କଳାପତାକା ଅଭିଯାନ : ଖୋର୍ଦ୍ଧାରୁ ଭୁବନେଶ୍ଵର

ଭୁବନେଶ୍ଵର, ୫.୯.୨୦୧୮

ଆମ ଭାଷା ଆମ ମା । ଆମ ମା ପାଇଁ ଆମ ଲଢ଼େଇ । ଏ ଲଢ଼େଇରେ ଆଜି ଭାଷା ଜନନୀଙ୍କ କଳାପତାକା ହାତରେ ଧରି ଖୋର୍ଦ୍ଧା ପରିକ୍ରମା କରିଥିଲେ ଜୟପ୍ରକାଶ ମହାପାତ୍ର,ସରୋଜ କୁମାର ପାଲଟା ସିଂହ ,ଡ. ଅରବିନ୍ଦ ନାୟକ, ପ୍ରଭାତ କୁମାର ବେହେରା ।

Posted by Sanjib Patry on Wednesday, September 5, 2018

ସେଠାରୁ ଚାଲି ଚାଲି ଭୁବନେଶ୍ୱର ଆସିଥିଲେ ବିଭୁଦେନ୍ଦ୍ର ବିଦ୍ୟାଧର, ମାଧବାନନ୍ଦ ଭୋଇ, ନରେନ୍ଦ୍ର କୁମାର ସାହୁ , ନିରାକାର ସାହୁ ,ପ୍ରସେନଜିତ ରାୟ । ନେତୃତ୍ବ ଦେଇଥିଲେ ଭାଷା ଆନ୍ଦୋଳନ, ଓଡ଼ିଶାର ଉପସଭାପତି କମଳ ଲୋଚନ ନାୟକ ।

Posted by Soumya Ranjan Nayak Iimc on Wednesday, September 5, 2018

ଭୁବନେଶ୍ଵରରେ ସେମାନଙ୍କୁ ସ୍ଵାଗତ ଜଣାଇଥିଲେ ଭାଷା ଆନ୍ଦୋଳନର ସମ୍ପାଦକ ପ୍ରମୋଦ କୁମାର ଦେବ, “ଭାଷା ମା ପାଇଁ ଘଣ୍ଟାଟିଏ ” ମନ୍ତ୍ର ସ୍ରଷ୍ଟା ସଂଜୀବ ପତ୍ରୀ , ସହସଂପାଦିକା ସଂଘମିତ୍ରା ଯେନା , କୋଷାଧ୍ୟକ୍ଷ ବୀର କିଶୋର ବେହେରା । ଅଧକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଭାଷା ଆଇନ ପ୍ରଦାତା ପୁଣ୍ୟଶ୍ଳୋକ ନବକୃଷ୍ଣ ଚୌଧୁରୀଙ୍କ ବିଧାନସଭା ସମ୍ମୁଖସ୍ଥ ପ୍ରତିମୂର୍ତ୍ତିରେ ସମସ୍ତଙ୍କ ଗହଣରେ ପୁଷ୍ପାର୍ଘ୍ୟ ଦେବା ପରେ ସେଠାରୁ ସମସ୍ତେ ରାଜଭବନ ସମ୍ମୁଖସ୍ଥ କୁଳଗୌରବ ମଧୁସୂଦନ ଦାସଙ୍କ ବିଜେସ୍ଥଳୀ ପର୍ଯ୍ୟନ୍ତ କଳାପତାକା ପଟୁଆରରେ ଆସିଥିଲେ।

ଭାଷା ଆନ୍ଦୋଳନ ଓଡ଼ିଶାର ସହସଂପାଦକ ତଥା ସାମ୍ବାଦିକ ସୌମ୍ୟରଂଜନ ନାୟକ ସମଗ୍ର କାର୍ଯ୍ୟକ୍ରମର ସିଧା ପ୍ରସାରଣ କରିଥିବା ବେଳେ, ଅନ୍ୟତମ ସହସଂପାଦକ ଓ ସୁପ୍ରତିଷ୍ଠିତ ଯୁବସଙ୍ଗଠକ ମାନସ ପଟ୍ଟନାୟକ ଏଥିରେ ସହଯୋଗ କରିଥିଲେ ।

Posted by Soumya Ranjan Nayak Iimc on Wednesday, September 5, 2018

ଭାଷା ଆଇନ ସଂଶୋଧନରେ ତଞ୍ଚକତା ହେତୁ ମୁଖ୍ୟମନ୍ତ୍ରୀ ବିଧାନସଭାର ସ୍ଵାଧୀକାର ଭଙ୍ଗ କରିଛନ୍ତି : ଭାଷା ଆନ୍ଦୋଳନ

ଓଡିଶା ସରକାରୀ ଭାଷା ଆଇନରେ ଗତ ବିଧାନସଭାରେ ଯେଉଁ ସଂଶୋଧନ କରାଯାଇଛି ତହିଁରେ ଚଂଚକତା ଆଚରଣ କରି ବିଧାନସଭାକୁ ପ୍ରତାରିତ ଓ ବିଭ୍ରାନ୍ତ କରିଥିବା ହେତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ସଂସଦୀୟ ବ୍ୟାପାର ବିଭାଗ ମନ୍ତ୍ରୀ ବିକ୍ରମ ଆରୁଖ ବିଧାନସଭାର ସ୍ବାଧୀକାର ଭଙ୍ଗ କରିଛନ୍ତି । ଏହି ଗର୍ହିତ ଆଚରଣ ହେତୁ ବିଧାନସଭା ନିଜ ମର୍ଯ୍ୟାଦା ରକ୍ଷା କରିବା ପାଇଁ ଏ ଉଭୟଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ କରୁ ବୋଲି ଭାଷା ଆନ୍ଦୋଳନର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦାବି ରଖିଛନ୍ତି ।

