କଳାପତାକା ଅଭିଯାନ // ମାତୃଭାଷାରେ ରାଜ୍ୟ ଚାଲିବାକୁ ମାତୃକୁଳର ସମର୍ଥନ


ଜି.ଉଦୟଗିରି
୧.୪.୨୦୨୧
(ଅଶୋକ ପରିଡ଼ାଙ୍କ ସୂତ୍ରରୁ)

ଇଂରେଜଙ୍କୁ ଆମେ ହଟାଇଲେ, କାରଣ ସେମାନେ ଯେଉଁ ଭାଷାରେ ଶାସନ କରୁଥିଲେ ଆମେ ସେ ଭାଷା ବୁଝି ପାରୁ ନଥିଲେ । ଆମ ଭାଷାରେ ଆମ ଶାସନ ବ୍ୟବସ୍ଥା ନ ଚାଲି ଆମେ ପୂର୍ବପରି ଅତ୍ୟାଚାରିତ ହୋଇଚାଲିଛୁ ।

ଏହି ଅତ୍ୟାଚାର ଚଳାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଯେ କି ଆମ ଭାଷା ଅଧିକାର କ୍ଷୁର୍ଣ୍ଣ କରିବା ପାଇଁ ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ, ୧୯୫୪ରେ ଜାଲିଆତି ବଳରେ ଧାରା ୪ ଓ ଧାରା ୪କ ଯୋଡ଼ି ତାହାକୁ ଅଚଳ କରିଦେଇଛନ୍ତି ।
ଭାଷାପ୍ରାଣ ହୃଷିକେଶ ପ୍ରଧାନଙ୍କ ଡକରା କ୍ରମେ ଜି ଉଦୟଗିରିଠାରେ ମହିଳାମାନେ କଳାପତାକା ଧରି ଭାଷା ଆନ୍ଦୋଳନ କରିଛନ୍ତି ଉତ୍କଳ ଦିବସ ଅବସରରେ ଏପ୍ରିଲ ପହିଲା ଦିନ ।

ସରକାର ଏହାକୁ ଏକ ସତର୍କନାମା ବୋଲି ଗ୍ରହଣ କରନ୍ତୁ ଓ ଆଇନରୁ ନିଜ ଭୁଲ ପ୍ରତ୍ୟାହାର କରି ଓଡ଼ିଶାର ସମସ୍ତ କାର୍ଯ୍ୟାଳୟ ଯେପରି ଓଡ଼ିଆ ଭାଷାରେ ଚାଲେ ଓ ତହିଁରେ ବାଧା ଦେବା ବ୍ୟକ୍ତିକୁ କଠିନ ଦଣ୍ଡ ମିଳେ, ତ ପାଇଁ ତୁରନ୍ତ ଆଇନଗତ ବ୍ୟବସ୍ଥା କରନ୍ତୁ ।

ଭାଷା ଆନ୍ଦୋଳନର ନୂଆ ରଣକୌଶଳ: ବ୍ୟକ୍ତିଗତ ସତ୍ୟାଗ୍ରହରେ ସାମ୍ବାଦିକ ଦେବୀପ୍ରସନ୍ନ ନାୟକ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଆ ଭାଷାରେ ଓଡ଼ିଶାର ସମସ୍ତ କାର୍ଯ୍ୟାଳୟ ଚାଲିବା ପାଇଁ ଆମ ରାଜ୍ୟ ତଥା ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ, ୧୯୫୪ର ସୃଷ୍ଟି । ୧୯୬୩ରେ ବିଜୁ ପଟ୍ଟନାୟକଙ୍କ ଅବୈଧ ସଂଶୋଧନ ଦ୍ଵାରା ଏହି ଆଇନରେ ଧାରା ୩କ ସଂଯୋଜନ ଓ ତାଙ୍କ ପୁଅ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଜାଲିଆତି ବଳରେ ୨୦୧୬ରେ ଧାରା ୪ ତଥା ୨୦୧୮ରେ ଧାରା ୪କର ଅନ୍ତଃସ୍ଥାପନ ଆଇନଟିକୁ ଅକର୍ମଣ୍ୟ କରିଦେଇଛି ଓ ଆମ ରାଜ୍ୟ ପ୍ରତିଷ୍ଠାର ଉଦ୍ଦେଶ୍ୟକୁ ବି ପଣ୍ଡ କରିଦେଇଛି ।

