ଭାଷା ଆଇନ ଅମାନ୍ୟକାରୀକୁ ଦଣ୍ଡବିଧାନ ଆବଶ୍ୟକ: ପ୍ରଫେସର ବୀରେନ୍ଦ୍ର ନାୟକ

ସୂତ୍ର : ଆମ ଭାଷା ଆମ ଅଧିକାର

ସୁବିଖ୍ୟାତ ଗଣିତତତ୍ତ୍ଵବିତ୍ ତଥା ସାମାଜିକଚେତନାବିଶ୍ଳେଷକ ପ୍ରଫେସର ବୀରେନ୍ଦ୍ର ନାୟକ କହିଛନ୍ତି, ଓଡ଼ିଶା ପ୍ରଦେଶ ଓଡ଼ିଆ ଭାଷାରେ ପରିଚାଳିତ ନ ହେବା ଓଡ଼ିଆ ଜାତି ପ୍ରତି ଏପରି ଅସମ୍ମାନ, ଯହିଁରୁ ମୁକ୍ତିପାଇଁ ମନୀଷୀ ନବକୃଷ୍ଣ ଚୌଧୁରୀ ଦେଇଯାଇଥିବା ଭାଷା ଆଇନ ଅମାନ୍ୟକାରୀକୁ ଦଣ୍ଡବିଧାନ ଆବଶ୍ୟକ । ଆଇନଟିର ପ୍ରଣୟନ ବେଳେ ନବବାବୁ କହିଥିଲେ, “ଏଇ କାମଟି ଆମେ ସ୍ଵାଧୀନତା ପରେ ପରେ ହାତକୁ ନେଇଥିଲେ ତାହା ବହୁ ଉତ୍ସାହ ସୃଷ୍ଟି କରିଥାନ୍ତା, ଲୋକେ ବୀ ସ୍ଵାଧୀନତାର ସ୍ଵାଦ ପାଇଥାନ୍ତେ ।” ଆଇନଟିକୁ କାର୍ଯ୍ୟକାରୀ କରା ନଯାଇ ଆମ ଲୋକଙ୍କୁ ସ୍ଵାଧୀନତାର ସ୍ଵାଦ ପାଇବାରୁ ଏଯାଏଁ ବଞ୍ଚିତ କରାଯାଇଛି ବୋଲି କହିଥିଲେ ପ୍ରଫେସର ନାୟକ “ମନୀଷୀ ନବକୃଷ୍ଣ ଓ ଓଡ଼ିଶା ଭାଷା ଆଇନ” ଶୀର୍ଷକ ବିଷୟରେ ।

ଓଡ଼ିଆରେ ଓଡ଼ିଶା ପାଇଁ ଚାଲିଥିବା କଳାପତାକା ଅଭିଯାନର ୧୬୯୯ତମ ଦିବସରେ ଭାଷା ଆନ୍ଦୋଳନର ବୌଦ୍ଧିକ ମଞ୍ଚ ଫେସବୁକ ଅନ୍ତର୍ଗତ ‘ଭାଷା ମା ପାଇଁ ପଦେ’ ପୃଷ୍ଠାରୁ ଡିସେମ୍ବର ୭ ତାରିଖରେ ସିଧା ପ୍ରସାରିତ ଅଭିଭାଷଣରେ ପ୍ରଫେସର ନାୟକ ଭାଷା ଆଇନ ପଛରେ ନିହିତ ଦର୍ଶନ ଉପରେ ଗୁରୁତ୍ଵାରୋପ କରିଥିଲେ । ଦେଶର ସ୍ଵାଧୀନତା ଆଣିଦେଇଥିବା ଗଣତନ୍ତ୍ରକୁ ସାର୍ଥକ କରିବା ପାଇଁ ସାଧାରଣ ଲୋକେ ସକ୍ଷମ ହେବା ସର୍ବାଦୌ ଆବଶ୍ୟକ । ଏଥିପାଇଁ ନିଜ ଭାଷାରେ ସେମାନେ ଶାସନର ତଥ୍ୟ ଜାଣିବା ଆବଶ୍ୟକ ଓ ମତ ପ୍ରକାଶ କରିବା ଆବଶ୍ୟକ । ଏହା ହିଁ ସ୍ଵାଧୀନତାର ସ୍ଵାଦ ହାସଲପାଇଁ ସେମାନଙ୍କୁ ଶକ୍ତି ଯୋଗାଇବ । ଓଡ଼ିଶାର ସାଧାରଣ ଲୋକଙ୍କୁ ଏହି ଶକ୍ତି ପ୍ରଦାନ ପାଇଁ ନବବାବୁ ଭାଷା ଆଇନ ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲେ । ଭାଷା ଆଇନରେ ନିହିତ ଏହି ଦର୍ଶନରୁ ଦୂରେଇ ଯାଇ ଓଡ଼ିଶା ସରକାର ଯେପରି ଖଇରାତି ଯୋଜନମାନ ଚଳାଇଛନ୍ତି ପ୍ରଫେସର ନାୟକ ତହିଁରେ ଘୋର ଉଦ୍ବେଗ ପ୍ରକାଶ କରିଥିଲେ ।

