ଭଲଭାବେ ଜାଣନ୍ତୁ ଓଡିଶା କାହିଁକି ସୃଷ୍ଟି ହେଲା

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଶା କିପରି ସୃଷ୍ଟିହେଲା ? କାହିଁକି  ସୃଷ୍ଟି ହେଲା ? କେଉଁମାନେ ଥିଲେ ତାର ପ୍ରକୃତ ନିର୍ମାତା ? କି ତପସ୍ୟା ଥିଲା ତାର ମୂଳାଧାର ? ଏହା ଯତ୍ପରୋନାସ୍ତି ସଂକ୍ଷେପରେ ଓ ସଠିକ ଭାବେ ଜାଣିବା ପାଇଁ ଏହି କ୍ଷୁଦ୍ର ବହିଟିକୁ ପଢ଼ନ୍ତୁ ।

ଓଡ଼ିଶାର ଭାଷା ଭିତ୍ତିକ ଜାତୀୟତାକୁ ପୁନର୍ଜୀବିତ କରିବାପାଇଁ ଏହି ଅମ୍ଲାନ ପ୍ରୟାଶରୁ ଭାଷା ଆନ୍ଦୋଳନର ସୃଷ୍ଟି । ୨୦୦୯ରେ ବିଶ୍ଵବାସୀ ଓଡ଼ିଆଙ୍କ ସମ୍ମୁଖରେ ଏହାର ପ୍ରଥମ ଉପସ୍ଥାପନା ହୋଇଥିଲା scribd.com ମାଧ୍ୟମରେ । ଏହି ସଂଯୋଗ ସରଣୀରୁ ଆପଣ ସମଗ୍ର ବହିଟି ପାଇବେ > https://www.scribd.com/doc/19216578/Role-of-Mass-Media-in-Creation-of-Orissa

ଭୁବନେଶ୍ଵରର ଶବ୍ଦସ୍ପର୍ଶ ଏହାକୁ ପୁସ୍ତକ ରୂପେ ମୁଦ୍ରିତ କରିଛି ଓ ଏ.କେ.ମିଶ୍ର ଏଜେନ୍ସି ଏହାକୁ ବିକ୍ରୟ କରୁଛି । ଆପଣ ଚାହିଁଲେ ନିଜ ପାଠାଗାର ପାଇଁ ଏହାକୁ ସେଠାରୁ କିଣିପାରିବେ ।

ଏଥିରେ ଆପଣ ପାଇବେ କେବଳ ଆମ ଭାଷା ପାଇଁ ହିଁ କିପରି ଆମ ରାଜ୍ୟ ନେଇଛି ଜନ୍ମ । ଓଡ଼ିଆ ଭାଷା ହିଁ କିପରି ଓଡିଶା ସୃଷ୍ଟି କରିଛି ତାର ସମସ୍ତ ପ୍ରାମାଣିକ ତଥ୍ୟ ଗଭୀର ବିଶ୍ଳେଷଣ ସହ ଏଥିରେ ସନ୍ନିହିତ । ଏହାକୁ ମନଦେଇ ପଢ଼ନ୍ତୁ ।

ଏହା ପଢ଼ିବାକୁ ଦି ଘଣ୍ଟା ଲାଗିପାରେ, ଦି ଦିନ ବି ଲାଗିପାରେ । କିନ୍ତୁ ମୋର ବିଶ୍ଵାସ , ଆପଣ ଚାହିଁଲେ ଉତ୍କଳ ଦିବସ ପୂର୍ବରୁ ଏହାକୁ ପଢ଼ିସାରିଥିବେ ।

ଅନ୍ଧ ପରି ଉତ୍କଳ ଦିବସ ପାଳିବା ପରିବର୍ତ୍ତେ ପ୍ରଥମେ ଜାଣନ୍ତୁ କେତେ କାହାର ତପସ୍ୟା ଫଳରେ ଆମ ପ୍ରଦେଶ ସୃଷ୍ଟି ହେଲା ଓ କାହିଁକି ସୃଷ୍ଟିହେଲା ।

ଆମ ପ୍ରଦେଶର ସୃଷ୍ଟି ତତ୍ତ୍ଵ ଜାଣି , ଏହାର ଉଦ୍ଦେଶ୍ୟ ସଫଳ କରିବାକୁ ଆମକୁ ଭାଷା ଆନ୍ଦୋଳନକୁ ସର୍ବବ୍ୟାପୀ କରିବାକୁ ହିଁ ହେବ ।

