ସରିଯାଇଥିବା ବିଧାନସଭା ଓ ଆମ ଭାଷା -୬

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ବସ୍ତୁତଃ ମୁଁ ଦେଇଥିବା ଉପରୋଦ୍ଧୃତ୍ତ ପ୍ରସ୍ତାବ ଓ ଚିଠା ହେତୁ ହିଁ ଆମ ଭାଷା ଆଇନରେ ଥିବା ଆଜନ୍ମ ତ୍ରୁଟିଗୁଡ଼ିକ ଉପରେ ଓଡ଼ିଶା ସରକାର ପ୍ରଥମ ଥର ପାଇଁ ଅବଗତ ହେଲେ । ଫଳରେ ବିଧାୟକ ନବ କିଶୋର ଦାସଙ୍କ ଏକ ପ୍ରଶ୍ନର ଉତ୍ତରରେ ୧୪.୧୨.୨୦୧୫ ତାରିଖରେ ମୁଖ୍ୟମନ୍ତ୍ରୀ ବିଧାନସଭାକୁ କହିଥିଲେ କି, ଭାଷା ଆଇନଟିର କାର୍ଯ୍ୟକାରୀତା ପାଇଁ ଖୁବ ଶୀଘ୍ର ତହିଁର ସଂଶୋଧନ କରାଯିବ ।

ଭାଷା ଆଇନଟିର ସଂଶୋଧନ ପାଇଁ ମୁଁ ଦେଇଥିବା ଚିଠାରେ ଯେଉଁ ଧାରା ୪ର ସଂଯୋଗୀକରଣ ପ୍ରସ୍ତାବ କରିଥିଲି, ତାର ଉପଧାରା ୨ ନିମ୍ନରେ ଉଦ୍ଧୃତ୍ତ ହେଲା :

“ଏହି ଆଇନର ସମସ୍ତ ବା ଯେ କୌଣସି ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରିବା ପାଇଁ ବା ଏହି ଆଇନର ଯେକୌଣସି ବା ସମସ୍ତ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବା ପାଇଁ ବା ଏହି ଆଇନର ପ୍ରଯୁକ୍ତିସୀମା ଓ ଉଦ୍ଦେଶ୍ୟକୁ ପରିବର୍ଦ୍ଧିତ କରିବାପାଇଁ ବା ଏହାର କୌଣସି ଧାରାର ଉଲ୍ଲଙ୍ଘନକୁ ଦଣ୍ଡନୀୟ କରିବା ପାଇଁ ସରକାର ନିୟମାବଳୀ ପ୍ରସ୍ତୁତ ଓ ପ୍ରବର୍ତ୍ତିତ କରିପାରିବେ ।”

ମୁଖ୍ୟମନ୍ତ୍ରୀ ବିଧାନସଭାରେ ଦେଇଥିବା ପ୍ରତିଶ୍ରୁତି ପାଳନରୁ ଓହରିଯାଉଥିବା କଥା ସ୍ପଷ୍ଟ ହୋଇଯାଇଥିଲା ୧୭.୧୨.୨୦୧୫ ତାରିଖରେ । Orissa CM drifts away from the decision for governance of Orissa in Oriya ଶୀର୍ଷକ ଅଲୋଚନା ମୁଁ ରଖିଲି ବିଶ୍ଵବାସୀ ଓଡ଼ିଆଙ୍କ ସମ୍ମୁଖରେ ।

କିନ୍ତୁ ଭାଷା ଆନ୍ଦୋଳନ ଭିଆଇ ମୋ ପ୍ରଦତ୍ତ ଉପରୋକ୍ତ ପ୍ରସ୍ତାବ ଅନୁଯାୟୀ ଆଇନ ସଂଶୋଧନ ସକାଶେ ଆମେ ତାଙ୍କୁ ବାଧ୍ୟକଲୁ । ତେଣୁ, ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ଅଧ୍ୟାଦେଶ, ୨୦୧୬ରେ ମୋ ଚିଠାର ଧାରା ୪ (୨)କୁ ଆଇନରେ ପ୍ରବିଷ୍ଟ କରାଇ ସରକାର ତାହାକୁ ଧାରା ୫ର ନାମ ଦେଲେ । ତାହା ହେଲା :

“୫॰ ଏହି ଅଧିନିୟମର ଉଦ୍ଦେଶ୍ୟଗୁଡ଼ିକୁ କାର୍ଯ୍ୟକାରୀ କରିବା ସକାଶେ ରାଜ୍ୟ ସରକାର ନିଯମାବଳୀ ପ୍ରଣୟନ କରିପାରିବେ ।”

କିନ୍ତୁ ଏହି ଅଧ୍ୟାଦେଶକୁ ଆଇନତଃ ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ଆଇନ, ୨୦୧୬ରେ ରୂପାନ୍ତରିତ କଲାବେଳେ ଆମ ବିଧାନସଭା ସଦସ୍ୟମାନେ କିପରି ଅମଲାତନ୍ତ୍ରର ହାତବାର୍ସି ଭାବେ କାମ କରିଥିଲେ ତାହା ଆମେ ପରେ ଦେଖିବା । ବର୍ତ୍ତମାନ ଦେଖିବା ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ବିଧେୟକ, ୨୦୧୮ର ବିଚାର ବେଳେ ଶ୍ରୀ ଅମର ଶତପଥିଙ୍କ ସାଙ୍ଗକୁ ଆଉ କିଏ କଣ କହିଥିଲେ ।

ଶ୍ରୀ ନରସିଂହ ମିଶ୍ର

ବିରୋଧୀ ଦଳ ନେତା ଶ୍ରୀ ନରସିଂହ ମିଶ୍ର ଏହାକୁ ସ୍ଵାଗତ ଜଣାଇଥିଲେ ଏବଂ “ଏଥିରେ ବିରୋଧ କରିବାର କିଛି ନାହିଁ” ବୋଲି ଘୋଷଣା କରିଥିଲେ । କିନ୍ତୁ ଏଥିରେ ଆଇନଟିର ଉଲ୍ଲଂଘନ ପାଇଁ ଦଣ୍ଡବିଧାନ କଥା ଉଚ୍ଚାରିତ ହୋଇଥିବା ବେଳେ ବିଧେୟକଟିରେ ଉଲ୍ଲଙ୍ଘନର ସଜ୍ଞା ପ୍ରଦତ୍ତ ହୋଇନଥିବା ହେତୁ ପଚାରିଥିଲେ “ଉଲ୍ଲଙ୍ଘନର ଅର୍ଥ କଣ?” ସେ କହିଥିଲେ,

“ଏହି ଆଇନ ଦ୍ଵାରା ସବୁ କ୍ଷମତା ସରକାରଙ୍କୁ ଦେଇଦିଆଯାଉଛି । ସରକାର Rule (ନିଯମାବଳୀ) ତିଆରିକରିବେ । ଏବଂ Rule ତିଆରିକରି ଯେତେବେଳେ Gazette Notification କରିଦେବେ, ସେତେବେଳେ ଏହା ଲାଗୁ ହୋଇଯିବ । ତେଣୁ ଆମେ ଯଦି ଜାଣିନଥିବା ଉଲ୍ଲଂଘନ ଅର୍ଥ କଣ, ତା ହେଲେ ସେଇଟା ବିପଦ ହୋଇପାରେ ।”

