କେବଳ ଓଡ଼ିଆ ଭାଷା ହିଁ ନବୀନଙ୍କୁ ଜିତାଇଲା; ଭୁଲିଗଲେ ଭୁଲ ହେବ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନିଶ୍ଚିତ ଥିଲେ ଯେ ତାଙ୍କ କାମରେ ଖୁସି ହୋଇ ଓଡ଼ିଆ ଲୋକେ ତାଙ୍କୁ ନିଶ୍ଚୟ ଭୋଟ ଦେବେ ତା ହେଲେ ସେ କାହିଁକି ତାହା କରୁଥିଲେ ଯାହା ସେ କେବେ କରିନଥିଲେ ?

ଇଂରାଜୀ ଅକ୍ଷରରେ ଲେଖା ହୋଇଥିବା ଓଡ଼ିଆ ଭାଷଣ ଘୋଷି ସାରା ଓଡ଼ିଶା ବୁଲି ବୁଲି ସେ ଓଡ଼ିଆରେ ଭୋଟ ଭିକ୍ଷା କରିଥିଲେ ।

ଆମ ଭାଷାରେ ଆମ ରାଜ୍ୟ ପରିଚାଳନା ପାଇଁ ଚାଲିଥିବା କଳାପତାକା ଅଭିଯାନ ଓଡ଼ିଆବିଦ୍ଵେଷୀ ନବୀନବାବୁଙ୍କୁ ଏତେ ଅଡୁଆରେ ପକାଇଥିଲା ଯେ, ଏହି ଅଭିଯାନକୁ ଭଣ୍ଡୁର କରିବା ପାଇଁ ସେ ମୋର ଦୁଇ ମୁଖ୍ୟ ସହଯୋଗୀ ପବିତ୍ର ମହାରଥା ଓ ପ୍ରଦ୍ଯୁମ୍ନ ଶତପଥୀଙ୍କ ଆର୍ଥିକ ଦୁର୍ବଳତାର ସୁଯୋଗ ନେଇ ସେମାନଙ୍କୁ ନିଜ ବଶକୁ ନେଇଯାଇଥିଲେ । ଫଳରେ ସେମାନେ ଭାଷା ଆନ୍ଦୋଳନକୁ ପଚ୍ଛରୁ ଛୁରା ମାରିଥିଲେ ।

କିନ୍ତୁ ଆନ୍ଦୋଳନ ବନ୍ଦ ନ ହୋଇ ଚାଲିଲା । ଭୁବନେଶ୍ବରରେ ଉପସ୍ଥିତ ରହି କେଉଁ ଓଡ଼ିଆ କଳାପତାକା ଧରିପାରିଲେ, କିଏ ବା ନ ଧରିପାରିଲେ ନିଆରା କଥା , କିନ୍ତୁ ପ୍ରତି ଭାଷାପ୍ରେମୀ ଓଡ଼ିଆ ଏହି ଅଭିଯାନ ସହ ନିଜ ନିଜ ଅନ୍ତରାତ୍ମାରେ ସଂଯୁକ୍ତ ହୋଇଯାଇଥିଲେ । ଭାଷା ଆନ୍ଦୋଳନ ଏତେ ଜନପ୍ରିଯ ହୋଇଉଠିଥିଲା ଯେ, ନିଜକୁ ଏହି ଆନ୍ଦୋଳନ ଚଳାଇଥିବା ଲୋକ ବୋଲି ନିଜ ଗଣମାଧ୍ୟମରେ ପ୍ରଚାର କରି ଏକଦା ଆମର ମୁଖ୍ୟ ଗଣମାଧ୍ୟମୀୟ ସହଯୋଗୀ ଥିବା ସଂବାଦ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ରାଜ୍ୟସଭାକୁ ଯିବା ଲୋଭରେ କଳାପତାକା ଅଭିଯାନ ବନ୍ଦ କରିବାକୁ ମୋ ଉପରେ ଚାପ ପକାଇଥିଲେ ଓ ମୁଁ ତାହା ପ୍ରତ୍ୟାଖ୍ୟାନ କରିଥିବା ହେତୁ, ସମ୍ବାଦରେ ଏହି ଅଭିଯାନର ବିବରଣୀ ପ୍ରକାଶନ ବନ୍ଦ କରିଦେଇଥିଲେ । ଏହି ଅଭିଯାନକୁ ସଫଳ କରାଇନଦେବା ପାଇଁ କ୍ୟାବିନେଟ୍ ସ୍କାମ୍ ପରି ଏକ ନାହିଁ ନ ଥିବା ଅପରାଧ କରି ଏହ ଅବୈଧ ବିଧାନ ପ୍ରଣଯନ ପାଇଁ ସମସ୍ତ କୁତ୍ସିତ ମିଥ୍ୟାର ଆଶ୍ରୟ ମଧ୍ୟ ନେଇଥିଲେ ନବୀନବାବୁ ବିଧାନସଭାରେ ।

କୌଣସି ତଞ୍ଚକତା ଓ ସୁପାରୀ ପ୍ରଦାନ, କୌଣସି ରାଜନୈତିକ ବଶୀକରଣ ଯେତେବେଳେ ଆମ ଆନ୍ଦୋଳନର କାଳିଆ ପତାକା ଅଭିଯାନକୁ ଅଟକାଇ ପାରିଲା ନାହିଁ , ସେତେବେଳେ Krushak Assistance for Livelihood and Income Augmentation ପରି ଭୋଟରମାନଙ୍କୁ ପ୍ରଭାବିତ କଲା ପରିକା ଏକ ପେଞ୍ଚ ତିଆରିକରି ତାକୁ ‘କାଳିଆ’ ନାମରେ ପ୍ରସାରିତ କରାଗଲା । ଏହା ସତ୍ତ୍ୱେ, ଭୁବନେଶ୍ବରରେ ଉଡ଼ି ଉଡ଼ି ଆମ ଆନ୍ଦୋଳନର କଳାପତାକା ଯେଉଁ ବାର୍ତ୍ତା ଦେଇ ଚାଲିଥିଲା କି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ଭାଷା ପାଇଁ ବିତସ୍ପୃହ ହୋଇଥିବା ହେତୁ ଆମ ଭାଷା ଆଇନର ଉଦ୍ଦେଶ୍ୟ ପଣ୍ଡ ହୋଇଛି ଓ ଆମ ମାତୃଭାଷା ସଙ୍କଟଗ୍ରସ୍ତ ହୋଇପଡ଼ିଛି, ତହିଁର ନିରାକରଣ ପାଇଁ ସେ ଓଡ଼ିଆ ଭାଷାର ଆଶ୍ରା ନେବାକୁ ବାଧ୍ୟ ହୋଇଥିଲେ ।

ତାଙ୍କ ପାଖଲୋକେ କିପରି ଇଂରାଜୀ ଅକ୍ଷରରେ ଓଡ଼ିଆ ବାକ୍ୟ ଲେଖୁଥିଲେ ଓ ସେ ତାହା ପଠନ କରି ଓଡ଼ିଆ ଜାତିକୁ ଭୁଆଁ ବୁଲାଉଥିଲେ ତାହା ଇଣ୍ଟେର୍ନେଟରେ ଭାଇରାଲ ହୋଇଥିଲା । ଏହି ଦୁଇଟି ଫଟୋଚିତ୍ର ତହିଁର ନମୂନା ।

ଏହି ଶୈଳୀ ଅବଲମ୍ବନ କରି ଇଂରାଜୀ ଅକ୍ଷରରେ ଲେଖା ଓଡ଼ିଆ ଭାଷଣ ଘୋଷି ଘୋଷି ସେ ଏକାଏକ ରାଜ୍ୟସରା ବୁଲି ଲୋକଙ୍କୁ ଓଡ଼ିଆରେ ସମ୍ବୋଧନ କରିଚାଲିଲେ । ଜୀବନରେ ଏପରି ପରିଶ୍ରମ ସେ କେବେ ବି କରିନଥିଲେ । ଆମ ଆନ୍ଦୋଳନ ଏପରି ପରିଶ୍ରମ କରିବାକୁ ବାଧ୍ୟ କରିଥିଲା । ସେତେବେଳେ ବିଭିନ୍ନ ଟିଭି ଚ୍ୟାନେଲରେ ଜୀବନ୍ତ ପରିବେଷିତ ତାଙ୍କ ଏହି ଛଳପୂର୍ଣ ଓଡ଼ିଆ ଭାଷଣରୁ କିଛି ଦେଖାଯାଉ ।

ଏହା ଥିଲା ତାଙ୍କର ଦାରିଙ୍ଗିବାଡ଼ି ଭାଷଣ –

ନୂଆପଡ଼ାର କୋମନା ସଭାରେ ସେ କହିଥିଲେ –

କଳାହାଣ୍ଡିର ନର୍ଲାରେ ସେ କହିଥିଲେ –

ଏହିପରି ଭାବେ ସାରା ଓଡ଼ିଶାରେ ବୁଲି ବୁଲି ସେ ଇଂରାଜୀ ଅକ୍ଷରରେ ଲେଖି ମୁଖସ୍ଥ କରିଥିବା ଓଡ଼ିଆ ଭାଷଣ ପରିବେଷଣ କରିଥିବା ହେତୁ, ନିର୍ବାଚନରେ ଜିତିଗଲେ । ତା ନ ହୋଇଥିଲେ ତାଙ୍କ ଦଳର ପରାଜୟ ସୁନିଶ୍ଚିତ ଥିଲା ।

ଓଡ଼ିଆ ଭାଷା ପାଖରେ ଶରଣ ପଶି ସେ ନିର୍ବାଚନରେ ଜୟ ଲାଭ କରିଥିବା ହେତୁ ଆମେ ଭାଷାଆନ୍ଦୋଳନକାରୀମାନେ ତାଙ୍କୁ ବଧେଇ ଜଣାଉଛୁ ଓ ଆଶା କରୁଛୁ କି, ସେ ଏହା ଭୁଲିବେନି ଓ ମନ୍ତ୍ରୀସ୍ତରୀୟ କମିଟିରେ ୩.୯.୨୦୧୫ ତାରିଖରେ ପ୍ରଦତ୍ତ ପରାମର୍ଶ ଅନୁସାରେ ଆମ ସରକାରୀ ଭାଷା ଆଇନର ପୁନଶ୍ଚ ସଂଶୋଧନ କରି ଓଡ଼ିଆ ଭାଷାଜନନୀଙ୍କୁ କୃତଜ୍ଞତା ଜଣାଇବେ ।

ବିଜେଡି ଟିକଟରେ ବିଧାନସଭାକୁ ଆସିଥିବା ବନ୍ଧୁମାନେ ବି ଏହି ସତ୍ୟ ମନେରଖିବା ଉଚିତ । କାରଣ, ଏହା ଭୁଲିଯିବା ସେମାନଙ୍କ ପକ୍ଷରେ ଭୁଲ ହେବ ।

ଭାଷା ଆନ୍ଦୋଳନକୁ ଭାଙ୍ଗି ନ ପାରିବାରୁ ଅର୍ଥମନ୍ତ୍ରୀ ଶଶି ବେହେରା ଟିକଟ ହରାଇଲେ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଭାଷା ଆନ୍ଦୋଳନକୁ ଭାଙ୍ଗି ନ ପାରିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉପରେ ଏତେ ବିରକ୍ତ ଯେ, ବିଜେଡି ଟିକଟରେ ବିଧାନସଭାକୁ ଆସିବା ବାଟ ତାଙ୍କ ପାଇଁ ବନ୍ଦ ହୋଇଯାଇଛି । ଅର୍ଥମନ୍ତ୍ରୀ ବେହେରଙ୍କୁ ନବୀନବାବୁଙ୍କ ମନ୍ତ୍ରୀମଣ୍ଡଳରେ ସବୁଠୁ ଶକ୍ତିଶାଳୀ ମନେକରାହେଉଥିଲା । ତାଙ୍କ ଉପରେ ରୋଷ ହେତୁ ତାଙ୍କ ନିଜ ନିର୍ବାଚନମଣ୍ଡଳୀରେ ଅରବିନ୍ଦ ଢାଲିଙ୍କୁ ପ୍ରାର୍ଥୀ କରାଇଛନ୍ତି ନବୀନ ବାବୁ ଏବଂ ଶଶିବାବୁ ଯେ ତାଙ୍କ ବିଶ୍ଵାସ ହରାଇ ସାରିଛନ୍ତି – ଏହି ଧାରଣା ବଳବତ୍ତର ହୋଇଛି ।

ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ଅଧକୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ବିଶ୍ଵସ୍ତ ପ୍ରକାଶ । ପ୍ରଦ୍ୟୁମ୍ନ ଶତପଥି ଓ ପବିତ୍ର ମହାରଥାଙ୍କ ସହାୟତାରେ ଭାଷା ଆନ୍ଦୋଳନକୁ ଭାଙ୍ଗି ଦେବା ପାଇଁ ଏହି ଅର୍ଥ ବ୍ୟୟ କରାଯାଇଥିଲେ ବି ଆନ୍ଦୋଳନ ଭାଙ୍ଗି ନହିଁ , ଚାଲିଛି । ପ୍ରତିଦିନ ଦୁଇଜଣ ଭାଷାପ୍ରାଣ ଓଡ଼ିଆ କଳା ପତାକା ଧରି ଘୋଷଣାନାମା ସହ ବିଧାନସଭା ସମ୍ମୁଖସ୍ଥ ମନୀଷୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରୁ ରାଜଭବନ ସମ୍ମୁଖସ୍ଥ କୁଳବୃଦ୍ଧ ମଧୁସୂଦନଙ୍କ ବିଜେସ୍ଥଳୀ ପର୍ଯ୍ୟନ୍ତ ଆସୁଛନ୍ତି ।

କୌଣସି ଆଇନ ଉଲ୍ଲଂଘନ ନ କରି ଆଇନ ବଦଳାଇବାକୁ ଏକ ଆଇନସମ୍ମତ ସରକାରକୁ ପ୍ରବର୍ତ୍ତାଇବାପାଇଁ ସ୍ଵଳ୍ପସଙ୍ଖ୍ୟକ ବ୍ୟକ୍ତି ବି କିପରି ସକ୍ଷମ ହୋଇପାରନ୍ତି ଏହି ଆନ୍ଦୋଳନ ତାର ଏକ ସଫଳ ପରୀକ୍ଷଣ ।

ମୋର ମାନସପ୍ରସୂତ ଏହି ପଦ୍ଧତ୍ତି ମୁଁ ପ୍ରଥମେ ପ୍ରୟୋଗ କରିଥିଲି ୧୯୮୦ ଦଶକରେ ତଦାନୀନ୍ତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନିର୍ବାଚନକାଳୀନ ପ୍ରତିଶ୍ରୁତି ଭଙ୍ଗ ବିରୁଦ୍ଧରେ ୧୯୮୦ ଦଶକର ଆଦ୍ୟଭଗରେ ।

ଭାଷା ଆଇନ : ଆରମ୍ଭ ଓ ଆଜି

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ପ୍ରତିଷ୍ଠାତା, ଭାଷା ଆନ୍ଦୋଳନ, ଓଡିଶା

ଓଡ଼ିଶାରେ ଭାଷା ଆଇନ ଅର୍ଥ, ୧୯୫୪ରେ ପ୍ରଣୀତ ଓ ପ୍ରବର୍ତ୍ତିତ ହୋଇଥିବା ଓଡିଶା ସରକାରୀ ଭାଷା ଆଇନ, ଯାହା ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ୬.୯.୧୯୫୪ ତାରିଖରେ ବିଧାସଭାରେ ଆଗତ କରିଥିଲେ ଓ ବିଧାନସଭାରେ ଗୃହୀତ ହୋଇ ରାଜ୍ୟପାଳଙ୍କ ସମ୍ମତି ପାଇ ୧୪.୧୦.୧୯୫୪ରେ ପ୍ରବର୍ତ୍ତିତ ହୋଇଥିଲା ।

କିନ୍ତୁ ଏହା ହିଁ ଭାଷା ଆଇନର ଆରମ୍ଭ ନୁହେଁ । ଆମ ଭାଷାରେ ଆମେ ସମସ୍ତ ସରକାରୀ ସେବା ପାଇବୁ – ଏଥିପାଇଁ ଆମ ଭାଷାଭାଷୀ ସମଗ୍ର ଅଞ୍ଚଳକୁ ନେଇ ଏକ ସ୍ବତନ୍ତ୍ର ପ୍ରଦେଶ ସୃଷ୍ଟି କରାଯାଉ ବୋଲି ଘୁମୁସରର ଦୀନବନ୍ଧୁ ପଟ୍ଟନାୟକ ୧୧.୯.୧୮୭୦ ତାରିଖରେ ଭିଆଇ ଥିବା ପ୍ରଥମ ଜନସମାବେଶରେ ଯେଉଁ ମତ ପ୍ରକାଶ ପାଇଥିଲା , ତାହା ତ ନିଶ୍ଚୟ ଆମ ପ୍ରଦେଶ ସୃଷ୍ଟିର ମୂଳାଧାର ଥିଲା; ମାତ୍ର ତାହା କୌଣସି ସରକାରୀ ଭାଷା ଆଇନର ପରିକଳ୍ପନା କରିନଥିଲା । ତହିଁ ପ୍ରଭାବରେ କାଳକ୍ରମେ ଯେଉଁ ଉତ୍କଳ ସମ୍ମିଳନୀ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଭୌଗୋଳିକ ଏକତ୍ରୀକରଣ ପାଇଁ ତଦାନୀନ୍ତନ ବ୍ରିଟିଶ ସରକାରକୁ ବାଧ୍ୟ କଲା ତାହା ବି ସରକାରୀ ଭାଷା ଆଇନ ପ୍ରଣୟନ ପାଇଁ କୌଣସି ଚିନ୍ତା ପ୍ରକଟ କରିନଥିଲା । ଘୁମୁସର ପ୍ରସ୍ତାବର ପ୍ରାୟ ଦୁଇ ଦଶନ୍ଧି ପରେ ଭାଷାଭିତ୍ତିକ ଜାତୀୟତାର ଯେଉଁ ଅନନ୍ୟ ପ୍ରସୂନ ପ୍ରସ୍ଫୁଟିତ ହେଲା ସମ୍ବଲପୁର ଅଞ୍ଚଳରେ, ଯାହାକୁ ଭାଷା ଭିତ୍ତିରେ ଓଡ଼ିଶା ପ୍ରଦେଶ ସୃଷ୍ଟିର ଶ୍ରେଷ୍ଠ ବୌଦ୍ଧିକ ଆଧାର ଭାବେ ଗ୍ରହଣ କରାଯାଏ, ତାହା ମଧ୍ୟ ସରକାରୀ ଭାଷା ଆଇନର ପରିକଳ୍ପନା କରିନଥିଲା । ତେବେ ଭାଷା ଆଇନ କଥା ଆସିଲା କେଉଁଠୁ ?