ବନ୍ଦେ ଓଡ଼ିଆ ଭାଷା ଜନନୀ ।

ସରକାର ଭେଳିକି ଦେଖାଇବା ବନ୍ଦ କରନ୍ତୁ : ଭାଷା ଆନ୍ଦୋଳନ , ଓଡ଼ିଶା

ଆଇନ ଅମାନ୍ୟ ଏକ ଦଣ୍ଡନୀୟ ଅପରାଧ – ଏତିକି ବୁଝିବାକୁ ମୁଖ୍ୟମନ୍ତ୍ରୀଙ୍କର ଯଦି ଦକ୍ଷତା ଥାନ୍ତା ତେବେ ଓଡିଶା ସରକାରୀ ଭାଷା ଆଇନର ଉଲ୍ଲଙ୍ଘନ ବିରୁଦ୍ଧରେ ଦଣ୍ଡବିଧାନ ପାଇଁ ଭାଷା ଆନ୍ଦୋଳନର କଳାପତାକା ଅଭିଯାନ ସାତଶହ ଦିନ ଅତିକ୍ରମ କଲା ପରେ ରାଜ୍ୟ କ୍ୟାବିନେଟ ବୁଧବାର ପୁନଶ୍ଚ ଓଡ଼ିଆ ଜାତିକୁ ଭେଳିକି ଦେଖାଇବାକୁ ସାହସ କରିନଥାନ୍ତା ବୋଲି ଭାଷା ଆନ୍ଦୋଳନ , ଓଡ଼ିଶାର ନେତୃତ୍ବ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ଆନ୍ଦୋଳନର ପ୍ରେସ ଵିଜ୍ଞପ୍ତି ପୂର୍ଣ୍ଣତଃ ସ୍ଥାନିତ ହେଲା ।

ନୌକର ଭାଷାରେ ମାଲିକ ଚାଲିବ କି ମାଲିକ ଭାଷାରେ ନୌକର ?

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ସରକାରୀ ଆଚରଣରେ ଆଘାତଗ୍ରସ୍ତ ହୋଇ ହୋଇ ଓଡ଼ିଆ ଭାଷା ଜନନୀ ଯେଉଁପରି ମୁମୂର୍ଷୁ ହୋଇପଡିଛି ତାର ଉପଚାର ପାଇଁ ମୁଁ ଏଥର ଜାଣିଶୁଣି ‘ନୌକର’ ବା ‘ଚାକର’ ଶବ୍ଦ ବ୍ୟବହାର କରିବି ଆମ ଜନସାଧାରଣ ଓ କର୍ମଚାରୀମାନଙ୍କ କ୍ଷେତ୍ରରେ ଥିବା ମୌଳିକ ତଫାତ ସ୍ପଷ୍ଟ କରିବାପାଇଁ ।

ଦରମାଖିଆଙ୍କଠାରୁ ଜନସାଧାରଣଙ୍କ ଭିନ୍ନତା ସ୍ପଷ୍ଟ ହେବା ଓ କର୍ମଚାରୀମାନେ ନିଜକୁ ଶାସକ ବୋଲି ଭାବିବା ବନ୍ଦ କରିବା ଆବଶ୍ୟକ ।

ଦରମାଖିଆ ଲୋକେ ଯାହାର ରାଜକୋଷରୁ ଦରମା ନେଉଛନ୍ତି, ତା ଭାଷାରେ ସେବା ଦେବେ କି ଦରମାଖିଆଙ୍କ ଭାଷାରେ ଦରମା ଦେଉଥିବା ଲୋକେ ନିଜକୁ ଚଳାଇବେ – ଏହି ପ୍ରଶ୍ନ ଏଣିକି ତୋଳାଯିବ ସମସ୍ତ ସମ୍ଭବ ଦୃଢତାର ସହ । ମନ୍ତ୍ରୀ ହୁଅନ୍ତୁ ବା ସଚିବ ହୁଅନ୍ତୁ ବା ଯେ କୌଣସି ଅମଲା,ଦରମାଖିଆ ନୌକର ଭାଷାରେ ଦରମାଦାତା ମାଲିକ ଚାଲିବ କି ମାଲିକ ଭାଷାରେ ନୌକର – ଏହି ପ୍ରଶ୍ନ ପଚାରିବ ଭାଷା ଆନ୍ଦୋଳନ ।