ଗୋଳମାଳ ବଡ଼ ଗଭୀର

ଶ୍ରୀ ମିଶ୍ରଙ୍କ ଭାଷଣରୁ ଜାଣିହୋଇଯାଏ ଭାଷା ଆଇନକୁ ନେଇ ଗୋଳମାଳ କେତେ ଗଭୀର । ଏଥିରୁ ଜଣାପଡ଼େ ଯେ, ଉପର ସୂଚିତ ଅଧ୍ୟାଦେଶ ବଳରେ ରାଜ୍ୟ ସରକାର “ଓଡ଼ିଶା ସରକାରୀ ଭାଷା ନିଯମାବଳୀ, ୨୦୧୬ ନାମକ ଯେଉଁ ନିଯମାବଳୀ (Rules) ତିଆରି କରିଥିଲେ ଓ ଯାହାକୁ ୧୪୯୭ ସଂଖ୍ୟକ ଓଡ଼ିଶା ଅସାଧାରଣ ରାଜପତ୍ର (Extraordinary Gazette)ରେ ଅଗଷ୍ଟ ୨୨, ୨୦୧୬ରେ ପ୍ରକାଶ କରିଥିଲେ ତାହା ବିରୋଧୀ ଦଳ ନେତାଙ୍କୁ ଜଣା ନ ଥିଲା । କେମିତି ଜଣାଯାଇଥାନ୍ତା? ସରକାର ତ ସେ ସମ୍ପର୍କରେ ବିଧାନସଭାକୁ ଅବଗତ କରାଇନଥିଲେ । କିନ୍ତୁ ବିରୋଧୀ ଦଳ ନେତା ତ ଜାଣିଥିଲେ ଯେ, ଅଧ୍ୟାଦେଶ ବଳରେ ୨୦୧୬ ମେ ୨୧ ତାରିଖରେ ଓଡ଼ିଶା ସରକାରୀ ଭାଷା ଆଇନର ଯେଉଁ ମାଇଲଖୁଣ୍ଟ ସଂଶୋଧନ ହୋଇ ଧାରା ୫ ଯୋଡ଼ା ହୋଇଥିଲା, ତାହା ତ କେବଳ ନିୟମାବଳୀ ପ୍ରଣୟନର ଅତ୍ୟନ୍ତ ଜରୁରୀ ଆବଶ୍ୟକତା ଦୃଷ୍ଟିରୁ ହିଁ ଜାରିକରା ହୋଇଥିଲା । ତେଣୁ ତଦ୍ଦ୍ଵାରା କି ନିଯମାବଳୀ ତିଆରି ହୋଇଥିଲା, କ’ଣ ତାର ଭାଷା ଥିଲା, କିପରି ତାହା କାର୍ଯ୍ୟକାରୀ ହେଲା ବା କ’ଣ ହେଲା ତାର କାର୍ଯ୍ୟକାରୀତାର ଫଳ, ତାହା ଜାଣିବା ପାଇଁ ଶ୍ରୀ ମିଶ୍ର ଚାହିଁଲେ ନାହିଁ କାହିଁକି? ଚାହିଁଥିଲେ ହୁଏତ ଓଡ଼ିଶା ସରକାରୀ ଭାଷା ଆଇନର ପ୍ରୟୋଗ ବ୍ୟାପାରରେ ସରକାର ଯେଉଁ ଗଭୀର ଗୋଳମାଳ ସୃଷ୍ଟିକରିଚାଲିଛନ୍ତି ତାହା ଧରା ପଡ଼ିଯାଇଥାନ୍ତା ଓ ଆଇନଟି ନିର୍ଭୁଲଭାବେ ସଂଶୋଧିତ ହୋଇଯାଇପାରିଥାନ୍ତା । (କ୍ରମଶଃ)

ସରିଯାଇଥିବା ବିଧାନସଭା ଓ ଆମ ଭାଷା -୫

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ବାସ୍ତବତା ହେଲା ଏହାହିଁ ଯେ, ୧୯୫୪ରେ ଭାଷା ଆଇନଟି ପ୍ରଣୀତ ଓ ପ୍ରବର୍ତ୍ତିତ ହୋଇଥିଲେ ମଧ୍ୟ ୨୦୧୫ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରୁନଥିବାରୁ ତାହାକୁ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଆ ଭାଷା ସୁରକ୍ଷା ସମିତି ଓ ଓଡ଼ିଆ ଭାଷା ସଂଗ୍ରାମ ସମିତି ଆନ୍ଦୋଳନ କରୁଥିଲେ । ଅଫିସମାନଙ୍କରେ ଓଡ଼ିଆରେ କାମ ହେଉ ବୋଲି ସରକାରଙ୍କ ପକ୍ଷରୁ ବାରମ୍ବାର ନିର୍ଦ୍ଦେଶନାମା ଯାଉଥିଲା । କେହି ତହିଁପ୍ରତି କର୍ଣପାତ କରୁନଥିଲେ । କଣ କରିବାକୁ ହେବ ବୁଝି ନ ପାରି ମୁଖ୍ୟମନ୍ତ୍ରୀ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କଲେ ୩୧.୭.୨୦୧୫ ତାରିଖରେ ଯହିଁରେ ଆଉ ୬ ଜଣ ବେସରକାରୀ ସଦସ୍ୟଙ୍କ ସହ ମୁଁ ବି ଜଣେ ମନୋନୀତ ସଦସ୍ୟ ଥିଲି । କମିଟି ସମ୍ମୁଖରେ ଏକମାତ୍ର ପ୍ରସଙ୍ଗ ଥିଲା ଓଡିଶା ସରକାରୀ ଭାଷା ଆଇନ, ୧୯୫୪ର କାର୍ଯ୍ୟକାରୀତା ।

କେଉଁ କାରଣ ହେତୁ ଆଇନଟି କାର୍ଯ୍ୟକାରୀ ହୋଇ ପାରୁନାହିଁ ତହିଁ ଉପରେ ସବିଶେଷ ଗବେଷଣା କରି ମୁଁ ସରକାରଙ୍କୁ ପାର୍ଶ୍ଵସ୍ଥ ପରାମର୍ଶ ଓ ଚିଠା ଦେଇଥିଲି ।

ଆଇନଟି ଯେହେତୁ ଇଂରାଜୀରେ ଥିଲା, ସେହେତୁ ମୋର ଉପରୋକ୍ତ ପରାମର୍ଶ ସହ ସଂଯୁକ୍ତ ହୋଇ ରହିଥିଲା ଇଂରାଜୀରେ ଲିଖିତ ମୋର ଚିଠା । ଓଡ଼ିଶା ସରକାର ତାର ଏକ ଓଡ଼ିଆ ଅନୁବାଦ କରାଇଥିଲେ । bhasha॰odisha॰gov॰inରେ ତାହାକୁ ପ୍ରକାଶ ବି କରିଥିଲେ ।

ଭାଷା ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଷଡ଼ଯନ୍ତ୍ର କାରଣରୁ ତାହାକୁ ଅନୁପଲଭ୍ୟ କରାଇଦେଇଛନ୍ତି । ତେଣୁ ସବୁ ଓଡ଼ିଆଙ୍କ ଅବଗତି ପାଇଁ ମୁଁ ତାର ଏକ ଓଡ଼ିଆ ଅନୁବାଦ କରି scribd॰comରେ ସ୍ଥାନିତ କରିଛି । ତାହାକୁ ଏଠାରେ ରଖୁଛି ଆଲୋଚନାର ସୁବିଧା ପାଇଁ ।

Legislation Proposed by Sub… by on Scribd

(କ୍ରମଶଃ)
୩୧.୫.୨୦୧୯

ସରିଯାଇଥିବା ବିଧାନସଭା ଓ ଆମ ଭାଷା -୪

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ବିଧାନସଭାର ସମସ୍ତ ସଭ୍ୟଙ୍କ ସମ୍ମୁଖରେ ଥିଲା ମନ୍ତ୍ରୀଙ୍କ ପୂର୍ବୋଦ୍ଧୃତ୍ତ ଉପୋଦ୍ଘାତୀ ଭାଷଣ ଏବଂ ବିଧେୟକଟିର ମଞ୍ଜ-ଭିନ୍ନତାର ନଗ୍ନ ରୂପ । କିନ୍ତୁ ଏହି ନଗ୍ନ ଭିନ୍ନତା କୌଣସି ଜଣେ ବି ବିଧାୟକଙ୍କୁ ବିଚଳିତ କରିନଥିଲା ।

ଆମ ବିଧାୟକମାନେ , ଯେଉଁମାନେ ବି ବିତର୍କରେ ଅଂଶ ଗ୍ରହଣ କରିଥିଲେ, ମନ୍ତ୍ରୀଙ୍କ ବୟାନ ସହ ବିଧେୟକର ଦୃଶ୍ୟମାନ ଭିନ୍ନତା ଦେଖି ସୁଦ୍ଧା ସେ ବିଷୟରେ ପାଟି ଫିଟାଇ ନଥିଲେ ।

ବିଧାୟକମାନେ କଣ କଲେ?