ପ୍ରଥମ ପ୍ରସ୍ତାବକ

ସମ୍ବଲପୁରର ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ହିଁ ଓଡ଼ିଆ ଭାଷାକୁ ଓଡ଼ିଶାର ସରକାରୀ ଭାଷା କରିବାକୁ ଆଇନ ପ୍ରଣୟନ ପାଇଁ ପ୍ରସ୍ତାବ ଦେଇଥିବା ପ୍ରଥମ ବ୍ୟକ୍ତି । ତାଙ୍କ ଓଡ଼ିଆ ଭାଷାପ୍ରେମ ହିଁ ତାଙ୍କ ମୃତ୍ୟୁର କାରଣ ହୋଇଥିଲା । ରାଜ୍ୟରେ ଜାରିହୋଇଥିବା ଅଣଓଡ଼ିଆ ଅଧ୍ୟୁଷିତ ପ୍ରଥମ ରାଷ୍ଟ୍ରପତି ଶାସନକାଳରେ ପଛରୁ ଛୁରାମାରି ତାଙ୍କୁ ହତ୍ୟା କରାହୋଇଥିଲା ଓ ସରକାରୀ ଚାପରେ ଓଡିଶା ରାଜ୍ୟ ପୋଲିସ ଏପରି ନାଟକ କରିଥିଲା ଯେ, ତାଙ୍କ ହତ୍ୟାକାରୀକୁ ଦଣ୍ଡିତ କରାହୋଇପାରିନଥିଲା ।

ସେ ପୂର୍ବ-ବରଗଡ଼ର ପ୍ରତିନିଧିତ୍ବ କରୁଥିଲାବେଳେ ୧.୪.୧୯୪୮ ତାରିଖରେ ପ୍ରଥମଥର ପାଇଁ ସରକାରୀ ଭାଷା ଆଇନ ପ୍ରଣୟନ କରିବାକୁ ସରକାରଙ୍କୁ ଆହ୍ବାନ ଦେଇ ଏକ ପ୍ରସ୍ତାବ ଆଗତ କରିଥିଲେ ଯାହାର ଶୀର୍ଷକ ଥିଲା “Resolution regarding adoption of Oriya as the Provincial State Language of Orissa from the 1st June, 1948” । ଏହି ମହାନ ଦେଶପ୍ରେମୀ, ଯେ କି ଶିଶୁ ପରି ସରଳ ଅଥଚ ଆଦର୍ଶରେ ଏତେ ଅଟଳ ଥିଲେ ଯେ, ଜୀବନର ଅଧିକାଂଶ ସମୟ ବିତାଇଥିଲେ କାରାଗାରରେ ଓ ଯାହାଙ୍କୁ ସମ୍ବଲପୁରର ଗାନ୍ଧୀ ଭାବେ ଆଖ୍ୟାୟିତ କରିବା ବି ତାଙ୍କର ତ୍ୟାଗପୂତ ଜୀବନର ପ୍ରକୃତ ମୂଲ୍ୟାୟନ ଠାରୁ ଉଣା ହେବ , ଏହି ପ୍ରସ୍ତାବ ଆଗତ କଲାବେଳେ ସେଦିନ କହିଥିଲେ, “At the first instance, Sir, this may appear to be a controversial bit of proposition on my part inasmuch as the Government spokesman have abhorred that the introduction of Oriya, the only mother tongue of Oriyas, as the State Language, will ill-suit to the Secretariat and other branches of administration.” ଅତଏବ “ଓଡ଼ିଶାର ଏକମାତ୍ର ଭାଷା ଓଡ଼ିଆ”କୁ ସରକାରୀ ଭାଷା କରାଯିଵା ସଚିବାଳୟ ଓ ଅନ୍ୟ ପ୍ରଶାସନିକ ଦପ୍ତର ପାଇଁ ଗ୍ରହଣୀୟ ହେବନାହିଁ ବୋଲି ସରକାରୀ ମୁଖପତ୍ର ହିଁ କହିଥିଲେ । ପଣ୍ଡିତ ମିଶ୍ରଙ୍କ ଭାଷଣରୁ ବୁଝାଯାଏ , ଓଡ଼ିଶାରେ ଓଡ଼ିଆ ଭାଷା ପ୍ରଚଳନ ପାଇଁ ମହତାବଙ୍କ ରାଜନୈତିକ ସରକାର ଯେଉଁ ତାତ୍ସଲ୍ୟ ପ୍ରଦର୍ଶନ କରିଥିଲେ, ତାହା ହିଁ ତାଙ୍କୁ ଏହି ବୈଧାନିକ ପ୍ରସ୍ତାବ ଆଗତ କରିବାକୁ ବାଧ୍ୟ କରିଥିଲା । ପଣ୍ଡିତ ମିଶ୍ର କହିଥିଲେ, ଓଡ଼ିଆ ଭାଷାକୁ ସରକାରୀ ଭାଷା କରିବାପାଇଁ ସରକାର କି ପଦକ୍ଷେପ ନେଲେଣି ବୋଲି ମୁଁ ଯେଉଁଦିନ ପଚାରିଥିଲି, ସରକାର କହିଥିଲେ ତାଙ୍କ ପାଇଁ ଅନ୍ୟ କାମ ଅଧିକ ଗୁରୁତ୍ବପୂର୍ଣ । ଓଡ଼ିଆ ଭାଷା ପାଇଁ ଏହି ଅବଜ୍ଞା – ବସ୍ତୁତଃ ଆପରାଧୀକ ଅବଜ୍ଞା – ଓଡ଼ିଆ ଜାତିକୁ ତାର ସ୍ବରାଜ୍ୟାଧିକାରରୁ ବଞ୍ଚିତ କରିବ ବୋଲି କହି, ପଣ୍ଡିତ ମିଶ୍ର କହିଥିଲେ, “We are going to dupe our own men by making them bereft of their sacred and hallowed mother tongue in the Courts,in the Schools and other sphere of activities concerning the body politics.”

ଭାଷା ଆଇନର ଜନ୍ମ

ମହତାବଙ୍କ ସରକାର ପଣ୍ଡିତ ମିଶ୍ରଙ୍କୁ ବାଧ୍ୟ କରିଥିଲା ଏହି ପ୍ରସ୍ତାବକୁ ପ୍ରତ୍ୟାହାର କରିନେବା ପାଇଁ । ଜଣେ ମନ୍ତ୍ରୀ ହୋଇଥିବା ହେତୁ, ମନ୍ତ୍ରୀମଣ୍ଡଳୀୟ ଶୃଙ୍ଖଳାରେ ଆବଦ୍ଧ ହୋଇ, ସେଠି ଅଗତ୍ୟା ନୀରବ ରହିଥିବା ନବକୃଷ୍ଣ ଚୌଧୁରୀ ଆତ୍ମଗ୍ଲାନିର ଚାପରେ ତିନି ସପ୍ତାହଠି ଉଭୟ ମନ୍ତ୍ରୀପଦ ଓ ବିଧାନସଭା ସଭ୍ୟପଦରୁ ଇସ୍ତଫା ଦେଇ ଚାଲିଯାଇଥିଲେ । ତେଣୁ, ସମ୍ବିଧାନ ଗୃହୀତ ହେବା ପରେ ଯେତେବେଳେ ସାର୍ବଜନୀନ ଭୋଟ ବଳରେ ପ୍ରଥମ ନିର୍ବାଚିତ ସରକାର ଗଠିତ ହେଲା, ସେତେବେଳେ ମହତାବ ନୁହନ୍ତି, ନବବାବୁ ହିଁ ଥିଲେ ସାରା ଓଡ଼ିଶାର ସର୍ବୋତ୍ତମ ପସନ୍ଦ ମୁଖ୍ୟମନ୍ତ୍ରୀ ପଦପାଇଁ । ପଣ୍ଡିତ ମିଶ୍ରଙ୍କ ପ୍ରତ୍ୟାହୃତ ପ୍ରସ୍ତାବ ତାଙ୍କପାଇଁ ଜୀବନ୍ତ ସ୍ମୃତି ହୋଇ ରହିଥିଲା । ସେହି ସ୍ମୃତିରୁ ହିଁ ଜନ୍ମ ନେଲା ଓଡିଶା ସରକାରୀ ଭାଷା ଆଇନ, ଯାହା ଏଯାଏଁ କାର୍ଯ୍ୟକାରୀ ହୋଇନାହିଁ ଓ ଯାହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରାୟ ହଜାରେ ଦିନ ହୋଇଗଲା ଚାଲିଛି କଳାପତାକା ଅଭିଯାନ ।

ଓଡ଼ିଶା ସୃଷ୍ଟିର ଉଦ୍ଦେଶ୍ୟ

ଭାରତର ପ୍ରଥମ ଭାଷା ଭିତ୍ତ୍ୱିକ ରାଜ୍ୟ ଭାବେ ଓଡିଶା ପରିଚିତ । ଏହି ସ୍ବତନ୍ତ୍ର ପରିଚୟର ଭିତ୍ତି ଉପରେ ମୁଁ ଯେତେବେଳେ ଗବେଷଣା କଲି, ସେତେବେଳେ ଏହି ପ୍ରଦେଶ ସୃଷ୍ଟିର ଉଦ୍ଦେଶ୍ୟ କଣ ଥିଲା ତାହା ଅନୁଧ୍ୟାନ କରିବା ଅପରିହାର୍ଯ୍ୟ ଥିଲା । ବିଶ୍ଵର ଅନ୍ୟତମ ଶ୍ରେଷ୍ଠ ପୁସ୍ତକ ମଞ୍ଚ scribd.comର https://www.scribd.com/doc/19216578/Role-of-Mass-Media-in-Creation-of-Orissaରେ ୨୯.୮.୨୦୦୯ ତାରିଖରେ ପ୍ରକାଶିତ ମୋର ନିବନ୍ଧରେ ମୁଁ ଦର୍ଶାଇଛି , କେବଳ ଓଡ଼ିଆ ଭାଷାରେ ହିଁ ସମସ୍ତ ସରକାରୀ ସେବା ପାଇବା ଉଦ୍ଦେଶ୍ୟରେ ଆମ ଜାତି ନାହିଁନଥିବା ଆନ୍ଦୋଳନ କରି ସୃଷ୍ଟି କରିଛି ଓଡ଼ିଶା । ଏବଂ ଏହି ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ପଣ୍ଡିତ ମିଶ୍ର ପ୍ରଥମେ ପ୍ରସ୍ତାବ ରଖିଥିଲେ ଓ ମୁଖ୍ୟମନ୍ତ୍ରୀ ହେବା ପରେ ମନୀଷୀ ନବକୃଷ୍ଣ ଭାଷା ଆଇନଟିର ପ୍ରଣୟନ କରିଥିଲେ ।

ଆଇନ ପ୍ରଣୟନର କାରଣ

ଆଇନଟି ଆରମ୍ଭ ହୋଇଛି ଏହିପରି: “Whereas it is expedient to provide for the adoption of Oriya as the language to be used for all or any of the official purposes of the State of Orissa; It is hereby enacted by the Legislature of the State of Orissa ….” ଅର୍ଥାତ, ଯେହେତୁ ସମସ୍ତ ଓ ପ୍ରତ୍ୟେକ ସରକାରୀ କର୍ମ ଓଡ଼ିଆ ଭାଷାରେ ହିଁ ହେବା ଆବଶ୍ୟକ, ସେହେତୁ ଏହି ଆଇନ ପ୍ରଣୀତ ହେବା ଆବଶ୍ୟକ ।

ଦୁଃଖର କଥା , ଏହି ଉଦ୍ଦେଶ୍ୟ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ନବବାବୁଙ୍କ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ମହତାବ ଏହାକୁ ଅବଜ୍ଞା ପ୍ରଦର୍ଶନ କଲେ ଓ ନବବାବୁଙ୍କ ଉପରେ ରାଗ ଶୁଝାଇବା ପାଇଁ ମହତାବଙ୍କ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହାକୁ ସଂଶୋଧନ କରି ୧୯୬୩ରେ ସମ୍ପୂର୍ଣ ବେଆଇନ ଶୈଳୀରେ ଇଂରାଜୀ ଭାଷାକୁ କବର ତଳୁ ଉଠାଇ ଓଡିଶା ବିଧାନସଭା ପରିସରରେ ସରକାରୀ ଭାଷା କରାଇଦେଲେ , ଯାହା ଫଳରେ ସାରା ଓଡିଶା ଇଂରାଜୀ ଭାଷାଧିପତ୍ୟ କବଳକୁ ଠେଲି ହୋଇଯାଇଛି ଏବଂ ଆମ ଭାଷା ଆଇନ ଅକାମି ହୋଇ ପଡିଛି ।

ମନ୍ତ୍ରୀସ୍ତରୀୟ କମିଟି

କବି ଗଜାନନ ମିଶ୍ରଙ୍କ ଅନଶନ ଧର୍ମଘଟ ପ୍ରେକ୍ଷାପଟରେ ୩୧.୭.୨୦୧୫ରେ ଏକ ବିଧିକ ସଂକଳ୍ପ ଜାରି କରି ଓଡ଼ିଶା ସରକାର ଆଇନଟିର କାର୍ଯ୍ୟକାରିତା ଉପରେ ପରାମର୍ଶ ଦେବାକୁ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କଲେ ଯହିଁରେ ଜଣେ ସଭ୍ୟ ଭାବେ ମୁଁ ସ୍ଥାନିତ ହେଲି ।

Scribd.comରେ ୨୯.୮.୨୦୦୯ ତାରିଖରେ ପ୍ରକାଶିତ ମୋର ନିବନ୍ଧ ରଚନା ବେଳେ ଭାଷା ଆଇନର ମୂଳ ନଥି ମୁଁ ଯେତେ ଖୋଜିଲେ ମଧ୍ୟ ମିଳି ନଥିଲା । ମନ୍ତ୍ରୀସ୍ତରୀୟ କମିଟିର ସଭ୍ୟ ହେବା ଫଳରେ ଏହି ପଦାଧିକାର ପ୍ରୟୋଗ କରି ସରକାରୀ ସିନ୍ଧୁକରେ ଲୁଚା ହୋଇରହିଥିବା ନଥିଟି ମୁଁ ଅନୁଧ୍ୟାନ କଲି ଓ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଅମଲାତନ୍ତ୍ର ପରିସୃଷ୍ଟ କି ପ୍ରବଳ ପ୍ରତିକୂଳ ପରିସ୍ଥିତିରେ ଆଇନଟିକୁ ତିଆରି କରିଥିଲେ ତାହା ଅନୁଭବ କଲି ।

ଆଜନ୍ମ ତ୍ରୁଟି ଓ ତାର ସଂଶୋଧନ ପାଇଁ ମୋର ପ୍ରସ୍ତାବ

ଆଇନଟିରେ ତିନୋଟି ଆଜନ୍ମ ତ୍ରୁଟି ଥିଲା, ଯାହା ପ୍ରତି ସେହି ବିଶେଷ ପରିସ୍ଥିତିରେ ନବବାବୁ ଆଖିବୁଜି ଦେଇଥିବା ସ୍ଵାଭାବିକ ବୋଲି ମୋର ମନେ ହେଲା । ସେ ତିନୋଟି ହେଲା – (୧) ଆଇନଟି ବେସରକାରୀ ସ୍ତରରେ ବି ଓଡ଼ିଆ ଲୋକଙ୍କୁ ସେମାନଙ୍କର ଈପ୍ସିତ ସେବା ପାଇବାର ଅଧିକାର ଦେଇ କୌଣସି ସ୍ପଷ୍ଟ ବିଧିକ ବ୍ୟବସ୍ଥା ରଖିନଥିଲା , ଯଦିଓ ଧାରା ୨ର ଉପଧାରା (୨)ରେ କେଉଁ ନିର୍ଦ୍ଦିଷ୍ଟ କ୍ଷେତ୍ରରେ କେଉଁ ନିର୍ଦ୍ଦିଷ୍ଟ ତାରିଖରୁ କେଉଁ ନିର୍ଦ୍ଦିଷ୍ଟ ବ୍ୟାପାରରେ ଓଡ଼ିଆ ଭାଷାରେ ସେବା ଉପଲବ୍ଧି ସୁନିଶ୍ଚିତ କରାହେବ ତାହା ଅଧିସୂଚନା ବଳରେ ଧାର୍ଯ୍ୟ ହେବ ବୋଲି କହି ପରୋକ୍ଷରେ ଏହା “ବେସରକାରୀ” ସ୍ତରରେ ଆଇନଟିର ପ୍ରବର୍ତ୍ତନ ପାଇଁ ଉପାଦାନ ରଖିଥିଲା । ଦ୍ଵିବିଧ ସେବା ପାଇବା ପ୍ରତି ଓଡ଼ିଆର ହକ୍ । ତାହା ହେଲା ସରକାରୀ ଓ ବେସରକାରୀ । ଶିଲ୍ପ ଓ ବାଣିଜ୍ୟ ଯେହେତୁ ବେସରକାରୀ ସ୍ତରରେ ପ୍ରାୟତଃ ସମସ୍ତ ବ୍ୟକ୍ତିଙ୍କୁ ନିଜ ପରିସରଭୁକ୍ତ କରିଥାଏ, ସେହେତୁ ଏହି ଉଭୟ କ୍ଷେତ୍ରରୁ ମିଳୁଥିବା ସେବା ଓଡ଼ିଆରେ ଉପଲବ୍ଧ ହେବା ଆବଶ୍ୟକ । ଏହି ଉଭୟ କ୍ଷେତ୍ର ସରକାରୀ ଆଇନ ଦ୍ଵାରା ନିୟନ୍ତ୍ରିତ ହୋଇଥାନ୍ତି । ଅଥଚ ଭାଷା ଆଇନଟିରେ ଏହି କ୍ଷେତ୍ର ସ୍ପଷ୍ଟତଃ ଅନ୍ତର୍ଭୁକ୍ତ ହୋଇନଥିଲା । ଯଦିଓ ଧାରା ୧ର ଉପଧାରା (୨)ରେ ସମଗ୍ର ଓଡିଶା ଏହାର ପରିସରଭୁକ୍ତ ବୋଲି କୁହ ହୋଇଥିଲା, ଆଇନଟିର ଶୀର୍ଷକ “ସରକାରୀ ଭାଷା ଆଇନ” ବୋଲି ଥିବା ହେତୁ ବେସରକାରୀ ପ୍ରତିଷ୍ଠାନଗୁଡ଼ିକ ଏହା ପରିସରରୁ ଅକ୍ଳେଶ ଖସି ଚାଲିଥିଲେ । ଏହି ବିଭ୍ରାନ୍ତି ଦୂର କରିବାକୁ ଆଇନଟିରେ କୌଣସି ସ୍ପଷ୍ଟ ଉପାଦାନ ନ ଥିଲା । ତେଣୁ, ମୋ ବିଚାରରେ ଏହା ଥିଲା ଆଇନଟିର ପ୍ରଥମ ତ୍ରୁଟି । ଅନ୍ୟ ତ୍ରୁଟି ଗୁଡିଆ ହେଲା – (୨) ଆଇନଟିର ଉଲ୍ଲଙ୍ଘନ ବିରୁଦ୍ଧରେ ଦଣ୍ଡବିଧାନ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଅନୁପସ୍ଥିତି ଓ (୩) ଦଣ୍ଡବିଧାନ ପାଇଁ ତଥା ଆଇନଟିକୁ କ୍ରିୟାଶୀଳ କରିବା ପାଇଁ ଯେଉଁ ନିୟମାବଳୀ ଆବଶ୍ୟକ ତାହା ପ୍ରଣୟନ ସକାଶେ ସରକାରଙ୍କ ଅସାମର୍ଥ୍ୟ । ତେଣୁ ଏଇ ତିନୋଟି ଆଜନ୍ମ ତ୍ରୁଟି କବଳରୁ ଆଇନଟିକୁ ଉଦ୍ଧାର କରିବା ପାଇଁ ମୁଁ କେବଳ ପ୍ରସ୍ତାବ ଦେଲି, ତା ନୁହେଁ; ଆଇନ ସଂଶୋଧନର ଚିଠା ଓ ନିୟମାବଳୀର ଚିଠା ବି ଦାଖଲ କଲି ୩. ୯. ୨୦୧୫ ତାରିଖରେ ।

ଆଇନ ସଂଶୋଧନ ଚିଠାରେ ନୂଆ ଧାରା ସଂଯୋଜନ ପାଇଁ ମୁଁ ପ୍ରସ୍ତାବ ଦେଇଥିଲି । ତହିଁର ଶୀର୍ଷକ ଥିଲା, “ନାମ ପରିବର୍ତ୍ତନ ଓ ନିୟମାବଳୀ ପ୍ରଣୟନ” । ମୁଁ ଲେଖିଥିଲି ଯେ, ଓଡିଶା ସରକାରୀ ଭାଷା ଆଇନ,୧୯୫୪ରେ ଏକ ନୂତନ ଧାରା ଭାବେ ଧାରା – ୪ ଯୋଡ଼ା ଯାଉ ଓ ତାହା ଏହି ପରି ହେଉ :

“ଧାରା – ୪ (୧) ଓଡିଶା ସରକାରୀ ଭାଷା ଆଇନ ୧୯୫୪ର ନାମ ପରିବର୍ତ୍ତିତ ହୋଇ ଓଡିଶା ଲୋକଭାଷା ଆଇନ, ୧୯୫୪ ହେବ ;

(୨) ଏହି ଆଇନଟିକୁ ତାର ସମସ୍ତ ବା ଯେ କୌଣସି ଉଦ୍ଦେଶ୍ୟରେ ପ୍ରୟୋଗ କରିବା ପାଇଁ , ଆଇନଟିର ଯେ କୌଣସି ବା ସମସ୍ତ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବା ପାଇଁ , ଆଇନଟିର ପରିସର ବା ଉଦ୍ଦେଶ୍ୟ ପରିବର୍ଦ୍ଧନ ପାଇଁ , ଆଇନଟିର କୌଣସି ବ୍ୟବସ୍ଥାର ଲଙ୍ଘନ ବିରୁଦ୍ଧରେ ଦଣ୍ଡ ବିଧାନ ପାଇଁ , ସରକାର ନିୟମାବଳୀ ପ୍ରଣୟନ କରିବେ ।”

ଉପଧାରା (୧)ରେ ମୁଁ ଦେଇଥିବା ପ୍ରସ୍ତାବ ମନ୍ତ୍ରୀସ୍ତରୀୟ କମିଟିରେ ଥିବା ମନ୍ତ୍ରୀମାନଙ୍କ ସହ ୧୭.୧୨.୨୦୧୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ଓ ସିଦ୍ଧାନ୍ତରେ ସ୍ବୀକୃତି ଅର୍ଜନ କରିଥିଲା । ସେ ଦିନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଗତ ପ୍ରେସବିବୃତ୍ତିରେ ହୋଇଥିବା ଘୋଷଣାରୁ ଏହା ସ୍ପଷ୍ଟ । ଏହି ବିବୃତ୍ତିକୁ ବିଜ୍ଞାପନ ରୂପେ ବି ସରକାର ବୃହତ ଓଡ଼ିଆ ଦୈନିକମାନଙ୍କରେ ପ୍ରକାଶ କରିଥିଲେ , ଯହିଁର ପ୍ରଥମ ବାକ୍ୟତି ଥିଲା ଏହିପରି :