ଏହି ସମ୍ମିଳନୀରେ ଡଃ କୁଳମଣି ନାୟକ,କମଳଲୋଚନ ନାୟକ,ପ୍ରମୋଦ କୁମାର ଦେବ,ଭବାନୀ ଶଙ୍କର ପରିଜା ଓ ସଂଜୀବ ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

ନିମ୍ନରେ ପ୍ରେସ ବିବୃତ୍ତିର ନକଲ ଉପସ୍ଥାପିତ ହେଲା :

ଭୁବନେଶ୍ୱର , ୪. ୯. ୨୦୧୮

ଚଳିତ ବିଧାନସଭା ଅଧିବେଶନ ପାଇଁ ସରକାର ଯେଉଁ ସମସ୍ତ ଆଇନ ପ୍ରଣୟନ / ସଂଶୋଧନର ପ୍ରସ୍ତାବ ରଖିଛନ୍ତି ତହିଁରେ ଓଡିଶା ସରକାରୀ ଭାଷା ଆଇନ ସଂଶୋଧନପାଇଁ କୌଣସି ପ୍ରସ୍ତାବ ନାହିଁ । ଏହା ସାବ୍ୟସ୍ତ କରୁଛି କି, ସରକାରୀ ଭାଷା ଆଇନର ଉଦ୍ଦେଶ୍ୟ ପଣ୍ଡ କରିବା ପାଇଁ ତହିଁରେ ସଂଶୋଧନ ଘଟାଇବା ଓ ତାହା ବିରୁଦ୍ଧରେ ଭାଷା ଆନ୍ଦୋଳନର କଣ୍ଠରୋଧ କରିବାକୁ ତହିଁର ଦୁଇଜଣ କର୍ମକର୍ତ୍ତାଙ୍କୁ ପୋଷା ମନାଇ କଳାପତାକା ଅଭିଯାନ ସ୍ଥଗିତ ହୋଇଗଲା ବୋଲି ସେମାନଙ୍କ ମୁହଁରେ ମିଥ୍ୟା ପ୍ରଚାର କରି ଓଡ଼ିଶାର ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା ହୋଇଛି । ଏହା ସରକାରଙ୍କ ଘୋର ଓଡ଼ିଆ ବିରୋଧୀ ମାନସିକତାର ପରିଚାୟକ ।

ଏହି ପ୍ରେକ୍ଷାପଟରେ ଚଳିତ ବିଧାନସଭା ଅଧିବେଶନ ନିଜ ଆଡୁ ଓଡିଶା ସରକାରୀ ଭାଷା (ସଂଶୋଧନ) ବିଧେୟକ, ୨୦୧୮ ପ୍ରତି ଦୃଷ୍ଟି ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତଥା ତାଙ୍କ ତରଫରୁ ସେହି ବିଧେୟକକୁ ବିଧାନସଭାରେ ଉପସ୍ଥାପିତ ଓ ପାରିତ କରାଇଥିବା ମନ୍ତ୍ରୀ ବିକ୍ରମ ଆରୁଖଙ୍କ ବିରୁଦ୍ଧରେ ସ୍ବାଧୀକାର ଭଙ୍ଗ ସକାଶେ ବିହିତ କାର୍ଯ୍ୟାନୁଷ୍ଠାନ କରିବା ଆବଶ୍ୟକ । କାରଣ ତଦ୍ଦ୍ଵାରା ହିଁ ଓଡିଶା ବିଧାନସଭା ନିଜ ସମ୍ମାନ ନିଜେ ରକ୍ଷା କରିପାରିବ ।

