ଓଡ଼ିଆଭାଷାକୁ ନବୀନଙ୍କ ମରଣ ଆଘାତ -୮

ପୂର୍ବପ୍ରକାଶିତ ଉତ୍ତାରୁ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଗଜାନନ ବାବୁଙ୍କ ଉଦ୍ୟମକୁ ଛାୟାଛନ୍ନ କରିବାକୁ ଜଣେ ସରକାରୀ ଭେଦିଆ ଭୂମିକା ନିର୍ବାହ କରିଥିଲେ ସରକାରୀ ଦଳର ରାଜ୍ୟସଭା ସାଂସଦ ବୈଷ୍ଣବ ଚରଣ ପରିଡ଼ା । ଭାଷା ଆଇନ କାର୍ଯ୍ୟକାରୀ ହେଉ ବୋଲି ସେ ସ୍ଵର ତୋଳୁଥିଲେ ଓ ଜଣେ ସାଂସଦ ହୋଇଥିବା ହେତୁ ନିଜସ୍ଵ ତଥା ସରକାରୀ ପ୍ରଭାବରେ ଗଣମାଧ୍ୟମରେ ଝଲସି ବି ପାରୁଥିଲେ । କିନ୍ତୁ ଭାଷା ଆଇନ କାହିଁକି କାର୍ଯ୍ୟକାରୀ ହୋଇପାରୁନାହିଁ ତାହା ତାଙ୍କୁ ଜଣା ନଥିଲା । ଓଡ଼ିଆରେ କାମ କରିବାକୁ ପ୍ରବଳ ବ୍ୟଗ୍ରତା ପ୍ରକାଶ କରିଥିବା ଜାନକୀ ବଲ୍ଲଭ ପଟ୍ଟନାୟକ ଯଦି ଜାଣିପାରିନଥିଲେ କେଉଁ କାରଣ ହେତୁ ଭାଷା ଆଇନ କାର୍ଯ୍ୟକାରୀ ହୋଇପାରୁନାହିଁ ଏଙ୍କୁ ବା କିପରି ଜଣାଥାନ୍ତା?
ପ୍ରଥମଥର କାରଣ ଠାବ
ପ୍ରଥମଥର ପାଇଁ ମୁଁ ଏ କାରଣ ଠାବ କରିଥିଲି ଓ ସରକାରଙ୍କୁ ଜଣାଇଥିଲି । ଫଳରେ, ଆଇନଟିକୁ କାର୍ଯ୍ୟକ୍ଷମ କରିବା ପାଇଁ ଅପରିହାର୍ଯ୍ୟ ନିୟମାବଳୀ ପ୍ରଣୟନ ସକାଶେ ସମର୍ଥ ହେବା ପାଇଁ ୨୦୧୬ ମେ ୨୧ରେ ସରକାର ଅଧ୍ୟାଦେଶ ବଳରେ ଆଇନ ସଂଶୋଧନ କରି ଏହି ସାମର୍ଥ୍ୟ ଆହରଣ କରିଥିଲେ । ଏହା ଥିଲା ଓଡ଼ିଶାପାଇଁ ଅଭୂତପୂର୍ବ ଏବଂ ଅବିସ୍ମରଣୀୟ । ଭାଷା ଆନ୍ଦୋଳନରେ ମୋ ସହକର୍ମୀମାନେ ୨୪.୫.୨୦୧୬ ସନ୍ଧ୍ୟାରେ ଏଥିପାଇଁ ବିଜୟଉତ୍ସବ ପାଳନ କଲେ । ମୁଖ୍ୟ ଅତିଥି ଥିଲେ ଭାଷା ଆନ୍ଦୋଳନର ପ୍ରଥମ ପର୍ଯ୍ୟାୟରେ ନିରୋଳା ସାମ୍ବାଦିକୀୟ ସହଯୋଗ ଦେଇଥିବା ସମ୍ବାଦ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ସେ ଯେଉଁ ଭାଷଣ ଦେଇଥିଲେ , ତହିଁର ଐତିହାସିକ ମୂଲ୍ୟ ଅସୀମ । ତହିଁର ଆବଶ୍ୟକୀୟ ଅଂଶ ନିମ୍ନରେ ଉଦ୍ଧୃତ୍ତ ହେଲା :