ଏହା ପ୍ରତ୍ୟକ୍ଷ କରିବା ପାଇଁ ସେଦିନ ବିଧାନସଭାରେ ଯେଉଁ ବିତର୍କ ହୋଇଥିଲା ତାହାର ପ୍ରାସଙ୍ଗିକ ଅଂଶ ସମସ୍ତଙ୍କ ଅବଗତିକୁ ଆସିବା ଆବଶ୍ୟକ ।

ଅମର ପ୍ରସାଦ ଶତପଥୀ ଥିଲେ ସରକାରୀ ମୁଖ୍ୟ ଛାଟିଆ । ଭାଷା ଆନ୍ଦୋଳନ ପ୍ରତି ତାଙ୍କର ନୈତିକ ସମର୍ଥନ ସନ୍ଦେହାତୀତ । ଆମ ଆନ୍ଦୋଳନ ସମ୍ପର୍କରେ ଦି ପଦ ସ୍ଵୀକୃତିସୂଚକ କଥା କହିଥିଲେ ମଧ୍ୟ ବିଧେୟକଟିରେ ବିଧିସ୍ଵୀକୃତ ହେବାକୁ ଥିବା ଜାଲିଆତି ଉପରେ ସେ ପଡେ ବି ପାଟି ଫିଟାଇ ନଥିଲେ । ମୁଖ୍ୟମନ୍ତ୍ରୀ ୨୭.୪.୨୦୧୮ରେ ବିଧେୟକଟିକୁ ଗୃହରେ ରଖିଥିଲେ । ତହିଁର ଅନୁଧ୍ୟାନ କଲା ପରେ ଏହି ନଭମଞ୍ଚରେ ତାର ଅନ୍ତର୍ନିହିତ ତ୍ରୁଟି ଓ ତଦ୍ଦ୍ଵାରା ହେବାକୁ ଯାଉଥିବା କ୍ୟାବିନେଟ୍ ସ୍କାମ୍ ସମ୍ପର୍କରେ ଏହି ନଭମଞ୍ଚରେ ଲେଖିଥିଲି ଓ ତାର ନକଲ ଶ୍ରୀ ଶତପଥିଙ୍କ ସମେତ ବହୁ ବିଧାୟକଙ୍କୁ ଦେଇଥିଲି ।

ମୁଁ ଲେଖିଥିଲି, ସଂଶୋଧନ ବିଧେୟକଟି ମୂଳ ଅଧିନିୟମରେ ‘୪କ’ ନାମକ ଏକ ନୂଆ ଧାରା ଯୋଡ଼ିବ, ଯହିଁରେ ଲେଖାଥିବ:

“ସରକାର, ସରକାରୀ ଭାଷାର ବ୍ୟାପକ ବ୍ୟବହାର ନିମନ୍ତେ ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ତଥା ସେଥିରେ ଖିଲାପ କରୁଥିବା ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ଦଣ୍ଡବିଧାନ କରିବା ସକାଶେ ନିୟମାବଳୀରେ ଉପଯୁକ୍ତ ବ୍ୟବସ୍ଥାମାନ ବିହିତ କରିପାରିବେ ।”

“ଏହି ପ୍ରସ୍ତାବିତ ଧାରା ଓଡ଼ିଆ ଭାଷାର ଭୟଙ୍କର କ୍ଷତି ଘଟାଇବ; କାରଣ ମୂଳ ଆଇନଟିରେ ଓଡ଼ିଆ ଜାତିକୁ ଦିଆଯାଇଥିବା ଭାଷା ଅଧିକାରକୁ ଏହା ଅକଳ୍ପନୀୟ ଭାବେ ସଂକୁଚିତ କରିବ । ମୂଳ ଆଇନଟିରେ ସମଗ୍ର ଓଡ଼ିଶାରେ ଏବଂ ସମସ୍ତ ଓ ପ୍ରତ୍ୟେକ ଦପ୍ତରରେ ସରକାରୀ ଭାଷା ହେବ ଓଡ଼ିଆ ବୋଲି କୁହାଯାଇଛି । ଏହି ପ୍ରସ୍ତାବିତ ଧାରା ତାକୁ ଖର୍ବ କରି “ବ୍ୟାପକ ବ୍ୟବହାର” ପରି ଏକ ଆତ୍ମଘାତୀ ବ୍ୟବସ୍ଥା ସୃଷ୍ଟି କରିବ । କହିବା ନିଷ୍ପ୍ରୟୋଜନ ଯେ, “ବ୍ୟାପକ ବ୍ୟବହାର” ସମ୍ପୂର୍ଣ ବ୍ୟବହାର ନୁହେଁ । ଏହା ଗୃହୀତ ହେଲେ, ୧୯୬୩ ସଂଶୋଧନ ଦ୍ଵାରା ଇଂରାଜୀ ଭାଷାକୁ ବିଜୁ ପଟ୍ଟନାୟକ ସରକାରୀ ଭାଷାର ଯେଉଁ ମର୍ଯ୍ୟାଦା ଦିଆଇଛନ୍ତି ତାହା ବି କାଏମ ରହିବ ଓ “ସରକାରୀ ଭାଷାର ବ୍ୟାପକ ବ୍ୟବହାର” ଯେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର – ତାହା ସାବ୍ୟସ୍ତ ବି ହେବ ନାହିଁ । ଅଧିକନ୍ତୁ , ଏହା ପାରିତ ହେଲେ, ଭାଷା ଆଇନର ଉଲ୍ଲଙ୍ଘନ ପାଇଁ ସମ୍ପୃକ୍ତ କର୍ମଚାରୀଙ୍କୁ ଦଣ୍ଡବିଧାନ ହୋଇପାରେ ବା ତାଙ୍କ ବଦଳରେ ସମ୍ପୃକ୍ତ ବିଭାଗକୁ ଦଣ୍ଡବିଧାନ ହୋଇପାରେ । ଯେହେତୁ କର୍ମଚାରୀମାନେ ଆଇନ ଖିଲାପ କରିବେ ସେହେତୁ ସ୍ବଭାବିକ ଭାବେ ସେମାନେ ନିଜକୁ ନିଜେ ଦଣ୍ଡିତ ନ କରି ଦଣ୍ଡ ନଦିବେ ବିଭାଗ ମୁଣ୍ଡରେ । କାରଣ, ଏହି ସୁଯୋଗ ଏହି ଆଇନ ସଂଶୋଧନ ହିଁ ସେମାନଙ୍କୁ ଯୋଗାଇଦେବ । ବିଭାଗଟିଏ ଦଣ୍ଡିତ ହେବାର ଅର୍ଥ ଓଡ଼ିଶାର ଜନସାଧାରଣ ଦଣ୍ଡିତ ହେବା , କାରଣ ବିଭାଗଗୁଡ଼ିକର ସମସ୍ତ ଖର୍ଚ୍ଚ ଲୋକେ ବହନ କରିଥାନ୍ତି, ।“

ଏହି ବିଧେୟକର ‘ଉଦ୍ଦେଶ୍ୟ ଓ କାରଣ କଥନ’ର ତର୍ଜମା କରି ମୁଁ ଲେଖିଥିଲି,

“ଏଥିରେ ଥିବା ‘କର୍ମଚାରୀ / ଭିଭାଗ’ ଶବ୍ଦପୁଞ୍ଜକୁ ପ୍ରସ୍ତାବିତ ‘୪କ’ ଧାରାରେ ଥିବା ‘କର୍ମଚାରୀ ବା ବିଭାଗ’ ଶବ୍ଦପୁଞ୍ଜର ମଧ୍ୟବର୍ତ୍ତୀ ‘ବା’ ଶବ୍ଦ ସହାୟତାରେ ଅନୁଧ୍ୟାନ କଲେ ସ୍ପଷ୍ଟ ହୋଇଯାଏ ଯେ, ଭାଷା ଆଇନ ଉଲ୍ଲଙ୍ଘନ କରି, ବିଭାଗ ମୁଣ୍ଡରେ ଅଠା ବୋଳି , ନିରାପଦରେ ଖସିଯିବା ପାଇଁ ହିଁ ଓଡ଼ିଆବିରୋଧୀ ପଦାଧିକାରୀମାନେ ଏହି ପ୍ରପଞ୍ଚକୌଶଳ ପ୍ରୟୋଗ କରିଛନ୍ତି । ଏହି ଚିଠା ବିଧେୟକ ଯଦି ଏହି ରୂପରେ ପାରିତ ଓ ପ୍ରବର୍ତ୍ତିତ ହୁଏ , ତେବେ, ଖିଲାପକାରୀ କର୍ମଚାରୀ ବଦଳରେ ବିଭାଗମାନେ ଦଣ୍ଡିତ ହେବେ । ବିଭାଗମାନେ ଦଣ୍ଡିତ ହେବା ଅର୍ଥ ରାଜ୍ୟବାସୀ ଦଣ୍ଡିତ ହେବା ସୁନିଶ୍ଚିତ ।“

ଓଡ଼ିଆ ବିଦ୍ଵେଷୀମାନଙ୍କ ଚକ୍ରାନ୍ତ ହେତୁ କିପରି ଏହି ବିଧେୟକରେ ଜାଲିଆତିର ଉପଯୋଗ କରାଯାଇଛି ତାହା ମଧ୍ୟ ମୁଁ ଦର୍ଶାଇଥିଲି । ମୁଁ ଲେଖିଥିଲି,

