ସୁଭାଷ ଚନ୍ଦ୍ର ପଟ୍ଟନାୟକ
ସରକାରୀ ଆଚରଣରେ ଆଘାତଗ୍ରସ୍ତ ହୋଇ ହୋଇ ଓଡ଼ିଆ ଭାଷା ଜନନୀ ଯେଉଁପରି ମୁମୂର୍ଷୁ ହୋଇପଡିଛି ତାର ଉପଚାର ପାଇଁ ମୁଁ ଏଥର ଜାଣିଶୁଣି ‘ନୌକର’ ବା ‘ଚାକର’ ଶବ୍ଦ ବ୍ୟବହାର କରିବି ଆମ ଜନସାଧାରଣ ଓ କର୍ମଚାରୀମାନଙ୍କ କ୍ଷେତ୍ରରେ ଥିବା ମୌଳିକ ତଫାତ ସ୍ପଷ୍ଟ କରିବାପାଇଁ ।
ଦରମାଖିଆଙ୍କଠାରୁ ଜନସାଧାରଣଙ୍କ ଭିନ୍ନତା ସ୍ପଷ୍ଟ ହେବା ଓ କର୍ମଚାରୀମାନେ ନିଜକୁ ଶାସକ ବୋଲି ଭାବିବା ବନ୍ଦ କରିବା ଆବଶ୍ୟକ ।
ଦରମାଖିଆ ଲୋକେ ଯାହାର ରାଜକୋଷରୁ ଦରମା ନେଉଛନ୍ତି, ତା ଭାଷାରେ ସେବା ଦେବେ କି ଦରମାଖିଆଙ୍କ ଭାଷାରେ ଦରମା ଦେଉଥିବା ଲୋକେ ନିଜକୁ ଚଳାଇବେ – ଏହି ପ୍ରଶ୍ନ ଏଣିକି ତୋଳାଯିବ ସମସ୍ତ ସମ୍ଭବ ଦୃଢତାର ସହ । ମନ୍ତ୍ରୀ ହୁଅନ୍ତୁ ବା ସଚିବ ହୁଅନ୍ତୁ ବା ଯେ କୌଣସି ଅମଲା,ଦରମାଖିଆ ନୌକର ଭାଷାରେ ଦରମାଦାତା ମାଲିକ ଚାଲିବ କି ମାଲିକ ଭାଷାରେ ନୌକର – ଏହି ପ୍ରଶ୍ନ ପଚାରିବ ଭାଷା ଆନ୍ଦୋଳନ ।
ଆମ ଭାଷା ଜନନୀ ଦରମାଖିଆଙ୍କ ଗୋଇଠା ମାଡ଼ ବହୁତ ସହିଲାଣି ; ଆଉ ନୁହେଁ ।
ଚାକର ଭାବେ ବିବେଚିତ ହେବାକୁ ଯେଉଁମାନେ ନ ଚାହିଁବେ , ସେମାନେ ଆମ ଭାଷା କହନ୍ତୁ , ଆମ ଭାଷାରେ କାମ କରନ୍ତୁ , ଆମ ଭାଇ ହୋଇ ରହନ୍ତୁ । ନିଷ୍ପତ୍ତି ସେମାନଙ୍କର ।
ଗତ ପ୍ରାୟ ଦୁଇ ବର୍ଷର କଳାପତାକା ଅଭିଯାନରେ ଆମେ ଗୋଟିଏ ବ୍ୟଥାଦାୟକ ଅଭିଜ୍ଞତା ଅର୍ଜନ କରିଛୁ । ତାହା ହେଲା , ଆମ ଓଡ଼ିଶାର ସାହିତ୍ୟିକମାନେ ଭାଷା ଆନ୍ଦୋଳନ ସହ ଜଡ଼ିତହେବାକୁ ଆଗେଇ ଆସୁନାହାନ୍ତି । ଏକାଡେମୀ ପୁରସ୍କାର ହେଉ ବା ଜ୍ଞାନପୀଠ ପୁରସ୍କାର ହେଉ ବା ସରସ୍ବତୀ ପୁରସ୍କାର ହେଉ ବା ପଦ୍ମ ପୁରସ୍କାର ହେଉ – ଏପରି ପୁରସ୍କାରରେ ଝଲସୁଥିବା ଓଡ଼ିଆ ସାହିତ୍ୟିକମାନେ ଭାଷା ଆନ୍ଦୋଳନ ସହ ନିଜ ନିଜକୁ ଯୋଡୁନାହାନ୍ତି ।
ଏହା ଭାଷା ଆନ୍ଦୋଳନର ଗୁରୁତ୍ବ ଓ ଗାରିମା ପ୍ରତି ଏକ ଆହ୍ବାନ କି ? ନାଁ , ଆଦୌ ନୁହେଁ ।
ପ୍ରଥମ କଥା ହେଉଛି, ସେମାନେ ଯଦି ମଣିଷ ହୋଇଥାନ୍ତେ , ଆମକୁ କିଆଁ କଳାପତାକା ଧରିବାକୁ ପଡ଼ନ୍ତା ?