ସେ କହିଥିଲେ, ଶାସକବର୍ଗ ଲୋକଙ୍କ ଉପରେ ନିଜ ଭାଷା ନଡିବା ବିରୁଦ୍ଧରେ ମନୀଷୀ ନବକୃଷ୍ଣ ଥିଲେ ବିଦ୍ରୋହର ପ୍ରଥମ ଓ ବେସାଲିସ୍ ସ୍ଵର । ଯେଉଁ ୧୯୩୫ ଭାରତ ଆଇନ ବଳରେ ନିଜ ଭାଷା ଭିତ୍ତିରେ ଓଡ଼ିଶା ଏକ ସ୍ଵତନ୍ତ୍ର ପ୍ରଦେଶ ଭାବେ ଅବତୀର୍ଣ୍ଣ ହେଲା, ସେହି ଆଇନର ଧାରା ୩୯ରେ ଥିଲା, ତଦ୍ଦ୍ଵାରା ଗଠିତ ଭାରତ ଓ ପ୍ରାଦେଶିକ ପ୍ରତିନିଧିସଭାରେ ବିତର୍କର ଭାଷା ହେବ ଇଂରାଜୀ; ଯିଏ ଇଂରାଜୀ ନଜାଣିଥିବେ, କେବଳ ସେ ହିଁ ସ୍ଵତନ୍ତ୍ର ଅନୁମତି ନେଇ ତାଙ୍କ ମାତୃଭାଷାରେ କହିପାରିବେ । ନବବାବୁ ଏହି ବ୍ୟବସ୍ଥା ବିରୁଦ୍ଧରେ ବିଦ୍ରୋହ କରି ନିଜ ଭାଷା ଓଡ଼ିଆରେ ପ୍ରତିନିଧି ସଭାରେ ନିଜ ବକ୍ତବ୍ୟ ରଖୁଥିଲେ । ଏକ ଦୃଷ୍ଟାନ୍ତ ଦେବାକୁ ଯାଇ ପ୍ରଫେସର ନାୟକ କହିଥିଲେ, ୨୮.୧.୧୯୩୮ ତାରିଖରେ Orissa Moneylenders Bill 1937 ଉପରେ ନବବାବୁ ତାଙ୍କ ଚିରାଚରିତ ଶୈଳୀରେ ଯେତେବେଳେ ଓଡ଼ିଆରେ ନିଜ ବୟାନ ରଖୁଥିଲେ ବିରୋଧୀ ଦଳର ମହାନ୍ ସଦସ୍ୟ ମୌଲବୀ ଲତିଫୁର ରହମାନ୍ ବାଚସ୍ପତିଙ୍କୁ ପଚାରିଥିଲେ – ଯେହେତୁ ତାଙ୍କୁ ଇଂରାଜୀ ଜଣା, ସେହେତୁ ସେ ଓଡ଼ିଆରେ ବକ୍ତବ୍ୟ ରାଖୀ ପାରିବେ କି? ବାଚସ୍ପତି ତୁରନ୍ତ ଉତ୍ତର ଦେଇଥିଲେ – ସେ କେତେବେଳେ ହେଲେ ଇଂରାଜୀରେ କହିନାହାନ୍ତି । ସବୁବେଳେ ଓଡ଼ିଆରେ କହିବା ଥିଲା ୧୯୩୫ ଆଇନର ଧାରା ୩୯ ପ୍ରତି ନବବାବୁଙ୍କ ବିଦ୍ରୋହର ଆହ୍ଵାନ । ଏହି ଆହ୍ଵାନ ଉପରଠାଉରିଆ ନଥିଲା , ଥିଲା ମଜ୍ଜାଗତ ବୋଲି ଦର୍ଶାଇ ପ୍ରଫେସର ନାୟକ ୧୯୫୧ ଫେବୃୟାରୀ ୨୧ ତାରିଖରେ ଏ କିପରି ଓଡ଼ିଆରେ ବଜେଟ ଉପସ୍ଥାପନ କରିଥିଲେ ତହିଁର ଅବତାରଣା କରିଥିଲେ ଅନ୍ୟ ଏକ ଦୃଷ୍ଟାନ୍ତ ଭାବେ । ଗୋଟିଏ ନିର୍ଦ୍ଦିଷ୍ଟ ଭାଷାଭାଷୀ ଜନସମୁଦାୟ ଉପରେ କ୍ଷମତା ବଳରେ ଅନ୍ୟ ଏକ ଭାଷା ନଦିଦିଆଯିବା ବିରୁଦ୍ଦରେ ମାତୃଭାଷାର ପ୍ରୟୋଗକୁ ପ୍ରତିବାଦର ଅସ୍ତ୍ର ଭାବେ ବ୍ୟବହାର କରୁଥିଲେ ମନୀଷୀ ନବକୃଷ୍ଣ ବୋଲି କହିଥିଲେ ପ୍ରଫେସର ନାୟକ , ଯେ କି ଏକ ସାକ୍ଷାତ୍କାରରେଏକଦା ତାଙ୍କୁ ପଚାରିଥିଲେ, “ଆପଣଙ୍କ ଶାସନ କାଳରେ ବି ଭାଷା ଆଇନ କାର୍ଯ୍ୟକ୍ଷମ ହୋଇପାରି ନଥିବାର କାରଣ କଣ?” ତାଙ୍କ ଉତ୍ତର ଥିଲା, “ତଳୁ ଲୋକମାନେ ଚାପ ଦେଲେନାହିଁ ।”

ପ୍ରଫେସର ନାୟକ କହିଲେ, ଏହି ଚାପ ପକାଇଚାଲିଛି ଭାଷା ଆନ୍ଦୋଳନ ଓ ଏଥିପାଇଁ ସେ ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଓ ତାଙ୍କ ସାଥିମାନଙ୍କୁ ସାଧୁବାଦ ଦେଇଥିଲେ ।

ତାଙ୍କ ଆଲୋକବର୍ଷୀ ଭାଷଣ ଓଡ଼ିଶାର ସାଂପ୍ରତିକ ସାହିତ୍ୟ ଜ୍ୟୋତିଷ୍କମାନଙ୍କ ପ୍ରତି କଟାକ୍ଷପାତ କରିଥିଲା । ସେ କହିଥିଲେ, ନବବାବୁଙ୍କ ସମୟରେ ମଧ୍ୟ ଓଡ଼ିଆରେ କାମ କରିବାକୁ ଅମଲାମାନେ ଅମଙ୍ଗ ଥିଲେ, କାରଣ ଇଂରାଜୀ ଶାସନ କବଳରୁ ମୁକ୍ତ ଭାରତର ଗଣତନ୍ତ୍ର ଶିଶୁ ଅବସ୍ଥାରେ ଥିଲା ଓ ପ୍ରଶାସନରେ ଇଂରାଜୀ ଭାଷା ବ୍ୟବହାର ସେମାନଙ୍କ ଅଭ୍ୟାସଗତ ହୋଇରହିଥିଲା । ମାତ୍ର ଓଡ଼ିଆ ଭାଷାରେ ସାହିତ୍ୟ ରଚନା କରି ପୁରସ୍କାର ପାଉଥିବା ଓଡ଼ିଆମାନେ କ୍ଷମତାରେ ଥିବା ବେଳେ ଓଡ଼ିଆରେ ନଥିକାମ କାହିଁକି କଲେନାହିଁ ? ଯଦି ସରକାରରେ ଥିବା ଓଡ଼ିଆମାନେ ସ୍ଵତଃସ୍ଫୁର୍ତ୍ତ ଭାବେ ଓଡ଼ିଆରେ ସରକାରୀ କାମ କରିଥାନ୍ତେ, ତେବେ ଆଜି ଭାଷା ଆନ୍ଦୋଳନର ଆବଶ୍ୟକତା ପଡ଼ିନଥାନ୍ତା । ଏହି ଆନ୍ଦୋଳନ ନବବାବୁଙ୍କ ସ୍ମୃତିକୁ ବଞ୍ଚାଇରଖିବା ପାଇଁ ଏକ ନିଷ୍ଠାପର ଉଦ୍ୟମ ବୋଲି କହିଥିଲେ ପ୍ରଫେସର ନାୟକ ।

