ଭାଷା ଆନ୍ଦୋଳନର ସାପ୍ତାହନ୍ତ ସିଦ୍ଧାନ୍ତ: ବ୍ୟଙ୍ଗ ସାହିତ୍ୟକୁ ବିଧିକ ମାନ୍ୟତା ପ୍ରଦାନ ହେଉ

(ସୂତ୍ର: ଆମ ଭାଷା ଆମ ଅଧିକାର )

ଗତ ରବିବାର(୩୦/୦୮/୨୦୨୦)ସନ୍ଧ୍ୟାରେ, ଭାଷା ଆନ୍ଦୋଳନର ସାପ୍ତାହିକ ଆଲୋଚନାଚକ୍ର ପୂର୍ବ ଥର ପରି ଭର୍ଚୁଆଲ ଶୈଳୀରେ ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନାଚକ୍ରରେ ଓଡ଼ିଶାର କୋଣ ଅନୁକୋଣରୁ ଭାଷାପ୍ରେମୀମାନେ ଅଂଶଗ୍ରହଣ କରିଥିଲେ । 

ଶ୍ରୀଯୁକ୍ତ ଶ୍ୟାମଘନ ମହାରଣାଙ୍କ ଦ୍ୱାରା ଭାଷା ବନ୍ଦନାରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।
ଆଲୋଚନାର ମୁଖ୍ୟ ବିଷୟବସ୍ତୁ ଥିଲା “ଓଡ଼ିଆ ଭାଷା-ସାହିତ୍ୟ ପ୍ରତି ଯୁବ-ସମାଜର ଆଭିମୁଖ୍ୟ।”

ମହାନ ଆମ ମାତୃଭାଷା ସଂଗଠନ ର ପ୍ରତିଷ୍ଠାତା ଶ୍ରୀ ରାଜେଶ କୁମାର ଶତପଥୀ ନିଜ ଆଲୋଚନା ମାଧ୍ୟମରେ ନିମ୍ନ କେତୋଟି ମୁଖ୍ୟ ଦିଗ ପ୍ରତି ଆଲୋକପାତ କରିଥିଲେ। ସେଗୁଡିକ ହେଲା-

୧.ମହାବିଦ୍ୟାଳୟ/ବିଶ୍ୱବିଦ୍ୟାଳୟ ଗୁଡିକରେ ମାତୃଭାଷା ଶିକ୍ଷା ଢାଞ୍ଚାରେ ଏକ ବ୍ୟାପକ ପରିବର୍ତ୍ତନ ଆବଶ୍ୟକ;
୨. ଯୁବ-ସମାଜର ଆଶା ଓ ଆକାଂକ୍ଷାକୁ ଓଡ଼ିଆ ଭାଷା-ସାହିତ୍ୟ ନିଜ ବକ୍ଷରେ ସ୍ଥାନ ଦେବା ଦରକାର;
୩. ଛନ୍ଦ-ମୟ, ରାଗ-ରାଗିଣୀ ଯୁକ୍ତ,ଅଳଙ୍କାର ଯୁକ୍ତ ତଥା ସରଳ ଓ ସାଧାରଣ ମଣିଷର ବୋଧଗମ୍ୟ ହେଲା ଭଳି କାବ୍ୟ କବିତା ସୃଷ୍ଟି ହେବା ଉଚିତ; ଏବଂ ୪.ଯୁବ-ସମାଜକୁ ଭାଷାର ଆଵଶ୍ୟକତା ବିଷୟରେ ଅବଗତ/ସଚେତନ କରାଯିବା ଆବଶ୍ୟକ ।

ଏହି ଆଲୋଚନାଚକ୍ରରେ ଭାଗ ନେଇଥିବା ଭାଷାପ୍ରେମୀ ସୁଶାନ୍ତ କୁମାର ମାହାଳି,ଶ୍ୟାମଘନ ମହାରଣା,ସୌଭାଗ୍ୟ ରାଉତ,ମହେନ୍ଦ୍ର ତ୍ରିପାଠୀ, ସୁଶାନ୍ତ ସେଠୀ, ସରୋଜ କୁମାର ମହାନ୍ତି,ଜନ୍ମେଜୟ ପୁରୋହିତ,ନମାକ୍ଷୀ ପୁରୋହିତ,ଶ୍ରୀଲଷ୍ମୀ ନାୟକ,ଦୁର୍ଯ୍ୟୋଧନ ଦାସ, ନିଜ ନିଜ ମତାମତ ପ୍ରଦାନ କରିଥିଲେ।