କହିବାକୁ କଷ୍ଟ , କିନ୍ତୁ ସତ ତ ହେଲା: ଭାଷା ମୌଳିକ , ସାହିତ୍ୟ ମୌଳିକ ନୁହେଁ । ଭାଷା ଆମ ଜନନୀ , ସାହିତ୍ୟ ନୁହେଁ ।
ଭାଷାରେ ‘ଭାବ’ ମିଶାଇ ସାହିତ୍ୟ କରାଯାଏ । ଭାବ ଶୁଭଙ୍କର ହୋଇପାରେ ,ଭୟଙ୍କର ହୋଇପାରେ ; ସାମାଜିକ ହୋଇପାରେ , ଅସାମାଜିକ ହୋଇପାରେ ; ରକ୍ଷଣଶୀଳ ହୋଇପାରେ , ପ୍ରଗତିଶୀଳ ହୋଇପାରେ । ସୁତରାଂ ସାହିତ୍ୟ ଏହି ସବୁ ରୂପ ନେଇପାରେ ।
ଏହି ରୂପେ ସମୁଦାୟ ଦୁଇ ପ୍ରକାରର ସାହିତ୍ୟିକ ଦୃଷ୍ଟିଗୋଚର ହୁଅନ୍ତି । ପ୍ରକାରଭେଦରେ ସେମାନଙ୍କୁ ଉଚ୍ଚମନା ସାହିତ୍ୟିକ ବା ନୀଚମନା ସାହିତ୍ୟିକ ଭାବେ ଚିହ୍ନଟ କରାଯାଇପାରେ ।
ପୁଞ୍ଜିବାଦ ପ୍ରଭାବରେ ଓଡ଼ିଶାରେ ନୀଚମନା ସାହିତ୍ୟିକ ଏବେ ହାଉଯାଉ । ସେମାନେ ଭାଷା ଆନ୍ଦୋଳନକୁ ଅସହଯୋଗ କରିବା ସ୍ବଭାବିକ ।
ସାହିତ୍ୟ ନଥାଇ ସମାଜ ଚାଲିବ । ଚାଲିଛି ।
ଓଡ଼ିଶାରେ କୌଣସି ସାହିତ୍ୟକୃତି ହଜାରରୁ ଅଧିକ ଛପାଯାଏ ନାହିଁ କି ଦି ବର୍ଷ ପୂର୍ବରୁ ଦ୍ବିତୀୟ ସଂସ୍କରଣ ଆବଶ୍ୟକ ପଡେନାହିଁ । ତେଣୁ ହାରାହାରି ପାଆଂଶ ଲୋକଙ୍କୁ ଛାଡି ଯେ କୌଣସି ବର୍ଷ ଯେକୌଣସି ସାହିତ୍ୟିକ ଅବଶିଷ୍ଟ ପ୍ରାୟ ସାଢେ ଚାରିକୋଟି ଓଡ଼ିଆଙ୍କ ଭିତରୁ କାହାରି ଦୃଷ୍ଟି ବି ଆକର୍ଷଣ କରନ୍ତି ନାହିଁ । ଅବସ୍ଥା ଏପରି ଯେ, ‘ସରସ୍ବତୀ’ସମ୍ମାନ ପ୍ରାପ୍ତ କବି ରମାକାନ୍ତ ରଥଙ୍କ ଏକ କାବ୍ୟକୃତି ଦି ବର୍ଷରେ ସମୁଦାୟ ପଚାଶ ଖଣ୍ଡ ବି ବିକ୍ରୀ ହୋଇପାରିନଥିଲା ବୋଲି ସେ ମହାପାତ୍ର ନୀଳମଣି ସାହୁଙ୍କୁ ଏକ ଚିଠିରେ ଲେଖିଥିଲେ , ଯାହା ଅଧ୍ୟାପକ ବିଶ୍ଵରଞ୍ଜନଙ୍କ ସମ୍ପାଦିତ ‘ଚିଠି’ରେ ପ୍ରକାଶ ପାଇଛି । ଏହା ପ୍ରମାଣ କରୁଛି କି ‘ସରସ୍ବତୀ’ ସମ୍ମାନ ପାଇଥିବା ଆମ ଶ୍ରେଷ୍ଠ ସାହିତ୍ୟିକ ଆମ ଲୋକଙ୍କ ମନରେ ନାହାନ୍ତି ।