ଯେଉଁଭାବେ ରାଜ୍ୟ ଚାଲିଛି ତାହା ଓଡ଼ିଆ ଭାଷା ପ୍ରତି ବିପଦ ଟାଣିଆଣୁଛି । ଓଡ଼ିଆ ଭାଷାଶିକ୍ଷା ସଙ୍କଟର ସମ୍ମୁଖୀନ ହୋଇଥିବା ବେଳେ, ସରକାର ରାଜ୍ୟ ସାରା ମୁଖ୍ୟ ସ୍ଥାନମାନଙ୍କରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିଛନ୍ତି ଓ କରୁଛନ୍ତି । ସେଗୁଡ଼ିକର ଶିକ୍ଷାମଧ୍ୟମ ଇଂରାଜୀ । ଅତଏବ, ଓଡ଼ିଆ ଭାଷା ନୁହଁ , ଇଂରାଜୀ ହିଁ ଆଦର୍ଶ ବୋଲି ଓଡ଼ିଆ ଲୋକଙ୍କ ମନରେ ଧାରଣା ଭର୍ତ୍ତି କରୁଛନ୍ତି ରାଜ୍ୟ ସରକାର । ଏହି ବିଡମ୍ବନା, ନବବାବୁଙ୍କ ଭାଷାରେ, ସ୍ଵାଧୀନତାର ସ୍ଵାଦପ୍ରାପ୍ତିର ପରିପନ୍ଥୀ ବୋଲି କହିଥିଲେ ପ୍ରଫେସର ନାୟକ ।

ଭାଷାପ୍ରାଣ ଚାର୍ଟାର୍ଡ ଅକଉଣ୍ଟାଣ୍ଟ ରଞ୍ଜନ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳିତ କରିଥିଲେ ।

ଫୁଲବାଣୀରେ ଆଲୋଚନାଚକ୍ର: ମନୀଷୀ ନବକୃଷ୍ଣ ଚୌଧୁରୀ ଓ ଓଡ଼ିଆ ଭାଷା

ବିଶେଷ ସଂବାଦଦାତା

ଫୁଲବାଣୀ, ୨୩.୧୧.୨୦୧୯
ମିଳିତ ନାଗରିକ କମିଟି ପକ୍ଷରୁ ମନୀଷୀ ନବକୃଷ୍ଣ ଚୌଧୁରୀଙ୍କ ୧୧୯ତମ ଶୁଭ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ତାଙ୍କ ପ୍ରଦତ୍ତ ଓଡ଼ିଶା ସରକାରୀ ଭାଷା ଆଇନକୁ ଓଡ଼ିଶାର ପରିଚାଳନାରେ ଅଲଙ୍ଘ୍ୟ କରିବା ପାଇଁ ତୁରନ୍ତ ଆବଶ୍ୟକୀୟ ପ୍ରଶାସନିକ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାରଙ୍କୁ ଆହ୍ଵାନ ଦିଆଯାଇଛି ।

ଫୁଲବାଣୀ ପ୍ରେସ୍ କ୍ଲବ୍ ପ୍ରେକ୍ଷାଳୟରେ ଡଃ ଅରୂପ କୁମାର ଜେନାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଜନ୍ମୋତ୍ସବ ସମ୍ମିଳନୀରେ ଆବାହକ ଅଶୋକ ପରିଡ଼ା ବିଷୟ ଉପସ୍ଥାପନ କରିଥିବା ବେଳେ, ବକ୍ତା ଭାବରେ ଯୋଗ ଦେଇଥିଲେ ବୌଦ୍ଧ ଆଦର୍ଶ ମହାବିଦ୍ୟାଳୟର ଅଧ୍ୟକ୍ଷ ବୈକୁଣ୍ଠ ନାଥ ସ୍ୱାଇଁ, ଫିରିଙ୍ଗିଆ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଚିତ୍ତରଞ୍ଜନ ମିଶ୍ର,ଅବସରପ୍ରାପ୍ତ କମାଣ୍ଡାଣ୍ଟ ନବୀନ କିଶୋର ପଣ୍ଡା, ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟନାୟକ, ଅବସରପ୍ରାପ୍ତ ଶିକ୍ଷକ ନବ କିଶୋର ରଥ,କର୍ମଚାରୀ ସଂଗ୍ରାମ ସମିତିର ସଭାପତି ବ୍ରଜକିଶୋର ପଟ୍ଟନାୟକ, ସେଛାସେବୀ ଅନୁଷ୍ଠାନ ‘ସ୍ୱାତୀ’ର ହରିଶଙ୍କର ରାଉତ । ଏମାନଙ୍କ ସମେତ ବରିଷ୍ଠ ନାଗରିକ ନାରାୟଣ ସାହୁ, ପ୍ରଶନକୁମାର ସାହାଣୀ, ବିଜୟ ମହାନ୍ତି, ରାଜ କିଶୋର ବେହେରା, ବୈଦ୍ୟନାଥ ଖଟୁଆ, ମନୋଜ ଚୌଧୁରୀ, ଉମେଶ ପାତ୍ର,ଏଲ ତ୍ରିନାଥ ପାତ୍ର,ଦୁର୍ବାସା ସେଠି,ପ୍ରମୋଦ ସାହୁ ପ୍ରମୁଖ ମନୀଷି ନବକୃଷ୍ଣ ଚୌଧୁରୀଙ୍କ ଗୌରବମୟ ଜୀବନଗାଥା ଉପସ୍ଥାପନ କରିଥିଲେ ।