ପରିଶେଷରେ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପଟ୍ଟନାୟକ  ଦୁଇଟି ନୂତନ ଯୋଜନା ବିଷୟରେ ଆଲୋଚନା କରିଥିଲେ ।

୧.ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ଏକ Facebook page ସୃଷ୍ଟି କରି, ନୂତନ ପ୍ରତିଭାମାନକୁ ସୁଯୋଗ ଦେବା  ଓ ୨.ବ୍ୟଙ୍ଗାତ୍ମକ ଲେଖାଗୁଡ଼ିକୁ ବିଦ୍ଧିବଦ୍ଧ ସାହିତ୍ୟର ସ୍ୱୀକୃତି ପ୍ରଦାନ କରିବା ଉପରେ ଭାଷା ଆନ୍ଦୋଦାନଳନର ଗୁରୁତ୍ବ ପ୍ରଦାନ ।

ଏହି ପ୍ରସ୍ତାବଗୁଡ଼ିକୁ  ଉପସ୍ଥିତ ସମସ୍ତେ ସମର୍ଥନ କରିଥିଲେ । ଧନ୍ୟବାଦ ଅର୍ପଣ ସହ ଆଲୋଚନାଚକ୍ର ଶେଷ ହୋଇଥିଲା।

ସମୁଦ୍ର ଲଙ୍ଘିଲେ ଗିରି କେତେ ମାତର?

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ସାମାଜିକ ଗଣମାଧ୍ୟମ ଫେସବୁକ ମଞ୍ଚରେ ଅଖିଳ ଭାରତ ଯୁବ ସଂଘର ସିଧା ପ୍ରସାରିତ ବକ୍ତୃତାମାଳାର ମଇ୨୮ ତାରିଖ ସନ୍ଧ୍ୟା ପାଇଁ ନିର୍ଦ୍ଧାରିତ ବିଷୟର ଶୀର୍ଷକ ଥିଲା ଜାତିର ବିକାଶରେ ମାତୃଭାଷାର ଭୂମିକା । ଭାଷା ଆନ୍ଦୋଳନର ବନ୍ଧୁମାନଙ୍କ ଅନୁରୋଧକ୍ରମେ ଆନ୍ଦୋଳନ ପାଇଁ ସେହି ସିଧା ପ୍ରସାରିତ ବକ୍ତୃତାର ଅଧିକ ପ୍ରାସଙ୍ଗିକ ଅଂଶ ବିଶେଷକୁ ୟୁଟ୍ୟୁବ୍ ମାଧ୍ୟମରେ ପ୍ରଦାନ କରାଯାଉଛି । ଏହା ତହିଁର ୩ୟ କିସ୍ତି । 

ଜାତୀୟ ଶିକ୍ଷାନୀତି ମାତୃଭାଷାର ପରିପନ୍ଥୀ : ପ୍ରଫେସର ଡଃ ଅମିୟ କୁମାର ମହାନ୍ତି

ଫେସବୁକରେ ସିଧା ପ୍ରସାରିତ ଏହି ଉଦ୍ବୋଧନ ସ୍ଵୟଂ ସମ୍ପୂର୍ଣ୍ଣ  । ଭାଷଣତିର ଲିଖିତ ରୂପ ପରେ ପ୍ରକାଶିତ ହେବ । 

ଭାଷା ସାମ୍ରାଜ୍ୟ ପାଇଁ ଦୀର୍ଘ ମିଆଦି କାର୍ଯ୍ୟକ୍ରମ ନିଆଯିବ : ଭାଷା ଅନ୍ଦୋଳନର ସପ୍ତାହନ୍ତ ପାଠଚକ୍ରରେ ନିଷ୍ପତ୍ତି  