“ଭାଷା ଆନ୍ଦୋଳନ ଯଦି ମୁଣ୍ଡ ଟେକି ଉଠି ପାରିଲା ଓ ଏତେ ବାଟ ଆଗେଇପାରିଛି , ତାର ଶ୍ରେୟ ଆପଣମାନଙ୍କ ପାଖକୁ ତ ଯିବ ହିଁ ଯିବ, କିନ୍ତୁ ସର୍ବାଗ୍ରେ ଯିବ ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କୁ । ତାର କାରଣ ହେଲା, ତାଙ୍କରି ହେତୁ ହିଁ ଉତ୍ସବ ମନାଇବାର ସୁଯୋଗ ଆମକୁ ମିଳିଛି । ୧୯୫୪ ମସିହାର ଗୋଟିଏ ଆଇନକୁ କାହିଁକି ୨୦୧୬ ମେ ୨୧ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେଲା ସାମାନ୍ୟ ଗୋଟିଏ ସଂଶୋଧନ ପାଇଁ? ଆମେ ଯେଉଁମାନେ ଓଡ଼ିଶା ସମ୍ପର୍କରେ ଆଲୋଚନା କରୁ, ମୋ ମନକୁ ଏପର୍ଯ୍ୟନ୍ତ ଏହି ପ୍ରଶ୍ନ ଆନ୍ଦୋଳିତ କରୁଛି – ୧୯୫୪ରେ ତ ଆଇନଟି ହୋଇଥିଲା – ଓଡ଼ିଶାରେ ଏତେ ବୁଦ୍ଧିଜୀବୀ ଥିଲେ, ଏତେ ବିଜ୍ଞଲୋକ ଥିଲେ, ଏତେ ମୁଖ୍ୟମନ୍ତ୍ରୀ ଗଲେଣି, କେହି କଣ ଜାଣିପାରିଲେନି ଯେ, ଆଇନଟି ସଂଶୋଧନ ନକଲା ପର୍ଯ୍ୟନ୍ତ ଏତଦ୍ଦ୍ୱାରା ସରକାରୀ ଭାଷା ବ୍ୟବହାର ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ ? ଏ ପ୍ରଶ୍ନର ଉତ୍ତର ପାଇଁ ଆଜି ମୁଁ ଯଦି ଟିକେ ଚିନ୍ତା କରୁଛି, ତାର କାରଣ ହେଲେ ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକ । ସେ ସମସ୍ତ ବିଷୟକୁ ଗବେଷଣା କରି ଆମ ଆଖି ଖୋଲିଦେଇଛନ୍ତି । ସେ ଦେଖେଇ ଦେଇଛନ୍ତି – କେଉଁଠାରେ, କେଉଁ ନିର୍ଦ୍ଦିଷ୍ଟ ବିନ୍ଦୁରେ ଆଘାତ ଦେଲେ କଥାଟି ପରିଷ୍କାର ହେବ ଏବଂ ତାର ସଂସ୍କାର ଓ ପରିବର୍ତ୍ତନ ପାଇଁ ବାଟ ଫିଟିବ ।”

ଐତିହାସିକ ଗୁରୁତ୍ଵ ଦୃଷ୍ଟିରୁ ସମଗ୍ର ଭାଷଣଟି ନଭମଞ୍ଚ (internet)ରେ ଅଛି । ସରଣି –  https://soundcloud.com/orissamatters/sambad-editor-soumya-ranjan-patnaik-on-bhasa-andolan
ସମ୍ବାଦ ସମ୍ପାଦକ କୌଣସି ଅତିରଞ୍ଜିତ କଥା କହିନଥିଲେ । ଓଡ଼ିଆ ଭାଷାରେ କାର୍ଯ୍ୟ ନହେଉଥିବାର କାରଣ ମୁଁ ହିଁ ପ୍ରଥମେ ନିରୂପଣ କରିଥିଲି ଓ ତହିଁର ନିରାକରଣ ପାଇଁ ପଦକ୍ଷେପ ନେଇଥିଲି ।

ଗଜାନନବାବୁଙ୍କ ଅନଶନ ଭାଙ୍ଗିବା ପାଇଁ ସରକାର ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରି ଭାଷା ଆଇନର ପ୍ରୟୋଗ ପଥରୁ ଅନ୍ତରାୟ ଅପସାରଣ ପାଇଁ ପରାମର୍ଶ ମାଗିଲେ । ଏହି କମିଟିରେ ମୁଁ ଥିଲି ଜଣେ ସଦସ୍ୟ । ଆଇନଟିରେ ମୁଁ ଯେଉଁ ଆଜନ୍ମ ତ୍ରୁଟି ଠାବ କରିଥିଲି, ତହିଁର ଦୂରୀକରଣ ପାଇଁ ମୁଁ ଆଇନ ସଂଶୋଧନ ଓ ନିୟମାବଳୀ ପ୍ରଣୟନ ସକାଶେ ପ୍ରସ୍ତାବ ଓ ପ୍ରସ୍ତାବିତ ବିଧାନର ଚିଠା ପ୍ରଦାନ କରିଥିଲି ୩.୯.୨୦୧୫ ତାରିଖରେ । ତାହାର ସରକାରୀ ପ୍ରମାଣୀକୃତ ନକଲ ବିଶ୍ୱବାସୀ ଓଡ଼ିଆଙ୍କ ପାଇଁ ନିମ୍ନ ସରଣିରେ ଉପଲଭ୍ୟ: ସରଣି –
https://www.scribd.com/document/521916009/Law-Proposed-by-Subhas-Chandra-Pattanayak-member-Ministerial-Committee-on-Official-Language