ଏହି ପ୍ରଚଣ୍ଡ ସରକାରୀ ପ୍ରତାରଣା କବଳରୁ ଆମ ପ୍ରିୟ ମାତୃଭାଷାକୁ ଉଦ୍ଧାର କରିବା ପାଇଁ ଗତ ୧୩.୮.୨୦୧୬ ତାରିଖରୁ ଚାଲିଥିବା କଳାପତାକା ଅଭିଯାନରେ ଆମେ ଏକ ନୂଆ ପରୀକ୍ଷଣ ଆରମ୍ଭ କରିଛୁ । ବିଭିନ୍ନ ସ୍ଥାନରେ ସାମୁହିକ କଳାପତାକା ପ୍ରଦର୍ଶନ ଚାଲିଥିବା ବେଳେ ଗାନ୍ଧୀଜୀଙ୍କ କୌଶଳ ଛାୟାରେ ବ୍ୟକ୍ତିଗତ ସତ୍ୟାଗ୍ରହ ଆରମ୍ଭ ହୋଇଛି । ଏହି କୌଶଳ ଅନୁଯାୟୀ, ଯେ କୌଣସି ଓଡ଼ିଆ ଯେକୌଣସି ସର୍ବସାଧାରଣ ସ୍ଥାନରେ ହାତରେ ଭାଷା ଆନ୍ଦୋଳନର ଉଦ୍ଘୋଷଣପତ୍ର ଓ କଳାପତାକା ଧରି ଏକାଏକ ଏହି ନୀରବ ସତ୍ୟାଗ୍ରହ ଚଳାଇବେ ।

ବିଶିଷ୍ଟ ସାମ୍ବାଦିକ ଦେବୀ ପ୍ରସନ୍ନ ନାୟକ ଉତ୍କଳ ଦିବସରେ ଏହି ବ୍ୟକ୍ତିଗତ ସତ୍ୟାଗ୍ରହ ଆରମ୍ଭ କରି କହିଛନ୍ତି, “ଆଜି ଆମ ଜନ୍ମମାଟି ଓଡ଼ିଶାର ଜନ୍ମଦିନ। କେଡ଼େ ପବିତ୍ର ଦିନ ଆମ ପାଇଁ। ଭାଷା ଭିତ୍ତିରେ ଗଠନ ହୋଇଥିବା ଆମ ଏ ସ୍ଵତନ୍ତ୍ର ପ୍ରଦେଶରେ କିନ୍ତୁ ଆମ ମା’ର ଭାଷା (ମାତୃଭାଷା) ଓଡ଼ିଆକୁ ସରକାରୀ କାର୍ଯ୍ୟକ୍ରମ ଓ ପ୍ରାଶାସନିକ ପରିଚାଳନାରେ ଏଯାଏଁ ପ୍ରାଥମିକତା ଦିଆଯାଇ ପାରିଲା ନାହିଁ। ଓଡ଼ିଆକୁ ସରକାରୀ ଭାଷା ଭାବରେ ପ୍ରାଥମିକତା ଓ ଏହାର ଖିଲାପକରୀଙ୍କ ବିରୋଧରେ ଦଣ୍ଡବିଧାନ ପାଇଁ ରାଜ୍ୟବ୍ୟାପି ଚାଲିଥିବା ଭାଷା ଆନ୍ଦୋଳନ (ଆମ ଭାଷା ଆମ ଅଧିକାର) ପରୀପ୍ରେକ୍ଷୀରେ ଆଜି ମୁଁ ମୋ ଅଞ୍ଚଳରେ କଳାପତାକା ଧରି ସେଥିରେ ସାମିଲ ହେଲି। ଆମ ଭାଷା ଜନନୀର ଜୟ ହେଉ। ଆମ ଜନ୍ମମାଟିର ଜୟ ହେଉ।”