ଏହି ବିବାଦୀୟ ବିଧେୟକର ‘ଉଦ୍ଦେଶ୍ୟ ଓ କାରଣ କଥନ’ରେ ସରକାର ଏହା ୨୬. ୧୨.୨୦୧୭ର କ୍ୟାବିନେଟ ପ୍ରସ୍ତାବ ଉପରେ ଆଧାରିତ ବୋଲି କହିଛନ୍ତି । ଏତଦ୍ଦ୍ଵାରା ସରକାର ଜାଣିଶୁଣି ବିଧାନସଭାକୁ ୧୪. ୩ . ୨୦୧୮ରେ ଗୃହୀତ ହୋଇଥିବା କ୍ୟାବିନେଟ ପ୍ରସ୍ତାବ ସମ୍ପର୍କରେ ଅନ୍ଧକାରରେ ରଖିଛନ୍ତି । କାର୍ଯ୍ୟ ନିଯମାବଳୀ (Rules of Business)ର ସଂପୂର୍ଣ୍ଣ ଉଲ୍ଲଂଘନ କରି ୨୬. ୧ ୨. ୨୦୧୭ର କ୍ୟାବିନେଟ ପ୍ରସ୍ତାବରେ ଓଡ଼ିଶା ସରକାରୀ ଭାଷା ଆଇନର ପରିସର ସଂକୁଚିତ କରି ଆଇନଟିର ମୂଳ ଉଦ୍ଦେଶ୍ୟକୁ ପଣ୍ଡ କରିବା କୌଶଳ ଖଞ୍ଜା ହୋଇଥିଲା । ବ୍ୟାପକଭାବେ ଓଡ଼ିଆରେ କାମ ନକଲେ କର୍ମଚାରୀ ତଥା ବିଭାଗକୁ ଦଣ୍ଡିତ କରାଯିବ ବୋଲି କୁହା ହୋଇଥିଲା । କର୍ମଚାରୀଙ୍କ ଭୁଲ ହେତୁ ବିଭାଗକୁ ଦଣ୍ଡିତ କରାଗଲେ ତାହା ଟିକସଦାତା ଜନସାଧାରଣଙ୍କୁ ଦଣ୍ଡିତ କରିବା ସହ ସମାନ ବୋଲି ଆମ୍ଭେ ପ୍ରତିବାଦ କରାଗଲା ପରେ ୧୪. ୩ . ୨୦୧୮ରେ ପୁନର୍ବାର କ୍ୟାବିନେଟ ବସି ପ୍ରସ୍ତାବ କରିଥିଲେ କି, ଭାଷା ଆଇନର ଉଲ୍ଲଙ୍ଘନ ପାଇଁ କୌଣସି ବିଭାଗକୁ ଦଣ୍ଡିତ କରାଯିବ ନାହିଁ ; କେବଳ କର୍ମଚାରୀ ଓ ପଦାଧିକାରୀଙ୍କୁ ଦଣ୍ଡିତ କରାଯିବ ଏବଂ ଏଥିପାଇଁ ତୁରନ୍ତ ଭାଷା ଆଇନ ସଂଶୋଧିତ ହେବ ।

ଉଲ୍ଲେଖନୀୟ ଯେ, ଏହି ପ୍ରସ୍ତାବିତ ସଂଶୋଧନର ଉଦ୍ଦେଶ୍ୟ ଓ କାରଣ ମଧ୍ୟ ଏହି ୧୪. ୩ . ୨୦୧୮ କ୍ୟାବିନେଟ ବୈଠକରେ ଧାର୍ଯ୍ୟ କରାହୋଇ ଯେହେତୁ ଆଇନଟିର ଉଲ୍ଲଙ୍ଘନ ପାଇଁ ଦଣ୍ଡବିଧାନର ବ୍ୟବସ୍ଥା ନାହିଁ, ସେହେତୁ ଏହାକୁ କେହି ମାନୁନାହାନ୍ତି ବୋଲି କୁହା ହୋଇଥିଲା । ଅଥଚ ଏହି ନିର୍ଦ୍ଦେଶକୁ ମୁଖ୍ୟମନ୍ତ୍ରୀ ଅବଜ୍ଞା କଲେ କେବଳ ନୁହେଁ, ଏହି ପ୍ରସ୍ତାବ ଅନୁସାରେ ପ୍ରସ୍ତୁତ ବିଧେୟକକୁ ଜାଲିଆତି ବଳରେ ବଦଳାଇ ଏପରି ସଞ୍ଚାଳିତ କଲେ ଯେ, ଏହି ଜାଲିଆତି ହିଁ ବିଧିକୃତ ହୋଇଗଲା । ଓଡ଼ିଶା କାହିଁକି, କୌଣସି ରାଜ୍ୟ ଓ ଦେଶରେ ବିଧାନ ପ୍ରଣାୟକ କ୍ଷେତ୍ରରେ ଏପରି ଜାଲିଆତି ବ୍ୟବହୃତ ହୋଇନାହିଁ  । ଆମ ମୁଖ୍ୟମନ୍ତ୍ରୀଙ୍କର ଓଡ଼ିଆ ଭାଷା ପ୍ରତି ଥିବା ବିଦ୍ଵେଷର ଏହାହିଁ ପରିଣତି ।

ବିଧାନସଭା ଅଧିବେଶନର ଶେଷ ଦିନରେ ଆଗତ ଓ ପାରିତ ହୋଇଥିବା ଭାଷା ଆଇନ ସଂଶୋଧନରେ ୧୪.୩.୨୦୧୮ତାରିଖର ଆଇନ ଅନୁମୋଦିତ  ଗୁରୁତ୍ବପୂର୍ଣ କ୍ୟାବିନେଟ ନିଷ୍ପତ୍ତିକୁ ସମ୍ପୂର୍ଣ ଅନଧିକୃତ ଭାବେ କବର ଦେଇ ୨୬.୧୨. ୨୦୧୭ର କ୍ୟାବିନେଟ ପ୍ରସ୍ତାବକୁ ସଂଶୋଧନର ଭିତ୍ତି ବନାଇଛନ୍ତି ମୁଖ୍ୟମନ୍ତ୍ରୀ  ଓ ତାହାକୁ ମଧ୍ୟ ବିକୃତ କରାଯାଇଛି । ଉଦାହରଣତଃ , ସେହି କ୍ୟାବିନେଟ୍ ପ୍ରସ୍ତାବରେ ଓଡ଼ିଆରେ କାମ ନକରିବା କର୍ମଚାରୀ ଓ ବିଭାଗକୁ ଦଣ୍ଡିତ କରାଯିବ ବୋଲି କୁହା ହୋଇଥିଲା ବେଳେ, ଉପସ୍ଥାପିତ ଓ ପାରିତ ହୋଇଥିବା ବିଧେୟକରେ କର୍ମଚାରୀ କିମ୍ବା ବିଭାଗକୁ ଦଣ୍ଡିତ କରାଯିବ ବୋଲି ଉଲ୍ଲେଖ ଅଛି । କ୍ୟାବିନେଟ ପ୍ରସ୍ତାବର ଏପରି ବିକୃତିକରଣକରିବା ଓ ସବୁଠୁ ଗୁରୁତ୍ବପୂର୍ଣ ତଥ୍ୟ ଗୋପନ ରଖି ବିଧାନସଭାକୁ ବିଧାନ ପ୍ରଣୟନ କ୍ଷେତ୍ରରେ ବିଭ୍ରାନ୍ତ କରିବା ଯଦି ଓଡିଶା ବିଧାନସଭାର ସ୍ଵାଧୀକାର ଭଙ୍ଗ ଭାବେ ବିବେଚିତ ନ ହୁଏ, ବୁଝିବାକୁ ହେବ ଯେ, ପ୍ରଶାସନିକ କଳ ପାଖରେ ଆମ ରାଜନୈତିକ ଵିଜ୍ଞତା ବାମନ ହୋଇଗଲାଣି।

