ସୁଭାଷ ଚନ୍ଦ୍ର ପଟ୍ଟନାୟକ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତି ଆକସ୍ମିକ ଭାବେ ଶଶିଭୂଷଣ ବେହେରାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିଥିଲେ କେବଳ ନୁହେଁ , ଅର୍ଥ ଓ ଅବକାରୀ ବିଭାଗ ପରି ଗୁରୁତ୍ବପୂର୍ଣ ବିଭାଗ ଦେଇ ତାଙ୍କର ଏପରି ମର୍ଯ୍ୟାଦା ବଢ଼େଇ ଦେଇଥିଲେ ଯେ, ସମଗ୍ର ପ୍ରଶାସନିକ କଳ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିକଟତମ ବୋଲି ଭାବୁଥିଲା ଓ ତଦନୁଯାୟୀ ତାଙ୍କ ଆଦେଶ ଓ ଇଚ୍ଛା ପ୍ରତି ଗୁରୁତ୍ଵ ଦେଉଥିଲା । ତେଣୁ ଭାଷା ଆନ୍ଦୋଳନକୁ ଭାଙ୍ଗିବା ସକାଶେ ସେ ମୋର ଦୁଇ ମୂଳ ଓ ପ୍ରମୁଖ ସହକର୍ମୀଙ୍କୁ ପୋଷାମନାଇବା ପାଇଁ ତାଙ୍କ ପଦ ମର୍ଯ୍ୟାଦାର ପ୍ରବଳ ଦୁରୁପଯୋଗ କଲେ । ଏ ସମ୍ପର୍କରେ ବିଶ୍ଵସ୍ତ ସୂତ୍ରରୁ ମୁଁ ଦୁଇଟି ଖବର ପାଇଛି , ଯହିଁରେ ଅଛି – (୧) ପବିତ୍ର ମହାରଥାଙ୍କ ବିରୁଦ୍ଧରେ ଭାଷା ଆଂଦୋଳନର ପ୍ରାପ୍ୟ ବହୁ ଲକ୍ଷ ଟଙ୍କାର ତୋଷରପାତ ବିରୁଦ୍ଧରେ ମୁଁ ଦେଇଥିବା ଏତଲା ଉପରେ ପୋଲିସର ନୀରବତା ଓ (୨) ପ୍ରାୟ ଦଶବର୍ଷ ତଳୁ ନିଜର କର୍ତ୍ତବ୍ୟ ନିର୍ବାହ କରି ନ ଥିବା ହେତୁ ପ୍ରଦ୍ୟୁମ୍ନ ଶତପଥୀଙ୍କ ପତ୍ନୀ ଘୋର ଚାକିରି ସଙ୍କଟର ସମ୍ମୁଖୀନ ହୋଇଥିବା ସତ୍ତ୍ୱେ ଆଇନକୁ ଆଖିଠାର ମାରି ଶଶି ବାବୁଙ୍କ ପ୍ରଭାବ ବଳୟରେ ଥିବା ଏକ ମହାବିଦ୍ୟାଳୟକୁ ତାଙ୍କୁ ବଦଳି କରାଯାଇ ଖୁବ୍ ମୋଟା ଅଙ୍କର ଆର୍ଥିକ ଆୟର ବ୍ୟବସ୍ଥା କରାଯିବା । ଏହା ଛଡ଼ା ସୁପାରୀ, ଯାହା ପବିତ୍ର ମହାରଥାଙ୍କ ପ୍ରତିକ୍ରିୟାରୁ ଅନ୍ଦାଜ କରିହୁଏ, ଓ ଯାହା ସହ ମୋ ପୂର୍ବ ଉଦ୍ଧୃତ୍ତ ପତ୍ରରେ ମୁଁ ଅର୍ଥମନ୍ତ୍ରୀଙ୍କୁ ସାମ୍ନାସାମ୍ନୀ କରାଇଥିଲି । ସେ କାହିଁକି ନୀରବ ରହିଲେ କେବଳ ସେ ହିଁ କହିପାରିବେ ।
କେଉଁଥି ପାଇଁ ଏତେ କଥା?
କିନ୍ତୁ କେଉଁଥି ପାଇଁ ଏତେ କଥା ? ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ବିଧେୟକ, ୨୦୧୮ ତ ୧.୫.୨୦୧୮ରେ ପାରିତହୋଇ ଆଇନର ରୂପ ନେଇ ସାରିଥିଲା । ସେଥିରେ ଭାଷା ଆଇନର ଖିଲାପକାରୀକୁ ଦଣ୍ଡ ଦେବାକୁ ନିୟମାବଳୀ ପ୍ରଣୟନ ହେବ ବୋଲି ତ କୁହା ହୋଇଥିଲା । ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ପ୍ରତାରିତ କରିବାରେ ତ ସଫଳ ହୋଇଥିଲେ । ଯେଉଁ କଳାପତାକା ଅଭିଯାନକୁ ଭାଷା ଆନ୍ଦୋଳନ କୁହାଯାଏ ତାହା ତ ଏହି ଉଭୟଙ୍କ ଚକ୍ରାନ୍ତ ହେତୁ ସେହି ୧.୫.୨୦୧୮ରେ ହିଁ ସ୍ଥଗିତ ହୋଇଯାଇଥିଲା । ପୁଣି କେଉଁଥି ପାଇଁ ସନ୍ଦିଗ୍ଧ ସୁପାରୀଠୁ ଆରମ୍ଭ କରି ପ୍ରଦ୍ୟୁମ୍ନ ଶତପଥୀଙ୍କ ପତ୍ନୀଙ୍କୁ ନିସନ୍ଦିଗ୍ଧ ଚାକିରି ପ୍ରଦାନ ପର୍ଯ୍ୟନ୍ତ କାମରେ ଅର୍ଥମନ୍ତ୍ରୀଙ୍କୁ ଲଗାଇବା ଯାଏଁ କଥା ଗଲା?
