ମାତୃଭାଷାରେ ଶିକ୍ଷା ହିଁ ଶିଶୁର ବୌଦ୍ଧିକ ବିକାଶ କରେ : ଭାଷା ଆନ୍ଦୋଳନ ପାଠଚକ୍ରରେ ଶିକ୍ଷାବିତଙ୍କ ମତ

ସୂତ୍ର : ଆମ ଭାଷା ଆମ ଅଧିକାର 

ସେପ୍ଟେମ୍ବର ୨୭ ତାରିଖ ରବିବାର ସନ୍ଧ୍ୟାରେ ସରୋଜ କୁମାର ମହାନ୍ତିଙ୍କ ସଂଯୋଜନାରେ ଭାଷା ଆନ୍ଦୋଳନର ସାପ୍ତାହିକ ଆଲୋଚନାଚକ୍ର ଭର୍ଚୁଆଲ ଶୈଳୀରେ ଅନୁଷ୍ଠିତ ହୋଇଯାଇଛି ।ଏହି ଆଲୋଚନାଚକ୍ରରେ ଓଡ଼ିଶାର କୋଣ ଅନୁକୋଣରୁ ଭାଷାପ୍ରେମୀମାନେ ଅଂଶଗ୍ରହଣ କରିଥିଲେ ।

ପ୍ରଥମେ କବି ଶ୍ୟାମଘନ ମହାରଣାଙ୍କ ଦ୍ୱାରା ଭାଷା ବନ୍ଦନାରୁ, ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଅଲୋଚନାଚକ୍ରର ମୁଖ୍ୟ ବିଷୟ ବସ୍ତୁ ଥିଲା “ଶିଶୁର ବୌଦ୍ଧିକ ବିକାଶରେ ମାତୃଭାଷାର ଭୂମିକା”। 

ସୁଦୂର କୋଲକାତାରେ ଦୀର୍ଘ ୨୫ବର୍ଷ ଧରି ଶିକ୍ଷକତା କରିବା ସହ ସାହିତ୍ୟ ପତ୍ରିକା “ଅଭିଯାନ”ର ସମ୍ପାଦନା କରି ଆସୁଥିବା ଶ୍ରୀଯୁକ୍ତ ଶଂଭୂନାଥ ଦାସ ଆଲୋଚକ ଭାବେ, ନିଜ ବକ୍ତବ୍ୟ ଉପସ୍ଥାପନ କଲେ । ତାଙ୍କ ମତରେ,”ନବଜାତ ଶିଶୁର ଶାରୀରିକ ସ୍ୱାସ୍ଥ୍ୟ ପାଇଁ ମା କ୍ଷୀର ଯେପରି ସର୍ବାଧିକ ସହାୟକ, ସେହିପରି ତାର ମାନସିକ ସ୍ୱାସ୍ଥ୍ୟ ତଥା ଶୈକ୍ଷିକ ଓ ବୌଦ୍ଧିକ ବିକାଶ ପାଇଁ ମାତୃଭାଷା ହିଁ ସର୍ବାଧିକ ସହାୟକ ।  ଶିଶୁର ପରିବାର-ପରିବେଶ-ସାଙ୍ଗସାଥି-ବିଦ୍ୟାଳୟର ବ୍ୟବହାରିକ ଭାଷାର ପ୍ରଭାବ, ତାର ମାନସିକ-ବୌଦ୍ଧିକ-ଆବେଗିକ ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରେ”।

ଏହି ଆଲୋଚନାରେ ଭାଗ ନେଇଥିବା ଓ ନିଜେ ଅଧ୍ୟାପନା ବୃତ୍ତିରେ ଥିବା ଶ୍ରୀଯୁକ୍ତ ପ୍ରକାଶ ସାମଲ କହିଥିଲେ,” ଶିଶୁର ବିକାଶରେ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ ଅଭିଭାବକମାନଙ୍କର । ଅଭିଭାବକମାନେ ହିଁ ଆମ ଭାଷା ସୁରକ୍ଷାର ମୂଳ ସୂତ୍ରଧର”।

ବୃତ୍ତିରେ ଜଣେ ଶିକ୍ଷକ ଓ ଶିଶୁ-ସାହିତ୍ୟିକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ତ୍ରିପାଠୀଙ୍କ ମତରେ,” ପିଲାଙ୍କ ଭିତରେ ଥିବା ସୃଜନଶୀଳତାକୁ ପରିପ୍ରକାଶ କରିବାର ଉପଯୁକ୍ତ ପରିବେଶ ସୃଷ୍ଟି କରିଥାଏ ମାତୃଭାଷା । ଓଡ଼ିଆ ଶିଶୁର ମନ ଉପରେ ଓଡ଼ିଆ ଶିଶୁ-ସାହିତ୍ୟର ପ୍ରଭାବ ଅସୀମ ଓ ସେହେତୁ ଆମ ଶିଶୁ-ସାହିତ୍ୟ ଆହୁରି ଅଧିକ ସମୃଦ୍ଧ ହେବା ଉଚିତ”।

ଅଧ୍ୟାପନା ବୃତ୍ତିରେ ଥିବା, ଶ୍ରୀଯୁକ୍ତ ଅଶୋକ ମହାରଣାଙ୍କ ମତରେ, “ଶିଶୁର ବିକାଶରେ ବିଦ୍ୟାଳୟ ଓ ଶିକ୍ଷା-ବ୍ୟବସ୍ଥାର ଗଭୀର ପ୍ରଭାବ ଥାଏ । ଆଜିକାଲି ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଶିକ୍ଷାଦାନ ପଦ୍ଧତି ,ଶିଶୁର ମସ୍ତିସ୍କ ଉପରେ ଅଧିକ ଚାପ ପ୍ରୟୋଗ କରୁଛି । ତହିଁର ପ୍ରତିବିଧାନ ପାଇଁ ବର୍ତ୍ତମାନ ସମୟରେ ବିଶେଷ କରି ଓଡ଼ିଆ ବର୍ଣ୍ଣବୋଧର ବାଧ୍ୟତାମୂଳକ ବ୍ୟବହାରର ଆଵଶ୍ୟକତା ରହିଛି।”

ଶ୍ରୀଯୁକ୍ତ ମହେନ୍ଦ୍ର ତ୍ରିପାଠୀ ନିଜ ଶିକ୍ଷକ ଜୀବନର ଅଭିଜ୍ଞତାରୁ ଅନେକ ଉପାଦେୟ ତଥ୍ୟ ଓ ମତ ଉପସ୍ଥାପନ କଲେ ।

ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପଟ୍ଟନାୟକ କହିଥିଲେ, ଓଡ଼ିଆ ଭାଷା ପ୍ରତି ସରକାରୀ ବିମୁଖତା ଓଡ଼ିଆ ଜାତିର ଭବିଷ୍ୟ ପିଢିକୁ ମଧ୍ୟ କ୍ଷତିଗ୍ରସ୍ତ କରିବାକୁ ଯାଉଛି; କାରଣ ନିଜ ଭାଷା ପ୍ରତି ଆକର୍ଷଣ ନରହିଲେ, ଓଡ଼ିଆ ଜାତିର ଯୁଗଯୁଗର ଆହାରିତ ଜ୍ଞାନ ଓ ତାର ସ୍ଵାଭାବିକ ସୃଜନଶୀଳତା ତାକୁ ଉପଲବ୍ଧ ହେବନାହିଁ । ବୌଦ୍ଧିକ ବିକାଶ ଏକ ସ୍ଵାଭାବିକ ପ୍ରକ୍ରିୟା ଯାହା ମାତୃଭାଷାରେ ସହଜ ସମ୍ଭବ, ବିଦେଶୀ ଭାଷାରେ ନୁହେଁ ; କାରଣ ଶିଶୁ ପାଇଁ ତାର ମାତୃଭାଷା ସ୍ଵାଭାବିକ ହୋଇଥିବା ବେଳେ ଅନ୍ୟ ଭାଷା ଅସ୍ୱାଭାବିକ । ଓଡ଼ିଶାରେ ଶିଶୁର ବୌଦ୍ଧିକ ବିକାଶ ନିଷ୍କଣ୍ଟକ କରିବାକୁ ହେଲେ ଓଡ଼ିଆ ଭାଷାକୁ ତାର ପ୍ରଥମିକତା ଦେବାକୁ ହେବ ଓ ଓଡ଼ିଶାରେ ଓଡ଼ିଆ ଭାଷା ପ୍ରଥମିକତା ପାଇବାକୁ ହେଲେ ତାହାକୁ କାର୍ଯ୍ୟାଳୟର ଭାଷା କରିବାକୁ ହେବ । ଏହା କରିବାକୁ ଓଡ଼ିଶା  କାର୍ଯ୍ୟାଳୟ ଭାଷା ଆଇନର ପୁନଃ ସଂଶୋଧନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଏହି ଅଲୋଚନାରେ ସୁଦୂର ଗୁଜୁରାଟରୁ ବାପିନା ପାଲଟାସିଂହ ଓ ରାୟଗଡ଼ାରୁ ଶ୍ରୀଯୁକ୍ତ ସରୋଜ ମହାନ୍ତି ଯୋଗଦାନ କରିଥିଲେ । ଶ୍ରୀଯୁକ୍ତ ମହାନ୍ତି ଅଲୋଚନା ସଂଯୋଜନ କରିବା ସଙ୍ଗେ ସଙ୍ଗେ , ଭାଷା ଆନ୍ଦୋଳନର ଦାବି ଅନୁରୂପ ରେଡିଓ ଏବଂ ଦୂରଦର୍ଶନ ମାଧ୍ୟମରେ ଶିକ୍ଷା ଦାନ ପାଇଁ ସରକାର ଘୋଷଣା କରିଥିବା ହେତୁ ସରକାରଙ୍କୁ ସାଧୁବାଦ ଜଣାଇଥିଲେ ଓ ଏଏହି ପଦକ୍ଷେପ ତଥାକଥିତ ‘ଅନଲାଇନ’ ଶିକ୍ଷାଜନିତ ଅବ୍ୟବସ୍ଥାକୁ ଲାଘବ କରିବ ବୋଲି ମତ ଦେଇଥିଲେ । 

ଆଲୋଚନା ପରେ ଶ୍ରୀଯୁକ୍ତ ଶ୍ରୀକାନ୍ତ ବେହେରା ଓ ଶ୍ରୀଯୁକ୍ତ ପ୍ରକାଶ ସାମଲ ସ୍ୱରଚିତ କବିତା ପାଠ କରି ସମଗ୍ର ପରିବେଶକୁ ମନ୍ତ୍ରମୁଗ୍ଧ କରିଦେଇଥିଲେ।

ସର୍ଵଶେଷରେ ଗୁଜୁରାଟରୁ ଶ୍ରୀଯୁକ୍ତ ସୁଶାନ୍ତ ମାହାଳୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ସହ ସଂଯୋଜକଙ୍କ ସମ୍ମତିରେ ଆଲୋଚନା ଚକ୍ରକୁ ସମାପ୍ତ ଘୋଷଣା କରିଥିଲେ।

ଓଡ଼ିଶା ସରକାରଙ୍କ ଦୋଷରୁ ଓଡ଼ିଆମାନେ ଉପଯୁକ୍ତ ବ୍ୟାଙ୍କ୍ ସେବାରୁ ବଞ୍ଚିତ : ବ୍ୟାଙ୍କ୍ ବିଶେଷଜ୍ଞ ନିର୍ମଳ କୁମାର ବେହେରା

ସୂତ୍ର : ଆମ ଭାଷା ଆମ ଅଧିକାର

ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ଵକାଳ ଭାରତର ଭିନ୍ନ ଭିନ୍ନ ଅଠୋଟି ପ୍ରଦେଶରେ ପ୍ରାୟ ଦୁଇ ଡଜନ ଦାୟିତ୍ବରେ ରହି ବ୍ୟାଙ୍କ୍ କାରବାରରେ ଗଭୀର ଜ୍ଞାନ ଅର୍ଜନ କରିଥିବା ଅବସରପ୍ରାପ୍ତ ବ୍ୟାଙ୍କର ନିର୍ମଳ କୁମାର ବେହେରା କହିଛନ୍ତି, ବିଭିନ୍ନ ବ୍ୟାଙ୍କ୍ ଓଡ଼ିଆ ଲୋକଙ୍କୁ ଯେଉଁ ସେବା ଦେବା କଥା ତାହା ଦେଉନାହାନ୍ତି , କାରଣ ଓଡ଼ିଶା ସରକାରଙ୍କର ଓଡ଼ିଆ ଭାଷା ପ୍ରତି ଥିବା ଅବଜ୍ଞା ଭାବ ସେମାନଙ୍କୁ ସୁହାଉଛି ।

ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ଅଲଙ୍ଘ୍ୟ କରିବାକୁ ଆଇନଗତ ବ୍ୟବସ୍ଥା ସକାଶେ ଚାଲିଥିବା ଭାଷା ଆନ୍ଦୋଳନର ଫେସବୁକ ଅନ୍ତର୍ଗତ ବୌଦ୍ଧିକ ମଞ୍ଚ ‘ଭାଷା ମାଆ ପାଇଁ ପଦେ’ରୁ ସେପ୍ଟେମ୍ବର ୨୮ରେ ସିଧା ପ୍ରସାରିତ ବିଷୟ ‘ବ୍ୟାଙ୍କ୍ ବ୍ୟବହାର ପାଇଁ ମାତୃଭାଷା’ ବ୍ୟାଖ୍ୟା କରି ଶ୍ରୀ ବେହେରା ସ୍ପଷ୍ଟ କରିଛନ୍ତି ଯେ, ଜଣେ ଓଡ଼ିଆ ବ୍ୟାଙ୍କକୁ ଗଲେ ସେଠାରେ ଥିବା କର୍ମଚାରୀ ତାଙ୍କ ସହ ଓଡ଼ିଆ ଭାଷାରେ କଥା ହେବା ଓ ତାଙ୍କୁ ସେ ଚାହୁଁଥିବା ସେବା ଓଡ଼ିଆ ଭାଷାରେ ପ୍ରଦାନ କରିବାକୁ ବାଧ୍ୟ । ଜଣେ ଜମାକାରୀ ବ୍ୟାଙ୍କରୁ କେଉଁ କେଉଁ ସେବା ପାଇବାକୁ ହକ୍ଦାର୍ ତାହା ତାଙ୍କ ରାଜ୍ୟ ଭାଷାରେ ତାଙ୍କୁ ନିଶ୍ଚୟ ଅବଗତ କରାଯିବ , ଖାସ୍ ଏଇଥିପାଇଁ ପ୍ରତି ରାଜ୍ୟରେ ସେହି ରାଜ୍ୟର ଲୋକଙ୍କୁ ବ୍ୟାଙ୍କ୍ ସେବାରେ ନିଯୁକ୍ତ କରାଯାଇଥାଏ ।

ମାତ୍ର ଆମ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ବିରୋଧୀ ମନୋଭାବ ହେତୁ ପ୍ରଶାସନରେ ଯେହେତୁ ଓଡ଼ିଆ ଭାଷା ଅକାମୀ ହୋଇ ପଡ଼ିଛି, ସେହେତୁ ବ୍ୟାଙ୍କମାନେ ଏହାର ସୁଯୋଗ ନେଇ ସେମାନଙ୍କ ନିଜ ନିଜ କ୍ଷେତ୍ରରେ ଓଡ଼ିଆ ଭାଷା ପ୍ରୟୋଗ ନ କାରୀ ଏକ ମହାଭୁଲର ଜାଲ ବିଛାଇଛନ୍ତି । ଏହାର ଶିକାର ଓଡ଼ିଶାର ୪ କୋଟି ନିରୀହ ଜନତା ହେଉଛନ୍ତି, ଯେଉଁମାନେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସୁବିଧା ପାଇବା ପାଇଁ ବ୍ୟାଙ୍କରେ ଖାତା ଖୋଲିଛନ୍ତି । ସେମାନଙ୍କୁ ଉପଯୁକ୍ତ ନ୍ୟାୟ ଦିଆଯାଉନାହିଁ । ଆମ ମାତୃଭାଷା ଓଡ଼ିଆରେ କହିବା, ଲେଖିବା ଓ ସବୁ ପ୍ରକାର ଭାବର ଆଦାନ ପ୍ରଦାନ କରିବା ଉପରେ ରାଜ୍ୟ ସରକାର, ବ୍ୟାଙ୍କ୍ ଓ ବ୍ୟାଙ୍କିଙ୍ଗ ଶିଲ୍ପ ସଂସ୍ଥା ଯଥା, ଭାରତୀୟ ରିଜର୍ଭ ବ୍ୟାଙ୍କ୍, ନାବାର୍ଡ, ବ୍ୟାଙ୍କିଙ୍ଗ ଆମ୍ବୁସ୍ମ୍ୟାନ ଇତ୍ଯାଦିଙ୍କୁ ଅଧିକାର ପ୍ରଦାନ କରାଯାଇଥିବା ସତ୍ତ୍ୱେ ଏହାକୁ ସମସ୍ତେ ଉଲ୍ଲଙ୍ଘନ କରୁଛନ୍ତି ଓ ଏଥିରେ ସମସ୍ତଙ୍କ ମଧ୍ୟରେ ମୁଖ୍ୟ ଉଲ୍ଲଂଘନକାରୀ ହେଉଛନ୍ତି ଏ ରାଜ୍ୟର ରାଜ୍ୟ ସରକାର, ଯେ କି ଆମ ମାତୃଭାଷାର କଣ୍ଠରୋଧ କରି ବିଦେଶୀ ଇଂରାଜୀ ଭାଷାର ଆଧିପତ୍ୟ ତଳେ ଆମ ଓଡ଼ିଶାର ଭାଗ୍ୟ ରବିକୁ ଅସ୍ତମିତ କାରୀ ରଖିଛନ୍ତି ।

ଭାଷା ଆନ୍ଦୋଳନ ହିଁ ଏହି ଦୁର୍ଭାଗ୍ୟ କବଳରୁ ଓଡ଼ିଶାକୁ ଉଦ୍ଧାର କରିପାରେ ।

ଶ୍ରୀ ବେହେରାଙ୍କ ସିଧା ପ୍ରସାରିତ ଭାଷଣ ଏଠାରେ ଉପସ୍ଥାପିତ ହେଲା :

ମୋ ଭାଷା ମହାନ, ଅଥଚ ……

କୃଷ୍ଣପ୍ରିୟା ମହାପାତ୍ର
(ଅନୁଭୁତିରୁ ଖିଏ)

[ଆମ ମାତୃଭାଷା ଆମ ନିଜ ସରକାରଙ୍କ ପରିସୃଷ୍ଟ ସଙ୍କଟରେ ପଡ଼ି ଏପରି ଭାବେ ପ୍ରାଣସତ୍ତା ହରାଇ ବସିଲାଣି ଯେ, ଆମ ଲୋକେ ନିଜ ପିଲାଙ୍କୁ ଅନ୍ୟ ଭାଷା – ଇଂରାଜୀ ବା ହିନ୍ଦୀ – ପଢିବାକୁ  ବାଧ୍ୟ କରୁଛନ୍ତି, ଯଦିଓ ତାହା ହିଁ ସେମାନଙ୍କ ପ୍ରାକୃତିକ ବାକ୍-ପଟୁତାର ଅନ୍ତରାୟ ହେଉଛି, ସ୍ଵାଭାବିକ ବୌଦ୍ଧିକ ବିକାଶର ବାଧକ ହେଉଛି ଓ ସ୍ଵଚ୍ଛନ୍ଦ ବିଦ୍ୟାର୍ଜନର ପରିପନ୍ଥୀ ହେଉଛି । ଏହି ହୃଦୟବିଦାରକ ଲେଖାଟି ଲେଖିକାଙ୍କ  ଅନୁଭୂତିର ଏପରି ଏକ ବିବରଣୀ, ଯାହା ଓଡ଼ିଆ ଜାତି ଉପରେ ଓଡ଼ିଶା ସରକାର ଲଦିଚାଲିଥିବା ଅଣଓଡ଼ିଆ ଭାଷାପ୍ରୀତିର ପରିଣତି କେତେ ଭଯାବହ ତାହା ସ୍ପଷ୍ଟ କରେ । (ସମ୍ପାଦକ)]