ଓଡ଼ିଆ ଭାଷାକୁ ସରକାରୀ ଭାଷା ଭାବେ ଅଲଙ୍ଘ୍ୟ କରିବାକୁ ଚାଲିଥିବା ନିଶବ୍ଦ କଳାପତାକା ଅଭିଯାନ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ବିଦ୍ଵେଷୀତା ବିରୁଦ୍ଧରେ ଜନ ଆନ୍ଦୋଳନରେ ପରିଣତ ହେବ ବୋଲି ଭବିଷ୍ୟ ବାଣୀ ଦେଇ ଆବାହକ ଶ୍ରୀ ପରିଡ଼ା ଓଡ଼ିଆ ଭାଷା ଅସ୍ମିତା ପ୍ରତି ଏବଂ ଭାଷା ଭିତ୍ତିକ ରାଜ୍ୟ ଗଠନ ପ୍ରତି କନ୍ଧମାଳର ଉଜ୍ଜ୍ଵଳ ଅବଦାନର ଉଲ୍ଲେଖ କରିଥିଲେ ।

ଭାଷା ଅସ୍ମିତାକୁ କନ୍ଧମାଳର ଅବଦାନ 

କନ୍ଧମାଳ ଦାରିଙ୍ଗବାଡିର କାଟିଙ୍ଗିଆ ରାଜା ଭେଙ୍କେଟଶ୍ୱର ଦେଓଙ୍କ ତପ୍ପରତା ହେତୁ ୧୮୭୦ ସେପ୍ଟେମ୍ବର ୧୧ରେ ଘୁମୁସର ରସୁଲକୋଣ୍ଡାଠାରେ ଗଞ୍ଜାମ ଅଞ୍ଚଳର ପ୍ରଜାମାନଙ୍କର ଭାଷା ସପକ୍ଷବାଦୀ ପ୍ରସ୍ତାବ ପରେ ପରେ କିପରି ଜିଲ୍ଲା ଅନ୍ତର୍ଗତ ରାଜାମାନଙ୍କୁ ନେଇ ଏକ ବୈଠକରେ ତଦ୍ଦୃପ ନିଷ୍ପତ୍ତି ନିଆ ହୋଇ ଓଡ଼ିଆ ଭାଷାକୁ ପ୍ରଶାସନର ଭାଷା କରିବା ପାଇଁ ଦାବି ଦୃଢୀଭୂତ ହୋଇଥିଲା ତାହା ଆଲୋଚିତ ହୋଇଥିଲା । କାଟିଙ୍ଗିଆ ରାଜା ସେହି ପ୍ରସ୍ତାବକୁ ଏକ ସ୍ମାରକ ପତ୍ର ଭାବେ ଇଂଲଣ୍ଡକୁ ପଠାଇ ବିଲାତି ସରକାରଙ୍କ ମନରେ ଓଡ଼ିଆ ଭାଷାର ପ୍ରଶାସନିକ ଗୁରୁତ୍ଵ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ ଓ ସେହି ଐତିହାସିକ ପଦକ୍ଷେପ ପରବର୍ତ୍ତୀ କାଳରେ ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନକୁ ମଜବୁତ ହେବାରେ ସାହାଯ୍ୟ କରିଥିଲା । ତେଣୁ, ଭାଷା ଜାତୀୟତାର ଆଦ୍ୟ ଆଧାରଶୀଳା ଏହି କନ୍ଧମାଳ ଜିଲ୍ଲାରେ ଆମ ଭାଷାରେ ଆମ ଶାସନ ପାଇଁ ମନୀଷୀ ନବକୃଷ୍ଣ ଚୌଧୁରୀ ପ୍ରଦାନ କରିଥିବା ଭାଷା ଆଇନର ସଶକ୍ତିକରଣ ପାଇଁ ଯେଉଁ ଆନ୍ଦୋଳନ ଚାଲିଛି ତାହାର ସମ୍ପୂର୍ଣ ସଫଳତା ପାଇଁ କନ୍ଧମାଳ ସର୍ବବିଧ ସହଯୋଗ କରିବ ବୋଲି ମତ ପ୍ରକାଶ ପାଇଥିଲା ।

ତ୍ୟାଗ ଓ ଆଦର୍ଶର ଅବତାର 

ରାଜ୍ୟର ମୂଖ୍ୟମନ୍ତ୍ରୀ ହୋଇଥିବା ସତ୍ତ୍ୱେ ଆଜନ୍ମ ଜମିଦାର ମନୀଷୀ ନବକୃଷ୍ଣ ସମସ୍ତ ବିଳାସ ବ୍ୟସନ ଛାଡି କିପରି ଏକ ତ୍ୟାଗପୂତ ସାଧାରଣ ଜୀବନ ବିତାଉଥିଲେ ଓ ଗାନ୍ଧୀଜୀଙ୍କ ସ୍ୱପ୍ନକୁ ଓଡ଼ିଶାରେ ସାକାର କରାଇଥିଲେ, ବକ୍ତାମାନେ ତାହାର ଭାବୋତ୍ସାସ ଭରା ଅବତାରଣା କରି ତାଙ୍କୁ ତ୍ୟାଗ ଓ ଆଦର୍ଶର ଅବତାର ବୋଲି ଆଖ୍ୟାୟିତ କରିଥିଲେ ।

ହା ଏବେ କଳ୍ପନା କରିବା କଷ୍ଟ ଯେ, ତାଙ୍କ ପରି ତ୍ୟାଗପୂତ ନିରାଡ଼ମ୍ବର ନେତା ବି ଆମର ଥିଲେ ମୁଖ୍ୟମନ୍ତ୍ରୀ , ଯେ କି ମୂଖ୍ୟମନ୍ତ୍ରୀ ପଦ ତ୍ୟାଗ କରି ସଙ୍ଗେ ସଙ୍ଗେ ସରକାରୀ ଘର ଛାଡ଼ି , ନିଜର ଏକ ପୁରୁଣା ଟ୍ରଙ୍କ ନିଜେ ଧରି ଅନଗୁଳ ଯିବାପାଇଁ ଷ୍ଟେସନ ଅଭିମୂଖେ ଚାଲି ଚାଲି ଯାଇପାରିଥିଲେ, କାରଣ ପଦ ତ୍ୟାଗ କଲା ପରେ ସରକାରୀ ଘରେ ରହିବା ଓ ସରକାରୀ ଗାଡ଼ି ବ୍ୟବହାର କରି ରେଳ ଷ୍ଟେସନ ଯାଏଁ ଆସିବା ମଧ୍ୟ ତାଙ୍କ ବିଚାରରେ ଥିଲା ଅନୈତିକ ।