ଆମ ଭାଷା ଜନନୀ ଦରମାଖିଆଙ୍କ ଗୋଇଠା ମାଡ଼ ବହୁତ ସହିଲାଣି ; ଆଉ ନୁହେଁ ।

ଚାକର ଭାବେ ବିବେଚିତ ହେବାକୁ ଯେଉଁମାନେ ନ ଚାହିଁବେ , ସେମାନେ ଆମ ଭାଷା କହନ୍ତୁ , ଆମ ଭାଷାରେ କାମ କରନ୍ତୁ , ଆମ ଭାଇ ହୋଇ ରହନ୍ତୁ । ନିଷ୍ପତ୍ତି ସେମାନଙ୍କର ।

ଗତ ପ୍ରାୟ ଦୁଇ ବର୍ଷର କଳାପତାକା ଅଭିଯାନରେ ଆମେ ଗୋଟିଏ ବ୍ୟଥାଦାୟକ ଅଭିଜ୍ଞତା ଅର୍ଜନ କରିଛୁ । ତାହା ହେଲା , ଆମ ଓଡ଼ିଶାର ସାହିତ୍ୟିକମାନେ ଭାଷା ଆନ୍ଦୋଳନ ସହ ଜଡ଼ିତହେବାକୁ ଆଗେଇ ଆସୁନାହାନ୍ତି । ଏକାଡେମୀ ପୁରସ୍କାର ହେଉ ବା ଜ୍ଞାନପୀଠ ପୁରସ୍କାର ହେଉ ବା ସରସ୍ବତୀ ପୁରସ୍କାର ହେଉ ବା ପଦ୍ମ ପୁରସ୍କାର ହେଉ – ଏପରି ପୁରସ୍କାରରେ ଝଲସୁଥିବା ଓଡ଼ିଆ ସାହିତ୍ୟିକମାନେ ଭାଷା ଆନ୍ଦୋଳନ ସହ ନିଜ ନିଜକୁ ଯୋଡୁନାହାନ୍ତି ।

ଏହା ଭାଷା ଆନ୍ଦୋଳନର ଗୁରୁତ୍ବ ଓ ଗାରିମା ପ୍ରତି ଏକ ଆହ୍ବାନ କି ? ନାଁ , ଆଦୌ ନୁହେଁ ।

ପ୍ରଥମ କଥା ହେଉଛି, ସେମାନେ ଯଦି ମଣିଷ ହୋଇଥାନ୍ତେ , ଆମକୁ କିଆଁ କଳାପତାକା ଧରିବାକୁ ପଡ଼ନ୍ତା ?

କହିବାକୁ କଷ୍ଟ , କିନ୍ତୁ ସତ ତ ହେଲା: ଭାଷା ମୌଳିକ , ସାହିତ୍ୟ ମୌଳିକ ନୁହେଁ । ଭାଷା ଆମ ଜନନୀ , ସାହିତ୍ୟ ନୁହେଁ ।

ଭାଷାରେ ‘ଭାବ’ ମିଶାଇ ସାହିତ୍ୟ କରାଯାଏ । ଭାବ ଶୁଭଙ୍କର ହୋଇପାରେ ,ଭୟଙ୍କର ହୋଇପାରେ ; ସାମାଜିକ ହୋଇପାରେ , ଅସାମାଜିକ ହୋଇପାରେ ; ରକ୍ଷଣଶୀଳ ହୋଇପାରେ , ପ୍ରଗତିଶୀଳ ହୋଇପାରେ । ସୁତରାଂ ସାହିତ୍ୟ ଏହି ସବୁ ରୂପ ନେଇପାରେ ।

ଏହି ରୂପେ ସମୁଦାୟ ଦୁଇ ପ୍ରକାରର ସାହିତ୍ୟିକ ଦୃଷ୍ଟିଗୋଚର ହୁଅନ୍ତି । ପ୍ରକାରଭେଦରେ ସେମାନଙ୍କୁ ଉଚ୍ଚମନା ସାହିତ୍ୟିକ ବା ନୀଚମନା ସାହିତ୍ୟିକ ଭାବେ ଚିହ୍ନଟ କରାଯାଇପାରେ ।

ପୁଞ୍ଜିବାଦ ପ୍ରଭାବରେ ଓଡ଼ିଶାରେ ନୀଚମନା ସାହିତ୍ୟିକ ଏବେ ହାଉଯାଉ । ସେମାନେ ଭାଷା ଆନ୍ଦୋଳନକୁ ଅସହଯୋଗ କରିବା ସ୍ବଭାବିକ ।