ଆମେ ଦାବି କରୁଛୁ କି,
(କ) ରାଜ୍ୟ କ୍ୟାବିନେଟ୍ ଗ୍ରହଣ କରିଥିବା ପ୍ରସ୍ତାବକୁ ଆଇନ ସଂଶୋଧନର ଚିଠା ପ୍ରସ୍ତୁତିରେ ଏପରି ସ୍ଵେଚ୍ଛାଚାରର ଶରବ୍ୟ କରିଥିବା ସମ୍ପୃକ୍ତ ପଦାଧିକାରୀଙ୍କୁ କଠିନ ଦଣ୍ଡ ଦିଆଯାଉ;

(ଖ) ନିଜେ କ୍ୟାବିନେଟ ବୈଠକରେ ଉପସ୍ଥିତ ଥାଇ ଗୃହୀତ କ୍ୟାବିନେଟ ପ୍ରସ୍ତାବକୁ କବର ଦିଆଯାଇଥିବା ଓ ବିକୃତ କରାଯାଇଥିବା ଜାଣି ମଧ୍ୟ ତାହାକୁ ସରକାରୀ ଭାଷା ଆଇନର ସଂଶୋଧନର ଭିତ୍ତି କରାଇ ବିଧାନସଭାକୁ ପ୍ରତାରିତ ଓ ବିଭ୍ରାନ୍ତ କରିଥିବା ମୁଖ୍ୟମନ୍ତ୍ରୀ ଓ ସାଂସଦୀୟ ବିଭାଗ ମନ୍ତ୍ରୀଙ୍କୁ ସ୍ଵାଧୀକାର ଭଙ୍ଗ ଅଭିଯୋଗର ସମ୍ମୁଖୀନ କରାଯାଉ;

(ଗ)୧୪.୩.୨୦୧୮ ତାରିଖର ପ୍ରସ୍ତାବ ଅନୁସାରେ ପ୍ରଣୀତ ଚିଠା ବିଧେୟକକୁ ୩୧.୩.୨୦୧୮ରେ ମୁଖ୍ୟମନ୍ତ୍ରୀ ଦେଇଥିବା “ନୋଟିସ”ରୁ ନିକାଲି ୨୬.୧୨୨୦୧୭ ତାରିଖର ପ୍ରସ୍ତାବ ଆଧାରିତ ଭିନ୍ନ ଏକ ଚିଠା ବିଧେୟକ ତହିଁରେ ସଂଯୁକ୍ତ କରି ବିଧାନସଭାକୁ ଭୁଲ ସଂଶୋଧନ କରିବାକୁ ବାଧ୍ୟ କରାଯାଇଛି କି ନାହିଁ ତାହାର ଯାଞ୍ଚ କରିବା ପାଇଁ ବିଧାନସଭା ନିଷ୍ପତ୍ତି ନେଉ ଓ ସେଥିପାଇଁ ଏକ ତଦନ୍ତ କମିଟି ଗଠନ କରୁ ; ଏବଂ

(ଘ) ଓଡିଶା ସରକାରୀ ଭାଷା (ସଂଶୋଧନ)ଆଇନ, ୨୦୧୮କୁ ବିଲୋପ କରି, ଭାଷା ଆନ୍ଦୋଳନର ଅଧ୍ୟକ୍ଷ ଦେଇଥିବା ପ୍ରସ୍ତାବ ଅନୁସାରେ ସାନି ସଂଶୋଧନ କରାଯାଉ ।

(ସୁଭାଷ ଚନ୍ଦ୍ର ପଟ୍ଟନାୟକ)
ଅଧ୍ୟକ୍ଷ, ଭାଷା ଆନ୍ଦୋଳନ, ଓଡ଼ିଶା

ଭାଷା ଆନ୍ଦୋଳନର ଔପଚାରିକ ନେତୃତ୍ବ ସୃଷ୍ଟି

ଭାଷା ଆନ୍ଦୋଳନ ଏଯାଏଁ ଏକ ଅନୌପଚାରିକ ନେତୃତ୍ବରେ ପରିଚାଳିତ ହେଉଥିଲା । ସୁତରାଂ ଏକ ଔପଚାରିକ ନେତୃତ୍ବ ଗଠନ କରାଯାଇଛି । ଯଥା :