ଓଡ଼ିଆ ଭାଷାର ପ୍ରଚଳନ ଓ ନିଶା ନିବାରଣକୁ ପ୍ରାଧାନ୍ୟ ଦେଇଥିବା ନବବାବୁ ମୂଖ୍ୟମନ୍ତ୍ରୀ ପଦବୀରୁ ଗଲା ପରେ ନାଗଭୁଷଣ ପଟ୍ଟନାୟକଙ୍କୁ ଜେଲରୁ ଖଲାସ କରିବା ପାଇଁ କ୍ଷମା ଦେବାକୁ ତତ୍କାଳୀନ ରାଷ୍ଟ୍ରପତିଙ୍କୁ ଅନୁରୋଧ କରି ତାଙ୍କୁ ଜେଲକୁ ପଠାଇବା ଜଣେ ପ୍ରଶାସକ ଭାବେ ତାଙ୍କ ଦାୟିତ୍ଵ ଥିଲା, କିନ୍ତୁ ଜଣେ ସାଧାରଣ ଭାରତୀୟ ଭାବେ ନାଗଭୂଷଣଙ୍କ ମୁକ୍ତି କାମନା କରିବା ତାଙ୍କ କର୍ତ୍ତବ୍ୟ ବୋଲି ସେ ସ୍ପଷ୍ଟ କରିଥିଲେ ।

ଏପରି ଜଣେ ମହାତ୍ମା ଓଡ଼ିଆ ଜାତିର ଭାଷା ଅଧିକାରକୁ ଆଇନସିଦ୍ଧ କରିଥିବା ବେଳେ ବର୍ତ୍ତମାନର ସରକାର ତାହାକୁ ବ୍ୟର୍ଥ କରିବା ପାଇଁ ତହିଁରେ ଭୁଲ ସଂଶୋଧନ ଘଟାଇଥିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ବକ୍ତାମାନେ ମତପ୍ରଦାନ କରିଥିଲେ ଓ ନବବାବୁ ଦେଇଯାଇଥିବା ଆଇନର କାର୍ଯ୍ୟକାରୀତା ପାଇଁ ତାହାର ସଶକ୍ତିକରଣ ଉପରେ ଗୁରୁତ୍ଵ ଦେଇଥିଲେ ।

ଅବିମୃଷ୍ୟ ଅବମାନନା: ମନୀଷୀ ନବକୃଷ୍ଣଙ୍କ ପ୍ରତି ସରକାରୀ ଅସମ୍ମାନ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମନୀଷୀ ନବକୃଷ୍ଣ ଚୌଧୁରୀଙ୍କର ଜନ୍ମ ଦିବସ ଭାବେ ନଭେମ୍ବର ୨୩ ଓଡ଼ିଆ ଜାତି ପାଇଁ ଏକ ଚିର ନମସ୍ୟ ଦିବସ । ଏହି ଦିବସରେ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ବୋଲି ଗତକାଲି ଠାରୁ ବିଧାନସଭା ସମ୍ମୁଖସ୍ଥ ତାଙ୍କ ବିଜେସ୍ଥଳୀରେ ସାଜସଜ୍ଜା ଆରମ୍ଭ ହୋଇଥିଲା । ଆଜି ସକାଳେ ଭାଷା ଆଂଦୋଳନର ଭକ୍ତିଅର୍ଘ୍ୟ ପ୍ରଦାନ ପାଇଁ ଆମେ ଯେତେବେଳେ ସେଠାରେ ପହଞ୍ଚିଥିଲୁ, ସାଜସଜ୍ଜା ତଥାପି ମଧ୍ୟ ଚାଲିଥାଏ ।

ଧଳା କନା ଘେରା ବିଶାଳ ଆତପତ୍ରାଣ ତିଆରି ସରିଥାଏ ; ଦାମୀ ଗଦିଦିଆ ଚୌକିଚୟ ସଜାହେବ, ଲାଲ୍ ଗାଲିଚା ବିଛା ହେବ , ମୁଖ୍ୟମନ୍ତ୍ରୀ ଆସିବେ ।

ସର୍ବତ୍ୟାଗୀ ନବବାବୁଙ୍କ ପାଇଁ ନବାବୀ ଶ୍ରଦ୍ଧା ଜ୍ଞାପନର ପର୍ବକୁ ଅପେକ୍ଷା ନ କରି ଉଦୟଭାନୁର କୋମଳ ରଶ୍ମୀ ତାଙ୍କ ପ୍ରତିମୂର୍ତ୍ତିକୁ ଆଲିଙ୍ଗନ କଲାବେଳେ ଆମେ (ମୋ ସମେତ ଡଃ ଅଶୋକ ମିଶ୍ର , ଶ୍ରୀମତୀ ଆଶାରାଣୀ ମିଶ୍ର, ରଞ୍ଜନ କୁମାର ସାହୁ, ଚୈତନ୍ୟ ବିଶ୍ଵାଳ ,ନବୀନ ମିଶ୍ର, ନିରଞ୍ଜନ ଖିଲାର, ଆଶିଷ କୁମାର ବେହେରା ପ୍ରମୁଖ) ଆମ ଜାତିର ଭାଷା ଅଧିକାରକୁ ବିଧିଭୁକ୍ତ କରି ଓଡ଼ିଶା ସରକାରୀ ଭାଷା ଆଇନ ପ୍ରଦାନ କରିଥିବା ଆମ ପ୍ରିୟ ପ୍ରଥମ ମୁଖ୍ୟମନ୍ତ୍ରୀଙ୍କୁ ସର୍ବାଗ୍ରେ ଦେଇଥିଲୁ କୃତଜ୍ଞ ଓଡ଼ିଆ ଜାତିର ଶ୍ରଦ୍ଧାସୁମନର ଅର୍ଘ୍ୟ ।