ଜ୍ଞାନପୀଠ ସମ୍ମାନ ପାଇଥିବା ସୀତାକାନ୍ତ ମହାପାତ୍ରଙ୍କ କବିତା ବହିରୁ କିଏ କେତେଖଣ୍ଡ ରଖିଛି ବୋଲି ଜାଣିବାକୁ ମୁଁ ମୋ ବନ୍ଧୁମାନଙ୍କ ଭିତରୁ ଦଶଜଣଙ୍କୁ ପଚାରିଥିଲି ବର୍ଷକ ତଳେ ; ଜଣକ ପାଖରେ ଦିଖଣ୍ଡ ଥିଲା , ନଅ ଜଣଙ୍କ ପାଖରେ ଖଣ୍ଡେ ବି ନଥିଲା । ଯେଉଁମାନଙ୍କୁ ପଚାରିଥିଲି ସେମାନେ ସମସ୍ତେ ଥିଲେ ସାହିତ୍ୟିକ । ଅତଏବ ଏହି ବିଶିଷ୍ଟ ସାହିତ୍ୟିକ ଆମ ସାହିତ୍ୟିକମାନଙ୍କ ଭିତରେ ବି ନିଜ ଆସ୍ଥାନ ଜମେଇ ପାରିନାହାନ୍ତି , ସାଧାରଣ ଲୋକଙ୍କ ପାଖରେ ଏଙ୍କ ସ୍ଥାନ ବା ଖୋଜିବା କାହିଁକି ?
ଏହା ସ୍ପଷ୍ଟ କରେ ଯେ, ସାହିତ୍ୟ ବିନା ସମାଜ ଚାଲିପାରେ । କିନ୍ତୁ ଭାଷା ବିନା କେହି ଚାଲିପାରିବେ ନାହିଁ । ଏଣୁ ଭାଷା ଆନ୍ଦୋଳନ କେଉଁ ସାହିତ୍ୟିକଙ୍କୁ ଅପେକ୍ଷା ରଖେନାହିଁ ।
ଓଡ଼ିଶାରେ ସାହିତ୍ୟ ପାଇଁ ପୁରସ୍କାର ପାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ସାମାନ୍ୟ କେତେକଙ୍କୁ ଛାଡ଼ି ବାକି ସମସ୍ତେ ସରକାରୀ କର୍ମଚାରୀ ଥିଲେ ଓ ଅଛନ୍ତି । ସେମାନେ ନିଜ ନିଜ ଅଫିସ କାମ ଯଦି ଓଡ଼ିଆରେ କରିଥାନ୍ତେ ତେବେ ଓଡ଼ିଆ ଭାଷା ଜନନୀ ଆଜି ମୁମୂର୍ଷୁ ଅବସ୍ଥା ଭୋଗୁନଥାନ୍ତା କି ନିଷ୍ଠୁର ନୌକରସାହି କବଳରେ ଓଡ଼ିଆ ଜାତି ତାର ଅସ୍ମିତା ହରାଇ ବସିନଥାନ୍ତା ।
ମାଆକୁ ନିଜ ଆୟର ମାଧ୍ୟମ କରି ଚାଲୁଥିବା ଲୋକେ ମାଆର ମର୍ଯ୍ୟାଦା ପାଇଁ ଲଢେଇ କରିବେ – ଏକଥା କାହିଁକି ଆମେ ଭାବିବା ?
ତେଣୁ କୌଣସି ସାହିତ୍ୟିକଙ୍କୁ ଅପେକ୍ଷା ନ କରି ଭାଷା ଆନ୍ଦୋଳନକୁ ଆଗେଇନେବାକୁ ହେବ ଏବଂ ସାହିତ୍ୟିକ ଅଧ୍ୟୁଷିତ ଦରମାଖିଆମଣ୍ଡଳୀକୁ ଏହା ବୁଝିବାକୁ ବାଧ୍ୟ କରାଯିବ ଯେ, ନୌକର ଭାଷାରେ ମାଲିକ ଚଳିବ ନାହିଁ , ମାଲିକ ଭାଷାରେ ନୌକର ଚଳିବ ।