା ଇଂରାଜୀ ଘୁଷି ମାରିଲେ , ବିଛଣାପତ୍ର ବାହାରକୁ ଫୋପାଡ଼ିଦେଲେ । ବୁଢା ଗାଁକୁ ପଳାଇଲା ।”

ଆମ ଦେଶୀଇଂରାଜିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଗୋଲମପଲ ଆମ ଭବିଷ୍ୟ ପିଢିକୁ ଯୁଆଡିକୁ ଠେଲିନେବାରେ ଲାଗିଛନ୍ତି , ସିଆଡେ କେବଳ ଗୋପାଳିଆ ଘୁଷି ମିଳିବ, ମଣିଷ ମିଳିବେନି ।

ହୁସିଆର ହୁଅ ଓଡ଼ିଆ ଜାତି, ଫକୀର ମୋହନଙ୍କୁ ମୁଣ୍ଡିଆ ମାର ।