ଏତଦ୍ଦୃଷ୍ଟିରୁ ଦେଖିଲେ ଏହାହିଁ ଥିଲା ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ଅଲଙ୍ଘ୍ୟ କରିବା ପାଇଁ ପ୍ରଥମ ବିଧିବଦ୍ଧ ପ୍ରୟାସ । ସମ୍ବାଦ ସମ୍ପାଦକଙ୍କ ପୂର୍ବୋଦ୍ଧୃତ୍ତ ବୟାନ ଏହି ସତ୍ୟର ଏକ ନିରୋଳା ସ୍ୱୀକୃତି ମାତ୍ର । (କ୍ରମଶଃ)

ଓଡ଼ିଆଭାଷାକୁ ନବୀନଙ୍କ ମରଣଆଘାତ -୭

ପୂର୍ବପ୍ରକାଶିତ ଉତ୍ତାରୁ 

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ଏହାର ପ୍ରତିକାର ପାଇଁ ପ୍ରଥମ ପ୍ରୟାସ କରିଥିଲେ ଟିଟିଲାଗଡ଼ ନିବାସୀ ଅଧିବକ୍ତା ଓ କବି ଗଜାନନ ମିଶ୍ର ୨୦୦୫ରେ । ଓଡ଼ିଆ ଭାଷାରେ ଓଡ଼ିଶାର ଲୋକଙ୍କୁ ନ୍ୟାୟାଧିକାର ମିଳିବା ପାଇଁ ସେ ମୂଳ ଅଦାଲତମାନଙ୍କରେ ଓଡ଼ିଆ ଭାଷାରେ ଅର୍ଜି ଦେବା ଆରମ୍ଭ କଲେ । ଇଂରାଜୀ ଭାଷାରେ ଅଭ୍ୟସ୍ତ ସେହି ମୂଳ ଅଦାଲତଗୁଡ଼ିକ ସହଯୋଗ ନକରିବାରୁ ସେ ବଲାଙ୍ଗିର ଜିଲ୍ଲା ବିଚାରପତିଙ୍କ ନିକଟରେ ନିଜର ଯୁକ୍ତି ରଖିଲେ । ଏହି ଯୁକ୍ତି ଏତେ ଯଥାର୍ଥ ଥିଲା ଯେ, ଜିଲ୍ଲାଜଜ୍ ତାହା ଗ୍ରହଣ କରି ବଲାଙ୍ଗିର-ସୋନପୁରର ସମସ୍ତ ମୂଳ ଅଦାଲତମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଓଡ଼ିଆରେ ଦାଖଲ ହୋଇଥିବା ଅର୍ଜି/ଦରଖାସ୍ତ/ସତ୍ୟପାଠ ଇତ୍ୟାଦିକୁ ସେମାନେ ପ୍ରତ୍ୟାଖ୍ୟାନ ନକରି ବିଚାରକୁ ନେବେ । ଏହି ଐତିହାସିକ ଆଦେଶ ନିମ୍ନରେ ଉଦ୍ଧୃତ୍ତ ହେଲା – 

 

OFFICE OF THE DISTRICT JUDGE, BOLANGIR-SONEPUR,
BOLANGIR
No. 1406 Dt. 6.3.2006
From: Miss N.Das, L.L.B.
Registrar, Civil Courts, Bolangir
To All Courts,
Bolangir-Sonepur Judgeship
Sir,
I am directed to request you to please accept all the applications, letters, petitions/plaints, affidavits, appeal petitions, revision applications, etc pertaining to the matter Court & Office, if any filed or received in the office in Oriya language and to take necessary steps in the matter without refusing the same.
Yours Faithfully
Registrar, Civil Courts, Bolangir