“ଓଡ଼ିଶା ସରକାରୀ ଭାଷା ଆଇନ୧୯୫୪କୁ ସରକାରୀ ଓ ବେସରକାରୀ ସ୍ତରରେ କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ କରିବା ପାଇଁ ଏକ ବୈଠକ ଆଜି ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା ।”

କିନ୍ତୁ ଆଇନ ସଂଶୋଧନ ବେଳେ ଏହା ଅନୁସାରେ ଆଇନଟିର ଶୀର୍ଷକ ନ ବଦଳାଇ ମୋର ଅନ୍ୟ ଦୁଇଟିଯାକ ପ୍ରସ୍ତାବକୁ ସରକାର ଦୁଇ ଥାକରେ ବିଧିକ ରୂପ ଦେଇଛନ୍ତି । ପ୍ରଥମତଃ , ନିୟମାବଳି ପ୍ରଣୟନ ପ୍ରସ୍ତାବଟିକୁ କାର୍ଯ୍ୟକାରୀ କରିବା ପାଇଁ ୨୧.୫.୨୦୧୬ ତାରିଖରେ ଅଧ୍ୟାଦେଶ ଜାରି କରି “The State Government may make Rules to carry out the purposes of the Act” ବୋଲି କହିଛନ୍ତି ଓ ୨୮.୯.୨୦୧୬ ତାରିଖରେ ଏହି ଅଧ୍ୟାଦେଶକୁ ବିଧାନସଭାରେ ପାରିତ କରାଇ ରାଜ୍ୟପାଳଙ୍କ ସମ୍ମତି ବି ପାଇଛନ୍ତି । ଦ୍ବିତୀୟତଃ , ଦଣ୍ଡବିଧାନ ପ୍ରସ୍ତାବଟିକୁ କାର୍ଯ୍ୟକାରୀ କରିବାକୁ ୧.୫.୨୦୧୮ ତାରିଖରେ ଆଇନଟିର ସଂଶୋଧନ କରି ୪-କ ନାମକ ନୂଆ ଧାରା ଖଞ୍ଜି ତହିଁରେ କରିଥିବା ଗୁରୁତର ପ୍ରମାଦକୁ ମୁଁ ରାଜ୍ୟପାଳଙ୍କୁ ଦେଇଥିବା ପତ୍ର ଭିତ୍ତିରେ ସୁଧାରିବାକୁ ଚେଷ୍ଟା କରି ୧୯.୯.୨୦୧୮ ତାରିଖରେ ପୁନଃ ସଂଶୋଧନ ବି କରିଛନ୍ତି , ଯହିଁ ଅନୁସାରେ ୪-କ ଧାରାର ଚୂଡାନ୍ତ ଭାଷା ହେଲା :

“ସରକାର ସରକାରୀ ଭାଷା ରୂପେ ଓଡ଼ିଆର ବ୍ୟାପକ ବ୍ୟବହାର ନିମନ୍ତେ ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ତଥା ସେଥିରେ ଖିଲାପ କରୁଥିବା ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ବା ଉଭୟଙ୍କୁ ଦଣ୍ଡବିଧାନ କରିବା ସକାଶେ ନିୟମାବଳୀରେ ଉପଯୁକ୍ତ ବ୍ୟବସ୍ଥାମାନ ବିହିତ କରିପାରିବେ ।”

ଅଧିକନ୍ତୁ ଏହି ଶେଷ ସଂଶୋଧନ – ଓଡ଼ିଶା ସରକାରୀ ଭାଷା (୨ୟ ସଂଶୋଧନ) ଅଧିନିୟମ, ୨୦୧୮ର ଉଦ୍ଦେଶ୍ୟ ଓ କାରଣ କଥନରେ ବି ମୋ ଦାବି (ଅସିତ ମହାନ୍ତି,ରାଜଭସ ଓଡ଼ିଆ:ମିଛ ରାଣୀ କାହାଣୀ , ସାହିତ୍ୟଘର ୪ର୍ଥ ରାଜ୍ୟସ୍ତରୀୟ ସମ୍ମିଳନୀ ସ୍ମରଣିକା, ୨୦୧୭, ପୃ ୩୩) ପ୍ରତି ସମ୍ମାନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୯୬୩ରେ ତାଙ୍କ ବାପା ବିଜୁ ପଟ୍ଟନାୟକ ଖଞ୍ଜିଥିବା ୩-କ ଧାରା ସାଧାରଣ ପ୍ରଶାସନରେ ଆଉ ପଯୁଜ୍ୟ ହେବନାହିଁ ବୋଲି ଏକ ସ୍ପଷ୍ଟକାରଣ ଦେଇଛନ୍ତି । ତହିଁର ଭାଷା ହେଲା –

“ଧାରା ୩-କରେ ବିଧାନମଣ୍ଡଳ ଇଂରାଜୀ ଭାଷାର ବ୍ୟବହାରକୁ ଚାଲୁରଖିବା ପାଇଁ ବ୍ୟବସ୍ଥା ଥିବା ହେତୁ , ସରକାରୀ ଭାଷା ରୂପେ ଇଂରାଜୀ ଭାଷାର ବ୍ୟବହାର ନେଇ ଦ୍ଵନ୍ଦ୍ଵ ସୃଷ୍ଟି ହେଉଛି । ଉକ୍ତ ଦ୍ଵନ୍ଦ୍ଵକୁ ଦୂର କରିବା ସକାଶେ ଅଧିନିୟମର ଧାରା ୪-କରେ ଥିବା “ଭାଷାର” ଶବ୍ଦ ବଦଳରେ “ଭାଷାରୂପେ ଓଡ଼ିଆର” ଶବ୍ଦମାନ ପ୍ରତିସ୍ଥାପିତ କରିବା ପାଇଁ ପ୍ରସ୍ତାବ କରାଯାଉଛି ।”

ଏତଦ୍ଦୃଷ୍ଟେ ଏହା ହିଁ କୁହାଯାଇ ପାରିବ ଯେ, ୩. ୯. ୨୦୧୫ ତାରିଖରେ ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟ ଭାବେ ମୁଁ ଯେଉଁ ତିନୋଟି ପ୍ରସ୍ତାବ ଦେଇଥିଲି, ତହିଁରୁ ଶୀର୍ଷକ ସଂକ୍ରାନ୍ତୀୟ ପ୍ରସ୍ତାବତିକୁ ୧୭.୧୨.୨୦୧୫ ତାରିଖରେ ମନ୍ତ୍ରୀସ୍ତରୀୟ କମିଟିର ମନ୍ତ୍ରୀମାନଙ୍କ ପରମର୍ଶକ୍ରମେ ମୁଖ୍ୟମନ୍ତ୍ରୀ ଗ୍ରହଣ କରି ଥିବା ବେଳେ, ୨୧.୪.୨୦୧୬ ଓ ୧୯.୯.୨୦୧୮ ତାରିଖମାନଙ୍କରେ ମୋର ଅନ୍ୟ ଦୁଇଟିଯାକ ପ୍ରସ୍ତାବକୁ ଗ୍ରହଣ କରି ସରକାର ଦୁଇ ଖେପାରେ ଭାଷା ଆଇନ ସଂଶୋଧନ କରିଛନ୍ତି । ତେବେ, ଏହି ଦୁଇ ପରାମର୍ଶ ସପକ୍ଷରେ ଚାଲିଥିବା କଳାପତାକା ଅଭିଯାନ ବନ୍ଦ ନ ହୋଇ ଆଜିଯାଏଁ ଚାଲିଛି କାହିଁକି ? ସରକାରୀ ଚଞ୍ଚକତା ହିଁ ଏହାର କାରଣ ।

ଭାଷା ଆନ୍ଦୋଳନ

ଏହି ଚଞ୍ଚକତା ପାଇଁ ସରକାର ସାହସ କରିପାରିନଥାନ୍ତେ, ଯଦି ଭାଷା ଆନ୍ଦୋଳନରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ ଭୂମିକା ନିର୍ବାହ କରିଥିବା ଦୁଇଜଣ ବ୍ୟକ୍ତି – ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥା – ଆନ୍ଦୋଳନ ପ୍ରତି ବିଶ୍ଵାସଘାତକତା କରି ସରକାରଙ୍କ ସହ ହାତ ମିଳାଇନଥାନ୍ତେ ।

ଭାଷା ଆନ୍ଦୋଳନ ଏକ ଅନନ୍ୟ ଆନ୍ଦୋଳନ, ଯାହା ମୋ ପରିସୃଷ୍ଟ ନୀରବ କଳାପତାକା ଅଭିଯାନର ସାଙ୍ଗଠନିକ ନାମ । ଗତ ଶତାବ୍ଦୀର ଅଶୀ ଦଶକରେ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନିର୍ବାଚନକାଳୀନ ପ୍ରତିଶୃତି ଭଙ୍ଗ ସମ୍ପର୍କରେ ଜନଚେତନା ଜାଗରଣ ପାଇଁ ତାଙ୍କ ନିର୍ବାଚନମଣ୍ଡଳୀ ଆଠଗଡ଼-ତିଗିରିଆର ବାସିନ୍ଦା ଭାବେ ମୁଁ ଏହି ଅନନ୍ୟ ପଦ୍ଧତ୍ତି ସୃଷ୍ଟି ଓ ପ୍ରୟୋଗ କରିଥିଲି ଯାହା ସାବ୍ୟସ୍ତ କରିଥିଲା କି, ନୀରବତା କୌଣସି ପ୍ରତିବାଦକାରୀର ଦୁର୍ବଳତା ନୁହେଁ, ତାର ଦୂର୍ବାରତା । ଆଇନର ଚଉସୀମା ଭିତରେ ରହି ଆଇନ ସପକ୍ଷରେ କାମ କରିବାକୁ ଏକ ଆଇନବିମୁଖୀ ସରକାରଙ୍କୁ ବାଧ୍ୟ କରିବା ପାଇଁ ସମ୍ପୂର୍ଣ ଶାନ୍ତିପୂର୍ଣ ଭାବେ ନୀରବ ସଂଗ୍ରାମର ଏହା ଏକ ପରୀକ୍ଷଣ, ଯାହାର ବୈଶିଷ୍ଟ୍ୟ ଓ ସଫଳତା ଉପରେ ନିମ୍ନ ଦୁଇଟି ଉଦ୍ଧୃତି ଆଲୋକପାତ କରେ :
(୧) “ବରେଣ୍ୟ ସୁଭାଷ ପଟ୍ଟନାୟକଙ୍କ ପ୍ରଜ୍ଞାଜ ଏହି ଦର୍ଶନର ଆମେ ସମସ୍ତେ ସଂଚାଳକ ।” ଏହା ମଇ ୧୨, ୨୦୧୬ ସମେତ ବିଭିନ୍ନ ଦିବସରେ ନିଜ ଫେସ ବୁକ ପୃଷ୍ଠାରେ ଲେଖିଥିଲେ ପ୍ରଦ୍ୟୁମ୍ନ ଶତପଥୀ ଯେ କି ଏବେ ନିଜ କୁତ୍ସିତ ଅଭିସନ୍ଧି ହେତୁ ଏହି ଆନ୍ଦୋଳନ ବିରୁଦ୍ଧରେ ସରକାରଙ୍କ ସହ ହାତ ମିଳାଇଛନ୍ତି ।
(୨) “ସର୍ବପ୍ରଥମେ ସମସ୍ତେ ଜାଣିବା ଦରକାର ଯେ, ଏହି ଆନ୍ଦୋଳନ ଯଦି ମୁଣ୍ଡ ଟେକି ଉଠିପାରିଲା ଓ ଏତେ ବାଟ ଆଗେଇପାରିଛି, ତାର ଶ୍ରେୟ ଆପଣମାନଙ୍କ ପାଖକୁ ତ ଯିବ ହିଁ ଯିବ, କିନ୍ତୁ ସର୍ବାଗ୍ରେ ଯିବ ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କୁ । ତାର କାରଣ ହେଲା, ତାଙ୍କରି ହେତୁ ହିଁ ଉତ୍ସବ ମନାଇବାର ସୁଯୋଗ ଆମକୁ ମିଳିଛି । ୧୯୫୪ ମସିହାର ଗୋଟିଏ ଆଇନକୁ କାହିଁକି ୨୦୧୬ ମଇ ୨୧ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେଲା ସାମାନ୍ୟ ଗୋଟିଏ ସଂଶୋଧନ ପାଇଁ ?ଆମେ ଯେଉଁମାନେ ଓଡ଼ିଶା ସମ୍ପର୍କରେ ଆଲୋଚନା କରୁ – ମୋ ମନକୁ ଏହି ପ୍ରଶ୍ନ ଆନ୍ଦୋଳିତ କରୁଛି – ୧୯୫୪ ମସିହାରେ ତ ଆଇନଟି ହୋଇଥିଲା – ଓଡ଼ିଶାରେ ଏତେ ବୁଦ୍ଧିଜୀବୀ ଥିଲେ, ଏତେ ବିଜ୍ଞ ଲୋକ ଥିଲେ, କେହି କ’ଣ ଜାଣିପାରିଲେନି  ଯେ, ଏହି ଆଇନଟି ସଂଶୋଧନ ନ କଲା ପର୍ଯ୍ୟନ୍ତ ଏହା ଦ୍ଵାରା ସରକାରୀ ଭାଷା ବ୍ୟବହାର ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ?ଏ ପ୍ରଶ୍ନର ଉତ୍ତର ପାଇଁ ଆଜି ମୁଁ ଯଦି ଟିକେ ଚିନ୍ତା କରୁଛି, ତାର କାରଣ ହେଲେ ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକ । ସେ ସମସ୍ତ ବିଷୟକୁ ଗବେଷଣା କରି ଆମ ଆଖି ଖୋଲି ଦେଇଛନ୍ତି । ସେ ଦେଖେଇ ଦେଇଛନ୍ତି – କେଉଁଠାରେ, କେଉଁ ନିର୍ଦ୍ଦିଷ୍ଟ ବିନ୍ଦୁରେ ଆଘାତ ଦେଲେ କଥାଟି ପରିସ୍କାର ହେବ ଏବଂ ତାର ସଂସ୍କାର ଓ ପରିବର୍ତ୍ତନ ପାଇଁ ବାଟ ଫିଟିବ ।” ଏହା କହିଥିଲେ , ସମ୍ବାଦ ସମ୍ପାଦକ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ ୨୧.୫.୨୦୧୬ ଦିନ ଭାଷା ଆନ୍ଦୋଳନ ପାଖରେ ମୁଣ୍ଡ ନୁଆଇଁ ସରକାର ମୋ ପ୍ରଦତ୍ତ ପ୍ରସ୍ତାବର ଏକାଂଶ ଅଧ୍ୟାଦେଶ ବଳରେ କାର୍ଯ୍ୟକାରୀ କରିଥିବା ହେତୁ ଭାଷା ଆନ୍ଦୋଳନକାରୀମାନଙ୍କ ବିଜୟ ଉତ୍ସବ ପାଳନ ଅବସରରେ । ସୌମ୍ୟବାବୁ ଏବେ ସରକାରୀ ଦଳରେ ଯୋଗ ଦେଇ ରାଜ୍ୟସଭାର ସଭ୍ୟ ହୋଇଛନ୍ତି ।

ଭାଷା ଆନ୍ଦୋଳନ ଓଡ଼ିଶାର ଚଳନ୍ତି ଇତିହାସର ଏକ ଅବିସ୍ମରଣୀୟ ଅଧ୍ୟାୟ । ସାଫଲ୍ୟର ଔଜ୍ୱଲ୍ୟ ଯେପରି ଏହାର ପୃଷ୍ଠା ମଣ୍ଡନ କରିଛି , ହୀନମନ୍ୟତା ଭୋଗୁଥିବା ମୋର ମୁଷ୍ଟିମେୟ ସହକର୍ମୀଙ୍କ ବିଶ୍ଵାସଘାତକତା ଓ ଅର୍ଥନୈତିକ ଅସାଧୁତା ସେହିପରି ଏକ କୁଟିଳ ରାବଣଛାୟାରେ ଏହାକୁ ଆଚ୍ଛନ୍ନ କରିଛି ।

ପ୍ରଥିତଯଶା ବ୍ୟକ୍ତିମାନଙ୍କଠାରୁ ଆରମ୍ଭ କରି ସାଧାରଣ ଅଖ୍ୟାତ ଓଡ଼ିଆ ଭାଇଭଉଣୀମାନେ ଏହି ଆନ୍ଦୋଳନରେ ଝାସ ଦେଇ ମୋ ପ୍ରସ୍ତାବିତ ସଂଶୋଧନ ପାଇଁ ସରକାରଙ୍କୁ ବାଧ୍ୟ କରିଛନ୍ତି । କିନ୍ତୁ ଲକ୍ଷ୍ୟ ଆହୁରି ଦୁରେଇ ଯାଇଛି ।

ଭାଷା ଆଇନଟି ପ୍ରତି ସରକାରୀ ବିମୁଖତା ସତ୍ତ୍ଵେ ଓଡ଼ିଶାର ସର୍ବତ୍ର, ସମସ୍ତ ଓ ଯେକୌଣସି ସରକାରୀ କାମ ଓଡ଼ିଆ ଭାଷାରେ ହିଁ ହେବ – ଏହା ସୁନିଶ୍ଚିତ ହୋଇ ଆସୁଥିବା ବେଳେ ବ୍ୟକ୍ତିଗତ ସ୍ବାର୍ଥଲିପ୍ସା ଆନ୍ଦୋଳନର ଏପରି କେତେକଙ୍କୁ କବଳିତ କରିଛି ଯେ, ସେମାନଙ୍କ ସହାୟତାରେ ଓଡ଼ିଆ ଭାଷା ଆଇନକୁ ସବୁଦିନ ସକାଶେ ଅକାମି କରିଦେବା ପାଇଁ କ୍ୟାବିନେଟ ସ୍କାମ ପରି ଚଞ୍ଚକତା କରିପାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କ୍ୟାବିନେଟ ସ୍କାମ

ଭାଷା ଆଇନ ଉଲ୍ଲଙ୍ଘନ ବିରୁଦ୍ଧରେ ଦଣ୍ଡବିଧାନ ପାଇଁ ଆଇନ ସଂଶୋଧନ ସକାଶେ ୧୪.୩.୨୦୧୮ ତାରିଖରେ ରାଜ୍ୟ କ୍ୟାବିନେଟ ଯେଉଁ ପ୍ରସ୍ତାବ ଗ୍ରହଣ କରିଥିଲା , ସେହି ପ୍ରସ୍ତାବକୁ ସମ୍ପୂର୍ଣ ଅନ୍ତର୍ଦ୍ଧାନ କରାଇଦେଇ ୧.୫.୨୦୧୮ ତାରିଖରେ ଗୃହୀତ ସଂଶୋଧନ ବିଧେୟକକୁ ୨୬.୧୨.୨୦୧୭ ତାରିଖର କ୍ୟାବିନେଟ ପ୍ରସ୍ତାବ ଉପରେ ଆଧାରିତ କରାହୋଇଛି । ଏବଂ ସଂଶୋଧନର “ଉଦ୍ଦେଶ୍ୟ ଓ କାରଣ କଥନ”ରେ ଏହା ଲିପିବଦ୍ଧ କରାଯାଇ ଏପରି ବିଧିକ ଅଭିଳାଷ ସହ ତାହାକୁ ଅବିଛେଦ୍ୟ କରାଯାଇଛି ଯେ, ଆଇନଟି ଓଡ଼ିଶାର ସର୍ବତ୍ର କାର୍ଯ୍ୟକାରୀ ହେବନାହିଁ ଏବଂ ଓଡ଼ିଶାରେ ସମସ୍ତ ଓ ଯେକୌଣସି ସରକାରୀ କାମ ଓଡ଼ିଆ ଭାଷାରେ ହେବନାହିଁ । ଅଧିକନ୍ତୁ, ଅମଲାତନ୍ତ୍ରର ଦୟା ଉପରେ ନିର୍ଭର କରିବ ଭାଷା ଆଇନର ସୀମା ଓ ସ୍ବରୂପ ।