ସାହିତ୍ୟ ନଥାଇ ସମାଜ ଚାଲିବ । ଚାଲିଛି ।

ଓଡ଼ିଶାରେ କୌଣସି ସାହିତ୍ୟକୃତି ହଜାରରୁ ଅଧିକ ଛପାଯାଏ ନାହିଁ କି ଦି ବର୍ଷ ପୂର୍ବରୁ ଦ୍ବିତୀୟ ସଂସ୍କରଣ ଆବଶ୍ୟକ ପଡେନାହିଁ । ତେଣୁ ହାରାହାରି ପାଆଂଶ ଲୋକଙ୍କୁ ଛାଡି ଯେ କୌଣସି ବର୍ଷ ଯେକୌଣସି ସାହିତ୍ୟିକ ଅବଶିଷ୍ଟ ପ୍ରାୟ ସାଢେ ଚାରିକୋଟି ଓଡ଼ିଆଙ୍କ ଭିତରୁ କାହାରି ଦୃଷ୍ଟି ବି ଆକର୍ଷଣ କରନ୍ତି ନାହିଁ । ଅବସ୍ଥା ଏପରି ଯେ, ‘ସରସ୍ବତୀ’ସମ୍ମାନ ପ୍ରାପ୍ତ କବି ରମାକାନ୍ତ ରଥଙ୍କ ଏକ କାବ୍ୟକୃତି ଦି ବର୍ଷରେ ସମୁଦାୟ ପଚାଶ ଖଣ୍ଡ ବି ବିକ୍ରୀ ହୋଇପାରିନଥିଲା ବୋଲି ସେ ମହାପାତ୍ର ନୀଳମଣି ସାହୁଙ୍କୁ ଏକ ଚିଠିରେ ଲେଖିଥିଲେ , ଯାହା ଅଧ୍ୟାପକ ବିଶ୍ଵରଞ୍ଜନଙ୍କ ସମ୍ପାଦିତ ‘ଚିଠି’ରେ ପ୍ରକାଶ ପାଇଛି । ଏହା ପ୍ରମାଣ କରୁଛି କି ‘ସରସ୍ବତୀ’ ସମ୍ମାନ ପାଇଥିବା ଆମ ଶ୍ରେଷ୍ଠ ସାହିତ୍ୟିକ ଆମ ଲୋକଙ୍କ ମନରେ ନାହାନ୍ତି ।

ଜ୍ଞାନପୀଠ ସମ୍ମାନ ପାଇଥିବା ସୀତାକାନ୍ତ ମହାପାତ୍ରଙ୍କ କବିତା ବହିରୁ କିଏ କେତେଖଣ୍ଡ ରଖିଛି ବୋଲି ଜାଣିବାକୁ ମୁଁ ମୋ ବନ୍ଧୁମାନଙ୍କ ଭିତରୁ ଦଶଜଣଙ୍କୁ ପଚାରିଥିଲି ବର୍ଷକ ତଳେ ; ଜଣକ ପାଖରେ ଦିଖଣ୍ଡ ଥିଲା , ନଅ ଜଣଙ୍କ ପାଖରେ ଖଣ୍ଡେ ବି ନଥିଲା । ଯେଉଁମାନଙ୍କୁ ପଚାରିଥିଲି ସେମାନେ ସମସ୍ତେ ଥିଲେ ସାହିତ୍ୟିକ । ଅତଏବ ଏହି ବିଶିଷ୍ଟ ସାହିତ୍ୟିକ ଆମ ସାହିତ୍ୟିକମାନଙ୍କ ଭିତରେ ବି ନିଜ ଆସ୍ଥାନ ଜମେଇ ପାରିନାହାନ୍ତି , ସାଧାରଣ ଲୋକଙ୍କ ପାଖରେ ଏଙ୍କ ସ୍ଥାନ ବା ଖୋଜିବା କାହିଁକି ?