ଏହା ସତ୍ତ୍ୱେ ଓଡ଼ିଆ ଭାଷାରେ ନ୍ୟାୟାଧିକାର ମିଳିବା ଦୁରୂହ ହୋଇଥିଲା । ଟିକେରାମ ଲୁହାଙ୍କ ମୋକଦ୍ଦମା (W. P. (C) 5958 /2007 ) ରେ ଓଡ଼ିଶା ହାଇକୋର୍ଟ ଦେଇଥିବା ନିଷ୍ପତ୍ତିରେ ଗଜାନନ ବାବୁଙ୍କ ଯୁକ୍ତିର ସାରବତ୍ତା ସାବ୍ୟସ୍ତ ହୋଇଥିବା ସତ୍ତ୍ୱେ ସରକାରୀ ଚାକିରିଆମାନଙ୍କ ଶାସକୀୟ ପ୍ରୌଢୀ ହେତୁ ଓଡ଼ିଆରେ ସାଧାରଣ ଓଡ଼ିଆଟିଏ ନ୍ୟାୟ ପାଇବା ସମ୍ଭବ ହେଉନଥିବା ସମ୍ପର୍କରେ ଜନଚେତନା ଜାଗୃତି ପାଇଁ ସେ ୧୫ ଜୁନ ୨୦୧୦ ତାରିଖରେ ରାଜଖଡ଼ିଆଳରେ ଅନଶନ କରିଥିଲେ, ୨୦୧୨ରେ ପୁନଶ୍ଚ ହାଇକୋର୍ଟ, ୨୦୧୫ରେ ପୁନଶ୍ଚ ଆମରଣ ଅନଶନ କରି ଲୋକଙ୍କ ଭାଷାରେ ଲୋକଙ୍କ ଆଫିସୀୟ କାର୍ଯ୍ୟ ପାଇଁ ଲୋକପ୍ରତିନିଧିମୂଳକ ସରକାରଙ୍କ ସହଯୋଗ କାମନା କରିଥିଲେ । ମାତ୍ର, କେଉଁ କାରଣ ହେତୁ ଓଡ଼ିଆ ଭାଷା କାର୍ଯ୍ୟକ୍ଷେତ୍ରରେ ଅଲଙ୍ଘ୍ୟ ହୋଇପାରୁନି , ସେ ତାହା ଠାବ କରିନଥିଲେ କି କ’ଣ କରାଗଲେ କାର୍ଯ୍ୟ କ୍ଷେତ୍ରରେ ଓଡ଼ିଆ ଭାଷାକୁ ଅବଜ୍ଞା କରିବାକୁ କେହି ସାହସ କରିପାରିବେ ନାହିଁ ତାହା ବି ସେ ନିରୂପଣ କରିପାରିନଥିଲେ । (କ୍ରମଶଃ)

ଓଡ଼ିଆଭାଷାକୁ ନବୀନଙ୍କ ମରଣଆଘାତ -୫

ପୂର୍ବପ୍ରକାଶିତ ଉତ୍ତାରୁ 

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ନାହିଁନଥିବା ଓଡ଼ିଆ ଭାଷା ଜାତୀୟତାର ପ୍ଲାବନ ଖେଳିଗଲା ସମ୍ବଲପୁର ଅଂଚଳରେ । ଯେହେତୁ ମାତୃଭାଷା ଓଡ଼ିଆ ବଦଳରେ ହିନ୍ଦୀ ରାଜଭାଷା ହେବାରୁ ଲୋକେ ପ୍ରଶାସନିକ ନର୍କରେ ପଡ଼ିଥିଲେ; ସେହେତୁ ସେମାନଙ୍କ ଦୁର୍ଗତି ଥିଲା “ଅତ୍ୟନ୍ତ ହୃଦୟବିଦାରକ” ବୋଲି କହିଛନ୍ତି ବଡ଼ଲାଟ କର୍ଜନଙ୍କ ଦ୍ଵାରା ଆଦ୍ଦିଷ୍ଟ ହୋଇ ସମ୍ବଲପୁର ତମାମ ବୁଲି ନିଜର ପ୍ରତ୍ୟକ୍ଷଦର୍ଶୀ ବିବରଣୀ ଦେଇଥିବା କମିଶନର ଆଣ୍ଡ୍ରୁ ଫ୍ରେଜର । ତାଙ୍କ ପ୍ରଦତ୍ତ ରିପୋର୍ଟରୁ କିୟଦଂଶ:

 