ତେଣୁ, ଏହି ୪-କ ଧାରାକୁ ବିଲୋପ କରାଯାଇ ନବକୃଷ୍ଣ ଚୋଧୁରୀଙ୍କ ପ୍ରଣୀତ ଓଡିଶା ସରକାରୀ ଭାଷା ଆଇନ,୧୯୫୪କୁ ଅକ୍ଷୁର୍ଣ୍ଣ ରଖି ତହିଁର ଉଲ୍ଲଙ୍ଘନ ବିରୁଦ୍ଧରେ ୩. ୯. ୨୦୧୫ ତାରିଖରେ ମୁଁ ଦେଇଥିବା ପ୍ରସ୍ତାବ ଅନୁସାରେ ସ୍ପଷ୍ଟତଃ ଉଚ୍ଚାରିତ କଠିନ ଦଣ୍ଡବିଧାନ ବ୍ୟବସ୍ଥା ସହ ସାନି ସଂଶୋଧନ ଦାବିରେ ଚାଲିଛି କଳାପତାକା ଅଭିଯାନ । ଏହି ଦାବି ହାସଲ ହୋଇନପାରିଲେ, ଭାଷା ଆଇନଟି ଲକ୍ଷ୍ୟଭ୍ରଷ୍ଟ ହୋଇ ଓଡ଼ିଆ ଜାତିର ଭାଷା ଅଧିକାରକୁ ଭୟଙ୍କର ଭାବେ କ୍ଷୁର୍ଣ୍ଣ କରିବ ଏବଂ ଓଡିଶା ପ୍ରଦେଶ ସୃଷ୍ଟିର ଉଦ୍ଦେଶ୍ୟକୁ ବି ପଣ୍ଡ କରିବ ।

ତେଣୁ, ଆଜି ଏପରି ଏକ ଅବସ୍ଥାରେ ଆମେ ଉପନୀତ, ଯେଉଁଠି କେବଳ ସରକାରୀ ଷଡ଼ଯନ୍ତ୍ର ନୁହେଁ , ସ୍ଵାର୍ଥ ହାସଲ ପାଇଁ ଇଂରାଜୀମନସ୍କ ଓ ଓଡ଼ିଆବିରୋଧୀ ସରକାରଙ୍କ ଦଲାଲି କରୁଥିବା ଓଡ଼ିଆ ଭାଷାମାଫିଆମାନଙ୍କ ଚକ୍ରାନ୍ତର ସାମ୍ନା ଆମକୁ କରିବାକୁ ହେବ । ତା ନ ହେଲେ ନିଷ୍ଫଳ ହୋଇଯିବ ଆମ ଓଡିଶା ସରକାରୀ ଭାଷା ଆଇନ ।

ଓଡ଼ିଆ ଭାଷାର ସ୍ଵାର୍ଥବିରୋଧୀ ଧାରା ୪-କର ପ୍ରତ୍ୟାଖ୍ୟାନ ପାଇଁ ରାଜ୍ୟପାଳଙ୍କୁ ମୁଁ ଦେଇଥିବା ଯୁକ୍ତିଯୁକ୍ତ ସ୍ମାରକପତ୍ର ବ୍ୟର୍ଥ ହୋଇଛି ଓ ବ୍ୟର୍ଥ ହୋଇଛି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଦେଇଥିବା ସ୍ମାରକପତ୍ର । ଏହି ଦୋଷାବହ ୪-କ ଧାରା ଅନୁସାରେ ଯଦି ଓଡ଼ିଶା ସରକାରୀ ଭାଷା ନିଯମାବଳୀ ୨୦୧୬ ସଂଶୋଧନ କରାଯାଏ ତାହା ବି ସମାନ ଦୋଷରେ ଆକ୍ରାନ୍ତ ହେବାକୁ ବାଧ୍ୟ । ସେପରି ପ୍ରମାଦପୂର୍ଣ ନିୟମାବଳିକୁ ବି ଆମେ ପ୍ରତ୍ୟାଖ୍ୟାନ କରିବା ସୁନିଶ୍ଚିତ ।
ଜାଣିଶୁଣି ଭୁଲ ବ୍ୟବସ୍ଥା ଭିତରକୁ ଠେଲି ନିଆହୋଇଥିବା ଆମ ସରକାରୀ ଭାଷା ଆଇନକୁ ମୂଳ ସ୍ଥିତିକୁ ଫେରାଇ ନେଇ ତାର ଉଲ୍ଲଙ୍ଘନକୁ କଠିନ ଦଣ୍ଡନୀୟ କରିବା ଓ ଯେକୌଣସି ଓଡ଼ିଆ ସେହି ଉଲ୍ଲଙ୍ଗନ ବିରୁଦ୍ଧରେ ଦଣ୍ଡବିଧାନ ପାଇଁ ପଦକ୍ଷେପ ନେବାକୁ ଅଧିକାର ଦେଇ ଆଇନଟିର ନିର୍ଭୁଲ ସଂଶୋଧନ ହେବାଯାଏଁ ଆମ ଏଇ ଲଢ଼େଇ ଚାଲି ରହିବ, କାରଣ ଏ ଲଢ଼େଇ ଆମ ଭାଷା ପାଇଁ ଆମ ଲଢ଼େଇ ।

ଭାଷା ଆଇନ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀ ବାଧ୍ୟ,କାରଣ ମନ୍ତ୍ରୀମଣ୍ଡଳ ଭାଷା ଆନ୍ଦୋଳନ ସପକ୍ଷରେ

 

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡିଶା ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆଭାଷାରେ ତାର ସାମଗ୍ରିକ ପରିଚାଳନା । ଏହି ଉଦ୍ଦେଶ୍ୟକୁ ପଣ୍ଡ କରୁଥିବା ବ୍ୟକ୍ତିଙ୍କ ପ୍ରତି ଦଣ୍ଡବିଧାନ – ଏହି ଦାବି ଉପରେ ଗଢ଼ିଉଠିଛି ଭାଷା ଆନ୍ଦୋଳନ । ଏହାକୁ ଭଣ୍ଡୁର କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ସବୁ ଅପକୌଶଳ ଆମେ ଅକାମି କରାଇ ଆସିଛୁ । ଏବେ ସେ ଆମ ଦାବି ମାନି ନେବାକୁ ବାଧ୍ୟ ; କାରଣ, ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ରାଜ୍ୟ ଚାଲେ ମନ୍ତ୍ରୀମଣ୍ଡଳ ଦ୍ଵାରା ମୁଖ୍ୟମନ୍ତ୍ରୀଙ୍କ ମାଧ୍ୟମରେ ଓ ରାଜ୍ୟ ମନ୍ତ୍ରୀମଣ୍ଡଳ ଆମ ଦାବି ସପକ୍ଷରେ ହିଁ ନିଷ୍ପତ୍ତି ନେଇସାରିଛନ୍ତି । ଭାଷା ଆନ୍ଦୋଳନ ଓଡ଼ିଶାର ସର୍ବଶ୍ରେଷ୍ଠ ଜନଆନ୍ଦୋଳନରେ ପରିଣତ ହୋଇଛି ଓ ମାଆ ପାଇଁ ଲେଢ଼େଇରେ ତାର ସନ୍ତାନମାନେ ଯେ କେବେ ବି ହାରିବେ ନାହିଁ ତାହା ସ୍ପଷ୍ଟ ହୋଇଯାଇଛି ।

ଏହି ଯେଉଁ ଐତିହାସିକ ଘଟଣା ଘଟିବାକୁ ଯାଉଛି , ଏବଂ ଘଟିବାକୁ ବାଧ୍ୟ , ତାହା ସହଜରେ ଘଟିବାକୁ ଯାଉନି ।ଦୁଇ ବର୍ଷର ଗଭୀର ତପସ୍ୟା , ବୀର ଓଡ଼ିଆ ଜାତିର ଯୋଗ୍ୟତମ ଦାୟାଦମାନଙ୍କର କଳାପତାକା ଅଭିଯାନ ଏବଂ କୄଛ୍ର ସାଧନା ଦ୍ଵାରା ସରକାରୀ କଳ ଓ ସରକାରୀ ଅନୁଚରମାନଙ୍କ ସମସ୍ତ କୁତ୍ସିତ ଷଡ଼ଯନ୍ତ୍ରର ଅତିକ୍ରମଣ ହେତୁ ହିଁ ଏହା ଘଟିବାକୁ ଯାଉଛି । ଏହି ଅସାମାନ୍ୟ ଘଟଣାର କ୍ରମବିକାଶ ଉପରେ ସାମାନ୍ୟ ଦୃକ୍ ପାତ କରିବା ଆବଶ୍ୟକ, କାରଣ ଏହାକୁ ଘଟାଇ ନଦେବାକୁ ଏବେ ବି ଚକ୍ରାନ୍ତ ଚାଲିଛି  ।

ମନ୍ତ୍ରିମଣ୍ଡଳର ନିଦ୍ରା ଭଙ୍ଗ

ଓଡ଼ିଶା ସରକାରୀ ଭାଷା ଆଇନ ଉଲ୍ଲଙ୍ଘନକାରୀକୁ ଦଣ୍ଡବିଧାନ ସକାଶେ ଆଇନ ସଂଶୋଧନପାଇଁ ସରକାରଙ୍କୁ ମୁଁ ପରାମର୍ଶ ଦେବାର ୮୪୬ ଦିନ ଓ ଏହା ସପକ୍ଷରେ ଭାଷା ଆନ୍ଦୋଳନ ଚାଲିବାର ୬୨୨ ଦିନଠି ଓଡିଶା ମନ୍ତ୍ରିମଣ୍ଡଳର ନିଦ୍ରାଭଙ୍ଗ ହେଲା । ପ୍ରଥମଥର ପାଇଁ ଏହା ଗତ ୨୬. ୧ ୨. ୨୦୧୭ ତାରିଖରେ ଭାଷା ଆନ୍ଦୋଳନର ଦାବି ସପକ୍ଷରେ ଆପାତତଃ ଠିଆହେଲା ଏକ ବିଶେଷ ବୈଠକରେ ପୁରୀଠାରେ ।

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହା ନିର୍ଦ୍ଦେଶ ଦେଲା କି, ଓଡ଼ିଆରେ କାମ ନକରିବା ଲୋକଙ୍କ ବିରୁଦ୍ଧରେ “ବିହିତ ଦଣ୍ଡବିଧାନ” ପାଇଁ ଓଡିଶା ସରକାରୀ ଭାଷା ଆଇନ, ୧୯୫୪କୁ ଅବିଳମ୍ବେ ସଂଶୋଧିତ କରାଯାଉ । ମାତ୍ର ଆମେ ତାକୁ ଘୋର ବିରୋଧ କରିଥିଲୁ, ଯେହେତୁ ସରକାରୀ ଭାଷା ସଙ୍କ୍ରାନ୍ତୀୟ ପ୍ରସ୍ତାବରେ ଅତି ଧୂର୍ତ୍ତତାର ସହ ମୂଳ ଭାଷା ଆଇନଟିର ଉଦ୍ଦେଶ୍ୟ ପଣ୍ଡପାଇଁ କୌଶଳ ଖଞ୍ଜା ହୋଇଥିଲା ।

ଭାଷା ଆନ୍ଦୋଳନ ଆଗେଇଚାଲିଲା ଓ ୭୦୦ ଦିନ ଅତିକ୍ରମ କଲା ।

ଡ଼. ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ପରି ଭାଷା ବେପାରୀ , ବୈଷ୍ଣବ ଚରଣ ପରିଡାଙ୍କ ପରି ରାଜନୈତିକ ପଶାଖେଳାଳୀ ଓ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପରି ମେଡିଆ ମୋଗଲଙ୍କୁ ପ୍ରୟୋଗ କରି ଭାଷା ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଯେତେ ଚେଷ୍ଟା କରାହୋଇଥିଲା , ସେ ସବୁ କିଛି ବି କାମ କଲାନି । ଭାଷା ଆନ୍ଦୋଳନ ବ୍ୟାପକତର ହେବାରେ ଲାଗିଲା ।

ଶେଷରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବୋଧପଣିଆରେ ଅତିଷ୍ଠ ହୋଇ ରାଜ୍ୟ ମନ୍ତ୍ରୀମଣ୍ଡଳ ଗତ ୧୪. ୩ . ୨୦୧୮ ବୈଠକରେ ଭାଷା ଆନ୍ଦୋଳନର ଦାବି କାହିଁକି ଗ୍ରହଣଯୋଗ୍ୟ ତାହା ଲିପିବଦ୍ଧ କଲେ ଓ ଘୋଷଣା କଲେ କି, “୧୯୫୪ରେ ପ୍ରଣୀତ ହୋଇ ତତ୍କାଳ ଲାଗୁହୋଇଥିବା ଓଡିଶା ସରକାରୀ ଭାଷା ଆଇନର ଉଲ୍ଲଂଘନ ବିରୁଦ୍ଧରେ ଦଣ୍ଡବିଧାନ ବ୍ୟବସ୍ଥା ଖଞ୍ଜି ତୁରନ୍ତ ଆଇନ ସଂଶୋଧନ ଆବଶ୍ୟକ ।”

ଠିକ୍ ଏହି କଥା ଗତ ୩. ୯. ୨୦୧୫ ତାରିଖରେ ଏହି ଆଇନ ସଂଶୋଧନପାଇଁ ଏକ ଚିଠା ଓ ଆଇନ ସଂଶୋଧନ ପରେ ନିୟମାବଳୀ ପ୍ରଣୟନ ପାଇଁ ତହିଁର ଏକ ଚିଠା ପ୍ରଦାନ କରି ମନ୍ତ୍ରୀସ୍ତରୀୟ କମିଟିର ଜଣେ ସଦସ୍ୟ ଭାବେ ମୁଁ କହିଥିଲି । ମୋ ପ୍ରସ୍ତାବର ଯଥାର୍ଥତାକୁ ମନ୍ତ୍ରୀମଣ୍ଡଳ ସ୍ବୀକାର କଲେ ୩୧ ମାସ ପରେ ୧୪. ୩ . ୨୦୧୮ ତାରିଖରେ ; ଏବଂ ତାହା କେବଳ ଭାଷା ଆନ୍ଦୋଳନ ପ୍ରଭାବରେ ।

ମୁଖ୍ୟମନ୍ତ୍ରୀ ବନାମ ମନ୍ତ୍ରୀମଣ୍ଡଳ

ଆମର ବିଶ୍ଵାସ ଯେ , ମୁଖ୍ୟମନ୍ତ୍ରୀଙ୍କୁ ଛାଡି ମନ୍ତ୍ରିମଣ୍ଡଳର ଅନ୍ୟ ସମସ୍ତ ସଦସ୍ୟ ଭାଷା ଆନ୍ଦୋଳନକୁ ଏବେ ସମର୍ଥନ କରୁଛନ୍ତି । କାରଣ, ଆମେ ଦେଖୁଁ , ପୁରୀରେ ଅନୁଷ୍ଠିତ ବିଶେଷ କ୍ୟାବିନେଟରେ ଭାଷା ମାଫିଆଙ୍କୁ ସୁହାଇବା ପରି ଯେତେଗୁଡ଼ିଏ ପ୍ରସ୍ତାବ ଗୃହୀତ ହୋଇଥିଲା ଓ ଯାହାକୁ ଆମେ ପ୍ରତ୍ୟାଖ୍ୟାନ କରିଥିଲୁ , ସେ ସବୁଗୁଡ଼ିକୁ ବର୍ଜନ କରି ୧୪. ୩ . ୨୦୧୮ର ମନ୍ତ୍ରୀମଣ୍ଡଳ ପୂର୍ବ ବୈଠକର କେବଳ ଦୁଇଟି ପ୍ରସ୍ତାବକୁ ବଳବତ୍ତର କରିଛନ୍ତି ; ଯଥା – (୧) ଓଡ଼ିଆ ଅସ୍ମିତାର ସୁରକ୍ଷା ଓ ସୁଦୃଢ଼ୀକରଣ ପାଇଁ ରାଜ୍ୟରେ ସମସ୍ତ ପ୍ରଜ୍ଞାପକ ଓ ଫଳକ ଓଡ଼ିଆରେ ଲେଖାହେବା ବାଧ୍ୟତାମୂଳକ ହେବ ଓ ତହିଁର ଖିଲାପକାରୀକୁ ପ୍ରଥମ ଭୁଲ ପାଇଁ ଏକହଜାରରୁ ପାଞ୍ଚହଜାର ଏବଂ ପରବର୍ତ୍ତୀ ଭୁଲ ପାଇଁ ପାଞ୍ଚହଜାରରୁ ପଚିଶହଜାର ଟଙ୍କା ପରିମାଣର ଅର୍ଥଦଣ୍ଡରେ ଦଣ୍ଡିତ କରାଯିବ ଓ (୨) ଓଡ଼ିଆ ଭାଷାରେ ନଥି କାମ ନ କଲେ ସୁନିଶ୍ଚିତ ଦଣ୍ଡବିଧାନ ଓ ଏଥିପାଇଁ ଓଡିଶା ସରକାରୀ ଭାଷା ଆଇନରେ ଆବଶ୍ୟକୀୟ ସଂଶୋଧନ ।

ଏହି ମନ୍ତ୍ରୀ ମଣ୍ଡଳର ପ୍ରକାଶିତ ପ୍ରେସ ବିଜ୍ଞପ୍ତିର ଅନୁଚ୍ଛେଦ ୩ ହେଲା –

“Government have dcided to bring the amendment immediately providing penalties for such erring officers or employees who don’t obey the directions issued under sub-section (2) of section 2 , so that they will implement the provisions of the notifiation in its letter and spirit.”

ଏତଦ୍ଦ୍ରୁଷ୍ଟିରୁ , ୨୦. ୩. ୨୦୧୮ରୁ ଆରମ୍ଭ ହୋଇଥିବା ବିଧାନସଭା ଅଧିବେଶନରେ ଏହି ସଂଶୋଧନ ବିଧେୟକ ନିଶ୍ଚୟ ଆସିବା କଥା ଓ ପ୍ରଥମ ସରକାରୀ କାର୍ଯ୍ୟ ଦିବସରେ ଆଗତ ଓ ପାରିତ ହେବା କଥା । ଏହା ହୋଇ ନାହିଁ । ଏହା ହିଁ ସ୍ପଷ୍ଟ କରୁଛି ଯେ, ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ବିଷୟକୁ ଅଗ୍ରାଧିକାର ଦେଇନାହାନ୍ତି । ତା ନ ହୋଇଥିଲେ ମାର୍ଚ୍ଚ ୨୦ ପୂର୍ବରୁ ବିଧାନସଭାରେ ଆବଶ୍ୟକୀୟ ବିଧେୟକ ଉପସ୍ଥାପିତ କରି ପ୍ରଥମ ସରକାରୀ କାର୍ଯ୍ୟ ଦିବସରେ ପାରିତ କରାଯାଇପାରିଥାନ୍ତା ଓ ମାର୍ଚ୍ଚ ୩୧ର ଦାଖଲ ହୋଇଥିବା ବିଧେୟକ ଅବିଳମ୍ବେ ପାରିତ କରିବା ପାଇଁ ବିଧାନସଭାର କାର୍ଯ୍ୟ ନିର୍ଘଣ୍ଟରେ ପରିବର୍ତ୍ତନ ଘଟାଯାଇ ପାରିଥାନ୍ତା । କେତେଦୂର ଠିକ୍ ଭୁଲ୍ ମୋତେ ଜଣା ନାହିଁ , ମାତ୍ର ବିଶ୍ଵସ୍ତ ସୂତ୍ରରୁ ମୁଁ ଯାହା ଖବର ପାଇଛି , ୩୧.୩.୨୦୧୮ ତାରିଖରେ ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଯେଉଁ ବିଧେୟକର ଚିଠା ପଠାଇଥିଲେ ସେହି ଚିଠା ବଦଳାଇବାକୁ କେତେକ ଅଣଓଡ଼ିଆ ଅଫିସର ଚେଷ୍ଟା କରୁଛନ୍ତି ।  ଏହା ଅସମ୍ଭବ ନୁହେଁ, କାରଣ ଏହି କୁଚକ୍ରୀଗୋଷ୍ଠୀର ହାତବାରିସି ପରି କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ ବା ଏମାନଙ୍କ ସହାୟତାରେ ଓଡ଼ିଆ ଭାଷାର କ୍ଷତି ଘଟାଇବାକୁ ସେ ଚାହୁଞ୍ଛାନ୍ତି । ତା ନ ହୋଇଥିଲେ, ୧୭.୧୨.୨୦୧୭ ତାରିଖରେ ମନ୍ତ୍ରୀସ୍ତରୀୟ କମିଟିକୁ ଆଦୌ ନ ଭେଟି , ନିଜ ଲୋକସମ୍ପର୍କ ଅଧିକାରୀଙ୍କ ମାଧ୍ୟମରେ ସେ ସେହି କମିଟି ନାଁରେ ୯ ଟିକିଆ କାର୍ଯ୍ୟକ୍ରମ ଘୋଷଣା କରିନଥାନ୍ତେ କି ତାହାକୁ ଅନଧିକୃତ ଭାବେ ତହିଁ ପରଦିନ ଜଣେ ଅଣଓଡ଼ିଆ  କର୍ମଚାରୀ ୧୪ ଦଫାରେ ପରିଣତ କରି ମନ୍ତ୍ରୀସ୍ତରୀୟ କମିଟି ଉପରେ ଚାପିବାକୁ ସାହସ କରିନଥାନ୍ତେ କି ଏହା ତାଙ୍କୁ ମୁଁ ଜଣାଇଲା ପରେ ବି ସେ ନିରବ ରହିନଥାନ୍ତେ ।