“୧୪. ୩ . ୨୦୧୮ ତାରିଖରେ ଅନୁଷ୍ଠିତ ବୈଠକରେ ଏହି ମନ୍ତ୍ରୀମଣ୍ଡଳ ୨୬. ୧ ୨. ୨୦୧୭ ତାରିଖର “ଦେଖାସୁନ୍ଦରୀ ବଉଳୀଗାଈ” ପ୍ରସ୍ତାବକୁ କେବଳ ନିରସ୍ତ (supersede) କରାଇଥିଲା ତା ନୁହେଁ, ଭାଷା ଆଇନ ଉଲ୍ଲଙ୍ଘନ ଦୋଷରେ କୌଣସି ବିଭାଗ ନୁହେଁ, ପରନ୍ତୁ କେବଳ କର୍ମଚାରୀ ଓ ପଦାଧିକାରୀମାନେ ଦଣ୍ଡିତ ହେବେ ବୋଲି ସ୍ପଷ୍ଟ କରି ଏବଂ “ଆଇନଟିରେ ଦଣ୍ଡବିଧାନ ବ୍ୟବସ୍ଥା ନ ଥିବା ହେତୁ ତାହା କାର୍ଯ୍ୟକାରୀ ହୋଇପାରୁନି” ବୋଲି ସ୍ବୀକାର କରି, ଏହାର ପ୍ରତିକାର ପାଇଁ ଖିଲାପକାରୀ କର୍ମଚାରୀ ଓ ପଦାଧିକାରୀମାନଙ୍କ ବିରୁଦ୍ଧରେ ଦଣ୍ଡବିଧାନ ବ୍ୟବସ୍ଥା ଖଞ୍ଜି ତୁରନ୍ତ ଆଇନ ସଂଶୋଧନ ପାଇଁ ନିର୍ଦ୍ଦେଶ ଦେଇ ସଂଶୋଧନର “ଉଦ୍ଦେଶ୍ୟ ଓ କାରଣ” ମଧ୍ୟ ନିର୍ଦ୍ଦିଷ୍ଟ କରିଥିଲା ।

କ୍ଷୋଭର କଥା, ମୁଖ୍ୟମନ୍ତ୍ରୀ ଆଗତ କରିଥିବା ସଂଶୋଧନ ବିଧେୟକରେ ଓଡିଶା ସରକାରୀ ଭାଷା ଆଇନ ବ୍ୟାପାରରେ ସବୁଠୁ ବଡ଼ ନିର୍ଣ୍ଣାୟକ ନିଷ୍ପତ୍ତି ନେଇଥିବା ୧୪. ୩ . ୨୦୧୮ର ମନ୍ତ୍ରୀମଣ୍ଡଳ ବୈଠକର ନିଷ୍ପତ୍ତିକୁ ଉଦ୍ଦେଶ୍ୟମୂଳକ ଭାବେ ନିଶ୍ଚିହ୍ନ କରି ନିରସ୍ତ ହୋଇସାରିଥିବା ୨୬. ୧ ୨. ୨୦୧୭ ତାରିଖର “ଦେଖାସୁନ୍ଦରୀ ବଉଳୀଗାଈ” ପ୍ରସ୍ତାବକୁ ଭାଷା ଆଇନ ଖିଲାପକାରୀଙ୍କୁ ସୁହାଇଲା ପରି ଟ୍ୟାମ୍ପର କରି ସଂଶୋଧନର ଭିତ୍ତି ଭାବେ ପ୍ରଦର୍ଶିତ କରାଯାଇଛି । କାରଣ ଏତଦ୍ଦ୍ଵାରା ହିଁ କେବଳ ଭାଷା ଆଇନର ତୁରନ୍ତ କାର୍ଯ୍ୟକାରିତା ବନ୍ଦ କରାଯାଇ ପାରିବ ଓ କର୍ମଚାରୀମାନେ “ନିର୍ଦ୍ଦିଷ୍ଟ” କରିବାକୁଥିବା “ମାନଦଣ୍ଡ” ଓ “କ୍ଷେତ୍ର” ଭିତରେ ଓଡ଼ିଆ ଜାତିର ଭାଷା ଜନନୀକୁ କଏଦୀ କରି ରଖାଯାଇପାରିବ ଏବଂ କର୍ମଚାରୀମାନଙ୍କ ଦୋଷ ପାଇଁ ବିଭାଗଗୁଡ଼ିକୁ ଅର୍ଥାତ୍ ଓଡ଼ିଶାର ଜନସାଧାରଣଙ୍କୁ ଦଣ୍ଡିତ କରାଯାଇ ପାରିବ ।

ମନ୍ତ୍ରିମଣ୍ଡଳର ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତିକୁ ଜଣେ ମୁଖ୍ୟମନ୍ତ୍ରୀ ଯେ ନିଶ୍ଚିହ୍ନ କରିଦେଇପାରନ୍ତି ତାହା ଅକଳ୍ପନୀୟ । ସେ ଯଦି ଏହା ନ କରିଥିବେ ଓ ସମ୍ପୃକ୍ତ ଶାସନ ସଚିବଙ୍କୁ ବିଶ୍ଵାସ କରି ତାଙ୍କଦ୍ଵାରା ତିଆରି ଚିଠାକୁ ଅନୁମୋଦନ ଦେଇଥିବେ , ତେବେ ତାଙ୍କର କର୍ତ୍ତବ୍ୟ ହେଉଛି, ଏହି ଚିଠାକୁ ପାରିତ ନ କରାଇ ସ୍ଥଗିତ ରଖିବା ଓ ପରେ ୧୪. ୩ . ୨୦୧୮ର ମନ୍ତ୍ରୀମଣ୍ଡଳ ନିଷ୍ପତ୍ତିକୁ ଆଧାର କରି ପୁନରାୟ ଏହାକୁ ସଠିକ ଭାବେ ଆଗତ କରିବା; କାରଣ ଯେଉଁ ରୂପରେ ଏହି ଚିଠା ବିଧାନସଭା ସମ୍ମୁଖରେ ରଖାଯାଇଛି ସେହି ରୂପରେ ଏହା ଗୃହୀତ ହୋଇଗଲେ ଓଡ଼ିଆ ଜାତି ତା ମାତୃଭାଷା କ୍ଷେତ୍ରରେ ପ୍ରବଞ୍ଚିତ ହୋଇ ରହିବ ।”

ଏହା ଅବଗତ ହୋଇଥିବା ସତ୍ତ୍ୱେ ଶ୍ରୀ ଶତପଥି ତାଙ୍କ ଭାଷଣରେ ଏହି ପ୍ରଚଣ୍ଡ ତଞ୍ଚକତା ସମ୍ପର୍କରେ ପାଟି ଫିଟାଇ ନଥିଲେ । ଦଣ୍ଡବିଧାନ ଶବ୍ଦଟି ଏହି ବିଧାୟକରେ ଥିବାରୁ ସେ ଏହାକୁ ସମର୍ଥନ କରିଥିଲେ ଏହା ହିଁ କହି ଯେ, “ଯେଉଁ ଭାଷା ପ୍ରେମୀ ଆନ୍ଦୋଳନ କରୁଥିଲେ, ତାଙ୍କର ମଧ୍ୟ ଏହି ଦାବି ଥିଲା ।” ବାସ୍ତବତାର ଏହାଠୁ ବଳି ବିକଟାଳ ବୈପରିତ୍ୟ କଣ ଆଉ ଥାଇପାରେ ? (କ୍ରମଶଃ)
୨୯.୫.୨୦୧୯

ସରିଯାଇଥିବା ବିଧାନସଭା ଓ ଆମ ଭାଷା – ୩

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଯେଉଁ କ୍ୟାବିନେଟ୍ ପ୍ରସ୍ତାବକୁ ଜାଲିଆତି ବଳରେ ଏହି ସଂଶୋଧନ-ବିଧେୟକ ସହ ଯୋଡ଼ା ଯାଇଛି ସେହି ପ୍ରସ୍ତାବଟି ସହ ପ୍ରଣୀତ ସଂଶୋଧନର ଭାଷା ମିଳାଇ ଦେଖିଲେ ଏହି ଜାଲିଆତିର ଉତ୍କଟତା କେତେ ଉତ୍କଟ ଓ କିପରି ଇଚ୍ଛାକୃତ ତାହା ଜାଣି ହେବ । ଏଥିପାଇଁ, ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ବିଧେୟକଟିକୁ ବିଚାର ପାଇଁ ଉପସ୍ଥାପିତ କରି ସାଂସଦୀୟ ବ୍ୟାପାର ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କଣ କହିଥିଲେ,ତାହା ପ୍ରଥମେ ଦେଖାଯାଉ ।