“ଜିଲ୍ଲାଟିର ଭାଷା ଓଡ଼ିଆ । ଏହାର ପ୍ରଶାସନିକ ସମସ୍ୟା ଅସୀମ ।
“ମୁଁ ଯାହା ଦେଖିଲି ତାହା ଥିଲା ଅତ୍ୟନ୍ତ ହୃଦୟ ବିଦାରକ ।
“ମୁଁ ଦେଖିଲି , ୪୦ / ୫୦ ମାଇଲ ଦୂରରେ ରହୁଥିବା ଲୋକଙ୍କ ପାଖକୁ ହିନ୍ଦୀରେ ଲେଖା ହୋଇ ଅଦାଲତରୁ ସମନ୍ ଯାଉଥିଲା । ଯେଉଁ ଲୋକ ପାଖକୁ ଏପରି ସମନ୍ ଯାଉଥିଲା, ସେ ନିଜେ ତାହା ପଢ଼ିପାରୁନଥିଲା ବା ଗାଁରେ ମଧ୍ୟ କେହି ତାକୁ ପଢ଼ିପାରୁନଥିଲେ । ଯେଉଁ ଚଉକିଆ ଦ୍ଵାରା ସମନ୍ ଯାଉଥିଲା ସେ ମଧ୍ୟ ଥିଲା ନିରକ୍ଷର । ସୁତରାଂ ସେ ବି କହିପାରୁନଥିଲା ଯେ କେଉଁ କାରଣରୁ ଅଦାଲତରୁ ସମନ୍ ଜାରି ହୋଇଛି । ସମନ୍ ପାଇ ଅଦାଲତରେ ହାଜର ନହେଲେ ଦଣ୍ଡ ମିଳିବା ଭୟରେ ଲୋକଟି ଚାଲି ଚାଲି ବା ଶଗଡ଼ ଗାଡ଼ିରେ ଅଝାଡ଼ ଜଙ୍ଗଲ ଭିତରେ ୪୦ / ୫୦ ମାଇଲ ଆସି ଅଦାଲତରେ ହାଜର ହେଉଥିଲା ଏବଂ ଜାଣିବାକୁ ଚେଷ୍ଟା କରୁଥିଲା ଯେ କାହିଁକି ତାକୁ ସମନ୍ ଜାରି ହୋଇଛି । ହୁଏତ ତାକୁ ସେତିକି ବୁଝିସାରି ମହଲତ ପାଇଁ ଦରଖାସ୍ତ କରିବାକୁ ବା ଯେଉଁ କାଗଜପତ୍ର ଦେଖାଇବାକୁ ତାକୁ ସମନ୍ ଯାଇଥିଲା ସେ କାଗଜପତ୍ର ଆଣିବାପାଇଁ ପୁଣି ଜଙ୍ଗଲେ ଜଙ୍ଗଲେ ସେହି ୪୦ / ୫୦ ମାଇଲ ବାଟ ଫେରିବାକୁ ପଡୁଥିଲା ।”

ଏପରି ନାନା “ଅତ୍ୟନ୍ତ ହୃଦୟବିଦାରକ” ପ୍ରତ୍ୟକ୍ଷଦର୍ଶୀ ଦୃଶ୍ୟରେ ଭରପୁର ଫ୍ରେଜରଙ୍କ ସଞ୍ଚିତ ବିବରଣୀ ଓଡ଼ିଆରେ ଅନୁବାଦ କରି ମୁଁ ପ୍ରକାଶ କରିଛି (‘ଓଡ଼ିଶା ପ୍ରଦେଶ ସୃଷ୍ଟିରେ ଗଣମାଧ୍ୟମ’, ସୁଭାଷ ଚନ୍ଦ୍ର ପଟ୍ଟନାୟକ, ସୌଭାଷ୍ୟ , ୨୦୦୯) । (କ୍ରମଶଃ ) 