ଅତଏବ ଆମ ଭାଷାକୁ କେନ୍ଦ୍ରକରି ଗୋଟେ ପଟେ ମୁଖ୍ୟମନ୍ତ୍ରୀ ଓ ଗୋଟେ ପଟେ ଏବେ ଓଡ଼ିଶାର ମନ୍ତ୍ରୀମଣ୍ଡଳ ।

ଚାଟୁକାରଙ୍କ ଗୋତ୍ରମାରୁ କାମ

ନବୀନ ବାବୁଙ୍କ ମନ୍ତ୍ରିମଣ୍ଡଳରେ କେବଳ ଜଣେ ମନ୍ତ୍ରୀ ଥିଲେ ଯେ କି ଭାଷା ଆନ୍ଦୋଳନକୁ ବିରୋଧ କରୁଥିଲେ । ସେ ହେଲେ ଦାମୋଦର ରାଉତ । ସେ ପ୍ରଥମେ ତାଙ୍କ ପାଖେ ଚାକିରୀ କରୁଥିବା ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକଙ୍କୁ ଲଗାଇ ସଂଚାର କାଗଜରେ ଭାଷା ଆନ୍ଦୋଳନକୁ ବିରୋଧ କଲେ ଓ ତହିଁର ଦିନକଠି ସେ ନିଜେ ବିରୋଧ କଲେ, କୌଣସି ପ୍ରସଙ୍ଗ ନ ଥାଇ, କଟକର ଏକ ସଭାରେ । ଏହି ଉଭୟେ ବିଜୁ ପଟ୍ଟନାୟକଙ୍କର ଚାଟୁକାର । ପେଟପାଟଣା ଦାଉରେ ଏମାନେ ଗୋତ୍ରମାରୁ କାମ କରିବାକୁ ପଛେଇ ନଥିଲେ – ଓଡ଼ିଆ ଭାଷାର ଇତିହାସ ଏହା ସ୍ମରଣ ରଖିବ ।

ଓଡ଼ିଆ ଭାଷା ପିଠିରେ ବିଜୁଙ୍କ ଛୁରା

ବିଜୁ ପଟ୍ଟନାୟକ ସୁବିଧାରେ ପଇସା ରୋଜଗାର ପାଇଁ ବେପାର ଛାଡ଼ି ରାଜନୀତିକ କ୍ଷମତା ଅକ୍ତିଆର କରିଥିଲେ ଓ ମୁଖ୍ୟମନ୍ତ୍ରୀ ହେଉ ହେଉ ଓଡିଶା ରାଜକୋଷର ଏପରି ଲୂଟପାଟରେ ଲାଗିଯାଇଥିଲେ ଯେ, ତାଙ୍କ ବିରୁଦ୍ଧରେ ଆମେ ସେତେବେଳର ଯୁବକ ଓ ଛାତ୍ରମାନେ ଏକ ନାହିଁନଥିବା ଆନ୍ଦୋଳନ ଚଳାଇ ପଦବୀ ଛାଡି ପଳାଇବାକୁ ତାଙ୍କୁ ବାଧ୍ୟ କରିଥିଲୁ ।

ଭାରତରେ ରାଜନୈତିକ ଦୁର୍ନୀତିର ଜନ୍ମଦାତା ଜବାହାରଲାଲ ନେହରୁଙ୍କ ଛତ୍ରଛାୟାରେ ଥିବାରୁ ତାଙ୍କ ମୁଖଲଜ୍ଜ୍ୟା ନିବାରଣ ପାଇଁ କାମରାଜ ଯୋଜନାର ଘୋଡ଼ଣୀ ତାଙ୍କୁ ଅବଶ୍ୟ ଯୋଗେଇ ଦିଆଯାଇଥିଲା । ସେ ନିଜ ଦୁର୍ନୀତିର ଭାଗିଦାର ବୀରେନ ମିତ୍ରଙ୍କୁ ଯେପରି ମୁଖ୍ୟମନ୍ତ୍ରୀ କରାଯାଏ ସେଥିପାଇଁ କଂଗ୍ରେସର କୋଷାଧ୍ୟକ୍ଷ ଥିବା ଅତୁଲ୍ୟ ଘୋଷଙ୍କୁ ଧରି ଚେଷ୍ଟା ଚଳାଇଥିଲେ; କାରଣ କେବଳ ତଦ୍ଦ୍ଵାରା ହିଁ ତାଙ୍କ ଦୁର୍ନୀତିକୁ ଘଣ୍ଟ ଘୋଡେଇ ରଖାଯାଇପାରେ ବୋଲି ତାଙ୍କର ବିଶ୍ଵାସ ଥିଲା ।

ନୂଆ ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବାଯାଏଁ ପଦାସୀନ ହୋଇରହିବାକୁ ତାଙ୍କୁ ଯେଉଁ ସୁଯୋଗ ମିଳିଥିଲା ତହିଁର ଦୁରୁପଯୋଗ କରି, ତାଙ୍କୁ କ୍ଷମତାରୁ ନିକାଲି ଦେଉଥିବା ଓଡ଼ିଆଙ୍କ ଉପରେ ପ୍ରତିଶୋଧ ନେବାପାଇଁ ସେ ମାତୃଭାଷାପ୍ରିୟ ଓଡ଼ିଆଙ୍କୁ ମରଣ ଆଘାତ ଦେବା ସକାଶେ ଓଡ଼ିଆ ଭାଷାକୁ ପଛରୁ ଛୁରି ମାରିଦେଲେ ୧୯୬୩ ସେପ୍ଟେମ୍ବର ୨୭ ତାରିଖରେ, ଯାହାଫଳରେ କି ଇଂରେଜୀ ଭାଷା ସରକାରୀ ଭାଷା ରୂପେ ଆମ ରାଜ୍ୟରେ ପୁନର୍ଜନ୍ମ ଲାଭକଲା । “ବିଜୁଙ୍କ ଛୁରା” ଶିରୋନାମାରେ ମୁଁ ଏହାର ଚର୍ଚ୍ଚା ରଖିଚାଲିଥିଲି ଦୈନିକ ସୂର୍ଯ୍ୟପ୍ରଭାରେ ୧୫. ୪. ୨୦୧୭ ତାରିଖରୁ କ୍ରମାଗତ ଭାବେ, ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଚାପରେ ତାହା ବନ୍ଦ ହୋଇଗଲା ୪. ୮. ୨୦୧୭ ତାରିଖରୁ ୧୧ଟି କିସ୍ତି ପରେ । ଫଳରେ  ଏହି ଇଣ୍ଟର୍ନେଟ ପତ୍ରିକାରେ ଅବଶିଷ୍ଟ ଆଠୋଟି କିସ୍ତି ମୋତେ ପ୍ରକାଶ କରିବାକୁ ହେଲା । ସୂର୍ଯ୍ୟପ୍ରଭା ଉପରେ ମୋ ଲେଖା ପ୍ରକାଶନ ବିରୁଦ୍ଧରେ ଚାପ ପ୍ରୟୋଗ ସାବ୍ୟସ୍ତ କରିଛି କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଣନ୍ତି ଯେ, ଆମ ମାତୃଭାଷାକୁ ମାରିଦେବାପାଇଁ ତାଙ୍କ ପିତା ଅତି ଅବୈଧ ଶୈଳୀରେ ଯେଉଁ ଚକ୍ରାନ୍ତ କରିଥିଲେ ତାହାରି ହେତୁ ଇଂରେଜୀ ଭାଷା ଏବେ ବି ଆମକୁ ଗ୍ରାସ କରି ରହିଛି ଓ ଭାଷା ଜନନୀ ଓଡ଼ିଆ ମୁମୂର୍ଷୁ ଅବସ୍ଥାରେ ପଡ଼ିଛି ।

ସୁତରାଂ ବିଜୁଙ୍କ ଚାଟୁକାର ଦାମୋଦର ରାଉତ (ଓ ତାଙ୍କ ପାଖେ ଚାକିରୀ କରିଥିବା ସଂଚାର ସମ୍ପାଦକ ପ୍ରଶାନ୍ତ ପଟ୍ଟନାୟକ) ଇଂରେଜୀ ଭାଷାଧିପତ୍ୟରୁ ଓଡିଶାକୁ ଉଦ୍ଧାର କରିବାକୁ ଚାଲିଥିବା ଭାଷା ଆନ୍ଦୋଳନକୁ ବିରୋଧ କରିବା ଥିଲା ସ୍ବଭାବିକ ।

ଚାଟୁକାର ଚାଲିଗଲା ପରେ

ଏହି ଚାଟୁକାର ମନ୍ତ୍ରୀମଣ୍ଡଳରୁ ତଡ଼ା ଖାଇଲା ପରେ ଅବଶିଷ୍ଟ ମନ୍ତ୍ରୀମାନେ ଭାଷା ଆନ୍ଦୋଳନର ଦାବିକୁ ସମର୍ଥନ କରୁଛନ୍ତି । ତେଣୁ ସେମାନେ ୨୬. ୧ ୨. ୨୦୧୭ ତାରିଖରେ ଭାଷା ଆଇନ ଖିଲାପକାରୀକୁ “ବିହିତ ଦଣ୍ଡବିଧାନ” ପାଇଁ ଆଇନ ସଂଶୋଧନ ସକାଶେ ନିଷ୍ପତ୍ତି ନେଇଥିବାବେଳେ ୧୪. ୩ . ୨୦୧୮ ତାରିଖରେ ଏ ଦଣ୍ଡବିଧାନ କାହିଁକି ଆବଶ୍ୟକ ତାହା ସ୍ପଷ୍ଟ କରିଦେଇଛନ୍ତି । ମନ୍ତ୍ରିମଣ୍ଡଳର ଏହି ଯୁଗାନ୍ତକାରୀ ନିର୍ଦ୍ଦେଶକୁ ଅମାନ୍ୟ କରିବା ମୁଖ୍ୟମନ୍ତ୍ରୀଙ୍କ ପକ୍ଷେ ଆଉ ସମ୍ଭବ ନୁହେଁ ।

ପାରିସ୍ଥିତିକ ସନ୍ଦେହ

ତେବେ, ଏହି ନିର୍ଦ୍ଦେଶ ଅନୁସାରେ ଆଇନ ସଂଶୋଧନ କରିବାକୁ ବିଳମ୍ବ କାହିଁକି ?

ବିଜୁ ପଟ୍ଟନାୟକ ଯେହେତୁ ଓଡ଼ିଆ ଭାଷାକୁ ୧୯୬୩ରେ ଛୁରୀ ମାରି ଅକାମି କରିଦେବାକୁ ଚାହିଁଥିଲେ, ତାଙ୍କ ନାମ ଜପ କରିବାରେ ଲାଗିଥିବା ନବୀନ ବାବୁ “ବିଜୁଙ୍କ ସ୍ବପ୍ନ” ସାକାର କରିବା ମତଲବରେ ଓଡ଼ିଆ ଭାଷାକୁ ସମ୍ପୂର୍ଣ୍ଣତଃ ମାରିଦେବାପାଇଁ ଅଣଓଡ଼ିଆ ଅମଲାଙ୍କ ସହ ହାତମିଳାଇଛନ୍ତି କି ?

ଏପରି ଏକ ପାରିସ୍ଥିତିକ ସନ୍ଦେହ ଆମକୁ ଦଂଶନ କରିଚାଲିଥିବା ବେଳେ କି କି ଘଟଣା ଘଟିଛି ଯେ,ଏହି ସନ୍ଦେହ ଉପୁଜୁଛି ତାହା ଆମେ ସ୍ପଷ୍ଟ କରିବାକୁ ଚାହିଁବୁ । ଆମ ସଂଘର୍ଷର ତିନୋଟି ପର୍ଯ୍ୟାୟ ଏଥିପାଇଁ ପରିଦ୍ରଷ୍ଟବ୍ୟ ।

                                                                   ପ୍ରଥମ ପର୍ଯ୍ୟାୟ

ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିଲା ଭାଷା ଆଇନର କାର୍ଯ୍ୟକାରୀତା ଉପରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିର ଜଣେ ସଦସ୍ୟ ଭାବେ ମୁଁ ଯେଉଁଦିନ ଦଣ୍ଡବିଧାନ ଅଭାବରୁ ଆଇନଟିକୁ କେହି ମାନୁନାହାନ୍ତି ବୋଲି କହି ଏଥି ସକାଶେ ଆଇନ ସଂଶୋଧନର ଚିଠା ଓ ନିୟମାବଳୀର ଏକ ଚିଠା ପ୍ରଦାନ କରିଥିଲି । ସେଦିନ ଥିଲା ୩. ୯. ୨୦୧୫ ତାରିଖ । ସେ ପର୍ଯ୍ୟନ୍ତ ଆମ ରାଜନୈତିକ ନେତୃତ୍ବକୁ ଆଦୌ ଜଣା ନଥିଲା ଯେ, ଆଇନଟିକୁ କାର୍ଯ୍ୟକ୍ଷମ କରିବା ପାଇଁ ଦଣ୍ଡବିଧାନର ଆବଶ୍ୟକତା ଅଛି ଓ ସେଥିପାଇଁ ନିୟମାବଳୀ ପ୍ରଣୟନର ବି ଆବଶ୍ୟକତା ଅଛି ; ଅଥଚ ନିୟମାବଳୀ ପ୍ରଣୟନ ପାଇଁ ଆଇନଟିରେ ସରକାରଙ୍କୁ କୌଣସି ଅଧିକାର ଦିଆଯାଇନଥିଲା ଓ ବିନା ଅଧିକାରରେ ସରକାର ବି ନିୟମାବଳୀ ପ୍ରଣୟନ କରିବା ଥିଲା ଅସମ୍ଭବ ।

ତେଣୁ ମୁଁ ତିନୋଟି ଧାରା ବିଶିଷ୍ଟ ଆଇନଟିରେ ଆଉ ଏକ ଧାରା ଯୋଡ଼ି ଏହି ଅଭାବ ଦୂର କରିବାକୁ କହିଥିଲି । ମୋ ପ୍ରସ୍ତାବ ଥିଲା :

ଓଡିଶା ସରକାରୀ ଭାଷା ଆଇନ କାର୍ଯ୍ୟକାରୀ ହେବାକୁ ହେଲେ ତହିଁରେ ଧାରା ୩କ ପରେ ଏକ ନୂଆ ଧାରା (ଧାରା ୪) ଯୋଗ କରାଯାଉ ଓ ଏହି ଧାରାରେ ଦୁଇଟି ଉପଧାରା ରହୁ । ଯଥା:

ଉପଧାରା (୧):
ଆଇନଟିର ନାମ ପରିବର୍ତ୍ତନ କରାଯାଇ ତାହା ‘ଓଡିଶା ସରକାରୀ ଭାଷା ଆଇନ’ (Orissa Official Language Act) ସ୍ଥାନରେ ‘ଓଡିଶା ଜନ ଭାଷା ଆଇନ’ (Orissa Public Language Act) ହେବ ।

ଉପଧାରା (୨):
ଆଇନଟିକୁ ସମଗ୍ରତଃ କାର୍ଯ୍ୟକାରୀ କରିବା ପାଇଁ ବା ତାର ଯେ କୌଣସି ଉଦ୍ଦେଶ୍ୟ ସାଧନ ପାଇଁ ବା ଏହି ଆଇନର ଯେ କୌଣସି ବା ସମସ୍ତ ବ୍ୟବସ୍ଥାର ସଠିକ ପ୍ରବର୍ତ୍ତନ ପାଇଁ ବା ଏହି ଆଇନର ପରିସର ବା ଉଦ୍ଦେଶ୍ୟ ପରିବର୍ଦ୍ଧିତ କରିବା ପାଇଁ  ଓ ଏହି ଆଇନର କୌଣସି ଉଲ୍ଲଙ୍ଘନ ହେଲେ ତା ବିରୁଦ୍ଧରେ ଦଣ୍ଡବିଧାନ ପାଇଁ ସରକାର ନିୟମାବଳୀ ପ୍ରଣୟନ କରିବେ ।

ଏହାର ଉଦ୍ଦେଶ୍ୟ

ଉପଧାରା (୧) ମୂଳରେ ମୋର ଉଦ୍ଦେଶ୍ୟ ଥିଲା , ପ୍ରଶାସନ ଶବ୍ଦକୋଷରେ ସ୍ଥାନିତ ହୋଇଥିବା ଏବଂ କଟକ ଓ ଭୁବନେଶ୍ଵରରେ ମୁଖ୍ୟତଃ ବ୍ୟବହୃତ ହେଉଥିବା ଓଡ଼ିଆ ଶବ୍ଦ ପରିବର୍ତ୍ତେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଜନସାଧାରଣ ବ୍ୟବହାର କରୁଥିବା ଶବ୍ଦ ଯଥା ଜଳେଶ୍ଵରୀ , ସମ୍ବଲପୁରୀ , କୋଶଲି, ଦେଶିଆ , ଗଂଜାମିଆ ଆଦି ଶବ୍ଦ ସାଙ୍ଗକୁ ସବୁ ଜିଲ୍ଲାର ଆଞ୍ଚଳିକ ଶବ୍ଦ ତଥା ଆଦିବାସୀ ଓ ଦଳିତମାନଙ୍କର ସମସ୍ତ ମୌଳିକ ଶବ୍ଦ ଓଡ଼ିଶାର ସବୁ ଅଫିସ ଓ ଅଦାଲତରେ ଚାଲୁ; କାରଣ ତଦ୍ଦ୍ଵାରା ହିଁ ପ୍ରତ୍ୟେକ ଓଡ଼ିଆ – ଯିଏ ଯେଉଁ ଶବ୍ଦରେ ତାର ଭାବ ଆଦାନପ୍ରଦାନ କରୁଛନ୍ତି – ସେହି ଶବ୍ଦ ମାଧ୍ୟମରେ ନିଜର ବାଂଛିତ ସେବା ହାସଲ କରି ପାରିବେ ଓ ଓଡିଶା ପ୍ରଦେଶ ଗଠନର ଉଦ୍ଦେଶ୍ୟ ସଫଳ ହେବ ।

ଉପଧାରା (୨)ର ଉଦ୍ଦେଶ୍ୟ ଥିଲା, ଆଇନଟିର ଉଲ୍ଲଙ୍ଘନ ବିରୁଦ୍ଧରେ ଦଣ୍ଡବିଧାନ ବ୍ୟବସ୍ଥା ଆଇନଟି ଦେହରେ ଖଞ୍ଜିବା ଓ ଏହି ବ୍ୟବସ୍ଥାର କାର୍ଯ୍ୟକାରିତା ପାଇଁ ନିୟମାବଳୀ ପ୍ରଣୟନର କ୍ଷମତା ସରକାରଙ୍କୁ ଦିଆଇବା । କାରଣ , ଆଇନଟି ଦେହରେ ନିୟମାବଳୀ ପ୍ରଣୟନର ଅଧିକାର ସରକାରଙ୍କୁ ଦିଆଯାଇନଥିବାରୁ ନିୟମାବଳୀ ପ୍ରଣୟନ ଥିଲା ଅସମ୍ଭବ ଓ ଦଣ୍ଡବିଧାନର ଉପାଦାନ ଖଞ୍ଜା ହୋଇ ନଥିବାରୁ , ନିୟମାବଳୀ ଦ୍ଵାରା ତାହା ସଜ୍ଞାୟିତ ହେବା ବା ନିର୍ବାହିତ ହେବା ବି ଥିଲା ଅସମ୍ଭବ ।

ଏହି ଚିଠାଟିକୁ ମନ୍ତ୍ରୀସ୍ତରୀୟ କମିଟିର ସମସ୍ତଙ୍କ ସମର୍ଥନ କ୍ରମେ ଏକ ସ୍ବତନ୍ତ୍ର ୱେବ୍ସାଇଟ୍ – odia.odisha.gov.in – ରେ ରଖାହେଲା ଓ ଏହାକୁ ଆଇନ ସଚିବ ଅନୁଶୀଳନ କରି ଏକ ବିଧିବଦ୍ଧ ବିଧେୟକ ରୂପେ ବିଧାନସଭା ପାଇଁ ପ୍ରସ୍ତୁତ କରିବାକୁ କୁହାଗଲା । ଏହାକୁ ଆଧାର କରି , ଆଇନ ସଂଶୋଧନର ବ୍ୟବସ୍ଥା ହେଉଛି ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାକୁ ୧୪. ୧୨ . ୨୦୧୫ରେ ଏକ ଉତ୍ତର ଛଳରେ ଅବଗତ କରାଇଲେ ।