ତାଙ୍କୁ ଓଡ଼ିଆ ଜାତିର କୃତଜ୍ଞତା ଜଣାଇ ପ୍ରତିଦିନ ଅପରାହ୍ନ ୫ଟାରେ ଆରମ୍ଭ ହୋଇଥାଏ ଆମର କଳାପତାକା ଅଭିଯାନ ତାଙ୍କରି ପ୍ରଦତ୍ତ ଭାଷା ଆଇନର ସଶକ୍ତୀକରଣ ପାଇଁ । ଆଜି ଥିଲା ଏହି ଅଭିଯାନର ୧୩୧୭ତମ ଦିବସ । ଆମେ ପହଞ୍ଚିଲା ବେଳକୁ ସକାଳର ଦୃଶ୍ୟପଟ ବଦଳି ଯାଇଥିଲା ।  ସରିଯାଇଥିଲା ଛଳନାମୟ ଶ୍ରଦ୍ଧାଜ୍ଞାପନର  ପର୍ବ । ଗଦେଇ ହୋଇ ରହିଥିଲା ମନୀଷୀ ନବକୃଷ୍ଣଙ୍କ ପ୍ରତି ଚଳିତ ସରକାରର ଘୃଣା କେତେ ତୀବ୍ର ତାହାରି ନମୁନା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାପା ବିଜୁ ପଟ୍ଟନାୟକଙ୍କୁ ନିଜ ମନ୍ତ୍ରୀମଣ୍ଡଳରେ ଖଣି ଓ ଶିଲ୍ପ ମନ୍ତ୍ରୀ କରିନଥିଲେ ବୋଲି ପ୍ରତିଶୋଧପରାୟଣ ହୋଇ ସେ ଯେଉଁ ନୀଳମଣି ରାଉତରାୟଙ୍କୁ ହଳେଇ ନବବାବୁଙ୍କୁ ଏପରି ମାନସିକ ଯନ୍ତ୍ରଣା ଦେଇଥିଲେ ଯେ, ସେ ମୁଖ୍ୟମନ୍ତ୍ରୀ ପଦବୀ ତ୍ୟାଗ କରିବାକୁ ଶ୍ରେୟ ମଣିଥିଲେ, ସେହି ନୀଳମଣି ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି, “ମୁଁ ଆଜି ହୃଦୟଙ୍ଗମ କରୁଛି, କେତେ ମହାନ, ଉଦାର ତଥା ଗଣତନ୍ତ୍ରବାଦୀ ଥିଲେ ସେ ସମୟର ମୁଖ୍ୟମନ୍ତ୍ରୀ ଶ୍ରୀ ନବକୃଷ୍ଣ ଚୌଧୁରୀ । ଗଣତନ୍ତ୍ର ଓ ସଂସଦୀୟ ରାଜନୀତିରେ ସରକାରର ସ୍ଵାର୍ଥ ଓ ଦଳୀୟ ସ୍ଵାର୍ଥର ଭିତରେ ପାର୍ଥକ୍ୟ କଣ ସେକଥା ଶ୍ରୀ ଚୌଧୁରୀ ଯେପରିଭାବରେ ବୁଝିଥିଲେ ଏବଂ ନିଜ ଦଳ ଭିତରେ ଅପ୍ରିୟ ହେଲେ ମଧ୍ୟ ଶାସନକୁ ଦୁର୍ନୀତିମୁକ୍ତ କରି ସମାଜବାଦୀ ଗଣତାନ୍ତ୍ରିକ ନୀତି ଆଦର୍ଶରେ ପରିଚାଳିତ କରିବା ପାଇଁ ତାଙ୍କର ଯେଉଁ ପ୍ରଗାଢ ଆଗ୍ରହ ଥିଲା, ଅନ୍ୟ କୌଣସି ମୁଖ୍ୟମନ୍ତ୍ରୀଙ୍କ ପାଖରେ ମୁଁ ତାହା ଲକ୍ଷ୍ୟ କରିପାରିନାହିଁ । ଏଭଳି ହୃଦୟବାନ ମହାନ ବ୍ୟକ୍ତି ଯଦି ଅଧିକ ଦିନ ଓଡ଼ିଶାର ଶାସନ ସହ ଜଡ଼ିତ ଥାନ୍ତେ, ତ ହେଲେ ହୁଏତ କେତେକ ଉଚ୍ଚ ମାନର ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ସୃଷ୍ଟି ହୋଇପାରିଥାନ୍ତା ; ମାତ୍ର ଆମେମାନେ ତାହା ସମ୍ଭବ କରାଇ ଦେଲୁନାହିଁ ।”

ଆଜି ତାଙ୍କ ଶୁଭ ଜନ୍ମ ଦିନରେ କଣ ଠିକାଦାରକୁ କୁହା ହୋଇପାରିନଥାନ୍ତା ସକାଳର ସାଜସଜ୍ଜା ସଂଧାରେ ଏପରି ନ ଭାଙ୍ଗିବାକୁ ? ସନ୍ଧ୍ୟାରେ କଣ ଏହି ସ୍ଥଳରେ ତାଙ୍କ ସ୍ମୃତି ଚାରଣ ପାଇଁ ଆୟୋଜନ କରାଯାଇପରିନଥାନ୍ତା ? ଆଜି ତାଙ୍କ ଶୁଭ ଜୟନ୍ତୀରେ ଦିନ ତମାମ ପାଇଁ ରଖାଯାଇପାରିନଥାନ୍ତା ଏହି ସାଜସଜ୍ଜା? ଏହା ସ୍ପଷ୍ଟ କରେ ଯେ, ଏ ସାଜସଜ୍ଜା ମୁଖ୍ୟମନ୍ତ୍ରୀନ ନବୀନଙ୍କ ପାଇଁ ହୋଇଥିଲା, ମନୀଷୀ ନବକୃଷ୍ଣଙ୍କ ଜୟନ୍ତୀ ସମ୍ମାନରେ ନୁହେଁ ।