ଯଦି ସରକାର ନିଜକୁ ନ ସୁଧାରନ୍ତି ଓ ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନରେ ଜାଲିଆତି ବଳରେ ଖଞ୍ଜିଥିବା ଧାରା ୪ ଓ ଧାରା ୪କ ବିଲୋପ କରି ଓଡ଼ିଆ ଭାଷାରେ ସେବା ନଦେବା ବ୍ୟକ୍ତିକୁ ଦଣ୍ଡବିଧାନ ପ୍ରକ୍ରିୟା ଆରମ୍ଭ କରିବାର ଅଧିକାର ସବୁ ଓଡ଼ିଆଙ୍କୁ ପ୍ରଦାନ କରାନଯାଏ , ତେବେ ଏହି ବ୍ୟକ୍ତିଗତ କଳାପତାକା ସତ୍ୟାଗ୍ରହ “ଚାଳେ ଚାଳେ କଳାପତାକା” ପର୍ଯ୍ୟାୟକୁ ଉନ୍ନୀତ ହେବ ।

ଭିଡ଼ିଓକର୍ତ୍ତାଙ୍କ ଆଖିରେ ସତେ ଯେମିତି ମାଆକୁ ମୁମୂର୍ଷୁ କରାଉଥିବା ବ୍ୟକ୍ତି ହିଁ ଓଡ଼ିଆ !

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମା ମରଣଶଯ୍ୟାରେ କଲବଲ ହେଉଥିବା ବେଳେ ମୃତ୍ୟୁ ମୁଖରୁ ତାକୁ ବଞ୍ଚାଇବାକୁ ଚେଷ୍ଟା ନକରି ସେମାନେ ତାକୁ ଭଲପାଆନ୍ତି ବୋଲି ଜଗତକୁ ଦେଖାଇବାକୁ ତାର ପିଲାଏ ଯଦି ତା ଯୌବନ ଚର୍ଚ୍ଚାରେ ଲାଗିଯାନ୍ତି ଅଭିନୟ ମଞ୍ଚରେ, ତେବେ ସେହି ମୁମୂର୍ଷୁ ମା ପାଇଁ ତାହାଠୁ ବଳି ଯନ୍ତ୍ରଣାଦାୟକ ଅପମାନ କ’ଣ ବା ଆଉ ଥାଇପାରେ ?

ଆମ ଜନ୍ମମାଟି ଏହି ଯନ୍ତ୍ରଣାରେ ଜର୍ଜରିତ ହେଉଥିବା ବେଳେ ଏଠି ସଲଂଗ୍ନ ଥିବା ଅଭିନୟ-ଭିଡ଼ିଓ ତା ପ୍ରତି ଏହିପରି ଏକ ଅପମାନ ।

ଆମ ଭାଷା ମରିଯାଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଷଡ଼ଯନ୍ତ୍ର ହେତୁ । ଆମ ଭାଷାରେ ଓଡ଼ିଶାର କାର୍ଯ୍ୟାଳୟସମୁଦାୟ ଯେପରି କେବେ ବି ଚାଲିବନାହିଁ , ସେଥିପାଇଁ ସେ “ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ”ର ଅପସଂଶୋଧନ କରିଛନ୍ତି ଓ ଏହି ଅପକର୍ମ କରିବାକୁ ବିଧାନସଭାରେ ଜାଲିଆତି ପ୍ରୟୋଗ କରିଛନ୍ତି ଏବଂ ଏହି ଜାଲିଆତି କାଳେ ଭାଷା ଆନ୍ଦୋଳନ ହେତୁ ପଦାକୁ ଆସିବ – ଏହି ଭୟରେ ପ୍ରଦ୍ୟୁମ୍ନ ଶତପଥୀ ଓଗେର ମୋର କେତେକ ଘନିଷ୍ଠ ସହଯୋଗୀଙ୍କୁ ସୁପାରି ଦେଇ ଭାଷା ଆନ୍ଦୋଳନକୁ ଭାଙ୍ଗି ଦେବାକୁ ଚେଷ୍ଟା କରିଛନ୍ତି । ଅଥଚ ଏହି ଭିଡ଼ିଓ ମୁଖ୍ୟମନ୍ତ୍ରୀଙ୍କ ପାଇଁ ପ୍ରଚାର ମଇଦାନକୁ ଆସିଛି ଏପ୍ରିଲ ପହିଲାରେ , ଉତ୍କଳଦିବସରେ ।