ଓଡ଼ିଆଭାଷାକୁ ନବୀନଙ୍କ ମରଣଆଘାତ -୪

ପୂର୍ବପ୍ରକାଶିତ ଉତ୍ତାରୁ

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ଘୁମୁସରରୁ ଆରମ୍ଭ ହୋଇ ଭାଷା ଜାତୀୟତାର ସ୍ରୋତ ସମଗ୍ର ଗଞ୍ଜାମରେ ବ୍ୟାପିଗଲା ଓ ଏହା ଏପରି ରୂପ ଧାରଣ କଲା ଯେ, ମାନ୍ଦ୍ରାଜ ସରକାର ୧ ଅଗଷ୍ଟ ୧୮୯୦ ତାରିଖରେ ବାଧ୍ୟ ହୋଇ ଘୋଷଣା କଲେ କି , ଘୁମୁସରରେ ଥିବା ସମସ୍ତ ସରକାରୀ ଅଫିସ ତଥା ଅଦାଲତମାନଙ୍କରେ କେବଳ ଓଡ଼ିଆ ଭାଷାରେ ହିଁ କାମ ହେବ । କିନ୍ତୁ ଅଣଓଡିଆଙ୍କ ଚକ୍ରାନ୍ତ ହେତୁ ଏହି ଏକା ଆଦେଶରେ ପୁନଶ୍ଚ କୁହାହେଲା , ଘୁମୁସର ଭିନ୍ନ ଗଂଜାମ ଜିଲ୍ଲାର ଅନ୍ୟତ୍ର ଓଡ଼ିଆ ସାଙ୍ଗକୁ ତେଲୁଗୁ ବି ଚାଲିବ । ଫଳରେ ଯାହା ହେଲା ତାର ପ୍ରତିଛବି ଆମେ  ‘ଗ’ ଚିହ୍ନିତ ଦସ୍ତାବିଜରେ ଦେଖୁଁ । ନିଜ ଭାଷା ପାଇଁ ଗଂଜାମ ଜିଲ୍ଲା ସଂଘର୍ଷ ରତ ଥିବା ବେଳେ ୩୦ ଜାନୁଆରୀ ୧୮୯୫ ତାରିଖର ମଧ୍ୟପ୍ରଦେଶ ଗେଜେଟରେ ସେଠିକା ସରକାର ସମ୍ବଲପୁର ମୂଲକରେ ୧୮୯୬ ଜାନୁଆରୀ ପହିଲାରୁ ଓଡ଼ିଆ ପରିବର୍ତ୍ତେ ହିନ୍ଦୀରେ ସରକାରୀ କାମ ହେବ ବୋଲି କହିଲେ । ତା ପ୍ରଭାବରେ ମାନ୍ଦ୍ରାଜ ସରକାର ଗଞ୍ଜାମରେ ପ୍ରବର୍ତ୍ତନ କଲେ ସମ୍ପୁର୍ଣ୍ଣ ତେଲୁଗୁ ଯାହାର ପ୍ରତିଛବି ଆମେ ‘କ’ ଚିହ୍ନିତ ଦସ୍ତାବିଜରେ ଦେଖୁଁ । ସମ୍ବଲପୁର ମାତିଉଠିଲା ନିଜ ମାତୃଭାଷା ଓଡ଼ିଆକୁ ରାଜଭାଷା ଭାବେ ପୁନଃ ପ୍ରତିଷ୍ଠା କରିବା ପାଇଁ ।

ପୁଣ୍ୟଶ୍ଳୋକ ଦାମୋଦର ପଟ୍ଟନାୟକ ଥିଲେ ତାଳଚେର ରାଜ୍ୟର ପରିଚାଳକ (Manager) ସେଠିକା ରାଜା ନାବାଳକ ଥିବା ହେତୁ । ସମ୍ବଲପୁରରେ ହିନ୍ଦୀ ପ୍ରଚଳନକୁ ବିରୋଧ କରି ଯେଉଁ ଆନ୍ଦୋଳନ ଚାଲିଥିଲା ସେ ତାକୁ ଆର୍ଥିକ ସାହାଯ୍ୟ କରୁଥିଲେ କେବଳ ନୁହେଁ , ସବୁ ଲୋକ ଗାଇ ପାରିଲା ପରି ଗୀତ ଲେଖି ମାତୃଭାଷା ଓଡ଼ିଆ ପାଇଁ ଜୀବନପଣକରି ଲାଗିବାକୁ ଲୋକଙ୍କୁ ପ୍ରଚୋଦିତ କରୁଥିଲେ । ‘ଉତ୍କଳଦୀପିକା’ରୁ ଉଦ୍ଧାର କରି ‘ସମ୍ବଲପୁର ହିତୈଷୀଣି’ ତାଙ୍କର ଏପରି ଏକ ଗୀତ ୮ ଏପ୍ରିଲ ୧୮୯୬ରେ ପ୍ରକାଶ କରିଥିଲା ଯାହା ସମଗ୍ର ପଶ୍ଚିମ ଓଡ଼ିଶାରେ ଓଡ଼ିଆ ଭାଷା ପୁନଃ ପ୍ରଚଳନ ପାଇଁ ଚାଲିଥିବା ଆନ୍ଦୋଳନକୁ ଲେଲିହାନ କରିଥିଲା । ‘ଭୈରବୀ ରାଗ , ଆଦି ତାଳ’ରେ ଗେୟ ଏହି ମହାନ ବୈପ୍ଲବିକ ଗୀତରୁ ମୁଁ ଶେଷ ପଦ ଦୁଇଟିକୁ ଏଠାରେ ଉଦ୍ଧାର କରୁଛି :

“ଯାଉ ଏ ଜୀବନ ଧନ ହୁଅ ଏକ ପ୍ରାଣ ମନ
ହେଉ ଶରୀର ପତନ ରଖ ଏବେ ପଣ
ସର୍ବେ ରଖ ଏବେ ପଣ ।।
ଜନନୀ ରସନା ହିନ୍ଦୀ କାଟଇ ଜାତିକି ନିନ୍ଦି
ଉଠରେ ଉତ୍କଳ ଭାଇ ଘେନ ନିବେଦନ
ଭାଇ ସହେ କି ଜୀବନ?”