(ସୂତ୍ର : ଆମ ଭାଷା ଆମ ଅଧିକାର)

ଗତ ରବିବାର(୨୩/୦୮/୨୦୨୦)ସନ୍ଧ୍ୟାରେ, ଭାଷା ଆନ୍ଦୋଳନର ସାପ୍ତାହିକ ଆଲୋଚନାଚକ୍ର ଭର୍ଚୁଆଲ ଶୈଳୀରେ ଅନୁଷ୍ଠିତ ହୋଇଯାଇଛି ।ଏହି ଆଲୋଚନାଚକ୍ରରେ ଓଡ଼ିଶାର କୋଣ ଅନୁକୋଣରୁ ଭାଷାପ୍ରେମୀ ମାନେ ଅଂଶଗ୍ରହଣ କରିଥିଲେ।

ଶ୍ରୀଯୁକ୍ତ ମହେନ୍ଦ୍ର ତ୍ରିପାଠୀଙ୍କ ଦ୍ୱାରା ଭାଷା ବନ୍ଦନାରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ତତ୍ପରେ ଶ୍ରୀ ଶଶିକାନ୍ତ ପଣ୍ଡା ସ୍ୱରଚିତ କବିତା “ଶବ୍ଦ-ଭାଷା” ଆବୃତ୍ତି କରିଥିଲେ। ଆଲୋଚନାର ମୁଖ୍ୟ ବିଷୟବସ୍ତୁ ଥିଲା,” ଓଡ଼ିଆ ଭାଷାର ସୁରକ୍ଷାରେ ସାହିତ୍ୟ ସଂଗଠନ/ଅନୁଷ୍ଠାନ ଗୁଡିକର ଭୂମିକା”। ଶ୍ରୀଯୁକ୍ତ ସୁଶାନ୍ତ ମାହାଳି, ନିଜ ଆଲୋଚନା ମାଧ୍ୟମରେ ନିମ୍ନ କେତୋଟି ମୁଖ୍ୟ ଦିଗ ପ୍ରତି ଆଲୋକପାତ କରିଥିଲେ। ସେଗୁଡିକ ହେଲା-

୧. ଓଡ଼ିଆ ସାହିତ୍ୟ ଅନୁଷ୍ଠାନ/ସଙ୍ଗଠନଗୁଡିକ ଭାଷା ଆନ୍ଦୋଳନ ସହ ନିଜକୁ ସାମିଲ କରିବା ଉଚିତ;

୨. ଓଡ଼ିଆ ଭାଷା-ସାହିତ୍ୟରେ ନବ ପ୍ରତିଭାମାନଙ୍କ ଉନ୍ମେଷ ଓ କ୍ରମ-ବିକାଶରେ ଏହି ଅନୁଷ୍ଠାନ/ସଙ୍ଗଠନମାନେ ନିଜ ଦାୟିତ୍ୱ ସୁଚାରୁରୂପେ ନିର୍ବାହ କରିବା ଆବଶ୍ୟକ;

୩. ସାହିତ୍ୟ ଅନୁଷ୍ଠାନ/ସଙ୍ଗଠନଗୁଡ଼ିକ ରାଜନୀତିରୁ ଦୂରେଇ ରହି ଭାଷା ସ୍ୱାର୍ଥ ପାଇଁ କାମ କରିବା ଆବଶ୍ୟକ;

୪. ଓଡ଼ିଆ ଭାଷା ସାମ୍ରାଜ୍ୟର ଆଵଶ୍ୟକତା ଉପରେ ଅଧିକ ଗବେଷଣା ଓ ଏହି ଗବେଷଣାଲବ୍ଧ ଜ୍ଞାନର ପ୍ରଚାର-ପ୍ରସାର ମଧ୍ୟ ଆବଶ୍ୟକ;

୫. ଭାଷା ସାମ୍ରାଜ୍ୟ ପ୍ରତିଷ୍ଠା ପାଇଁ ଆମକୁ ଏକ ଦୀର୍ଘ-ମିଆଦୀ ଯୋଜନା ପ୍ରସ୍ତୁତ କରିବା ସହିତ ଏକ ସୁଦୃଢ ବ୍ୟବସ୍ଥା ବିକଶିତକରିବାକୁ ହେବ।