ଏଠି ସେ କହିଛନ୍ତି “ମୋ ମାଟି ଓଡ଼ିଶା , ମୋ ଜାତି ଓଡ଼ିଆ ।” ତେବେ ତାଙ୍କ ଭାଷା କାହିଁକି ଇଂରାଜୀ? ଏବଂ ଇଂରାଜୀ ଭାଷାରେ ଶାସନ ଚଳାଇ ତାହା ଜାରି ରଖିବାକୁ ସେ ଆମ କାର୍ଯ୍ୟାଳୟ ଭାଷା ଆଇନକୁ ଅକର୍ମଣ୍ୟ କରିଦେଇଛନ୍ତି କାହିଁକି? ଆମ ମାଟି ଆମ ସୀମାନ୍ତରେ ଆଜି ବିପନ୍ନ କାହିଁକି? ଭିଡ଼ିଓଟିର ନିର୍ମାତା ନବୀନଙ୍କ ଚରିତ୍ରରେ କେଉଁ ଆଚରଣ ଦେଖିଲେ ଯେ, ଏପରି ଭାବେ ତାଙ୍କ ଓଡ଼ିଆତ୍ଵ ପ୍ରଚାର କରିଛନ୍ତି ?

ଏଥିପାଇଁ ମଥା ନ ଖେଳାଇ, ଅପଶାସନ କବଳରେ ଦୁଃଖ ଭୋଗୁଥିବା ସାଧାରଣ ଲୋକଙ୍କୁ ଭୁତାଇବା ପାଇଁ ରାଜନୈତିକ ଶଠତା ପରିସୃଷ୍ଟ ସୁଖାନୁଭବପ୍ରକ୍ରିୟା ଦ୍ଵାରା ଜନମାନସ  ଆଚ୍ଛନ୍ନ କରିବାକୁ ଚେଷ୍ଟା କରିଛନ୍ତି ଆମର କିଛି ସୃଜନଶୀଳ ବ୍ୟକ୍ତି ଏହି ଭିଡ଼ିଓ ମାଧ୍ୟମରେ  । 

କରୋନା କାଳରେ କାୟିକତଃ ସ୍ଥଗିତ ଥିବା କଳାପତାକା ଅଭିଯାନ ମହାମାରୀ ପ୍ରଶମନ ହେତୁ ପୁନର୍ବାର ଆରମ୍ଭ ହେଲା ଫେବୃଆରୀ ୨୧ ତାରିଖରେ । ଓଡ଼ିଆ ଲୋକଙ୍କୁ କିପରି ଭୁଆଁ ବୁଲେଇ ନବୀନ ପଟ୍ଟନାୟକଙ୍କୁ ଓଡ଼ିଆ ଭାଷାପ୍ରାଣ ଭାବେ ପ୍ରଦର୍ଶିତ କରାଯିବ , ସେଥିପାଇଁ ତୁରନ୍ତ ଆରମ୍ଭ ହୋଇଗଲା ଉଦ୍ୟମ । ଫେବୃଆରୀ ୨୮ ତାରିଖରେ ଏହା ପ୍ରସ୍ତୁତ ହେଲା ଓ ଉତ୍କଳ ଦିବସରେ ପ୍ରଚାର ମଇଦାନକୁ ଆସିଲା ।