ନଗ୍ନ ଜାଲିଆତି

ଶ୍ରୀ ଆରୁଖ କହିଥିଲେ,

“ସାର୍ , ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରୁଥିବା କର୍ମଚାରୀ ଏବଂ ବିଭାଗକୁ ପ୍ରୋତ୍ସାହିତ କରିବା ଏବଂ ଓଡ଼ିଆ ଭାଷା ବ୍ୟବହାରରେ ଖିଲାପକାରୀ କର୍ମଚାରୀ ଏବଂ ବିଭାଗକୁ ଦଣ୍ଡିତ କରିବା ଉଦ୍ଦେଶ୍ୟରେ ଆମ ରାଜ୍ୟ କ୍ୟାବିନେଟ୍ ତାଙ୍କର ତା୨୬.୧୨.୨୦୧୭ରିଖ ଦିନ ଅନୁଷ୍ଠିତ ୫୧ତମ ବୈଠକରେ ଓଡ଼ିଶା ସରକାରୀ ଭାଷା ଅଧିନିୟମ, ୧୯୫୪ରେ ଆବଶ୍ୟକୀୟ ସଂଶୋଧନ ଆଣିବାପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ । ତଦନୁଯାୟୀ ଏହି ଓଡ଼ିଶା ସରକାରୀ ଭାଷା ସଂଶୋଧନ ବିଧେୟକ, ୨୦୧୮ ଅଣାଯାଇଛି । ଏବଂ ଏହି ବିଧେୟକ ଆଇନରେ ପରିଣତ ହେଲେ ଉପରୋକ୍ତ ଉଦ୍ଦେଶ୍ୟ ସାଧିତ ହୋଇପାରିବ ।”

ସେ ଏହି ଯେଉଁ କଥା କହିଲେ, ତାହା ବିଧେୟକଟିରେ ଥିଲା କି ? ବିଧେୟକଟି ଓଡ଼ିଶା ସରକାରୀ ଭାଷା ଆଇନ, ୧୯୫୪ରେ କେବଳ ଗୋଟିଏମାତ୍ର ଧାରା ଯୋଡ଼ିବା ପାଇଁ ଉଦ୍ଦିଷ୍ଟ ଥିଲା । ସେହି ଧାରାଟି ହେଲା ଧାରା -୪କ । ମନ୍ତ୍ରୀଙ୍କ କଥା ସହ ଏହି ଧାରା ‘୪କ’ଟିକୁ ମିଳାଇଲେ ଏହି ଉତ୍କଟ ଜାଲିଆତି ଆଖିଆଗରେ ସ୍ପଷ୍ଟ ହୋଇଯାଏ । ଧାରାଟି ହେଲା:

“୪କ – ସରକାର, ସରକାରୀ ଭାଷାର ବ୍ୟାପକ ବ୍ୟବହାର ନିମନ୍ତେ ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ତଥା ସେଥିରେ ଖିଲାପ କରୁଥିବା ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ଦଣ୍ଡବିଧାନ କରିବା ସକାଶେ ନିୟମାବଳୀରେ ଉପଯୁକ୍ତ ବ୍ୟବସ୍ଥାମାନ ବିହିତ କରିପାରିବେ ।“

ଏହି ବିଧେୟକର ଭିତ୍ତି ଭାବେ ବ୍ୟବହାର କରାଯାଇଥିବା ପ୍ରସ୍ତାବଟିରେ “ବିଭାଗ ତଥା କର୍ମଚାରୀ” ଲେଖା ହୋଇଥିବା ବେଳେ, ମନ୍ତ୍ରୀ ଆରୁଖ ବି ସେହି ଏକା କଥା କହିଥିଲେ, କର୍ମଚାରୀ ଏବଂ ବିଭାଗକୁ ପ୍ରୋତ୍ସାହନ ବା ଦଣ୍ଡବିଧାନ କରାଯିବ ବୋଲି । କାରଣ ‘ତଥା’ ଯାହା ‘ଏବଂ’ ବି ତାହା । କିନ୍ତୁ ଯେଉଁ ୪କ ଧାରା ବିଧେୟକଟିରେ ସ୍ଥାନିତ ହୋଇଥିଲା ତହିଁରେ “କର୍ମଚାରୀ ଏବଂ ବିଭାଗ“ ଲେଖା ନ ହୋଇ ଲେଖା ହୋଇଥିଲା “କର୍ମଚାରୀ ବା ବିଭାଗ”“କର୍ମଚାରୀ ଏବଂ ବିଭାଗ“ କହିଲେ ଯାହା “କର୍ମଚାରୀ ବା ବିଭାଗ” କହିଲେ କଣ ତାହା ? ‘ତଥା’ ଶବ୍ଦଟିର ଅର୍ଥ ଯାହା, ‘ଏବଂ’ ଶବ୍ଦଟିର ଅର୍ଥ ସିନା ସେଇଆ , କିନ୍ତୁ ‘ବା’ ଶବ୍ଦଟିର ଅର୍ଥ କଣ ତାହା? ମନ୍ତ୍ରୀ ଆରୁଖ ତାଙ୍କ ଉପୋଦ୍ଘାତୀ ଭାଷଣ ଦେଲାବେଳେ ସେ ଗୃହୀତ ହେବାକୁ ଚାହୁଁଥିବା ୪କ ଧାରାର ସ୍ୱରୂପ ଦେଖିନଥିଲେ କି ବିଧାନସଭାକୁ ଅନ୍ଧକାରରେ ରଖିବା ମତଲବରେ ଏପରି ସମ୍ପୂର୍ଣ ବିଭ୍ରାନ୍ତିକରକ ମିଥ୍ୟା କଥା କହିଥିଲେ? ମନ୍ତ୍ରୀଙ୍କ ବଚନ ଓ ବିଧେୟକର ବଚନ ଦି ପ୍ରକାର କିପରି ହେଲା ? ଯଦି କୁହାଯାଏ ମୁଖ୍ୟମନ୍ତ୍ରୀ ଏ ବିଧେୟକ ପ୍ରସ୍ତୁତ କରିଥିଲେ, ମନ୍ତ୍ରୀ ଆରୁଖ କେବଳ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ତାକୁ ରୋବଟ ପରି ଥୋଇଥିଲେ ଓ ତେଣୁ ୪କରେ କଣ ଲେଖଥିଲା ଜାଣି ନଥିଲେ, ତେବେ ତାହା ସେ ସ୍ଵୀକାର କରନ୍ତୁ, ଆମେ ମୁଖ୍ୟମନ୍ତ୍ରୀଙ୍କୁ ପଚାରିବୁ, ଏହି ଜାଲିଆତି ସେ କରିଥିଲେ କାହିଁକି ତାହା ବିଳମ୍ବରେ ହେଲେ ମଧ୍ୟ ରାଜ୍ୟବାସୀଙ୍କୁ କହିବାକୁ ।

ମାତ୍ର ଏପରି ଦାୟିତ୍ଵ ଖସାଇବାକୁ ଚେଷ୍ଟା କଲେ ମଧ୍ୟ ଇତିହାସ ପାଖରେ ଆରୁଖ ଉତ୍ତରଦାୟୀ ହୋଇ ରହିବାକୁ ବାଧ୍ୟ । କାରଣ, ବିଧେୟକଟିରେ ୨୬.୧୨.୨୦୧୭ ପ୍ରସ୍ତାବର ବିପରୀତ ଶବ୍ଦ ବ୍ୟବହୃତ ହୋଇଥିଲା ବେଳେ, ସେ ସେହି କ୍ୟାବିନେଟ୍ ବ୍ୟବହାର କରିଥିବା “କର୍ମଚାରୀ ତଥା ବିଭାଗ” ଶବ୍ଦପୁଞ୍ଜକୁ ସମ୍ପୂର୍ଣତଃ ମନେ ପକାଇ “କର୍ମଚାରୀ ଏବଂ ବିଭାଗ” ବୋଲି ତାଙ୍କ ଭାଷଣରେ କହିଛନ୍ତି । ଯଦି ତାଙ୍କ ସ୍ମରଣ ଶକ୍ତି ଏପରିଭାବେ ଠିକ୍ ଥିଲା, ତେବେ ସେହି କ୍ୟାବିନେଟ୍ ପ୍ରସ୍ତାବକୁ ଅତିକ୍ରମ କରି ଭାଷା ଆଇନ ସଂଶୋଧନ ପାଇଁ ୧୪.୩.୨୦୧୮ ତାରିଖରେ ଯେଉଁ ନୂଆ ପ୍ରସ୍ତାବ ହୋଇଥିଲା, ସେହି ପ୍ରସ୍ତାବଟି ତାଙ୍କର ନିଶ୍ଚୟ ସ୍ମରଣ ଥିବା କଥା । ସୁତରାଂ ସେ ସେହି ପ୍ରସ୍ତାବ ଭିତ୍ତିରେ ବିଧେୟକଟି ନ ଆସି ଅତିକ୍ରାନ୍ତ କରାହୋଇସାରିଥିବା ୨୬.୧୨.୨୦୧୭ ତାରିଖର ପ୍ରସ୍ତାବ ଉପରେ କିପରି ଆଗତ ହୋଇଛି ବୋଲି ପ୍ରଥମେ ପ୍ରଶ୍ନ କରିଥାନ୍ତେ ଓ ୪କ ଧାରାର ତତ୍କାଳ ସଂଶୋଧନ କରାଇ, ସଂଶୋଧିତ ବିଧେୟକକୁ ବିଧାନସଭାରେ ପୁନଃ ସ୍ଥାପିତ କରାଇପାରିଥାନ୍ତେ । ସେ ତାହା କରିନଥିଲେ ଓ ଜାଣିଶୁଣି ବିଧାନସଭାକୁ ପ୍ରତାରିତ କରିଥିଲେ ।