ସକାଳୁ ସକାଳୁ କାହାର ପାଟିରେ ମୋ’ ନିଦଟା ଭାଙ୍ଗିଗଲା । ଯେଉଁପଟୁ ପାଟି ଶୁଭୁଥିଲା ,ସେଇ ପଟକୁ ଯାଇ ,ମୁଁ ଚାରିଆଡକୁ ଚାହୁଁ ଥାଏ, କିଏ ଏତେ ଜୋରରେ ପାଟିକରୁଚି ଦେଖିବା ପାଇଁ । ସେତେବେଳକୁ ଟିକେ ଟିକେ କାହାର କାନ୍ଦ ମଧ୍ୟ ଶୁଭିଲା। ପରେ ମୁଁ ଜାଣିଲି ଆମଘର ପାଖରେ ଯେଉଁ ଘରଟି ଖାଲି ଥିଲା, ସେଇ ଘରେ ଜଣେ ସ୍ତ୍ରୀଲୋକ ତାଙ୍କର ପରିବାର ସହିତ ଭଡ଼ା ରହୁଛନ୍ତି। ତାଙ୍କରି ଘରେ ଗୋଟିଏ ଛୋଟ ପିଲା କାନ୍ଦୁଛି । ଆମ ଛାତ ଉପରେ ଠିଆ ହେଲେ, ତାଙ୍କ ଅଗଣା ଦିଶେ । ମୁଁ ତାଙ୍କ ଅଗଣାକୁ ଚାହିଁଲି,ସେଇ ପିଲାଟିକୁ ଦେଖିପାରିବି ବୋଲି; ଆଉ ନିକଟକୁ ଯାଇ ଜାଣିଲି ସେ କଣପାଇଁ ପାଟି କରୁଥିଲେ ।ପିଲାଟି ମା’କୁ ଭୟରେ ଚାହିଁ ରହିଚି ଆଉ କୋହରି ହୋଇ କାନ୍ଦୁଛି ! କୌତୁହଳବଶତଃ ମୁଁ ତାଙ୍କ ଘରକୁ ନଜର କରୁଥିବାର ଜାଣିଗଲେ ସେଇ ମହିଳା ଜଣଙ୍କ, ମୋତେ ଉପରେ ଠିଆ ହୋଇଥିବାର ଦେଖି ଅତି ଆବେଗ ର ସହ ଝିଅଟିକୁ ଦେଖାଇ କହିଲେ, “ଦେଖୁନ ଭାଉଜ ! ଏ ପିଲାକୁ ମୁଁ ଯେତେ କହୁଛି ସକାଳୁ ଉଠି ଟିକେ ପଢିବା ପାଇଁ ସେ ମୋ କଥା ଶୁଣୁନି ।”

ତାଙ୍କ କଥା ଶୁଣିବା ଅବସ୍ଥାରେ ମୁଁ ସେଇ ଛୁଆକୁ ଚାହିଁଲି । ପିଲାଟିକୁ ଦୁଇରୁ ତିନି ବର୍ଷ ଭିତରେ ବୟସ,ଦୁର୍ବଳ ସ୍ୱାସ୍ଥ୍ୟ ,ଠିକ୍ ଭାବେ କଥା କହି ପାରୁନାହିଁ , ପାଟିଲାଗୁଛି ; ମା’ର ପାଟିରେ ଭୟ କରି ଗୋଟେ ପଟକୁ ସାଙ୍କୁଡ଼ି ହୋଇ ଠିଆ ହୋଇଛି ।ମୋତେ ଟିକେ ଚାହିଁ ଦେଉଛି, ତା ପରେ ତା ମାଙ୍କୁ ଚାହିଁ କୋହରି ହୋଇ କାନ୍ଦୁଛି ।

ଛୋଟ ପିଲାଙ୍କ ପ୍ରତି ମୋର ଢେର ଦୁର୍ବଳତା । ତାର ଏ ଅବସ୍ଥା ଦେଖି ମୁଁ ଟିକେ ଉଚ୍ଚ ସ୍ୱରରେ କହିଲି, କାହିଁକି ତାକୁ ବାଧ୍ୟ କରୁଚ !  ତାର ତ ଏବେ ଖେଳିବା ବୁଲିବା ସମୟ ,ଏବେ ତାକୁ ପଢିବା ପାଇଁ କହିଲେ ସେ କାନ୍ଦିବନି ? ଆଉ ଟିକେ ବଡ଼ ହେଲେ,ବଳେ ପଢିବ । ସେତେ ବେଳକୁ ତାକୁ ଆଉ ଖେଳିବାକୁ ସମୟ ମିଳିବନି ! ପଢିବାକୁ ତ ଜୀବନ ସାରା ପଡିଛି । ମୋ କଥା ଶୁଣି ମହିଳା ଜଣକ ବୋଧହୁଏ ଟିକେ ରାଗି ଗଲେ। ମତେ କିଛି କହି ନ ପାରି କଥା ବଦଳେଇବା ପାଇଁ ଅନ୍ୟ ଏକ ବିଷୟରେ ଧ୍ୟାନ ଦେଲେ ଓ ଘର ଭିତରକୁ ଚାଲିଗଲେ।

ମୁଁ ପିଲାଟିକୁ ଚାହିଁ ହସିଦେଲି ,ସତେ ଯେମିତି ସେ ମୋ’ ଠାରୁ ଗୁଡ଼ାଏ ସାହସ ପାଇଗଲା । ସେତେବେଳେ ତା’ ମୁହଁକୁ
ଦେଖି ମୋତେ ବହୁତ ଖୁସି ଲାଗିଲା।

ସେଇ ଦିନ ଠାରୁ ତାର ମୋର ବୋଧେ ବନ୍ଧୁ ହୋଇଗଲୁ ,କାରଣ ସେ ମୋତେ ଦେଖିଲେ ବହୁତ ଖୁସି ହୁଏ। ଝିଅଟିର ବାପା ଗୋଟିଏ ଟ୍ରାଭେଲ ଏଜେନ୍ସି କରିଛନ୍ତି । ଘରକଥା ବୁଝିବା ପାଇଁ ତାଙ୍କୁ ସମୟ ନଥାଏ। ଝିଅଟି କିନ୍ତୁ ଭାରି ଭଲ ପାଏ ତା ବାପାଙ୍କୁ , ରାତି ଅଧ ଯାଏ ଅପେକ୍ଷା କରି ଥାଏ କେତେବେଳେ ବାପା ଆସିବେ, ମାଙ୍କୁ ପଚାରି ପଚାରି ବ୍ୟସ୍ତ କରି ପକାଏ । ବେଳେ ବେଳେ ବାପାଙ୍କୁ ଅପେକ୍ଷା କରି ଶୋଇପଡେ । ତାପରଦିନ ସକାଳୁ ଉଠି ବାପାଙ୍କ ସଙ୍ଗେ ବହୁତ ଖେଳେ , ଆଉ ଖୁସି ହୁଏ ।ପିଲାଟି ସବୁବେଳେ ଚୁପ୍ ରହେ, ବେଶି କଥାବାର୍ତ୍ତା କରେ ନାହିଁ । ଯେତେବେଳେ ସେ କିଛି କହେ ତ ହିନ୍ଦୀରେ , ସେଇ କଥା ତକ ଭଲରେ ବୁଝି ହୁଏନି, କାରଣ ତାର ପାଟି ଲାଗେ ଓ ଉଚ୍ଚାରଣ ଠିକ୍ କରିପାରେନାହିଁ । ଝିଅଟିର ମା’ ଜଣେ ସୁଗୃହିଣୀ, ଘରର ସବୁ ଦାୟିତ୍ୱ ତାଙ୍କୁ ନେବାକୁ ପଡେ। ପିଲାର ସବୁକଥା ସେହିଁ ବୁଝନ୍ତି; ବହୁତ ପରିଶ୍ରମୀ ଏବଂ ଯତ୍ନଶୀଳା । ପିଲାର ସମସ୍ତ ଅଭାବକୁ ପୂରଣ କରିବାକୁ ଚେଷ୍ଟା କରିଥାନ୍ତି । ହେଲେ ଗୋଟିଏ ଭୁଲ ଧାରଣା ତାଙ୍କ ମନରେ ରହିଛି, ପିଲାବେଳୁ ହିନ୍ଦୀ ଆଉ ଇଂରାଜୀଭାଷାରେ କଥା କହିଲେ ଭଲ; ଆଉ ତାକୁ ବାଧ୍ୟ କରି ସେହି ଭାଷାରେ ପାଠ ପଢାନ୍ତି ।