ଏହାକୁ ପ୍ରସ୍ତୁତ କରିଥିବା ବ୍ୟକ୍ତି ଯଦି ଉତ୍କଳ ଦିବସର ମହତ୍ଵ ବୁଝିଥାନ୍ତେ ଓ ସେହି ମହତ୍ଵ ରଖିବାକୁ ଚାହିଁଥାନ୍ତେ , ତା ହେଲେ ଓଡ଼ିଆ ଭାଷା ହିଁ କିପରି ଓଡ଼ିଶା ସୃଷ୍ଟିକଲା ସେ କଥା ବଖାଣିଥାନ୍ତେ ଲେଖା ଓ ଅଭିନୟ ମାଧ୍ୟମରେ । କାର୍ଯ୍ୟାଳୟର ଭାଷା ନ ହୋଇ ଓଡ଼ିଆ ଭାଷା କିପରି ମରି ମରି ଯାଉଛି , ଆମ ଜାତି କିପରି ଇଂରାଜୀ ଭାଷା କବଳରେ ପଡ଼ି ସର୍ବସ୍ଵାନ୍ତ ହେବାରେ ଲାଗିଛି , ସେକଥା ସେମାନେ ବଖାଣିଥାନ୍ତେ ଓ ତା ଦ୍ଵାରା ଆମ ଜାତି ନିଜର ଭାଷାକୁ ରକ୍ଷା କରିବା ପାଇଁ ଉଦ୍ବୁଦ୍ଧ ହୋଇପାରିଥାନ୍ତା । ତା ସେମାନେ କରିନାହାନ୍ତି । ଓଡ଼ିଆ ଜାତିର ବର୍ତ୍ତମାନର ଚିତ୍ର ସେମାନେ ଦେଇନାହାନ୍ତି । ଓଡ଼ିଆ ଜାତିର ଭାଷାମାଆ  ମରଣମୁହଁରେ ପଡ଼ିଥିଲା ବେଳେ, ଯାହା ହେତୁ ଏ ଦୁର୍ଦ୍ଦଶା, ତାକୁ ହିଁ ସେମାନେ “ଓଡ଼ିଆ” ବୋଲି ନିଜର ପ୍ରଚାର କରିବାର ସୁଯୋଗ ଦେଇଛନ୍ତି, ସତେ ଯେମିତି ମାଆକୁ ମୁମୂର୍ଷୁ କରାଉଥିବା ବ୍ୟକ୍ତି ହିଁ ଓଡ଼ିଆ !

ଯୁଦ୍ଧକାଳୀନ ଭିତ୍ତିରେ ଓଡ଼ିଆ ଭାଷାରେ କାମ କର : କଳାପତାକା ଅଭିଯାନ ଆରମ୍ଭ କରି ରାଜେନ୍ଦ୍ର ବିଶ୍ବାଳଙ୍କ ସରକାରଙ୍କୁ ଆହ୍ଵାନ

ନିଜ ଭାଷାରେ ନିଜ କାର୍ଯ୍ୟ ପାଇଁ ଓଡ଼ିଆ ପୂର୍ବଜମାନେ ଇଂରାଜୀ ସରକାର ସହ ତଥା ପ୍ରତିଯୋଗୀ ପଡୋଶୀ ପ୍ରଦେଶବାସୀଙ୍କ ସହ ସଂଗ୍ରାମ କରି ୧୯୩୬ରେ ସୃଷ୍ଟିକରିଥିଲେ ଓଡ଼ିଶା । ସ୍ଵାଧୀନତା ପରବର୍ତ୍ତୀ ପ୍ରଥମ ବିଧାନସଭା ଏହି ଉଦ୍ଦେଶ୍ୟରେ ପ୍ରଣୀତ ଓ ପ୍ରବର୍ତ୍ତିତ କରିଥିଲେ ଓଡ଼ିଶା ସରକାରୀ ଭାଷା ଆଇନ ୧୯୫୪ରେ । ଅଥଚ ଏହି ଆଇନକୁ ସ୍ଵୟଂ ସରକାର ମାନୁନାହାନ୍ତି । ଏହାର ପ୍ରତିକାର ପାଇଁ ଭାଷା ଆନ୍ଦୋଳନ ମାଧ୍ୟମରେ ଓଡ଼ିଆ ଜାତି ସଂଗ୍ରାମ କରୁଥିବା ବେଳେ, ଆଇନଟିକୁ ଭୁଲ ସଂଶୋଧନ ଦ୍ଵାରା ଅକର୍ମଣ୍ୟ କରାହୋଇଛି ।