ଏହା ସ୍ପଷ୍ଟ କରେ ଯେ, ସାହିତ୍ୟ ବିନା ସମାଜ ଚାଲିପାରେ । କିନ୍ତୁ ଭାଷା ବିନା କେହି ଚାଲିପାରିବେ ନାହିଁ । ଏଣୁ ଭାଷା ଆନ୍ଦୋଳନ କେଉଁ ସାହିତ୍ୟିକଙ୍କୁ ଅପେକ୍ଷା ରଖେନାହିଁ ।

ଓଡ଼ିଶାରେ ସାହିତ୍ୟ ପାଇଁ ପୁରସ୍କାର ପାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ସାମାନ୍ୟ କେତେକଙ୍କୁ ଛାଡ଼ି ବାକି ସମସ୍ତେ ସରକାରୀ କର୍ମଚାରୀ ଥିଲେ ଓ ଅଛନ୍ତି । ସେମାନେ ନିଜ ନିଜ ଅଫିସ କାମ ଯଦି ଓଡ଼ିଆରେ କରିଥାନ୍ତେ ତେବେ ଓଡ଼ିଆ ଭାଷା ଜନନୀ ଆଜି ମୁମୂର୍ଷୁ ଅବସ୍ଥା ଭୋଗୁନଥାନ୍ତା କି ନିଷ୍ଠୁର ନୌକରସାହି କବଳରେ ଓଡ଼ିଆ ଜାତି ତାର ଅସ୍ମିତା ହରାଇ ବସିନଥାନ୍ତା ।

ମାଆକୁ ନିଜ ଆୟର ମାଧ୍ୟମ କରି ଚାଲୁଥିବା ଲୋକେ ମାଆର ମର୍ଯ୍ୟାଦା ପାଇଁ ଲଢେଇ କରିବେ – ଏକଥା କାହିଁକି ଆମେ ଭାବିବା ?

ତେଣୁ କୌଣସି ସାହିତ୍ୟିକଙ୍କୁ ଅପେକ୍ଷା ନ କରି ଭାଷା ଆନ୍ଦୋଳନକୁ ଆଗେଇନେବାକୁ ହେବ ଏବଂ ସାହିତ୍ୟିକ ଅଧ୍ୟୁଷିତ ଦରମାଖିଆମଣ୍ଡଳୀକୁ ଏହା ବୁଝିବାକୁ ବାଧ୍ୟ କରାଯିବ ଯେ, ନୌକର ଭାଷାରେ ମାଲିକ ଚଳିବ ନାହିଁ , ମାଲିକ ଭାଷାରେ ନୌକର ଚଳିବ ।

ଭାଷା ଆନ୍ଦୋଳନ ଉପରେ ‘ଭରସା’ର ଭରସା : ଡ଼.ସାଗର ତ୍ରିପାଠୀ ସମ୍ମାନିତ

ଭ୍ରାମ୍ୟମାଣ ପ୍ରତିନିଧି

ସମାଜ ଓ ସଂସ୍କୃତି ସେବାରେ ସୁପରିଚିତ ପ୍ରତିଷ୍ଠାନ ‘ଭରସା’ ଦ୍ଵାରା ‘ଗଞ୍ଜାମଜ୍ୟୋତି’ ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି ଭାଷା ଆନ୍ଦୋଳନର ଗଂଜାମ ଜିଲ୍ଲା ଆବାହକ , ବାଗ୍ମୀ, ସାହିତ୍ୟିକ ଓ ଜିଲ୍ଲାର ଅନ୍ୟତମ ସାଂସ୍କୃତିକ ସାରଥୀ ଡ଼. ସାଗରରଞ୍ଜନ ତ୍ରିପାଠୀ, ଯାହା ଭାଷା ଆନ୍ଦୋଳନ ଉପରେ ‘ଭରସା’ର ଭରସା ହିଁ ପ୍ରକଟ କରେ ।

ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ପୂର୍ବତନ ଭିଜିଲାନ୍ସ ଅଧିକ୍ଷକ ଦେବଦତ୍ତ ପଟ୍ଟନାୟକଙ୍କ ଉପସ୍ଥିତିରେ ‘ଭରସା’ ପକ୍ଷରୁ ଖଲିକୋଟ ବିଶ୍ଵବିଦ୍ୟାଳୟର କୁଳପତି ଅମରେନ୍ଦ୍ର ନାରାୟଣ ମିଶ୍ର ଡ଼. ତ୍ରିପାଠୀଙ୍କୁ ଏହି ସମ୍ମାନରେ ଭୂଷିତ କରିଛନ୍ତି । ଏଥିପାଇଁ ଭାଷା ଆନ୍ଦୋଳନ ପକ୍ଷରୁ ତାଙ୍କୁ ଜ୍ଞାପନ କରାଯାଇଛି ଉଷ୍ଣ ଅଭିନନ୍ଦନ