ଏତଦ୍ଦୃଷ୍ଟିରୁ ଦେଖିଲେ ୧.୫.୨୦୧୮ ତାରିଖରେ ଭାଷା ଆଇନ ସଂଶୋଧନ ଆଳରେ ଯେଉଁ ନଗ୍ନ ଜାଲିଆତିର ଜାଲରେ ବିଧାନସଭାକୁ ଛନ୍ଦି ଦିଆଯାଇଥିଲା ତାର ଖଳନାୟକ ଯଦି ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାଙ୍କ ତରଫରୁ ବିଧାନସଭାକୁ ଭୁଆଁ ବୁଲାଇବାର ଦାୟିତ୍ଵ ନେଇ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉପଖଳନାୟକର ଭୂମିକା ନିର୍ବାହ କରିଥିଲେ । (କ୍ରମଶଃ)
(୨୮.୫.୨୦୧୮)

ସରିଯାଇଥିବା ବିଧାନସଭା ଓ ଆମ ଭାଷା -୨

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଆ ଜାତି ବିରୁଦ୍ଧର ଯେଉଁ କୁତ୍ସିତ ଅପରାଧ ଓଡ଼ିଶା ବିଧାନସଭାରେ ଘଟିଗଲା ତାହାର ସାମାନ୍ୟ ଆକଳନ କରିବା ପାଇଁ ଭାଷା ବିଧେୟକ ସହ ସେହି ଏକା ଦିନରେ ପାରିତ ହୋଇଥିବା ଅନ୍ୟ ବିଧେୟକଗୁଡ଼ିକୁ ଆମେ ମିଳାଇ ଦେଖିବା ଅକବଶ୍ୟକ ।

ଅନ୍ୟ ବିଧେୟକରେ ନ ଥିଲା, ଏଥିରେ ଥିଲା । କାହିଁକି?

ସେଦିନ ୧.୫.୨୦୧୮ ତାରିଖରେ ବିଧାନସଭା ସମ୍ମୁଖରେ ‘ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ବିଧେୟକ,୨୦୧୮’ ଏକ ମାତ୍ର ବିଧେୟକ ନ ଥିଲା । ଆହୁରି ୪ ଗୋଟି ବିଧେୟକ ସେଦିନ “ବିଚାର ଓ ପାରିତ” ହେବା ପାଇଁ ଥିଲା ଏବଂ ବିଚାର ବିତର୍କ ଶେଷରେ ପାରିତ ବି ହୋଇଥିଲା । ସେଗୁଡ଼ିକ ହେଲା – (୧) ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ (ସଂଶୋଧନ) ବିଧେୟକ, ୨୦୧୮; (୨) ଓଡ଼ିଶା ବିଧାନସଭା ବାଚସ୍ପତିଙ୍କ ଦରମା ଓ ଭତ୍ତା (ସଂଶୋଧନ) ବିଧେୟକ, ୨୦୧୮; (୩) ଓଡ଼ିଶା ବିଧାନସଭା ଉପବାଚସ୍ପତିଙ୍କ ଦରମା ଓ ଭତ୍ତା (ସଂଶୋଧନ) ବିଧେୟକ, ୨୦୧୮ ଓ (୪) ଓଡ଼ିଶା ମନ୍ତ୍ରୀମାନଙ୍କ ଦରମା ଓ ଭତ୍ତା (ସଂଶୋଧନ) ବିଧେୟକ, ୨୦୧୮ ।

କେଉଁ ତାରିଖରେ କେତେବେଳେ ଅନୁଷ୍ଠିତ କେଉଁ ସଂଖ୍ୟକ ମନ୍ତ୍ରୀମଣ୍ଡଳ ବୈଠକରେ ଗୃହୀତ ପ୍ରସ୍ତାବ ଅନୁସାରେ ସେଗୁଡ଼ିକ ଭିତରୁ କେଉଁ ବିଧେୟକ ପ୍ରସ୍ତୁତ ହୋଇଥିଲା ତାହା ଏହି ୪ ଗୋଟିଯାକ ବିଧେୟକରୁ କୌଣସି ଗୋଟିକର “କାରଣ ଓ ଉଦ୍ଦେଶ୍ୟ କଥନ”ରେ ବି ଲେଖା ହୋଇନାହିଁ । କେବଳ ଏହି ଗୋଟିକମାତ୍ର ବିଧେୟକ – ‘ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ବିଧେୟକ, ୨୦୧୮’ର “କାରଣ ଓ ଉଦ୍ଦେଶ୍ୟ କଥନ”ରେ ଲେଖା ହୋଇଛି, “ତା୨୬.୧୨.୨୦୧୭ରିଖରେ ଡିବା ଘ ୧୧.୧୫ ମିନିଟ ସମୟରେ ଅନୁଷ୍ଠିତ ହୋଇଥିବା ମନ୍ତ୍ରୀମଣ୍ଡଳର ୫୧ତମ ବୈଠକର ନିଷ୍ପତ୍ତି ଅନୁସାରେ” ଏହି ବିଧେୟକ ପ୍ରଣୀତ ହୋଇଛି? ଏ ବ୍ୟତିକ୍ରମ କାହିଁକି?