ସବୁଦିନ ସକାଳୁ ସକାଳୁ ତାଙ୍କର ପାଟି ଶୁଭେ,ଘର କାମ କରି କରି ଝିଅକୁ ପାଠ ପଢିବା ପାଇଁ ବାଧ୍ୟ କରୁଥାଆନ୍ତି । ଇଂରାଜୀରେ କଥା ହୁଅନ୍ତି ଝିଅ ସହିତ , ଓଡ଼ିଆ ଭାଷା ଜମା କହନ୍ତି ନାହିଁ , ପିଲାଟି ତାଙ୍କ କଥାକୁ ଦୋହରାଉଥାଏ । ତାଙ୍କ ଘରକୁ ଯଦି କିଏ ବନ୍ଧୁବାନ୍ଧବ ଆସିଲେ ପିଲାଟି ଖୁସି ହୁଏ, କିନ୍ତୁ କଥା ହୁଏନାହିଁ ; କାରଣ ତାକୁ ଓଡ଼ିଆ ଆସେ ନାହିଁ ।
ଘରକୁ ଆସିଥିବା ଲୋକମାନଙ୍କୁ ହୁଏତ ହିନ୍ଦୀ ଇଂରାଜୀ ଜଣା ନଥାଏ କିମ୍ବା ଜାଣିଥିଲେ ମଧ୍ୟ କହିବାକୁ ସୁବିଧା ଲାଗେନାହିଁ ।ଓଡ଼ିଆ ଭାଷା ରେ ଅଭ୍ୟସ୍ତ ହେଇ ,ଅନ୍ୟ ଭାଷାରେ କଣ ପାଇଁ ଜଣେ କଥା ହେବାକୁ ଭଲପାଇବ, ପୁଣି ଜଣେ ଓଡ଼ିଆ ଲୋକ ସହିତ । ତେଣୁ ପିଲାଟି କାହା ସହ କଥା ହୁଏ ନାହିଁ । ବାପାଝିଅ ଯେତେବେଳେ କଥା ହେବେ, ମା ସେପଟୁ କହୁଥିବାର ଶୁଭିବ, “ହିନ୍ଦୀମେ ମେ ବାତ କରୋ! ହିନ୍ଦୀମେ !”

ଯେଉଁ ବୟସରେ ପିଲାଏ କଥା କହି କହି ଘରକମ୍ପାଇବା କଥା, ସେତେବେଳେ ପିଲାଟି ଚୁପ୍ ରହୁଛି, ନହେଲେ ଡରି ଡରି ହିନ୍ଦୀ ଇଂରାଜୀ କହୁଛି । ସାହିରେ ଥିବା ଅନ୍ୟ ପିଲାମାନେ ବାହାରେ ଖେଳୁଥାନ୍ତି , ପିଲାଟି ଆସି ଦେଖେ ; ସେମାନେ ନିଜ ନିଜ ଭିତରେ ଓଡ଼ିଆରେ କଥା ହେଉଥାନ୍ତି । ଏ ଝିଅଟି ଚୁପଚାପ ଠିଆ ହୋଇ ଦେଖେ, କାହା ସହିତ ମିଶି ପାରେନାହିଁ ।
ସେତେବେଳେ ତା ମାଆ ଆସି କହନ୍ତି, “ହିନ୍ଦୀ ମେ ବାତ୍ କରୋ ୟେ ସମଝିତି ନହିଁ ।” ସେ ପିଲାମାନେ ଶୁଣନ୍ତି ନାହିଁ। ଖେଳର ମଜା ଉଠଉଥିବା ବେଳେ କିଏ କାହିଁକି ଅନଭ୍ୟସ୍ତ ଭାଷା ବ୍ୟବହାର କରିବ ? ସେଠି ଝିଅଟି କେତେ ସମୟ ଠିଆ ହୁଏ, ତାପରେ ଘରକୁ ଚାଲି ଯାଏ ।

ମୋ ସହିତ ଦେଖାହେଲେ ମୁଁ ତାକୁ ମୋ ପାଖରେ ବସାଇ ଗେଲ କଲେ, ସିଏ ବହୁତ ଖୁସି ହୁଏ । ତୋ ନାଁ କଣ ? ପଚାରିଲେ ଖାଲି ଚାହେଁ ,କିଛି ଉତ୍ତର ଦିଏ ନାହିଁ । ମୁଁ ଜାଣେ ସିଏ ଓଡ଼ିଆ ବୁଝି ପାରୁନି ।