ଓଡ଼ିଶା ସରକାରୀ ଭାଷା ଆଇନ ପ୍ରଦାତା, ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ମନୀଷୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତି ଏହି ସରକାରୀ ଅସମ୍ମାନ ଘୋର ନିନ୍ଦନୀୟ ।

ଆମ ଭାଷା ଆମ ଅଧିକାର ଆଜି ସକାଳେ ମୋର ଯେଉଁ ବାର୍ତ୍ତା ରେକର୍ଡ କରିଥିଲେ, ତାଙ୍କ ଅନୁରୋଧକ୍ରମେ, ଭାଷା ଆନ୍ଦୋଳନକାରୀମାନଙ୍କ ଅବଗତି ପାଇଁ ଏଠାରେ ସ୍ଥାପିତ କରି  ଉପସ୍ଥାପନାଟିକୁ ଅଧୁନାତନ କରାଗଲା ।

 

ମନୀଷୀ ନବକୃଷ୍ଣ ଓ ମାତୃଭାଷା

ସୁଭାଷ ଚନ୍ଦ୍ର ପଟ୍ଟନାୟକ,
ପ୍ରତିଷ୍ଠାତା ଅଧ୍ୟକ୍ଷ , ଭାଷା ଆନ୍ଦୋଳନ, ଓଡ଼ିଶା

ପାଠପଢା ଛାଡି ଏକସମୟରେ ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ଏକାଶ୍ରେଣୀରେ ପଢୁଥିବା ଏପରି ତିନିଜଣ ଛାତ୍ର, ଯେଉଁମାନେ ପରବର୍ତ୍ତୀ କାଳରେ ଓଡ଼ିଶାର ରାଜନୈତିକ ନଭରେ ଜ୍ୟୋତିଷ୍କ ସାଜିଥିଲେ ମଧ୍ୟ ମାତୃଭାଷା ଓଡ଼ିଆକୁ କେନ୍ଦ୍ରକରି ପରସ୍ପରଠାରୁ କାର୍ଯ୍ୟତଃ ଦୂରେଇ ଯାଇଥିଲେ । ସେମାନେ ହେଲେ, ହରେକୃଷ୍ଣ ମହତାବ, ନିତ୍ୟାନନ୍ଦ କାନୁନଗୋ ଓ ନବକୃଷ୍ଣ ଚୌଧୁରୀ । ତିନିହେଁ ୧୯୪୬ରେ ଗଠିତ ସ୍ଵାଧୀନତା ପୂର୍ବବର୍ତ୍ତୀ ବିଧାନସଭାରେ ସଦସ୍ୟ ଥିଲେ କେବଳ ନୁହେଁ, ଓଡ଼ିଶାର ଶାସନ ଭାର ଗ୍ରହଣ କରିଥିଲେ । ମହତାବ ହୋଇଥିଲେ ପ୍ରଧାନମନ୍ତ୍ରୀ, କାନୁନଗୋ ହୋଇଥିଲେ ଆଇନ ମନ୍ତ୍ରୀ ଓ ଚୌଧୁରୀ ହୋଇଥିଲେ ରାଜସ୍ୱ ମନ୍ତ୍ରୀ ।

ସେମାନେ ଏହିପରି କ୍ଷମତାରେ ଥିଲାବେଳେ ୧୯୪୭ ଅଗଷ୍ଟ ୧୪ ମଧ୍ୟୋତ୍ତର ରାତ୍ରିରେ ଭାରତ ସ୍ଵାଧୀନ ହେଲା । ସୁତରାଂ ୧୯୪୮ ଏପ୍ରିଲ ପହିଲା ଥିଲା ସ୍ଵାଧୀନ ଭାରତରେ ପ୍ରଥମ ଉତ୍କଳ ଦିବସ । ବିଧାନସଭା ଚାଲିଥାଏ । ଓଡ଼ିଶାର ଅନ୍ୟତମ ଶେଷ୍ଠ ସ୍ଵାଧୀନତା ସଂଗ୍ରାମୀ, ସମ୍ବଲପୁର ନିବାସୀ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ସେଦିନ ଓଡ଼ିଆ ଭାଷାକୁ ଓଡ଼ିଶାର ସରକାରୀ ଭାଷା କରିବା ପାଇଁ ରାଜ୍ୟ ସରକାର ଆଇନ ପ୍ରଣୟନ କରନ୍ତୁ ବୋଲି ବିଧାନସଭାରେ ଏକ ପ୍ରସ୍ତାବ ଆଗତ କଲେ । ଏବଂ ଏପରି ପ୍ରସ୍ତାବ ଆଗତ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ । ବାଚସ୍ପତି ପାଟିଫିଟାଇବା ପୂର୍ବରୁ ଅଣଓଡ଼ିଆ ସଦସ୍ୟ ରାଜକୃଷ୍ଣ ବୋଷ ପଣ୍ଡିତ ମିଶ୍ରଙ୍କ ଉପରେ ଚଳାଇଲେ ଅତ୍ୟନ୍ତ ତାତ୍ସଲ୍ୟଭରା ବାଚନିକ ଆକ୍ରମଣ । ପରେ ପରେ ଆଇନମନ୍ତ୍ରୀ ହୋଇଥିବା କାନୁନଗୋ ତାଙ୍କୁ ଆହୁରି ଅଧିକ ତୀବ୍ର ଶୈଳୀରେ ପ୍ରତ୍ୟାଖ୍ୟାନ କରି ସେହି ପ୍ରସ୍ତାବ ସେ ପ୍ରତ୍ୟାହାର କରିନେବାକୁ ବାଧ୍ୟ କରିଥିଲେ । ଏବଂ ପଣ୍ଡିତ ମିଶ୍ର ତାହା ପ୍ରତ୍ୟାହାର କଲାବେଳେ ବିଧାନଗତ ବୟାନ ଦେଉଥିବା ବେଳେ ତାଙ୍କୁ ଅତି କର୍କଶ କଣ୍ଠରେ ପଚରା ଯାଇଥିଲା, “ପ୍ରତ୍ୟାହାର କଲ କି ନାହିଁ?” ପଣ୍ଡିତ ମିଶ୍ର ଆଖିର ଲୁହ ଓଠରେ ପିଆଇ କହିଥିଲେ, “ମୁଁ ପ୍ରତ୍ୟାହାର କଥାଟି ବହୁତର କହିଛି , ମାନ୍ୟବର ଅଧ୍ୟକ୍ଷ ମଧ୍ୟ ଶୁଣିଛନ୍ତି “ (କେତେ ଆଉ କହିବି?) ।