ସମ୍ବଲପୁର ଜିଲ୍ଲାରୁ ଉତ୍କଳ ଭାଷା ଉଠିଯାଇ ହିନ୍ଦୀଭାଷା ପ୍ରଚଳିତ ହେବା ସମ୍ବାଦରେ ଉତ୍କଳ ଭାରତୀଙ୍କ କ୍ଷୋଭ ଶୀର୍ଷକ ଏକ କବିତା ପ୍ରକାଶ ପାଇଥିଲା ସମ୍ବଲପୁର ହିତୈଷୀଣୀର ଭାଗ ୬, ସଂଖ୍ୟା ୩୬ରେ । ତହିଁରୁ ପଦେ –

“ସମ୍ବଲପୁରର ଅଧିବାସୀମାନେ
ଉତ୍କଳ ଚିର ସନ୍ତାନ
ହିନ୍ଦୀ ଆଧିପତ୍ୟ ହୋଇବ ସେଠାରେ
ଶୁଣି ସର୍ବେ ହତ ଜ୍ଞାନ ।”

ଓଡ଼ିଆ ଭାଷା ଜାତୀୟତାର ଶ୍ରେଷ୍ଠ ସାରସ୍ୱତ ସେନାପତି ସ୍ଵଭାଵକବି ଗଙ୍ଗାଧର ମେହେର ‘ଉତ୍କଳ ଭାରତୀଙ୍କ ନିବେଦନ’ ଶିର୍ଷକ କବିତାରେ କାଳେ ବିଲାତ ସରକାର ରାଗିବେ ଏହି ଭୟରେ ଓଡ଼ିଆ ଭାଷା ଆନ୍ଦୋଳନଠୁ ଦୁରେଇ ରହିଥିବା ସମ୍ବଲପୁର ଅଂଚଳର ରାଜାମହାରାଜାମାନଙ୍କୁ ତୀବ୍ର ଆକ୍ରମଣ କରିଥିଲେ । ଏପରିକି ନିଜ ଇଲାକାର ରାଜାଙ୍କୁ ସେ ଆକ୍ଷେପ କରି କହିଥିଲେ :

“ବରପଲ୍ଲୀପତି ଜାଣଇଁ ମୁହିଁ ତୁମ୍ଭର ମନ ।
ମୋହ ଲାଗି କହି ପାରିବ ପଦେ ଅଧେ ବଚନ?
ହରିହର ସିଂହ ତୁମ୍ଭେ ତ କିଛି କହିବ ନାହିଁ
କହିଲେ ଅବା ଉପାଧିଟି ରାଜେ ନେବେ ଛଡ଼ାଇ!” (କ୍ରମଶଃ)

ଓଡ଼ିଆଭାଷାକୁ ନବୀନଙ୍କ ମରଣଆଘାତ – ୩

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ବିଲାତି ଶାସନ ସଂକଳିତ ‘କୋରାପୁଟ ଗେଜେଟିଅର’ର ପୃଷ୍ଠା ୮୫ ରେ ଉଲ୍ଲେଖ ଅଛି:
“Sisti Karanas, originally Oriya, adopted Telugu language when Southern areas were lost to Oriyas.”