ଏହି ଆଲୋଚନାଚକ୍ରରେ ଭାଗ ନେଇଥିବା ଭାଷାପ୍ରେମୀ  ରାଜେଶ ଶତପଥୀ, ଶ୍ୟାମଘନ ମହାରଣା, ନିରଂଜନ ଖିଲ୍ଲାର, ସୌଭାଗ୍ୟ ରାଉତ,ଶଶିକାନ୍ତ ପଣ୍ଡା, ଅଶୋକ ମହାରଣା,ମହେନ୍ଦ୍ର ତ୍ରିପାଠୀ, ସୁଶାନ୍ତ ସେଠୀ, ସୁଶାନ୍ତ ମାହାଳି,ତୃପ୍ତିମୟୀ ପାତ୍ର, ମଞ୍ଜୁଳା କର,ସରୋଜ କୁମାର ମହାନ୍ତି ଓ ଆମର ପ୍ରିୟ ନିର୍ମଳ ଭାଇ ନିଜ ନିଜ ମତାମତ ପ୍ରଦାନ କରିଥିଲେ। ଏହି ଆଲୋଚନାଚକ୍ର ମାଧ୍ୟମରେ ସମସ୍ତେ ନିମ୍ନ କେତୋଟି ନିଷ୍କର୍ଷରେ ଉପନୀତ ହେଲେ-

*ଆମ ସାହିତ୍ୟିକ ଓ ସାହିତ୍ୟ ଅନୁଷ୍ଠାନ/ସଙ୍ଗଠନମାନଙ୍କୁ ଭାଷା-ମନସ୍କ କରିବାକୁ ପଡିବ;

*ଭାଷା ପାଇଁ ବ୍ୟକ୍ତିଗତ ଶ୍ରଦ୍ଧାଭାବ ସହ ଆମର କର୍ତ୍ତବ୍ୟ ପାଳନ କରିବାକୁ ହେବ;

*ଓଡ଼ିଶାରେ ଓଡ଼ିଆ ଭାଷାର ଅପାଇହାର୍ଯ୍ୟତା ଉପରେ ଆଲୋଚନା ମାଧ୍ୟମରେ ସଚେତନତା ସୃଷ୍ଟି ପାଇଁ ସର୍ବବିଧ ଉଦ୍ୟମ କରିବାକୁ ହେବ;

*ସାହିତ୍ୟର ବ୍ୟବସାୟୀକରଣ ସମୟରେ, ଆମ ରାଜ୍ୟ ପରିଚାଳନାରେ ଆମ ଭାଷାର ସମ୍ପୂର୍ଣ ବ୍ୟବହାର ପାଇଁ ସହିତ୍ୟିକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ହେବ;

*ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କରି ଆମକୁ ସମଗ୍ର ଓଡ଼ିଶାରେ ଭାଷା ସାମ୍ରାଜ୍ୟ ସୃଷ୍ଟିର ଆବଶ୍ୟକତା ଉପରେ ଜନ-ଜାଗୃତି ଗଢିତୋଳିବାକୁ ହେବ;

*ଓଡ଼ିଆ ଭାଷା କେବଳ ସାହିତ୍ୟ ଭିତରେ ସୀମିତ ନରହି, ଯେପରି ଜୀବନ-ଜୀବିକାର ହେତୁ ହୁଏ, ତା ପାଇଁ ସାହିତ୍ୟିକମାନଙ୍କ ସହଯୋଗ କାମନା କରାଯିବ;

*ଆମ ଶିକ୍ଷା-ବ୍ୟବସ୍ଥାରେ ଓଡ଼ିଆ ଭାଷାକୁ ସମ୍ପୂର୍ଣ ପ୍ରଧାନ୍ୟ ଦେବାକୁ ଶୈକ୍ଷିକ ବିପ୍ଲବ ସୃଷ୍ଟିକରିବାକୁ ହେବ ।