ଅଧ୍ୟାପକ ଲକ୍ଷ୍ମୀନାରାୟଣ ପଣ୍ଡା, ପ୍ରଫେସର ପି .ସି. ସାହୁ, ସନତ ପଣ୍ଡା, ଡ଼.ରମେଶ ମିଶ୍ର , ପ୍ରଫେସର ହରିହର ଦାସ ପ୍ରମୁଖ ଡ଼. ତ୍ରିପାଠୀ ସମ୍ମାନିତ ହେବାରେ ଅତ୍ୟନ୍ତ ଆନନ୍ଦ ପ୍ରକଟ କରିଥିବାବେଳେ ଭାଷା ଆନ୍ଦୋଳନର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଏକ ଅଭିନନ୍ଦନବାଣୀରେ କହିଛନ୍ତି ,

“ପୁଣ୍ୟଶ୍ଳୋକ ଦୀନବନ୍ଧୁ ପଟ୍ଟନାୟକଙ୍କ ଉଦ୍ୟମରେ ଯେଉଁ ଗଞ୍ଜାମ ଜିଲ୍ଲାର ଘୁମୁସରରୁ ହିଁ ଆରମ୍ଭ ହୋଇଥିଲା ଇଂରାଜୀ ବେପାରୀଙ୍କ କବଳରେ ନିପତିତ ଓଡ଼ିଶାର ଭୌଗୋଳିକ ଜାତୀୟତା, ସେହି ଗଞ୍ଜାମ ଜିଲ୍ଲାରେ ଓଡ଼ିଶାର ଭାଷା-ଜାତୀୟତାର ପୁନଃ ପ୍ରତିଷ୍ଠାପାଇଁ ଚାଲିଥିବା କଳାପତାକା ଅଭିଯାନରେ ସେନାପତିତ୍ବ କରୁଥିବା ଡ଼. ତ୍ରିପାଠୀଙ୍କୁ ସମ୍ମାନିତ କରି ‘ଭରସା’ ଅନୁଷ୍ଠାନ ଓଡ଼ିଆ ଭାଷା ଜନନୀଙ୍କୁ ହିଁ ସମ୍ମାନିତ କରିଛି । ଡ଼. ତ୍ରିପାଠୀଙ୍କୁ ଅଭିନନ୍ଦନ ଜଣାଇବା ସହ ଆମେ ‘ଭରସା’ ଅନୁଷ୍ଠାନକୁ କୃତଜ୍ଞତା ଜଣାଉଛୁଁ ।”

ଭାଷାସଚିବଙ୍କ ପ୍ରଥମ କାମ ହେଉ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ କଳାତାଲିକାଭୂକ୍ତ କରିବା

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡିଶା ସରକାରୀ ଭାଷା ଆଇନ 1954 ଅକ୍ଟୋବର 14 ତାରିଖଠାରୁ ଓଡିଶା ପରିଚାଳନାରେ ଇଂରାଜୀକୁ ଅବୈଧ କରିସାରିଥିଲେ ମଧ୍ୟ ନିଜକୁ ଶାସକ ମନେ କରୁଥିବା ଦରମାଖିଆ ନୌକରମାନେ ଆମ ଲୋକଙ୍କୁ ଓଡ଼ିଆରେ ସେବା ଦେବାକୁ ନାରାଜ । ଫଳରେ ସମ୍ବିଧାନ ବହିର୍ଭୁତ ଇଂରାଜୀ ଭାଷାରେ ଚାଲିଛି ଓଡ଼ିଶାର ପରିଚାଳନା ସମ୍ପୂର୍ଣ ଅସାମ୍ବିଧାନିକ ଶୈଳୀରେ । ଓଡିଶା ପ୍ରଦେଶ ସୃଷ୍ଟିର ଉଦ୍ଦେଶ୍ୟ ପଣ୍ଡ ହୋଇଚାଲିଛି ଓ ସ୍ଵାଧୀନତା ସତ୍ତ୍ବେ ଆମ ନିଜ ରାଜ୍ୟରେ ଆମେ ପରାଧୀନ ହୋଇରହିଛୁ ।

ଏହାର ପରିସମାପ୍ତି ପାଇଁ ଓଡ଼ିଆରେ ସେବା ନ ଦେଉଥିବା ବ୍ୟକ୍ତିକୁ ଦଣ୍ଡବିଧାନ ପାଇଁ ଓ ଏହି ଉଦ୍ଦେଶ୍ୟରେ ଭାଷା ଅଦାଲତ ଗଠନ ପାଇଁ ଭାଷା ଆଇନର ସଂଶୋଧନ ସକାଶେ ଆମେ ଚଳାଇଛୁ ଭାଷା ଆନ୍ଦୋଳନ ନିରବ କଳାପତାକା ଅଭିଯାନ ମାଧ୍ୟମରେ ।

