ସୁଭାଷ ଚନ୍ଦ୍ର ପଟ୍ଟନାୟକ
ନୂଆ ଡାହାଣୀ ପୁଅ ଖେଳାଇଲା ପରି ବିଜେଡିରେ ନୂଆ ପଶିଥିବା ସମ୍ବାଦ ସମ୍ପାଦକ ବାବୁ ସୌମ୍ୟରଞ୍ଜନ ପଟ୍ଟନାୟକ ନବୀନବାବୁଙ୍କୁ ଖୁସି କରିବାକୁ ନିଜ ଟିଭି ଚ୍ୟାନେଲ୍ ସମ୍ପାଦକଙ୍କ ମୁହଁରେ ଶିକ୍ଷକମାନଙ୍କୁ ‘ବ୍ଲାକମେଲର’ ବୋଲି କୁହାଇଛନ୍ତି • ଏହାକୁ ସମାଲୋଚନା କରି ସାମାଜିକ ଗଣମାଧ୍ୟମରେ ମୁଁ ଲେଖିଥିଲି କି, ସେ ଏଥିପାଇଁ ଦୁଃଖ ପ୍ରକାଶ କରିବା ଉଚ୍ଚିତ • ଯଦି ନିଜଆଡୁ ସେ ଏପରି ପ୍ରଚାର କରାଇନଥାନ୍ତି ତେବେ ଚ୍ୟାନେଲ୍ ସମ୍ପାଦକଙ୍କୁ ଶିକ୍ଷକକୁଳ ଓ ରାଜ୍ୟବାସୀଙ୍କ ନିକଟରେ ନିସର୍ତ୍ତ କ୍ଷମା ମାଗିବାକୁ କହନ୍ତୁ ବୋଲି ମଧ୍ୟ ମୁଁ କହିଥିଲି • ସେ ବା ତାଙ୍କ ଚ୍ୟାନେଲ୍ ଏଥିପାଇଁ କର୍ଣ୍ଣପାତ କରିନାହାନ୍ତି •
ସେ ତ ଆନ୍ଦୋଳନକାରୀ ଶିକ୍ଷକମାନେ ବ୍ଲାକମେଲ୍ କରୁଛନ୍ତି ବୋଲି କହିଲେ / କୁହାଇଲେ • ଆମେ କାହିଁକି ତାହାକୁ ନିନ୍ଦା କରୁଛୁ ? ଏ ପ୍ରଶ୍ନର ଉତ୍ତର ସ୍ପଷ୍ଟ ହେବା ଉଚ୍ଚିତ •
ଆମ ବିଚାରରେ , ଯେଉଁ ଶିକ୍ଷକମାନେ କୋଡ଼ିଏ ପଚିଶ ବର୍ଷ ଧରି ବିଦ୍ୟାଳୟମାନଙ୍କରେ ପଢ଼ାଇ ଆସିଥିଲେ ମଧ୍ୟ ଚାକିରୀରେ ସ୍ଥାୟୀ ହୋଇ ନ ପାରି , ଅର୍ଥନୀତିକ ଦୁରାବସ୍ଥାରେ ସଢୁଛନ୍ତି, ସେମାନେ ସମସ୍ତେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ହିଁ ପାଠ ପଢ଼ାଉଛନ୍ତି ଓ ସେହିମାନଙ୍କ ହେତୁ ଓଡ଼ିଆ ଭାଷା ସମସ୍ତ ସରକାରୀ ଷଡ଼ଯନ୍ତ୍ର ସତ୍ତ୍ବେ ଏଯାଏଁ ବଞ୍ଚି ରହିଛି •
ନିଜର ସର୍ବନିମ୍ନ ଆବଶ୍ୟକତା ପୁରଣପାଇଁ ସେମାନଙ୍କ ସବୁ ପ୍ରାର୍ଥନା ବ୍ୟର୍ଥ ହେଲାପରେ ସେମାନେ ନିରୁପାୟ ଅବସ୍ଥାରେ ଆନ୍ଦୋଳନ କରୁଛନ୍ତି • ସେମାନଙ୍କ ଆନ୍ଦୋଳନକୁ ସମର୍ଥନ କରିବା ପରିବର୍ତ୍ତେ ସେମାନେ ବ୍ଲାକମେଲ୍ କରୁଛନ୍ତି ବୋଲି ସୌମ୍ୟ ବାବୁ ତାଙ୍କ ଟିଭି ଚ୍ୟାନେଲରେ କୁହାଇବା କେବଳ ଯେ ଆମ ଜାତି ପାଇଁ ଲଜ୍ଜାଜନକ, ସେତିକି ନୁହେଁ, ଓଡ଼ିଆ ଭାଷାପାଇଁ ବି ଘୋର କ୍ଷତିକାରକ • ଏତଦ୍ଦ୍ଵାରା ସେମାନଙ୍କ ମଥାରେ ବ୍ଲାକମେଲିଂ କରୁଥିବାର ଯେଉଁ କଳଙ୍କ ବୋଳି ଛାତ୍ର ଛାତ୍ରୀ ଓ ସାଧାରଣ ଲୋକଙ୍କ ଆଖିରେ ସେମାନଙ୍କ ପବିତ୍ର ଭାବମୂର୍ତ୍ତିକୁ ନଷ୍ଟ କରିବାକୁ ଅପୋଦ୍ୟମ ହୋଇଛି ତାହା ସର୍ବଥା ନିନ୍ଦନୀୟ • ଏଣୁ ଆମେ ତାଙ୍କୁ ନିନ୍ଦା କରୁଛୁ •