ଖଳବୁଦ୍ଧି

କିନ୍ତୁ ଅତି ବିସ୍ମୟଜନକ ଭାବେ ସେ ଓଲଟିଗଲେ ମାତ୍ର ଦୁଇଦିନ ଭିତରେ ।

ମନ୍ତ୍ରୀସ୍ତରୀୟ କମିଟିକୁ ଆଦୌ ନ ଡାକି, କମିଟିର ସିଦ୍ଧାନ୍ତ ବୋଲି କହି, ୧୭. ୧୨ . ୨୦୧୫ ତାରିଖରେ ସେ ଏକ ନଅଟିକିଆ ସୂତ୍ର ଜାରିକଲେ, ଯାହା ଭିତରେ ମୁଁ ଦେଇଥିବା ପ୍ରସ୍ତାବର ନାମଗନ୍ଧ ନ ଥିଲା । ଆଶ୍ଚର୍ଯ୍ୟ କଥା, ତହିଁ ପରଦିନ ସାଧାରଣ ପ୍ରଶାସନର ପ୍ରମୁଖ ଶାସନ ସଚିବ ଜି. ଭି. ଭି. ଶର୍ମା ନିଜ ଆଡୁ ଏହି ନଅଟିକିଆ ଖସଡ଼ାକୁ ଚଉଦଟିକିଆ କରିଦେଲେ ଓ ତାହାକୁ ଗ୍ରହଣ କରିବାକୁ ମନ୍ତ୍ରୀସ୍ତରୀୟ କମିଟିକୁ ବାଧ୍ୟ କଲେ । କମିଟିରେ ସ୍ଥାନିତ ହୋଇଥିବା ଭାଷା ମାଫିଆ ଗୋଷ୍ଠୀକୁ ଏହା ସୁହାଉଥିଲା । ତେଣୁ ସେମାନେ ଏହି ହୀନ ଚକ୍ରାନ୍ତଙ୍କୁ ବିରୋଧ କଲେନାହିଁ । ଉପରୋକ୍ତ ଯେଉଁ ନଭମଞ୍ଚରେ ମୋ ପ୍ରଦତ୍ତ ଆଇନ ସଂଶୋଧନ ଓ ନିୟମାବଳୀର ଚିଠା ସ୍ଥାନିତ , ତାହାକୁ ସର୍ବସାଧାରଣଙ୍କ ପାଇଁ ନିଷିଦ୍ଧ କରାଗଲା । ଯେଉଁ ବିଭାଗ ଏହା କରିଛି ତାହା ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ । ମୁଖ୍ୟମନ୍ତ୍ରୀଙ୍କ ଆଦେଶ ବିନା ଏପରି ବଦମାସୀ କରିବାକୁ କୌଣସି କର୍ମଚାରୀ ସାହସ କରିବେନି । ଅତଏବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ଆମ ଭାଷା ବିରୁଦ୍ଧରେ ଖଳନାୟକ ସାଜିଛନ୍ତି ।

ଅଣଓଡ଼ିଆଙ୍କ ଷଡଯନ୍ତ୍ର

ଦଣ୍ଡବିଧାନ ପାଇଁ ମୋ ପ୍ରସ୍ତାବକୁ ଅଣଓଡ଼ିଆ ଆଇ .ଏ .ଏସ . ଅଫିସର ଶର୍ମା ବିରୋଧ କରିଥିବା ଓ ତାହାକୁ ଆଇନ ସଚିବଙ୍କ ପାଖକୁ ଯିବାବେଳେ ବାଟବଣା କରାଇଥିବା ପ୍ରମାଣ ହସ୍ତଗତ ହେଲାପରେ ଆମେ ତାହା ଓଡିଶାବାସୀଙ୍କ ସମ୍ମୁଖରେ ରଖିଛୁ । ଏହା ଅବଗତ ହୋଇ ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ କରିନାହାନ୍ତି । ତେଣୁ ଅଣଓଡ଼ିଆ ଅଫିସରମାନଙ୍କ ସହ ହାତମିଳାଇ ସେ ତାଙ୍କ ବାପାଙ୍କ ଓଡିଆବିରୋଧୀ “ସ୍ବପ୍ନ”କୁ ସାକାର କରିବାକୁ ଚାହାନ୍ତି ବୋଲି ସନ୍ଦେହ ଉପୁଜିବା ସ୍ବଭାବିକ ।

ଭାଷା ଆନ୍ଦୋଳନ ଆରମ୍ଭ

ଉପରୋକ୍ତ ପ୍ରମାଣ ହସ୍ତଗତ ହେବା ପୂର୍ବରୁ , ନିର୍ଭରଯୋଗ୍ୟ ସୂତ୍ରରୁ ଏହା ଯେତେବେଳେ ମୁଁ ଜାଣିପାରିଲି , ଆଇନ ସଂଶୋଧନ ସକାଶେ ଜନମତ ସୃଷ୍ଟିପାଇଁ ଏକ ସ୍ବତନ୍ତ୍ର ଆନ୍ଦୋଳନର ପରିକଳ୍ପନା କଲି ଓ ୧.୪.୨୦୧୬ ତାରିଖରେ ସାମାଜିକ ଗଣମାଧ୍ୟମ ଫେସ୍ ବୁକ୍ ପୃଷ୍ଠାରେ ଜନସାଧାରଣଙ୍କ ମତ ଲୋଡ଼ିଲି । ମୋତେ ଇ-ମେଲ ମାଧ୍ୟମରେ ତତ୍କାଳ ସମର୍ଥନ ଜଣାଇଲେ ଟିଟିଲାଗଡ଼ ନିବାସୀ ଗଜାନନ ମିଶ୍ର , ଯେ କି ୧.୭.୨୦୧୫ରେ ମଧୁମିତା ସାମଲ ଓ ସଂଜୀବ ପରିଡ଼ାଙ୍କ ସହ ମିଶି ଭାଷା ଆଇନର କାର୍ଯ୍ୟକାରୀତା ପାଇଁ ଅନଶନ କରିଥିଲେ । ଚାଟାର୍ଡ଼ ଅକଉଣ୍ଟାଣ୍ଟ ବିଶ୍ଵଜିତ ମହାନ୍ତି, ପ୍ରଫେସର କମଳା ପ୍ରସାଦ ମହାପାତ୍ର , ଅବସରପ୍ରାପ୍ତ ଆଇଏଏସ ଅଫିସର ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ ଇତ୍ୟାଦି ବନ୍ଧୁମାନେ ବି ସେମାନଙ୍କ ମୁଲ୍ୟବାନ ପରାମର୍ଶ ଦେଲେ । ତହିଁରୁ ମୋର ହୃଦବୋଧ ହେଲା କି ମୁଁ ସରକାରଙ୍କୁ ଦେଇଥିବା ପରାମର୍ଶ ସପକ୍ଷରେ ଏକ ଆନ୍ଦୋଳନ ଠିଆ କରାଯାଇପାରିବ । ୧୯୮୦ ଦଶକରେ ତଦାନୀନ୍ତନ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଜନଚେତନା ଜାଗ୍ରତ କରିବା ପାଇଁ ମୁଁ ସୃଷ୍ଟିକରିଥିବା ନୀରବ କଳାପତାକା ଅଭିଯାନ ପଦ୍ଧତ୍ତିରେ ଏହି ଆନ୍ଦୋଳନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଲି ।

ସମାଜ କାଗଜରେ ଚାଲିଥିବା କର୍ମଚାରୀଶୋଷଣ ବିରୁଦ୍ଧରେ ସୃଷ୍ଟିହୋଇଥିବା ‘ସେଭ ଦି ସମାଜ ଫୋରାମ’ (https://savethesamaja.wordpress.com/ ଦ୍ରଷ୍ଟବ୍ୟ) ହେତୁ ମୋର ନିକଟତର ହୋଇଥିବା ବିଜ୍ଞାପନ ସଂଗ୍ରାହକ ପବିତ୍ର ମୋହନ ମହାରଥା ଏ କ୍ଷେତ୍ରରେ ମୋର ପ୍ରଥମ ସହଯୋଗୀ ସାଜିଲେ । ସୁବାର୍ତ୍ତା ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ, ସ୍ତମ୍ଭକାର ତୁଷାରକାନ୍ତ ଶତପଥୀ ଓ ସାମ୍ବାଦିକ ସାଗର ଶତପଥୀ, ଯେଉଁମାନେ କି ମଧୁବାବୁଙ୍କ ବିଜେସ୍ଥଳୀରୁ ମୋଦୀ ଓ ନବୀନଙ୍କ ପ୍ରଚାର-ପ୍ରାଚୀର ହଟାଇବାରେ ମୋତେ ସାହାଯ୍ୟ କରିଥିଲେ, ସେମାନେ ଏଥିପାଇଁ ସହଯୋଗର  ହାତ ବଢାଇଲେ । ଓଡ଼ିଆ ଭାଷାର ମୁମୂର୍ଷୁ ଅବସ୍ଥା ଲକ୍ଷ୍ୟ କରି ଭାଷାଭିତ୍ତିକ ଜାତୀୟତା ଉଦ୍ରେକ କରିବା ସକାଶେ ‘ଓଡିଶା ପ୍ରଦେଶ ସୃଷ୍ଟିରେ ଗଣମାଧ୍ୟମ’ ଶୀର୍ଷକ ଏକ ପ୍ରାମାଣିକ ନିବନ୍ଧରେ ଆମ ଭାଷାକୁ ରକ୍ଷା କରିବା ପାଇଁ କିପରି ଆମ ସାମ୍ବାଦିକୀୟ ପୂର୍ବସୂରୀମାନେ ନେତୃତ୍ବ ଦେଇଥିଲେ ତାହାର ଅବତାରଣା କରି ଏଥିପାଇଁ ଆମ ସାମ୍ବାଦିକମାନଙ୍କୁ ଜାଗ୍ରତ କରାଇବାକୁ ମୁଁ ଚେଷ୍ଟା କରିଥିଲି ୨୦୦୯ରେ ନଭମଞ୍ଚରେ । ସୁତରାଂ ସାମ୍ବାଦିକୀୟ ବୃତ୍ତିରେ ଥିବା ଆମେ ପାଞ୍ଚଜଣ ଏକାଠି ହେବା ଥିଲା ସ୍ବପ୍ନ ସାର୍ଥକ ହେଲାପରି ଏକ ରୋମାଞ୍ଚକର ଉପଲବ୍ଧି ।

ଇ-ମେଲ ଯୋଗେ ସଂସ୍ଥାପିତ ସମ୍ପର୍କ ପ୍ରତ୍ୟକ୍ଷ ସମାବେଶରେ ଓ କାର୍ଯ୍ୟାନ୍ତ ଅନୁମୋଦନରେ ରୁପାୟିତ ହେଲା ୮.୪.୨୦୧୬ ସନ୍ଧ୍ୟାରେ, ଯେତେବେଳେ ଆମ ସହ ଯୋଗ ଦେଲେ ଡ଼. ନିତ୍ୟାନନ୍ଦ ପଟ୍ଟନାୟକ, ଶ୍ରୀମତୀ ମଧୁମିତା ସାମଲ, କାଳିପ୍ରସାଦ ସାମନ୍ତରାୟ,ସୁବ୍ରତ ଛାଟୋଇ, କାହ୍ନୁ ବେହୁରା । ସ୍ଥାନ ଥିଲା : ପ୍ରଦ୍ୟୁମ୍ନବାବୁଙ୍କ ସୁବାର୍ତ୍ତା କାର୍ଯ୍ୟାଳୟ, କାରଣ ମୁଁ ରହୁଥିବା ସରକାରୀ ଘର ସେଥିପାଇଁ ଉପଯୁକ୍ତ ନଥିଲା । ମୌଖିକ ଅନୁମୋଦନ ଅନୁସାରେ ମୁଖ୍ୟ ଶାସନ ସଚିବଙ୍କୁ ଦିଆସରିଥିଲା ସ୍ମାରକପତ୍ର ଦିନବେଳେ ତାଙ୍କ ସଚିବାଳୟ ପ୍ରକୋଷ୍ଠରେ ।

ଆରମ୍ଭ ହେଲା ଚାରି ଦିନ ପରେ ୧୩. ୪. ୨୦୧୬ (ପଣା ସଂକ୍ରାନ୍ତି – ଓଡ଼ିଆ ନୂଆ ବର୍ଷ)ରେ କଳାପତାକା ଅଭିଯାନ ।

ଏପରି ଏକ ଯୁଗାନ୍ତକାରୀ ଅତୁଳନୀୟ ଜନ ଆନ୍ଦୋଳନ ବିଶ୍ଵରେ କେବେ ବି କେଉଁଠି ଘଟିନାହିଁ । ସମଗ୍ର ଓଡ଼ିଆ ଜାତିର ଜାତୀୟ ଭାବାବେଗ ଏହି ଆନ୍ଦୋଳନ ସହ ଜଡିତ ।

                                                                    ଦ୍ଵିତୀୟ ପର୍ଯ୍ୟାୟ

ଏହି ଜାତୀୟ ଭାବାବେଗ ଏତେ ତୀବ୍ର ଯେ, ୩୯ ଦିନ କାଳ କଳାପତାକା ଚାଲିଲା ପରେ ଓ ତହିଁରେ ଓଡ଼ିଶାର ବହୁ ପ୍ରଥିତଯଶା ବ୍ୟକ୍ତି ଯୋଗ ଦେଇ ଓଡ଼ିଆ ଭାଷା ଜନନୀର ସାର୍ବଭୌମତା ତଳେ ଓଡ଼ିଶାର ପ୍ରଶାସନ କାମ କରିବାକୁ ବାଧ୍ୟ ବୋଲି ନିରବରେ ଲେଖିଦେଲାପରେ ସମୟର ଛାତିରେ ଗଭୀର ଭାବେ, ନବୀନ ବାବୁଙ୍କ ପ୍ରବଳ ଅହଙ୍କାରୀ ସରକାର ପ୍ରଥମଥର ପାଇଁ ମୁଣ୍ଡ ନୂଆଇଁଲା ୨୧. ୫. ୨୦୧୬ ତାରିଖ ଦିନବେଳେ ।

ବିଧାନସଭାରେ ଆଇନ ସଂଶୋଧନ କରିବାକୁ ମୁଖ୍ୟମନ୍ତ୍ରୀ ସେଦିନ ତାଙ୍କ ଦଳୀୟ ସମାବେଶରେ କହିଲେ । ତା ପୂର୍ବଦିନ ୨୦.୫.୨୦୧୬ ତାରିଖରେ ତ ହଠାତ୍ ବନ୍ଦ କରିଦିଆଯାଇଥିଲା ବିଧାନସଭାକୁ ଅଧା ଅଧିବେଶନରେ । ପୁଣି କେଉଁ ବିଧାନସଭାରେ ଆଇନ ସଂଶୋଧନ ହେବ? ରାତିରେ ଜାରି ହେଲା ଅଧ୍ୟାଦେଶ । ତାହା ଭାଷା ଆନ୍ଦୋଳନର ଏକ ସୁନିଶ୍ଚିତ ବିଜୟ ଥିଲା ; କିନ୍ତୁ ତାହା ଥିଲା ଦୁରଭିସନ୍ଧି ଓ ଜାଲିଆତିର ବିଷରେ ଭରା । ମୁଁ ୩.୯.୨୦୧୫ରେ ଦେଇଥିବା ଆଇନ ସଂଶୋଧନ ଚିଠାକୁ ଆଇନ ବିଭାଗ ସମାର୍ଜନ କରି ଅନୁମୋଦିତ କରିଥିବା ଧାରା ୪ କୁ ଅନଧିକୃତ ଭାବେ ଧାରା ୫କୁ ବଦଳାଇ ତା ସ୍ଥାନରେ ଭିନ୍ନ ବ୍ୟବସ୍ଥା ଥିବା ଏକ ନୂଆ ୪ ଧାରା ଖଞ୍ଜା ଯାଇଥିଲା । ଜାଲିଆତି ଦ୍ଵାରା ଖଞ୍ଜା ହୋଇଥିବା ଧାରା ୪ ଥିଲା ଆମ ଭାଷା ଆଇନକୁ ଖର୍ବ କରିବା ପାଇଁ ଏକ ଧୂର୍ତ୍ତ ପ୍ରୟାସ ଏବଂ ଅବୈଧ ।

ଜାଲିଆତି ପ୍ରସୂତ ଧାରା ୪ ଥିଲା ଏହିପରି :

“୪. ରାଜ୍ୟ ସରକାର, ଏହି ଅଧିନିୟମ ଅନୁଯାୟୀ ପ୍ରଣୀତ ନିୟମାବଳୀରେ ବିହିତ ହେବା ମତେ ସେପରି କାଳାବଧି ମଧ୍ୟରେ , ସେପରି ରୀତିରେ ଓ ସେପରି ପ୍ରାଧିକାରୀଙ୍କ ଦ୍ଵାରା , ଧାରା ୨ର ଉପଧାରା (୨) ଅନୁଯାୟୀ ନିର୍ଗମିତ ଅଧିସୂଚନାରେ ଥିବା ନିର୍ଦ୍ଦେଶ ଫଳପ୍ରଦଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ସେ ବିଷୟରେ ସମୀକ୍ଷା ଓ ଅନୁଧ୍ୟାନ କରିପାରିବେ ।”

ମୁଁ ଏହି ଅବୈଧ ଓ ଜାଲିଆତି ପ୍ରସୂତ ଧାରା ୪କୁ ତତ୍କାଳ ବିରୋଧ କରିଥିଲେ ମଧ୍ୟ ନିୟମାବଳୀ ପ୍ରଣୟନ ପାଇଁ ମୁଁ ଦେଇଥିବା ପ୍ରସ୍ତାବ ଧାରା ୫ ରୂପେ ତହିଁରେ ସ୍ଥାନିତ ହୋଇଥିବା ହେତୁ ମୋ ସାଥୀମାନେ ତାହାକୁ ଆମ ବିଜୟର ପ୍ରଥମ ଝଲକ ଭାବେ ଗ୍ରହଣ କରି ବିଜଯ ଉତ୍ସବ ପାଳିବାକୁ ଚାହିଁଲେ।  ବସ୍ତୁତଃ ଏହା ଥିଲା ସେହିମାନଙ୍କ ସହଯୋଗର ବିଜୟ । ସୁତରାଂ ଧାରା ୪ ପ୍ରତି ମାନସିକ ବିରୋଧ ସତ୍ତ୍ୱେ ମୁଁ ଏହି ଉତ୍ସବ ପାଳନ ସହମତ ହୋଇଥିଲି ; ବିଶେଷତଃ ଯେହେତୁ ଏହି ଅଧ୍ୟାଦେଶ ଜାରି କରି ମୁଖ୍ୟମନ୍ତ୍ରୀ ସୁଚାଇଥିଲେ କି ଅଗଷ୍ଟ ୧୫,୨୦୧୬ ସୁଦ୍ଧା ଭାଷା ଆଇନର କାର୍ଯ୍ୟକାରିତା ପଥରୁ ସମସ୍ତ ଅନ୍ତରାୟ ଅପସାରିତ ହେବ ।

ଯେହେତୁ ନିୟମାବଳୀ ପ୍ରଣୟନ ପାଇଁ ବାଟ ସଫା ହୋଇଗଲା, ଅଗଷ୍ଟ ୧୫ ସୁଦ୍ଧା ପ୍ରବର୍ତ୍ତିତ ହେବାକୁ ଥିବା ନିୟମାବଳୀରେ ଆଇନ ଖିଲାପକାରୀକୁ ଦଣ୍ଡବିଧାନ ପାଇଁ କି ବ୍ୟବସ୍ଥା ରହିବ ତାହା ଦେଖିବାକୁ ଅପେକ୍ଷା କରିବା ଉଚ୍ଚିତ ହେବ ବୋଲି ଆମେ ବିଚାରିଲୁ ଓ ସେହି ଦିନ ଯାଏଁ କଳାପତାକା ସ୍ଥଗିତ ରଖିବାକୁ ନିଷ୍ପତ୍ତି କଲୁ ।