ଭାଷାବିତ୍ ଭାବେ ଡିଣ୍ଡିମ ପିଟିହେଉଥିବା ଡ଼. ଦେବୀପ୍ରସନ୍ନ ପଟ୍ଟନାୟକ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯେ କି 2016 ଜୁନ 25 ତାରିଖର ସମାଜ କାଗଜରେ ଅତ୍ୟନ୍ତ ଗର୍ହିତ ଭାଷାରେ ଗାଳିଗୁଲଜ କଲେ କଳାପତାକା ଅଭିଯାତ୍ରୀମାନଙ୍କୁ । ଏହାର କାରଣ ଅନୁସନ୍ଧାନରୁ ଜଣାପଡ଼ିଲା, ତାଙ୍କୁ ବ୍ଲାକମେଲ୍ କରି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଭାଷା ଆନ୍ଦୋଳନ ବିରୁଦ୍ଧରେ ଲଗାଇଛି । କାହିଁକି ତାଙ୍କୁ ବ୍ଲାକମେଲ୍ କରାଯାଉଛି ତହିଁର ଅନୁସନ୍ଧାନ କରିବାରୁ ଜଣାପଡିଲା , ଏକ ଘରୋଇ ବିଶ୍ଵବିଦ୍ୟାଳୟ ଆଳରେ ଭୁବନେଶ୍ଵର ପାଖରେ ପ୍ରାୟ 100 ଏକର ଜାଗା ହାତେଇବାକୁ ସକ୍ଷମ ହେବାପାଇଁ ସେ ସରକାରୀ ନଥି ଚୋରିକରିଥିବା ସରକାର ଜାଣନ୍ତି । ଆମ ଆନ୍ଦୋଳନ ବିରୁଦ୍ଧରେ କାମ ନ କଲେ ସେହି ଚୋରୀ ଅପରାଧରେ ତାଙ୍କୁ ଦଣ୍ଡିତ କରାଯିବ ବୋଲି ଧମକାଇ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ତାଙ୍କୁ ଏହି କାମରେ ଲଗାଇଥିବା ଜଣାପଡିଲା । ଏହି ପ୍ରେକ୍ଷାପଟରେ ଜଣେ ଓଡ଼ିଆର କର୍ତ୍ତବ୍ୟ ସମ୍ପାଦନ ପାଇଁ ଆମେ ନିଷ୍ପତ୍ତି ଗ୍ରହଣ କଲୁ ।

ଏତଦନୁସାରେ , ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପାଇଁ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ପ୍ରତିଷ୍ଠାନ ପ୍ରସ୍ତୁତ କରିଥିବା ଯୁକ୍ତି ସନ୍ଦର୍ଭକୁ ଡ଼. ଦେବୀ ପ୍ରସନ୍ନ ପଟ୍ଟନାୟକ ଚୋରି କରି ତତ୍କାଳୀନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆଙ୍କ ମାଧ୍ୟମରେ ତାର ଶ୍ରେୟ ଲୁଣ୍ଠନ କରିବା ତଥା ସେହି ତଥ୍ୟପ୍ରମାଣ ସମ୍ବଳିତ ସନ୍ଦର୍ଭ ଉପରେ ରାଜ୍ୟ ସରକାରଙ୍କ ସତ୍ଵାଧିକାରର ଏକ ପ୍ରତିଦ୍ବନ୍ଦୀ ସତ୍ଵାଧିକାର ତିଆରି କରାଇ ତହିଁର ବ୍ୟବସାୟିକ ଉପଯୋଗ କରିବା ଏବଂ ଏହି ଦୁରଭିସନ୍ଧି ରଖି ରାଜ୍ୟପ୍ରତି ବିଶ୍ଵାସଘାତକତା କରିଥିବା ଅପରାଧରେ ତାଙ୍କ ବିରୁଦ୍ଧରେ ଅପରାଧିକ ଦଣ୍ଡବିଧାନ ପାଇଁ ପଦକ୍ଷେପ ନେବାକୁ ଭାଷା ଆନ୍ଦୋଳନ ପକ୍ଷରୁ 8.6.2017ରେ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକାଙ୍କୁ ପତ୍ର ଲେଖା ଯାଇଥିଲା । ଏହି ଅଭିଯୋଗ ତଥ୍ୟଭିତ୍ତିକ ବୋଲି ରାଜ୍ୟସରକାରଙ୍କୁ ନିର୍ଦ୍ଦେଶିକା ଅବଗତ କରାଇଥିବା 14.7.2017ରେ ନିର୍ଗତ ହୋଇଥିବା ତାଙ୍କ 364 ସଂଖ୍ୟକ ପତ୍ରରୁ ଜଣାଯାଏ ।