ଥରେ ମୁଁ ତା ମାଙ୍କୁ କହିଲି, ତମେ ତାକୁ ଓଡ଼ିଆରେ କଥା କହୁନ , ଘରେ ଓଡ଼ିଆ କହିଲେ ସିନା ସିଏ ଆମ ସହିତ କଥା ହେବ; ସେଥିପାଇଁ ସେ କାହା ସହିତ ମିଶି ପାରୁନି । .ଆଗ କାହିଁକି ତାକୁ ହିନ୍ଦୀ ଶିଖଉଛ ? ସ୍କୁଲରେ ପଢିଲେ ବଳେ ଶିଖିଯିବନି ? ମୋ କଥା ନସରୁଣୁ ବୁଝେଇବା ଢଙ୍ଗରେ କହିଲେ, ତମେ ଜାଣିନ ଭାଉଜ ଆଜିକାଲି ପିଲାମାନଙ୍କୁ ଘରୁ ହିନ୍ଦୀ ଇଂରାଜୀ ଶିଖେଇ ସ୍କୁଲରେ ଆଡ଼ମିସନ କରିବାକୁ ପଡେ । ସେଠି ସିଏ ଓଡ଼ିଆ କଥା କହିଲେ ଟିଚରମାନେ ଭାବିବେ ଆମେ ପାଠପଢିନୁ । ହିନ୍ଦୀ ଇଂରାଜୀ କହୁଥିବା ପିଲାମାନେ ସ୍ମାର୍ଟ ଆଉ ଈଣ୍ଟେଲିଜେନ୍ଟ । ଓଡ଼ିଆ ଭାଷା କହିଲେ କହିବେ ଆଉଟଡ଼େଟେଡ଼ , ମଫସଲିଆ ।  ଆଉ, ଯଦି ତୁମେ କେବେ ଓଡିଶା ବାହାରକୁ ଯାଅ, ସେଠି ଓଡ଼ିଆ କହିଲେ କେହି ତ ବୁଝି ପାରିବେନି, ଓଲଟା ତୁମକୁ ଓଡ଼ିଆ ବୋଲି ଜାଣିଲେ ଖରାପ ବ୍ୟବହାର କରିବେ । ଆଜିକାଲି ଇଂରାଜୀ ମାଧ୍ୟମ ସ୍କୁଲରେ ଓଡ଼ି଼ଆ ପଢା ହେଉନାହିଁ , ଯଦିବା ପଢା ହେଉଛି ତେବେ ଖୁବ୍ କମ ମାର୍କର । ତେଣୁ ପରୀକ୍ଷା ପାଇଁ ଯେମିତି ସେମିତି ପଢ଼ି ଦେଲେ ଗଲା । ତେଣୁ ଓଡ଼ିଆ ଶିଖି କଣ ଲାଭ ମିଳିବ ?

ମୁଁ ତାଙ୍କ କଥାଶୁଣି ରାଗିଗଲି । ତାଙ୍କ ମନରେ ଓଡ଼ିଆ ଭାଷାକୁ ନେଇ ଏତେ ହୀନମନ୍ୟତା ଅଛି ବୋଲି ଜାଣିଲା ପରେ, ସେଠି ଠିଆ ହୋଇ କଥାହେବାକୁ ମୋତେ ଘୃଣାଆସିଲା । ମୁଁ ମୋ ମାତୃଭାଷାକୁ ନେଇ ଗର୍ବ ଅନୁଭବ କରେ । ମୁଁ ଟିକେ ବିରକ୍ତ ହୋଇ ତାଙ୍କୁ କହିଲି, ତମେ ଓଡ଼ିଆ ହୋଇ ଓଡ଼ିଶାର ପାଣି ପବନରେ ବଢ଼ି, ନିଜ ଭାଷାକୁ ନିନ୍ଦା କରୁଛ ? ନିଜଭାଷାର ଉନ୍ନତି ନିମନ୍ତେ କେତେ ମହାପୁରୁଷ ନିଜକୁ,ନିଜ ସ୍ଵାର୍ଥକୁ ତ୍ୟାଗ କରି ଦେଇଛନ୍ତି । ଆମେ ଯଦି ନିଜକୁ ଓଡ଼ିଆ କହିବାକୁ ଲଜ୍ୟା ଅନୁଭବ କରିବା, ତେବେ ଏ ଭାଷା ଦିନେ ଲୋପ ପାଇଯିବ ; ଆଉ କେତେକ ରାଜ୍ୟର ଲୋକେ ମାତୃଭାଷା ଛଡ଼ା ଅନ୍ୟ ଭାଷାରେ କଥା ହେବାକୁ ପସନ୍ଦ କରନ୍ତି ନାହିଁ । ଅଥଚ ଆମେ ପିଲାଙ୍କୁ ଓଡ଼ିଆ ଶିଖିବାକୁ ଆଗ୍ରହୀ କରାଇବା ପରିବର୍ତ୍ତେ, ତାଙ୍କୁ
ଓଡ଼ିଆ ଭାଷାର ଅନାଦର କରିବାକୁ ପ୍ରଵର୍ତ୍ତାଉଛେ !

ମୋ କଥା ଶୁଣି ଭଦ୍ର ମହିଳା ଜଣକ ଚୁପ୍ ରହି ଥିଲେ ସିନା, କିନ୍ତୁ ତାଙ୍କ ମନରେ ନିଜ ଭାଷାପ୍ରତି ଥିବା ଅବଜ୍ଞା ଭାଵଟା ମୋର ଅସହଣୀୟ ଥିଲା । ତେଣୁ ମୁଁ ସେଠାରୁ ଚାଲି ଆସିବାକୁ ଶ୍ରେୟଃସ୍କର ମନେକଲି ।
                                                                       (ପଞ୍ଚମୁଖି ଚଉରା, ଜେନାମଠ ଲେନ, ପୁରୀ ,ପିନ୍ -୭୫୨୦୦୧)

ମହାନ ଆମ ମାତୃଭାଷା

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ବଲାଙ୍ଗିର ହୃଦୟରେ ବିକଶିତ ମହାନ ଆମ ମାତୃଭାଷା ସଂଘର ପ୍ରତିଷ୍ଠାତା ରାଜେଶ କୁମାର ଶତପଥୀଙ୍କ ରଚିତ ଓ ପରିବେଷିତ ଏହି ମହାନ କୃତି ସବୁ ଓଡ଼ିଆଙ୍କ ପ୍ରାଣସତ୍ତାର ଝଙ୍କାର ବହନ କରେ ।

ଅଧିକ ଭିଡିଓ ପାଇଁ 'ମହାନ ଆମ ମାତୃଭାଷା ' ୟୁଟ୍ୟୁବ୍ ଚ୍ୟାନେଲ ସବସ୍କ୍ରାଇବ୍ କରନ୍ତୁ ।ମହାନ ଆମ ମାତୃଭାଷା#Odiasahitya #Saraladas#Lokasahitya #Odia_Song#Odiabhasa#UpendraBhanja

Posted by ମହାନ ଆମ ମାତୃଭାଷା Mahan ama Matrubhasa on Friday, September 25, 2020

 

ରଞ୍ଜନ କୁମାର ଦାସଙ୍କୁ ମରାଯିବାର ମୂଳ କାରଣ ତାଙ୍କ ଭାଷାପ୍ରେମ: ସିବିଆଇ ତଦନ୍ତ ଆବଶ୍ୟକ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମୋର ଦୁଇଜଣ ମୁଖ୍ୟ ସହଯୋଗୀଙ୍କ ଅର୍ଥଲୋଭର ଉପଯୋଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଷା ଆନ୍ଦୋଳନକୁ ଭାଙ୍ଗି ଦେବାପାଇଁ ଜୁଲାଇ ୧୬, ୨୦୧୮ ସନ୍ଧ୍ୟାରେ ବସ୍ତୁତଃ ସକ୍ଷମ ହୋଇଥିଲେ । ଏକ ସାମ୍ବାଦିକ ସମ୍ମିଳନୀ ଡାକି ଏ ଦୁହେଁ – ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥା – ସେହି ସନ୍ଧ୍ୟାରେ ସଂପୂର୍ଣ୍ଣ ଅନଧିକୃତ ଭାବେ ଘୋଷଣା କରିଥିଲେ ଯେ, ଭାଷା ଆନ୍ଦୋଳନର  ନିଷ୍ପତ୍ତିକ୍ରମେ କଳାପତାକା ଅଭିଯାନ ସ୍ଥଗିତ ରହିଲା ।

