Posts tagged Culture

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଆଇନରେ ସଂଶୋଧନ ଆସେ ତାକୁ ଅଧିକ ସମର୍ଥ କରିବାପାଇଁ ; ତାକୁ ଲକ୍ଷ୍ୟଚ୍ୟୁତ କରିବାକୁ ନୁହେଁ । କିନ୍ତୁ ଓଡ଼ିଶା ରାଜ୍ୟ ସରକାର ଓଡ଼ିଶା ସରକାରୀ ଭାଷା ଆଇନ, ୧୯୫୪କୁ ଲକ୍ଷ୍ୟଚ୍ୟୁତ କରାଇବା ପାଇଁ ବିଧାନସଭାକୁ ପୁନଶ୍ଚ ବ୍ୟବହାର କରିଛନ୍ତି ୧୯.୯.୨୦୧୮ ତାରିଖରେ ।

ଏ ଦିନ ଏହି ଆଇନ ଉପରେ ଯେଉଁ ଦ୍ଵିତୀୟ ସଂଶୋଧନ ପାରିତ କରା ହୋଇଛି ତାହା ୧.୫.୨୦୧୮ରେ ହୋଇଥିବା ପ୍ରଥମ ଓ ବେଆଇନ ସଂଶୋଧନକୁ ଆଇନସିଦ୍ଧ କରି ମୂଳ ଆଇନଟିକୁ ଅଧିକ ଜନବିରୋଧୀ ତଥା ନିରୁଦ୍ଧିଷ୍ଟ କରିବା ପାଇଁ ଏକ ଚତୁର ପ୍ରୟାସ । ଓଡ଼ିଆ ଜାତି ଯଦି ଏହାକୁ ମାନିନିଏ ତେବେ ତାର ଭାଷା ଅଧିକାର ସମ୍ପୂର୍ଣ୍ଣତଃ କ୍ଷୁର୍ଣ୍ଣ ହେବ ।

ଓଡ଼ିଆ ଭାଷାରେ ସମସ୍ତ ସରକାରୀ ସେବା ପାଇବାପାଇଁ ଆମ ପୁର୍ବପୁରୁଷେ ସେତେବେଳେ ସମଗ୍ର ଭାରତକୁ ଅପାତତଃ ଦଖଲକରିଥିବା ବ୍ରିଟିଶ ଶକ୍ତିକୁ ଏକ ସ୍ଵତନ୍ତ୍ର ପ୍ରଦେଶ ସୃଷ୍ଟି କରିବାକୁ ବାଧ୍ୟ କରିଥିଲେ , ଯାହାର ନାମ ହେଲା ଓଡ଼ିଶା ।

କିନ୍ତୁ ନିଜ ଭାଷାରେ ନିଜର ଏହି ରାଜ୍ୟର ସମସ୍ତ ସରକାରୀ ସେବା ପାଇବାର ଅଧିକାର ଆମକୁ ୧୯୫୪ରେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରଣୀତ ଓଡିଶା ସରକାରୀ ଭାଷା ଆଇନ ହିଁ ଦେଇଥିଲା । ଏହା ଦୁଇଟି କଥା କହିଥିଲା : (୧) ଓଡ଼ିଶାର ସର୍ବତ୍ର ଏହା ତତ୍କାଳ ଲାଗୁହେଲା ଓ (୨) ଓଡ଼ିଶାର ସମସ୍ତ ଓ ପ୍ରତ୍ୟେକ ଦପ୍ତରରେ ଯେ କୌଣସି ସରକାରୀ କାମ ପାଇଁ ଭାଷା ହେଲା ଓଡ଼ିଆ ।

ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାପା ବିଜୁ ପଟ୍ଟନାୟକ ୧୯୬୩ରେ ଏଥିରେ ପ୍ରଥମ ସଂଶୋଧନ କରି ଏହାର ଗାରିମା ନଷ୍ଟ କରିଥିଲେ ଓ ବିଧାନସଭା କାରବାରରେ ଓଡ଼ିଆ ଅଧିକନ୍ତୁ ଇଂରାଜୀ ସରକାରୀ ଭାଷା ଭାବେ ଚାଲିବ ବୋଲି ସେହି ସଂଶୋଧନରେ ବ୍ୟବସ୍ଥା ଖଞ୍ଜି ଆମକୁ ଇଂରାଜୀ ଭାଷାଧିପତ୍ୟ କବଳକୁ ଠେଲି ଦେଇଥିଲେ , ଯହିଁରୁ ମୁକ୍ତି ପାଇଁ ଆମ ସଂଘର୍ଷ କଳାପତାକା ଅଭିଯାନର ରୂପ ନେଇଛି । ଯେତେବେଳେ ବିଜୁବାବୁଙ୍କ ପରିସୃଷ୍ଟ ଧାରା ୩-କ ବିଲୋପ କରାଯାଇ ଭାଷା ଆଇନ ଉଲଙ୍ଘନକୁ ଦଣ୍ଡନୀୟ ଅପରାଧ ଭାବେ ଗ୍ରହଣ କରି ଆଇନ ସଂଶୋଧନ ପାଇଁ ୧୩. ୪. ୨୦୧୬ ତାରିଖରୁ ବିଶ୍ଵର ଅଦ୍ଵିତୀୟ କଳାପତାକା ଅଭିଯାନ ଚାଲିଛି , ସେତେବେଳେ ନବୀନ ବାବୁ ଏହି ଆଇନକୁ ଏ ବର୍ଷ ଦୁଇଥର ସଂଶୋଧନ କରି ଉପରୋକ୍ତ ଦୁଇଟିଯାକ ବ୍ୟବସ୍ଥାକୁ ଉଜାଡ଼ି ଦେଇଛନ୍ତି ।

ଏହି ଦୁଇଟି ସଂଶୋଧନ ଏହିପରି :

(୧) “ସରକାର, ସରକାରୀ ଭାଷାର ବ୍ୟାପକ ବ୍ୟବହାର ନିମନ୍ତେ ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ତଥା ସେଥିରେ ଖିଲାପ କରୁଥିବା ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ଦଣ୍ଡବିଧାନ କରିବା ସକାଶେ ନିୟମାବଳୀରେ ଉପଯୁକ୍ତ ବ୍ୟବସ୍ଥାମାନ ବିହିତ କରିପାରିବେ ।” (୧.୫.୨୦୧୮ ତାରିଖର ସଂଶୋଧନ ଦ୍ଵାରା ଖଞ୍ଜା ହୋଇଥିବା ଧାରା ୪-କ )

(୨) “ଧାରା ୪କରେ – (କ) “ଭାଷାର” ଶବ୍ଦ ବଦଳରେ “ଭାଷାରୂପେ ଓଡ଼ିଆର” ଶବ୍ଦଗୁଡ଼ିକ ପ୍ରତିସ୍ଥାପିତ ହେବ । (ଖ) ଦ୍ଵିତୀୟ ଥର ଥିବା “ବିଭାଗମାନଙ୍କୁ” ଶବ୍ଦ ପରେ ଓ “ଦଣ୍ଡବିଧାନ” ଶବ୍ଦ ପୂର୍ବରୁ “ବା ଉଭୟଙ୍କୁ” ଶବ୍ଦଗୁଡ଼ିକ ଅନ୍ତଃସ୍ଥାପିତ ହେବ ।” (୧୯.୯.୨୦୧୮ ତାରିଖରେ ଧାରା ୪-କ ଉପରେ ହୋଇଥିବା ସଂଶୋଧନ) ।

ଏହି ଉଭୟ ସଂଶୋଧନକୁ ମିଶାଇ ଧାରା ୪-କର ନୂଆ ରୂପ ହେଲା – ସରକାର, ସରକାରୀ ଭାଷାରୂପେ ଓଡ଼ିଆର ବ୍ୟାପକ ବ୍ୟବହାର ନିମନ୍ତେ ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ତଥା ସେଥିରେ ଖିଲାପ କରୁଥିବା ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ବା ଉଭୟଙ୍କୁ ଦଣ୍ଡବିଧାନ କରିବା ସକାଶେ ନିୟମାବଳୀରେ ଉପଯୁକ୍ତ ବ୍ୟବସ୍ଥାମାନ ବିହିତ କରିପାରିବେ ।”