“କଚେରୀରେ ତେଲେଙ୍ଗା ବିଦ୍ୟା ପ୍ରଚାର ହେବାରୁ କ୍ରମେ କ୍ରମେ ଏ ଦେଶ ଲୋକଙ୍କର ଶ୍ରୀ ଚ୍ୟୁତ ହୋଇ ଯଶଃ ଶ୍ରୀ ବିଦ୍ୟା ବୁଦ୍ଧି ଲୋପ ହେବା ପ୍ରତ୍ୟକ୍ଷେ ସରକାରରୁ ନ୍ୟାୟ ଲଭିବାର ଦୁଷ୍କର ହୋଇଅଛି” ବୋଲି ଦର୍ଶାଇଥିଲା ଘୁମୁସରର ରସଲକୋଣ୍ଡା ଠାରେ ଦୀନବନ୍ଧୁ ପଟ୍ଟନାୟକଙ୍କ ଦ୍ଵାରା ଆୟୋଜିତ ଓଡ଼ିଆମାନଙ୍କର ପ୍ରଥମ ସମ୍ମିଳନୀ ୧୮୭୦ ସେପ୍ଟେମ୍ବର ୧୧ ତାରିଖରେ । ଓଡ଼ିଆ ଭାଷାକୁ ପୁନର୍ବାର ଦାପ୍ତରିକ ଭାଷା କରାଯାଉ, ନଚେତ ସବୁ ଓଡ଼ିଆ ଭାଷାଭାଷୀ ଅଂଚଳକୁ ଏକତ୍ର କରି ଗୋଟିଏ ଶାସନରେ ରଖାଯାଇ ସେଠାରେ ଓଡ଼ିଆକୁ ରାଜଭାଷା କରାଯାଉ ବୋଲି ଏହି ସମ୍ମିଳନୀରେ ଦାବି କରାଯାଇ ଏଥିରେ ସହଯୋଗ କରିବାକୁ “କଟକଜିଲ୍ଲା ଉତ୍କଳଦେଶୀୟ ମହାଶୟମାନଙ୍କୁ” ନିବେଦନ କରାହୋଇଥିଲା । ସେମାନଙ୍କୁ ଆହ୍ୱାନ ଦେଇ କୁହାହୋଇଥିଲା , “ଶାସ୍ତ୍ରାନୁସାରେ (ଅର୍ଥାତ୍ ସେମାନଙ୍କ ଭାଷା ସାହିତ୍ୟର ଭିତ୍ତି ଉପରେ) ଉତ୍କଳଦେଶ ସମଗ୍ର ଏକତ୍ର ହୋଇ ଓଡ଼ିଶା ଜିଲ୍ଲାରେ ରହିବା ଓ ସର୍ବତ୍ର ଉତ୍କଳ ଦେଶ ଅଦାଲତରେ ଉତ୍କଳ ବିଦ୍ୟା ପ୍ରଚଳ ହେବା ନିମିତ୍ତ ଭାରତବର୍ଷର ଶ୍ରୀଯୁକ୍ତ ରାଇଟ୍ ଅନରେବ୍ଲ ଗଭର୍ଣ୍ଣର ଜେନେରାଲ୍ ବାହାଦୁରଙ୍କ ହଜୁରରୁ ହୁକୁମ ହେବା କାରଣ କଟକ ଜିଲ୍ଲା ଉତ୍କଳ ଦେଶୀୟ ମହାଶୟମାନେ ଯଥୋଚିତ ତଦ୍ବିର କରି ଚିରସ୍ଥାୟୀ କୀର୍ତ୍ତି ରଖିବାର ଯଶଃ ପ୍ରକାଶ କରନ୍ତୁ ।”

ଅତଏବ ଓଡ଼ିଆ ଭାଷାରେ ଦପ୍ତର ଓ ଅଦାଲତଗୁଡ଼ିକ ନ ଚାଲି ଦକ୍ଷିଣ ଓଡ଼ିଶାରେ ତେଲୁଗୁ ଭାଷା ରାଜଭାଷା ହୋଇଯିବାରୁ ତଦ୍ଦ୍ଵାରା ଓଡ଼ିଆମାନଙ୍କର “ଯଶଃ ଶ୍ରୀ ବିଦ୍ୟା ବୁଦ୍ଧି ଲୋପ ହେବା” ଫଳରେ ନିଜ ମାତୃଭାଷା ଓଡ଼ିଆ ଯେପରି ଅଫିସ ଓ ଅଦାଲତମାନଙ୍କରେ ପୁନଃ ପ୍ରବର୍ତ୍ତିତ ହୁଏ ତା ପାଇଁ ଏକ ସ୍ୱତନ୍ତ ଓଡିଶା ପ୍ରଦେଶ ଗଠନ ପାଇଁ ଘୁମୁସର ସମ୍ମିଳନୀ ଆହ୍ୱାନ ଦେଇଥିଲା । ଏହା ଯଥୋଚିତ ବୋଲି ମତ ଦେଇ ଉତ୍କଳ ଦୀପିକା ସମ୍ପାଦକ ଲେଖିଥିଲେ:
“ବଙ୍ଗଳା ଓ ମଧ୍ୟପ୍ରଦେଶ ଅଧୀନରେ ଥିବା ଓଡ଼ିଆ ଭାଷାଭାଷୀ ଅଂଚଳରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷା ପ୍ରଚାର ଅଛି ……ଯେବେ ବଙ୍ଗଳା ଓ ମଧ୍ୟପ୍ରଦେଶରେ ଏପରି ହେଲା ତେବେ ମାନ୍ଦ୍ରାଜ ଗଭର୍ଣ୍ଣମେଣ୍ଟ ଅନ୍ତର୍ଗତ ଓଡ଼ିଶାରେ କାହିଁକି ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟାଳୟମାନଙ୍କରେ କାର୍ଯ୍ୟ ନ ଚଳିବ?” (ଉତ୍କଳଦୀପିକା, ୨୨ । ୧୦ । ୧୮୭୦) । (କ୍ରମଶଃ)