ଓଡ଼ିଆ ଜାତିକୁ ମୁଖ୍ୟମନ୍ତ୍ରୀଙ୍କ ଚପୋଟାଘାତ

ଲଜ୍ଜ୍ୟା ଓ ଅନୁଶୋଚନାର କଥା , ମୁଖ୍ୟମନ୍ତ୍ରୀ ଓଡ଼ିଆ ଜାତିକୁ ଚିତା କାଟିଦେଲେ ।

ଯେଉଁ ନିୟମାବଳୀ ପ୍ରଣୀତ ହେଲା ତହିଁରେ ମୁଖ୍ୟ ଶାସନ ସଚିବଙ୍କ ସମେତ ଭାଷା ଆଇନର ଅଭ୍ୟସ୍ତ ଉଲ୍ଲଙ୍ଘନକାରୀ ଛଅ ଜଣ ପଦପ୍ରଯୁକ୍ତ ଶାସନ ସଚିବଙ୍କୁ ନେଇ ଏକ କମିଟି ଗଠନ ପାଇଁ ବ୍ୟବସ୍ଥା ରହିଲା ଯେଉଁ କମିଟି କି ଏକ ବର୍ଷ ମଧ୍ୟରେ ଦିଥର ବୈଠକ କରିବେ ଓ “ଓଡ଼ିଆ ଭାଷାର ସଫଳ କାର୍ଯ୍ୟକାରିତା ପାଇଁ ବୈଠକ ହେବାର ୨ ମାସ ମଧ୍ୟରେ ଏକ ରିପୋର୍ଟ ପ୍ରସ୍ତୁତ କରି ପରବର୍ତ୍ତୀ ଏକମାସ ମଧ୍ୟରେ ସରକାରଙ୍କୁ ପ୍ରଦାନ କରିବେ ।” ତା ପରେ କଣ ହେବ ସେ ସମ୍ପର୍କରେ ନିୟମାବଳୀ ନିରବ । ଏହିପରି ଏକ ବନ୍ଧ୍ୟା ବ୍ୟବସ୍ଥା ଖଞ୍ଜି ସରକାରଙ୍କର ଉର୍ବର ମସ୍ତିଷ୍କ ଏହି ନିୟମାବଳୀରେ ଏକ ଜନ୍ମମୃତ ବ୍ୟବସ୍ଥା ବି ଖଞ୍ଜିଦେଲା । ତାହା ହେଲା ମୁଖ୍ୟ ଶାସନ ସଚିବଙ୍କ ଅଧୀନରେ ଏକ “ସରକାରୀ ଭାଷା ପ୍ରଭାଗ” ସ୍ଥାପନ ଯାହା କି , ତାଙ୍କ ଅଧ୍ୟକ୍ଷତାରେ ଚାଲିଥିବା “କମିଟିର କାର୍ଯ୍ୟଧାରା ଉପରେ ସମୀକ୍ଷା ଓ ପର୍ଯ୍ୟାଲୋଚନା କରିବ ।” ଅର୍ଥାତ୍ , ଯେଉଁ ବନ୍ଧ୍ୟା ସମୀକ୍ଷା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଅଧିକୃତ କରାଯାଇଛି ତାହା ଉପରେ ସମୀକ୍ଷା ଓ ପର୍ଯ୍ୟାଲୋଚନା କରିବେ ତାଙ୍କର ଜଣେ ଅଧସ୍ତନ କର୍ମଚାରୀ ! ଜାଲିଆତି ବଳରେ ଧାରା ୪ ଖଞ୍ଜାଯାଇଥିବା ମୂଳରେ ଥିବା ଦୁରଭିସନ୍ଧି ଓ ପ୍ରବଞ୍ଚନା ସ୍ପଷ୍ଟ ହୋଇଗଲା  ।

ଏପରି ପ୍ରବଞ୍ଚନାକୁ ପ୍ରତ୍ୟାଖ୍ୟାନ କରି ଆହୁରି ବ୍ୟାପକ ହେଲା ଭାଷା ଆନ୍ଦୋଳନ ।

                                                                   ତୃତୀୟ ପର୍ଯ୍ୟାୟ

ଆମ ବିଧାୟକମାନେ ଯଦି ଅମଲାତନ୍ତ୍ରର ଆଜ୍ଞାବକା ପରି କାମ ନ କରି ୨୮. ୯. ୨୦୧୬ରେ ନିଜର ସାମାନ୍ୟ ବିଧାୟକୀୟ ଵିଜ୍ଞତା ପ୍ରୟୋଗ କରିଥାନ୍ତେ ତେବେ ଏହି ପ୍ରବଞ୍ଚନା କବଳରୁ ମୁକ୍ତି ମିଳିପାରିଥାନ୍ତା । ଓଡିଶା ସରକାର ସଠିକ ଆଇନ ଓ ନିୟମାବଳୀ ପ୍ରଣୟନ ପାଇଁ ବାଧ୍ୟ ହୋଇଥାନ୍ତେ । ତା ହେଲା ନାହିଁ । ତେଣୁ କଳାପତାକା ଅଭିଯାନ ଭୁବନେଶ୍ଵରରେ ଚାଲି ରହିବା ସଂଗେ ସଂଗେ ଓଡ଼ିଶାର ଅନ୍ୟତ୍ର ମଧ୍ୟ ଦୃଢ଼ ଭାବେ ଆରମ୍ଭ ହେଲା ।

ବହୁ କଳକୌଶଳ ପ୍ରୟୋଗ ହେଲା ଏହି ଆନ୍ଦୋଳନକୁ ଭାଙ୍ଗିବା ପାଇଁ । ଡ଼. ଦେବୀ ପ୍ରସନ୍ନ ପଟ୍ଟନାୟକ ଆମମାନଙ୍କୁ “ଭାଷା ବିରୋଧୀ” ବୋଲି ଆକ୍ଷେପ କଲେ (ସମାଜ, ୨୫. ୬. ୨୦୧୬), ତାଙ୍କ ସହଯୋଗୀ ସୁବ୍ରତ ପୃଷ୍ଟିଙ୍କ ମାଧ୍ୟମରେ ମୋ ଉପରେ ଅଶ୍ଳୀଳ ଭାଷା ପ୍ରୟୋଗ କରିଚାଲିଲେ ସାମାଜିକ ଗଣମାଧ୍ୟମରେ । ବୈଷ୍ଣବ ପରିଡା ଆମ ଦାବି ସପକ୍ଷରେ ଆଇନ ଅମାନ୍ୟ ପରି ନାଟକବାଜି ଚଳାଇ ଆମ ଆନ୍ଦୋଳନର ଗରିମା ହ୍ରାସ ପାଇଁ ଚେଷ୍ଟା କଲେ ।

କିନ୍ତୁ ସେ ସବୁ ଯେତେବେଳେ କିଛି କାମ କଲାନାହିଁ , ମୁଖ୍ୟମନ୍ତ୍ରୀ ବାଧ୍ୟ ହୋଇ ମୋତେ ଆଲୋଚନାକୁ ଡାକିଲେ ୧୯. ୫. ୨୦୧୭ରେ ।

ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥାଙ୍କୁ ସାଙ୍ଗରେ ନେଇ ମୁଁ ସେଦିନ ମୁଖ୍ୟମନ୍ତ୍ରୀଙ୍କୁ ୨୦୧୬ର ତ୍ରୁଟିପୂର୍ଣ୍ଣ ସଂଶୋଧନକୁ ପୁନର୍ବାର ସଂଶୋଧନ କରି ଧାରା ୪ ବିଲୋପ କରି ବା ବଦଳାଇ ଭାଷା ଆଇନଟିକୁ କାର୍ଯ୍ୟକ୍ଷମ କରିବାକୁ ପରାମର୍ଶ ଦେଲି  ଓ ଏହି ପୁନଃ ସଂଶୋଧନର ଏକ ଚିଠା ବି ଦେଲି । ଓଡ଼ିଆରେ ଅଜ୍ଞ ଅଥଚ ଇଂରେଜୀରେ ବିଜ୍ଞ ଆମ ମୁଖ୍ୟମନ୍ତ୍ରୀ ବୁଝିପାରିବାପାଇଁ ମୁଁ ଇଂରେଜୀରେ ଲେଖିଥିବା ଚିଠାଟିର ଓଡ଼ିଆ ରୂପ ଏହିପରି :

ଏହି ଆଇନ ସମ୍ଭୁତ ନିୟମାବଳୀରେ ସଂସ୍ଥିତ ପଦ୍ଧତ୍ତି ଓ ଅଧିକାରୀଙ୍କ ମାଧ୍ୟମରେ ସରକାର ଓଡ଼ିଶାର ସାଧାରଣ ଲୋକଙ୍କ ଠାରୁ ଏହି ଆଇନର ଉଲ୍ଲଙ୍ଘନ ସଂକ୍ରାନ୍ତୀୟ ଅଭିଯୋଗ ଗ୍ରହଣ କରିପାରିବେ ଓ ଏପରି ଅଭିଯୋଗ ଅଧିକନ୍ତୁ , ଏହି ଆଇନର ଉଲ୍ଲଙ୍ଘନ ବିରୁଦ୍ଧରେ ଜନସାଧାରଣଙ୍କ ଅଭିଯୋଜନ ଅଧିକାର ପ୍ରତି କୌଣସି ପ୍ରତିକୂଳ ପ୍ରଭାବ ବିନା, ନିଜ ଆଡୁ ସମୀକ୍ଷା ଓ ପର୍ଯ୍ୟାଲୋଚନା କରି ଏହି ଆଇନସ୍ଥ ଧାରା-୨ର ଉପଧାରା-(୨) ବଳରେ ଜାରିହୋଇଥିବା ଅଧିସୂଚନା ଉଲ୍ଲଙ୍ଘନ ହୋଇଛି କି ନାଁ ତାହା ନିରୂପଣ କରିପାରିବେ ଓ ଉଲ୍ଲଙ୍ଘନକାରୀ ବିରୁଦ୍ଧରେ ନିୟମାବଳୀରେ ଅନୁବଦ୍ଧ ଦଣ୍ଡବିଧାନ ସୁନିଶ୍ଚିତ କରାଇବେ ।

ଏହି ତୃତୀୟ ପର୍ଯ୍ୟାୟର ଆବଶ୍ୟକତା ଦେଖାଦେଇନଥାନ୍ତା ଯଦି ମୁଖ୍ୟମନ୍ତ୍ରୀ ଦ୍ଵିତୀୟ ପର୍ଯ୍ୟାୟଟିକୁ ଦିଗହରା କରାଇ ନଥାନ୍ତେ ।

ଶେଷରେ ସୌମ୍ୟରଞ୍ଜନ

ଯେଉଁଦିନ ଏହି ଶେଷ ଚିଠା ମୋର ଦୁଇ ସହକର୍ମୀ, ଅବଲୁପ୍ତ ମନ୍ତ୍ରୀସ୍ତରୀୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ସାଂସଦ ପ୍ରତାପ କେଶରୀ ଦେବଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଧରାଇଲି , ସେଦିନ ମୋର ଏକ ଚମକପ୍ରଦ ଅନୁଭୂତି ଅର୍ଜନ ହେଲା , ଯାହା ଉଲ୍ଲେଖ ନକଲେ କେଉଁ କିସମର ଷଡଯନ୍ତ୍ର ଟପି ଭାଷା ଆନ୍ଦୋଳନ ଚାଲିଛି ତାହା କେହି ଜାଣିପାରିବେ ନାହିଁ ।

ମୁଖ୍ୟମନ୍ତ୍ରୀ ମୋତେ ଡାକି ଏହି ତୃତୀୟ ପର୍ଯ୍ୟାୟରେ ଆଲୋଚନା କରିସାରିଥିବା ହେତୁ ଆମେ ଆନ୍ଦୋଳନ ବନ୍ଦ କରିଦେବା ଉଚିତ ବୋଲି ଟେଲିଫୋନ ଯୋଗେ ପରାମର୍ଶ ଦେଲେ ସମ୍ବାଦ ଓ କନକ ଟିଭିର ସମ୍ପାଦକ/ମାଲିକ ବାବୁ ସୌମ୍ୟରଞ୍ଜନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଠାରୁ ନିମନ୍ତ୍ରଣ ପାଇବା ପାଇଁ ଆମ ଆନ୍ଦୋଳନ ଉଦ୍ଦିଷ୍ଟ କି? ବୋଲି ମୁଁ ତାଙ୍କୁ ପଚାରିଲି । ସେ କହିଲେ , “ଆପଣଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ମୁଁ ହିଁ ଯୋଗାଡ଼ କରିଥିଲି । ଏହା ପରେ ଯଦି ଆପଣ ଆନ୍ଦୋଳନ କରନ୍ତି, ମୋ କାଗଜରେ ଏ ଆନ୍ଦୋଳନର କୌଣସି ଖବର ଆଉ ପ୍ରକାଶ ପାଇବ ନାହିଁ ।” ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ପଚାରିଲି , ଆପଣଙ୍କ କାଗଜରେ ଆମ ଖବର ପ୍ରକାଶ ପାଇବାକୁ ଆମେ କଣ ଆନ୍ଦୋଳନ କରୁଛୁ ?” ସେ ତାଙ୍କ ଆଡୁ ସଂଗେ ସଂଗେ ଫୋନ ସଂଯୋଗ କାଟିଦେଲେ । ଏବଂ ସମ୍ବାଦରେ ଆମ ଆନ୍ଦୋଳନ ଖବର ବନ୍ଦ ହୋଇଗଲା ।

ପୁଣି କଣ ହେଲା କିଏ ଜାଣେ, ଚାଲିଲା ! ପୁଣି ଚାଲିଲା ମୋ ଉପରେ ଚାପପ୍ରୟୋଗ ! କିଛି କାମ କଲାନି । ଶେଷରେ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା । ଏପରିକି, ୨୬. ୧ ୨. ୨୦୧୭ ତାରିଖରେ ପୁରୀ ସ୍ବତନ୍ତ୍ର ବୈଠକରେ ଯେତେବେଳେ ଆମ ଦାବି ଅନୁରୂପେ ରାଜ୍ୟ ମନ୍ତ୍ରୀମଣ୍ଡଳ ଭାଷା ଆଇନ ଉଲ୍ଲଙ୍ଘନକାରୀ ପ୍ରତି “ବିହିତ ଦଣ୍ଡବିଧାନ” ପାଇଁ ପ୍ରସ୍ତାବ ଗ୍ରହଣ କଲା, କନକ ଟିଭି ଆଲୋଚନାକୁ ଆମକୁ ନ ଡାକି ତାଙ୍କ ଓଡ଼ିଆ ଦର୍ଶକମାନଙ୍କୁ ଆମ ମତ ସମ୍ପର୍କରେ ଅନ୍ଧକାରରେ ରଖିବା କାମ ବି କଲେ ବାବୁ ସୌମ୍ୟରଞ୍ଜନ । ଭିନ୍ନଭାବେ କହିଲେ, ନବୀନବାବୁଙ୍କ ଦଳରୁ ରାଜ୍ୟସଭା ପାଇଁ ଆଶାୟୀ ଥିବା ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ସ୍ଵୟଂ ନବୀନ ବାବୁ ହିଁ ଭାଷା ଆନ୍ଦୋଳନ ବନ୍ଦ କରାଇବା କାମରେ ଲଗାଇଥିଲେ । ପାରିଲେନି ।

ସୌମ୍ୟରଞ୍ଜନ ଓ ଭାଷା ଆନ୍ଦୋଳନ

ଏ କଥା ସତ୍ୟ ଯେ, ସମ୍ବାଦ କାଗଜରେ ଆମ ଖବର ସବୁଦିନ ବାହାରୁଥିଲା ଓ ଆମ ସଭାସମିତିକୁ ବି ସବୁ ସମ୍ପାଦକଙ୍କୁ ଡାକିଲା ପରି ଆମେ ତାଙ୍କୁ ଡାକୁଥିଲୁ ଓ ମୁଖ୍ୟ ଅତିଥିର ମର୍ଯ୍ୟାଦା ଦେଉଥିଲୁ । ଅନ୍ୟ ସମ୍ପାଦକମାନଙ୍କ ତୁଳନାରେ ତାଙ୍କ ସହ ଆମ ସମ୍ପର୍କ ଅଧିକ ନିବିଡ଼ ଥିଲା , କାରଣ ତାଙ୍କରି କାଗଜ ହିଁ ଥିଲା ମୋର ଅତୀତର ମୁକ୍ତବୃତ୍ତ ସାମ୍ବାଦିକୀୟ ଜୀବନର ରୋମଞ୍ଚର ରୂପାଧାର । ସୁତରାଂ ସେ ଚାହିଁଲେ ଭାଷା ଆନ୍ଦୋଳନକୁ ବନ୍ଦ କରାଇଦେଇପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ହୁଏତ କହିଥିବେ । ତା ନ ହେଲେ ନିଜ ମାଲିକାନାରେ ଥିବା କନକ ଟିଭି ମାଧମରେ ସେ ନିଜେ , ଓ କେତେକ କ୍ରୀତ ସାମ୍ବାଦିକଙ୍କ ଦ୍ଵାରା ଏବଂ ତାଙ୍କ ସଂସ୍ଥାରେ ଚାକିରୀ ଆଶାୟୀ ଆଉ କିଛି ଛୋଟ ଛୋଟ ଚାନେଲ କର୍ମୀଙ୍କ ମୁହଁରେ ଭାଷା ଆନ୍ଦୋଳନ ସେ ହିଁ କରୁଥିବା କଥା କାହିଁକି ଏପରି ପ୍ରଚାର ଚଳାଇଥିଲେ ରାଜ୍ୟସଭା ନିର୍ବାଚନ ପାଖାପାଖି ? କିନ୍ତୁ ରାଜନୀତିକ ସ୍ଵାର୍ଥ ତାଙ୍କୁ ଗ୍ରାସ କରିନଥିଲାବେଳେ ତାଙ୍କ ବିଚାରରେ କଣ ଥିଲା ଭାଷା ଆନ୍ଦୋଳନ ? ତାଙ୍କରି ତୁଣ୍ଡରୁ ଜାଣିବା :

ଯେଉଁଦିନ ନିୟମାବଳୀ ପ୍ରଣୟନ ସକାଶେ ଭାଷା ଆଇନ ସଂଶୋଧନ ପାଇଁ ଆମ ଦାବି ଅନୁସାରେ ମୁଖ୍ୟମନ୍ତ୍ରୀ ଅଧ୍ୟାଦେଶ ଜାରି କଲେ ଓ ତାର ସାଙ୍କେତିକତା ବିଶ୍ଳେଷଣ କରିବାକୁ ଆମେ ସବୁ କଳାପତାକା ଅଭିଯାତ୍ରୀମାନେ ଏକ “ବିଜୟ ଉତ୍ସବ”ରେ ଏକାଠି ହେଲୁ , ସେଦିନ ଆମର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ କହିଥିଲେ, “ସର୍ବପ୍ରଥମେ ସମସ୍ତେ ଜାଣିବା ଦରକାର, ଏହି ଆନ୍ଦୋଳନ ଯଦି ମୁଣ୍ଡ ଟେକି ଉଠିପାରିଲା ଓ ଏତେବାଟ ଆଗେଇ ପାରିଛି , ତାର ଶ୍ରେୟ ଆପଣମାନଙ୍କ ପାଖକୁ ତ ଯିବ ହିଁ ଯିବ , କିନ୍ତୁ ସର୍ବାଗ୍ରେ ଯିବ ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କୁ । ତାର କାରଣ ହେଲା , ତାଙ୍କରି ହେତୁ ହିଁ ଉତ୍ସବ ମନାଇବାର ସୁଯୋଗ ଆମକୁ ମିଳିଛି । ୧୯୫୪ ମସିହାର ଗୋଟିଏ ଆଇନକୁ କାହିଁକି ୨୦୧୬ ମେ ୨୧ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେଲା ସାମାନ୍ୟ ଗୋଟିଏ ସଂଶୋଧନ ପାଇଁ ? ଆମେ ଯେଉଁମାନେ ଓଡିଶା ସମ୍ପର୍କରେ ଆଲୋଚନା କରୁ , ମୋ ମନକୁ ଏପର୍ଯ୍ୟନ୍ତ ଏହି ପ୍ରଶ୍ନ ଆନ୍ଦୋଳିତ କରୁଛି – ୧୯୫୪ ମସିହାରେ ତ ଆଇନଟି ହୋଇଥିଲା – ଓଡ଼ିଶାରେ ଏତେ ବୁଦ୍ଧିଜୀବୀ ଥିଲେ, ଏତେ ବିଜ୍ଞଲୋକ ଥିଲେ, ଏତେ ମୁଖ୍ୟମନ୍ତ୍ରୀ ଗଲେଣି, କେହି କଣ ଜାଣିପାରିଲେନାହିଁ ଯେ, ଏହି ଆଇନଟି ସଂଶୋଧନ ନକଲା ପର୍ଯ୍ୟନ୍ତ, ଏହାଦ୍ବାରା ସରକାରୀ ଭାଷା ବ୍ୟବହାର ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବନାହିଁ? ଏ ପ୍ରଶ୍ନର ଉତ୍ତର ପାଇଁ ଆଜି ମୁଁ ଯଦି ଟିକେ ଚିନ୍ତା କରୁଛି , ତାର କାରଣ ହେଲେ ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକ । ସେ ସମସ୍ତ ବିଷୟକୁ ଗବେଷଣା କରି ଆମ ଆଖି ଖୋଲିଦେଇଛନ୍ତି । ସେ ଦେଖେଇ ଦେଇଛନ୍ତି – କେଉଁଠାରେ , କେଉଁ ନିର୍ଦ୍ଦିଷ୍ଟ ବିନ୍ଦୁରେ ଆଘାତ ଦେଲେ କଥାଟି ପରିଷ୍କାର ହେବ ଏବଂ ତାର ସଂସ୍କାର ଓ ପରିବର୍ତ୍ତନ ପାଇଁ ବାଟ ଫିଟିବ ।”

ତାଙ୍କ ଏହି ସ୍ବୀକାରୋକ୍ତି ସମେତ ସମଗ୍ର ଭାଷଣଟି soundcloud.com ସଂରକ୍ଷିତ କରିଛି । ବିଶ୍ଵର ଯେ କୌଣସି ଓଡ଼ିଆ ଶୁଣିପାରିବେ ।

ଏହି ସତ୍ୟ ନଜାଣିଥିବା ମୁଖ୍ୟମନ୍ତ୍ରୀ ସୌମ୍ୟ ବାବୁଙ୍କୁ ବିଶ୍ଵାସ କରି ତାଙ୍କଦ୍ବାରା ଭାଷା ଆନ୍ଦୋଳନକୁ ବନ୍ଦ କରାଇଦେବାକୁ ଲାଗିଥିଲେ ; ହାରିଗଲେ , କାରଣ , ମାଆ ପାଇଁ ଲଢେଇରେ ଏକ ଜାତି କେବେ ହାରେନାହିଁ । ମାତ୍ର ଏ କଥା ଏଥିରେ ସାବ୍ୟସ୍ତ ହୋଇଗଲା କି, ମୁଖ୍ୟମନ୍ତ୍ରୀ ହିଁ ଓଡ଼ିଆ ଭାଷାକୁ ଓଡିଶା ପରିଚାଳନାର ଭାଷା କରାଇନଦେବାକୁ ଚାହୁଁଛନ୍ତି ଓ ସେହେତୁ ଭାଷା ଆନ୍ଦୋଳନକୁ ଭଣ୍ଡୁର କରାଇବାକୁ ବିଭିନ୍ନ ଲୋକଙ୍କୁ ବ୍ୟବହାର କରୁଛନ୍ତି । ତେଣୁ , ମାତୃଭାଷାକୁ କେନ୍ଦ୍ର କରି ଗୋଟିଏ ପଟେ ଏବେ ମୁଖ୍ୟମନ୍ତ୍ରୀ ଓ ଆର ପଟେ ସମଗ୍ର ଓଡିଶା ।

ଯଦି ବିଧେୟକଟି ଆସେ

ଧରିନିଆଯାଉ ମନ୍ତ୍ରିମଣ୍ଡଳର ନିର୍ଦ୍ଦେଶ ଅବମାନନା କରିବାକୁ ସବୁ ଚେଷ୍ଟା ସତ୍ତ୍ବେ ବିଧେୟକଟି ଉପସ୍ଥାପିତ ହେଲା ଓ ପାରିତୀକରଣର ପରିବେଶ ଉପୁଜିଲା । ତେବେ ଆମ ବିଧାୟକମାନେ କଣ କରିବେ ?

ଏହା ପୂର୍ବରୁ ଯେତେବେଳେ ଓଡିଶା ସରକାରୀ ଭାଷା ଆଇନ (ସଂଶୋଧନ) ବିଧେୟକ, ୨୦୧୬ ଆଗତ ହୋଇଥିଲା ସେତେବେଳେ ଯଦି ସେମାନେ ଅମଲାତନ୍ତ୍ରର କାଠପୁତ୍ତଳି ନ ସାଜି ନିଜର ବିଧାୟକୀୟ ଵିଜ୍ଞତା ପ୍ରୟୋଗ କରିଥାନ୍ତେ , ତେବେ ଆଜି ଏ ସଂଶୋଧନ ଆବଶ୍ୟକ ପଡ଼ିନଥାନ୍ତା ।

ଅଧ୍ୟାଦେଶଟିକୁ ମୁଖ୍ୟମନ୍ତ୍ରୀ ୨୬. ୯. ୨୦୧୬ରେ ବିଧାନସଭାରେ ଉପସ୍ଥାପିତ କରିଥିଲେ ଓ ତତ୍ସମ୍ଭୁତ ବିଧେୟକ ୨୮. ୯. ୨୦୧୬ରେ ଆଗତ କରାଯାଇ ପାରିତ ହୋଇଥିଲା ।

ଆଇନତଃ ଏକ ଅଧ୍ୟାଦେଶକୁ ବିଧାନସଭାରେ ବିଧେୟକ ଭାବେ ବିବେଚନା କରି ପାରିତ କରାଇବାକୁ ହେଲେ, କେଉଁ “ଅତ୍ୟନ୍ତ ଜରୁରୀ ପରିସ୍ଥିତି”ରେ ତାହା ଜାରି କରାହୋଇଥିଲା ତହିଁର ନିଖୁଣ ସ୍ପଷ୍ଟୀକରଣ ବିଧେୟକଟିରେ ସ୍ଥାନିତ ହେବା ବାଧ୍ୟତାମୂଳକ । ସରକାର ଏହି ନିଖୁଣ ସ୍ପଷ୍ଟୀକରଣ ନ ଦେଇ ଏକ କାମତୁଲା କାରଣ ଦର୍ଶାଇଥିଲେ ଓ ଆମ ବିଧାୟକମାନେ ତାକୁହିଁ ମାନିନେଇଥିଲେ ।

ଯେଉଁ ସଂଶୋଧନ ପାଇଁ ଭାଷା ଆନ୍ଦୋଳନ ଅଣଚାଳିଶ ଦିନ ଅତିକ୍ରମ କରିଥିଲା ଅଧ୍ୟାଦେଶଟି ଥିଲା ତାହାର ଆଂଶିକ ପରିପୂର୍ତ୍ତି । ଅଧ୍ୟାଦେଶ ମାଧ୍ୟମରେ ଆଇନ ସଂଶୋଧନ ପାଇଁ ସରକାର କାହିଁକି ବାଧ୍ୟ ହୋଇଥିଲେ ତାହା ଯଦି ଆମ ବିଧାୟକମାନେ ଜାଣିବାକୁ ଚାହିଁଥାନ୍ତେ ତେବେ ହୁଏତ ଅଧ୍ୟାଦେଶଟି ଭାଷା ଆନ୍ଦୋଳନର ଦାବି ଅନୁରୂପ ସଂଶୋଧିତ ହୋଇପାରିଥାନ୍ତା ଓ ପୁନର୍ବାର ଏପରି ସଂଶୋଧନ ଆବଶ୍ୟକ ହୋଇନଥାନ୍ତା । ଏ ସମ୍ପର୍କରେ ଆମ ବିଧାୟକମାନଙ୍କୁ ଅବଗତ କରାଇବାପାଇଁ ଓଡ଼ିଶାର ଜନପ୍ରିୟ ଖବରକାଗଜମାନଙ୍କରେ ମୁଁ ବହୁ ଆଲୋଚନା ରଖିଥିଲି ; ଯଥା : “ସଂଶୋଧିତ ଭାଷା ବିଧେୟକର ସଂଶୋଧନ ଆବଶ୍ୟକ” (ନିତିଦିନ ୨୫. ୯. ୨୦୧୬), “ଭାଷା ଅଧ୍ୟାଦେଶର ପ୍ରବଞ୍ଚନା ପ୍ରତ୍ୟାଖ୍ୟାତ ହେଉ” (ସମ୍ବାଦ ୨୮. ୯. ୨୦୧୬) ଇତ୍ୟାଦି ।

ଦୁଃଖର କଥା ଆମ ବିଧାୟକମାନେ ନିଜ ବିଧାୟକୀୟ ଵିଜ୍ଞତା ପ୍ରୟୋଗ ନ କରି ଅମଲାତନ୍ତ୍ର ଯେଉଁ ବ୍ୟବସ୍ଥା ଖଞ୍ଜିଥିଲା ତାକୁହିଁ ମାନିନେଲେ । ଫଳରେ ଓଡ଼ିଆ ଭାଷାକୁ ସରକାରୀ ସ୍ତରରେ ପ୍ରଚଳନ କରିବା ପାଇଁ ପୂର୍ବରୁ ଥିବା ଦୁର୍ବଳତା ଯଥାପୂର୍ବ କାଏମ ରହିଲା ।” (ପ୍ରମେୟରେ ମୋ ନିବନ୍ଧ ,୨୩. ୧୧ . ୨୦୧୬) ।

ଏ ଥର ଏ ଭୁଲ ନ ହେଉ

ଏହି ଦୁର୍ବଳତାକୁ ହଟାଇବା ପାଇଁ ଭାଷା ଆନ୍ଦୋଳନ ଚଳାଇଥିବା କଳାପତାକା ଅଭିଯାନ ଦୁଇବର୍ଷ ଅତିକ୍ରମ କରିସାରିଥିବାବେଳେ ଓଡ଼ିଶାର ସବୁ ଗୁରୁତ୍ବପୂର୍ଣ ସ୍ନାଯୁକେନ୍ଦ୍ରମାନଙ୍କରେ ବି ଏହି ଅଭିଯାନ ଚାଲିଛି । ଏହାରି ଚାପରେ ସରକାର ତାଙ୍କ ଭୁଲ ସଂଶୋଧନ ପାଇଁ ରାଜି ହୋଇଛନ୍ତି । ସୁତରାଂ ଏଥର ଯେମିତି ଓଡ଼ିଆ-ଵିଦ୍ଵେଷୀମାନଙ୍କ ଚକ୍ରାନ୍ତ ହେତୁ ଏପରି ଭୁଲ ନ ହୁଏ ତାହା ପ୍ରତି ଓଡ଼ିଆପ୍ରାଣ ବିଧାୟକମାନେ ସତର୍କ ରହିବା ଆବଶ୍ୟକ ।

ଆଇନ ସମତାଳରେ ନିୟମ ସଂଶୋଧନ ଆବଶ୍ୟକ 

ମନ୍ତ୍ରିମଣ୍ଡଳର ୧୪. ୩ . ୨୦୧୮ ତାରିଖ ପ୍ରସ୍ତାବ ଦୃଷ୍ଟେ ଦଣ୍ଡବିଧାନର ଉପାଦାନ ରଖି ଆଇନ ସଂଶୋଧନର ଚିଠା ପ୍ରସ୍ତୁତ ହେବାକୁ ବାଧ୍ୟ । କିନ୍ତୁ ସମତାଳରେ ନିୟମାବଳୀ ସଂଶୋଧନ ନହେଲେ ଆଇନଟିକୁ ଠିକ ଭାବେ କାର୍ଯ୍ୟକାରୀ କରାଯାଇ ପାରିବ ନାହିଁ ।

ମୁଁ ଦେଇଥିବା ନିୟମାବଳୀରେ ଗୋଟିଏ କଥା ସ୍ପଷ୍ଟ ଖୋଦିତ ହୋଇଛି । ତାହା ହେଲା ଏକ ଭାଷା ଅଦାଲତ ପ୍ରତିଷ୍ଠା, ଯହିଁରେ ବିଚାରପତି ଭାବେ ଅତି କମରେ ସହକାରୀ ଦୌରାଜଜ୍ ସ୍ତରୀୟ ଜଣେ ବିଚାରପତି ଓ ଜଣେ ଓଡ଼ିଆ ପ୍ରଫେସର ବିଚାରକ ଭାବେ କାମ କରିବେ ଓ ଓଡ଼ିଆ ଭାଷାରେ କାମ ନକରିବା ଏକ ଧର୍ତ୍ତବ୍ୟ ଅପରାଧ ଭାବେ ସେହି ଅଦାଲତରେ ବିଚାର ହୋଇ ଦଣ୍ଡ ପ୍ରଦାନ ହେବ । ମୋର ଏହି ପ୍ରସ୍ତାବର ଅନୁକରଣ କରି ବୈଷ୍ଣବ ପରିଡ଼ା ଭାଷା କମିଶନ କଥା କହୁଛନ୍ତି ।  ଆଗରୁ କେବେ କହୁନଥିଲେ । ହୁଏତ ମୁଖ୍ୟମନ୍ତ୍ରୀଙ୍କ ସହ ସଲାସୁତରାରେ ସେ ଭାଷା ଅଦାଲତ ଗଠନ ଦାବିକୁ ଛାୟାଛନ୍ନ କରିବାକୁ ଏପରି ନାଟକ କରୁଥାଇପାରନ୍ତି ।

କିନ୍ତୁ ମୁଁ ଦେଇଥିବା ପ୍ରସ୍ତାବ ଅନୁରୂପେ ଯଦି ଭାଷା ଅଦାଲତ ସ୍ଥାପନ ନ ହୁଏ ଏବଂ ଅବୈଧ ଧାରା ୪କୁ ବୈଧତା ପ୍ରଦାନ କରିବାକୁ  ନୂଆ ଚିଠାଭୁକ୍ତ ଧାରା ୪କ ପ୍ରତ୍ୟାଖ୍ୟାତ ନହୁଏ, ତେବେ ଓଡ଼ିଆ ଭାଷା କେବେ ବି ସେବା ପ୍ରଦାନର ବା ଆପତ୍ତି ଉତ୍ତୋଳନର ବା କାର୍ଯ୍ୟ ସାଧନର ବା ସାଧାରଣ ମଣିଷର ଦାପ୍ତରିକ ବ୍ୟବହାରର ଭାଷା ହୋଇପାରିବ ନାହିଁ । ଭିନ୍ନ ଭାବେ କହିଲେ, ଓଡ଼ିଆ ଭାଷାରେ ସେବା ଲାଭ ଓ କାର୍ଯ୍ୟ ସାଧନ ପାଇଁ ଯେଉଁ ଏକମାତ୍ର ଉଦ୍ଦେଶ୍ୟରେ ଆମ ପୁର୍ବପୁରୁଷେ ଅସୀମ କଷ୍ଟ ବରଣ କରି ଓଡିଶା ପ୍ରଦେଶ ଗଠନ କରିଥିଲେ ତାହା ପଣ୍ଡ ହୋଇଯିବ ।

ତେଣୁ ଆମ ବିଧାୟକମାନେ ବିଧାନସଭାରେ ଉପସ୍ଥାପିତ ହେବାକୁ ଥିବା ‘ଓଡିଶା ସରକାରୀ ଭାଷା (ସଂଶୋଧନ) ବିଧେୟକ, ୨୦୧୮କୁ ମନମୋଟିଆରେ ନ ନେଇ ଗମ୍ଭୀରତା ସହ ନିଅନ୍ତୁ ଓ ଦୁଇଟି କଥା ସୁନିଶ୍ଚିତ କରନ୍ତୁ , ଯେମିତି

(୧) ଓଡ଼ିଆ ଭାଷାରେ କାମ ନକରିଥିବା ବା ନକରୁଥିବା ବ୍ୟକ୍ତି ବିରୁଦ୍ଧରେ ଯେ କୌଣସି  ଆଜନ୍ମ ଓଡ଼ିଆ  ବ୍ୟକ୍ତି ଦଣ୍ଡବିଧି ଅଭିଯୋଜନ (penal prosecution) ଆଗତ କରିପାରିବେ ଓ  ତାହା ଏଥିପାଇଁ ଉଦ୍ଦିଷ୍ଟ  ସ୍ଵତନ୍ତ୍ର ଅଦାଲତ (Language Court/ Tribunal)ରେ ବିଚାର୍ଯ୍ୟ ହେବ । ଏବଂ (୨) ଚିଠାଭୁକ୍ତ ଧାରା ୪ କ  ପ୍ରତ୍ୟାହାର ବା ପରିବର୍ତ୍ତନ କରି  ସରକାର ଏହା ସୁନିଶ୍ଚିତ କରିବେ  ।

ସରକାରୀ ପ୍ରସ୍ତାବିତ ସଂଶୋଧନ ବିଧେୟକରେ ଯଦି ଏହି ଦୁଇଟି ବ୍ୟବସ୍ଥା ନଥାଏ , ଏବଂ ତାହା ୧୪.୩.୨୦୧୮ ତାରିଖର କ୍ୟାବିନେଟ୍  ପ୍ରସ୍ତାବ ଉପରେ ଆଧାରିତ ହୋଇନଥାଏ , ତେବେ ଏହା ଅବଗତ ହେବା ସଂଗେ ସଂଗେ ଜାତିପ୍ରେମୀ ବିଧାୟକମାନେ ନିଜ ଆଡୁ ସଂଶୋଧନ ପ୍ରସ୍ତାବ ଦେଇ ସରକାରୀ ଭାଷା (ସଂଶୋଧନ) ବିଧେୟକଟିକୁ ନିର୍ଭୁଲ କରାନ୍ତୁ ଓ ଆଇନଟି ଯେପରି ପୁନର୍ବାର ପ୍ରହସନରେ ପରିଣତ ନ ହୁଏ ତାହା ସୁନିଶ୍ଚିତ କରନ୍ତୁ ।

ମୋର ଆଶଙ୍କା ଯେ, ଓଡ଼ିଆବିରୋଧୀ ଅମଲାତନ୍ତ୍ର ଓ ସ୍ଵୟଂ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ୧୪.୩.୨୦୧୮ ତାରିଖର କ୍ୟାବିନେଟ୍ ପ୍ରସ୍ତାବ ଅନୁଯାୟୀ ଦଣ୍ଡବିଧାନ ବ୍ୟବସ୍ଥା ଥିଲେ ବିଧେୟକଟିକୁ ପାରିତ ନ କରାଇବା ପାଇଁ ଚେଷ୍ଟା କରିବେ ବା ଅନ୍ୟ କୌଣସି ଫିସାଦିଖେଳ ଖେଳିବେ । ତା ନହେଲେ ତୁରନ୍ତ ଆଇନ ସଂଶୋଧନ ପାଇଁ ମନ୍ତ୍ରୀମଣ୍ଡଳ ନିର୍ଦ୍ଦେଶ ଦେବାର ମାସେ ପୁରିଲାଣି, ୩୧.୩.୨୦୧୮ରେ ମୁଖ୍ୟମନ୍ତ୍ରୀ ସଂଶୋଧନ ବିଧେୟକ ଆଣିବାକୁ ନୋଟିସ ଦେଇଥିଲେ ମଧ୍ୟ, ଏଥିପାଇଁ ସମୟ ଧାର୍ଯ୍ୟ କରିବାକୁ ତତ୍ପରତା ପ୍ରକାଶ ପାଉନି କାହିଁକି?

ଯଦି ଦୃଶ୍ୟମାନ ବିଳମ୍ବ ସତ୍ତ୍ୱେ ବିଧେୟକଟି ଆଗତ ହୁଏ, ଆମ ବିଜ୍ଞ ବିଧାୟକମାନଙ୍କର କର୍ତ୍ତବ୍ୟ ହେବ, ସତର୍କତାର ସହ ସରକାରୀ କାର୍ଯ୍ୟ ଦିବସଟିକୁ ଉପଯୋଗ କରି ଉପରୋକ୍ତ ଦୁଇଟି ଉପାଦାନ ସହ ସଂଶୋଧନ ବିଧେୟକଟିକୁ ଓଡ଼ିଆ ଜାତିର ଗ୍ରହଣଯୋଗ୍ୟ ଅଧିନିୟମରେ ପରିଣତ କରାଇବା । ଅନ୍ୟଥା ଭବିଷ୍ୟତ ସେମାନଙ୍କୁ କ୍ଷମା ଦେବ ନାହଁ ।

ମନ୍ତ୍ରିମଣ୍ଡଳ ଯେହେତୁ ଆମ ସପକ୍ଷରେ ଅଛି, ଦେଖାଯାଉ ଶେଷ ପର୍ଯ୍ୟନ୍ତ କଣ ହେଉଛି !

ସେଦିନର ସଙ୍କଟ ଆଜି ବି ସେମିତି ଅଛି

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ସେଦିନର ସଙ୍କଟ ଆଜି ବି ସେମିତି ଅଛି । ଓଡିଶା ପ୍ରଦେଶ ସୃଷ୍ଟିର ଉଦ୍ଦେଶ୍ୟ ପଣ୍ଡକାରୀମାନେ ଆଜି ବି ଦଣ୍ଡବିଧାନର ଉର୍ଦ୍ଧ୍ବରେ । ସେଦିନଠାରୁ ଆଜି ଯାଏଁ ଓଡ଼ିଆବିରୋଧୀ ନାଟକରେ ସେମିତି ନାୟକ ହୋଇରହିଛନ୍ତି ମୁଖ୍ୟମନ୍ତ୍ରୀ । ଭାଷା ଜନନୀ ପଛେ ମରିଯାଉ , ତାଙ୍କ ଗୋଡ଼ାଣିଆମାନେ ଏବେ ବି ଭାବୁଛନ୍ତି, “ତୋଷାମଦ କରି ବଢ଼ାଇବେ ଜାତି ମାନ” !

“ଉଠରେ ଉଠରେ ଉତ୍କଳ ସନ୍ତାନ ଉଠିବୁ ତୁ କେତେଦିନେ?”
ହେ କୁଳଗୌରବ , ଏ ଜାତିକି ଶକ୍ତିଦିଅ ।