ତାର କାରଣ ଥିଲା, ଉପରୋକ୍ତ ସଂଶୋଧନ ମାଧ୍ୟମରେ ଖଞ୍ଜା ହୋଇଥିବା ୪କ ଧାରା କିପରି ଆମ ଭାଷା ସ୍ଵାର୍ଥ ପାଇଁ କ୍ଷତିକାରକ ତହିଁ ଉପରେ ତୁରନ୍ତ ମୋର ଆଲୋଚନା ଓ ବିଧାନସଭାରେ ପାରିତ ହୋଇଥିବା ବିଧେୟକକୁ ସ୍ଵୀକୃତି ନ ଦେଇ ପୁନର୍ବିଚାର ପାଇଁ ଫେରାଇ ଦେବାକୁ ୨୪.୫.୨୦୨୮ରେ ରାଜ୍ୟପାଳଙ୍କୁ ମୋର ନିବେଦନ।
ରାଜ୍ୟପାଳଙ୍କ ନିକଟରେ ମୋର ନିବେଦନ ବ୍ୟର୍ଥ ହୋଇଯିବା ପରେ ୨୯.୬.୨୦୧୮ରେ ମୁଖ୍ୟମନ୍ତ୍ରୀଙ୍କୁ ମୁଁ ପଠାଇଥିବା ପତ୍ରରେ ବିଧାନ-ରୂପ ପାଇସାରିଥିବା ସତ୍ତ୍ଵେ ଜାଲିଆତି ବଳରେ ତିଆରି ହୋଇଥିବା ଧାରା ୪କ କାହିଁକି ଲୋପ ହେବା ଉଚିତ ଓ ସେ ଯଦି ନିଜେ ଏହି ଜାଲିଆତିରେ ସମ୍ପୃକ୍ତ ନୁହନ୍ତି ତେବେ କିଏ ତାହା ଠାବ କରି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ମୁଁ ଯାହା ଲେଖିଥିଲି ତାହା ଏଥି ପୂର୍ବରୁ ଉଦ୍ଧୃତ୍ତ ହୋଇଛି । ମାତ୍ର ୱେବସାଇଟ ବାହାରେ ପ୍ରକାଶିତ ମୋ ଲେଖା ଯାହା ସର୍ବସାଧାରଣଙ୍କ ପାଖରେ ଏହି ସରକାରୀ ତଞ୍ଚକତାର ଖୋଲା ରୂପ ରଖିଥିଲା ତାହା ଥିଲା ମୋର ପୂର୍ବସୂଚିତ ଲେଖା – ‘ଭାଷା ଆଇନ ସଂଶୋଧନ ପୁନଶ୍ଚ ସଂଶୋଧିତ ହେବା ଦରକାର ।’
ଏହି ଲେଖାଟି ସରକାରଙ୍କୁ ଏପରି ବିବସ୍ତ୍ର ଓ ବିଚଳିତ କରିଦେଇଥିଲା ଯେ, ଏହାକୁ ପ୍ରକାଶ କରିଥିବା ଖବରକାଗଜ ‘ନିତିଦିନ’କୁ ମିଳିଥିଲା ଉଚ୍ଚତମ ସରକରୀ ମହଲରୁ ଅତ୍ୟନ୍ତ ଦୁର୍ବିନୀତ ଧମକ । ଏହି କାଗଜକୁ ବସ୍ତୁତଃ ଜନ୍ମ ଦେଇ ତାର ଅନ୍ତୁଡ଼ିଶାଳାରୁ ଶକ୍ତିମାନ୍ ଯୌବନରେ ପହଞ୍ଚାଇଥିଲେ ଓଡ଼ିଶାର ସୁବିଦିତ ସାମ୍ବାଦିକ ସମ୍ପଦ ମହାପାତ୍ର । ଅଥଚ , ତାଙ୍କ ପାଖରେ କୁତଜ୍ଞ ରହିବା ପରିବର୍ତ୍ତେ, ମୋର ଉପରୋକ୍ତ ପ୍ରବନ୍ଧ ପ୍ରକାଶ ପାଇବା ପରେ , ସରକାରଙ୍କ ଅଲିଖିତ ଧମକର ସାମ୍ନା କରିନପାରି କାଗଜଟିର ମାଲିକ ଏପରି ଆଚରଣ ପ୍ରଦର୍ଶନ କଲେ ଯେ, ଆତ୍ମସମ୍ମାନପ୍ରିୟ ସମ୍ପଦ ମହାପାତ୍ର ଏହାର ସମ୍ପାଦକ ପଦରୁ ଇସ୍ତଫା ଦେଇ ଚାଲିଗଲେ । ଓଡିଶା ସରକାରୀଭାଷା ଇତିହାସରେ ଏହି ନିର୍ଦ୍ଦିଷ୍ଟ ଘଟଣା ଏକ ବ୍ୟଥାଦାୟକ ଅଧ୍ୟାୟ ହୋଇ ରହିବ ।
ଉପସ୍ଥିତ ପାଠକମାନଙ୍କ ଅନୁଧ୍ୟାନ ପାଇଁ ଲେଖାଟି ଏଠାରେ ସ୍ଥାନିତ ହେଉଛି –
:
ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକମାନଙ୍କ ଗୋଚରାର୍ଥେ ଏତାଦୃଶ ଏକାଧିକ ଆଲୋଚନା ମୁଁ ଗଣମାଧ୍ୟମରେ ରଖିଛି । (କ୍ରମଶଃ)
୨୨.୬.୨୦୧୯