ଓଡ଼ିଶାର ସମସ୍ତ ଗଣମାଧ୍ୟମ ଜାଣନ୍ତି ଯେ, ଭାଷା ଆନ୍ଦୋଳନ ମୋର ମାନସ ସନ୍ତାନ । ସେମାନେ ସମସ୍ତେ ଜାଣନ୍ତି ଯେ, ଭାଷା ଆଇନର କାର୍ଯ୍ୟକାରୀତା ପାଇଁ ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟ ଭାବେ ମୁଁ ସରକାରଙ୍କୁ ଦେଇଥିବା ଚିଠା ବିଧାନ ସପକ୍ଷରେ ମୋ ନିଜସ୍ଵ ପଦ୍ଧତ୍ତିରେ ଏହା ଚାଲିଥାଏ ଯାହାର ପରିଚାଳନାରେ ମୋତେ ସାହାଯ୍ୟ କରୁଥାନ୍ତି ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥା । ଅଥଚ ମୋ ଅନୁପସ୍ଥିତିରେ ସେମାନେ ଯେତେବେଳେ ଏହି ବକ୍ତବ୍ୟ ରଖିଲେ, ଗଣମାଧ୍ୟମମାନଙ୍କର ସମ୍ବାଦିକୀୟ ଦାୟିତ୍ଵ ଥିଲା ସତ୍ୟାସତ୍ୟ ଜାଣିବା ପାଇଁ ମୋତେ ପଚାରିବା । ମାତ୍ର କେହି ବି  ପଚାରିନଥିଲେ । ସେମାନେ ସମସ୍ତେ ପ୍ରଚାର କରିଥିଲେ ଯେ, କଳା ପତାକା ଅଭିଯାନ ବନ୍ଦ ହୋଇଗଲା ଓ ମୁଁ ପଠାଇଥିବା ପ୍ରତିବାଦ ଉପରେ  ମଧ୍ୟ ସମସ୍ତେ କଳା ଢାଙ୍କୁଣୀ ଘୋଡ଼ାଇ ଦେଇଥିଲେ ବା ସାମ୍ବାଦିକୀୟ ଭାଷାରେ ତାହାକୁ ବ୍ଳାକ୍ଆଉଟ୍ (blackout) କରିଦେଇଥିଲେ । ଅତଏବ, ମୁଖ୍ୟମନ୍ତ୍ରୀ ପ୍ରଦ୍ୟୁମ୍ନ ପବିତ୍ରଙ୍କ ଆନୁଗତ୍ୟ କିଣି କଳା ପତାକା ଅଭିଯାନ ବନ୍ଦ କରିବାକୁ ସେଦିନ ଅପୋଦ୍ୟମ କରିଥିଲେ କେବଳ ନୁହେଁ, ଗଣମାଧ୍ୟମମାନେ ଯେପରି କେବଳ ସେହିମାନଙ୍କ ଘୋଷଣାକୁ ହିଁ ପ୍ରଚାର କରନ୍ତି ଓ ମୋର ପ୍ରତିକ୍ରିୟା ଉପରେ କଳାପରଦା ଢାଙ୍କି ରଖନ୍ତି ତାର ବି ବ୍ୟବସ୍ଥା କରିଥିଲେ ।

କିନ୍ତୁ ଏ ଅପ୍ରତ୍ୟାଶିତ ଭୟଙ୍କର ଆଘାତ ସତ୍ତ୍ୱେ ଭାଷାଜନନୀର ସଂଗ୍ରାମ ଜାରିରହିଲା । ତାର ବିଜୟ ପତାକା – କଳାପତାକା – ନିର୍ଦ୍ଧାରିତ ସମୟରେ ଉଡ଼ିଚାଲିଲା ରାଜଧାନୀର ଛାତି ଉପରେ ପ୍ରତିଦିନ । ଏବଂ ଉପରୋକ୍ତ ଦୁଇ ଅର୍ଥଲୋଭୀଙ୍କୁ ପୋଷା ମନାଇ ଭାଷା ଆନ୍ଦୋଳନକୁ ଭାଙ୍ଗିଦେବାକୁ ଯେଉଁ ଚକ୍ରାନ୍ତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ଚକ୍ରାନ୍ତକୁ ପାଦରେ ଦଳିଦେଲେ ଭାଷା ମାଆର ଭୀମ ପରି ଶକ୍ତିଶାଳୀ ସନ୍ତାନ ରଞ୍ଜନ କୁମାର ଦାସ, ଯାହାଙ୍କ ଓଡ଼ିଆଜାତୀୟତାବୋଧ ଏତେ ଅସୀମ ଥିଲା ଯେ, ଇତିହାସରେ ସ୍ନାତକୋତ୍ତର ଉପାଧି ପାଇସାରି ବହିରାଗତ ପର୍ଯ୍ୟଟକମାନଙ୍କୁ ଓଡ଼ିଶାର ପ୍ରାକୃତିକ, ସଂସ୍କୃତିକ ଓ କଳାତ୍ମକ ଐତିହ୍ୟ ଉପରେ ଅବଗତ କରାଇବା ପାଇଁ ସେ ସ୍ଵତନ୍ତ୍ର ଶିକ୍ଷା ଅର୍ଜନ କରିଥିଲେ ଓ ପର୍ଯ୍ୟଟକମାନଙ୍କୁ ଓଡ଼ିଶାର ବୈଶିଷ୍ଟ୍ୟ ଉପରେ ଦିଗ୍ଦର୍ଶନ ଦେବା କମ ଆୟକାରୀ ହୋଇଥିଲେ ମଧ୍ୟ ତାହାକୁ ହିଁ ନିଜର ବୃତ୍ତି ଭାବେ ଗ୍ରହଣ କରିଥିଲେ ।