ଅତଏବ , ୧.୫.୨୦୧୮ତାରିଖରେ ସୃଷ୍ଟି ହୋଇଥିବା ଅବୈଧ ଧାରା ଉପରେ ୧୯.୯.୨୦୧୮ ତାରିଖରେ ସଂଶୋଧନର ପ୍ରଲେପ ମାରି ଓଡିଶା ସରକାର ଓଡ଼ିଆ ଜାତିକୁ ଆଇନ ସଂଶୋଧନର ଏକ ପ୍ରହେଳିକା ପ୍ରଦର୍ଶନ କରିଛନ୍ତି ଯାହା ଆମ ଭାଷା ଅଧିକାରକୁ ଭୟଙ୍କର ଭାବେ କ୍ଷୁର୍ଣ୍ଣ କରିଛି । ମୂଳ ଆଇନରେ ଆମେ ଯେଉଁ ଅଧିକାର ପାଇଥିଲୁ ତହିଁରୁ ଆମକୁ ବଂଚିତ କରି ରଖି ଶେଷରେ ତହିଁରୁ ଉତ୍ଖାତ କରିବାର ଯେଉଁ କୌଶଳ ପ୍ରୟୋଗ କରିଛନ୍ତି ରାଜ୍ୟ ସରକାର , ତାହା କୌଣସି ଭାଷାପ୍ରେମୀ ଓଡ଼ିଆ ପାଇଁ କେବେ ବି ଗ୍ରହଣଯୋଗ୍ୟ ନୁହେଁ ।

ଏହି ଧାରା ୪-କ କାହିଁକି ଅବୈଧ ତାହା ମୁଁ ବିଧେୟକଟି ଗୃହରେ ରଖାହେବା ମାତ୍ରେ ଦର୍ଶାଇଥିଲି । ତାକୁ ମୁଦ୍ରିତ କରି ବିଧାୟକମାନଙ୍କୁ ବି ଦେଇଥିଲି ଓ ବ୍ୟକ୍ତିଗତ ଭାବେ ବୁଝାଇଥିଲି । ସେମାନଙ୍କ ଭିତରୁ ଜଣେ ବି କେହି ସେ କଥା ଉଠାଇଲେ ନାହିଁ । ବିଧେୟକଟିର ଉଦ୍ଦେଶ୍ୟ ଓ କାରଣ କଥନରେ ତାହା ରାଜ୍ୟ ମନ୍ତ୍ରିମଣ୍ଡଳର ୨୬.୧୨.୨୦୧୭ ତାରିଖର ପ୍ରସ୍ତାବ ଉପରେ ଆଧାରିତ ବୋଲି ଲେଖା ହୋଇଥିଲେ ବି କେହି ଜଣେ ବି ବିଧାୟକ , ଏପରି କି ବିରୋଧୀ ଦଳର କେହି ମଧ୍ୟ, ସେହି ପ୍ରସ୍ତାବଟି କଣ ତାହା ଜାଣିବାକୁ ଚାହିଁଲେନି । ରାଜ୍ୟପାଳଙ୍କୁ ୨୪.୫.୨୦୧୮ରେ ଦେଇଥିବା ସ୍ମାରକପତ୍ରରେ ସବିଶେଷ ବୁଝାଇ ଏହାକୁ ମଞ୍ଜୁରୀ ନଦେବାପାଇଁ ଅନୁରୋଧ କରିଥିଲି । ୨୩.୬.୨୦୧୮ ତାରିଖରେ ପ୍ରଶାସନ ଦ୍ଵାରା ପ୍ରଭାବିତ ହୋଇ ରାଜ୍ୟପାଳ ସେହି ଅବୈଧ ସଂଶୋଧନକୁ ମଞ୍ଜୁରୀ ଦେଇଦେଲେ । ମୁଁ ୨୯.୬.୨୦୧୮ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲି କି, ତାଙ୍କ ଅଧ୍ୟକ୍ଷତାରେ ୧୪.୦୩.୨୦୧୮ ତାରିଖରେ ଗୃହୀତ କ୍ୟାବିନେଟ ବୈଠକର ପ୍ରସ୍ତାବକୁ ଅନଧିକୃତ ଭାବେ କବର ଦେଇ ୨୬.୧୨.୨୦୧୭ ତାରିଖର ପରିତ୍ୟକ୍ତ ପ୍ରସ୍ତାବ ଉପରେ କେଉଁ ଅଧିକାରୀ ଧାରା ୪-କ ଠିଆ କରାଇଛନ୍ତି ତାହା ଠାବ କରି, ଓଡ଼ିଆ ଜାତି ବିରୁଦ୍ଧରେ କରାଯାଇଥିବା ଷଡ଼ଯନ୍ତ୍ର ହେତୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାଯାଉ ଓ ସେହି ଅବୈଧ ଧାରାକୁ ବିଲୁପ୍ତ କରାଯାଇ ନୂଆ ସଂଶୋଧନ ଦ୍ଵାରା ଭାଷା ଆଇନକୁ ନିର୍ଭୁଲ କରାଯାଉ ।