ଉପଦେଷ୍ଠା ମଣ୍ଡଳୀ
ଭାଷାତପସ୍ବୀ ଗଜାନନ ମିଶ୍ର (ଟିଟିଲାଗଡ଼), ପ୍ରଫେସର ଗିରିଜା ଶଙ୍କର ଶର୍ମା (ସମ୍ବଲପୁର), କୃଷ୍ନା ମହାନ୍ତି (ଅନୁଗୁଳ), ମଧୁମିତା ସାମଲ, ଭବାନୀଶଙ୍କର ପରିଜା, ବିଚିତ୍ରାନନ୍ଦ ସାହୁ (ରାଉରକେଲା), କୁଳମଣି ଶୁକ୍ଳ (ଯାଜପୁର), କାହ୍ନୁ ବେହୁରା ଓ ବୈଜ୍ଞାନିକ ଡକ୍ଟର ଅଶୋକ ମିଶ୍ର ।

ଅଧ୍ୟକ୍ଷ : ସୁଭାଷ ଚନ୍ଦ୍ର ପଟ୍ଟନାୟକ ।
ସଭାପତି : ପ୍ରଫେସର ଡକ୍ଟର କୁଳମଣି ନାୟକ ।
ଉପସଭାପତି : କଳାରତ୍ନ ବଂଶୀଧର କର (ସମ୍ବଲପୁର), ଅଶୋକ ପରିଡା (ଫୁଲବାଣୀ) ଓ କମଳଲୋଚନ ନାୟକ ।
ସମ୍ପାଦକ: ପ୍ରମୋଦ କୁମାର ଦେବ ।
ସହ ସମ୍ପାଦକ : ସୌମ୍ୟରଂଜନ ନାୟକ (ଛତ୍ରପୁର), ସଂଘମିତ୍ରା ଜେନା ଓ ମାନସ ପଟ୍ଟନାୟକ ।
କୋଷାଧ୍ୟକ୍ଷ : ବୀରକିଶୋର ବେହେରା ।
କାର୍ଯ୍ୟକାରୀ କମିଟି ସଦସ୍ୟ : ରଞ୍ଜନ କୁମାର ଦାସ (କେନ୍ଦ୍ରାପଡ଼ା), ରାଜେନ୍ଦ୍ର ବିଶ୍ୱାଳ (ଯାଜପୁର ରୋଡ଼), ସୁଭାଷ ଚନ୍ଦ୍ର ପ୍ରଧାନ, ନରେଶ ମହାନ୍ତି, ପ୍ରମୋଦ ପଢ଼ିଆରୀ, ଶ୍ରୀମତୀ ନନ୍ଦିନୀ ଶତପଥୀ, ଶ୍ରୀମତୀ ସଂଗୀତା କିଷାନ (ସମ୍ବଲପୁର), ଶ୍ରୀମତୀ ରଞ୍ଜୁଲତା ମହାପାତ୍ର, ନରେନ୍ଦ୍ର ବେହେରା (ଅନୁଗୁଳ), ଆନନ୍ଦ ମହାପାତ୍ର (ସମ୍ବଲପୁର), ବିନୟ ପାଣିଗ୍ରାହୀ, ଶିଶିର କୁମାର ସାହୁ, ଜିତେନ୍ଦ୍ର ସାହୁ (କଟକ),କମଳାକାନ୍ତ ପତି (ସାଲେପୁର), ମନୋଜ କୁମାର ପଣ୍ଡା (ରେଙ୍ଗାଲି, ଅନୁଗୁଳ) ଓ ସୁରନାରାୟଣ ପାତ୍ର (ରାଉରକେଲା)।

ସର୍ବସାଧାରଣଙ୍କ ଅବଗତି ପାଇଁ ଏହା ଜାରିକରାଗଲା ।

ଓଡ଼ିଆ ଭାଷା ଜାତୀୟତା ସୃଷ୍ଟି ପାଇଁ ଗଙ୍ଗାଧର ମେହେରଙ୍କ ସାରସ୍ବତ ବିପ୍ଳବ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ସମ୍ବଲପୁର ଅଂଚଳ – ଯାହାକୁ ସାଧାରଣତଃ ପଶ୍ଚିମ ଓଡ଼ିଶା କୁହାହେଉଛି – ଇଂରାଜୀ କବଳରେ ପଡ଼ି ମଧ୍ୟପ୍ରଦେଶ ଅନ୍ତର୍ଗତ ହୋଇଗଲା ଏବଂ ଓଡ଼ିଆ ପରିବର୍ତ୍ତେ ସେଠାରେ ୧୮୯୬ ଜାନୁଆରୀ ପହିଲାରୁ ହିନ୍ଦୀ ହିଁ ରାଜଭାଷା ହେବ ବୋଲି ଆଦେଶ ହେଲା ।

ଏହା ବିରୁଦ୍ଧରେ ଯେଉଁ ଅତୁଳନୀୟ ଜନ ଆନ୍ଦୋଳନ ହେଲା ତାହା ମୁଁ ଅନ୍ୟତ୍ର ଲେଖିଛି । ଏହି ପ୍ରତିବେଦନରେ ମୁଁ କେବଳ ଏହି ଆନ୍ଦୋଳନ ପ୍ରତି ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ଅବଦାନ ଉଲ୍ଲେଖ କରିବି; କାରଣ ଆଜି ତାଙ୍କର ଶୁଭ ଜନ୍ମଦିନ ।