ଯେଉଁମାନେ ପଞ୍ଚଦଶ ବିଧାନସଭାରେ ଏ ଜାତିର ସର୍ବୋଚ୍ଚ ନିୟନ୍ତା ଭାବେ ଝଲସୁଥିଲେ , ସେମାନଙ୍କ ଭିତରୁ କେହି ବି ଏହି ତାରତମ୍ୟ ଉହାଡ଼ରେ ଲୁକ୍କାୟିତ ଥିବା ଅଭିସନ୍ଧି ପ୍ରତି ଦୃଷ୍ଟି ଦେଲେ ନାହିଁ , ଯଦିଓ ଏହି ଲୁକ୍କାୟିତ ଅଭିସନ୍ଧି ସମ୍ପର୍କରେ ସେମାନଙ୍କୁ ମୁଁ ଅବଗତ କରାଇଥିଲି ମୋ ଲେଖା ମାଧ୍ୟମରେ ଓ ଅଧିକାଂଶଙ୍କୁ ବ୍ୟକ୍ତିଗଳ ଭାବେ । ଏହା ଓଡ଼ିଆ ଜାତି ବିରୁଦ୍ଧରେ ଓ ଓଡ଼ିଶା ବିଧାନସଭା ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ କୁତ୍ସିତ ଓ ଭୟଙ୍କର ଅପରାଧ ଥିଲା । ଏହା ଥିଲା ଏକ କ୍ୟାବିନେଟ୍ ସ୍କାମ୍ । ଏହା ଥିଲା ୧୪.୩.୨୦୧୮ ତାରିଖରେ ଅନୁଷ୍ଠିତ କ୍ୟାବିନେଟ୍ ପ୍ରସ୍ତାବକୁ ଅତ୍ୟନ୍ତ ଅନଧିକୃତ ଭାବେ ମୁଖ୍ୟମନ୍ତ୍ରୀ ଲୁଚେଇ ଦେଇଥିବାର ଜଘନ୍ୟ ଅପରାଧ । ଏବଂ ବିଧାନସଭାକୁ ଏହି ସର୍ବାଧିକ ପ୍ରାସଙ୍ଗିକ କ୍ୟାବିନେଟ୍ ପ୍ରସ୍ତାବ ସମ୍ପର୍କରେ ସମ୍ପୂର୍ଣ ଅନ୍ଧକାରରେ ରଖି ଦୁରଭିସନ୍ଧି ସହ ବିଭ୍ରାନ୍ତ କରିଥିବାର ଅପରାଧ । ଏତଦ୍ଦ୍ବାରା ମୁଖ୍ୟମନ୍ତ୍ରୀ ବିଧାନସଭାକୁ ନିଜ ଜାଲିଆତିର ଶିକାର କରିବାକୁ ଯାଉଥିବା ମୁଁ orissamatters॰comରେ ସ୍ପଷ୍ଟ ଅଭିଯୋଗ କରିଥିଲି । ଶୀର୍ଷକ ଥିଲା, ‘A FRAUD PERPETRATED BY THE CM ON THE CABINET’ , ଯାହାର ନକଲ ମୁଁ ବହୁ ବିଧାୟକଙ୍କ ହାତରେ ବି ଦେଇଥିଲି ଓ ଏହି ଜାଲିଆତି କବଳରୁ ଓଡ଼ିଶାକୁ ରକ୍ଷା କରିବାକୁ ସେମାନଙ୍କୁ ନିବେଦନ କରିଥିଲି । ଦଳମତ ନିର୍ବିଶେଷରେ ବିଧାନସଭାର ସଭ୍ୟମାନେ ଏବଂ ମନ୍ତ୍ରୀମାନେ ଓଡ଼ିଶା ପ୍ରତି ପ୍ରତିବଦ୍ଧ ହୋଇ ରହିବା ଅପେକ୍ଷା ,ମୁଖ୍ୟମନ୍ତ୍ରୀଙ୍କ ବଶମ୍ବଦ ହୋଇ ରହିବାକୁ ଏତେ ବ୍ୟଗ୍ର ଥିଲେ ଯେ, ଉପରୋକ୍ତ ଦୃଶ୍ୟମାନ ଜାଲିଆତି ଓ ବ୍ୟତିକ୍ରମ ସତ୍ତ୍ୱେ ଏହି ବିଧେୟକର “କାରଣ” ଭାବେ ତହିଁର ‘ଉଦ୍ଦେଶ୍ୟ ଓ କାରଣ କଥନ’ରେ ଅବିଚ୍ଛେଦ୍ୟ କରାଯାଇଥିବା କ୍ୟାବିନେଟ ପ୍ରସ୍ତାବଟିକୁ ବିଧାନସଭାରେ ଉପସ୍ଥାପିତ କରିବାକୁ ଉପସ୍ଥାପନକାରୀ ମନ୍ତ୍ରୀଙ୍କୁ କହିବାକୁ ଓ ୧୪.୩.୨୯୧୮ର କ୍ୟାବିନେଟ ପ୍ରସ୍ତାବ କୁଆଡ଼େ ଗଳବୋଲି ତାଙ୍କୁ ପଚାରିବାକୁ ସାହସ କରିପାରିଲେନାହିଁ । ସେମାନେ ଯଦି ଏହି ଅପରାଧ ସହ ହାତ ମିଳେନାଥାନ୍ତେ , ତେବେ ଓଡ଼ିଆ ଜାତି ବିରୁଦ୍ଧରେ ଚାଲିଥିବା ଷଡ଼ଯନ୍ତ୍ର ଧରା ପଡ଼ିଯାଇଥାନ୍ତା ଓ ଓଡ଼ିଶା ସରକାରୀ ଭାଷା ଆଇନର ଶିରଛେଦ କରିବାକୁ ଅଣଓଡ଼ିଆ / ଇଂରାଜିମନସ୍କ ଅମଲାତନ୍ତ୍ର ଦ୍ଵାରା ପରିଚାଳିତ ମୁଖ୍ୟମନ୍ତ୍ରୀ ସକ୍ଷମ ହୋଇନଥାନ୍ତେ ।

ଯଦି ଅନ୍ୟ ବିଧେୟକରେ ରହିଲା, ଏଥିରେ କାହିଁକି ନରହିଲା?

ସେହି ଏକା ଦିନ ଆଲୋଚିତ ଓ ପାରିତ ହୋଇଥିବା ଅନ୍ୟ ଏକ ଭାଷା କୈନ୍ଦ୍ରିକ ବିଧେଯକ ପ୍ରତି ଡୃଷ୍ଟି ଦେଲେ, ସରକାରୀ ଭାଷା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ତଞ୍ଚକତାର ଭିନ୍ନ ଏକ ପାଖୁଡ଼ା ମେଲେଇ ହୋଇଯାଏ । ସେ ବିଧେୟକଟି ହେଲା ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ (ସଂଶୋଧନ) ବିଧେୟକ, ୨୦୧୮’ ।

ଗତ “ତା୨୬.୧୨.୨୦୧୭ରିଖରେ ଦିବା ଘ ୧୧.୧୫ ମିନିଟ ସମୟରେ ଅନୁଷ୍ଠିତ ହୋଇଥିବା ମନ୍ତ୍ରୀମଣ୍ଡଳର ୫୧ତମ ବୈଠକ”ରେ ୨୦ଟି ଭାଷାକୈନ୍ଦ୍ରିକ ନିଷ୍ପତ୍ତି ନିଆଯାଇଥିଲା । ତହିଁର ୪ ନମ୍ବର ପ୍ରସ୍ତାବ ଅନୁସାରେ ଉପରୋକ୍ତ ବିଧେୟକଟି ଆଗତ ହୋଇଥିଲା । ତାହା ନିମ୍ନରେ ଉଦ୍ଧୃତ୍ତ ହେଲା :

“ସମସ୍ତ ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାର ନାମ ଫଳକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କରାଯିବା ବାଧ୍ୟତାମୂଳକ କରିବା ପାଇଁ ‘ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ, ୧୯୫୬’ରେ ଆବଶ୍ୟକୀୟ ସଂଶୋଧନ ଅଣାଯିବ । ଏଥିରେ ଖିଲାପକାରୀକୁ ଦଣ୍ଡର ବ୍ୟବସ୍ଥା ରହିବ । ଖିଲାପକାରୀଙ୍କ ବିରୁଦ୍ଧରେ ତଥ୍ୟ ଦାଖଲ କରିବା ପାଇଁ ଏକ ସ୍ଵତନ୍ତ୍ର ପୋର୍ଟାଲ ପ୍ରଚାଳନ କରାଯିବ , ଯାହା ଫଳରେ ଏହାର ଅନୁପାଳନ ନିଶ୍ଚିତ କରାଯାଇପାରିବ ।“

ଏଥିରେ ଯେମିତି ଖିଲାପକାରୀଙ୍କୁ ଦଣ୍ଡ ପ୍ରଦାନ ପାଇଁ ଆଇନ ସଂଶୋଧନ କଥା କୁହା ହୋଇଥିଲା, ସରକାରୀ ଭାଷା ସମ୍ପର୍କୀୟ ୩ ନମ୍ବର ପ୍ରସ୍ତାବରେ ବି ସେମିତି ଖିଲାପକାରୀଙ୍କୁ ଦଣ୍ଡ ପ୍ରଦାନ ପାଇଁ ଆଇନ ସଂଶୋଧନ କଥା କୁହା ହୋଇଥିଲା । ମାତ୍ର ଏହି ଦୁଇ ପ୍ରସ୍ତାବ ଅନୁସାରେ ଏହି ଦୁଇ ବିଧେୟକ ଯେତେବେଳେ ସମାନ ସମୟରେ ବିଧାନସଭାରେ ରଖାଗଲା, ଦେଖାଗଲା ଯେ, ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ବିଧେୟକରେ ଦଣ୍ଡର ସ୍ୱରୂପ ଓ ସୀମା ନିର୍ଦ୍ଦିଷ୍ଟ କରାଯାଇଥିବା ବେଳେ ସରକାରୀ ଭାଷା ବିଧେୟକରେ ତାହା ଆଦୌ ନଥିଲା ।

‘ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ, ୧୯୫୬’ର ଖିଲାପ କରାଗଲେ ଖିଲାପକାରୀକୁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯିବ ବୋଲି କହି ତାର ପରିମାଣ କେତେଟଙ୍କା ହେବ ତାହା ପ୍ରତିସ୍ଥାପନ ମାଧ୍ୟମରେ ସ୍ପଷ୍ଟ କରି ଦିଆହୋଇଥିଲା । ଯଥା –

“ଧାରା ୩୫॰ ଯଦି କୌଣସି ବ୍ୟକ୍ତି ଏହି ଅଧିନିୟମର କୌଣସି ବ୍ୟବସ୍ଥାର ଉଲ୍ଲଂଘନ କରନ୍ତି ତେବେ ସେ ଦୋଷୀ ସାବ୍ୟସ୍ତ ହେଲେ ପ୍ରଥମ ଥର ଅପରାଧ ନିମନ୍ତେ ଅନ୍ୟୂନ ଏକ ହଜାର ଓ ସର୍ବାଧିକ ଦଶ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନାରେ ଏବଂ ଦ୍ଵିତୀୟ ବ ପରବର୍ତ୍ତୀ ଅପରାଧ ନିମନ୍ତେ ଅନ୍ୟୂନ ଦୁଇ ହଜାର ଓ ସର୍ବାଧିକ କୋଡ଼ିଏ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ ହେବେ ।“