ବିଶ୍ଵ ମାତୃଭାଷା ଦିବସରୁ ବ୍ୟାସନଗର ପୁନଶ୍ଚ ଆରମ୍ଭ କରିଛି ଆନ୍ଦୋଳନର କଳା ପତାକା ଅଭିଯାନ, ଯାହା କରୋନା କାଳରେ ସ୍ଥଗିତ ଥିଲା ।

ବ୍ୟାସନଗରର ମହାନ୍ ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ସହିଦ ଭଗତ ସିଂହ ଯୁବକ ସଂଘ’ ଯାହା ଓଡ଼ିଆ ଜାତିର ଏହି ସ୍ଵପ୍ନକୁ କାର୍ଯ୍ୟକାରୀ କରିବା ପାଇଁ ଆରମ୍ଭରୁ ଉଦ୍ୟମ ଚଳାଇଛି, ପୁନଃ ଆରମ୍ଭ କରିଛି ଏହି ଅଭିଯାନ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପୂଣ୍ୟ ବିଜେସ୍ଥଳୀରେ ।

ସଂଘର ସ୍ଥାୟୀ ସଭାପତି , ନିସ୍ଵାର୍ଥ ସମାଜସେବୀ ରାଜେନ୍ଦ୍ର ବିଶ୍ଵାଳ ଏହି ଅବସରରେ ସରକାରଙ୍କୁ ଆହ୍ଵାନ ଦେଇଛନ୍ତି ଓଡ଼ିଆ ଭାଷାକୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ଦପ୍ତରରେ ଅଲଙ୍ଘ୍ୟ କରିବା ପାଇଁ :::

୧୭୭୫ ଦିନରେ ଭାଷା ଆନ୍ଦୋଳନ// ବୀର ଓଡ଼ିଆ ଜାତି ପୁଣି ଆରମ୍ଭ କଲା କଳାପତାକା ଅଭିଯାନ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଆ ଜାତିର ଭାଷାଜନନୀକୁ ମାରିଦେବା ପାଇଁ ଅଣଓଡ଼ିଆ ଅଧ୍ୟୁଷିତ ରାଜ୍ୟ ସରକାର ଯେଉଁ ଚକ୍ରାନ୍ତ ଚଳାଇଛନ୍ତି , ତାର ପରିସମାପ୍ତି ପାଇଁ ବୀର ଓଡ଼ିଆ ଜାତି ଆଜି ଆନ୍ଦୋଳନର ୧୭୭୫ତମ ଦିବସରେ ଆରମ୍ଭ କରିଛି ନୀରବ କଳାପତାକା ଅଭିଯାନର ଅନ୍ତିମ ପର୍ଯ୍ୟାୟ । ଓଡ଼ିଆ ଭାଷାରେ ଓଡ଼ିଶା ରାଜ୍ୟ ଚାଲିବା ସୁନିଶ୍ଚିତ ହେବା ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ ।
ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏବଂ ରାଜ୍ୟ ବାହାରେ ଏହି ଅଭିଯାନ ଆରମ୍ଭ ହୋଇଛି ।


ଗୁଜରାଟର ଭଦୋଦରାଠାରେ ଭାଇ ମହାନ ଭାଷାପ୍ରେମୀ ଭାଇ ବାପୀ ପାଲଟାସିଂହଙ୍କ ନେତୃତ୍ବରେ ନିଶବ୍ଦ କଳାପତାକା ତୋଳିଛନ୍ତି ଭାଇ ସର୍ବଶୀ ରୋହିତ ମହାରଣା, ଶୁଭ୍ରାଂଶୁ ସାହୁ, ସମୀର ବେହେରା ଓ ଅଜୟ ସେଠୀ ।