ତାହା ହେଲାନାହିଁ ; କାରଣ ମୁଁ ଏହି ଦାବି କଲା ବେଳକୁ ଭାଷା ଆନ୍ଦୋଳନର ଛାତିରେ ଛୁରୀ ଭୁଷିବାକୁ ସରକାର ଆମ ଭିତରୁ ତାଙ୍କ ସୁପାରୀ ଆତତାୟୀ ଯୋଗାଡ଼ କରିସାରିଥିଲେ ।

ସମାଜକଲ୍ୟାଣ ପାଇଁ ବାପ ମାଆ ନିଜ ପୁଅକୁ ଦୀକ୍ଷିତ କରାଇବାର ଉଚ୍ଚ ଓ ଅନନ୍ୟ ପରମ୍ପରା କେବଳ ଓଡ଼ିଶାରେ ହିଁ ସୁପ୍ରତିଷ୍ଠିତ । ଜୀବନ କ୍ଷଣ ଭଙ୍ଗୁର ହୋଇଥିବା ହେତୁ ମଣିଷ ନିସ୍ପୃହ ଓ ନିଷ୍କାମ ଜୀବନ ଯାପନ କରିବା ଉପରେ ଏହି ପରମ୍ପରାରେ ଗୁରୁତ୍ବ ଦିଆଯାଏ । ଯୋଗୀ ପରମ୍ପରା ଭାବେ ଏହା ସୁବିଦିତ । ଏହାର ବୈଶିଷ୍ଟ୍ୟ ହେଲା ଜନ୍ମଦାତ୍ରୀ ଜନନୀ ହିଁ ନିଜ ପୁତ୍ର ସନ୍ତାନକୁ ଏହି ତ୍ୟାଗପୂତ ଜୀବନ ପାଇଁ ଉତ୍ସାହିତ କରନ୍ତି ଓ ସନ୍ତାନଟି ଜଣେ ଯୋଗୀଙ୍କ ଠାରୁ ନିଷ୍କାମ ଜୀବନ ଯାପନର ଦୀକ୍ଷା ଗ୍ରହଣ କରି ପୁନଶ୍ଚ ଗୃହକୁ ଫେରି ଆସେ ଓ ଜନନୀ ତାକୁ ସଂସାରକୁ ପାଛୋଟି ନିଅନ୍ତି ।

ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଅନ୍ତର୍ଗତ ନୟାପଲ୍ଲୀ ନିବାସୀ ଭାଷା ଯୋଦ୍ଧା ନାରାୟଣ ଖୁଣ୍ଟିଆ ଓ ତାଙ୍କ ପତ୍ନୀ ଶ୍ରୀମତୀ ସୁକାନ୍ତି ଖୁଣ୍ଟିଆ ଏହି ପରମ୍ପରାରେ ପୁତ୍ର ଚନ୍ଦନଙ୍କୁ ତାଙ୍କ ମାଟ୍ରିକ ପରୀକ୍ଷା ପରେ ପରେ ଯୋଗୀ ବିଜୟ ସ୍ବାଇଁଙ୍କ ଠାରୁ ଦୀକ୍ଷା ଦିଆଇ ଥିଲେ । ଦୀକ୍ଷା ଧାରଣ କରି ସେ ମାତୃକୋଳକୁ ଫେରି ଆସିଛନ୍ତି । ଚିତ୍ରରେ ମା ସୁକାନ୍ତି ନିଷ୍କାମ ଜୀବନତତ୍ତ୍ଵରେ ଦୀକ୍ଷିତ ପୁତ୍ର ଚନ୍ଦନଙ୍କୁ ପାଛୋଟି ନେଉଥିବା ଦୃଶ୍ୟମାନ ।

ଖୁଣ୍ଟିଆ ଦମ୍ପତ୍ତି ନିଜ ପୁଅକୁ ସମାଜସେବାର ଏହି ମହାନ ଆଦର୍ଶରେ ଦୀକ୍ଷିତ କରାଇଥିବା ହେତୁ ଭାଷା ଆନ୍ଦୋଳନର ବହୁ ସାଥୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।