ଭୁବନେଶ୍ବର ,ତା ୦୨.୦୨.୨୦୨୫
ଓଡ଼ିଆ ଜାତିର ଭାଷା ଅଧିକାର ପାଇଁ ଚାଲିଥିବା ଭାଷା ଆନ୍ଦୋଳନ ଆଜି ନବମ ବର୍ଷର ଦଶମ ମାସ ଦ୍ଵିତୀୟ ଦିବସରେ ପହଞ୍ଚିଲା । ଯାହାଙ୍କ ତ୍ୟାଗ ଓ ତପସ୍ୟା ହେତୁ ଏକ ଭାଷାଭିତ୍ତିକ ସ୍ଵତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶାର ଆବିର୍ଭାବ, ଓଡ଼ିଆ ଜାତିର ସେହି ପରମପ୍ରିୟ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ବିଜେସ୍ଥଳୀ ପ୍ରତିଦିନ ପ୍ରଦକ୍ଷିଣ କରି ଓଡ଼ିଆ ଜାତିର ଦୁଃଖଦଗ୍ଧ ଐକ୍ଯର ପ୍ରତୀକ “କଳାପତାକା”ର ଅର୍ଘ୍ୟ ଆମ୍ଭେ ଦେଇଥାଉ।
କୁଳବୃଦ୍ଧଙ୍କ ପୀଠକୁ ଯିବା ପାଇଁ ପାହାଚ ପରି ଏକ ପଥର ଥିଲା ଯାହା ଉପରେ ପଦ ରଖି ମୁଁ ଉପରକୁ ଉଠିପାରୁଥିଲି ଓ ଓଡ଼ିଶାର ବିଭିନ୍ନ ସ୍ଥାନରୁ ମାତୃଭାଷାପ୍ରାଣ ଓଡ଼ିଆମାନେ କଳାପତାକାର ଅର୍ଘ୍ୟ ଦେବାକୁ ମୋ ସହ ଯୋଗ ଦେଇ ପାରୁଥିଲେ । କେଇ ଦିନ ତଳେ, ହଠାତ୍ ଦେଖାଗଲା, ସେହି ପଥରଟି ଆଉ ନାହିଁ । ମୁଁ ବେଢା ତଳେ ଠିଆ ହୋଇ କଳାପତାକାର ଅର୍ଘ୍ୟ ଦେଉଥିଲି ।
ଗତକାଲି ସନ୍ଧ୍ୟା ୫ଟାରେ ମୁଁ ପୂର୍ବବତ୍ ଅର୍ଘ୍ୟ ଦେଇ ପେରୁଥିବା ବେଳେ ମୋ ସହ ଚିହ୍ନା ପରିଚୟ ନଥିବା ଜଣେ ବ୍ୟକ୍ତି ମୋତେ ହଠାତ୍ ଭୟଙ୍କର ବାଚନିକ ଆକ୍ରମଣ କଲେ ଓ ଓଡ଼ିଆ ଜାତିର ସୁପରିଚିତ ଏବଂ ସୁପ୍ରିୟ କଳାପତାକା ଅଭିଯାନ ବନ୍ଦ ରଖିବାକୁ ଧମକ ଦେଲେ ।
ମୁଁ ଏହା ପୋଲିସକୁ ଅବଗତ କରାଇଛି ଇ-ମେଲ୍ ମାଧ୍ୟମରେ । ନିମ୍ନରେ ତାହା ଓଡ଼ିଆ ଜାତିର ଅବଗତି ପାଇଁ ଉପସ୍ଥାପିତ ହେଲା :
ମଧୁବାବୁଙ୍କୁ ଭାଷା ଆନ୍ଦୋଳନର କଳାପତାକାର ନିତ୍ୟ ନିବେଦନ ପ୍ରଦାନ ବେଳେ ସୁରକ୍ଷା ପ୍ରଦାନ ପାଇଁ ଅନୁରୋଧ ଓ ଗତକାଲି ଏହି ଅର୍ଘ୍ୟ ପ୍ରଦାନ ବେଳେ ପୋଲିସ ଉପସ୍ଥିତିରେ ମୋ ଉପରେ ହୋଇଥିବା ଆକ୍ରମଣର ପ୍ରତିକାର ପାଇଁ ପ୍ରାର୍ଥନା
ମହାଶୟ,
ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ, ୧୯୫୪ (Orissa Official Language Act, 1954)ର ଅଲଙ୍ଘ୍ଯ କାର୍ଯ୍ୟକାରିତା ପାଇଁ ୦୧.୦୪.୨୦୧୬ ତାରିଖରେ ମୋ ଦ୍ଵାରା ପ୍ରତିଷ୍ଠିତ ଭାଷା ଆନ୍ଦୋଳନ, ଓଡ଼ିଶାର ପ୍ରୟୋଗାତ୍ମକ ପଦ୍ଧତ୍ତି – ନିରବ କଳାପତାକା ଅଭିଯାନ – ଗତ ୧୩.୦୪.