କଟକ ଜିଲ୍ଲାର ଆଠଗଡ଼ରେ ବିଶିଷ୍ଟ ସମାଜସେବୀ ଭାଇ ନିର୍ମଳ କୁମାର ପତ୍ରୀଙ୍କ ନେତୃତ୍ବରେ ବିଭିନ୍ନ ସ୍ଥାନରେ ଅଭିଯାନ ଆରମ୍ଭ ହୋଇ ଓଡ଼ିଆ ଭାଷାଜନନୀଙ୍କ ବିରୁଦ୍ଧରେ ଷଡଯନ୍ତ୍ର ବନ୍ଦ କରି ସମସ୍ତ କ୍ଷେତ୍ରରେ ଓଡ଼ିଆରେ କମ କରିବାକୁ ସରକାରଙ୍କୁ ନୀରବ ଆହ୍ଵାନ ଦିଆଯାଇଛି ।

 

 

ଏହି କ୍ରମରେ ସହର ସନ୍ନିକଟସ୍ଥ ରାଧଦର୍ଶନପୁରଠାରେ ଭାଇ ବିଚିତ୍ରାନନ୍ଦ ଜେନା, ଭରତ ପାଢୀ ଓ ଉମେଶ ଚନ୍ଦ୍ର ନାୟକ କଳା ପତାକା ତୋଳିଥିବା ବେଳେ ମୁଣ୍ଡଳି ଠାରେ ଭାଇ ସର୍ବଶୀ ହାଡିବନ୍ଧୁ ରାଉତ, ସୁଭାଷ ଚନ୍ଦ୍ର ଶେଠୀ, ସୁକାନ୍ତ ଭୋଇ ଏବଂ ଧୁରୁକୁଡିଆଠାରେ ଭାଇ ସର୍ବଶ୍ରୀ ଅରୂପନନ୍ଦ ମଲ୍ଲିକ, ପ୍ରତାପ ପାତ୍ରୀ, ମଦନ ଦେହୁରି ଓ ସ୍ଵୟଂ ନିର୍ମଳ କୁମାର ପତାକା ଉତ୍ତୋଳନ କରିଛନ୍ତି ।

କନ୍ଧମାଳର ଏକାଧିକ ସ୍ଥାନରେ ଓଡ଼ିଆ ଜାତିର ମୁକ୍ତିର ଏହି ଅଭିଯାନ ଆରମ୍ଭ ହୋଇଛି ।

ଫୁଲବାଣୀ ସହରରେ ଭାଷା ଜନନୀର ବିଜୟ କେତନ ଉତ୍ତୋଳନ କରିଛନ୍ତି ବରିଷ୍ଠ ସାମ୍ବାଦିକ ମହମ୍ମଦ ନଜିର ଅଖତାର , ସାମ୍ବାଦିକ ଡଃ ଅରୂପ କୁମାର ଜେନା ତଥା ରାଜ କିଶୋର ବେହେରା, ପ୍ରସନ୍ନ ସାହାଣୀ, ଅଶୋକ ପଟ୍ଟନାୟକ, ମନୋଜ ଚୌଧୁରୀ, ଉମେଶ ସାହୁ, ସଚ୍ଚି ପଟ୍ଟନାୟକ, ଗୌର ଚରଣ ସାହୁ, ପ୍ରମୋଦ ପଟ୍ଟନାୟକ, ବଟକୃଷ୍ଣ ଦିଗଳ, ଝିଲି ବେହେରା, ପୁଷ୍ପଳତା ବେହେରା ଓ ଭାଷା ଆନ୍ଦୋଳନର ତୁଙ୍ଗ ନେତା ଅଶୋକ କୁମାର ପରିଡ଼ା ପ୍ରମୁଖ ।


ସେହିପରି ବାଲିଗୁଡାରେ ନୀରବ କଳା ପତାକା ତୋଳିଛନ୍ତି ସର୍ବଶ୍ରୀ ଚନ୍ଦନ ଜେନା, ବିରେନ୍ଦ୍ର ଦିଗାଲ ପ୍ରମୁଖ ।

ଓଡ଼ିଆ ସଂସୃତିର ଅନ୍ୟତମ ସ୍ନାୟୁକେନ୍ଦ୍ର ବ୍ୟାସନଗରରେ ସହିଦ ଭଗତ ସିଂହ ଯୁବ ସଂଘ ସରକାରୀ ଷଡଯନ୍ତ୍ର କବଳରୁ ପ୍ରିୟ ମାତୃଭାଷାକୁ ରକ୍ଷା କରି ଓଡ଼ିଆ ଜାତିକୁ ଭାଷା ଅଧିକାର ଦେବାପାଇଁ କଳା ପତାକା ଅଭିଯାନର ଏହି ଚୁଡାନ୍ତ ସଂସ୍କରଣରେ ଆହ୍ଵାନ ଦେଇଛି ।