ବିଲାତି ସରକାରଙ୍କ ପ୍ରିୟପାତ୍ର ହୋଇ ରହିବାକୁ ବ୍ୟାକୁଳ ଥିବା ସେ ଅଂଚଳର ବାମଣ୍ଡା,ବଲାଙ୍ଗୀର,କଳାହାଣ୍ଡି,ସୁବର୍ଣ୍ଣପୁର,ବରପଲ୍ଲୀ ଆଦି ରାଜ୍ୟର ରାଜା ଜମିଦାରମାନେ ଓଡ଼ିଆ ଜାତିର ଏହି ଚରମ ଦୁର୍ଦ୍ଦିନରେ ପ୍ରତିବାଦ କରିବା ପରିବର୍ତ୍ତେ ମଉଜ ମଜଲିସରେ ମାତିଥିଲେ ଓ ସବୁ ଦେଖି କିଛି ନଦେଖିଲା ପରି ରହିଥିଲେ ।
ଉତ୍କଳଭାରତୀଙ୍କ ନିବେଦନ ଶୀର୍ଷକ ଏକ କବିତା ମାଧ୍ୟମରେ ଗଙ୍ଗାଧର ଜଣାଇଥିଲେ ତହିଁର ତୀବ୍ର ପ୍ରତିବାଦ ।

ବଲାଙ୍ଗୀର ରାଜାଙ୍କୁ ଭର୍ତ୍ସନା କରି ସେ ଲେଖିଥିଲେ :

“ରାମଚନ୍ଦ୍ର ଦେବ ପାଟଣା ମହୀମଣ୍ଡଳେ ଶୂର
ବାଘ ମାରିବାକୁ ବୁଲୁଛ ବଣେ ନିଶି ବାସର ।
ଗୁହାଳରେ ପଶି ଶୃଗାଳ ଖାଇ ଯାଉଛି ଗାଈ
ଏ ଆଡ଼କୁ କିମ୍ପା ତୁମର କିଛି ନଜର ନାଇଁ ?
ଏ ଗାଈଟି ମଲେ ମିଳିବ ନାହିଁ ମଧୁର କ୍ଷୀର
ଶୃଗାଳ ନ ପଶୁ ଗୁହାଳେ ଆହେ ଚୌହାନ ବୀର ।”

ସେହିପରି କଳାହାଣ୍ଡି ରାଜାଙ୍କୁ ଭର୍ତ୍ସନା କରି ସେ ଲେଖିଥିଲେ,

“ଦେଖା କି ନା ରଘୁକିଶୋର କଳାହାଣ୍ଡି ଭୂପତି
ଘର ଭାତ ହାଣ୍ଡି ନୁହେଁ କି ମୁଁ ଉତ୍କଳ ଭାରତୀ ?
ସେହି ଭାତ ହାଣ୍ଡି ଆଗରେ ତୁମ୍ଭେ ଯାଉଛ ଫୁଟି
ଖାଇବାକୁ ଏବେ ପଡ଼ିବ ଶୁଖା କର୍କଶ ରୁଟି ।”

ମେହେରଙ୍କ ଭର୍ତ୍ସନାରୁ ରକ୍ଷା ପାଇପାରିନଥିଲେ ସୁବର୍ଣପୁରର ରାଜା । ସେ ତାଙ୍କୁ ତାଙ୍କ ସଂସ୍କୃତପ୍ରୀତି କଥା ଚେତେଇ ଦେଇ ମାତୃଭାଷା ପ୍ରତି ଅବହେଳା ପାଇଁ ଆକ୍ଷେପ କରି କହିଥିଲେ,

“ସୁବର୍ଣ୍ଣପୁରପତି ବସିଛ ସ୍ଵର୍ଣ୍ଣମୟ ଆସନେ
ସଂସ୍କୃତେ ମାତିଛ ମୋ କଥା କାହିଁ ପଡିବ ମନେ?”

ଏପରିକି ତାଙ୍କ ନିଜ ରାଜ୍ୟ ବରପାଲିର ଜମିଦାରଙ୍କୁ ଓଡ଼ିଆ ଭାଷା ପ୍ରତି ଅବହେଳା ସକାଶେ କଠୋର ସମାଲୋଚନା କରିବାକୁ କୁଣ୍ଠିତ ହୋଇନଥିଲେ ସ୍ଵଭାଵ କବି । ଓଡ଼ିଆ ଭାଷା ସପକ୍ଷରେ କଥା କହିଲେ କାଳେ ବିଲାତି ସରକାର ଉପାଧି ଛଡାଇନେବେ ସେହି ଭୟରେ ସେ ନୀରବ ଥିବାର ଆକ୍ଷେପ ଉତ୍କଳ ଭାରତୀଙ୍କ ରୋଦନ ଆଳରେ ପ୍ରକଟିଉଠିଥିଲା କବି କଲମରୁ :

“ବରପଲ୍ଲୀପତି ଜାଣଇ ମୁହିଁ ତୁମ୍ଭର ମନ ।
ମୋହ ଲାଗି କହି ପାରିବ ପଦେଅଧେ ବଚନ ?
ହରିହର ସିଂହ ତୁମ୍ଭେ ତ କିଛି କହିବ ନାହିଁ
କହିଲେ ଅବା ଉପାଧିଟି ରାଜେ ନେବେ ଛଡ଼ାଇ !”