 

ପରିଶେଷରେ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପଟନାୟକ ଆନ୍ଦୋଳନର ଅନୁଭୂତି, ଅଭିଜ୍ଞତା ତଥା ଓଡ଼ିଆ ଭାଷାକୁ ରାଜଭାଷା କରିବା ପଥରେ ଥିବା ଅନ୍ତରାୟ ବିଷୟରେ ଗଭୀର ଆଲୋକପାତ କରିଥିଲେ ଓ ଏହାର ପ୍ରଶାସନିକ ଓ ନ୍ୟାୟିକ ଦିଗ ବିଷୟରେ ସମସ୍ତଙ୍କୁ ସଚେତନ କରିଥିଲେ।

ଓଡ଼ିଶାର ସମସ୍ତ ସାହିତ୍ୟ ସଂଗଠନ/ଅନୁଷ୍ଠାନଗୁଡ଼ିକ ସହ ଯୋଗାଯୋଗ କରିବା ସହ ଭବିଷ୍ୟତରେ ଏକ ଗବେଷଣା ଧର୍ମୀ ପତ୍ରିକା ପ୍ରକାଶନ ପାଇଁ  ନିଷ୍ପତ୍ତି ନିଆଗଲା ।

ଓଡ଼ିଆଭାଷାକୁ ନଷ୍ଟ କରା ହେଉଛି, ତାକୁ ରକ୍ଷା କରିବାକୁ ହେବ : ବୈଷ୍ଣବ ଚରଣ ମହାନ୍ତି

ଓଡ଼ିଶା ଦାପ୍ତରିକ ଭାଷା ଆଇନକୁ କାର୍ଯ୍ୟକାରୀ କରାଯାଉନଥିବା ଫଳରେ ଓଡ଼ିଆ ଭାଷା ତାର ବ୍ୟବହାରିକ ଅପରିହାର୍ଯ୍ୟତା ହରାଇ ନଷ୍ଟ ହେବାକୁ ବସିଲାଣି; ତାକୁ ରକ୍ଷା କରିବାକୁ ହେବ ।

ଆଜି ସକାଳ ୧୦ ବେଳେ ଭାଷା ଆନ୍ଦୋଳନର ଡିଜିଟାଲ କଳା ପତାକା ଅଭିଯାନ ମଞ୍ଚ – ଭାଷା ମାଆ ପାଇଁ ପଦେ – ପୃଷ୍ଠାରୁ ଫେସ୍ ବୁକ୍ ମାଧ୍ୟମରେ ସିଧା ପ୍ରସାରିତ ଭାଷଣରେ ଏହା କହିଛନ୍ତି ସ୍ଵନାମଧାନ୍ୟ ପ୍ରାବନ୍ଧିକ ଓ ଚିନ୍ତକ ବୈଷ୍ଣବ ଚରଣ ମହାନ୍ତି ।

ଯାନ୍ତ୍ରିକ ଉପଯୋଗ ପାଇଁ ଆବଶ୍ୟକୀୟ ଲିପି ସଂସ୍କାର ଠାରୁ ଆରମ୍ଭ କରି ପ୍ରଶାସନିକ ଶବ୍ଦକୋଷ ସୃଷ୍ଟି ଆଳରେ ଓଡ଼ିଆ ଭାଷାର ଦାପ୍ତରିକ  ବ୍ୟବହାର ବାଧା ପାଇ ଆସିଥିବା ବେଳେ କମ୍ପୁଟର ଯୁଗରେ ମଧ୍ୟ ତତ୍ତୁଲ୍ୟ ବାଧା ଆମ ଭାଷାର ପ୍ରାଥମିକତା ନଷ୍ଟ କରିବାକୁ ବସିଛି ବୋଲି ସେ କହିଥିଲେ ଓ ଏହି ଦୃଶ୍ୟପଟର ପରିବର୍ତ୍ତନ ପାଇଁ ଐକ୍ୟବଦ୍ଧ ଉଦ୍ୟମ ପାଇଁ ଆହ୍ଵାନ ଦେଇଛନ୍ତି  ।