 

 

ଭାଷାଜନନୀର ବିଜୟ ଧ୍ଵଜା ତୋଳିଛନ୍ତି କବି ନାରାୟଣ ଚନ୍ଦ୍ର ନାୟକ, ପଣ୍ଡିତ ସୁବାସ ଚନ୍ଦ୍ର ପଣ୍ଡା, ସମୀର କୁମାର ରାୟ, ଚନ୍ଦ୍ରମଣି ସାମଲ, ବ୍ୟଙ୍ଗକବି ବାଇଧର ମାଝି, ସନାତନ ମଲ୍ଲିକ, ଭୁବନମୋହନ ମହାନ୍ତି, ମହେଶ୍ଵର ନାୟକ, ହେମନ୍ତ ଧୀର, ଜ୍ଞାନରଞ୍ଜନ ରାଉତ, ବିଜଯ କୁମାର ସାହୁ, ପଦ୍ମନାଭ ନାୟକ, ମଣିଭଦ୍ର ବଲ୍ଲୀକ, କଳିଙ୍ଗ ପହି, ସାହିତ୍ୟିକ ନନ୍ଦା ମହାନ୍ତି, ଉପେନ୍ଦ୍ର ମହାନ୍ତି ସଂଘର ସ୍ଥାୟୀ ସଭାପତି ରାଜେନ୍ଦ୍ର କୁମାର ବିଶ୍ଵାଳ ।


ରାଜଧାନୀ ଭୁବନେଶ୍ଵରରେ କୁଳଗୌରବ ମଧୁସୂଦନଙ୍କ ପୂଣ୍ୟ ବିଜେସ୍ଥଳୀରେ କଳା ପତାକା ତୋଳିଛନ୍ତି ସୁବିଦିତ ସମ୍ୟବାଦୀ ନେତା ଜନାର୍ଦ୍ଦନ ପତି , ବୈଜ୍ଞାନିକ ଡଃ ଅଶୋକ ମିଶ୍ର, ପୂର୍ବତନ ବ୍ୟାଙ୍କର ନିର୍ମଳ କୁମାର ବେହେରା, ଭାଷାପ୍ରାଣ ଆଶିଷ ବେହେରା, ଓଡ଼ିଆ ଜାତୀୟ ସମ୍ମିଳନୀର କାର୍ଯ୍ୟକାରୀ ସଭାପତି ଶ୍ରୀକାନ୍ତ ଦାଶ, ଚାଟାର୍ଡ ଆକାଉଣ୍ଟାଣ୍ଟ ରଞ୍ଜନ କୁମାର ସାହୁ, ଓଡ଼ିଶା ସୂଚନା ଅଧିକାର ଅଭିଯାନର ମୁଖ୍ୟ ପ୍ରଦୀପ କୁମାର ପ୍ରଧାନ, ପ୍ରଶାନ୍ତ କୁମାର ରାଉତରାୟ , ପ୍ରସନ୍ନ କୁମାର ଛୋଟରାୟ, ସାମ୍ବାଦିକ ମହେଶ ଦାସ, ସୂର୍ଯ୍ୟକାନ୍ତ ମାହାଲି , ନ୍ୟାୟ ପାଇଁ ସଂଘର୍ଷ ଚେତନାର ରୂପକଳ୍ପ ତପନ ପାଢୀ, ସାମ୍ବାଦିକ ତଥା ଜନସ୍ବାର୍ଥବାଡି ମାଧବାନନ୍ଦ ଭୋଇ, ସମାଜସେବୀ ମନ୍ଦରଧର ସ୍ଵାଇଁ ଓ ସୁଭାଷ ଚନ୍ଦ୍ର ପଟ୍ଟନାୟକ ।