ସଂସ୍କୃତି ବିଭାଗର ଶାସନ ସଚିବ ନିରବ ରହି, ଅତ୍ୟନ୍ତ ବେଆଇନ ଭାବେ ଡ଼.ପଟ୍ଟନାୟକଙ୍କୁ ରାଜକୋଷରୁ ନାନା ଆଳରେ ଟଙ୍କା ଦେଉଥିବା ଲକ୍ଷ୍ୟ କରି 24.10.2017ରେ ମୁଖ୍ୟ ଶାସନ ସଚିବଙ୍କୁ ଏକ ସ୍ମାରକପତ୍ର ଦିଆଗଲା ଯାହାର ବିଷୟ ହେଲା

“ସ୍ପର୍ଶକାତର ସରକାରୀ ସନ୍ଦର୍ଭ ଚୋରି ଓ ମୁନାଫା ପାଇଁ ବିଭିନ୍ନ ଦପ୍ତରକୁ ପ୍ରଭାବିତ କରୁଥିବା ହେତୁ ପଦ୍ମଶ୍ରୀ ଡ଼.ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ କଳାତାଲିକାଭୂକ୍ତ କରିବାକୁ ଏବଂ ଏହି ସାଙ୍ଘାତିକ ଅପରାଧ ବିରୁଦ୍ଧରେ ଉପଯୁକ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ କରିବାକୁ ଅନୁରୋଧ ।”

ଓଡ଼ିଶାର ମୁଖ୍ୟ ସମ୍ବାଦପତ୍ରମାନେ ଏହି ଅଭିଯୋଗକୁ ଗୁରୁତ୍ବର ସହ ପ୍ରସାରିତ କରିଥିଲେ ।

ମୁଖ୍ୟ ଶାସନ ସଚିବ ଏହି ଅଭିଯୋଗ ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ସଂସ୍କୃତି ସଚିବଙ୍କୁ ନିର୍ଦ୍ଦେଶ ଦେଲେ । ସଚିବ ଏଯାଏଁ ଶୋଇଛନ୍ତି । ଶବ ଉପରେ ଶାଗୁଣା ଝାମ୍ପିପଡ଼ିଲାପରି ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ତାଙ୍କ ଗ୍ୟାଙ୍ଗ ଓଡିଶା ରାଜକୋଷ ଉପରେ ଝାମ୍ପି ପଡୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନାକତଳେ । ଓଡ଼ିଆ ଭାଷା ଜନନୀ ବିପଦଗ୍ରସ୍ତ ହୋଇପଡିଛି ।

ଓଡିଶା ମନ୍ତ୍ରୀମଣ୍ଡଳ ଗୁରୁବାର ଅପରାହ୍ନରେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗକୁ ଦିଫାଳ କରି ସଂସ୍କୃତି ଅଂଶକୁ ଭାଷା ସାହିତ୍ୟ ଓ ସଂସ୍କୃତି ନାମକ ଏକ ସ୍ବତନ୍ତ୍ର ବିଭାଗରେ ପରିଣତ କରିଛନ୍ତି ଓ ଭାଷା ବିଷୟ ଏହି ବିଭାଗର ଅନ୍ତର୍ଗତ ହୋଇଛି ।

ସୁତରାଂ, ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ତାଙ୍କ ଗ୍ୟାଙ୍ଗ ସହ କଳାତାଲିକାଭୁକ୍ତ କରିବା ଏହି ବିଭାଗର ପ୍ରଥମ କାମ ହେଉ । ତହିଁରୁ ଜଣ ପଡିବ ଓଡ଼ିଆ ଭାଷା ପାଇଁ ନିଷ୍ଠାର ସହ କାମ କରିବାକୁ ଏହି ବିଭାଗ ଗଢ଼ା ହୋଇଛି କି ଆମ ଲୋକଙ୍କୁ ପୁଣି ପ୍ରତାରିତ କରିବାକୁ ଓଡ଼ିଆଦ୍ରୋହୀ ନବୀନ ପଟ୍ଟନାୟକଙ୍କର ଏହା ଏକ ନୂଆ ଚାଲ୍ ।