ଓଡ଼ିଆ ଭାଷା ବିରୁଦ୍ଧରେ ଏହା ସୌମ୍ୟ ବାବୁଙ୍କର ଏକ ନୂଆ ଚାଲ୍ • ତାଙ୍କ ପୁରୁଣା ଚାଲ୍ ସମ୍ପର୍କରେ ବାରାନ୍ତରେ ଆଲୋଚନା କରିବା •
ଏହି ପ୍ରତିବେଦନ ଏଇଠି ସାରିବା ପୂର୍ବରୁ ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ ଯେ , ଓଡ଼ିଆମାଧ୍ୟମ ଶିକ୍ଷାୟତନମାନଙ୍କରେ ନିଯୁକ୍ତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଭାଷା ଆନ୍ଦୋଳନ ପୂର୍ଣ୍ଣପ୍ରାଣରେ ସମର୍ଥନ କରେ ଓ ସେମାନଙ୍କୁ ଚାକିରୀଗତ ଅସ୍ଥିରତା କବଳରୁ ଉଦ୍ଧାର କରି ଉପଯୁକ୍ତ ବେତନ ପ୍ରଦାନ କରାଯିବା ଉପରେ ଗୁରୁତ୍ବ ଦିଏ ; କାରଣ, ଏତଦ୍ଦ୍ଵାରା ହିଁ ଓଡ଼ିଆ ଜାତିର ଭବିଷ୍ୟ ପିଢ଼ି ହୃଦୟରେ ଓ ତାର କଣ୍ଠରେ ଓ କଲମରେ ଆମ ମାତୃଭାଷା ବଞ୍ଚିରହିବ ଓ ବିକଶିତ ହୋଇଚାଲିବ ; ଜବାହାରଲାଲ ନେହରୁ ବିଶ୍ଵବିଦ୍ୟାଳୟ ପରି ବାହାର ବିଶ୍ଵବିଦ୍ୟାଳୟମାନଙ୍କରେ ଓଡ଼ିଆ ଚଉକି ସଜାଇ କୋଟି କୋଟି ଟଙ୍କା ବ୍ୟୟରେ ତହିଁ ଉପରେ ଭାଷା ମାଫିଆଙ୍କ ଅଭିଷେକ ଦ୍ଵାରା ନୁହେଁ •
ଜୟ ଓଡ଼ିଆ ଭାଷା ଜନନୀ •





ଜୁନାଗଡ଼ର ପ୍ରତିନିଧିତ୍ବ କରୁଥିବା ପ୍ରତାପ କେଶରୀ ଗର୍ଜି ଉଠିଥିଲେ , “ଯେଉଁମାନେ ଓଡ଼ିଶାରେ ବାସ କରିବାକୁ ଚାହାନ୍ତି ସେମାନଙ୍କୁ ଓଡ଼ିଆ ନିଶ୍ଚୟ ଶିଖିବାକୁ ପଡ଼ିବ । ସେ ଆମର ଜଣେ ଆନ୍ଧ୍ର ଭାଇ ହୁଅନ୍ତୁ କିମ୍ବା ସେ ଆମର ଚିଫ ସେକ୍ରେଟାରୀ ହୁଅନ୍ତୁ ଅଥବା ଯେ କେହି ହୁଅନ୍ତୁ, ସମସ୍ତଙ୍କୁ ଓଡ଼ିଆ ଶିଖିବାକୁ ହେବ । They must learn Oriya or else they will have to clear out” – ଏହା କହି ପ୍ରତାପ କେଶରୀ ଯେତେବେଳେ ତାଙ୍କ ଭାଷଣ ଶେଷ କଲେ, ଚୁପ ହୋଇଯାଇଥିଲେ ଓଡ଼ିଆଵିରୋଧୀଏ ଏବଂ ତାଙ୍କ ଉତ୍ତରରେ ମୁଖ୍ୟମନ୍ତ୍ରୀ କହିବାକୁ ବାଧ୍ୟ ହୋଇଥିଲେ ଯେ, ଅଣଓଡ଼ିଆମାନଙ୍କୁ ଓଡ଼ିଆ ଭାଷାରେ ଧୂରୀଣ ହେବାପାଇଁ ତିନିବର୍ଷ କରୁଣା କାଳ ଦିଆଯିବ ଓ ଯେଉଁମାନେ ତିନିବର୍ଷ ଭିତରେ ଓଡ଼ିଆରେ କାମ କରିବା ନ ଶିଖିବା ସେମାନଙ୍କୁ ଦଣ୍ଡବିଧାନ ହେବ । ପ୍ରତାପ କେଶରୀ ଯଦି “ଓଡ଼ିଆ ନ ଶିଖିବା ଲୋକେ ଓଡିଶା ଛାଡି ପଳାଇବାକୁ ବାଧ୍ୟ” ବୋଲି ଯଦି ନ କହିଥାନ୍ତେ ସେଦିନ , ତେବେ ଓଡ଼ିଆ ଭାଷାରେ କାମ ନକରିବା ଦଣ୍ଡନୀୟ ହେବ ବୋଲି ବିଧାୟକକୀୟ ଉଦ୍ଦେଶ୍ୟ (legislative intention) ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରେ ଆଦୌ ଉଚ୍ଚାରିତ ହୋଇନଥାନ୍ତା । ତେଣୁ ସମଗ୍ର ଓଡ଼ିଆଜାତି କଳାହାଣ୍ଡିର ଶେଷ ମହାରାଜାଙ୍କ ଏହି ସମ୍ପୂର୍ଣ ଓଡିଆଜାତିପ୍ରାଣତା ନିକଟରେ ମୁଁ ସଦାକାଳେ ନତମସ୍ତକ ହୋଇରହିଛି ।
ସାଥୀ ସନ୍ତୋଷ ମିଶ୍ର ଏଠାରେ ପ୍ରଦତ୍ତ ଫଟୋଚିତ୍ରଗୁଡ଼ିକ ଦେଇ ଜଣାଇଛନ୍ତି କି, ଯେଉଁମାନେ କଳାହାଣ୍ଡି ଜିଲ୍ଲାରେ ଓଡ଼ିଶାର ଏହି ଅଭିନବ ମୁକ୍ତି ଆନ୍ଦୋଳନର ଭିତ୍ତି ସ୍ଥାପନ କରିଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ତାଙ୍କ ସମେତ ସର୍ବଶ୍ରୀ ଅଶୋକ ସାହୁ, ସୌମେନ୍ଦ୍ର ଚାନ୍ଦ, ନିହାର ମିଶ୍ର, ଭୁପେନ୍ଦ୍ର ପଣ୍ଡା, ଅନୁପ ଜେନା, ରାଜେଶ ନାୟକ, ଲୋକନାଥ ନାୟକ, ପ୍ରଶାନ୍ତ ଭୋଇ, ସନ୍ତୋଷ ସାହୁ, ପରମାନନ୍ଦ ପଣ୍ଡା, ଅନୱର ଭାରତୀ, ରାଜକୁମାର ଛାତିଆ, ପ୍ରତାପ ପ୍ରଧାନ, ପ୍ରଦୀପ ପତ୍ର, ବିରଂଚି ସେଠି, ଲୋକନାଥ ନାୟକ, ସନ୍ତୋଷ ମିଶ୍ର, ପ୍ରକାଶ ହରପାଲ, ରାମଚନ୍ଦ୍ର ଦାସ, ଧର୍ମେନ୍ଦ୍ର ପାତ୍ର ପ୍ରମୁଖ । ଦାବିଫଳକ ସହ ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରୁ ଅଭିଯାତ୍ରାରେ ଆସି ଦେୱାନୀ ଅଦାଲତ ପରିସରରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଦାବି ହାସଲ ଯାଏଁ ସଂଗ୍ରାମ ଅତୁଟ ରହିବ ବୋଲି ସେମାନେ ପ୍ରତିଜ୍ଞା ପ୍ରକଟ କରିଥିଲେ ।