ମାତୃଭାଷା ଓଡ଼ିଆର ବିକାଶ, ବିସ୍ତାର ଓ ସୁରକ୍ଷା ପାଇଁ ନିଜ ନିଜକୁ ଉତ୍ସର୍ଗ କରିଥିବା ପ୍ରଜାବର୍ଗଙ୍କୁ ଏହି କବିତାରେ ହାର୍ଦ୍ଦିକ ପ୍ରଶଂସା କରି ଉପରୋକ୍ତ ରାଜାମାନଙ୍କୁ ସେମାନଙ୍କ ବିଦେଶୀ ଭାଷା ପ୍ରୀତି ପାଇଁ ସ୍ଵଭାଵ କବି ଯେଉଁ କାଟୁ ଭର୍ସନା କରିଥିଲେ ତାହା କେବଳ ଅନନ୍ୟ ଥିଲା ତା ନୁହେଁ, ସମ୍ବଲପୁର ଅଂଚଳରେ ଭାରତର ପ୍ରଥମ ଭାଷା-ଜାତୀୟତାର ଯେଉଁ ଉନ୍ମେଷ ଓ ବିକାଶ ଘଟିଥିଲା , ଯାହା ସହଜ କରିଦେଇଥିଲା ଓଡିଶା ପ୍ରଦେଶ ଗଠନ ପ୍ରକ୍ରିୟାକୁ, ତାହା ମୂଳରେ ବି ଥିଲା ଗଙ୍ଗାଧରଙ୍କ ଏହି ଅକୁତୋଭୟ ସାରସ୍ବତ ବିପ୍ଳବ ।

ଭାଷା ଆନ୍ଦୋଳନ : ଅର୍ଥମନ୍ତ୍ରୀଙ୍କ ଭୂମିକା ସନ୍ଦେହଘେରରେ

ସ୍ୱତନ୍ତ୍ର ପ୍ରତିନିଧି

ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ଅପରିହାର୍ଯ୍ୟ କରିବା ପାଇଁ ଓଡିଶା ସରକାରୀ ଭାଷା ଆଇନର ଉପଯୁକ୍ତ ସଂଶୋଧନ ସକାଶେ ଚାଲିଥିବା କଳାପତାକା ଅଭିଯାନ ଯେତେବେଳେ ଆହୁରି ସଘନ ହେବା ଆବଶ୍ୟକ ଥିଲା, ସେତେବେଳେ ଏହି ଅଭିଯାନ ସହ ଜଡ଼ିତ ଦୁଇଜଣ ବ୍ୟକ୍ତି – ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥା – ଅଭିଯାନ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ ରହିଲା ବୋଲି ୧୬. ୭. ୨୦୧୮ ସନ୍ଧ୍ୟାରେ ଏକ ପ୍ରେସ ବିବୃତ୍ତିରେ ଘୋଷଣା କଲେ । ସେମାନଙ୍କ କାମ ଥିଲା ପତାକା ଧରିବାକୁ ପ୍ରତିଦିନ ଚାରିଜଣ ସାଥୀ ଯୋଗେଇବା ଓ ଗଣମାଧ୍ୟମରେ ତଥା ସରକାରୀ ସ୍ତରରେ ପ୍ରସଙ୍ଗ ଉପସ୍ଥାପନା ତଥା ଆଲୋଚନା କାଳରେ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କୁ ସହଯୋଗ କରିବା, ଯାହା ସେମାନେ ନିଷ୍ଠାର ସହ କରିଆସିଥିଲେ । ଅଭିଯାନ ବନ୍ଦ ରହିଲା ବୋଲି ଘୋଷଣା କରିବା ପାଇଁ ସେମାନେ ଅଧିକୃତ ନ ଥିଲେ । ଫଳରେ ମାତୃଭାଷାଭକ୍ତ ଓଡ଼ିଆ ଜାତି ସେମାନଙ୍କ ଏହି ଅନଧିକୃତ ଘୋଷଣାକୁ ପ୍ରତ୍ୟାଖ୍ୟାନ କରିଛି ଓ କଳାପତାକା ଅଭିଯାନ ଅଧିକ ଶାଣିତ ଆବେଗରେ ଯଥାରୀତି ଚାଲିଛି ।

କିନ୍ତୁ ଶତପଥୀ ଓ ମହାରଥା ଜାରିକରିଥିବା ପ୍ରେସ ବିବୃତ୍ତି ଜନସାଧାରଣଙ୍କ ଦ୍ଵାରା ପ୍ରତ୍ୟାଖ୍ୟାତ ହୋଇଯାଇଥିବା ହେତୁ ଓ କଳାପତାକା ଅଭିଯାନ ବନ୍ଦ ରଖିବାକୁ ସେମାନେ ଅବକାରୀ ଓ ଅର୍ଥ ବିଭାଗଦ୍ଵୟର ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ଦେଇଥିବା ପ୍ରତିଶ୍ରୁତି ଅକାମି ହୋଇଯାଇଥିବା ହେତୁ ତାଙ୍କ ସ୍ତ୍ରୀ ଓ ଝିଅଙ୍କ ଜୀବନ ବିପଦାପନ୍ନ ବୋଲି ସାମାଜିକ ଗଣମାଧ୍ୟମ ଫେସ ବୁକ ପୃଷ୍ଠାରେ ଉଲ୍ଲେଖ କରି ପବିତ୍ର ମହାରଥା ମନ୍ତ୍ରୀ ଶ୍ରୀ ବେହେରାଙ୍କ ଭୂମିକାକୁ ସନ୍ଦେହ ଘେରକୁ ଟାଣି ଆଣିଛନ୍ତି ।