ଯଦି ‘ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ’ ଦେହରେ ଅର୍ଥଦଣ୍ଡର ପରିମାଣ ଏପରି ଭାବେ ବିଧିକୃତ ହୋଇପାରିଲା, ‘ଓଡ଼ିଶା ସରକାରୀ ଭାଷା ଆଇନ’, ଯାହା ଓଡ଼ିଶାର ପିଣ୍ଡ ଆଇନ, ତହିଁରେ ତାହାର ଉଲ୍ଲଂଘନ ବିରୁଦ୍ଧରେ ଅର୍ଥ ଦଣ୍ଡର ପରିମାଣ ବିଧିକୃତ ହେଲା ନାହିଁ କାହିଁକି ? ସେଦିନ “ବିଚାର ଓ ପାରିତ” ହେବାକୁ ଥିବା ସବୁ ବିଧେୟକଗୁଡ଼ିକ ଏକ ସଙ୍ଗେ ସବୁ ବିଧାୟକଙ୍କୁ ଦିଆଯାଇଥିଲା ଓ ବିଧାନସଭାରେ ଥୁଆ ହୋଇଥିଲା । ଆମ ବିଧାୟକମାନେ କାହିଁକି ଏହି ପ୍ରଶ୍ନ ତୋଳିଲେନି?

ବିଧାନସଭା ସମ୍ମୁଖରେ ସମାନ ସମୟରେ ରଖାହୋଇଥିବା ଏହି ଦୁଇଟିଯାକ ଭାଷାକୈନ୍ଦ୍ରିକ ବିଧେୟକରେ ଖାଲି ଆଖିରେ ଧରାପଡୁଥିବା ଏହି ଭିନ୍ନତାରୁ ଆଖି ଏଡ଼େଇ ନେବା ପାଇଁ ଭାଷା ବିଧେୟକଟିରେ ଯେହେତୁ ମନ୍ତ୍ରୀମଣ୍ଡଳର ପ୍ରସ୍ତାବର ଦ୍ଵାହୀ ଦିଆଯାଇଛି, ସେହେତୁ ଆମ ବିଧାୟକବର୍ଗଙ୍କର ସର୍ବନିମ୍ନ କର୍ତ୍ତବ୍ୟ ଥିଲା ସେହି ନିର୍ଦ୍ଦିଷ୍ଟ ପ୍ରସ୍ତାବଟି କଣ ଥିଲା ତାହା ଦେଖିବା । ସେମାନେ ଦେଖିଲେନି ।

କଣ ଥିଲା ସେଇ ପ୍ରସ୍ତାବ?

ପୁନରୁକ୍ତିର ବିଡ଼ମ୍ବନା ପ୍ରତି ସଚେତନ ଥାଇ, କେବଳ ଏହି ସ୍ଥିତିରେ ପ୍ରାସଙ୍ଗିକତା ଦୃଷ୍ଟିରୁ ମୁଁ ସେହି ପ୍ରସ୍ତାବଟିକୁ ଉଦ୍ଧାର କରୁଛି । ତାହା ହେଲା:

“ସରକାରୀ ଭାଷା ଆଇନ ୧୯୫୪ରେ ସଂଶୋଧନ ଅଣାଯାଇ ବିହିତ ଦଣ୍ଡବିଧାନ ବ୍ୟବସ୍ଥା ସହିତ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରୁଥିବା ବିଭାଗ ତଥା କର୍ମଚାରୀଙ୍କୁ ପ୍ରୋତ୍ସାହିତ କରାଯିବ । ଏଥିପାଇଁ ବିଭାଗଗୁଡ଼ିକ ନିର୍ଦ୍ଦିଷ୍ଟ ମାନଦଣ୍ଡ ଓ କ୍ଷେତ୍ର ନିର୍ଦ୍ଧାରଣ କରିବେ ।”

ଅର୍ଥାତ୍ ଯେଉଁ ବିଭାଗ ଏବଂ କର୍ମଚାରୀ ସରକାରୀ କାମରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରିବେ ସେହି ବିଭାଗକୁ ଏବଂ କର୍ମଚାରୀଙ୍କୁ ପ୍ରୋତ୍ସାହିତ କରାଯିବ, ଯେଉଁ ବିଭାଗ ଏବଂ କର୍ମଚାରୀ ବହୁଳ ବ୍ୟବହାର ନ କରିବେ ତାଙ୍କୁ ଦଣ୍ଡିତ କରାଯିବ । ପ୍ରସ୍ତାବଟି “ତଥା” ଶବ୍ଦ ବ୍ୟବହାର କରି ବିଭାଗ ସହ କର୍ମଚାରୀଙ୍କୁ ଯୋଡ଼ିଛି । ବିଭାଗ ଦଣ୍ଡିତ ହେଲେ ସେ ଦଣ୍ଡ କି ଦଣ୍ଡ ହେବ? ମୁଁ ମୋ ପ୍ରସ୍ତାବିତ ନିୟମାବଳୀରେ, ଅର୍ଥଦଣ୍ଡର ଯେଉଁ ବ୍ୟବସ୍ଥା ରଖିଥିଲି , ଯାହା ହିଁ ଏତେ ବର୍ଷ ପରେ ଭାଷା ଆଇନ ସଂଶୋଧନ ପାଇଁ ସରକାରୀ ଉଦ୍ୟମର ଥିଲା ମୂଳଭିତ୍ତି, ତଦନୁଯାୟୀ ବିଚାରିଲେ, ବିଭାଗଗୁଡ଼ିକ ଅର୍ଥଦଣ୍ଡରେ ଦଣ୍ଡିତ ହେବେ ବୋଲି ମନେକରାଯିବା ସ୍ଵାଭାବିକ । ବିଭାଗଗୁଡ଼ିକ ଯେହେତୁ ଜନସାଧାରଣଙ୍କ ଅର୍ଥରେ ପରିଚାଳିତ , ସେହେତୁ ସେଗୁଡ଼ିକୁ ଅର୍ଥଦଣ୍ଡ ଦିଆଯିବା ଜନସାଧାରଣଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କରିବା ସହ ସମାନ । ତେଣୁ ମୁଁ ମୋର ଉପର ସୂଚିତ ଲେଖାରେ ତାହାକୁ ବିରୋଧ କରିଥିଲି ଓ ମୋ ସହ ଏକମତ ହୋଇ ମୋର ସାଥୀମାନେ କଳା ପତାକା ଅଭିଯାନ ଜାରି ରଖିବାରୁ ରାଜ୍ୟ ମନ୍ତ୍ରୀମଣ୍ଡଳ ବାଧ୍ୟ ହୋଇ ୧୪.୩.୨୦୧୮ ତାରିଖରେ ଦଣ୍ଡବିଧାନ ପରିକଳ୍ପନାରୁ ବିଭାଗଗୁଡ଼ିକୁ ବାଦ ଦେଇ କେବଳ ପଦାଧିକାରୀ ଏବଂ କର୍ମଚାରୀଙ୍କୁ ଦଣ୍ଡ ଦେବାର ପ୍ରସ୍ତାବ ଗ୍ରହଣ କରିଥିଲା । ଦୁଃଖର କଥା, ଏହି ପ୍ରସ୍ତାବକୁ କବର ଦିଆଯାଇ ୨୬.୧୨.୨୦୧୭ର ଓଡ଼ିଆଦ୍ରୋହୀ ପ୍ରସ୍ତାବ ଉପରେ ସଂଶୋଧନ ବିଧେୟକଟିକୁ ଠିଆ କରାଇଲେ ସରକାର ଓ ଓ ଆମ ବିଧାୟକମାନେ ଏହି ସ୍କାମ୍ ଜାଣି ମଧ୍ୟ ପଟି ଫିଟାଇଲେନାହିଁ !

ଆହୁରି ଦୁଃଖର କଥା , ବିଧେୟକଟିର ଚିଠା କରାଗଲାବେଳେ ଓଡ଼ିଆଦ୍ରୋହୀଙ୍କୁ ସୁହାଇବା ପାଇଁ ସେହି ପ୍ରସ୍ତାବରେ ଅନଧିକୃତ ଭାବେ ଅଦଳବଦଳ (tampering) ବି କରାଯାଇଥିଲା, ଯାହାକୁ ବିଧାୟକମାନେ ବିଧିସମ୍ମତ କରିଦେଲେ ! ବିଧାନସଭା ହୋଇଗଲା ଜାଲିଆତିର କମାରଶାଳ ! ଲଜ୍ଜା । (କ୍ରମଶଃ)
(୨୭.୫.୨୦୧୯)