୨୦୧୬ ତାରିଖରୁ ଅଦ୍ୟାବଧି ସମ୍ପୁର୍ଣ୍ଣ ଶାନ୍ତିପୂର୍ବ ଭାବେ ଚାଲିଛି । କେବେ ବି ଆମ୍ଭେ କୌଣସି ବେଆଇନ ପଦକ୍ଷେପ ନେଇନାହୁଁ ଓ ପୋଲିସ ଯେତେବେଳେ ଆମକୁ ମୁଖ୍ୟମନ୍ତ୍ରୀଙ୍କ ରାସ୍ତା ସଫା ରଖିବାକୁ ଅଟକାଇଛନ୍ତି , କୌଣସି ପ୍ରତିବାଦ ନକରି ଆମ୍ଭେ ସହଯୋଗ କରିଛୁ । ଏହା ଏକ ଅଦର୍ଶସ୍ଥାନୀୟ ସଂପୂର୍ଣ୍ଣ ଶାନ୍ତ ସାମାଜିକ ଆନ୍ଦୋଳନ ବୋଲି ସ୍ବନାମଧନ୍ୟ ପ୍ରଫେସର, ସାମାଜିକ କର୍ମୀ, ଲେଖକ ଓ ଗବେଷକମାନେ ମୌଖିକ ଓ ଲିଖିତ ପ୍ରଶଂସା କରିଛନ୍ତି । ଏପରିକି, ବିଶ୍ବବିଦ୍ୟାଳୟର ସର୍ବୋଚ୍ଚ ଗବେଷଣା ଉପାଧି (Ph D) ସନ୍ଦର୍ଭରେ ଏହି ଆନ୍ଦୋଳନ ଏକ ଆଦର୍ଶ ଆନ୍ଦୋଳନ ଭାବେ ସ୍ଥାନିତ ହୋଇଛି । ଏହା ନିଜ ଶାନ୍ତିପୂର୍ଣ୍ଣ ପଦ୍ଧତ୍ତି ଅନୁସରଣ କରି ନବମ ବର୍ଷର ନବମ ମାସ ଅତିକ୍ରମ କରିଛି ଓ ଆମ ଗଣତାନ୍ତ୍ରିକ ଅଧିକାରକୁ ସମ୍ମାନ ଦେଇ ଏବଂ ଏହାର ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଆଚରଣକୁ ନଜରରେ ରଖି ଓଡ଼ିଶା ପୋଲିସ ସମଗ୍ର ରାଜ୍ୟରେ କେବେ ବି କୌଣସି ବାଧା ଦେଇନାହାନ୍ତି ।
ଦୁଃଖର କଥା , ପ୍ରତିଦିନ ପରି ଗତକାଲି ଅପରାହ୍ନ ୫ଟାରେ ମଧୁବାବୁଙ୍କ ବିଜେସ୍ଥଳୀରେ ପ୍ରତୀକାତ୍ମକ ଭାବେ କଳାପତାକାର ଅର୍ଘ୍ୟ ନିବେଦନ କରି ଫେରୁଥିବା ବେଳେ ମୁଁ ଚିହ୍ନି ନଥିବା ଜଣେ ବ୍ୟକ୍ତି ମୋତେ ଭୟଙ୍କର ବାଚନିକ ଭର୍ତ୍ସନା କରି ଏ ଅଭିଯାନ ବନ୍ଦ କରିବାକୁ ଧମକ ଦେଇଥିଲେ , ୟୁନିଫର୍ମରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀମାନେ ତାହା ପ୍ରତ୍ଯକ୍ଷ କରିଛନ୍ତି ।
ଓଡ଼ିଆ ଜାତିର ଭାଷା ଅଧିକାର ହାସଲ କରିବା ପାଇଁ ଗତ ନଅ ବର୍ଷ ନଅ ମାସ ଧରି ନିରବଚ୍ଛିନ୍ନ ଭାବେ ଓ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଶୈଳୀରେ ଚାଲିଆସିଥିବା ଏହି ଜାତୀୟ ତପସ୍ୟାରେ ଓ କୁଳବୃଦ୍ଧ ମଧୁସୂଦନଙ୍କୁ କଳାପତାକାର ନିତ୍ୟ ଅର୍ଘ୍ଯ ପ୍ରଦାନ କରିବାରେ କେହି ବାଧାଦେବା ଯେପରି ନହୁଏ ତାହା ପୂର୍ବବତ୍ ସୁନିଶ୍ଚିତ କରିବା ପାଇଁ ମୁଁ ଆପଣଙ୍କୁ ପ୍ରାର୍ଥନା କରୁଛି । ମୋର ସମସ୍ତ କାର୍ଯ୍ୟକ୍ରମ ପୂର୍ବବତ୍ ସନ୍ଧ୍ଯା ୫ଟାରୁ ୫ଟା ୧୦ ଭିତରେ ସମାପ୍ତହେବ ଓ ମୁଁ ଯାନବାହାନ ଚଳାଚଳରେ କୌଣସି ବାଧା ଦେବି ନାହିଁ ବୋଲି ଆପଣଙ୍କୁ ପୁନର୍ବାର କଥା ଦେଉଛି । ଉଚିତ ମନେକଲେ, ଏହି ସମୟରେ ମୋତେ ସୁରକ୍ଷା ଦେବାକୁ ଆପଣଙ୍କୁ ବିନମ୍ର ଅନୁରୋଧ ।
ଇତି
ଆପଣଙ୍କର
ସୁଭାଷ ଚନ୍ଦ୍ର ପଟ୍ଟନାୟକ
ପ୍ରତିଷ୍ଠତା, ଭାଷା ଆନ୍ଦୋଳନ, ଓଡ଼ିଶା
—
Subhas Chandra Pattanayak
Founder,
Bhasha Andolan, Orissa
https://bhashaandolan.com