ଗୃହରେ ନୀରବରେ ବସିଥିବା ରାଜସ୍ଵମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ନିଜ ଦୁଇ ସହପାଠୀ ମହତାବ ଓ କାନୁନଗୋଙ୍କ ଆଚରଣ ଦେଖି ଲଜ୍ଜାରେ ନୂଆଇଁ ଦେଇଥିଲେ ମଥା । ମାତୃଭାଷାପ୍ରାଣ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ରଙ୍କୁ ଯେଉଁ ସରକାର ଏପରି ଅପମାନ ଦେଇ ଭାଷା ଆଇନ ପ୍ରଣୟନ ପ୍ରସ୍ତାବକୁ ପ୍ରତ୍ୟାହାର କରିବାକୁ ବାଧ୍ୟ କଲା, ସେହି ସରକାରରେ ମନ୍ତ୍ରୀ ହୋଇରହିବା ତାଙ୍କ ପକ୍ଷେ ସମ୍ଭବ ନ ଥିଲା । ତେଣୁ ସେ ମନ୍ତ୍ରୀ ପଦ ତ୍ୟାଗ କରିବାକୁ ମନସ୍ଥ କରି ତାଙ୍କ ଦାୟିତ୍ବରେ ଥିବା ସରକାରୀ କାର୍ଯ୍ୟଗୁଡ଼ିକ ସାରିବା ପାଇଁ ଲାଗିଗଲେ । ପ୍ରାୟ ତିନି ସପ୍ତାହ ଲାଗିଗଲା । ଏପ୍ରିଲ ୨୩ ତାରିଖରେ ମନ୍ତ୍ରୀ ପଦରୁ ତଥା ବିଧାନସଭାର ସଭ୍ୟ ପଦରୁ ଇସ୍ତଫା ଦେଇ ଶାନ୍ତିରେ ନିଃଶ୍ଵାସ ମାରିଥିଲେ ମନୀଷୀ ନବକୃଷ୍ଣ, ଯାହାଙ୍କ ଜନ୍ମଦିନ ଭାବେ ନଭେମ୍ବର ୨୩ ଓଡ଼ିଆ ଜାତିର ନମସ୍ୟ ଦିବସ ହୋଇ ରହିଛି ।

ସମ୍ବିଧାନ ପ୍ରଣୟନ ପରେ ଯେତେବେଳେ ସ୍ଵାଧୀନତା ପରବର୍ତ୍ତୀ ପ୍ରଥମ ବିଧାନସଭା ନିର୍ବାଚନ ହେଲା, ଓଡ଼ିଶାର ନେତୃତ୍ଵ ନେବାକୁ ସମସ୍ତଙ୍କ ପସନ୍ଦ ଥିଲେ ନବକୃଷ୍ଣ । ଏବଂ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ଉଦ୍ୟମକୁ ଉଦ୍ଜୀବିତ କରାଇ ସେ ପ୍ରଣୟନ କଲେ ଓଡ଼ିଶା ସରକାରୀ ଭାଷା ଆଇନ, ଯାହା ଓଡ଼ିଆ ଭାଷାକୁ ଓଡ଼ିଶାର ସମସ୍ତ ଓ ଯେକୌଣସି କାମ ପାଇଁ ସରକାରୀ ଭାଷା ଭାବେ ବିଧିକୃତ କଲା । ପ୍ରାଦେଶିକ ଭାଷାକୁ ସରକାରୀ ଭାଷା କରାଇବାରେ ସାରା ଭାରତରେ ଏହା ଥିଲା ପ୍ରଥମ ଆଇନ । ଏ ଆଇନ କାହିଁକି ହେଲା ତାହା ନବବାବୁ ବିଧେୟକଟିର ପ୍ରାରମ୍ଭରେ ହିଁ ସ୍ପଷ୍ଟ କରିଦେଇଥିଲେ । ତାହା ସମସ୍ତଙ୍କ ପ୍ରଣିଧାନଯୋଗ୍ୟ । “Whereas it is expedient to provide for the adoption of Oriya as the Language to be used for all or any of the official purposes of the State of Orissa; it is hereby enacted by the Legislature of the State of Orissa…..” ବୋଲି କହି ଆଇନ ପ୍ରଣୟନର କାରଣ ଦର୍ଶାଇଥିଲେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ମନୀଷୀ ନବକୃଷ୍ଣ ।

ଏହି ଆଇନଟିକୁ କାର୍ଯ୍ୟକାରୀ କରାଇ ନ ଦେବା ପାଇଁ କେତେ ଷଡଯନ୍ତ୍ର ଚାଲିଛି ତହିଁର ସବିଶେଷ ବର୍ଣନା bhashaandolan.com ପୃଷ୍ଠାରେ ଉପଲଭ୍ୟ ଥିବାରୁ ଏଠାରେ ଉଲ୍ଲେଖର ଅବକାଶ ନାହିଁ । ଓଡ଼ିଆ ଜାତି ଚାହେଁ ନବବାବୁ ଦେଇଯାଇଥିବା ଆଇନର ସଶକ୍ତିକରଣ । ତାଙ୍କ ଶୁଭ ଜନ୍ମଦିନରେ ଏହାହିଁ ସମସ୍ତଙ୍କ କାମ୍ୟ ହେଉ ।

ଓଡ଼ିଶାର ଅନ୍ୟତମ ଜନପ୍ରିୟ ସମ୍ବାଦପତ୍ର ‘ସର୍ବସାଧାରଣ’ ଆଜି ତାର ଦୈନିକ ସଂସ୍କରଣରେ ଏହି ଲେଖାଟି ପ୍ରକାଶ କରିଛନ୍ତି । ସମ୍ପାଦକଙ୍କୁ ଧନ୍ୟବାଦ ସହ ତାହାକୁ ଏଠାରେ ଦସ୍ତାବିଜଭୁକ୍ତ କରାଗଲା :