ଏହି ପ୍ରେକ୍ଷାପଟରେ ମନ୍ତ୍ରୀ ଶ୍ରୀ ବେହେରା ନିଜ ସ୍ଥିତି ସ୍ପଷ୍ଟ କରିବାକୁ ଭାଷା ଆନ୍ଦୋଳନର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ ତାଙ୍କୁ ଏକ ପତ୍ର ପ୍ରେରଣ କରିଛନ୍ତି ।

ତହିଁରେ ସେ ଲେଖିଛନ୍ତି,

“ଉପରୋକ୍ତ ଦୁଇଜଣ ବ୍ୟକ୍ତି ଏହାକୁ (କଳାପତାକା ଅଭିଯାନକୁ) ସ୍ଥଗିତ ରଖିବା ପାଇଁ ଯେହେତୁ ଆପଣଙ୍କ ନାମ ବ୍ୟବହାର କରିଥିଲେ , ଅଥଚ ଗତ କ୍ୟାବିନେଟ ବୈଠକରେ ଆପଣ ସେମାନଙ୍କୁ ଦେଇଥିବା ପ୍ରତିଶ୍ରୁତିର କୌଣସି ଝଲକ ବି ଦେଖିହେଲାନାହିଁ, ସେ ହେତୁ ଆପଣଙ୍କ ନାମ ସେମାନେ ଅଧିକୃତ ଭାବେ ବ୍ୟବହାର କରିଥିଲେ କି ଅନଧିକୃତ ଭାବେ ତାହା ଜାଣିବା ପାଇଁ ସେମାନେ ଜାରିକରିଥିବା ପ୍ରେସ ବିବୃତ୍ତିର ନକଲ ମୁଁ ଏଥି ସହ ସଂଯୁକ୍ତ କଲି । ମୁଁ ଆଶା କରୁଛି ଆପଣ ଏହା ଅନୁଧ୍ୟାନ କରିବେ ଓ ନିଜ ଭୂମିକା ସ୍ପଷ୍ଟ କରି ମୋତେ ଆପଣଙ୍କ ଉତ୍ତର ଦେବେ । ଆପଣ ଯେଉଁ ଉତ୍ତର ଦେବେ ତାହା ମୁଁ ଓଡ଼ିଶାର ଜନସାଧାରଣଙ୍କ ସମ୍ମୁଖରେ ରଖିବି ଓ ଯଦି କୌଣସି ଉତ୍ତର ନ ଦିଅନ୍ତି ତାହା ବି ମୁଁ ଜନସାଧାରଣଙ୍କୁ ଜଣାଇବି । କାରଣ ପରୋକ୍ଷରେ ପବିତ୍ର ମହାରଥା ଏପରି ଏକ ଧାରଣା ସୃଷ୍ଟି କରିଛନ୍ତି ଯହିଁରୁ ଜଣା ପଡୁଛି ସତେ ଯେମିତି କଳାପତାକା ଅଭିଯାନ ବନ୍ଦ କରିବା ପାଇଁ ମୋଟା ଧରଣର ଆର୍ଥିକ ପ୍ରଲୋଭନ ଦ୍ଵାରା ତାଙ୍କୁ ପ୍ରଲୋଭିତ କରାଯାଇଥିଲା । ଏହା ଏକ ଅତ୍ୟନ୍ତ ଦୁଃଖଦାୟକ ବିଭାବନା । ଆମ ରାଜ୍ୟର କୌଣସି ମାନ୍ୟବର ମନ୍ତ୍ରୀ ଏପରି ଏକ ବିଭାବନାର ନାଭିକେନ୍ଦ୍ରରେ ସଂସ୍ଥିତ ହେବା – ତାଙ୍କ ଜ୍ଞାତସାରରେ ହେଉ ବା ଅଜ୍ଞାତରେ – ଆଦୌ କାମ୍ୟ ନୁହେଁ ।”

ପ୍ରେସ ବିବୃତ୍ତିଟିକୁ ଅନୁଧ୍ୟାନ କରିବାକୁ ଶ୍ରୀ ବେହେରାଙ୍କୁ ଅନୁରୋଧ କରି ଶ୍ରୀ ପଟ୍ଟନାୟକ ତାଙ୍କଠାରୁ ତିନି ଗୋଟି ପ୍ରଶ୍ନର ଉତ୍ତର ଚାହିଁଛନ୍ତି । ସେଗୁଡିକ ହେଲା :

(୧) ଏଥିରେ କୁହାହୋଇଥିବା ପରି ବିଧାନସଭାରେ ଭାଷା ଆଇନର ନିର୍ଭୁଲ ସଂଶୋଧନ ପାଇଁ ପ୍ରତିଶ୍ରୁତି ଆପଣ ଦେଇଥିଲେ କି ?
(୨) ଏପରି ପ୍ରତିଶ୍ରୁତି ଦେବାକୁ ଆପଣଙ୍କୁ ଭାଷା ଆଇନର ଦାୟିତ୍ବରେ ଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ କି ?
(୩) ଯଦି ଦେଇଥିଲେ, ଗତ କ୍ୟାବିନେଟ୍ ବୈଠକରେ ତାହା ପ୍ରସ୍ତାବିତ ନ ହେବାର କାରଣ କଣ ?

ଅର୍ଥ ମନ୍ତ୍ରୀଙ୍କ ଉତ୍ତର ଯେତେ ଶୀଘ୍ର ମିଳେ ସେତେ ଭଲ ।