ଏହି ଅସାଧାରଣ ମାତୃଭୂମିବତ୍ସଳ ରଞ୍ଜନ କୁମାର ଦାସ ୧୬ ଅଗଷ୍ଟ ୨୦୧୮ ତାରିଖରେ ମଧୁବାବୁଙ୍କ ଜନ୍ମପୀଠ ସତ୍ୟଭାମାପୁରର ଶିଶୁମାନଙ୍କ ହାତରୁ କଳାପତାକା ଗ୍ରହଣ କରି ନିଜ ସଂଗ୍ରାମୀ ଜୀବନର ଘନିଷ୍ଠ ସହଯୋଗୀ ସର୍ବଶ୍ରୀ ଜିତେନ୍ଦ୍ର କୁମାର ସାହୁ , ଆଳୟ ସାମନ୍ତରାୟ, ନରେଶ ବେଉରା, ନବକିଶୋର ଦାସ, ଆଶିଷ ଖଟୁଆ, ସୂର୍ଯ୍ୟପ୍ରକାଶ ପାଣି ଓ ପ୍ରତାପ ମହାନ୍ତିଙ୍କ ସହ ପାଣିଚିଆ ଖରାରେ ଡହଡହ ତାତିଥିବା ରାଜରାସ୍ତାରେ ଚାଲି ଚାଲି ୧୭ ଅଗଷ୍ଟ ୨୦୧୮ରେ ବିଧାନସଭା ସମ୍ମୁଖରେ ପହଞ୍ଚି ଓଡ଼ିଆ ଭାଷାର ଜୀବନ ଇତିହାସରେ ଯେଉଁ ନୂଆ ଅଧ୍ୟାୟ ଯୋଡ଼ିଲେ  ତାହା ଭାଷାପ୍ରେମର ଅନନ୍ୟ ନିଦର୍ଶନ କେବଳ ନଥିଲା, ଭାଷା ବିଦ୍ଵେଷୀ ନବୀନଙ୍କ ଛାତିରେ ଏପରି ଛନକା ଭରିଦେଇଥିଲା ଯେ, ୧୫ ଦିନ ଭିତରେ ଓଡ଼ିଶାର ସର୍ବତ୍ର ସବୁ ଦପ୍ତର ଓ ଦୋକାନର ନାମ ଓଡ଼ିଆରେ ଲେଖାହେବା ବାଧ୍ୟତାମୂଳକ ହେବ ଓ ଆଇନରେ ଥିବା ତ୍ରୁଟି ସଂଶୋଧନ କରାଯିବ ବୋଲି କହିବାକୁ ତର ସହିନଥିଲା ।

ମୁଖ୍ୟମନ୍ତ୍ରୀଙ୍କ ପ୍ରୀତ୍ୟର୍ଥେ ସେଦିନର ଏହି ଐତିହାସିକ ଘଟଣାକୁ ଓଡ଼ିଶାର ଗଣମାଧ୍ୟମମାନେ ବ୍ଳାକ୍ଆଉଟ୍ କରିଥିବା ବେଳେ ଆନ୍ଦୋଳନର ଛତ୍ରପୁର ସଞ୍ଚାଳକ ସୌମ୍ୟରଞ୍ଜନ ନାୟକ ଫେସବୁକ ମାଧ୍ୟମରେ ତାର ପ୍ରସାରଣ କରିଥିଲେ ଓ ପରେ ଭିନ୍ନଧାରାର ପ୍ରତିଜ୍ଞା ଟିଭି ତାହାକୁ ହିଁ ପ୍ରସାରିତ କରିଥିଲା । ଆପଣମାନଙ୍କ ଉଦ୍ଦେଶ୍ୟରେ ତାହାକୁ orissamattersର YouTube ମଞ୍ଚରେ ସ୍ଥାନିତ କରି ଏଠାରେ ସଲଗ୍ନ କରାଗଲା ।

ଏହି ଘଟଣା ପରେ ଓଡ଼ିଶା ସରକାର ଅତର୍ଛିଯାଇ ଆଇନଟିକୁ ମାସକ ପରେ ୨ୟ ବାର  ସଂଶୋଧନ କରିବାକୁ ବାଧ୍ୟ ହୋଇଥିଲେ ମଧ୍ୟ ତାହା ଥିଲା  ତ୍ରୁଟିପୂର୍ଣ୍ଣ ୧ମ ସଂଶୋଧନର ପୁନଃ ବୈଧିକରଣ ଓ ପରିବର୍ଦ୍ଧନ ।

ଏହି ପ୍ରତାରଣା ବିରୁଦ୍ଧରେ  ଓ ଷଡ଼ଯନ୍ତ୍ର ସମ୍ପର୍କରେ ସାରା ଓଡ଼ିଶାର ଜନଗଣଙ୍କୁ ଅବଗତ କରାଇ ଭାଷା ମାଆର ବିଜୟ ସୁନିଶ୍ଚିତ କରିବା ପାଇଁ ନିଜ ସାଥୀମାନଙ୍କୁ କଳାପତାକା ସହ ସାଇକଲ ଅଭିଯାନ ପାଇଁ ରଞ୍ଜନ ଯେଉଁଦିନ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କଲେ ଓ ସେଥିପାଇଁ ସାଥୀ ସମ୍ପର୍କ ଆରମ୍ଭ କଲେ, ତହିଁର ତୃତୀୟ ଦିନ ଅତିବାହିତ ହେବା ପୂର୍ବରୁ ତାଙ୍କୁ ହତ୍ୟା କରାଗଲା । ଭାଷା ଆନ୍ଦୋଳନ ଓ ଓଡ଼ିଶା ସୂଚନା ଅଧିକାର ଅଭିଯାନର ତଥା ଜନସାଧାରଣଙ୍କ ପ୍ରତିବାଦ ବିକ୍ଷୋଭ ଓ ବାରମ୍ବାର ଦାବି ସତ୍ତ୍ୱେ ତାଙ୍କ ହତ୍ୟାକାରୀକୁ ଧରିବା ପାଇଁ କୌଣସି ତତ୍ପରତା ପ୍ରକାଶ ପାଇନାହିଁ ।

ଏହି ହେତୁ ଆମେ ସନ୍ଦେହ କରୁ ଯେ , ମୁଖ୍ୟମନ୍ତ୍ରୀଙ୍କ ଚକ୍ରାନ୍ତ କବଳରୁ ଭାଷା ଆନ୍ଦୋଳନକୁ ରକ୍ଷା କରିବା ପାଇଁ ଓ ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ଅଲଙ୍ଘ୍ୟ କରିବା ପାଇଁ ରଞ୍ଜନଙ୍କ ଉପରସୂଚିତ କଳାପତାକାଧାରୀ ପଦଯାତ୍ରା ଓ କଳାପତାକା ସହ ସାରା ଓଡ଼ିଶାରେ ସାଇକଲ ଯାତ୍ରା କରିବା ପ୍ରସ୍ତାବର ପ୍ରତିକ୍ରିୟାରେ ତାଙ୍କୁ ହତ୍ୟାକରାଯାଇଛି ଓ ସେହି କାରଣରୁ ମୁଖ୍ୟମନ୍ତ୍ରୀଙ୍କ କର୍ତ୍ତୃତ୍ତ୍ଵାଧିନ ପୋଲିସ ହତ୍ୟାକାରୀକୁ ଧରୁନାହିଁ ।

ଏହି ପ୍ରେକ୍ଷାପଟରେ ଏହି ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ଭାଷା ଆନ୍ଦୋଳନକାରୀମାନଙ୍କ ପକ୍ଷରୁ ମୁଁ ଦାବି କରୁଛି ।